ଭାରତରେ ପ୍ରାଗୈତିହାସିକ ଗୁମ୍ଫା ଚିତ୍ରକଳା

21 Min Read

ଚିତ୍ରକଳା ମନୁଷ୍ୟର ଏକ ଅଭିବ୍ୟକ୍ତି । ଏହା ମନୁଷ୍ୟ ମନରେ ସୃଷ୍ଟି ହେଉଥିବା ପ୍ରକାଶବୋଧକୁ ରଙ୍ଗ ମାଧ୍ୟମରେ ରୂପ ଦେଇଥାଏ । ପ୍ରାଗୈତିହାସିକ ମାନବର ମଧ୍ୟ ସେହି ସାଂସ୍କୃତିକ ଚେତନା ଥିଲା । ତାହାର ସୂଚନା ଆଦିମ ଗୁହା ଅଥବା ଶିଳାଶ୍ରୟମାନଙ୍କରେ ଉକ୍ରୀର୍ଣ୍ଣ ଚିତ୍ରାବଳୀରୁ ମିଳିଥାଏ । ଏଗୁଡ଼ିକ ଚିତ୍ରିତ, ଖୋଦିତ ଅଥବା ଅଙ୍କିତ ହୋଇଛି । ଭାରତର ପ୍ରାଗୈତିହାସିକ ଚିତ୍ରକଳା ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ସୀମାରେ ବିସ୍ତୃତ ବିନ୍ଧ୍ୟ ପର୍ବତ, ରାଜସ୍ଥାନର ଦକ୍ଷିଣ-ପୂର୍ବରେ ବିସ୍ତୃତ ଗ୍ରାନାଇଟ୍ ବା ଅକର୍ମ ଶିଳାଯୁକ୍ତ ପାହାଡ଼ିଆ ଅଞ୍ଚଳ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ଚୁନପଥର, ବାଲିଆ ପଥର ଓ ଗ୍ରାନାଇଟ୍ ବା ଅକର୍ମଶିଳାର ପାହାଡ଼ରେ ଏହାର ସ୍ୱାକ୍ଷର ମିଳେ । ଓଡ଼ିଶାର ଏହିପରି ପାହାଡ଼ିଆ ଅଞ୍ଚଳରେ ଚିତ୍ରକଳା ମଧ୍ୟ ଦେଖାଯାଏ । କେତେକ ଗବେଷକ ଭାରତର ପ୍ରାଗୈତିହାସିକ ଚିତ୍ରକଳାକୁ ୩୬ଟି ଆଞ୍ଚଳିକ ଭିତ୍ତିରେ ବିଭକ୍ତ କରନ୍ତି । ମୁଖ୍ୟତଃ ଏହି ବିଭାଗ ଚିତ୍ରକଳା ମିଳୁଥିବା ସ୍ଥାନର ନାମକୁ ନେଇ କରାଯାଇଛି । ସେଥି ମଧ୍ୟରୁ କେତେକ ମୁଖ୍ୟ ସ୍ଥାନର ନାମ ହେଉଛି କାଇମୁର ପର୍ବତମାଳା (ମିର୍ଜାପୁର ଅଞ୍ଚଳ), ବିନ୍ଧ୍ୟ ପର୍ବତମାଳା (ଭିମ୍ବେଟ୍କା, ମହାଦେବ ପାହାଡ଼, ଚାରୱାରଧାନର ପର୍ବତମାଳା (ସିଂଘାଣପୁର), କବରା ପାହାଡ଼ (ରାୟଗଡ଼ ନିକଟ), ପାଞ୍ଚମାଢ଼ୀ ପର୍ବତ, ଗର୍ଜନ ପାହାଡ଼ (ସୁନ୍ଦରଗଡ଼), ଗୁଡ଼ହାଣ୍ଡି (କଳାହାଣ୍ଡି), ବିକ୍ରମଖୋଲ (ସମ୍ବଲପୁର) ତୋମ୍ବିଗୁଡ଼ା (ମହାରାଷ୍ଟ୍ର), ହାଇଦରାବାଦର ରାଇଚୁର (ଆନ୍ଧ୍ର ପ୍ରଦେଶ), ବେଲାରୀ (କର୍ଣ୍ଣାଟକ) ନିକଟସ୍ଥ କୁପ୍ଗାଲୁ ପାହାଡ଼, ଗୋଟିଗିରିବେଟ୍ଟା ପାହାଡ଼ (ବାଙ୍ଗାଲୋର) ଓ ଏଡ୍କାଲମାଲ ପାହାଡ଼ (କେରଳ) ଇତ୍ୟାଦି ।

ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ପରିମାଣରେ ପ୍ରାଗୈତିହାସିକ ଚିତ୍ରକଳା ଦେଖିବାକୁ ମିଳେ । ପ୍ରାଗୈତିହାସିକ ଚିତ୍ରକଳାର ସର୍ବପ୍ରଥମ ଆବିଷ୍କର୍ତ୍ତା ରୂପେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର କାରଲାଇଲ୍ ସାହେବଙ୍କ ନାମ ସ୍ମରଣ କରାଯାଏ । ସେ ୧୮୮୦ ମସିହାରେ ବ୍ୟାଘ୍ରଖୋଲ, ମୋର୍ହଣା ପାହାଡ଼ ଇତ୍ୟାଦି ଅଞ୍ଚଳରୁ ଚିତ୍ରକଳାର ସୂଚନା ପାଇ ତାହାକୁ ଲୋକ ଲୋଚନକୁ ଆଣିଥିଲେ । ବିନ୍ଧ୍ୟ ପର୍ବତର ଗୁହାରେ ଉକ୍ରୀର୍ଣ୍ଣ ଏହି ଚିତ୍ରାବଳୀରେ ମାନବର ଦୈନନ୍ଦିନ କ୍ରିୟାକଳାପର ଚିତ୍ର କାନ୍ଥ ତଥା ଛାତରେ ଚିତ୍ରିତ ହୋଇଥିବା କୁହାଯାଏ । ଏହା ବ୍ୟତୀତ ସେଠାରୁ କ୍ଷୁତ୍ରତମ ପ୍ରସ୍ତର ଅସ୍ତ୍ରଶସ୍ତ୍ର, ମୃତ୍ପ୍ରାତ୍ର ସଂଗ୍ରହ ସହିତ କବର ନେବା ପ୍ରଥା ଆଦି ସମ୍ପର୍କରେ ମଧ୍ୟ ସୂଚନା ସେ ପାଇଥିଲେ । ସେଗୁଡ଼ିକ ତିନି ବା ଚାରିହଜାର ବର୍ଷର ତଳର ବୋଲି କାରଲାଇଲ୍ଙ୍କ ମତ ।

