ପାଲା ନାଟର ସାଂପ୍ରତିକ ସ୍ଥିତି

16 Min Read

ଉପକ୍ରମ

ପାଲାକୁ ସାଧାରଣତଃ ଗୀତ, ବାଦ୍ୟ, ନୃତ୍ୟ ଏବଂ ଅଭିନୟର ବଳିଷ୍ଠ ସମନ୍ଵୟରେ ପରିବେଷିତ ହୋଇଆସୁଥିବା ଏକ ଲୋକପ୍ରିୟ ବିଦଗ୍ଧ ଲୋକନାଟକ କୁହାଯାଏ। ବିଷୟବସ୍ତୁ ଏବଂ ପରିବେଷଣକୁ ଲକ୍ଷ୍ୟ କଲେ ଏଥିରେ ନାଟ୍ୟଶାସ୍ତ୍ରରେ ବର୍ଣ୍ଣିତ ଦଶରୂପକ ଅନ୍ତର୍ଗତ ଭାଣ ଓ ବୀଥିର ପ୍ରଭାବ ଦେଖାଯାଏ। ଏହିଭଳି ଏକ ଲୋକନାଟକର ସୃଷ୍ଟିର ଆଦ୍ୟବୀଜ ଭାରତୀୟ ସନାତନ ଧର୍ମର ସତ୍ୟନାରାୟଣ ପୂଜନର ଧର୍ମୀୟ ତଥା ପାରମ୍ପରିକ ପୃଷ୍ଠଭୂମିରୁ ପଡ଼ିଥିବା କଥା ସ୍ପଷ୍ଟ ଜଣାପଡ଼େ। କାରଣ ପ୍ରାଚୀନ ଯୁଗରେ ବିଶେଷ କରି ଖ୍ରୀ.ପୂ. ୨୦୦ରୁ ଖ୍ରୀ. ୨୦୦ ମଧ୍ୟରେ ନାଟ୍ୟକୋବିଦ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ରଚନା ବେଳକୁ ଭାରତରେ ଅନେକ ସ୍ଥାନରେ ଭାଣ ଏବଂ ବୀଥି ପର୍ଯ୍ୟାୟର ନାଟ୍ୟ ପରିବେଷଣ ଦେଖାଗଲାଣି। ଯାହାକୁ ଦୃଷ୍ଟିରେ ରଖି ଭରତ ମୁନି ରୂପକକୁ ଦଶ ଭାଗରେ ବିଭକ୍ତ କରିଛନ୍ତି। ଏହି ପାଲା ନାଟକର ଆଦ୍ୟବୀଜ ମଧ୍ୟ ସେହି ସମୟରୁ ପଡ଼ିଥିବା କଥା ଅନୁମାନ କରାଯାଏ। କାରଣ ସନାତନ ଧର୍ମରେ ପ୍ରଭୁ ସତ୍ୟନାରାୟଣ ହିନ୍ଦୁମାନଙ୍କର ଏକ ପ୍ରମୁଖ ଆରାଧ୍ୟ ଦେବତା ଅଟନ୍ତି ଏବଂ ପାଲା ନାଟରେ ପାଳନ କରାଯାଉଥିବା ଧର୍ମୀୟ ପରମ୍ପରାକୁ ଆଧାର କରି ସୃଷ୍ଟି ହୋଇଥିବା କଥା ନିଃସନ୍ଦେହ ଅଟେ। ପ୍ରାଥମିକ ପର୍ଯ୍ୟାୟରେ ସତ୍ୟନାରାୟଣଙ୍କ ପୂଜାକୁ ଆଧାର କରି ଏକ ଧର୍ମୀୟ ନାଟ୍ୟ ପରମ୍ପରା ବିକାଶ ଲାଭ କରିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୁରାଣ ତଥା କାବ୍ୟମାନଙ୍କରୁ ନାନା ପୌରାଣିକ ଏବଂ କାଳ୍ପନିକ ବିଷୟବସ୍ତୁମାନ ଏହାର ପରିବେଷଣ ପରିଧି ଭିତରକୁ ପ୍ରବେଶ କଲା, ସେତେବେଳେ ନାଟକୀୟ ଉପାଦାନଗୁଡ଼ିକ ସହାୟତାରେ ଏହା ଏକ ପୂର୍ଣ୍ଣାଙ୍ଗ ନାଟକର ରୂପ ନେଲା। ପୁନଶ୍ଚ ପରବର୍ତ୍ତୀ ସମୟରେ ଯେତେବେଳେ ମୁସଲମାନମାନେ ତାଙ୍କର ପୀର ସମ୍ପ୍ରଦାୟର ଧର୍ମୀୟ ପ୍ରଭାବରେ ପ୍ରଭାବିତ ହେଲେ, ସେତେବେଳେ ଏହା ସତ୍ୟନାରାୟଣ ପାଲାରୁ ସତ୍ୟପୀର ପାଲାରେ ରୂପାନ୍ତରିତ ହେଲା। ଏହି ସତ୍ୟପୀର ନାମକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ସନାତନ ଧର୍ମର ପରମ ଆରାଧ୍ୟ ଦେବତା ବିଷ୍ଣୁଙ୍କ ଏକ ରୂପ ବା ଅବତାର ସତ୍ୟନାରାୟଣ ଏବଂ ପୀର ହେଉଛନ୍ତି ସୁଫି ମାନଙ୍କର ଧର୍ମଗୁରୁ ଯିଏ ସେମାନଙ୍କୁ ଇସଲାମୀୟ ଅଧ୍ୟାତ୍ମିକତାରେ ପ୍ରେରିତ କରିଥାନ୍ତି। ଏହି ସତ୍ୟ ଓ ପୀର ନାମର ମିଶ୍ରଣରେ ସତ୍ୟପୀର ପାଲାର ନାମକରଣ କରାଯାଇଛି। ସମୟକ୍ରମେ ଆଜି ଏହି ପାଲା ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହ ଏକ ବିଦଗ୍ଧ ଲୋକନାଟକ ଭାବରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରିଛି।

