ପଟ୍ଟଚିତ୍ର

17 Min Read

ଚିତ୍ର ଶବ୍ଦର ଅର୍ଥ ବ୍ୟାପକ। କୋଷକାରମାନେ ଚିତ୍ର ଶବ୍ଦର ଯେଉଁ ସଂଜ୍ଞା ନିର୍ଣ୍ଣୟ କରିଛନ୍ତି, ତାହା ମଧ୍ୟରେ କାବ୍ୟ, ଭାସ୍କର୍ଯ୍ୟ ବ୍ୟତୀତ ଆଶ୍ଚର୍ଯ୍ୟ, ଅଦ୍‌ଭୁତ, ବିସ୍ମୟ, ଆଲେଖ୍ୟ ପ୍ରଭୃତି ମଧ୍ୟ ଚିତ୍ରର ଅନ୍ତର୍ଗତ ହୋଇପାରୁଛି। ଦୃଶ୍ୟଚିତ୍ର, ଶବ୍ଦଚିତ୍ର, ବାଚ୍ୟଚିତ୍ର ଆଦି ଚିତ୍ରର ନାନାବିଧ ବିଭାଗ ଦ୍ୱାରା ଅଳଂକାର ଗ୍ରନ୍ଥ ପୁଷ୍ଟ ହୋଇଛି। କିନ୍ତୁ ଆମେ ଏଠାରେ କେବଳ ରାସୋତୀର୍ଣ୍ଣକାରୀ ଦୃଶ୍ୟ ଚିତ୍ରକୁ ଗ୍ରହଣ କରି ଆଲୋଚନା ଆରମ୍ଭ କରିବାକୁ ଯାଉଛୁ।

Support Samadhwani

ଏହି ଯେଉଁ ଦୃଶ୍ୟଚିତ୍ର ବା ଆଲେଖ୍ୟ ତାହାକୁ ପଣ୍ଡିତମାନେ ମୋଟାମୋଟି ତିନି ଭାଗରେ ଭାଗ କରିଛନ୍ତି – ଭିତ୍ତିଚିତ୍ର, ଧୂଳିଚିତ୍ର ଓ ପଟ୍ଟଚିତ୍ର। ପଟ୍ଟଚିତ୍ର କହିଲେ ପୁଣି ଯାହା ବୁଝାଏ, ଚିତ୍ରପଟ କହିଲେ ସେହି ଅର୍ଥରେ ବୁଝାଏ ନାହିଁ। ପଟ୍ଟଚିତ୍ର ଯେଉଁ ବିସ୍ମୟକର ଅଦ୍‌ଭୁତ ରସ ପରିବେଷଣ କରେ ତାହାହିଁ ହେଉଛି ମହତ୍‌। ତାହାର ଅଧିଷ୍ଠି୍ ଦେବତା ହେଉଛନ୍ତି ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ଏଣୁ ପାଣିନି-ପୂର୍ବ ନିରୁକ୍ତକାରମାନେ ଚାର୍ଯ୍ୟ ଧାତୁରୁ ନିଷ୍ପନ୍ନ ରୂପେ ଚିତ୍ରର ବ୍ୟାଖ୍ୟା କରିଛନ୍ତି। ତାହା ହେଉଛି ମହନୀୟ, ବର୍ଦ୍ଧନୀୟ, ପୂଜନୀୟ, ଦର୍ଶନୀୟ ଓ ଶ୍ରବଣୀୟ।

ଭାରତ ଭଳି ଏକ ବିରାଟ ବିପୁଳ ଦେଶରେ ବସ୍ତୁତାନ୍ତ୍ରିକତାର ସୀମାରେଖା ଅତିକ୍ରମ କରି ଓ ଅଦ୍‌ଭୁତ ରସ ପରିବେଷଣ କରି ମହତ୍ ପଦବାଚ୍ୟ ଯେଉଁ ସମସ୍ତ ଆଞ୍ଚଳିକ ଚିତ୍ରକଳାର ଧାରା କ୍ରମଶଃ ପରିପୁଷ୍ଟ ହୋଇଥିଲା, ତାହା ମଧ୍ୟରେ ଓଡ଼ିଶାର ପଟ୍ଟଚିତ୍ର ଗୋଟିଏ। ସାଧାରଣତଃ ଏହା କପଡ଼ା ନିର୍ମିତ ଏକ ପ୍ରକାର ପଟି ଉପରେ ଅଙ୍କିତ ହୋଇଥାଏ ଓ ଏହାକୁ ଅଙ୍କନ କରିଥାନ୍ତି ଗୋଟିଏ ସଂପ୍ରଦାୟର ବ୍ୟକ୍ତି। ସେମାନେ ପରମ୍ପରା କ୍ରମେ ପୁତ୍ରପୌତ୍ରାଦିଙ୍କୁ ଘେନି ଏହି ଶିଳ୍ପ କର୍ମରେ ଲିପ୍ତ ରହିଆସିଛନ୍ତି। ଯେଉଁମାନେ ଏହି କର୍ମକୁ କୌଳିକ ବୃତ୍ତି ରୂପେ ଗ୍ରହଣ କରିଛନ୍ତି, ସେମାନେ ହେଉଛନ୍ତି ଜାତିରେ ଚିତ୍ରକର। ବଂଶପରମ୍ପରା ଗତ ଉପାଧି-ମହାରଣା କିମ୍ବା ମହାପାତ୍ର। ଏମାନଙ୍କ ବ୍ୟତୀତ ଦତ୍ତ ମହାପାତ୍ର, ପତି ମହାପାତ୍ର ଓ ଶ୍ରୀମୁଖ ସିଂହାରୀମାନେ ମଧ୍ୟ ଚିତ୍ରାଙ୍କନ କରିଥାନ୍ତି। ସାଧାରଣତଃ ଚିତ୍ରକରମାନେ ଦୁଇଟି ଶ୍ରେଣୀରେ ବିଭକ୍ତ-ରୂପକାର ଓ ଚିତ୍ରକର। ପ୍ରାଚୀନ କାଳରୁ ଏମାନେ ସାଧାରଣତଃ ଶ୍ରୀଜଗନ୍ନାଥ ମନ୍ଦିରର ସେବାକାରୀ ରୂପେ ରହି ଆସିଛନ୍ତି। ଓଡ଼ିଶାର ପଟ୍ଟଚିତ୍ର ଧାରାର ବିକାଶ ଓ ପରିଣତି ଏହି ମହାନ୍ ଧର୍ମ ଧାରଣାକୁ ଭିତ୍ତିକରି ଗଢ଼ି ଉଠିଛି। ଅନନ୍ତ ବର୍ମନ ଚୋଳଗଙ୍ଗଦେବଙ୍କ ସମୟରୁ ବର୍ତ୍ତମାନର ଶ୍ରୀ ଜଗନ୍ନାଥ ମୂର୍ତ୍ତି ଓ ସେବା ପୂଜାର ବିଧାନ ପୁରୀଠାରେ ଯେତେବେଳେ ଚଳି ଆସିଛି ବୋଲି ଐତିହାସିକମାନେ ମତବ୍ୟକ୍ତ କରୁଛନ୍ତି, ସେତେବେଳେ ସେବାକାରୀ ବର୍ଗଙ୍କ ମଧ୍ୟରେ ଚିତ୍ରକରମାନଙ୍କ ନିଯୋଗ ସେହି ସମୟରୁ ହୋଇଆସିଛି ବୋଲି କହିବା ଆଦୌ ଅଯଥାର୍ଥ ନୁହେଁ। ପରବର୍ତ୍ତୀ କାଳରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବିଗ୍ରହର ପ୍ରତିଷ୍ଠା ଘଟିଛି ଓ ସେହି ସୂତ୍ରରେ ଚିତ୍ରକର ସାହି ଗଢ଼ି ଉଠିଛି। ବର୍ତ୍ତମାନ ସମଗ୍ର ଓଡ଼ିଶାକୁ ଆଖି ଆଗରେ ରଖି ବିଚାର କଲେ ଦେଖିପାରିବା, ମୋଟାମୋଟି ଭାବରେ ପଟ୍ଟଚିତ୍ରର ତିନିଗୋଟି ପାରମ୍ପାରିକ ଧାରାର ପରିଚୟ ମିଳୁଛି। ପ୍ରଥମେ ଆମେ ପାରମ୍ପରିକ ପଟ୍ଟଚିତ୍ର ଦେଖିବାକୁ ପାଉଛୁ। ତୀର୍ଥରାଜ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରକୁ ମୂଳ କରି ତା’ର ଆଖପାଖ ଅଞ୍ଚଳରେ। ଯଥା-ରଘୁରାଜପୁର, ଦାଣ୍ଡସାହି, ପ୍ରତାପପୁର, ଚନ୍ଦନପୁର, ଇଟାମାଟି ଇତ୍ୟାଦି। ଦ୍ୱିତୀୟ ଧାରାଟିର କେନ୍ଦ୍ର ରହିଛି ପାରଳାଖେମୁଣ୍ଡିକୁ କେନ୍ଦ୍ରକରି ଓଡ଼ିଶାର ଦକ୍ଷିଣାଞ୍ଚଳରେ। ଯଥା-ଦିଗପହଣ୍ଡି, ଚିକିଟି, ଘୁମୁସୁର ଓ ଧରାକୋଟ ପ୍ରଭୃତିରେ। ପଶ୍ଚିମ ଓଡ଼ିଶାର ପ୍ରବାହ ଚମ୍ପାମାଳକୁ କେନ୍ଦ୍ରକରି ଦେଖିବାକୁ ମିଳିଥାଏ। ସୋନପୁର, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁର ପ୍ରଭୃତିରେ ଏହା ପରିବ୍ୟାପ୍ତ। କିନ୍ତୁ ପ୍ରତ୍ୟେକ ଅଞ୍ଚଳର ଧାରା ଆଞ୍ଚଳିକ ଉପାଦାନଗୁଡ଼ିକ ଘେନି ପରିପୁଷ୍ଟ ହୋଇଥିଲେ ମଧ୍ୟ ଚିତ୍ରାଙ୍କନର ପଦ୍ଧତି ଓ ପ୍ରକ୍ରିୟା ମଧ୍ୟରେ ଏକ ସ୍ୱତସ୍ଫୂର୍ତ୍ତ ସାମ୍ୟଭାବ ବିଦ୍ୟମାନ। ଏହି ସାମ୍ୟଭାବ ହିଁ ସେଗୁଡ଼ିକ ଗୋଟିଏ ପାରମ୍ପାରିକ ଶୈଳୀର ଅଙ୍ଗୀଭୂତ କରିପାରିଛି।