ବିନ୍ଧ୍ୟ ପର୍ବତମାଳାର ଭିଆନପୁର ଗ୍ରାମ ନିକଟରେ ଥିବା ଭିମ୍ବେଟ୍କାର ପ୍ରାଗୈତିହାସିକ ଚିତ୍ରକଳା ଭୋପାଳ ଠାରୁ ପ୍ରାୟ ୪୫କି.ମି. ଦୂରରେ ଅବସ୍ଥିତ । ଏହି ଚିତ୍ରକଳା ସର୍ବପ୍ରଥମେ ଉଜ୍ଜୟିନୀସ୍ଥ ବିକ୍ରମ ବିଶ୍ୱ ବିଦ୍ୟାଳୟର ଭି.ଏସ୍. ୱାକାଙ୍କରଙ୍କ ଦ୍ୱାରା ପ୍ରାୟ ୧୯୫୬-୫୭ ମସିହାରେ ଆବିଷ୍କୃତ ହୋଇଥିଲା । ଏଠାରେ ପ୍ରାୟ ୧୦ହଜାର ବର୍ଷ ଧରି ମନୁଷ୍ୟ ଚିତ୍ର ଅଙ୍କନ କରି ଆସିଛି । ପ୍ରାୟ ୫୦୦ ଗୁହାରେ ହଜାର ହଜାର ଚିତ୍ର ଉକ୍ରୀର୍ଣ୍ଣ ହୋଇ ରହିଥିବା ଦେଖାଯାଏ । ଚିତ୍ରଗୁଡ଼ିକର ବିଷୟବସ୍ତୁ ମଧ୍ୟରେ ବନ୍ୟ ପ୍ରାଣୀ, ଶିକାର ଦୃଶ୍ୟ, ଖାଦ୍ୟ ସଂଗ୍ରହ ପ୍ରଣାଳୀ, ନୃତ୍ୟ, ପାରିବାରିକ ଦୃଶ୍ୟ ଆଦି ଅନ୍ୟତମ । ଭିମ୍ବେଟ୍କାର ଛବିଗୁଡ଼ିକୁ ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ । ପ୍ରଥମ ପର୍ଯ୍ୟାୟର ଛବି ମଧ୍ୟପ୍ରସ୍ତର ଯୁଗୀୟ, ଦ୍ୱିତୀୟ ପର୍ଯ୍ୟାୟର ଛବି ତାମ୍ର ପ୍ରସ୍ତର ଯୁଗୀୟ ଓ ଶେଷୋକ୍ତ ପର୍ଯ୍ୟାୟର ଛବି ଐତିହାସିକ କାଳରେ ଅବସ୍ଥାପିତ କରାଯାଏ । ଗୁହା ଓ ଶିଳାଶ୍ରୟଗୁଡ଼ିକୁ ଆଠ ଭାଗରେ ବିଭକ୍ତ କରି ପ୍ରତ୍ୟେକ ବିଭାଗର କ, ଖ, ଗ ଏପରି କ୍ରମରେ ଉପବିଭାଗ କରାଯାଇଛି । ପ୍ରତ୍ୟେକ ଉପବିଭାଗ ଗୁହାର ସଂଖ୍ୟା ଅନୁପାତରେ ୧, ୨, ୩ ଏହି କ୍ରମରେ ସଂଖ୍ୟା ଦ୍ୱାରା ଚିହ୍ନିତ କରାଯାଇ ସେଥିରେ ଥିବା ଚିତ୍ରାବଳୀର ଅଧ୍ୟୟନ କରାଯାଇଛି । ଏଠାରେ ଭୂ-ଖୋଦନ ଦ୍ୱାରା ଗୁହାଗୁଡ଼ିକରେ ପ୍ରାଚୀନ ସାଂସ୍କୃତିକ ନମୁନା ସଂଗ୍ରହ କରି ଏହି ଚିତ୍ରାବଳୀର ସମ୍ଭାବ୍ୟ ବୟସ ନିର୍ଣ୍ଣୟ କରାଯାଇଛି । ଭିମ୍ବେଟ୍କାର ଚିତ୍ରାବଳୀ ଗୁହାକାନ୍ଥର ସମତଳ ଅଂଶ ତଥା ଓସାରିଆ ସ୍ଥାନରେ ଦେଖାଯାଏ ନାହିଁ । ସେଗୁଡ଼ିକ ଗୁହାର ଅତି ଉଚ୍ଚରେ ଅବସ୍ଥିତ ଓ ଆବଡ଼ା ଖାବଡ଼ା ଅଂଶ ତଥା ମନୁଷ୍ୟ ସହଜରେ ପହଞ୍ôଚ ପାରୁନଥିବା ସ୍ଥାନମାନଙ୍କରେ ଚିତ୍ରିତ ହୋଇଥିବା ଦେଖାଯାଏ ।

ଯେଉଁ ଗୁହାରେ ମନୁଷ୍ୟ ବାସ କରୁଥବାର ସଂକେତ ମିଳିଛି, ସେଠାରେ ଚିତ୍ରକଳାର ଅଭାବ ପରିଲକ୍ଷିତ ହେଉଥିବାବେଳେ ନିତାନ୍ତ ନିର୍ଜନ ଅଥବା ପରିତ୍ୟକ୍ତ ମନେ ହେଉଥିବା ଗୁହାରେ ସେସବୁ ଦୃଷ୍ଟିଗୋଚର ହୋଇଛି । ଚିତ୍ରଗୁଡ଼ିକ ମଧ୍ୟ ଗୋଟିକ ଉପରେ ଅନ୍ୟ ଗୋଟିଏ ଅଙ୍କିତ ହୋଇ ପୂର୍ବ ଚିତ୍ରର ସୌନ୍ଦର୍ଯ୍ୟ ଅନେକ କ୍ଷେତ୍ରରେ ନଷ୍ଟ କରୁଥିବାରୁ ସୌନ୍ଦର୍ଯ୍ୟ ନିମିତ୍ତ ଏହି ଚିତ୍ରକଳା ଉଦ୍ଦିଷ୍ଟ ନଥିବା ଜଣାଯାଏ । ତେଣୁ ଗୁହାର ସାଜସଜ୍ଜା ଅଥବା କଳାତ୍ମକ ଦୃଷ୍ଟି କୋଣରୁ ଏହି ଚିତ୍ରକଳା ଅଙ୍କିତ, ଖୋଦିତ କିମ୍ବା ଚିତ୍ରିତ ହୋଇନଥିବା ଏବଂ ଚିତ୍ରକର ସେ ବିଷୟରେ ପୂର୍ଣ୍ଣ ଭାବରେ ଉଦାସୀନ ଥିବା ମନେ ହୁଏ ।

ଭିମ୍ବେଟ୍କାର ଚିତ୍ରଗୁଡ଼ିକ ଧଳା, ଲାଲ ଏବଂ ବେଳେବେଳେ ନୀଳାଭ ସାବଜା କିମ୍ବା ହଳଦିଆ ରଙ୍ଗରେ ଚିତ୍ରିତ । ଲାଲ ରଙ୍ଗ ମଧ୍ୟ ବହୁ ପ୍ରକାରର ଦେଖାଯାଏ; ଯଥା-ଇଷତ୍, ଗୋଲାପି, ମଳିନ, ଗାଢ଼,  ଚକୋଲେଟ୍ ଇତ୍ୟାଦି । ଏ ଅଞ୍ଚଳରେ ମିଳୁଥିବା ଗେରୁ ଓ ପ୍ରାୟ କୋଡ଼ିଏଟି ବିଭିନ୍ନ ରଂଗର ଢ଼ାଉ ପଥରରୁ ପ୍ରସ୍ତୁତ ରଂଗରେ ଛବିଗୁଡ଼ିକର ଚିତ୍ରଣ କରାଯାଇଛି । ଏପରି ଢ଼ାଉ ପଥରର ଦୁଇ ବା ତିନି ପାଖ ଘୋରା ହୋଇଥିବା ଅବସ୍ଥାରେ ଗୁହା ମଧ୍ୟରୁ ଭୂ ଖୋଦନ ଦ୍ୱାରା ଉଦ୍ଧାର କରାଯାଇଥିବା କଙ୍କାଳ ନିକଟରେ ଉତ୍ସର୍ଗ କରାଯାଇଥିବା ଦେଖାଯାଏ । ଛବିଗୁଡ଼ିକରୁ କେତେକ ରାସାୟନିକ ପ୍ରକିୟାରେ ପରୀକ୍ଷା କରାଯାଇ ଜଣାଯାଇଛି ଯେ ଢ଼ାଉରୁ ପ୍ରସ୍ତୁତ ରଙ୍ଗ ପାଣି, ଅଠ ଅଥବା ମୃତ ପ୍ରାଣୀର ଚର୍ବିରେ ଗୋଳେଇ ପତଳା ଓ ସରୁ ତୁଳୀରେ ବ୍ୟବହାର କରାଯାଇଥିଲା । ତୁଳୀଗୁଡ଼ିକ ଲୋମ ଅଥବା ଛେଚା ଯାଇଥିବା ଗଛ ଡାଙ୍ଗରେ ପ୍ରସ୍ତୁତ ହେଉଥିଲା । ସାଧାରଣତଃ ଛବିଗୁଡ଼ିକ ଗୁହାର ମାଟିଆ, ଫିକା ଗୋଲାପି, ଧୂସର ଆଦି କାନ୍ଥ ଅଥବା ଛାତରେ ଚିତ୍ରିତ ହୋଇଥିବା ଦେଖାଯାଏ । ଏହି ଛବି ମାନଙ୍କର ପରିସୀମା ପ୍ରଥମେ ଅଙ୍କିତ ହୋଇ ପରେ ସେଗୁଡ଼ିକର ଭିତର ଅଂଶରେ ଆଂଶିକ ଅଥବା ସଂପୂର୍ଣ୍ଣ ଭାବରେ ରଂଗର ପ୍ରଲେପ ଦିଆଯାଇଥାଏ । ଅଙ୍କିତ ଛବି ସବୁ ଅଙ୍କିତ ବସ୍ତୁର ଗୋଟିଏ ପାଖରୁ ଦେଖିବା ଭଳି ଚିତ୍ରିତ ହୋଇଅଛି । ବୈଜ୍ଞାନିକ ଦୃଷ୍ଟକୋଣରୁ ଛବିଗୁଡ଼ିକ ନିର୍ଭୁଲ ନହେଲେ ମଧ୍ୟ ସେଗୁଡ଼ିକର ସାଧାରଣ ଦୃଶ୍ୟ ଅସୁନ୍ଦର ନୁହେଁ । ମନୁଷ୍ୟମାନଙ୍କ ଛବିରେ ପ୍ରାକୃତିକତା ଅଧିକ ପରିସ୍ଫୁଟ ହୋଇଛି ।

