ପ୍ରହ୍ଲାଦ ନାଟକର ସାଂପ୍ରତିକ ସ୍ଥିତି

ଅଜିତ କୁମାର ମୁନୀ 266 Views
15 Min Read

ପ୍ରହ୍ଲାଦ ନାଟକର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଗବେଷଣାଲଵଦ୍ଧ ତଥ୍ୟକୁ ଏଠାରେ ଉପସ୍ଥାପନ କରିଛନ୍ତି ଲୋକନାଟକ ଗବେଷକ ଡକ୍ଟର ଅଜିତ କୁମାର ମୁନୀ । ରଜା ନାଟ ନାମରେ ଜଣାଶୁଣା ଏହି ନାଟକ ଓଡ଼ିଶାର ଲୋକ ନାଟକ ପରମ୍ପରାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ଲେଖକ ପ୍ରହଲ୍ଲାଦ ନାଟକର ସମ୍ପୂର୍ଣ ଇତିହାସ ଧାରାବାହିକ ତିନୋଟି ସଂଖ୍ୟାରେ ପ୍ରକାଶ କରି ସାରିଲେଣି  । ଏହା ତାଙ୍କ ଧାରାବାହିକର ଶେଷ ଲେଖା ଯେଉଁଥିରେ ସେ ପ୍ରହ୍ଲାଦ ନାଟକର ସାଂପ୍ରତିକ ସ୍ଥିତି ଓ ସମସ୍ୟାକୁ ଉତ୍ଥାପନ କରିବାପାଇଁ ପ୍ରୟାସ କରିଛନ୍ତି । ଲେଖଙ୍କର ଲଗାତାର ପ୍ରୟାସ ରହିଛି ଏହିସବୁ ଲୋକ ନାଟକକୁ କେମିତି ସୁରକ୍ଷିତ କରାଯାଇପାରିବ।  – ସମ୍ପାଦକ

ପ୍ରହ୍ଲାଦ ନାଟକ ପ୍ରଥମେ ପ୍ରାଚୀନ ଓଡିଶାର ଏକ ସୀମାନ୍ତ ଅଞ୍ଚଳ ଯାହା ଆଜି ଆନ୍ଧ୍ର ପ୍ରଦେଶର ଅଧିନସ୍ଥ ସେଠାକାର ସାସ୍କୃତିକ ପୃଷ୍ଠଭୂମିରୁ ଉତ୍ପତି ଲାଭ କରିଥିବା ଏକ ଲୋକନାଟକ । ତେଣୁ ଏହାର ବେଶପୋଷାକ ତଥା ପରିବେଷଣ ଦକ୍ଷିଣ ଭାରତୀୟ ପରିବେଷଣ ଶୈଳୀ ଦ୍ୱାରା କେତେକାଂଶରେ ପ୍ରଭାବିତ । ଏହାର ରଚନା ଶୈଳିକୁ ଦେଖିଲେ ଜଣାଯାଏଯେ ଏହାର ସଂଳାପ ଓଡି଼ଆ ସାହିତ୍ୟ ଦ୍ୱାରା ପରିପୃଷ୍ଟ ଏବଂ ସଙ୍ଗୀତ ଉତ୍କଳିୟ ତଥା ଦକ୍ଷିଣ ଭାରତୀୟ ସଙ୍ଗୀତ ପରିବେଷଣ ପରମ୍ପରା ଦ୍ୱାରା ପ୍ରଭାବିତ ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ସିମାଞ୍ଚଳମ୍‌ରେ ଅବସ୍ଥିତ ନୃସିଂହ ମନ୍ଦିର ଭାରତୀୟ ସନାତନ ଧର୍ମର ନୃସିଂହ ପୂଜନ ପରମ୍ପରାର ଏକ ପ୍ରମୂଖ ଧର୍ମପୀଠ ଅଟେ । ଶୁଣାଯାଏ ଯେ ପ୍ରାଚୀନ ଓଡି଼ଶାର ଓ ଆନ୍ଧ୍ର ପ୍ରଦେଶର ସୀମାରେ ଏହା ଅବସ୍ଥିତ ଥିବାରୁ ଏହାକୁ ସିମାଞ୍ଚଳମ୍ କୁହାଯାଏ । ତେଣୁ ବିଶ୍ୱାସ କରାଯାଏ ଯେ ଏହାର ଧର୍ମିୟ ପ୍ରଭାବ ଏହି ଲୋକନାଟ୍ୟ ପରମ୍ପରା ଉପରେ ଅଧିକ ଥିଲା କିନ୍ତୁ ସମୟକ୍ରମେ ଏହା ଧର୍ମିୟ ପ୍ରଭାବରୁ ମୁକ୍ତହୋଇ ଏକ ସାଧାରଣ ଲୋକ ନାଟକ ଭଳି ପରିବେଷିତ ହୋବାକୁ ଲାଗିଲା ।

ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟଙ୍କ ଦ୍ୱାରା ରଚି଼ତ ସଙ୍ଗୀତ ପ୍ରହ୍ଲାଦ ନାଟକର ପରିବେଷଣ ଦ୍ୱାରା ପ୍ରଭାବିତ ହୋଇ ପରବର୍ତ୍ତି ସମୟରେ ବହୁ ନାଟ୍ୟକାର ନିଜସ୍ୱ ଶୈଳିରେ ନାଟକର ବିଷୟବସ୍ତୁର ମୌଳିକତାକୁ ବଜାୟରଖି ପ୍ରହ୍ଲାଦ ନାଟକ ମାନ ରଚନା କରିଥିଲେ । ସେମାନେ ଯଥା – ରାଜା ରାମଚନ୍ଦ୍ର ଶୁରଦେଓ, ରାଜା ମଦନ ମୋହନ ସିଂଦେଓ, ରାଜା କିଶୋର ଚନ୍ଦ୍ର ଜଗଦ୍ଦେବ ଏବଂ ବିଶ୍ୱବିହାରୀ ଖାଡଙ୍ଗା । କିନ୍ତୁ ବିଶ୍ୱବିହାରୀ ଖାଡଙ୍ଗାଙ୍କ ପରେ ଅନ୍ୟ କୌଣସି ନାଟ୍ୟକାର ନିଜସ୍ୱ ଶୈଳିରେ ଏହାର ଭିନ୍ନ ପାଣ୍ଡୁଲିପି ରଚନା ନିମନ୍ତେ କୌଣସି ବଳିଷ୍ଠ ପଦକ୍ଷେପ ନେଇନାହାନ୍ତି ।

ଜଗତୀକରଣ ଏବଂ ଅତ୍ୟାଧୁନିକତା ଓଡି଼ଆ ଲୋକ ନାଟକ ଓ ପାରମ୍ପରିକ ଲୋକ ନାଟକକୁ ବହୁମାତ୍ରାରେ ପ୍ରଭାବିତ କରିଛି ଏହା ନିଃସନ୍ଦେହ । କିନ୍ତୁ ସେ ସବୁର ଆଖିଦୃଶିଆ ପ୍ରଭାବ ପ୍ରହ୍ଲାଦ ନାଟକରେ ପଡିଥିବା ଦେଖାଯାଏ ନାହିଁ। ପ୍ରାଚୀନ କାଳରୁ ଚଳିଆସୁଥିବା ସେହି ସଙ୍ଗୀତ ପରମ୍ପରା ଏବଂ ସମାନ ବାଦ୍ୟଯନ୍ତ୍ର୍ରର ପ୍ରୟୋଗ ଏହି ଲୋକନାଟକରେ ଆଜି ମଧ୍ୟ ଦେଖାଯାଉଛି । ଏହି ଲୋକ ନାଟକର ଅଧିକାଂଶ ଗୀତ ଶାସ୍ତ୍ର୍ରୀୟ ସଙ୍ଗୀତ ଗାୟନ ଶୈଳି ଆଧାରରେ ପରିବେଷିତ ହୋଇଥାଏ । ସଂଗୀତ ପରିବେଷଣ କ୍ଷେତ୍ରରେ ସହହେଯାଗିତା ନିମନ୍ତେ ମର୍ଦ୍ଦଳ, ହାରମୋନିୟମ୍‌, ତୁରି, ଗିନି, ମଞ୍ଜିରା ଆଦି ବାଦ୍ୟଯନ୍ତ୍ର୍ର ବ୍ୟତିତ ଅନ୍ୟ କୌଣସି ଆଧୁନିକ ବାଦ୍ୟ ଯନ୍ତ୍ର୍ରର ପ୍ରୟୋଗ ଏଠାରେ ଦେଖିବାକୁ ମିଳେ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ଏହା ସାଧାରଣତଃ ସାତଦିନ, ସାତରାତି ଧରି କ୍ରମାଗତ ଭାବରେ ପରିବେଷିତ ହୋଇଆସୁଥିଲା । ଧିରେଧିରେ ଏହାର ପରିବେଷଣ ଅବଧିକୁ ତିନି ରାତିକୁ କମେଇ ଦିଆଗଲା । ଆଧୁନିକ ଜୀବନ ଶୈଳୀର ପ୍ରଭାବରେ ମଣିଷ ଏତେ ଦିର୍ଘ ସମୟ ପର୍ଯ୍ୟନ୍ତ ଏହାର ପରିବେଷଣ ଦେଖିବାକୁ ଆଗ୍ରହ ପ୍ରକାଶ କଲା ନାହିଁ । ଫଳରେ ଗୋଟିଏ ରାତିକୁ ଏହାର ପରିବେଷଣ ଅବଧି ପୁଣି କକେମଇ ଦିଆଗଲା । ତେଣୁ ଆଜିକାଲି ଏହାର ପରିବେଷଣ ସନ୍ଧ୍ୟା ସାତଟାରୁ କିମ୍ବା ଆଠଟାରୁ ଆରମ୍ଭ କରି ତା ପରଦିନ ସକାଳ ଆଠ କିମ୍ବା ନଅଟାରେ ସମାପ୍ତ କରାଯାଉଛି । କେତେକାଂଶରେ ଏହାର ପରିବେଷଣ ତିନିରୁ ଚାରି ଘଣ୍ଟାକୁ ମଧ୍ୟ କମେଇ ଦିଆଗଲାଣି ।

