ଉତ୍କଳ ସଂସ୍ମୃତି ବିଶ୍ୱବିଦ୍ୟାଳୟ ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ

Swayamprava Parhi (Chief Editor)
9 Min Read

ଗତ ବର୍ଷ  ୨୦୧୮ ସେପ୍ଟେମ୍ବର ୧୪ ତାରିଖ ଦିନ ପ୍ରଥମ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ବିଲ୍ ବିଧାନ ସଭାରେ ଗୃହୀତ ହୋଇଯିବାର ପରେ, ଅକ୍ଟୋବର ୨୦ ତାରିଖ ଦିନ ସତ୍ୟବାଦୀଠାରେ ଐ୍ୟତିହାସିକ ବକୁଳ ବନବିଦ୍ୟାଳୟ ନିକଟରେ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଖୁବ ତରତରିଆ ଭାବରେ ଏହି ପ୍ରକଳ୍ପଟିର ପ୍ରତିଷ୍ଠା ପାଇଁ କାର୍ଯ୍ୟ ଚାଲିଛି । ଏହା ମନେ ପକାଇଦେଉଛି ଦୁଇ ଦଶନ୍ଧି ପୂର୍ବେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଇତିବୃତ୍ତି । ଏହାର ପ୍ରତିଷ୍ଠା କରି ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଗୀରିଧାରୀ ଗୋମାଙ୍ଗୋ କିଛି ନୂଆ ସ୍ୱପ୍ନକୁ ସାକାର କରିବାର ପ୍ରୟାସ କରିଥିଲେ ।

ପ୍ରତିଷ୍ଠାର ୨୦ ବର୍ଷ ପରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବେ ଭୁବନେଶ୍ୱର ଉପକଣ୍ଠ ମଦନପୁର ଗାଁରେ ତାର ନୂଆ କ୍ୟାମ୍ପସକୁ ଯାଇଛି । ଏହି ଅନୁଷ୍ଠାନଟି କେଉଁ ଅବସ୍ଥାରେ ପହଂଚିଛି, ୨୦ ବର୍ଷ ଭିତରେ ଏହାର ଶୈକ୍ଷିକ ବାତାବରଣରେ କେତେ ଉତ୍କର୍ଷତା ଆସିଛି, ସରକାର ଏହାର ଶୈକ୍ଷିକ ଆବଶ୍ୟକତାକୁ କେତେ ପୂରଣ କରିପାରିଛନ୍ତି ତାହା ଯେଉଁମାନେ ଅନୁଧ୍ୟାନ କରିଛନ୍ତି ସେମାନେ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦ୍ୱାରା ଖୁବ ଉତ୍ସାହିତ ହୁଅନ୍ତି ନାହିଁ । ସେମାନଙ୍କର ଆଶଙ୍କା ଯେ ଭାଷା ବିଶ୍ୱବିଦ୍ୟାଳୟର ଭାଗ୍ୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭଳି ହିଁ ହେବ ।

ତେବେ  ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ସେମାନଙ୍କୁ ନୀରବ କରାଇବ ବୋଲି ବିଶ୍ୱାସ କରାଯାଇପାରେ ଯେଉଁମାନେ ରାଜଧାନୀରେ ଧାରାବାହିକ ଭାବେ ଭାଷା ସୁରକ୍ଷାପାଇଁ ଦାବି କରି ଆସୁଛନ୍ତି । କିନ୍ତୁ ଆମ ରାଜ୍ୟର ଶିକ୍ଷିତ ବୁଦ୍ଧିଜୀବୀ ସତରେ କ’ଣ ଓଡ଼ିଆ ଭାଷାର ଗବେଷଣା ଓ ପ୍ରୟୋଗ(ବ୍ୟବହାର)କୁ ନେଇ  ଚିନ୍ତିତ?  ଯଦି ଏହା ହୋଇଥାନ୍ତା ଓଡ଼ିଆ ଭାଷା ସଂସ୍କୃତି କ୍ଷେତ୍ରରେ ଗବେଷଣା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୧୯୯୯ ମସିହାରୁ କାର୍ଯ୍ୟକ୍ଷମ ଥିବା ବେଳେ ସେମାନେ ଏହି ଅନୁଷ୍ଠାନକୁ ଓଡିଆ ଭାଷାରେ ଉଚ୍ଚତର ଗବେଷଣା ପାଇଁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦାବି କରିପାରିଥାନ୍ତେ ।

