ଚଷା ଖାଇଲେ ଖଟିବ

ନଟବର ଷଡ଼ଙ୍ଗୀ 94 Views
41 Min Read

ସବୁଦିନ ପରି ସପନି ପଧାନେ କାଳି ଅନ୍ଧାରରୁ ଠେଙ୍ଗାଟେ ଧରି ବାହାରିଲେ ବିଲ ବାଡ଼ି ବୁଲି ଆସିବେ । ସପନି ୩/୪ ଏକର ଜମିର ମାଲିକ । ଛୋଟ ଚାଷୀ । ଖଣ୍ଡାୟତ । ହଳ କରନ୍ତି, ଖତ ବୁହନ୍ତି । ବିହନ ବୁଣନ୍ତି । ଋଆ ବେଉଷଣ କରନ୍ତି । ନିଜକୁ ବୁକେଇଲେ ମୁଲିଆ ପକାନ୍ତି । ଖେରୁଆ ପକା, ବଛା ବଛି ମୂଲିଆ  କରନ୍ତି । ଗାଁରେ ଚଉଷଠି ପାଟକ ଥାନ୍ତି । ଛୁଆଁ ଅଛୁଆଁ ଜାତି । ଅଛୁଆଁ ମାନଙ୍କର ବାଡ଼ି ଗୋବରେ ଗୋବେ ଜମି ବି ନଥାଏ । ମକଦ୍ଦମଙ୍କ ପଡ଼ିଆ, ପଦର, ପୋଖରୀ ହୁଡ଼ାରେ କୁଡ଼ିଆ କରି ରୁହନ୍ତି  । ସାଆନ୍ତଙ୍କ ଘରେ ଚାରି ସେର ମୂଲରେ ଖଟନ୍ତି । ପିଲା ଛୁଆ ସଂସାର । ସବୁ ଦିନେ କାମ ନାହିଁ । ଭୋକ ଉପାସରେ ରହିବାକୁ ପଡେ ।

ସପନି ଏକା ନୁହଁ । ସପନିମାନଙ୍କର ପ୍ରତିଦିନର କାମ ଆରମ୍ଭ ହୁଏ ସକାଳୁ ସକାଳୁ ବିଲ ବାଡ଼ି ବୁଲିଯିବାରୁ । ଭୋଦୁଅ, ଅଶିଣ ମାସ । ଦେଶୀ ଧାନ ତ ବଢିଛି । ହିଡ଼କୁ ଲମ୍ବିଯାଇଛି । ଚାରିପଟ ହିଡ଼ରେ ବୁଲି ବୁଲି ସପନି ଧାନଗଛକୁ ଭିତରକୁ ଆଡ଼େଇ ଦିଏ । ଦେଖେତ ଗୋଟେ କ’ଣରେ ମାଛ ଫୁଟୁଛନ୍ତି । କିଛି ସଜ ନାହିଁ । ମଣିଷର ମୁଣ୍ଡ ଚାରିପଟରେ ବୁଦ୍ଧି । ସପନି ଦେଖିଲା ସାପ ଗାତରେ ପୁରାଇ ଦବନି । ପାଣି କାଦୁଅ ହୋଇ ଦରାଣ୍ଡି ଦୁରୁଣ୍ଡି ମାଛ ସେରେ ଖଣ୍ଡେ ଗାମୁଛାରେ ବାନ୍ଧିଲା । ଚୂନା ମାଛ । କେରାଣ୍ଡି, ଜହ୍ଳା, ଗଡେଇ, ମହୁରାଳି, ଲାଉଆ, ଶିଙ୍ଗି ୪/୫ ଟା, ଗୋଟେ ଶେଉଳ ଖାଡିଆ ୩/୪  ଛଟାଂକି ହବ । ଦିନ ଦିଘଡି ହବ । ଘରକୁ ଫେରିଲା । ଗୋଟେ ଗଡ଼ ଜିତିବା ଠାଣିରେ ଘରଣୀକୁ ବରାଦ “ମାଛ ଭାଜିଲେ ପଖାଳ ଖାଇବା” ।

 

୮/୧୦ ବର୍ଷର ଦଳିତ ପିଲାଟିଏ ଚାକର ଥାଏ । ସକାଳୁ ଉଠି ଗୁହାଳ ଗୋବର କରୁଛି । ଘରଣୀ ଦୁଆର, ଘର ଓଳିଆଓଳି  କରି ଗୋବର ପାଣି ପକାଉଛନ୍ତି । ପିଲା ଦିଟାଙ୍କୁ ଖାଇବାକୁ ଦେଲେ ସ୍କୁଲ ଯିବେ । ସକାଳ ଉପରବେଳା ଦିଓଳି ସ୍କୁଲ । ମାଛ ବାଛିବେ । ଶ୍ରୀମତୀ ମୋଡିଭିଡି ମୁଦ୍ରାରେ । ସପନି ଠଉରେଇ ଗଲେ। ଗଇଣ୍ଠା ପାଉଁଶ ଆଣି ନିଜେ ବସିପଡି ମାଛ ତକ  ବାଛିଦେଲେ । ଧୁଆ ଧୁଇ କରି ଚୁଲି ମୁଣ୍ଡରେ ଥୋଇ ଦେଲେ । “ହଉ ତୁ ପିଲାଙ୍କ କାମ ସାର । ମାଛ ତ ବାଛିଦେଲି । ଭୋଦେଇ ମାଛ ଭାରି ସୁଆଦ । ମାଛ ଭଜା, କଳା ସୂର୍ଯ୍ୟମୁଖୀ ଲଙ୍କା ଲଗାଇ ଭୋତିଆ ଚାଉଳ ଭାତ”  । “ମୋଟେ ତ ଖାଇନ । ଆଜି ନୂଆ ଖାଇବ । ତୁମ ବାଗ ଦାଢେ ଛାଡିବନି”। କହି ତ ପାରିବେ । କହିଲେ ସେ ତାତି ଯିବେ । ଘରଣୀ ମନେ ମନେ କହି ଯାଉଛନ୍ତି “ଘୁଷୁରି ପ୍ରକୃତି ପଙ୍କେ ଲୋଟେ ମଣିଷ ପ୍ରକୃତି ମଲେ ତୁଟେ”। ସ୍ଵାମୀ ସ୍ତ୍ରୀ କଥା ବାର୍ତ୍ତା । ଘଡ଼ିକେ ନିଆଁ ଆର ଘଡିକି ପ୍ରେମ ଉଛୁଳି ପଡ଼ିବ । ଦାମ୍ପତ୍ୟ କଳହ ଚୈବ ପ୍ରଭାତେ ମେଘ ଡମ୍ବୁର ।

ବରାଦ ମୁତାବକ ମାଛ ଭଜା ହେଲା । ଖଟ ତଳେ ୩/୪ ମାଠିଆ ସୋରିଷ ତେଲ ଥୁଆ ହୋଇଛି ।୧୯୪୩ -୧୯୪୪ ମସିହା କଥା । ଘରେ ଘରେ ସୋରିଷ ଚାଷ । ବିଆଳି ଧାନ କଟା ହେଲା । ରକ୍ତ ପକ୍ଷରେ କୁଞ୍ଜିଆ କୋଳଥ ସହିତ ସୋରିଷ ବୁଣିଦେଲେ । ମଗୁଶିର ମାସକୁ ମାଣ ବସା । ଲକ୍ଷ୍ମୀକୁ ସୋରିଷ ଫୁଲ ଦିଆହବ । ଜମି ୩/୪ ଗୁଣ୍ଠ ବୁଣିଛନ୍ତି ୧୦/୧୨ ଗୌଣି ସୋରିଷ । ଗାଁ’ ଗାଁ’ରେ ତେଲ ଘଣା । ତେଲ ପେଡ଼ି ବର୍ଷକ ପାଇଁ ଭାଡ଼ିତଳେ/ଖଟ ତଳେ ଥୋଇଦେଲେ । ସେ କାଳର କୃଷି ଅର୍ଥନୀତି । ତେଲରେ ପଞ୍ଚ ଫୁଟଣ ଫୁଟାଇ ମାଛ ଭଜା ହେଲା । ନରମ ଭଜା । ସ୍ଵାଦ ଅଧିକ । ବଡ଼ କଂସାରେ କଂସାଏ ପଖାଳ । ଦାଣ୍ଡକୁ ବାସ ଚହଟୁଛି । ଗରମ ଗରମ ମାଛ ଭଜାର ବାସନା । ଆଘ୍ରାଣେ ଅର୍ଦ୍ଧ ଭୋଜନ । ସପନି ପେଟେ ଦାବି ଉଠିଲେ । ସପନିଙ୍କର ଟିକେ ଅବକାରୀ ଚାଲେ । ଘରଣୀ ୫/୭ ଖଣ୍ଡି ପାନ ଭାଙ୍ଗି ଧରେଇ ଦେଲେ । ବୁଝାବଣା ହୋଇଗଲା । ସପନି ମୁରୁକି ମୁରୁକି ହସି ବାହାରି ଗଲେ ଆଖୁ କିଆରି । ଧାନ, ମୁଗ, ବିରି ଜଣିକିଆ ଚାଷ । ଆଖୁ ଚାଷ ଜଣିକିଆ ନୁହଁ । କୋଠ ଚାଷ । ୮/୧୦ ଭାଗୁଆଳି । ଜମି ମାଲିକ ଗୁଣ୍ଠକୁ ଟଙ୍କାଏ ଖଜଣା, ଗୁଡ ୨/୩ ବାଣ୍ଟ ପିଲାଙ୍କ ପାଇଁ ଆଖୁ । ଯାଉ କରିବେ ଦୋରୁଅ ଢାଳେ ପାଉଣା ପାଇବେ ।

ଆଖୁ ଚାଷ ବଡ ଝିନଝଟ୍ ବେପାର । ୮/୧୦ ମାସିଆ ଫସଲ । କଥାରେ ଅଛି ଷାଠିଏ ଓଡ଼ ମୂଳା, ତହିଁରେ ଅଧା ଗୁଳା(ଆଖୁ), ତହିଁରେ ଅଧା ଧାନ୍  ତେବେ ଯାଇ ଚାଷୀର ମାନ୍ । ୧୦ ଭାଗୁଆଳିକୁ ୧୦ ହଳିଆ । ମାଘ ,ଫଗୁଣ ମାସ । ଗୋଡିଙ୍ଗି ଲଙ୍ଗଳରେ ୨/୩ ଓଡ଼ ଧରି ପଡ଼ିଆ ଭାଙ୍ଗିଲେ । ଅଧା ଫାଳିରେ ୮/୧୦ ଓଡ଼ ଚାଷ । ମାଟି ଗୁଣ୍ଡ ହେଲା । ମୁଠୁଣେ ଗହିର ଚାଷ । ମାଟିକୁ କାଣ୍ଡି ଦେଲେ । ପଡ଼ିଲା ୨୪ ଅଙ୍ଗୁଳିଆ ପଟା ଲଙ୍ଗଳ । ପୁଣି ୧୦/୧୨ ଓଡ଼ ଚାଷ ମାଟିକୁ ଧୁଳି କରିଦେଲାଣି । ପୁରୁଣା ଗୋବର ଖତ । ୧୦ ଏକର ଆଖୁ । ଏକରକୁ ୫ ଶଗଡ଼ ଖତ । ୫୦ ଶଗଡ଼ ଖତ ଓଦରରେ ବୋହି ଜମିରେ ଢାଳିଲେ । ମାଇପି କାମକା ଖତ ଖେଳେଇ ଦିଅନ୍ତି । ପୁଣି ୪/୫ ଓଡ଼ ଚାଷ । ଖତ ମାଟିରେ ମିଶିଗଲା । ଏସବୁ କାମ ଏକ ଓଳିକିଆ  । ଘରୁ ପଖାଳ ,ଶାଗ ଖରଡ଼ା, କଙ୍କଡ଼ା ଚଟଣି ଖାଇ ହଳରେ ଲାଗନ୍ତି । ମାଘ ଫଗୁଣ ନରମ ଖରା । ଗୋଟେ ଦିଟା ବେଳକୁ ହଳ ଲେଉଟାଇ ଘରକୁ ଫେରିଲେ । ସକାଳେ କଣ ଦିଟା ଖାଇଥିଲେ ପେଟରେ ପଣା ହୋଇଗଲାଣି । ଭୋକ । ହାଁ ହାଁ । ଘରେ ପହଞ୍ଚି ହାକିମ୍ । ସତେ ଯେମିତି ଗୋଟେ ବଡ଼ ଗଡ଼ ଜିତିକି ଆସିଛନ୍ତି । ଖାଇବେ । ଘରଣୀମାନେ ଆଗରୁ ହୁସିୟାର । ତିନି ତିଅଣ, ପାଞ୍ଚ ଭଜା କରି ଗେରସ୍ତମାନଙ୍କ ଫେରିବା ବାଟକୁ ଚାହିଁଛନ୍ତି । ପାଇଟି ସାରି ବସିବ ଭଗାରି ସାଧି ହସିବ ।

