କଳା ଈଶ୍ୱରଙ୍କର କଳାକାର ଦଳିତ

କ୍ଷେତ୍ରବାସୀ ନାଏକ 278 Views
19 Min Read

ବଣ, ପାହାଡ଼, ନଈରେ ପରିପୂର୍ଣ୍ଣ ପଶ୍ଚିମ ଓଡ଼ିଶା କଳା, ସାହିତ୍ୟ ସଂସ୍କୃତିର ଭଣ୍ଡାର ଘର । କଳାହାଣ୍ଡିର ଡଙ୍ଗରଲା ପର୍ବତରୁ ଦେବଗଡ଼ର ପ୍ରଧାନପାଟ; ନୂଆପଡ଼ାର କୁଟପାର-ପୁରୁବାଲି ପର୍ବତମାଳାରୁ ସୁନ୍ଦରଗଡ଼ର ଖଣ୍ଡାଧାର ଯାଏ, ଗଂଧମାର୍ଦ୍ଦନ-ନରସିଂହନାଥ-ହରିଶଙ୍କର, ରାଣୀପୁର ଝରିଆଲ… ସବୁଠି ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟ ଭିତରେ ବହିଯାଉଥାଏ ଗୋଟେ ସଙ୍ଗୀତ । ଏଠିକାର ମୂଳ ମଣିଷ ମାତ୍ରକେ ଗୋଟେ ଗୋଟେ ଗୀତ, ଗୋଟେ ଗୋଟେ ଗପ, ସଙ୍ଗୀତ ।

ଗୀତ ପାଇଁ  ସୁରଟିଏ, ତାଳଟିଏ, ଲୟଟିଏ… ଆଉ ବାଜାଟିଏ ଦରକାର । ଆମର ସେହି ମୂଳ ବାଜାଟି ହେଲା ଗଣ୍ଡାବଜା ।

ଡାଲଖାଇ, ରସରକେଲି, ମାଏଲାଜଡ, ଜାଇଫୁଲ, ସଜନୀ, ଚପକରାଟି, ଜିରାଲବଙ୍ଗ, ବିହାଗୀତ, ଲହରି, ନିଆଲିମଲି, ଭମରା ଆଦି ବାଦ୍ୟ ଆଶ୍ରିତ ଲୋକଗୀତର ପ୍ରଦର୍ଶନରେ ଏହି ବଜା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ବଜା ର ଏକ ସୁ୍‌ନ୍ଦର ଓ ସୁକୁମାର ଅତୀତ ରହିଛି । ବିଶିଷ୍ଟ କବି ଓ ସଂସ୍କୃତି ଗବେଷକ ଡକ୍ଟର ବାସୁଦେବ ସୁନାନୀ ତାଙ୍କର ଅମୂଲ୍ୟ ପୁସ୍ତକ “ଦଳିତ ସଂସ୍କୃତିର ଇତିହାସ”ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପୁସ୍ତକର ପଂଚମ ଅଧ୍ୟାୟରେ ରହିଛି ଶୀର୍ଷକ: ଆଦିମ ଅସ୍ମିତା: ବାଜା । ସେଥିରେ ବାଜାର ଉତ୍ପତ୍ତି, ପ୍ରକାର ଭେଦ, ବାଜାର ବ୍ୟବହାର, ସାଂସ୍କୃତିକ ସମ୍ବନ୍ଧ, ବିଭିନ୍ନ ପାର, ବାଜାର ମହାତ୍ମ୍ୟ, ବ୍ୟାକରଣ ଓ ବାଦ୍ୟସ୍ୱର ଇତ୍ୟାଦି ବର୍ଣ୍ଣିତ ହୋଇଛି ।

ଡକ୍ଟର ସୁନାନୀଙ୍କ ମତରେ – ଯେଉଁ ସମୟରେ ଡୁମାଲ, ଗଉଡ଼, ଗଣ୍ଡା ଓ ମାଲିମାନେ ବାଜା ବଜଉଥିଲେ ସମ୍ଭବତଃ ସେ ସମୟରେ ସମାଜରେ ଜାତିପ୍ରଥା ନ ଥିଲା । ଲୋକକଥା ବା ମିଥ୍ ଅନୁସାରେ ଯେହେତୁ ଗଂଗ, ଗାର୍ଗବ, ଯଦୁ ଓ କଦମ ଚାରିଭାଇ ଏକା ବଂଶଧର ଅଟନ୍ତି, ତେଣୁ ମିଳିମିଶି ବଜେଇବା ଅତି ସ୍ୱାଭାବିକ । ତେବେ ଜାତିପ୍ରଥାର ଘୃଣ୍ୟ ପ୍ରଚଳନ ପରେ ଗଁଡ଼ାମାନଙ୍କ ହାତରେ ବାଜାକୁ ସମର୍ପିତ କରାଯାଇ ଥାଇପାରେ ।

ଗଣ୍ଡ ପୂଜାରୀ ବା ଝାଙ୍କର ଏବଂ ଗଁଡ଼ା ବଜନିଆର ସମ୍ପର୍କକୁ ଅନୁମାନ କଲେ ଏମାନଙ୍କର ରକ୍ତ ସମ୍ପର୍କ ତଥା ଗଁଡ଼ା ଓ ଗଁଡ଼ା ଦୁଇ ଭାଇର ମିଥ୍‌କୁ ଆହୁରି ବଳିଷ୍ଠ କରେ ।

ବାଜାର ଗଠନକୁ ଲକ୍ଷ୍ୟକଲେ ମଧ୍ୟ ତାସାର ଅଧା ଅଂଶ କୁମ୍ଭାର ତିଆରି କରେ ତ ମହୁରୀର ଫାଳେ ତିଆରି କରେ ଘାସି, ନିଶାନ୍‌ର ଅଧା କରେ କମାର ତ ଢୋଲର ଅଧା ଅଂଶ ବଢ଼ିଆ; ଏହା ମଧ୍ୟ ଆଗକାଳର ଜାତିପ୍ରଥା ନଥିବାର ପ୍ରମାଣ ଦିଏ ।

ସେ ଯାହା ହେଉନା କାହିଁକି ବର୍ଷ ବର୍ଷ ଧରି ଏହି ଆଦି ବାଜାର ସଂସ୍କୃତି ଗଁଡ଼ା ବା ଡମ୍ ସଂପ୍ରଦାୟ ସହିତ ଯୋଡ଼ି ହୋଇରହିଲା ଅତି ଘନିଷ୍ଠ ଭାବେ । ସେ ବାଜା ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ବାହାଘରରୁ ଦଶହରା ଯାତ୍ରା ପର୍ଯ୍ୟନ୍ତ, ଗ୍ରାମଦେବତୀ ଠାରୁ ସମଲେଶ୍ୱରୀ, ମାଣିକେଶ୍ୱରୀ, ପାଟଣେଶ୍ୱରୀଙ୍କ ପର୍ଯ୍ୟନ୍ତ ସବୁଠି ବାଦନ ହେଲା ।

