Home / ଅନ୍ୟାନ୍ୟ / ନାରୀ / ନଟି ବିନୋଦିନୀଙ୍କର ଜୀବନ କଥା (୧)

ନଟି ବିନୋଦିନୀଙ୍କର ଜୀବନ କଥା (୧)

ଇତିହାସରେ ଏମିତି କିଛି ଅନନ୍ୟ ଚରିତ୍ର ଅଛନ୍ତି ଯାହାଙ୍କୁ ସେ ସମୟର ସମାଜ କମ୍ ବୁଝିଛି । ନିଜ ଅଜାଣତରେ ସେମାନେ ନିଜର ପ୍ରତିଭା ମାଧ୍ୟମରେ ସମାଜରେ କିଛି ଧାରା ସୃଷ୍ଟି କରି ଚାଲିଯାଇଥାନ୍ତି । ବଙ୍ଗଳାର ନାଟ୍ୟ ଇତିହାସରେ ଏକଦା ଚହଳ ପକାଇ ଦର୍ଶକମାନଙ୍କର ହୃଦୟ ଜିଣିଥିବା ‘ବିନୋଦିନୀ’ ସେଭଳି ଏକ ଚରିତ୍ର । ତାଙ୍କ  ଅଭିନୟ ଦେଖି ବିମୋହିତ ହେଉଥିବା ଦର୍ଶକମାନେ ହୁଏତ ବହୁତ କମ୍ ଜାଣିଥିବେ ବିନୋଦିନୀଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ଦିଗଗୁଡ଼ିକ । ତାଙ୍କ ଜୀବନ କାହାଣୀର ପ୍ରତିଟି ପାଖୁଡ଼ାରେ ସତେଯେମିତି ଭରିରହିଛି ନିଜକୁ ଅସହାୟ ମନେକରୁଥିବା ନାରୀ ସମାଜ ପାଇଁ ଅଜସ୍ର ଆଶା ଓ ସମ୍ଭାବନା । ଆମେ ତାଙ୍କୁ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଜାଣିବାର ଓ ବୁଝିବାର ସୁଯୋଗଟିଏ ପାଇଲୁ । ସେଇ ବୁଝାମଣାଟି ପାଠକମାନଙ୍କ ଭିତରେ ବାଣ୍ଟିବା ପାଇଁ ଆଉ ଜଣେ ବନ୍ଧୁଙ୍କର ସହଯୋଗ ନେଲୁ । ଉଭୟଙ୍କ ନିକଟରେ ଆମେ କୃତଜ୍ଞ । ନଟୀ ବିନୋଦିନୀ ନାମରେ ପରିଚିତ ଏହି ମହାନ କଳାକାରଙ୍କୁ ଆମେ ଜଣେ ନାରୀ ହିସାବରେ ଉପସ୍ଥାପନ କରିବାପାଇଁ ଚାହୁଁନୁ । ତାଙ୍କର ଜୀବନ କାହାଣୀ ପ୍ରତିଟି ମଣିଷ ପାଇଁ ପ୍ରେରଣା ଯୋଗାଇବ ଏହା ହିଁ ଆମର ଆଶା ।    – ସମ୍ପାଦକ

‘ମୁଁ ଏ ଜଗତ ପାଇଁ କଳଙ୍କିନୀ, ପତିତା । ମୋର କେହି ଆତ୍ମୀୟ ନାହାନ୍ତି, ସମାଜ ନାହିଁ, ବନ୍ଧୁ ନାହିଁ, ବନ୍ଧନ ନାହିଁ, ଏଇ ପୃଥିବୀରେ ମୋର ନିଜର ବୋଲି କେହି ନାହାନ୍ତି ।’ – ବିନୋଦିନୀ ଦାସୀ ।

