‘ଚିତ୍ର-ଉପନ୍ୟାସ: ଚିତ୍ର ଓ ଲେଖାର ଜୈବିକ ସମନ୍ୱୟ

6 Min Read

ଚିତ୍ର-ଉପନ୍ୟାସ ବା ଗ୍ରାଫିକ୍‍-ନଭେଲ୍‍ ହେଲା ଲେଖା ଓ ଚିତ୍ରର ସମନ୍ୱୟରେ ରଚିତ କାହାଣୀ । ଉପନ୍ୟାସ ଭଳି ଏଥିରେ ପ୍ଲଟ୍‍, ଚରିତ୍ର, ଘଟଣା, ବର୍ଣ୍ଣନା- ସବୁ ଥାଏ ଲେଖା ଏବଂ ଚିତ୍ର ମାଧ୍ୟମରେ ।

Support Samadhwani

ଇତିହାସ

ଚିତ୍ର ଓ ଲେଖା ମାଧ୍ୟମରେ କାହାଣୀ ପରିବେଷଣର ଅବଧାରଣା ବହୁ ପ୍ରାଚୀନ । ଗୁମ୍ଫାଚିତ୍ର, ଇଜିପ୍ଟର ହେଇରୋଗ୍ଲାପ୍‍ସ, ରୋମାନ୍‍ ସଭ୍ୟତାରେ ସ୍ତମ୍ଭଚିତ୍ର ଆଦିରେ ଏହାର ଝଲକ ଦେଖିବାକୁ ମିଳେ ।

ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଲେଖା ବା କଥା ଓ ଚିତ୍ରର ସମନ୍ୱୟରେ କାହାଣୀଟିଏ କହିବାର ବା ଘଟଣାଟିଏ ବର୍ଣ୍ଣନା କରିବାର ଧାରା ବହୁ ପ୍ରାଚୀନ ସମୟରୁ ରହିଆସିଛି । ଉଦାହରଣ ସ୍ୱରୂପ ରାଜସ୍ଥାନର ଫାଡ୍‍ ଚିତ୍ର (ପଟ୍ଟରେ ପୁରାଣର କାହାଣୀ ଚିତ୍ରରେ ଥାଏ । ଜଣେ କଥାକାର ଗୁଡ଼ା ହୋଇଥିବା କପଡ଼ାରେ ଅଙ୍କା ଚିତ୍ର – ସ୍କ୍ରଲ୍‍ – ଦେଖାଇବା ସହିତ କାହାଣୀଟି ବର୍ଣ୍ଣନା କରନ୍ତି), ବଙ୍ଗପ୍ରଦେଶର ପଟ (ଏଥିରେ ପୌରାଣିକ କାହାଣ ସହିତ ସାମାଜିକ, ଏବଂ ସାମ୍ପ୍ରତିକ ଚାଞ୍ଚଲ୍ୟସୃଷ୍ଟିକାରୀ ଘଟଣାର ଗଳ୍ପ ମଧ୍ୟ କୁହାଯାଏ) ଏବଂ ଓଡ଼ିଶାର ଚିତ୍ର-ପୋଥି । ତାଳପତ୍ର ପୋଥିରେ ଲେଖା ଓ ଚିତ୍ରର ଏ ସମନ୍ୱୟକୁ ବର୍ତ୍ତମାନର ଗ୍ରାଫିକ୍‍ ନଭେଲ୍‍ର ପୂର୍ବସୂରି ବୋଲି କହିହେବ ।

‘ସମର ତରଙ୍ଗ’ କାବ୍ୟର ରଚୟିତା ବ୍ରଜନାଥ ବଡ଼ଜେନା (1729-1799) ନିଜ ପୁଅ ଘନଶ୍ୟାମଙ୍କ ସହିତ ମିଶି  ‘ଭାଗବତ ପୁରାଣ’ ଚିତ୍ରପୋଥି ରଚନା କରିଥିଲେ । ଏହି ଚିତ୍ରପୋଥି ଓଡ଼ିଆ ଲିପିର ବିକାଶରେ ଏକ ବିଶେଷ ଭୂମିକା ନେଇଥିଲା ବୋଲି ଭାଷା ବିଶେଷଜ୍ଞମାନେ କହନ୍ତି ।

