ଶତ ବର୍ଷରେ ଋତ୍ଵିକ ଘଟକ

ଚଳଚ୍ଚିତ୍ର, ନାଟକ, ସାହିତ୍ୟ, ସଂଗୀତ: ସୃଜନର ସବ୍ୟସାଚୀ

11 Min Read

ଋତ୍ଵିକ ଘଟକ କେବଳ ଜଣେ ଚଳଚ୍ଚିତ୍ରକାର ନୁହଁ, ସେ ଜୀବନକୁ ତାଙ୍କ ଚଳଚ୍ଚିତ୍ରରେ ଅନୁଭବ କରିଥିଲେ। ଦେଶ ବିଭାଜନ, ଶରଣାର୍ଥୀ ଜୀବନ, ଅସମତା ଏବଂ ସାମାଜିକ ବିପ୍ଳବ ତାଙ୍କ କାହାଣୀର ମୂଳ କଥାଥିଲା। “ମେଘେ ଢାକା ତାରା” ହେଉ କି “ସୁବର୍ଣ୍ଣରେଖା”, ଘଟକଙ୍କ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁଯାଏ । ଅନେକ ସଫଳତା ଓ ବିଫଳତା ଭିତରେ, ତାଙ୍କ ଦୃଷ୍ଟିକୋଣ ଆଜି ବି ଚଳଚ୍ଚିତ୍ରପ୍ରେମୀମାନଙ୍କ ପାଇଁ ପ୍ରେରଣାର ବିଷୟ ହୋଇ ରହିଛି । ଏହି ଲେଖା ମାଧ୍ୟମରେ ଲେଖକ ଡ. ମୃଣାଳ ଚାଟାର୍ଜୀ ଏକ ପ୍ରୟାସ କରିଛନ୍ତି ଋତ୍ଵିକ ଘଟକଙ୍କ ଜୀବନ ଏବଂ କଳାର ଅନ୍ତଃର୍ନିହିତ ବାର୍ତ୍ତାକୁ ଆଉଥରେ ଜୀବନ୍ତ କରି ପ୍ରକାଶ କରିବାପାଇଁ । – ସମ୍ପାଦକ

Support Samadhwani

ଭାରତରେ ମନନଶୀଳ ଜୀବନବାଦୀ ଚଳଚିତ୍ର ଜଗତର ପଥିକୃତ ଭାବେ ଯେଉଁମାନଙ୍କର ନାଁ ଆଲୋଚିତ ହୁଏ ସେମାନଙ୍କ ଭିତରେ ଆଗଧାଡିରେ ଅଛନ୍ତି ଋତ୍ଵିକ ଘଟକ । ସତ୍ୟଜିତ ରାୟ, ମୃଣାଳ ସେନ ଏବଂ ଋତ୍ଵିକ ଘଟକ – ତ୍ରିମୁର୍ତ୍ତି ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଆରମ୍ଭ କରିଥିଲେ । ଏମାନଙ୍କ ଭିତରେ ଅନେକ ସାମଞ୍ଜସ୍ୟ ରହିଛି ।  ଏମାନେ ସମସ୍ତେ ଚଳଚ୍ଚିତ୍ର ନିର୍ମାଣ ଛଡ଼ା ଲେଖାଲେଖିରେ ମଧ୍ୟ ସକ୍ରିୟ ଥିଲେ ।  ସତ୍ୟଜିତ ରାୟ ଗଳ୍ପ, ଉପନ୍ୟାସ, ଚିତ୍ରନାଟ୍ୟ ଲେଖିବା ସହିତ ଗୀତ ଲେଖୁଥିଲେ, ସଂଗୀତ ନିର୍ଦେଶନା ଦେଉଥିଲେ, ପୋଷ୍ଟର ଏବଂ ପୋଷାକ ମଧ୍ୟ ଡିଜାଇନ କରୁଥିଲେ ।  ମୃଣାଳ ସେନ ବିଭିନ୍ନ ବିଷୟରେ ବହି ଲେଖିଛନ୍ତି ।  ସଂଯୋଗର କଥା ଯେ ଏ ତିନିଜଣଙ୍କ ଜନ୍ମ ପାଖାପାଖି ସମୟରେ ହୋଇଥିଲା ।  ସତ୍ୟଜିତ ରାୟଙ୍କ ଜନ୍ମ 1921ରେ ।  ମୃଣାଳ ସେନଙ୍କ 1923ରେ ।  ଆଉ ଋତ୍ଵିକ ଘଟକଙ୍କ 1925ରେ ।  ମୃଣାଳ ସେନ ଏବଂ ଋତ୍ଵିକ ଘଟକଙ୍କ ଜନ୍ମ ପୂର୍ବବଙ୍ଗ ବା ବର୍ତ୍ତମାନର ବାଂଲାଦେଶରେ ।  ଉଭୟଙ୍କ ପରିବାର ଦେଶ ବିଭାଜନ ବେଳେ ନିଜ ଘର ଛାଡ଼ି ପଶ୍ଚିମବଙ୍ଗକୁ ଚାଲି ଆସନ୍ତି ।  ଉଭୟେ ଦେଶ ବିଭାଜନର କଷ୍ଟ ଓ ଯନ୍ତ୍ରଣା ଅଙ୍ଗେ ନିଭେଇଛନ୍ତି ।  ସେମାନଙ୍କ ବ୍ୟକ୍ତିଗତ ଅଭିଜ୍ଞତା ସେମାନଙ୍କ ଚଳଚିତ୍ରରେ ପରିସ୍ଫୁଟିତ ହୋଇଛି , ବିଶେଷ କରି ଋତ୍ଵିକ ଘଟକଙ୍କ ଚଳଚ୍ଚିତ୍ରରେ ।  ବ୍ୟକ୍ତି ଉପରେ ଦେଶ ବିଭାଜନର ପ୍ରଭାବର ବିଭିନ୍ନ ପରତକୁ ସେ ଅତ୍ୟନ୍ତ ମାର୍ମିକ ଭାବରେ ଫୁଟେଇ ତୋଳିଛନ୍ତି ।  ଶରଣାର୍ଥୀ ଭାବରେ ଆତ୍ମପରିଚୟହୀନତାର ବେଦନା, ହଠାତ ଦାରିଦ୍ର୍ୟର ଗ୍ଲାନି, ବଞ୍ଚିବାର ସଂଘର୍ଷ – ତାଙ୍କ ଚଳଚ୍ଚିତ୍ରରେ ଫୁଟିଉଠେ ।