ନଟୀ ବିନୋଦିନୀଙ୍କର ଜୀବନ ଯଥାର୍ଥରେ ହିଁ ଗୋଟିଏ ଦୀର୍ଘାୟିତ ଟ୍ରାଜିକ୍ ନାଟକ । ଆଲୁଅ-ଅନ୍ଧକାର, ଖ୍ୟାତି-ଅଖ୍ୟାତି, ସୁଖ-ଦୁଃଖ, ଆଶା ପୁରଣ ଓ ଆଶା ଭଙ୍ଗର ଅଭାବିତ ସମ୍ମିଳନରେ ଏକ ବିଷାଦର ଘନ ଆଖ୍ୟାୟିକା ।

ଊନବିଂଶ ଶତାବ୍ଦୀର ସେଇ ସ୍ୱର୍ଣ୍ଣଯୁଗ ବର୍ଷ ୧୮୬୩ରେ ବିନୋଦିନୀଙ୍କର ଜନ୍ମ, କଲିକତାର – ୧୪୫, କର୍ଣ୍ଣୱାଲିସ୍ଷ୍ଟ୍ରିଟ୍ର ନିଷିଦ୍ଧପଲ୍ଲୀରେ । ନିଜେ ନିଜର ଆତ୍ମକଥାରେ ନିଜକୁ ସେ ପରିଚୟ କରାଇଛନ୍ତି ସମାଜ ପତିତା, ଘୃଣିତା ବୋଲି । ସେଠି ଆଇଙ୍କ ଘରେ, ଆଇ, ମାଁ ଓ ଦୁଇ ଭାଇଭଉଣୀ – ଏଇ ଥିଲା ବିନୋଦିନୀଙ୍କର ପରିବାର । ଘର ମାନେ ଗୋଟିଏ ପକ୍କା ଏକ ତାଲା ଘର ଆଉଗୁଡ଼ିଏ ଘର । ସେଇ ଘରଗୁଡ଼ାକରେ ରହୁଥିଲେ କିଛିଟା ଗରିବ ଭଡ଼ାଟିଆ । ସେମାନଙ୍କର ଭଡ଼ା ହିଁ ଥିଲା ଏକମାତ୍ର ଆୟ ।

ବିନୋଦିନୀଙ୍କର ଶୈଶବର କିଛି କଥା ଏଠି ପ୍ରାସଙ୍ଗିକ । ‘ଦାରିଦ୍ର୍ୟ ଦୁଃଖ’ ବଢ଼ିବାରୁ ‘ମୋର ମାତା ଜଣେ ମାତୃହୀନା ଅଢ଼େଇ ବର୍ଷର ବାଳିକା ସହିତ ମୋର ପଞ୍ଚମ ବର୍ଷୀୟ ଶିଶୁ ଭ୍ରାତାର ବିବାହ କରିଦେଲେ ଏବଂ ତାଙ୍କ ମାତାଙ୍କର ଯତ୍କିଞ୍ôଚତ ଅଳଙ୍କାର ଘରକୁ ନେଇଆସିଲେ । ସେଇ ଅଳଙ୍କାର ବିକ୍ରି କରି ଜୀବିକା ନିର୍ବାହ କରିବାକୁ ପଡ଼ିଛି ।

ବିନୋଦିନୀଙ୍କର ବିବାହ ବି ଶୈଶବରେ ହୋଇଛି – ତାଙ୍କ ଠାରୁ ଟିକେ ବଡ଼ ଏବଂ ସୁନ୍ଦର ଜଣେ ପିଲାଙ୍କ ସାଙ୍ଗରେ । ତାକୁ ଆଣି ଘରେ ରଖିବାର ଚେଷ୍ଟା କରିଥିଲେ ବିନୋଦିନୀଙ୍କର ଆଈ କିନ୍ତୁ ପିଲାଟିର ମାଉସୀ ତାଙ୍କୁ ଆସିବାର ଅନୁମତି ଦେଲେନାହିଁ, ସେଠି ସେଇ ବାଲ୍ୟବିବାହର ଇତି ଘଟିଲା । ପୁଣି ଶିଶୁ ବୟସରେ ପ୍ରାୟ ବିନା ଚିକିତ୍ସାରେ ଏକ ଦାତବ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଲା ବିନୋଦିନୀଙ୍କର ସେଇ ଭାଇଙ୍କର ।

