ସାଲେପାଲି ଗାଁ’ର ସଂସ୍କୃତି ଓ ଇତିହାସ

ସୁନନ୍ଦା ରଣା 182 Views
16 Min Read

ମୋ ନାଁ ସୁନନ୍ଦା ରଣା । ମୋ ମାତାଙ୍କ ନାମ ପ୍ରିୟାଙ୍ଗୀନି ରଣା ଓ ମୋ ପିତାଙ୍କ ନାମ ଚୂଡ଼ାମଣି ରଣା । ମୁଁ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ ସ୍ଥିତ ଯମୁନା କନ୍ଦୁଣି ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢେ । ଆମ ଗାଁ’ର ନାମ ସାଲେପାଲି ।

ଆମ ଗାଁ’ର ଅତୀତ

ଆମ ଗାଁ’ର ନାମ ପ୍ରଥମେ ଖଣ୍ଡିଝରଣ ଥିଲା । ସେତେବେଳେ ବାସ କରୁଥିବା ବେଳେ ଗୋଟିଏ ପରିବାରର ଦୁଇ ଭାଇ ତାଙ୍କର ପରସ୍ପର ଭିତରେ ଝଗଡ଼ା ଲାଗି ଏହି ଗାଁ’କୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ସେମାନେ ଏହି ଗାଁ’କୁ ସଫା କଲେ । ଏଠାରେ ପ୍ରଥମେ ଘରଦ୍ୱାର ନଥିଲା। ଝାର ଜଙ୍ଗଲ ଓ ପଡିଆ ଥିଲା । ଏହାକୁ ଏହି ଗାଁ’ର ଲୋକମାନେ ସଫା କରି ଜନବସତି ସ୍ଥାପନ କରିଥିଲେ । ସେମାନେ ଏହି ଗାଁ’କୁ ସାଲେପାଲି ନାମରେ ନାମିତ କଲେ । ସେମାନେ କହିଲେ ଗୋଟିଏ ଭାଇ ସାଲେପାଲିରେ ରହିବ ଓ ଆଉ ଗୋଟିଏ ଭାଇ ଖଣ୍ଡିଝରଣରେ ରହିବ । ଏହି ଗାଁ’ରେ ହରିଜନ ପରିବାର ପ୍ରଥମେ ବାସିନ୍ଦା ରୂପେ ବାସ କରିଥିଲେ । ଏହି ଦୁଇ ଗାଁ’ର ସମସ୍ତେ ମିଳିମିଶି ଗୋଟିଏ ପରିବାର ଭଳି ରହିଥିଲେ । ଆମ ଗାଁ ପ୍ରାୟ୧୫୦୦ମସିହା ପୂର୍ବରୁ ପ୍ରତିଷ୍ଠା ହୋଇଥିଲା ଓ ଆମ ଗାଁ’ର ପ୍ରଥମ ବାସିନ୍ଦା ଥିଲେ ଆଦିବାସୀ ସମ୍ପ୍ରଦାୟ, କନ୍ଧ ଜାତିର, ହରିଜନ, କୁଲତା ଆଦି ସମ୍ପ୍ରଦାୟର ଲୋକମାନେ । ଗାଁ’କୁ ପରେ ବିଂଝାଲ, ତେଲି, ବ୍ରାହ୍ମଣ, ଗୌଡ଼, କୁମ୍ଭାର, ବରିହା, ଦଳିତ ଆସି ବସତି ସ୍ଥାପନ କଲେ । ଆମ ଗାଁ’ର ଲୋକସଂଖ୍ୟା ହାରାହାରି୧୦୭୭ । ଆମ ଗାଁରେ ଏବେ ୨୪୫ଟି ଘର ଅଛି । ଏବଂ ସେଠରୁ ୧୫୦ଟି ପକ୍କାଘର ଓ ୯୫ଟି ଚାଳଘର ଅଛି । ଏବେ ଆମ ଗାଁ’ରେ କନ୍ଧ, କୁଲତା, ତେଲି, କୁମ୍ଭାର, ବ୍ରାହ୍ମଣ, କେଉଁଟ, ଅଘରୀଆ, ସଁଅରା, ବରିହା, ବିଂଝାଳ, ହରିଜନ ଆଦି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଆମ ଗାଁରେ ଭୁଲିଆ (ତନ୍ତି ବୁଣା), ଚିତ୍ରକର, ବଢ଼େଇ, ରାଜମିସ୍ତ୍ରୀ, କୁମାର ଚକ ତିଆରି କରିବା ଇତ୍ୟାଦି କାରୀଗର ସବୁ ଅଛନ୍ତି । ଆମ ଗାଁରେ କେହି କଳାକାର କିମ୍ବା ଅନ୍ୟକେହି ଲୋକ ସରକାରୀ କିମ୍ବା ବେସରକାରୀ ସ୍ତରରେ ପୁରସ୍କୃତ ହୋଇନାହାନ୍ତି । ଆମ ଗାଁରେ ଦର୍ଶନୀୟସ୍ଥାନ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଅଛି । ଆମ ଗାଁରେ ତିନୋଟି ଶିକ୍ଷାନୁଷ୍ଠାନ ରହିଛି ଯଥା-ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଅଛି । ଆମ ଗାଁ’ ସ୍କୁଲରେ ଏବେ ୧୮୦ଟି ପିଲା ପାଠ ପଢୁଛିନ୍ତି । ଗାଁରେ ପାଠପଢ଼ୁ ନଥିବା ପିଲା ସଂଖ୍ୟା ହେଲା ୧୫ଟି । ସେମାନେ ଶ୍ରମିକ କାମ କରନ୍ତି । ଆମ ଗାଁରେ ଅତୀତରେ ପାଣିର ଉତ୍ସ ଥିଲା ପୋଖରୀ, ଝରଣା, ନଦୀ, କେନାଲ ।ଏବେ ଗାଁର ପାଣିର ଉତ୍ସ ଭାବେ ନଳକୂପ ଓ କୂଅ ରହିଛି । ଗାଁରେ ପାଣିର ଅସୁବିଧା ହୁଏ ନାହିଁ ।

