ଆମ ଗାଁ’ର ନାମ କ’ଣ? ଆମ ଗାଁ’ର ନାମ କାରଣ ଏପରି କାହିଁକି ହୋଇଛି ଜାଣିବାପାଇଁ ମୁଁ ଭେଟିଥିଲି ଆମ ଗାଁ’ର ଜଣେ ବୟସ୍କ ଇନ୍ଦମଣି ହଂସଙ୍କୁ । ତାଙ୍କର ବୟସ 82 ବର୍ଷ । ତାଙ୍କ ଠାରୁ ଗାଁ’ର ଇତିହାସ ପଚାରି ବୁଝିଲି । ଆମ ଗାଁ’ର ନାମ ହୀରା ପୁର । ଆମ ଗାଁ ମାଟିର ସବୁ ଆଡେ, ହୀରା ପରି ଗୋଟାଏ ପଦାର୍ଥ ଚିକ ଚିକ କରୁଥିବାରୁ, ପୂର୍ବ କାଳର ଗୌନ୍ତିଆ ଚକିତ ହୋଇ ଗୋଟିଏ କମ୍ପାନୀ ସାହାଯ୍ୟରେ ମାଟିକୁ ଖୋଲିଲେ । ଯେତେ ଗଭୀର ଖୋଳିଲେ ମଧ୍ୟ ସେଇ ପଦାର୍ଥ ବାହାରିଲା । ସେଇ ପଦାର୍ଥର ନାମ ଅନୁସାରେ ଆମ ଗାଁ’ର ନାମ ହୀରା ପୁର ରଖାଗଲା ।
ଆମ ଗାଁ ଦେଶ ସ୍ୱାଧୀନ ହେବାର ବହୁ ପୂର୍ବରୁ, (ରାଜା ଅମଳର ଗାଁ) ସ୍ଥାପନ ହୋଇଥିଲା । ଆଗକାଳର ଲୋକଙ୍କ କହିବା ଅନୁସାରେ, ପ୍ରଥମେ ଆମ ଗାଁ’ରେ କୁରମି ଓ ଖଇରା ସମ୍ପ୍ରଦାୟର ଲୋକେ ଗାଁ ସ୍ଥାପନ କରିଥିଲେ । ଆମ ଗାଁ’କୁ ପରେ ଗୌଡ଼, କୁଲୁତା, ମାଳି, ତେଲି, ବିଂଝାଳ, ସଅଁରା, ଭଣ୍ଡାରୀ, କନ୍ଧ, କୁଡା, ଗଣ୍ଡା, ଖଦରା ଆସି ବସତି ସ୍ଥାପନ କଲେ । ଆମ ଗାଁ’ର ଲୋକ ସଂଖ୍ୟା ହାରାହାରି 1320 ଅଛନ୍ତି । ଆମ ଗାଁ’ରେ ବର୍ତ୍ତମାନ 300ରୁ ଅଧିକ ଘର ଅଛି । ଆମ ଗାଁ’ରେ ପକ୍କା ଘର 95% ଓ ଚାଳ ଘର 5% ଅଛି । ଆମ ଗାଁ’ରେ କୁଲିତା, ଗୌଡ଼, ବରିହା, କୁଡା, କେଉଁଟ, କଲାର, ଗଣ୍ଡା(ହରିଜନ), ତେଲି, ମାଳି, ସଉଁରା, କନ୍ଧ, ଭଣ୍ଡାରୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଗାଁ’ରେ ବଢ଼େଇ, ରାଜମିସ୍ତ୍ରୀ, ଶିଳ୍ପକଳାର କାରିଗର ଆଦି ବିଭିନ୍ନ କଳାର ଲୋକ ଅଛନ୍ତି । ଗାଁ’ରେ ଖଗେଶ୍ୱର ସାହୁ କଳାକାର ଭାବରେ ପୁରସ୍କୃତ ହୋଇଛନ୍ତି। ଗାଁ’ରେ ଅତୀତରେ କେହି ସ୍ୱାଧୀନତା ସଂଗ୍ରାମ କିମ୍ବା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଭାଗ ନେଇନଥିଲେ ।
ଗାଁ’ର ପୁରୁଣା ଏବଂ ବୟସ୍କ ଲୋକଙ୍କ ନାମ ଗୋବିନ୍ଦ ଭୁଏ । ତାଙ୍କ ଠାରୁ ମୁଁ ଶୁଣିବାକୁ ପାଇଲି ଯେ, ଆଗକାଳରେ ଆମ ଗାଁ’ର ନିକଟରୁ ଘୋର ଜଙ୍ଗଲ ଥିଲା ଏବଂ ବହୁତ ଜୀବ ଜନ୍ତୁ ବାସ କରୁଥିଲେ । ବର୍ତ୍ତମାନ ସେ ଜଙ୍ଗଲ ଆଉ ନାହିଁ, କି ଜୀବ ଜନ୍ତୁ ଦେଖିବାକୁ ମିଳୁନି । ସେ କହୁଥିଲେ କି ଅନେକ ଜୀବଜନ୍ତୁ ଆମ ନିଜ ଆଖିରେ ଆମେ ଦେଖିଛୁ ଶୁଣିଛୁ ଯଥା; ବରାହ, ହରିଣ, ସମ୍ବର, ବାଘ, ଚିତା, ମୟୁର, ଭାଲୁ, ବିଲୁଆ ଇତ୍ୟାଦି । ସେହି ସମୟରେ ଅନେକ ଜୀବଜନ୍ତୁଙ୍କୁ ଶିକାର କରି ଆମେ ଖାଇଛୁ । ଆମ ଗାଁ’ରେ ଜଣେ ଶିକାରୀ ଥିଲେ, ତାଙ୍କ ସାହାଯ୍ୟରେ ଶିକାର କରିଛୁ । ତାଙ୍କ ନାମ-ଶ୍ୟାମ ସୁନ୍ଦର ଲୁହାର । ସେ କିନ୍ତୁ ଏବେ ନାହାନ୍ତି, ସେ ସମୟ ଆମ ଗାଁ ସାତ ବହନୀ ଦେବୀଙ୍କ ପର୍ବରେ ଅନେକ ଛେଳି ଓ କୁକୁଡ଼ା ବଳି ପଡୁଥିଲା । କିନ୍ତୁ ଏବେ ସେ ସବୁ ବଳି ପ୍ରଥା ଦିନକୁ ଦିନ କମି କମି ଆସିଲାଣି । ମା’ ସାତ ବହନୀଙ୍କୁ ସେତେବେଳେ ବହୁତ ବିଶ୍ୱାସ ଓ ଭରସା କରୁଥିଲେ । ଯିଏ ଯାହା ମାଗୁଥିଲା ତାହା ପୁରଣ ହେଉଥିଲା । ସେ ସମୟରେ ଲୋକେ ବହୁ ଦୁଃଖ କଷ୍ଟ ଯନ୍ତ୍ରଣା ସହି ବଞ୍ଚି ରହିଥିଲେ ଏବଂ ବହୁତ ସାହସି ଓ ଶକ୍ତିଶାଳୀ ମଧ୍ୟ ଥିଲେ । ଗାଁ ମାନଙ୍କୁ ଗୋରା ସିପାହୀ ଆସୁଥିଲେ । ଗୋରା ସିପାହୀଙ୍କ ଚାବୁକ ପ୍ରହାର ମଧ୍ୟ ଖାଇ, ବହୁତ ଅନ୍ୟାୟ, ଅତ୍ୟାଚାର ସହି ବଞ୍ଚିକି ରହୁଥିଲେ ।
