ପଦ୍ମଜ ପାଳଙ୍କ ଉପନ୍ୟାସରେ ବୈପ୍ଲବିକ ଚିନ୍ତାଧାରା

ଭରଦ୍ଵାଜ ସାହୁ 576 Views
37 Min Read

ଆଜିର ଯୁଗ ହେଉଛି ଜ୍ଞାନ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯୁଗ । ସମ୍ପ୍ରତି ସମାଜରେ ମଣିଷର ଉନ୍ନତି ସହ ମଣିଷର ଚିନ୍ତା ଚେତନାରେ ବୃଦ୍ଧି ଓ ବିକାଶର ଅଗ୍ରଗତି ହେବାରେ ଲାଗିଛି । ବିଶ୍ଵର ପ୍ରତିଟି କୋଣ ଅନୁକୋଣରେ ବିବିଧ ପରୀକ୍ଷା-ନିରୀକ୍ଷା ଚାଲିଛି । ଫଳତଃ ସାମାଜିକ ଜୀବନ ଧାରାରେ ତା’ର କ୍ରିୟା-ପ୍ରତିକ୍ରିୟାର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୁଏ । ସମାଜରେ ଉନ୍ନତି ତଥା ପ୍ରଗତି ହେବା ସତ୍ତ୍ଵେ ତଥାପି କେତେକ ଅନ୍ଧବିଶ୍ଵାସ ଓ କୁସଂସ୍କାର ଆଜି ମଧ୍ୟ ଗ୍ରାମାଞ୍ଚଳରେ ପ୍ରଚଳିତ ଥିବା ଦୃଷ୍ଟିଗୋଚର ହୋଇଥାଏ । ସାମାଜିକ ବିଧି ବ୍ୟବସ୍ଥାରେ ନିହିତ କୁ-ପ୍ରଥା ଉପରେ ବୈପ୍ଲବିକ ସ୍ବର ଉଠାଇ, ବାସ୍ତବିକ ଜୀବନର ବହୁବିଧ ସମସ୍ୟାକୁ ଔପନ୍ୟାସିକ ପଦ୍ମଜ ପାଳ ତାଙ୍କ ଉପନ୍ୟାସମାନଙ୍କରେ ଦର୍ଶାଇଛନ୍ତି ।

ପଦ୍ମଜ ପାଳଙ୍କ ଉପନ୍ୟାସରେ ସାମ୍ୟବାଦ, ସ୍ଵାଧୀନତା, ଗାନ୍ଧୀବାଦୀ ଭାବଧାରା ଓ ମାନବିକ ମୂଲ୍ୟବୋଧକୁ ଆଧାର କରି ବିପ୍ଳବର ସ୍ଵର ନିରୂପଣ କରିହୁଏ । ଯାବତୀୟ ପାରମ୍ପରିକ ଧର୍ମବିଚାର, ନିୟମନିଷ୍ଠା, ସାମାଜିକ ଓ ନୈତିକ ଶୃଙ୍ଖଳା ବିପକ୍ଷରେ ସେ ବିଦ୍ରୋହର ସ୍ଵର ଶୁଣାଇଛନ୍ତି । ଲେଖକଙ୍କ ଉପନ୍ୟାସରେ ବିପ୍ଳବର ସ୍ଵର କେତେବେଳେ ଫ୍ରଏଡୀୟ ଯୌନ ମନସ୍ତତ୍ତ୍ଵ ଉପରେ ଆଧାରିତ ତ ପୁଣି କେତେବେଳେ ମାର୍କସୀୟ ସାମ୍ୟବାଦୀ ଭାବନରେ ସମୃଦ୍ଧ ପୁଣି କେତେବେଳେ ନାରୀ ଜାଗରଣ ସ୍ଵର ସଫଳ ଭାବରେ ରୂପାୟିତ । ଏ ପରିପ୍ରେକ୍ଷୀରେ ଔପନ୍ୟାସିକଙ୍କ ମନ୍ତବ୍ୟକୁ ଉଦ୍ଧାର କରାଯାଇପାରେ ‘‘ମେହନତୀ, ଖଟିଖିଆ ମଣିଷର ଅସହାୟତା ମୋତେ ପ୍ରଭାବିତ କରେ । ମୋର ପାରିପାର୍ଶ୍ଵିକ ଅବସ୍ଥା ତଥା ମୋ ଚାରି କଡ଼ରେ ବଞ୍ଚୁଥିବା ଗରିବ ଶ୍ରେଣୀର ଲୋକଙ୍କ ଜୀବନ ଧାରା, ଉଜୁଡି ଯାଉଥିବା ପରିସ୍ଥିତି ମୋତେ ଗଭୀର ଭାବରେ କଷ୍ଟ ଦିଏ। ଯାହା କବଳରୁ ମୁଁ ରକ୍ଷା ପାଏନା । ମୁଁ ସେମାନଙ୍କର ସାମ୍ନାରେ ରହିପାରେନା । ସେମାନଙ୍କ ପ୍ରତି ସରକାରୀ ଦୃଷ୍ଟିକୋଣ ଗ୍ରହଣ କରିପାରେନା । ମୋତେ ସେ ଆଚରଣ ଭାରି କଷ୍ଟ ଦିଏ । ଗୋଟିଏ ଅଞ୍ଚଳର ପରମ୍ପରା, ତତ୍କାଳୀନ ସାମାଜିକ ଚଳଣି ମୋତେ ଦୃଢ଼ ଭାବରେ ଘେରି ରହିଛି, ଏସବୁ ମୋତେ ଧାରଣ କରିଛନ୍ତି ମଧ୍ୟ ।’’୧

ସମାଜ ସଂସ୍କାରରୁ ସମାଜ ବିପ୍ଳବ ‘ଦୁର୍ଗ ପତନର ବେଳ’ ଉପନ୍ୟାସଟିର ଗତି ଓ ପରିଣତି । ଏହି ଉପନ୍ୟାସଟି ମାର୍କ୍ସବାଦୀ ଓ ବାସ୍ତବବାଦୀ ଭାବାବେଗ ଦୃଷ୍ଟିରୁ ବିପ୍ଳବର ସ୍ଵର ଦେଖିବାକୁ ମିଳେ । ପାଳଙ୍କ ଉକ୍ତ ଉପନ୍ୟାସରେ ସମାଜ ସଚେତନତା କେବଳ ନାୟକ ନାୟିକାମାନଙ୍କ ସାମାଜିକ ସମସ୍ୟା, ସଂକଟର ଚିତ୍ର ପ୍ରଦାନ ମଧ୍ୟରେ ସୀମାବଦ୍ଧ ନୁହେଁ, ସମସ୍ୟା ଓ ସଂକଟର ସମାଧାନ ତାଙ୍କର ଏହି ସମାଜ- ଦର୍ଶନ ଦୁଇଟି ସ୍ତର ଦେଇ ଗତି କରିଥାଏ । ଉପନ୍ୟାସର ପ୍ରଥମ ସ୍ତରରେ ଲେଖକ ବାସ୍ତବବାଦୀ ଦୃଷ୍ଟିରୁ ବିପ୍ଳବର ସ୍ଵର ଫୁଟାଇଛନ୍ତି । ସୁମନପୁର ଗ୍ରାମବାସୀଙ୍କର ଦାରିଦ୍ର‌୍ୟ ଓ ଦୁର୍ଦ୍ଦଶା ବର୍ଣ୍ଣିତ ହେବା ସହିତ ଓଡ଼ିଆ ଲୋକଙ୍କ ଜୀବନକୁ ବିପନ୍ନ କରିଥିବା ଅନ୍ଧ ବିଶ୍ଵାସ ଓ କୁସଂସ୍କାର ଭଳି ସାମାଜିକ ପ୍ରଥା ପରମ୍ପରା ବିରୁଦ୍ଧରେ ତାଙ୍କର ସ୍ଵର ଉତ୍ତୋଳନ କରିଛନ୍ତି । ଲେଖକ ଏହି ଉପନ୍ୟାସରେ କେତେବେଳେ ଜାତି ପ୍ରଥା ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ତ କେତେବେଳେ ଯୌତୁକ ପ୍ରଥା ଉପରେ ବାସ୍ତବିକ ଅଭିମତ ରଖିଛନ୍ତି । ଆଧୁନିକ ସମୟରେ ମଧ୍ୟ ଶିକ୍ଷାର ଅଭାବ କାରଣରୁ ସମାଜରେ ଜାତିପ୍ରଥା ଗ୍ରାମାଞ୍ଚଳରେ ବଡ଼ ସମସ୍ୟା ରୂପରେ ପ୍ରତିଭାତ ହୋଇଆସୁଛି । ଗାଁ ମାନଙ୍କରେ କିଭଳି ନିମ୍ନଜାତିର ଲୋକଙ୍କୁ ଅସ୍ପୃଶ୍ୟତା କହି ଶୋଷଣ କରୁଥିଲେ ତାହା, ‘ଦୁର୍ଗ ପତନର ବେଳ’ ଉପନ୍ୟାସରେ ବେଶ୍ ଅନୁମେୟ ହୁଏ । ବାବାଜୀ ଭୋଇର ଝିଅ କୁନି କୂଅଟିରୁ ପାଣି ଆଣିଲା ବୋଲି ଗାଁରେ ଏ ଖବର ଚହଲିଗଲା, “ଗାଁରେ ସେ ଦିନ ନିଶାପ ବସିଲା । ଧର୍ମ-ଅଧର୍ମ କଥା ଉପରେ ଗଭୀର ଆଲୋଚନା ହେଲା । ମୁରବୀମାନେ-ଫଇସଲା କଲେ ବାବାଜୀ ଭୋଇ ଜରିମାନା ଦେବ, ସେହି ଟଙ୍କାରେ କୂଅ ପୁଣି ପ୍ରତିଷ୍ଠା କରାହେବ, ଶୁଦ୍ଧପୁତ କରାହେବ ଅବଶିଷ୍ଟ ଟଙ୍କାରେ ସାହାଡ଼ା ସୁନ୍ଦରୀଙ୍କ ମଣ୍ଡପକୁ କରାଯିବ ପଲସ୍ତରା ।”୨ ଔପନ୍ୟାସିକ ଶିକ୍ଷିତ ଯୁବକ ଯୁବତୀ ଜରିଆରେ ଉପନ୍ୟାସରେ ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଦ୍ଵାରା ଗାଁର ରୂଢିବାଦୀ ଓ ପରମ୍ପରାବାଦୀ ଅତ୍ୟାଚାରୀ ଲୋକଙ୍କ କବଳରୁ ବାବାଜୀ ଭୋଇ ମୁକ୍ତି ପାଇଲା । ସମାଜରେ ଅନ୍ଧବିଶ୍ୱାସ-କୁସଂସ୍କାର, ଜାତିପ୍ରଥା ପରି ଯୌତୁକ ପ୍ରଥା ମଧ୍ୟ ଏକ ବଡ଼ ସମସ୍ୟା ହୋଇରହିଛି । ଉପନ୍ୟାସର ମୁଖ୍ୟ ନାୟକ ସତ୍ୟ ଚରିତ୍ର ଏକ ସାମାଜିକ ଶକ୍ତି । ସେ ସମାଜରେ ଏହି ସଂକୀର୍ଣ୍ଣ ବିଚାରବୋଧର ପରିସମାପ୍ତି ପାଇଁ ତା ଆଖିଆଗରେ ଘଟୁଥିବା ଅନ୍ୟାୟ ଅତ୍ୟାଚାରକୁ ସହ୍ୟ କରି ନାହିଁ । ଏକ ନୂତନ ସୁସ୍ଥ ସମାଜ ଗଠନ ପରିକଳ୍ପନା କରିଛି । ତା ମୁଖ ମାଧ୍ୟମରେ ଲେଖକ ସଫଳ ରୂପେ ବିପ୍ଳବର ସ୍ଵରକୁ ଫୁଟାଇ ପାରିଛନ୍ତି । ଏହିପରି – “ଯୌତୁକ ସମାଜକୁ ରୁଗ୍‌ଣ କରୁଛି । ଢୋକେ ପିଇ ଦଣ୍ଡେ ଜୀଉଁଥିବା ଲୋକଙ୍କୁ ସର୍ବସ୍ୱାନ୍ତ କରି ପକାଉଛି, ଆଉ ଯେଉଁ ଝିଅମାନେ ସମାଜର ଭୟ ନିନ୍ଦାକୁ ଡରି ମରୁଛନ୍ତି ସେମାନେ ପରିବାରରେ ଗୋଟିଏ ଗୋଟିଏ ଅସହଣୀ ସମସ୍ୟା ପାଲଟି ଯାଉଛନ୍ତି । ତାଙ୍କୁ କେନ୍ଦ୍ରକରି ପୁଣି ଘଟୁଛି ନାନାଦି ଦୁର୍ଘଟଣା ବିଡ଼ମ୍ବନା ।”୩