ସରକାର ମଧ୍ୟ ଓଡିଆ ଭାଷା ସାହିତ୍ୟରେ ତାଙ୍କର ଆନ୍ତରିକତାର ଅଭିବ୍ୟକ୍ତି ସ୍ୱରୂପ ଏହି ଅନୁଷ୍ଠାନକୁ ବିକଶିତ କରିବା ପାଇଁ ଉଦାରତାର ସହ ସହଯୋଗ କରିଥାନ୍ତେ । ସେମାନେ କଣ ବୁଝି ନାହାନ୍ତି ଯେ ଓଡ଼ିଆ ଭାଷା ଓଡ଼ିଆ ସଂସ୍କୃତିର ଏକ ଅପରିହାର୍ଯ୍ୟ ଅଂଶ? ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ତ ଅନ୍ୟ ଦେଶର ଭାଷା(ଜର୍ମାନ, ରଷିଆନ୍) ଶିକ୍ଷା ଦେବାର ବ୍ୟବସ୍ଥା ହୋଇଛି । ତାହାହେଲେ ଓଡ଼ିଆ ଭାଷାକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟଠାରୁ ବିଛିନ୍ନ କରି ଆଉ ଏକ ଭାଷା ବିଶ୍ୱବିଦ୍ୟାଳୟ ନିର୍ମାଣ ପଛରେ କ’ଣ ବିଶେଷ କାରଣ ରହିଛି? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ସ୍ୱତନ୍ତ୍ର ଭାବେ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାର ଶିଳାନ୍ୟାସ ପକାଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ଓଡିଆ ନ କହିପାରିବାର ଅପବାଦରୁ ମୁକୁଳିବାର ଉଦ୍ୟମ କରିଛନ୍ତି କହିବା ଅପ୍ରାସଂଗିକ ହେବ ନାହିଁ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ଦୃଷ୍ଟିରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନମାନଙ୍କର ପ୍ରତିଷ୍ଠା ଏକ ନିର୍ବାଚନୀ କାର୍ଯ୍ୟସୂଚୀ ଦ୍ୱାରା ପ୍ରଭାବିତ ନୁହେଁ ତ?

Samadhwani Support us

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇ କେନ୍ଦ୍ର ସଂସ୍କୃତି ବିଭାଗରୁ ଏକ ବିଶେଷ ଅନୁଦାନ ପାଇଁ ଯୋଗ୍ୟ ହୋଇଥିବାରୁ ଏହି ଅନୁଦାନର ବ୍ୟବହାର ପାଇଁ ଓ ଅଧିକ ଅନୁଦାନର ଆଶାରେ ସ୍ୱତନ୍ତ୍ର ଭାବେ ଓଡିଆ ଭାଷା ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଥାଇପାରେ ବୋଲି କିଛି ଯୁକ୍ତି ଆସିପାରେ । କିନ୍ତୁ କେବଳ ଅର୍ଥ ଆଶାରେ ହିଁ ଆମେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଗଢ଼ି ଚାଲିଥିବା ? ଯେଉଁ ଅନୁଷ୍ଠାନ ଗୁଡ଼ିକୁ ଅତୀତରେ ଏତେ ଉଦ୍ୟମ ଓ ଅର୍ଥ ବ୍ୟୟକରି ଗଢ଼ାଯାଇଛି ଏବଂ ସେମାନେ ଏବେ ମୁମୁର୍ଷୁ ଅବସ୍ଥାରେ ରହିଛନ୍ତି ସେସବୁରେ ସୁଧାର ଆଣିବାପାଇଁ କାହିଁକି କିଛି ପଦକ୍ଷେପ ନିଆଯାଉନାହିଁ? ଏମିତି ଆହୁରି ଯଦି ୧୦୦ଟି ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଏ କେବଳ ସଂଖ୍ୟାରେ ବୃଦ୍ଧି ହେବ ସିନା ପ୍ରକୃତ ଅର୍ଥରେ ଆମ ଭାଷା ଓ ସଂସ୍କୃତିର ସୁରକ୍ଷା କିମ୍ବା ଗୁଣାତ୍ମକ ବିକାଶ ତଥା ଉଚ୍ଚତର ଗବେଷଣା ସମ୍ଭବ ହୋଇପାରିବ କି?

କେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟଟି ଆରମ୍ଭ କରାଯାଇଛି ଏବଂ ଏହାକ’ଣ ନିହାତି ଅପରିହାର୍ଯ୍ୟ ଥିଲା କି କଥାଟି ଉପରେ ସେହି କାର୍ଯ୍ୟଟିର ଉପଯୋଗୀତା ତଥା ସଫଳତା ଓ ବିଫଳତା ନିର୍ଭରକରେ । ସଂସ୍କୃତିର ସୁରକ୍ଷା ପାଇଁ ଯେଉଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା ତାହାର ଇତିହାସଟିକୁ ଏଠାରେ ଆଉଥରେ ମନେପକାଇବା ଜରୁରୀ । ଓଡ଼ିଶା ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶା କଳା ସଂସ୍କୃତିର ପୁନର୍ଜାଗରଣ ତଥା ପ୍ରଚାର ପ୍ରସାର ନିମନ୍ତେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀର ସହବନ୍ଧନରେ ୧୯୬୪ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହୋଇଥିଲା ‘ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ’ । ପ୍ରାରମ୍ଭରୁ ଏହାର ମୌଳିକ ଲକ୍ଷ୍ୟ ଥିଲା ପ୍ରତିବର୍ଷ ଶତାଧିକ ତାଲିମପ୍ରାପ୍ତ କଳାକାର ସୃଷ୍ଟିକରି ରାଜ୍ୟରେ ଏକ ସାଂସ୍କୃତିକ ବାତାବରଣ ନିର୍ମାଣ କରିବା । ସେଥିପାଇଁ ତତ୍କାଳୀନ ଓଡ଼ିଶାର କଳା ସଙ୍ଗୀତ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଅଭିଜ୍ଞ ତଥା ପ୍ରବୀଣ ବ୍ୟକ୍ତିବିଶେଷଙ୍କୁ ଯେମିତିକି; ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଡ଼ଃ ଦାମୋଦର ହୋତା, କ୍ଷେତ୍ରମୋହନ କର, ଭିକାରୀ ବଳ, ପଙ୍କଜଚରଣ ଦାସ, ଶ୍ରୀହରି ନାୟକ, ଉମେଶ ଚନ୍ଦ୍ର କର, ଅଜିତ୍ ନାରାୟଣ ଦାସ, ବିଜୟ ମହାନ୍ତି ଇତ୍ୟାଦିଙ୍କୁ ସଙ୍ଗୀତ ମହାବିଦ୍ୟାଳୟରେ ପ୍ରଶିକ୍ଷକ/ଅଧ୍ୟାପକ ଭାବରେ ସାମିଲ କରାଯାଇଥିଲା ।

ରାଜ୍ୟ ସରକାର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀର ସହବନ୍ଧନରୁ ପରବର୍ତ୍ତି ସମୟରେ ବିଚ୍ଛିନ୍ନ କରି ଡିପ୍ଲୋମା ପାଠ୍ୟକ୍ରମକୁ ଉଚ୍ଛେଦ କରିବା ସହ +୨ ଓ +୩ ଶିକ୍ଷାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧିନସ୍ଥ କଲେ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ସାଥିରେ ସହବନ୍ଧିତ କରିଥିଲେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଗିରିଧାରୀ ଗମାଙ୍ଗୋଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ କୌଣସି ଆଖିଦୃଷ୍ଟିଆ ଦାବୀ ନଥାଇ ବି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଗଲା। କୁହାଗଲା ଯେ, କଳା, ସଂସ୍କୃତି ଓ ଭାଷା କ୍ଷେତ୍ରରେ; ବିଶେଷକରି ନାଟ୍ୟକଳା, ଚାରୁକଳା, କାରୁକଳା, ନୃତ୍ୟକଳା, ଜନଜାତି ବାଦ୍ୟ ସଙ୍ଗୀତ, ଭାଷା କ୍ଷେତ୍ରରେ ଗବେଷଣାର ପରିବେଶଟିଏ ସୃଷ୍ଟିକରି ଏହାକୁ ସାର୍ବଜନୀନ କରିବା ହେଉଛି ଏହି ନୂତନ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ।

ତେବେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ଏହାର ଆବଶ୍ୟକତା ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ଏହାର ପ୍ରାସଙ୍ଗିକତା, ଉପଯୋଗୀତା ତଥା କାର୍ଯ୍ୟକାରିତାକୁ ନେଇ ଯେଉଁଭଳି ଚିନ୍ତନ ଓ ଚର୍ଚ୍ଚାର ଆବଶ୍ୟକତା ଥିଲା ତାହା ଦେଖିବାକୁ ମିଳିନଥିଲା । ଏହାର ପରିଣାମ ସ୍ୱରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ପକ୍ଷ୍ୟାଘାତ ରୋଗରେ ପୀଡ଼ିତ।

ପ୍ରଶ୍ନଆସେ କାହିଁକି ଆମ ରାଜ୍ୟର କଳାର ଛାତ୍ର/ଛାତ୍ରୀମାନେ କଳା ସାଧନା ବା ଗବେଷଣା କ୍ଷେତ୍ରରେ ବିଶେଷ ଆଗ୍ରହ ପ୍ରଦର୍ଶନ ନକରି ବ୍ୟବସାୟିକ ମନୋବୃତ୍ତି ନେଇ ସଙ୍ଗୀତ ଶିକ୍ଷାରେ ମନୋନିବେଶ କରୁଛନ୍ତି? ଉଭୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଯେଉଁଭଳି କଳାକାରମାନେ ଉତ୍ତୀର୍ଣ୍ଣ ହେଉଛନ୍ତି ରାଜ୍ୟର କଳାର ପୁନରୁତ୍ଥାନପାଇଁ ସେମାନଙ୍କର କେଉଁଭଳି ଯୋଗଦାନ ରହିଆସିଛି? କୁହାଯାଏ ଯେ ଏସିଆ ମହାଦେଶରେ ଏହା ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟ କିନ୍ତୁ ଓଡ଼ିଆ ଭାଷାର ଗବେଷଣାପାଇଁ ଦୀର୍ଘ ୨୦ବର୍ଷ ହେଲା କାହିଁକି ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଗ୍ରହଣ କରିନାହିଁ? ଯେଉଁମାନେ ଆଜି ଓଡ଼ିଆଭାଷା ବିଶ୍ୱବିଦ୍ୟାଳୟ ସପକ୍ଷରେ ପତକା ଧରିଛନ୍ତି ସେମାନେ ଏହି ବିଷୟଟିକୁ କାହିଁକି ଅଣଦେଖା କରିଛନ୍ତି?

ପ୍ରକୃତ ପକ୍ଷରେ କାହିଁକି ରାଜ୍ୟରେ ଶିକ୍ଷା, ସଂସ୍କୃତିର ସଠିକ୍ ବିକାଶ ହୋଇପାରୁ ନାହିଁ ତର୍ଜମାର ଆବଶ୍ୟକତା ରହିଛି । ଏମିତିରେ ଉତ୍କଳ, ସମ୍ବଲପୁର ଓ ବ୍ରହ୍ମପୁର ଭଳି ଅର୍ଦ୍ଧଶତାଦ୍ଦୀରୁ ଉର୍ଦ୍ଧ ପୂରାତନ ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ଓଡିଆ ଭାଷା ସାହିତ୍ୟ ବିଭାଗ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ବିଶେଷ ଆଲୋଚନା ହେଉନାହିଁ । ଏଠି କହିବା ଅପ୍ରାସଙ୍ଗିକ ହେବ ନାହିଁ ଯେ, ପ୍ରତିଷ୍ଠିତ ତଥା ରାଜ୍ୟ ରାଜଧାନୀରେ ଅବସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରତିଷ୍ଠିତ ପ୍ରଫେସର ପଦବୀ , ଯେପରି ସତ୍ୟବାଦୀ ଚେୟାର ଓ ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର, ଦୀର୍ଘ ଦିନ ଧରି ଫାଙ୍କା ପଡିଛି ଏବଂ କେହି କେହି ଏହି ପଦବୀ ଗୁଡିକ ଉଚ୍ଛେଦ ହୋଇଯାଇଛି ବୋଲି ଅଭିଯୋଗ କରୁଛନ୍ତି । ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଚିତ୍କାର କରୁଥିବା ଲୋକମାନେ କେବେ ଏଭଳି ପ୍ରସଙ୍ଗ ଉତ୍ଥାପନ କରିବାର ଉଦାହରଣ ନାହିଁ ।

