Home / ନାଟକ / ଆଦିନାଟ୍ୟକାର ଓ ପଦ୍ମନାଭ ରଙ୍ଗାଳୟ ବନାମ ରାଧାକାନ୍ତ ରଙ୍ଗମଞ୍ଚ

ଆଦିନାଟ୍ୟକାର ଓ ପଦ୍ମନାଭ ରଙ୍ଗାଳୟ ବନାମ ରାଧାକାନ୍ତ ରଙ୍ଗମଞ୍ଚ

ଜଣେ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଥିଲେ ଅପନ୍ନା ପରିଚ୍ଛା  । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ତକ୍ରାଳୀନ ପାରଳା ଜମିଦାରୀର ଜଣେ ପ୍ରମୁଖ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ସେ । ଜଣେ ମଠ ପରିଚାଳକ, ନାଟ୍ୟକାର, ନିର୍ଦ୍ଦେଶକ, ସାହିତ୍ୟିକ ବ୍ୟତୀତ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ତାଙ୍କର ଥିଲା ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା । ସେତେବେଳେ  ବଙ୍ଗଳାର ଆନନ୍ଦ ମଠର ଭୂମିକା ଓଡ଼ିଶାରେ ପରିଚ୍ଛା ମଠ ନିର୍ବାହ କରୁଥିଲା । ପରିଚ୍ଛା ମଠର ଏହି ଭୂମିକାକୁ ଗୋପବନ୍ଧୁ ଦାସ କହିଥିଲେ – “ପରିଚ୍ଛାମଠ ଓଡ଼ିଆ ଜାତୀୟତା ଏବଂ ଜ୍ଞାନଚର୍ଚ୍ଚାର ପୀଠସ୍ଥଳୀ ଅଟେ” । ଅପନ୍ନା ପରିଚ୍ଛାଙ୍କ ବହୁବିଧ ଭୂମିକା ସମ୍ପର୍କରେ ଲେଖକ ଏଠାରେ ପାଠକମାନଙ୍କୁ ପରିଚିତ କରାଇଛନ୍ତି । – ସମ୍ପାଦକ

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ନାଟକ କ୍ଷେତ୍ରରେ ଯେଉଁ ଜାଗରଣ ଓ ଉଦ୍ବେଳନ ଦେଖାଯାଇଥିଲା, ହୁଏତ ସମକାଳୀନ ଭାରତୀୟ ନାଟକ ଇତିହାସରେ ତାହା ଦେଖାଯାଇନଥିବ । ସେ ସମୟର ପରିସ୍ଥିତିକୁ ହୃଦୟଙ୍ଗମ କରି ଗୋଟିଏ ପଟେ ଦାକ୍ଷିଣାତ୍ୟର (ଅଧୁନା ଓଡ଼ିଶା ଅନ୍ତର୍ଭୁକ୍ତ) ପାରଳାଖେମୁଣ୍ଡି ଏବଂ ତକ୍ରାଳୀନ ଉପକୂଳ ଓଡ଼ିଶାର ରାଜଧାନୀ କଟକର ମାହାଙ୍ଗା ଅଞ୍ଚଳରେ ଯେଉଁ ଦୁଇ ବ୍ୟକ୍ତିତ୍ୱ ଉଭୟ ପୌରାଣିକ ଓ ସାମାଜିକ ନାଟକ କ୍ଷେତ୍ରରେ ଯେପରି ଉକ୍ରର୍ଷତା ପ୍ରତିପାଦିତ କରିଛନ୍ତି, ଫଳରେ ଜଣେ ନୁହଁ, ବରଂ ଦୁଇଜଣଙ୍କୁ ଆଦି ନାଟ୍ୟକାର; ଜଣଙ୍କୁ ପୌରାଣିକ ନାଟକର ‘ଆଦିନାଟ୍ୟକାର’ ଏବଂ ଅପରଙ୍କୁ ସାମାଜିକ ନାଟକ କ୍ଷେତ୍ରରେ ଆଦିନାଟ୍ୟକାର ଭୂଷଣରେ ଭୂଷିତ କରିବା ବରଂ ଉଚିତ ଏବଂ ଯଥୋଚ୍ଚିତ ସମ୍ମାନ ମିଳିପାରିବ ।

ତତ୍କାଳୀନ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅନ୍ତର୍ଗତ ପାରଳାଖେମୁଣ୍ଡି (ସେତେବେଳେ ପାର୍ଲାକିମେଡ଼ି କୁହାଯାଉଥିଲା)ରେ ନାଟ୍ୟ ଜାଗରଣର ଯେ ସୂତ୍ରପାତ ହୋଇଥିଲା, ତାହାପୁଣି ଓଡ଼ିଶାର ପ୍ରଥମ ପୌରାଣିକ କଥାବସ୍ତୁକୁ ନେଇ ଲିଖିତ ଓ ମଞ୍ଚସ୍ଥ ହୋଇପାରିଥିଲା, ତାହାପୁଣି ୧୮୬୦ ମସିହାରେ । ରଘୁନାଥ ପରିଚ୍ଛାଙ୍କ ‘ଗୋପୀନାଥବଲ୍ଲଭ ନାଟକ’ ଲିଖିତ ଓ ମଞ୍ଚସ୍ଥ ହେଲା, ସେତେବେଳେ ଓଡ଼ିଆ ଭାଷା ଅଞ୍ଚଳରେ ଏହା ଖୁବ୍ ଚମକ ଆଣିପାରିଥିଲା । କିନ୍ତୁ ଯେହେତୁ ପାରଳାଖେମୁଣ୍ଡି ସେତେବେଳେକାର ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅନ୍ତର୍ଗତ ଥିଲା, ତାହା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହେଲେ ସୁଦ୍ଧା ଓଡ଼ିଶାର ଏକ ଅଙ୍ଗ ବୋଲି ବିବେଚିତ ହୋଇନଥିଲା ।

ବିବିଧ ବ୍ୟକ୍ତିତ୍ୱ କହିଲେ ଯେତିକି ପ୍ରାସଙ୍ଗିକ ହେବ, ଏକ ଅବହେଳିତ ଅଥବା ବିସ୍ତୃତ ବ୍ୟକ୍ତିତ୍ୱ କହିଲେ ତତୋଃଧିକ ପ୍ରାସଙ୍ଗିକତା ବଜାୟ ରହିବ । କେବଳ ପାରଳା ମାଟି କାହିଁକି(?), ଅନ୍ୟ ଗଡ଼ଜାତ ଅଞ୍ଚଳଭଳି ଏହି ପାରଳା ଗଡ଼ରେ ଜନ୍ମିଥିଲେ ଅନେକ ପ୍ରତିଭା। ପ୍ରତ୍ୟେକେ ସ୍ୱ ସ୍ୱ କୃତିରେ ରୁଦ୍ଧିମନ୍ତ କରିଛନ୍ତି ଏହି ମାଟିର ସାହିତ୍ୟ, ସଂସ୍କୃତି ଓ ସାମାଜିକ ପରିବେଶକୁ । ବିଦେଶୀ ଶାସନରେ ଥରହର ଓଡ଼ିଶା । ନିଜର ଭୌଗୋଳିକ ଓ ସାମାଜିକ ସ୍ଥିତି ସଙ୍କଟାପନ୍ନ । ଦକ୍ଷିଣ ରାଜ୍ୟର ପ୍ରଭାବ ଅନେକାଂଶରେ ଅନୁଭୂତ । ଗାଣିତିକ ହିସାବ ଅନୁଯାୟୀ ନିଜ ମାତୃଭାଷାରେ କହିବା ଲୋକସଂଖ୍ୟା କମ୍ ଥିବାବେଳେ ଓଡ଼ିଆ ଶିକ୍ଷାଦୀକ୍ଷା ପାଇଁ ରାଜାନୁଗ୍ରହ ଅବଶ୍ୟ ସର୍ବୋପରି ସହାୟକ ହୋଇପାରିଥିଲା ।