ସମୟକ୍ରମେ ଆଧୁନିକତାର ପ୍ରଭାବରେ ଓଡି଼ଶାର ପ୍ରାୟତଃ ଲୋକନାଟକ ଓ ପାରମ୍ପରିକ ଲୋକନାଟକରେ ମହିଳା ଅଭିନେତ୍ରୀ ତଥା ଗାୟୀକା ମାନଙ୍କର ପ୍ରବେଶକୁ ଗ୍ରହଣ କରାଗଲାଣି ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ବଢ଼ିଚାଲିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ନାଟ୍ୟ ପରମ୍ପରାରେ ମହିଳା ମାନଙ୍କର ପ୍ରବେଶ ଘଟି ନାହିଁ । କାରଣ ମହିଳା ଅଭିନେତ୍ରୀ ମାନଙ୍କ ଦ୍ୱାରା ପ୍ରହ୍ଲାଦ ନାଟକ ଭଳି ଲୋକ ନାଟକର ଶାସ୍ତ୍ର୍ରୀୟ ରାଗ ଆଧାରିତ ସଙ୍ଗୀତ ଗାୟନ କିମ୍ବା ରାତ୍ରିସାରା ନୃତ୍ୟ ପରିବେଷଣ କରିବା ଏକ ସହଜସାଧ୍ୟ କାର୍ଯ୍ୟ ନୁହେଁ । କିନ୍ତୁ ପାଖାପାଖି ୨୦୦୫ ମସିହା ବେଳକୁ ଗଞ୍ଜାମ ଜିଲ୍ଲ୍‌ାର ଛଣମେରୀର ଗୁରୁ ବିପ୍ରଚରଣ ପ୍ରଧାନ ସର୍ବପ୍ରଥମେ ଜଣେ ମହିଳା ଅଭିନେତ୍ରୀଙ୍କ ମାଧ୍ୟମରେ ପ୍ରହ୍ଲାଦ ନାଟକର ଲୀଳାବତୀ ଚରିତ୍ରର ଅଭିନୟ ପାଇଁ ଯୋଜନା କରିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇପାରିନଥିଲେ । ଏ କ୍ଷେତ୍ରରେ ଗୁରୁ ଜନାର୍ଦ୍ଦନ ପ୍ରଧାନ ମତ ପ୍ରଦାନ କରିଥିଲେଯେ ଅବିରାମ ଧାରାରେ ପ୍ରହ୍ଲାଦ ନାଟକରେ ନାଚି଼ବା କିମ୍ବା ଅତ୍ୟୁଚ୍ଚ ସ୍ୱରରେ ବିନା ଡାକବାଜି ଯନ୍ତ୍ର୍ର ସଂଗୀତ ଗାନ କରି ଲୀଳାବତୀ ଚରିତ୍ରକୁ ଉପାସ୍ଥାପନ କରିବା ଜଣେ ମହିଳାଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏକ୍ଷେତ୍ରରେ ଜଜେଣ ମହିଳା ଅଭିନେତ୍ରୀ ତୁଳନାରେ ଜଣେ ପୁରୁଷ ଅଭିନେତା ଏହି ମହିଳା ଚରିତ୍ରକୁ ସଫଳତାର ସହ ପରିବେଷଣ କରିପାରିବ । ଅପରପକ୍ଷରେ ଲୋକ ନାଟକ ଏବଂ ପାରମ୍ପରିକ ଲୋକନାଟକ କ୍ଷେତ୍ରରେ ଜଣେ ମହିଳା ଅଭିନେତ୍ରୀକୁ ଆଣି ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ସହ ସମ୍ମାନ ପ୍ରଦାନ କରିବା ଆଜିର ସମୟରେ ଏକ କାଠିକର ପାଠ । କାରଣ ବେଳେବେଳେ ଲୋକନାଟକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଅଭିନେତ୍ରୀ ମାନଙ୍କୁ ଆଜି ମଧ୍ୟ ଉପଯୁକ୍ତ ସମ୍ମାନ ମିଳୁନି ଏପରିକି କେତେକେ ଗ୍ରାମୀଣ ଗୁରୁ ସେମାନଙ୍କର ଅଧିନରେ ରହି କାର୍ଯ୍ୟ କରୁଥିବା ମହିଳା ଅଭିନେତ୍ରୀ ମାନଙ୍କ କାରଣରୁ ନିନ୍ଦିତ ହେଉଛନ୍ତି । ଏହି ସବୁ ପାରମ୍ପରିକ ଇତର ଚିନ୍ତାଧାରା ଯୋଗୁଁ ଏହି ନାଟକର ପରିବେଷଣ ପରିଧି ଭିତରକୁ ମହିଳା ଅଭିନେତ୍ରୀମାନେ ପ୍ରବେଶ କରିପାରୁନାହାନ୍ତି । ଏହାର ଫଳସ୍ୱରୁପ ଆଜି ମଧ୍ୟ ପ୍ରହ୍ଲାଦ ନାଟକ ନଗ୍ନତା ଓ ଅଶ୍ଲୀଳତା ଠାରୁ ଦୁରେଇ ରହିଛି । ଏଥିରେ କୌଣସି ପ୍ରକାର ଆଧୁନିକ ଆଲ୍‌ବମ୍ କିମ୍ବା ଚଳଚ୍ଚିତ୍ର ମାନଙ୍କ ନୃତ୍ୟଗୀତ ପରିବେଷଣକୁ ପ୍ର୍ରଶ୍ରୟ ଦିଆଯାଇ ନାହିଁ ।