ଗୋଟିଏ ସମୟରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହିତ ଆରମ୍ଭ ହୋଇଥିଲା ‘ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ୍ ବା ଇନଷ୍ଟିଚିଉଟ୍ ଅଫ୍ ମ୍ୟାଥମେଟିକ୍ସ ଏଣ୍ଡ ଆପ୍ଲିକେସନ୍ସ୍’ । ଏହି ସଂସ୍ଥାର ପ୍ରତିଷ୍ଠା ପଛରେ ଥିଲା ଓଡ଼ିଶା ମ୍ୟାଥ୍ମେଟିକାଲ ସୋସାଇଟି (ଗଣିତ ଶାସ୍ତ୍ରର ଅଧ୍ୟାପକ ଓ ଗବେଷକମାନଙ୍କୁ ନେଇ ଗଠିତ ଏକ ସଂଘ)ର ଅନେକ ଚିନ୍ତା, ଚିନ୍ତନ ଓ ଚର୍ବଣ । ଏହି ସଂସ୍ଥାରୁ ଶିକ୍ଷା ଗ୍ରହଣ କରି ଅନେକ ବିଦ୍ୱାନ ଗଣିତଜ୍ଞ ବିଶ୍ୱର ବିଭିନ୍ନ ସ୍ଥାନରେ ଗବେଷଣା ଓ ଶିକ୍ଷାଦାନ କରୁଛନ୍ତି ଏବଂ ପ୍ରତ୍ୟେକବର୍ଷ ଏଠାରୁ ଗୁଣୀ ଶିକ୍ଷାର୍ଥୀ ଓ ଗବେଷକ ସୃଷ୍ଟି ହେଉଛନ୍ତି । ବିଶେଷ କରି ଗାଁ ଗହଳିରେ ଗଣିତ ପ୍ରତି ଶ୍ରଦ୍ଧା ଥିବା ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗୀତା ମାଧ୍ୟମରେ ଠାବକରି ସେମାନଙ୍କପାଇଁ ଶିକ୍ଷାର ବ୍ୟବସ୍ଥା କରାଯାଇଛି । କିଛି ପ୍ରତିଷ୍ଠିତ ଗଣିତଜ୍ଞ, ଗଣିତ ଶାସ୍ତ୍ରର ଅଧ୍ୟାପକଙ୍କର ଦୂରଦୃଷ୍ଟି, ତ୍ୟାଗ ଓ ସଂସ୍ଥାଟି ପ୍ରତି ଥିବା ପ୍ରତିବଦ୍ଧତା ଏହି ସଂସ୍ଥାର ବିଶ୍ୱବ୍ୟାପି ସୁଖ୍ୟାତି ଓ ସଫଳତାର କାରଣ ରହିଆସିଛି । ଯଦିଓ ସରକାରଙ୍କର ଅନୁଷ୍ଠାନ ପ୍ରତି ଚରମ ଉଦାସୀନତା ରହିଛି ତେବେ ଉପରଲିଖିତ ଅନନ୍ୟ ଚରିତ୍ରମାନଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଏହି ସଂସ୍ଥାଟି ଏଯାବତ୍ ତିଷ୍ଠିରହିଛି ।