ଊନବିଂଶ ଶତାବ୍ଦୀର ପ୍ରାକ୍କାଳ ଅଥବା ଅଷ୍ଟାଦଶ ଶତାବ୍ଦୀ ଶେଷବେଳକୁ ଅବଶ୍ୟ ପାରଳାଖେମୁଣ୍ଡି ରେଭେନ୍ସା କଲେଜ ଓ କଲେଜିଏଟ ସ୍କୁଲପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାକୁ ଲାଗିଲା । ତେବେ ନିଜର ଭୌଗୋଳିକ ସୀମା ସରହଦ ଓ ଭାଷାଭିତ୍ତିକ ଅଞ୍ଚଳର ଯୁକ୍ତିଯୁକ୍ତତା ବାଢ଼ିଥିଲା ପାରଳା ସନ୍ତାନ । ଏହି ଭାଷା ଅଥବା ସୀମା ନିର୍ଦ୍ଧାରଣ କରିବା ସକାଶେ ପାରଳାମାଟିର ଅନ୍ୟାନ୍ୟ ପ୍ରତିଭାମାନଙ୍କ ମଧ୍ୟରୁ ଯେଉଁମାନେ ଯତ୍କିଞ୍ôଚତ ସହଯୋଗୀର ଦାୟିତ୍ୱ ନେଉଥିଲେ, ତନ୍ମଧ୍ୟରୁ ଏହି ବିବିଧ ବ୍ୟକ୍ତିତ୍ୱ ଆପନ୍ନା ପରିଚ୍ଛା ରହିବେ ସର୍ବାଗ୍ରେ ।

ଜଣେ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଥିଲେ ଆପନ୍ନା ପରିଚ୍ଛା । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ତକ୍ରାଳୀନ ପାରଳା ଜମିଦାରୀର ଜଣେ ପ୍ରମୁଖ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ‘କିଛି ନୂଆ ସୃଷ୍ଟି କରିବାର’ ଜିଜ୍ଞାଷା ପରିଚ୍ଛା ମହାଶୟଙ୍କୁ ସବୁବେଳେ ଘାରୁଥିଲା । ତେବେ କେତେକାଂଶରେ ପ୍ରଥମେ ପ୍ରଥମେ ସଫଳକାମୀ ନ ହୋଇଥିଲେ ସୁଦ୍ଧା ଦୃଢ଼ ମନୋବଳ ଯୋଗୁଁ କୌଣସି ପ୍ରକାର ବିଫଳତାରେ ଦବି ନଯାଇ ନିଜ ଇପ୍ସିତ ଉଦ୍ୟମରେ ସାଧିତ ହେଲେ ।

ଜଣେ ମଠ ପରିଚାଳକରୁ ନାଟ୍ୟକାର, ନିର୍ଦ୍ଦେଶକ, ସାହିତ୍ୟ ଓ ସଙ୍ଗୀତଚର୍ଚ୍ଚା ଏବଂ ସର୍ବୋପରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ଭିତ୍ତିିଭୂମି ତିଆରିରେ ନିଜକୁ ଜଡ଼ାଇ ରଖିବା ଭଳି ବ୍ୟକ୍ତିତ୍ୱ (ବିବିଧ ବ୍ୟକ୍ତିତ୍ୱ) ଟିଏ ହେଲେ ଆପନ୍ନା ପରିଚ୍ଛା ।

କେହି ହୁଏତ ନାଟ୍ୟକାର ଆପନ୍ନା ପରିଚ୍ଛା କହିପାରନ୍ତି, କେହି ସ୍ୱାଧୀନତା ସଂଗ୍ରାମୀ ଆପନ୍ନା ପରିଚ୍ଛା କହିପାରନ୍ତି, କିନ୍ତୁ ସମସ୍ତ ବାଦ-ବିବାଦ ଓ ହୀନମନ୍ୟତାରୁ ଊଦ୍ଧ୍ୱର୍ରେ ଥିଲେ ଏହି ବିବିଧ ବ୍ୟକ୍ତିତ୍ୱ । ପୁଣ୍ୟ ମହେନ୍ଦ୍ରତନୟାର ସୁଲଳିତ ସ୍ୱର ଓ କିଛି ଦୂରରେ ବଂଶଧାରାର କଳକଳ ନାଦ । ପ୍ରାଚୀନ ଉକ୍ରଳର ଗୌରବ, ସାହିତ୍ୟ, ସଂସ୍କୃତିର ନିଦର୍ଶନ ଆଜି ବି ଦେଖିବାକୁ ମିଳୁଛି ପାରଳା ସହରରେ ।

ପାରଳାର ଅନେକ ଅନ୍ୟାନ୍ୟ ଇତିହାସର ଗୌରବମୟ ପୃଷ୍ଠାରୁ ଭାଷାଭିତ୍ତିକ ରାଜ୍ୟଗଠନର ମୂଳଦୁଆ ଯେଉଁଠି ପଡ଼ିଥିବା ଅନେକ ଦୃଷ୍ଟାନ୍ତ ରହିଛି – ତାହା ହେଉଛି ରସିକରାଜ ମଠ ବା ପରିଚ୍ଛା ମଠ । କେବଳ ଓଡ଼ିଆ ଭାଷାର ନୁହେଁ, ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚର ଧ୍ୱଂସାବଶେଷକୁ ସଯତ୍ନେ କୋଳେଇ ରଖିଛି ପରିଚ୍ଛା ମଠ । ସରକାରୀଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସାତଦଶକ ଆମେ ପାଳନ କରିସାରିଲୁଣି ।