ଏହି ଲୋକ ନାଟକର ବେଶ ପୋଷାକ କିମ୍ବା ମୁଖସଜ୍ଜାରେ ଆଜି ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ସେହି ସମାନ ପ୍ରକାରର ବେଶପୋଷାକ ଓ ମୁଖସଜ୍ଜା ଏହି ନାଟକର ପ୍ରାରମ୍ଭରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । କିନ୍ତୁ ଆଧୁନିକତା ଓ ଜଗତୀକରଣର ପ୍ରଭାବରେ ଏହାର ମୁଖସଜ୍ଜା କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତନ୍ମଧ୍ୟରୁ ରେବେନ୍ କିମ୍ବା ଫାଷ୍ଟ୍‌୍ରାକ୍ ଭଳି ବହୁରାଷ୍ଟ୍ରିୟ ଦାମି କମ୍ପାନି ମାନଙ୍କ କଳା ଚଷମା ରାଜାମାନେ ବ୍ୟବହାର କରୁଥିବା ଦେଖାଯାଉଛି । ନଚେତ୍ ଅନ୍ୟ କୌଣସି ଆଧୁନିକତାର ପ୍ରଭାବ ଦେଖିବାକୁ ମିଳେ ନାହିଁ ।

ତଥ୍ୟ ସଂଗ୍ରହ ସମୟରେ ଏହା ଦେଖିବାକୁ ମିଳିଛି ଯେ ନିର୍ଦ୍ଧିଷ୍ଟ କେତେକ ହାତଗଣତି ରାଜା କିମ୍ବା ଅନ୍ୟାନ୍ୟ ଅଭିନେତା କିମ୍ବା ସହଯୋଗି କଳାକାର ମାନଙ୍କ କ୍ଷେତ୍ରରେ ଏହି ଲୋକନାଟକକୁ ଜୀବନର ପ୍ରମୂଖ ଜୀବିକା ଭାବରେ ମାଧ୍ୟମ କରି ବଞ୍ଚିବା କଷ୍ଟକର । ଏ କ୍ଷେତ୍ରରୁ କେହି ବି ପ୍ରତିଷ୍ଠିତ ଗୁରୁ ଏବଂ କଳାକାର ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସଫଳ ନୁହନ୍ତି । ଏପରିକି ସର୍ବଭାରତୀୟ ସ୍ତରରେ ସୁପ୍ରତିଷ୍ଠା ଲାଭ କରିଥିବା ଏହି ଲୋକ ନାଟକର କଳାକାର ମାନେ ମଧ୍ୟ ଏହା ଦ୍ୱାରା ଆର୍ôଥକ ସ୍ୱଚ୍ଛଳତା ଲାଭ କରିପାରିନାହାନ୍ତି । ଫଳସ୍ୱରୁପ ସେମାନେ ଆର୍ôଥକ ସମସ୍ୟାକୁ ସାମ୍ନା କରିବାକୁ ଗୁଜୁରାଟ, ବମ୍ବେ, ହାଇଦ୍ରାବାଦ୍‌, ଚେନ୍ନାଇ ଭଳି ସହର ମାନଙ୍କୁ ଯାଇ ରଜା ନାଟକର ରଜାରୁ କିମ୍ବା ପ୍ରହ୍ଲାଦ ଭଳି ରାଜକୁମାରରୁ ବିସ୍ଥାପିତ ଶ୍ରମିକ ଭାବରେ ନିଜକୁ ରୁପାନ୍ତରିତ କରିବାକୁ ବାଧ୍ୟ ହେଉଛନ୍ତି ।

ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟ ତଥା ଦେଶର ପ୍ରମୂଖ ସାମାଜିକ, ରାଜନୈତିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟା ମାନଙ୍କୁ ଲୋକନାଟକ ଏବଂ ପାରମ୍ପରିକ ଲୋକନାଟକ ଦଳ ମାନଙ୍କ ମାଧ୍ୟମରେ ବିଭିନ୍ନ ଜନ ସଚେତନଧର୍ମି କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଉଛି । ଏହି ଯୋଜନା ମାଧ୍ୟମରେ ନାଟ୍ୟଦଳ ଗୁଡି଼କ ଗାଁ ଗାଁ ବୁଲି ମ୍ୟାଲେରିଆ, ଡେଙ୍ଗୁ, ଏଡ୍‌଼ସ, ଯକ୍ଷ୍ମା, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ଏହି ସବୁ ବିଷୟକୁ ସେମାନଙ୍କ ଲୋକନାଟକ ମାଧ୍ୟମରେ ପରିବେଷଣ କରି କିଛି ରୋଜଗାର ପାଇବାରେ ସକ୍ଷମ ହୋଇପାରୁଛନ୍ତି । କିନ୍ତୁ ସେମାନଙ୍କର ଏହି ଭଳି ପରିବେଷଣ ଯେ ନାଟକର ସାହିତ୍ୟିକ ମୂଲ୍ୟବୋଧତଥା ପରିବେଷଣର ଗୁଣବତ୍ତାକୁ ନଷ୍ଟ କରୁଛି ଏକଥା ନିଶ୍ଚିତ ଅଟେ । ଏପରିକି ଏହାକୁ ପରିବେଷଣ କରୁଥିବା ପ୍ରତିଷ୍ଠିତ ତଥା ପ୍ରତିଭାବାନ ଗୁରୁ ମାନଙ୍କ ସ୍ୱାଭିମାନ ତଥା ସାମାଜିକ ସମ୍ମାନ ମଧ୍ୟ ନଷ୍ଟ କରୁଛି ।

