ଓଡ଼ିଶାର କୃଷି ସଂସ୍କୃତିର ପ୍ରାରମ୍ଭିକ ପର୍ବ: ଅକ୍ଷି ମୁଠି ଅନୁକୂଳ !

ନଟବର ଷଡ଼ଙ୍ଗୀ 172 Views
8 Min Read

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ଦିନଟି ଅକ୍ଷୟ ତୃତୀୟା । ଆମ ଓଡିଶାରେ ସେ ଦିନ ଅକ୍ଷି ମୁଠି ଅନୁକୂଳ । ବିହନ ଅନୁକୂଳ ପର୍ବ । ମାଘ ଶେଷ ଫଗୁଣ ଆରମ୍ଭ । ବର୍ଷା ଅସରାଏ ଦିଅସରା ହେଲା ତ ବିଲ ଚାଷ ହବ । କଥା ଅଛି “ଯଦି ବରଷଇ ମାଘର ଶେଷ । ଧନ୍ୟ ସେ ରଜା ଧନ୍ୟ ସେ ଦେଶ” ।। ଚାଷୀ ସକାଳୁ ସକାଳୁ ହଳ ଯୋଚି ବିଲକୁ ନେଲା ।“ ଷାଠିଏ ଓଡ ମୂଳା ,ତହିଁ ର ଅଧା ଗୁଳା । ତହିଁର ଅଧା ଧାନ ,ତେବେ ଖାଏ ଚାଷୀ ମହତା ପାନ” । ଗୋଡିଙ୍ଘା ଲଙ୍ଗଳରେ ପଡିଆ ଭାଙ୍ଗିଲା । ଅଧା ଫାଳିରେ ୩/୪ ଓଡ ଧରି ମାଟି ଗୁଣ୍ଡ କଲା । ପଟା ଲଙ୍ଗଳରେ ଓଡେ ଦିଓଡ ପକାଇ ମାଟି କାଣ୍ଡି ଦେଲା । ଖରାଟିଆ ଚାଷରେ ମାଟି ଭିତରକୁ ପବନ ,ସୂର୍ଯ୍ୟ ତାପ ପସିଗଲା । ପୋକ ଜୋକ ମରିଯିବେ । ମାଟି ଜୀବନ ପାଇଯିବ । ଶଗଡ ଓଦରରେ ଖତ ବୁହାହେଲା । ଖତ ଖେଳେଇ ପୁଣି ଓଡେ ଚଷି ମାଟିରେ ମିଶାଇ ଦେଲେ । ମାଟି ଟିକେ ନିଃଶ୍ଵାସ ମାରୁ !

ବିହନ ରଖିବା ଟିକେ ମୁଣ୍ଡ ଖର୍ଚ୍ଚ କାମ । ବିଲ ମଝିରୁ ୧୦/୧୫ ହଳା ବନ୍ଧା ହବ । ବିହନ ହଳା ଖଳାକୁ ଗଲା । ହଳା ଗୁଡିକୁ ଫିଟାଇ ମିଶା ଧାନ କେଣ୍ଡା କାଢି ଦେଲେ । ଗୋଡରେ ମକଚି ଧାନ ଅମଳ କଲେ । କୁଲାରେ ପାଛୁଡି ଅଗାଡି କାଢି ଦେଲେ । କୁଲାର ଅଗ କଣ୍ଠାକୁ ଛେଦି ଦେଲେ । ମୂଳ ଧାନ ବିହନ ହବ । ଗୋଟେ ଦି ଟା ଖରା ଖାଇବ । ଶୁଖିଲା ନ ଶୁଖିଲା ଦାନ୍ତରେ ପରୀକ୍ଷା କଲେ । ଏ ସବୁ କାମ ସ୍ତ୍ରୀ ଲୋକ ମାନଙ୍କର । ଚାଷୀ ଭାଇ ବିହନକୁ ଓଳିଆ ବାନ୍ଧି ଭାଡିରେ ଥୋଇବ । ୧୯୬୭ ଆଗ କଥା । ସେତେ ବେଳେ ଓଡିଶାରେ ପ୍ରାୟ ୩୦ ହଜାର କିସମର ଧାନ ଚାଷ ହେଉଥିବା ଧାନ ବିଜ୍ଞାନୀ ଆର.ଏଚ.ରିଚାରିୟା ଆକଳନ କରିଥିଲେ । ଡେର ଜମି ପାଇଁ ସହଳ କିସମ ବିଆଳି ,ଶାଠିକା, ଭୋଜନି, ଗୋଲାହୁଣ୍ଡି ଇତ୍ୟାଦି । ମଝିଆଣି ଜମିରେ ୧୨୦/୧୩୦ ଦିନିଆ କିସମ ସରୁଚିନାମାଳି, ସୋଲରି, ଅତୌରି, ନଡିଆଫୁଲ, କଳାଜିରି, ପିମ୍ପୁଡିବାସ ଭଳି ବାସନା ଧାନ , ଖାଲ ବିଲ କିସମ ପଦ୍ମକେଶୋରୀ ,ବାଲାମ, ଚମ୍ପା, ରତ୍ନଚୁଡି ,ଭୋତିଆ,ରାଜ ବଲ୍ଲଭ ଇତ୍ୟାଦି । ପ୍ରତି ଚାଷୀ ୮/୧୦ କିସମ ବିହନ ରଖି ଥିବ । ତାଳ ପତ୍ର ଆଣି ଲେଖନୀରେ ଧାନ ନାଁ ଲେଖି ଓଳିଆରେ ଖୋସି ଦବ ।