ଗାଁର ସବୁଠାରୁ ପୁରୁଣା ଲୋକ ହେଲେ ଦଶରଥ ବେହେରା, ଓ କାର୍ତ୍ତିକ ବିରହା । ସେମାନେ ପିଲାବେଳେ ଗାଁ ବିଷୟରେ ଅନେକ କଥା କହୁଥିଲେ କି ତାଙ୍କ ସମୟରେ ଯାନବାହାନ ନଥିଲା । ସେମାନେ ଯିବା ଆସିବା ପାଇଁ ଶଗଡ଼ ଗାଡିରେ ଗାଁ’ରୁ ଅନ୍ୟ ଜାଗାକୁ ଯାଉଥିଲେ । ସେହି ଗାଡ଼ିରେ ସେମାନେ ଅନେକ ସାମାନ ଆଣୁଥିଲେ । ସେତେବେଳେ ପାଠ ପଢିବା ପାଇଁ ଗାଁ’ରେ ଭଲ ବିଦ୍ୟାଳୟ ନଥିଲା । ସେତେବେଳେ ଚାଳ ଛପରର ଘରେ ପାଠ ପଢୁଥିଲେ । ପାଣି ପିଇବା ପାଇଁ ନଳକୂଅ, ବୋରିଙ୍ଗର ସୁବିଧା ନଥିଲା । ସେମାନେ ପାଣି ପିଇବା ପାଇଁ ନଦୀ, ପୋଖରୀରୁ ପାଣି ଆଣୁଥିଲେ । ଯିବା ଆସିବା ପାଇଁ ରାସ୍ତାଘାଟ ମଧ୍ୟ ଭଲ ନଥିଲା । ଗାଁ’ରେ କମ ଲୋକ ବସବାସ କରୁଥିଲେ ଏବଂ ସେ ସମୟରେ ଏତେ ଉନ୍ନତି ହୋଇନଥିଲା ।

ମା’ମାନେ ଗାଁକୁ ବିବାହ କରି ଆସିବାବେଳେ ଗାଁ’ର ଲୋକ ସଂଖ୍ୟା କମ ଥିଲା । ସ୍କୁଲରେ ପଞ୍ଚମ ପର୍ଯ୍ୟନ୍ତ ପଢ଼ାଯାଉଥିଲା । ଗାଁ’ର ଲୋକମାନେ ଶିକ୍ଷିତ ନଥିଲେ । ସେତେବେଳେ ରାସ୍ତାଘାଟ ଭଲ ନଥିଲା । ସେତେବେଳେ ଘର ଗୁଡିକ ସବୁ ଚାଳ ଛପର ଓ ନଡାର ଘର ଥିଲା । ଗାଁ’ରେ ଭଲ ବିଦ୍ୟାଳୟ ନଥିଲା । ଏବେ ସେମାନେ ଗାଁ’ରେ ଦେଖୁଛନ୍ତି ଯେ, ଲୋକ ସଂଖ୍ୟା ବୃଦ୍ଧି ହେଉଛି । ବିଦ୍ୟାଳୟରେ ମଧ୍ୟ ଏବେ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା ହେଉଛି । ଏବେ ରାସ୍ତାଘାଟ ଗୁଡିକ ମଧ୍ୟ ଭଲ ଅଛି । ଏବେ ଗାଁ’ରେ ସମସ୍ତ ବ୍ୟକ୍ତି ଶିକ୍ଷିତ ଅଛନ୍ତି । ଗାଁ’ରେ ଏବେ ଅନେକ ଉନ୍ନତି ହେଲାଣି । ଏହିସବୁ ପରିବର୍ତ୍ତନ ଦେଖୁଛନ୍ତି ।