ଏଇ କୋଡ଼ିଏ ପଚିଶ ବର୍ଷ ତଳର କଥା, ଗାଁରେ ବାହାଘର ହେଲେ ତିନିରୁ ଚାରିଦିନ ପର୍ଯ୍ୟନ୍ତ ବଜାଦଳ ବାଜା ବଜଉଥିଲେ । ବଲାଙ୍ଗୀର ଜିଲ୍ଲାର ଟେଭାଡୁଙ୍ଗୁରି, ଭାଟବାହାଲି, ଖୁଂଟପାଲି ଆଦି ଗାଁର ନାଁକରା ବଜାପାର୍ଟିର କାଟ୍‌ତି ଏତେ ଥିଲା ଯେ ଚାରି ଛଅ ମାସ ଆଗରୁ ସେମାନଙ୍କୁ ବଇନା ଦେବାକୁ ପଡୁଥିଲା । ବରଯାତ୍ରୀଙ୍କ ଶୋଭାଯାତ୍ରାରେ ଏହି ଗାଁର ବଜାଦଳକୁ ଦେଖି ବରପକ୍ଷର ଆର୍ଥିକ ସ୍ୱଚ୍ଛଳତା ଅନୁମାନ କରୁଥିଲେ କନ୍ୟାପକ୍ଷ ଗାଁର ଲୋକେ । ଆମ ଗାଁ ସାନଟିକାର ବାଜାଦଳ କଥା କହୁଛି, ସେମାନଙ୍କ ପରିବାର ମଧ୍ୟ କେବେ ଭୋକରେ ରହୁ ନଥିଲେ । କହିବା ବାହୁଲ୍ୟ, ଭଲ ବଜନିଆ, ନିସ୍‌ନିଆ, ମୁହୁରିଆ ମାନଙ୍କର ନାଁ ଥିଲା ସମ୍ମାନ ଥିଲା । ଏସବୁକୁ ମାନ ସମ୍ମାନକୁ ତ ଗିଳିପକାଇଲା, ଦଳିତ ବର୍ଗକୁ ଆହୁରି ସାତ ଦଳିତ କରିଦେଲା ଆଧୁନିକତା, ନବ୍ୟ ସଂସ୍କୃତିର ଧାରା ଏବଂ ବିଶ୍ୱୀକରଣ ଓ ବଜାରବାଦ । ଏହା ପାରମ୍ପାରିକ କଳାର ମୂଳ କଳାକାରମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଲା, କିନ୍ତୁ ଅସ୍ପୃଶ୍ୟତା ସେହି ଅଗ୍ନିରେ ଘିଅ ଢାଳିଚାଲିଲା ଏବଂ ଚାଲୁଛି ମଧ୍ୟ ।

ଯେଉଁ କଳାକାରର ବାଦ୍ୟରେ ଦେବୀ ଧରାକୁ ଆସନ୍ତି, ଦେହେରିକୁ ବଏଲ୍ ଆସେ, ଦେବତା ସବାର ହୁଏ ମଣିଷ ଦେହରେ, ପୁଣି ଦେ ଦେବତାଙ୍କ ବିସର୍ଜନ ହୁଏ… ଆଉ ମଧ୍ୟ ଶୁଭାଶୁଭ କାର୍ଯ୍ୟରେ ବାଜାର ନିହାତି ଆବଶ୍ୟକତା ପଡ଼େ, ସେହି କଳାକାର ଈଶ୍ୱରଙ୍କ ସନ୍ତାନ ବୋଲାଇବାରୁ ଆଜିଯାଏ ବଂଚିତ ହୋଇରହିଛି । କର୍ତା ଓ ବିଧାତା ଦିହେଁ ସ୍ୱୀକାର କରୁଛନ୍ତି, ଢୁଳିଆ, ନିସନିଆ, ମୁହୁରିଆ ସହିତ ଦେବତା କଥାବାରତା କରନ୍ତି । ଠିକ୍ ପାର ନ ବାଜିଲେ ଦେବତା ଉଭା ହୁଅନ୍ତି ନାହିଁ, କାଲିସି ଲାଗିଥିବା ସମୟରେ ଢୁଲିଆକୁ ଆମେ କୁଣ୍ଡେଇ ହେଉ, ତା’ ଆରଦିନ  ତା ପାଖକୁ ଲାଗି ବସିଲେ ମଧ୍ୟ ଆମେ ନାକ ଟେକୁ । ଗୀତ, ସଙ୍ଗୀତ, କଳା, ସାହିତ୍ୟ ଏସବୁ ଆଧ୍ୟାତ୍ମିକ ବରଦାନ ବୋଲି ଯଦି ପ୍ରବଚନ ଦେଉଛୁ, ତାହେଲେ ସେହି ଆଦିମ ଗୀତ ସଙ୍ଗୀତ ବାଦ୍ୟ ନୃତ୍ୟର ମହାନ କଳାକାରମାନଙ୍କୁ କାହିଁକି ସମାନ ସ୍ୱୀକୃତି ଦେବାକୁ ପଛଘୁଂଚା ଦେଉଛୁ । କଳା ଈଶ୍ୱର ଦେଲେ, କିନ୍ତୁ କଳାକାର ଦଳିତ ହୋଇ ରହିଗଲେ ।