ବିହନ ଭାଡିରୁ ଚାଷୀର ଜମି ଅନୁମାନ କରାଯାଇ ପାରେ । ଝିଅ ବାହାଦେବେ । ଝିଅର ବାପା ଜ୍ଵାଇଁ ଖୋଜି ଆସିଛନ୍ତି । ସମୁଧି ଘରେ ବିହନ ଭାଡି ଉପରେ ଆଖି ପକାଇବେ । ସମୁଧି ତହୁଁ ତରକା । ଜମି କମ । ପଡିଶା ଘରୁ ୮/୧୦ଟା ବିହନ ଓଳିଆ ଆଣି ତାଙ୍କ ଭାଡିରେ ରଖି ଦେଇଛନ୍ତି । ଝିଅର ବାପା ଦେଖି ଖୁସ । ବୁଝି ଗଲେ ଝିଅର ବର୍ଷକ ଭାତ ଥୁଆ । ସମୁଧି ଘରେ ହାତ ଧୋଇଲେ । କହିଲେ “ ସମୁଧି ତୁମେ ବୋହୁ ଦେଖି ଆସିଲେ ବାହାଘର ଦିନ ବାର ଧରିବା” । ଚାଷୀ ଭାଇ ପାଇଁ ବିହନ ଠାକୁର । ଲକ୍ଷ୍ମୀସାଆନ୍ତାଣୀ । ବିହନ ଅମଳ ଦିନ ପିଠା ପଣା ହବ । ଭାଡି ପାଖେ ଲାଗି ଦେଇ ସମସ୍ତେ ଖାଇବେ ।

