ଧଉଁରା ଦାଦର୍ ଗାଁ’ର ଇତିହାସ ଓ ସଂସ୍କୃତି (ବଲାଙ୍ଗିର ଜିଲ୍ଲା)

- ଆମ ଗାଁ ଆମ ଜୀବନ

279 Views
9 Min Read

୨୦୨୩ ମସିହାରେ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଗାଁ ଇତିହାସ  ଲେଖାଇବା ପାଇଁ ଆମେ ଯାଇଥାଉ । ଏହି କାମ ପାଇଁ ଯାଇଥିବା ସମୟରେ ଆମେ ଅନେକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟିଥିଲୁ ।  ସେ ଭିତରୁ ଗୋଟେ ସ୍କୁଲ ଥିଲା  ପଦମପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ(SSD)। ପଦମପୁରରୁ ପାଇକମାଳ ଯିବା ରାସ୍ତାରେ ପଡ଼େ ଏହି ସ୍କୁଲ । ସେହି ବିଦ୍ୟାଳୟର କନ୍ୟାଶ୍ରମରେ ରହି ପାଠ ପଢୁଥିବା ଛାତ୍ରୀମାନଙ୍କର ନିଜ ଗାଁ ଠାରୁ ଦୂରରେ ରହିବାର କଷ୍ଟ ଓ ଗାଁ ପ୍ରତି ଥିବା ଶ୍ରଦ୍ଧା ସେମାନଙ୍କ ଲେଖା ଗୁଡ଼ିକୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ ।

ପଦମପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆମେ ଭେଟିଥିବା ୪୦୦ ଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ରୀ ହେଉଛନ୍ତି ଝିଲି ବରିହା ।  ଝିଲି ବରିହା, ବଲାଙ୍ଗୀର ଜିଲ୍ଲାର, ପାଟନାଗଡ଼ ବ୍ଲକ ଅନ୍ତର୍ଗତ, ଧଉଁରା ଦାଦର୍ ଗ୍ରାମର ଜଣେ ଝିଅ । ସେ ୨୦୨୩ ମସିହାରେ ପଦମପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ(SSD) ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ନିଜ ଗାଁ’ର ଜୀବନୀ ଲେଖିଥିଲେ । ଝିଲିଙ୍କ ପିତା ହେଉଛନ୍ତି ନନ୍ଦି ବରିହା ଓ ମାତା ମଞ୍ଜରୀ ବରିହା । ଏକ ସାଧାରଣ ଆଦିବାସୀ ପରିବାରର ଝିଅ ଝିଲି । “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାପରେ ସେ ଏଥିରେ ଭାଗ ନେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଝିଲି ପଦମପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ(SSD) ହଷ୍ଟେଲରେ ରହୁଥିବାରୁ ଖରାଛୁଟି ସମୟରେ ନିଜ ଗାଁକୁ ଯାଇଥିବା ବେଳେ ଏହି ଲେଖାଟି ପ୍ରସ୍ତୁତ କରିଥିଲେ । ଝିଲିଙ୍କ ଗାଁ ଧଉଁରା ଦାଦର୍ ଏକ ପ୍ରାକୃତିକ ସୌନ୍ଦର୍ୟରେ ଭରପୂର ଗ୍ରାମ, ଯେଉଁଠାରେ ବହୁତ ଝରଣା ରହିଥିବା ଯୋଗୁଁ ଏହାକୁ “ଝରଣୀ ପାଣି” ବୋଲି ମଧ୍ୟ କୁହାଯାଏ । ଝିଲି ନିଜ ଗାଁ’ର ପରିବେଶ ଓ ସଂସ୍କୃତିର ପରିବର୍ତ୍ତନକୁ ଗଭୀର ଭାବେ ଅନୁଭବ କରିଛନ୍ତି । ଗତ ଶତାବ୍ଦୀର ଗଛ, ଝରଣା, ପରିବେଶ ଓ ମିଳିତ ଜୀବନ ଏବେ ଧୀରେ ଧୀରେ ଅଦୃଶ୍ୟ ହେଉଛି ବୋଲି ନିଜ ମନରେ କଷ୍ଟ ପାଉଛନ୍ତି । ମୋବାଇଲ ଓ ଟିଭି ଯୁଗରେ ଲୋକେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଝିଲିଙ୍କ ଲେଖା ଓ ତାଙ୍କ ଚିନ୍ତାଧାରା ଏକ ସଚେତନ ଛାତ୍ରୀର ପରିଚୟ ଦିଏ । ସେ ଗାଁ’ର ପୁନର୍ଗଠନ, ପରିବେଶ ସଂରକ୍ଷଣ, ଏକତା ଓ ସେବା ମୂଳକ କାମକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ଗାଁ ଓ ସଂସ୍କୃତି ପ୍ରତି ଭଲପାଇବା ତାଙ୍କୁ ଜଣେ ଯଥାର୍ଥ ଗ୍ରାମ ଇତିହାସକାର ଭାବରେ ଉଭୟ କାର୍ଯ୍ୟ ଓ ଚିନ୍ତାରେ ପ୍ରକାଶ କରିଛି। ଏହି ଉପସ୍ଥାପନା ଝିଲିଙ୍କ ଗାଁ ଓ ଗ୍ରାମ୍ୟ ଜୀବନର ସମ୍ପୂର୍ଣ୍ଣ ପରିଚୟ ଦେଉଥିବା ସହ, ଛୋଟ ଛୋଟ ପିଲାମାନେ କିପରି ଗାଁ ବିଷୟରେ ଗଭୀର ଚିନ୍ତା କରିପାରନ୍ତି ଏହା ଦର୍ଶାଉଛି । ଚଳିତବର୍ଷ ଝିଲି ଦଶମ ଶ୍ରେଣୀ ପରୀକ୍ଷା ଦେଇସାରିବା ପରେ ଆମ ଟିମ ଝିଲିଙ୍କୁ ଓ ତାଙ୍କ ସାଥିମାନଙ୍କୁ ଭେଟି ଅଧିକ ଚର୍ଚ୍ଚା ଆଲୋଚନା କଲେ ସେ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବାରେ ସମର୍ଥ ହେବେ । – ସମ୍ପାଦକ (ସ୍ଵୟଂପ୍ରଭା ପାଢୀ ) 