ଅର୍ଜି କରି ପର୍ଜି ଖାଇବ । ଗଲା ସାଲରୁ ଅମଳ ମୁଗ ମହଣା, ଘୁମରେ ଭର୍ତ୍ତି । ଭଜା ମୁଗ ଡାଲି । ହଳଦି ଗଣ୍ଠି ଚେହେରା । ଗୁଆ ଘିଅ ତ ଘରେ ଘରେ । ଡାଲି ଘିଅର ବଘରା ହୋଇ ଥୁଆ ହୋଇଛି । ସର ପଡିଗଲାଣି । ବାସ ଚହଟୁଛି । ବାଇଗଣ ଭଜା । ଖାଇଲେ ଲାଗିବ ମଜା । କଣ୍ଟା କଳା ଡିହ ବାଇଗଣ ଭଜା । ଗୋଲା ଆଳୁ ସେ ଯାଏ ହାଟ ବଜାରରେ ଦେଖାଦେଇ ନାହାନ୍ତି । ସାରୁ ,ବାଇଗଣ ,କଞ୍ଚା କଦଳୀ ଦେଶୀ ଆଳୁ ଶିଝା ବଘରା ତରକାରି । ଗାଏ ମାଖା ଝୋଳ । ମାଟିହାଣ୍ଡି ରୋଷେଇ ତ । ଭରପୁର ସ୍ଵାଦ । କାହା ଘରେ ଦେଶୀ ଖମ୍ବ ଆଳୁ ଭଜା । ମୋଟା ଗୋଲ ବା ଚାରିକଣିଆ କଟା ହେଲା । ଘଣା ସୋରିଷ ତେଲ ସମସ୍ତଙ୍କ ଘରେ ମହଜୁଦ । ସାମାନ୍ୟ ବାମ୍ଫ ଦେଇ ତେଲରେ ନରମ ଭଜା ,ଜୀରା ଲଙ୍କା ଗୁଣ୍ଡ ଛିଞ୍ଚି ଦେଲତ ତା ମଜା ଖାଇଲେ ଜାଣିବ । କେହି କେହି ରାଇଟିଏ କଲେଣି । କଅଁଳ ଅଗ ଖଡା, ସାରୁ, କୁଜି ଶିମ୍ବ, କଖାରୁ ଡଙ୍କ ସାମାନ୍ୟ ବାମ୍ଫ ଦେଇ ଫୁଟଣ ଟାଏ କରିଦବ, ବଡିଭାଜି ଦିଟା ପକାଇ ଦବ, ବେସର ଢାଳି ଦିଫୁଟଣା ଦେଲ ତ ରାଇ “ମୋତେ ଖାଆ ,ମୋତେ ଖାଆ” ଚିତ୍କାର କଲାଣି । ଓହ୍ଲାଇଲା ବେଳେ ୩/୪ ପଳା କଞ୍ଚା ସୋରିଷ ତେଲ ବୁଲେଇ ଦବ ତ ରାଇ ଗୋଡ଼ ତଳେ ନ ପଡେ । ସୁଆଦ ବୋଲି ସୁଆଦ । ମର୍ଦ୍ଦମାନେ ଥରକୁ ଦିଥର ମାଗି ସବୁ ଚାଟିଦେବେ । ବିଚରା ଘରଣୀ ଆଁ କରି ଚାହିଁଥିବ ।

ଏକା ମାଧିଆ ବାଇସପଳ ଶାଗ । କବିରାଜ ମାନେ କୁହନ୍ତି ମାଂସ ଖାଇଲେ ବଳ ହବ ଶାଗ ଖାଇଲେ ମଳ । ମୁଁ ଏ କଥା ବହୁଥର ବୋଉ କହିବା ଶୁଣିଛି । କିନ୍ତୁ ସଂଧି ପାଇନଥିଲି । ଶାଗ ପ୍ରତି ଟିକେ ମୋର ବିତୃଷ୍ଣା ଭାବ ଥାଏ । ଆରେ ଶାଗ ଖାଇଲେ ମଳ ହେବ । ଧେତ୍ ଶାଗ ତୁମର ଆମର ପଡିବନି । ବଡ ହେଲାରୁ ମୁଁ ବୁଝିଲି ଶାଗ ଖାଇଲେ ଖାଦ୍ୟ ଭଲ ହଜମ ହୋଇଯିବ । ଫଳରେ ପେଟ ସଫା । ଓଡିଆ ସ୍ତ୍ରୀ ଲୋକ ମାନେ ଶାଗରେ ୧୫/୨୦ ଠା କରିପାରନ୍ତି । ଗରମ ଶାଗର ମାହାତ୍ମ୍ୟ ଖାଇଲେ ଜାଣିବ । ଶାଗରେ ଲୁଣ ଜଗିରଖି ପକାଇବେ । ଶାଗେ ଅଲଣା ମାଛେ ଲୁଣ ତେବେ ତ ଜାଣିବ ରାନ୍ଧୁଣି ଗୁଣ । କୋଶଳା,ଲେଉଟିଆ, ଖଡା, କଣ୍ଟା ଲେଉଟିଆ, କାନିଶିରି, କଳମ, ମଦରଙ୍ଗା ଅଶେଷ ପ୍ରକାରର ଶାଗ । ଶାଗ ଧୋଇ ଚୁନି ଚୁନି କାଟି ରଖିଲ । ମର୍ଦ୍ଦମାନେ ଘରକୁ ଆସିଲେତ ତେଲୁଣି ଚୂଲିରେ ବସାଇ ଦମଦାର ଫୁଟଣଟାଏ କଲ । ଶାଗ ପକାଇ ଜଗିକରି ଲୁଣ ପକାଇବା । ୪/୫ ଥର ଖରଡା ଖରଡି କଲେ ତ ଶାଗ ପ୍ରସ୍ତୁତ । ଶାଗ ବେଶି ଶିଝି ଗଲେ ସୁଆଦ କମିଯିବ । ନଡିଆଟିକେ କୋରି ପକାଇ ଦେଲେ ତା ଲାଞ୍ଜରେ ଆଉ ହାତ ମାରିହବନି ।

ଶଜନା ଶାଗ । ଘରେ ଘରେ ଶଜନା ଗଛ । ଶଜନା ଶାଗ, ଶଜନା ଛୁଇଁ ରକ୍ତ ଚାପକୁ ନିୟନ୍ତ୍ରଣ କରେ ବୋଲି ଏବେ ଡାକ୍ତରମାନେ ନିୟମିତ ଶଜନା ଶାଗ ଖାଇବାକୁ ପରାମର୍ଶ ଦେଲେଣି । ଆଉ ସେ ରାମ ନାହିଁ କି ଆଯୋଧ୍ୟା ନାହିଁ । ଗାଁ ଗୁଡ଼ାକତ ସହର ପାଲଟିଲାଣି । ବିଚରା ଶଜନା ଶାଗ କେଉଁ ଗାଇର ଗୋବର। ସେମାନେ ପଦା । ଶଜନା ଶାଗ ତିଆରି ଗୁରୁ ଘର ବିଦ୍ୟା । ୮/୧୦ କେଣ୍ଡା ଆଣି ସେଥିରୁ ଶାଗ ଅଲଗା କରି ରଖିଲେ । ଭଜା ମୁଗ ଡାଲି ,କୋରା ନଡିଆ, ତେଲ ଫୁଟଣ ଚୁଲି ପାଖେ ଥୋଇଲେ । ମୁଗ ଡାଲିକୁ ଆଗ ଦର ଶିଝା କରି ରଖିବା । ଏବେ ବସାଅ ପଲମ ଚୁଲି ଉପରେ । ତେଲ ଫୁଟଣ ହେଲା ତ ଶଜନା ଶାଗ ପଡ଼ୁ । ଜଗି କରି ୩/୪ ମିନିଟ ପରେ ଦର ଶିଝା ମୁଗ ଡାଲି, କୋରା ନଡିଆ ପକାଇ ଦିଅ । ଓହ୍ଲାଅ, ଓହ୍ଲାଅ, ଚୁଲିରୁ ଓହ୍ଲାଅ । ଶାଗ ଶିଝି ଗଲେ ତାର ମାଧୁର୍ଯ୍ୟ ଗଲା । ପଖାଳ ବା ଗରମ ଭାତ ଶଜନା ଶାଗ ଲଗାଇ ପେଟେ ଖାଇଦେବେ । ରକ୍ତ ଚାପ ଜବତ । ଚାଷୀ ଘରର ମାଗଣା ମାଲ୍ । ଏବେ ହାଟ ବଜାରରେ ୪/୫ ଟି ଶଜନା କେଣ୍ଡାକୁ ୧୦ ଟଙ୍କା । ଟଙ୍କା ଅଛି ମାଲ ଉଭାନ । ବିକାଶ ରାକ୍ଷସ ସବୁ ଗିଳି ଦେଉଛି ।