ଭିମ୍ବେଟ୍କାର ମଧ୍ୟପ୍ରସ୍ତରଯୁଗୀୟ ଚିତ୍ରକଳାରେ ପ୍ରାଣୀଗୁଡ଼ିକ ଯିବା ଆସିବା କରୁଥିବା, ଚରୁଥିବା, ଦୌଡ଼ୁଥିବା, ଶିକାରୀ କର୍ତ୍ତୁକ ଶିକାର ହେଉଥିବା, ଦର୍ଶନୀୟ ଢ଼ଙ୍ଗରେ ବେକ ଭାଙ୍ଗି ପଛକୁ ଚାହିଁଥିବା, ବର୍ଚ୍ଛା ଧରିଥିବା ଶିକାରୀର ଉପସ୍ଥିତି ପ୍ରତି ସତର୍କ ନଥାଇ ଖୁସି ମନରେ ଚରୁଥିବା ଆଦି ଛବିଗୁଡ଼ିକ ଦୃଷ୍ଟି ଆକର୍ଷଣ କରିଥାଏ । ଏହି ଚିତ୍ରଣରେ ବାସ୍ତବତା, କଳାର ଗାମ୍ଭୀର୍ଯ୍ୟ, ପ୍ରାଣୀମାନଙ୍କ ଶରୀରର ନିର୍ଭୁଲ ଅଙ୍କନ ଆଦି ପରିଦୃଷ୍ଟ ହୁଏ । କେତେକ ଶିକାର କରିବାର ପ୍ରଣାଳୀ, ଯଥା-ଖୁବ୍ ଉଚ୍ଚ ମୁଣ୍ଡିଆ ଉପରକୁ ପଶୁମାନଙ୍କୁ ଘଉଡ଼ାଇ ନେଇ ସେଠାରୁ ଗଭୀର ସମତଳ ଭୂଇଁକୁ ପକାଇଦେବା ରୀତିରେ ଶିକାର କରିବା, ଶିକାରୀମାନେ ଧନୁଶର ଧରିଥିବା ଓ ଏହି ଶରର ଅଗ୍ରଭାଗରେ ପଥର ମୁନ ଆଦି ଖଞ୍ଜାଯାଇଥିବା ଆଦି ଦୃଶ୍ୟ ଉଲ୍ଲେଖଯୋଗ୍ୟ । ଅନ୍ୟାନ୍ୟ ଛବି ମଧ୍ୟରେ ସ୍ତ୍ରୀ ଓ ପୁରୁଷ ଗଛ ଚଢ଼ିବା, ସେମାନେ ହାତରେ ଫୁଲ, ଫଳ ମହୁ ଆଦି ଦ୍ରବ୍ୟ ସଂଗ୍ରହ କରିବାପାଇଁ ଟୋକେଇ ପ୍ରଭୃତି ଧରିଥିବା, ଫାଶ ପକାଇ ପଶୁ ଓ ଚଢ଼େଇ ଆଦି ଧରିବା, ମାଛ ମାରିବା ଇତ୍ୟାଦି ଅନ୍ୟତମ । ଭିମ୍ବୋଟ୍କାର ସବୁଠାରୁ ଆକର୍ଷଣୀୟ ଛବି ମଧ୍ୟରେ ଏକ ବିରାଟକାୟ ଦାନ୍ତଥିବା ବରାହର ପିଠିରେ ଠିଆ ଠିଆ ଲୋମ ରହିଥିବା ଏବଂ ସେ ଗୋଟିଏ ମନୁଷ୍ୟକୁ ଗୋଡ଼ାଉଥିବା ଚିତ୍ରତ ହୋଇଛି । ଏହା ବ୍ୟତୀତ ଏକ ବିରାଟକାୟ କଙ୍କଡ଼ାର ଛବି ମଧ୍ୟ ଏଠାରେ ରୂପ ପାଇଛି । ଆଲୋଚକମାନଙ୍କ ମତରେ ଏହା ଏକ ପୁରାତନ କାହାଣୀର ଛବି ହୋଇଥିବ ଓ ବିରାଟକାୟ ପ୍ରାଣୀ ଏକ ଦେବତା । ଏହା ବ୍ୟତୀତ ଶିକାର ହୋଇଥିବା ପ୍ରାଣୀ ଦେହରେ ବର୍ଚ୍ଛା ବିଦ୍ଧ ହୋଇଥିବାର ଛବି ଦେଖିବାକୁ ମିଳେ ।

ସାମାଜିକ ଦୃଶ୍ୟାବଳୀ ମଧ୍ୟରେ ଗୋଟିଏ ଲୋକ ମଦ ପିଉଥିବା, ପରିବାର ମଧ୍ୟରେ ଏକ ଶିଶୁ ସନ୍ତାନର ମୃତ୍ୟୁରେ ପରିବାରର ବ୍ୟକ୍ତିମାନେ ଶୋକ ପ୍ରକାଶ କରୁଥିବା, ଦୁଇଜଣ ଲୋକ ଏକ ବାଉଁଶ ଦେହରେ ଶିକାର ହୋଇଥିବା ପ୍ରାଣୀକୁ ବୋହି ନେଉଥିବା, ଗୋରୁ ଜଗୁଆଳି ଗୋରୁ ପଲକୁ ପାଖକୁ ଡାକୁଥିବା, କେତେ ଲୋକ ନୃତ୍ୟ କରୁଥିବା, ଶିକାରୀମାନେ ଏକ ଧାଡ଼ିରେ ପଛକୁ ପଛ ଶିକାର ଉଦ୍ଦେଶ୍ୟରେ ଦଉଡ଼ିଯାଉଥିବା, ସେମାନଙ୍କ ମଧ୍ୟରୁ କେତେକ ଓ ଅନ୍ୟାନ୍ୟ ମନୁଷ୍ୟମାନେ ମଧ୍ୟ ମୁଣ୍ଡରେ ପାଗ ଭିଡ଼ିଥିବା, ମୁଖା ଲଗାଇଥିବା, ଅଣ୍ଟାରେ ଅଳ୍ପ ପତ୍ର କିମ୍ବା ଅନ୍ୟ କୌରସି ପରିଧାନରୁ ଅତି ଅଳ୍ପ ବ୍ୟବହାର କରିଥିବା ଦେଖିବାକୁ ମିଳେ । ଏହା ବ୍ୟତୀତ ଗର୍ଭବତୀ ନାରୀର ଦୃଶ୍ୟ ମଧ୍ୟ ଦେଖାଯାଏ ।

ଭିମ୍ବେଟ୍କାର ଦ୍ୱିତୀୟ ପର୍ଯ୍ୟାୟରେ ଛବିକୁ ଗବେଷକମାନେ ତାମ୍ର-ପ୍ରସ୍ତର ଯୁଗରେ ଅବସ୍ଥାପିତ କରନ୍ତି । ଏହି ଚିତ୍ରକଳାର ନମୁନାରେ ତାମ୍ର-ପ୍ରସ୍ତରଯୁଗୀୟ ମୃତ୍ପାତ୍ରର ପ୍ରଭାବ ଅନୁଭୂତ ହେଉଥିବାରୁ ଏବଂ ଏ ପର୍ଯ୍ୟାୟ ପ୍ରାଣୀମାନଙ୍କ ଦେହରେ ହୋଇଥିବା ସାଜସଜ୍ଜାରୁ ଏପରି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିଥାଏ । ପ୍ରାଣୀମାନଙ୍କ ଦେହରେ ହୋଇଥିବା ନମୁନା ଛକକରା ପଟା ପଟା ଗାର, ଇତସ୍ତତଃ ବିକ୍ଷିପ୍ତ ରେଖା ତଥା ତରଙ୍ଗାୟିତ ରେଖାଗୁଡ଼ିକରେ ଅଭିବ୍ୟକ୍ତ ହୋଇଛି । ଆଉ ମଧ୍ୟ ମନେହୁଏ ଯେ ସମ୍ଭବତଃ ଏହି ପର୍ଯ୍ୟାୟରେ ନୂତନ ପ୍ରସ୍ତର ଯୁଗୀୟ ଛବି ଓ ତାମ୍ର ପ୍ରସ୍ତର ଯୁଗୀୟ ଛବିମାନଙ୍କର ସମ୍ମିଶ୍ରଣ ଘଟିଛି ।

