ଆନନ୍ଦ ସଗରିଆଙ୍କ ଏହି ଅନୁଶୀଳନ କଳାହାଣ୍ଡିଆ ଭାଷାର ଏକ ଗଭୀର ବିଶ୍ଳେଷଣ। ଓଡ଼ିଆ ଭାଷାର ମୂଳ ଉତ୍ସ, ଏହାର ବିକାଶ ଏବଂ ଅଞ୍ଚଳଗତ ଭିନ୍ନତା ବୁଝିବା ପାଇଁ ଏହି ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧ୍ୱନି ଓ ଶବ୍ଦ ପରିବର୍ତ୍ତନ, ଏହାର ଐତିହାସିକ ପ୍ରଭାବ ଆଉ ଉତ୍କଳ-କୋଶଳର ଭାଷାଗତ ସଂଯୋଗକୁ ଏହି ଲେଖା ପ୍ରକାଶ କରେ । ଭାଷାର ଜୀବନ୍ତ ଦଶା ବୁଝିବା ପାଇଁ ଏହି ଲେଖା ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ଆଶା । – ସମ୍ପାଦକ
ଭାରତୀୟ ଆର୍ଯ୍ୟଭାଷା ରାଢ଼ ଓ ମହାକୋଶଳ ଦେଇ ଓଡ଼ିଶାକୁ ପ୍ରବେଶ କରିଛି । ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ୯-୧୦ମ ଶତାବ୍ଦୀରେ ସୋମବଂଶୀ ରାଜାମାନେ କୋଶଳରୁ କଳିଙ୍ଗକୁ ରାଜଧାନୀ ପରିବର୍ତ୍ତିତ କରିଥିଲେ । କୋଶଳରେ ଲୋକେ ଭୋଜପୁରୀ ପ୍ରାକୃତ ଭାଷା କହୁଥିଲେ ଓ ଉପକୂଳ ଅଞ୍ଚଳର ଲୋକେ ଅର୍ଦ୍ଧମାଗଧୀ ଭାଷା ବ୍ୟବହାର କରୁଥିଲେ । ଏଇ ଦୁଇ ଆର୍ଯ୍ୟଭାଷାର ମିଶ୍ରଣରେ ତଥା ପୂର୍ବୁ ଓଡ଼ିଶାରୁ ପ୍ରଚଳିତ ମୁଣ୍ଡାରୀ ଓ ଦ୍ରାବିଡ଼ ଭାଷାର ମିଶ୍ରଣ ହୋଇ ଓଡ଼ିଆ ଭାଷାର ସୃଷ୍ଟି ହେଲା । ଆଲୋଚକଙ୍କ ମତରେ ଓଡ଼ିଆ ଭାଷା ମାର୍କେଣ୍ଡୟ ସୂଚିତ ‘ଓଡ୍ରୀ ଅପଭ୍ରଂଶର’ ପରବର୍ତ୍ତୀ ରୂପ ଏବଂ ‘ଅର୍ଦ୍ଧମାଗଧୀ ପ୍ରାକୃତ’ ‘କୋଶଳ ପ୍ରାକୃତ’ ସହିତ ସମ୍ବନ୍ଧାନ୍ୱିତ ।
ସୋମବଂଶୀ ରାଜାମାନେ କୋଶଳରୁ କଳିଙ୍ଗ-ଉତ୍କଳକୁ ରାଜଧାନୀ ପରିବର୍ତ୍ତନ କଲାପରେ ରାଜନୈତିକ-ସାଂସ୍କୃତିକ କ୍ଷେତ୍ରରେ ଦକ୍ଷିଣ କୋଶଳର ପଶ୍ଚିମ ଓଡ଼ିଶା ପଛରେ ରହିଗଲା । ସ୍ଥାୟୀ ସାସନର ଅବର୍ତ୍ତମାନରେ ସ୍ଥାନୀୟ ଶକ୍ତିଶାଳୀ ଆଦିବାସୀଙ୍କ ସହିତ ନବାଗତ ସାମନ୍ତ ଓ ରାଜାମାନଙ୍କ କ୍ରମାଗତ ସଂଘର୍ଷ ମଧ୍ୟରେ ଏହି ଅଞ୍ଚଳ ବ୍ୟାପୃତ ରହିଲା । ଫଳରେ ଏହି ଅଞ୍ଚଳର କ୍ରମାଗତ ଅଧୋପତନ ହେବାରେ ଲାଗିଲା ।
ଉତ୍କଳରେ ସାହିତ୍ୟ ରଚନା ସମପର୍ଯ୍ୟାୟରେ କୋଶଳରେ ତତ୍କାଳୀନ କଥିତ ଭାଷାରେ କୌଣସି ସାହିତ୍ୟ ସୃଷ୍ଟି ହେଉନଥିଲା । ହେଲେ ସାରଳା ଦାସଙ୍କ ମହାଭାରତ ତଥା ପଞ୍ଚସଖା ସାହିତ୍ୟ ଧର୍ମ ଓ ପୁରାଣ ରୂପେ ଏହି ଅଞ୍ଚଳରେ ସମାଦୃତ ହେଲା । କାରଣ ଆଲୋଚ୍ୟ କାଳରେ ଅପଭ୍ରଂଶ ଭାଷା ଉତ୍କଳ ଓ କୋଶଳ ମଧ୍ୟରେ ପରସ୍ପର ଅଭେଦ୍ୟ ଥିଲା ।