କିନ୍ତୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ଦେଖୁଥିବା ସ୍ୱାଭିମାନୀ ଓ ଜାତିପ୍ରେମୀ ଓଡ଼ିଆନେତାଙ୍କ ଗୋଲଟେବୁଲ ବୈଠକ ବସୁଥିଲା ଏଇ ମଠ ପରିସରରେ । ଭାଷାଭିତ୍ତିକ ଅଞ୍ଚଳ ସବୁର ସମ୍ମିଶ୍ରଣ, ରଇତ ଆନ୍ଦୋଳନ; ଏପରି ଅନେକ ଜାତି କଲ୍ୟାଣକର ଯୋଜନା ତିଆରି ହେଉଥିଲା ଏହି ମଠ ପରିସରରେ । କେବଳ ଖୋଦ ଆପନ୍ନା ପରିଚ୍ଛା ନୁହନ୍ତି କିମ୍ବା ତକ୍ରାଳୀନ ଗଞ୍ଜାମ ଜିଲ୍ଲାର ନେତୃବର୍ଗ ନୁହନ୍ତି; ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଭଳି ଓଡ଼ିଶାର ବରପୁତ୍ରଗଣ ମଧ୍ୟ ଏଇ କଥିତ ପରିଚ୍ଛାମଠର ବାରଣ୍ଡାରେ ହେଉଥିବା ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରି ସୁଚିନ୍ତିତ ପରାମର୍ଶ ତଥା ମତାମତ ଯୁକ୍ତିନିଷ୍ଠ ଭାବେ ଉପସ୍ଥାପନ କରିଛନ୍ତି । ଶିଳ୍ପୀ ଚାତୁରୀର ଅମର ଆଲେଖ୍ୟ ବହନ କରୁଥିବା ଦୁଇମହଲା ବିଶିଷ୍ଟ ଏହି ପରିଚ୍ଛାମଠର କ୍ଷେତ୍ରଫଳ ହେଉଛି ୯୫.୨୫୨ସେଣ୍ଟ୍ ।

ପ୍ରାୟ (୧୭୩୯- ୧୮୦୦) ମସିହାରେ ଶାସନ କରୁଥିବା ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଅମଳରେ ଦାମୋଦର ପରିଚ୍ଛା ମଠ ପ୍ରତିଷ୍ଠା କରିଥିବା ଇତିହାସ କହେ । ସେ ସମୟର ମଠସଂସ୍କୃତିର ଅଭୁଦ୍ୟୟ ପୁରୀ ଭଳି ଏଠାରେ ମଧ୍ୟ ଦ୍ରୁତଉନ୍ନତିର ସୋପାନରେ ପହଞ୍ଚି ପାରିଥିଲା । କେବଳ ଠାକୁର ପୂଜା ମଠଗୁଡ଼ିକର ଆଭିମୁଖ୍ୟ ନଥିଲା, ମଠ ଭିତରେ ଅନାଥ ଓ ଗରିବ ଶ୍ରେଣୀର ଛାତ୍ରମାନେ ରହି ରାଜାନୁଗ୍ରହରେ ଶିକ୍ଷାଗ୍ରହଣ କରୁଥିଲେ । ପୁରୀପରେ ପାରଳାଖେମୁଣ୍ଡିରେ ଅଧିକାଂଶ ମଠରହିଛି । ଏପରିକି ରାଜାରାଜୁଡ଼ାମାନେ ସହରରେ ଥିବା ଅନେକ ମଠକୁ ହଜାର ହଜାର ଏକର ଜମି ଦାନସୂତ୍ରରେ ଦେଇଛନ୍ତି ତ ଅନେକ ଜମିଦାର ଓ ନିଜର ବଂଶାନୁକ୍ରମିକଭାବେ ମଠ ସବୁର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ସେହିପରି ମଠ ମଧ୍ୟରୁ ପରିଚ୍ଛାମଠ ଅନ୍ୟତମ ।

ଏହି ପରିଚ୍ଛାମଠ ମଧ୍ୟରେ ଆରାଧ୍ୟଦେବତା ହେଉଛନ୍ତି ରସିକରାଜ । ଏଠାରେ ରାଧାକୃଷ୍ଣ ଯୁଗଳମୂର୍ତ୍ତି ପୂଜିତ ହେଉଥିବାବେଳେ କୃଷ୍ଣଙ୍କ ଅନ୍ୟ ପ୍ରକୃତି ରସିକତାଥିଲା । ସେହି ରସିକତାକୁ ଆଧାରକରି ଏଠାରେ ଆରମ୍ଭ ହୋଇଥିଲା ‘ଶ୍ରୀ ଶ୍ରୀ ରସିକରାଜ ପ୍ରାସାଦୈକ ସୁଜ୍ଞଜନ ମନୋରଞ୍ଜନ ନାଟ୍ୟସଂଘ’ । ପ୍ରଥମେ ଆପନ୍ନା ପରିଚ୍ଛାଙ୍କ ଦ୍ୱାରା ଏହାର ଶ୍ରୀଶୁଭମସ୍ତୁ କରାଯାଇଥିଲା । ନାଟକକ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାରେ ଆପନ୍ନାଙ୍କ ଧୂରୀଣ ଓ ବଳିଷ୍ଠ ଦୂରଦୃଷ୍ଟି କଳିଙ୍ଗରାଜ୍ୟର ନାଟ୍ୟକାରମାନଙ୍କ ସକାଶେ ସମୃଦ୍ଧି ଆଣିଦେଇଥିଲା । ଅନେକ ବିନିଦ୍ର ରଜନୀ ଏଠାରେ କଟାଇଛନ୍ତି ବହୁ ବିଜ୍ଞ/ମହାମନିଷୀଗଣ । ସାମାଜିକ ନାଟକ କ୍ଷେତ୍ରରେ ‘ବାବାଜୀ’ ନାଟକ ପ୍ରଥମେ ମଞ୍ଚସ୍ଥ ହୋଇଥିଲା କଟକ ଜିଲ୍ଲା ମାହାଙ୍ଗାର ରାଧାକାନ୍ତ ରଙ୍ଗମଞ୍ଚରେ । କିନ୍ତୁ ପୌରାଣିକ କିମ୍ବା ଯେକୌଣସି ବର୍ଗର ନାଟକ କ୍ଷେତ୍ରରେ ରସିକରାଜ ପ୍ରାସାଦୈକ ରଙ୍ଗମଞ୍ଚ ହିଁ ଓଡ଼ିଶାରେ ସର୍ବପ୍ରଥମ । ଆପନ୍ନା ପରିଚ୍ଛା ମାଟ୍ରିକ ପଢ଼ୁଥିବା ସମୟରେ ମନ୍ଦିରର ବଂଶାନୁକ୍ରମିକ ଦାୟିତ୍ୱ ମୁଣ୍ଡାଇଥିଲେ । ମନ୍ଦିରର ପରିଚାଳନାର ଦାୟିତ୍ୱସହ ଏକ ସାଂସ୍କୃତିକ ଦଳ ପ୍ରତିଷ୍ଠା ତାଙ୍କରି ନାଟ୍ୟକଳାପ୍ରତି ଥିବା ଅନୁରକ୍ତିର ପରିଚୟ ଦିଏ । ନିଜ ପ୍ରତିଷ୍ଠିତ ରଙ୍ଗାଳୟକୁ ପାରଳା ରାଜପରିବାର ଅନୁରୋଧକ୍ରମେ ପଦ୍ମନାଭ ରଙ୍ଗାଳୟକୁ ନାମ ପରିବର୍ତ୍ତନ କରିବା କେବଳ ଆପନ୍ନାଙ୍କର ନୁହେଁ, ପରିଚ୍ଛାବଂଶର ପ୍ରକୃତ ଦାୟାଦ ହିସାବରେ ଆପନ୍ନାଙ୍କ ନିର୍ମଳ ତ୍ୟାଗ ତଥା ରାଜ ପରିବାର ପ୍ରତି ଅନୁରାଗର ସୂଚନା ଦିଏ । ଦ୍ୱିତଳ ବିଶିଷ୍ଟ ମଞ୍ଚର ତଳଭାଗରେ କୋଠାଘର, ଭଣ୍ଡାରଘର, ଗନ୍ତାଘର ରହିଥିବାବେଳେ ଉପରିଭାଗରେ ଗ୍ରନ୍ଥାଗାର ଚାଲୁଥିଲା । ସରକାରୀ ଦୃଷ୍ଟିର ଆଢ଼ୁଆଳ ଯୋଗୁଁ ଏହି ବିରଳ କିର୍ତ୍ତୀସ୍ତମ୍ଭଟି ହୁଏତ କିଛିବର୍ଷ ପରେ ଧରାଶାୟୀ ହୋଇଯିବ ।

