ଆନ୍ଧ୍ର-ଓଡ଼ିଶା ସଂସ୍କୃତିର ମିଳନ ବିନ୍ଦୁରେ: ବେଜୁନାଚ

ଦକ୍ଷିଣ ଓଡ଼ିଶାର ପ୍ରଦର୍ଶନ କଳାର ଅନନ୍ୟ ରୂପ

ଦେବାଶିଷ ମହାପାତ୍ର
70 Views
13 Min Read

କେଉଁ ଆବହମାନ କାଳରୁ ଉତ୍କଳ ପ୍ରଦେଶ ନିଜର ଭାଷା, ସଂସ୍କୃତି ଓ ପରମ୍ପରା ନିମନ୍ତେ ସମଗ୍ର ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିଛି। ପ୍ରାଚୀନ କାଳରେ ଏହି ପ୍ରଦେଶ ଉଡ୍ରଦେଶ, କଳିଙ୍ଗ ଓ ଉତ୍କଳ ନାମରେ ପରିଚିତ ଥିଲା। ସହସ୍ରାଧିକ ସମୟବ୍ୟାପୀ ଏହି ସଭ୍ୟତା ନିଜର, ଏକ ସ୍ୱତନ୍ତ୍ର ସଂସ୍କୃତି ପ୍ରତିଷ୍ଠା କରିବା ଦିଗରେ ସଫଳ ହୋଇଛି। ଏହି ଦୃଷ୍ଟିରୁ ଅନେକ ସଂସ୍କୃତି ଆଲୋଚକମାନେ ଏହି ପ୍ରଦେଶର ସଂସ୍କୃତିକୁ ଖୁବ୍ ପ୍ରାଚୀନ ବୋଲି ସ୍ୱୀକାର କରିବା ସହ ‘ଉତ୍କଳୀୟ ସଂସ୍କୃତି’ କିମ୍ବା ‘ଓଡ଼ିଶୀ ସଂସ୍କୃତି’ ଭାବେ ନାମିତ କରିବା ନିମନ୍ତେ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ଏହି ଉତ୍କଳୀୟ ସଂସ୍କୃତିର ପରିସର ଯେତେ ପରିମାଣରେ ବ୍ୟାପକ ଅନୁରୂପ ଭାବେ ଏହାର ଅଙ୍ଗସୌଷ୍ଠବ ମଧ୍ୟ ସେତିକି ବୈଚିତ୍ର‌୍ୟ ଓ ଚିତ୍ତାକର୍ଷକ। ତେବେ ଏକ ଲକ୍ଷ ପଞ୍ଚାବନ ହଜାର ସାତଶହ ସାତ କିଲୋମିଟର କ୍ଷେତ୍ର ପରିବ୍ୟାପ୍ତ ଏହି ପ୍ରଦେଶ ମଧ୍ୟରେ ଅଞ୍ଚଳ ଓ ସ୍ଥାନ ବିଶେଷରେ ବିଭିନ୍ନ ପ୍ରକାର ସଂସ୍କୃତି ପ୍ରଚଳନ ଥିବା ଲକ୍ଷ୍ୟ କରାଯାଏ। ଏହି ପ୍ରେକ୍ଷାପଟ୍ଟରେ ଓଡ଼ିଶାର ଦକ୍ଷିଣାଞ୍ଚଳର ସଂସ୍କୃତି, ପରମ୍ପରା, ଲୋକାଚାର ଓଡ଼ିଶାର ଅନ୍ୟ ଅଞ୍ଚଳ ତୁଳନାରେ କିଛି ଭିନ୍ନତା ଦୃଷ୍ଟିଗୋଚର ହୁଏ। ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ରହିଥିବା ଜିଲ୍ଲାଗୁଡ଼ିକୁ ଯଦି ବିଚାରକୁ ନିଆଯାଏ, ତେବେ ଏହାର ପଡ଼ୋଶୀ ଭାବେ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଇତ୍ୟାଦି ରାଜ୍ୟର ସଂସ୍କୃତି ଓ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇଥିବା ଦେଖିବାବୁ ମିଳେ। ଦକ୍ଷିଣ ଓଡ଼ିଶାର ପ୍ରଦର୍ଶନ କଳା ସମ୍ପର୍କରେ ଆଲୋଚନା କରିବା ସମୟରେ ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ, ଐତିହାସିକ ଓ ଭୌଗୋଳିକ ଅବସ୍ଥିତି ସମ୍ବନ୍ଧରେ ଧାରଣା ରହିବା ଅପରିହାର୍ଯ୍ୟ।