କଳାହାଣ୍ଡିଆ ଭାଷାର ପ୍ରାଚୀନତା
କୌଣସି ଭାଷାର ସୃଷ୍ଟି ସମ୍ପର୍କିତ କଥାବସ୍ତୁ ତଥ୍ୟ ଭାବେ ଅସମ୍ଭବ ବ୍ୟାପାର, କିନ୍ତୁ ମଣିଷ ଓ ଅଞ୍ଚଳର ସହିତ ପ୍ରତ୍ୟେକ ଭାଷାର ସୃଷ୍ଟି ଏହା ଯେ ନିରାଟ ସତ୍ୟ । କଳାହାଣ୍ଡିଆ ଭାଷା କ୍ଷେତ୍ରରେ ମଧ୍ୟ ଏହା ପ୍ରଯୋଜ୍ୟ । ତଥାପି କଳାହାଣ୍ଡିଆ ଭାଷାର ପ୍ରାଚୀନତା ସମ୍ପର୍କରେ ଗବେଷକମାନେ ମତ ଦେଇ କହନ୍ତି, ଏହି ଭାଷା ଖ୍ରୀଷ୍ଟୀୟ ଅଷ୍ଟମ-ନବମ ଶତାବ୍ଦୀର ଭାଷା ବୋଲି । ଗବେଷକ ପରମେଶ୍ୱର ମୁଣ୍ଡଙ୍କ ମତରେ, “ନବମ ଶତାବ୍ଦୀରେ ଚାଲୁକ୍ୟ ଚୋଳ ରାଜାଙ୍କ ଦ୍ୱାରା ନିର୍ମିତ – ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ମନ୍ଦିର ସିଂହଚାଳମର ଏକ ଶିଳାଲିପିରେ ବ୍ୟବହୃତ ଅନେକ ଶବ୍ଦ ଓ ବାକ୍ୟ ରୂପ କଳାହାଣ୍ଡିଆ ଭାଷା ସହିତ ସାମଞ୍ଜସ୍ୟ ଥିବାର ପରିଲକ୍ଷିତ ହୁଏ ।” ଯଥା-
ଶିଳାଲିପି କଳାହାଣ୍ଡିଆ ଓଡ଼ିଆ
ସାନୁ ଭୟିଶୀ ସାନ ଭଏନ, ଭଇନି ଛୋଟ ଭଉଣୀ
ବେବସ୍ଥା ବେବସ୍ଥା ବ୍ୟବସ୍ଥା
ଉପାର୍ଜିଛନ୍ ଉପାର୍ଜିଛନ୍ ଉପାର୍ଜନ କରିଛନ୍ତି
ନରସିଂଘ ନରସିଂଘ ନରସିଂହ
ପ୍ରତ୍ୟେକ ଭାଷାରେ କହିବାବେଳେ ପଦ ସମୂହରେ ବାକ୍ୟାନୁର୍ଗତ ବହୁପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । କାରଣ ଉଚ୍ଚାରଣ ସମୟରେ ସୌକାର୍ଯ୍ୟ, ସ୍ୱାସଘାତ, ପାଶ୍ୱର୍ବର୍ତ୍ତୀ ଧ୍ୱନି ପ୍ରଭାବ ଦୃଢ଼ତା ତଥା ଦୃଢ଼ ଉଚ୍ଚାରଣ ପ୍ରଜତ୍ନଲାଘବ ପ୍ରଭୃତି ବିଭିନ୍ନ ଦୃଷ୍ଟିରୁ ଧ୍ୱନି ପରିବର୍ତ୍ତନ ଘଟିଥାଏ । ଏହିପରି ଭାବରେ କଳାହାଣ୍ଡିଆ ଭାଷାର ଧ୍ୱନି ପରିବର୍ତ୍ତନର ବିଭିନ୍ନ ଦିଗକୁ ନିମ୍ନରେ ଆଲୋଚନା କରାଯାଇପାରେ ।
ଲୋପ
ଅନେକ ସମୟରେ ବକ୍ତା ମୃଦୁ ଉଚ୍ଚାରଣ, ଶୀଘ୍ର ଉଚ୍ଚାରଣ ବା ସ୍ୱରାଘାତ ଯୋଗୁଁ କେତେକ ଧ୍ୱନିକୁ ଛାଡ଼ିଦେଇ ଶବ୍ଦ ଉଚ୍ଚାରଣ କରିଥାଏ, ତାହାକୁ ‘ଲୋପ’ କୁହାଯାଏ । ସ୍ୱରଲୋପକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଯଥା –
(୧) ସ୍ୱରଲୋପ
ଅନେକ ସମୟରେ ବକ୍ତା ଶବ୍ଦ ଉଚ୍ଚାରଣ କରିବା ସମୟରେ ଏକ ବା ଏକାଧିକ ସ୍ଥାନରେ ସ୍ୱରଲୋପ ହେଲେ ତାହାକୁ ‘ସ୍ୱରଲୋପ’ କୁହାଯାଏ । ଏହାକୁ ମଧ୍ୟ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି ।