ଏତିକିବେଳେ ଜଣେ ଗାୟିକା ଆସି ରହିଲେ ବିନୋଦିନୀଙ୍କର ପକ୍କା ଏକତାଲା ଘରେ । ସିଏ ଷ୍ଟାର ଥିଏଟରର ପ୍ରସିଦ୍ଧ ଗାୟିକା ଅଭିନେତ୍ରୀ ଗଙ୍ଗମଣୀ, ଗଙ୍ଗା ବାଇଜୀ । ତାଙ୍କରି ପାଖରେ ହିଁ ବିନୋଦିନୀଙ୍କର ଗୀତ ତାଲିମ । ସେତେବେଳେ ତାଙ୍କ ବୟସ ସାତ-ଆଠ । ବାଇଜୀଙ୍କ ଘରେ ଯେଉଁମାନଙ୍କର ଯାତାୟତ ଥିଲା ସେମାନଙ୍କ ପାଖରେ ବୁଦ୍ଧିମତୀ ବାଳିକା ବୋଲି ବିନୋଦିନୀ ଥିଲେ ସେମାନଙ୍କର ସ୍ନେହର ପାତ୍ରୀ । ଏ ସମ୍ପର୍କରେ ପରବର୍ତ୍ତୀ ଜୀବନରେ ଆତ୍ମଚରିତ ‘ମୋ କଥା’ (ଆମାର କଥା)ରେ ତାଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ : ‘ସେତେବେଳେ ବାଳିକା ସୁଲଭ ଚପଳତା ବଶତଃ ସେମାନଙ୍କର ଆଦର ମୋତେ ଭଲ ଲାଗୁଥିଲା ।… କିନ୍ତୁ ବେଶି ମିଶୁ ନଥିଲି ।… କାହିଁକି ନା ମୋର ବାଲ୍ୟକାଳରୁ ଆମ ଘରେ ଭଡ଼ାଟିଆମାନଙ୍କର ଚାଲିଚଳଣୀ ପ୍ରତି କେମିତିକା ଏକ ବିତୃଷ୍ଣା ଭାବ ଥିଲା । ଯେଉଁମାନେ ଆମ ଘରେ ଭଡ଼ାଥିଲେ, ସେମାନେ ଯଦିଓ ବିବାହିତ ସ୍ତ୍ରୀ-ପୁରୁଷ ନୁହନ୍ତି, ତଥାପି ସ୍ତ୍ରୀ-ପୁରୁଷ ପରି ଘରସଂସାର କରି ରହୁଥିଲେ… ସେମାନଙ୍କର ବ୍ୟବହାର ଦେଖି ଭୟ ଓ ବିସ୍ମୟ ଅଭିଭୂତ ହୋଇଯାଉଥିଲି । ଭାବୁଥିଲି, ମୁଁ କେବେ ଏମିତି ଘୃଣିତ ହେଇଯିବିନି ତ?’

ଶୈଶବ ଓ କୈଶୋରର ଏଇ ଚରମ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ଭିତରେ ଅତିବାହିତ କରିବି ବିନି ବା ବିନୋଦ କେବଳ ଆତ୍ମଶକ୍ତି ବଳରେ ଯଶସ୍ୱିନୀ ନଟି ବିନୋଦିନୀ ହେଇ ପାରିଛନ୍ତି । ଲକ୍ଷ୍ୟ ପ୍ରତି ତାଙ୍କର ଏହି ନିଷ୍ଠାକୁ ବା କିଏ ପ୍ରଣାମ ନକରିବ?