ଏବେକାର ମନ୍ଦିରର ଉତ୍ତରାଧିକାରୀ ମୂରଲୀଧରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଅନେକାଂଶରେ ଆପନ୍ନାଙ୍କ ସ୍ମୃତିକୁ ସାଉଁଟିବାରେ ଯଥେଷ୍ଟ ସହାୟକ ହୋଇପାରିଛି । ବହୁଦିନରୁ ଏବଂ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦାଲାଭ କରିବା ପୂର୍ବରୁ ଆପନ୍ନାଙ୍କ କୃତି ଗ୍ରନ୍ଥାଗାରରେ ତିନିହଜାରରୁ ଅଧିକ ବିଭିନ୍ନ ଭାଷାର ଦଲିଲ, ପୁସ୍ତକ ଓ ଡାଏରୀମାନ ରହିଛି । ଏସବୁ ଡାଏରୀରେ ଆପନ୍ନା ପ୍ରତିଦିନର ବିବରଣୀ ଓ ମଠର ହିସାବପତ୍ର ଲିପିବଦ୍ଧ କରୁଥିଲେ । ଗବେଷଣା ଆଳରେ କିଛି ନଥିପତ୍ର ଓ ଦଲିଲ ଚୋରୀ ହୋଇଥିବା ବେଳେ କିଛି ଯତ୍ନ ଅଭାବରୁ ନଷ୍ଟ ହୋଇଯାଇଛି । ଯେତିକି ଅନ୍ତତଃ ରହିଛି, ସେସବୁ ମଧ୍ୟ ଗବେଷଣାସାପେକ୍ଷ । ନାଟକ ରଚନାଠୁ ଆରମ୍ଭ କରି ନାଟକର ନିର୍ଦ୍ଦେଶନା ଦେବା ଅନେକାଂଶରେ ଏକ କଷ୍ଟକର ବ୍ୟାପାର ।

କିନ୍ତୁ ଊନବିଂଶ ଶତାବ୍ଦୀର ଆଦ୍ୟକାଳରେ ବିଭିନ୍ନ ଭାଷାର ପୁସ୍ତକ ଓ ସାହିତ୍ୟ ପଢ଼ିବା, ସେସବୁର ଭାଷାନ୍ତର କରିବା ଆଦୌ ସହଜଲବ୍ଧ ନଥିଲା । କିନ୍ତୁ ଦୂରଦୃଷ୍ଟିର ଦୃଷ୍ଟାନ୍ତ ରଖିଥିଲେ ଆପନ୍ନା ପରିଚ୍ଛା । କେବଳ ନିଜେ ପଢ଼ାପଢ଼ି କରୁନଥିଲେ, ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ବିଭିନ୍ନ ଭାଷାର ପୁସ୍ତକ ଅଧ୍ୟୟନ ପାଇଁ ପ୍ରବର୍ତ୍ତାଉଥିଲେ । ଏହି ମଠରେ ତତ୍ସାମୟିକ ଦାୟାଦମାନେ ଗରିବ, ଅନାଥ ଛାତ୍ରମାନଙ୍କୁ ଆଣି ଉକ୍ତ ମଠରେ ରଖି ସେମାନଙ୍କୁ ସବୁପ୍ରକାର ନିତ୍ୟ ଆବଶ୍ୟକତାକୁ ତୁଲାଇ ନିଜ ଆଧିପତ୍ୟ, ବଂଶ ଆଭିଜାତ୍ୟ ଏବଂ ମଠର ସ୍ୱାତନ୍ତ୍ର‌୍ୟକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲେ ଯାହା ସାମାଜିକ ଦୃଷ୍ଟିକୋଣରୁ ଏହି ପରିଚ୍ଛାମଠର ଆବଶ୍ୟକତା ସେ ସମୟରେ ସର୍ବୋକ୍ରୃଷ୍ଟ ଥିଲା । ବିଜ୍ଞପଣ୍ଡିତ, ସାହିତ୍ୟିକ ଓ ଶାସ୍ତ୍ରଜ୍ଞମାନଙ୍କୁ ନିମନ୍ତ୍ରଣ କରି ଜ୍ଞାନ ସମ୍ବନ୍ଧୀୟ ଆଲୋଚନା, ତର୍କ କରାଯାଉଥିଲା । ବିଖ୍ୟାତ କଳାକାରମାନଙ୍କୁ ଡକାଇ ଏଠାରେ ସ୍ଥାନୀୟ କଳାପ୍ରେମୀ ଜନସାଧାରଣଙ୍କୁ ଉଚିତ ମାର୍ଗଦର୍ଶନ କରାଯାଉଥିଲା ।