ତେଣୁ ମୁଁ ଜୋର ଦେଇ କହିବି ଯେ ଆମର କୌଣସି କଳା, ସାହିତ୍ୟ, ସଙ୍ଗୀତ ଈଶ୍ୱର ଦେଇନାହାନ୍ତି, ତାହା ପ୍ରକୃତି ହିଁ ଆମକୁ ଦେଇଛି । କେହି କେହି କହିପାରନ୍ତି- ଆମର ଦେ  ଦେବତା ଯାନିଯାତ୍ରାରେ ବାଦ୍ୟ ବାଦନ କରାଯାଉଛି । କିନ୍ତୁ ଭଲଭାବରେ ଯଦି ଚିନ୍ତା କରିବା ଆମର ଦେ ଦେବତାମାନେ ମଧ୍ୟ ପ୍ରକୃତିର ରୂପ ମାତ୍ର । ଦେବୀମାନେ ଆମର ପ୍ରକୃତି । ପ୍ରକୃତିର ପୂଜା ପାଇଁ ଆମେ ଆମର ପ୍ରାକୃତିକ ସଙ୍ଗୀତ ପରିବେଷଣ କରୁଛୁ । ଆମର ବାଦ୍ୟଯନ୍ତ୍ରର ସବୁ ଅଂଶ ପ୍ରକୃତିରୁ ହିଁ ଆସୁଛି । ମୃତ ପଶୁର ଚମକୁ ଆଣି ବାଦ୍ୟ ତିଆରୁଛୁ । ଏଥିରୁ ଦୁଇଟି ଲାଭ; ଏକରେ ଗାଁ ପାଖରେ ମରିପଡ଼ିଥିବା ପଶୁଟି ମାଟିରେ ମିଶିଗଲା ପୂର୍ବରୁ ତାହାର କିଛି ଅଂଶ କାମରେ ଲାଗିଗଲା ଏବଂ ଦ୍ୱିତୀୟରେ ପରିବେଶ ମଧ୍ୟ ସଫା ରହିଲା । ଯିଏ ପରିବେଶକୁ ସଫା ରଖିଲା ଆମେ ତାହାକୁ ଦଳିତ କରି ରଖିଲେ । ବାଦ୍ୟ ନିର୍ମାତାଙ୍କ କଥା ପରେ କହିବି ।   ଅସ୍ପୃଶ୍ୟତାର ବଳୟକୁ ଆଜିଯାଏ ବିଜ୍ଞାନ ମଧ୍ୟ ଭେଦି ପାରିନାହିଁ । ଆପଣ କ’ଣ ଭାବୁଛନ୍ତି ଦଳିତ ବର୍ଗର କେହି ଯଦି ଉଚ୍ଚ ପଦପଦବିରେ ରହିଲା କି ସହର ନଗରରେ ରହିଲା, ତାହାର ଦଳିତ ଅପବାଦ ଦୂର ହୋଇଗଲା, ନା । ସହରରେ ମଧ୍ୟ ଦଳିତ ବୋଲି ଜାଣିଗଲେ ଅଧିକାଂଶ ଲୋକ ଘରଭଡ଼ା ଦେବାକୁ ରାଜି ହେଉନାହାନ୍ତି, ଏବେ ମଧ୍ୟ । ହେଉପଛେ ସେ ବୈଜ୍ଞାନିକ ହୋଇଥାଆନ୍ତୁ । ଆପଣ ଆଶ୍ଚର୍ଯ୍ୟ ହେବେ, କେଇଜଣ ଆଇଏଏସ୍ ଅଧିକାରୀ ଦଳିତ ଅପବାଦରୁ ବଂଚିବା ପାଇଁ ତାଙ୍କର ସାଙ୍ଗିଆ ବଦଳାଇବାକୁ ଶ୍ରେୟସ୍କର ମଣିଛନ୍ତି ।

ଗଁଡ଼ାବଜାର କଳାକାରମାନେ ଏ ପର୍ଯ୍ୟନ୍ତ ଦଳିତ ଓ ଅବହେଳିତ ହୋଇ ରହିଥିବାର ଏଭଳି ସାମାଜିକ କାରଣ ସହିତ ଯୋଡ଼ି ହୋଇ ରହିଛି ଅର୍ଥନୈତିକ ଅଧୋପତନର ବାସ୍ତବ କାହାଣୀ ।

ଅସ୍ମୃଶ୍ୟତାର ବଳୟ ଆଉ ଗାଁରୁ କୌଳିକ ବୃତ୍ତି ସବୁ ହଜିଯିବା କାରଣରୁ ଗାଁର ଦଳିତ ବର୍ଗ, କଳାକାର ବର୍ଗ, ନାମମାତ୍ର ଚାଷୀ, ଭୂମିହୀନ ଏବଂ ଦିନମଜୁରିଆ ମାନେ ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଯାଇ ଇଟା ଗଢୁଛନ୍ତି । ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଏକଦା ବୟନ ଶିଳ୍ପୀ ଭାବେ ରୋଜଗାର କରୁଥିବା ଗଣ୍ଡା ଜାତିର ଲୋକେ ମେସିନ୍ କପଡ଼ାଲତା ଆସିବା ସହିତ ବଜାରୀକରଣର ପ୍ରଭାବରେ ବୃତ୍ତି ହରାଇଲେ ।

ମୋ ଗାଁର ଯେଉଁ ଭୁବନ ସୁନା ଢୋଲ ଦିନେ ନ ବଜାଇଲେ ତାହାର ପେଟର ଭାତ ହଜମ ହେଉ ନ ଥିଲା, ଏକଲହରିଆ କୁଇଲି କଣ୍ଠରେ ସବୁପ୍ରକାର ଗୀତ ଗାଇ ନିସାନ୍ ବଜଉଥିବା ସୁବନ ସୁନା ଦିନେ ନିସାନ୍ ନ ପିଟିଲେ ମୁଣ୍ଡ ବୁଲଉଥିଲା, କମ୍ପ ଛତ୍ରିଆ ରାତିରେ ଶୋଇଥିଲେ ମଧ୍ୟ ଦୁଇ ହାତକୁ ହଲେଇ ହଲେଇ ପାଟିରୁ କରକଡ ଦମ୍ କରକଡ ଦମ୍ ଆବାଜ୍ ବାହାର କରୁଥିଲା, ତାଙ୍କର ପୁଅ ନାତିମାନେ ଗୋଟେ ଗୋଟେ ଅଣ- ଗଁଡ଼ା ମାଲିକର ବ୍ୟାଣ୍ଡ୍ ବାଜା ପାର୍ଟିରେ ବଜଉଛନ୍ତି, ନହେଲେ ଭୁଦେଇର ଗାଲିଚା ଫେକ୍ଟ୍ରିରେ ମେସିନ୍ ହଲେଇ ହଲେଇ ଗାଲିଚା ବୁଣୁଛନ୍ତି, ରାଏପୁର ଯାଇ ରିକ୍ସା ଚଲଉଛନ୍ତି, ନତୁବା ପରିବାର ସହିତ ଇଟ୍ ଗଢ଼ିବାକୁ ଦାଦନ ଯାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ୨୦୦୭ ମସିହାରେ ରାଜ୍ୟରୁ ୫୫ ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଯାଇଥିବାବେଳେ ୨୦୧୭ରେ ତାହା ପହଂଚିଥିଲା ୧ ଲକ୍ଷ ୪୭ ହଜାରରେ, ଅର୍ଥାତ୍ ଦଶ ବର୍ଷରେ ତିନି ଗୁଣ ହୋଇଛି । କିନ୍ତୁ ବାସ୍ତବ ତଥ୍ୟ ହେଲା ଯେ ଏହି ସଂଖ୍ୟାର ବହୁଗୁଣ ଲୋକ ଦାଦନ ଯାଉଛନ୍ତି । କେବଳ ବଲାଙ୍ଗିର ଜିଲ୍ଲାରୁ ୨୦୧୫ରେ ୪୫ ହଜାର ଲୋକ ଦାଦନ ଯାଇଥିଲେ । ଏହି ସଂଖ୍ୟାର ସିଂହ ଭାଗ ହେଉଛନ୍ତି ଦଳିତ ଓ ଆଦିବାସୀ ବର୍ଗ ।