ପଡ଼ୋଶୀ ବଙ୍ଗ ପ୍ରଦେଶରେ ଯେଉଁମାନେ ପଟ୍ଟଚିତ୍ର କରନ୍ତି, ସେମାନଙ୍କୁ ପଟୁଆ କୁହାଯାଏ। ସେମାନେ ସାଧାରଣତଃ ମୁସଲମାନ ସଂପ୍ରଦାୟର ବ୍ୟକ୍ତି। ସେମାନଙ୍କ ବ୍ୟତୀତ ଅନ୍ୟ କେତେକ ଚିତ୍ରକର ସଂପ୍ରଦାୟ ରହିଛି, ଯେଉଁମାନଙ୍କର କୌଳିକ ବୃତ୍ତି ହେଉଛି ଚିତ୍ରାଙ୍କନ କରିବା। ଓଡ଼ିଶାରେ ପାଟୁଆ ଯାତ୍ରା ସହିତ ଖଣ୍ଡା ପାଟୁଆ, ନିଆଁ ପାଟୁଆ ଓ କଣ୍ଟା ପାଟୁଆ ପ୍ରଭୃତି ବ୍ରତୀମାନଙ୍କର ବୈଶାଖ ମାସରେ ବ୍ରତ ରକ୍ଷା କରିବାର ବ୍ୟବସ୍ଥା ଥିଲେ ମଧ୍ୟ ସେଥି ସହିତ ଚିତ୍ରାଙ୍କନର କୌଣସି ସମ୍ବନ୍ଧ ନାହିଁ। ବଙ୍ଗ ପ୍ରଦେଶର କାଳୀଘାଟ ପଟଠାରୁ ଓଡ଼ିଶାର ଶ୍ରୀ ଜଗନ୍ନାଥ ପଟ୍ଟଚିତ୍ରର ଭୂମି ପ୍ରସ୍ତୁତ ପ୍ରଣାଳୀ ଓ ଅଙ୍କନ ଶୈଳୀ ସ୍ୱତନ୍ତ୍ର। ପଟ ତିଆରି, ବର୍ଣ୍ଣ ଲେପନ ଓ ଅଳଂକରଣ ପ୍ରଭୃତି ଦିଗରୁ ଦେଖିଲେ ତୀବ୍ଦତୀୟ ପତାକା ଚିତ୍ର (ଭବଦ୍ଭଦ୍ଭରକ୍ସ) ଯେଉଁ ପରି କପଡ଼ାରେ ପ୍ରସ୍ତୁତ ଭୂମି ଉପରେ ଅଙ୍କିତ ହୋଇଥାଏ ଓ ତାହାକୁ ଗୁଡ଼ାଇ ରଖାଯାଏ, ଓଡ଼ିଶାର ପଟ୍ଟଚିତ୍ର ସେହିପରି କପଡ଼ା ପ୍ରସ୍ତୁତ ଭୂମି ଉପରେ ଅଙ୍କନ କରାଯାଏ ଓ ତାହାକୁ ଗୁଡ଼ାଇ ରଖାଯାଏ। କିନ୍ତୁ ଉଭୟର ପଟ ବା ଭୂମି ପ୍ରସ୍ତୁତ ପ୍ରଣାଳୀ ଭିନ୍ନ। ଉଭୟ ଶିଳ୍ପୀ ଶଙ୍ଖ କିମ୍ବା ଶାମୁକାରୁ ପ୍ରସ୍ତୁତ ମୋତିସୁଧା ଧବଳବର୍ଣ୍ଣ ବ୍ୟବହାର କରିଥାନ୍ତି। ଅନ୍ୟ ଦିଗରୁ ଦେଖିବାକୁ ଗଲେ ଜୈନ ପୋଥି ଚିତ୍ରର ଅଙ୍କନ ଶୈଳୀ ସହିତ ଉତ୍କଳୀୟ ପଟ୍ଟଚିତ୍ରର ଶୈଳୀର କେତେକ ସମତା ରହିଆସିଛି। ଯେଉଁ ପାରମ୍ପାରିକ ଶିଳ୍ପୀମାନେ ଜୈନ ପୋଥିରେ ଚିତ୍ରାଙ୍କନ କରୁଥିଲେ, ସେମାନଙ୍କୁ କୁହାଯାଉଥିଲା ଚିତ୍ର କଥି। ଏହି ପୋଥି ଚିତ୍ରର ଭୂମିରେ ଯେଉଁପରି ଦୃଢ଼ କୃଷ୍ଣବର୍ଣ୍ଣର ରେଖା ଦ୍ୱାରା ଶେଷ କରାଯାଏ, ଓଡ଼ିଶାରେ ତାହାହିଁ ଦେଖିବାକୁ ମିଳେ। ଏବେ ଜଣାପଡ଼ିଛି ଯେ ନେପାଳରେ ଗୋଟିଏ ସଂପ୍ରଦାୟର ବ୍ୟକ୍ତି ଅଛନ୍ତି ଯେଉଁମାନେ ଦେବ ବିଗ୍ରହ ଓ ଦେବ ମନ୍ଦିରକୁ ଚିତ୍ର ଗର୍ଭିତ କରିଥାନ୍ତି। ସେମାନଙ୍କୁ ମଧ୍ୟ ଚିତ୍ରକର କୁହାଯାଏ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ପ୍ରାଚୀନ କାଳରେ ଯେଉଁ ଚିତ୍ରାଙ୍କନର ପରମ୍ପରା ଥିଲା, ତାହା ମଧ୍ୟରେ ଅନ୍ତଃସଲିଳା ଫଲ୍‌ଗୁ ଭଳି ଏକ ସାମ୍ୟଧାରା ପ୍ରବାହିତ ହେଉଥିଲା। ଚିତ୍ର କର୍ମରେ ଲିପ୍ତ ବ୍ୟକ୍ତିମାନଙ୍କର ସାମାଜିକ ଉପାଧି ଥିଲା ଚିତ୍ରକର। ସେ ବସ୍ତୁ ଜଗତରୁ ଓ ଭାବ ଜଗତରୁ ଆପଣା ଚିତ୍ରାଦର୍ଶ ଚୟନ କରୁଥିଲା। ସେ ଥିଲା ମହାନ୍ ସ୍ରଷ୍ଟା ବ୍ରହ୍ମାଙ୍କର ଅଂଶଧର ଓ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ବଂଶଧର। ବିଶ୍ୱକର୍ମା ମହାପୁରାଣରେ ନିର୍ଦ୍ଦେଶ ଦିଆଯାଇଛି-

