ଯୋଗେନ୍ଦ୍ରନାଥପୁରର ଇତିହାସ ଓ ଖାଦ୍ୟ ସଂସ୍କୃତି

ଆଚଳବତୀ ପଟେଲ 366 Views
18 Min Read

“ଆମ ଗାଁ’ର ନାମ ଯୋଗେନ୍ଦ୍ରନାଥପୁର । ଆମ ଗାଁ’ର ପୂର୍ବ ଦିଗରେ ପଶ୍ଚିମରୁ ପୂର୍ବକୁ ଗୋଟିଏ ନାଳ ବହିଯାଉଥିଲା । ଗାଁ’ର ପୂର୍ବ ପଟରେ ଗୋଟିଏ ନାଲା ହ୍ରଦ ଥିଲା ସେହିକୁ ଗୋଟିଏ ବିରାଟ ପଥର ଚଟାଣ ଢାଙ୍କିକରି ରଖିଥିଲା ପଥର ଚଟାଣ ଖୋଳରେ ଗୋଟିଏ ମାଙ୍କଡ ପାଣି ପିଇ ଖୋଲ ଭିତରେ ରହୁଥିଲା । ତାକୁ ଦେଖି ଲୋକମାନେ କହିଲେ ଖୋଲ ଭିତରେ ବା ସଉରୁଗୁଳା ଭିତରେ ମାଙ୍କଡ ବା ବନ୍ଦର ବାସ କରୁଅଛି । ସେହି ଅନୁସାରେ ସଉରୁଗୁଳା ଭିତରେ ରହିଥିବାରୁ ଗାଁ’ର ନାମ ବନ୍ଦର ସଉରୁଗୁଳା ବୋଲି ନାମକରଣ କରିଥିଲେ । ପରେ ଏହାର ନାମ “ଯୋଗେନ୍ଦ୍ରନାଥପୁର” ରଖାଗଲା । ଆମ ଗାଁ ବନ୍ଦର ସୁରୁଗୁଳା ରେ ବହୁତ ଅସୁବିଧା ଥିଲା । ଆମ ଗ୍ରାମରେ ରାସ୍ତା ନଥିଲା|, ବନ୍ଧ, ଘାଟ ଆମ ଗାଁରେ ନଥିଲା । ଆମ ଗାଁରେ ସ୍କୁଲ ନଥିଲା। ଡେରା ଘର ଥିଲା । ସମସ୍ତେ ଡେରା ଘରକୁ ପଢିବାକୁ ଯାଉଥିଲେ ।

ଆମ ଗାଁ 1926 ମସିହାରେ ପ୍ରତିଷ୍ଠା ହୋଇଥିଲା । ଆମ ଗାଁକୁ ପ୍ରଥମେ ଗଉଁନ୍ତିଆମାନେ ଆସି ବସବାସ କରୁଥିଲେ । ଗାଁକୁ ପରେ ସବରମାନେ ଆସି ବସତି ସ୍ଥାପନ କଲେ । ତାପରେ ବହୁତ ଲୋକ ଗାଁକୁ ଆସି ରହିବାକୁ ଲାଗିଲେ । ଧିରେ ଧିରେ ଅନେକ ଜାତିର ଲୋକମାନେ ଆସି ରହିଲେ । ଆମ ଗାଁର ଲୋକସଂଖ୍ୟା ପାଖାପାଖି 1000 । ଆମ ଗାଁ’ରେ ଏବେ 140ଟି ଘର ଅଛି ସେଥିରୁ 115ଟି ପକ୍କାଘର । ଆମ ଗାଁ’ରେ ମାଲି, ତେଲି, ବିଂଝାଲ, ଗଉର, କୁଲତା, ଭଣ୍ଡାରୀ, କୁମ୍ଭାର, ଗଣା, ମିର୍ଦ୍ଧା, କୁଡ଼ା, ସଁଅର, ବ୍ରାହ୍ମଣ, କେଉଁଟ, ହରିଜନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଗାଁରେ ଅନେକ ପ୍ରକାରର କଳାକାର ଓ କାରିଗର ଅଛନ୍ତି ଯେମିତି ଚିତ୍ରକଳା, ଝୋଟି ଚିତ୍ରର କଳାକାର । ବୁଣାବୁଣି , ବଢ଼େଇ କାମ, କୁମ୍ଭାର କାମ କରିବା କାରିଗର ଆମ ଗାଁରେ ଅଛନ୍ତି ।