ଶାଗ ,ପନିପରିବା ଭଜା, ତରକାରୀ, ରାଇ, ଶିନ୍ତୁଳା ଭଳି ଭଳି ରକମ ରାନ୍ଧିବାରେ ଆମ ଓଡିଆ ଘରର ସ୍ତ୍ରୀ ଲୋକମାନଙ୍କର ଦକ୍ଷତାକୁ ମାନିବାକୁ ହେବ । ଗଣିତ (mathematics) ରେ ପରମ୍ୟୁଟେସନ ଓ କମ୍ବିନେସନ ଗୋଟେ ଅଙ୍କ ଅଛି / (permutation and combination) । ୧୯୪୩-୪୪ ରେ ଆମ ରାଜ୍ୟରେ ଖୁବ୍ କମ୍ ରେ ୪୦ ରୁ ୫୦ ପ୍ରକାରର ପରିବା, ୨୦ ରୁ ୩୦ ପ୍ରକାରର ଶାଗ ଥିଲା । ବଦଳା ବଦଳି କରି ଶହେ ଆଠ ପ୍ରକାରର ରୋଷେଇ ହେଉଥିଲା । ପରମ୍ୟୁଟେସନ ଓ କମ୍ବିନେସନ ଅନୁସାରେ ହଜାରେ ପ୍ରକାର ରୋଷେଇ । ପୃଥିବୀରେ ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠାରେ ମୁଣ୍ଡ ପିଛା ଲୋକ ମାନେ ସର୍ବାଧିକ ପନିପରିବା ଖାଉଥିବାର ରେକର୍ଡ ଅଛି । ଗିନିଜ୍ ବୁକ  ଅଫ ରେକର୍ଡକୁ ଯାଇଛି କି ନାହିଁ ଆମ ପାଖରେ ଖବର ନାହିଁ । କମଉଥିଲେ ଖାଉଥିଲେ । ଖାଇବା ପିଇବାରେ ଧନୀ ଗରିବ ଫରକ ନାହିଁ । ଦରକାର ପଡିଲେ କଂସା ଗରା ବିକି ଖାଇଯିବେ । ବଟଫଳ ବିକି ଖିରୀ ଖାଇବା କଥା ଏଠାରେ ଖୋଲୁନି । ଜାଣିଲେ ପାଠକ ବନ୍ଧୁମାନେ ଆଁ କରି ଚାହିଁଥିବେ । ମାହାଲ ନିଲାମ ହେଉ ପଛେ ଖାଇବାରେ ଦାଢେ ଛାଡିବନି ଓଡିଆ । ଆରେ ଓଡିଆ ପୁଅ ସେମିତି ଖାଉଥିଲା ବୋଲି କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକଙ୍କୁ ଆଣ୍ଠେଇ ପକାଇଥିଲା । ପାଇକ ବିଦ୍ରୋହ ! ପାଇକ ମାନେ ଫିରିଙ୍ଗି ଫଉଜକୁ ପାଣି ପେଇ ଦେଇଥିଲେ । ପୁରୀ ,କୋଣାର୍କ ଦେଉଳକୁ ପଥର ଉଠାଇ ଥିଲେ କିଏ ? ସେଇ ମଳି ମୁଣ୍ଡିଆ ଓଡିଆ ପୁଅ । ଆଜିର ସୁଟ୍ ବୁଟ୍ ବାବୁ ମାନେ ପାଞ୍ଚ କିଲୋର ଜିନିଷ ଉଠାଇଲା ବେଳକୁ ଅଣ୍ଟା ଭାଙ୍ଗିପଡୁଛି । କିରେ ତୁମେତ ବରଗର, ଫିଜା, ମେଗି, ବିରିୟାନି ଖାଇଲ । ତୁମ ବଳ କୁଆଡେ ଗଲା । ତୁମେ ବିଷ ଖାଉଛ । ସେ ବିଦେଶୀ ଖାଦ୍ୟର ଗୁମର ଫିଟାଇଲେ ତୁମେ ଛାଡି ପଳାଇବ । ଭୋଗବାଦ ,ବିକାଶର ମରୀଚିକା ତୁମକୁ ଅନ୍ଧ କରିଦଉଛି । ବୁଝିବ ସେତେବେଳକୁ ଲେଡ଼ିଗୁଡ଼ କହୁଣିକୁ ବୋହିଯାଇଥିବ । ବିଶ୍ଵ ଓଡିଆ ମହୋତ୍ସବ କରିବ ଇଂଗ୍ରାଜୀ ମିଡ଼ିୟମ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢାଇବ । ଏ ବିକାଶ ଆମକୁ ବୋପାଙ୍କୁ ମଉସା ଡକାଇବା ତରିକାରେ ଅଛି । ଧେତ୍ । ଖିଆ ପିଆରୁ ସମାଜ ବିଜ୍ଞାନ । କ’ଣ କରିବା ଖିଅ ତ ବାହାରୁଛି । ସତ ନଲେଖିଲେ ଛାତି ଫାଟି ଯିବନି । କୁହା ତୁଣ୍ଡ ବୁହା ପାଣି । ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ସବୁ ଜାଣି କିଛି ନଜାଣେ । କବି ନାଟ୍ୟକାର କାଳିଚରଣ ପଟ୍ଟନାୟକଙ୍କ ଭାଷାରେ “କି ଥିଲା ଏ ରାଜ୍ୟ କି ହୋଇଛି ଆଜ”!

ପାଠକ ବନ୍ଧୁମାନେ ବିରକ୍ତ ହେଲେଣି । ନଟ ସାର ଖାଇବା ପିଇବା କଥା ଛାଡି ଅରଣା ମଇଁଷି ଭଳି କୁଆଡେ ଏଣେ ତେଣେ ମାଡିଯାଉଛନ୍ତି । ଆସନ୍ତୁ ଲଙ୍କାର ରାଜା ରାବଣର ରୋଷେଇ ଘର ଆଡେ ଟିକେ ନଜର ପକାଇବା । ରାବଣ ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ପରିଷଦ ବର୍ଗକୁ ପାଖରେ ବସାନ୍ତି । ସମସ୍ତେ ଖାଆନ୍ତି । ଲଙ୍କାର ରାଜା ରାବଣ ! ରାଜବାଟିରେ ପଙ୍ଗତ । ଏକୁ ଆରକେ ଦାମି ରକମ । ମାଗଣା ମିଳିଲେ ତ ମଣିଷ ଆଲକାତରା ପିଇଯିବ । ବେଓଜ ଖିଆ ପିଆ । ଦେଖୁ ଦେଖୁ ରାବଣକୁ ଶକ୍ତ ବେମାର । ରାଜ ବୈଦ୍ୟ ଡକା ହେଲେ । ନାଡି ଦେଖିଲେ । କ’ଣ ଠଉରେଇଲେ  ବୈଦ୍ୟ କହିଲେ “ରାଜନ ମହାବାବୁ ଆପଣ ଖାଇଲା ବେଳେ କିଛି ଗୋଟାଏ ରକମ ଏକୁଟିଆ ଖାଉଛନ୍ତି । ଅନ୍ୟମାନଙ୍କ ଆଶା ରହୁଛି । ଆପଣଙ୍କ ଖାଦ୍ୟରେ ଦୃଷ୍ଟି ପଡିବା ଦ୍ଵାରା ଆପଣ ଅସୁସ୍ଥ”। କଥାଟା ସତ । ରାବଣଙ୍କ ମୁଣ୍ଡ ଧରିଲା । ତା ପରଦିନ ପଙ୍ଗତ ଚାଲିଲା । ରୋଷେଇୟା ସବୁ ପ୍ରକାରର ଖାଦ୍ୟ ସମସ୍ତଙ୍କୁ ଲଗାଇଲେ । ଶେଷରେ ଗୋଟେ ଆଇଟମ ସବୁ ଦିନ ପରି କେବଳ ରଜାଙ୍କ ପତ୍ରରେ ଦବାକୁ ଯାଉଛନ୍ତି ତ ରାଜା ବନ୍ଦ କଲେ । “ମୋତେ ତ ଦବ ଅନ୍ୟମାନଙ୍କ ପତ୍ରରେ ଟିକେ ଟିକେ ଦିଅ”। ରାଜାଙ୍କ କଥାକୁ ବନ୍ଦା ହାଜର । ସମସ୍ତଙ୍କ ପତ୍ରରେ ଟିକେ ଟିକେ ଲଗାଇ ଦେଲେ । ରାବଣ ଶେଷ ଆଇଟମ ଟି ଆଗ ଖାଆନ୍ତି । ସମସ୍ତେ ଦେଖିଛନ୍ତି । ରାଜାଙ୍କୁ ଅନୁକରଣ କରି ସେମାନେ ମଧ୍ୟ ଏଇ ନାମଜାଦା ରକମଟି ପାଟିକୁ ନେଇଛନ୍ତିତ  ଥୁ ଥୁ । ଘଟଣା କଣ ? ରକମଟି ପିତା । “ଲିମ୍ବ ପତ୍ର ଭଜା” । “ଆରେ ରଜା ଏଇ ଲିମ୍ବ ପତ୍ର ଭଜାଟି ଏକୁଟିଆ ଖାଆନ୍ତି । ଲଙ୍କାର ରାଜା ରାବଣକୁ ଆଉ କିଛି ମିଳିଲାନି ଶେଷକୁ ଲିମ୍ବ ପିତା”। ମନେ ମନେ  ମନ୍ତ୍ରୀ ପରିଷଦ ମାନେ ଭାବିଲେ । ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତା’ର ଖବର । ଲିମ୍ବ ପିତାର ମାହାତ୍ମ୍ୟ ବୁଝିବା ପାଇଁ ଏମାନଙ୍କ ମୁଣ୍ଡ କେତେ ?

ଫଗୁଣ ଚୈତ୍ର ମାସ । କଅଁଳ ଛନ ଛନ ଲିମ୍ବ ପତ୍ର । ପଛକୁ ପଛ ଲିମ୍ବ କଢ । ଓଡିଆ ତାର ଗାରିମା ଜାଣେ । ଗଛରୁ ଲିମ୍ବ ପତ୍ର ,କଢ ଆଣିଲା । ବେଶି ନୁହେଁ ବେଙ୍କାଏ ଆଣିଲେ ୫/୭ ଜଣଙ୍କ ପାଇଁ କାଫି । ଓଡିଆ ଘର ଝିଅ ,ବୋହୁ । ରନ୍ଧା ବଢାରେ ପଞ୍ଚତାରକା ହୋଟେଲର ସାଫ ତାଙ୍କ ପାସଙ୍ଗରେ ପଡିବେନି । ଏକୁ ଆରେକ ବଳିୟାର । ଲିମ୍ବ ପତ୍ରରୁ ଡେମ୍ଫ କାଢି ଦେଲେ । ଘଣା ସୋରିଷ ତେଲ । ପଲମରେ ପଡିଲାତ ଆଖିରୁ ପାଣି ବୁହାଇଦବ । ତେଲ ପକାଇ ପତ୍ରକୁ ହାଲକା ଭାଜି କାଢି ପକାନ୍ତି । କଅଁଳ ପତ୍ରତ । ବେଶି ଭାଜିଲେ ପୋଡି ଯିବ । ବଡ ତାକ ତରକ କାମ । ଆଜିର ବୈଜ୍ଞାନିକମାନେ  ରକେଟ ତିଆରି ପାଇଁ ଏତିକି ସାବଧାନତା ଅବଲମ୍ବନ କରୁନଥିବେ । ବାରମାସର ତପ ଶୁଖୁଆ ପୋଡାରେ ଯିବ । ଡିହ ବାଇଗଣ ଗୋଟିଏ ଦୁଇଟି ଛୋଟ ଛୋଟ କଟା ହେଲା । ପିଆଜ ନାଁ ଗାଁ ସେତେବେଳକୁ ଫିଟିନି । ରସୁଣ କାଁ ଭାଁ ରୋଷ ଘର ଦେଖିଲାଣି । ବୋହୁମା ୨/୩ କୋଲା ରସୁଣ ଛେଚି ଦିଅନ୍ତି । ପଲମ ଚୁଲି ଉପରକୁ ଗଲେ । ତେଲତ ଉତ୍ତା ଅଛି । ଲିମ୍ବ ପିତା ଟିକେ ଅଧିକା ତେଲ ଖାଏ । ତେଲ ଗରମ ହେଲା । ପଞ୍ଚ ଫୁଟଣ ପଡିଲା । ପଡିଲା ରସୁଣ ଛେଚା । କଅଁଳିଆ କଟା ବାଇଗଣ ପକାଇ ବୋହୁମା ୨/୪ ଖରଡା ଦେଲେ । ସାମାନ୍ୟ ପାଣି ଛିଟା ଦେଇ ଥାଳିଟିଏ ଘୋଡାଇ ଦେଲେ । ୨/୩ ମିନିଟ । ଥାଳି କାଢି ଲିମ୍ବ ପତ୍ର ,କଢକୁ ହାତରେ ମକଚି ମାକଚି ପଲମରେ ବିଞ୍ଚି ଦେଇ ଆଉ ୨/୪ ଖରଡା ଦେଇ ଓହ୍ଲାଇଲେ । ପଖାଳକୁ ଲିମ୍ବ ପିତା ଜମିଯିବ । ଗରମ ଭାତକୁ ବି କିଛି କମ ନୁହେଁ  । ଖାଲି ପିତା ଲଗାଇ କଂସେ ପଖାଳ ବା ଥଳିଏ ଗରମ ଭାତ ଉଠିଯିବ, ଯଦି ପାଗ ଠିକ ଉତୁରିଛି, ପିତା ଗରମ ଅଛି । ଡାଲି ତରକାରୀ, ମାଛ ଏମାନେ କାନ୍ଦିବେଣି। ପିତାକୁ ଏତେ ଶ୍ରଦ୍ଧା । ଏ ପିତା କେତେକର ଲୋକ । ଆମେ କ’ଣ ଅଲୋଡା ହୋଇଗଲୁ । ନାଇଁ ନାଇଁ ପିତା ୪/୬ ଗୁଣ୍ଡା  ଭାତରେ ଆଗ ସାରିବନି, ତୁମ୍ଭେମାନେ ତ ସବୁ ଦିନର ବନ୍ଧୁ । ଟିକେ ସହଯୋଗ କର । ଆଗକୁ ମାସେ ଦିମାସେ ପିତାକୁ ଟିକେ ଚାହଁ ।