ଧଉଁରା ଦାଦର୍ ଗାଁ’ର ଜୀବନୀ – ଝିଲି ବରିହା

ଆମ ଗାଁ’ରେ ବହୁତ ଝରଣ ବା ଝରଣା ବହୁଥିବାରୁ ଆମ ଗାଁ’ର ନାମ ଝରଣୀ ପାଣି ଦିଆଯାଇଥିଲା । ଆମ ଗାଁ ବହୁତ ଆଗରୁ ପ୍ରତିଷ୍ଠା ହୋଇଥିଲା ଓ ତେଲି, ଗୋଉଡ଼, କନ୍ଧ, ଆଦୀବାସି, ହରିଜନ ଲୋକମାନେ ପ୍ରଥମ ବାସିନ୍ଦା ଭାବରେ ରହୁଥିଲେ । ପୂର୍ବରୁ ଆମ ଗାଁ’ର ପରିବେଶ ବହୁତ ସୁନ୍ଦର ଥିଲା । ଆମ ଗାଁ ବହୁତ ଶସ୍ୟ ଶ୍ୟାମଳ ସବୁଜ ଦିଶୁଥିଲା । ଯେଉଁ ଆଡ଼କୁ ଦେଖିଲେ ସୁନ୍ଦର ଦିସୁଛି । ଏବେ ବହୁତ ଜଙ୍ଗଲ ସବୁ କାଟି ଦିଆଯାଉଛି । ସେଥି ପାଇଁ ପରିବେଶ ଏବେ ଆଉ ସୁନ୍ଦର ଦିଶୁନାହିଁ । ଜଳବାୟୁ ଭଲ ଥିଲା କିନ୍ତୁ ଏବେ ଆଉ ଭଲ ନାହିଁ । ଏବେ ଗାଁ ଆଉ ଭଲ ଲାଗୁନାହିଁ । କାହିଁକି ଆଗ ବହୁତ ଲୋକମାନେ ମିଳିମିଶି ରହୁଥିଲେ । ଏବେ କେହି କାହା ସହିତ ମିଳିମିଶି ରହୁ ନାହାନ୍ତି । ଆଗେ ବହୁତ ଗଛ ଲତା ଥିବାରୁ ଗାଁ ମଧ୍ୟ ଭଲ ଲାଗୁଥିଲା । ଆମ ଗାଁ’ରେ ବହୁତ ପର୍ବପର୍ବାଣୀ ପାଳନ କରାଯାଏ । ଦଶହରା ପୂଜା, ନୂଆଁଖାଇ, ଦିପାବଳୀ, ଲକ୍ଷ୍ମୀ ପୂଜା, ଶିବରାତ୍ରୀ, ଜନ୍ମାଷ୍ଟମୀ, ନାମଯଜ୍ଞ, ସରସ୍ୱତୀ ପୂଜା, କାର୍ତ୍ତୀକ ପୂର୍ଣ୍ଣିମା, ରାମନବମୀ, ଗଣେଷ ପୂଜା, ହୋଲି ଆଦି ପର୍ବପର୍ବାଣୀ ପାଳନ କରାଯାଏ । ଗାଁରେ ଏବେ ଭଲ ଲାଗୁନାହିଁ । ଲୋକେ ବହୁତ ନିଜ କାମରେ ବ୍ୟସ୍ଥ ରୁହନ୍ତି । ମୋବାଇଲ ଯୋଗୁଁ ଲୋକେ କେହି କାହାର ସହିତ ମିଶନ୍ତିନାହିଁ । ନିଜ ଘରୁ ବି ବାହାରନ୍ତି ନାହିଁ । କାରଣ ମୋବାଇଲ ଫୋନ୍‌, ଟିଭି ଦେଖିବାରେ ଲୋକେ ବ୍ୟସ୍ତ ରୁହନ୍ତି । କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ । ପୂର୍ବରୁ ମିଳିମିଶି ରହୁଥିଲେ । ଗାଁ’ର ସବୁ ପୁଅ ଓ ଝିଅ ମାନେ ସମସ୍ତେ ଖେଳୁଥିଲେ । ସମସ୍ତେ ମିଳିମିଶି ମଧ୍ୟ ବହୁତ ମଜା କରୁଥିଲେ । ପର୍ବପର୍ବାଣୀ ମଧ୍ୟ ମିଳିମିଶି କରୁଥିଲେ । ଆଗେ ଲୋକେ ବହୁତ ଭଲ ଥିଲେ ।

ଆମ ଗାଁ’ର ଲୋକ ସଂଖ୍ୟା ହେଉଛି ହାରାହାରି ୬୦୦ ରୁ ଅଧିକ । ଆମ ଗାଁ’ରେ ଏବେ ୧୦୭ ଟି ଘର ଅଛି । ଆମ ଗାଁ’ର ସବୁଠାରୁ ସୁନ୍ଦର ଘରଟି ହେଉଛି ଆମ ଗାଁ’ର ମୁଖିଆଙ୍କ ଘର । ବହୁତ ସୁନ୍ଦର ଘର । ସେ ଗାଁ’ର ସମସ୍ୟା ସମୟରେ ଲୋକଙ୍କୁ ସାହାଯ୍ୟ କରନ୍ତି । ଲୋକଙ୍କର ଅସୁବିଧା ହେଲେ ସେ ସମାଧାନ କରନ୍ତି । ଆମ ଗାଁ’ର ସବୁଠାରୁ ଛୋଟ ଘର ହେଉଛି, ରାମଙ୍କର । ବହୁତ ଛୋଟ ଘର । ସେ ସବୁବେଳେ ମୂଲ ଲାଗନ୍ତି ଓ ସେ ଯେତେ ରୋଜଗାର କରନ୍ତି, ରୋଜଗାର କରୁଥିବା ପଇସାରେ ଘର ଚଳାନ୍ତି ।