Support Samadhwani

“ରଚନା କରିବ ତୁମେ୍ ଭାବି ନିଜ ମନ

ଦ୍ୱିତୀୟା ବ୍ରହ୍ମା ଯେ ତୁମ୍ଭେ ହୋଇଛ ଉତ୍ପନ୍ନ।”

ଲୋକ ଗୀତରୁ ମଧ୍ୟ ନିର୍ଦ୍ଦିଷ୍ଟ ସୂଚନା ମିଳିଥାଏ-

“ବଣିଆ ଜାଣଇ ବଣିଜର ଭାବ

ମାଳି ଜାଣେ ଫୁଲ ବେଶ

ଚିତ୍ରକର ଜାଣେ ରୂପର ବେଭାର

କେଳା ଜାଣେ ଦେଶ ଘୋଷ।”

ଓଡ଼ିଶାର ପଟ୍ଟଚିତ୍ର ସାଧାରଣତ କପା କପଡ଼ାରେ ତିଆରି ପଟି ଉପରେ ଅଙ୍କିତ ହୋଇଥାଏ। ଚିତ୍ରକରମାନେ ଦୋପରସ୍ତି ପୁରୁଣା କିମ୍ବା ନୂଆ କପା କପଡ଼ାକୁ ବଡ଼ ବଡ଼ ହେଁସ, ମୁନ୍ଦୁରା ବା ପଟି ଉପରେ ବିଛାଇ ତେନ୍ତୁଳି ମଞ୍ଜିର ଅଠାଦ୍ୱାରା ପଟି ତିଆରି କରିଥାନ୍ତି। ପ୍ରଥମେ ଖଣ୍ଡେ କପଡ଼ା ଉପରେ ତେନ୍ତୁଳି ମଂଜିର ଅଠା ପ୍ରଲେପ ଦେଇ ତାହା ଉପରେ ଅନ୍ୟ କପଡ଼ାଟି ଭଲ ଭାବରେ ମଡ଼ାଇ ଦେଇଥାଆନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇଭାଗ ଖଡ଼ି ପଥରର ରଂଗ ସହିତ ପ୍ରାୟ ଏକ ଭାଗ ଅଠା ମିଶାଇ ରଂଗର ପ୍ରଲେପ ଦିଆଯାଇଥାଏ। ଏହି ରଂଗର ପ୍ରଲେପ ବାରମ୍ବାର ଦେଇ ପଟିକୁ ବଗଡ଼ା ପଥର ସାହାଯ୍ୟରେ ବାରମ୍ବାର ଘର୍ଷଣ କରିବା ଦ୍ୱାରା ତାହା ମସୃଣ ହୋଇଥାଏ। କାର୍ଯ୍ୟର ଉପଯୋଗୀ ମସୃଣ ପଟିକୁ ଯଥାସମ୍ଭବ ମାପଚୁପ କରି କାଟି, ଗୁଡ଼ାଇ କାର୍ଯ୍ୟ ନିମନ୍ତେ ସାଇତି ରଖାଯାଇଥାଏ। ଏହା ଯେଉଁପରି ଚମଡ଼ା ତୁଲ୍ୟ ଚିକ୍‌କଣ ଓ ସ୍ନିଗ୍‌ଧ, ସେହିପରି ଚେମେଡ଼ା ମଧ୍ୟ। କପଡ଼ା ନିର୍ମିତ ପଟ ସାହାଯ୍ୟରେ ସାଧାରଣତଃ ଯାତ୍ରୀମାନଙ୍କ ନିମନ୍ତେ ଯାତ୍ରାପଟ, ଯମପଟ ଓ ଗଂଜପା ସାର ପ୍ରଭୃତି ତିଆରି ହୋଇଥାଏ। ଉପରୋକ୍ତ ପଦ୍ଧତିରେ ପଟି ପ୍ରସ୍ତୁତ ନକରି କେବଳ ତୁଳା କପଡ଼ା ସାହାଯ୍ୟରେ ମଧ୍ୟ ଚିତ୍ରାଙ୍କନ କରିବାର ପରମ୍ପରା ପାରଳାଖେମୁଣ୍ଡି ଅଞ୍ଚଳରେ ଅଛି। ନୂଆ କପଡ଼ାକୁ ହଳଦୀ ପାଣିରେ ବୁଡ଼ାଇ ଶୁଖାଇ ଦେଲା ପରେ ସେମାନେ ତାହା ଉପରେ ଚିତ୍ରାଙ୍କନ କରିଥାନ୍ତି। ତୁଳା ନିର୍ମିତ କପଡ଼ା ବ୍ୟତୀତ ନିଖୁଣ ସିଲ୍‌କ କିମ୍ବା ମଠା କପଡ଼ାରେ ମଧ୍ୟ ପଟ୍ଟଚିତ୍ର ଅଙ୍କନ କରାଯାଇଥାଏ। ଢ଼େଙ୍କାନାଳ ଅଞ୍ଚଳରେ କପଡ଼ା ପଟି ବଦଳରେ ଚମଡ଼ାପଟି ଉପରେ ଚିତ୍ରାଙ୍କନ କରିବାର ପରମ୍ପରା ଥିଲା। ଏବେ ତାହା ଧୀରେ ଧୀରେ ଲୋପ ପାଇଗଲାଣି। ଏହି ପଦ୍ଧତିରେ କେତେକ ଚିତ୍ରର ସନ୍ତକ କେବଳ ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳେ। ପାଳଧୁଆ କାଠ କିମ୍ବା ଗହ୍ମାରୀ କାଠର ପଟ ଉପରେ ପଟି ନିର୍ମାଣ ପଦ୍ଧତିରେ କପଡ଼ା ମଡ଼ାଇ ଚିତ୍ରାଙ୍କନ କରାଯାଇଥାଏ। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ଯୌତୁକ ପେଡ଼ି ବା ଜଗତ ପେଡ଼ି ଓ କାଠ ଘୋଡ଼ା ପ୍ରଭୃତି।