ଏ ସମସ୍ତ ପ୍ରକାର ବିବିଧ ବିଭବକୁ ଲକ୍ଷ୍ୟକରି ଗୋପବନ୍ଧୁ ଦାସ କହିଥିଲେ -ପରିଚ୍ଛାମଠ ଓଡ଼ିଆ ଜାତୀୟତା ଏବଂ ଜ୍ଞାନଚର୍ଚ୍ଚାର ପୀଠସ୍ଥଳୀ ଅଟେ । ଓଡ଼ିଶା ପ୍ରାଦେଶିକ ପଟ୍ଟଭୂମି ନିର୍ମାଣ ସମୟରେ ଏହି ମଠ ସ୍ୱାଭିମାନୀ ଆପନ୍ନା ପରିଚ୍ଛାଙ୍କ ସୂକ୍ଷ୍ମଚିନ୍ତା ଏବଂ ତୀକ୍ଷ୍ଣ ଦୂରଦୃଷ୍ଟିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଇତିହାସ କହେ, ଯାହା ପାଇଁ ଏହି ମଠକୁ ଓଡ଼ିଶାରେ ‘ଆନନ୍ଦ ମଠ’ ବୋଲି ଆଲେଖ୍ୟ କୁହାଯାଇପାରିବ । ଭାରତର ଆନନ୍ଦମଠରେ ଯେଉଁପରି ଗାନ୍ଧିଜୀଙ୍କ ସହ ଅନ୍ୟ ଦେଶର ଭକ୍ତ, ବିଦ୍ୱାନମାନେ ମିଳିତ ହୋଇ ପରାଧୀନ ଭାରତମାତାକୁ ମୁକ୍ତ କରିବାପାଇଁ ଯେଉଁଭଳି ଭାବେ ବିଭିନ୍ନପ୍ରକାର ଷଡ଼ଯନ୍ତ୍ର ଗୁପ୍ତଭାବେ କରୁଥିଲେ ଏବଂ କରିବାପାଇଁ ସଂଗ୍ରାମୀମାନଙ୍କୁ ଶିକ୍ଷା ଦେଉଥିଲେ, ଠିକ ସେହିପରି ତତ୍ ସମୟରେ ବାରିଷ୍ଟର ମଧୁସୂଦନ, ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ ଦାସ ବିଦ୍ରୋହୀ ଆପନ୍ନାଙ୍କ ସହିତ ଏହି ମଠରେ ମିଳିତ ହୋଇ ଓଡ଼ିଆ ଭାଷା, ଜାତି ଓ ଭୂଖଣ୍ଡର ରକ୍ଷା ଓ ସ୍ୱାଧୀନତା ପାଇଁ ଏହି ମଠଟିକୁ ସୁରକ୍ଷିତ ମଣି ବିଭିନ୍ନ ପ୍ରକାର ଗୁପ୍ତ ଷଡ଼ଯନ୍ତ୍ର ତିଆରି କରିଥିଲେ ଏବଂ କରିବାପାଇଁ ଶିକ୍ଷା ଦେଇଥିଲେ ।

ଏହି ବିଷୟବସ୍ତୁକୁ ଉପଜୀବ୍ୟ କରି ପ୍ରଖ୍ୟାତ ଐତିହାସିକ ଓ ଗବେଷକ ତଥା ଏହି ପାରଳାମାଟିର ଅନ୍ୟତମ କୃତିସନ୍ତାନ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ନିବନ୍ଧରେ ଲେଖିଛନ୍ତି । ‘ଆନନ୍ଦ ମଠ’ର ଆଦର୍ଶରେ ପରିଚ୍ଛାମଠ ଚାଲୁଛି । ଏହି ମଠର ଆଦର୍ଶ ଭଳି ଅବଶ୍ୟ ଓଡ଼ିଶାରେ ସ୍ୱରାଜ୍ୟ ଆଶ୍ରମ, କଟକ ଓ ଉକ୍ରଳ ଆଶ୍ରମ ଗଞ୍ଜାମରେ ରହିଛି ।

କିନ୍ତୁ ଇଂରେଜମାନଙ୍କ ତୀକ୍ଷ୍ଣ ନଜରରେ ଥିବା ପ୍ରୋକ୍ତ ଦୁଇଟିଯାକ ଆଶ୍ରମ ସମସ୍ତଙ୍କ ପାଇଁ ସୁରକ୍ଷିତ ନଥିଲା । ସେହିପରି ଆଉ ଏକ ପ୍ରବନ୍ଧରେ ପାରଳାମାଟିର ଜଣେ ସୁଯୋଗ୍ୟ ସନ୍ତାନ ତଥା ପାରଳାର ପରଶ ମଣି ଐତିହାସିକସତ୍ୟନାରାୟଣ ରାଜଗୁରୁ ମହାଶୟ ଲେଖିଛନ୍ତି-ପାରଳାଖେମୁଣ୍ଡିର ଶ୍ରୀ ପଦ୍ମନାଭ ଦେବଙ୍କ ସ୍ମୃତିରକ୍ଷା ସକାଶେ ଯେଉଁ ରଙ୍ଗାଳୟଟି ଆଧୁନିକ ଧରଣରେ ନିର୍ମିତ ହେଲା, ସେଥିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉତ୍ସାହ ଏବଂ ଅନୁଦାନ ହେତୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତ ଓ ନାଟକପ୍ରେମୀମାନେ ଆସି ସେହି ଅନୁଷ୍ଠାନରୁ ଶିକ୍ଷାଲାଭ କରି ଯାଉଥିଲେ । କଟକର ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ମଧ୍ୟ କେତେକ ନାଟକ ସେହି ପଦ୍ମନାଭ ରଙ୍ଗାଳୟରେ ପ୍ରଦର୍ଶିତ ହୋଇଥିଲା ।

ଓଡ଼ିଶାର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ ସ୍ୱର୍ଗୀୟ କାଳୀଚରଣ ପଟ୍ଟନାୟକ କେତେଥର ପାରଳା ଆସି କବି ଗୋପାଳକୃଷ୍ଣ, ଗୌରହରି ପରିଚ୍ଛା ପ୍ରଭୃତି ପ୍ରାଚୀନ କବି ଓ ସଙ୍ଗୀତଜ୍ଞଙ୍କ ରଚିତ ରାଗ ଓ ତାଳ ସମ୍ପର୍କରେ ଅଧିକ ଶିକ୍ଷା କରି ଯାଇଥିବା ଆପନ୍ନାଙ୍କ ଦିନଲିପିରୁ (ଡାଏରୀ)ଜଣାଯାଏ । ଆଧୁନିକ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାରଳାଠାରେ ପଥପ୍ରାନ୍ତ ନାଟ୍ୟ ରୂପେ ରାମଲୀଳା, କୃଷ୍ଣଲୀଳା ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିଲା ।