ଋତ୍ଵିକ ଘଟକ ଆଠଟି ପୂର୍ଣ୍ଣାଙ୍ଗ ଫିଚର ଫିଲ୍ମ ତିଆରି କରିଛନ୍ତି ।  ସେଗୁଡିକ ହେଲା ନାଗରିକ, (୧୯୫୧-୨ ମୁକ୍ତିଲାଭ କଲା ୧୯୭୭), ଅଯାନ୍ତ୍ରିକ (୧୯୫୮), ବାଡି ଥିକେ ପାଲିଏ (୧୯୫୮), ମେଘେ ଢାକା ତାରା (୧୯୬୦), କୋମଲ ଗାନ୍ଧାର (୧୯୬୧), ସୁବର୍ଣ୍ଣରେଖା (୧୯୬୨ ମୁକ୍ତିଲାଭ କଲା ୧୯୬୫) ।  ତିତାସ ଏକଟି ନଦୀର ନାମ୍ (୧୯୭୩),  ଯୁକ୍ତି ତର୍କ ଆର ଗପ (୧୯୭୭) । ଏଥିରୁ ଅନ୍ତତ ୬ଟି ଚଳଚ୍ଚିତ୍ରର କାହାଣୀ/ପ୍ରେକ୍ଷାପଟରେ ରହିଛି ଦେଶ ବିଭାଜନ ।  ସେଥିପାଇଁ ତାଙ୍କୁ ଅନେକେ ‘ବିଭାଜନର ରୂପକାର ‘ ବୋଲି କହନ୍ତି ।

ଚଳଚିତ୍ର ନିର୍ମାଣ ଛଡା  ବହୁ ଚଳଚ୍ଚିତ୍ରର କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଛନ୍ତି ସେ ।  ତା ଭିତରେ ରହିଛି ମୁସାଫିର (୧୯୫୭), ମଧୁମତୀ  (୧୯୫୮), ସ୍ୱରଲିପି (୧୯୬୦), କୁମାରୀ ମନ (୧୯୬୨) ଦ୍ୱୀପେର ନାମ ଟିଆରଙ୍ଗ (୧୯୬୩), ରାଜକନ୍ୟା (୧୯୬୫) ଆଉ ହୀରାର ପ୍ରଜାପତି (୧୯୬୮) ।

Support Samadhwani

କିଛି ଚଳଚ୍ଚିତ୍ରରେ ସେ ଅଭିନୟ ବି କରିଛନ୍ତି । ତା ଭିତରେ ରହିଛି ତଥାପି (୧୯୫୦), ଛିନ୍ନମୁଲ (୧୯୫୧), କୁଆଁରୀ ମନ (୧୯୫୨), ସୁବର୍ଣ୍ଣରେଖା (୧୯୬୨ ମୁକ୍ତିଲାଭ କରିଥିଲା ୧୯୬୫), ତିତାସ ଏକଟି  ନଦୀର ନାମ (୧୯୭୩) ଏବଂ ଯୁକ୍ତି ତର୍କ ଆର ଗପ (୧୯୭୭) ।