ଓଡି଼ଆ ଲୋକନାଟକ ଜଗତରେ ଏକ ପ୍ରତିଷ୍ଠିତ, ୠଚି଼ପୂର୍ଣ୍ଣ, ମାର୍ଜିତ, ସଂସ୍କାରଶୀଳ ତଥା ବହୁକଷ୍ଟଲବ୍ଧ ଲୋକନାଟ୍ୟ ପରମ୍ପରା ହେଲା ପ୍ରହ୍ଲାଦ ନାଟକ । ଏକଥାକୁ କେହି ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ । ଏହି ନାଟକର ଲୋକପ୍ରୀୟତା ଆଜି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି । ଏହା ଆମ ରାଜ୍ୟ ପାଇଁ କିଛି କମ୍ ଗୌରବର କଥା ନୁହେଁ । କିନ୍ତୁ ଦୁଃଖର କଥା ଏହି ଭଳି ଏକ ଉଚ୍ଚ କୋଟୀର ଲୋକନାଟକର ପ୍ରଶିକ୍ଷଣ, ପରିବେଷଣ, ଗଗେବଣା ତଥା ପ୍ରଚାର ପ୍ରସାର ପାଇଁ ସେହିଭଳି ଗୁରୁତ୍ୱ ବହନ କରୁଥିବା ରଜ୍ୟସ୍ତରିୟ କିମ୍ବା ଜାତୀୟ ସ୍ତରିୟ ଅନୁଷ୍ଠାନଟିଏ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସହାୟତାରେ ଆଜି ପର୍ଯ୍ୟନ୍ତ ଗଢ଼ାଯାଇପାରି ନାହିଁ ।

ଅର୍ଥାଭାବରୁ ଭାଙ୍ଗିଯାଇଥିବା ନାଟ୍ୟଦଳ ମାନଙ୍କୁ ପୁନର୍ଜିବିତ କରି ଏହି ନାଟ୍ୟପରମ୍ପରାକୁ ସୁସମୃଦ୍ଧ କରିବା ଦିଗରେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରି ସ୍ତରରେ କୌଣସି ସଫଳ ପ୍ରୟାସ ହୋଇନଥିବା କଥା ଏହାର କଳାକାର ତଥା ଗୁରୁମାନେ ପ୍ରକାଶ କରିଛନ୍ତି ।

ଉପଯୁକ୍ତ ସାମାଜିକ ସମ୍ମାନ, ସ୍ୱାଭିମାନ ତଥା ଅର୍ଥ ଉପାର୍ଜନର ଅଭାବ କାରଣରୁ ପ୍ରହ୍ଲାଦ ନାଟକ ଭଳି ପ୍ରତିଷ୍ଠିତ ତଥା ଜନାଦୃତ ଲୋକନାଟକର ଗୁରୁ କିମ୍ବା କଳାକାର ମାନେ ସେମାନଙ୍କ ବଂଶଧର ମାନଙ୍କୁ ଏହି ନାଟ୍ୟକଳା ଆଡ଼କୁ ଆକୃ୍‌ଷ୍ଟ କରିବାକୁ ପଛଘୁ୍‌ଞ୍ଚା ଦେବା ଆରମ୍ଭ କଲେଣି । ତତ୍ ସହିତ ଆମର ସାଂପ୍ରତିକ ସମାଜର ବୈଷୟିକ କିମ୍ବା ଆଧୁନିକ ଶିକ୍ଷାର ନବ୍ୟ ଶିକ୍ଷିତ ଗୋଷ୍ଠି ଆମୋଦ ପ୍ରମୋଦର ନୂଆଁ ନୂଆଁ ଗଣମାଧ୍ୟମର ପ୍ରଭାବରେ ଏସବୁକୁ ଘୃଣା କରିବା ଆରମ୍ଭ କଲେଣି । ଏପରିକି ଏହିଭଳି ଉଚ୍ଚକୋଟୀର କଳା ପରିବେଷଣ କରି ଆମ ନାଟ୍ୟ ସଂସ୍କୃତିର ଗୌରବକୁ ପ୍ରଚାର କରୁଥିବା କଳାକାର ମାନଙ୍କୁ ଆମେ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବାରେ ମଧ୍ୟ ବିମୁଖ । ଅପରପକ୍ଷରେ ଆମର ବିଶୃ୍‌ଙ୍ଖଳିତ ତଥା ଉଦ୍‌ଭ୍ରାନ୍ତ ଯୁବ ଦର୍ଶକ ମାନଙ୍କର ମନୋରଂଜନ ହୋଇପାରିଲା ଭଳି ଅଭଦ୍ର, ଅଶ୍ଲୀଳ ତଥା ନଗ୍ନ ନୃତ୍ୟ ଗୀତର ପରିବେଷଣ ଏଥରେ ଦେଖିବାକୁ ମିଳେ ନାହିଁ । ସେଥିପାଇଁ ମଧ୍ୟ ସେମାନେ ଏହାପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ପ୍ରହ୍ଲାଦ ନାଟକର ପରିବେଷଣକୁ ତନ୍ନ ତନ୍ନ କରି ଅନୁଧ୍ୟାନ କଲେ ଜଣାଯାଏଯେ ଏହାର ମୌଳିକତା, ସାହିତ୍ୟିକ ତଥା ସାମାଜିକ ମୁଲ୍ୟବୋଧ ଅଦ୍ୟାବଧି ନଷ୍ଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ନଗ୍ନତା ତଥା ଅଶ୍ଲୀଳତା ପାଇଁ ଏଥିରେ କୌଣସି ସୁଯୋଗ ସୃଷ୍ଟି କରାଯାଇନାହିଁ । ଏହା ପଛରେ ଥିବା ପ୍ରମୂଖ କାରଣଟି ହେଲା ଆଜିସୁଦ୍ଧା ପ୍ରହ୍ଲାଦ ନାଟକରେ ମହିଳା ଅଭିନେତ୍ରୀ ମାନଙ୍କ ପ୍ରବେଶକୁ ପ୍ରୋତ୍ସାହନ ଦିଆଯାଇନାହିଁ । କାରଣ ଆମ ଗ୍ରାମୀଣ ଯୁବ ଦର୍ଶକ ମାନେ ଅଭିନୟ କରୁଥିବା ଆମ ଲୋକନାଟକ ମାନଙ୍କର ନଗ୍ନତା ଏବଂ ଅଶ୍ଲୀଳତା ଆଧାରିତ ନୃତ୍ୟ ଗୀତ ପରିବେଷଣ କରିବାକୁ ଦାବି କରନ୍ତି । ଯାହାକୁ ନାଟ୍ୟ ପରିଚାଳକ, ନିର୍ଦ୍ଦେଶକ ଏବଂ କଳାକାର ମାନେ ପରିବେଷଣ କରିବାକୁ ବାଧ୍ୟ ହୁଅନ୍ତି । ଏହି ସବୁ କାରଣରୁ ପ୍ରହ୍ଲାଦ ନାଟକ ନିଜକୁ ସୁରକ୍ଷିତ ରଖିବା ସହ କଳାକୁ ଭଲ ପାଉଥିବା ଓ ନାଟ୍ୟ ସଂସ୍କୃତିକୁ ବୁଝିଥିବା ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଛି ।