ରାଧାକୃଷ୍ଣଙ୍କ ଲୀଳା ସମ୍ପର୍କରେ ଯେଉଁ ସବୁ ପଥପ୍ରାନ୍ତ ନାଟ୍ୟ ସମ୍ଭାର ପାରଳାର କରଣ ସାହିରେ ପ୍ରଦର୍ଶିତ ହେଉଥିଲା, ତାହା ନାଟକୀୟ ପଦ୍ଧତିରେ ରଚନା କରିବା ସକାଶେ ସ୍ୱର୍ଗୀୟ ଆପନ୍ନା ପରିଚ୍ଛା ବହୁ ଧନ ବ୍ୟୟକରି ତାଙ୍କ ନିଜର ଶ୍ରୀ ରସିକରାଜ ମଠରେ ଗୋଟିଏ ନାଟ୍ୟଶାଳା ନିର୍ମାଣ କଲେ । ସେଥିରେ ନାଟକ ପ୍ରଦର୍ଶନ ପାଇଁ ଯେତେ ସବୁ ଉପକରଣ ଓ ବେଶଭୂଷା ଆବଶ୍ୟକ, ତାହା ସେ ନିଜେ କ୍ରୟ କରିଥିଲେ । ଆଉ ମଧ୍ୟ କୃଷ୍ଣଲୀଳା ନାଟକର ଛାଞ୍ଚରେ ଲେଖିବାକୁ ଆପନ୍ନା ପରିଚ୍ଛା ଓ ତାଙ୍କ ପୁତୁରା ସିଂହାଦ୍ରୀ ପରିଚ୍ଛା ଏବଂ ନିଜେ (ରାଜଗୁରୁ ମହାଶୟ) କେତେ ଗୋଟି ନାଟକ ରଚନା କଲୁ । ଆପନ୍ନା ପରିଚ୍ଛାଙ୍କ ‘ନବାନୁ ରାଗ’, ସିଂହାଦ୍ରୀ ପରିଚ୍ଛାଙ୍କ ‘ନବୋକ୍ରଣ୍ଠା’ ଓ ନିଜେ(ରାଜଗୁରୁ) ଲେଖିଥିବା ନାଟକ ‘ରାଧାଭିଷେକ’ ରସିକରାଜ ମଠର ରଙ୍ଗମଞ୍ଚରେ ଅଭିନୀତ ହୋଇ ପ୍ରଶଂସିତ ହୋଇଥିଲା ।

ରାଧାଭିଷେକ ନାଟକ ଅଭିନୟ ଦେଖିବାକୁ ଖୋଦ୍ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସେହି ମଠକୁଯାଇ ସମ୍ପୂର୍ଣ୍ଣ ନାଟକଟିକୁ ଦେଖିଥିବାରୁ ପରିଚ୍ଛାଙ୍କ ନାଟ୍ୟଶାଳା ସମଗ୍ର ଓଡ଼ିଶାରେ ପରିଚିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ସ୍ୱର୍ଗୀୟ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ତକ୍ରାଳୀନ କଂଗ୍ରେସ ନେତାମାନେ ଅନେକ ବାର ପରିଚ୍ଛା ମଠକୁ ଆସି ଆତିଥ୍ୟ ଗ୍ରହଣ କରୁଥିଲେ । ଆପନ୍ନା ପରିଚ୍ଛାଙ୍କ ଉଦ୍ୟମରେ ସେହି କୃଷ୍ଣଲୀଳା ସମ୍ପର୍କିତ ନାଟକରେ ଅଂଶଗ୍ରହଣ କରିବା ସକାଶେ ଦୁଃସ୍ଥ ବାଳକମାନଙ୍କୁ ସେହି ମଠରେ ରଖି ସଙ୍ଗୀତ ଓ ଅଭିନୟ ଶିକ୍ଷା ଦିଆଯାଉଥିଲା । କାରଣ ସଙ୍ଗୀତ ପ୍ରାଧାନ୍ୟ ସେହି ନାଟ୍ୟଭୂମିକାରେ ଅଂଶଗ୍ରହଣ କରିବାକୁ ହେଲେ ସଙ୍ଗୀତର ମୌଳିକ ପଦ୍ଧତି ଜାଣିବା ଆବଶ୍ୟକ । ତେଣୁ ସେଥିପାଇଁ ପାରଳାର ସୁପ୍ରସିଦ୍ଧ ସଙ୍ଗୀତ ବିଶାରଦ ମାଗତା ପାଢ଼ୀଙ୍କୁ ଆପନ୍ନା ପରିଚ୍ଛା ଦରମା ଦେଇ ନିଯୁକ୍ତ କରିଥିଲେ । ତାଙ୍କର ପଦ୍ମନାଭ ରଙ୍ଗାଳୟରେ କେତେକ ଐତିହାସିକ ଓ ପୌରାଣିକ ବିଷୟକୁ ଆଧାର କରି ଲେଖାହୋଇଥିବା ନାଟକ ଅଭିନିତ ହେଉଥିଲା” ।

ବେଳେ ବେଳେ ଏମିତି ଘଟଣା ଘଟିଛି, ଯାହା ଅନେକଙ୍କୁ ଆଚମ୍ବିତ କରିଛି । ଅତିଥି ସେବାରେ ସେ ନିଜକୁ ମଜାଇ ଦେଉଥିବା ବେଳେ ଅପରପକ୍ଷରେ ପ୍ରବଳ ରାଜାନୁଗ୍ରହ ଥାଇ ସୁଦ୍ଧା ପାରଳାରାଜାଙ୍କ ସାମୟିକ ରୁକ୍ଷ ବା ରୁଷ୍ଟତା ପ୍ରତି ସେ ଭ୍ରୂକ୍ଷେପ କରୁନଥିଲେ । ଯେଉଁକ୍ଷେତ୍ରରେ ସମଗ୍ର ପାରଳାବାସୀ ରାଜାଙ୍କୁ ଭୟ କରି ରହୁଥିଲେ, ସେଇ ଅବସ୍ଥାରେ ସେ ସାହସର ସହ ରାଜାଙ୍କୁ ସାମୟିକ ସ୍ତରରେ ମୁକାବିଲା କରିପାରିଛନ୍ତି । ଥରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଓଡ଼ିଆ ଜାଗରଣ କାର୍ଯ୍ୟକ୍ରମରେ ପାରଳାକୁ ଆସିବାର ଥାଏ । କିନ୍ତୁ ତକ୍ରାଳୀନ ଗଜପତି ମହାରାଜ ତାଙ୍କରି କାର୍ଯ୍ୟକ୍ରମ ଓ ରହିବାର କୌଣସି ବନ୍ଦୋବସ୍ତ କଲେ ନାହିଁ । ଆପନ୍ନା ପରିଚ୍ଛା ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ମଧ୍ୟରେ ଥିବା ମତାନୈକ୍ୟ ପ୍ରତି ସହରବାସୀ ଅବଗତ ଥିଲେ ବହୁ ପୂର୍ବରୁ ।