ଶେଷୋକ୍ତ ପର୍ଯ୍ୟାୟର ଛବିଗୁଡ଼ିକ ପୂର୍ବବର୍ତ୍ତୀ ପର୍ଯ୍ୟାୟର ଛବିଗୁଡ଼ିକ ଉପରେ ପ୍ରଲେପିତ ହୋଇଥିବାର କେତେକ ଦୃଷ୍ଟାନ୍ତ ମିଳିଥାଏ । ଏଥିରେ ରାଜକୀୟ ଶୋଭାଯାତ୍ରା, ଯୁଦ୍ଧର ଦୃଶ୍ୟ, ଘୋଡ଼ା ଓ ହାତୀ ଉପରେ ଚଢ଼ିଥିବା ମନୁଷ୍ୟ, ଧାତୁମୁନ ଲାଗିଥିବା ବର୍ଚ୍ଛା ନିକ୍ଷେପ, ଧନୁ, ତୀର, ଖଣ୍ଡା ଓ ଢ଼ାଲ ବ୍ୟବହାରକାରୀ ମନୁଷ୍ୟଗଣ, ବାଦ୍ୟର ତାଳେ ତାଳେ ହାତ ଧରାଧରି ହୋଇ ନୃତ୍ୟରତ ଥିବା ଲୋକମାନଙ୍କର ଛବି ଉକ୍ରୀର୍ଣ୍ଣ ହୋଇଥିବା ଦେଖାଯାଏ । କିନ୍ତୁ ଏହି ମାନବ ଅଥବା ପ୍ରାଣୀମାନଙ୍କର ଶରୀରର ଜ୍ୟାମିତି ସମତୁଲ ନୁହେଁ । ଏହି ପର୍ଯ୍ୟାୟର ଶେଷ ଭାଗରେ ଛବିଗୁଡ଼ିକ ଅଧିକ ସୂଚନାଧର୍ମୀ ହୋଇଥିବା ଦେଖାଯାଏ; ଯଥା-ଘୋଡ଼ାଗୁଡ଼ିକ ଓଡ଼ିଶାର ଘୋଡ଼ାନାଟରେ ବ୍ୟବହୃତ ହେଉଥିବା ଘୋଡ଼ା ଭଳି ଅର୍ଦ୍ଧବୃତ୍ତାକାର, ସେଗୁଡ଼ିକର ଗୋଡ଼ ଓ ବେକ ପରେ ସେଥିରେ ସଂଯୁକ୍ତ ହୋଇଛି । ଏସବୁ ଉକ୍ତ ଚିତ୍ରକଳାର ଅବନତି ସୂଚିତ କରେ । ଖ୍ରୀଷ୍ଟୀୟ ଷଷ୍ଠ ବା ସପ୍ତମ  ଶତକରେ ଏହି ଚିତ୍ରକଳାର ପରିସମାପ୍ତି ଘଟିଥିବା ଜଣାଯାଏ ।

ମଧ୍ୟପ୍ରଦେଶ ଅନ୍ତର୍ଗତ ମହାଦେବ ପର୍ବତମାଳାର ଶିଳା ଚିତ୍ରଗୁଡ଼ିକ ମଧ୍ୟରୁ ଅନେକ ପ୍ରାଗୈତିହାସିକ ଚିତ୍ରକଳା ପର୍ଯ୍ୟାୟଭୁକ୍ତ । ଏହି ଚିତ୍ରଗୁଡ଼ିକ ପଶ୍ଚିମରେ ଥିବା ସିଓନି-ମାଳବର ଦକ୍ଷିଣରେ ପ୍ରବାହିତ ମୋରାଣ୍ଡ ନଦୀଠାରୁ ପୂର୍ବରେ ପାଞ୍ଚମାଢ଼ୀର ତାମିଆ ଗୁହାଯାଏ ବିସ୍ତୃତ ବିଭିନ୍ନ ଖୋଲରେ ଉକ୍ରୀର୍ଣ୍ଣ ହୋଇଥିବା ଦେଖାଯାଏ । ହୋସଙ୍ଗାବାଦ୍ ଜିଲ୍ଲାରେ ପାଞ୍ଚମାଢ଼ୀ ଅବସ୍ଥିତ । ଏଠାକାର ଛବିଗୁଡ଼ିକ ବିଭିନ୍ନ ସମୟରେ ଉକ୍ରୀର୍ଣ୍ଣ ହୋଇଥିବା ଜଣାଯାଏ । ଏଠାରେ ମଧ୍ୟ ଛବିଗୁଡ଼ିକ ତିନିଗୋଟି ସ୍ତରରେ ଥିବା ମନେହୁଏ । ସେଗୁଡ଼ିକରୁ ଅନେକ ଗୋଟିକ ଉପରେ ଅନ୍ୟ ଗୋଟିଏ ଆବୁରୁ ଜାବୁରୁ ହୋଇ ପ୍ରଲେପିତ । ପାଞ୍ଚମାଢ଼ୀର ପ୍ରାୟ ୪୪ଟି ପର୍ବତ ଖୋଲରେ ଛବି ରହିଛି । ଗବେଷକମାନେ ଏହାର ଚାରିଗୋଟି ପର୍ଯ୍ୟାୟ ଥିବା ସ୍ଥିର କରିଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟର ନିମ୍ନ ତଥା ଉପର ଏଭଳି ଦୁଇଗୋଟି ସ୍ତର ରହିଥିବା ଜଣାଯାଇଛି । ମନୁଷ୍ୟ ତଥା ପଶୁପକ୍ଷୀମାନଙ୍କର ଫିକା ଲାଲ ଅଥବା ଲାଲ ରଙ୍ଗ ଛବିଗୁଡ଼ିକ ସବୁ ସ୍ତରର ତଳେ ରହିଥିବାରୁ ସେଗୁଡ଼ିକୁ ପ୍ରଥମ ପର୍ଯ୍ୟାୟଭୁକ୍ତ  କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ଚିତ୍ରାବଳୀରେ ପ୍ରଥମ ପର୍ଯ୍ୟାୟ ଛବିମାନଙ୍କର ପୁନରାବୃତ୍ତି ଘଟିଥିଲେ ମଧ୍ୟ ସେଗୁଡ଼ିକ ଧଳା ରଙ୍ଗରେ ଉକ୍ରୀର୍ଣ୍ଣ ହୋଇଥିବା ଦେଖାଯାଏ । ତୃତୀୟ ପର୍ଯ୍ୟାୟର ଛବିଗୁଡ଼ିକ ଧଳା ରଙ୍ଗର ହେଲେ ସୁଦ୍ଧା ସେଥିରେ ଫିକା ଲାଲ ରଙ୍ଗର ଧଡ଼ି ସବୁ ପ୍ରଦତ୍ତ ହୋଇଛି । ଶେଷ ପର୍ଯ୍ୟାୟର ଚିତ୍ରକଳା ତୃତୀୟ ପର୍ଯ୍ୟାୟର ଅନୁରୂପ । ତଥାପି ସେଥିରେ ପୂର୍ବବର୍ତ୍ତୀ ପର୍ଯ୍ୟାୟର ଅଙ୍କନ କୁଶଳତା ଅଥବା ଚିତ୍ରକଳାର ଉନ୍ନତ ନିର୍ଯ୍ୟାସ ଦେଖିବାକୁ ମିଳେ ନାହିଁ । ଏଗୁଡ଼ିକ ଐତିହାସିକ କାଳର ଖଣ୍ଡା, ଢ଼ାଲ ଆଦି ବ୍ୟବହାର କରୁଥିବାର ଦୃଶ୍ୟାବଳୀରେ ପୂର୍ଣ୍ଣ । ତୃତୀୟ ତଥା ଶେଷୋକ୍ତ ପର୍ଯ୍ୟାୟରେ ରୂପାୟିତ ଚିତ୍ରକଳା ଉନ୍ନତ ସାମାଜିକ ଚିତ୍ର ବହନ କରୁଥିବାରୁ ସେଗୁଡ଼ିକର ପ୍ରାଗୈତିହାସିକ ଗୁରୁତ୍ୱ ନାହିଁ । ଏହି ଚିତ୍ରାବଳୀ ମଧ୍ୟରେ ଗୋଠ ଜଗୁଆଳି, କ୍ଷେତରେ କାମ କରୁଥିବା ବ୍ୟକ୍ତି, ଖେଳ ଦେଖାଉଥିବା ମାଙ୍କଡ଼ ଓ ଭାଲୁଙ୍କ ସହିତ ସେମାନଙ୍କ ମୁନିବ, ମହିଳାମାନେ ବୀଣା ବାଦନ ଓ ନୃତ୍ୟ ଆଦି କରିବା, ପାଣି ବୋହିବା, ପିଲାଙ୍କୁ ଖେଳେଇବା ପ୍ରଭୃତି ଚିତ୍ରିତ ହୋଇଥିବା ଦେଖାଯାଏ ।