ପତ୍ର ଫଳର ଦ୍ରବ୍ୟ ଗୁଣ ଓଡିଆ ଘର ପୁଅ ବୋହୁଙ୍କୁ ବେସ ଜଣା । ବୁଢା ବୁଢୀ ମାନେ ତ କବିରାଜକୁ ପାଠ ପଢେଇବେ । ଫଗୁଣ ଚୈତ୍ର ମାସରେ ସେତେବେଳେ ବସନ୍ତ, ହାଡଫୁଟି ଘରେ ଘରେ । ଲିମ୍ବ ପିତା ଯଦି ମାସକେ ୮/୧୦ ଦିନ ଖାଇଛ ବସନ୍ତ ପାଖ ମାଡିବନି । ଏକେ ତ ଏତେ ସୁଆଦ ଯେ ଥରେ ଖାଇଲେ ଦଶଥର ଖାଇବାକୁ ଇଚ୍ଛା । ଏଣେ ପୁଣି ଲିମ୍ବ ପିତାର ଏତେ ମିଠା ଗୁଣ । ଚାଷୀ ଭାଇତ ସକାଳୁ ଗାଧୁଆ ବେଳ ଯାଏ ବିଲବାଡିରେ ରହିଲା । ଖିଆଲ ଥାଏ । ଫେରିଲା ବେଳକୁ ଲିମ୍ବ ପତ୍ର, ଲିମ୍ବ କଢ ଆଣି ଘରଣୀ ପାଖରେ ଥୋଇଦିଏ । ଘରଣୀ ତ ହାତ ଧରି ନାମ ନେଇଛି । ଯାଏ କୁଆଡେ । ବୋପା ଭାଇଙ୍କ ନାଁ ପଡିବା ଯାଏ ଯିବ କାହିଁକି । ପିତାରେ ବି ବେଶି କିଛି ସମୟ ଦରକାର ନାହିଁ । ୧୦/୧୫ ମିନିଟର ବେପାର ।

ଆଜି ଆଉ ଅଛି ? ଗଛ ମାନଙ୍କରତ ଶନିଦଶା ପଡିଛି । ଜଙ୍ଗଲ କଟା ହୋଇ କଂକ୍ରିଟ ଜଙ୍ଗଲ ମାଡିଯାଉଛି । ଲିମ୍ବ ଗଛ କେଉଁ ଗାଇର ଗୋବର । ବର ଓସ୍ତ ତ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ବସନ୍ତତ ଏବେ ନାହିଁ  । ହାଡ ଫୁଟି ପାଇଁ ଲିମ୍ବ ପତ୍ର  ଚିକିତ୍ସା । ଖୋଜୁଥାଅ । ଆଉ ନଈରେ ହଜେଇ ପୋଖରୀରେ ଖୋଜିଲେ ଅଛି ! ବିକାଶ ଯନ୍ତାରେ ଆଜି ଗଛ , କାଲି ଆମେ ଯେ ପେଶୀ ହୋଇଯିବା ଏ ହୋସ୍ ନାହିଁରେ  ଭଗିଆ ।

ଓଡିଶା ମତ୍ସ ଦେଶ । ନଈ, ନାଳ, ଯୋର, ପୋଖରୀ, ଗାଡିଆ, ଧାନ ବିଲ ମାଛ ସାଲୁ ବାଲୁ । ଆମ ଚାଷୀ ଭାଇର ଚାରି ବିଦ୍ୟା ପାସ । ଖିଅ ଜାଲ ,ଭଉଁରୀ, କାଠି ପୋଳୁହ, ଜାଲ ପୋଳୁହ, ଖଇଞ୍ଚି, ବଜା, ଅନ୍ଧୁଣୀ ହରେକ ରକମ ସଜ ରଖିଛି । ଖାଲି କ’ଣ ସାଧା ଖାଉଥବ । ବାବାଜୀ ହୋଇ ମଠକୁ ଯିବା ନା କ’ଣ ! ସେ ମାଛ ଖାଏ । ତାର ସଙ୍କ୍ରାନ୍ତି,ଅମାବାସ୍ୟା ନାହିଁ । ୩୬୫ ଦିନରୁ ୩୬୬ ଦିନ ମାଛ ମିଳିଲେ ଖାଇବ । ତଥାପି ନିରାମିଶାସିକୁ ସମ୍ନାନ ଦେଇ ଯେଉଁ ଦିନ ମାଛ ନ ମିଳୁଛି ସେ ଦିନ ସେ ନିଶ୍ଚେ ମାଛ ଛାଡିବ । ମହାତ୍ମା ଗାନ୍ଧୀଙ୍କୁ ଡେଙ୍ଗାଲ ବିରବୋଇ ମିଟିଂରେ ପଣ୍ଡିତ ନୀଳକଣ୍ଠ ଦାସ ବୋକା ବନେଇ ଦେଲେଟି ! ଗାନ୍ଧୀ ହିନ୍ଦୀ ଭାଷଣରେ କହୁଛନ୍ତି “ସମସ୍ତେ ଶାକାହାରୀ ହୁଅ । ସାସ୍ଥ୍ୟବାନ ହେବ । ଓଡିଶା ଜଗନ୍ନାଥର ଦେଶ । ମାଛ ,ମାଂସ ନଖାଇଲେ ଭଲ”। ପଣ୍ଡିତ ନୀଳକଣ୍ଠ ଦାସ ହିନ୍ଦୀରୁ ଓଡିଆ ଅନୁବାଦ କରି ଲୋକଙ୍କୁ ବୁଝାଇବେ । ତାଙ୍କର ଗୋଟେ ସୁନାମ ଥିଲା ! ସେ ଥରକେ ସେରେ ଦେଢ ସେରେ ମାଛ ଭଜା ତରକାରୀ ଖାଇଲେ ବି ମନ ବୋଧ ନୁହେଁ । ଶାଖୀଗୋପାଳ ଘର । ପାଖରେ ଷ୍ଟେସନ । ଖାଇସାରି ଭୁବନେଶ୍ଵରକୁ ଟ୍ରେନ ଧରିବେ । ପହଞ୍ଚି ଗଲା କି ଗୋଟେ ୪/୫  ସେରର ଚିତ୍ତଳ । ଆଉ କି ଦାସେ ଗୋଡ କାଢନ୍ତି । ତାଙ୍କ ଗୁଣ ଘରେ ଜାଣନ୍ତି । ମାଛ ବାଛି ଆଗ ପେଟି ୧୦/୧୫ ଖଣ୍ଡ ନରମ ଭାଜି ତାଙ୍କ ଆଗରେ ଥୋଇଦେଲେ । ସ୍ଵର୍ଗ ଆଉ ଦିଆଙ୍ଗୁଳ । ୫/୧୦ ମିନିଟ ଲାଗିବ । ଖାଉ ଖାଉ ଟ୍ରେନ ଚଂପଟ । ପ୍ରାୟ ଦିନ ସେ ଟ୍ରେନ ଫେଲ କରନ୍ତି ଏଇ ମାଛ ପ୍ରେମରେ ପଡି। ହଁ ଗାନ୍ଧୀ ସ୍ଵାଧୀନତା ସଂଗ୍ରାମରେ ଦେଶର ପ୍ରଥମ ସୈନିକ । ଅହିଂସା ତାଙ୍କର ଅସ୍ତ୍ର । ତା ବୋଲି ମାଛ ବି ତାଙ୍କ ଅହିଂସା ମାର୍ଗ ଦେଖିବ । ଖାଦ୍ୟ ଖାଦକର ସଂପର୍କ । ମଣିଷ ମାଛ ଖାଉଛି ଖାଇବ । ଗାନ୍ଧୀଙ୍କର ଏ ଘୋର ଅନ୍ୟାୟ । ଦାସେ ଓଡିଆରେ ବୁଝାଇଲେ , “ତୁମ୍ଭେମାନେ ନିରାମିଶାଶି ହେଲେ ଭଲ । ଓଡିଶା ତ ମାଛର ଦେଶ । ଉତ୍ତମ ସ୍ଵାସ୍ଥ୍ୟ ପାଇଁ ମାଛ ବି ଖିଆ ଯାଇପାରେ । ଯେଉଁ ଦିନ  ନମିଳିବ ସେ ଦିନ ଖାଇବ ନାହିଁ” । ଗାନ୍ଧୀ ଓଡିଆ ବୁଝିବା ନାହିଁକି ଆମ ଲୋକେ ହିନ୍ଦୀ ଧରିପାରୁନାହାନ୍ତି । ତାଳି ପରେ ତାଳି । ଗାନ୍ଧୀ ଖୁସି ଦାସେ ଖୁସି, ଲୋକେ ବି ଖୁସି । ପାଠକ ବନ୍ଧୁ ମାନେ ଆପଣ ମାନେ ଖୁସି ତ !

କହ୍ନେଇ ଲାଗି ଗାଈ ଗୁହାଳ । ଚାଷୀ ଭାଇ ଜଣେ ଦିଜଣ ମାଛ ଭଜା ଖାଇଥିଲେ । ସମସ୍ତଙ୍କ ପେଟକୁ କଣ ଗଲା ? ଆସନ୍ତୁ ମାଛ ଖାଇବା । ମାଛ ପର୍ବ ଆରମ୍ଭ। କେଉଠୁ ଆରମ୍ଭ କରିବା । ଆମ ରାଜ୍ୟରେ ତ ମାଛ ବହକା । ପଞ୍ଚ ତନ୍ତ୍ରର ଗୋଟେ ଠୁସୁକି ମନକୁ ଆସୁଛି । ଗୋଟିଏ ବାଣୁଆ ଜଙ୍ଗଲରେ ଶିକାର କରି ହରିଣ, ଠେକୁଆ, କୁଟୁରା କିଛି ଜନ୍ତୁ ମାରିଛି । ବଣର ରାଜା ବାଘ ହାବୁଡେ ପଡିଗଲା । “ ବାଣୁଆ କେଞ୍ଚଉଛି ।  ମୋ ଜଙ୍ଗଲରେ ପସି ଜନ୍ତୁ ମାରିପକାଇ ପଦା କରିଦେଉଛି । ମୁଁ କ’ଣ ପବନ ପିଇ ବଞ୍ଚିବି । ତା ମୁଣ୍ଡକୁ ରାଗ ଚହଟିଲା । ବାଣୁଆର ଧନୁଶର କୋଉ ତାକୁ କାଟୁ କରୁଛି । ମାଡିବସିଲା ବାଣୁଆକୁ ତଣ୍ଟିରୁ ରକ୍ତ ପିଇ ବାଣୁଆକୁ ଯମ ପୁରକୁ ପଠାଇଦେଲା । ବିଲୁଆ ବାହାରିଲା । ଦେଖିଲା ୫/୭ ମଡା ପଡିଛନ୍ତି । ମଲା ,ମଣିଷର ଶବ ,ଧନୁଶର । ଆରେ ଏ ତ ମାସକର ଖୋରାଖ ! କ’ଣ ଆଗ ଖାଇବ । “ସବୁତ ଖାଇବା । ଧନୁଶରର ଗୁଣଟାତ ଚମଡାରେ ତିଆରି । ଅଗ୍ରେ ଧନୁର୍ଗୁଣ” କହି ଗୁଣକୁ ଖାଇଛି ତ ଗୁଣ ଛିଣ୍ଡି ଧନୁ ପେଟରେ ପସିଯାଏ ।  ବିଲୁଆର ପଞ୍ଚତ୍ଵ ପ୍ରାପ୍ତି । ମରିବା ବା ବଞ୍ଚିବା ଆଗ ଶୁଖୁଆରୁ ଆରମ୍ଭ କରିବା ।