ଏଥିରୁ ସାଧାରଣତଃ ଅନୁମାନ କରିବା କଥା ଯେ ଯେହେତୁ ପାରଳାର ନାଗରିକମାନେ ବିଶେଷତଃ ବୁଦ୍ଧିଜୀବୀ ଓ ରାଜାନୁଗ୍ରହ ପାଳିତ ବ୍ୟକ୍ତିମାନେ ପରିଚ୍ଛାମଠର ଛାଇ ନମାଡ଼ିବା କଥା, କିନ୍ତୁ ପ୍ରକୃତ ପରିସ୍ଥିତି ଥିଲା ଓଲଟା । ସହର ମଧ୍ୟରେ ଆପନ୍ନା ଅତ୍ୟନ୍ତ ଲୋକପ୍ରିୟ ଥିଲେ । ପରିଚ୍ଛା ମଠକୁ ସାଧାରଣ ଲୋକେ, ବୁଦ୍ଧିଜୀବୀ ଶ୍ରେଣୀ, ଏପରିକି ମହାରାଜାଙ୍କ କର୍ମଚାରୀ ଓ କଲେଜ ଅଧ୍ୟାପକମାନେ ନିର୍ଭୟରେ ଆସନ୍ତି । ନାଟକର ପ୍ରାକ୍ଅଭ୍ୟାସ (ରିହର୍ସାଲ୍) ଦେଖନ୍ତି-ଗପସପ ହୁଏ -ସଙ୍ଗୀତ ଚର୍ଚ୍ଚା ହୁଏ । ମତାନୈକ୍ୟ ଥିଲେ ସୁଦ୍ଧା ରାଜା କିମ୍ବା ଆପନ୍ନା ପରିଚ୍ଛା ନିଜପାଖକୁ ଆସୁଥିବା ଜନସାଧାରଣଙ୍କୁ ପରସ୍ପର ବିରୋଧରେ କେହି କାହାରି କଥା ପଚାରିନଥିବା ସବୁଠୁ ଉଲ୍ଲେଖଯୋଗ୍ୟ । ଏପରି ଘଟଣାର ଦୃଷ୍ଟାନ୍ତ ହୁଏତ ଅନ୍ୟ କେଉଁଠି  ଦେଖା ଯାଇଥାଇପାରେ । ନିଜ ନିଜ ଆସ୍ଥାନରେ ଦୃଢ଼ ରହି ଉଭୟେ ଉଭୟଙ୍କୁ ସମ୍ମାନଜନକ ଦୃଷ୍ଟିରେ ଦେଖୁଥିଲେ ।

ତଥାପି ମହାରାଜ ଗଜପତି ପ୍ରଶାସନିକ କ୍ଷେତ୍ରର ଇଂରେଜମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଉଦ୍ଦେଶ୍ୟରେ ଗୋପବନ୍ଧୁଙ୍କ ରହଣି ସକାଶେ କିଛି ବ୍ୟବସ୍ଥା କଲେନାହିଁ । ଏ ଅବ୍ୟବସ୍ଥା ସମ୍ପର୍କରେ ତକ୍ରାଳ ଛାତ୍ର ସତ୍ୟନାରାୟଣ ରାଜଗୁରୁ ଏବଂ ସାଥୀଙ୍କୁ ଖବର ମିଳିଲା । ସେମାନେ ଅନନ୍ୟୋପାୟ ହୋଇ ପରିଚ୍ଛାମଠକୁ ଧାଇଁଲେ । ଆପନ୍ନାଙ୍କୁ ସାକ୍ଷାତକରି ସବୁ ବିଷୟ ପେଶ୍ କରି ଚାଲିଲେ । ଆପନ୍ନା କିନ୍ତୁ ନିର୍ବିକାରଭାବେ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ – ଚିନ୍ତାକର ନାହିଁ ମୁଁ ପରିଚ୍ଛା ମଠରେ ସେହି ବିରାଟ କାର୍ଯ୍ୟକ୍ରମର ବନ୍ଦୋବସ୍ତ କରିବି । ପରେ ଅତି ଉଦ୍ଦୀପନାର ସହ କାର୍ଯ୍ୟକ୍ରମଟି ସଫଳ ହେଲା । ସାମାଜିକ ଦିଗ୍ଦର୍ଶନ ଦେବାରେ ଏହି ମଠ ନିଜର ପ୍ରାଧାନ୍ୟତାକୁ ବଜାୟ ରଖିଥିଲା । ବିପ୍ଳବୀ ଆପନ୍ନା ଥିଲେ ଏହାର ମୁଖ୍ୟନାୟକ । ୧୯୨୪ ମସିହାରେ ରଇତଙ୍କ ଉପରେ ଖଜଣା ବସାଗଲା, ଏଇ ମଠରେ ରଇତମାନଙ୍କ ସମାବେଶ କରାଇ ଖଜଣା ଆଦାୟ ବିରୋଧରେ ସ୍ୱର ଉଠାଗଲା । ଏହା ରଇତମାନଙ୍କ ଦକ୍ଷ ଓ ରୁକ୍ଷ ଚିନ୍ତାଧାରାକୁ ଦୋହଲାଇ ଦେବାରେ ସକ୍ଷମ ହୋଇଥିଲା । ରଇତ ଆନ୍ଦୋଳନ ତୀବ୍ରତର ହେଲା ।

ଏହି ପରିଚ୍ଛା ମଠର ଆରାଧ୍ୟ ଶ୍ରୀ ରସିକରାଜଙ୍କ ଅପାର କରୁଣାରୁ ଯେଉଁ ବଜ୍ର ଶପଥ ନିଆଯାଏ, ତାହାର ସଫଳ ରୂପାୟନ ହୋଇଥିବା ଅନେକ ଦୃଷ୍ଟାନ୍ତ ରହିଛି । ଓଡ଼ିଆ ଭାଷା, ଜାତି, ଦେଶମିଶ୍ରଣ, ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ୱାଧୀନତା ପାଇଁ ଯେଉଁ ଗୁପ୍ତ ମନ୍ତ୍ରଣା ତିଆରି ହେଉଥିଲା ଏହି ପରିଚ୍ଛା ମଠରେ । ବଙ୍ଗଳାର ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ରଚିତ ‘ଆନନ୍ଦ ମଠ’ର ଆଦର୍ଶରେ ‘ପରିଚ୍ଛା ମଠ’ ଦକ୍ଷିଣାଞ୍ଚଳ ଓଡ଼ିଆଙ୍କ ଏକ ଜାତୀୟ କେନ୍ଦ୍ରରୂପେ ପରିକଳ୍ପିତ ହୋଇଥିଲା । କାରଣ ଏହି ଦୁର୍ଗମ ଅଞ୍ଚଳକୁ ନିରାପଦ ମଣି ସଂଗ୍ରାମୀ ମନର ଯୁଦ୍ଧକୌଶଳ ପ୍ରସ୍ତୁତି କରାଯାଉଥିଲା । ୧୯୨୭ ମସିହାରେ ମହାତ୍ମାଗାନ୍ଧୀ ଶ୍ରୀକାକୁଲମ (ଆନ୍ଧ୍ରପ୍ରଦେଶ) ଆସିଥିବା ଅବସରରେ ତାଙ୍କୁ ପାରଳା ଆଣିବାପାଇଁ ଉଦ୍ୟମ କରି ଆପନ୍ନା ପରିଚ୍ଛା ସଫଳ ହୋଇଥିଲେ ।