ଋାଧାପ୍ରେମ ଲୀଳା, ଗଳ୍ପସାଗର, ହରିକଥା, ଭୂତକେଳି, ଦାସକାଠିଆ ଭଳି ପ୍ରହ୍ଲାଦ ନାଟକର ସ୍ଥିତି ଅତ୍ୟନ୍ତ ଦୁର୍ବଳ ନହେଲେବି ସମ୍ପୂର୍ଣ୍ଣ ସ୍ୱଚ୍ଛଳ ବୋଲି ଦାବି କରିପାରିବା ନାହିଁ । ଏହାର ଉଚ୍ଚକୋଟୀର ବିଷୟବସ୍ତୁ, ସଂଳାପ, ସଂଗୀତ, ନୃତ୍ୟ ତଥା ବେଶପୋଷାକ ପାଇଁ ଏହା ଜାତୀୟ ସ୍ତରରେ ଏକ ପ୍ରସିଦ୍ଧ ଲୋକ ନାଟକର ମାନ୍ୟତା ହାସଲ କରିପାରିଛି । କିନ୍ତୁ ଲୋକପ୍ରିୟତା ଏବଂ ବ୍ୟବସାୟିକ ସଫଳତା ନିମନ୍ତେ ଆଜିର ଏହି ଜଗତୀକରଣ ଯୁଗରେ ଏହା ଆଜି ମଧ୍ୟ ସଂଘର୍ଷ ଜାରି ରଖିଛି । ସେହି ସଂଘର୍ଷ ଭିତରେ ମଧ୍ୟ ସେ ତାର ପ୍ରଚାର ପ୍ରସାର ବଢ଼େଇ ଚାଲିଛି । ପ୍ରହ୍ଲାଦ ନାଟକର ଲୋକପ୍ରିୟତା ଏବଂ ଅଗ୍ରଗତି ଏହାର ଗୁରୁ ମାନଙ୍କ ମନରେ ନରସିଂହ ଚେତନାର ଏକ ଧର୍ମିୟ ଭାବଧାରା ସୃଷ୍ଟି କରିବାରେ ସଫଳ ହୋଇପାରିଛି । ଫଳସ୍ୱରୁପ ସେମାନଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ତତ୍ୱାବଧାନରେ ଗଂଜାମ ଜିଲ୍ଲ୍‌ାରେ ବହୁ ନରସିଂହ ମନ୍ଦିର ସ୍ଥାପନ ହୋଇଛି ଏବଂ ଏହି ମନ୍ଦିରର ଧର୍ମିୟ ଭାବଧାରା ସହ ଏହାର ଗୁରୁ ତଥା କଳାକାର ମାନେ ଯୋଡି଼ ହୋଇଯାଇଛନ୍ତି । ଫଲରେ ସେମାନେ ଏହାର ପ୍ରଶିକ୍ଷଣ, ପରିବେଷଣ ଓ ଆଧ୍ୟାତ୍ମିକତା ସାଥିରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଏବଂ ଏହାକୁ ସେମାନଙ୍କ ଆଧ୍ୟାତ୍ମିକ ଜୀବନର ଏକ ଦାୟୀତ୍ୱବୋଧ ବୋଲି ମଧ୍ୟ ଧରିନେଇଛନ୍ତି ।