Support Samadhwani

ପାଲା ନାଟର ସାଂପ୍ରତିକ ସ୍ଥିତି

କ୍ଷେତ୍ର ଅଧ୍ୟୟନ ସମୟରେ ସଂଗୃହୀତ ତଥ୍ୟମାନଙ୍କୁ ଆଧାର କରି ଜଣାଯାଇଛି ଯେ, ଓଡ଼ିଆ ଲୋକନାଟକ ଜଗତରେ ପାଲା ଏକ ଉଚ୍ଚାଙ୍ଗ ମୂଲ୍ୟବୋଧ ସମ୍ପନ୍ନ ବିଦଗ୍ଧ କଳା ଭାବରେ ନିଜକୁ ପ୍ରତିପାଦିତ କରିପାରିଛି। ଏହା ତାହାର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ନାନା ପରିବର୍ତ୍ତନର ଧାରା ଦେଇ ଗତି କରି ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ଧର୍ମୀୟ କିମ୍ବା ପାରମ୍ପରିକ କାର୍ଯ୍ୟକ୍ରମମାନଙ୍କରେ ପରିବେଷିତ ହେଉଥିଲା। ଏ କ୍ଷେତ୍ରରେ ସାଧାରଣତଃ ବ୍ରାହ୍ମଣ କିମ୍ବା ପୂଜାରୀ ପାଲାର ବିଷୟବସ୍ତୁକୁ ପ୍ରଭୁ ସତ୍ୟନାରାୟଣଙ୍କ ପୂଜା ସ୍ଥାନରେ ପୁରାଣ ଭଳି ପଢ଼ି ପଢ଼ି ଶୁଣାଉଥିଲେ। କାରଣ ପାରମ୍ପରିକ ପାଲା ଅର୍ଥାତ୍ ଷୋଳପାଲାର ପ୍ରତ୍ୟେକ ପାଲାରେ ସତ୍ୟନାରାୟଣଙ୍କ ଅଲୌକିକତା ବର୍ଣ୍ଣନା କରାଯାଇଛି। ଧୀରେ ଧୀରେ ଏଥିରେ ଯେତେବେଳେ କଥା ଗାୟନ, ଗୀତ, ବାଦ୍ୟ, ନୃତ୍ୟ ଓ ଅଭିନୟ ଭଳି ନାଟକୀୟ ଉପାଦାନ ସବୁ ଯୋଡ଼ିହେଲା, ସେତେବେଳେ ଏହା ଏକ ପୂର୍ଣ୍ଣାଙ୍ଗ ନାଟକର ରୂପ ନେଲା ଏବଂ ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୁରାଣ, ଉପପୁରାଣ, କାବ୍ୟ ମାନଙ୍କୁ ଆଧାର କରି ଏକ ସ୍ଵତନ୍ତ୍ର ଶୈଳୀର ପରିବେଷଣ ଧାରାକୁ ଜନ୍ମ ଦେଲା। ପ୍ରାଥମିକ ସ୍ତରରେ ମହାଭାରତର ବିଷୟବସ୍ତୁ ଏଥିରେ ଗୁରୁତ୍ଵ ପାଇଲା। ଭଦ୍ରକ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଜାତିର ଲୋକମାନେ ମହାଭାରତର କାହାଣୀଗୁଡ଼ିକୁ ଗାୟନ ଓ ଅଭିନୟ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କୁ ଭାରତୀ ଭାବରେ ମଧ୍ୟ ନାମିତ କରାଯାଇଛି। ଭଦ୍ରକର ପାଲା ଗାୟକ ଫଗୁ ଭାରତୀ ଏହି ଜାତିର ଲୋକ ଅଟନ୍ତି। ଧୀରେ ଧୀରେ ଗାୟକ ଫକୀର ପଣ୍ଡା, ଗୁରୁ ବାଙ୍କା ଦାସ, ଗୁରୁ ବିନୋଦ ବାରିକ, ଗୁରୁ ବିକର୍ତ୍ତନ ମହାପାତ୍ର ପାଲାକୁ ଚତୁର୍ଦ୍ଦଶାକ୍ଷରୀ ଛନ୍ଦରେ ଗାୟନ କରି ଏକ ସ୍ଵତନ୍ତ୍ର ପରିବେଷଣ ଧାରା ସୃଷ୍ଟି କଲେ। ସେଥିପାଇଁ ପାଲାକାରମାନେ ଆଜି ମଧ୍ୟ କହିଥାନ୍ତି ଯେ “ବାର ନୋହିବ କିବା ତେର ନୋହିବ ॥ ଚତୁର୍ଦ୍ଦଶ ଅକ୍ଷରରେ ପଦ ଛିଡୁଥିବ ॥”