ଅକ୍ଷୟ ତୃତୀୟା ଆଗ ଦିନ ଶଗଡ ଲଙ୍ଗଳ ଧୁଆ ହବ । ମାଇପି ମାନେ ଅରୁଆ ଚାଉଳ ପିଠଉ କରି ଶଗଡ ,ଲଙ୍ଗଳରେ ଝୋଟି ଦେବେ । ବିହନ ବେତ ଟୋକେଇ ,ଗଉଣୀ  ଧୁଆ ହୋଇ ଚିତା ପଡିବ । ଚାଷୀ ପାଇଁ ନୂଆ ଲୁଗା ,ନୂଆ ଗାମୁଛା ,ଘରଣୀ ପାଇଁ ନୂଆ ଶାଢୀ ଆସିବ । ତୃତୀୟା ଦିନ ସକାଳୁ ସକାଳୁ ସ୍ଵାମୀ ସ୍ତ୍ରୀ ଗାଧୋଇ ପଡନ୍ତି । ବଳଦ ଆଗ ଦିନରୁ ଗାଧୋଇ ଥିବେ । କୋଳଥ ଶିଝା , କୁଳୁଚି ,ଗୁଣ୍ଡା ,ପାଣି ତୋରାଣି କୁଣ୍ଡରେ ଯୋଗାଡି ବଳଦଙ୍କୁ ଖୋଇବେ । ବଳଦଙ୍କ ବେକରେ ଫୁଲମାଳ ପଡିବ । ଦାଣ୍ଡ ଦୁଆର ମୁହଁରେ କଳସ ଥୁଆ ହବ । ଓଳିଆରୁ ବିହନ ଗାଳି ଟୋକେଇରେ ରଖିବେ । ଗୌଣି ଟି ଧାନ ଉପରେ ବସେଇବେ । ଶଙ୍ଖ ବାଜୁଥିବ । ହୁଳହୁଳି ପଡୁଥିବ । ଗାଁ ଦାଣ୍ଡରେ ୩୦/୪୦ ହଳ । ବଡ ମକଦ୍ଦମଙ୍କ ବଳଦ ବେକରେ ଘଣ୍ଟି ଘାଗୁଡି ଟଣ୍ ଟଣ୍ ବାଜୁଥିବ । ଚାଷୀ ଭାଇ ବଳଦ ଯୋଚି ବାହାରିଲାତ ଘରଣୀ ବିହନ ଟୋକେଇ ମୁଣ୍ଡାଇ ପଛେ ପଛେ ଚାଲିଲେ । ନିଜ ନିଜ  ବିଲରେ ପହଞ୍ଚିଲେ । ଅବଧାନ ଶୁଭ ମୂହୁର୍ତ୍ତ କହିଥିବ । ଓଡିଶାର ଗାଁ ଗାଁ ରେ କଥା ଅଛି “ଝିଂ ଝିଂ ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ । ଅକ୍ଷିତୁର୍ତୀୟା ମୁଠି ଅନୁକୂଳ ବୈଶାଖ ଖରା ହେଲାଣି ଟାଣ ॥ ଜେଷ୍ଠେ ରଜ ଯାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ । ଆଶାଢେ ଗୁଣ୍ଡିଚା କରିବୁ ବେଉଡା ମଇ ଦଉଥିବ ଗୀତ ଗାଇ” ॥ ହଳ ଠିଆ କରି ଜମିର ପୂର୍ବ କଣରେ ମାଟି ଆଡେଇ ବିହନ ଦିଟା ପକାନ୍ତି । ମାଟି ଘୋଡାଇ ପୂଜା ପୂଜି କଲେ । ମାଟିମା ଙ୍କୁ ଦିହେଁ ମୁଣ୍ଡିଆ ମାଇଲେ । ଚାଷୀ ଭାଇ ହଳ କଲେ ତ ଘରଣୀ ହଳ ପଛେ ପଛେ ବିହନ ବୁଣିଲେ । ହଳ ଲେଉଟାଇ କଅଁଳ ଗାଧୁଆ ବେଳକୁ ଘରକୁ ଫେରନ୍ତି । ଖେଚେଡି,ଡାଲମା ,ଖିରୀ ,ଆମ୍ଭ ଖଟା କରି ଲକ୍ଷ୍ମୀ ପୂଜା କରିବେ । ସମସ୍ତେ ଏକାଠି ବସି ଖାପିଆ କଲେ । ସେ ଦିନ ଗୋଟେ ପବିତ୍ର ଦିନ । ବିହନ ଅନୁକୂଳ ଦିନ । ଚାଷୀ ଘରେ ବଡ ପର୍ବ ।