ଆମ ଗାଁ’ର ସଂସ୍କୃତି

ଆମ ଗାଁ’ରେ ଗ୍ରାମ ଦେବୀ, ବିନ୍ଧ୍ୟବାସିନୀ, ଜାନିବୁଢା, ଛୁଟି ଗୁଡ଼ି ଇତ୍ୟାଦି ଧର୍ମ ପୀଠ ଅଛି । ଗାଁ’ରେ ଖଡ଼ ଯାତ୍ରା, ରଥ ଯାତ୍ରା, ନୂଆଖାଇ, ପୌଷ ପୂର୍ଣିମା, ଗଣେଶ ପୂଜା, ସଂକ୍ରାନ୍ତି, ଜନ୍ମାଷ୍ଟମୀ, ସାବିତ୍ରୀ ବ୍ରତ, ଶିବ ରାତ୍ରି, ହଲାରୀ, ଦୀପାବଳି, ଭାଇ ଜୀଉନ୍ତିଆ ଇତ୍ୟାଦି ପର୍ବ ପାଳନ କରାଯାଏ । ଆମ ଗାଁ’ରେ ପୂର୍ବରୁ କର୍ମା, ବାଲ୍ୟ ବିବାହ, ଛୁଆଁ ଅଛୁଆଁ ଭେଦଭାବ ଥିଲା ଯାହା ବର୍ତ୍ତମାନ ଏବେ ଆଉ ନାହିଁ । ଗାଁ’ରେ ନୂଆଖାଇ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।  ଆମ ଗାଁ’ରେ କୀର୍ତ୍ତନ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ସମୟରେ ମହିଳାମାନେ ସମ୍ବଲପୁରୀ ଶାଢ଼ୀ ଓ ପୁରୁଷମାନେ ଧୋତି ପିନ୍ଧନ୍ତି । ଗାଁ ରେ ପର୍ବପର୍ବାଣୀରେ ଖୀରି, ପିଠା, ମଡା ରନ୍ଧା ଯାଏ । ବିଶେଷକରି ନୂଆଖାଇ ପର୍ବ ହେଉଛି ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ବା ପର୍ବାଣି । ଆମେ ନୂଆଖାଇରେ ଇଷ୍ଟ ଦେବୀଙ୍କୁ ପୂଜା କରିଥାଉ । ବିଶେଷ କରି ଏହି ପର୍ବରେ ନୂଆ ଚୁଡା ସମସ୍ତେ ମିଳି ମିଶି ଏହି ପ୍ରସାଦକୁ ସେବନ କରିଥାଉ । ଏହି ପର୍ବରେ ଲୋକମାନେ ନିଜ ନିଜ ଘରେ ସୁ-ସ୍ୱାଦୁ ଖାଦ୍ୟ ରାନ୍ଧନ୍ତି, ଯଥା-ଭାତ, ଡାଲି, ଖିରୀ, ପୁରୀ, ବିଭିନ୍ନ ପ୍ରକାରର ତରକାରୀ, ପନିପରିବାର ଚିପ୍ସ, ଖଟା, ପିଠା-ପଣା ରନ୍ଧା ହୁଏ । ପୂର୍ବରୁ ପର୍ବପର୍ବାଣୀରେ ଲୋକମାନେ ବିଭିନ୍ନ ପ୍ରକାରର ସୁ-ସ୍ୱାଦୁ ଖାଦ୍ୟ ରାନ୍ଧୁଥିଲେ । ଯଥା-ଏଣ୍ଡୁରି ପିଠା, ଆରିସା ପିଠା, ମଣ୍ଡା ପିଠା, ହଳଦୀ ପିଠା, ମୁଖିଆ ଖଜା, ପୋଡ଼ ପିଠା, ମାଣ୍ଡିଆ ଜାଉ, କୁଦୋ ଭାତ, କୋଳଥ ବରା ଓ ଡାଲି, ରକଶି ଲିଆ, ଆଖୁ ରସ, ବାଦାମ ଖଜା, ମହୁଲ ଭଜା, ମହୁଲ ରସ, ରାଶି ଖଜା, କରଡ଼ି ପିଠା, ଟୋଲ ଭଜା ଆଦି ଯାହା ଏବେ ଆଉ ହେଉନି ।

ଆମେ ପ୍ରତିଦିନ ଘରେ ସକାଳ ଖାଦ୍ୟରେ ଚା, ଚକୁଳି ଖାଉ । ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ, ଶାଗ ଭଜା, ଖଟା ଖାଉ। ସନ୍ଧ୍ୟାବେଳେ ଚା, ବିସ୍କୁଟ ଓ ରାତି ହେଲେ ଭାତ, ଡାଲି, ଭଜା ଖାଉଛୁ । ବାପା,ମା’, ଜେଜେ, ଜେଜେମା, ଅଜା, ଆଈ ତାଙ୍କ ପିଲାବେଳେ ସେମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, ମହୁଲ ଭଜା ଖାଉଥିଲେ । ଏବେ ଖାଦ୍ୟପେୟରେ ସିଝିଲା ମଡ଼ା, ଭଜା ମହୁଲ, ଭାତ, କେନ୍ଦୁ ଆଉ ଖାଉନାହାନ୍ତି । ଏ ସବୁ ପରିବର୍ତ୍ତନ ହେଇ-ପିଜା,ବର୍ଗର,ବିରିୟାନି ଆଦି ଖାଉଛନ୍ତି । ଭାତ, କେନ୍ଦୁ, କୁଦୋ, ମାଣ୍ଡିଆ, ଗୁଞ୍ଜି, ବାଜରା, ମହୁଲ, ତାଳ ପିଠା, ସୁଆଁ, ଏ ସବୁକୁ ଲୋକ ଭୁଲିଗଲେଣି । ପିଲାମାନଙ୍କୁ ମ୍ୟାଗି, ପିଜା, ବର୍ଗର, ଚାଉମିନ, ଗୁପଚୁପ, ଦୋସା, ମନଚୁରିଆନ,ବିରିୟାନି, ଚିକେନ ପକୋଡା, କେକ ଆଦି ଖାଇବାକୁ ଭଲଲାଗେ । ପୁଷ୍ଟିଶଷ୍ୟ ଜାତୀୟ ମାଣ୍ଡିଆ, ବାଜରା, ସୁଆଁ, କୋଦ , କାଙ୍ଗୁ, ଖିରା,ଜହ୍ନା, ଗୁନ୍ଦଲି ଏସବୁ ଆଉ ଖାଉନାହାନ୍ତି ।