ପରବର୍ତ୍ତୀ ସମୟରେ ବିଶେଷକରି ବିଂଶ ଶତକର ପ୍ରଥମାର୍ଦ୍ଧରେ ଓଡ଼ିଆ ପାଲା ଏହାର କଳା, ପାଣ୍ଡିତ୍ୟ, ଗଭୀର ଜ୍ଞାନ ଆଧାରିତ ସାହିତ୍ୟ ଓ ଶ୍ରୁତି ମଧୁର ସଙ୍ଗୀତ ପରମ୍ପରା ନିମନ୍ତେ ଉତ୍କର୍ଷତା ଲାଭ କରିଥିଲା। ଏହି ସମୟରେ ବିଶିଷ୍ଟ ପାଲା ସାଧକମାନଙ୍କ ମଧ୍ୟରେ ଗାୟକ ସମ୍ରାଟ ବିଶ୍ଵନାଥ ପାଟ୍ଟଯୋଶୀ, କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକରତ୍ନ ହରେକୃଷ୍ଣ ନାଥ, ଗାୟକ ମାଧବ ଚନ୍ଦ୍ର ମିଶ୍ର, ଗାୟକବାଗ୍ମୀ ବୈଷ୍ଣବ ଚରଣ ପ୍ରଧାନ, ଗାୟକ ଭୂଷଣ ଘନଶ୍ୟାମ ନାୟକ, ଗାୟକ ଚନ୍ଦ୍ର ପରମାନନ୍ଦ ଶରଣ, ଗାୟକ ଯୁଗଜ୍ୟୋତି ଜଗନ୍ନାଥ ବେହେରା ଏବଂ ଅନ୍ୟାନ୍ୟ ପ୍ରମୁଖ ଅଟନ୍ତି। ଏପରିକି ଏହି ସମୟକୁ ଓଡ଼ିଆ ପାଲାର ସୁବର୍ଣ୍ଣ ଯୁଗ ବୋଲି ଗ୍ରହଣ କରାଯାଏ। ଏହି ସମୟରେ ପାଲା ଷୋଳପାଲାର ବିଷୟବସ୍ତୁର ବନ୍ଧନକୁ ଡେଇଁ ପୁରାଣ, କାବ୍ୟ, ଇତିହାସ ସମସ୍ତ ବିଷୟକୁ ପ୍ରବେଶ ଆରମ୍ଭ କରିଥିଲା। ଫଳରେ ପାଲାରେ ପରିବେଷିତ ବିଷୟବସ୍ତୁର ସାହିତ୍ୟିକ ମୂଲ୍ୟବୋଧର ବୃଦ୍ଧି ଘଟିଥିଲା ଏବଂ ଏହା ତତ୍କାଳୀନ ବିଦଗ୍ଧ ଦର୍ଶକ ସମାଜରେ ଅଧିକରୁ ଅଧିକ ଲୋକପ୍ରିୟ ହୋଇପାରିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାଚୀନ ଓ ମଧ୍ୟଯୁଗୀୟ ସଂସ୍କୃତ ସାହିତ୍ୟର ପୁରାଣ, କାବ୍ୟ, ଛନ୍ଦ, ଅଳଙ୍କାରର ପ୍ରୟୋଗ ପାଲାର ମାଧୁର୍ଯ୍ୟକୁ ଆହୁରି ବୃଦ୍ଧି କରିପାରିଥିଲା। ଏହା ପରେ ପରେ ଯେତେବେଳେ ଗୁରୁ ମାର୍କଣ୍ଡେୟ ବାହିନୀପତି, ଗୁରୁ କାହ୍ନୁ ଚରଣ ପତ୍ରୀ, ଗୁରୁ ଉଦୟନାଥ ରଥଶର୍ମା, ଗୁରୁ ଅନିରୁଦ୍ଧ ପାଣିଗ୍ରାହୀ, ଗୁରୁ ବୈଷ୍ଣବ ପ୍ରଧାନ, ଗୁରୁ ଜଗନ୍ନାଥ ବେହେରା ଆଦି ଗୁରୁମାନେ ଉଭୟ ଓଡ଼ିଆ ସାହିତ୍ୟ ଓ ସଂସ୍କୃତ ସାହିତ୍ୟକୁ ପାଲାରେ ଉପଯୋଗ କରି ଏହାର ସାହିତ୍ୟିକ ମୂଲ୍ୟବୋଧକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କଲେ, ସେତେବେଳେ ଏହାର ମାନ ଆହୁରି ବୃଦ୍ଧି ପାଇବାକୁ ଲାଗିଲା।

୧. ଉନବିଂଶ ଶତକରେ ପାଲା ବିଶେଷ କରି ତିନି ଜଣ କଳାକାରକୁ ନେଇ ଗଠିତ କୋରସ ସହାୟତାରେ ପରିବେଷିତ ହେଉଥିଲା। ସେମାନଙ୍କ ଭିତରେ ଜଣେ ଗାୟକ, ଜଣେ ବାୟକ ଏବଂ ଜଣେ ପାଳିଆ ରହୁଥିଲେ। ସେହି ତିନି ଜଣକୁ ସନାତନ ଧର୍ମର ତ୍ରିନାଥ ଯଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵର ଭାବରେ ଗ୍ରହଣ କରାଯାଉଥିଲା। ପରବର୍ତ୍ତୀ ସମୟରେ ବିଂଶ ଶତକର ପ୍ରଥମାର୍ଦ୍ଧରେ ପାଲା ନାଟର କୋରସର ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଗଲା ଏବଂ ସେମାନଙ୍କକୁ ନିମ୍ନ ବର୍ଣ୍ଣିତ ଶ୍ଳୋକାନୁସାରେ ସନାତନ ଧର୍ମର ପାଞ୍ଚ ପ୍ରମୁଖ ଦେବତା ୧. ଗଣେଶ ୨. ନାରାୟଣ ୩. ରୁଦ୍ର ୪. ଅମ୍ବିକା ୫. ଭାସ୍କର ଭାବରେ ଗ୍ରହଣ କରାଗଲା। ଏହା ସହିତ କୋରସକୁ ପ୍ରତିନିଧିତ୍ଵ କରୁଥିବା ମୁଖ୍ୟ କଳାକାରକୁ ଗାୟକ ଭାବରେ ଗ୍ରହଣ କରାଗଲା। ଏପରିକି ତାଙ୍କୁ ପାଞ୍ଚ ଦେବତାଙ୍କର ପ୍ରତୀକ ବା ପାଳିଆମାନଙ୍କର ସେବକ ଭାବରେ ଗ୍ରହଣ କରାଗଲା।