ଆମ ଗାଁ’ରେ ତେଲି, ଗଉଡ଼, କନ୍ଧ ଇତ୍ୟାଦି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଗାଁ’ର ଲୋକମାନଙ୍କ ଭିତରେ ବହୁତ ଭଲ ସମ୍ପର୍କ ଅଛି । ଗାଁ’ର ଲୋକମାନେ ହୋଲି, ମକର ସଂକ୍ରାନ୍ତି  ଇତ୍ୟାଦି ମିଳିମିଶି ପାଳନ କରନ୍ତି । ଆମ ଗାଁ’ରେ କାରିଗରୀ କାମ ଯଥା – ବଢେଇ, ଝୋଟି ଚିତା ଇତ୍ୟାଦି କାମ ହୁଏ । ଆମ ଗାଁ’ରେ ଦୁଇଟି ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଅଛି । ସ୍କୁଲରେ ୧୫୦ ଜଣ ପିଲା ପଢନ୍ତି । ଆମ ଗାଁ’ରେ ଅତୀତରେ ପାଣିର ଉତ୍ସ କୂଅ ଥିଲା । ଆଗରୁ କୂଅର ପାଣି ପିଇବା ପାଇଁ ଲୋକମାନେ ବହୁ ପରିଶ୍ରମ କରୁଥିଲେ । ଏବେ ଗାଁ’ରେ ନଳ କୂଅ, କୁଡ଼ଉ ଅଛି । ପାତାଲ କୁଡ଼ଉ ଅଛି ।

ଆମ ଗାଁ ପାଖରେ ବଡ଼ ଜଙ୍ଗଲଟିଏ ଅଛି । ଗାଁ’ର ଲୋକମାନେ ଜଙ୍ଗଲରୁ କାଠ, ମହୁଲ, ଜାମୁକୋଳି, କୁସୁମ ଇତ୍ୟାଦି ସଂଗ୍ରହ କରନ୍ତି । ଆମ ଗାଁ ଲୋକମାନେ ଗଛ ନକାଟି ଜୀବନରେ ଆଗକୁ ବଢିବା ପାଇଁ ଚାହୁଁଛନ୍ତି । ଏବେ ଗାଁ’ରେ ଗଛ ଅଛି । ଆମ ଗାଁ’ରେ ପିଲାମାନେ କ୍ରିକେଟ୍‌, ବାଟି, ଫୁଟ୍‌ବଲ ଖେଳନ୍ତି । ଆମ ଗାଁ’ରେ ଖେଳ ପଡିଆରେ ପିଲାମାନେ ଖେଳନ୍ତି । ଆମ ଗାଁ’ର ଝିଅ ମାନେ ପାଠ ପଢନ୍ତି । ଜବନରେ ଆଗକୁ ବଢିବା ପାଇଁ ମନ ଲଗାଇ ପାଠ ପଢନ୍ତି ।