Support Samadhwani

ପୃଥିବୀର ଅନ୍ୟାନ୍ୟ ଦେଶକୁ ଦେଖିଲେ, 1783ରେ ବାଭାରିଆ (ବର୍ତ୍ତମାନ ଜର୍ମାନୀ)ରେ ଜୋସେଫ ଫ୍ରାନଜଙ୍କ ‘ଲିଓନାର୍ଡୋ ଆଣ୍ଡ ବ୍ଳାନଡାଇନ’କୁ ଅନେକେ ପ୍ରଥମ ଗ୍ରାଫିକ ନଭେଲର ମାନ୍ୟତା ଦିଅନ୍ତି |

‘ଅଷ୍ଟାଦଶ ଶତାବ୍ଦୀର ଶେଷ – ଉନବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଜାପାନରେ ମ|ଙ୍ଗା (ଜାପାନୀ ଭାଷାରେ ଚିତ୍ର-ଉପନ୍ୟାସ) କ୍ରମଶଃ ବ୍ୟବହାର ହୁଏ | ଏ ସମୟରେ ଜାପାନରେ ବେଶ କେତେଜଣ ସାହିତ୍ୟିକ ଚିତ୍ର ମାଧ୍ୟମରେ ଗଳ୍ପ କହିବାର ଏକ ଧାରା ଆରମ୍ଭ କଲେ |

ଚିତ୍ର ଓ ଲେଖା ମାଧ୍ୟମରେ କାହାଣୀକୁ ମୁଦ୍ରିତ ପୁସ୍ତକ ଆକାରରେ ପରିବେଷଣର ଧାରା- ଯାହାକୁ କମିକ୍‍ସ ବୋଲି କୁହାଯାଉଛି (ଟିନ୍‍ଟିନ୍‍, ଚାଚା ଚୌଧୁରୀ, ବାଁଟୁଲ୍‍ ଦି ଗ୍ରେଟ୍‍, ଇତ୍ୟାଦି- ଶିଶୁ ଏବଂ କିଶୋରମାନଙ୍କର ଏହା ଅତ୍ୟନ୍ତ ପ୍ରିୟ)  ତାହାର ଆରମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭରେ । ରୋଡୋଲ୍‍ଫେ ଟଫର୍‍ (୧୭୯୯-୧୮୪୬) ନାମକ ଜଣେ ସ୍କୁଲ ଶିକ୍ଷକଙ୍କୁ ପ୍ରଥମ କମିକ୍‍ସ ବହି ସ୍ରଷ୍ଟାର ମାନ୍ୟତା ଦିଆଯାଏ ।  ତାଙ୍କର ପ୍ରଥମ ବହି ଥିଲା ଦି ଲଭ ଅଫ ମି. ଭିୟେକ୍ସ । ହେଲେ ପ୍ରଥମେ ପ୍ରକାଶିତ ହେଲା ତାଙ୍କର ଦ୍ୱିତୀୟ ବହିଟି: ମି. ଜାବଟ । ୧୮୩୫ରେ  ପ୍ରକାଶିତ ଏହି ବହିଟିକୁ ଅନେକେ ପ୍ରଥମ କମିକ୍ସ ବହିର ମାନ୍ୟତା ଦିଅନ୍ତି । ତେବେ କମିକ୍‍ସ ପ୍ରସାର ଓ ଆଦର ୧୯୨୦ରୁ ବିଶ୍ୱବ୍ୟାପୀ ହେଲା ।