ମୋ ମା’ ଜେଜେ ମା’ମାନେ ଗାଁ’କୁ ବିବାହ କରି ଆସିବା ବେଳେ ଗାଁ’ର ସ୍ଥିତି ଅଲଗା ଥିଲା । ସେମାନଙ୍କୁ ବହୁତ ଦୁରକୁ ପାଣି ଆଣିବାକୁ ଯିବାକୁ ପଡୁଥିଲା । ଧାନକୁ ସିଝାଇ ଢେଙ୍କିରେ କୁଟି ଚାଉଳ କରିବାକୁ ପଡୁଥିଲା । ବହୁତ ଦୁରକୁ ପନିପରିବା କିଣିବାକୁ ଯିବାକୁ ପଡୁଥିଲା । ଜାଳେଣି ପାଇଁ ଜଙ୍ଗଲରୁ କାଠ ଆଣିବାକୁ ପଡୁଥିଲା । ଦେହ ଖରାପ ହେଲେ ଦୂର ଗାଁ’ (ଡାକ୍ତର ଖାନାକୁ ) ଯିବାକୁ ପଡୁଥିଲା । ଅନ୍ୟ ଗାଁ’କୁ ପାଠ ପଢିବାକୁ ଯିବାକୁ ପଡୁଥିଲା । ଚୁଲିରେ ରୋଷେଇ କରିବାକୁ ପଡୁଥିଲା । ବର୍ତ୍ତମାନ ଘରକୁ ଘର ପାଣି ଆସୁଛି । ଗାଁ ଗହଳିରେ ପନିପରିବା ଆସୁଛି । ଗାଁ’ରେ ଘରୋଇ ଡାକ୍ତର ମଧ୍ୟ ରହିଲେଣି । ବର୍ତ୍ତମାନ ଗାଁ’ରେ ସ୍କୁଲ ହେଲାଣି । ଘରକୁ ଘର ରୋଷେଇ ପାଇଁ ଗ୍ୟାସର ସୁବିଧା ହେଲାଣି । ଆଉ କାଠ ପାଇଁ ଜଙ୍ଗଲକୁ ଯିବାକୁ ପଡୁନି ।
ଆମ ଗାଁ’ରେ ପର୍ବ ପର୍ବାଣୀ, ଧର୍ମଧାରଣା ଓ ଖାଦ୍ୟପେୟ:
ଗାଁ’ରେ ସାତବହନୀ, ବନଗୁସିଏନ, ଠାକୁର ବୁଢା, ଗ୍ରାମ ଦେବୀ ପୂଜା ସ୍ଥଳି ଅଛି । ଗାଁ’ରେ କରମସାନି, ନୂଆଁଖାଇ, ହରାଲି, ଦଶମୀ ଦଶହରା, ପୌଷ ପୂର୍ଣ୍ଣିମା, ରଥ ଯାତ୍ରା ପାଳନ କରାଯାଏ । ପୂର୍ବରୁ ଆମ ଗାଁ’ରେ ବାଲ୍ୟ ଵିଵାହ, ବଳି ପ୍ରଥା, ପଶୁ ବଳି, ଜାତି ପ୍ରଥା ଆଦି ଥିଲା । ଗାଁ’ରେ ଲୋକମାନେ ଧର୍ମପୀଠ ବ୍ୟତୀତ ବରଗଛ, ପିପଲ ଗଛ, ତୁଳସୀ ଗଛ, ଧର୍ମୀଦେବତା, ଅଁଳା ଗଛ, ବେଲ ଗଛକୁ ପୂଜା କରନ୍ତି । ଶିବରାତ୍ରୀ, ଗଣେଶ ପୂଜା, ଲକ୍ଷ୍ମୀ ପୂଜା, ସରସ୍ୱତୀ ପୂଜା, ଏକୋଇଶିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆମ ଗାଁ’ରେ ଗୋଟିଏ କୀର୍ତ୍ତନ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ସମୟରେ ମହିଳା ଓ ପୁରୁଷମାନେ ନୂଆ ପୋଷାକ ପରିଧାନ କରନ୍ତି । ଗାଁ’ରେ ପର୍ବପର୍ବାଣିରେ ଜାଉ ପିଠା ରନ୍ଧା ହୁଏ । ନୁଆଁଖାଇରେ ଜାଉ କାକରା ପିଠା, ଭାତ, ଗୋଟା ମୁଗ ଡାଲି, କୁଣ୍ଡା ଚରା ଆଦି ରନ୍ଧା ହୁଏ । ଲକ୍ଷ୍ମୀ ପୂଜାରେ-ମାର୍ଗଶିର ଗୁରୁବାରରେ ଚାରୋଟି ଗୁରୁବାର ଦିନ ଚାରି ପ୍ରକାରର ଖାଦ୍ୟ ତିଆରି ହୁଏ । ପ୍ରଥମ ଗୁରୁବାରରେ-ଭାତ, ଡାଲି, ଖିରି, ପୁରୀ ରନ୍ଧାଯାଏ । ଦ୍ଵିତୀୟ ଗୁରୁବାରରେ-ଭାତ, ଡାଲି ବ୍ୟତୀତ ମହନ ଭୋଗ ତିଆରି ହୁଏ । ତୃତୀୟ ଗୁରୁବାରରେ-ଭାତ, ଡାଲି ସହିତ ଖିରି ସେରନି ତିଆରି ହୁଏ । ଚତୁର୍ଥ ଗୁରୁବାରରେ-ଭାତ, ଡାଲି, କାକର ପିଠା, ମଣ୍ଡା ପିଠା ତିଆରି କରାଯାଏ । ପୌଷପୂର୍ଣ୍ଣିମା ଦିନ-ଭାତ, ଡାଲି, ତରକାରୀ, ମାଛ, ମାଂସ, କାକରା