ଶ୍ରୀ ଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ଯେଉଁ ଚିତ୍ରକର ସଂପ୍ରଦାୟ ଏ ପର୍ଯ୍ୟନ୍ତ ଆପଣାର ସେବା ଦ୍ୱାରା ଦେଶର କଳା କୀର୍ତ୍ତିକୁ ଜୀଆଇ ରଖୁଛନ୍ତି,ସେମାନଙ୍କର ପ୍ରଥମ ଅବଦାନ ହେଉଛି ଅଣସର ପଟି। ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଶ୍ରୀନଅରର ଚତୁର୍ଦ୍ଧା ମୂର୍ତ୍ତି ଅନବସର କାଳୀନ ବ୍ୟାଧିଗ୍ରସ୍ତ ହୋଇପଡ଼ିଥାନ୍ତି। ସେହି ସମୟରେ ସେମାନଙ୍କର ସ୍ଥାନରେ ରତ୍ନମଣ୍ଡପ ଉପରେ ପୂଜିତ ହୋଇଥାଏ ଦେବତାମାନଙ୍କର ପଟ୍ଟଚିତ୍ର ବା ଅଣସର ପଟି। ଅଣସର ପଟିର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ କୁହାଯାଇଥାଏ ନାରାୟଣ, ଅନନ୍ତ ଓ ଭୁବନେଶ୍ୱରୀ। ପତିତପାବନଙ୍‌କର ଅଣସର ପଟିକୁ ସେହିପରି ନୀଳମାଧବ ବା ଦଧିବାମନ କୁହାଯାଇଥାଏ। ଅଣସର ପଟି ବ୍ୟତୀତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଜନ୍ମାଷ୍ଟମୀ ବାମନ ଦେବୀ, କନ୍ଦର୍ପ ଅଧିବାସ ପ୍ରଭୃତିର ସ୍ୱତନ୍ତ୍ର ଉତ୍ସବାନୁସଂଗୀ ପଟିମାନ ଭେଟି ଦିଆଯାଇଥାଏ।

      

ଭାରତର ପ୍ରସିଦ୍ଧ ଚାରି ତୀର୍ଥ ମଧ୍ୟରୁ କ୍ଷେତ୍ରରାଜ ଓ ତୀର୍ଥରାଜ ବୋଲି ପୁରୀକୁ କୁହାଯାଇଛି। ସେଠାକୁ ସମଗ୍ର ଭାରତରୁ ଯେଉଁ ଯାତ୍ରୀମାନେ ଆସନ୍ତି, ସେମାନେ ନିର୍ମାଲ୍ୟ କଣିକା, ପାଟଡୋରୀ, ବାଉଁଶମାଳି, ନାଲିବାଡ଼ି କପଡ଼ା, ମହାପ୍ରସାଦ ସହିତ ସଂଗ୍ରହ କରି ନିଅନ୍ତି। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପ୍ରକାର ବେଶର ପଟ୍ଟଚିତ୍ର ଓ କେତେକ ପୌରାଣିକ କାହାଣୀ ଓ ଦେବଦେବୀଙ୍କର ପଟ୍ଟଚିତ୍ର। ଏଥି ନିମନ୍ତେ ଚିତ୍ରକରମାନେ ଯେଉଁ ପଟ ଅଙ୍କନ କରନ୍ତି, ତାହାକୁ କୁହାଯାଇଥାଏ ଯାତ୍ରୀପଟ। ଓଡ଼ିଶାର ଚିତ୍ରକରମାନେ ପ୍ରାଚୀନ କାଳରେ ନାମପଟ ଅଙ୍କନ କରି ଦର୍ଶକମାନଙ୍କୁ ଯୋଗାଉ ଦେଉଥିଲେ ମଧ୍ୟ ସେମାନେ କେବେହେଲେ ଦ୍ୱାର ଦ୍ୱାର ବୁଲି ନାମପଟ ପ୍ରଦର୍ଶନ କରି ଗୀତଗାଇ ଅର୍ଥ ଉପାର୍ଜନ କରୁନଥିଲେ। ସେଭଳି ପ୍ରମାଣ ମିଳେ ନାହିଁ। କିନ୍ତୁ ବଙ୍ଗ ପ୍ରଦେଶରେ ଯେଉଁ ପଟୁଆମାନେ ଯମପଟ ଅଙ୍କନ କରନ୍ତି, ସେହିମାନେ ହିଁ ତାହା ପ୍ରଦର୍ଶନ କରାଯାଇ ଗୀତ ଗାଇ ଅର୍ଥ ଉପାର୍ଜନ କରିବା ସଂଗେ ସଂଗେ ଜନସାଧାରଣଙ୍କୁ ସତ୍‌ପଥ ଓ ସତ୍ କର୍ମ ପ୍ରତି ସଚେତନ କରାଇ ଦିଅନ୍ତି। ପୁରୀରେ ଯେଗାଘର ଗୁଡ଼ିକରେ ଗଞ୍ଜପା ଖେଳର ବହୁତ ପ୍ରଚଳନ ଥିଲା। ଚିତ୍ରକରମାନେ ବୃତ୍ତାକାରର ପଟ୍ଟଚିତ୍ର ଅଙ୍କନ କରି ଗଞ୍ଜପା ନିମନ୍ତେ ଯୋଗାଇ ଦେଉଥିଲେ। ପୁରୀ ଅଞ୍ଚଳରେ ଯେଉଁ ଗଞ୍ଜପା ଖେଳର ପ୍ରଚଳନ ଥିଲା ତାହାଠାରୁ ପଶ୍ଚିମ ଓଡ଼ିଶାର ସୋନପୁର ଓ ବଲାଙ୍ଗୀର ଅଞ୍ଚଳରେ ପ୍ରଚଳିତ ଗଞ୍ଜପା ସଂପୂର୍ଣ୍ଣ ଭିନ୍ନ। ଏହା ଅପେକ୍ଷାକୃତ ଛୋଟ ଓ ଏହାର ସଙ୍କେତଗୁଡ଼ିକ ଅବିକଳ ପୁରୀର ଅନୁକରଣ ନୁହେଁ। ବଙ୍ଗ ପ୍ରଦେଶର ବାଙ୍କୁଡ଼ା ଅଞ୍ଚଳରେ ଗଂଜପାର ଚଳଣି ରହିଥିବାର ଜଣାପଡ଼ିଛି।