ବେଶ୍ କିଛି ବର୍ଷ ହେଲାଣି ଦେବୀ ମନ୍ଦିରମାନଙ୍କରେ ଆଳତି ସମୟରେ ଯେଉଁ ଢୋଲ, ନିସାନ୍ ବଜାଇବାକୁ ଲୋକ ଦରକାର ହେଉଥିଲା ତାହା ଆଉ ଦରକାର ପଡୁନାହିଁ, ଏମିତି ମେସିନ୍ ଆସିଛି ଯେ ତାହା ନିସାନ୍ ବଜଉଛି ।

ଗତ କୋଡ଼ିଏ ବର୍ଷ ମଧ୍ୟରେ ଆଧୁନିକତା ଓ ବଜାର ସଂସ୍କୃତି କେମିତି ଗଁଡ଼ାବଜାକୁ ଗିଳି ପକାଇଲା? ଡିଜେ, ବ୍ୟାଣ୍ଡ୍ ବଜା ଯାହା କରିବା କଥା କଲା । ସେଥିରେ ପ୍ରାୟତଃ ଦଳିତ ବର୍ଗ ବାହାରର କଳାକାର ସାମିଲ ହୋଇ ଅର୍ଥ ଉପାର୍ଜନ କଲେ । ଗଁଡ଼ାବଜାକୁ ଅନୁସରଣ କରି ତାହାକୁ ଦୁଲଦୁଲି, ପଂଚବାଦ୍ୟ ଆଦି ନାଁରେ ପରିବେଷଣ କରାଗଲା । ଛୋଟବଡ଼ ସବୁ ସହରରେ ଆୟୋଜିତ ହେଉଥିବା ମହୋତ୍ସବ, ଲୋକମହୋତ୍ସବ… ସବୁଠି କେସିଓ, ସିନ୍ଥେଟିକ୍ ଢୋଲ ଆଉ ଅଣପାରମ୍ପରିକ କଳାକାରଙ୍କ ଦ୍ୱାରା ଗର୍ଜନ ତର୍ଜନ ବହୁତ ଜୋର୍‌ରେ ଶୁଭିଲା । ସେହି ପରିମାଣରେ ଗଁଡ଼ାବଜାର ସ୍ୱର ଧିମେଇଗଲା… ଧୀରେ ଧୀରେ ଅସ୍ପଷ୍ଟ ହେବାକୁ ଲାଗିଲା । ସେହି ପରାକ୍ରମୀ ସ୍ୱରକୁ ପ୍ରୋତ୍ସାହିତ କଲୁ ଆମେମାନେ, ସାମ୍ବାଦିକ ବର୍ଗ, ବୁଦ୍ଧିଜୀବୀ ବୋଲାଉଥିବା ଚିନ୍ତାଶୂନ୍ୟ ମହଲ, ନେତା-ମନ୍ତ୍ରୀ ଓ ଅମଲା ଅଫିସର ବର୍ଗ । ସେଠି ପ୍ରତିଯୋଗିତା ହୁଏ ଲୋକବାଦ୍ୟର, କିନ୍ତୁ ନା ଲୋକକୁ ଦିଆଯାଏ ଗୁରୁତ୍ୱ ନା ବାଦ୍ୟର ଥାଏ ମହତ୍ୱ । କିନ୍ତୁ ସେସବୁ ବାଦ୍ୟର ମୂଳ ହେଉଛି ଗଁଡ଼ାବଜା । ଗଁଡ଼ାବଜା ସଂସ୍କୃତି ସହିତ କେବେ ବଜାର ସଂସ୍କୃତି ନ ଥିଲା ।

ଗଁଡ଼ା ବା ହରିଜନମାନଙ୍କର ଅନ୍ୟ ଏକ ରୋଜଗାର ପନ୍ଥା ଥିଲା ଲୁଗା ବୁଣିବା, ତାହା ତ ଆଉ ଆଗରୁ ବୁଡ଼ି ସାରିଥିଲା, ଯନ୍ତ୍ରବୁଣା ଲୁଗାପଟାର ବହୁଳ ବ୍ୟବହାର ଓ ଆଦର କାରଣରୁ । ଏହି ବର୍ଗର ଲୋକେ ପ୍ରାୟ ସମସ୍ତେ ଭୂମିହୀନ । ଗଉଁତିଆ, ଜମିଦାରଙ୍କ ସିଲିଂ ଯିବାରୁ ସେମାନଙ୍କୁ ଅଳ୍ପ କିଛି ଲେଖାଏ ଜମି ସରକାର ଦେଇଥିଲେ । କିନ୍ତୁ ସେସବୁ ଏମିତି ଜାଗାରେ ମିଳିଥାଏ ଯେ ସେଥିରେ ଚାଷ କରି ପରିବାର ପୋଷିବା କଷ୍ଟ। କେଉଁ ଜମି ଖଣ୍ଡକ ପୋଖରି ଲାଗିକି ଥାଏ ଆଉ ବର୍ଷସାରା ସେଥିରେ ପାଣି ଜମୁଥାଏ ତ ଆଉ କେଉଁ ପର୍ବତ ଉଚ୍ଚ ଢିପ ଜମି ମିଳିଥାଏ ଯେ ହଳଲଙ୍ଗଳ ମୁନ ଖୁପେନାହିଁ । ଅଧିକ ଜମିଥିବା ଲୋକ ଏମିତି ଜମିକୁ ସିଲିଂରେ ପକାଏ ଯେଉଁଠି ସେ କେବେ କିଛି ଲାଭ ପାଇନଥାଏ । ଜମି ଯାହାହେଉ ଏବେ ତ ବଡ଼ଚାଷୀମାନେ ଚାଷ ଛାଡ଼ିବା ଉପରେ ଆଉ ଦଶ କୋଡିଏ ଡିସିମିଲ ଜାଗିରି ଜମିନ୍‌ର ଅଧିକାରୀଙ୍କ କଥା କିଏ ପଚାରେ । ଅଛୁଆଁ ହେତୁ, କାହା ଘରେ କି ଜମିରେ ଯାଇ କାମ କରିବାଟା ବି ମିଳେନାହିଁ । କିଛି ଲୋକ ଏମାନଙ୍କୁ କୃଷି ଶ୍ରମିକ ଭାବେ ଗ୍ରହଣ କରୁଥିଲେ, ଏବେ ଚାଷରେ କ୍ଷତି ଏବଂ ମେସିନ୍ ମାଧ୍ୟମରେ ସବୁ କାମ ହେଉଥିବାରୁ ତାହାର ଅବକାଶ ମଧ୍ୟ ସଙ୍କୁଚିତ ହୋଇଗଲା ।