କେବଳ ସଙ୍ଗୀତ ଶିକ୍ଷା ନୁହେଁ, ଗଙ୍ଗାମଣୀଙ୍କ ପାଇଁ ଅନ୍ଧକାର ସୁରଙ୍ଗର ଶେଷରେ ବିନୋଦିନୀ ଦେଖିଲେ ଆଲୋକ । ସେତେବେଳର ଷ୍ଟାର ଥିଏଟର ଜଗତର କିଛି ଲୋକ ଆସୁଥିଲେ ଗଙ୍ଗା ବାଇଜୀଙ୍କର ଗୀତ ଶୁଣିବାକୁ । ସେମାନଙ୍କ ଭିତରୁ ଜଣେ ପୂର୍ଣ୍ଣଚନ୍ଦ୍ର ମୁଖପାଧ୍ୟାୟ । ସେ ପରିବାରଟିର ଆର୍ଥିକ ଦୂରାବସ୍ଥାର ପ୍ରତ୍ୟକ୍ଷଦର୍ଶୀ । ତାଙ୍କରି କଥାରେ ବିନୋଦିନୀ ପାଦଦେଲେ ଥିଏଟରରେ । ବାଳିକା ବିନୋଦ ଦଶଟଙ୍କା ଦରମାରେ ଭୂବନମୋହନ ନିୟୋଗୀଙ୍କର ‘ଗ୍ରେଟ ନ୍ୟାସନାଲ ଥିଏଟର’ ରେ ଯୋଗ ଦେଲେ ।

‘ଏଠୁ ଆରମ୍ଭ ହେଲା ମୋର ଗୋଟିଏ ନୂଆ ଜୀବନ । ଯଥାର୍ଥରେ ନୂଆ ଜୀବନ ।’ କେବଳ ନୂଆ ଜୀବନ ନୁହେଁ, ସମ୍ପୂର୍ଣ୍ଣ ଭିନ୍ନ ପରିବେଶରେ ଆରମ୍ଭ ହେଲା ନିଜକୁ ରୂପାନ୍ତରିତ କରିବାର ଏକ ସୁକଠିନ ସାଧନା । ବିନୋଦିନୀଙ୍କ ମଧ୍ୟରେ ନବୀନ ଶିକ୍ଷାର୍ଥୀର ଗୁଣାବଳି – ନିଷ୍ଠା, ଆଗ୍ରହ, ମାନସିକ ଦୃଢ଼ତା – କାହାର ଅଭାବ ନଥିଲା । କୁହନ୍ତି – ‘କିଛି ବୁଝିପାରୁ ନଥିଲି, କିଛି ଜାଣିନଥିଲି, ତଥାପି ଯାହା ଶିକ୍ଷା ପାଉଥିଲି, ପ୍ରାଣପଣେ ଯତ୍ନ ସହକାରେ ତାହା ଶିଖୁଥିଲି । … ମାଁ’ର ଦୁଖିନୀ ଚେହେରାଟିକୁ ମନେ ପକେଇ ଆହୁରି ଉତ୍ସାହ ପାଉଥିଲି ।’

ବିନୋଦିନୀଙ୍କର ପ୍ରଥମ ଅଭିନୟ ‘ବେଣୀସଂହାର’ (ମତାନ୍ତରେ ଶତ୍ରୁସଂହାର) ନାଟକରେ ଦ୍ରୌପଦୀର ସଖୀ ଚରିତ୍ର । ୧୨ ଡିସେମ୍ବର ୧୮୭୪ରେ ପରବର୍ତ୍ତୀ ଅଭିନୟ ‘ହେମଲତା’ ନାଟକରେ ହେମଲତା ଚରିତ୍ର । ତା ପରଠାରୁ ସୁଖୀ ଚରିତ୍ରାଭିନେତ୍ରୀ ହିସାବରେ ବିନୋଦିନୀଙ୍କର ପ୍ରତିଷ୍ଠା ଏକରକମ ନିଶ୍ଚିନ୍ତ ହୋଇଗଲା । ନାଟ୍ୟଦଳ ଗ୍ରେଟ ନ୍ୟାସନାଲ ଥିଏଟର ସାଙ୍ଗରେ ତିନିମାସ କାଳ ବୁଲି ବୁଲି ଲକ୍ଷେ୍ନø, ଦିଲ୍ଲୀ, ଲାହୋର, ପ୍ରଭୃତି ସ୍ଥାନରେ ବିଭିନ୍ନ ନାଟକ ଯେପରି ‘ସତୀ ନା କଳଙ୍କିନୀ’, ‘ନବୀନ ତପସ୍ୱିନୀ’, ‘ସଧବାର ଏକାଦଶୀ’, ‘ଜିୟେପାଗୋଲ ବୁଡ଼େ଼ା’, ‘ନୀଲଦର୍ପଣ’ ଇତ୍ୟାଦିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ।