ପଦ୍ମଜ ପାଳଙ୍କ ଦୁର୍ଗ ପତନର ବେଳ ଉପନ୍ୟାସର ଦ୍ଵିତୀୟ ସ୍ତରରେ ଲେଖକଙ୍କ ମାର୍କ୍ସବାଦ ଦୃଷ୍ଟିରୁ ବିପ୍ଳବର ସ୍ଵର ଫୁଟି ଉଠେ । ଏଥିରେ ବ୍ୟାପୀ ରହିଥିବା କୃଷକ ଓ ଶ୍ରମିକ ଅର୍ଥନୈତିକ ବୈଷମ୍ୟ ଓ ସାମାଜିକ ଅସମାନତା ଦୂରୀକରଣ ପାଇଁ ପ୍ରତିରୋଧର ରାଜନୀତି ସ୍ଥାନ ପାଇଛି । ଔପନ୍ୟାସିକ ଉପଲବ୍ଧି କରିଛନ୍ତି ଯେ ପ୍ରକୃତରେ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଛାଡ଼ିଦେଲେ ଦେଶକୁ ପରିକଳ୍ପନା କରିବା ଅସମ୍ଭବ । କାରଣ, ଦେଶର ୮୫ ଭାଗ ଲୋକ କୃଷକ ଓ ଶ୍ରମିକ । ଏମାନେ ଖରା-ବର୍ଷା-ଶୀତ ସହ୍ୟକରି ଅକ୍ଳାନ୍ତ ପରିଶ୍ରମ କରି ଦେଶକୁ ଚଳାଉଛନ୍ତି, ଖାଦ୍ୟ ଯୋଗାଉଛନ୍ତି । ଅଥଚ, ସମାଜରେ ଏମାନଙ୍କର ସମ୍ମାନ ନାହିଁ, ମର୍ଯ୍ୟାଦା ନାହିଁ ଓ ଭବିଷ୍ୟତ ନାହିଁ । ବଡ଼ ବିଡ଼ମ୍ବନାର ବିଷୟ । ପଦ୍ମଜ ପାଳଙ୍କ ‘ଦୁର୍ଗ ପତନର ବେଳ’ ଉପନ୍ୟାସଟି ଉକ୍ତ ଭାବଧାରାକୁ ନେଇ ଲେଖାଯାଇଅଛି । ନାୟକ ସତ୍ୟ ଚରିତ୍ର ମାଧ୍ୟମରେ ଏକ ଚାଷୀ ପୁଅର ଆତ୍ମିକ ବିପ୍ଳବର ସ୍ଵରକୁ ଲେଖକ ଦର୍ଶାଇଛନ୍ତି-“ମୋତେ ଲାଗୁଛି- ସାମାନ୍ୟ ଗୋଟିଏ ଚାଷୀର ପୁଅ ମୁଁ । ବଂଶାନୁକ୍ରମରେ ଗୋଟିଏ ଚାଷୀ । ସମାଜରେ ଯାହାର ସମ୍ମାନ ନାହିଁ, ମର୍ଯ୍ୟାଦା ନାହିଁ, ଭବିଷ୍ୟତ ନାହିଁ – ଅଛି କେବଳ ନିଷ୍ପେସିତ ରୁଗ୍‌ଣ ବର୍ତ୍ତମାନ । ଅଥଚ ଏଇ ଚାଷୀମାନେ ଏ ଦେଶର ମେରୁଦଣ୍ଡ । ଅତୀତ ଆଉ ଭବିଷ୍ୟତ । ଏଇମାନଙ୍କ ନାଁରେ ଏ ଦେଶକୁ ଚିହ୍ନିହୁଏ । ଏହା ଏକ କୃଷି ପ୍ରଧାନ ଦେଶ । ଏହାର ପଞ୍ଚାଅଶୀ ଭାଗ ଲୋକ କୃଷକ । ଅଥଚ, ସେଇ କୃଷକ ଏ ଦେଶର ଅବହେଳିତ! ଆପାଙ୍‌କ୍ତେୟ ।”୪ ନିଜେ ଲେଖକ ସ୍ଵୀକାର କରି କହିଛନ୍ତି ‘‘ମୁଁ ସବୁବେଳେ ଗୋଟେ ସାମାଜିକ ବ୍ୟବସ୍ଥାକୁ ଦେଖାଇଦେବାକୁ ରହିଛି ଯେ, କିଭଳି ଅବସ୍ଥାରେ ଆମେ ସବୁ ବଞ୍ଚୁଛୁ ଓ ବଞ୍ଚିବୁ ସେଇଠୁ । ଆମକୁ ବାହାରିବାକୁ ପଡ଼ିବ । ଏହା ମାର୍କ୍ସଙ୍କ ଦ୍ଵାରା ବିଭାଜିତ ଦୁଇଟି ବିଭାଗରେ haves and have-not’sରେ ବିଭାଜିତ । haves-  ଥିଲାବାଲା (Rich class) have-nots – ଶୋଷିତ ଶ୍ରେଣୀ(poor class) । ବୁର୍ଜୁଆ, ପ୍ଲୋରେଟୋରିଏଟ୍, ଫ୍ଲୋରେଟୋରିଏଟ୍‌ଙ୍କୁ ମାର୍କସ ଆହ୍ଵାନ ଦେଇ କହିଲେ; You have nothing to lose but your chain. ଏହାହିଁ ଗୁରୁତ୍ଵପୂର୍ଣ୍ଣ ଏବଂ ପ୍ରତିରୋଧକାରୀ ।’’ ୫

କୃଷକ ଶ୍ରମିକମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ସ୍ବର ଉତ୍ତୋଳନ ପାଳଙ୍କ ଉପନ୍ୟାସର ମୁଖ୍ୟ ପ୍ରସଙ୍ଗ । ଏ ଦେଶରେ ଶାସନ କଳରେ ଥିବା କିଛି କର୍ମଚାରୀ, ବ୍ୟବସାୟୀ, କଣ୍ଟ୍ରାକ୍ଟର, ଶିଳ୍ପପତି, ରାଜନୀତି କରୁଥିବା ଗୋଷ୍ଠୀ ଏବଂ ଆଜି କାଲିର ଏକ ନୂତନ ସମ୍ପ୍ରଦାୟ –ଗୁଣ୍ଡା ବଦମାସ ଏ ଦେଶକୁ ନିୟନ୍ତ୍ରଣ କରୁଛନ୍ତି । ନିଜର ସ୍ଵାର୍ଥ ପାଇଁ ନିର୍ଲଜ୍ଜ ଓ ଅମାନବିକ ଭାବେ ଦେଶର ଚାଷୀ–ମୂଲିଆକୁ ଶୋଷଣ କରୁଛନ୍ତି । ବ୍ୟକ୍ତିଗତ ଜୀବନରୁ ଶିକ୍ଷା ହାସଲ କରି ସାମୂହିକ ସ୍ଵାର୍ଥରେ ନିଜକୁ ନିୟୋଜିତ କରିଦେବାରେ ପଦ୍ମଜ ପାଳଙ୍କ ଉପନ୍ୟାସର ଚରିତ୍ରମାନେ ବେଶ୍ ସମର୍ଥ ହୋଇ ପାରିଛନ୍ତି । ଚରିତ୍ରମାନେ ନିଜକୁ ଚିନ୍ହିଛନ୍ତି, ଜାଣିଛନ୍ତି, ପରେ ନିଜକୁ ନିଜ ସମସ୍ୟା ସହିତ ସାମୂହିକ ସମସ୍ୟା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି । ‘ଦୁର୍ଗ ପତନର ବେଳ’ ଉପନ୍ୟାସରେ ପରୋକ୍ଷ ଭାବେ ଧନୀ ଓ ପୁଂଜିପତି ଗୋଷ୍ଠୀ ଦ୍ବାରା ସୃଷ୍ଟି ହୋଇଥିବା ଦୁର୍ଗର ପତନ ପାଇଁ ପ୍ରୟାସ କରା ଯାଇଛି । ଔପନ୍ୟାସିକ ପଦ୍ମଜ ପାଳ କୃଷକ ଓ ଶ୍ରମିକର ନ୍ୟାର‌୍ୟ୍ୟ ପାଇଁ ସତ୍ୟ ଚରିତ୍ର ମାଧ୍ୟମରେ କିଛି ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ନେଇ ଚାଷୀ-ମୂଲିଆ –ମୁକ୍ତି –ଦିଶା ନାମକ ସଂଗଠନ ଜରିଆରେ ଅବହେଳିତ ମଣିଷର ମୁକ୍ତି କାମନା କରିଛନ୍ତି ଓ ଚାଷୀକୁ ଜାତୀୟ କରଣ କରିବାର ପ୍ରୟାସ ଜାରି ରଖିଛନ୍ତି । ଉପଲବ୍ଧି କରିଛନ୍ତି ଯେ ଏ ଆନ୍ଦୋଳନ, ଧାରଣା – ଆମ ନିଜର ନିଜ ପାଇଁ କ୍ଷୁଧା ଓ ଦାରିଦ୍ର‌୍ୟ ବିରୁଦ୍ଧରେ ଏ ସଂଗ୍ରାମ, ଚାଷୀ ମୂଳିଆର ମୌଳିକ ଅଧିକାର ପାଇବା ପାଇଁ ଏ ଆନ୍ଦୋଳନ । ‘‘ଯେଉଁଠି କୃଷକ ତାର ହକ୍ ପାଉଥିବ, ରାଜନୀତିଜ୍ଞମମାନେ ଛଳନା ଓ ଦୁର୍ନୀତି ମୁକ୍ତ ହୋଇଥିବେ, ନାରୀମାନେ ଉତ୍ପୀଡନ କବଳରୁ ମୁକ୍ତ ଥିବେ । ଉପନ୍ୟାସର ନାୟକ ସତ୍ୟ ମିଶ୍ର କୃଷକମାନଙ୍କର ଏକ ସଂଗଠନ ପ୍ରତିଷ୍ଠା କରି ଶୋଷଣ ବିରୁଦ୍ଧରେ ଲଢ଼େଇ କରେ । ଏହି କାହାଣୀରେ ଦୁର୍ଗ ହେଉଛି ଉତ୍ପୀଡ଼ନ ଏବଂ ସାମାଜିକ ବିଭେଦର ପ୍ରତୀକ । ସତ୍ୟ ଏହି ଦୁର୍ଗ ଅଧିକାର ଲାଗି ଚେଷ୍ଟା କରେ ।’’ ୬

ସମାଜରେ ରାଜନୀତିକ ଅସ୍ଥିରତା ବିରୁଦ୍ଧରେ ସ୍ଵର ଉତ୍ତୋଳନ ପଦ୍ମଜ ପାଳଙ୍କ ଉପନ୍ୟାସର ବିଶିଷ୍ଟ ଦିଗ । ସମାଜ ବ୍ୟବସ୍ଥାରେ ରାଜନୀତକ ଅସ୍ଥିରତା ଅଧୁନା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକତନ୍ତ୍ର ବ୍ୟବସ୍ଥାରେ ସମସ୍ତ ମଣିଷର ଚିନ୍ତା-ଚେତନା ରାଜ୍ୟକୁ ଗ୍ରାସ କରୁଛି ରାଜନୀତି । ଆଧୁନିକ ସମାଜରେ ରାଜନୀତି ଏକ ବ୍ୟବସାୟରେ ରୂପାନ୍ତର ଘଟିଛି । ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଦେଶର ମହାନ୍ ମନୀଷୀଗଣ ରାମରାଜ୍ୟ ପ୍ରତିଷ୍ଠା କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ତାହା କେବେ ସମ୍ଭବପର ହୋଇପାରିଲା ନାହିଁ । ଗାନ୍ଧିଜୀଙ୍କ ମୃତ୍ୟୁପରେ ଗାନ୍ଧିବାଦୀ ମଣିଷର ଅଭାବ ପରିଲକ୍ଷିତ ହୋଇଛି । ରାଜନେତାମାନେ ମଧ୍ୟ ଗାନ୍ଧିଙ୍କର ନୀତି ଆଦର୍ଶକୁ ପାଳନ କରୁନାହାନ୍ତି । କଥାରେ ବଡ଼ ବଡ଼ ଭାଷଣ ଦିଅନ୍ତି ଲୋକଙ୍କ ମନ କିଣିବା ପାଇଁ । ପ୍ରକୃତରେ ଦେଖିବାକୁ ଗଲେ ଆଜିର ରାଜନେତାମାନେ ସ୍ୱାର୍ଥବାଦୀ ମଣିଷ । ଟଙ୍କାପାଇଁ ସେମାନେ ଗୋଲାମ ସାଜିଛନ୍ତି । ଆଜିର ରାଜନେତାଙ୍କର ସେବା ମନୋଭାବ ନାହିଁକି ଚାରିତ୍ରିକ ଗାମ୍ଭିର୍ଯ୍ୟ ନାହିଁ ।