Support Samadhwani

୨. ପ୍ରଥମେ ପାଲା ନାଟ ପରିବେଷଣରେ ମଠା ବା ଧୋତିକୁ ବେଶପୋଷାକ ଭାବରେ ବ୍ୟବହାର କରାଯାଉଥିଲା। ଏପରିକି ଏହା ଉନବିଂଶ ଶତକ ପର୍ଯ୍ୟନ୍ତ ଚାଲୁ ରହିଥିଲା। ପରବର୍ତ୍ତୀ ସମୟରେ ସେମାନେ ଧୋତି, ପାଇଜାମା ଏବଂ ଉତ୍ତରୀୟକୁ ନାଟ ପରିବେଷଣରେ ବେଶପୋଷାକ ଭାବରେ ବ୍ୟବହାର କରିବାକୁ ଲାଗିଲେ। ସ୍ଵାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାର ସରକାରୀ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପାଲା ନାଟ ଓ ଆମ ଭାଷା ସାହିତ୍ୟ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବାକୁ ଆମର ଶିକ୍ଷାବିତ୍‌ମାନେ ପ୍ରୟାସ କରିବା ଆରମ୍ଭ କରିଥିଲେ। ମୁଖ୍ୟତଃ ୧୯୪୮ ମସିହାରେ କଟକ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିମନ୍ତ୍ରଣ କ୍ରମେ ଗୁରୁ ହରେକୃଷ୍ଣ ନାଥ ଏବଂ ଗୁରୁ ନିରଞ୍ଜନ କର ସେଠାରେ ବାଦୀପାଲା ପରିବେଷଣ କରିଥିଲେ। ସେହି ପାଲା ପରିବେଷଣରେ ପ୍ରଥମେ କୁର୍ତ୍ତା ଓ ପାଇଜାମାକୁ ବ୍ୟବହାର କରାଯାଇଥିଲା। ପରେ ପରେ ଗୁରୁ ଜଗନ୍ନାଥ ବେହେରା ଧୋତି ଓ କୁର୍ତ୍ତାର ପ୍ରୟୋଗ କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି। କିନ୍ତୁ ଅନ୍ୟ କେତେକ ମତ ପୋଷଣ କରିଥାନ୍ତି ଯେ ପ୍ରାଚୀନ ଯୁଗରେ ପାଲା ଗାୟକମାନଙ୍କୁ ଗଜପତି ରାଜା କୁଣ୍ଡଳ, ଚାମର ତଥା ପୋଷାକ ପ୍ରଦାନ ପୂର୍ବକ ପୁରସ୍କୃତ କରୁଥିଲେ। ଏହା ରାଜାଙ୍କର ଏକ ସାଂସ୍କୃତିକ ବ୍ୟାପାର ଥିଲା।

୩. ଆଜି ପର୍ଯ୍ୟନ୍ତ ପାଲାରେ ବ୍ୟବହୃତ ମଞ୍ଚ ଶୈଳୀରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ କହିଲେ ଚଳେ। ବିଂଶ ଶତକର ଶେଷ ପର୍ଯ୍ୟନ୍ତ ପାଲା ନାଟ ପାଖାପାଖି ଏକଶହ ବର୍ଗଫୁଟ ପରିମାଣ ସ୍ଥାନରେ ଚାରିକୋଣରେ ଚାରୋଟି ବାଉଁଶରେ ବନ୍ଧାଯାଇଥିବା ଏକ ଚାନ୍ଦୁଆ ତଳେ ପରିବେଷିତ ହୋଇଆସୁଥିଲା। ଆଜି ବି ମୁଖ୍ୟତଃ ଏହି ନାଟକୁ ଗାଁ ସାହି, ମନ୍ଦିର ଆଗରେ କିମ୍ବା ଗାଁ ମୁଖିଆମାନଙ୍କ ଘର ଆଗରେ ପରିବେଷଣ କରାଯାଉଛି। ବାଦୀପାଲା ପରିବେଷଣରେ ଏହାର ଆୟୋଜକମାନେ ଏକ ବର୍ଗାକାର ମଞ୍ଚ ବିଶିଷ୍ଟ କ୍ଷୁଦ୍ର ଯାତ୍ରା ମଞ୍ଚ ଭଳି ଅସ୍ଥାୟୀ ମଞ୍ଚ ନିର୍ମାଣ କରିଥାନ୍ତି। କେତେକାଂଶରେ ଏହି ପାଲା ନାଟର ଗୁଣଗ୍ରାହୀ ଦର୍ଶକମାନେ ସେମାନଙ୍କର ଗାଁରେ ସ୍ଥାୟୀ ପାଲା ମଞ୍ଚ ନିର୍ମାଣ କରି ସେଠାରେ ପ୍ରତିବର୍ଷ ବାଦୀପାଲା କାର୍ଯ୍ୟକ୍ରମମାନ ଆୟୋଜନ କରିଥାନ୍ତି।

୪. ରାଜ୍ୟରେ ଗ୍ରାମୀଣ ବିଦ୍ୟୁତ ସରବରାହ ହେବା ପରଠାରୁ ପାଲା ପରିବେଷଣରେ ମଧ୍ୟ ବିଦ୍ୟୁତ ଆଲୋକ, ଡାକବାଜି ଯନ୍ତ୍ର ଏପରିକି ଆଜିର ତାର ବିହୀନ ଲାପଲ ମଧ୍ୟ ବ୍ୟବହାର କରାଗଲାଣି। ଫଳରେ ତାହା ଅତି ସୁନ୍ଦର ଭାବରେ ଶ୍ରବଣଯୋଗ୍ୟ ତଥା ଦର୍ଶନଯୋଗ୍ୟ ହୋଇପାରୁଛି। ବାଦୀପାଲା ପରିବେଷଣରେ ମଞ୍ଚସଜ୍ଜା ଆଜିକାଲିର ଆଧୁନିକ ଯାତ୍ରାର ଏକ ମଞ୍ଚ ଭଳି ସାଜସଜ୍ଜା ମଧ୍ୟ କରାଗଲାଣି।