ସେ ଦିନର ବିହନ ଅନୁକୂଳର ଆମେ ବୁଝୁଛୁ ଚାଷୀର ହଳ ଲଙ୍ଗଳ ଥିଲା । ବାଡିରେ ଖତ ଥିଲା । ଓଳିଆରେ ବିହନ ଥିଲା । ସେ ସ୍ଵୟଂସଂପୂର୍ଣ୍ଣ ଥିଲା । ଚାଷୀ କାହାର ମହାଜନ ନହେଲେ ବି ଖାତକ ନଥିଲା । ଉଣେଇଶ ଷାଠିଏ ଦଶକ ଯାଏଁ ଏ ସ୍ଥିତି ବଳବତ୍ତର ଥିଲା । ବହୁ ଦିନରୁ ସାମ୍ରାଜ୍ୟବାଦି ଆମେରିକା ଆମ ଚାଷ ଉପରେ ଆଖି ପକାଇଲାଣି । ଆମ ଚାଷ ଓ ଚାଷୀଙ୍କୁ କବ୍ଜା କରିବ । ୧୯୫୦ ଠାରୁ ଆମକୁ ଜର୍ସି ଗାଈ ଧରାଇ ଦେଲା । ଅଧିକ କ୍ଷୀର ଦେବେ । ଦେଶୀ ଗାଈ ଅଲୋଡା ହୋଇଗଲେ । ଜର୍ସି ଅଣ୍ଡିରା ବଳଦକୁ ନୁହନ୍ତି ଜମି ଚାଷ ହେବ କିମିତି ? ଚାଷୀର ମୁଣ୍ଡ ଧରିଲାଣି । ୧୯୬୭ । ସବୁଜ ବିପ୍ଲବ ଜନ୍ତୁଟି ଆମ ଚାଷୀ ଭାଇ ପାଖେ ଠିଆ । କମ୍ପାନୀ ଚାଷ ଚାଷୀକୁ ଟ୍ରାକ୍ଟର ଧରାଇଲା । ଅଧିକ ଅମଳ କ୍ଷମ ବିହନ ପହଞ୍ଚାଇଲା । ରାସାୟନିକ ସାର ,କୀଟ ନାଶକ ତା ଘରେ ପହଞ୍ଚିଲା । ଚାଷ ପାଇଁ ବ୍ୟାଙ୍କ କରଜ ଦେଲା । ସରକାର କହୁଛନ୍ତି । ବେଦର ଗାର । ଚାଷୀ ଭଳି ଗଲେ । ଅଧିକ ଫଳିବ । ଚାଷୀ ବିଷ ଚାଷ ଯନ୍ତାରେ ପଡିଗଲେ । ୫/୧୦ ବର୍ଷ ଅଧିକ ଫଳିଲା । ଚାଷରୁ ଆଇନ୍ଦା ସାଲକୁ ବିହନ ରଖିଲେ ଫଳ ନାହିଁ । ବାଞ୍ଝ ବିହନ । ଚାଷିକୁ ପ୍ରତିବର୍ଷ କମ୍ପାନୀ ବିହନ କିଣିବାକୁ ପଡିଲା । ଆମ ଦେଶୀ ବିହନ ତ ଅଲୋଡା ହେଲା । ବୁଡିଗଲା । ଚାଷୀର ଚାରା କଣ ? କମ୍ପାନୀ ଚାଷୀର ନାକ ଘଷେଇଲାଣି । ଚାଷୀ ଋଣି ହୋଇଗଲା । ଫସଲରେ ରୋଗ ପୋକ ବଢି ଚାଲିଲା । ଅଭାବି ବିକ୍ରି । ଚାଷୀ ଆତ୍ମହତ୍ୟା କରୁଛି । ମାଟି ରୋଗିଣା ହୋଇଯାଉଛି । ଆଗ ଭଳି ଆଉ ଅମଳ ଆସୁନି । ଘରେ ଘରେ କ୍ୟାନ୍ସର । ଚାଷୀ ବଜାର ଅର୍ଥନୀତିରେ ବଳିପଡିଗଲା ।