ହାତରେ କାମ ନାହିଁ, କି ସାମାଜିକ ସମ୍ମାନ ମଧ୍ୟ ନାହିଁ । ଏ ଜାତିର ପ୍ରାୟ ପରିବାର ବହୁକୁଟୁମ୍ବୀ । ସରକାରଙ୍କ ଟଙ୍କିକିଆ ଚାଉଳରେ ପେଟ କେତେ ପୂରିବ । ଦେହପାହା କଥା ପୁଣି ଅଛି । ତେଣୁ ଢୋଲ ନିସାନ୍‌କୁ ଘର କାନ୍ଥରେ ଟାଙ୍ଗିଦେଇ ଦାଦନ ଖଟିଯିବାକୁ ପସନ୍ଦ କଲେ ଗଁଡ଼ାବଜାର ଅନେକ ଲୋକକଳାକାର ।

ପାଂଚ ଛଅ ଜଣକୁ ନେଇ ଏ କଳାକାରଗୋଷ୍ଠୀ, ବଜନିଆ ଦଳ । ଯାହାର ଢୁଲିଆକୁ ପୁଣି ତାହାର ନିସନିଆ । ମେଳ ନହେଲେ ବାଜା ଠିକ୍ ପଡ଼େନି । ନୂଆପିଢ଼ି ତାହାକୁ ଚାଲୁ ରଖିବାକୁ ମନ ବଳଉ ନାହାନ୍ତି । ଦାଦନ ସମସ୍ୟା ଉପରେ ଗବେଷଣା କରୁଥିବା ଉମି ଡାନିଏଲ୍‌, ତ୍ରିଲୋଚନ ପୁଂଜି, ସରୋଜ ବାରିକ, ସଂଜୟ ମିଶ୍ର ମାନେ ମଧ୍ୟ ଅନେକତ୍ର ଉଲ୍ଲେଖ କରୁଛନ୍ତି ଯେ ଏହି ସମସ୍ୟାର ଏକ ମୁଖ୍ୟ କାରଣ ହେଉଛି ଅଛୁଆଁ ପ୍ରଥା।

କିଛି ଦିନ ତଳେ ଆମ ରାଜ୍ୟର ଶ୍ରମମନ୍ତ୍ରୀ କହିଥିଲେ ଯେ ଲୋକକଳା ମାଧ୍ୟମରେ ଦାଦନ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯିବ । ତାଙ୍କୁ ଦେଖାହେଲେ ମୁଁ ବିନମ୍ରତାର ସହିତ ପ୍ରଶ୍ନ କରିବି ଯେ, ଆଜ୍ଞା, ଯେଉଁ ଲୋକ କଳାକାରମାନେ ଅନ୍ୟକୁ ନିଜର କଳା ମାଧ୍ୟମରେ ସଚେତନ କରିଥାନ୍ତେ ସେମାନେ ଦାଦନ ଖଟିବାକୁ ଯାଇସାରିଛନ୍ତି । ଆପଣ ଯେଉଁ ଲୋକକଳା କଥା କହୁଛନ୍ତି, ସେମାନେ ଦୁଲଦୁଲି କରିବେ, ପଂଚବାଦ୍ୟ କରିବେ ନହେଲେ ପାଲା-ଦାସକାଠିଆ-ସଂଚାର-ସଂପ୍ରଦା କରିବେ ।

ବରିଷ୍ଠ ଗୁରୁ ଘାସିରାମ ମିଶ୍ର ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀଙ୍କ  କଥାର ପ୍ରସଙ୍ଗ ଉଠାଇ କହିଛନ୍ତି:- ଦାଦନ ରୋକିବା ପାଇଁ ସରକାରଙ୍କ ଯୋଜନା ବାଟବଣା । ନିକଟରେ ରାଜ୍ୟ ସରକାର ଦାଦନ ରୋକିବା ପାଇଁ ଲୋକକଳା ମାଧ୍ୟମରେ ଲୋକଙ୍କୁ ଜାଗରୁକ କରିବା ସକାଶେ ଭୁବନେଶ୍ୱର ଠାରେ ଏକ ତିନିଦିନିଆ ତାଲିମ ମଧ୍ୟ ଦେଇଥିଲେ । ବଲାଙ୍ଗିରର ଲୋକ କଳାକାରମାନେ ମଧ୍ୟ ତାଲିମ ନେଇ ଯୋଜନାର ରୂପରେଖ ସମ୍ବନ୍ଧେ ଚିଠା ଲେଖି କଳା ମାଧ୍ୟମରେ ପରିବେଷଣ କରିଥିଲେ । ପ୍ରତିଶ୍ରୁତି ମିଳିଥିଲା ଯେ ସବୁ କଳାକାରଙ୍କୁ ସୁଯୋଗ ଦେବା ପାଇଁ, କିନ୍ତୁ ବଲାଙ୍ଗିରଯେ ଯୋଜନା ବାଟବଣା ହେଲାପରି ମନେହୁଏ ।

ଦୁଃଖର କଥା ବଲାଙ୍ଗିର ଜିଲ୍ଲାର ବେଲପଡ଼ା, ତୁରେକେଲା, ଖପରାଖୋଲ, ମୁରିବାହାଲ ଏରିଆ ଆଉ ନୂଆପଡ଼ା ଜିଲ୍ଲା, ବରଗଡ଼ ଜିଲ୍ଲାର ଗାଇସିଲେଟ, ପଦ୍ମପୁର ଏରିଆରୁ ସବୁଠୁ ଅଧିକ ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଏହି ଅଂଚଳରେ ସବୁଠୁ ଅଧିକ କଳାକାର ଅଛନ୍ତି, ଅଧିକ ଗଁଡ଼ାବଜାର କଳାକାର ଅଛନ୍ତି ।