ସେ ବେଶ୍ କିଛି ତଥ୍ୟ ଚିତ୍ର ଏବଂ ସର୍ଟ ଫିଲ୍ମ କରିଛନ୍ତି ।  ତା ଭିତରୁ ଉଲ୍ଲେଖଯୋଗ୍ୟ ହେଲା ଦି ଲାଇଫ୍ ଅଫ ଦି ଆଦିବାସିଜ୍ (୧୯୫୫), ଉସ୍ତାଦ ଆଲ୍ଲାଉଦ୍ଦିନ ଖାଁ (୧୯୬୩), ପୁରୁଲିଆର ଛଉ, ଛଉ ଡ୍ୟାନସ ଅଫ ପୁରୁଲିଆ (୧୯୭୦), ଦୁର୍ବର ଗତି (ପଦ୍ମା ଦ ଟରବୁଲାଣ୍‌ଟ ପଦ୍ମା ୧୯୭୧), ସାଇଣ୍‌ଟିଷ୍ଟ ଅଫ ଟୁମରୋ (୧୯୬୭) । କିଛି ତଥ୍ୟଚିତ୍ର ଏବଂ ଚଳଚ୍ଚିତ୍ର ସେ ଆରମ୍ଭ କରିଥିଲେ କିନ୍ତୁ ଶେଷ କରିଯାଇ ପାରି ନାହାନ୍ତି । ତା ଭିତରୁ ଉଲ୍ଲେଖଯୋଗ୍ୟ ତଥ୍ୟଚିତ୍ର ହେଲା ରାମକିଙ୍କର (୧୯୭୫) ।

ଋତ୍ଵିକ ଘଟକଙ୍କ ଜନ୍ମ ୧୯୨୫ ମସିହା ନଭେମ୍ବର ଚାରି ତାରିଖ ଅବିଭକ୍ତ ଭାରତର (ବର୍ତ୍ତମାନ ବାଂଲାଦେଶ) ରାଜସାହି ସହରରେ । ବାପାଙ୍କ ନାଁ ସୁରେଶ ଚନ୍ଦ୍ର ଘଟକ , ମା ଇନ୍ଦୁଵାଲା  ଦେବୀ । ସମ୍ପନ୍ନ ପରିବାର ।  ବାପା ଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ।  ପରିବାରରେ ସାହିତ୍ୟ ଚର୍ଚ୍ଚାର ଚଳଣି ଥିଲା ।  ବାପା କବିତା, ନାଟକ ଲେଖୁଥିଲେ ।  ବଡ଼ଭାଇ ମନୀଷ ଘଟକ (ଛଦ୍ମନାମ: ଯୁବନ। ସ୍ୱ) ମଧ୍ୟ କବିତା ଲେଖୁଥିଲେ ।  ପରବର୍ତ୍ତୀ ସମୟରେ ସେ ବିଖ୍ୟାତ ସାହିତ୍ୟିକ ହୋଇଥିଲେ ।

ପିଲାବେଳେ ସେ କିଛିଦିନ  ତାଙ୍କ ବଡଭାଇ ମନିଷ ଘଟକଙ୍କ ସହିତ କଲିକତାରେ ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ସେ ରାଜସାହିକୁ ଫେରି ଆସନ୍ତି । ସେଠି ତାଙ୍କ ପୈତୃକ ଘରେ ତାଙ୍କର ଶୈଶବ, ଏବଂ କୈଶୋର କଟିଛି । ୧୯୪୭ରେ ଦେଶଭାଗ ପରେ ତାଙ୍କ ପରିବାର କଲିକତାକୁ ଚାଲି ଯାଆନ୍ତି । ତାଙ୍କ ପାଠପଢ଼ା ଆରମ୍ଭ ମୈମନସିଂର ମିଶନ ସ୍କୁଲରେ । ପରବର୍ତ୍ତୀ ସମୟରେ ସେ କଲିକତାର ବାଲିଗଞ୍ଜ ସ୍କୁଲରେ ଭର୍ତ୍ତି ହୁଅନ୍ତି ।