ପୂର୍ବ କାଳରେ ଆମ ଗାଁ’ରେ ଗହମ, ବାଜରା, ମକା, ଧାନ, ମୁଗ, ମାଣ୍ଡିଆ, କୁଦ, ସୋରିଷ, କପା ଆଦି ଚାଷ କରାଯାଉଥିଲା । ଏବେ ସେସବୁ ଖାଦ୍ୟଶସ୍ୟ ଆମ ଗାଁ’ରେ ମିଳୁନାହିଁ । ଏବେ ଆମ ଗାଁ’ରେ ମୁଖ୍ୟତଃ ଟମାଟୋ, ବାଇଗଣ, ଲଙ୍କା, କପା, ଧାନ, ମୁଗ, ମକା ଆଦି ଚାଷ କରାଯାଏ । ଆମ ଗାଁ’ର ଲୋକମାନେ ମୁଗ, ବିରି, ଝୁନୁଗା, କୋଲଥ ସବୁ ପ୍ରକାର ଶସ୍ୟ ଚାଷ କରନ୍ତି । ଏବେ କୋଲଥ ଚାଷ ହେଉନାହିଁ । ଆମ ଜେଜେବାପା ଓ ଜେଜେ ମା ତାଙ୍କ ପିଲା ଦିନେ ମାଣ୍ଡିଆ, ବାଜରା, ମକ୍କା, ଗୁଡ଼ ଭାତ, ଆଦି ଖାଦ୍ୟ ଖାଉଥିଲେ । ସେସବୁ ଖାଦ୍ୟ ଗାଁ ଲୋକ ଏବେ ବି ଖାଆନ୍ତି କିନ୍ତୁ ମାଣ୍ଡିଆ, ବାଜରା ଖାଉ ନାହାନ୍ତି । ଗାଁ’ର ପିଲାମାନେ ଏବେ ଚାଉମିନ୍‌, ମନ୍‌ଚୁରେନ୍‌, ଗୁପ୍‌ଚୁପ୍‌, କୁରକୁରେ, ଚାଟ୍‌, ବରଗର ଆଦି ଖାଇବା ପାଇଁ ପସନ୍ଦ କରନ୍ତି । ଗାଁ’ରେ ପର୍ବ ପର୍ବାଣୀରେ ବହୁତ ପ୍ରକାରର ଖାଦ୍ୟ ରନ୍ଧା ଯାଏ । ଭାତ, ଡାଲି, ଖିରି, ତରକାରି, ଆଦି ସବୁ ରନ୍ଧା ଯାଏ । ବିଶେଷ କରି ନୂଆଖାଇ ପର୍ବରେ ଅବୁଦ ପିଠା ତିଆରି କରାଯାଏ, ଏହା ଅଧିକ ରନ୍ଧା ହୁଏ । ପ୍ରତ୍ୟେକଦିନ ରୋଷେଇରେ ଭାତ, ଡାଲି, ତରକାରୀ, ସୋୟାବଡି ତରକାରୀ, ଆଳୁ ତରକାରୀ, ଅଣ୍ଡା, ମାଛ, ମାଂସ, ଆଳୁଭଜା, ବନ୍ଧାକୋବି ତରକାରୀ, ଫୁଲକୋବି ତରକାରୀ, ମାଖନ ତରକାରୀ, ଆଳୁଚନା ତରକାରୀ, ପୁଟଳ ଭଜା, ବିନ ଭଜା, ଝୁଡ଼ଙ୍ଗ ଭଜା, ଇତ୍ୟାଦି ଭଜା ତରକାରୀ କରାଯାଏ ।

ଆମ ଗାଁର ମୂଳ ସମସ୍ୟା ହେଉଛି ପାଣି ସମସ୍ୟା ଓ ରାସ୍ତା ଘାଟ ସମସ୍ୟା । ଗାଁ ଲୋକମାନେ ଅସୁବିଧାରେ ପଡିଲେ ଗାଁ ଲୋକମାନଙ୍କ ଠାରୁ ସାହାଯ୍ୟ ନେଇଥାନ୍ତି । ଗାଁର କିଛି ଲୋକ ଜଙ୍ଗଲରେ କାମ କରନ୍ତି । ସବୁଠାରୁ ଅଧିକ ଲୋକ କ୍ଷେତରେ କାମ କରନ୍ତି । ଯୁବକ ଯୁବତୀମାନେ କାମ ପାଇଁ ବାହାରକୁ ଯାଆନ୍ତି । ଦେଶ ବାହାରକୁ ଯାଆନ୍ତି । ଆମ ଗାଁ’ରେ ମୂଳତଃ କାଶ, ଥଣ୍ଡା, ଜ୍ଵର, ଇତ୍ୟାଦି ଦେଖାଯାଏ । ଗାଁର ଲୋକମାନେ ଦେହ ଖରାପ ହେଲେ ଡାକ୍ତରଖାନା ଯାଇଥାନ୍ତି । ଗାଁ ଠାରୁ ଡାକ୍ତରଖାନା ୧୩ କି.ମି. ଦୂରରେ ଅଛି ।