୫. ବର୍ତ୍ତମାନ ଯୁଗରେ ପାଲାର ସଙ୍ଗୀତ ପରିବେଷଣରେ ସାମାନ୍ୟ କିଛି ପରିବର୍ତ୍ତନ ଦେଖାଯାଇଛି। କଳାକାରମାନେ ପାଲା ଭଳି ଏକ ବିଦଗ୍ଧ ସାହିତ୍ୟ ଆଧାରିତ ଲୋକନାଟକରେ ଆଧୁନିକ ଭଜନ ଗୁଡ଼ିକର ପରିବେଷଣ କରୁଥିବା ଦେଖାଯାଉଛି। କିନ୍ତୁ ପାଲା ନାଟର ବାଦ୍ୟଯନ୍ତ୍ର ସଙ୍ଗୀତରେ ଏହି ଭଳି ଆଧୁନିକତାର ଅନୁଭବ ପରିଲକ୍ଷିତ ହୁଏନାହିଁ। ସୌଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଏଥିରେ କୌଣସି ପାଶ୍ଚାତ୍ୟ ତଥା ଅତ୍ୟାଧୁନିକ ଡିଜିଟାଲ ବାଦ୍ୟଯନ୍ତ୍ର ପ୍ରୟୋଗ କରାଯାଇନାହିଁ। ସେହି ପାରମ୍ପରିକ ଯନ୍ତ୍ରସଙ୍ଗୀତମାନ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ସେହି ସମାନ ଢଙ୍ଗରେ ବ୍ୟବହୃତ ହୋଇଆସୁଛି। ସେହି ବାଦ୍ୟଯନ୍ତ୍ର ଗୁଡ଼ିକ ମଧ୍ୟରେ ମୃଦଙ୍ଗ, ଝାଞ୍ଜ, ମଞ୍ଜିରା, ରାମତାଳି ଏବଂ ଦାସକାଠି ଆଦି ପ୍ରମୁଖ ଅଟେ।

୬. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଗତ ଚାରି ପାଞ୍ଚ ଦଶନ୍ଧି ଧରି ଏହି ଲୋକନାଟକରେ ମହିଳା କଳାକାରମାନଙ୍କର ପ୍ରବେଶ ଘଟିଛି। ସର୍ବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ଗାୟିକା ମୀନାକୁମାରୀ ବାଇ ଏବଂ ତାଙ୍କର ଭଉଣୀ ଗାୟିକା ସରସ୍ଵତୀ ବାଇ ଏହି କ୍ଷେତ୍ରରେ ମହିଳା କଳାକାର ଭାବରେ ସର୍ବପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଅନୁଧ୍ୟାନରୁ ଯାହା ଜଣାପଡ଼େ ଆଜିର ଦିନରେ ଓଡ଼ିଶାରେ ଶତାଧିକ ମହିଳା ସେମାନଙ୍କର ନାଟ୍ୟଦଳମାନ ଗଢ଼ି ପରିବେଷଣ କରୁଛନ୍ତି। ଠିକ୍ ସେହିପରି ପାଞ୍ଚଶହରୁ ଅଧିକ ମହିଳା ପାଳିଆ ଭାବରେ ମଧ୍ୟ ଏହି ଲୋକନାଟକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନେ ଉଭୟ ସମ୍ମାନ ଏବଂ ସ୍ଵାଭିମାନର ସହ ଏହାକୁ ଜୀବନର ଜୀବିକା ଭାବରେ ଗ୍ରହଣ କରିପାରିଛନ୍ତି।

୭. ପାଲା ଭଳି ଏକ ଲୋକପ୍ରିୟ ବିଦଗ୍ଧ ଲୋକନାଟକର ସ୍ଥିତିକୁ ଦେଖି ସ୍ପଷ୍ଟ ଭାବରେ ବୁଝିହେଉଛି ଯେ ଏହି ଲୋକନାଟକର କେତେକ ପ୍ରମୁଖ ହାତଗଣତି ପ୍ରତିଭାବାନ କଳାକାର ଏହାର ପରିବେଷଣରୁ ଉପାର୍ଜିତ ଧନରେ ପରିବାର ପ୍ରତିପୋଷଣ କରିବାରେ ସଫଳ ହେଉଛନ୍ତି। କିନ୍ତୁ ଆଜି ମଧ୍ୟ ବହୁ ବିଦ୍ଵାନ ତଥା ପ୍ରତିଭାବାନ ଗାୟକ ଗାୟିକା ତଥା ପାଳିଆ ଏହାକୁ ପାଥେୟ କରି ଏକ ସ୍ଵଚ୍ଛଳ ପାରିବାରିକ ଜୀବନ ନିର୍ବାହ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ସେମାନଙ୍କୁ ସବୁବେଳେ ଏକ ସଙ୍ଘର୍ଷମୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ସରକାରୀ ତଥା ଜାତୀୟ ସ୍ତରରେ କେବଳ ଅଳ୍ପକେତେକ ଗାୟକ ପରିବେଷଣର ସୁଯୋଗ ହାତେଇବାରେ ସଫଳ ହେଲାବେଳେ ଅନ୍ୟମାନେ ପ୍ରାୟତଃ ସେ ସୁଯୋଗରୁ ବଞ୍ଚିତ ହୋଇରହୁଛନ୍ତି।

୮. ବିଗତ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ କଳାକାରମାନେ ସମାଜର ସାଧାରଣ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବାକୁ ପାଲା ଭଳି ଲୋକନାଟକର ସହାୟତା ନେଇଛନ୍ତି। ଏହା ସହାୟତାରେ ସେମାନେ ବିଭିନ୍ନ ସାମାଜିକ ତଥା ରାଜନୈତିକ ସମସ୍ୟା ସମ୍ବନ୍ଧରେ ମଧ୍ୟ ସଚେତନତା ସୃଷ୍ଟି କରିବା ଆରମ୍ଭ କଲେଣି। ବେଳେବେଳେ ଏହା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ, ଏଡସ୍ (AIDS) ବିଷୟରେ ମଧ୍ୟ ଏହା ଦ୍ଵାରା ଲୋକମାନଙ୍କୁ ସଚେତନ କରିଥାନ୍ତି। ଏହା ଦ୍ଵାରା ପାଲା ନାଟର ସାହିତ୍ୟିକ ମୂଲ୍ୟବୋଧ ତଥା ପରିବେଷଣଗତ ମୂଲ୍ୟବୋଧ ନଷ୍ଟ ହେଉଛି ବୋଲି ଗୁରୁ ଲକ୍ଷ୍ମଣ ପ୍ରଧାନ, ଗାୟିକା ପ୍ରଜ୍ଞା ରାଉତ, ଗାୟକ ଜ୍ଞାନାନନ୍ଦ ସାଗର ଭଳି ପାଲାଗାୟକମାନେ ମତ ପ୍ରଦାନ କରିଛନ୍ତି।