କେତେକ ସାହିତ୍ୟ ବୋଦ୍ଧ| ଓ ଆଲୋଚକଙ୍କ ମତରେ ଗ୍ରାଫିକ୍‍ ନଭେଲ୍‍ ଶବ୍ଦଟିର ଆରମ୍ଭ ବିଂଶ ଶତାବ୍ଦୀର ମଧ୍ୟ-ଷାଠିଏ ଦଶକରୁ । ୧୯୬୪ରେ ରିଚାର୍ଡ କାଇଲେ ଏ ଶବ୍ଦଟିକୁ ପ୍ରଥମ ଥର ପାଇଁ ବ୍ୟବହାର କରିଥିଲେ । ହେଲେ ଉଇଲ ଆଇଜ୍‍ନର (୧୯୧୭-୨୦୦୫)ଙ୍କ ୧୯୭୮ରେ ପ୍ରକାଶିତ ‘ଏ କନ୍‍ଟ୍ରାକ୍‍ଟ ଉଇଥ୍‍ ଗଡ୍‍’କୁ ଅନେକେ ବିଶ୍ୱର ପ୍ରଥମ ଗ୍ରାଫିକ୍‍ ନଭେଲ ବା ଚିତ୍ର ଉପନ୍ୟାସ’ର ମାନ୍ୟତା ଦିଅନ୍ତି  ।

କମିକ୍ ଆଉ ଗ୍ରାଫିକ୍‍ ନଭେଲ ଭିତରେ ଫରକ

ସ୍ଥୁଳ ଅବଧାରଣା, ଶୈଳୀ ଏବଂ ଗଢ଼ଣ ଦୃଷ୍ଟିରୁ କମିକ୍‍ସ ଆଉ ଗ୍ରାଫିକ୍‍ ନଭେଲ ଖୁବ ପାଖାପାଖି । ଉଭୟ ସିକ୍ୱେନ୍‍ସିଆଲ୍‍ ଆର୍ଟ । କ୍ରମାନ୍ୱୟରେ ଚିତ୍ର ପରେ ଚିତ୍ର ସାହାଯ୍ୟରେ କାହାଣୀ କୁହାଯାଇଥାଏ । ବସ୍ତୁତଃ ବିଶ୍ୱର ପ୍ରଥମ ଚିତ୍ର-ଔପନ୍ୟାସିକ  ଉଇଲ ଆଇଜ୍‍ନର ପ୍ରଥମେ କମିକ୍‍ସହିଁ ଆଙ୍କୁଥିଲେ । ପରେ ତାଙ୍କ କେତେକ ରଚନାକୁ ‘ଚିତ୍ର-ଉପନ୍ୟାସ’ କୁହାଗଲା ।

କମିକ୍‍ସ ଆଉ ଗ୍ରାଫିକ୍‍ ନଭେଲ ଭିତରେ ଫରକଟି ଅନେକଟା ଶିଶୁ ସାହିତ୍ୟ ଓ ବୟସ୍କଙ୍କ ପାଇଁ ଲେଖା ଉପନ୍ୟାସ ଭିତରେ ପାର୍ଥକ୍ୟ । କମିକ୍‍ସ ସାଧାରଣତଃ ସରଳ ମନୋରଂଜନଧର୍ମୀ ଏବଂ/କିମ୍ବା ଶିକ୍ଷାମୂଳକ । ଗ୍ରାଫିକ୍‍ ନଭେଲ୍‍ରେ କାହାଣୀ ଅଧିକ ମନନଶୀଳ ଏବଂ ଜଟିଳ । ଏଥିରେ ପରତ ଅଧିକ । ବହୁ ଜଟିଳ, ବିବାଦୀୟ, ସ୍ପର୍ଶକାତର ବିଷୟ, ଘଟଣା ଓ ଅବଧାରଣାକୁ ମଧ୍ୟ ଚିତ୍ର-କାହାଣୀ ମାଧ୍ୟମରେ ଉପସ୍ଥାପିତ କରାଯାଇପାରେ । କରାଯାଏ । ଯାହା ସାଧାରଣତଃ କମିକ୍‍ସରେ କରାଯାଏନାହିଁ ।

ଚିତ୍ରଉପନ୍ୟାସ ପ୍ରକାରଭେଦ:

ବର୍ତ୍ତମାନ ସମୟରେ ମୁଖ୍ୟତଃ ତିନି ପ୍ରକାରର ଚିତ୍ର-ଉପନ୍ୟାସ ଦେଖାଯାଉଛି । ପ୍ରଥମ: ସୁପର- ରୋ ବା ଅତି ଶକ୍ତିମାନ ବା ବିଶେଷ କ୍ଷମତାର ଅଧିକାରୀ ନାୟକର କାହାଣୀ । ଦ୍ୱିତୀୟ: ସାଧାରଣ କାହାଣୀ ସମ୍ବଳିତ ଉପନ୍ୟାସ, ଯେଉଁଥିରେ ଘଟଣାର ବର୍ଣ୍ଣନା ଅଧିକତଃ ଚିତ୍ରରେ କରାଯାଏ । ଆଉ ତୃତୀୟ: କୌଣସି ପ୍ରସଙ୍ଗକୁ କାହଣୀ ଏବଂ ଚିତ୍ର ମାଧ୍ୟମରେ ଅଧିକ ବାଂମୟ ଭାବରେ ଉପସ୍ଥାପନ ।

ଚିତ୍ରଉପନ୍ୟାସ କ୍ରମବର୍ଦ୍ଧମାନ ଜନପ୍ରିୟତା:

ବର୍ତ୍ତମାନ ସମୟରେ, ବିଶେଷ କରି କରୋନା ମହାମାରୀ ପରଠାରୁ ସାରା ବିଶ୍ୱରେ  ଗ୍ରାଫିକ୍‍-ନଭେଲ୍‍ ବେଶ ଜନପ୍ରିୟତା ହାସଲ କରିଛି । ଜାପାନ ଏବଂ ଆମେରିକାରେ ଶିଶୁକିଶୋରମାନଙ୍କ ଭିତରେ ଏହା ଅତ୍ୟନ୍ତ ପ୍ରିୟ ହୋଇଛି । 2000ରୁ 2003 ଭିତରେ ପ୍ରକାଶିତ ‘ପର୍‍ସିପୋଲିସ୍‍’ ଶୀର୍ଷକ ଏକ ଗ୍ରାଫିକ୍‍-ନଭେଲ୍‍ ସିରିଜ ସାରା ବିଶ୍ୱରେ ବେଶ ଜନପ୍ରିୟତା ହାସଲ କରିଛି । ଏହାର ସ୍ରଷ୍ଟା ହେଲେ ମାର୍ଜାନେ ସାତରାପି (1969) | ଏହା ପ୍ରଥମେ ଫ୍ରେଞ୍ଚ ଭାଷାରେ ପ୍ରକାଶିତ ହୋଇଥିଲା | ପରେ ଇଂରାଜୀ ସମେତ ଆହୁରି ବହୁ ଭାଷାରେ  ପ୍ରକାଶିତ ହୋଇଥିଲା |

ଭାରତରେ ଚିତ୍ରଉପନ୍ୟାସ

ଅବଧାରଣା ସ୍ତରରେ ଭାରତରେ ଚିତ୍ର-କାହାଣୀର ଦୀର୍ଘ ଇତିହାସ ରହିଛି । ଭାରତରେ ପ୍ରଥମ କମିକ୍‍ସ ସିରିଜ ‘ଅମର ଚିତ୍ର କଥା’ ଆରମ୍ଭ ହୋଇଥିଳା ୧୯୬୭ରେ । ଏହାକୁ ସୃଷ୍ଟି କରିଥିଲେ ଅନନ୍ତ ପାଇ । ଏହାପରେ ଭାରତରେ ବିଭିନ୍ନ ଭାଷାରେ ଅନେକ କମିକ୍‍ସ ପ୍ରକାଶିତ ହୋଇଛି । କେତେକ କମିକ୍‍ସ ଧାରାବାହିକ ଭାବେ ପ୍ରକାଶିତ ହୋଇଛି ।