ମାଛରୁ ଶୁଖୁଆ । ଚାଷୀ ଭାଇର ପଖାଳ ଭାତକୁ ଶୁଖୁଆ ପୋଡା । ଅଶିଣ କାର୍ତ୍ତିକ ମାସ । ପଞ୍ଚଗ୍ରହ କୁଟ, ନବଗ୍ରହ କୁଟ । ଝଡ ବର୍ଷା ୩/୪ ଦିନ ଲାଗି ରହିବ । ଧାନ ଜମିରୁ ବୁକା ପାଣି ଜୋର ନାଳ ଦେଇ ନଈକୁ ବୋହି ଯାଉଥିବ । ଦେଖିବ ମାଛଙ୍କ ନାଟ । କେତେବେଳେ ବିଲରୁ ନାଳକୁ ଖସିଲେଣି ତ କେତେବେଳେ ନାଳରୁ ବିଲକୁ ଉଠିଲେଣି । ସାହାଣ ମେଲା ଭଳି ମାଛ ମାନେ ପାଗଳ ହୋଇ ଯିବା ଆସିବା କଲେ । ବିଲଗାଁ ଚାଷୀ । ଏ ମଉକା କି ଛାଡେ । ରାତିରେ ମାଛଙ୍କ ଯିବା ଆସିବା । ଗଡା କରି ୫/୭ ବଡ ବଡ ବାଉଁଶ ପାତିଆରେ ତିଆରି ଖଇଞ୍ଚି ତଳ ଉପର କରି ବସାଇ ଗଲେ । ଅଧ ଘଣ୍ଟାକୁ ଅଧ ଘଣ୍ଟା ଖଇଞ୍ଚି ଉଠାଇଲେ । ରାତି ଅନ୍ଧାର । ଲଲୁଆଣି ଭୟ । ତେଲ ଘଡିକୁ ଆଶା ,ପୁଅ ମୁଣ୍ଡକୁ ଆଶା । ମାଛର ମାୟା । ଖଇଞ୍ଚି ଝାଡନ୍ତି ତ ୫/୭ ସେର ଚୂନା ମାଛ । ରାତି ଭିତରେ ୮/୧୦ ଥର ଖଇଞ୍ଚି ଉଠା ବସା । ନିଦୁଆ ଆଖି । ଉଠିପଡି ଅଣ୍ଟା କଡ କଡ ଡାକିଲାଣି । ମାଛ  ନିଶାତ । ବିଡି ୩/୪ ଖଣ୍ଡ ଟାଣିଲେଣି । ପାହାନ୍ତା ପହରକୁ ଟୋକେଇଏ ଦି ଟୋକେଇ ମାଛ । କେରାଣ୍ଡି ,ମହୁରାଳି, ଜହ୍ଳା, ପୋହଳା, ଚାନ୍ଦି, ଗଡେଇ କାଁ ଭାଁ ଗୋଟେ ଦି ଟା ଶେଉଳ, ବାଳିଆ ଚୁଟା, ଗଜା ଭାକୁଡ ବା ରୋହି । ୪୦ /୫୦ ହାତରେ ଘର । ଥରକରେ ନହେଲେ ଦୁଇ ତିନି ଥରରେ ମାଛ ଘରେ ପହଞ୍ଚାନ୍ତି । ମାଈ ଶୀତ । ଘରଣୀମାନେ ମନେ ମନେ ନିଆଁ । ଘରେ ଶୋଇଥାନ୍ତେ । ଉଷୁମ ନେଇଥାନ୍ତେ । ଗିରସ୍ତ ମାଛ ଦେଖଉଛି ।

ଏତେ ମାଛ ! କରିବେ କଣ ! ଗାଁରେ ବୁଲି କିଛି ବିକାବିକି କରନ୍ତି । ବୁଲେଇ ବିକିଲେ ମାଣିକ ଭାଣ୍ଡ । ନକଡା ଛକଡା ବେପାର । ଘରକୁ ଫେରନ୍ତି । ସବୁ ଘରେ ୫/୭ ହେଁସ । ଉପର ଦାଣ୍ଡରେ ହେଁସ ମେଲି ଗଲେ । ମାଛ ହେଁସରେ ଖେଳେଇଲେ । ଦିନ ବେଳା ବର୍ଷା ବିଶ୍ରାମ ନେଇଛି । ମାଈ ଖରା । ମାଛ ଶୁଖିଲେ । ୪/୫ ଦିନ ଏ କାର୍ଯ୍ୟକ୍ରମ ଚାଲିବ । ୧୦/୧୫ ଚାଷୀତ ମାଛ ଧରାଧରିରେ ଥାନ୍ତି । ଗାଁ ଦାଣ୍ଡ ଯାକ ହେଁସ । ମାଛ ଶଢୁଛି । ଦୁର୍ଗନ୍ଧ । ହଉ । କେତେ ଦିନ ! ୫/୬ ଦିନ ଶୁଖିଲା ପରେ ଟିକେ ହାଲକା କଡା ଗନ୍ଧ । ଚଳିବ । ଶୁଖୁଆ ନିତୋସ ହୋଇ ସୁଖିବା ଦରକାର । ଜଳିୟଅଂଶ ରହିଲେ ପୋକ ହୋଇଯିବେ । ଏଇ ଶୁଖୁଆ ହେଲା ପିତା ଶୁଖୁଆ  । ଘରକେ ୪/୫ ଓଳିଆ ଶୁଖୁଆ ବାନ୍ଧି ଭାଡିରେ ଥୋଇଦେଲେ । ୬ ମାସ ଖାଇବେ । ବେପାର ହବ । ପିତା ଶୁଖୁଆ ପୋଡା ହେଲା । ପଖାଳ ଭାତ ବାଢ । ପିତା ଶୁଖୁଆ ପୋଡା, ସୋରିଷ ତେଲ, କଞ୍ଚା ସୂର୍ଯ୍ୟ ମୁଖି ଲଙ୍କା ଗୋଟେ ଦିଟା ଭାଙ୍ଗିଦେବେ । ପଖାଳ କଂସାରୁ ଟିକେ ତୋରାଣି ମିଶାଇ ଚକଟା ଚକଟି କରିଦେଲେତ ବାସ ଚହଟିଲା । ପଖାଳ ଗୁଣ୍ଡା ପାଟିକୁ ନେଇ ଟିକିଏ ଟିକିଏ ଚଟଣି ପାଟିରେ ମାରୁଥବ । ୫/୧୦ ମିନିଟରେ କଂସା ଖାଲି। ତୋରାଣି ପିଇ ଦେଇ ତାଟିଆ ଚାଟି ଚୁଟି ସଫା କରିଦେଲେ । ଇନ୍ଦ୍ର, କୁବେର ଝୁରିବେ । ଗଣେଶ, ବିଷ୍ଣୁ, ମହାଦେବ ଏମାନେତ ନିରାମିଶିଆ । ପାଟିରୁ ଲାଳ ବୋହୁଥିବ । ଲୋକ ଅପବାଦ ଡର । ଆଘ୍ରାଣେ ଅର୍ଦ୍ଧ ଭୋଜନ ।

ତାଂପଡା ଚିଙ୍ଗୁଡି ଶୁଖୁଆ ମହିମା ଲେଖିଲେ ମହାଭାରତ ହେବ । ଶୁଖୁଆ ପାଇଁ ଗୋଟିଏ ବିଶେଷ ଅଧିବେଶନ ଡକାଇବା । ମନେ ରଖିଥାନ୍ତୁ । ନଟିଆ ବୁଢା ଏଇଲେ ମରୁନି । ଶହେ ବର୍ଷ ବଞ୍ଚିବ । ପରେ ଶୁଖୁଆ କଥା ବାଖ୍ୟା କରିବ । ମର୍ଦ୍ଦମାନେ ତ ଶୁଖୁଆ ଚଟଣି ଖାଇ ବାଲା ବାଡେଇଲେ । ଶୁଖୁଆ ସାଇତି ରଖିବ କେମିତି ? ସେ ମୁଣ୍ଡ ପୁରୁଷଟିର ନାହିଁ  । କୁମ୍ଭାରୁଣୀ ସାଆନ୍ତାଣୀଙ୍କ ମନ ଜାଣି ଶୁଖୁଆ  ଠଣା ଆଣିଛି। ବଣା ଭଳି ଚେହେରା । ମାଟି କାନ୍ଥ ତ । କାନ୍ଥ ଖୋଳି ଶୁଖୁଆ ଠଣାଟିକୁ  ବସାଇଦେଲେ  । ଚାରି ଆଡେ ମାଟି ଲେସି ମିଶାଇ ଦେଲେ । ତଳୁ ୩/୪ ଫୁଟ ଉଚ୍ଚରେ ଠଣା ରହିଲେ । ବିଲେଇ ବୋପା ଅଜା ଚଉଦ ପୁରୁଷ ଶୁଖୁଆ ଚାଖି ନପାରନ୍ତି । ଗଣ୍ଠି ଥବା ବାଉଁଶ ନଳି । ଉପର ମୁଣ୍ଡରେ ଦୁଇଟି କଣା କରି ଦଉଡିଟିଏ ଗଲେଇ ଦେଲେ । ନାଳରେ ଶୁଖୁଆ ରଖି ରୋଷ ଘର କାନ୍ଥରେ ଟାଙ୍ଗୀ ଦେଲେ । ଆମ ମହିଳାମାନଙ୍କର ଏ ସବୁ ଦେଶୀ ବିଜ୍ଞାନ । ଦେଶୀ ଯନ୍ତ୍ରପାତି ।