ଚିତ୍ରକରମାନଙ୍କର ପଟ୍ଟଚିତ୍ର ଅଙ୍କନ ଏକ ପ୍ରକାର କୌଳିକ ବୃତ୍ତି। ଗୃହ-କୋଣ-ବାସିନୀ କୁଳବଧୂ ଠାରୁ ଆରମ୍ଭ କରି ଧୂଳି ଖେଳରେ ମଗ୍ନ ରହିଥିବା ଶିଶୁ ପର୍ଯ୍ୟନ୍ତ ପରିବାରର ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଚିତ୍ର କର୍ମରେ ସାହାଯ୍ୟ କରନ୍ତି। ଏହିପରି ଭାବରେ ସେମାନେ ଅର୍ଥ ଉପାର୍ଜନ କରିବା ସଂଗେ ସଂଗେ ଚିତ୍ର କର୍ମରେ ଅଭ୍ୟସ୍ତ ହୋଇପଡ଼ନ୍ତି।

ଭୂମି, ବର୍ଣ୍ଣ ଲେପନ ଓ ଅଳଂକରଣ ପ୍ରଭୃତି ଦେଖିରେ ତିବ୍‌ବତୀୟ ପତାକା ଚିତ୍ର ଯେଉଁପରି କପଡ଼ା-ପ୍ରସ୍ତୁତ ଭୂମି ଉପରେ ଅଙ୍କିତ ହୋଇଥାଏ ଓ ତାହାକୁ ଗୁଡ଼ାଇ ରଖାଯାଏ। ଓଡ଼ିଶାର ପଟ୍ଟଚିତ୍ର ସହିତ ତା’ର ସାମ୍ୟ ରହିଛି। କିନ୍ତୁ ଉଭୟର ଭୂମି ପ୍ରସ୍ତୁତ ପ୍ରଣାଳୀ ଭିନ୍ନ ଭିନ୍ନ। ଗୁଜରାଟୀ ପୋଥି ଚିତ୍ରର ଭୂମିରେ ଯେଉଁପରି ଉଜ୍ଜ୍ୱଳ ହିଙ୍ଗୁଳ ରଂଗ ବ୍ୟବହାର କରାଯାଏ, ଓଡ଼ିଶାର ପଟ୍ଟଚିତ୍ର ଭୂମି ଉପରେ ତାହାହିଁ ଦେଖିବାକୁ ମିଳେ। ଏକ ପ୍ରକାର ପାରିବାରିକ ଯୌଥ (ଷକ୍ଟଜ୍ଞର ସଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ) ଶିଳ୍ପ କୁହାଯାଇପାରିବ। ପୁଣି ପଟି ତିଆରି ଠାରୁ ଆରମ୍ଭ କରି ରଙ୍ଗ, ତୁଳୀ, ଅଠା ପ୍ରଭୃତି ପ୍ରତ୍ୟେକ ସାମଗ୍ରୀକୁ ସେମାନେ ଆପଣା ପରିବେଶରୁ ସଂଗ୍ରହ କରି ଆପଣା ହାତରେ ତିଆରି କରୁଥିବାରୁ ଏହାକୁ ପୂର୍ଣ୍ଣ ହସ୍ତ ଶିଳ୍ପ (ଷବଦ୍ଭୟସମକ୍ସବଲଗ୍ଧ) କୁହାଯାଇପାରିବ। ପଟି ନିର୍ମାଣ ପାଇଁ ସାଧାରଣତଃ କପଡ଼ା, ତେନ୍ତୁଳି ମଞ୍ଜିର ଅଠା ଓ ଖଡ଼ି ପଥରର ଧଳା ରଂଗ ବ୍ୟବହୃତ ହୋଇଥାଏ। ଏହାପରେ ଚିତ୍ରାଙ୍କନ ନିମନ୍ତେ ପ୍ରାଚୀନ କାଳରେ ଧଳା, କଳା, ହଳଦୀ ଓ ଲାଲ ରଂଗକୁ କଇଥ ଅଠାରେ ଗୋଳି ବ୍ୟବହାର କରାଯାଉଥିଲା। ଚିତ୍ରକାରମାନେ ଏହି ରଂଗ ଚାରିଟିକୁ ଚାରିଭୁଜ ଭଳି ଅକାଟ୍ୟ ମନେ କରୁଥିଲେ ଓ ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ସହିତ ତୁଳନା କରୁଥିଲେ। ଯଥା-

ଧଳା-ବଡ଼ ଠାକୁର-(ରୁକ୍‌)

କଳା-ଜଗନ୍ନାଥ-(ଶାମ୍‌)

ହଳଦୀ-ସୁଭଦ୍ରା-(ଯଯୁଃ)

ଲାଲ୍‌-ସୁଦର୍ଶନ-(ଅଥର୍ବ)

ଧଳା ବର୍ଣ୍ଣକୁ ଶଙ୍ଖରୁ ସଂଗ୍ରହ କରିଥିଲେ ଓ ଏବେ ମଧ୍ୟ ସେହି ପରମ୍ପରା ଅବ୍ୟାହତ ରହିଛି। ପୁରୀ ଠାରେ ଶଙ୍ଖ ଆଦୌ ଦୁର୍ଲଭ ନୁହେଁ। କିନ୍ତୁ ସୋନପୁର ଓ ବଲାଙ୍ଗୀର ପ୍ରଭୃତି ଅଞ୍ଚଳରେ ଚିତ୍ରକରମାନେ ଶଙ୍ଖ ବଦଳରେ ପୁଷ୍ପରିଣୀ ପ୍ରଭୃତିରୁ ଶାମୁକା ସଂଗ୍ରହ କରି ଧବଳ ବର୍ଣ୍ଣ ପ୍ରସ୍ତୁତ କରିଥାଆନ୍ତି। ପ୍ରଦୀପ ଧାସରୁ ସଂଗୃହୀତ କଳା ବ୍ୟତୀତ, ହରତାଳରୁ ହଳଦୀ ଓ ହିଙ୍ଗୁଳରୁ ସିନ୍ଦୂର ଲାଲ ସଂଗ୍ରହ କରୁଥିଲେ। ପରବର୍ତ୍ତୀ କାଳରେ ଢ଼ାଉପଥର ହଳଦୀ ରଂଗର ପଥର ଗେରୁମାଟି ଓ ତିଳକ ମାଟିରୁ ବିଭିନ୍ନ ଧରଣର ଲାଲ୍ ଓ ହଳଦୀ ରଂଗ ପ୍ରସ୍ତୁତ କରାଯାଇପାରୁଛି। ଏହା ଭିନ୍ନ ସବୁଜ ଓ ଉଦ୍ଭିଦ ନୀଳ ରଂଗ ମଧ୍ୟ ପଟ ଚିତ୍ରର ଶୋଭା ବର୍ଦ୍ଧନରେ ସହାୟକ ହେଲାଣି। ଚିତ୍ରକରମାନେ ସାଧାରଣତଃ ଏହି ରଂଗକୁ ବ୍ୟବହାର କରିବା ନିମନ୍ତେ ନଡ଼ିଆ ସଢ଼େଇ ବ୍ୟବହାର କରିଥାଆନ୍ତି। ବାଛୁରୀ କାନ, ମହିଷର ବେକ, ଛାଗର ପେଟ କିମ୍ବା ଗୁଣ୍ଡୁଚି ମୂଷାର ଲାଙ୍ଗୁଡ଼ରୁ ଲୋମ ସଂଗ୍ରହ କରି ଚିତ୍ରକରମାନେ ନିଜର ବ୍ୟବହାର ନିମନ୍ତେ ତୁଳୀ ତିଆରି କରନ୍ତି। ଏହି ତୂଳୀଗୁଡ଼ିକ ଶସ୍ତା ଓ ବ୍ୟବହାରପଯୋଗୀ। ଏହାକୁ ବାଉଁଶ କିମ୍ବା ଲାଲ ଥାଳରେ ନିର୍ମିତ ବର୍ତ୍ତିକା ସୁମୁଜ୍‌କ ମଧ୍ୟରେ ସାଇତି ରଖନ୍ତି।