Support Samadhwani

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭାଷାରେ ସଂସ୍କୃତି କହିଲେ ଗୋଟିଏ ଜାତିର ଚାହାଣୀ, ଚଳଣି ଓ ଚମକକୁ ବୁଝାଏ। ସଂସ୍କୃତିର ପରିସର ଖୁବ୍ ବ୍ୟାପକ। ତଥାପି ସାଧାରଣ ଭାବରେ ଗୋଟିଏ ଜାତିର ଦୈନନ୍ଦିନ ସାଧାରଣ କାର୍ଯ୍ୟଧାରା ମଧ୍ୟରେ ଯେଉଁ ସବୁ ଆଚରଣ ଓ ବ୍ୟବହାର୍ଯ୍ୟ ଉପକରଣ ସଂଶ୍ଲିଷ୍ଟ ରହିଥାଏ, ସେହି ସମସ୍ତ ବିଷୟ ଓ ବସ୍ତୁକୁ ସଂସ୍କୃତିର ପର୍ଯ୍ୟାୟଭୁକ୍ତ କରାଯାଇଥାଏ। ଲୋକଙ୍କ ଦୈନନ୍ଦିନ ଜୀବନ ଧାରା ମଧ୍ୟରେ ଅବସର ବିନୋଦନ ବା ମନୋରଞ୍ଜନ ଏକ ପ୍ରମୁଖ ଉପାଦାନ ଭାବେ ଉଭା ହୋଇଥାଏ। ତେଣୁ ସାଧାରଣ ଲୋକ କଳା ମାଧ୍ୟମରେ ହିଁ ନିଜର ଅବସର ବିନୋଦନ କରନ୍ତି। ଏହି ଦୃଷ୍ଟିରୁ ବିଚାର କଲେ କଳା ମଧ୍ୟ ସଂସ୍କୃତିର ଏକ ଅଙ୍ଗ। କଳା ଶବ୍ଦର ଅର୍ଥ, ସଂଜ୍ଞା ଓ ପରିସର ଖୁବ୍ ବ୍ୟାପକ। ଏପରିକି ଅନେକ ଲୋକତତ୍ତ୍ୱବିତ୍ ଲୋକ ସାହିତ୍ୟକୁ ‘ଲୋକ କଳା’ର ମାନ୍ୟତା ପ୍ରଦାନ କରିଛନ୍ତି। ଏହି କାରଣରୁ ‘କଳା’ର ପ୍ରକାର ଭେଦ ନିରୂପଣ କରିବା ଏକ କଷ୍ଟସାଧ୍ୟ ବ୍ୟାପାର।

‘ଲୋକକଳା’ର ଏକ ଶ୍ରେଷ୍ଠ ଦିଗ ଭାବରେ ପ୍ରଦର୍ଶନ କଳାକୁ ବିଚାର କରାଯାଇପାରେ। ସମଗ୍ର ଓଡ଼ିଶା ମଧ୍ୟରେ ଦକ୍ଷିଣ ଓଡ଼ିଶା ସଂସ୍କୃତି, କଳା ଓ ସାହିତ୍ୟ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି; ଏହା ଅନସ୍ୱୀକାର୍ଯ୍ୟ। ସମଗ୍ର ଓଡ଼ିଶାରେ ଥିବା ଅନେକ ପ୍ରଦର୍ଶନ କଳା ମଧ୍ୟରୁ ଅର୍ଦ୍ଧାଧିକ ଭାଗ ଦକ୍ଷିଣ ଓଡ଼ିଶାରେ ଅନ୍ତର୍ଭୁକ୍ତ ଥିବା ଗଞ୍ଜାମ ଜିଲ୍ଲାରେ ପ୍ରଚଳନ ଥିବା ଲକ୍ଷ୍ୟ କରାଯାଏ। ସେହିପରି ଗଞ୍ଜାମ ଜିଲ୍ଲାର ପାଶ୍ୱର୍ରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ପ୍ରାଚୁର୍ଯ୍ୟ ମଧ୍ୟରେ ମହିମାମଣ୍ଡିତ। ଏହି ପରିପ୍ରେକ୍ଷୀରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଅନ୍ତର୍ଭୁକ୍ତ ଗଜପତି ଓ ଅବିଭକ୍ତ କୋରାପୁଟ ଜିଲ୍ଳାର ଅନ୍ତର୍ଭୁକ୍ତ ଥିବା ରାୟଗଡ଼ା ଜିଲ୍ଲାର ଏକ ଲୋକପ୍ରିୟ ପ୍ରଦର୍ଶନ କଳା ‘ବେଜୁନାଚ’ ଉପରେ ଆଲୋଚନା କରାଯାଇପାରେ। ଆର୍ଯ୍ୟ-ଅନାର୍ଯ୍ୟ ସଂସ୍କୃତିର ମିଳନ ସ୍ଥଳ ଭାବରେ ଉଭୟ ରାୟଗଡ଼ା ଓ ଗଜପତି ଜିଲ୍ଲା ଓଡ଼ିଶାବାସୀଙ୍କ ନିକଟରେ ଖୁବ୍ ପରିଚିତ। ଏହି ଦୁଇ ଜିଲ୍ଲାରେ ଉଭୟ, ଆଦିବାସୀ ଓ ଅଣଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସକରୁଥିଲେ ହେଁ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ରହିଥିବା ଯୋଗୁଁ ତେଲୁଗୁ ଭାଷାଭାଷୀ ଲୋକସଂଖ୍ୟା ମଧ୍ୟ କମ୍ ନୁହେଁ। ତେଣୁ ଏହି ଅଞ୍ଚଳରେ ଆଦିବାସୀ ଅଣ ଆଦିବାସୀ ସହ ତୈଲଙ୍ଗୀ ସଂସ୍କୃତିର ପ୍ରତିଫଳନ ଘଟି ଏକ ତ୍ରିବେଣୀ ସଙ୍ଗମ ସଦୃଶ ଏକ ମିଶ୍ର ସଂସ୍କୃତି ପ୍ରଚଳନ ଥିବା ଦେଖାଯାଏ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଳନ କରାଯାଉଥିବା ‘ଠାକୁରାଣୀ ପରବ’ ଓ ‘ବେଜୁନାଚ’ ଏହି ପର୍ଯ୍ୟାୟର ଗୋଟିଏ ସମୁଜ୍ଜ୍ୱଳ ଉଦାହରଣ। ପ୍ରଥମେ ଠାକୁରାଣୀ ପରବ ଓ ପରବର୍ତ୍ତୀ ସମୟରେ ଏହି ପରବ ସହ ଅନ୍ତର୍ଭୁକ୍ତ ଥିବା ‘ବେଜୁ ନାଚ’ ଓ ‘ଗୟଳ ନାଚ’ ସମ୍ପର୍କରେ ଆଲୋଚନା କରାଯିବା ଯଥାର୍ଥ ମନେହୁଏ।