ପିଠା, ମଣ୍ଡା ପିଠା, ଆରିସା ପିଠା, ଆଳୁ ବରା, ମୁଗ ବରା, ବିରି ବରା, ନଳି, ପାମ୍ପଡ଼ ଇତ୍ୟାଦି ବହୁତ ପ୍ରକାରର ଖାଦ୍ୟ ତିଆରି ହୁଏ । ଦଶହରା ପର୍ବରେ-ଭାତ, ଡାଲି, ତରକାରୀ, ଜାଉ, କାକରା ପିଠା, ଲିଆ, ଟିଖିରା ତିଆରି ହୁଏ । କରମ ସାନି-ଲିଆରେ ତିଆରି ଜୁଗାର, ଲିଆରେ ତିଆରି ଲଡୁ, ଟିଖିରୀ ତିଆରି କରାଯାଏ । ଶିବରାତ୍ରୀରେ-ଲିଆରେ ତିଆରି ଜୁଗାର ଲଡୁ, ଟିଖିରୀ, ଚଣା, ଲଡୁ, ଗଜା ମୁଗ ତିଆରି କରାଯାଏ । ପୂର୍ବରୁ ପର୍ବପର୍ବାଣୀରେ ଚାଉଳକୁ ଢେଙ୍କିରେ କୁଟି ଚୁନା କରି କାକର ପିଠା ଚଟୁରେ ସେକି କରି ତିଆରି କରୁଥିଲେ । ଏବେ ଚାଉଳକୁ ମେସିନରେ ଚୁନା କରି ତିଆରି କାକରା ପିଠାକୁ ତେଲରେ ଛାଣି କରି ତିଆରି କରୁଛନ୍ତି । ନୂଆ ଧାନକୁ ହାଣ୍ଡିରେ ଭାଜି କରି ଢେଙ୍କିରେ କୁଟି ଚୁନା କରି ନୂଆ ଚରା ତିଆରି କରୁଥିଲେ । ଏବେ ନୂଆ ଧାନକୁ କଢ଼େଇରେ ମଧ୍ୟ ଭାଜି ମେସିନରେ ଚୁନା କରି ନୂଆ ଚରା ତିଆରି କରୁଛନ୍ତି । ଚୁଲିରେ ନିଆଁ ଜାଳି ବିଭିନ୍ନ ପ୍ରକାର ଦେବତାଙ୍କ ପାଇଁ ଜାଉ ପିଠା, ତିଆରି କରୁଥିଲେ । ଖଲି ସବୁ ଜାତି ମାନେ ଅଲଗା ଅଲଗା ପତ୍ରରେ ଚଟା ତିଆରି କରି ସେଥିରେ ନୂଆ ଖାଉଥିଲେ ଯଥା-ଗୌଡ଼ ଜାତି-କୁରେ ପତ୍ରର ଚଟା(ଖଲି)ରେ, କୁଲୁତା-ମହୁଲ ପତ୍ରରେ, ବିଂଝାଲ-ରେଙ୍ଗାଳ ପତ୍ରରେ, କୁଡା ମାନେ-ଭେଲୁଆଂ ପତ୍ରରେ ନୂଆ ଖାଆନ୍ତି । ଏବେ ମା’ମାନେ ଗ୍ୟାସରେ ନିଆଁ ଜାଳୁଛନ୍ତି ।
ଆମେ ପ୍ରତିଦିନ ଘରେ ସକାଳେ – ଚାଉଳର ଚକୁଳି ପିଠା, ମଧ୍ୟାହ୍ନ -ଭାତ, ଡାଲି, ତରକାରୀ, ସନ୍ଧ୍ୟାରେ -ମୁଢି, ବିସ୍କୁଟ, ରାତି -ଭାତ, ଡାଲି, ଯେକୌଣସି ଭଜା ପନିପରିବା ଆଦି ଖାଉଛୁ । ବାପା, ମା’, ଜେଜେ, ଜେଜେମା, ଅଜା, ଆଈ, ଦାଦା, ନାନା ତାଙ୍କ ପିଲାବେଳେ ସେମାନେ-ବାସି ଭାତ, ଡାଲି, ଲିଆ, ମୁଢି ଖାଉଥିଲେ । ପିଲାମାନଙ୍କୁ ମ୍ୟାଗି, ପିଜା, ବର୍ଗର, ପାନିପୁରୀ, ଚାଓମିନ, ପାସ୍ଥା, କେକ, ଚକଲେଟ, ଆଇସକ୍ରିମ ଇତ୍ୟାଦି ଖାଇବାକୁ ଭଲଲାଗେ । ଆଗ କାଳରେ ଲୋକେ ପ୍ରତ୍ୟେକ ଜିନିଷକୁ ସିଝାଇ ବା ପୋଡିକି ଖାଉଥିଲେ । ଏବେ ତେଲରେ ଛାଣିକି ଖାଉଛନ୍ତି । ଆଗ କାଳର ଲୋକେ କୁଦୋ ଚାଉଳର ଭାତ ଖାଇଥିଲେ । ଗୁଞ୍ଜି କୁ ପିଠା କରି ଖାଉଥିଲେ । ମାଣ୍ଡିଆକୁ ଖିରି ଓ ଆଖୁ ଚାଷ କରି ଆଖୁ କରି ଖାଉଥିଲେ । ଏବେ ଏସବୁ ଆଉ ଖାଉ ନାହାଁନ୍ତି । ଆମେ ଆଗକାଳରେ କୋଳଥ, ମାଣ୍ଡିଆ, ଗୁଞ୍ଜି, କୋଦ, ମହୁଲ ଭଜା, ଟୋଲ, ଲିମ୍ବ ଫୁଲ ଆଗରୁ ଖାଉଥିଲୁ । ଏବେ ଖାଉନାହୁଁ । ପୂର୍ବରୁ ଆମ ମା’ ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି କରୁଥିଲେ ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ଚାଉଳକୁ ଢେଙ୍କିରେ କୁଟି ଚୁନା କରି କାକରା ପିଠା ଚଟୁରେ ସେକି କରି ତିଆରି କରୁଥିଲେ । ନୂଆ ଧାନକୁ ହାଣ୍ଡିରେ ଭାଜି କରି ଢେଙ୍କିରେ କୁଟି ଚୁନା କରି ନୂଆ ଚରା