ପ୍ରାଚୀନ ଶିଳ୍ପ ଶାସ୍ତ୍ରଗୁଡ଼ିକରୁ ଜଣାଯାଏ ଯେ, ଚିତ୍ରକରମାନେ ପ୍ରଥମେ ପଟ ଉପରେ ଖଡ଼ି ସାହାଯ୍ୟରେ ମୋଟାମୋଟି ଚିତ୍ରର ଖସଡ଼ା ଅଙ୍କନ କରୁଥିଲେ। ଏହି କର୍ମକୁ ପଟ ଲାଞ୍ଛନ କୁହାଯାଉଥିଲା ଓ ଖଡ଼ିକୁ କୁହାଯାଉଥିଲା କିଟ୍ ଲେଖନୀ ବା କିଟ୍ ବର୍ତ୍ତିକା। କିନ୍ତୁ ଓଡ଼ିଶାର ଚିତ୍ରକରମାନେ ପଟ ଲାଞ୍ଛନ କର୍ମ ତୂଳିକା ସାହାଯ୍ୟରେ କରିଥାନ୍ତି। ସେମାନେ ପ୍ରଥମେ ଭୂମି ଉପରେ ଢ଼ାଉ କିମ୍ବା ତିଳିକ ମାଟିର ରଙ୍ଗରେ ରେଖାଙ୍କନ କରିଥାନ୍ତି। ଏଥିରୁ ଛବିର ମୋଟାମୋଟି ଖସଡ଼ା ବାରି ହୋଇଯାଏ। ଏହାପରେ ବିଭିନ୍ନ ଅଂଶକୁ ବିଭିନ୍ନ ବର୍ଣ୍ଣ ଦ୍ୱାରା ରଞ୍ଜିତ ହୋଇଗଲା ପରେ ଖୁବ୍ ସୂକ୍ଷ୍ମ କଳା ରଂଗର ରେଖା ଦ୍ୱାରା ଡ୍ରଇଁ ବାହାର କରାଯାଇ ଚିତ୍ରକଳା ଶେଷ କରାଯାଏ। ପରିଶେଷରେ ଚିତ୍ରର ଚକ୍ଷୁଦାନ ବା ପ୍ରାଣ ପ୍ରତିଷ୍ଠା କର୍ମ ସମ୍ପାଦିତ ହୁଏ।

ଏଠାରେ ମୋଗଲ କିମ୍ବା ମୋଗଲ ଦ୍ୱାରା ପ୍ରଭାବିତ କେତେକ ପ୍ରାଚୀନ ଚିତ୍ର ଭଳି ଛାୟାଲୋକର ସୁଷମା ପ୍ରଦର୍ଶନ କରାଯାଇ ନଥାଏ କିମ୍ବା ପତ୍ରବର୍ତ୍ତନା ଦ୍ୱାରା ରୂପର ଘନତ୍ୱ ପ୍ରତିପାଦନ ନିମନ୍ତେ ଉଦ୍ୟମ ହୋଇନଥାଏ। ଏଠାକାର ସୁଢ଼ୌଲ ରେଖାର ସନ୍ଧାନ ମିଳିଥାଏ କାଳୀଘାଟର ପଟ୍ଟଚିତ୍ର, ପାଳ ଯୁଗୀୟ ଓ ଜୈନ ପୋଥି ଚିତ୍ରଗୁଡ଼ିକରେ। ଟୋପା, ଛକା, କାଠି, ସିଧାକାଠି ଓ ଆଡ଼ କାଠି ପ୍ରଭୃତିର ପ୍ରୟୋଗ ଓଡ଼ିଶା ପଟ୍ଟଚିତ୍ରର ପ୍ରଧାନ ଭୂଷଣ ହୋଇ ରହିଛି।