ଠାକୁରାଣୀ ପରବ: ପ୍ରଦର୍ଶନ କଳାର ପ୍ରୟୋଗଶାଳା

ଓଡ଼ିଶାର ରାୟଗଡ଼ା, ଗଜପତି ଓ ଆନ୍ଧ୍ରପ୍ରଦେଶ ଅନ୍ତର୍ଭୁକ୍ତ ଚିକାକୋଲ ବା ଶ୍ରୀକାକୁଲମ୍ ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚୈତ୍ର ମାସ ଠାରୁ ଆରମ୍ଭ କରି ଜ୍ୟେଷ୍ଠ ମାସ ପର୍ଯ୍ୟନ୍ତ ଅର୍ଥାତ୍ ତିନିମାସ ମଧ୍ୟରେ ଠାକୁରାଣୀ ପରବ ପାଳନ କରାଯାଏ। ସାଧାରଣତଃ ଗୋଟିଏ ଦିନ, ତିନି ଦିନ କିମ୍ବା ପାଞ୍ଚଦିନ ଏହି ପର୍ବ ଭାରି ଆଡ଼ମ୍ବର ଓ ଉତ୍ସବ ମୁଖର ଭାବେ ବିଭିନ୍ନ ସ୍ଥାନରେ ପାଳିତ ହୁଏ। ଉପରୋଲ୍ଲିଖିତ ଜିଲ୍ଲାଗୁଡ଼ିକର ବିଭିନ୍ନ ଗ୍ରାମରେ ବା ସହରରେ ବସବାସ କରୁଥିବା ତେଲୁଗୁ, ଓଡ଼ିଆ ଓ ଆଦିବାସୀ ଲୋକମାନେ ଏହି ପରବରେ ନିଜକୁ ଅନ୍ତର୍ଭୁକ୍ତ କରିଥାନ୍ତି। ଜାତି ଓ ବର୍ଣ୍ଣଠାରୁ ଊର୍ଦ୍ଧ୍ୱରେ ରହି ସାଧାରଣ ଲୋକମାନେ ଏହି ଠାକୁରାଣୀ ପରବ ମାଧ୍ୟମରେ ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କୁ କିଛି ଦିନ ପାଇଁ ଏକ ଘଟ ମଧ୍ୟରେ ଗ୍ରାମକୁ ନିମନ୍ତ୍ରଣ କରି ଆଣିଥାନ୍ତି। ଅଞ୍ଚଳରେ ପ୍ରଚଳିତ ଲୋକବିଶ୍ୱାସ ଅନୁସାରେ ପ୍ରତିବର୍ଷରେ କିମ୍ବା ତିନିବର୍ଷରେ ନତୁବା ପାଞ୍ଚବର୍ଷରେ ଥରେ ଗାଁ ଶେଷ କିମ୍ବା ଆରମ୍ଭରେ ରହିଥିବା ମନ୍ଦିରରୁ ପୂଜାରୀ ଓ ବେଜୁ ମାଧ୍ୟମରେ ଗ୍ରାମଦେବୀଙ୍କୁ ଗାଁ ମଧ୍ୟକୁ ନିମନ୍ତ୍ରଣ ବା ଆବାହନ କରି ଆଣି ଗୋଟିଏ ଦିନ, ଅଥବା ତିନିଦିନ କିମ୍ବା ପାଞ୍ଚଦିନ ନତୁବା ନ’ଦିନ ଧରି ପୂଜା କରିବା ଏହାର ବିଧି। ଏପରି ପରବ ଅନୁଷ୍ଠିତ ହେବା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସହ ଗ୍ରାମଦେବତୀ ଗ୍ରାମବାସୀଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଗାଁକୁ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଓ କୁଶକ୍ତି ପ୍ରଭାବରୁ ମୁକ୍ତ ରଖି ସୁରକ୍ଷା ପ୍ରଦାନ କରେ ବୋଲି ସମସ୍ତଙ୍କ ବିଶ୍ୱାସ। ସାଧାରଣତଃ ବିଚାର କଲେ ଦେଖାଯାଏ, ପ୍ରାଚୀନ ଉତ୍କଳରେ ହେଉଥିବା ଶକ୍ତି ଉପାସନାର ଏକ ଦୃଷ୍ଟାନ୍ତ ହେଉଛି ଏହି ପରବ। ଏହି ଉତ୍ସବରେ ଦେବୀ ପୂଜା ସହ ଗ୍ରାମାଞ୍ଚଳରେ ବିଶେଷତଃ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥାଏ। ମାନସିକଧାରୀ ବ୍ୟକ୍ତିମାନେ ବିଭିନ୍ନ ବେଶ ଧାରଣା କରି ଅଭିନୟ ଓ ନୃତ୍ୟ ପରିବେଷଣ କରିଥାନ୍ତି। ଗ୍ରାମର ଯେଉଁ ବ୍ୟକ୍ତିଙ୍କ ଗୃହ ମଧ୍ୟରେ ଗ୍ରାମଦେବତୀ ବିଜେ ହୋଇଥାନ୍ତି, ସେଠାରେ ପ୍ରତ୍ୟେକ ଦିନ ତିନିଥର ପୂଜାର୍ଚ୍ଚନା ହେବା ସହ ବେଜୁନାଚ ମଧ୍ୟ ତିନିଥର ପରିବେଷଣ ହୋଇଥାଏ। ଏପରିକି ମାନସିକଧାରୀ ନାଟ୍ୟ ବ୍ୟକ୍ତିଗଣ ଗାଁର ସମସ୍ତ ସାହି ବା ପଡ଼ାରେ ଅଭିନୟ ଓ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ସମୟରେ ଅନେକ ସୁଆଙ୍ଗ, ଫାର୍ସ, ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଏ। ତେଣୁ ଠାକୁରାଣୀ ପରବକୁ ଗ୍ରାମାଞ୍ଚଳୀୟ ପ୍ରଦର୍ଶନ କଳାର ଏକ ପ୍ରୟୋଗଶାଳା ବୋଲି ମଧ୍ୟ କୁହାଯାଇପାରେ।