(କ) ଆଦିସ୍ୱର ଲୋପ
ବକ୍ତାର ଶବ୍ଦ ଉଚ୍ଚାରଣ ସମୟରେ ଆଦିସ୍ଥାନରେ ସ୍ୱରଲୋପ ହେଲେ ତାହାକୁ ‘ଆଦିସ୍ୱର ଲୋପ’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଟାଙ୍ଗିଆ ଟଙ୍ଗିଆ (ଆ)
ରାଜା ରଜା (ଆ)
କାକା କକା (ଆ)
(୨) ବ୍ୟଞ୍ଜନା ଲୋପ
ଅନେକ ସମୟରେ ବକ୍ତା ଶବ୍ଦ/ଧ୍ୱନି ଉଚ୍ଚାରଣ ସମୟରେ ଏକ ବା ଏକଧିକ ସ୍ଥାନରେ ବ୍ୟଞ୍ଜନା ଧ୍ୱନିର ଲୋପ ହେଲେ ତାହାକୁ ‘ବ୍ୟଞ୍ଜନା ଲୋପ’ କୁହାଯାଏ । ଏହାକୁ ମଧ୍ୟ ତିନିଶ୍ରେଣୀରେ ବିଭକ୍ତ କରାଯାଇପାରେ ।
(କ) ଆଦି ବ୍ୟଞ୍ଜନା ଲୋପ
ଲିଖିତ ଭାଷାର କେତେକ ଶବ୍ଦର ଆଦ୍ୟରେ ଥିବା ବ୍ୟଞ୍ଜନ ବର୍ଣ୍ଣ ଲୋପ ପାଇଯାଇଥାଏ । ତାହା କଳାହାଣ୍ଡିଆ ଭାଷାରେ ଦେଖିବାକୁ ମିଳେ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଶ୍ମଶାନ ମଶାନ୍ (ଶ)
ସ୍ଥାନେ ଠାନେ (ସ)
ଲୁଣ ନୁନ୍ (ଲ)
ରସୁଣ ଲେସୁନ୍ (ର)
(ଖ) ମଧ୍ୟବ୍ୟଞ୍ଜନା ଲୋପ
ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣବେଳେ ମଝିରେ ଲୋପ ହେଲେ, ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଦୀପାବଳୀ ଦୀଆଲି (ପା)
ବ୍ରାହ୍ମଣ ବାମନ୍ (ହ)
ଧରଣୀ ଧର୍ନୀ (ର)
(ଗ) ଅନ୍ୟାବ୍ୟଞ୍ଜନା ଲୋପ
ବକ୍ତା ଶବ୍ଦ ଉଚ୍ଚାରଣବେଳେ ବ୍ୟଞ୍ଜନ ବର୍ଣ୍ଣର ଅନ୍ତ/ଶେଷ ବର୍ଣ୍ଣକୁ ଛାଡ଼ି ଧ୍ୱନି ଉଚ୍ଚାରଣ କରୁଥିବାକୁ ତାହାକୁ ‘ଅନ୍ୟାବ୍ୟଞ୍ଜନା ଲୋପ’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଆଶ୍ରୟ ଆଶ୍ରୀ (ୟ)
କାର୍ଯ୍ୟରେ କାଜେ (ର)
କୁଣ୍ଡା କୁଣା (ଡ)
ଗୁଣ୍ଡ ଗୁଣ୍ (ଡ)
ଗିଳିବା ଗିଲ୍ (ବ)
ହସ୍ତୀ ହାତି (ସ)
ଆମ୍ବ ଆମ୍ (ବ)
୩. ଅକ୍ଷର ଲୋପ
ଏହାକୁ ମଧ୍ୟ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା –
(କ) ଆଦ୍ୟକ୍ଷର ଲୋପ
କେତେକ ସ୍ଥଳରେ ବକ୍ତ ଶବ୍ଦ ଉଚ୍ଚାରଣ କଲାବେଳେ ଆଦ୍ୟ ଅକ୍ଷରକୁ ଛାଡ଼ି ଭିନ୍ନକ୍ଷମ ଅକ୍ଷରର ବ୍ୟବହାର କରିଥାଏ। ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
କ୍ଷାର ଛାର
ପଶେଇବା ସମେଇବା