ଚିତ୍ରାଙ୍କନ କର୍ମ ଶେଷ ହେଲାପରେ ତାହାକୁ ଉଜ୍ଜ୍ୱଳ କରାଇଲା ହେଉଛି ଓଡ଼ିଶାର ପଟ୍ଟଚିତ୍ରର ଅନ୍ୟ ଏକ ବିଶିଷ୍ଟ ଗୁଣ। ଏଥିପାଇଁ ପ୍ରାଚୀନ କାଳରେ ଚିତ୍ରକରମାନେ ଗରମ ବାଲିପୁଡ଼ିଆ ରଞ୍ଜକ ଗୁଣ୍ଡ ବ୍ୟବହାର କରି ଦେଶୀୟ ପଦ୍ଧତିରେ ଚିତ୍ରରେ ଔଜଲ୍ୟ (ଶକ୍ଷବଚ୍ଛର) କର୍ମ ସମ୍ପାଦନ କରୁଥିଲେ। ଆଜିକାଲିର ସ୍ଥିର ଚିତ୍ରକରମାନେ ଯେଉଁପରି ଦେଶୀ ରଙ୍ଗ ପ୍ରସ୍ତୁତ ନକରି ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ରଂଗରେ ଚିତ୍ରାଙ୍କନ କରୁଛନ୍ତି। ସେହିପରି ବଜାରରେ ମିଳୁଥିବା ଲାକର ଓ ଥିନର ପ୍ରଲେପ ଦ୍ୱାରା ପଟ୍ଟଚିତ୍ରକୁ ଉଜ୍ଜ୍ୱଳ କରାଉଛନ୍ତି। ବର୍ତ୍ତମାନର ପରିବର୍ତ୍ତିତ ସାମାଜିକ ଓ ରାଜନୈତିକ ପରିବେଶ ମଧ୍ୟରେ ପଟ୍ଟଚିତ୍ର ଓ ଚିତ୍ରକରମାନଙ୍କର ଆଦର ଦେଶ ବିଦେଶରେ ବଢ଼ିଛି। ସାଧାରଣ ଶିକ୍ଷିତ ଲୋକଙ୍କର ଦେଶୀୟ ଶିଳ୍ପରୁ ଆଦର କରିବା ଏକପ୍ରକାର ଫେସନରେ ପରିଣତ ହୋଇଗଲାଣି। ସେମାନେ ଠିକ୍ ଭାବେ ଆଦର କରୁଛନ୍ତି କିମ୍ବା ଦୟା ପ୍ରଦର୍ଶନ କରୁଛନ୍ତି, ତାହା କୁହାଯାଇପାରୁନାହିଁ। ଚିତ୍ରକରମାନଙ୍କର ବୃତ୍ତିର ବିକାଶ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ସମବାୟ ସୂତ୍ରରେ ଓଡ଼ିଶାର ହସ୍ତଶିଳ୍ପ ବୋର୍ଡ଼ ଗଠିତ ହେଲାପରେ ପଟ୍ଟଚିତ୍ରଗୁଡ଼ିକୁ ବିଦେଶକୁ ପଠାଇ ଅର୍ଥ ଉପାର୍ଜନର ସୂତ୍ର ବାହାର କରାଯାଇପାରିଛି। ଏହି ସମସ୍ତ ପରିପ୍ରେକ୍ଷୀରେ ଏହି ପାରମ୍ପାରିକ କଳା ଉପରେ ବ୍ୟବସାୟ ପ୍ରବୃତ୍ତିର ଛାପ ଲାଗିଯିବା ଆଦୌ ଅସ୍ୱାଭାବିକ ନୁହେଁ ଓ ସେହି ସୂତ୍ରରେ ଚିତ୍ରାଙ୍କନର ନିଷ୍ଠା ଓ ଶୁଚିତା ରକ୍ଷା କରାଯାଇପାରୁନାହିଁ। ଏହା ଆଉ କୌଳିକ ବୃତ୍ତି ହୋଇ ନରହିବାରୁ ଯେ କୌଣସି ବ୍ୟକ୍ତି ଜାତି ଧର୍ମ ନିର୍ବିଶେଷରେ ଚିତ୍ରାଙ୍କନ କରି ଅର୍ଥ ଉପାର୍ଜନ ପ୍ରତି ଆଗ୍ରହୀ ହେଉଛି। ଅତ୍ୟନ୍ତ ଦୁଃଖର ସହିତ ଏହା ଅନୁଭବ କରାଯାଇପାରୁଛି ଯେ, ଚିତ୍ରକରମାନେ ବ୍ୟବସାୟୀ ହେବାକୁ ମନ ବଳାଇବାରୁ ଦେଶୀୟ ରଂଗ ବଦଳରେ ବଜାରର କିଣା ରଂଗ ଓ କେମିକାଲ ବ୍ୟବହାର କରି କ୍ରେତାମାନଙ୍କୁ ଭଣ୍ଡେଇବା ଉଦ୍ୟମ ଆରମ୍ଭ କଲେଣି। କେତେକ କ୍ଷେତ୍ରରେ ବଜାରର ଚାହିଦା ମେଣ୍ଟାଇବା ପାଇଁ ପଟ୍ଟଚିତ୍ରଗୁଡ଼ିକ ସିଲ୍‌କ ସ୍କ୍ରିନ୍ ପଦ୍ଧତିରେ ମୁଦ୍ରିତ ହେଲାଣି। ଅପେକ୍ଷାକୃତ ଭାବେ ଏହା ମୌଳିକ ଚିତ୍ରଠାରୁ ଅଥିକ ଶସ୍ତା ଓ ସୁଲଭ ହୋଇପାରୁଛି। ଚିତ୍ରର ବିଷୟବସ୍ତୁ ଓ ବିଷୟ ସଜ୍ଜାରେ ମଧ୍ୟ ଯୁଗ ଯନ୍ତ୍ରଣାର ଛାପ ଲାଗିଲାଣି। ଏପରି କ୍ଷେତ୍ରରେ ସାବଧାନତା ଅବଲମ୍ବନ ନକଲେ କର୍ପୂର ଉଡ଼ିଯାଇ କେବଳ କନା ଖଣ୍ଡକ ପଡ଼ି ରହିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ପଟ୍ଟଚିତ୍ରର ବର୍ଣ୍ଣ ସାରଣୀ:

ମୌଳିକ ରଂଗ –      ଧଳା –                 ଶଙ୍ଖବଟା

ଲାଲ –                ହିଙ୍ଗୁଳ

ହଳଦିଆ –           ହରିଣକ

ଗେରୁ –               ଗେରୁମାଟି

ନୀଳ –                ନୀଳ ପଥର

କଳା –                 ଦୀପକଳା

“ପଟ୍ଟଚିତ୍ର” ପୂର୍ବରୁ ଚିତ୍ର ଶବ୍ଦର ଏକ ନିର୍ଦ୍ଦିଷ୍ଟ ଶୈଳୀକୁ ବୁଝାଇଥାଏ। ଭାରତୀୟ ଚିତ୍ରକଳାର ବିବିଧ ଶୈଳୀ ମଧ୍ୟରେ ‘ପଟ୍ଟଚିତ୍ର’ର ଅର୍ଥ ଶ୍ରେଷ୍ଠ ଆଳଙ୍କାରିକ ଚିତ୍ର। ବିଷ୍ଣୁ ଧର୍ମୋତ୍ତର ପୁରାଣ ଅର୍ନ୍ତଗତ ‘ଚିତ୍ର ସୂତ୍ର’ର ୪୧ତମ ଅଧ୍ୟାୟରେ ଚିତ୍ରକଳାର ଚାରିଗୋଟି ବିଭାଗ ଯଥା-ସତ୍ୟ, ବୈଣିକ, ନାଗର ଓ ମିଶ୍ର ମଧ୍ୟରୁ ପଟ୍ଟଚିତ୍ର ‘ନାଗର’ ଶ୍ରେଣୀର ଚିତ୍ର ବୋଲି ଜଣାପଡ଼େ।

ଅଣସର ପଟି:

ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ରଚିତ ସଂସ୍କୃତ ଗ୍ରନ୍ଥ ନୀଳାଦ୍ରୀ ମହୋଦୟରେ ଅଣସର ଚିତ୍ର ବିଷୟରେ ଉଲ୍ଲେଖ ଅଛି। ସେଥିରେ ବ୍ରହ୍ମା, ରାଜା ଇନ୍ଦ୍ରଦ୍ୟୁମ୍ନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସ୍ନାନ ଯାତ୍ରା ପରେ ସିଂହାସନ ପାଖରେ ତିନୋଟି ବାଉଁଶ ତାଟି ରହି ତା ଉପରେ ଏକ ସୂକ୍ଷ୍ମ ବସ୍ତ୍ର ମଡ଼ାଇ ବଳରାମଙ୍କର ଚାରି ହାତରେ ଶଙ୍ଖ, ଚକ୍ର, ହଳ, ମୂଷଳ ରହିବ। ଦେହ ଧଳା ବର୍ଣ୍ଣ ହେବ। ଜଗନ୍ନାଥଙ୍କର ଚାରି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ରହିବ। ଦେହ କଳା ବର୍ଣ୍ଣ ହେବ। ସୁଭଦ୍ରାଙ୍କ ଚାରି ହାତ ମଧ୍ୟରୁ ଦୁଇହାତରେ ପଦ୍ମ, ଗୋଟିଏ ହାତ ବର ଓ ଅନ୍ୟ ହାତଟି ଅଭୟ ମୁଦ୍ରାରେ ରହିବ। ଏ ସମସ୍ତ ବିଗ୍ରହ ପଦ୍ମାସନରେ ଆସୀନ ହେବେ ଓ ତିନି ଗୋଟି ପଟ୍ଟଚିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇ ସ୍ନାନ ଯାତ୍ରା ପୂର୍ବଦିନ ସମାପ୍ତ ହୋଇଥାଏ। ଅଣସର ପଟି ପ୍ରସ୍ତୁତ କରୁଥିବା ଚିତ୍ରକରମାନେ ଏକ ବିଶେଷ ନିୟମରେ ରହି ଚିତ୍ରକାମ ଆରମ୍ଭ କରିଥାନ୍ତି। ତା ନହେଲେ ଦୈବ ବିଧାନରେ ତୃଟି ହେଲେ ସେମାନଙ୍କର ଅନିଷ୍ଟ ହୋଇଥାଏ।

