ଶ୍ରଦ୍ଧାଞ୍ଜଳି ବାଣୀ ଜୟରାମ

ସୂର୍ଯ୍ୟ ଦେଓ 258 Views
2 Min Read
ସତୁରି ଦଶକର ମଝାମଝି ଯେବେ ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ରର ଗୀତ ରେକର୍ଡିଙ୍ଗ କଲିକତାରୁ ମାନ୍ଦ୍ରାଜକୁ ସ୍ଥାନାନ୍ତରିତ ହେଲା, ବାଣୀ ଜୟରାମଙ୍କ ଗାୟନ ଓଡ଼ିଆ ଗୀତ ସହ ସମ୍ପୃକ୍ତ ହେଲା. ସେବେ ସେ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଡ଼ି’ର ବୋଲେରେ ପାପିହରା ଗୀତ ଅଦ୍ଭୁତ ଲୋକପ୍ରିୟ ହୋଇସାରିଛି, ସେ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ପାକିଜା’ ର “ମେରେ ସାଜନ ସୌତନ କେ ଘର ଯାଏ, ହାୟ ମେ କ୍ୟା କରୁଁ” ଗୀତ ପାଇଁ ସେ ପରିଚିତା ହେଲେଣି. ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ତାଙ୍କ ଗାୟନ ମଧ୍ୟ ଯଥେଷ୍ଟ ଚହଳ ପକାଇ ସାରିଛି ସେତେବେଳେ. ସେତେବେଳେ ସେ ଗାଇଥିବା ଅଧିକାଂଶ ଗୀତ ଶାସ୍ତ୍ରୀୟ ସଂଗୀତ ଆଧାରିତ ଥିଲା. ଓଡ଼ିଆ ଗୀତ ସହ ଯେବେ ସେ ସଂଯୁକ୍ତ ହେଲେ ସ୍ୱାଭାବିକ ଭାବରେ ସେହି ଶାସ୍ତ୍ରୀୟ ସଂଗୀତ ଆଧାରିତ ଗାୟନ ସହ ତାଙ୍କୁ ସଂଯୁକ୍ତ କରାଗଲା, କିନ୍ତୁ ତାଙ୍କ ଓଡ଼ିଆ ସୁଗମ ଗାୟନ ସଂଖ୍ୟା କିଛି କାମ ନୁହେଁ. ସେ କୃଷ୍ଣ ସୁଦାମା ଚଳଚ୍ଚିତ୍ର ପାଇଁ ଭୁବନେଶ୍ୱର ମିଶ୍ରଙ୍କ ସଂଗୀତ ସଂଯୋଜନାରେ ପ୍ରଥମ ଓଡ଼ିଆ ଗୀତ ଗାଇଲେ ” ଛୋଟ ମୋର ଏ ଘର”, ତାପରେ ପ୍ରଫୁଲ୍ଲ କରଙ୍କ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ବଳିଦାନ, ଗୌରୀ, ସତୀ ଅନୁସୟା, ପୂଜା, ଅସ୍ତରାଗ, ତପସ୍ୟା, ଦେବଯାନୀ ପାଇଁ ସେ କଣ୍ଠଦାନ କରିଛନ୍ତି, ଉପେନ୍ଦ୍ର କୁମାର, ବାସୁଦେବ ରଥ, ଶ୍ରୀବତ୍ସ ପଟ୍ଟନାୟକ ପ୍ରମୁଖ ସଂଗୀତକାରଙ୍କ ନିର୍ଦେଶନାରେ ଅନେକ ଗୀତ ଗାଇଛନ୍ତି.
https://www.youtube.com/watch?v=roWHNfW7kR4
ଓଡ଼ିଆ ଉଚ୍ଚାରଣ ସହ ଓଡ଼ିଆ ଭାବକୁ ଗୀତାରେ ଯୋଡ଼ିବାରେ ସେ ଥିଲେ ଅନନ୍ୟା, ଏହାର ପ୍ରମାଣ ଭାବରେ ତିନିଟି ଗୀତକୁ ନିଆଯାଇପାରେ, ପ୍ରଥମ: କେଉଁ ନାମ ଧରି ଡାକିବୁ ତୁମକୁ, ଦ୍ଵିତୀୟ: ଢାଳି ଦିଅ ସାରା ଧରଣୀରେ ଆଜି ଓ ତୃତୀୟ: ବିଶ୍ୱ ଜୀବନ ହେ. ଉଲ୍ଲେଖଯୋଗ୍ୟଯେ ଏହି ତିନିଟି ଗୀତ ଶାସ୍ତ୍ରୀୟ ରାଗ ଆଧାରିତ ଥିଲା.
ଓଡ଼ିଆ ସୁଗମ ଗାୟନରେ ମଧ୍ୟ ବାଣୀ ଜୟରାମ ଅତୁଳନୀୟା, ଏହାର ସାକ୍ଷୀ ବି ଓଡ଼ିଆ ଛାତିରେ ବସାବାନ୍ଧି ରହିଥିବା ଗୀତ ଭିତରୁ ତିନିଟି ଗୀତ. ପ୍ରଥମ: ଟିକି ଟିକି ହୁଏ ମୋ ଛାତି,, ଦ୍ଵିତୀୟ: ଏଇ ଗାଁ’ର ମଉଡମଣୀ ଲୋ ଆମ ଗୌରୀ ନାନୀ ଓ ତୃତୀୟ: ଓ ଭାଇନା ଭାଇନା.
ବାଣୀ ଜୟରାମ ଥିଲେ ବୋଲି ଆମ ଓଡ଼ିଆ ଚଳଚ୍ଚିତ୍ର ପ୍ରଛଦ ଗାୟନ ଧାରାରେ ନୂଆ ଶୀହରଣ , ନୂଆ ଉଲ୍ଲାସ ଓ ନୂଆ ଉତ୍ତରଣ ଆସିଥିଲା. ସତୁରି ଦଶକରେ ନୂଆ ହୋଇ ବୋହିଥିବା ନୂଆ ସ୍ୱର ଅଶୀ ଦଶକର ମଝାମଝି ଯାଏ ଆମକୁ ଉଚ୍ଛନ୍ନ କରିଥିଲା.
ଆଜି ବି ସେ ସ୍ୱର ଅଛି କିନ୍ତୁ ସ୍ୱର ତୋଳିଥିବା ବାଣୀ ଜୟରାମ ନାହାନ୍ତି.
ଯେବେ ଯାଏ ଓଡ଼ିଆ ମନରେ ତାଙ୍କ ଗୀତ ଅଛି, ସେପର୍ଯ୍ୟନ୍ତ ସେ ରହିବେ,
ପ୍ରଣାମ ଅନୁପମା ଗାୟିକା, ଆପଣ ଅଛନ୍ତି ଓ ରହିବେ!
ଆପଣଙ୍କୁ ଶ୍ରଦ୍ଧାଞ୍ଜଳି!
Share This Article
Exit mobile version