ଗୋଟେ ଆଦିମ କଳା ଓ ବହୁଳ ବ୍ୟବହୃତ ସାଂସ୍କୃତିକ ପରିମଣ୍ଡଳରେ କେତେକ ସୁପରିଚିତ କଳାକାର ଓ ସୁନାମ ଅର୍ଜନ କରିଥିବା ବାଦକଙ୍କ ମାନ୍ୟତା ଓ ସ୍ୱଚ୍ଛଳତା କଥା କହି ଖୁସି ହୋଇପାରିବା ନାହିଁ । କାହିଁକିନା ଗଁଡ଼ାବଜା ଏମିତି ଏକ ଅତ୍ୟାବଶ୍ୟକୀୟ ମାଧ୍ୟମ ଥିଲା ଯେଉଁଥିରେ ସବୁ ଗାଁର କିଛି କିଛି କଳାକାର ନିଜକୁ ହଜାଇ ଦେଉଥିଲେ । ସେମାନଙ୍କ ପାଖରେ ସରକାରୀ ପ୍ରମାଣପତ୍ର ନାହିଁ ଯେ ସେମାନେ ସରକାରଙ୍କ ବାରଶହ ଟଙ୍କିଆ ଭତ୍ତା ପାଇପାରିବେ । ହୁଏତ ବଜାର ଉତ୍କର୍ଷ ଦୃଷ୍ଟିରୁ ମଧ୍ୟ ସେମାନେ ହାତଗଣତିକୁ ଆସିପାରିବେ ବା ଅନ୍ୟର ଦୃଷ୍ଟି ଆକର୍ଷଣ କରିପାରିବେ, କିନ୍ତୁ ସେମାନଙ୍କର ବି ବଡ଼ ଭୂମିକା ଥିଲା ଗଣ୍ଡାବଜାର ବ୍ୟାପକତାକୁ ବୃଦ୍ଧି କରିବାରେ ।

ବଜା ସହିତ ଜଡ଼ିତ ଅଛନ୍ତି ଆଉ ଏକ ଲଘୁ ଗୋଷ୍ଠୀ, ଘାସି ବା ଚମାର ସଂପ୍ରଦାୟର କାରିଗରମାନେ । ସେମାନଙ୍କ ଯୋଗଦାନ ବଳରେ ଗଁଡ଼ାବଜାର ଅସ୍ତିତ୍ୱ ଆଜି ମଧ୍ୟ ରହିଛି । ସେହି କାରିଗରମାନେ ଢୋଲ, ନିସାନ୍‌, ତାସା ନିର୍ମାଣ କରୁଥିଲେ । କେତେକ କୌଳିକ ଧନ୍ଦାକୁ ଛାଡ଼ି ନ ପାରି ଏବେ ମଧ୍ୟ ବାଦ୍ୟ ତିଆରି କରୁଛନ୍ତି ।

ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଅନେକଙ୍କ ଅବଦାନ ରହିଛି । ସେ ଭିତରେ ଗୁରୁ ଦାୟିତ୍ୱ ବହନ କରିଥାନ୍ତି ପାରମ୍ପରିକ ବାଦ୍ୟଯନ୍ତ୍ର ନିର୍ମାଣ କରୁଥିବା କଳା-କାରିଗରମାନେ, ଅଥଚ ସେମାନେ ସ୍ୱୀକୃତି ପାଇପାରୁ ନାହାନ୍ତି ଜଣେ କଳାକାର ଭାବେ କିମ୍ବା ଜଣେ କାରିଗର ଭାବେ । ସମୟର ପରିବର୍ତ୍ତନ ସହିତ ସେମାନଙ୍କ କୌଳିକ ବୃତ୍ତିକୁ କମ୍ପାନି ନିର୍ମିତ ବାଦ୍ୟଯନ୍ତ୍ରର ଆଦୃତି ଚାପିଦେବାକୁ ବସିଛି, ତଥାପି ଓକିଲ କୁମ୍ଭାର ଭଳି କିଛି ଲୋକ ନିଜର କଳା-ସାଧନା ଓ ପାରମ୍ପରିକ କର୍ମକୁ ଛାଡ଼ିନାହାନ୍ତି ।

ବଲାଙ୍ଗୀର ଜିଲ୍ଲା ସାଲେଭଟା ଗାଁ ମୁଣ୍ଡରେ ଦଳିତ ବସ୍ତିରେ ସପରିବାର ରହନ୍ତି ଓକିଲ । ବୟସ ୬୩ ବର୍ଷ । ଘରେ ସ୍ତ୍ରୀ ଓ ତିନି ପୁଅ । ପୁଅମାନେ ରୋଜଗାର ପାଇଁ କୌଳିକ ବୃତ୍ତି ଛାଡ଼ି ଅନ୍ୟ କୁଲି ମଜୁରି କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବାପାଙ୍କ ତାଗିଦରେ ବାଧ୍ୟ ହୋଇ ସାହାଯ୍ୟ ମଧ୍ୟ କରୁଛନ୍ତି ତାଙ୍କୁ ।

ଓକିଲ କୁମ୍ଭାର ଢୋଲ, ନିସାନ, ତାସା, ଟିମିକିଡ଼ି, ଡୁବି ତବଲା, ମୃଦଙ୍ଗ, ମାନ୍ଦଲ, ମର୍ଦଳ, ଢୋଲକ, ଘୁବୁକୁଡୁ ତିଆରି କରୁଛନ୍ତି । ଏସବୁ ବାଦ୍ୟଯନ୍ତ୍ରକୁ ସେ ନିଜେ ଅତି ସୁନ୍ଦର ଭାବରେ ବାଦନ କରିପାରନ୍ତି ।

ବାପା ପ୍ରସନ୍ନ କୁମ୍ଭାର ମଧ୍ୟ ସବୁ ପ୍ରକାର ବାଦ୍ୟଯନ୍ତ୍ର ନିର୍ମାଣ କରୁଥିଲେ । ମାଆ ବୈଦେହୀ କୁମ୍ଭାର ମଧ୍ୟ ସାହାଯ୍ୟ କରୁଥିଲେ । ଉଭୟଙ୍କ ମୃତ୍ୟୁ ପରେ ଓକିଲ ସବୁ ପ୍ରକାର ବାଦ୍ୟଯନ୍ତ୍ର ନିଜେ ତିଆରି କରୁଛନ୍ତି । ଛୋଟ ସମୟରୁ ବାପାଙ୍କ କାମ ଦେଖି ସେ ଆପେ ଆପେ ଶିଖିଯାଇଥିଲେ ।

ଓକିଲଙ୍କ ପ୍ରିୟ ବାଦ୍ୟ ହେଉଛି ଢୋଲ । ଏହା ତିଆରି କରିବା ପାଇଁ ସେ ଚେରୁପାଲିରୁ ମାଟିରେ ନିର୍ମିତ ଆକୃତି ଆଣିଥାନ୍ତି । ତାହା ପୋଡ଼ାଯାଇଥାଏ । ଏବେ ହାତ ତିଆରି ବଦଳରେ ବିଭିନ୍ନ କମ୍ପାନି ପ୍ରସ୍ତୁତ ବାଦ୍ୟଯନ୍ତ୍ରକୁ ଆଧୁନିକ କଳାକାରମାନେ ବେଶୀ ପସନ୍ଦ କରୁଛନ୍ତି । ଏଥିପାଇଁ ତାଙ୍କ ବୃତ୍ତି ଏବେ ସଙ୍କଟରେ । ସମୟ ଓ ପରିଶ୍ରମ ଅନୁସାରେ ପାରିଶ୍ରମିକ ମଧ୍ୟ କମ୍ । ତଥାପି ଓକିଲଙ୍କ ହାତ ତିଆରି ବାଦ୍ୟଯନ୍ତ୍ର ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବଉଦ ଆଦି ଜିଲ୍ଲାର ଶହ ଶହ କଳାକାରଙ୍କ ହାତରେ ଏବେ ମଧ୍ୟ ବାଜୁଛି। ଓକିଲଙ୍କ କହିବା ଅନୁଯାୟୀ ଏପର୍ଯ୍ୟନ୍ତ ସେ ଚାରି ହଜାରରୁ ଅଧିକ ସଂଖ୍ୟକ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରିସାରିଲେଣି । ତାଙ୍କୁ ପନ୍ଦର ବର୍ଷ ବୟସ ହେଉଥିବା ବେଳୁ ସେ ଏ କାମ କରିଆସୁଛନ୍ତି ।