ଚାଉଳ ଚଉଲ୍
ତାଲା ତିଲା
(ଖ) ମଧ୍ୟାକ୍ଷର ଲୋପ
ବକ୍ତା ଶବ୍ଦ ଉଚ୍ଚାରଣବେଳେ ମଝିରେ ଥିବା ଅକ୍ଷରକୁ ଛାଡ଼ି ଅନ୍ୟ ଅକ୍ଷରଗୁଡ଼ିକ ଉଚ୍ଚାରଣ କରୁଥିବାରୁ ମଧ୍ୟାକ୍ଷର ଲୋପ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
କଳନ୍ତର କନ୍ତର
ପାଣିଚିଆ ପାଣିଆ
ବନ୍ଦାପନା ବନ୍ଦନା
ଷୋହଳ ଷୋଳ
ମହମବତୀ ମମ୍ବତୀ
(ଗ) ଅନ୍ୟାକ୍ଷର ଲୋପ
ଶବ୍ଦ ଉଚ୍ଚାରଣବେଳେ ଅନ୍ତଃ ଅକ୍ଷର ଲୋପ ହେଲେ ତାହାକୁ ‘ଅନ୍ତ୍ୟାକ୍ଷର ଲୋପ’ କୁହାଯାଏ । ଯାହା ଆମେ କଳାହାଣ୍ଡିଆ ଭାଷାରେ ଦେଖିବାକୁ ମିଳେ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଆଚମନ ଆଁଚ
ମାଇଚିଆ ମାଇ
ପୂର୍ଣ୍ଡିମା ପୁନି
ଚମଡ଼ା ଚମ୍
(୨) ଆଗମ
ଶବ୍ଦରେ କୌଣସି ନୂତନ ଧ୍ୱନିର ଆଗମନକୁ ଭାଷା ବିଜ୍ଞାନରେ ‘ଆଗମ’ କୁହାଯାଏ । ଲୋପର ବିପରୀତ ହେଉଛି ଆଗମ । ଏହାକୁ ମଧ୍ୟ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି ।
(୧) ସ୍ୱରାଗମ
ଶବ୍ଦ ଉଚ୍ଚାରଣବେଳେ ଏକ ବା ଏକାଧିକ ସ୍ୱରଧ୍ୱନିର ଆଗମନ ହେଲେ ତାହାକୁ ‘ସ୍ୱରାଗମ’ କୁହାଯାଏ । ଏହାକୁ ମଧ୍ୟ ତିନିଶ୍ରେୀଣୀରେ ବିଭକ୍ତ କରାଯାଇଛି ।
(କ) ଆଦି ସ୍ୱରାଗମ
ଆଦ୍ୟରେ ଯେଉଁ ସ୍ୱରଧ୍ୱନି ଆଗମନ ହୁଏ ତାହାକୁ ‘ଆଦିସ୍ୱରାଗମ’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ସ୍କୁଲ ଇସ୍କୁଲ
ଧାର ଉଧାର
ପିଆଜ ଉଇଲ
(ଖ) ମଧ୍ୟା ସ୍ୱରାଗମ
ମଝିରେ ଯେଉଁ ସ୍ୱରଧ୍ୱନି ଆଗମନ ହେଲେ ତାହାକୁ ‘ମଧ୍ୟା ସ୍ୱରାଗମ’ କୁହାଯାଏ । ଉଦାହରଣ-
ଓଡ଼ିଆ କଳାହାଣ୍ଡିଆ
କୁଟା କୁଇଟ୍
ଗରା ଗରିଆ
ପାଣି ପାଏନ୍
ରାତି ରାଏତ୍
ମାଟି ମାଏଟ୍
ଜାତି ଜାଏତ୍
(ଗ) ଅନ୍ତ୍ୟା ସ୍ୱରାଗମ
ଅନ୍ତଃରେ ଯେଉଁ ସ୍ୱର ଧ୍ୱନି ଆଗମନ ହୁଏ ତାହାକୁ ‘ଅନ୍ତ୍ୟା ସ୍ୱରାଗମ’ କୁହାଯାଏ। ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଆସେ ଆସ୍ସି
ଆଗ ଅଗ୍ଲି
ମୁଁ ମୁଁଇ
ତୁ ତୁଇ
(୨) ବ୍ୟଞ୍ଜନାଗମ
ଶବ୍ଦ ଉଚ୍ଚାରଣବେଳେ ଏକ ବା ଏକାଧିକ ସ୍ଥାନରେ ବ୍ୟଞ୍ଜନ ଧ୍ୱନିର ଆଗମନ ହେଲେ ତାହାକୁ ‘ବ୍ୟଞ୍ଜନାଗମ’ କୁହାଯାଏ । ଏହାକୁ ମଧ୍ୟ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି –
(କ) ଆଦିବ୍ୟଞ୍ଜନାଗମ୍
ଆଦ୍ୟରେ ଯେଉଁ ବ୍ୟଞ୍ଜନ ଧ୍ୱନି ଆଗମନ ହେଲେ ତାହାକୁ ‘ବ୍ୟଞ୍ଜନାଗମ’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଆତ ରେଁ କଟା
ଏଣ୍ଡୁଅ ଟେଣ୍କା
(ଖ) ମଧ୍ୟବ୍ୟଞ୍ଜନାଗମ୍
ମଝିରେ ଯେଉଁ ବ୍ୟଞ୍ଜନ ଧ୍ୱନି ଆଗମନ ହେଲେ ତାହାକୁ ‘ମଧ୍ୟବ୍ୟଞ୍ଜନାଗମ୍’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ସରୁ ସପୁର୍
ଡେଇଁବା ଡେଗିବା
(ଗ) ଅନ୍ତ୍ୟାବ୍ୟଞ୍ଜନାଗମ
ଶେଷ ଅକ୍ଷରରେ ଯେଉଁ ବ୍ୟଞ୍ଜନ ଧ୍ୱନି ଆଗମ ହେଲେ ତାହାକୁ ଅନ୍ତ୍ୟାବ୍ୟଞ୍ଜନାଗମ୍ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ପୋଷେ ପଶେକ୍
ଖସି ଖସ୍ରି
(୩) ଅକ୍ଷରାଗମ୍
ଏହାକୁ ମଧ୍ୟ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି –
(କ) ଆଦି ଅକ୍ଷରାଗମ୍
ଶବ୍ଦ ଉଚ୍ଚାରଣ ସମୟରେ ଯେକୌଣସି ଅକ୍ଷର ଆଦ୍ୟରେ ଆଗମନ ହେଲେ ତାହାକୁ ଆଦିଅକ୍ଷରାଗମ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ଏବେ ହାଦେ
ପେନ୍ଥା ଗେଞ୍ଜା
ବିରୁଡ଼ି ଟେକର
(ଖ) ମଧ୍ୟ ଅକ୍ଷରାଗମ
ମଝିରେ ଯେଉଁ ଶବ୍ଦ/ଅକ୍ଷରର ଆଗମନ ହେଲେ ତାହାକୁ ‘ମଧ୍ୟ ବ୍ୟଞ୍ଜନାଗମ୍’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ମାଡ଼ୁଆ ମାର୍କୁଣିଆ
ଖଟ ଖଟୁଆ
(ଗ) ଅନ୍ତ୍ୟାକ୍ଷରାଗମ
ଶବ୍ଦର ଶେଷ ସ୍ଥାନରେ ଯେଉଁ ଅକ୍ଷର ଆଗମନ ହୁଏ, ତାହାକୁ ‘ଅନ୍ତ୍ୟାକ୍ଷରାଗମ’ କୁହାଯାଏ ।
ଓଡ଼ିଆ କଳାହାଣ୍ଡିଆ
ଗୋଲ ଗୋଲ୍ଠୋ
ଚନ୍ଦା ଚନ୍ଦଲା
ଛାଲି ଛିଲ୍ପି
(୩) ବିପର୍ଯ୍ୟୟ
ପରସ୍ପର ବର୍ଣ୍ଣ ବିନିମୟ କରୁଥିବା ସାର୍ଥକବୋଧକ ଶବ୍ଦକୁ ବିପର୍ଯ୍ୟ କୁହାଯାଏ । ଏହାକୁ ବର୍ଣ୍ଣାପ୍ଲୁତି, ବର୍ଣ୍ଣବ୍ୟତିୟ ଆଦି କୁହାଯାଇଥାଏ । ଏଥିରେ କୌଣସି ଶବ୍ଦର ସ୍ୱର ଅକ୍ଷର ବା ବ୍ୟଞ୍ଜନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଆସେ । କଳାହାଣ୍ଡିଆ ଭାଷାରେ ମଧ୍ୟ ଏହି ପ୍ରକାର ଶବ୍ଦର ପରିଦୃଷ୍ଟ ହୋଇଥାଏ । ଏହାକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି –
(୧) ସ୍ୱର ବିପର୍ଯ୍ୟୟ