Support Samadhwani

 ବେଜୁନାଚ:

ଦକ୍ଷିଣ-ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅନେକ ଆଦିବାସୀ, ଅଣଆଦିବାସୀ ଏବଂ ବହୁ ସଂଖ୍ୟକ ତେଲୁଗୁ ଭାଷାଭାଷୀ ଗ୍ରାମରେ ପରବ ଉତ୍ସବ ସମୟରେ ବେଜୁନାଚ ପରିବେଷଣ ହୋଇଥାଏ। ଗ୍ରାମଦେବତୀଙ୍କ ପୂଜକମାନେ ହିଁ ଏହି ନାଚ କରିଥାନ୍ତି। ଏହି ନୃତ୍ୟ ଜାଣିଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ‘ବେଜୁ’ ବୋଲି ସମ୍ବୋଧନ କରାଯାଏ। ଚଳନ୍ତି ଓଡ଼ିଆ ଅଭିଧାନରେ ‘ବେଜୁ’ ଶବ୍ଦର ଅର୍ଥ ହେଉଛି ‘ତନ୍ତ୍ର ସାଧକ’, ‘ଗୁଣିଆ’ ଓ ‘ନପୁଂସକ’। ଠାକୁରାଣୀ ପର୍ବରେ ମଧ୍ୟ ‘ବେଜୁ’ ନାମଧାରୀ ଯେଉଁ ବ୍ୟକ୍ତି ରହିଥାନ୍ତି, ସେମାନେ ଝଡ଼ାଫୁଙ୍କା କରିବା ସହ ନୃତ୍ୟ ସମୟରେ ନାରୀ ରୂପ ଧାରଣ କରିଥାନ୍ତି । ବେଜୁ ନାଚ କରିବା ସମୟରେ ଲୋକଙ୍କ ବିଶ୍ୱାସ ତାଙ୍କ ଶରୀରରେ ଠାକୁରାଣୀ ସ୍ୱୟଂ ବିଜେ କରିଥାନ୍ତି। ତେଣୁ ଏହି ବେଜୁ ବେଶ ଧାରଣା କରିବା ସମୟରେ ଠାକୁରାଣୀ ସେବାୟତମାନଙ୍କୁ ଲୋକମାନେ ନିଜର ହାରି-ଗୁହାରୀ ଜଣାଇଥାନ୍ତି। ଯେତେଦିନ ଗ୍ରାମକୁ ଦେବୀଙ୍କୁ ଅଣାଯାଇ ପ୍ରତିଦିନ ସନ୍ଧ୍ୟାରେ ବାଦ୍ୟବାଜଣା ସହ ନାଚିନାଚି ସମଗ୍ର ଗ୍ରାମ ଭ୍ରମଣ କରିଥାନ୍ତି। ଗାଁର ପ୍ରତିଘର ଲୋକେ ଦୀପ, ଧୂପ, ଓ ଦାଣ୍ଡରେ କୁମ୍ଭ ରଖି ନିଜ ଘର ଦାଣ୍ଡକୁ ବେଜୁ ରୂପଧାରୀ ମା’ଙ୍କୁ ନିମନ୍ତ୍ରଣ କରି ପଦ ଧୌତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏହି ମାଧ୍ୟମରେ ଦେବୀଙ୍କୁ ସନ୍ତୁଷ୍ଟ କଲେ ନିଜର ମନସ୍କାମନା ପୂରଣ ହୋଇଥାଏ ବୋଲି ଏହି ଅଞ୍ଚଳର ପ୍ରତ୍ୟେକ ଜାତି ଲୋକଙ୍କ ବିଶ୍ୱାସ ରହିଛି। ଏହି କାରଣରୁ ବେଜୁ ନାଚ ଓ ପରବ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ଏହି ବେଜୁ ନାଟୁଆ ଭାବେ ସାଧାରଣତଃ ପାଇକ ଜାତିର ଲୋକମାନେ ଅଧିକ ସଂଖ୍ୟକ ରହିଥିବା ସମୟରେ ସ୍ଥାନ ବିଶେଷରେ ବ୍ରାହ୍ମଣ, ଶବର, କନ୍ଧ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ବୃତ୍ତି କରୁଥିବା ଦୃଷ୍ଟାନ୍ତ ରହିଛି। ତେବେ ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ତିନି ପ୍ରକାର ବେଜୁ ନାଚ ପ୍ରଚଳନ ଥିବା ଦେଖାଯାଏ। ଯଥା-