ତେବେ ବର୍ତ୍ତମାନ ସମୟରେ ଅରିଜିତ ସେନ୍‍ (ଜନ୍ମ: ୧୯୬୩)ଙ୍କ ଲିଖିତ ଓ ଚିତ୍ରିତ ‘ରିଭର ଅଫ ସ୍ଟୋରିଜ୍‍’କୁ ଭାରତର ପ୍ରଥମ ଗ୍ରାଫିକ୍‍-ନଭେଲ୍‍ର ମାନ୍ୟତା ଦିଆଯାଏ । ଅହମଦାବାଦସ୍ଥିତ ଏନ୍‍ଏସ୍‍ଡି (ନ୍ୟାସନାଲ ସ୍କୁଲ ଅଫ ଡିଜାଇନ)ରୁ ଶିକ୍ଷାପ୍ରାପ୍ତ ଅରିଜିତ  ମଧ୍ୟ ୮୦ ଦଶକରୁ ଆରମ୍ଭ ନର୍ମଦା ବଚାଓ ଆନ୍ଦୋଳନରେ ଯୋଗ ଦେଇଥିଲେ । ନର୍ମଦା ଆନ୍ଦୋଳନର ପ୍ରେକ୍ଷାପଟରେ ରଚିତ ହୋଇଥିଲା ‘ରିଭର ଅଫ ସ୍ଟୋରିଜ୍‍’ । ଏଥିରେ ନର୍ମଦା ନଦୀବନ୍ଧର ସାମାଜିକ ଓ ପରିବେଶଗତ ପ୍ରଭାବକୁ ରେଖାଙ୍କିତ କରାଯାଇଥିଲା । ୧୯୯୪ରେ ଏହା ପ୍ରକାଶିତ ହୋଇଥିଲା । ସେତେବେଳେ ଏହା ଖୁବ ବେଶି ଜନପ୍ରିୟତା ହାସଲ କରିପାରିନଥିଲା । ୨୦୦୪ରେ ପେଙ୍ଗୁଇନ୍‍ ପ୍ରକାଶନ ସଂସ୍ଥା ସାରନାଥ ବାନାର୍ଜୀଙ୍କ ଗ୍ରାଫିକ୍‍ ନଭେଲ୍‍ ‘କରିଡୋର’ ପ୍ରକାଶ କଲେ ଏବଂ ଗ୍ରାଫିକ୍‍-ନଭେଲ୍‍ ଧାରାକୁ ଜନପ୍ରିୟ କରିବା ଦିଗରେ ସଚେତନ ଭାବେ ବିପଣନ କଲେ । ୨୦୨୨ରେ ଅରୁନ୍ଧତୀ ରାୟଙ୍କ ମୁଖବନ୍ଧ ସହ ‘ରିଭର ଅଫ ସ୍ଟୋରିଜ୍‍’ର ଏକ ନୂତନ ସଂସ୍କରଣ ପ୍ରକାଶ ପାଲା । ଦୂତନ ସହସ୍ରାବ୍ଦୀରୁ କ୍ରମଶଃ ଭାରତରେ ସାହିତ୍ୟର ଏକ ନୂଆ ଧାରା ଭାବରେ ଗ୍ରାଫିକ୍‍ ନଭେଲ ବା ଚିତ୍ର-ଉପନ୍ୟାସର ଜନପ୍ରିୟତା ବଢ଼ିଲା । ଚିତ୍ରଉପନ୍ୟାସ ପ୍ରକାଶନ ସଂସ୍ଥାମାନଙ୍କ ସଂଖ୍ୟା ବଢ଼ିଲା । ପେଙ୍ଗୁଇନ, ହାର୍ପର କଲିନ୍‍ସ ଭଳି ପ୍ରତିଷ୍ଠିତ ପ୍ରକାଶକମାନେ ଚିତ୍ରଉପନ୍ୟାସ ପ୍ରକାଶ କଲେ ।