ପଦ୍ମଜ ପାଳଙ୍କ ‘ଦୁର୍ଗ ପତନର ବେଳ’ ଉପନ୍ୟାସରେ କଳୁଷିତ ରାଜନୀତିର ଚିତ୍ର ସ୍ପଷ୍ଟ ଅନୁଭୂତ ହୁଏ । କଳୁଷିତ ରାଜନୀତି ସମାଜ ବ୍ୟବସ୍ଥାକୁ ପଙ୍ଗୁ କରିଦେଉଛି । ଇଲେକ୍‌ସନ୍ ପାଖାପାଖି ନେତା, ମନ୍ତ୍ରୀମାନେ ଲୋକଙ୍କ ପାଖକୁ ଯାଇ କିଭଳି ସେମାନଙ୍କ ଫାଇଦା କଥା କହି ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି, ବଡ଼ ବଡ଼ କଥା କହିଥାନ୍ତି ଯାହାକୁ ଔପନ୍ୟାସିକ ଅତି ସୂକ୍ଷ୍ମାତିସୂକ୍ଷ୍ମ ବିଚାର କରିଛନ୍ତି । ଯଥା – ଲେଖକଙ୍କ ଭାଷାରେ – “ଆମେ ବେକାରୀ ଦୂର କରିବୁ । ବୁଢ଼ାଙ୍କୁ ଭତ୍ତା ଦେବୁ । ଭୂମିହୀନଙ୍କୁ ଜମି ଦେବୁ । ଚାଷୀଙ୍କୁ ମାଗଣାରେ ବିହନସାର ଦେବୁ । ବେଙ୍କ ଋଣ ଛାଡ଼ କରେଇବୁ । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରଧିକାର ଦିଆଯିବ । ସେମାନଙ୍କ ପାଇଁ ପଚାଶ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ । ଖଜଣା ଛାଡ଼ କରିବୁ । ଜଳକର ଛାଡ଼ କରିବୁ । ଦାରିଦ୍ର‌୍ୟ ସୀମାରେଖା ତଳର ମଣିଷଙ୍କୁ ଉଠେଇବୁ । ହରିଜନ ଗିରିଜନ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବୁ ଏମିତି ନାନା ଭେଳିକି କଥା । ସେ ଫାଶରୁ ଏ ଦେଶର ଜନତା ରକ୍ଷା ପାଇପାରୁ ନାହାନ୍ତି । ବୁଦ୍ଧି ବି ଘାଇଲା ହୋଇଯାଉଛି ମୁହଁମାଡ଼ି ହାମୁଡ଼େଇ ପଡ଼ିଛନ୍ତି ।”୭ ସେହିପରି ୧୯୮୯ରେ ପ୍ରକାଶିତ ‘ଆମ ସମୟର ଦୁଃଖ’ରେ ସାମ୍ପ୍ରତିକ ସମାଜର ଦୁଃଖଦ ଚିତ୍ର ପ୍ରତିଫଳିତ । ଲୋକସେବାରେ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପୁଅ ଶ୍ୟାମାକାନ୍ତିର ମୋହଭଙ୍ଗ ଘଟିଛି, ଯେତେବେଳେ ତାର ବାପା ତା’ର ରାଜନୈତିକ ଭବିଷ୍ୟତ ଲାଗି ନୈତିକ ମୂଲ୍ୟବୋଧ ସହିତ ସାଲିସ କରିଛନ୍ତି । ଆଦର୍ଶ ରାଜନୀତି କରିବା ଇଚ୍ଛାରେ ସେ ନିଷ୍ଠାପର ଭାବେ କର୍ତ୍ତବ୍ୟ କରିଚାଲେ । ସମାଜର ଅବହେଳିତ ଗୋଷ୍ଠୀଙ୍କ ପାଇଁ କିଛି କରିବା ଥିଲା ତା’ର ଉଦ୍ଦେଶ୍ୟ । ମାତ୍ର ପରିସ୍ଥିତିରେ ସେ ସବୁ ବାସ୍ତବ ସତ୍ୟର ସମ୍ମୁଖୀନ ହୋଇ ବୁଝି ସାରିଲାଣି, ବର୍ତ୍ତମାନ ରାଜନୀତି ହିଁ ବ୍ୟକ୍ତିନୀତିରେ ପରିଣତ । କ୍ଷମତା ଲାଭ ବା କ୍ଷମତାକୁ ହାତରେ ଧରି ରଖିବାର ଖେଳ ହେଉଛି ରାଜନୀତି । ସ୍ୱାର୍ଥର ଖେଳ ଇଏ । ରାଜନୈତିକ ଆଦର୍ଶବାଦ ଏଠି ଧୋକାବାଦ । ଜନାତାର ହିତ-ରାମବୋଲ୍ । ଦେଶର ଉନ୍ନତି ହରିବୋଲ । ସ୍ୱାଧୀନତା ଅନୁଗାମୀ ସୋମନାଥ ଦାସ ତା’ର ବାପା । ସମାଜରେ ଏକ ସ୍ୱତନ୍ତ୍ର ଆସନର ଅଧିକାରୀ । ବହୁ ସ୍ଥଳରେ ସେ ଲକ୍ଷ କଲାଣି ସୋମନାଥ ବାବୁଙ୍କ ଚରିତ୍ରର ଗୋଡ଼ାଣିଆପଣକୁ । ସ୍ୱାଧୀନତା ସଂଗ୍ରାମୀ ଭାବରେ ବାପା ତା’ର କେବଳ ସାର୍ଟିଫିକେଟ୍ ସଂଗ୍ରହ କରିନେଇଛନ୍ତି । ଦେଶର ଚିନ୍ତା ବା ଜନତା ସେବା ତାଙ୍କର ଆଦୌ ନାହିଁ । ନିଜର ଖଦଡ଼ ଧୋତି ଆଉ ଚିତାତଳେ ସେ ଜଣେ ଆତ୍ମସର୍ବସ୍ୱ ମଣିଷ । ପାରିବାରିକ ସ୍ୱାର୍ଥଠାରୁ ବ୍ୟକ୍ତିଗତ ସମ୍ମାନ ସୁଯୋଗ ହାସଲ ଦିଗରେ ବିସ୍ତାରିତ ତାଙ୍କ ଇଲାକା । ନେତାମାନଙ୍କ ସହିତ ସଂପର୍କ ରକ୍ଷା କରି ଉଦ୍ଦେଶ୍ୟ ସାଧନ କରିବା ତାଙ୍କର ଏକ ସୂତ୍ର ।’’ ୮ପ୍ରକୃତରେ ‘ଆମ ସମୟର ଦୁଃଖ ’ ଏକ ବାସ୍ତବବାଦୀ ଉପନ୍ୟାସ ଯେଉଁଥିରେ ସାମ୍ପ୍ରତିକ ଯୁବସମାଜ ଭିତରେ ମୂଲ୍ୟବୋଧର ଚରମ ଅବକ୍ଷୟ ତଥା ଅର୍ଥ ଏବଂ କ୍ଷମତା ପ୍ରତି ମୋହଗ୍ରସ୍ତତାର ଜୀବନଚିତ୍ର ଉପସ୍ଥାପିତ ହୋଇଛି ।

ପଦ୍ମଜ ପାଳଙ୍କ ଉପନ୍ୟାସରେ ସ୍ଥିତିବାଦୀ ଚିନ୍ତାଧାରାରୁ ବିପ୍ଲବ ସ୍ଵର ଫୁଟି ଉଠେ। ସ୍ଵାଧୀନତାକୁ ମଣିଷ ଉପଭୋଗ କରିବା ପାଇଁ ଚାହେଁ । ସମାଜରେ କୌଣସି ପ୍ରକାର ଶୃଙ୍ଖଳା ଭିତରେ ସେ ଆବଦ୍ଧ ହେବାକୁ ଚାହେଁନି । ବ୍ୟକ୍ତି ନିଜ ସ୍ବାଧୀନତା ପାଇଁ ପରିବାର, ବାପା, ମା, ଭଗବାନ, ଗୁରୁଜନଙ୍କୁ ଏଡାଇ ଦେଇପାରେ । ବ୍ୟକ୍ତି ନିଜ ସ୍ଥିତିର ପ୍ରତିଷ୍ଠା ପାଇଁ ଜୀବନ ସଂଗ୍ରାମ ଅବ୍ୟାହତ ରଖେ । ପୃଥିବୀରେ ସକଳ ବସ୍ତୁର ସ୍ଥିତି ଅଛି । ନିଜକୁ ସ୍ଵତନ୍ତ୍ର ଭାବେ ପ୍ରତିଷ୍ଠା କରିବା ପାଇଁ ସେ ଚିନ୍ତିତ ଏବଂ ଏଥିପାଇଁ ସେ ଜୀବନ ଯୁଦ୍ଧରେ ପ୍ରବୃତ୍ତ । ପଦ୍ମଜ ପାଳଙ୍କ ଏହି ବ୍ୟକ୍ତିର ଆତ୍ମିକ ବିପ୍ଳବର ସ୍ଵର ‘ଯିବୁ କି ଥିବୁ’ ଉପନ୍ୟାସରେ ଶମ୍ଭୁ, ‘ହାଏ ମୁନି କେମିତି ଅଛ’ରେ ମୁନି, ‘ଗାନ୍ଧୀ ଛକରୁ ଟିକିଏ ଆଗକୁ’ ରେ ଚଣ୍ଡ, ‘ପ୍ରତିସ୍ପର୍ଦ୍ଧା’ ଉପନ୍ୟାସରେ ଅନିର୍ବାଣ ଚରିତ୍ର ଭିତରେ ଦୃଷ୍ଟିଗୋଚର ହୁଏ । ‘ପାପ ପରି ନିଜର’ ଉପନ୍ୟାସରେ ନାୟିକା ସୁବର୍ଣ୍ଣ ମନରେ ଯେଉଁ କ୍ରିୟା ପ୍ରତିକ୍ରିୟା ଦେଖାଦେଇଛି ତାହା ସ୍ଥିତିବାଦରୁ ଉତ୍ପନ୍ନ । ଅନ୍ୟର ପରିଚୟ ନେଇ ସୁବର୍ଣ୍ଣ ବଞ୍ଚିବାକୁ ଚାହେଁ ନାହିଁ । ସେଥିପାଇଁ ସେ କହିଛି “ମୁଁ ମୋର ପରିଚୟ ଖୋଜୁଛି ମମି । ଆଉ କେତେଟା ଦିନ ଅପେକ୍ଷା କର । ସୁବର୍ଣ୍ଣ ମେହେଟ୍ଟା ଏମ୍‌.ପି. ଇଣ୍ଡଷ୍ଟିୟାଲିଷ୍ଟ ବିକ୍ରମ ମେହେଟ୍ଟାଙ୍କ ଝିଅ ନୁହେଁ । ମୋର ପରିଚୟ ମୁଁ ନିଜର । ସୁବର୍ଣ୍ଣ ସ୍ୱରରେ ଥିଲା ଅହଂକାର, ଆତ୍ମବିଶ୍ୱାସ ।”୯ ମାନବୀୟ ସ୍ଵାଧୀନତା ହେଉଛି ସ୍ଥିତିବାଦର ପ୍ରଧାନ ସ୍ଵରୂପ । ସ୍ଵାଧୀନତା ଦ୍ଵାରା ହିଁ ମଣିଷର ବିକାଶ ଓ ଉତ୍ତରଣ ସମ୍ଭବ । ‘ହାଏ ମୁନି କେମିତି ଅଛ?’ ଉପନ୍ୟାସରେ ମୁନି ଚରିତ୍ର ଆଲବମ୍ ନାୟିକା ହେବାର ସ୍ଵପ୍ନରୁ ଉପନ୍ୟାସଟିର ଆରମ୍ଭ ହୁଏ । ମୁନି ସ୍ବପ୍ନ ମଗ୍ନ ମନ ନେଇ ଅକାଶରେ ଉଡ଼ିବାର ସ୍ଵପ୍ନ ଦେଖେ। ଔପନ୍ୟାସିକ କହିଛନ୍ତି ‘’ମୁନି ସ୍ଵପ୍ନ ଦେଖେ ଆକାଶରେ ଉଡିବାର ସ୍ବପ୍ନ । ଶ୍ରେଷ୍ଠ ଆଲବମ୍ ନର୍ତ୍ତକୀ ହେବାର ସ୍ବପ୍ନ । ସଫଳ ସୁନ୍ଦର ବିଳାସୀ ଜୀବନର ସ୍ବପ୍ନ ।‘’ ଯୁବ ପ୍ରଡୁସର୍ ସୁକାନ୍ତ ମଣ୍ଡଳକୁ ସିଡ଼ି କରି ମୁନି ନିଜ ଲକ୍ଷ ପଥରେ ଆଗକୁ ଅଗ୍ରସର ହୁଏ । ଏଥିପାଇଁ ପରିବାରରୁ ପ୍ରତିବନ୍ଧକ ଆସିଥିଲେ ବି ସେ ଖାତିର କରିନାହିଁ । ପ୍ରାଗଐତିହାସିକ ବିଶ୍ଵାସକୁ ଗ୍ରହଣ କରି ନାହିଁ । ଦୁଃଖ ନିର‌୍ୟାତନାକୁ ଗ୍ରହଣ କରିପାରି ନାହିଁ । ବଉ ସେବତୀ ଓ ଭଉଣୀ ସହିତ ରହି ଘର ଛାଡି ଲକ୍ଷ ପଥ ପାଇବା ପାଇଁ ସୁକାନ୍ତ ମଣ୍ଡଳକୁ ପାହାଚ କରି ଆଗକୁ ବଢିଛି । କାରଣ ମୁନି ମରଣ ଚାହେଁ ନାହିଁ, ଜୀବନ ଚାହେଁ । ସେଥିପାଇଁ ନିଜ ଜୀବନ ସହ ସଂଘର୍ଷର ପଥକୁ ଆପଣାଇ ନିଏ । ତା ମନରେ ଅସୀମ ବଳ ଓ ଆତ୍ମ ପ୍ରତ୍ୟୟ ଧରି ସଂଗ୍ରାମ କରେ । ଉଚ୍ଚ ଶ୍ରେଣୀର ଲୋକଙ୍କ ମାନସିକତା ପ୍ରତି ମୁନିର ଏକ ତୀବ୍ର ଘୃଣା ତାକୁ ନକ୍ସଲାଇଟରେ ପରିଣତ କରିଛି, ଯାହାର ପରିଣାମ ହୋଇଛି ତା’ର ଜେଲଯିବା, ଜେଲରୁ ଖଲାସ ହେବା ଏବଂ ପୁଣି ଘୋଷଣା କରିବା- ଏ ସଂଗ୍ରାମ ସରି ନାହିଁ । ଦଳିତ ସମ୍ପ୍ରଦାୟକୁ ଯେ ପର‌୍ୟ୍ୟନ୍ତ ଆମ ସମାଜ ତଳ ଆଖିରେ ଦେଖୁଥିବ-ସେ ପର‌୍ୟ୍ୟନ୍ତଟ୍ଟ । ଉଭୟ ଉପନ୍ୟାସକୁ ଅବଲୋକନ କଲେ, ବ୍ୟକ୍ତିର ଆତ୍ମିକ ବିପ୍ଲବର ସ୍ବର ସ୍ପଷ୍ଟ ପ୍ରତିପାଦିତ ହୁଏ ।