୧୯୫୮ରେ ସେ  ବହରମପୁର କୃଷ୍ଣନାଥ କଲେଜରୁ ଗ୍ରାଜୁଏସନ ଶେଷ କରନ୍ତି । କଲିକତା ବିଶ୍ୱବିଦ୍ୟାଳୟରେ ଏମ. ଏ.  କ୍ଲାସରେ ଭର୍ତ୍ତି  ହୁଅନ୍ତି ।  ଏଇ ସମୟରୁ ସେ ବିଭିନ୍ନ ପତ୍ରପତ୍ରିକାରେ ଲେଖାଲେଖି ସହିତ ଯୁକ୍ତ ହୁଅନ୍ତି । ଋତ୍ଵିକ ଏମ. ଏ. ସଂପୁର୍ଣ୍ଣ  କରି ପାରି ନଥିଲେ ।  “କାରଣ ତାଙ୍କ ପାଖରେ ଡିଗ୍ରୀ ଅର୍ଜନଠୁ ଲେଖକ ହେବା ଥିଲା ଅଧିକ ଜରୁରୀ” ।  ସେ ସମୟରେ ସେ  ଦେଶ, ଶନିବାର ଚିଠି, ଅଗ୍ରଣୀ ଭଳି ବିଭିନ୍ନ ପତ୍ରିକାରେ ଲେଖାଲେଖି ଆରମ୍ଭ କରନ୍ତି । ସେ ଅନେକ ଗଳ୍ପ ଲେଖିଛନ୍ତି ।  ତାଙ୍କ ଗଳ୍ପଗୁଡିକରେ ଦେଶ ବିଭାଜନ, ଶରଣାର୍ଥୀ ଜୀବନର ଦୁଃଖ, ନଷ୍ଟାଲଜିଆ ସହିତ ସାଧାରଣ ପ୍ରାନ୍ତୀୟ ଲୋକଜୀବନ, ଜୀବନ ଓ ଜୀବିକାର ସଂଘର୍ଷ ପରିସ୍ଫୁଟିତ ହୋଇଛି ।

ଏଇ ସମୟରେ ସେ ବାମପନ୍ଥୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୁଅନ୍ତି ।   ସେ ସମୟର ସାମାଜିକ ପରିବେଶ- ଦାରିଦ୍ର୍ୟ, ବେକାରୀ – ତାଙ୍କୁ ଗଭୀର ଭାବେ ଆଲୋଡିତ କରେ ।  ପତ୍ରିକାରେ ଲେଖାଲେଖି ସହିତ ମଂଚ ନାଟକକୁ ମଧ୍ୟ ସେ ପ୍ରତିବାଦର ଭାଷା ଭାବରେ ବାଛି ନେଇଥିଲେ । ସେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ ) ଏବଂ ଭାରତୀୟ ଗଣନାଟ୍ୟ ସଂଘ (ଆଇ ପି ଟି ଏ) ସହିତ ଯୋଡ଼ି ହୁଅନ୍ତି ।  ୧୯୪୮ ମସିହାରେ ସେ ତାଙ୍କର ପ୍ରଥମ ନାଟକ ଲେଖନ୍ତି -‘କାଲୋ ଶାୟର’ ବା କଳା ହ୍ରଦ । ୧୯୫୧ ମସିହାରେ ଋତ୍ଵିକ ଘଟକ ଭାରତୀୟ ଗଣନାଟ୍ୟ ସଂଘରେ ଯୋଗ ଦିଅନ୍ତି । ୧୯୫୨ ମସିହାରେ ସେ ଦଲିଲ୍ ନାମକ ଗୋଟେ ନାଟକ କରନ୍ତି । ଏ ନାଟକଟି ୧୯୫୩ ମସିହାରେ ଇଣ୍ଡିଆନ ପିପୁଲ୍‌ସ ଥିଏଟର ଆସୋସିଏସନରେ ପ୍ରଥମ ପୁରଷ୍କାର ଲାଭ କରେ । ଧୀରେ ଧୀରେ ଗଳ୍ପ ଲେଖିବା ବଦଳରେ ନାଟକ ପ୍ରତି ତାଙ୍କର ଆଗ୍ରହ ବଢେ ।  ବହୁ ନାଟକ ରଚନା କରିଛନ୍ତି ସେ । ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ମଞ୍ଚ ନାଟକ ହେଲା ‘ମୋରୋଗେର ଡାକ’ ।

ଋତ୍ଵିକ ଘଟକଙ୍କର ଚଳଚ୍ଚିତ୍ରରେ ଆଗମନ ପରିଚାଳକ ନିମାଇ ଘୋଷଙ୍କ ହାତଧରି ।  ନିମାଇ ଘୋଷ ଭାରତବର୍ଷରେ ପ୍ରଥମ ଦେଶ ବିଭାଜନ ଉପରେ ଚଳଚ୍ଚିତ୍ରଟିଏ କରିଥିଲେ ‘ଛିନ୍ନମୂଳ’ । ଏ ଚଳଚ୍ଚିତ୍ରରେ  ରିତିକ୍ ଘଟକ ସହକାରୀ ପରିଚାଳକ ଥିଲେ ଏବଂ ଏଥିରେ ସେ ଅଭିନେତା ଭାବରେ ମଧ୍ୟ କାମ କରନ୍ତି । ଭାରତୀୟ ସିନେମାରେ ବାସ୍ତବତା ପ୍ରଦର୍ଶନର ଧାରାକୁ  ସୃଷ୍ଟି କରିବା ଦିଗରେ ଛିନ୍ନମୂଳ ଥିଲା ଏକ  ଉଲ୍ଲେଖଯୋଗ୍ୟ ଚଳଚ୍ଚିତ୍ର ।