୯. ପ୍ରତ୍ୟେକ ଆର୍ଥିକ ବର୍ଷରେ ଏହି ଲୋକନାଟକ ପରମ୍ପରାକୁ ଆଗକୁ ନେବାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯେତିକି ଅନୁଦାନ ସ୍ଥିର କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ପାଣି ଅଟେ। ଫଳରେ ଅଳ୍ପ କିଛି ପରିଚିତ ତଥା ପ୍ରସିଦ୍ଧ ଗାୟକ ସେମାନଙ୍କର ପଞ୍ଜିକୃତ ନାଟ୍ୟସଂସ୍ଥା ନାମରେ ଆର୍ଥିକ ଅନୁଦାନ ନେବାରେ ସଫଳ ହେଉଥିଲାବେଳେ ବାକି ଅନ୍ୟ ଗୁରୁମାନେ ଏ କ୍ଷେତ୍ରରେ ଅବହେଳିତ ହେବାର ଜଣାଯାଉଛି। କେତେକ କ୍ଷେତ୍ରରେ ଏହି ବିଧାର ବହୁ ଦୁସ୍ଥ କଳାକାର ରାଜ୍ୟ ସରକାରଙ୍କର କଳାକାର ଭତ୍ତାକୁ ଚାହିଁ ହିଁ ଦୁଃଖରେ କାଳ କାଟୁଛନ୍ତି।

୧୦. ଓଡ଼ିଶାର ଏହା ଏକ ପ୍ରମୁଖ ଲୋକନାଟକ ହିସାବରେ ଏହା ରାଜ୍ୟର କଳା ତଥା ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି। ତଥାପି ରାଜ୍ୟ ସରକାର ସେମାନଙ୍କର ପରିବେଷଣ, ପ୍ରଶିକ୍ଷଣ ତଥା ପ୍ରଗତିକୁ ଆଖି ଆଗରେ ରଖି କୌଣସି ଆବଶ୍ୟକୀୟ ଅନୁଷ୍ଠାନ ଗଢ଼ିନାହାନ୍ତି। ଅପରପକ୍ଷରେ ଓଡ଼ିଶାର ଅଗ୍ରଣୀ ପାଲା ପ୍ରତିଷ୍ଠାନ ନିଖିଳୋତ୍କଳ ନୀଳାଚଳ ପାଲା ଗାୟକ ପରିଷଦ ତରଫରୁ ଓଡ଼ିଶା ପାଲା ଏକାଡେମି ପ୍ରତିଷ୍ଠା ନିମନ୍ତେ ଦୀର୍ଘ କୋଡିଏ ବର୍ଷ ଧରି ଦାବି କରିଆସୁଛନ୍ତି। ଦୀର୍ଘ ତିନି ଦଶନ୍ଧି ଧରି ବହୁ ଗ୍ରାମୀଣ ତଥା ସହରାଞ୍ଚଳ ସାଂସ୍କୃତିକ ସଂଘ ଓଡ଼ିଆ ପୁରାଣ ତଥା କାବ୍ୟର ସାହିତ୍ୟିକ ମୂଲ୍ୟବୋଧକୁ ପ୍ରଚାର ପ୍ରସାର କରିବା ସହ ପାଲା ଭଳି ବିଦଗ୍ଧ ଲୋକନାଟକକୁ ଆଗକୁ ନେବା ପାଇଁ ବହୁ ଆଡମ୍ବରରେ ବାଦୀପାଲା ମଞ୍ଚମାନ ଆୟୋଜନ କରିଆସୁଛନ୍ତି। ଓଡ଼ିଶାର ଲୋକନାଟକ ପରମ୍ପରାକୁ ଆଗକୁ ନେବା ପାଇଁ ଦୀର୍ଘ ଦଶବର୍ଷ ଧରି ଭାରତୀୟ ବିଦ୍ୟା ଭବନ ଏବଂ ଇନଫୋସିସ ଫାଉଣ୍ଡେସନ ଭଳି ସଂସ୍ଥାମାନ ଏହାର ପରିବେଷଣକୁ ପ୍ରଗତି ପଥରେ ବଢ଼ିବା ପାଇଁ ସହାୟତା ଦେଇ ଆସୁଛନ୍ତି ଏବଂ ସେଗୁଡିକର ପରିବେଷଣ ପାଇଁ ମଧ୍ୟ ମଞ୍ଚ ପ୍ରଦାନ କରିଆସୁଛନ୍ତି। ଠିକ୍ ସେହିପରି ଓଡ଼ିଶା ଟେଲିଭିଜନ ନେଟୱର୍କ ଏବଂ ସିଦ୍ଧାର୍ଥ ଭକ୍ତି ତଥା ପ୍ରାର୍ଥନା ଭଳି ଘରୋଇ ଟିଭି ଚାନେଲ ଗୁଡ଼ିକ ମଧ୍ୟ ଏହାର ପ୍ରଚାର ପ୍ରସାର ପାଇଁ ବାଦୀପାଲା ଏବଂ ଲଢେଇପାଲା ଭଳି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମମାନ ପରିବେଷଣ କରିଆସୁଛନ୍ତି।

୧୧. ଏହି କଳାର ମୃତ କିମ୍ବା ମୃତପ୍ରାୟ ନାଟ୍ୟାନୁଷ୍ଠାନ ଗୁଡ଼ିକୁ ପୁନର୍ଜୀବିତ କରିବା ନିମନ୍ତେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରେ ସଫଳ ପ୍ରୟାସ କରାଯାଇନାହିଁ।