ଭାରତର ବିହନ ବିବିଧତା ପୃଥିବୀରେ ଅଦ୍ଵିତୀୟ ଥିଲା । ଆଜି ଭାରତରେ ୮୦ ପ୍ରତିଶତ ବିହନ ବଜାର କମ୍ପାନୀ କବଜାରେ । ଚାଷୀର ବଡ ସଂପତ୍ତି ବିହନ ତା ହାତରୁ କମ୍ପାନୀ ହାତକୁ ଚାଲିଗଲା । ସେ ତ ହାତ ମାଛ ଚିଲକୁ ଦେଇଛି । କମ୍ପାନୀ ଏବେ ୫ କିଲିଆ ହାଇବ୍ରୀଡ ଧାନ ବିହନ ମଣେଇଲାଣି । ଗୁଣ୍ଠକୁ ୧୫/୨୦ କିଲୋ ସାର ଖାଉଛି । ରୋଗ ପୋକ ମାଡିଯାଉଛି । ବିଷ ଯେତେ ଛିଞ୍ଚିଲେ ବି ରୋଗ ପୋକ ଅଣଆୟତ । ଚାଷୀ ଲୁହ ନ କାନ୍ଦି ରକ୍ତ କାନ୍ଦୁଛି । ବର୍ଷକୁ ବର୍ଷ ବିହନ କିଣିବାକୁ ପଡୁଛୁ  । ତା ହାତରୁ ଲଙ୍ଗଳ ଚାଲିଗଲା । ବିହନ ଚାଲିଗଲା । ସେ ଅକ୍ଷି ମୁଠି ଅନୁକୂଳ କାହାକୁ ନେଇ କରିବ ?  ଆଜି ଆଉ ଅକ୍ଷି ମୁଠି ଅନୁକୂଳ ନାହିଁ ଓଡିଶାର ସ୍ତ୍ରୀ ଲୋକ ମାନେ ତ ସଂସ୍କୃତି ,ପରମ୍ପରା ସୁରକ୍ଷା ପାଇଁ ଠିକା ନେଇଛନ୍ତି । ଅକ୍ଷିତୃତୀୟା ଦିନ ଚାଷୀ ଘର ସ୍ତ୍ରୀ ଲୋକ ମାନେ ଚଉରା ମୂଳେ ଦିଟା ଧାନ ମାଟିରେ ପୋତି ଦେଇ ପୂଜା କଲେ । ହୋଇ ଗଲା ଅକ୍ଷି ମୁଠି ଅନୁକୂଳ !

ଆଜି କାଲି ସରକାର ନକଲି ଅକ୍ଷି ମୁଠି ଅନୁକୂଳ କରୁଛନ୍ତି । କିନ୍ତୁ ଆମେ ଯଦି ସତରେ ମନ କରିବା ତେବେ ସେ କାଳ ଚାଷ ଫେରି ପାରିବ । ଏବେବି କିଛି ଲୋକ, କିଛି ଅନୁଷ୍ଠାନ ଦେଶୀ ଧାନ ବିହନକୁ ବଞ୍ଚାଇ ରଖିଛନ୍ତି । ନିଜକୁ ଯଦି ଆମେ ନିଜେ ପଚାରିବା ଯେ, ଚାଷୀ ହାତକୁ ଆଉଥରେ କ’ଣ ବିହନ ଫେରି ପାରିବ? ଦେଶୀ ଗାଈ ଫେରିବ ? ହଳ ଲଙ୍ଗଳ ଫେରି ପାରିବ ? ଆମ ସଂସ୍କୃତିକୁ ଜାଗୃତ କରି ରଖିବା ପାଇଁ ଓଡିଆ ଭାଷା କିମ୍ବା ସଂସ୍କୃତିକ ଉତ୍ସବ ଆୟୋଜନ ସାଙ୍ଗକୁ ହଳ, ଲଙ୍ଗଳ ଓ ବିହନର ସୁରକ୍ଷା ପାଇଁ ସରକାର ଆତ୍ମ ସମୀକ୍ଷା କରି ଏ ଦିଗରେ ପଦକ୍ଷେପ ନେଇ ପାରିବେ କି ? ଆଉ ଆମେ ସମସ୍ତେ ସେହିଭଳି କିଛି ଚିନ୍ତା କରିବା ଆରମ୍ଭ କରିବା କି ? ଖାଲି ଚିନ୍ତା କାହିଁକି କାର୍ଯ୍ୟରେ ଦେଶୀ ଚାଷ ଓ ଦେଶୀ ଜୀବନ ଶୈଳୀକୁ ଆପଣେଇବା ଆରମ୍ଭ କରିପାରିବା କି ?

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)
Exit mobile version