ଋତ୍ଵିକ ଘଟକଙ୍କର ପରିଚାଳିତ ପ୍ରଥମ ଚଳଚ୍ଚିତ୍ର ହେଲା ‘ନାଗରିକ’ ।  1951ରେ ତିଆରି ଏ ଚଳଚ୍ଚିତ୍ରଟି ତାଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିଲା ।  ବିଷୟବସ୍ତୁ ଥିଲା ବଙ୍ଗଳାର ବେକାରୀ ସମସ୍ୟା । ‘ନାଗରିକ’ର ବେଶ୍ କିଛି ବର୍ଷ ପରେ ସତ୍ୟଜିତ ରାୟ ସମାନ ବିଷୟ ଉପରେ ତିଆରି କରିଥିଲେ ‘ପ୍ରତିଦ୍ୱନ୍ଦୀ’ ଏବଂ ‘ଜନଅରଣ୍ୟ’ ଭଳି ଚଳଚ୍ଚିତ୍ର ।

ତାଙ୍କ  ପ୍ରଥମ ମୁକ୍ତିପ୍ରାପ୍ତ ପୂର୍ଣ୍ଣଦୈର୍ଘ୍ୟ ଚଳଚ୍ଚିତ୍ର ହେଲା ‘ଆଯ। ନ୍ତ୍ରିକ’ । ସୁବୋଧ ଘୋଷଙ୍କର ଛୋଟ ଗଳ୍ପ ଆଧାରରେ ନିର୍ମିତ ଏ ଚଳଚ୍ଚିତ୍ରଟିରେ ଜଣେ ମଣିଷ ଆଉ ଯନ୍ତ୍ର (ଏ କ୍ଷେତ୍ରରେ ଗୋଟେ ପୁରୁଣା କାର) ଭିତରେ ସମ୍ପର୍କ ତାକୁ ନେଇ ଏ ଚଳଚ୍ଚିତ୍ରଟି ସେ ସମୟରେ ସାରା ଭାରତରେ  ଆଲୋଡନ ସୃଷ୍ଟି କରିଥିଲା । ‘ଆଯା ନ୍ତ୍ରିକ’ର କାହାଣୀ ଓଡ଼ିଆ ପାଠକ/ଦର୍ଶକଙ୍କୁ ‘ମାଗୁଣିର ଶଗଡ଼’ କଥା ମନେ ପକେଇ ଦେବ ।  ଆଉ ଏହାର ଚଳଚିତ୍ରାୟନ ମଣିଷର ସମ୍ପର୍କ ସ୍ଥାପନର ବିଭିନ୍ନ ସୋପାନକୁ ଦର୍ଶାଇ ଦେବ ।  ମଣିଷ ଗୋଟେ ଭରଚୁଆଲ ଜଗତ ଗଢ଼ିତୋଳେ ଆଉ ସେ ତା’ର ଆବେଗକୁ ତାର ଟାକ୍ସି ସହିତ ଯୋଗଯୋଗ କରେ ଆଉ ଯନ୍ତ୍ରଟି ତାର ସ୍ନେହ ଆଉ ବିରକ୍ତି ବି ଦର୍ଶାଏ । ଆଜି ଯେତେବେଳେ ଅଧିକାଂଶ ଲୋକ ନିଜକୁ ଗ୍ୟାଜେଟ ଏବଂ ସୋସିଆଲ ନେଟୱାର୍କିଂରେ ନିମଜ୍ଜିତ କରୁଛନ୍ତି ଏ ସିନେମାଟି ସେ ସମୟରେ ଏଇ ବିଷୟକୁ  ହିଁ ରେଖାଙ୍କିତ କରିଥିଲା ।