ମାଣ୍ଡିଆରୁ ପ୍ରସ୍ତୁତ ଟିଖ୍ରୀ ରାନ୍ଧିବା ପ୍ରଣାଳୀ : ମାଣ୍ଡିଆକୁ ପାଣିରେ ଗୋଟିଏ ପାତ୍ରରେ ରଖାଯାଏ । ତାକୁ ଖରାରେ ଟାଣ ହେବା ପାଇଁ ରଖାଯାଏ । ଗୁଡ଼, ଘିଅ, ମହୁ ରସ, ଗୋରସ, କାଜୁ, କିସମିସ, ଲବଙ୍ଗ, ଇଲାଇଚି ଆଦି ମିଶାଇ ତାକୁ ଘାଣ୍ଟି ମାଣ୍ଡିଆ ଟିଖ୍ରୀ କରାଯାଏ ।

ଚାଉଳର ପୋଡ଼ ପିଠା: ପ୍ରଥମେ ଅରୁଆ ଚାଉଳକୁ ପାଣିରେ ବତୁରାଈ, ତାକୁ ଶିଳ କିମ୍ବା ଢେଙ୍କିରେ କୁଟୀ ବା ବାଟି ତାକୁ ଗୋଟିଏ ଡାଳିଆରେ ରଖିବ । ସିଝିବା ଭଳି ପାଣି ଦେଇ ତା’ସହିତ ସେଥିରେ ନଡ଼ିଆ, ଗୁଡ଼, ବାଦାମ, କାଜୁ ପକାଇ ପାଣିରେ ତାକୁ ଘାଣ୍ଟିବା । ଟାଣ ହେବାପରେ ନିଆଁକୁ କମ କରିଦେବା । ସେହି ଚାଉଳ ଘଣ୍ଟାକୁ ତା’ଉପରେ ପତ୍ର ଦେଇ ଅଙ୍ଗାର ଲଦିବା ପରେ 2 ଘଣ୍ଟା ତାକୁ ରଖିବା । ତା’ପରେ ପୋଡ଼ ପିଠା ହେବ । ଆଜି କାଲିର ଝିଅ,ବହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣନ୍ତି । ସେମାନେ ଆରିସା, କାକରା, ମାଣ୍ଡିଆ ଟିଖ୍ରୀ, ଗହମ ଖିରି, ପୋଡ଼ ପିଠା, ଲାଉ ପିଠା, ଟୋଲ ଭଜା, କରଡ଼ି ତରକାରୀ, ବହଳ ଶାଗ, ଠେଲକୋ ଫଳ, ଚେଲଗେଲା ମଡ଼ା, କଂଜେର ଶାଗ, କଲମୋ ଭାଜି, ମାଣ୍ଡିଆ ପିଠା, କୁଦୋ ଭାତ, ଗହମ ଖିରି ଇତ୍ୟାଦି ରାନ୍ଧିବା ଜାଣିଛନ୍ତି ।

ଆମ ଗାଁ’ରେ ଧାନ, ମୁଗ, ବିରି, ମାଣ୍ଡିଆ, କୁଦୋ, କପା, କୋଳଥ ଇତ୍ୟାଦି ଚାଷ କରାଯାଏ । କିନ୍ତୁ ଧାନ ଚାଷ ଅଧିକ ମାତ୍ରାରେ କରାଯାଏ । ପୂର୍ବରୁ ଲୋକମାନଙ୍କର  ଖାଦ୍ୟ ଥିଲା ମାଣ୍ଡିଆ,କୁଦୋ ଭାତ,ମହୁଲ ସିଝା । ଆମ ଗାଁ’ରେ ଛଅଶହ ଏକର ଜମି ଅଛି । ପାଞ୍ଚ ଶହ ପଚାଶ ଏକର ଜମି ଚାଷପାଇଁ ଉପଯୋଗୀ ଓ ପଚାଶ ଏକର ଜମି ଚାଷପାଇଁ ଜମି ଅନୁପଯୋଗୀ । ଗାଁ’ରେ 80 ଭାଗ ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଚାଷ ବ୍ୟତୀତ ଲୋକମାନେ ଆଉ ବଢ଼େଇ,ରାଜମିସ୍ତ୍ରୀ,ମାଳି ଆଦି କାମରେ ନିୟୋଜିତ ଅଛନ୍ତି । ଆମ ଗାଁ’ରେ ଲୋକମାନେ ବିହନକୁ ମାଠିଆ ଭିତରେ ରଖି ମାଠିଆ ଉପରେ ମାଟି ଦେଇ ବନ୍ଦ କରି ଦିଅନ୍ତି । ଆମ ଗାଁ’ରେ ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ଅଛି । ଗାଁ’ର ସମସ୍ତ ଚାଷୀ ଜଳସେଚନର ବ୍ୟବସ୍ଥାରେ ଦ୍ୱାରା ଉପକୃତ ହେଉଛନ୍ତି । ଆମ ଗାଁ’ରେ ବର୍ଷକୁ ଦୁଇ ଥର ଚାଷ କରାଯାଏ । ଗାଁ’ର ଲୋକମାନେ ରବି ଫସଲ ଓ ଖରିପ ଫସଲ ପଦ୍ଧତିରେ ଚାଷ କରନ୍ତି । ଗାଁ’ରେ ଅନେକ ପ୍ରକାରର ଫସଲର ଚାଷ କରାଯାଏ ସେଗୁଡିକ ହେଲା ଧାନ, ମୁଗ, ବିରି, କୋଳଥ, କପା ଚାଷ, ମାଣ୍ଡିଆ ଚାଷ, ରାହାଡ଼ି, ଚଣା, ଝୁଣଗା, ଚିନାବାଦାମ ଆଦି ସବୁ ଫସଲର ଚାଷ କରାଯାଏ । ଧାନ ଏକରକୁ 20 କୁଇଣ୍ଟାଲ, ବିରି ଏକରକୁ 2 କୁଇଣ୍ଟାଲ, ମୁଗ ଏକରକୁ 1 କୁଇଣ୍ଟାଲ, ମାଣ୍ଡିଆ ଏକରକୁ 3 କୁଇଣ୍ଟାଲ,  କୋଦ ଏକରକୁ 4 କୁଇଣ୍ଟାଲ ହୁଏ । ଗାଁ’ରେ ବର୍ଷକରେ ଦୁଇ ଥର ଚାଷ କରାଯାଏ । ରବି ଫସଲ ଯେମିତିକି ମୁଗ, ଧାନ, ସୂର୍ଯ୍ୟମୁଖୀ, ତରଭୁଜ, ଆଖୁ, ବିରି, ଚିନାବାଦାମ, ବାଇଗଣ ଆଦି ପନିପରିବା ଚାଷ ହୁଏ । ଖରିପ ଫସଲରେ ଧାନ, ମୁଗ, ହରଡ଼, ଚିନାବାଦାମ, କପା ଆଦି ଚାଷ କରାଯାଏ ।