ତିଆରି କରୁଥିଲେ । ଚାଉଳର ପୋଡ଼ ପିଠା-ପ୍ରଥମେ ଅରୁଆ ଚାଉଳକୁ ପାଣିରେ ବତୁରାଇ କରି ଶିଳ କିମ୍ବା ଢେଙ୍କିରେ ବାଟି/କୁଟି ତାକୁ ଗୋଟିଏ ଡାଳିଆରେ ରଖିବା । ସିଝିବା ଭଳି ପାଣି ଦେଇ ତା ସହିତ ସେଥିରେ ନଡ଼ିଆ, ଗୁଡ଼, ବାଦାମ, କାଜୁ ଆଦି ସେଥିରେ ପକାଇ ପାତିଆରେ ତାକୁ ଘାଣ୍ଟିବା ନିଆଁ ଉପରେ ବସେଇ ତାକୁ ଟାଣ ହେବା ପର୍ଯ୍ୟନ୍ତ ଘାଣ୍ଟିବା । ଟାଣ ହେବା ପରେ ନିଆଁକୁ କମ କରି ଦେବା । ସେହି ଚାଉଳ ଘାଣ୍ଟକୁ ତା’ଉପରେ ପତ୍ରରେ ଦେଇ ଅଙ୍ଗାର ଲଦିବା ପରେ ଦୁଇ ଘଣ୍ଟା ତାକୁ ରଖିବା ତା’ପରେ ପୋଡ଼ ପିଠା ହେବ । ଆଜି କାଲିର ଝିଅ, ବୋହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିନାହାନ୍ତି । ଆରିସା, କାକରା, ମଣ୍ଡା ପିଠା, ଜାଉ, ନୂଆ ଚରା, ଜୁଗାର, ଟିଖିରୀ, ପୋଡ଼ ପିଠା, ଟୋଲ ଭଜା, କରଡ଼ି ତରକାରୀ, ବହଳ ଶାଗ, ମାଣ୍ଡିଆ ପିଠା, କୁଦୋ ଭାତ, କଲୋମି ଭାଜି, ଗହମ ଖିରି ଇତ୍ୟାଦି ।
ଗାଁ’ର ସ୍ୱାସ୍ଥ୍ୟ ଅବସ୍ଥା:
ଆମ ଗାଁ’ର ଲୋକମାନଙ୍କଠାରେ ବାତ, ଅମ୍ଳ, ରକ୍ତଚାପ, ସୁଗାର, ମେଲେରିଆ, ଜ୍ୱର, ଥଣ୍ଡା ଏସବୁ ରୋଗ ଅଧିକ ମାତ୍ରାରେ ଦେଖାଯାଏ। ଗାଁ’ର ଲୋକମାନେ ଅସୁସ୍ଥ ହେଲେ ଡାକ୍ତର ଖାନା ଯାଇଥାନ୍ତି । ଆମ ଗାଁ’ରେ ଜଳବାହିତ ରୋଗ ଖୁଜୁରୀ, ଯାଦୁ, କାଛୁକୁଣ୍ଡିଆ ଦେଖାଯାଏ। ଏହାଛଡ଼ା ବେରୀବେରି, ଶିକିଲିଙ୍ଗି, ରକ୍ତହୀନତା ରୋଗ ଆଉ ଥକା ଲାଗିବା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲେଇବା, ଧଇଁ ସଇଁ ଲାଗିବା ଆଦି ରୋଗ ଗାଁ’ରେ ଦେଖାଯାଏ । ସେମିତି ଭିଟାମିନ ଅଭାବ ଜନିତ ରୋଗ କଳ ଖିଆ, ତୁଣ୍ଡଘା, ପୋଲିଓ, ଅନ୍ଧାରକଣା ଆଦି ରୋଗରେ ଆମ ଗାଁ ଲୋକେ ପଡନ୍ତି । ଆମ ଗାଁରେ ପୂର୍ବକାଳରେ ରୋଗ ଭିତରେ ମାରାସମସ, କ୍ଵାସିଓରକର ରୋଗ ଦେଖାଯାଏ । (1)ମାରାସମସ-ଗୋଡ଼ ଓ ହାତ ସରୁ ହୋଇଯାଏ । ଉଚ୍ଚତା ବଢିପାରେ ନାହିଁ । (2)କ୍ଵାସିଓରକର-ଗୋଡ଼, ହାତ ଓ ମୁହଁ ଫୁଲିଯାଏ , ଚର୍ମ ଶୁଖିଲା ଦେଖାଯାଏ । ଗାଁ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ନାହିଁ । ଆମ ଗାଁ;ଠାରୁ ସ୍ୱାସ୍ଥ୍ୟସେବା କେନ୍ଦ୍ରଟି 6 କି.ମି ଦୂରରେ ଅଛି । ଗାଁ’ରେ 95%ଲୋକ ଦେହ ଖରାପ ହେଲେ ଡାକ୍ତର ଖାନାକୁ ଯାଆନ୍ତି । ପ୍ରସୂତି ପାଇଁ 100% ଲୋକ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁ ବାହ୍ୟ ପରିମଳ ମୁକ୍ତ ଅକ୍ଟବେର 2 ତାରିଖ ଗାନ୍ଧି ଜୟନ୍ତୀ ଠାରୁ ହୋଇଛି । ପୂର୍ବ କାଳରେ ଆମ ଗାଁ’ରେ କୁଷ୍ଠ ରୋଗ, ହାଡ଼ ଫୁଟି, ମେଲେରିଆ, ଟାଇଫଏଡ, ଡାଇରିଆ, ମହାମାରୀ ରୋଗ ଆଗରୁ ଅଧିକ ମାତ୍ରାରେ ଦେଖାଯାଉଥିଲା । ଏବେ ଆଉ ଦେଖାଯାଉନାହିଁ ।