ଗ୍ରେଟ-ନ୍ୟାସନାଲ ଥିଏଟର ବନ୍ଦ ହୋଇଗଲା, ବେଙ୍ଗଲ ଥିଏଟରର କର୍ଣ୍ଣଧାର ଶରତଚନ୍ଦ୍ର ଘୋଷ ବିନୋଦିନୀଙ୍କୁ ନେଇଆସିଲେ ୧୮୭୯ମସିହାରେ । ଏଇଠାରୁ ହିଁ ବିନୋଦିନୀଙ୍କର ଅଭିନେତ୍ରୀ ଜୀବନର ପ୍ରକୃତ ଉତ୍ଥାନର ଆରମ୍ଭ । ‘ମେଘନାଦ ବଦ୍ଧ’ରେ ଏକା ସାଙ୍ଗରେ ସାତ-ସାତଟି ଚରିତ୍ରରେ ଅଭିନୟ କରିଛନ୍ତି । ‘ମୃଣାଳିନୀ’, ‘କପାଳକୁଣ୍ଡଳା’ ଓ ‘ଦୂର୍ଗେଶନନ୍ଦିନୀ’ରେ ତାଙ୍କର ଅଭିନୟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱୟଂ ଗିରିଶଚନ୍ଦ୍ର ଘୋଷ ତାଙ୍କୁ ନିର୍ବାଚିତ କରିଛନ୍ତି ତାଙ୍କ ଥିଏଟରରେ ଯୁକ୍ତ ହେବାକୁ ।

ସେତେବେଳେ ଗ୍ରେଟ ନ୍ୟାସନାଲ ଥିଏଟର, ନ୍ୟାସନାଲ ଥିଏଟର, ବେଙ୍ଗଲ ଥିଏଟର ଏବଂ ଷ୍ଟାର – ଏଇ ସବୁ ରଙ୍ଗାଳୟଗୁଡ଼ିକ ବହୁ ସମସ୍ୟା, ଭଙ୍ଗା ଗଢ଼ା ଆଦି ସବୁ ମଧ୍ୟ ଦେଇ ଚାଲୁଥିଲେ । ବିନୋଦିନୀ ଅଭିନେତ୍ରୀ ହେବା ଠାରୁ ସଂଯୁକ୍ତ ଥିଲେ ଏଇସବୁ ଥିଏଟରମାନଙ୍କ ସହିତ । ତା’ପରେ ଦିନେ ମାତ୍ର ବାରବର୍ଷ ଅଭିନୟ ଜୀବନର ଶେଷ (ଡିସେମ୍ବର ୧୮୭୪ରୁ ଜାନୁଆରୀ ୧୮୮୭) ସାଫଲ୍ୟର ଊଦ୍ଧ୍ୱର୍ରୁ ସେ ବିଦାୟ ଗ୍ରହଣ କଲେ । ତାଙ୍କର ଏଇ ସିଦ୍ଧାନ୍ତ ଟ୍ରାଜିକ ନାଟକର ବିୟୋଗାନ୍ତ ପରିଣତି ଭଳି ଦୁଃଖଦାୟକ । ଏଇ ରଚନାର ବାକି ଅଂଶ ତାଙ୍କ ଜୀବନଯାତ୍ରା ସଙ୍ଗେ ଯୁକ୍ତ କିଛି ଘଟଣା, ତା’ର ସାଫଲ୍ୟ ଓ ତାଙ୍କ ଯନ୍ତ୍ରଣାର କଥା ଏବଂ କିଛି ପ୍ରଶ୍ନର ମୀମାଂସା ପ୍ରୟାସୀ ।

 

Photo credit- https://bit.ly/2UP1zr1

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୨)

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ …

Leave a Reply

Your email address will not be published. Required fields are marked *