ତାମ୍ପଡା ଶୁଖୁଆରୁ ସଂରକ୍ଷଣ ଆଡକୁ ମାଡିଗଲେ । ନିଆଳି ବ୍ଲକରେ ତଅଁଳା ନଈ । ବଡିରେ ବଡ ନଈରୁ ପଛୁଆଣି ପାଣି ତଅଁଳା ପସି ବଢି । ବଢି ଛାଡୁଛି । ଚାଷୀ ବଡ ତରକା । ରାତିରେ ବଡ ମୁଣ୍ଡା ଜାଲ ବସେଇଲେ । ପାଣି ଖସୁଛି ତ ମାଛ ଖସୁଛନ୍ତି । ଧଳା ଚାଖଣ୍ଡକିଆ ନଈ ଚୁଙ୍ଗୁଡି । ଜାଲ ପୁରି ସୂତା ଭିଡେଇଲାଣି । ଜାଲ ଝାଡିଲେତ ଖେପେକେ ୩୦ /୪୦ ସେର ଚୁଙ୍ଗୁଡି । ଆଠ ଦଶ ଜଣ ଏମିତି ଆମଦାନି କଲେ । ଆଜିକା ଦାମରେ ୮/୧୦ ହଜାର ଟଙ୍କା । ମାଗଣାକୁ ମହରଗ । କେଉଟ ଭାଇ ହୁଅନ୍ତୁ ବା ଚାଷୀ ଭାଇ ହୁଅନ୍ତୁ କ’ଣ କରିବେ ଏତେ ଚୁଙ୍ଗୁଡି ? କେତେ ଖାଇବେ । ଗାଁ ରେ ବୁଲିଲେ । ସବୁଘରେ ମାଛ । ସେରେ ଦିସେରେ ଦରାଣ୍ଡି କରି ଧରିଛନ୍ତି । ବେପାର ମାନ୍ଦା । ଶୁଖୁଆ ଖଳା ତିଆରି କରି ଶୁଖାଇଲେ । ୫/୭ ଦିନରେ ଶୁଖି ଖଡ ଖଡ ହୋଇଗଲା । ଘୁମ, ଡୋଲକିଆ ବା ଓଳିଆ ବାନ୍ଧି ସାଇତିଲେ । ଉବୁରା ମାଛ ମାସେ ଖଣ୍ଡେ ଧରା ଧରି କଲେ । ଶୀତ ଦିନ । ଧାନ କଟା । ପଖାଳ ଖାଇଲେ ବିଲକୁ ଯିବେ । ଲାଗୁଆଣୀ ? ଘରଣୀମାନେ ଆଗରୁ ହୁସିୟାର । ତାମ୍ପଡା ଶୁଖୁଆ ଟୋକେଇ ମୁଣ୍ଡେଇ କେଉଟୁଣୀ ମାନେ ଗାଁ ଗାଁ ରେ ବୁଲିଲେଣି । ଯେ ଯାହା ଓଜରେ ଶୁଖୁଆ ରଖିଲେ । ଘୁମରୁ ଚାଉଳ ଆଣି ଦାମ ପଇଠ କଲେ । ମର୍ଦ୍ଦମାନେ ଠାରେ ବସିବେ । ଠଣାରୁ ତାମ୍ପଡା ଶୁଖୁଆ ଆଣି ୪/୬ ଟା ଭାଜି ପକାଇଲେ । ଚୁଙ୍ଗୁଡି ଶୁଖୁଆକୁ ଟିକେ ପାଣିରେ ପକାଇ ଦିଅନ୍ତି ତ ସେମାନେ ଜୀବନ ପାଇଯାଆନ୍ତି । ଫେରିଗଲା। ତେଲତ ଯେତେ ରୋଷେଇ ହେଲେ ବି ନସରନ୍ତି । ଭାଜି ଦେଇଛନ୍ତି ତ ବାସି ସାହି ପଡିଶା କମ୍ପାଇଲାଣି । କଞ୍ଚା ଲଙ୍କା ଭାଙ୍ଗୀ ଶୁଖୁଆ ଭଜା ପଖାଳ ଭାତ ଠୁଙ୍କି ଦେଲେ । ହେକୁଟି ପରେ ହେକୁଟି। ଯୋତ ଧରି ବିଲକୁ ବାହାରିଗଲେ। ଅଗ କଟା ଧାନ ବୁହାହବ।

ପାଠକ ବନ୍ଧୁ ମାନେ ପିତା ଶୁଖୁଆ ପୋଡା ଖାଇଲେ। ତାଂପଡା ଶୁଖୁଆ ଖାଇଲେ। ଶୁଖୁଆ ପାଟିକୁ ଭଲ ପେଟକୁ ଭେଲ । ଲୁଣ ଅଂଶ ବେଶି ଥାଏ। ନିୟମିତ ଖାଇଲେ କାଛୁ କୁଣ୍ଡିଆ ଦେଖା ଦେଇପାରନ୍ତି। ଶୁଖୁଆ କୁ ଟିକେ ବିଶ୍ରାମ ଦବା। ମାଛ  ଆଡେ ଟିକେ ଆଖି ପକାଇବା। ପୋଖରୀ, ଗାଡିଆ,ନଈ,ନାଳରେ ମାଛର ଖଣି । ଘରେ ଘରେ ମାଛ ଧରା ଯନ୍ତ୍ର । କାମରୁ ଫେରିଲେ। ଜାଲ ଧରି ସଦଳ  ବଳେ ବାହାରି ପଡିଲେ । ବଢି ପାଣି ଗଡିଆରେ ପସିଛି । ମାଛ ଖୁନ୍ଦି ହୋଇଯାଇଛନ୍ତି । ଫୁଟୁଛନ୍ତି। ଖେଳୁଛନ୍ତି।  ଡେଉଁଛନ୍ତି । କଂସେଇ ହାତରୁ ଛେଳି ବଂଚୁଚି କେତେକେ । ୫/୭ ଦଳ ୩୦/୪୦ ସୈନ୍ୟ ବାହିନୀ ଘାଣ୍ଟି ପକାଇଲେ। ଘଣ୍ଟେ ଦେଢ ଘଣ୍ଟା କସରତ ଜାଉଳିଏ ମାଛ। ଜଣକ ୩/୪ ସେର । ଘରେ ପହଞ୍ଚିଲେ ତ ବରାଦ। ମାଛ ତରକାରୀ ହେଲେ ଖାଇବେ  । ସ୍ତ୍ରୀ ଲୋକମାନେ କେତେ ଖଟିବେ । ଆରେ ରୋଷେଇ  ସରିଛି। ଖାଇଦବ। । ରାତିକୁ ମାଛ କରିବା । ନାଁ ସେତ ଘୋଡ଼ାରେ ଯୁଣ ଦେଇ ଆସିଛନ୍ତି। ବସେଇ ଉଠେଇ ନ ଦିଅନ୍ତି। ବିଚାରି ସ୍ତ୍ରୀଲୋକଟି। ତାର କ’ଣ ତାକତ ଅଛି ତେଡି ପାରିବ। ପୁରୁଷ ପାଖେ ସେ ମଲା ମୂଷା। ଭାରତର ସଂସ୍କୃତି ! ଆମେ ଗର୍ବରେ ଫାଟି ପଡୁଛୁ । ନାରୀ ନିର୍ଜାତନା ଆମର ଗୌରବ! ଆମେ କହୁ ନା ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ଅର୍ଦ୍ଧସତ୍ୟ । ନାରୀ ନିର୍ଯାତନା  ଆମର ଅଛି ଜଗତରେ ନାହିଁ। ମନୁ ସ୍ମୃତି ଭାରତରେ ଅଛି ଜଗତରେ ନାହିଁ। ଆମେ  ଏକଥା କହୁନାହୁଁ  ଯେ ସ୍ତ୍ରୀ ମାନଙ୍କୁ ପୃଥିବୀରେ ପୁରୁଷ ସହିତ ସମାନ ମର୍ଯ୍ୟାଦା ଦିଆଯାଏ । କିନ୍ତୁ ଭାରତରେ ସ୍ତ୍ରୀ ଜାତି ଦାସତ୍ୱର ପ୍ରତୀକ । ପୃଥିବୀରେ ଏତେଟା ନାହିଁ।  ଧେତ ମାଛ ଭାତ ଖାଇବା ନା ସମାଜ ବିଜ୍ଞାନ ପଢିବା। ମରଣ କାଳେ ନିଦ୍ରା ଗଲେ ଯମ କି ଛାଡି ଦବ ଭଲେ । ମର୍ଦ୍ଦ ଯମ । ସ୍ତ୍ରୀ ଆଜ୍ଞା ବହ ଭୃତ୍ୟ । କିଏ ମାଛ ବାଛି ଭାଝିଲା ତ କିଏ କଞ୍ଚା ମାଛ ହଳଦୀ ପାଣି କରିଦେଲା । ଆଉ କିଏ ବେସର ବାଟି ସୋରିଷ ପାଣି କଲା । ତଟକା ମାଛ ତ । ସୁଆଦରେ ହାରିବାର ନାହିଁ । ମର୍ଦ୍ଦ ମାନେ ଠା ଧରନ୍ତି । ସ୍ତ୍ରୀଲୋକ ମାନେ ପାଞ୍ଚ ତିଅଣ ଛ ଭଜା  ବାଢିଦିଅନ୍ତି । ମନ ମୁନ ଚୈତନ୍ୟ ମାଛରେ । ଗରମ ଗରମ ମାଛ ଭଜା ବା ତରକାରି ଥୁଆହେଲା । ଗୁଣ୍ଡା ମାନେ ଚାଲିଲେ । ହଁ ଖାଇଦେଲେ ତ ଘରଣିମାନଙ୍କୁ ଚାହିଁ ଟିକେ ମୁରୁକି ହସ ।

ବେଳେ ବେଳେ ଜମାଣିଆ ମାଛ ବେସର ବରାଦ ହୁଏ । ପୁଷ, ମାଘ ମାସ । ଆଖୁ ପେଡା ଆରମ୍ଭ ହୋଇଗଲାଣି । ଭାଗୁଆଳି କାମ । ମୁଣ୍ଡ ଗଣତି । ସକାଳୁ ଗଲ ତ ରାତି ଦିଘଡି । ବଦଳ ଉଦଳ କରି ମଝିରେ ମଝିରେ ଘରକୁ ଆସି ଖାଇଦିଅନ୍ତି । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟେ । ଧାନ କଟା ପରେ ଆଖୁ ପେଡା । ମାଘ ମାସର ଶେଷ ଆଡକୁ ବର୍ଷା ହେଲା ତ ବିଲ ଚାଷ । ଯଦି ବରଷଇ ମାଘର ଶେଷେ ଧନ୍ୟ ସେ ରଜା ଧନ୍ୟ ସେ ଦେଶେ । ଜମି ଖରାଟିଆ ଚାଷ । ଚୂଡା ପଛେ ପଛେ ଦହି । ଫୁରସତ ନାହିଁ ।  ତଥାପି ଟିକେ ତ ହସ ଖୁସି ମଉଜ ମଜଲିସ କରିବା । କଥା ବାର୍ତ୍ତା ହୋଇଗଲା । ଦ୍ୱିପହର ଘରକୁ ନଯାଇ  ଫିଷ୍ଟ ହବ।

ଆଖୁ କିଆରି ପାଖରେ ପ୍ରାଚୀ ନଦୀ। ମାଛର ଭଣ୍ଡାର। । ଖିଅ ଜାଲ ,ଜାଲ ପୋଳୁହ ,ଭଉଁରୀ ମାଛ ଧରା ଯନ୍ତ୍ର ଘରୁ ନେଇ ଆସିଲେ । ଶାଳତ ବନ୍ଦ ହବ । ଖାଇ ମହାସୁଲ ଦିନକୁ ୫ ଟଙ୍କା । ତୁମେ ପେଡ ବା ନପେଡ । ତେବେ ଗୋଟେ ବୁଝାବଣା ଥାଏ । ଯେଉଁ ଦିନ ଆଖୁ ପେଡା ବନ୍ଦ ଅଛି ଖାଇର ଚାବି ଖାଇ ଘରେ ରଖିଦେଲେ ମାଲିକ ଜାଣିଲା । ଖାଇ ତ ଚାଲିଲାନି ମହାସୁଲ ଛାଡ । ଏତେ ଝୀନଝଟ କୁ କିଏ ଯାଉଛି । ୧୦/୧୨ ଭାଗୁଆଳି । ପେଡା ପାଇଁ ୨/୩ ଜଣ ରହିଲେ ଚଳିବ । ମୂଲିଆ ମାନେ ଆଖୁ କାଟୁଛନ୍ତି । ଛଡାଇଲେ । ଶାଳ ପାଖେ ଗଦା କଲେ । ଏ କାମରେ ସ୍ତ୍ରୀ ଲୋକମାନେ(ମଜୁରିଆ) ଲାଗିଛନ୍ତି । ୭/୮ ଜଣ ମାଛକୁ ଗଲେ । ୨/୩ ଘଣ୍ଟା ନଈକୁ ଘାଣ୍ଟି  ପକାଇଲେ । ମାଛ ୧୫/୨୦ ସେର ମାରି ଶାଳରେ ହାଜର । ମାଇପି କାମକାଙ୍କୁ ଲଗେଇଦେଲେ । ମାଛ ବଛା ହେଲା । ଲୁଣ ହଳଦୀ ଗୋଳାଇ ୨ଟା ଟୋକେଇରେ ମାଛ ରହିଲା । ବାଳିଆ,ଚିତ୍ତଳ, ରୋହି, ମିରିକାଳି, କଳା ବଇଁଶି, ରାଜା ପୋହଳା ସବୁ ପକ୍ଷୀ ମାଛ । ଜହ୍ଲା, ଚାନ୍ଦି, ବାଇଝାଲି, ବାଉଁଶ ପତରିଆ ଚୂନା ମାଛ ବି ୨/୩ ସେର । ସପନି ପଧାନେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି । ଶାଳରୁ ଫେଣ ଲଗା ଦୋରୁଅ ଗରାଏ ଆଣିଲେ । ଦୋରୁଅରେ ଅଦା ଛେଚା ପକାଇ ଲେମ୍ବୁ ୨/୩ ଟା ଚିପୁଡି ଦେଲେ । ଢାଳଟିଏ ଥାଏ । ଢାଳରେ ମାପରେ ଜଣ ପରେ ଜଣକୁ ଦୋରୁଅ ପରସି ଦେଲେ । ପିଇ ଦେଲେ ତ ହାକୁଟି ପରେ ହାକୁଟି । ତଳେ ବାୟୁ ଚାଲୁଛି । ଖାଇବା ଆଗରୁ ପେଟ ସଫା ।