ବିଶ୍ୱ ମହାମାରୀ କରୋନା ପ୍ରଭାବରେ ସମଗ୍ର ଭାରତ ବର୍ଷରେ ଲୋକ ନାଟକ ଏବଂ ପାରମ୍ପରିକ ଲୋକନାଟକ ଭଳି ପ୍ରହ୍ଲାଦ ନାଟକର ଅବସ୍ଥା ମଧ୍ୟ ସଂକଟାପନ୍ନ ହୋଇଯାଇଥିଲା । ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାର ପରିବେଷଣ ବନ୍ଦ କରିଦିଆଯିବା ପରେ କଳାକାର ମାନଙ୍କ ଜୀବନ ଜୀବିକା ସଂକଟାପନ୍ନ ହୋଇଯାଇଥିଲା । ଉତ୍କଟ ଦାରିଦ୍ର‌୍ୟତାକୁ ସହ୍ୟ କରିନପାରି କେତେ କଳାକାର ସରକାରୀ ସହାୟତାକୁ ଚାତକ ଭଳି ଚାହିିଁ ଭୋକ ଉପାସରେ କାଳ କାଟୁଥିଲା ବେଳେ ଆଉ କେତେକ ରଜା ନାଟକର ରଜା, ରାଣୀ, ରାଜକୁମାର ଓ ଅନ୍ୟାନ୍ୟ ପରିଚୟକୁ ଗାଁର ଆଖଡ଼ା ଘରେ ଫିଙ୍ଗି ଦେଇ ପରିବାର ପାଇଁ ମୁଠେ ଦାନା ଆଉ ଖଣ୍ଡେ କନା ଯୋଗାଡି଼ବା ଆଶାରେ ପଡ଼ୋଶି ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ । କରୋନାର ପରିସ୍ଥିତି ସୁଧୁରିବା ପରେ କେତେ କଳାକାର ଗାଁକୁ ଫେରି ପୁଣି ମୁଣ୍ଡରେ ମୁକୁଟ ବାନ୍ଧି ରଜା, ରାଣୀ ଅଉ ରାଜକୁମାର ହେଲେ । ଆଉ କେତେ ଦାଦନ ଦହନରୁ ମୁକୁଳି ଆସିପାରିଲେନି । ଫଳରେ ବହୁ ଗାଁର ଆଖଡା ଘର ଫାଟକରେ ଝୁଲୁଥିବା ତାଲା କଳଙ୍କି ଲାଗିଗଲା । ରଜାର ମୁକୁଟ ଆଉ ରାଣୀର ଶାଢି଼ ଉଇ ଖାଇଦେଲା ।

ଶେଷକଥା

ଓଡି଼ଆ ପୂରାଣ ସାହିତ୍ୟର ବିଷ୍ଣୁକେଶରୀ ପୂରାଣ ଓ ନୃସିଂହ ପୂରାଣର ବିଷୟବସ୍ତୁକୁ ନାଟ୍ୟ ପରିବେଷଣ କରି ପ୍ରଚାର ପ୍ରସାର କରିଆସୁଥିବା ଏହି ଉଚ୍ଚ କୋଟୀର ଲୋକ ନାଟକ ହେଲା ପ୍ରହ୍ଲାଦ ନାଟକ । ଯାହା ଆମ ଓଡି଼ଆ ନାଟ୍ୟ ସଂସ୍କୃତିର ଏକ ଅବିଛିନ୍ନ ଅଙ୍ଗ । ଉନବିଂଶ ଶତାବ୍ଦୀର ଦ୍ୱୀତିୟାର୍ଦ୍ଧରୁ ଆଜି ପର୍ଯ୍ୟନ୍ତ ଏହା ଆମ ପାଇଁ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃ୍‌ଷ୍ଟି କରିଆସିଛି । କିନ୍ତୁ ଆଜି ଏହାର ବହୁ ନାଟ୍ୟଦଳ ଭାଙ୍ଗିଗଲାଣି । ନାଟକଟିଏ ପରିବେଷଣ କରିବାକୁ ହେଲେ ବାର ଗାଁର ତେର କଳାକାରକୁ ଗୁହାରି କରିବାକୁ ପଡୁଛି । କାରଣ ପେଟ ଭାତ ଲାଗି ଆମ ରଜା ପର ରାଇଜରେ ଦାଦନ ଖଟିଲାଣି ତ କେଉଁ ଗାଁର ରାଣୀ ଚେନ୍ନାଇରେ ମୁଲ ଲାଗିଲାଣି ତ ପୁଣି କେଉଁଠି ରାଜକୁମାର ପ୍ର୍ରହ୍ଲାଦ ହରିଭକ୍ତି ଛାଡି଼ ସୁରାଟରେ ଲୁଗାକଳରେ ବବିନ୍ ଭରିବାକୁ ବାଧ୍ୟ ହେଲାଣି । ଏହିଭଳି ଦୟନିୟ ପରିସ୍ଥିତିରେ ଆମର ସଂସ୍କାର ସମ୍ପନ୍ନ ଲୋକ ନାଟକ ବଞ୍ଚିବାର ସଙ୍ଘର୍ଷ ଜାରି ରଖିଛି । ଅପରପକ୍ଷରେ ଆମର ଗ୍ରାମୀଣ ଯୁବସମାଜ ଲୋକନାଟକ ନାଁରେ ଲଙ୍ଗଳା ନାଟର ଆୟୋଜନ କରି ଲକ୍ଷ ଲକ୍ଷ ଟଙ୍କା ଉଡ଼େଇ ଦେଉଛନ୍ତି । ଏପରିକି ଅଶ୍ଲୀଳ ନଗ୍ନ ନୃତ୍ୟ ପରିବେଷଣ କରୁଥିବା ନର୍ତ୍ତକୀ ମାନେ ଗ୍ର୍ରାମୀଣ ଯୁବ ସମାଜର ମୁଖ୍ୟ ଆକର୍ଷଣ ପାଲଟି ଯାଇଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଆଧୁନିକ ଶିକ୍ଷା ବ୍ୟବସ୍ଥା ଆମ ଶିକ୍ଷିତ ମାନଙ୍କୁ ଲୋକନାଟକରୁ ବିମୁଖ କରିଛି ।