ଆମ ଗାଁ ପରିସ୍କାର ପରିଚ୍ଛନ୍ନ ରହେ । ପ୍ରତ୍ୟେକ ଘରର ମା’ମାନେ ନିଜ ଆଖ ପାଖ ପରିବେଶକୁ ସଫା ସୁତୁରା କରନ୍ତି । ଏବଂ S.H.G ସଭ୍ୟା ମାନେ ସପ୍ତାହକୁ ଥରଟିଏ ଗାଧୋଇ ଯାଉଥିବା ରାସ୍ତା ନଳକୂପ କରନ୍ତି । ଏବଂ ଆମ ଗାଁ’କୁ ଯେଉଁ ଗାଁ କଲ୍ୟାଣ ସମିତି ବର୍ଷକୁ ଦଶ ହଜାର ଟଙ୍କା ଆସିଥାଏ । ସେହି ପଇସାରେ ମଜୁରୀ ଲଗାଇ ଗାଁ’ର ନାଳ ନର୍ଦ୍ଧମା, ରାସ୍ତା ଘାଟ ସଫା କରାଯାଏ । ପରିବେଶକୁ ସଫା ରଖନ୍ତି । ନାଳ ନର୍ଦ୍ଧମା ସଫା ରଖନ୍ତି । ଶୋଇଲାବେଳେ ମଶାରୀ ବ୍ୟବହାର କରନ୍ତି । ମଶା ମାରିବା ପାଇଁ କୀଟନାଶକ ଔଷଧ ବ୍ୟବହାର କରନ୍ତି । ଘରେ ଘରେ ଡି.ଡି.ଟି ମାରନ୍ତି । ଘରେ ପଡିଥିବା ନଡ଼ିଆ କାଚି, ଭଙ୍ଗା ମାଟି ପାତ୍ର, ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରେ ପାଣି ଜମା ହେବାକୁ ଦିଅନ୍ତି ନାହିଁ, କାହିଁକି ନା ମଶା ମାଛି ବଂଶ ବିସ୍ତାର କରନ୍ତି । ପୋଲିଓ ଟୀକା ଦିଆଯାଏ । O.P.V ଟୀକା -ପୋଲିଓ ନହେବା ପାଇଁ ଦିଆଯାଏ । ଏହା ପାଞ୍ଚ ବର୍ଷ ମଧ୍ୟରେ ଦିଆଯାଏ । Penta vaccine ପାଞ୍ଚଟି ରୋଗ ନହେବା ପାଇଁ ଦିଆଯାଇଥାଏ । ଗର୍ଭାବସ୍ଥାରେ ଦୁଇଟି T.D vaccine ଦିଆଯାଏ, ଶିଶୁ ଜନ୍ମ ହେବା ପରେ ପୋଲିଓ ଦିଆଯାଏ । ପ୍ରତ୍ୟେକ ମାସର ଦ୍ୱିତୀୟ ବୁଧବାର ଦିନ ଆମ ଗାଁ’ରେ ଟୀକା ଦିଆଯାଏ । ଆଜିକାଲି ସୁଗାର, ଜଣ୍ଡିସ, ଅମ୍ଳ, ୟୁରିନ ଇନଫେକ୍ସନ, ଆଖି ରୋଗ, ଦାନ୍ତ ଦରଜ, କୀଡୀନି ରୋଗ, କର୍କଟ ରୋଗ, ଏଡସ, କରୋନା ଆଦି ରୋଗରେ ଗାଁ’ ଲୋକେ ଆକ୍ରାନ୍ତ ହେଉଛନ୍ତି ।
ଚାଷବାସ:
ଆମ ଗାଁ’ରେ ଧାନ, ମୁଗ, ବିରି, ରାଶି, କପା, ବାଦାମ ଇତ୍ୟାଦି ଚାଷ କରାଯାଏ । ଧାନ ଚାଷ ଅଧିକ ମାତ୍ରାରେ କରାଯାଏ । ଆମ ଗାଁ’ରେ ପୂର୍ବରୁ ଲୋକମାନଙ୍କର ଖାଦ୍ୟ ଥିଲା- କୁଦୋ, ଗୁଞ୍ଜି ଆଉ ଭାତ । ଗାଁ’ରେ 600 ଏକର ଜମି ଅଛି । 75% ଜମି ଚାଷପାଇଁ ଉପଯୋଗୀ ଓ 25%ଜମି ଅନୁପଯୋଗୀ । ଗାଁ’ରେ 85% ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଚାଷ ବ୍ୟତୀତ ଲୋକମାନେ ଭଣ୍ଡାରୀ କାମ, ମିସ୍ତ୍ରୀ କାମ, ମେକାନିକ, ଶିଳ୍ପ କଳା, ବ୍ୟବସାୟ ବୃତ୍ତିରେ ଜୀବିକାରେ ନିୟୋଜିତ ଅଛନ୍ତି । ଲୋକମାନେ ବିହନକୁ ବସ୍ତାରେ ସାଇତି ରଖୁଛନ୍ତି । ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ଅଛି । ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି । ଗାଁ’ରେ 50% ଚାଷୀ ଜଳସେଚନର ବ୍ୟବସ୍ଥାରେ ଉପକୃତ ହେଉଛନ୍ତି । ଗାଁ’ରେ ରବି ଫସଲ ଓ ଖରିପ ଫସଲ ଚାଷ କରାଯାଏ । ଖରିଫରେ-ମୁଗ, ଧାନ, ହରଡ଼, ଚିନାବାଦାମ, କପା ଚାଷ, ବିରି, ଏବଂ ବିଭିନ୍ନ ପ୍ରକାରର ପନିପରିବା ଯଥା-ମାଖନ, ଟୁଲେର, କଖାରୁ, ସେମି, ଟମାଟୋ, ବାଇଗଣ, କଲରା, ଜହ୍ନି, ଲାଉ, ଇତ୍ୟାଦି । ରବି ଫସଲରେ-ମୁଗ, ଧାନ, ସୂର୍ଯ୍ୟମୁଖୀ, ତରଭୁଜ, ଆଖୁ ଚାଷ କରାଯାଏ ।