ଶଙ୍କର ଜେନା ଦୁଇ ଜଣ ମାଇପି ମଣିଷ ଘରକୁ ପଠେଇଲେ । ଜୀରା, ସୋରିଷ, ଧନିଆ, ଅଦା, ଲଙ୍କା, ବାଟି ଘରଣୀ କାମକାଙ୍କ ହାତରେ ପଠାଇ ଦେଲେ । ଜଣେ କଦଳୀ ପତର ୬୦/୭୦ ଖଣ୍ଡ କାଟି ଆଣି ଥୋଇଲାଣି । ସପନୀ ପଧାନେ ଖାଇଜାଣନ୍ତି । ରୋଷେଇର ଅ ଅକ୍ଷର ଜଣା ନାହିଁ । ଧରମୁ ସ୍ଵାଇଁ ଗାଁରେ ରୋଷେଇ ବାସ କରନ୍ତି । ଡକା ହେଲେ ଗୋପାଳ ସାହୁଙ୍କ ଘରୁ ହଣ୍ଡା, ହତା, ଚଟୁ ମଗାହେଲା । ଚୁଲି ଖୋଳା ସରିଛି । ମୁଲିଆମାନେ ବି ଖାଇବେ । ବଗଡା ଉସୁନା ଚାଉଳ ୧୦/୧୨ ସେର ରୋଷେଇ । ୨୦/୨୫ ଜଣ ଖାଇବେତ । ଖଟଣିକୁ ଚାହିଁ ଖୋରାକ । ମାଛରେ ବେଓଜ ଭାତ ଉଠିଯିବ । ଭାତ ରାନ୍ଧି କଦଳୀ ପତ୍ରରେ ଢାଳି ଦେଲେ । ମୁଖ୍ୟ ଆକର୍ଷଣ ବେସର । ଘଣା ସୋରିଷ ତେଲ ୨ ସେର ଖଣ୍ଡେ ଆସିଛି । ଧରମୁ ସ୍ଵାଇଁ ବେସର ଆରମ୍ଭ କରନ୍ତି । ପରିବା, ସାରୁ  ,ମାଟିଆଳୁ ୪/୫ କିଲୋ କଟା ହୋଇଛି । ମାଛକୁ ହାଲକା ଭାଜି ଥୋଇଦେଲେ । ତେଲ ଫୁଟଣ କରି ବେସର ଢାଳି ୫/୧୦ ମିନିଟ ଘଣ୍ଟା ଘାଣ୍ଟି କରି ପରିବା ଢାଳିଲେ । ପାଣି ୨ ଗରା ଦେଇ ଫୁଟାଇଲେ । ଭୁଲିଯାଇଥିଲେ । ତେଜ ପତ୍ର ୮/୧୦ ଟା ପକାଇ ମାଛକୁ ଢାଳି ଦେଲେ  । ବେସରତ ବାସି ପଠାଇଲାଣି । ରେଡିମେଡ ଡଙ୍କା ୨ଟା ତିଆରି ହୁଏ । ହତାରେ ବେସର ୫/୭ ଥର ଉପରକୁ ଉଠାଇ ପୁଣି ପକାଇ ଦଉଥାନ୍ତି । ବେସର ଚେହେରା । ଖୁସପେଇ ସମସ୍ତଙ୍କୁ ବାଉଳା କଲାଣି । ଶୁଭସ୍ୟ ଶୀଘ୍ରମ । ମାଲିକ, ମୁଲିଆ ସମସ୍ତେ ବସିଗଲେ । ହାଟର ମଧ୍ୟେ ବ୍ରହ୍ମଜ୍ଞାନ । ଆଖୁ କିଆରି ଫିଷ୍ଟ । ଏଠି ଛୁଆଁ ଅଛୁଆଁ ନାହିଁ । ଅଧ ଅଧସେର ଚାଉଳର ଭାତ ପତ୍ରରେ ବଢା ଗଲା । ମଝିରେ ମନ୍ଦା ୪/୫ ଡଙ୍କା ବେସର । ଭୋକ ବୋଲି ଭୋକ । ତାକୁ ଚାହିଁ ଝଡା ବେସର । ସରି ସରି ମାଛ । କିଏ କାହାକୁ ଚାହିବାକୁ ନାହିଁ । ଅଣନିଃଶ୍ଵାସୀ  ସଁ ସଁ ହେଇ ଭିଡିତ ଗଲେ । ମାଇପି ମାନେ ଯେତେ ଯାହା ହେଲେ ଲାଜରା । ଛାଙ୍କି ଛୁଙ୍କି ହୋଇ ଖାଇବା ଆରମ୍ଭ କରନ୍ତି । ଭାତ ଅଛି ବେସର ଶେଷ । ମାଲତ ହଣ୍ଡାରେ ଅଛି ପୁଣି ଢଳା ହେଲା । ଚୂନା ମାଛ କୁଆଡେ ଯିବ । ଧରମୁ ସ୍ଵାଇଁ ଚୂନା ମାଛକୁ ଭାଜି ଦେଇଛନ୍ତି। ସେ ଭଜା ବି ପତରରେ ଲାଗିଲା । ପେଟ ଆଉଁସା ଚାଲିଲାଣି । ବେସର ଲୋଭ ଛାଡୁନି । ବାଦ ବୁଦିଆ ବେସର ହାପୁରି ପକାଇଲେ । ଆଉ କି ଉଠି ପାରୁଛନ୍ତି । ବାଁ ହାତ ଭରା ଦେଇ ସାଷ୍ଟାଙ୍ଗ ହେଲା ବେଳକୁ ଦମ ମଜାର । କୀର୍ତ୍ତନ ସ୍ଵାଇଁ, ବଳରାମ ପ୍ରଧାନ ହାତ ଧୋଇବେ କଣ ଦୌଡିଲେ ଆଖୁ କିଆରି ଭିତରେ ଅନ୍ଧାରୁଆ ଦେଖି ବସିଗଲେ । ମାଲ ଖଲାସ । ନିଶ୍ଵାସ ମାରିଲେ । ବଳକା ବେସର ବଣ୍ଟା ବଣ୍ଟି ହେଲା । ସମସ୍ତେ କଂସାଟିଏ ଲେଖାଏଁ ଆଣିଛନ୍ତି । ପର୍ବ ଉଜୁଆଁ ବେଳକୁ ଗାଈ ଲେଉଟା ବେଳ ହେଲାଣି ଶାଳକୁ ୨ ଜଣକୁ ଜଗାଇ କଂସାଟି ମାନ ଧରି ବାଗେଇଲେ ଘରକୁ ।

ହାଟୁଆ ହୁଡିଲେ ହାଟ ପାଳିଏ ଚଷା ହୁଡିଲେ ବରଷେ । ପାଗକୁ ଜଗିଥାଏ । ବର୍ଷା ଅସରାଏ ହୋଇଛି । ଡେର ଜମିରେ ରାଶି ପକାଇ ଗଲେ । ମାଗଣା ଫସଲ। ଗୋରୁ ଗାଈ ଖଦା କରିବା ନାହିଁ । ବର୍ଷକ ତେଲ ଲଗାଇବେ । ଛଣା ଛଣି ହେବ । ଆଗକୁ ଦୋଳ । ଧାନ ଅମଳ କାମ ଲାଗିଛି । ଖଳା ବାଡିରେ ମେରି ।  ୩/୪ ହଳ ବଳଦ ଦାଉଁଣିରେ ଯୋଚି ଦେଲେ । ଘରଣୀକୁ ଲଗେଇଦେଲେ ବଳଦ ଅଡେଇବ । ଧାନ ଅମଳ ହବ । ଦକ୍ଷିଣା ପବନରେ ଉଡାହେଇ କୋଠିରେ ପଡିବ । ଖାଇବେ । ରାତିରୁ ପୁରଦିଆ ସରୁ ଚକୁଳି ଶ୍ରୀମତୀ କରିଛନ୍ତି । ବାଲାମ ଚାଉଳ, ବିରି ସାମାନ୍ୟ, ଶୁଖିଲା ନଡିଆ ଗୋଟେ ଦିଟା କୋରା ହେଇ ବଟା ବଟି ହେଲା । କୋରା ନଡିଆ, ଦହି ଛେନା, ଗୋଲ ମରୀଚ ଗୁଣ୍ଡ ପଡି ପୁର ତିଆରି କଲେ । ଚାଇଁ ତେଲୁଣିରେ ସରୁ ଚକୁଳି । ରାତିରେ ଖାଇଲେ । ସକାଳକୁ ଅଛି । ଶ୍ରୀମତୀ ପ୍ରଧାନଙ୍କୁ ୮/୧୦ ଟି ପୁର ଦିଆ  ସରୁ ଚକୁଳି ଖଳାରେ ପହଞ୍ଚାଇଲେ ତ ୫/୭ ଗ୍ରାସରେ ସେତକ ଉଠାଇ ଦେଇ ବେଙ୍ଗଳା କାମରେ ଲାଗନ୍ତି ।

ଆଇନ୍ଦା ସାଲ ପାଇଁ ବିହନ ରହିବ । ବିହନ ବଛା ନିକୁଟା କାମ ।  ବିହନ ହଳା ଅଲଗା ବାହିଆ ଦିଆ ହୋଇଛି । ଘରଣୀ ଗୋଟି ଗୋଟି ହଳା ଫିଟାଇ ମିଶା ଧାନକୁ ବାଛି ପକାଇବେ । ଗୋଡରେ ମକଚି ଧାନ ଅମଳ ହବ । କୁଲାରେ ଟାଣ ପାଛୁଡା କରି ବିହନ ଅମଳ କରିବେ । ୪/୫ ଏକର ଚାଷ । ଡେର ଜମି , ମଝିଆଳି ଜମି, ଖାଲ ଜମି ଅଲଗା ଅଲଗା କିସମ ଧାନ ବିହନ ଅମଳ ହୋଇ ଓଳିଆ ବନ୍ଧା ହେବ । ଓଳିଆ ବନ୍ଧା ମାଇପି କାମ ନୁହେଁ । ମରଦ ମାନେ ଓଳିଆ ବାନ୍ଧିବେ । ଦିନ ଦିପହର । ଶୋଷ । ପଧାନେ ଗଛରେ ଚଢି କାନ୍ଦିଏ ପଇଡ ପକାଇ ଦିଅନ୍ତି । ପଇଡ ପାଣି ୨/୩ ଗ୍ଳାସ ଲେଖାଏଁ ପିଲା, ଛୁଆ, ଶ୍ରୀମତୀ ,ପଧାନେ ପିଇ ଗଲେ । ପଇଡ ଚିରି ନାଳି ନଡିଆ ସେବା କଲେ । ପଇଡ ପାଣି ମିଠା କାଳି ଗାଈ କ୍ଷୀର ମିଠା ।