ଓକିଲଙ୍କ ବଡ଼ ଗୁଣ ହେଉଛି ସେ ନିଜେ ଜଣେ ନାଁକରା  ଢୁଲିଆ । ବିଭିନ୍ନ ଦଣ୍ଡପାର୍ଟି ସହିତ ମଧ୍ୟ ସେ ଜଡ଼ିତ । ଢୋଲ ବଜାଇବାରେ ତାଙ୍କର ରହିଛି ଅପୂର୍ବ ଦକ୍ଷତା । ନିଜ ହାତରେ ତିଆରିଥିବା ଢୋଲରେ ସେ ନିଜ ହାତରେ ବଜାଇ ପ୍ରଚୁର ଆତ୍ମସନ୍ତୋଷ ଲାଭ କରନ୍ତି । ତାଙ୍କ ମତରେ, ମୁଁ ନିଜେ ଢ଼ୋଲର ବତର ଜାଣିଛି । ଏଥିପାଇଁ ମୁଁ ମୋ ନିଜ ହାତ ତିଆରି ଢୋଲ ବଜାଇବାବେଳେ କୋଟି ଜନ୍ମର ସୁଖ, ଶାନ୍ତି, ଆତ୍ମସନ୍ତୋଷ ପାଇଥାଏ । କଳାକୁ ବଂଚାଇ ରଖିବା ପାଇଁ ମୁଁ ମଲା ପର୍ଯ୍ୟନ୍ତ ଏ କାମ କରୁଥିବି । ଓକିଲ ଢୋଲ ବ୍ୟତୀତ ମୃଦଙ୍ଗ, ମାନ୍ଦଳ, ମର୍ଦ୍ଦଳ ତଥା ଘୁବକୁଡୁ ଆଦି ସବୁ ପ୍ରକାର ବାଦ୍ୟଯନ୍ତ୍ର ବଜାଇ ପାରନ୍ତି ।

ଓକିଲଙ୍କ ଦାବି ହେଉଛି, ପାରମ୍ପରିକ ବାଦ୍ୟଯନ୍ତ୍ର ନିର୍ମାଣ କରୁଥିବା ଲୋକଙ୍କୁ କଳାକାରର ମାନ୍ୟତା ଦିଆଯାଉ । ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ସବ୍‌ସିଡ଼ି ଓ ଋଣ ଦେବାର ବ୍ୟବସ୍ଥା କରାଯାଉ । ଏହା ଦ୍ୱାରା କୌଳିକ ବୃତ୍ତିରୁ ଦୂରେଇ ଯାଉଥିବା ତାଙ୍କର ପୁଅ ନାତିମାନେ ତାହା କରିବାକୁ ମନା କରିବେ ନାହିଁ । ବଲାଙ୍ଗିର ଜିଲ୍ଲା ଭାରେଲ ଗାଁର ଗୁରୁବାରୁ ମହାନନ୍ଦ ମଧ୍ୟ ଓକିଲଙ୍କ ଭଳି ଢୋଲ ନିସାନ ତାସା ତିଆରୁଛନ୍ତି, କିନ୍ତୁ ତାଙ୍କର ମଧ୍ୟ ଦୁଃଖ ସେ କଳାକାର ଭାବରେ ଗଣା ହେଉନାହାନ୍ତି କି ଭତ୍ତା ଗଣ୍ଡେ ପାଇବାକୁ ଯୋଗ୍ୟ ହୋଇପାରୁ ନାହାନ୍ତି ।

ଗୁରୁବାରୁ ମହାନନ୍ଦଙ୍କ ଘରେ ସ୍ତ୍ରୀ ସାବିତ୍ରୀ, ପାଂଚ ଝିଅ, ଦୁଇ  ପୁଅ ଏବଂ ଅନେକ କିସମର ପାରମ୍ପରିକ ବାଦ୍ୟଯନ୍ତ୍ର । ମୃଦଙ୍ଗ, ମର୍ଦ୍ଦଳ, ମାନ୍ଦଲ, ଢୋଲ, ଢୋଲକ, ନିସାନ, ତାସା, ଡୁବି ତବଲା । କେତେ ନୂଆ ଆଉ କେତକ ପୁରୁଣା । ଘର ବାରଣ୍ଡା ଠାରୁ ଆରମ୍ଭ କରି ବାଡ଼ିପଟ ଯାଏ କୋଉଠି ବି ଖାଲି ଜାଗା ନାହିଁ । ଚମଡ଼ା, ବାଦି, କିରନ୍‌, ଗୁମା ଆଦି ଉପକରଣ ସବୁଆଡ଼େ ବିଛେଇ ହୋଇପଡ଼ିଛି । ପରିବାରର ପ୍ରାୟ ସମସ୍ତେ ଲାଗିପଡ଼ିଥାନ୍ତି ବାଦ୍ୟଯନ୍ତ୍ର ନିର୍ମାଣରେ ।

୧୯୫୮ ମସିହାରେ ଗୁରୁବାରୁଙ୍କ ଜନ୍ମ । ବାପା ଭଜମନ ମହାନନ୍ଦ । ସେ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ସଙ୍ଗୀତ ସମ୍ପର୍କରେ କିଛି ଶିକ୍ଷା ଗ୍ରହଣ କରିନାହାନ୍ତି, କିନ୍ତୁ ବାଦ୍ୟଯନ୍ତ୍ର ନିର୍ମାଣରେ ଖୁବ୍ ମାହିର । ଏହି କଳାଟି ଛୋଟ ଥିବା ସମୟରୁ ସେ ତାଙ୍କ ବାପାଅଜା ଠାରୁ ଶିଖିଛନ୍ତି । ଅଜା ଖଗେଶ୍ୱରଙ୍କ ପରେ ବାପାଙ୍କ ସହିତ କାମ କରୁଥିଲେ । ବାପାଙ୍କ ଦେହାନ୍ତ ପରେ ଏବେ ପୁଅ, ଝିଅ ଓ ସ୍ତ୍ରୀଙ୍କ ସହିତ ମିଶି କାମ କରୁଛନ୍ତି ।