ପ୍ରେମ ଓ ଅସବର୍ଣ୍ଣ ବିବାହ କ୍ଷେତ୍ରରେ ସ୍ଵର ଉତ୍ତୋଳନ ପଦ୍ମଜ ପାଳଙ୍କ ଉପନ୍ୟାସ ମୁଖ୍ୟ ବୈଶିଷ୍ଟ୍ୟ । ପଦ୍ମଜ ପାଳଙ୍କ ଉପନ୍ୟାସର ସ୍ବତନ୍ତ୍ର ବିଶେଷତା ହେଉଛି ପ୍ରେମ ଓ ପ୍ରଣୟ ମୂଳକ ଉପନ୍ୟାସରେ ବିପ୍ଲବ ଓ ବିଦ୍ରୋହର ସ୍ବର । ଯେଉଁଠାରେ ବିଦ୍ରୋହ ନାହିଁ, ସେଠି ପ୍ରେମିକ ପ୍ରେମିକା ହାରିଯିବା ସୁନିଶ୍ଚିତ । ତାଙ୍କ ଉପନ୍ୟାସରେ ପ୍ରେମ ପାଇଁ ବଞ୍ଚିବା ଓ ପ୍ରେମ ପାଇଁ ମରିବାର ମୂଳ ମନ୍ତ୍ର ସ୍ପଷ୍ଟ ଅନୁମେୟ ହୁଏ । ପଣ୍ଡୁ ଓ ରଂଗୀ ସମାଜ ଓ ପରିବାର ବିରୁଦ୍ଧରେ ବିପ୍ଲବ କରି ନପାରି ପ୍ରେମରେ ଆତ୍ମହୁତି ଦେଇଛନ୍ତି । ଅନ୍ୟ ପଟରେ ‘ଓୟେ ପୁଅ ମା’ ଉପନ୍ୟାସରେ ନାଗା ଓ ସୋରୀ ପରସ୍ପରର ପ୍ରେମକୁ ପାଇବା ପାଇଁ ଜାତି, ପରିବାର ଓ ସମାଜର ପ୍ରତିବନ୍ଧକକୁ ଏଡେଇ ଦେଇ ଗାଁ ଛାଡ଼ି ସହରରେ ରହିଛନ୍ତି । ଜାତି ପ୍ରସଂଗ ଉଠିବା ପରେ ସୋରୀର ବିଦ୍ରୋହାତ୍ମକ ଚିନ୍ତାଧାରା ଫୁଟି ଉଠିଛି । ଉପନ୍ୟାସରେ ଲେଖକ ଦର୍ଶାଇଛନ୍ତି ‘’ଭଲ ପାଇବାରେ ତୁମେ କେଉଁ ଜାତିର ଭୟ ଦେଖାଉଛ ବେହେରା ରାଜା । କି ଜାତି ବା ମାଙ୍ଗାତା ଜାତି କାଜୁଆ ଜାତି । ତୁମେ ମଣିଷକୁ ଜାତିରୁ ବାହାର କରିଦେଇପାର ହେଲେ ତାର ଭଲ ପାଇବାର ଅଧିକାରରୁ ତାକୁ ତୁମେ ବାହାର କରି ଦେଇପାରିବ ? ନାଗା ତ ମୋର ମନରେ, ମୋର ଆତ୍ମାରେ ଛାଇ ଭଳି ରହିଛି । ମନେ ହେଉଛି –ଯେମିତି ସବୁବେଳେ ମୁଁ ତା ପାଖେ- ପାଖେ ଅଛି । ଯେଉଁଠି ଆଉ କେହି ନାହାନ୍ତି । ସେ ଅଛି ତା ପାଖରୁ ମୋତେ ଅଲଗା କରିବୁ କ’ଣ ? ପ୍ରେମକୁ ପାଇବା ପାଇଁ ସୋରୀର ବିଦ୍ରୋହାତ୍ମକ ସ୍ବର ବେଶ୍ ପ୍ରତିପାଦିତ । ୧୦ ଏହିପରି ‘ଓୟେ ପୁଅମା’ ଉପନ୍ୟାସରେ ନାଗା ଓ ସୋରିର ଜାତି ଭିନ୍ନ ଭିନ୍ନ ହେଲେ ବି ସେମାନେ ପରିବାର ଓ ସମାଜ ବିରୁଦ୍ଧରେ ବିପ୍ଲବ କରି ପ୍ରେମ ବିବାହକୁ ଆପଣାଇ ନେଇଛନ୍ତି । ସେହିପରି ଗାନ୍ଧୀ ଛକରୁ ଟିକିଏ ଆଗକୁ’ ଉପନ୍ୟାସରେ ଜଲସା ଓ ଚଣ୍ଡ ପ୍ରେମ ବିବାହ କରିଛନ୍ତି । ଉଭୟେ ଅନ୍ୟ – ଅନ୍ୟ ଧର୍ମର ବ୍ୟକ୍ତି ହେଲେ ମଧ୍ୟ ଉଭୟେ ପରସ୍ପରର ସାଥୀ ହୋଇ ରହିଛନ୍ତି । ପାରମ୍ପରିକ ଜୀବନ ବଞ୍ଚିବା ପାଇଁ ଚାହିଁ ନାହାନ୍ତି । ପାରମ୍ପରିକ ସମାଜରେ ବ୍ୟକ୍ତିର କାର‌୍ୟ୍ୟପନ୍ଥାକୁ ଅବଲମ୍ବନ କରି ମଣିଷ ଶ୍ରୁନ୍ଖଳିତ ଜୀବନ ସକାଶେ ଜାତି ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା । ମାତ୍ର ଅଧୁନା ସମାଜରେ ଏହା କଳୁଷିତ ହେବା କାରଣରୁ ଜାତି ବ୍ୟବସ୍ଥାକୁ ନେଇ ବିବିଧ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଉଦୟ ମିଶ୍ର କହୁଛନ୍ତି – ‘’ନନା କାହିଁକି ତୁମେ ବୁଝୁନା କିଛି ଯେ ଜାତି , ଧର୍ମ, ବର୍ଣ୍ଣ, ଗୋତ୍ର , କୌଣସିଟି ବି ମଣିଷ ସହ ମଣିଷର ସମ୍ପର୍କକୁ ପ୍ରତିରୋଧ କରିପାରିବେ ନାହିଁ । ବିଛିନ୍ନ କରିପାରିବ ନାହିଁ । ସମ୍ପର୍କ ହିଁ ଈଶ୍ଵର । ସମ୍ପର୍କିତ ହେବା ହିଁ ଧର୍ମ । ବିଶ୍ବ ଧର୍ମ । ମାନବ ଧର୍ମ । ମୋର ସମ୍ପର୍କରୁ ମତେ ତୁମେ ବଂଚିତ କରିପାରିବ ନାହିଁ । ତୁମେ ମତେ ହୁଏତ ଆଶୀର୍ବାଦ ନ ଦେଇ ପାର, ଆମକୁ ଗ୍ରହଣ ନକରି ପାର । ୧୧ ଏଥିରୁ ଅନୁଭୂତ ହୁଏ ଯେ ସମାଜରେ ନାୟକ ନାୟିକା ପରସ୍ପରକୁ ଭଲପାଇ ବିବାହ କରିବା ପାଇଁ ଚାହିଁଲେ, ପରିବାର ଓ ସମାଜ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ହୁଏ । ଏ କଥାକୁ ପଦ୍ମଜ ପାଳ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ।

ମଣିଷର ଯୌନ ଜୀବନକୁ ନେଇ ବାସ୍ତବିକ ପ୍ରତିକ୍ରିୟା ପଦ୍ମଜ ପାଳଙ୍କ ‘ପାପ ପରି ନିଜର’ ଉପନ୍ୟାସର ମୁଖ୍ୟ ଆଧାର । ଉପନ୍ୟାସରେ ନାୟିକା ଜଣେ ବିଦେଶିନୀ । ସେ ଅନୁଭବ କରିଛି ଯୌନତାକୁ ଛାଡିଦେଲେ ମଣିଷ ସମାଜକୁ ବୁଝିହେବନାହିଁ । ଦେଖାଯାଇଛି, ଯୌନ ଜୀବନକୁ ନିଜ ଭିତରେ ବହୁ ବିଜ୍ଞ ଓ ପଣ୍ଡିତ ଲୋକମାନେ ଯଥାର୍ଥ ମର‌୍ୟ୍ୟାଦା ଦେଇଛନ୍ତି । ସୁବର୍ଣ୍ଣ ମେହେଟ୍ଟା ନାୟିକାର ମହତ୍ତ୍ଵପୂର୍ଣ୍ଣ ଉପଲବ୍ଧି ହୋଇଛି ଯେ ‘’ବ୍ୟକ୍ତିକୁ ବୁଝିବାକୁ ହେଲେ ତା’ର ସକଳ କାମନାକୁ ଧାରଣା ଦେବା ଆବଶ୍ୟକ । ମୁଖ୍ୟତଃ ଯୌନ ଚେତନାକୁ । ସେ ଯୌନତାକୁ ନେଇ ଆମ ଭିତରେ ଥିବା ସଂକୁଚିତ ଚିନ୍ତାଧାରାକୁ ମୁକ୍ତ କରିବା ପାଇଁ ଚାହିଁଛି । ଯୌନତାକୁ ତ୍ୟାଗ କଲେ ମଣିଷ ଜୀବନ ଅଧିକ କ୍ଷତିଗ୍ରସ୍ତ ହେଉଛି । ସେକ୍ସ୍ ଜୀବନ ପରିପୂର୍ଣ୍ଣର ଜୀବନ। ତା’କୁ ସେ ଅତିକ୍ରମ କରିବ କାହିଁକି । ଯେଉଁମାନେ ଏହାକୁ ନାପସନ୍ଦ କରନ୍ତି, ସେମାନଙ୍କ ଆଗରେ ଗୋଟିଏ ଧର୍ମୀୟ ଧାରା ଥାଏ । ସେମାନେ ଜାଣନ୍ତି ପାପ କଣ ପୁଣ୍ୟ କ’ଣ ସେମାନେ ସେଇ ଧର୍ମପନ୍ଥା ଛାଡି ୟାଡକୁ କାହିଁ ଆସୁଛନ୍ତି।’’ ୧୨ ମଣିଷର ସ୍ବରୁପ ଉଦଘାଟନ କରି ମଣିଷର ଅବଚେତନକୁ ଆଲୋକକୁ ଆଣିବା ଦିଗରେ ସୁବର୍ଣ୍ଣ ବିଶେଷ ପଦକ୍ଷେପ ନେଇଛି । ଯାହା ମଣିଷର କୁତ୍ସିତ, ଓ ଭୟଂକର ରୂପ ତାହାକୁ ସେ ଗୋଟିଏ ଅଜଣା ଭୟରେ ଲୁଚାଇ ଚାଲେ, ଦେଖିଲେ ଆତଙ୍କିତ ହୁଏ । ତାକୁ ସେ ସାମନା କରିବ ବାହାରକୁ ଆଣିବ ତାର ପ୍ରଶ୍ନ ମଣିଷ କଣ ନିଜ ରୂପରେ ନିଜକୁ ଦେଖି ଶିଖିପାରିଲାଣି? ତାର ସ୍ଵୀକାରୋକ୍ତି-‘’ମଂଗଳ ହବ ମମି ; ଯେଉଁ କୁତ୍ସ୍ବିତ ଭୟଂକର ସ୍ବରୁପ ତାର ଲୁଚି ରହିଛି ତାହା ଯଦି ଜୀବନକୁ ଅସୁନ୍ଦର କରି ଦେଉଛି, ବିଭତ୍ସ କରି ଦେଉଛି , ତେବେ ସେ ସବୁ ଅନ୍ଟିରେ ଥିବା ବିଷାକ୍ତ ସାପ ଭଳି ତାକୁ ଛପାଇ ତୁମେ କଣ ସ୍ବଭାବିକ ରହିପାରିବ ?’’ ୧୩ ସୁବର୍ଣ୍ଣ ଚରିତ୍ର ମାଧ୍ୟମରେ ମଣିଷର ଯୌନ ଜୀବନକୁ ନେଇ ଯେଉଁ ଗବେଷଣାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ବାସ୍ତବ ସମାଜର ନିଚ୍ଛକ ପ୍ରତିଛବି କହିଲେ ଭୁଲ ହେବ ନାହିଁ ।