ବର୍ତ୍ତମାନ ଅବସ୍ଥା

ବିଶ୍ୱର ବହୁ ଦେଶ ଭଳି ଭାରତରେ ମଧ୍ୟ ଗ୍ରାଫିକ୍‍ ନଭେଲ୍‍ର ଜନପ୍ରିୟତା କ୍ରମଶଃ ବଢ଼ିବାରେ ଲାଗିଛି । ପୁରାଣ କାହାଣୀକୁ ନୂଆ ଢଙ୍ଗରେ ପରିବେଷଣା ସହିତ ପ୍ରଯୁକ୍ତି ବିଦ୍ୟା, ପରିବେଶ, ଜୀବନୀ, ଏପରି କି ଜନ-ନୀତି (ପବ୍‍ଲିକ ପଲିସି) କ୍ଷେତ୍ରରେ ମଧ୍ୟ ଗ୍ରାଫିକ୍‍ ନଭେଲ ଲେଖାହେଉଛି ଏବଂ ଆଦୃତ ହେଉଛି । ଉଦାହରଣ ସ୍ୱରୂପ ସମ୍ପ୍ରତି ପ୍ରକାଶିତ ମୋରାଲ କନ୍‍ଟାଜିଅନ୍‍ (ଲେଖା: ଜୁଲିଆ ହାଉସର, ଚିତ୍ର: ସାରନାଥ ବାନାର୍ଜୀ), ଉଇ ଦି ସିଟିଜେନ୍‍ସ (ଖ୍ୟାତି ପାଠକ, ଅନୁପମ ମାନୁର, ପ୍ରଣୟ କୋଟାସ୍ଥାନେ) । ବିଭାଜନର ପଟ୍ଟଭୂମିରେ ରଚିତ ହୋଇଛି ‘ଛୋଟୁ: ଏ ଟେଲ୍‍ ଅଫ ପାର୍ଟିସନ୍‍ ଆଣ୍ଡ ଲଭ୍‍’(ଲେଖା: ବରୁଡ଼ ଗୁପ୍ତା; ଚିତ୍ର: ଆୟୁସି ରସ୍ତୋଗି) ।

ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଚିତ୍ର-ଉପନ୍ୟାସ ପ୍ରକାଶିତ ହେଲାଣି ।

ସାମ୍ପ୍ରତିକ ସମୟରେ ପ୍ରମୁଖ ଭାରତୀୟ ଚିତ୍ର- ଔପନ୍ୟାସିକଙ୍କ ଭିତରୁ ଅଛନ୍ତି: ସାରନାଥ ବାନାର୍ଜୀ (କରିଡୋର, ଦି ହରପ୍ପା ଫାଇଲ୍ସ), ବିଶ୍ୱଜ୍ୟୋତି ଘୋଷ (ଦିଲ୍ଲୀ କାମ୍‍), ଅମୃତା ପାତିଲ (କାରି, ଆଦି ପର୍ବ), ଶ୍ରୀବିଦ୍ୟା ନଟରାଜନ୍‍, ନାସିର ଆହମଦ ଏବଂ ସୌରଭ ସିଂହ (କାଶ୍ମୀର ପେଣ୍ଡିଂ), ପ୍ରତୀକ ଥୋମାସ୍‍ (ହସ୍‍), ଅପ୍‍ପୁପେନ୍‍ (ଲିଜେଣ୍ଡ୍‍ସ ଅଫ ହଲାଲା), ସୁହାସ ସୁନ୍ଦର (ଦି ସ୍ନେକ୍‍ ଆଣ୍ଡ ଦି ଲୋଟସ୍‍), ପ୍ରମୁଖ ।

ଭାରତୀୟ ଚିତ୍ର-ଉପନ୍ୟାସ ବିଷୟରେ ଭଲ ବହିଟିଏ ଲେଖିଛନ୍ତି ପ୍ରମୋଦ କେ. ନାୟାର । ବହିର ନାଁ: ଦି ଇଣ୍ଡିଆନ୍‍ ଗ୍ରାଫିକ୍‍ ନଭେଲ: ନେସନ୍‍, ହିଷ୍ଟ୍ରି ଆଣ୍ଡ କ୍ରିଟିକ୍‍(୨୦୧୬)ା ବେଙ୍ଗାଲୁରୁର ଖ୍ରୀଷ୍ଟ  ବିଣ୍ୱବିଦ୍ୟାଳୟର ଅଧ୍ୟାପିକା ଆରୋସ୍‍କିଆ ଲିସି ମୋନିକା ଭାରତୀୟ ଚିତ୍ର-ଉପନ୍ୟାସର ଉଦ୍‍ଭବ ଏବଂ ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି: ଦି ଇଣ୍ଡିଆନ୍‍ ଗ୍ରାଫିକ୍‍ ନଭେଲ: ଆନ୍‍ ଇଣ୍ଟ୍ରୋଡକ୍‍ସନ୍‍ (୨୦୧୯) ।

ଭାରତୀୟ ଚିତ୍ର-ଉପନ୍ୟାସ ବିଷୟରେ ଅଧିକ ଜାଣିବା ପାଇଁ ଏଗୁଡ଼ିକ ପଢ଼ିପାରନ୍ତି ।

Share This Article
Exit mobile version