ଗାଁ’ରେ ଆଗରୁ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ଋତୁ ଆଦି ଅନୁଭବ ହେଉଥିଲା । ଏବେ ଗାଁ’ରେ କେବଳ ବର୍ଷା ଋତୁ, ଶୀତ ଋତୁ, ଗ୍ରୀଷ୍ମ ଋତୁ ଅନୁଭବ ହେଉଛି । ଆଗରୁ ଗାଁ’ରେ ମଇଁଷି, ପୋଢ, ଗାଈ, ମେଣ୍ଢା, ଛେଳି ଓ କୁକୁଡ଼ା, ବଳଦ, ପାରା, ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ, ବଳଦ, ମେଣ୍ଢା, ଛେଳି, ଶୁଆ, କୁକୁଡ଼ା, କୁକୁର ସବୁ ପଶୁ ପକ୍ଷୀ ଅଛନ୍ତି ।

ଆମ ଗାଁ ପାଖରେ ଜଙ୍ଗଲ ଅଛି । ଘଞ୍ଚ ଅରଣ୍ୟ ଜଙ୍ଗଲ ଅଛି ଓ ତା’ର ନାମ ଗନ୍ଧମାର୍ଦ୍ଧନ ଜଙ୍ଗଲ । ସେ ଜଙ୍ଗଲରୁ ଲୋକମାନେ କାଠ, ପତ୍ର, ଔଷଧ, ଫଳ, ଫୁଲ, କରଡ଼ି ଫଳ, ମୂଳ ଆଦି ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରନ୍ତି । ଆମ ଗାଁ’ରେ ବରଗଛ, ତାଳ ଗଛ, ତେନ୍ତୁଳି ଗଛ, ଆମ୍ବ ଗଛ, ପଣସ ଗଛ, ପଇଡ଼ ଗଛ, ବରକୋଳି ଗଛ, ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ହରିଡ଼ା ଗଛ, ପିଜୁଳି ଗଛ ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଗାଁ’ରେ ପୂର୍ବରୁ ସାଲିହା ଗଛ, ରେଙ୍ଗାଲ ଗଛ, ବିଜା ଗଛ, ଶିଶୁ ଗଛ ଥିଲା ଯାହା ଏବେ ଦେଖାଯାଉନାହିଁ । କେତେବର୍ଷ ତଳେ ଆମ ଗାଁ’ରେ ମରୁଡି ହୋଇଥିଲା ।