ପ୍ରଥମ ପର୍ଯ୍ୟାୟରେ ଚିତ୍ରାବଳୀ ଢ଼ାଉ ଅଥବା ଦୁଧସର ରଙ୍ଗର ଅଟେ । ଏହାର ଶେଷ ସ୍ତରର ଚିତ୍ରାବଳୀ ମଧ୍ୟରେ ରେଖାକୃତି ଛବିସବୁ ଢ଼ାଉ ରଙ୍ଗରେ ଅଙ୍କିତ ହୋଇଛି । ମନୁଷ୍ୟମାନଙ୍କ ଛବିରେ ସେମାନଙ୍କ ଶରୀର ବର୍ଗାକାର ଓ ସେଥିରେ ଲହରାୟିତ ଅଥବା ଅଙ୍କାବଙ୍କା ରେଖାସବୁ ଟଣା ହୋଇଛି । ଲୋକମାନଙ୍କ ମସ୍ତକ ତ୍ରିକୋଣାକାର । ପ୍ରଥମ ପର୍ଯ୍ୟାୟ ଚିତ୍ରକଳାର ଆରମ୍ଭ ବେଳକୁ ମନୁଷ୍ୟମାନଙ୍କ ଲାଲ ରଙ୍ଗଯୁକ୍ତ ତ୍ରିକୋଣାକାର ମସ୍ତକରେ ଦୁଧସର ରଙ୍ଗର କେଶ ବିନ୍ୟାସ ଦେଖିବାକୁ ମିଳେ । ଏହି ଚିତ୍ର ପର୍ଯ୍ୟାୟର ଚିତ୍ରକଳା ସହିତ ଓଡ଼ିଶାର ଉଷାକୋଠି ତଥା ଉଲାପଗଡ଼ ଚିତ୍ରକଳାର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହେଲେ ମଧ୍ୟ ଓଡ଼ିଶାର ଚିତ୍ରାବଳୀରେ କେଶ ବିନ୍ୟାସର ଅଭାବ ପରିଦୃଷ୍ଟ ହୁଏ । କ୍ରମେ ମନୁଷ୍ୟମାନଙ୍କ ଶରୀର ରେଖାପ୍ରାୟ ଅଥବା କାଠି ସଦୃଶ ହୋଇ ଅଙ୍କାଯାଇଥିବା ଏବଂ ବିଭିନ୍ନ ରଂଗର ସଂଯୋଗସ୍ଥଳ ମାନଙ୍କରେ ପୁଡ଼ା ଆକୃତିର ସନ୍ଧିସ୍ଥଳମାନ ଦେଖାଯାଏ । ଏହି ରେଖାପ୍ରାୟ ମାନବର ଛବି, ବର୍ଣ୍ଣିତ କେଶ ବିନ୍ୟାସ ସହିତ ବର୍ଗାକାର ଶରୀର ଓ ତ୍ରିକୋଣାକୃତି ମସ୍ତକର ଛବିମାନ ସମସାମୟିକ ରୂପେ ଗଣ୍ୟ ହୁଅନ୍ତି । ପ୍ରଥମ ପର୍ଯ୍ୟାୟର ଅନ୍ତିମ କାଳରେ ତଥା ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ସମୟରେ ଚିତ୍ରିତ ଛବିଗୁଡ଼ିକ ଦୁଧସର ରଙ୍ଗର ଏବଂ ମନୁଷ୍ୟ ଅଣ୍ଟାଠାରୁ ତଳ ଆଡ଼କୁ ଶରୀର ତରଙ୍ଗାୟିତ ରେଖାଦ୍ୱାରା ସୂଚିତ ହୋଇଥିବା ଉପଲବ୍ଧ ହୁଏ । ଏପରି ମାନବ ଛବିର ମଧ୍ୟଭାଗ ଗୋଟିଏ ମାତ୍ର ତରଙ୍ଗାୟିତ ରେଖାଦ୍ୱାରା ଚିତ୍ରିତ ହୋଇଥାଏ ।

ଦ୍ୱିତୀୟ ପର୍ଯ୍ୟାୟ ଚିତ୍ରକଳାର ପ୍ରାଥମିକ ସ୍ତରରେ ଧୂସର ଅଥବା ଦୁଧସର ରଙ୍ଗର ବିଶେଷ ବ୍ୟବହାର ହୋଇ ଆସିଛି । ସେଥିରେ ବାସ୍ତବତାର ଆଭାସ ଅଧିକ ପରିସ୍ଫୁଟ ହୁଏ । ଏହି ଚିତ୍ରମାନଙ୍କରେ ମନୁଷ୍ୟମାନଙ୍କର ଲମ୍ବାକୃତି ବେକ, ତରଙ୍ଗାୟିତ କେଶ, ବୈଶିଷ୍ଟ ବିହୀନ ମସ୍ତକ, ସରୁ ନାଡ଼ ଆକୃତିର ଗୋଡ଼, ଅଣ୍ଟାରେ ସ୍ୱଳ୍ପ ପରିମାଣର ବେଢ଼ାଯାଇଥିବା ଯତ୍ନହୀନ ପରିଧାନ (ଖୁବ୍ ସମ୍ଭବତଃ ପତରରୁ ଗୋଛାଏ ବନ୍ଧା ଯାଇଥିବା) ଦୃଷ୍ଟି ଗୋଚର ହୁଏ । ଏହି ଦ୍ୱିତୀୟ ପର୍ଯ୍ୟାୟର ଶେଷ ସ୍ତରରେ ଉକ୍ରୀର୍ଣ୍ଣ ଛବି ଗୁଡ଼ିକରେ ଧନୁତୀର ଆଦିର ବ୍ୟାପକ ପରିପ୍ରକାଶ ହୋଇଥିବା ଜଣାଯାଏ । ଆଉ ମଧ୍ୟ ଏକାଧିକ ଛବିର ଏକତ୍ର ସମାବେଶ ଏହି ପର୍ଯ୍ୟାୟର ଶେଷ ଭାଗରେ ଉପଲବ୍ଧ ହୋଇଥାଏ । ଏହି ପର୍ଯ୍ୟାୟର ଆଦ୍ୟ ଭାଗରୁ ଧାତୁ ନିର୍ମିତ ତୀର କିମ୍ବା ବର୍ଚ୍ଛାର ମୁନଗୁଡ଼ିକର ପ୍ରକଟନ ଛବି ଦେଖିବାକୁ ମିଳେ । ଛବିରେ ଚିତ୍ରିତ ଲୋକମାନେ ଶିକାରୀ ଏବଂ ସେମାନେ ବାଘ, ଝିଙ୍କ ପ୍ରଭୃତି ହିଂସ୍ରଜନ୍ତୁମାନଙ୍କ ସହିତ ସଂଗ୍ରାମରତ ଥିବା ଦେଖାଯାଏ । ଅନ୍ୟ ପକ୍ଷରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବାଘ ଟାଣି ନେଉଥିବା ଅଥବା କୁମ୍ଭୀର ଗିଳି ଦେଉଥିବା ମଧ୍ୟ ଉପଲବ୍ଧ ହୁଏ । ଶିକାରୀମାନେ ଶିକାର କରୁଥିବା ଜନ୍ତୁମାନଙ୍କ ମଧ୍ୟରେ ସଂବର, ହରିଣ ତଥା ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଗୋରୁ, ହାତୀ ପ୍ରଭୃତି ଦେଖାଯାନ୍ତି । ଶିକାରୀମାନେ ପଶୁର ମୁଖା ପିନ୍ଧି, ଧନୁଶର ହଲାଇ କୌଣସି ଉତ୍ସବ ଅଥବା ସାମାଜିକ ଅନୁଷ୍ଠାନରେ ଭାଗ ନେଉଥିବା ମଧ୍ୟ ଏହି ଛବି ଗୁଡ଼ିକରେ ରୂପ ପାଇଛି ।

ମହାଦେବ ପର୍ବତମାଳାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଛବିଗୁଡ଼ିକ ସଂପୂର୍ଣ୍ଣ ଭାବରେ ଐତିହାସିକ ପର୍ଯ୍ୟାୟଭୁକ୍ତ ହୋଇଥିବାରୁ ସେଗୁଡ଼ିକର ଆଲୋଚନା ଅନାବଶ୍ୟକ । ଏହା ବ୍ୟତୀତ ଏହି ପର୍ବତରେ କେତେକ ଖୋଦିତ ଛବି ମଧ୍ୟ ଦେଖାଯାଏ । କିନ୍ତୁ ସେଗୁଡ଼ିକ ବହୁ ପରବର୍ତ୍ତୀ କାଳର ହୋଇଥିବାରୁ ପ୍ରାଗ୍ ଐତିହାସିକ ଗୁରୁତ୍ୱ ବିବର୍ଜିତ । ଉଦାହରଣସ୍ୱରୂପ, ବର୍ଚ୍ଛା ଧରିଥିବା ଅଶ୍ୱାରୋହୀ, ବଳଦ ଏବଂ କେତେକ ପ୍ରତୀକ ଛବି ଏହାର ଅନ୍ତର୍ଭୁକ୍ତ ।