ଏହି ସବୁ ନାଟକକୁ ଦେଖିବା ତ ଦୂରର କଥା ସେମାନେ ଏହାର କଳାକାର ମାନଙ୍କୁ ହେୟ ମନେକରି ଅସମ୍ମାନ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । କିନ୍ତୁ ଅପରପକ୍ଷରେ ଟି.ଭି. , ଚଳଚ୍ଚିତ୍ରରେ ଶସ୍ତା ବିଷୟବସ୍ତୁକୁ ପରିବେଷଣ କରୁଥିବା ସୁନ୍ଦରୀ ନାୟୀକା ମାନଙ୍କୁ ସେମାନଙ୍କ ଆଦର୍ଶ ବୋଲି କହିବାକୁ ଆଦୌ ଲଜ୍ଜା ଅନୁଭବ କରୁନାହାନ୍ତି । ଜାତୀୟ ସ୍ତରରେ ଓଡି଼ଆ ଲୋକନାଟକର ପ୍ରଦର୍ଶନ କଥା ଚି଼ନ୍ତା କଲାମାତ୍ରେ ଆମ ସଂସ୍କୃତି ବିଭାଗ ଆଖିରେ ପ୍ରଥମେ ପ୍ରହ୍ଲାଦ ନାଟକ କଥା ନାଚିଉଠେ । ଆଉ ଆମ ପ୍ରଶାସକ ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ଏହାର ପରିବେଷଣ କରାଇ ବାହାବା ନେବାକୁ ପଛାନ୍ତିନି । ବାସ୍ତବରେ କହିବାକୁ ଗଲେ ଉଭୟ ପରିବେଷଣ ଓ ସାହିତ୍ୟିକ ମୂଲ୍ୟବୋଧ ଦୃଷ୍ଟିରୁ ପ୍ରହ୍ଲାଦ ନାଟକ ଯେ ଆନ୍ତର୍ଜାତୀୟ ସ୍ତରର ଲୋକନାଟକ ଏହା ସତ୍ୟ ଅଟେ । କିନ୍ତୁ ଏହାର ପ୍ରଶିକ୍ଷଣ, ପରିବେଷଣ, ପ୍ରଚାର ପ୍ରସାର, ପାଇଁ ଆଜି ପର୍ଯ୍ୟନ୍ତ ଆମ ସଂସ୍କୃତି ବିଭାଗର ସଂସ୍କୃତି ସମ୍ପନ୍ନ କଳାକାର, ସାହିତ୍ୟିକ, ବୁଦ୍ଧିଜୀବି, ପ୍ରଶାସକ କିମ୍ବା ନେତାମାନେ ତତ୍ପରତା ପ୍ରକାଶ କଲେନାହିଁ । ଅପରପକ୍ଷରେ ବେଳେବେଳେ ରାଜ୍ୟ ସରକାରଙ୍କ ଲୋକକଳା ଏକାଡେମିର ପ୍ରତିଷ୍ଠାର ଖୁସି ଖବର ଏହାର କଳାକାର ମାନଙ୍କ ମନରେ ପାଣିଫୋଟକା ଭଳି ମିଳେଇ ଯାଉଛି । ପୁଣି ଦଳିୟନେତା ମାନଙ୍କର ଚାମଚାଗିରି କରୁଥିବା ଅଣକଳାକାର ତଥା ଠିକାଦାର ମାନେ ସମସ୍ତ ସରକାରୀ ସୁବିଧାକୁ ଆତ୍ମସାତ କରି ଆନନ୍ଦରେ କାଳ କାଟୁଥିବା ବେଳେ ବାସ୍ତବ କଳାର ସାଧକ ମାନେ ଏ କ୍ଷେତ୍ରରେ ଅବହେଳିତ । ପୂରାଣ ସାହିତ୍ୟର ଶସ୍ତା ଉପଦେଶ ଦେଇ ବାହାବା ଅର୍ଜନ କରୁଥିବା ପ୍ରବଚକ ମାନଙ୍କୁ ଉଚ୍ଚ ସରକାରୀ ସମ୍ମାନ ମିଳୁଥିବା ବେଳେ ପ୍ରହ୍ଲାଦ ନାଟକ ଭଳି ଲୋକ ନାଟକର କୌଣସି ପ୍ରତିଭାବାନ ଉତ୍ସର୍ଗିକୃତ ଗୁରୁ ସେହି ସମ୍ମାନ ଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ ।

ତେଣୁ ଏହିଭଳି ଲୋକକଳାର ପ୍ରଗତି ସହିତ ଏହାର ସମର୍ପିତ କଳାକାର ମାନଙ୍କ ଉନ୍ନତି ଦିଗରେ ଆମେ ଯତ୍ନବାନ ହେବା ଏବଂ ଗଭୀର ଭାବେ ଚିନ୍ତା କରିବାର ଏହା ପ୍ରକୃଷ୍ଟ ସମୟ ଅଟେ । ନଚେତ୍ ଆମ ପରପିଢି଼ ପାଇଁ ଏହା ଇତିହାସ ପାଲଟିଯିବ । ଉତ୍କର୍ଷ କଳାର ଦେଶ ଉତ୍କଳର ମାଟିରୁ ଏକ ପ୍ରମୂଖ ଲୋକକଳାର ବିଲୋପ ନହେଉ ଆପଣ ମାନଙ୍କ ନିକଟରେ ଆମର ଏତିକି ପ୍ରର୍ଥନା ।

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ
Exit mobile version