ଏତେ ସ୍ଵପ୍ନକୁ ରାତି ନାହିଁ । ଲମ୍ବି ଯାଉଛି । କୁହା ତୁଣ୍ଡ ବୁହା ପାଣି । ମାଉଁସଟିକେ ଚାଖି ସାରିବା । ଦିନକର କଥା । ଆଖୁ ପେଡା ଚାଲିଛି । ସବୁ ଦିନ ପରି ଗାଈ, ଗୋରୁ, ଛେଳି, ମେଣ୍ଢା ଚରୁଛନ୍ତି । ଅନ୍ଧାରିଆ ବାରିଘରକୁ ଫେରିଲେ । ରାତି ଘଡିଏ ହେବ । ମେଁ ମେଁ ଶଦ୍ଦ । ଖାସିଟାଏ ବାଉଳା ହୋଇ ରହିଯାଇଛି । ଅନ୍ଧାରରେ ବାଟ ଘାଟ ପାଉନି । ଆଖୁ ପେଡାଳିଙ୍କ ଆଖି ପଡିଗଲା କି । ଘେରି ଯାଇ ଜନ୍ତୁ ଟିକୁ ଧରିପକାଇଲେ । ଧନୀ ସାହି ଚାଷୀ ଗାଁ । ଭାରି ଡିହାଳିଆ । କଥା କଥାକେ ଠେଙ୍ଗା ବାଡି । ଗାଳି ଗୁଲଜ । ଖଟ୍ଵାଙ୍ଗ ପୁରାଣ । ଅନ୍ୟ ମାନଙ୍କର ଧନୀ ସାହି ଚାଷୀଙ୍କୁ ହାଲ ଡର । ଛେଳିକୁ ଲୁଚାଇ କଟା କଟି  ଯୋଜନାରେ ଅଛନ୍ତି । ଛେଳି ବାଲା ଖୋଜି ଖୋଜି ଆଖୁ କିଆରିରେ । ଆରମ୍ଭ ତ କରିଛି “ଛେଳିଟା ବାଉଳାରେ …”। ବାହାରି ପଡିଲା କି ସୁଦୁରିଆ “ଶଳା ନଈ ରେ ହଜେଇ ପୋଖରୀରେ ଖୋଜୁଛୁ । ଛେଳି କ’ଣ ସୁନା, ରୂପା ଆମେ ଲୁଚେଇ ଦେଇଛୁ । ହଇରେ ଗୋପାଳ ଆଣିବୁଟି ଶାଳ ଘରୁ ମୋ ଠେଙ୍ଗା । ୟାକୁ ମୁଁ ମାମୁଁ ଘରକୁ …”। କଥା ସରିବା ଯାଏଁ କ’ଣ ଛେଳି ବାଲା ଅଛି ନା କଣ । ପୈତୃକ ପ୍ରାଣକୁ ନେଇ ଚୋର ଭଳି ଦୌଡିଲା ଦୌଡିଲା ଯେ ୧୦୦/୧୫୦ ହାତରେ ମୁହଁ ମାଡି ପଡିଗଲା । “ଆରେ ସେ ପଡୁ ମରୁ ଆମେ ଶାଗୁଆତି କେମିତି କରିବା । ଛେଳି କଟା କଟିରେ କାହାରି ଦଖଲ ନାହିଁ । ଅଜାତିକୁ ବଣିଜ ଅଡୁଆ । ଧୋବା ସାହିରୁ ଉଦ୍ଧବ ଧୋବାକୁ ଠାକ କଲେ । ଧନୀ ସାହି ଚାଷୀ । ଓଲ ବୋଉ ! ଧୋବା ଚୋର ଭଳି କଟୁରି ଧରି ଆସେ । ଛେଳିକୁ କେଳିଆ କେଳି କରି ମାଉଁସ ୧୦ /୧୨ ସେର ଥୋଇ ଦେଲା । ଫେରିବା ମୁଦ୍ରାରେ ଅଛି ନିମେଇର ତାଗିତ “ଏ ଉଦ୍ଧବ । ରହ ଖାଇକି ଯିବୁ” । ଆଜ୍ଞାକୁ ଅବଜ୍ଞା କରିବାକୁ ସେ କିଏ ? ତା ଛଡା ବକତେ ମାଉଁସ ଭାତତ ମିଳୁଛି !

ରାତି ପହିଲ ପହର ଆଜାନ ଦିଆ ହେଲାଣି। ଘରେ ବ୍ୟସ୍ତ ହଉଥିବେ। ଖବର ସବୁ ଭାଗୁଆଳି ଘରେ ପହଞ୍ଚି ଯାଏ । ରୋଷେଇ ଯୋଗାଡ ଯନ୍ତ୍ର ଚାଲିଲା। ମାଛ ଭୋଜି ବେଳର ହଣ୍ଡା ଟି ଆଖୁ ଶାଳା ରେ ଥାଏ।  ଜୀରା ଲଙ୍କା, ଅଦା, ଧନିଆ, 2/3 ଟା ରସୁଣ ବଟା ବଟି ହୋଇ ଆସିଲା।  ଶଙ୍କର ସାହୁ ଦୋକାନ ରୁ ଗରମ ମସଲା ଆସିଲା।   ଆଖୁ ଭାଗୁଆଳି ଟୁପଟାପରୁ କଥା କାନରୁ ଦିକାନ ହେଲାଣି। ତୁଣ୍ଡ ବାଇଦ ଶହଶ୍ର କୋଷ ହାଡି ବାଇଦ କୋଷେ।  କାହା ଜିଭରେ ହାଡ ଅଛି ଧନିସାହି ଚଷାଙ୍କୁ ପଚାରିବ। ରୋଷେଇ ସରୁ ସରୁ ରାତି ଦିପହର । ଭାଗୁଆଳି ୧୦/୧୨ । ସାଙ୍ଗ ମେଳ ଆଠ ଦଶ ଯୁଟି ଯାଇଛନ୍ତି।  ନିଶା ଗର୍ଜୁଛି । ଅଣ୍ଡିର ବିଲୁଆଟେ ତୁହାକୁ ତୁହା ବୋବାଉଛି । ମା ମାନେ ପିଲା ମୁଣ୍ଡ ଟେକି ଦଉଛନ୍ତି । ଭୟ । ବୁକା ମାଂସ । କେତେ ଖାଇବେ । ପେଟ ଦିଚାଖଣ୍ଡେ । ତଥାପି ସଁ ସଁ ହୋଇ ହାଡ ମାଂସ ରେକେଟି ଯାଉଥାନ୍ତି । ଉଠୁ ଉଠୁ ପାହାନ୍ତା ପହର । ୪/୫ ଜଣ ଶାଳରେ ଗାମୁଛା ପକାଇ ପଡିଗଲେ । ଯମ ନିଦ । ସପନି, ରାମ, ଅଲେଖ ୪/୫ ଜଣ ଘରଣୀମାନଙ୍କ ପାଇଁ ବଳକା ତରକାରୀ ଧରି ଘରକୁ ଫେରିଲେ ।

ଗାଁରେ ବାର ମାସରେ ତେର ପର୍ବ । ପିଠା ପଣା । ଓଡିଆ ଘର ସ୍ତ୍ରୀଲୋକମାନେ ଓଳିଆରୁ ପଡି ଗଜା । ପିଠା ପଣା ତିଆରିରେ ଓସ୍ତାଦ । ଥବା ନଥବା ବିଚାର ପିଠା ପଣା ପାଇଁ ନାହିଁ । ଭାଜି ପକାଇବେ ,ଚୁରି ପକାଇବେ । ବାଟିବେ, ଛାଣିବେ । ପର୍ବ ପର୍ବାଣିରେ ଗୋଡ ତଳେ ଲାଗୁନଥିବ । ଗୁଡ ,ଚାଉଳ ,ତେଲ ,ଘିଅ ସବୁତ ଘରେ ମହଜୁଦ । ଚକୁଳି, ଚିତ୍ତଉ, ଧଳା ମଣ୍ଡା, ନାଲି ମଣ୍ଡା, କାକରା, ଆରିଷା, ପୋଡପିଠା, ଛୁଞ୍ଚି ପତର, ପୁର ଦିଆ ବୁଢା ଚକୁଳି କଣ ଖାଇବ କେତେ ଖାଇବ । ସ୍ତ୍ରୀଲୋକ ମାନଙ୍କର ପିଠା ପଣା କରିବାରେ ବଡ ଆଖି । ପାଞ୍ଚ ଜଣ ପରିବାର ପାଇଁ ପିଠା କଲେ ୫୦ ଜଣ ଖାଇବେ । ଶାହି ପଡିଶା ବାଣ୍ଟିବେ । ନଣନ୍ଦ ଘରକୁ ଯିବ, ଝିଅ ଘରକୁ ଦେବେ । ଦବା ନବାରେ ଓଡିଆଣୀ କୁନ୍ତୁ କୁନ୍ତୁ ହବା କେହି ଦେଖି ନାହିଁ  । ମରଦମାନେ ତ ଯୋଗାଣିଆ । ଟିକେ ବିରି ବିରି ହୁଅନ୍ତି । ବେଳେ ବେଳେ ଘରଣୀର ବାପଘର ଉପରେ ବର୍ଷା । ଆର ଘଡିକି ରାଗ ମିଳାଇ ଗଲାଣି ତ ହସ ଖୁସି । ଘଡିକେ ପାଳ ଦଉଡି ଘଡିକେ ଶଙ୍ଖ ମହୁରୀ । ପିଠା ପଣା ହବ ତ ପାଟି ଖିରୀ ଟିକିଏ ଚାହିଁବ । ମାଠିଆରେ ନିରୁତା ମଇଁଷି କ୍ଷୀର ୪/୫ ସେର , ପୋଷେ କଳା ଜୀରା ,ବାସନା ଅରୁଆ ଚାଉଳ, ମିଠା ପଡିଲେ ଖୁସି ନପଡିଲେ ଆନନ୍ଦ ପକାଇ ଗାତଟିଏ ଭିତରେ ରଖିଦବ । ମୁହଁରେ ସରାଟିଏ ଘୋଡାଇ ମାଠିଆକୁ ମାଟିରେ ପୋତିଦବ । ସକାଳ ଘଡିରୁ ଏ କାମ କଲ ତ ଦିପହର ଖାଇଲା ବେଳକୁ ମାଠିଆ କାଢି ଆଣିବ । ଖିରୀ ! ହାପୁରିତ ଯିବ । ପିଠା ପଣା ଖିରୀ ଏତେ ତରବର କାମ ନୁହେଁ । ବହୁତ ଖିଅପିଆ ହେଲାଣି । ପେଟତ ଚାଖଣ୍ଡେ  ପିଠା ଟିକେ ଗରିଷ୍ଟିଆ ଖାଦ୍ୟ । ପିଠା ସାଙ୍ଗକୁ ଖିରୀ ,ବସା ଦହି  ଜମିତ ଯିବ । ଥରେ ଖାଇଲେ ସାରା ଜୀବନ ଝୁରୁଥିବ । ଥୟ ଧରନ୍ତୁ । ପିଠା, ଖିରୀ ଦହି ପାଇଁ ଏକ ସ୍ଵତନ୍ତ୍ର ଅଧିବେଶନ ବସାଇବା । ଏକା ମାଘକେ ଶୀତ ଯାଉନି । କାଗଜରେ କଲମ ଲାଗିଲା ତ ସରସର ଚାଲୁଛି । ପୁଣି ଲେଖା ଲେଖି କରିବା । ଆପଣ ମାନେ ପଢିବେ ତ ? ରହୁଛି । ନମସ୍କାର । ନଟ ସାର ।

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)
Exit mobile version