୧୨. ପ୍ରାୟତଃ ଗୁରୁ କିମ୍ବା ଏହି ବିଧାର କଳାକାର ସେମାନଙ୍କର ବଂଶଧରମାନଙ୍କୁ ଏହି କ୍ଷେତ୍ର ସହିତ ଯୋଡିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ ଆଜିର ଏହି ବୈଷୟିକ ଯୁଗରେ ଏହି କ୍ଷେତ୍ର ମାଧ୍ୟମରେ ପରିବାର ପ୍ରତିପୋଷଣ ପାଇଁ ଆବଶ୍ୟକୀୟ ଅର୍ଥ କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ଆବଶ୍ୟକୀୟ ସାମାଜିକ ସମ୍ମାନ ଓ ସ୍ଵାଭିମାନ ଅର୍ଜନ କରିବା ଅତ୍ୟନ୍ତ କାଠିକର ପାଠ ଅଟେ। ଅପରପକ୍ଷରେ ଓଡ଼ିଶାର ଲୋକନାଟକ ଜଗତ ଯେଉଁଭଳି ଭାବରେ ଅଶ୍ଳୀଳତା ଏବଂ ନଗ୍ନତା ଦ୍ଵାରା ଆକ୍ରାନ୍ତ ହେବା ଆରମ୍ଭ କଲାଣି, ତା’ଭିତରକୁ ବିଦଗ୍ଧ ପଣ୍ଡିତ ସମାଜ ସେମାନଙ୍କର ପିଲାମାନଙ୍କୁ ଛାଡିବାକୁ କୁଣ୍ଠା ପ୍ରକାଶ କଲେଣି। ବର୍ତ୍ତମାନ ପାଲା ବଦଳରେ ଯୁବ କଳାକାର ସମାଜ ଧୀରେ ଧୀରେ ବ୍ୟବସାୟିକ ପ୍ରବଚନ ଆଡ଼କୁ ଅଗ୍ରସର ହେଲେଣି।

୧୩. ବାସ୍ତବରେ ଅନୁଧ୍ୟାନରୁ ଜଣାଯାଏ ଯେ ପାଲା ମଧ୍ୟ ଧୀରେ ଧୀରେ ତାହାର ମୌଳିକତା ଏବଂ ମୂଲ୍ୟବୋଧ ହରାଇବା ଆରମ୍ଭ କଲାଣି। ପାଲା ଜଗତକୁ ମହିଳା କଳାକାର ତଥା ଗୁରୁମାନଙ୍କ ପ୍ରବେଶ ସତ୍ତ୍ଵେ ଏହା ଭିତରକୁ ନଗ୍ନତା ଏବଂ ଅଶ୍ଳୀଳତା ପ୍ରବେଶ କରିପାରିନାହିଁ, ତାହା ଆମ ପାଇଁ ସବୁଠୁ ବଡ଼ ସୌଭାଗ୍ୟର କଥା ଅଟେ। କାରଣ ଏହା ପଛରେ ଥିବା ବଡ଼ କାରଣଟି ହେଲା ଆଜି ପର୍ଯ୍ୟନ୍ତ ପାଲା ତାହାର ପାରମ୍ପରିକତା ରକ୍ଷା କରିବାରେ ସଫଳ ହୋଇଛି ଏବଂ ପୌରାଣିକ ବିଷୟବସ୍ତୁ ଆଧାରରେ ଧର୍ମୀୟ ସୀମା ଲଙ୍ଘନ କରିବାରେ ଅପଚେଷ୍ଟା କରିନାହିଁ। ତେଣୁ ଏହି ବିଧା ପ୍ରତି ବିଦଗ୍ଧ ଦର୍ଶକ ସମାଜର ଆଜି ମଧ୍ୟ ଶ୍ରଦ୍ଧା ଓ ସମ୍ମାନ ରହିଛି।

୧୪. ଚଳିତ ଶତାବ୍ଦୀରେ ସମଗ୍ର ବିଶ୍ଵକୁ ଯେଉଁ ଭଳି ଭାବରେ କୋଭିଡ଼-୧୯ ତାର ଭୟଙ୍କର ଆକ୍ରମଣାତ୍ମକ ରୂପ ଦେଖାଇ ଆକ୍ରମଣ କଲା, ସେଥିରୁ ଆମର ପାଲା କଳାକାରମାନେ ମଧ୍ୟ ବାଦ ପଡ଼ିଲେନି। ସରକାରଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶନାମା କାରଣରୁ ବର୍ଷ ବର୍ଷ ଧରି ଏହାର ପରିବେଷଣକୁ ନିଷିଦ୍ଧ କରିଦିଆଗଲା। ଏହା ଆମର ପାଲା ଜଗତର କଳାକାରମାନଙ୍କ ଜୀବନ ଜୀବିକାକୁ ସଂପୂର୍ଣ୍ଣ ଭାବରେ ଦୁର୍ବିସହ କରିପକାଇଲା। ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କୁ ହାତ ପତେଇ ଆର୍ଥିକ ସହାୟତା ମଧ୍ୟ ସେମାନଙ୍କୁ ମାଗିବାକୁ ପଡ଼ିଲା। ଏପରିକି ବହୁ ଭୂମିହୀନ ଗରିବ କିମ୍ବା ନିମ୍ନ ମଧ୍ୟବିତ୍ତ ଯୁବ କଳାକାର ସେମାନଙ୍କ ପରିବାର ତଥା ନିଜର ଆର୍ଥିକ ସୁରକ୍ଷାକୁ ଆଖିରେ ରଖି ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ।