୧. ଓଡ଼ିଆ ବେଜୁ ନାଚ

                ୨. ତେଲୁଗୁ ବେଜୁ ନାଚ

                ୩. ପାଟ୍ଟ ବେଜୁ ନାଚ

ଓଡ଼ିଆ ବେଜୁ ନାଚ:

ଓଡ଼ିଆ ସମ୍ପ୍ରଦାୟରୁ କୌଣସି ବ୍ୟକ୍ତି ଯଦି ଗ୍ରାମଦେବୀ ପୂଜକ, ତନ୍ତ୍ର ସାଧକ ବେଜୁ ନାଟୁଆ ବୃତ୍ତିକୁ ଆପଣେଇଥାନ୍ତି; ସେମାନଙ୍କୁ ଓଡ଼ିଆ ବେଜୁ ବୋଲି କହିଥାନ୍ତି। ଓଡ଼ିଆ ବେଜୁମାନେ ସାତ ପ୍ରକାର ଭଙ୍ଗୀରେ ନୃତ୍ୟ କରୁଥିବା ଲକ୍ଷ୍ୟ କରାଯାଏ। ଅର୍ଥାତ୍ ୭ଟି ଆରାଧ୍ୟ ଦେବୀ ଭାବେ ବିଭିନ୍ନ ସମୟରେ ବିଭିନ୍ନ ଅସ୍ତ୍ରଶସ୍ତ୍ରାଦି ଉପକରଣ ଧରି ନୃତ୍ୟ କରିଥାନ୍ତି। ଠାକୁରାଣୀ ପରବ ସମୟରେ ନାରୀ ବେଶ ଧାରଣ କରି ସାଧାରଣତଃ କଳା ରଙ୍ଗର ଶାଢ଼ୀ ପରିଧାନ ପୂର୍ବକ ପାଦରେ ଅଳତା ଓ ଘୁଙ୍ଗୁର ସହ କଟୀରେ କମର ପଟ୍ଟା ବାନ୍ଧି ଏବଂ ଗଳାରେ ବିଭିନ୍ନ ହାର ଓ ମସ୍ତକରେ କୀରଟ ଧାରଣା କରିଥାନ୍ତି। ଏହି ବେଜୁମାନେ ନାଚ କରିବା ସମୟ ସାତ ପ୍ରକାର ଦେବୀ ଏମାନଙ୍କ ଶରୀର ମଧ୍ୟରେ ବିଜେ ହୁଅନ୍ତି ବୋଲି ମତବ୍ୟକ୍ତ କରନ୍ତି। ଏମାନେ ନାଚ କରିବା ସମୟରେ ଢାମ୍ପ, ତୁଡୁମ୍ ଓ ମହୁରୀ ଆଦି ବାଦ୍ୟ ବାଜୁଥାଏ। ବାଦ୍ୟର ତାଳେତାଳେ ବିଭିନ୍ନ ଉପକରଣ ହସ୍ତରେ ଧାରଣ କରି ନାଚ ପରିବେଷଣ ହୁଏ। କେଉଁ ନୃତ୍ୟ ଭଙ୍ଗୀ ସମୟରେ ବେଜୁଙ୍କ ଶରୀର ମଧ୍ୟରେ କେଉଁ ଦେବୀ ଆବିର୍ଭୂତ ହୁଅନ୍ତି ଏବଂ ସେହି ସମୟରେ କେଉଁ ଅସ୍ତ୍ର ବା ଉପକରଣ ଧାରଣ କରି ନାଚ କରିଥାନ୍ତି ତାହା ନିମ୍ନରେ ଉଲ୍ଲେଖ କରାଗଲା।