ଅଣସର ପଟି କରିବାର ନିୟମ:

ପ୍ରଥମେ ମନ୍ଦିର କର୍ତ୍ତୁପକ୍ଷଙ୍କ ଠାରୁ ପଟି ତିଆରି କରିବା ନିମନ୍ତେ ନୂଆଲୁଗା ଆଣି ଚିତ୍ରକରମାନେ ପଟି ତିଆରି କରନ୍ତି। ଅଣସର ପଟିରେ ଚିତ୍ର କରିବା ପଦ୍ଧତି ପାରମ୍ପାରିକ ନିୟମରେ ଆବଦ୍ଧ। ତେଣୁ ସେମାନେ ଶୁଦ୍ଧପୁତ ଚିତ୍ତରେ ୧୫ଦିନ ପର୍ଯ୍ୟନ୍ତ ନିବିଷ୍ଟ ରହି ଚିତ୍ର କରିଥାନ୍ତି। ତା’ ପରଦିନ ସକାଳେ ଶ୍ରୀ ମନ୍ଦିରରୁ ଏକ ଆଜ୍ଞାମାଳ ପାଇବା ପରେ ପ୍ରଥମେ ବ୍ରାହ୍ମଣ ସ୍ତୋତ୍ର ପାଠ କରି ପଟିଦିଅଁ ମାନଙ୍କୁ ଜୀବନ୍ୟାସ ଦିଅନ୍ତି। ଦଇତାପତିଙ୍କ ସଂଗରେ ଯେଉଁମାନେ ଆଜ୍ଞାମାଳ ନେଇ ଯାଇଥାନ୍ତି। ସେମାନେ ଅତି ପବିତ୍ର ମନରେ ଘଣ୍ଟ, କାହାଳୀ, ଛତ୍ରୀ ଇତ୍ୟାଦି ଧରି ପଟି ଉପରେ ଏକ ନୂଆ ପତନୀ ଗୁଡ଼ାଇ ଶ୍ରୀମନ୍ଦିର ପୂର୍ବ ପଟ ଦ୍ୱାର ଦେଇ ଭିତରକୁ ନେଇଯାନ୍ତି। ଏମାନଙ୍କ ସହିତ ମୁଖ୍ୟ ଚିତ୍ରକର ମଧ୍ୟ ଥାଆନ୍ତି। ଦଧିବାମନଙ୍କ ପାଖରେ ଏକ ଛୋଟ ଅଣସର ପଟି ଦେବା ପରେ ଅନ୍ୟ ଚିତ୍ରଗୁଡ଼ିକ ସିଂହାସନ ପାଖ ଟେରା ବାଡ଼ରେ ରଖି ମହା ଆଡ଼ମ୍ବର ସହକାରେ ପ୍ରତିଷ୍ଠା ପର୍ବ ସମାହିତ ହୋଇଥାଏ। ତା’ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆଜ୍ଞା ହୋଇଥାଏ। ଅଣସର ପଟି ଗୁଡ଼ିକର ଦର୍ଶନ କିଛି ଦିନ ଚାଲିବା ପରେ ମେକାପ ସେବାକାରୀ ତାହାକୁ ନେଇ ଭଣ୍ଡାର ଘରେ ରଖି ଦିଅନ୍ତି। ଏହାପରେ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ସର୍ବସାଧାରଣଙ୍କ ପାଇଁ ଆୟୋଜିତ ହୋଇଥାଏ।

ଯାତ୍ରୀ ପଟି:

ପୁରୀକୁ ଆସୁଥିବା ପ୍ରତିବର୍ଷ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ନିଜର କୁଳ ବୃତ୍ତି ଦ୍ୱାରା ପରିବାର ପ୍ରତିପୋଷଣ ଲକ୍ଷ୍ୟ ରଖି ଚିତ୍ରକର ମାନେ ସପରିବାର ଜଗନ୍ନାଥ ଚିତ୍ରପଟ, ମୁଖା, ଯାତ୍ରାପଟି ଇତ୍ୟାଦି ପ୍ରସ୍ତୁତ କରି ବଡ଼ ଦାଣ୍ଡରେ ବିକ୍ରୟ ପାଇଁ ବସୁଥିଲେ। ଯାତ୍ରୀମାନେ ଜଗନ୍ନାଥ ଦର୍ଶନ କରି ଜଗନ୍ନାଥଙ୍କର ଚିତ୍ରପଟ, ବେତ, ମାଳି, ମାହାର୍ଦ୍ଦ ପୁଡ଼ିଆ ଭୋଗ ଇତ୍ୟାଦି ନେଇ ଘରକୁ ଫେରୁଥିଲେ। ଏହାଦ୍ୱାରା ଜଗନ୍ନାଥ ଧର୍ମର ପ୍ରସାର ଓ ପ୍ରଚାର ହେବା ସହିତ ପଟ୍ଟଚିତ୍ରର ବିକାଶ ମଧ୍ୟ ହେଉଥିଲା। ପଟ୍ଟଚିତ୍ର ପରମ୍ପରାରେ ଏହି ଯାତ୍ରାପଟି ସେତେବେଳେ ବିକ୍ରୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଅଣସର ପଟି:

ସ୍ନାନ ପୂର୍ଣ୍ଣିମା ଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ ତିନି ଠାକୁର ଅଣସର ଗୃହରେ ରହନ୍ତି। ସ୍ନାନ ସମୟରେ ଠାକୁରଙ୍କର ବିଗ୍ରହରୁ ରଂଗ ଛାଡ଼ି ଯାଇଥାଏ। ଏହି କାରଣରୁ ସେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଆଢ଼ୁଆଳରେ ରହିଥାନ୍ତି। କେହି ଠାକୁର ମାନଙ୍କୁ ଜ୍ୱର ହୋଇଛି ବୋଲି କହିଥାନ୍ତି। ବାଉଁଶ ତାଟିରେ ହୋଇଥିବା ଟେରାବଡ଼ ଆଢ଼ୁଆଳ ଉପରେ ଭକ୍ତମାନଙ୍କ ଦର୍ଶନ ପାଇଁ ତିନୋଟି ପଟ୍ଟଚିତ୍ର ବନ୍ଧାଯାଇ ରଖାଯାଇଥାଏ। ଏହାକୁ ଅଣସର ପଟି କହନ୍ତି। ଏହି ପଟିରେ ଶ୍ରୀଜଗନ୍ନାଥ, ବଳରାମ ଓ ସୁଭଦ୍ରାଙ୍କର ତିନିଗୋଟି ପୂର୍ଣ୍ଣାବୟବ ଚିତ୍ର ଯଥାକ୍ରମେ ନାରାୟଣ, ଶେଷଦେବ ଓ ଭୁବନେଶ୍ୱରୀ ରୂପେ ଅଙ୍କାଯାଇ ପୂଜିତ ହୋଇଥାନ୍ତି। କେତେକଙ୍କ ମତରେ ଏହି ଅଣସର ପଟିତ୍ରୟ ‘ପଟିଦିଅଁ’ ଭାବରେ ଜଣାଶୁଣା।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