୧୯୫୮ରେ ପିଲାମାନଙ୍କ ପାଇଁ ଗୋଟେ ସିନେମା କରିଥିଲେ ‘ବାଡି ଥେକେ ପାଲିଏ’  (ଘରୁ ପଳେଇ) । ଶିବରାମ ଚକ୍ରବର୍ତ୍ତୀଙ୍କ ଗଳ୍ପ ଅଵଲମ୍ବନରେ ତିଆରି ଏ ଚଳଚ୍ଚିତ୍ରଟିକୁ ଅନେକେ ଭାରତର ପ୍ରଥମ ଶିଶୁ -କିଶୋର ଚଳଚ୍ଚିତ୍ରର ମାନ୍ୟତା ଦିଅନ୍ତି।   ଏଥିରେ ବାପାଙ୍କ କଡ଼ା ଶାସନ ଡରରେ ଘରୁ ପଳେଇଯାଇଥିବା ଜଣେ କିଶୋରର କାହାଣୀ କୁହାଯାଇଛି ।  ଘରୁ ଚାଲିଯାଇ ସେ ବିଭିନ୍ନ ଧରଣର ଲୋକଙ୍କ ସଂସ୍ପର୍ଶରେ ଆସେ ।  ଜୀବନର ଭଲମନ୍ଦ, ଲୋକ ଚରିତ୍ର, ଗୋଟେ ସହରର ଚରିତ୍ର ସହିତ  ପରିଚୟ ହୁଏ ।

1960ରେ ମୁକ୍ତିଲାଭ କରେ ଦେଶ ବିଭାଜନ ପ୍ରେକ୍ଷାପଟରେ ଶକ୍ତିପଦ ରାଜଗୁରୁଙ୍କ ଉପନ୍ୟାସ ଅଵଲମ୍ବନରେ ‘ମେଘେ ଢାକା ତାରା’ । ଏ ଚଳଚ୍ଚିତ୍ରଟି ବିଦଗ୍ଧ ଏବଂ ସାଧାରଣ ଦର୍ଶକ ଉଭୟେ ପସନ୍ଦ କରନ୍ତି ।  ସାରା ବିଶ୍ୱରେ ଦେଶ ବିଭାଜନ ଉପରେ ତିଆରି ଚଳଚ୍ଚିତ୍ର ଭିତରୁ ଏହା ଅନ୍ୟତମ ଶ୍ରେଷ୍ଠ ବୋଲି ଚଳଚ୍ଚିତ୍ର-ବୋଦ୍ଧ। ମାନଙ୍କ ମତ ।

ପରବର୍ଷ ମୁକ୍ତି ଲାଭ କଲା ଦେଶ ବିଭାଜନ ପ୍ରେକ୍ଷାପଟରେ ତିଆରି ତାଙ୍କର ଆଉ ଏକ ଚଳଚ୍ଚିତ୍ର : ‘କୋମଲ ଗାନ୍ଧାର’ ।  ଏଥିରେ ଦେଶ ବିଭାଜନ ପ୍ରେକ୍ଷାପଟରେ ଦ୍ରୁତ ବଦଳୁଥିବା ସମାଜର ଚିତ୍ର ତୋଳି ଧାରା ହୋଇଛି ।  ଏ ଚଳଚ୍ଚିତ୍ରଟି କିନ୍ତୁ ବ୍ୟବସାୟିକ ସଫଳତା ହାସଲ କରି ପାରିଲା ନାହିଁ ।

1962 ରେ ସେ ତିଆରି କଲେ ‘ସୁବର୍ଣ୍ଣରେଖା’ । ଦେଶ ବିଭାଜନ ପରେ ପୂର୍ବ ପାକିସ୍ଥାନରୁ ଭାରତକୁ ଚାଲି ଆସିଥିବା ଜଣେ ହିନ୍ଦୁ ଶରଣାର୍ଥୀ ଆଉ ତାଙ୍କ ଭଉଣୀଙ୍କ କାହାଣୀ ।  ‘ମେଘେ ଢାକା ତାରା’, ‘କୋମଲ ଗାନ୍ଧାର’ ଆଉ ‘ସୁବର୍ଣ୍ଣରେଖା’- ଏ ତିନିଟି ଚଳଚ୍ଚିତ୍ରକୁ ଏକାଠି ପାରଟିସନ ଟ୍ରିଲୋଜି  ବା ‘ବିଭାଜନ ତ୍ରୟୀ’ ବୋଲି କୁହ। ଯାଏ ।

ସୁବର୍ଣ୍ଣରେଖା ଚଳଚ୍ଚିତ୍ରଟି ସଂଗେ ସଂଗେ ମୁକ୍ତି ଲାଭ କରି ପାରିଲାନି ।  କ୍ରମାଗତ ଦୁଇଟି ଫିଲ୍ମର ବ୍ୟବସାୟିକ ଅସଫଳତା ତାଙ୍କୁ ମାନସିକ ଭାବେ ଦେଶ ପ୍ରଭାବିତ କଲା ।  ସେ କ୍ରମଶଃ ମଦ୍ୟପାନରେ ଆସକ୍ତ ହୋଇ ପଡ଼ିଲେ ।  ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନ କରି ଅନେକ ଗୁଡିଏ ବୃତ୍ତ ଓ ତଥ୍ୟ ଚିତ୍ର କଲେ ।