କନ୍ୟା ଭୃଣହତ୍ୟାକୁ ନେଇ ବାସ୍ତବିକ ପ୍ରତିକ୍ରିୟା ପଦ୍ମଜ ପାଳଙ୍କ ବିବିଧ ଉପନ୍ୟାସର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ବର୍ତ୍ତମାନ ସମାଜରେ ଭୃଣ ହତ୍ୟାକୁ ସମାଜ ଅପରାଧ ବୋଲି ଘୋଷିତ କରିଥିଲେ ବି ଭୃଣ ହତ୍ୟାର ପ୍ରସଙ୍ଗ କମୁନାହିଁ । ଆଜିର ସୋସିଆଲ ମେଡିଆ ଯୁଗରେ ପ୍ରତିଦିନ କିଛି ନା କିଛି ଖବର ଲୋକଲୋଚନକୁ ଆସିଯାଉଛି । ପଦ୍ମଜ ପାଳଙ୍କ ଉପନ୍ୟାସରେ ବିବିଧ ରୂପରେ ଉକ୍ତ ପ୍ରସଙ୍ଗକୁ ଆଲୋଚନା କରାଯାଇଛି । ‘ପାପ ପରି ନିଜର’ ଉପନ୍ୟାସରେ ଅବିବାହିତ ଯୁବତୀ ସୁବର୍ଣ୍ଣ ଓ ସୋମନାଥର ଅବୈଧ ପ୍ରଣୟରୁ ସୁବର୍ଣ୍ଣ ଗର୍ଭବତୀ ହୋଇଛି ମାତ୍ର ନିଜ ଗର୍ଭରେ ବଢୁଥିବା ଶିଶୁର ଗର୍ଭପାତ କରିନାହିଁ । ପିତାମାତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ଯେ ତା ପେଟରେ ବଢୁଥିବା ପାପଗର୍ଭା ଶିଶୁ ନିଜର । ସେହିପରି ଗହ୍ଵର ଉପନ୍ୟାସରେ ପ୍ରଥମତଃ ଜୁଲି ସାମନ୍ତ ନିଜ ଭିଣୋଇ ଦ୍ଵାରା ଗୁପ୍ତ ଅବୈଧ ପ୍ରଣୟରୁ ଗର୍ଭବତୀ ହୋଇଯାଇଛି ଏହାକୁ ଗର୍ଭପାତ କରିଛି ସତ ମାତ୍ର ବିବାହ ପରେ ଜୁଲି ସାମନ୍ତରୁ ଜିଗୀଷା ବିଷୋଇ ହେବାର ସଫରରେ ଜୀବନରେ ଆସିଛି ଅନେକ ପରିବର୍ତ୍ତନ । ବିବାହର ଗୋଟିଏ ବର୍ଷ ନ ପୁରୁଣୁ ସେ ଗର୍ଭ ଧାରଣ କରିଛି । ପାରିବାରିକ ଚାପ ପଡ଼ିଥିଲେ ବି ସେ ମାତୃତ୍ଵ ଲାଭ କରିବାକୁ ପଛଘୁଞ୍ଚା ଦେଇ ନାହିଁ । ଶାଶୁ, ଶଶୁର ଓ ନିଜ ସ୍ଵାମୀଙ୍କ କଥାକୁ ଟାଳି ଦେଇ ବାପା ଘରକୁ ଚାଲି ଆସିଛି । ପରିଶେଷରେ ନିଜ ସନ୍ତାନର ଭୃଣହତ୍ୟାରୁ ରକ୍ଷା କରି ପାରିଛି । ‘ଛାଇ ଲେଉଟାଣି’ ଉପନ୍ୟାସରେ ନନ୍ଦା ଦିଦି କାଜଲ ରେକୁ କହୁଥିବା ନିଜ କାହାଣୀରୁ ଜଣାଯାଇଛି ଯେ ନନ୍ଦା ଦିଦି ଏକ ପୁରୁଷ ସହିତ ପ୍ରେମ କରି ଆଦିମତାର ଖେଳରେ ମାତି ଯାଇ ଗର୍ଭବତୀ ହେବା ପରେ ଆବର୍ସନ କରିଦେଇଛି । ପରବର୍ତ୍ତୀ ସମୟରେ ସେହି ପୁରୁଷର ବିବାହ ପ୍ରସ୍ତାବକୁ ଗ୍ରହଣ ନ କରି ମାତୃତ୍ଵ ଲାଭ ନ କରିବାର ଯନ୍ତ୍ରଣାକୁ ଗ୍ରହଣ କରି ନେଇଛି । ‘ଯାତ୍ରା ଡ଼ଟକମ’ ଉପନ୍ୟାସରେ ଶାନ୍ତ୍ବନା ଏକ ଧୋବା ବ୍ୟକ୍ତି ପ୍ରେମରେ ପଡ଼ି ବିବାହ ପୂର୍ବରୁ ଗର୍ଭବତୀ ହୋଇଛି ଓ ପରିବାରର ଅନିଚ୍ଛା ସତ୍ତ୍ଵେ ସେ ଧୋବା ଟୋକାକୁ ବିବାହ କରି ନିଜ ଗର୍ଭରେ ବଢୁଥିବା ଶିଶୁକୁ ରକ୍ଷା କରିଛି । ଭୃଣ ହତ୍ୟା କବଳରୁ ରକ୍ଷା କରିବା ପାଇଁ ଉପନ୍ୟାସଗୁଡ଼ିକରେ ନାରୀ ଚରିତ୍ରମାନଙ୍କ ଜରିଆରେ ଯେଉଁ ଭଳି ପ୍ରୟାସ କରାଯାଇଛି, ତାହା ଲେଖକଙ୍କ ବିପ୍ଳବର ସ୍ଵରକୁ ସୂଚୀତ କରେ ।

ନାରୀ ଜୀବନର ସ୍ଵାଧିକାର ଓ ନାରୀ ଜାଗରଣ ପଦ୍ମଜ ପାଳଙ୍କ ଉପନ୍ୟାସର ମୁଖ୍ୟ ସ୍ଵର। ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ । ସ୍ଵାଧୀନତା ପରବର୍ତ୍ତୀ ସମାଜରେ ନାରୀର ସାମାଜିକ, ରାଜନୀତି, ଅର୍ଥନୀତି, ଶିକ୍ଷା ଓ ‘ସଂସ୍କୃତି କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଦେଖା ଯାଇଛି । ଏକଦା ନାରୀକୁ ନିୟନ୍ତ୍ରଣ କରିବା ଓ ଭୋଗ୍ୟବସ୍ତୁ ଭାବେ ଗ୍ରହଣ କରିବା ପୁରୁଷ ସମାଜ ପାଇଁ ସାଧାରଣ ବିଷୟ ଥିଲା । ବହୁ ସମୟ ଧରି ପୁରୁଷ ନାରୀକୁ ନିଜ ଆୟତ୍ତରେ ବାନ୍ଧି ରଖିଥିଲା । ମାତ୍ର, ଶିଳ୍ପ ଭିତ୍ତିକ ସଂସ୍କୃତି ଆସିବା ଦିନଠୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେବା ଦିନଠୁ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନାରୀକୁ ରାଷ୍ଟ୍ର ସମ୍ମାନ ଦେଇ ଆସୁଛି ନାରୀ ମଧ୍ୟ ନିଜ ଅଧିକାର ରାଷ୍ଟ୍ର ସମ୍ମୁଖରେ ରଖିପାରୁଛି । ପଦ୍ମଜ ପାଳ ୧୯୮୦ ପରବର୍ତ୍ତୀ ଉପନ୍ୟାସ ଧାରାରେ ନାରୀ ସମାଜକୁ ନେଇ ବିଭିନ୍ନ ଅଭିମତ ରଖିଛନ୍ତି ଯାହା ନାରୀର ଅଧିକାରକୁ ସାବ୍ୟସ୍ତ କରେ । ଏକ ଆଲୋଚନାରୁ ତାଙ୍କ ନାରୀ ସମାଜ ପ୍ରତି ଥିବା ବକ୍ତବ୍ୟକୁ ଉଦ୍ଧାର କରାଯାଇପାରେ । ‘’ମୋ ସୃଷ୍ଟିରେ ନାରୀବାଦକୁ ନେଇ କେହି କେହି ପ୍ରଶ୍ନ ଉଠାନ୍ତି । କୁହନ୍ତି ନାରୀବାଦ ଉପରେ ମୋର ଅନେକ ଲେଖା । ମନେକରନ୍ତୁ ନାହିଁ ନାରୀବାଦ ଆତଙ୍କବାଦୀ ପରି ଭୟାନକ । ନାରୀମାନେ ଯେଉଁଭଳି ନିପୀଡିତ ବଞ୍ଚନ୍ତି ଓ ତାଙ୍କୁ ଯେପରି ଶୋଷଣ କରାଯାଏ ସେମାନଙ୍କଠାରୁ ତା’ତ ସମସ୍ତଙ୍କୁ ଜଣାଅଛି । ମୁଁ ଏ ଆନ୍ଦୋଳନକୁ ସ୍ଵାଗତ କରେ ଏବଂ ଜାଣେ ନାରୀବାଦର ଆନ୍ଦୋଳନ ସେଇ ନାରୀମାନଙ୍କ ଦ୍ଵାରା ହିଁ ସଫଳ ହେବ ।’’ ୧୪ ‘ଦୁର୍ଗ ପତନର ବେଳ’ ଉପନ୍ୟାସରେ ନାୟକ ସତ୍ୟ ନାରୀ ପ୍ରତି ସମାଜର ଦୃଷ୍ଟି ଭଙ୍ଗୀର ଚିନ୍ତାଧାରାକୁ ନେଇ ମତ ବ୍ୟକ୍ତ କରି କହିଛନ୍ତି-‘‘ ଆମ ସମଜରେ ନାରୀ ଏଯାବତ ଏକ ପୋଷା ଜୀବ ଭଳି ଏଭଳି ଏକ ଅର୍ଥହୀନ ପରମ୍ପରା, ଯାହାକି ମଧ୍ୟବର୍ତ୍ତୀ ପରିବାରର ନାରୀମାନଙ୍କ ପାଦରେ ବେଡ଼ି ଛନ୍ଦିଲା ଭଳି ପଡ଼ିଛି । ମୁଁ ତାକୁ ଘୃଣା କରେ । ଯାହା ବ୍ୟକ୍ତିଗତ ପାରିବାରିକ ତଥା ରାଷ୍ଟ୍ରର ଉନ୍ନତିର ପରିପନ୍ଥୀ । ଏ ସବୁ କୁସଂସ୍କାରକୁ ଆମକୁ ଭାଙ୍ଗିବାକୁ ପଡିବ । ନାରୀ ବଞ୍ଚିବ ତାର ମର‌୍ୟ୍ୟାଦା ନେଇ, ପରିବାରର କୀର୍ତ୍ତି ଭାବରେ । ସେ ତାର ସନ୍ତାନର ପରିବାରର ମଙ୍ଗଳ ପାଇଁ ବାହାରକୁ ଗୋଡ କାଢିବ ନାହିଁ ତ, ଏହା ହେବ କିପରି । ’’୧୫ ପଦ୍ମଜ ପାଳଙ୍କ ଉପନ୍ୟାସରେ ନାରୀ ଚରିତ୍ରମାନଙ୍କର ମାନସିକ ଓ ସାମାଜିକ ସମସ୍ୟା ଅଧିକ ଭାବରେ ପ୍ରକଟିତ ହୋଇଛି । ‘ପାପ ପରି ନିଜର’ ଉପନ୍ୟାସରେ ଆର୍ଥିକ ଦୃଷ୍ଟିରୁ ଥିଲାବାଲା ଓ ନ ଥିଲାବାଲା ନାରୀ ବ୍ୟକ୍ତିତ୍ଵ ସହିତ ପାଠକର ମୁଲାକାତ ହୁଏ। ସେମାନଙ୍କ ସମସ୍ୟା ସମାଜ ଦୃଷ୍ଟିରୁ ପୃଥକ ହେଲେ ବି ମନସ୍ତତ୍ତ୍ଵ ଦୃଷ୍ଟିକୋଣରୁ ଅତି ଅଭୁତ ଭାବେ ଏକ ଓ ଅଭିନ୍ନ । ତାଙ୍କ ଉପନ୍ୟାସର ସମସ୍ତ ନାରୀ ଚରିତ୍ର କିଛି ନା କିଛି ଅଭାବବୋଧର ତୀବ୍ର ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି । ଉପନ୍ୟାସରେ ସୁସୁ ମାଁ ଓ ସୁବର୍ଣ୍ଣ ଚରିତ୍ରରୁ ସମାଜର ବାସ୍ତବ ଛବି ଅନୁଭୂତ ହୁଏ । ଜଣେ ନିଜର ପେଟ ପାଟଣା ପାଇଁ ଘର ଘର ବୁଲି ବାସନ କୁସନ ଓ ଦେହ ଦେଇ ଜୀବିକା ଅର୍ଜନ କରି ପେଟ ପୋଷୁଥିବାବେଳେ, ଅନ୍ୟ ଜଣେ ନାରୀ ସୁବର୍ଣ୍ଣ ଜର୍ଣ୍ଣାଲିଷ୍ଟ ଥିଲାବାଲା ଗୋଷ୍ଠୀରୁ ଆସିଅଛି । ଜଣଙ୍କର ସାମାଜିକ ସମସ୍ୟା ତ ଅନ୍ୟ ଜଣଙ୍କର ମାନସିକ ସମସ୍ୟାକୁ ନେଇ ଉପନ୍ୟାସର କଳେବର ରସସିକ୍ତ ହୋଇଛି । ଏ ସବୁ ସମସ୍ୟା ସତ୍ତ୍ଵେ ଲେଖକ ସମାଜରେ ନାରୀ ଜୀବନର ଯେଉଁ ବାସ୍ତବ ଅଭିମତ ରଖିଛନ୍ତି, ତାହା ନାରୀର ସ୍ଵାଧିକାରକୁ ସୂଚୀତ କରେ ।