ଦୁଇଟି ସ୍ୱରଧ୍ୱନିର ପାରସ୍ପରିକ ବିପର୍ଯ୍ୟକୁ ‘ସ୍ୱରବିପର୍ଯ୍ୟୟ’ କୁହାଯାଏ । ଏହାକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି ।
(କ) ପାଶ୍ୱର୍ବର୍ତ୍ତୀ ସ୍ୱରବିପର୍ଯ୍ୟୟ
ଓଡ଼ିଆ କଳାହାଣ୍ଡିଆ
ମାଖନ ମଖନା
ପତଲା ପାତଲ
ଝଟା ଝାଁଟ୍
(ଖ) ଦୂରବର୍ତ୍ତୀ ସ୍ୱରବିପର୍ଯ୍ୟୟ
ଓଡ଼ିଆ କଳାହାଣ୍ଡିଆ
ରଞ୍ଜା ରାଞ୍ଜ
ପଞ୍ଜୁରି ପାଞ୍ଜୁରି
ଧନୁ ଧୁନ୍
(୨) ବ୍ୟଞ୍ଜନା ବିପର୍ଯ୍ୟୟ
ଦୁଇଟି ବ୍ୟଞ୍ଜନଧ୍ୱନିର ପାରସ୍ପାରିକ ବିପର୍ଯ୍ୟକୁ ‘ବ୍ୟଞ୍ଜନା ବିପର୍ଯ୍ୟୟ’ କୁହାଯାଏ । ଏହାକୁ ମଧ୍ୟ ଦ୍ୱିବିଧରେ ବିଭକ୍ତ କରାଯାଇଛି –
(କ) ପାଶ୍ୱର୍ବର୍ତ୍ତୀ ବ୍ୟଞ୍ଜନ ବିପର୍ଯ୍ୟୟ
ଓଡ଼ିଆ କଳାହାଣ୍ଡିଆ
ପୋତିବା ତୋପିବା
କଲରା କର୍ଲା
ବାକ୍ସ ବାକ୍ସ
(ଖ) ଦୂରବର୍ତ୍ତୀ ବ୍ୟଞ୍ଜନା ବିପର୍ଯ୍ୟୟ
ଓଡ଼ିଆ କଳାହାଣ୍ଡିଆ
କାଖ ଖାକ୍
ଉପଦ୍ରବ ଉଦରବ
(୪) ସମୀଭବନ ବା ସମୀକରଣ
ପରସ୍ପର ନିକଟବର୍ତ୍ତୀ ଦୁଇଟି ବିଷମଧ୍ୱନି ଗୋଟିଏ ଅନ୍ୟର ପ୍ରଭାବରେ ସାମ୍ୟଲାଭ କଲେ, ତାହାକୁ ‘ସମୀଭବନ’ କୁହାଯାଏ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
ପାଇଲେ ପେଲେ
ମହୁରି ମୁହୁରି
ସିମୁଳି ସେମେଲ
ତେନ୍ତୁଳି ତେତେଲ୍
ବୁଦା ବୁଟା
(୫) ବିଷମୀଭବନ
ବିଷମୀଭବନ ସମୀଭବନର ଠିକ୍ ବିପରୀତ । କୌଣସି ଧ୍ୱନି ଅନ୍ୟ ଏକ ସମଧ୍ୱନିକୁ ପ୍ରଭାବିତ କରିବା ଫଳରେ ଯଦି ସେହି ଧ୍ୱନିଟି ପରିବର୍ତ୍ତୀତ ହୋଇଯାଏ, ତେବେ ସେଇ ବ୍ୟାପାରକୁ ‘ବିଷମୀଭବନ’ କୁହାଯାଏ ।
ଓଡ଼ିଆ କଳାହାଣ୍ଡିଆ
ବାପା ବୁଆ
ପଣ ପନ
ତୁଚ୍ଛା ଛୁଚା
ଲବଣ ନୁନ୍
କେମିତି କେନ୍ତା
ସେମିତି ସେନ୍ତା
ଯେମିତି ଯେନ୍ତା
କୁକୁଡ଼ା କୁକରା
ଡିମିରି ଡୁମେର
ପାହାଚ ପାଉଁଚ
ନିଶାଣ ଲିଷାନ୍
(୬) ଅଳ୍ପ ପ୍ରାଣୀ ଭବନ
କେତେକ ସ୍ଥଳରେ କଳାହାଣ୍ଡିଆ ଭାଷାରେ ଅଳ୍ପପ୍ରାଣ ଧ୍ୱନି ମହାପ୍ରାଣ ଧ୍ୱନି ଭାବରେ ଦେଖିବାକୁ ମିଳେ । ଉଦାହରଣ –
ଓଡ଼ିଆ କଳାହାଣ୍ଡିଆ
କାଖ ଖାକ (ଖ + କ)
ଗୋଠ ଗୋଟ (ଠ+ଟ)
ଶିଙ୍ଘାଣି ଶିଘଁନ୍ (ଘ+ଗ)
କାଟୁଛି କାଟୁଚେ (ଛ+ଚ)
(୭) ମହାପ୍ରାଣୀ ଭବନ
ଉଚ୍ଚାରଣବେଳେ ଅଧିକ ଶ୍ୱାସ ନିର୍ଗତ ହେଉଥିବା ଧ୍ୱନିକୁ ‘ମହାପ୍ରାଣ ଧ୍ୱନି’ କୁହାଯାଏ । ଏହା କଳାହାଣ୍ଡିଆ ଭାଷାରେ ଅଳ୍ପପ୍ରାଣ ଧ୍ୱନି ମହାପ୍ରାଣ ଧ୍ୱନି ଭାବରେ ଦେଖିବାକୁ ମିଳେ । ଯଥା –