୧୯୬୫ରେ ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଭିଜିଟିଂ ପ୍ରଫେସର ଭାବରେ ଯୋଗ ଦିଅନ୍ତି । ପରବର୍ତ୍ତୀ ସମୟରେ ସେ ସେଠିକାର ଭାଇସ୍ ପ୍ରିନ୍‌ସପାଲ ହୁଅନ୍ତି । ସେଠି ଥିବାବେଳେ ସେ ଶିକ୍ଷାର୍ଥୀମାନଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ସହିତ ଜଡିତ ଥିଲେ ।

‘ସୁବର୍ଣ୍ଣରେଖା’ର ଦଶ ବର୍ଷ ପରେ ୧୯୭୨ ମସିହାରେ ପୁଣି ଚଳଚ୍ଚିତ୍ର ନିର୍ମାଣକୁ ଫେରନ୍ତି ସେ ଆଉ ଏ ସମୟରେ ସେ ଅଦୈତ ମଲ୍ୟବର୍ମନଙ୍କ ଉପନ୍ୟାସ ଅଵଲମ୍ବନରେ ‘ତିତାସ ଏକ ନଦୀର ନାମ’ ଚଳଚ୍ଚିତ୍ରଟି କରନ୍ତି । ଏହାର ପ୍ରଯୋଜକ ଏବଂ ଅନେକ କଳାକାର ଥିଲେ ବାଂଲାଦେଶର । ତିତାସ ନଈ କୂଳରେ ବାସ କରୁଥିବା ମତ୍ସଜୀବୀମାନଙ୍କୁ ନେଇ ଗଢି ଉଠିଛି ଏହାର କାହାଣୀ ।

ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା : ‘ଯୁକ୍ତି ତର୍କ ଆର ଗଳ୍ପ’ ।  ଏହାର ମୁଖ୍ୟ ଚରିତ୍ର ନୀଳକଣ୍ଠ ବାଗଚି ।  ଜଣେ ନିଶାସକ୍ତ ବୁଦ୍ଧିଜୀବୀ, ଯିଏ ଅନ୍ୟମାନଙ୍କ ଭଳି ଅର୍ଥ ପାଇଁ ନିଜକୁ ବିକ୍ରି କରି ଦେଇ ନାହିଁ ।  ଋତ୍ଵିକ ଘଟକ ଏଇ ଭୂମିକାରେ ଅଭିନୟ କରିଥିଲେ ।  1974ରେ ନିର୍ମିତ ଏ  ଚଳଚ୍ଚିତ୍ରଟି ଥିଲା ଅନେକାଂଶରେ ଆତ୍ମଜୀବନୀ ମୂଳକ ।  ତାଙ୍କ ଜୀବନ, ଦର୍ଶନ ଓ ବିଭିନ୍ନ ସମସାମୟିକ ବିଷୟରେ ତାଙ୍କର ଦୃଷ୍ଟିଭଙ୍ଗି  ପରିସ୍ଫୁଟିତ ହୋଇଛି ଏଥିରେ ।  ଭବଘୁରେ ଜୀବନର ଝଲକ ମଧ୍ୟ ଏଥିରେ ଦର୍ଶା ଯାଇଛି ।  ଶତ ହତାଶା ଏବଂ ଆଶାଭଙ୍ଗତା ସତ୍ୱେ ଏକ ଆଶାର ଆଶାବାଡିକୁ ସେ ଜାବୁଡ଼ି ଧରିବାକୁ ଚାହୁଁଥିଲେ ।  ସେ ନିଜକୁ କହୁଥିଲେ ‘ବ୍ରୋକନ ଇଣ୍ଟେଲେକଚୁଆଲ’ । ତାଙ୍କ ମୃତ୍ୟୁ ପରେ 1977ରେ ଏହା ମୁକ୍ତିଲାଭ କରିଥିଲା । ଏ ଚଳଚ୍ଚିତ୍ରଟି ମୁକ୍ତି ପାଇଥିଲାବେଳେ ବକ୍ସ ଅଫିସରେ ଭଲ ଚାଲି ନ ଥିଲା ।  ବିଦଗ୍ଧ ମହଲରେ ବି ବିଶେଷ ପ୍ରସଂଶିତ ହୋଇ ନ ଥିଲା ।  ଅନେକଙ୍କୁ ଏ ସିନେମାଟି ଧୂଆଁଳିଆ ଲାଗିଥିଲା ।  ସମୟ ସହିତ ଏ ସିନେମାଟିକୁ ସିନେମା ପ୍ରେମୀମାନଙ୍କ ଶ୍ରଦ୍ଧା ଓ ସମ୍ମାନ ମିଳିଲା ।  ଏବେ ଏହାକୁ ଭାରତୀୟ ସିନେମାର ଏକ ମାଇଲ ଖୁଣ୍ଟି ବୋଲି ଧରାଯାଏ ।