ଇନ୍ଦ୍ରମଣି ହଂସ , ବୟସ 82 ସେ ମୋତେ ଚାଷ ପଦ୍ଧତି ବିଷୟରେ ସାକ୍ଷାତକାର ଦେଇ କହିଲେ ଯେ, ଧାନ ଚାଷ କରିବାପାଇଁ ଜମିକୁ ପ୍ରଥମେ ଲଙ୍ଗଳରେ ଜୋତା ଯାଏ । ଲଟା ମରିବା ପର୍ଯ୍ୟନ୍ତ ମାଟି ଉର୍ବର ହେବା ପର୍ଯ୍ୟନ୍ତ ତିନି ଥର ଜୋତା ଯାଏ । ତା’ପରେ ବର୍ଷା ଜଳକୁ ଅପେକ୍ଷା କରାଯାଏ । ବର୍ଷା ହେଲେ ଧାନକୁ ପଲ୍ଲା ପକାଯାଏ । ଧାନ ପଲ୍ଲା ହେଲା ପରେ ଜମିକୁ ଲଙ୍ଗଳରେ କାଦୁଅ କରାଯାଏ । ତା’ପରେ ଧାନ ପଲ୍ଲାକୁ ଆଣି ଧାନ ରୁଆ ଯାଏ ।
ଆମ ଗାଁ’ରେ ବର୍ଷକରେ ଦୁଇ ଥର ଚାଷ ହୁଏ ଯଥା-ରବି ଫସଲ-ମୁଗ, ଧାନ, ସୂର୍ଯ୍ୟମୁଖୀ, ତରଭୁଜ, ଆଖୁ ଆଦି । ଖରିଫ ଫସଲ-ଧାନ, ମୁଗ, ହରଡ, ଚିନାବାଦାମ, କପା ଆଦି । ଗାଁ’ରେ କେତେ ଲୋକ କାମ ନପାଇ ବାହାରକୁ ଚାଲିଯାଇଛନ୍ତି । ଗାଁ ଛାଡି ତାମିଲନାଡୁ, ଅଯୋଧ୍ୟା, ଗୁଜୁରାଟ, ତେଲେଙ୍ଗାନା, ଚେନ୍ନାଇ, କର୍ଣ୍ଣାଟକ, ହରିୟାଣା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, କେରଳ, ଯାଇଛନ୍ତି ଓ ସେଠି କିଏ ସୁତା କାମ କରୁଛି, କିଏ ସିଲେଇ କାମ କରୁଛି, ତ କିଏ ଇଟା ଗଢି ଯାଉଛି । ଅନେକ ପ୍ରକାରର କାମ କରୁଛନ୍ତି । ଏହାଦ୍ୱାରା ଚାଷ କ୍ଷେତ୍ରରେ ଚାଷୀ ମାନଙ୍କୁ ମଜୁରିଆର ଅଭାବ ରହୁଛି । ଆମ ଗାଁ’ରେ ପୁଷ୍ଟିଶସ୍ୟ ଚାଷ ହେଉଛି । ଆମ ଗାଁ’ରେ ଚିନାବାଦାମ, ଡାଲି, ଶାଗ, ମକା, ପନିପରିବା, ଧାନ, କପା, ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି । ପୂର୍ବରୁ ଆମ ଗାଁ’ରେ ରକଶି, ରାଶି, କୋଳଥ, କୋଦ, ମାଣ୍ଡିଆ, ଗୁଞ୍ଜିଚାଷ ହେଉଥିଲା କିନ୍ତୁ ଏବେ ହେଉନାହିଁ । ଆମ ଗାଁ’ର ଲୋକ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ଖାଉଛନ୍ତି । ଗାଁ’ରେ ପ୍ରାୟ ସମସ୍ତ ଲୋକ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ଖାଉଛନ୍ତି । କେତେକ ଲୋକ ନିଜେ ଚାଷ କରୁଛନ୍ତି । ଆଉ କେତେ ଲୋକ ବଜାରରୁ କିଣୁଛନ୍ତି । ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟରୁ ଶରୀର ପାଇଁ ଉପଯୁକ୍ତ ପୁଷ୍ଟିକ ମିଲେ । ଯାହା ରୋଗ ପ୍ରତିଷେଧକ ପାଇଁ ସାହାର୍ଯ୍ୟ କରେ ।
ପୁଷ୍ଟିଶସ୍ୟକୁ ଅମଳ କରିବା ସମୟରେ ଏହାକୁ ପ୍ରଥମେ ଲଟା ମାରିବା ପାଇଁ ଗ୍ରୀଷ୍ମ ମାସରେ ଜମିକୁ ଜୋତା ଯାଏ । ଧାନ ମଞ୍ଜିକୁ ଶୁଖେଇ କରି ରଖିଥିଲେ ଚାଷରେ ପାଣି ବର୍ଷା ହେଲେ ଜମିରେ ହଳକରି ଧାନ ବୁଣିଥାଉ । ଧାନକୁ ଦୀର୍ଘ ଦିନ ରଖିବା ପାଇଁ ଆମେ ପ୍ରଥମେ ପୁଅଁଳ ରସିରେ ତାକୁ ବେଣ୍ଟ ବଣାଇ ତାକୁ ଗୁଡ଼ାଇ ତା ଭିତରେ ଧାନକୁ ରଖିଥାଉ । ଜମିରେ ଧାନ ଗୁଡିକ ପହ୍ଳା ପକାଯାଏ । ପାଣି ବରଷିଲେ ଜମିକୁ ହଳ କରାଯାଏ । ପହ୍ଳା ପକାଯାଇଥିବା ଧାନକୁ ସେହି ହଳ କରିଥିବା ଜମିରେ ପକାଉ । ଧାନ ବୁଣି ଥିବା ଜମିକୁ ଧାନ ଟିକେ ଟିକେ ବଡ଼ ହେଲେ ବିହିଡା ଯାଏ । ତା’ପରେ ଲଗା ବଛାଯାଏ । ତା’ପରେ ଧାନ ହେଲେ ତାକୁ ମେସିନରେ କାଟୁ । ପୁଷ୍ଟିଶଷ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ଚାଷୀ ମାନଙ୍କୁ କାଳିଆ ଯୋଜନା, ପ୍ରଧାନ ମନ୍ତ୍ରୀ କିଶାନ ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନା, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା । 1-କୃଷି, 2-ପ୍ରାଣୀ ପାଳନ, 3-ମତ୍ସ୍ୟ ଚାଷ, 4-ଉଦ୍ୟାନ କୃଷି, 5-ଅନ୍ତ ବିଭାଗୀୟ ଏ ସବୁ ଯୋଜନା ବିଷୟରେ ଗାଁ ଲୋକମାନେ ଜାଣିଛନ୍ତି ।