ନୃତ୍ୟ      ଦେବୀ     ଧାରଣ କରିବା ଅସ୍ତ୍ର/ଉପକରଣ

୧ମ ନୃତ୍ୟ କାଳୀକା                    ଦର୍ପଣ ଓ ଛୁରୀ

୨ୟ ନୃତ୍ୟ ଠାକୁରାଣୀ             ଖଣ୍ଡା ଓ ଛୁରୀ

୩ୟ ନୃତ୍ୟ ମାଣିକେଶ୍ୱରୀ         ଛୁରୀ

ନୃତ୍ୟ      ଦେବୀ     ଧାରଣ କରିବା ଅସ୍ତ୍ର/ଉପକରଣ

୪ର୍ଥ ନୃତ୍ୟ ବୁଢ଼ୀ ଠାକୁରାଣୀ / ବନ ଦୁର୍ଗା   ବୁରିଙ୍ଗୀ/ କୁଞ୍ଚା ଛୋଟ ଗୁଲି

୫ମ ନୃତ୍ୟ ବ୍ରାହ୍ମଣୀ ଦେବୀ       ତଲାରୀ, ଝାମ୍ପି, ବାଡ଼ି, କାଉଡ଼ି

୬ଷ୍ଠ ନୃତ୍ୟ ମାଳିଆ ସଉରୁଣୀ    ଟାଙ୍ଗିଆ, ଧନୁ

୭ମ ନୃତ୍ୟ ଦୁର୍ଗା       ଧନୁ, ଫାର୍ସା

ଓଡ଼ିଆ ବେଜୁ ନାଚକୁ ନିରୀକ୍ଷଣ କଲେ ଜଣାପଡ଼େ, ଏହା ଏକ ବାଦ୍ୟ ପ୍ରଧାନ ନାଚ। ଓଡ଼ିଆ ଓ ଆଦିବାସୀମାନଙ୍କ ଦିନଚର୍ଯ୍ୟା ଏହି ନାଚରୁ ଉପଲବ୍‌ଧ କରିହୁଏ। ବନଦୁର୍ଗା ବେଶରେ ନାଚିବା ସମୟରେ ବୁରିଙ୍ଗି ଏବଂ ଛୋଟ ଗୁଲି (ଝୁଡ଼ି) ଧରି ନୃତ୍ୟ କରିବା ଏବଂ ବନରେ କନ୍ଦା ଖୋଳିବା ଭଳି ପ୍ରଦର୍ଶନ କରାଇବା ମଧ୍ୟରେ ଆମ ସାଧାରଣ ଗିରିଜନଙ୍କ ଦିନଚର୍ଯ୍ୟା ପ୍ରତିଫଳିତ। ସେହିପରି ‘ବ୍ରାହ୍ମଣୀଦେବୀ’ ଗୌଡ଼ମାନଙ୍କ ଦେବତା। ତେଣୁ ସେ ତଲାରୀ (ତାଳପତ୍ର ଝାମ୍ପି), ବାଡ଼ି, କାଉଡ଼ି(ଭାର) ଧାରଣ କରିବା ସାଧାରଣ ଗୌଡ଼ ଜାତିର ଦିନଚର୍ଯ୍ୟା ମଧ୍ୟରେ ବ୍ୟବହୃତ ବସ୍ତୁ ଧାରଣ କରିଥାନ୍ତି।

ତେଲୁଗୁ ବେଜୁ ନାଚ:

ଯେଉଁ ତେଲୁଗୁ ଜାତିର ଲୋକମାନେ ପରବ ସମୟରେ ବେଜୁ ନାଚ ଏବଂ ଦେବୀ ପୂଜକ ବୃତ୍ତିକୁ ଆପଣେଇ ନିଅନ୍ତି। ସେମାନେ ତେଲୁଗୁ ବେଜୁ ଭାବେ ପରିଚିତ। ଏହି ତେଲୁଗୁ ବେଜୁନାଚ ଓଡ଼ିଆ ବେଜୁନାଚ ଠାରୁ ଭିନ୍ନ ନହେଲେ ମଧ୍ୟ ନାଚର ସମସ୍ତ ବିଧି ସମାନ ନୁହେଁ। ତେଲୁଗୁ ବେଜୁ ଭାବେ ‘ବ୍ରାହ୍ମଣ’, ‘କନ୍ଧ’ ଓ ‘ପାଇକ’ ଜାତିର ଲୋକେ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ, ‘ହରିଜନ’ ବା ‘ଡମ୍ବ’ ଲୋକମାନଙ୍କୁ ମାତ୍ରାଧିକ ପରିମାଣରେ ବେଜୁ ନାଟୁଆ ଭାବେ ବର୍ତ୍ତମାନ ଦେଖାଯାନ୍ତି । କାଣ୍ଡାକୁଟି ଗ୍ରାମର ଶରତ ପୂଝାରୀ (ବେଜୁ)ଙ୍କ କହିବା ଅନୁସାରେ “ପ୍ରଥମେ ଦେବୀ ପୂଜକ ଭାବେ ପାଇକ ଜାତିର ପ୍ରାଧାନ୍ୟ ରହିଥିଲା। ତେଣୁ କେବଳ ପାଇକମାନେ ହିଁ ବେଜୁ ନାଚ କରୁଥିଲେ। ପରବର୍ତ୍ତୀ ସମୟରେ ଆଦିବାସୀମାନେ କେତେକ ଦେବୀ ମନ୍ଦିରର ପୂଜକ ହେବା ଯୋଗୁଁ ସେମାନେ ମଧ୍ୟ ବେଜୁନାଚ ଶିଖିବା ଆରମ୍ଭ କଲେ। ପରିଶେଷରେ ବେଜୁନାଚ ଏକ ବାଦ୍ୟଭିତ୍ତିକ ନାଚ ହୋଇଥିବା କାରଣରୁ ଆମ ଅଞ୍ଚଳରେ ବାଦକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ‘ଡମ୍ବ’ ସମ୍ପ୍ରଦାୟ ମଧ୍ୟ ବେଜୁ ନାଚ ସମୟରେ ବାଜା ବଜାଇ ବଜାଇ ବେଜୁ ନାଟୁଆରେ ରୂପାନ୍ତରିତ ହେଲେ।” ଓଡ଼ିଆ ବେଜୁଠାରୁ ତେଲୁଗୁ ବେଜୁର ରୂପ ଓ ବେଶ ମଧ୍ୟ ଭିନ୍ନ। ଦକ୍ଷିଣ ଭାରତରେ ବିବାହିତ ନାରୀମାନେ ଯେପରି ସାଜସଜ୍ଜା ହୁଅନ୍ତି ତେଲୁଗୁ ବେଜୁମାନଙ୍କ ସେପରି ବେଶ ହୋଇଥାଏ। ତେଲୁଗୁ ବେଜୁମାନେ ସାଧାରଣତଃ ନାଲୀ ଶାଢ଼ି ପରିଧାନ କରିବା ସହ ସମଗ୍ର ଅଙ୍ଗରେ ଫୁଲ ଓ ଫୁଲମାଳ ଅଧିକ ବ୍ୟବହାର କରନ୍ତି।