ଜେଜେ ମା’,ଜେଜେ ବାପା’ଓ ତାଙ୍କ ବୟସର ଲୋକମାନେ ତାଙ୍କ ସମୟରେ ଗାଁ’ର ଲୋକମାନେ ନଦୀ, ପୋଖରୀରୁ ପାଣି ଆଣି ପିଇବା ପାଇଁ ବ୍ୟବହାର କରୁଥିଲେ, ତାଙ୍କ ସମୟରେ ପକ୍କା ଘର ନ ଥିଲା । ମାଟି,ଚାଳ ଛପରର ଘର ଥିଲା । ରାସ୍ତାଘାଟ ଗୁଡିକ ମଧ୍ୟ ଭଲ ନ ଥିଲା । ଗୋଟିଏ ଗାଁ’ରୁ ଅନ୍ୟ ଗାଁ’କୁ ଯିବା ଆସିବା ପାଇଁ ହେଲେ ଲୋକେ ଚାଲି ଚାଲି କିମ୍ବା ଶଗଡ଼ ଗାଡ଼ିରେ ଯିବା ଆସିବା କରୁଥିଲେ । ସେତେବେଳେ ବିଦ୍ୟାଳୟ ନ ଥିଲା ଚାଟଶାଳୀ କିମ୍ବା ଆଶ୍ରମରେ ରହି ପିଲାମାନେ ପାଠ ପଢୁଥିଲେ । ଗାଁ’ରେ କମ ସଂଖ୍ୟକ ଲୋକ ବସବାସ କରୁଥିଲେ । ଗାଁ’ର ଲୋକମାନେ ଶିକ୍ଷିତ ନ ଥିଲେ । ସେତେବେଳେ ଝିଅମାନଙ୍କୁ ପାଠ ନ ପଢାଇ କମ ସମୟରେ ବିବାହ କରିଦେଉଥିଲେ । କିନ୍ତୁ ଏବେ ଗାଁ’ରେ ସମସ୍ତଙ୍କ ଘର ଛାତ ଘର ହେଲାଣି । ଏବେ ଗାଁ’ରେ ଭଲ ବିଦ୍ୟାଳୟ ଅଛି ପିଲାମାନେ ଭଲ ପାଠ ପଢୁଛନ୍ତି । ଗାଁ’ର ରାସ୍ତା ଗୁଡିକ ମଧ୍ୟ ଭଲ ଅଛି । ଏବେ ଲୋକେ ଯିବା ଆସିବା ପାଇଁ ବାଇକ, କାର ବ୍ୟବହାର କରୁଛନ୍ତି । ଏବେ ଗାଁ’ରେ ଅଧିକ ସଂଖ୍ୟକ ଲୋକ ବସବାସ କରନ୍ତି । ଗାଁ’ରେ ଶିକ୍ଷିତ ବ୍ୟକ୍ତି ଅଛନ୍ତି । ଗାଁ’ର ଏବେ ବହୁତ ଉନ୍ନତି ହେଉଛି । ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି ଆଗରୁ ୩୫ଭାଗ ଚାରଣ ଭୂମି ଥିଲା ଏବଂ ଏବେ୩୦ ଭାଗ ଚାରଣ ଭୂମିକୁ ଲୋକମାନେ ଚାଷ କରୁଛନ୍ତି । ଏଥିପାଇଁ ଚାରଣ ଭୂମି କମ ହୋଇଗଲାଣି । ଚାଷୀମାନେ ଚାରଣ ଭୂମିରେ ଚାଷ କରି ପେଟ ପୋଷୁଛନ୍ତି। ଆମ ଗାଁ’ର ପଞ୍ଚାୟତରେ ହାଟ ବଜାର ଅଛି । ସପ୍ତାହକୁ ଗୋଟିଏ ଥର ଓ ଶନିବାର ଦିନ ହାଟ ବସେ । ଆମ ଗାଁ’ରୁ ମୁଗ, ବିରି, ଚିନାବାଦାମ, ଶାଗ ଇତ୍ୟାଦି ପନିପରିବା ବିକ୍ରୟ ପାଇଁ ହାଟ/ବଜାରକୁ ଯାଏ । ଗାଁ ଲୋକେ ହାଟ/ବଜାରରୁ କପଡା, ଚପଲ, ପନିପରିବା, ମସଲା, ମାଠିଆ, ବାସନକୁସନ, ପେଣ୍ଟ -ସାଟ , ବହି ପତ୍ର ଇତ୍ୟାଦି କିଣନ୍ତି । ଆମ ଗାଁ’ରେ ଛୋଟ ବେପାରୀ ଅଛନ୍ତି । ଆମ ଗାଁ ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା ୩ ରୁ ୪ ଭିତରେ ହେବେ । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ବିକ୍ରି କରାଯାଉଥିବା ଲାଭବାନ ଦ୍ରବ୍ୟ ଗୁଡିକ ହେଲା -ମାଛ, ମହୁଲ, ଆମ୍ବ, ମୁଗ, ବିରି, ପିଜୁଳି, ଝାଡୁ, ପନିପରିବା, ବହିପତ୍ର, ଜଳଖିଆ ଇତ୍ୟାଦି । ଆମ ଗାଁ ଲୋକଙ୍କୁ  ଭଲ ଭଲ ପୋଷାକ, ବାସନକୁସନ କିଣିବାକୁ ହେଲେ ଦୁରକୁ ଯିବାକୁ ପଡେ । ଗାଁ ହାଟ/ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ ଯେମିତିକି ସରସ୍ୱତୀ, ଗଣେଶ ମୂର୍ତ୍ତି । ଆମ ଗାଁ ହାଟରେ ପୁଷ୍ଟିଶଷ୍ୟ କୁଦ, ଗୁଞ୍ଜି, ମାଣ୍ଡିଆ, ମୁଗ, ବିରି ଆଦି ମିଳେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ଖାଦ୍ୟ ବଜାରରେ ମିଳେ ଯେମିତିକି ମାଣ୍ଡିଆ ଚା’, ମାଣ୍ଡିଆ ବରା । ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଦ୍ରବ୍ୟର ନାମ ହେଲା -ଫଳ, ପିଜୁଳି, ଆମ୍ବ, ଆତ, ମହୁଲ, ଟୋଲ, ବାଉଁଶର କରଡ଼ି, ଦାନ୍ତ କାଠି ଇତ୍ୟାଦି । ଆମ ଗାଁ ହାଟ/ବଜାରକୁ ବେପାରୀ ଆସି କିଣା ବିକା କରନ୍ତି । ଏମାନେ ମାଠିଆ, ପାତୁଳ, ବାସନକୁସନ, ଝାଡୁ, କାଠି, ରେଙ୍ଗାଲ ପତ୍ର, ମୁଗ, ବିରି, କୋଳଥ, ଚିନାବାଦାମ, ପନିପରିବା, ପୋଷାକ ଆଦି କିଣନ୍ତି ।  ଗାଁ’ର କ୍ଷୁଦ୍ର ବ୍ୟବସାୟୀ ଗାଁ’ର ଲୋକମାନଙ୍କୁ କମ ଦାମରେ ଜିନିଷ ମଧ୍ୟ ଦେଇ କିଛି ପଇସା ଅପେକ୍ଷା ମଧ୍ୟ କରିଥାନ୍ତି । ଗାଁ’ର ବ୍ୟବସାୟୀ ଲୋକମାନଙ୍କୁ ଅନେକ ସାହାଯ୍ୟ କରିଥାନ୍ତି । ଗାଁ’ର କ୍ଷୁଦ୍ର ବ୍ୟବସାୟୀ ପାଖକୁ ଲୋକେ ଅଧିକ କିଣିଥାନ୍ତି । ବାହାରୁ ଆସୁଥିବା ବେପାରୀ ଜିନିଷ ଗୁଡିକ ଅଧିକ ମାତ୍ରାରେ ବିକ୍ରି କରନ୍ତି ଏବଂ ନଗଦ ପଇସା ନେଇଥାନ୍ତି ।