ଓଡ଼ିଆ କଳାହାଣ୍ଡିଆ
କାନ୍ଧ ଖନ୍ଦ୍
ଜଣେ ଝନେ
ଦୂର୍ ଧୂର୍
କଛା ଖୁଚା
କାଶ ଖାଁସି
(୮) ଅନୁନାସିକୀ ଭବନ
ନାସିକ୍ୟ ବ୍ୟଞ୍ଜନ ଧ୍ୱନି ଲୁପ୍ତ ହେବାଫଳରେ ଯଦି ଅବଶିଷ୍ଟ ସ୍ୱରଧ୍ୱନି ଅନୁନାସିକ ଉଚ୍ଚାରିତ ହୁଏ, ତେବେ ଏହି ପ୍ରକ୍ରିୟାକୁ ‘ଅନୁନାସକୀ ଭବନ’ କୁହାଯାଏ । କେତେକ ସ୍ଥଳରେ ସଂଯୁକ୍ତ ବ୍ୟଞ୍ଜନ ବର୍ଣ୍ଣ ‘ଣ୍ଡ’ କଳାହାଣ୍ଡି ଭାଷାରେ ଅନୁନାସିକତା ଯୁକ୍ତ ହୋଇ ‘ଣ’ କିମ୍ବା ‘ତ’ ଧ୍ୱନିରେ ପରିଣତ ହୋଇଥାଏ, ଯଥା –
ଓଡ଼ିଆ କଳାହାଣ୍ଡିଆ
ଭେଣ୍ଡି ଭେଁଣି
ଗଣ୍ଡ ଗଁଡ଼
ରାଣ୍ଡି ରାଁଣି
ଦାଣ୍ଡ ଡାଁଡ଼୍
କାଣ୍ଡ କାଁଡ଼୍
ଖଣ୍ଡି ଖଁଣି
(୯) ବତ୍ସ୍ୟ ନାସିକ୍ୟଭବନ
ମୂର୍ଦ୍ଧନ୍ୟ ନାସିକୀ ଭବନ ବ୍ୟଞ୍ଜନ ‘ଣ’ ବତ୍ସ୍ୟ ନାସିକ ବ୍ୟଞ୍ଜନ ଧ୍ୱନି ‘ନ’ରେ ପରିଣତ ହୋଇଥାଏ, ଯଥା –
ଓଡ଼ିଆ କଳାହାଣ୍ଡିଆ
ଲୁଣ ନୁନ୍
ମାଣ ମାନ୍
ପାଣି ପାନ୍
ବେଣୀ ବେନି
ଶୁଣିବା ଶୁନ୍ମା
କାହାଣୀ କଥାନୀ
କହୁଣୀ କୁହୁଣୀ
(୧୦) ସ୍ୱତଃ ନାସିକ୍ୟଭବନ
ନାସିକ୍ୟ ବ୍ୟଞ୍ଜନର ସାନ୍ନିଧ୍ୟ ନଥାଇ ମଧ୍ୟ ଯଦି କୌଣସି ବ୍ୟଞ୍ଜନରେ ନାସିକ୍ୟତା ଯୁକ୍ତ ହେଲେ ତାହାକୁ ‘ସ୍ୱତଃ ନାସିକ୍ୟଭବନ’ କୁହାଯାଏ । କେତେକ ସ୍ଥଳରେ ସ୍ୱତଃ ନାସିକ୍ୟ ଧ୍ୱନିର ଆଗମ ଘଟିଥାଏ, ଯଥା –
ଓଡ଼ିଆ କଳାହାଣ୍ଡିଆ
କାଚ କାଁଚ
ସାପ ସାଁପ୍
ଆଖି ଆଏଁଖ୍
ନାକ ନାଁକ୍
(୧୧) ନାସିକ୍ୟଭବନ
ନାସିକ୍ୟ ବ୍ୟଞ୍ଜନର ସଂସ୍ପର୍ଶ ହେତୁ ଅନୁନାସିକ୍ୟ ବ୍ୟଞ୍ଜନ ନାସିକ୍ୟତା ଯୁକ୍ତ ହେଲେ ନାସିକ୍ୟ ଭବନ ଘଟେ । କେତେକ ସ୍ଥଳରେ ଅଳ୍ପପ୍ରାଣ ବ୍ୟଞ୍ଜନ ଧ୍ୱନି ନାସିକ୍ୟ ବ୍ୟଞ୍ଜନ ଧ୍ୱନିରେ ମଧ୍ୟ ପରିଣତ ହୋଇଥାଏ, ଯଥା –
ଓଡ଼ିଆ କଳାହାଣ୍ଡିଆ
ଦେବି ଦେମି
କରିବି କର୍ମି
ଖାଇବି ଖାଇମି
ଶୋଇବି ଶୋଇମି
ପଢ଼ିବି ପଢ଼ମି
ରାନ୍ଧିବି ରାନ୍ଧ୍ମି
(୧୨) ମୂର୍ଦ୍ଧନୀ ଭବନ
‘ଶ୍’ ‘ଷ୍’ ‘ସ୍’ ପ୍ରଭୃତି ଧ୍ୱନି ସଂସ୍ପର୍ଶରେ ଆସିଲେ ଅନେକ ସମୟରେ ଦନ୍ତ୍ୟ ବ୍ୟଞ୍ଜନ ଧ୍ୱନି ମୂର୍ଦ୍ଧନ୍ୟ ଧ୍ୱନିରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ‘ମୂର୍ଦ୍ଧନ୍ୟ ଭବନ’ କୁହାଯାଏ । ଆଉ କେତେକ ସ୍ଥଳରେ ‘ଡ଼’ ‘ଢ’ ଧ୍ୱନିର ‘ର’ ତାଡ଼ିତ ବତ୍ସ୍ୟରେ ପରିବର୍ତ୍ତନ ଘଟେ। ଯଥା –