ଏପରିକି ମସ୍ତକ, କଟୀ ଓ ପାଦରେ ମଧ୍ୟ ସେମାନେ ଫୁଲ ହିଁ ପରିଧାନ କରିଥାନ୍ତି। ଓଡ଼ିଆ ବେଜୁ ନାଚର ସାତ ପ୍ରକାର ନାଚ ଦେଖାଯିବା ସମୟରେ, ତେଲୁଗୁ ବେଜୁ ନାଚରେ ୭୭ପ୍ରକାର ଦେବୀଙ୍କ ନୃତ୍ୟ ପ୍ରଦର୍ଶନ କରାଯାଏ। ଏହି ସମସ୍ତ ଦେବୀ ତେଲୁଗୁ ସମାଜର ଗୋଟିଏ ଗୋଟିଏ ଜାତିର ଆରାଧ୍ୟ ଦେବୀ ଭାବେ ପରିଚିତ। ସେମାନଙ୍କ ମଧ୍ୟରୁ କେତୋଟି ଉଦାହରଣ ହେଉଛି ଗୌଡ଼ ଜାତିରେ ‘ସର୍ବମଙ୍ଗଳା’, ରେଲୀ ଜାତିରେ ‘ବାଙ୍କସାରୀ’ ବା ‘ଫୁଲଝରା’, ହରିଜନ ଜାତିରେ ‘ସାତଭଉଣୀ’, ଶବର ଜାତିରେ ‘ବନଦୁର୍ଗା’, ତେଲି ଜାତିରେ ‘ମାଣିକେଶ୍ୱରୀ’, କନ୍ଧଜାତିରେ ‘ଝିଙ୍କାରୀ’ ଆଦି ପ୍ରମୁଖ। ଏହିପରି ସମସ୍ତ ୭୭ଟି ଜାତିର ଅଧିଷ୍ଠାତ୍ରୀ ଦେବୀଙ୍କ ନାମ ଉଲ୍ଲେଖ କରାଯାଇପାରେ। ତେଲୁଗୁ ପର୍ବରେ ଶୁକ୍ରବାର ଦିନ ମା’ଗ୍ରାମ ଦେବତୀଙ୍କୁ ଗ୍ରାମକୁ ଅଣାଯାଏ ଏବଂ ଗୋଟିଏ ଦିନ କିମ୍ବା ତିନି ଦିନ କିମ୍ବା ୫ଦିନ ନତୁବା ୯ଦିନ ରଖାଯାଇଥାଏ। ଓଡ଼ିଆ ବେଜୁମାନେ ଠାକୁରାଣୀ ପରବ ବିସର୍ଜନ ଦିନ ନିଜେ ପଦଚାଳନା କରି ନଗର ପରିଭ୍ରମଣ କରୁଥିବା ସମୟରେ ତେଲୁଗୁ ବେଜୁମାନେ ଛେଳି ଉପରେ ବସି ନଗର ପରିଭ୍ରମଣ କରୁଥିବା ଦେଖିବାକୁ ମିଳେ। ଆନ୍ଧ୍ରପ୍ରଦେଶର ‘ଗୁମ୍ମା ଲକ୍ଷ୍ମୀପୁର’, ‘ଏଙ୍ଗଲଡ଼ା’, ‘ବାତ୍ତିଲି’, ‘କାଠଗାଡ଼ା’, ‘ଗୁରାଣ୍ଡି’, ‘କତୁରୁ’, ‘ପାର୍ବତୀପୁରମ୍‌’ ଆଦି ସ୍ଥାନରେ ଉଭୟ ଓଡ଼ିଆ ବେଜୁ ନାଚ ଓ ତେଲୁଗୁ ବେଜୁ ନାଚ ପ୍ରଦର୍ଶନ ହୋଇଥାଏ।

ପାଟ୍ଟ ବେଜୁନାଚ:

‘ପାଟ୍ଟ ବେଜୁ ନାଚ’କୁ ସାଧାରଣତଃ କ୍ଷୁଦ୍ର ବେଜୁନାଚ ବୋଲି କୁହାଯାଏ। ଏହି ନାଚରେ ବିଶେଷତଃ କିନ୍ନର ମାନେ ନିଜ ସୁବିଧା ଅନୁଯାୟୀ ନାଚ କରିଥାନ୍ତି। କୌଣସି ମାନସିକଧାରୀ ବ୍ୟକ୍ତି ଯଦି ନିଜ ଖର୍ଚ୍ଚରେ ସ୍ୱଗୃହରେ ଠାକୁରାଣୀ ପର୍ବ ଅନୁଷ୍ଠିତ କରେ, ତେବେ ସେ ବ୍ୟୟବହୁଳକୁ ଦୃଷ୍ଟିରେ ରଖି ପାଟ୍ଟ ବେଜୁଙ୍କୁ କମ୍ ଅର୍ଥ ଦେଇ ଆମନ୍ତ୍ରଣ କରିଥାଏ। କାରଣ ଓଡ଼ିଆ ବେଜୁ ଓ ତେଲୁଗୁ ବେଜୁ ଦୈନିକ ପାରିଶ୍ରମିକ ବା ଦକ୍ଷିଣା ଭାବେ ପାଞ୍ଚରୁ ଦଶହଜାର ଟଙ୍କା ନେଇଥାନ୍ତି। ଏହି ପାଟ୍ଟବେଜୁ ମଧ୍ୟ ଉଭୟ ଓଡ଼ିଶୀ ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରେ ଦେଖାଯାନ୍ତି। ଓଡ଼ିଶାର ଗୁଣପୁର ସହରରେ ବହୁସଂଖ୍ୟକ କିନ୍ନର ଜୀବିକା ନିର୍ବାହ ନିମନ୍ତେ ପାଟ୍ଟବେଜୁ ବୃତ୍ତିକୁ ଆପଣାଇଥିବା ଦେଖିବାକୁ ମିଳେ ।

ଠାକୁରାଣୀ ପରବରେ ଗୟଳ ନାଚର ଭୂମିକା:

ଠାକୁରାଣୀ ପରବ ବିସର୍ଜନ ଦିବସ ବା ଶେଷ ଦିବସର ପୂର୍ବଦିନ ବିଳମ୍ବିତ ରାତ୍ରରେ ଗ୍ରାମର ଯେକୌଣସି ବ୍ୟକ୍ତି ଗୟଳ ବେଶ ଧାରଣ କରି ସମଗ୍ର ଗ୍ରାମରେ ପରିଭ୍ରମଣ କରିଥାନ୍ତି। ଏହି ଗୟଳ ବେଶଧାରୀ ବ୍ୟକ୍ତି ସମଗ୍ର ଶରୀରରେ ଲିମ୍ବ ଡାଳ ପରିଧାନ କରିବା ସହ ବାଉଁଶ ପାତିରେ ନିର୍ମିତ ଏକ ଗୟଳ ମୁଖା ଏବଂ ମୁଖାର ଦୁଇ ପାଶ୍ୱର୍ରେ ଦୁଇଟି ଲୌହ ଛଡ଼ରେ କପଡ଼ା ବାନ୍ଧି ଅଗ୍ନି ସଂଯୋଗ କରାଯାଇ ଗୟଳର ଶିଙ୍ଘ ଭାବେ ବାନ୍ଧି ଦିଆଯାଏ। ଏହିଭଳି ବେଶରେ ସେ ଗାଁର ସମସ୍ତ ସାହି ବା ପଡ଼ା ଭ୍ରମଣ କରିବା ସମୟରେ କିଶୋର ଓ ଯୁବକମାନେ ଦୁଇଟି ଲେଖାଏଁ ବାଡ଼ି ଧରି ତାକୁ ଘଉଡ଼େଇବା ଭଳି କରିବା ସମୟରେ ସେ ସମସ୍ତଙ୍କୁ ନିଜ ଅଗ୍ନି ସଂଯୋଗ ଶିଙ୍ଘ ଦ୍ୱାରା ଆକ୍ରମଣ କରିବାକୁ ଆସେ। ଏହି ପରମ୍ପରା ପଛରେ କୌଣସି ଧାର୍ମିକ କାରଣ ଥିବା ଭଳି ମନେହୁଏ ନାହିଁ। କିନ୍ତୁ ବଣ ଜଙ୍ଗଲ ପାହାଡ଼ ଘେରା ରାୟଗଡ଼, ଗଜପତି ଜିଲ୍ଲାରେ ବେଳେବେଳେ ବନ୍ୟ ଜନ୍ତୁ ଗ୍ରାମକୁ ଆସିଯାନ୍ତି। ବିଭିନ୍ନ ଉପାୟ ଅବଲମ୍ବନ କରି ସେହି ଜନ୍ତୁକୁ ଗ୍ରାମରୁ ବିତାଡ଼ିତ କରିବା ନିମନ୍ତେ ଗ୍ରାମବାସୀ ଉଦ୍ୟମ କରନ୍ତି। ତେଣୁ ଏହା ମଧ୍ୟ ଲୋକମାନଙ୍କ ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ଏକ ସମସ୍ୟା ଦୂରୀଭୂତ କରିବା ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାହାର ପ୍ରତିଫଳନ ମାତ୍ର।

ସାମଗ୍ରୀକ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ବିଭିନ୍ନ ପ୍ରଦର୍ଶନୀ କଳା ମଧ୍ୟରୁ ‘ବେଜୁନାଚ’ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହାର ଶୈଳୀ ସ୍ୱତନ୍ତ୍ର। ଏହି ଅଞ୍ଚଳର ଲୋକମାନଙ୍କ ପରମ୍ପରା, ସଂସ୍କୃତି, ଲୋକ ବିଶ୍ୱାସ, ଲୋକଧର୍ମ ଓ ଲୋକ କଳାକୁ ଏହି ନାଚ ଏକ ସୂତ୍ର ବାନ୍ଧି ରଖିଛି, ଏହା ନିଃସନ୍ଦେହରେ କୁହାଯାଇପାରେ।

Share This Article
ଗବେଷକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