ମଧ୍ୟପ୍ରଦେଶର ରାୟଗଡ଼ଠାରୁ ଦକ୍ଷିଣ ପୂର୍ବକୁ ପ୍ରାୟ ୧୫କି.ମି. ଦୂରରେ ଭଜରାପାଲ ଗ୍ରାମ ନିକଟରେ କବରା ପାହାଡ଼ ଅବସ୍ଥିତ । ସେଠାରେ ଥିବା ଚିତ୍ରକଳାରେ ବହୁ କିସମର ଲାଲ ରଙ୍ଗ ରହିଥିବା ଦେଖାଯାଏ । ଜୀବଜନ୍ତୁମାନଙ୍କ ମଧ୍ୟରେ ବହୁ ବଣୁଆ ଗୋରୁ, ନୀଳଗାଈ, ବର୍ଗାକାର ମନୁଷ୍ୟ ଶରୀରରେ ଉପରୁ ତଳଆଡ଼କୁ ଲମ୍ବିଯାଇଥିବା ତରଙ୍ଗାୟିତ ସମାନ୍ତର ରେଖା ପରିଦୃଷ୍ଟ ହୁଏ । ଏଗୁଡ଼ିକ ମହାଦେବ ପର୍ବତମାଳାରେ ଥିବା ପ୍ରଥମ ପର୍ଯ୍ୟାୟର ତତ୍ତୁଲ୍ୟ ଛବି ସହିତ ଏବଂ ଓଡ଼ିଶାର ଉଷାକୋଠି ପାହାଡ଼ରେ ଉକ୍ରୀର୍ଣ୍ଣ ସେହିଭଳି ମାନବର ଛବି ଅଥବା ଝୋଟି ଚିତ୍ର ସହିତ ତୁଳନୀୟ । ଆଉ ମଧ୍ୟ ପଶୁମାନଙ୍କର ଛବିଗୁଡ଼ିକ ସହିତ ପାଞ୍ଚମାଢ଼ୀର କେତେକ ଛବିର ସାଦୃଶ୍ୟ ଉପଲବ୍ଧ ହୋଇଥାଏ । କବରା ପାହାଡ଼ରେ ଗୋଟିଏ ବାଘ ହାବୁଡ଼ରେ ପଡ଼ି ହଡ଼ବଡ଼େଇ ଯାଇଥିବା ମନୁଷ୍ୟର ବର୍ଗାକାର ଛବି ରହିଛି । ଚିତ୍ରଗୁଡ଼ିକ ପ୍ରାୟ ତିନି ମିଟରରୁ ଛଅ ମିଟର ଉଚ୍ଚରେ ରହିଛି ।

ମଧ୍ୟପ୍ରଦେଶର ହୋସଙ୍ଗାବାଦ ନିକଟରେ ଥିବା ମହାଦେବ ପର୍ବତମାଳାର ଆଦମଗଡ଼ ଖଣି ଅଞ୍ଚଳରେ କେତେକ ଶିଳାଶ୍ରୟ ରହିଛି । ଏହା ହୋସଙ୍ଗାବାଦ ଠାରୁ ପ୍ରାୟ ୬୬କି.ମି. ଦୂରରେ ଅବସ୍ଥିତ । ଏହି ଛବିଗୁଡ଼ିକ ମଧ୍ୟରୁ ଅନେକ ସ୍ଥାନୀୟ ସ୍ୱାକ୍ଷର ବହନ କରି ପରସ୍ପରଠାରୁ କେତେକ ପରିମାଣରେ ପୃଥକ୍ ଥିବା ଜଣାଯାଏ । ଛବିମାନଙ୍କ ମଧ୍ୟରେ ଗୋଟିଏ ବୃହତ୍କାୟ ହସ୍ତୀ ସର୍ବ ପ୍ରାଚୀନ ଥିବା ଜଣାଯାଏ । ଏଠାକାର ଏକ ବିଶାଳକାୟ ମଇଁଷିର ଅଙ୍କିତ ଚିତ୍ର ପ୍ରାୟ ଏକ ମିଟରରୁ ଅଧିକ ଲମ୍ବ ଓ ଏକ ମିଟରରୁ କିଛି କମ୍ ଚଉଡ଼ା ଅଟେ । ଆଦମଗଡ଼ ଶିଳାଶ୍ରୟର ଛବିଗୁଡ଼ିକ ପାଞ୍ଚ ବା ଛଅ ସ୍ତର ଧରି ରହିଥିବାର ଉପଲବ୍ଧ ହୁଏ । ଏଠାରେ ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟାନ୍ୟ ଛବି ଗୁଡ଼ିକ ବହୁ ପରବର୍ତ୍ତୀ ପର୍ଯ୍ୟାୟର ହୋଇଥିବାରୁ ପ୍ରାଗ୍ ଐତିହାସିକ ଦୃଷ୍ଟିରୁ ଅର୍ବାଚୀନ ମନେ ହୁଅନ୍ତି । ସେଥି ମଧ୍ୟରେ ଅସ୍ତ୍ରଶସ୍ତ୍ରଧାରୀ ମନୁଷ୍ୟ, ବାକ୍ଦେବୀ ଆଦି ଅନ୍ୟତମ । କିନ୍ତୁ ଗୋଟିଏ ମୟୂରର ଚିତ୍ର ଦୁଇଟି ସମାନ୍ତର ରେଖାରେ ଅଙ୍କିତ ହୋଇଥିବା ଦେଖାଯାଏ । ଏହା ପ୍ରାକ୍ ଐତିହାସିକ ସମୟର ହୋଇଥିବା ଅନୁମିତ ହୁଏ । ଏଠାରେ ଭୂ ଖୋଦନ କରାଯାଇ ବହୁ ପରିମାଣର କ୍ଷୁଦ୍ରାବୟବ ପ୍ରସ୍ତର ଅସ୍ତ୍ରଶସ୍ତ୍ର ମିଳିପାରିଛି । ଏହାବ ବ୍ୟତୀତ ଆଦମଗଡ଼ ନିକଟବର୍ତ୍ତୀ ଶେରପୁର, କରମାଗଡ଼, ନୂଆଗଡ଼ ଆଦିରେ ମଧ୍ୟ ଚିତ୍ରକଳା ଉକ୍ରୀର୍ଣ୍ଣ ହୋଇଥିବା ଜଣାଯାଏ । ମାତ୍ର ସେଗୁଡ଼ିକର ପ୍ରାକ୍ ଐତିହାସିକ ଗୁୁରୁତ୍ୱ ସ୍ୱଳ୍ପ ମନେହୁଏ ।

ରାୟଗଡ଼ ଅଞ୍ଚଳର ଅନ୍ୟ ଏକ ଚିତ୍ର କଳାର ଆଭାସ ୧୯୧୦ଖ୍ରୀଷ୍ଟାବ୍ଦରେ ମିଳିଥିଲା । ଆଣ୍ଡରସନ୍ ସାହେବ ମାଣ୍ଡ ନଦୀ ଅବବାହିକାରେ ଥିବା ଚାରୱାରଧାଲ ପର୍ବତମାଳାରେ ଅନୁସନ୍ଧାନ ଚଳାଇ ସିଙ୍ଘାଣପୁର ଗ୍ରାମ ନିକଟରେ କେତେକ ଚିତ୍ର କଳାର ସନ୍ଧାନ ପାଇଥିଲେ । ସେଗୁଡ଼ିକୁ ସିଙ୍ଘାଣପୁର ଚିତ୍ରକଳା ନାମରେ ପରିଚିତ କରାଯାଇଛି । ଏହି ପାହାଡ଼ର ଦୁଇଟା ଗୁହା ପରସ୍ପରଠାରୁ ପ୍ରାୟ ସାତ ମିଟର ଦୂରରେ ଅବସ୍ଥିତ । ଗୋଟିଏ ଗୁହାର ପ୍ରବେଶ ଦ୍ୱାର ଓ ତା’ର ଚାରିପାଖରେ ଏବଂ ଅନ୍ୟଟିର ପଛ ପାଖରେ କେତେକ ଅପରିପକ୍ୱ ବା ପ୍ରାଚୀନ ଚିତ୍ରକଳାର ସୂଚନା ମିଳିପାରିଛି ।