୧୫. ବେଳେବେଳେ ପାଲା ନାଟର କଳାକାରମାନେ ଟିକିଏ ଗୁରୁତର ରୋଗବ୍ୟାଧି କିମ୍ବା ଦୁର୍ଘଟଣାର ଶିକାର ହୋଇ ଯେଉଁଭଳି ଭାବରେ ଆର୍ଥିକ ସହାୟତା ପାଇଁ ସାମାଜିକ ଗଣମାଧ୍ୟମମାନଙ୍କରେ ସାଧାରଣ ଲୋକମାନଙ୍କୁ ଆକୁଳ ପ୍ରାର୍ଥନା କରିଥାନ୍ତି, ସେକଥା ଦେଖିଲା ବେଳକୁ ସେମାନଙ୍କ ସ୍ଥିତି ସମ୍ବନ୍ଧରେ ଆମ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଆମର ସମାଜ ତଥା ସରକାର ମଧ୍ୟ ଠିକ୍ ଏହିଭଳି ପରିସ୍ଥିତିରେ ଅଶ୍ଳୀଳତା, ନଗ୍ନତା ଏବଂ ଆଧୁନିକତାର ପ୍ରଚାର କରୁଥିବା ଲୋକପ୍ରିୟ ବ୍ୟବସାୟିକ କଳାକାରମାନଙ୍କ ପାଇଁ ଯେତିକି ଚିନ୍ତା ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ସେତିକି ଏମାନଙ୍କ କ୍ଷେତ୍ରରେ କରୁନାହାନ୍ତି। ଏହା ମଧ୍ୟ ଏକ ସାଂପ୍ରତିକ ସମୟରେ ଲୋକନାଟକ ଜଗତ ଏବଂ ତାହାର କଳାକାରମାନଙ୍କ ପ୍ରତି ଏକ ଦୁଃଖଦ ଉଦାସୀନତା ଅଟେ।

ଶେଷକଥା

ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମୂଲ୍ୟବୋଧକୁ ନିଃସ୍ଵାର୍ଥପର ପ୍ରଚାରକ ଭଳି ଗାଁର ସାଧାରଣ ଲୋକମାନଙ୍କ ପାଖରେ ବୁଲି ବୁଲି ପ୍ରଚାର କରୁଥିବା ଏହି ଅଭିଜ୍ଞ ତଥା ପ୍ରବୀଣ କଳାକାରମାନେ କଳା ଜଗତ ପ୍ରତି ଧୀରେ ଧୀରେ ଉଦାସୀନ ମନୋଭାବ ପୋଷଣ କରିବା ଆମ କଳାର ରାଜ୍ୟ ଉତ୍କଳ ପ୍ରଦେଶ ପାଇଁ ବାସ୍ତବରେ ଏକ ଦୁଃଖଦ ଘଟଣା ଅଟେ। କାରଣ ଏମାନେ କେବଳ କଳା ସାହିତ୍ୟ ତଥା ସଂସ୍କୃତିର ପ୍ରଚାର କରୁନାହାନ୍ତି। ଆମ ଲୋକସଂସ୍କୃତି ତଥା ଜନଜୀବନର ପରିଧି ଭିତରକୁ ଅଶ୍ଳୀଳତା, ନଗ୍ନତା ଏବଂ ଅପସଂସ୍କୃତିର ପ୍ରବେଶକୁ ଅଟକାଇବାରେ ଯଥାସାଧ୍ୟ ଚେଷ୍ଟା କରିଆସୁଛନ୍ତି। ଆମମାନଙ୍କର ଆନ୍ତରିକତା, ସମ୍ମାନବୋଧ ଏବଂ ପୃଷ୍ଠପୋଷକତାର ଅଭାବ କାରଣରୁ ଏହା ତୁଳନାତ୍ମକ ଭାବରେ ଯେତିକି ସଫଳତାର ଶୀର୍ଷ ଛୁଇଁବା କଥା ଛୁଇଁ ପାରୁନାହିଁ। ଏକ ବିଜ୍ଞ ତଥା ପ୍ରବୀଣ କଳାକାର ଜାତିଟିଏ ଯେଉଁ ଭଳି ସମ୍ମାନ ଓ ସ୍ଵାଭିମାନର ଜୀବନ ବଞ୍ଚିବା ଉଚିତ ତାହା ଆଦୌ ହୋଇପାରୁନାହିଁ କହିଲେ କିଛି ଭୁଲ ହେବନାହିଁ। ଏବେ ବି ସମୟ ଅଛି ଆମେମାନେ ଯଦି ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଯତ୍ନବାନ ହେବା, ଆମେମାନେ ଆମର ଉତ୍ତର ଦାୟାଦମାନଙ୍କୁ ସୃଷ୍ଟି କରିବା ଦିଗରେ କ୍ଷେତ୍ର ପ୍ରସ୍ତୁତ କରିବା, ଗୁରୁମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା, ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅଧିକ ମାତ୍ରାରେ ପୁରସ୍କୃତ କରିବା, ପ୍ରତିଭାବାନ ଯୁବ କଳାକାରମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ବଳିଷ୍ଠ ପ୍ରଶିକ୍ଷଣ ପ୍ରଦାନ କରିବା, ଏହାର ଗବେଷଣାକୁ ଜାରି ରଖିବା ତାହାହେଲେ ପାଲା ଭଳି ସୁନ୍ଦର, ମର୍ଯ୍ୟାଦାସମ୍ପନ୍ନ ଲୋକ କଳାଟି ଆହୁରି ଅଧିକ ବିକାଶ ଲାଭ କରିପାରିବ। ଭବିଷ୍ୟତରେ ଏହା କେବଳ ରାଜ୍ୟସ୍ତରରେ ନୁହେଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ସ୍ଵତନ୍ତ୍ର ସମ୍ମାନ ସୃଷ୍ଟି କରିବ। ଏହା ଆମ ସମସ୍ତଙ୍କର ନୈତିକ, ସାମାଜିକ ତଥା ମାନବିକ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ଗ୍ରହଣ କରିବାକୁ ରାଜ୍ୟବାସୀଙ୍କୁ ଆମର ସମଧ୍ୱନି ପରିବାର ତରଫରୁ ବିନମ୍ର ଅନୁରୋଧ।

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