ଓଡ଼ିଆ କଳାହାଣ୍ଡିଆ
ମାଙ୍କଡ଼ ମାକର
ଗୁଡ଼ ଗୁର୍
ଚୁଡ଼ା ଚୁରା
କୁଡ଼ିଆ କୁରିଆ
ଚୁଡ଼ି ଚୁରି
(୧୩) ସ୍ୱତଃ ମୂର୍ଦ୍ଧନ୍ୟ ଭବନ
‘ସ’ର ସଂସ୍ପର୍ଶ ନଥାଇ ମଧ୍ୟ ଦନ୍ତ୍ୟ ବ୍ୟଞ୍ଜନ ମୂର୍ଦ୍ଧନ୍ୟ ବ୍ୟଞ୍ଜନରେ ପରିଣତ ହୋଇଯାଏ, ତେବେ ଏହି ପ୍ରକ୍ରିୟାକୁ ‘ସ୍ୱତଃ ମୂର୍ଦ୍ଧନ୍ୟଭବନ’ କୁହାଯାଏ । ମୂର୍ଦ୍ଧନ୍ୟ ‘ଶ’,
‘ଣ’ ଧ୍ୱନି କଳାହାଣ୍ଡିଆ ଭାଷାରେ ‘ନ’ ଧ୍ୱନିରେ ପରିଣତ ହୋଇଥାଏ । ଯଥା –
ଓଡ଼ିଆ କଳାହାଣ୍ଡିଆ
ଘଣା ଘନା
ଚଣା ଚନା
ପଣସ ପନସ୍
କୋଣ କୁନ୍
ଶୁଣ ଶୁନ୍
(୧୪) ପାଶ୍ୱର୍ିକୀଭବନ
କଳାହାଣ୍ଡିଆ ଭାଷାରେ ଏକ ପାଶ୍ୱର୍ିକ ଧ୍ୱନି ‘ଳ’ ଦ୍ୱିପାଶ୍ୱର୍ିକ ଧ୍ୱନି ‘ଲ’ରେ ପରିଣତ ହୁଏ, ଯଥା –
ଓଡ଼ିଆ କଳାହାଣ୍ଡିଆ
ତଳ ତଲ୍
ବେଳ ବେଲ୍
ସାବଳ ସାବଲ୍
ଦୁର୍ବଳ ଦୁର୍ବଲ୍
ମୂଳ ମୂଲ
ତାଳୁ ତାଲୁ
ବିମଳ ବିମଲ
ଉପସଂହାର
ଭାଷା ଏକ ନିର୍ଦ୍ଦିଷ୍ଟ ସୀମାରେ ଆବଦ୍ଧ ଥାଏ । ଏହି ସୀମା ବଦ୍ଧ କ୍ଷେତ୍ର ହିଁ ବାସ୍ତବ ଚିତ୍ର । ଏହି ସୀମାରେ ଭାଷାଟି ନିଜର କାୟାରୂପ ନେଇଥାଏ । ସେହି ସୀମାରୁ ବାହାରକୁ ଗଲେ ଭାଷାର ବିଭିନ୍ନ ରୂପ ଦେଖିବାକୁ ମିଳେ । କଳାହାଣ୍ଡିଆ ଭାଷା କଳାହାଣ୍ଡି ଜିଲ୍ଲାରେ ହିଁ ପ୍ରଚଳିତ । କଳାହାଣ୍ଡି ଜିଲ୍ଲାର ନାମାନୁଯାୟୀ କଳାହାଣ୍ଡିଆ ଭାଷା କୁହାଯାଇଛି । ଏହା ଏକ ସ୍ଥାନିତ କଥିତ ଭାଷା । କଥନଶୈଳୀ ତଥା ଉଚ୍ଚାରଣ ଦୃଷ୍ଟିରୁ ଏହି ଭାଷାର ଧ୍ୱନି ପରିବର୍ତ୍ତିତ ହୋଇଥାଏ । ଭାଷାର ଗୋଟିଏ ଧର୍ମ ହେଉଛି ଜଟିଳରୁ ସରଳ ଆଡ଼କୁ ଗତି କରିବା । କଳାହାଣ୍ଡିଆ ଭାଷା ସହଜ, ସରଳ ହୋଇଥିବା ଯୋଗୁଁ ସମସ୍ତଙ୍କୁ ଶବ୍ଦାର୍ଥ ଉଚ୍ଚାରଣ କରିବାରେ ଆହ୍ଲାଦଭାବ ହୃଦୟରେ ଜାଗ୍ରତ କରିଥାଏ । କଳାହାଣ୍ଡିଆ ଭାଷାରେ ଅଧିକାଂଶ ଧୂନି ପରିବର୍ତ୍ତନ ଦିଗ ଓ କାରଣଗୁଡ଼ିକ ଦେଖିବାକୁ ମିଳେ, ତା’ସହ ଧ୍ୱନିତତ୍ତ୍ୱ ଓ ଶବ୍ଦତତ୍ତ୍ୱର ବୈଚିତ୍ର୍ୟ ମହତ୍ତ୍ୱକୁ ଅକ୍ଷୁର୍ଣ୍ଣ ରଖିଅଛି ।
ସହାୟକ ଗ୍ରନ୍ଥାବଳୀ
(୧) କଳାହାଣ୍ଡିର ଲୋକ ସଂସ୍କୃତି – ଡ. ପ୍ରୟୋଗତତ୍ତ ଯୋଶୀ
(୨) ଓଡ଼ିଆ ଭାଷାତତ୍ତ୍ୱ – ଡ. ବଂଶୀଧର ମହାନ୍ତି
(୩) ଭାଷା ବିଜ୍ଞାନର ରୂପରେଖ – ଡ. ବାସୁଦେବ ସାହୁ
(୪) କଳାହାଣ୍ଡିର ଲୋକ ସାହିତ୍ୟ – ଗବେଷକ ପରମେଶ୍ୱର ମୁଣ୍ଡ