ଆମ ଗାଁ’ରେ ମହୁଲ ଗଛ, ଫଳସା ଗଛ, କେନ୍ଦୁ ଗଛ, ବରଗଛ, ତେନ୍ତୁଳି ଗଛ, ଗହାର ଗଛ, ବାଞ୍ଜି ଗଛ ଇତ୍ୟାଦି ଗଛ ଦେଖାଯାଏ । ପୂର୍ବେ ଜଡା ଗଛ, ବନ୍ଦସଲା ଗଛ, କାଟି କୋଇଲି ଗଛ ଇତ୍ୟାଦି ଗଛ ଦେଖାଯାଉ ଥିଲା । ଏବେ ଆଉ ନାହିଁ । ଗାଁ’ରେ ବଳଦ, ଷଣ୍ଢ, କୋଇଲି, ଘରଚଟିଆ, କୁକୁର, ଛେଳି, ଇତ୍ୟାଦି ଦେଖାଯାଆନ୍ତି ।

ମୋତେ ମୋ ଗାଁ ବହୁତ ଭଲ ଲାଗେ । ଆମ ଗାଁ’ର ପୂର୍ବର ସବୁ କଥା ମୋତେ ସବୁତ ଭଲ ଲାଗେ । ମୋ ପରିବାରକୁ ଯଦି କେହି ଦୋଷୀ କହେ ମୋତେ ବହୁତ କଷ୍ଟ ଲାଗେ । ଗାଁ କୁ ନେଇ ମୁଁ ମନରେ ଅନୁଚିନ୍ତା କରେ । ବିଭିନ୍ନ ପର୍ବପର୍ବାଣୀରେ ଯୋଗ ଦେବାକୁ ମନହୁଏ । ଗାଁର ବିଭିନ୍ନ ଲୋକଙ୍କର କୌଣସି ଅସୁବିଧାରେ ସାହାଯ୍ୟ କରିବାକୁ ମୁଁ ଚିନ୍ତା କରେ । ମୁଁ ଗଛ ଲଗାଇବାପାଇଁ ଓ ଏହାର ଯତ୍ନ ନେବା ପାଇଁ ମନେମନେ ଚିନ୍ତାକରେ । ଲୋକଙ୍କର ସେବା କରିବାକୁ ମୁଁ ଭଲପାଏ ଓ ମୁଁ ପଢିବାକୁ ବହୁତ ଭଲ ପାଏ ।

ଗାଁ ସମ୍ପର୍କରେ ଏତେସବୁ କଥା ଜାଣିବା ପରେ ଓ ଗାଁ ଉପରେ ଗବେଷଣା କରିବା ପରେ ମୁଁ ଗାଁ’କୁ ନେଇ ବାରମ୍ବାର ଚିନ୍ତା କରୁଛି ଓ ଆମ ଗାଁ’କୁ ନେଇ ବୁହତ ଖୁସି ଓ ଗର୍ବ ଅନୁଭବ କରୁଛି । ଗାଁ ଲୋକଙ୍କୁ କୌଣସି ପ୍ରକାର କଷ୍ଟ ନ ହେଉ, ଗାଁ ଲୋକ ଖୁସିରେ ରୁହନ୍ତୁ ବୋଲି ଭାବୁଛି । ସବୁ ଛାତ୍ରଛାତ୍ରୀ ଗାଁ’କୁ ଓ ଗାଁ’ର ଅତୀତର ଇତିହାସ, ସଂସ୍କୃତି ଓ ଖାଦ୍ୟ ପେୟକୁ ଭଲଭାବେ ଜାଣିବା ଜରୁରୀ ବୋଲି ଅନୁଭବ କରୁଛି ।

ଭବିଷ୍ୟତରେ ମୁଁ ଗାଁର ଉନ୍ନତି ପାଇଁ କାମ କରିବି ବୋଲି ନିଷ୍ପତ୍ତି ନେଇଛି । ଏବେଠାରୁ ଗାଁ’ର ପରିସ୍କାର ଓ ପରିଚ୍ଛନ୍ନତା ରକ୍ଷା କରିବାକୁ ଚାହିଁଛି ଓ ମୁଁ ମୋର ଗାଁ’ର ସବୁ କଷ୍ଟକୁ ଦୂର କରିବି ବୋଲି ଭାବିଛି ।

Share This Article
Exit mobile version