ଗାଁ’ର ପରିବେଶ:
ଗାଁ ପରିବେଶ କହିଲେ ଆମ ଗାଁ ଚାରି ପାର୍ଶ୍ୱରେ ଯାହା ଦେଖାଯାଉଛି । ଗାଁ’ରେ ଅତୀତରେ ଅନୁଭବ ହେଉଥିବା ଋତୁ ଗୁଡିକ ହେଲା ବର୍ଷା ଋତୁ, ଶୀତ ଋତୁ, ହେମନ୍ତ ଋତୁ, ବସନ୍ତ ଋତୁ, ଶରତ ଋତୁ, ଗ୍ରୀଷ୍ମ ଋତୁ । ଗାଁ’ରେ ଏବେ ବର୍ଷା ଋତୁ ଅନୁଭବ ହେଉଛି ତା’ସାଙ୍ଗକୁ ଶୀତ ଋତୁ, ବସନ୍ତ ଋତୁ, ଗ୍ରୀଷ୍ମ ଋତୁ ଥାଏ । ଆଗରୁ ଗାଁ’ରେ ଗାଈ, ମେଣ୍ଢା, ଛେଳି ଓ କୁକୁଡ଼ା , ପାରା, ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ, ମେଣ୍ଢା, ଛେଳି, ପାରା, ଶୁଆ, କୁକୁଡ଼ା ସବୁ ପଶୁ ପକ୍ଷୀ ଅଛନ୍ତି । ଗାଁ ପୂର୍ବରେ ମାଟି ଘର ଥିଲା, ଚାଳ ଛପର ଘର ଥିଲା । କୂପ ଓ ନଦୀରୁ ପାଣି ଆଣି ବ୍ୟବହାର କରୁଥିଲେ । କମ ଲୋକ ବସବାସ କରୁଥିଲେ । ବିଦ୍ୟାଳୟ ମଧ୍ୟ ମାଟି ଓ ଖପର ଘର ଥିଲା । ସେ ସମୟରେ ଗାଡି ମଟର ନଥିଲା । ଶଗଡ଼ ଗାଡି ଓ ସାଇକେଲରେ ଯିବା ଆସିବା କରୁଥିଲେ । କିନ୍ତୁ ଏବେ ସମସ୍ତଙ୍କର ଘର ହୋଇଗଲାଣି ଓ ଲୋକ ସଂଖ୍ୟା ଅଧିକ ହୋଇଗଲାଣି । ରାସ୍ତା ଘାଟ ଭଲ ହୋଇଗଲାଣି । ଆଗ ଆମ ଗାଁ ପାଖରୁ ଜଙ୍ଗଲ ଥିଲା ଏବେ କିନ୍ତୁ ଆଉ ନାହିଁ । ସବୁ ଜଙ୍ଗଲ ନଷ୍ଟ ହୋଇଗଲାଣି । ସମସ୍ତ ଘର ସାମ୍ନାରେ ବଡ଼ ବଡ଼ ପିଣ୍ଡା ଥିଲା ଲୋକେ ବିଲରୁ ଫେରିଲେ ବସା ଉଠା କରୁଥିଲେ । ବିଭିନ୍ନ ପ୍ରକାରର ଖେଳ ଖେଳୁଥିଲେ । ଆଗ କାଳରେ ରାସ୍ତାକୁ ସପ୍ତାହଟି ଥରଟିଏ ଗାଁ ଘସିଆ ସଫା କରୁଥିଲା । ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ 35% ଚାରଣ ଭୂମି ଥିଲା ଏବଂ କିନ୍ତୁ ଏବେ 30% ଅଛି । କାରଣ ଏବେ ଚାରଣ ଭୂମି ଲୋକମାନେ ଚାଷ କରୁଛନ୍ତି । ଏଥିପାଇଁ ଚାରଣ ଭୂମି କମ ହୋଇଗଲାଣି । ଚାଷୀମାନେ ଚାରଣ ଭୂମିରେ ଚାଷ କରି ପେଟ ପୋଷୁଛନ୍ତି ।
ହାଟ /ବଜାର:
ଆମ ଗାଁ’/ପଞ୍ଚାୟତରେ ହାଟ ବଜାର ଅଛି । ଏହି ହାଟ ସପ୍ତାହକୁ ଗୋଟିଏ ଥର ଓ ମଙ୍ଗଳ ବାର ଦିନ ହାଟ ବସେ । ଆମ ଗାଁ’ରୁ କପଡା, ଚପଲ, ପନିପରିବା, ମସଲା, ହଳଦୀ, ଲଙ୍କା, ଆଳୁ, ପିଆଜ ଓ ରସୁଣ ବିକ୍ରୟ ପାଇଁ ଯାଏ । ଗାଁ’ ଲୋକେ ହାଟ/ବଜାରରୁ କପଡା, ଚପଲ, ପନିପରିବା, ମସଲା, ହଳଦୀ, ଲଙ୍କା, ଆଳୁ, ପିଆଜ, ରସୁଣ, ଚୁନା ମାଛ, ଚିଙ୍ଗୁଡ଼ି, ଡାଲି, ମୁଗ ଓ ଚିନାବାଦାମ କିଣନ୍ତି । ଆମ ଗାଁ’ରେ ଛୋଟ ବେପାରୀ/ବ୍ୟବସାୟୀ ଅଛନ୍ତି । ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା 7 ଜଣ । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ବିକ୍ରି କରାଯାଉଥିବା ଲାଭବାନ ଦ୍ରବ୍ୟ ଗୁଡିକ ହେଲା -ମାଛ, ମହୁଲ, ଚାର, ଝାଡୁ, ପଟି, ହରିଡ଼ା, ପିଜୁଳି, ଆମ୍ବ, ପନିପରିବା, ବହିପତ୍ର, ଜଳଖିଆ ଇତ୍ୟାଦି । ଗାଁ ଲୋକଙ୍କୁ ଗ୍ୟାସ, ଅଳଙ୍କାର, କୀଟନାଶକ ଔଷଧ ମଞ୍ଜି, ସାର, ବାସନ କୁସନ କିଣିବା ପାଇଁ ଗାଁ ଲୋକଙ୍କୁ ଦୁରକୁ ଯିବାକୁ ପଡେ । ଆମ ଗାଁ ହାଟ/ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ ବିଭିନ୍ନ ପ୍ରକାର ମୂର୍ତ୍ତି ଯଥା-ଗଣେଶ, ସରସ୍ବତୀ ଇତ୍ୟାଦି ଏବଂ ନିଜ ହାତ ତିଆରି ଝାଡୁ ବିକ୍ରି ହୁଏ । ଆମ ହାଟରେ ମୁଗ, ବିରି, ପନିପରିବା, କୋଳଥ, ମାଣ୍ଡିଆ ଇତ୍ୟାଦି ମିଳେ । ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଦ୍ରବ୍ୟର ନାମ ହେଲା -ହରିଡ଼ା, ଅଁଳା, କୁସମ, ଚାର, ବାଉଁଶର କରଡ଼ି ଇତ୍ୟାଦି । ଆମ ଗାଁ ହାଟ/ବଜାରକୁ ବାହାରୁ ବେପାରୀ ଆସି କିଣାବିକା କରନ୍ତି । ଏମାନେ ମାଠିଆ, ପାତୁଲ, ବାସନ କୁସନ, ଝାଡୁ, କାଠି, ରେଙ୍ଗାଳ ପତ୍ର, ଦନା, ଖଲି ଇତ୍ୟାଦି କିଣନ୍ତି । ଗାଁ’ର କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ଠାରୁ ଉଧାରୀ ଆଣିପାରିବା । ବାହାରୁ ଆସୁଥିବା ବେପାରୀ ମାନଙ୍କୁ ନଗଦ ପଇସା ଦେବାକୁ ପଡିବ, କ୍ଷୁଦ୍ର ଚାଷୀମାନେ କରିଥାନ୍ତି । ସେମାନଙ୍କ ଅପେକ୍ଷା ତାଙ୍କ ସାମଗ୍ରୀ ସବୁ ଠିକ ଅଛି ସେମାନେ କମ ମୂଲ୍ୟରେ ଦେବେ । ଏବଂ ନିଜ ଘରେ ଚାଷ କଲା ପନିପରିବା, ଭିଟାମିନ ଯୁକ୍ତ ଖାଦ୍ୟ ଏବଂ ବାହାରୁ ଆସୁଥିବା ପନିପରିବା ସବୁ ସାର ଦିଆ ଖାଦ୍ୟ ନିଜ ଗାଁ ବ୍ୟବସାୟୀ ଠାରୁ ଯଦି କିଣିବେ ଧାର ମଧ୍ୟ ନେଇପାରିବେ, ଯଦି ପୋଷାକ ହୋଇଥିବ ଯଦି ପସନ୍ଦ ହେବ ନାହିଁ ଫେରାଇ ମଧ୍ୟ ପାରିବେ । କପଡା ବ୍ୟବସାୟୀମାନେ କୁହନ୍ତି ।
ସମସ୍ୟା :
ଆମ ଗାଁ’ରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀ ଯେତେବେଳେ ଚାଷ କରିଥାଏ ବର୍ଷା ଜଳକୁ ଅପେକ୍ଷା କରିଥାଏ । ବର୍ଷା ହେଲେ ଚାଷ ହୁଏ । ବର୍ଷା ନହେଲେ ଚାଷୀ ଚାଷ କରିପାରେ ନାହିଁ । ଆମ ଗାଁ’ରେ ଗାଁ ବସ୍ତି ସହିତ ଦୁଇଟି ପଡା ଅଛି । ଗାଁ ବସ୍ତିରେ ଗାଧୋଇବା ପାଇଁ ବନ୍ଧରେ ପାହାଚ, ଘାଟ ଅଛି ହେଲେ ଆଉ ଦୁଇ ପଡ଼ାରେ ଗାଧୋଇବା ପାଇଁ ପାହାଚ, ଘାଟ ନାହିଁ । ଗାଁ ବସ୍ତିରେ ଅଙ୍ଗନବାଡି କେନ୍ଦ୍ର ଅଛି । ଆଉ ଦୁଇ ପଡ଼ାରେ ଅଙ୍ଗନବାଡି କେନ୍ଦ୍ର ଗୃହ ନାହିଁ । ପାଠ ପଢ଼ାରେ ବହୁତ ଅସୁବିଧା ହେଉଛି । ଦୁଇ ପଡ଼ାରେ ଶିଶୁ ମାନଙ୍କୁ ସ୍କୁଲକୁ ପାଠ ପଢିବାକୁ ଯିବାକୁ ବହୁତ ଅସୁବିଧା ହେଉଛି । ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ମଧ୍ୟ କିଛି ସୁବିଧା ନାହିଁ । ଆମ ଗାଁ’ରେ ଯାହାର ଦେହ ଅସୁସ୍ଥ ହେଲେ 6 କି.ମି ସରକାରୀ ଡାକ୍ତର ଖାନାକୁ ଯିବାକୁ ପଡେ । ଆମ ଗାଁ’ରେ ହାଟ ବସେ ନାହିଁ । ଅନ୍ୟ ଗାଁ ହାଟକୁ ଯିବାକୁ ପଡେ । ଆମ ଗାଁ’ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ନବମ ଓ ଦଶମ ଶ୍ରେଣୀ ପଢିବାକୁ ହେଲେ ଅନ୍ୟ ଗାଁ’କୁ ଯିବାକୁ ପଡେ ।