ସିଙ୍ଘାଣପୁର ଚିତ୍ରକଳାଗୁଡ଼ିକ କଳା-ଲାଲ, ଢ଼ାଉ, ଲାଲ, କମଳା ଓ କେବଳ ସ୍ୱଳ୍ପ କ୍ଷେତ୍ରରେ କଳା ରଂଗରେ ଅଙ୍କିତ ହୋଇଥିବା ଦେଖାଯାଏ । ଛବିରେ ପ୍ରଦର୍ଶିତ ମନୁଷ୍ୟ ମାନଙ୍କର ଛନ୍ଦା ଗୋଡ଼, ବର୍ଗାକାର କାନ୍ଧ, ଦୁଇଟି ଅଥବା ତିନୋଟି ଆଙ୍ଗୁଳି ରହିଥିବା ଦେଖିବାକୁ ମିଳେ । ଶିକାରୀମାନେ ହାତରେ ଧନୁ, କୁଠାର ଆଦି ଧରିଥିବା ଏଠାରେ ଚିତ୍ରିତ ହୋଇଛି । ଶିକାରୀମାନଙ୍କର ମନୋଭାବ ମଧ୍ୟ ଏହି ଛବିରେ ପ୍ରକାଶିତ ହୋଇଥିବା ଜଣାଯାଏ । ସେମାନେ ଖୁସି ମନରେ ଶିକାରକୁ ଯିବା, ଶିକାର କରିବା, ଏପରିକି ହିଂସ୍ରଜନ୍ତୁଙ୍କ ଆଘାତରେ ପଡ଼ିଯାଇଥିବା ଦୃଶ୍ୟ ଏଥିରେ ରୂପାୟିତ । ଏହା ବ୍ୟତୀତ ଶିକାର ହୋଇଥିବା ବନ୍ୟ ବରାହ ଦେହରେ ତୀର ଭେଦ କରିଥିବା ଏବଂ ତା’ ଦେହର ରକ୍ତ ତଳେ ଜମିଯାଇଥିବା, ମହୁଫେଣାରୁ ମାଛି ତଡ଼ି ମହୁ ଆଣିବା ଏବଂ ବାଘ ଆଦି ଜନ୍ତୁଙ୍କର ଅଙ୍କନ ସିଙ୍ଘାଣପୁର ଚିତ୍ରକଳାରେ ଦେଖିବାକୁ ମିଳେ । ଏଠାକାର ଶିକାର ଦୃଶ୍ୟ ଜୀବନ୍ତ ଏବଂ ଶିକାରୀମାନେ ଉତ୍ସାହୀ ଥିବା ଚିତ୍ରରୁ ଉପଲବ୍ଧି ହୁଏ ।

ମଧ୍ୟ ପ୍ରଦେଶର ଅନ୍ୟ ଯେଉଁ ଅଞ୍ଚଳମାନଙ୍କରେ ଶିଳା ଚିତ୍ର ତଥା ପ୍ରାକ୍-ଐତିହାସିକ ଶିଳା ଚିତ୍ରର ସୂଚନା ମିଳିଛି ସେଥି ମଧ୍ୟରେ ଭୋପାଳ, ରାୟସେନ, ଚମ୍ବଲ ଘାଟି ଆଦି ଅନ୍ୟତମ । ଚମ୍ବଲ ଘାଟିର ଚିତ୍ରକଳା ମଧ୍ୟରେ ଏକ ଗୋରୁର ଛବି ରହିଛି, ଯାହା ଓଡ଼ିଶାର ଯୋଗୀ ମଠରେ ଅଙ୍କିତ ଏକ ଗୋରୁ ଛବି ସହିତ ସାମଞ୍ଜସ୍ୟ ରକ୍ଷା କରେ । ଏହାର ପଛପାଖ ଓ ଖୁରା ନଥିବା ଗୋଡ଼ ଏକ ଦଣ୍ଡାୟମାନ ସରଳ ରେଖାରେ ଦର୍ଶାଯିବା ସଂଗେ ସଂଗେ ଏକ ଲମ୍ବ ଲାଞ୍ଜ ପଛକୁ ଲମ୍ବି ଯାଇଛି ।

ଉତ୍ତର ପ୍ରଦେଶରେ ଉକ୍ରୀର୍ଣ୍ଣ ଚିତ୍ରକଳା ମଧ୍ୟରେ ମିର୍ଜାପୁର ଅଞ୍ଚଳର ଲିଖୁନିଆ, କୋହବାର, ମହରାରିଆ, ଭାଲଦରିଆ, ବିଜୟଗଡ଼, ଘୋଡ଼ମଙ୍ଗର, ରୌଁପ, ଲୋହରି ଆଦିରେ ଚିତ୍ରକଳାର ଆଭାସ ରହିଛି ।

ମହାରାଷ୍ଟ୍ରର ଜାମଖଣ୍ଡି ନିକଟସ୍ଥ ଗୋଂବିଗୁଡ଼ାଠାରେ କେତେକ ରେଖାଙ୍କିତ ଖୋଦନ କଳା ପାହାଡ଼ ଗାତ୍ରରେ ସ୍ଥାନ ପାଇଛି । ମାତ୍ର ସେଗୁଡ଼ିକର ବିଷୟବସ୍ତୁ ପ୍ରାଗୈତିହାସିକ ମନେ ହୁଏ ନାହିଁ ।

ଆନ୍ଧ୍ରପ୍ରଦେଶର ହାଇଦରାବାଦ ଅଞ୍ଚଳସ୍ଥ ରାଇପୁର ଜିଲ୍ଲାରେ କେତେକ ରେଖାଙ୍କିତ ଖୋଦନ କଳା ପ୍ରସ୍ତର ଗାତ୍ରରେ ସ୍ଥାନ ପାଇଥିବା ଦେଖାଯାଏ । ଏଗୁଡ଼ିକ କୋପ୍ପାଲ, ପିବଲିହାଲ ଓ ଚିକ୍ ହେସ୍ରୁର୍ ନିକଟରେ ମଧ୍ୟ ଏହି ଛବିର ଅସ୍ତିତ୍ୱ ରହିଛି । ପ୍ରାକୃତିକ ଶୈଳୀରେ ଗେରୁ ରଂଗରେ ଚିତ୍ରିତ କେତେକ ଷଣ୍ଢ ପ୍ରାଚୀନ ମନେ ହୁଅନ୍ତି । ସେଗୁଡ଼ିକର ଚିତ୍ରଣ ବେଙ୍କାଲ ଜଙ୍ଗଲ ଓ କୁପ୍ଗାଲୁଠାରେ ମଧ୍ୟ ଉପଲବ୍ଧ ହୋଇଥାଏ । ଏହି ଦୁଇ ସ୍ଥାନର ଷଣ୍ଢମାନଙ୍କ ଶିଙ୍ଘରେ ଧନୁ ଅଥବା ଅନ୍ୟ କୌଣସି ଦ୍ରବ୍ୟ ବନ୍ଧା ହୋଇଥିବା ଦେଖାଯାଏ । ଏହି ଦୁଇ ସ୍ଥାନର ଷଣ୍ଢମାନଙ୍କ ଶିଙ୍ଘରେ ଧନୁ ଅଥବା ଅନ୍ୟ କୌଣସି ଦ୍ରବ୍ୟ ବନ୍ଧା ହୋଇଥିବା ଦେଖାଯାଏ । ମଧ୍ୟପ୍ରଦେଶର ଚମ୍ବଲ ନଦୀ କୂଳରେ ଥିବା ଉଜ୍ଜୟିନୀ ନିକଟର ନାଗଡ଼ାଠାରୁ ମିଳିଥିବା ପ୍ରାଚୀନ ଚିତ୍ରିତ ମୃତ୍ପାତ୍ରରେ ବଳଦମାନଙ୍କ ଶିଙ୍ଘର ସାଜସଜ୍ଜା ଏହା ସହିତ ସାଦୃଶ୍ୟ ରକ୍ଷା କରିଥାଏ । ପିକଲିହାଲ ନିକଟରୁ ଦୁଇଧାଡ଼ିଆ ଛବି ଓ ବୃତ୍ତର ସୂଚନା ମିଳେ । କେତେକଙ୍କ ମତରେ ଏହି ଚିତ୍ରକଳାର ପ୍ରାଚୀନତମ ଖୋଦିତ ରେଖାଚିତ୍ର ଅଥବା ଚିତ୍ର ଏହାର ନିକଟବର୍ତ୍ତୀ କର୍ଣ୍ଣାଟକର ବେଲାରୀର ପ୍ରସ୍ତର ଯୁଗୀୟ ବସତି ସହିତ ସଂପର୍କ ରକ୍ଷା କରିପାରେ । କିନ୍ତୁ ସେଥିରୁ କେତେକ ହେଉଛି ଐତିହାସିକ ଚିତ୍ର ।