ସୃଜନ କର୍ମ (ଗଳ୍ପ, ନାଟକ, ଚଳଚ୍ଚିତ୍ର) ତିଆରି କରିବା ତାଙ୍କ ପାଇଁ କେବଳ ଶିଳ୍ପ ବା ବ୍ୟବସାୟ ନଥିଲା,  ଥିଲା ଅନ୍ୟାୟ ବିରୁଦ୍ଧରେ  ପ୍ରତିବାଦର ଏବଂ ଦୁଃଖି ମଣିଷ ପ୍ରତି ସମର୍ଥନ ପ୍ରକାଶର ମାଧ୍ୟମ । ନିଜ କର୍ମ ପ୍ରତି ସେ ଅତ୍ୟନ୍ତ ପ୍ରତିବଦ୍ଧ ଥିଲେ ।  ବ୍ୟକ୍ତିଗତ ଜୀବନରେ ଅଭାବ ଅନାଟନ ଝଡଝଞ୍ଜା ଲାଗିରହିଥିଲା । ନିଶା ସେବନ ଥିଲା ତାଙ୍କର ଆଉ ଏକ ବଡ଼ ସମସ୍ୟା ।  ଜୀବନରେ ଶୃଙ୍ଖଳାର ବଡ଼ ଅଭାବ ଥିଲା ।  ଭଵଘୁରେର ଜୀବନ ହୁଏତ ତାଙ୍କର ଭାବିତବ୍ୟ ଥିଲା । ଭଲ ପାଇ ବାହା ହୋଇଥିଲେ, କିନ୍ତୁ ସାଧାରଣ ସାଂସାରିକ ଜୀବନ ଯାପନରେ ଥିଲା ପ୍ରଚଣ୍ଡ ଅନିହା ।  ଘର ଜିନିଷପତ୍ର ବିକ୍ରି କରି ମଦ ପିଇ ଦଉଥିଲେ ।  ପିଲାମାନଙ୍କୁ ମଣିଷ କରିବା ପାଇଁ ତାଙ୍କ ସ୍ତ୍ରୀ ସୁରମା ତାଙ୍କଠୁଁ ଅଲଗା ହୋଇଗଲେ ।  ‘ତିତାସ ଏକଟି ନଦୀର ନାମ’ ଚଳଚ୍ଚିତ୍ର ତିଆରି ବେଳେ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ ।  ତା ସହିତ ଥିଲା ମାତ୍ରାଧିକ ମଦ୍ୟପାନ ।

୧୯୭୦ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।  ‘ଯୁକ୍ତି ତର୍କ ଗଳ୍‌ପ’ ଚଳଚ୍ଚିତ୍ର ପାଇଁ ସେ  ଶ୍ରେଷ୍ଠ କାହାଣୀକାର  ବିଭାଗରେ ଭାରତୀୟ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଲାଭ କରନ୍ତି ୧୯୭୪ରେ । ସେହି ବର୍ଷ ‘ତିତାସ ଏକଟି ନଦୀର ନାମ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପରିଚାଳକ ବିଭାଗରେ ମଧ୍ୟ ପୁରଷ୍କାର ଲାଭ କରନ୍ତି ।

ତାଙ୍କ ଜୀବନକାଳ ଭିତରେ ତାଙ୍କ ସୃଜନ ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ହୋଇପାରି ନାହିଁ ।  ସେ ତାଙ୍କ ସମୟଠୁଁ ଅନେକ ଆଗୁଆ ଥିଲେ ।  ତାଙ୍କ କମ୍ପୋଜିସନ, ଆଲୋକର ବ୍ୟବହାର, କ୍ୟାମେରାର ବ୍ୟବହାର, ସଂଗୀତ ଓ ଆଵାହ ସଙ୍ଗୀତର ବ୍ୟବହାର ଥିଲା ନିଆରା ।  ଏବେ ସାରା ପୃଥିବୀର ଚଳଚ୍ଚିତ୍ର ନିର୍ମାଣ ଶିକ୍ଷାର୍ଥୀମାନଙ୍କ ପାଇଁ ଏବେ ଏହା ଅବଶ୍ୟ-ଦ୍ରଷ୍ଟବ୍ୟ ।

ଭାରତୀୟ ଚଳଚ୍ଚିତ୍ରଜଗତର ଧୃବତାରାଙ୍କର ଦେହାନ୍ତ ହୋଇଥିଲା ୧୯୬୬ ମସିହା ଫେବୃଆରି ୬ ତାରିଖ ।  ସେତେବେଳେ ତାଙ୍କ ବୟସ ମାତ୍ର 51 ।

Share This Article
Exit mobile version