ପଦ୍ମଜ ପାଳଙ୍କ ଉପନ୍ୟାସରେ ନାରୀ ବିଶେଷ କରି ବିଦ୍ରୋହୀ । ସ୍ୱାଧୀନଚେତା, ସ୍ଵାବଲମ୍ବୀ, ସବୁ ପ୍ରକାର ପରିସ୍ଥିତିରେ ସେ ମୁକାବିଲା କରିପାରେ । ଦୁର୍ବୃତ୍ତ ଓ ଦୁରାଚାରର ଅତ୍ୟାଚାରରେ ସେ ଉଚିତ୍ ଦଣ୍ଡ ଦେଇପାରେ । ପରମ୍ପରାବାଦୀ ନୁହେଁ ବରଂ ଆଧୁନିକତାର ସ୍ପର୍ଶ ଅନୁଭବ କରିହୁଏ । ‘ପାପ ପରି ନିଜର’ ଉପନ୍ୟାସରେ ସୁବର୍ଣ୍ଣ, ‘ଓୟେ ପୁଅମା’ ଉପନ୍ୟାସରେ ସୋରି, ‘ଗଣ୍ଡ ଭୈରବ’ ଉପନ୍ୟାସରେ ହରିପ୍ରିୟା, ‘ହାଏ ମୁନି କେମିତି ଅଛ?’ ଉପନ୍ୟାସରେ ମୁନି ଚରିତ୍ର ଭିତରେ ସେ ବିପ୍ଲବ କରିବା ପାଇଁ ଅଜସ୍ର ଶକ୍ତି ଭରି ଦେଇଛନ୍ତି । ନୂତନ ଜୀବନର ସନ୍ଧାନରେ, ନୂଆଁ ସୂର‌୍ୟ୍ୟକୁ ପ୍ରତୀକ୍ଷା କରିବାରେ ଓ ବିପ୍ଳବର ଆହ୍ଵାନ ଦେବାରେ ଏ ନାରୀ ଚରିତ୍ରମାନଙ୍କର ଭୂମିକାକୁ ପ୍ରଶଂସା ନ କରି ରହି ହୁଏନାହିଁ । ‘ହାଏ ମୁନି କେମିତି ଅଛ?’ ଉପନ୍ୟାସର ମୁନି ଏକ ବିପ୍ଳବୀ ଚରିତ୍ର । ମୁନି ଚରିତ୍ର ଆଲବମ୍ ନାୟିକା ହେବାର ସ୍ଵପ୍ନରୁ ଉପନ୍ୟାସଟିର ଆୟମାରମ୍ଭ ହୋଇଛି । ଯୁବ ପ୍ରଡୁସର୍ ସୁକାନ୍ତ ମଣ୍ଡଳକୁ ସିଡ଼ି କରି ମୁନି ନିଜ ଲକ୍ଷ ପଥରେ ଆଗକୁ ଅଗ୍ରସର ହୋଇଛି । ସମାଜରେ ତା’ର କଳାକାର ଜୀବନକୁ ନେଇ ପ୍ରଶଂସକ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁନି ସେଲିବ୍ରେଟିରେ ରୂପାନ୍ତର ହୋଇଛି । ସମୟକ୍ରମେ ଜୀବନ ପ୍ରବହାରେ ମୁନି ଜୀବନରେ ଆସିଛି ଝଡ଼ । ଏକ ଘଟଣାରୁ ମୁନିର ମାଓବାଦୀମାନଙ୍କ ସହିତ ସଂପର୍କ ଅଛି ବୋଲି ମୁନିକୁ ଜେଲରେ ଭର୍ତି କରାଯାଇଛି । ଗାଁ ଲୋକେ ମଧ୍ୟ ତା ମା ଭଉଣୀକୁ ଅତ୍ୟାଚାର କରି ଘରେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ମଧ୍ୟ ତା ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ ନକରି ଅସଭ୍ୟ ଭାଷାରେ ଗାଳି କରିଛି । ଫଳରେ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହୋଇ ମୁନି ନିଜ ପ୍ରତି ଓ ନିଜ ପରିବାର ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ପ୍ରତିଶୋଧ ପରାୟଣ ହୋଇ ବାଧ୍ୟ ହୋଇଛି ମାଓବାଦୀଙ୍କ ସହିତ ସାମିଲ ହେବା ପାଇଁ । ମାଓ ନୀତିକୁ ଆପଣାଇ ନେଇ, ସେ ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିଛି । ନିଜକୁ କୁର୍ତିଦା, ହଂସଦା, ଓରଫ୍, ସୁଯାଥା, ସାଂନ୍ତ୍ରା ଭାବରେ ସଜାଡ଼ି ନେଇଛି । ମାଓବାଦୀଙ୍କଠୁ ଟ୍ରେନିଂ ନେଇ ଲାଲ ଲିଟେରେଚର ପଢିଛି । ସହଯୋଗୀଙ୍କ ସହ ବହୁ ସରକାରୀ ବିଲ୍ଡିଁ, କ୍ଲବଘର, ସ୍କୁଲ, ଟାୱାର ଉଡ଼ାଇଛି । ପୁଣି, ଦୁଇଜଣ ମାଓବାଦୀ ତା ପ୍ରତି କରିଥିବା ଖରାପ ପ୍ରକୃତି ଦେଖି ମୁନି ଉଭୟଙ୍କୁ ହତ୍ୟା କରିଛି । ପରିଶେଷରେ ପୋଲିସ ଆଗରେ ଆତ୍ମ ସମର୍ପଣ କରି କୋଟ ଆଗରେ ନିଜ ଜୀବନରେ ଘଟିଥିବା ସତ୍ୟତାକୁ ପ୍ରତିପାଦିତ କରି ମୁକ୍ତି ପାଇଛି । ପଦ୍ମଜ ପାଳ ଏହି ଉପନ୍ୟାସରେ ମୁନି ଚରିତ୍ର ମାଧ୍ୟମରେ ନାରୀ ନିର‌୍ୟାତନା ଓ ନାରୀର ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନା କରିଛନ୍ତି ।

ପଦ୍ମଜ ପାଳଙ୍କ ‘ଆକ୍ରାନ୍ତ ୩/୪’ ଉପନ୍ୟାସଟି ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର କରି ଗଢି ଉଠିଛି । ଶିକ୍ଷା କ୍ଷେତ୍ରରେ ଘଟୁଥିବା ବିବିଧ ସମସ୍ୟା ବିରୁଦ୍ଧରେ ସ୍ବର ଉତ୍ତୋଳନ ଉପନ୍ୟାସରେ ବୈପ୍ଲବିକ ଚିନ୍ତାଧାରାକୁ ସୂଚିତ କରେ । ‘ଆକ୍ରାନ୍ତ ୩/୪’ରେ ଛାତ୍ର ଓ ଅଧ୍ୟାପକମାନଙ୍କ ସମସ୍ୟା ଦର୍ଶାଯାଇଛି । ଗୋଟିଏ କଲେଜର ଏ ଅବ୍ୟବସ୍ଥା ଗତ ସମସ୍ୟା କଥା କୁହାଯାଇଛି । ଛାତ୍ର ଆନ୍ଦୋଳନ, ଅଧ୍ୟାପକ ସମସ୍ୟା, ଲାଇବ୍ରେରୀରେ ପୁସ୍ତକ ଅଭାବ, ଅଧ୍ୟାପକମାନେ କ୍ଳାସରେ ଅନୁପସ୍ଥିତ ରହିବା, ଅଧ୍ୟାପକ ମରୁଡ଼ି ପରି ବିଭିନ୍ନ ସମସ୍ୟା ଦେଖାଦେଇଛି, ଯାହାଦ୍ଵାରା ଚାପ ପଡ଼ିଛି ଅଧ୍ୟକ୍ଷଙ୍କ ଉପରେ । ଔପନ୍ୟାସିକଙ୍କ ଭାଷାରେ ‘‘ଆଜି କାଲି କଲେଜ ଗୁଡ଼ିକରେ ଅବସ୍ଥା ଏଇଆ । କାହାରି ନିୟନ୍ତ୍ରଣରେ ନାହିଁ କି କାହାର କର୍ତ୍ତୃତ୍ୱ ନାହିଁ । ନୀତି ନିୟମ କିଛି ନାହିଁ । ଯାହା ହେଉଛି ହେଉଛି, ସମଗ୍ର ସିଷ୍ଟମଟିକୁ ସଜାଡ଼ିବାକୁ ସରକାରୀ ପ୍ରୟାସ ନାହିଁ । ନେତାମାନଙ୍କ ପ୍ରଭାବରେ ଚାପରେ ବଦଳି, ଟଙ୍କା ଦେଇ ସମ୍ଭବ ହେଉଛି । କେଉଁଠି ଆବଶ୍ୟକତା ଠାରୁ ଅଧିକ ଅଧ୍ୟାପକ ବିଭିନ୍ନ ବିଭାଗରେ ଅଛନ୍ତି ତ କେଉଁଠି ତିନି ଚାରିଜଣଙ୍କ ସ୍ଥାନରେ ଜଣେ ଅଧ୍ୟାପକ । ତା’ ସହ ଦରମା ନିୟମିତ ନାହିଁ । ନିତି ନିୟମ ସତ୍ତ୍ଵେ ଜଣେ ସ୍ଥାନାନ୍ତରିତ ହୋଇ ପାରୁନି । ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଧ୍ୟାପକଙ୍କ ପଛରେ କ୍ଷମତା ନେତାଙ୍କ ହାତ, ଅବସ୍ଥାକୁ ଆହୁରି ଗୋଳିଆ କରି ପକାଉଛି । ପୁଣି ଅନ୍ୟାନ୍ୟ ବିଷୟକୁ କେନ୍ଦ୍ର କରି ସରକାରଙ୍କୁ ରିପୋର୍ଟ ଦେବା ଆହୁରି ତାଙ୍କ ଧଡ଼ଧଡ଼ ଗାଡ଼ି ପରି ।’’ ଉପନ୍ୟାସରେ ଶିକ୍ଷା ବ୍ୟବସ୍ଥାରେ ଥିବା ଅବ୍ୟବସ୍ଥାକୁ ନେଇ ଛାତ୍ରନେତାମାନେ ଜାଗି ଉଠିଛନ୍ତି । ଆନ୍ଦୋଳନକୁ ଆସିଛନ୍ତି । ପଛରେ ଅଧ୍ୟାପକ ଅଧ୍ୟାପିକା ଓ ରାଜନୀତିକ ଅଭିଭାବକମାନେ ଅଛନ୍ତି । ଅଛି ମଉଜ ମସ୍ତିରେ ମାତି ଉଠୁଥିବା ଛାତ୍ର ଶକ୍ତି ଆମର ଦାବୀ – ପୂରଣ ହେଉ ପୂରଣ ହେଉ, ପୂରଣ ହେଉ । ଅଧ୍ୟକ୍ଷ ବଦଳି ଆମର ଦାବୀ, ନିୟମିତ କ୍ଲାସ ହେବା – ଆମର ଦାବୀ, ଖାଲି ଥିବା ଅଧ୍ୟାପକ ପୋଷ୍ଟ ପୂରଣ ଆମର ଦାବୀ, ସବୁ ବିଷୟରେ ସମ୍ମାନ ଶ୍ରେଣୀ ଖୋଲୁ – ଆମର ଦାବୀ, ଖାଲି ଥିବା ଅଧ୍ୟାପକ ପୋଷ୍ଟ ପୂରଣ ଆମର ଦାବୀ, ପ୍ରୀତିନନ୍ଦା ମର୍ଡର କେଶର ଦୋଷୀମାନଙ୍କୁ ଦଣ୍ଡିତ କରିବା – ଆମର ଦାବୀ, ଅଧା ତିଆରି ଲାଇବ୍ରେରୀ ଘର ତିଆରି ହେବା ଆମର ଦାବୀ, କ୍ରୀଡ଼ା ଉପକରଣ ଯୋଗାଇ ଦେବା -ଆମର ଦାବୀ ଏହିପରି ଶିକ୍ଷା କେନ୍ଦ୍ରରେ ହେଉଥିବା ବିବିଧ ସମସ୍ୟା ସମାଧାନ ଉପରେ ଯେଉଁ ଆନ୍ଦୋଳନ କରାଯାଇଛି ତାହା ଲେଖକଙ୍କ ଅବ୍ୟବସ୍ଥା ବିରୁଦ୍ଧରେ ବିପ୍ଳବର ଏକ ମାଧ୍ୟମ । ଏହାର ମୁକାବିଲାପାଇଁ ଅଧ୍ୟକ୍ଷ ପରିଶେଷରେ ନିଜର ବକ୍ତବ୍ୟକୁ ଉଦ୍ଧାର କରାଯାଇପାରେ । ଏହିପରି “ ଏ କ୍ଷେତ୍ର ଏକ ଭୟାବହ ଆକ୍ରାନ୍ତର କ୍ଷେତ୍ର । ଆମେ ସମସ୍ତେ ଆକ୍ରାନ୍ତ, ରୁଗ୍‌ଣ । ମୁଁ ବି । ମୁଁ ବି । ହୁଏତ ଅଧିକ ଆକ୍ରାନ୍ତ । ଏ କ୍ଷେତ୍ରରୁ ରକ୍ଷା ପାଇବାପାଇଁ ଏ ବ୍ୟବସ୍ଥା ଏ ଧାରାକୁ ଭାଙ୍ଗି ଦେବାକୁ ପଡ଼ିବ । ପ୍ୟାଚ ପକେଇବାର ତତ୍ତ୍ଵ ଅଧିକ ରୁଗଣ କରିବ ଆମକୁ । ଆଗାମୀ ପୁରୁଷପାଇଁ ତା’ ବି ସୃଷ୍ଟି କରିବ ଅଧିକ ବିଡମ୍ବନା । ଗୋଟିଏ ରୁଗ୍‌ଣ ବ୍ୟବସ୍ଥାକୁ ଆଗାମୀ ପୁରୁଷ ହାତରେ ଟେକି ପାରିବା ନାହିଁ ।”୧୬