ତୁଙ୍ଗଭଦ୍ର ନଦୀର ଦକ୍ଷିଣ ତୀରରେ କୁପ୍ଗାଲୁ ପାହାଡ଼ ଗାତ୍ରରେ କେତେକ ରେଖା ଖୋଦିତ ଛବିର ସୂଚନା ମିଳେ । ଏହି ରାମ୍ପୁଡ଼ା ହୋଇଥିବା ଛବିର ଏକ ସ୍ୱତନ୍ତ୍ର ଗୁଣ ରହିଛି । ଏହାଦ୍ୱାରା ପାହାଡ଼ର ଉପରିଭାଗର ରଂଗ ବଦଳିଯାଏ, ମାତ୍ର ଛୁଇଁଲେ ହାତକୁ ଖଡ଼ଖଡ଼ିଆ ଜଣାଯାଏ ନାହିଁ । ଏଥିରେ ମନୁଷ୍ୟ, ପଶୁ ଓ ପକ୍ଷୀ ବହୁ ସଂଖ୍ୟାରେ ଉକ୍ରୀର୍ଣ୍ଣ ହୋଇଛନ୍ତି । ମନୁଷ୍ୟମାନେ ଧନୁ, ତୀର ହାତରେ ଧରିଥିବା ଏବଂ ଦୁଇଜଣ ଲୋକ ଗୋଟିଏ ପାତ୍ରକୁ ଦୁଇଟି ଲମ୍ବ ବାଡ଼ିରେ ବହନ କରି ନେଉଥିବା ଦୃଶ୍ୟ ଏଥିରେ ସ୍ଥାନ ପାଇଛି । ଛବି ଗୁଡ଼ିକରେ ଗୋସମ୍ପଦ ଅଧିକ ପରିମାଣରେ ଦେଖାଯାନ୍ତି ଏବଂ ଧନୁର୍ଦ୍ଧାରୀମାନେ ସେମାନଙ୍କୁ ଆକ୍ରମଣ କରୁଥିବା ଏଥିରୁ ଜଣାଯାଏ । ଆଉ ମଧ୍ୟ ଅଣ୍ଡିରା ହରିଣର ଛବି ଏଠାରେ ରୂପ ପାଇଛି । ଏ ସ୍ଥାନର ବିଶେଷତ୍ୱ ହେଉଛି, ବହୁ ପରିମାଣରେ ରମଣଲିପ୍ତ ପୁରୁଷ ଓ ସ୍ତ୍ରୀଙ୍କ ଛବି ଏଠାରେ ଉକ୍ରୀର୍ଣ୍ଣ ।

କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ନିକଟରେ କେତେକ ଖୋଦିତ ରେଖାଚିତ୍ରର ଆଭାସ ମିଳିଛି । ଏଗୁଡ଼ିକ ମୁଖ୍ୟତଃ ଦୁଇଟି ଅଞ୍ଚଳରେ ଦେଖାଯାଏ । ପ୍ରଥମଟି ବାସବନଗୁଡ଼ିର ହୋସକରହାଲି ପୋଖରୀ ନିକଟରେ ଥିବା ଗୋଟ୍ଗିରିବେଟ୍ଟା ପର୍ବତମାଳାରେ ଅବସ୍ଥିତ । ସେଠାରେ ପ୍ରାୟ ପାଞ୍ଚଟି ରଙ୍ଗରେ ଏଗୁଡ଼ିକ ଉକ୍ରୀର୍ଣ୍ଣ ହୋଇଥିବା ଦେଖାଯାଏ । ଗବେଷକମାନଙ୍କ ମତରେ ପ୍ରଥମେ ଏଗୁଡ଼ିକ ପଥର ଗାତ୍ରରେ ପ୍ରଲେପିତ ହେବାବେଳେ ସେଗୁଡ଼ିକର ରଙ୍ଗ ଧଳା ଥିଲା । କିନ୍ତୁ ପରେ ତାହା କଳାଟିଆ ଧୂସର ରଙ୍ଗରେ ବିବର୍ତ୍ତିତ ହୋଇଛି । ଯେଉଁଠାରେ ପାଣିପାଗର ପ୍ରଭାବ ବେଶି ଦିନର, ସେଠାରେ ସେଗୁଡ଼ିକ ହଳଦିଆ ରଙ୍ଗରେ ପରିବର୍ତ୍ତିତ ହୋଇଥିବା କୁହାଯାଏ । ତଥାପି ଏଠାକାର ଅଧିକାଂଶ ଚିତ୍ରର ରଙ୍ଗ ଫିକା ଧୂସର ଓ ସେଥିରେ ମନୁଷ୍ୟ ଓ ପ୍ରାଣୀ ଆଦି ପରିସ୍ଫୁଟ ହୁଅନ୍ତି । ଅନ୍ୟ କେତେକ ଛବି ଫିକା ପଥର ରଙ୍ଗର ଅଟେ । ଅନ୍ୟ କେତେକ ଛବି ପଥର ଅଥବା କଳା ରଙ୍ଗର ଥିବା ଜଣାଯାଏ । ଏହି ରଙ୍ଗଗୁଡ଼ିକ ବ୍ୟବହାରରେ କ୍ରମ ପର୍ଯ୍ୟାୟ ରହିଥିଲେ ସୁଦ୍ଧା ତାହା ଛବି ଗୁଡ଼ିକର କାଳ ନିରୁପଣରେ ସାହାଯ୍ୟ କରେ ନାହିଁ ।

ବାଙ୍ଗାଲୋରଠାରୁ ପ୍ରାୟ ୧୫କି.ମି. ଦୂରରେ ଥିବା ସରାଜପୁର ରାସ୍ତାରେ ଥିବା ଡଡକନେଲି ଗ୍ରାମରେ ପାହାଡ଼ ଦେହରେ କେତେକ ଛବି ପରିଚୟ ମିଳିଥାଏ । ଏଗୁଡ଼ିକ ସ୍ୱଳ୍ପ ପରିମାଣର ଏବଂ ଏକକାଳୀନ ମନେ ହୁଅନ୍ତି । ସେଥିରେ ଲୋକମାନେ ନୃତ୍ୟ କରୁଥିବା, ଗୋଟିଏ ଷଣ୍ଢକୁ ଜଣେ ବ୍ୟକ୍ତି ଟାଣି ନେଉଥିବା ଏବଂ କେତେକ ଇତସ୍ତତଃ ରାଞ୍ଚୁଡ଼ା ଛବିରେ ବିଭିନ୍ନ ଶୈଳୀର ମନୁଷ୍ୟ ତଥା ପଶୁମାନଙ୍କର ପରିଚୟ ମିଳେ । ଛବିଗୁଡ଼ିକୁ ଗବେଷକମାନେ ଖ୍ରୀ.ପୂ. ୫୦୦ବର୍ଷର ବୋଲି କହନ୍ତି ।

କେରଳର ଉତକାମଣ୍ଡଠାରେ ଥିବା ୱାଇନାଡ଼ର ସୁଲତାନ ବାଟେରୀ ନିକଟରେ କେତେକ ରେଖାଚିତ୍ର ଦୃଷ୍ଟିଗୋଚର ହୁଏ । ଏଗୁଡ଼ିକ ଏଡ଼କାଲମାଲ ପାହାଡ଼ର ଏଡ଼କାଲ ଗୁହାରେ ଖୋଦିତ ହୋଇଛି । ଏଠାରେ ଅର ଥିବା ଚକା ସଦୃଶ ରେଖାଚିତ୍ରମାନ ରହିଛି । ଏହି ଖୋଦିତ ରେଖାଚିତ୍ରରେ ମନୁଷ୍ୟ, ପ୍ରାଣୀ ଓ କେତେକ ପ୍ରତୀକ ଚିହ୍ନ ପ୍ରକାଶ ପାଏ । ସେଗୁଡ଼ିକ ଏତେ ସଂଲଗ୍ନ ଭାବରେ ପରସ୍ପର ନିକଟରେ ଟଣାଯାଇଛି ଯେ କେବଳ ଅର୍ଥହୀନ ରାଞ୍ଚୁଡ଼ା ଦାଗ ବ୍ୟତୀତ ସେଗୁଡ଼ିକରୁ ହଠାତ୍ କିଛି ଚିତ୍ରର କଳ୍ପନା କରିହୁଏ ନାହିଁ । ଏହି ଗହିରିଆ ରେଖାଗୁଡ଼ିକ ଘଷିବା ହେତୁ ମସୃଣ ହୋଇଥିବା ଅନୁମାନ କରାଯାଏ । କିନ୍ତୁ କୌଣସିଠାରେ ଛେଲା ଛଡ଼ାଇବା, ଖୁମ୍ପିବା କିମ୍ବା ହାତୁଡ଼ିରେ ପିଟିବା ଆଦିର ଚିତ୍ର ପରିଲକ୍ଷିତ ହୁଏ ନାହିଁ । ଏହି ମସୃଣଗହୀର ରେଖାଗୁଡ଼ିକ ବାସ୍ତବରେ ଚିତ୍ରଟି ସଂପୂର୍ଣ୍ଣ ହେବାବେଳେ ସେଥିରେ ଯେଉଁ ଶେଷ କେତେକ ସ୍ପର୍ଶ ଦିଆଯାଏ, ତାହା ହୋଇଥିବା ଅନେକ ମନେ କରନ୍ତି । ଛବିଗୁଡ଼ିକରେ ଧନୁ ଧରିଥିବା ମନୁଷ୍ୟ ତଥା ପଶୁମାନଙ୍କର ରୂପ ଅଦ୍ଭୁତ ଶୈଳୀରେ ଖୋଦିତ । ଏଥିରେ ବହୁ ପ୍ରକାରର ପ୍ରତୀକ ରହିଛି ଏବଂ ସେଗୁଡ଼ିକ ସାଧାରଣରୁ ଆରମ୍ଭ କରି ଉପରକୁ ଅଥବା ତୀର୍ଯକ ଭାବରେ କେବଳ ଛକ ଦ୍ୱାରା ପ୍ରକାଶ ପାଇଛି ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ
Exit mobile version