ଅନ୍ୟପକ୍ଷରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଯାହା ପଛରେ ସେହିଭଳି କିଛି ଚିନ୍ତା ବା ଚିନ୍ତନ ନଥିଲା ଏବଂ ଆରମ୍ଭରୁ ଏଯାଏଁ ସରକାରଙ୍କର ସଂସ୍କୃତି ବିଭାଗର ଏକ ଛୋଟ ଅଂଶଭଳି ରହିଆସିଛି ଆଜି ସ୍ୱଘୋଷିତ ଲକ୍ଷ୍ୟ ଉଦ୍ଦେଶ୍ୟ ସାଧନାର ବହୁତ ଦୂରରେ । ସେଥିପାଇଁ ଆଜି ରାଜ୍ୟରେ ସାଂସ୍କୃତିକ ପରିବେଶର ସୃଷ୍ଟି ଓ କଳା ସଂସ୍କୃତି ଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ବିଫଳ ହୋଇଛି । ଯେଉଁସବୁ କଳାକାର ଏହିସବୁ ସ୍ଥାନରୁ ଉତ୍ତୀର୍ଣ୍ଣ ହେଉଛନ୍ତି ପ୍ରାୟ ଅଧିକାଂଶ କଳା ବ୍ୟବସାୟ ଭଳି ପେଶାକୁ ଆଦରି ନେଉଛନ୍ତି । ସଙ୍ଗୀତ ସାଧନା ବା ସାଂସ୍କୃତିକ ଗବେଷଣା ଲକ୍ଷ୍ୟଟି ଏଠି କାହାପାଇଁ ବିଷୟ ହୋଇ ନାହିଁ ।

ଜଗତିକରଣ ଓ ବଜାରୀକରଣ ଯୁଗରେ ସମଗ୍ର ଶିକ୍ଷା ବ୍ୟବସ୍ଥା ବଜାରର ଚାହିଦା ପୂରଣ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ସଂସ୍କୃତି କ୍ଷେତ୍ରଟିରେ ଏହାର ବ୍ୟତିକ୍ରମ ଆଶା ବା କରିବା କେମିତି? ଓଡ଼ିଆ ଭାଷା ହେଉ କି ଅନ୍ୟ ଯେତେସବୁ ବିଶ୍ୱବିଦ୍ୟାଳୟର ପରିକଳ୍ପନା ହେଉଛି ଯଦି ସେମାନେ ବଜାର ଉପଯୋଗୀ ହୋଇନପାରିବେ ସମାଧି ନେବାପାଇଁ ବାଧ୍ୟ ହେବେ । ଏହି ଭଳି ପରିବେଶରେ ନିର୍ମଳ ସଂସ୍କୃତି ଶିକ୍ଷାକୁ କିପରି ସମ୍ଭବ କରାଯାଇପାରେ ଓ ସୁରକ୍ଷା ଦିଆଯାଇପାରେ ତାହା ପ୍ରତ୍ୟେକ ନିଋତା ସଂସ୍କୃତି ପ୍ରେମୀ ପାଇଁ ଏକ ବଡ ଆହ୍ୱାନ ।

ସମଧ୍ୱନି  ଭାଷା ଓ ସଂସ୍କୃତିକୁ ବଜାର ଦ୍ୱାରା କବଳିତ ହେବାକୁ ବିରୋଧ କରେ ; ଭାଷା ଓ ସଂସ୍କୃତିକୁ ଆୟୂଧ କରି ଅନୁଦାନ ଲୋଭରେ, ପ୍ରଚଳିତ ଅନୁଷ୍ଠାନଗୁଡିକୁ ଅବହେଳା କରି, ନୂତନ ଅନୁଷ୍ଠାନର ସ୍ଥାପନାକୁ  ପ୍ରଶ୍ନ କରେ । ସମଧ୍ୱନି ସରକାରଙ୍କଠାରୁ ଓ ତାଙ୍କ ଉପଦେଷ୍ଟାମାନଙ୍କ ଠାରୁ ଦାୟିତ୍ୱବୋଧତା ଅପେକ୍ଷା କରେ। ସେମାନେ ରାଜନୈତିକ ଓ ବ୍ୟକ୍ତିଗତ ସ୍ୱାର୍ଥ ଊର୍ଦ୍ଧ୍ୱରେ ରହି  ଓଡିଆ ଭାଷା ଓ ସଂସ୍କୃତି ପ୍ରତି ନିଷ୍ଠାପର ହେବେ ବୋଲି ସମଧ୍ୱନି ଆଶା କରେ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.