ପାରଳାବାସୀ ଗାନ୍ଧିଜୀଙ୍କ ଦର୍ଶନ ଲାଭକରି କୃତକୃତ୍ୟ ହେବା ସହ ଆପାନ୍ନାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଦେଶମିଶ୍ରଣ, ଭାଷାଗତ ସ୍ୱାଧୀନତା ପାଇଁ ସଂଗ୍ରାମର ପାଉଁଶ ଗଦାଭିତରୁ ଆଜି ମଧ୍ୟ ଆପନ୍ନା ପରିଚ୍ଛାଙ୍କ ନାମରେ ନିଆଁର ବାସ୍ନା ମିଳୁଛି । ଦେଖିବାକୁ ଗଲେ ସଂସ୍କୃତି, ସଙ୍ଗଠନ ଓ ସର୍ବୋପରି ସଂଗ୍ରାମ ଓ ସଂଗ୍ରାମୀର ପେଣ୍ଠସ୍ଥଳ ହେଉଛି ଏହି ରସିକରାଜ ମଠ ବା ପରିଚ୍ଛାମଠ ପରିସୀମା । ଯଥାର୍ଥରେ ଆପନ୍ନା ଥିଲେ ପାରଳାରେ ଗାନ୍ଧୀ-ଗୋପବନ୍ଧୁ ପ୍ରବାହର ଅନ୍ୟତମ ଭଗୀରଥ । ପାରଳାର ଏହି ଭୂମିପୁତ୍ର ହେଲେ ଏକାଧାରରେ ନାଟ୍ୟକାର, ସଙ୍ଗୀତଜ୍ଞ, ସମାଜସେବୀ, ସଂସ୍କାରକ, ଦେଶଭକ୍ତ ଓ ଜାତିପ୍ରାଣତାର ଅପୂର୍ବ ତ୍ରିବେଣୀସିକ୍ତ ଜଣେ ବିବିଧ ବ୍ୟକ୍ତିତ୍ୱ ।

ପ୍ରାସାଦୈକ ରଙ୍ଗମଞ୍ଚରେ ଅଭିନୀତ  ଆପନ୍ନା ପରିଚ୍ଛାଙ୍କ ନାଟକ

ନବଲୀଳା ବିଳାସ-ପୌରାଣିକ

ବିଜୟ ବସନ୍ତ ନାଟକ-

(୧୯୦୩ରୁ ଆରମ୍ଭ

ପ୍ରଥମ ଉକ୍ରଳ ସମ୍ମିଳନୀର ପ୍ରତିନିଧିଙ୍କ ସମ୍ମୁଖରେ

ଅଭିନୀତ) ପରେ ୧୯୧୬ ମସିହାରେ ପୁରୀ ପ୍ରେସ୍ରେ ପ୍ରକାଶିତ ହୋଇଥିଲା ଉକ୍ତ ନାଟକଟି । ଏହା ସହ ବହୁ ସ୍ଥାନରେ ଅଭିନୀତ ହୋଇଥିଲା ବିଜୟ ବସନ୍ତ ନାଟକ)

ଗୋଷ୍ଠମିଳନ-ପୌରାଣିକ

ଚନ୍ଦ୍ରହ୍ରାସ-୯ମ ଶ୍ରେଣୀ ପଢ଼ୁଥିବା ବେଳେ ଲିଖିତ

ହେମଲତା- ସାମାଜିକ ନାଟକ

କନୌଜକୁମାରୀ- ଐତିହାସିକ ନାଟକ

ଆପନ୍ନା ପରିଚ୍ଛାଙ୍କ ଜନ୍ମ- ୧୮୭୮

ମୃତ୍ୟୁ- ୧୯୩୯

ପ୍ରାସାଦୈକ ରଙ୍ଗମଞ୍ଚର ଆରମ୍ଭ-୧୮୯୭

ଉକ୍ତ ରଙ୍ଗମଞ୍ଚରେ ଅଭିନୀତ ଅନ୍ୟ ନାଟକ—

-ଶକୁନ୍ତଳା ନାଟକ

-କୃଷ୍ଣଙ୍କ ରାସଲୀଳା (ଆପନ୍ନା ପରିଚ୍ଛା)

ପାରଳା ସହରର ବହୁ ନାଟ୍ୟପ୍ରେମୀଙ୍କ ନାଟକ ମଧ୍ୟଏହି ପ୍ରାସାଦୈକ ରଙ୍ଗମଞ୍ଚ ବା ପରେ ନାମିତ ପଦ୍ମନାଭ ରଙ୍ଗାଳୟରେ ଅଭିନୀତ ହୋଇଥିଲା । ।

ରଘୁନାଥ ପରିଚ୍ଛା – ଗୋପୀନାଥ ବଲ୍ଲଭ ନାଟକ-

୧୮୬୦

ଜନ୍ମ- ରଘୁନାଥ ପରିଚ୍ଛା ଜନ୍ମ-୧୭୯୫ (

ଫାଲଗୁନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥି)

ମୃତ୍ୟୁ- ୧୮୭୧

ରଘୁନାଥ ପରିଚ୍ଛାଙ୍କ ନାଟକ ସମଗ୍ର

-ସଙ୍ଗୀତ ରାମଲୀଳା

– ସଙ୍ଗୀତ କୃଷ୍ଣ ଲୀଳା

– ନୀତି ଶତକ ଖଣ୍ଡ କବିତା

– ସଙ୍ଗୀତ ରତ୍ନାକର କବିତାବଳୀ

ବାସୁଦେବ ନାଟକ-(ନାଟ୍ୟଲୀଳା)

କୃଷ୍ଣଚନ୍ଦ୍ରମା ନାଟକ- ନାଟ୍ୟଲୀଳା

ରାଧାମାଧବ ବିଳାସ- ଖଣ୍ଡକାବ୍ୟ

ନାଟକସମଗ୍ର

ଗୋପୀନାଥ ବଲ୍ଲଭ ନାଟକ- ୧୮୬୮- ( ସଂସ୍କୃତ ଶ୍ଲୋକରେ ନାଟକଟି ଭରପୁର ଯୋଗୁଁ ସେତେବେଳେ ଲୋକପ୍ରିୟ ହୋଇପାରିନଥିଲା) । ଅନ୍ୟ ନାଟକସବୁ

-ଚନ୍ଦ୍ରହ୍ରାସ-ସନ୍ଧି ଉପସନ୍ଧି

-ଚଞ୍ଚଳାକୁମାରୀ

-ହେମଚନ୍ଦ୍ର ନାଟକ

-କନୌଜକୁମାରୀ

ସ୍ୱର୍ଣ୍ଣଲତା- ଐତିହାସିକ

ପୌରାଣିକ- ବିଲ୍ୱମଙ୍ଗଳ

About ବିଘ୍ନେଶ୍ୱର ସାହୁ

ବିଘ୍ନେଶ୍ୱର ସାହୁ
ସାମ୍ବାଦିକ

Check Also

ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

  ନାଟକ ହେଉଛି ସମସାମୟିକ ମଣିଷ ଜୀବନର ପ୍ରତିଛବି ଏବଂ ସତ୍ୟପ୍ରକାଶର ଏକ ବଳିଷ୍ଠ ମାଧ୍ୟମ । ଏହି ପରିପ୍ରେକ୍ଷୀରେ …

Leave a Reply

Your email address will not be published. Required fields are marked *