ସମସ୍ୟା:

ସ୍ୱାସ୍ଥ୍ୟ

ଆମ ଗାଁ’ର ଲୋକମାନଙ୍କଠାରେ ବ୍ଲଡ଼ ପ୍ରେସର ଓ ସୁଗାର ରୋଗ ଅଧିକ ମାତ୍ରାରେ ଦେଖାଯାଏ । ଗାଁ’ରେ ଲୋକମାନେ ଅସୁସ୍ଥ ହେଲେ ଡାକ୍ତର ଖାନା ଯାଇଥାନ୍ତି । ଆମ ଗାଁ ଲୋକଙ୍କୁ ଜଳବାହିତ ରୋଗ ଯେମିତିକି ଯାଦୁ,କାଛୁକୁଣ୍ଡିଆ ଦେଖାଯାଏ । ଜଣ୍ଡିସ ଓ ଶିକିଲିଙ୍ଗି ଆଦି ରକ୍ତ ହୀନତା ରୋଗ ମଧ୍ୟ ଦେଖାଯାଏ । ଅନେକ ଭିଟାମିନ ଅଭାବ ଜନିତ ରୋଗ ଯେମିତିକି ପୋଲିଓ, ଅନ୍ଧାରକଣା, B ବେରି ବେରି, C ସ୍କର୍ଭି, ମିଳିମିଳା ଆଦି ରୋଗ ଦେଖାଯାଏ । ଆମ ଗାଁ ଲୋକଙ୍କୁ ବିଭିନ୍ନ ପୁଷ୍ଟିହୀନତା ରୋଗ ଦେଖାଯାଏ ଯେମିତିକି ଅନ୍ଧାରକଣା, ମାରାସମସ, କ୍ୱାସିଓକର ଆଦି ରୋଗ ଦେଖାଯାଏ । ଆମ ଗାଁ/ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ଅଛି । ଆମ ଗାଁ’ଠାରୁ ସ୍ୱାସ୍ଥ୍ୟସେବା କେନ୍ଦ୍ରଟି ୨ କି.ମି ଦୂରରେ ଅଛି। ଗାଁ’ରେ ଲୋକଙ୍କର ଦେହ ଖରାପ ହେଲେ ସମସ୍ତେ ଡାକ୍ତର ଖାନାକୁ ଯାଆନ୍ତି । ପ୍ରସୂତି ପାଇଁ ଅଧିକ ଲୋକ ଡାକ୍ତରଖାନାକୁ ଯାଇଥାନ୍ତି । ଆମ ଗାଁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ପରିମଳ ଯୁକ୍ତ ଗାଁ’ ହେଇଛି ।  ପୂର୍ବରୁ ଗାଁ’ରେ ହଇଜା, ହାଡଫୁଟି, ଯକ୍ଷ୍ମା, ମ୍ୟାଲେରିଆ, ଟାଇଫଏଡ, ଡାଇରିଆ, ମହାମାରୀ ରୋଗ ଆଗରୁ ଅଧିକ ମାତ୍ରାରେ ଦେଖାଯାଉଥିଲା । ଏବେ ଆଉ ଦେଖାଯାଉନାହିଁ । ଆମ ଗାଁ ସବୁବେଳେ ପରିସ୍କାର ପରିଚ୍ଛନ୍ନ ରହେ । ଏହାକୁ ଗାଁ’ର ଯୁବକମାନେ ପରିସ୍କାର ପରିଚ୍ଛନ୍ନ କରିଥାନ୍ତି । ଆମ ଗାଁ’ରେ ଏସ.ଏସ.ଜି ମା’ମାନେ ମଧ୍ୟ ପରିଷ୍କାର କରିଥାନ୍ତି । ଆମ ଗାଁ’ରେ ନିଜ ନିଜ ଘରର ଆଖପାଖରେ ଥିବା ଅଳିଆ ଆବର୍ଜନାକୁ ମା’ମାନେ ସଫା କରିଥାନ୍ତି । ନାଳ ନର୍ଦ୍ଧମାକୁ ଗାଁ’ର ଯୁବକମାନେ ସଫା କରିଥାନ୍ତି । ଗାଁ’ର ଗାଁ କଲ୍ୟାଣ ଫାଣ୍ଡିରେ ଜମା ଥିବା ପଇସାକୁ ନେଇ ଶ୍ରମିକଙ୍କ ଦ୍ୱାରା ଗାଁ’ର ଚାରିଆଡେ ଥିବା ନାଳ ନର୍ଦ୍ଧମା, ଅଳିଆ ଆବର୍ଜନାକୁ ସଫା କରାଯାଏ । ବର୍ଷା ହେଲେ ମଶା ମାଛିରୁ ରକ୍ଷା ପାଇବାପାଇଁ ଗାଁ’ରେ ଲୋକମାନେ ମଶାରୀ ବ୍ୟବହାର କରନ୍ତି ଓ ମଶାରୁ ରକ୍ଷା ପାଇଁ ଘରରେ D.D.T ସ୍ପ୍ରେ କରିଥାନ୍ତି । ଘରର ଆଖ ପାଖରେ ପାଣି ଜମିବାକୁ ଦିଅନ୍ତି ନାହିଁ । ଯଦି ଘରର କେଉଁ ଠାରେ ପାଣି ଜମି ଥିଲେ ତାକୁ ସଫା କରନ୍ତି । ଘରର କୂଅର କିମ୍ବା ମାଠିଆରେ ପାଣି ଜମିବାକୁ ଦିଅନ୍ତିନାହିଁ । ଯଦି ପାଣି ଜମି ରହିଥିଲେ ତାକୁ ସଫା କରିଥାନ୍ତି,ଖାଲ,ଖମ୍ବ ପୋତି ଦିଅନ୍ତି । ଘରର ଚାରିଆଡେ ସଫା ରଖିଥାନ୍ତି । ଲଟା, ଘାସକୁ କାଟିବା । ପରିବେଶ ସଫା ରଖିବା । ଗାଁ’ରେ ଲୋକମାନେ କିଛି ନୂଆ ରୋଗରେ ଏବେ ଆକ୍ରାନ୍ତ ହେଉଛନ୍ତି ଯେମିତିକି ଟି.ବି, ପୋଲିଓ, ଡେଙ୍ଗୁ, କ୍ୟାନସର, ଷ୍ଟୋନ, ସିକଲିନ, ଜଣ୍ଡିସ, ବ୍ଳଡ଼ପେସର, ସୁଗାର, ବାତ, ଝାଡାବାନ୍ତି ଆଦି ରୋଗରେ ଏବେ ଗାଁ ଲୋକେ ଆକ୍ରାନ୍ତ ହେଉଛନ୍ତି ।