ସେହିପରି ‘ପାପ ପରି ନିଜର’ ଓ ଅପଦେବତା’ ଉପନ୍ୟାସରେ ଶିକ୍ଷା କ୍ଷେତ୍ରରେ ଥିବା ଦାରିଦ୍ର‌୍ୟକୁ ନେଇ ପ୍ରତିବନ୍ଧକ ଓ ଶିକ୍ଷା କ୍ଷେତ୍ରରେ ଯୋଗ୍ୟତା ଓ ଅଯୋଗ୍ୟତାକୁ ନେଇ ଶିକ୍ଷକ ଛାତ୍ର-ଛାତ୍ରୀମାନଙ୍କୁ ଦେଉଥିବା ଉପଦେଶରୁ ଔପନ୍ୟାସିକଙ୍କ ବୈପ୍ଲବିକ ସ୍ବର ଫୁଟି ଉଠେ । ଦିନକୁ ଦିନ ଜନ ସଂଖ୍ୟାର ଦ୍ରୁତ ଗତିରେ ବଢୁଛି, ସ୍କୁଲ୍ କଲେଜ୍ ସଂଖ୍ୟା ବୃଦ୍ଧି ପାଉଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଉନ୍ନତି ମୂଳକ ଶିକ୍ଷା ନୀତି ପ୍ରଣୟନ କାର‌୍ୟ୍ୟକାରୀ କରାଯାଉଛି । ମାତ୍ର, ବିଡମ୍ବନାର ବିଷୟ କିଛି ପିଲା ଶିକ୍ଷା ପ୍ରାପ୍ୟରୁ ବଂଚିତ ରହୁଛନ୍ତି । ତାହାର ଏକ ପ୍ରଧାନ ଅନ୍ତରାୟ ହେଲା ଦାରିଦ୍ର‌୍ୟତା । ‘ପାପ ପରି ନିଜର’ ଉପନ୍ୟାସରେ ସୁଶାନ୍ତ ଚରିତ୍ର ମାଧ୍ୟମରୁ ଯାହାର ନମୁନା ଦେଖିପାରିବା ୮,୯ ବର୍ଷର ସୁଶାନ୍ତ ଯେଉଁ ସମୟରେ ପାଠ ପଢ଼ିବା ଖେଳିବା ବୁଲିବାରେ ସମୟ ବିନିମୟ କରିବା କଥା ସେ ସମୟରେ ଏକ ହୋଟେଲରେ କାମ କରେ । ଏହାକୁ ନେଇ ପଦ୍ମଜ ପାଳ ସୋମନାଥ ମୁଖରେ କହିଛନ୍ତି ‘’ଦାରିଦ୍ର‌୍ୟ କ’ଣ ତୁମେ ବୁଝନା ବୋଧେ ସୁବର୍ଣ୍ଣ ଏ ଦେଶର ସବୁ ଶିଶୁଙ୍କ ପାଇଁ ଶିକ୍ଷା ଏକ ମହତାକାଂକ୍ଷା ହୋଇ ଏବେ ବି ରହିଛି । ଯେଉଁଠି ମଣିଷ ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ଘରଟିଏ ନାହିଁ, ସେଠି ଶିଶୁ ଶିକ୍ଷା ପାଇବା ଏକ ହାସ୍ୟାସ୍ପଦ ଉଚ୍ଚାଶା ନୁହେଁ କି । ‘’୧୭ ‘ଅପଦେବତା’ ଉପନ୍ୟାସରେ ବିଜୟ ଜଣେ ପାଠ ଚୋର । ତାର ପାଠ ପଢିବାରେ ଇଚ୍ଛା ନଥାଏ । ଶିକ୍ଷକକୁ ଠକେ । ଆଦିକନ୍ଦ ସାର୍ ତା ଭୁଲ୍ ଦେଖି ଯେଉଁ ପ୍ରତିକ୍ରିୟା ରଖିଛନ୍ତି । ଯୋଗ୍ୟ ଓ ଅଯୋଗ୍ୟ ଲୋକଙ୍କ ପ୍ରତିଭା ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିରୁ ବିପ୍ଳବର ସ୍ବରଟିଏ ଫୁଟିଉଠେ । ଲେଖକଙ୍କ ଭାଷାରେ ଆଜିକାଲି ଏହା ହିଁ ହେଉଛି, ଛାତ୍ରମାନେ ଏହା ହିଁ ହେଉଛି, ଅଯୋଗ୍ୟ ଲୋକମାନେ ଏମିତି ନାନା କୌଶଳରେ ନିଜର ଯୋଗ୍ୟତା ଦର୍ଶାଇ ପାରୁଛନ୍ତି । ଗଣିତରେ ଗ ଅକ୍ଷର ଜାଣି ନ ଥିବା ଛାତ୍ରଟିଏ ଶତକଡ଼ା ଶହେରୁ ଶହେ ରଖି ଦେଉଛି । ଲୋକ ଚକ୍ଷୁରେ ତା’ର ସମ୍ମାନ ବଢୁଛି । ମାତ୍ର ପ୍ରକୃତ କ୍ଷେତ୍ରରେ ଏହା ଦେଶର ସମାଜର ମଣିଷ ଜାତିର ଅପୂରଣୀୟ କ୍ଷତି କରୁଛି, ଏଥି ପାଇଁ ଯୋଗ୍ୟ ଓ ଅଯୋଗ୍ୟ ଉଭୟ ହିଁ ଦାୟୀ । କାରଣ ଯୋଗ୍ୟ ବ୍ୟକ୍ତିଟି ପାଖରେ ପ୍ରତିଭା ଦକ୍ଷତା ସବୁ ଅଛି । କିନ୍ତୁ ସାହସ ନାହିଁ ଭୟ ଓ ସ୍ଵାର୍ଥପରତା କବଳିତ କରିଛି । ସହଜ ଜୀବନ ଯାପନର ପ୍ରଲୋଭନ ପଛରେ ସେମାନେ ଧାଇଁଛନ୍ତି । ଏସବୁ ପ୍ରତିରୋଧ କରିବାକୁ ପଡ଼ିବ । ଛାତ୍ରମାନେ ଏ ଦେଶର ଭବିଷ୍ୟତ ନାଗରିକ ସେମାନେ ମହା ଶକ୍ତିଶାଳୀ, ସେମାନେ ହିଁ ଏହା ପାରିବେ । ଏ ଦେଶରେ ଯେଉଁ ଭ୍ରଷ୍ଟାଚାର ଶାସନ ଚାଲିଛି, ଅଯୋଗ୍ୟ ସ୍ଵାର୍ଥନ୍ଵେଷୀ କୁଟିଳ ମାନବ ବିରୋଧୀ ଶକ୍ତିମାନ୍ ଯେଉଁ ଭଳି ଭାବରେ ଏକଜୁଟ୍ ହୋଇ ମଣିଷକୁ ଶୋଷଣ କରି ଚାଲିଛନ୍ତି , ସେମାନଙ୍କୁ ଧ୍ଵଂସ କରିବାକୁ ପଡ଼ିବ । ହେଉ ପଛେ ବାଟ ରକ୍ତ ଭରା ପହଁରିବାକୁ ହେଉ ପଛେ ମଣିଷକୁ ତା’ର ରକ୍ତରେ ତା ‘ କରିବାକୁ ପଡ଼ିବ ଅଧର୍ମ, ଅନ୍ୟାୟ, ଅଭିସନ୍ଧି, ସ୍ଵାର୍ଥପରତାକୁ ଧ୍ଵଂସ କରିବାକୁ ପଡ଼ିବ, ତୁମ୍ଭମାନଙ୍କ ଏ କଥା କରିବାକୁ ପଡିବ ଏ ଶପଥ ନେବାକୁ ହେବ । ୧୮

ଔପନ୍ୟାସିକ ପଦ୍ମଜ ପାଳଙ୍କ ଉପନ୍ୟାସରେ ସମାଜରେ ଥିବା ବିବିଧ ସମସ୍ୟାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ‘ଯାତ୍ରା ଡଟ୍ କମ୍’ରେ ମଧ୍ୟ ଔପନ୍ୟାସିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଅସୁବିଧାକୁ ଦର୍ଶାଇଛନ୍ତି । କେତେବେଳେ ଇଲେକ୍ଟ୍ରିକ ସମସ୍ୟା, କେତେବେଳେ ଉପଯୁକ୍ତ ସ୍ଵାସ୍ଥ୍ୟ ସେବାର ସମସ୍ୟା ଦେଖାଯାଇଛି । ଟେଲିଫୋନର ଅବ୍ୟବସ୍ଥାଠୁ ଆରମ୍ଭ କରି ପୋଲିସ୍, ହସ୍ପିଟାଲର ଅବ୍ୟବସ୍ଥା ପର‌୍ୟ୍ୟନ୍ତ ପ୍ରଦର୍ଶିତ । ସେହିପରି ‘ଅପଦେବତା’ ଉପନ୍ୟାସରେ ଗ୍ରାମୀଣ ପରିବେଶରେ ବଢିଥିବା ବିଜୁ ଭାଇ ସମୟକ୍ରମେ କେମିତି ବିର୍ଜୁ ମହାରାଜାରେ ପରିଣତ ହୋଇଛନ୍ତି, ତାର ଚମତ୍କାର କାହାଣୀ ଉକ୍ତ ଉପନ୍ୟାସ ! ଲେଖକ ଏହି ଉପନ୍ୟାସରେ ଦର୍ଶାଇଛନ୍ତି ଯେ ଯୁଗେ ଯୁଗେ ମଣିଷ ଭଣ୍ଡ ବାବାଜୀଙ୍କ ଦ୍ବାରା ଶୋଷଣର ଶିକାର ହୋଇ ଆସୁଛି । ଭଣ୍ଡ ବାବାଜୀ ଅଲୌକିତ ଜଗତର କଥା କହି ଲୋକଙ୍କୁ ନିଜ ଆୟତ୍ତରେ ବାନ୍ଧି ରଖିବାକୁ ପ୍ରୟାସ କରିଥାଆନ୍ତି ଓ ଅନେକ ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଯାନ୍ତି । ଏହି ଭଣ୍ଡ ବାବାଜୀଙ୍କ ଦ୍ବାରା ଭାରତୀୟ ସାଧୁ ସମାଜ ମଧ୍ୟ ବଦନାମର ଶିକାର ହୋଇଥାନ୍ତି । ପରିଶେଷରେ ନିଜ ଭୁଲ କାମ ପାଇଁ ସେମାନେ ନିଜ କର୍ମଫଳ ଭୋଗ କରିଥାନ୍ତି । ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ । ଯିଏ ଯେଭଳି କାର‌୍ୟ୍ୟ କରିବ, ସିଏ ସେଭଳି ଫଳ ପାଇବ ଏହି ନ୍ୟାୟରେ ଲେଖକ ଏହି ଉପନ୍ୟାସଟି ରଚନା କରିଛନ୍ତି । ଏଥିରେ ଲେଖକ ପରୋକ୍ଷରେ ସମାଜରେ ପ୍ରଚଳିତ ଥିବା ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛନ୍ତି।