କ୍ଷୋଭର ସହିତ ଗୁରୁବାରୁ କହନ୍ତି ଯେ ଏହା ହେଉଛି ଋତୁକାଳୀନ କାମ । ଖରା ମାସରେ କାମ ଅଧିକ ଆସିଥାଏ । ବଲାଙ୍ଗୀର ବ୍ୟତୀତ କଳାହାଣ୍ଡି, ବରଗଡ଼, ସୋନପୁର, ବଉଦ ଆଦି ଜିଲ୍ଲା ତଥା କଟକ ଭୁବନେଶ୍ୱରରୁ ମଧ୍ୟ ଲୋକେ ବାଦ୍ୟଯନ୍ତ୍ର ପାଇଁ ଅର୍ଡର କରିଥାନ୍ତି । ଏପରିକି ଟାଟା ଏବଂ ଛତିଶଗଡ଼ର କଳାକାରମାନେ ମଧ୍ୟ ତାଙ୍କ ହାତତିଆରି ବାଦ୍ୟଯନ୍ତ୍ରକୁ ପସନ୍ଦ କରି ନେଉଛନ୍ତି । ଖରା ମାସରେ ବାହା ଋତୁ ଯୋଗୁ ଢୋଲ ନିସାନ ତଥା ସଂକୀର୍ତ୍ତନ ଓ ପ୍ରହରୀ ପାଇଁ ମୃଦଙ୍ଗର ଚାହିଦା ବହୁତ । ବର୍ଷର ଅନ୍ୟ ସମୟରେ ତାଙ୍କ ହାତ ଖାଲି ରହିଥାଏ । କାମ କମିଯାଇଥାଏ । ଏକା ସମୟରେ ଅନେକ କାମ ଆସେ ଯେ ସବୁ କରିବା କଷ୍ଟକର ହୁଏ, କିନ୍ତୁ ବାକି ସମୟରେ କମ୍ କାମ ମିଳିଥାଏ ।

କେବଳ ନିର୍ମାଣ ନୁହେଁ, ସବୁଯାକ ବାଦ୍ୟଯନ୍ତ୍ର ବଜାଇବା ମଧ୍ୟ ଜାଣନ୍ତି ଗୁରୁବାରୁ । ନିଜେ ନ ବଜାଇଲେ କେମିତି ଜାଣିବେ ତାହାର ଭୁଲ୍ ତ୍ରୁଟି!  ବଡ଼ ପରିବାର ତଥା ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ କୌଳିକ ବୃତ୍ତି ଏବଂ କଳାକୁ ବଂଚାଇ ରଖିଛନ୍ତି ଗୁରୁବାରୁ । ତାଙ୍କ ଝାଟି ମାଟିର କୁଡ଼ିଆ ବଦଳରେ ଏବେ ଇନ୍ଦିରା ଆବାସ ଯୋଜନାରେ ଘରଟିଏ କରିଛନ୍ତି । ଜମିବାଡ଼ି କିଛି ନାହିଁ । ବଡ଼ପୁଅର ବାହାଘର ଖର୍ଚ୍ଚ ସୁଝିବାର ବାକି ଅଛି । ପିଲାମାନଙ୍କ ପଢ଼ାପଢ଼ି ବି ଅଛି । କିଛି ବର୍ଷ ହେଲାଣି ସ୍ତ୍ରୀ ସାବିତ୍ରୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ତହିଁରେ ଅନେକ ଖର୍ଚ୍ଚ ହେଉଛି । ବାଦ୍ୟଯନ୍ତ୍ର ନିର୍ମାଣରୁ ଏତେକଥା ସଂଭାଳିବା କଷ୍ଟକର, ତଥାପି ସେ ହାର ମାନିନାହାନ୍ତି । କାହାରି ପ୍ରତି କିଛି ଅଭିଯୋଗ ନାହିଁ । ତାଙ୍କରି ହାତ ତିଆରି ବାଦ୍ୟଯନ୍ତ୍ର ବଜାଇ ହଜାର ସଂଖ୍ୟକ କଳାକାର ସୁନାମ ଅର୍ଜନ କରିଛନ୍ତି । ତାଙ୍କ ହାତରେ ନିର୍ମିତ ଢୋଲ ଓ ନିସାନ ବଜାଇ ଅନେକ କଳାକାର ଦିଲ୍ଲୀ, ବମ୍ବେରେ ପୁରସ୍କାର ପାଇସାରିଛନ୍ତି ।

ଛଳଛଳ ଆଖିରେ ଗୁରୁବାରୁ କହୁଥିଲେ, ସରକାରକେ ମୁଇଁ ଟଂକା ପଏସା ନାଇଁ ମାଗବାର । ବାଦ୍ୟଯନ୍ତ୍ର ବନଉଛେ ବଲି ମତେ ଖଣେ ସାଟିଫିକେଟ୍ ହେଲେ ଦେତା, ମୋର ପୁଓ ଝି ଉସତ ହେତେ । ଇ କାମ କରବାକେ ଗହଗହ ହେତେ । ଆମର ଜିଲ୍ଲାଥି ଅଠର ବଛର ହେଲାନ ଲୋକମହୋତ୍ସବ ହଉଛେ, ହେ ମଚାନ୍‌କେ ଘାଏ ଚଢ଼ିପାରତିଁ ବଏଲେ ମୋର ଜୀବନ ଧଏନ୍ ହେଇଯାଏତା ।

ବିଡ଼ମ୍ବନା, ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପଚାଶ ହଜାର କଳାକାରଙ୍କୁ ଭତ୍ତା ଦେବାକୁ କହିଥିଲେ, ସରକାର କୁଆଡ଼େ ରାଜ୍ୟରେ ସେତିକି ସଂଖ୍ୟକ କଳାକାର ପାଇପାରିଲେ ନାହିଁ । ଯୋଗାଡ଼ଯନ୍ତ୍ର କରି ପଇଁତିରିଶ ହଜାର କଳାକାର ବାଛିଛନ୍ତି । ଏଥିରେ ସମସ୍ତ ଗଁଡ଼ାବଜାର କଳାକାର ଏବଂ କାରିଗରଙ୍କୁ ଅନ୍ତତଃ ଯୋଡ଼ିପାରିଥାନ୍ତେ । କିଛି ନ ହେଲେ ବି ଦାଦନ ଖଟିବାକୁ ଯାଉଥିବା କିଛି କଳାକାର ଭତ୍ତା ପାଇ ଏଠି ରହିଥାନ୍ତେ ।

Share This Article
Writer, Poet, and Sub-Editor at Sambad Eastern Media Ltd.
Exit mobile version