ଜୀବନ ଜୀବିକା

ଆମ ଗାଁ’ରେ କେତେ ଲୋକ କାମ ନପାଇ ବାହାରକୁ ଚାଲିଯାଉଛନ୍ତି  । ପାଖାପାଖି ୪୦ ରୁ ୫୦ ଲୋକ କାମ ନ ପାଇ ବିଦେଶକୁ ଚାଲିଯାଇଛନ୍ତି । ସେମାନେ ତାମିଲନାଡୁ, ଗୁଜୁରାଟ, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ରାଜସ୍ଥାନ, କଟକ, ଆନ୍ଦ୍ରପ୍ରଦେଶ, ଦିଲ୍ଲୀ, ବେଙ୍ଗଲୋରକୁ ଯାଉଛନ୍ତି । ସେମାନେ ସେଠି କଳକାରଖାନାରେ କପଡା ବୁଣିବା, ପାଉଁରୁଟି, ବିସ୍କୁଟ, ମିକଚର, ସାବୁନ, ସାମ୍ଫୁ ପ୍ୟାକିଙ୍ଗ କାମ କରନ୍ତି । ଏହାଦ୍ୱାରା ଚାଷ କ୍ଷେତ୍ରରେ ବହୁତ ଖରାପ ପ୍ରଭାବ ପଡୁଛି । ଏହାଦ୍ୱାରା ଚାଷ ଭଲ ହୋଇପାରୁନାହିଁ ।

ଅଜିବି ଆମ ଗାଁ’ରେ ଲୋକଙ୍କର ଅନେକ ଅସୁବିଧା ହେଉଛି, ଯେମିତି ରାସ୍ତାଘାଟ ଗୁଡିକ ମରାମତି ହୋଇପାରୁନାହିଁ । ସେଥିପାଇଁ ଲୋକମାନଙ୍କୁ ଅସୁବିଧା ହେଉଛି । ବର୍ଷାଦିନେ ବର୍ଷା ହେଉଥିବାରୁ ରାସ୍ତାଘାଟ କାଦୁଅ ହେଉଛି ଓ ଲୋକ ମାନଙ୍କର ଯିବା ଆସିବା ଅସୁବିଧା ହେଉଛି । ଆମ ଗାଁ’ରେ ଘର ଗୁଡିକ ମାଟିରେ ତିଆରି ହୋଇଥିବାରୁ ଲୋକମାନଙ୍କର ରହିବା ପାଇଁ ଅସୁବିଧା ହେଉଛି । ଆମ ଗାଁ’ରେ ନଳକୂପ କମ ଥିବାରୁ ଲୋକମାନଙ୍କର ପାଣି ପିଇବା ପାଇଁ ଅସୁବିଧା ହେଉଛି । ବର୍ତ୍ତମାନ ସମସ୍ତ ଲୋକ ମାନଙ୍କର ରାସନ କାର୍ଡ ନଥିବାରୁ ଚାଉଳ, ଗହମ ପାଇବା ପାଇଁ ଅସୁବିଧା ହେଉଛି । ଆମ ଗାଁ’ରେ ବର୍ତ୍ତମାନ ବିଦ୍ୟାଳୟ ଦୂରରେ ଥିବାରୁ ପିଲାମାନଙ୍କର ଯିବା ଆସିବା ପାଇଁ ଅସୁବିଧା ହେଉଛି । ବର୍ତ୍ତମାନ ଆମ ଗାଁ’ରେ ବୃଦ୍ଧଜୀବି ମାନଙ୍କୁ ଭତ୍ତା ପଇସା ନ ମିଳିବାରୁ ସେମାନଙ୍କୁ ବହୁତ ଅସୁବିଧା ହେଉଛି ।

Share This Article
Student
Exit mobile version