ସାମଗ୍ରିକ ଭାବେ ବିଚାର କଲେ, ପଦ୍ମଜ ପାଳଙ୍କ ଉପନ୍ୟାସମାନଙ୍କୁ ଅବଲୋକନ କଲେ, ଦୁଇ ପ୍ରକାର ବୈପ୍ଲବିକ ଚିନ୍ତାଧାରା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ପ୍ରଥମତଃ ସାମାଜିକ ବିପ୍ଲବ ଦ୍ବିତୀୟତଃ ବ୍ୟକ୍ତିର ଆତ୍ମିକ ବିପ୍ଲବ। ପଦ୍ମଜ ପାଳଙ୍କ ‘ଦୁର୍ଗ ପତନର ବେଳ’ ଉପନ୍ୟାସରେ ସାମାଜିକ ବିପ୍ଲବ ସହିତ ବ୍ୟକ୍ତିର ଆତ୍ମିକ ବିପ୍ଲବର ସ୍ବର ଅନୁଭୂତ ହୋଇଛି । ‘ଦୁର୍ଗ ପତନର ବେଳ’ ଉପନ୍ୟାସଟିରେ ସମାଜ ସଂସ୍କାରରୁ ସାମାଜିକ ବିପ୍ଳବର ସ୍ବର ଫୁଟି ଉଠୁଥିବାବେଳେ ‘ଯିବୁକି ଥିବୁ’, ‘ପ୍ରତିସ୍ପର୍ଦ୍ଧା’ ଓ ହାଏ ମୁନି କେମିତି ଅଛ’ ଉପନ୍ୟାସରେ ବ୍ୟକ୍ତିର ନିଜ ଆତ୍ମୀୟ ସ୍ଥିତି ସମ୍ପର୍କରେ ସୁନ୍ଦର ଚିତ୍ର ଆଙ୍କିଛନ୍ତି । କାଳିନ୍ଦୀ ଓ ଗୋପୀନାଥ ନିର୍ଦିଷ୍ଟ ସାମାଜିକ ବିପ୍ଲବର ଧାରା ଗାନ୍ଧୀବାଦ ଓ ମାର୍କସ୍ ବାଦ ରୂପେ ଦେଖିବାକୁ ମିଳେ। ଏହି ଚିନ୍ତାଧାରାର ପ୍ରତିଫଳନ ପଦ୍ମଜ ପାଳଙ୍କ ଉପନ୍ୟାସରେ ମଧ୍ୟ ବେଶ୍ ଅନୁଭବ କରିହୁଏ । ପଦ୍ମଜ ପାଳଙ୍କ ଉପନ୍ୟାସ ମଧ୍ୟରୁ କେତେକ ବିପ୍ଳବର ସ୍ବର ସାମାଜିକ, ରାଜନୀତିକ, ପ୍ରେମ ମୂଳକ ଓ ଆଉ କେତେକ ସମସ୍ୟା ମୂଳକ ଭାବେ ଗ୍ରହଣୀୟ । ପାଳ ମହୋଦୟ ନିଜ ଲେଖା ମାଧ୍ୟମରେ ନିଜ ଉପନ୍ୟାସରେ କେତେବେଳେ ଚାଷୀମାନଙ୍କ ସମସ୍ୟାକୁ ନେଇ ବିପ୍ଲବ କରିଛନ୍ତି ତ କେତେବେଳେ ମେହନତି, ଖଟିଖିଆ ମଣିଷର ସମସ୍ୟାକୁ ନେଇ ଆଉ କେତେବେଳେ ଯୌତୁକ ସମସ୍ୟା, ଛାତ୍ର ସମସ୍ୟା, ଜାତି ସମସ୍ୟା କଥା ତଥା ଅସବର୍ଣ୍ଣ ବିବାହାକୁ ନେଇ ବିପ୍ଳବର ସ୍ଵର ଉଠାଇଛନ୍ତି । ତାଙ୍କ ଉପନ୍ୟାସର ଚରିତ୍ରମାନେ ଭାରି ସ୍ପଷ୍ଟବାଦୀ, ଅଧିକ ଆତ୍ମ ବିଶ୍ବାସୀ, ଏବଂ ସାହସୀ ତଥା ନିର୍ଭୀକ ଓ ଆମ ଚାରି ପାଖର ମଣିଷ ପରି ମନେହୁଅନ୍ତି । ନାରୀ ଚରିତ୍ରମାନେ ଆଦୌ ଅବହେଳିତ ନୁହନ୍ତି । ଜୀବନରେ ସମାଜରେ ଯେଉଁ ମହତ୍ୱପୂର୍ଣ୍ଣ ଭୂମିକାରେ ସେମାନେ ଦୃଶ୍ୟମାନ ହୁଅନ୍ତି । ସେଭଳି ଗୁରୁତ୍ଵପୂର୍ଣ୍ଣ ଭୂମିକା ସେମାନଙ୍କର । ସେମାନେ ସାମ୍ନା କରୁଥିବା ଜୀବନ ସମସ୍ୟା, ସଂକଟ ସଂକ୍ରାନ୍ତରେ ନିଷ୍ପତି କରନ୍ତି ଓ ନିଜ ଜୀବନ ବଞ୍ଚନ୍ତି । ଏଠି ଔପନ୍ୟାସିକ ଅବ୍ୟବସ୍ଥାରୁ ସୁବ୍ୟବସ୍ଥାପାଇଁ ସମସ୍ତଙ୍କୁ ଲଢିବା ପାଇଁ ଆହ୍ଵାନ କରାଇଛନ୍ତି । କାହିଁକିନା ଏ ଅବ୍ୟବସ୍ଥା ସମସ୍ତଙ୍କ ପାଇଁ ହେଉଛି ଓ ସମସ୍ତଙ୍କ ଦ୍ଵାରା ହିଁ ସମସ୍ୟାର ସମାଧାନ କରାଯାଇପାରିବ । ପଦ୍ମଜ ପାଳଙ୍କ ଉପନ୍ୟାସରେ ଉପରୋକ୍ତ ସମସ୍ତ ବୈପ୍ଲବିକ ଚିନ୍ତାଧାରା ସମାଜ ପାଇଁ ବିଶେଷ ମହନୀୟ । ଏହାକୁ ଅସ୍ଵୀକାର କରାଯାଇ ନପାରେ ।

ଶେଷଟୀକା :-

୧ . ମହାପାତ୍ର ତପନ, କଥାଶିଳ୍ପୀ ଓ ଔପନ୍ୟାସିକ ପଦ୍ମଜ ପାଳଙ୍କ ସର୍ଜନ ଜୀବନ ଅଧାରୁ ଆରମ୍ଭ :ଅଧାରେ ଶେଷ, ସର୍ଜନ ଜୀବନୀ : ପ୍ରକାଶକ : ଆଦିତ୍ୟ ଭାରତ କଟକ-୧୪, ପ୍ରଥମ ସଂସ୍କରଣ :୨୦୨୦ ଥ ପୃଷ୍ଠା ୬୫ ଧ

୨ . ପାଳ ପଦ୍ମଜ, ଦୁର୍ଗ ପତନର ବେଳ, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର୍ କଟକ-୨, ପ୍ରଥମ ପ୍ରକାଶ ୨୦୦୩ ଥପୃଷ୍ଠା-୩୦ଧ

୩ . ପାଳ ପଦ୍ମଜ, ଦୁର୍ଗ ପତନର ବେଳ, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର୍ କଟକ-୨ ପ୍ରଥମ ପ୍ରକାଶ ୨୦୦୩ ଥପୃଷ୍ଠା- ୫୦ଧ

୪ . ପାଳ ପଦ୍ମଜ, ଦୁର୍ଗ ପତନର ବେଳ, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର୍ କଟକ-୨ ପ୍ରଥମ ପ୍ରକାଶ ୨୦୦୩ ଥପୃଷ୍ଠା-୧୦୮ଧ

୫ . ମହାପାତ୍ର ତପନ, କଥାଶିଳ୍ପୀ ଓ ଔପନ୍ୟାସିକ ପଦ୍ମଜ ପାଳଙ୍କ ସର୍ଜନ ଜୀବନ ଅଧାରୁ ଆରମ୍ଭ :ଅଧାରେ ଶେଷ, ସର୍ଜନ ଜୀବନୀ : ପ୍ରକାଶକ : ଆଦିତ୍ୟ ଭାରତ କଟକ-୧୪, ପ୍ରଥମ ସଂସ୍କରଣ :୨୦୨୦ ଥ ପୃଷ୍ଠା ୬୫ ଧ

୬ .ପଟ୍ଟନାୟକ ଜିତେନ୍ଦ୍ର ନାରାୟଣ, ପ୍ରକାଶକ: ମନୋଜ କୁମାର ମହାପାତ୍ର ଗ୍ରନ୍ଥ ମନ୍ଦିର, ବିନୋଦବିହାରୀ, କଟକ – ୨, ପ୍ରଥମ ସଂସ୍କରଣ : ୨୦୧୪ଥପୃଷ୍ଠା-୯୧ଧ

୭.ପାଳ ପଦ୍ମଜ, ଦୁର୍ଗ ପତନର ବେଳ, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର୍ କଟକ-୨ ପ୍ରଥମ ପ୍ରକାଶ ୨୦୦୩ ଥପୃଷ୍ଠା- ୫୨ଧ

୮. ପଟ୍ଟନାୟକ ପଠାଣି, (ସଂପାଦନା) ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ, ପ୍ରଥମ ପ୍ରକାଶ ୧୯୯୭, ଓଡ଼ିଶା ବୁକ୍ସଷ୍ଟୋର, ବିନୋଦ ବିହାରୀ, କଟକ ଥପୃଷ୍ଠା-୭୫୦- ୭୫୧ଧ

୯. ପାଳ ପଦ୍ମଜ, ପାପ ପରି ନିଜର, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର କଟକ-୨, ପ୍ରଥମ ପ୍ରକାଶ: ୧୯୯୫ ଥପୃଷ୍ଠା -୮୪ ଧ

୧୦.ପାଳ ପଦ୍ମଜ, ଓୟେ ପୁଅମା, ପ୍ରକାଶକ: ଅପୂର୍ବା, ଭୁବନେଶ୍ବର, ପ୍ରଥମ ସଂସ୍କରଣ: ୨୦୦୨ ଥପୃଷ୍ଠା-୧୧୪ଧ

୧୧.ପାଳ, ପଦ୍ମଜ, ଗାନ୍ଧୀ ଛକରୁ ଟିକିଏ ଆଗକୁ’ ପ୍ରକାଶକ : ଅପୂର୍ବା, ଭୁବନେଶ୍ଵର, ପ୍ରଥମ ସଂସ୍କରଣ: ୨୦୧୦ ଥପୃଷ୍ଠା-୯୩ ଧ

୧୨. ମହାପାତ୍ର ତପନ, କଥାଶିଳ୍ପୀ ଓ ଔପନ୍ୟାସିକ ପଦ୍ମଜ ପାଳଙ୍କ ସର୍ଜନ ଜୀବନ ଅଧାରୁ ଆରମ୍ଭ:ଅଧାରେ ଶେଷ, ସର୍ଜନ ଜୀବନୀ : ପ୍ରକାଶକ : ଆଦିତ୍ୟ ଭାରତ କଟକ-୧୪, ପ୍ରଥମ ସଂସ୍କରଣ :୨୦୨୦ଥପୃଷ୍ଠା-୭୯ଧ

୧୩. ପାଳ ପଦ୍ମଜ, ପାପ ପରି ନିଜର, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର କଟକ-୨, ପ୍ରଥମ ପ୍ରକାଶ: ୧୯୯୫ ଥପୃଷ୍ଠା ୮୫ଧ

୧୪. ମହାପାତ୍ର ତପନ, କଥାଶିଳ୍ପୀ ଓ ଔପନ୍ୟାସିକ ପଦ୍ମଜ ପାଳଙ୍କ ସର୍ଜନ ଜୀବନ ଅଧାରୁ ଆରମ୍ଭ:ଅଧାରେ ଶେଷ, ସର୍ଜନ ଜୀବନୀ : ପ୍ରକାଶକ : ଆଦିତ୍ୟ ଭାରତ କଟକ-୧୪, ପ୍ରଥମ ସଂସ୍କରଣ :୨୦୨୦ ପୃଷ୍ଠା ୬୫ ଧ

୧୫. ପାଳ ପଦ୍ମଜ, ଦୁର୍ଗ ପତନର ବେଳ, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର୍ କଟକ-୨ ପ୍ରଥମ ପ୍ରକାଶ ୨୦୦୩ ଥପୃଷ୍ଠା- ୬୦ଧ

୧୬.ପାଳ ପଦ୍ମଜ, ଆକ୍ରାନ୍ତ ୩/୪, ଆକାଂକ୍ଷା ପ୍ରକାଶନ, ଭଦ୍ରକ, ପ୍ରଥମ ପ୍ରକାଶ ୨୦୦୭ ଥପୃଷ୍ଠା-୯୩ -୯୪ଧ

୧୭. ପାଳ ପଦ୍ମଜ, ପାପ ପରି ନିଜର, ପ୍ରକାଶକ: ଅଗ୍ରଦୂତ, ବାଂକାବଜାର କଟକ-୨, ପ୍ରଥମ ପ୍ରକାଶ: ୧୯୯୫ ଥ୨୪ପୃଷ୍ଠା ଧ

୧୮. ପାଳ ପଦ୍ମଜ, ଉପନ୍ୟାସ ସମଗ୍ର ୧ ଭାଗ, ଅପଦେବତା ପଶ୍ଚିମା ପବ୍ଲିକେଶନସ, ଭୁବନେଶ୍ବର ଥ୭୮ ପୃଷ୍ଠା ଧ

ସହାୟକ ଗ୍ରନ୍ଥସୂଚୀ:-

୧. ପାଳ ପଦ୍ମଜ, ଉପନ୍ୟାସ ସମଗ୍ର-୧ମ,୨ୟ ଓ ୩ୟ ଭାଗ, ପଶ୍ଚିମା ପବ୍ଲିକେଶନସ, ଭୁବନେଶ୍ବର,

୨. ଇଣ୍ଟରନେଟ୍, ଷ୍ଟୋରିଟେଲ୍ ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ

Share This Article
ଗବେଷକ, ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତି ବିହାର,
Exit mobile version