ଆମ ଗାଁରେ ଚାରିଆଡେ ଜଙ୍ଗଲ ତେଣୁ ଗାଁ’ରେ ଭ୍ରମଣ କଲେ ବହୁତ ଭଲ ଲାଗେ । ଆମ ଗାଁ ପାଖରେ ପର୍ଯ୍ୟଟନ ସ୍ଥାନ ଭିତରେ ନୃସିଂହନାଥଙ୍କ ମନ୍ଦିର ଅଛି ସେଠାରେ ଦର୍ଶନ କରିବାକୁ ଭଲ ଲାଗେ । ଆମ ଗାଁରେ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ ଅଛି ଓ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଅଛି । ଆମ ଗାଁ’ ସ୍କୁଲରେ ଏବେ 75ଟି ପିଲା ପାଠ ପଢୁଛନ୍ତି । ଗାଁରେ ପାଠପଢ଼ୁ ନଥିବା ପିଲା ସଂଖ୍ୟା ହେଲା 45 । ଯେଉଁମାନେ ବେକାରୀ ଅଛନ୍ତି ସେମାନେ କାମ ନକରି ଗାଁରେ ଏଣେ ତେଣେ ବୁଲୁଛନ୍ତି । ଗାଁରେ ଅତୀତରେ ପାଣିର ଉତ୍ସ କୂଅ ଥିଲା  । ଏବେ ଗାଁର ପାଣିର ଉତ୍ସ ନଳକୂପ ରହିଛି । ଖରା ମାସରେ ଗାଁରେ ପାଣିର ଅସୁବିଧା ହୁଏ । ସେତେବେଳେ ଲୋକେ କୂଅ, ନଳକୂଅରେ ଗାଧାନ୍ତି ।

ଗାଁର ସବୁଠାରୁ ପୁରୁଣା ଜେଜେ ବାପା  ଭୂବନ ଭୁଇ ତାଙ୍କ ପିଲାବେଳେ ଗାଁ’ ବିଷୟରେ କୁହନ୍ତି ଯେ, ଗାଁ’ରେ ଛୋଟ ଛୋଟ ଘର ଥିଲା । ସେ ସମୟରେ ପୋଖରୀ ନ ଥିଲା  । ତାଙ୍କ ବୟସର ସମସ୍ତ ସାଙ୍ଗମାନେ ମିଶି ମାଟିକୁ ଭାରରେ ବୋହି ପୋଖରୀ ଖୋଲିଥିଲେ । ବାଡ଼ିରେ ଚାଷ କରିବା ପାଇଁ କୂଅ ଖୋଳୁଥିଲେ । ତାଙ୍କ ସମୟରେ ବହୁତ ସୁନ୍ଦର ଜଙ୍ଗଲ ଥିଲା । ସେମାନଙ୍କ ସମୟରେ ପାଠ ବହୁତ କମ ଥିଲା । ବହୁତ ସୁନ୍ଦର ପଢା ହେଉଥିଲା । ସମସ୍ତେ ମିଶି ଜଙ୍ଗଲକୁ ଯାଇ କାଠ ବାଉଁଶରୁ କରିଡି ତିଆରି କରୁଥିଲେ । ମାଟିରେ ତିଆରି ବାସନରେ ଖାଇବା ପ୍ରସ୍ତୁତ କରୁଥିଲେ । ମାଟି କଡେଇ ପଟୁଳି ଏସବୁଥିରେ ଖାଇବା ତିଆରି କରୁଥିଲେ । ଗାଁ’ର ଲୋକ ସମସ୍ତେ ସାଙ୍ଗ ହୋଇ ମିଳିମିଶି ରହୁଥିଲେ । ସମସ୍ତେ ସମସ୍ତଙ୍କୁ ସମ୍ମାନ ସହିତ କଥାବାର୍ତ୍ତା ହେଉଥିଲେ । ସାଙ୍ଗରେ କାମ କରିବାକୁ ଯାଉଥିଲେ । ଜଙ୍ଗଲରୁ କାଠ ହାଣି ଘରକୁ ଆଣୁଥିଲେ । ଅନ୍ୟ ଗାଁକୁ କାମ କରିବାକୁ ଯାଇ ଦିନ ସାରା ଖଟିକି କିଛି ଧାନ ନହେଲେ କିଛି ଚାଉଳ ଆଣୁଥିଲେ ।

ଜେଜେ ମା’ ଗାଁକୁ ବିବାହ କରି ଆସିବାବେଳେ ଓ ତାଙ୍କ ବୟସର ଲୋକମାନଙ୍କ  ସମୟରେ ଗାଁ’ର ପରିବେଶ ବହୁତ ସୁନ୍ଦର ଥିଲା । ଚାରିଆଡେ ଜଙ୍ଗଲ,ପାହାଡ଼ ,ପର୍ବତରୁ ସାଇଁ ସାଇଁ ପବନ ବୋହୁଥିଲା । ଚାରିଆଡେ ଗଛ ପତ୍ର ଥିଲା, ଲୋକେ ଗାଁ’କୁ ପରିସ୍କାର ପରିଚ୍ଛନ୍ନ ରଖୁଥିଲେ । ସଫାସୁତୁରା ରଖୁଥିଲେ । ସମସ୍ତେ ନିଜ ନିଜ କାମରୁ ଜୀବନ ଜାପାନ କରୁଥିଲେ । ଗାଁ’ର ସବୁଆଡେ ଧାନ, ମୁଗ, ବିରି ଚାଷ ହେଇଥିବାର ଦେଖିବାକୁ ମିଳୁଥିଲା । ଚାରି ଆଡେ ପରିବେଶ ବହୁତ ସୁନ୍ଦର ଦିଶୁଥିଲା । ସେ ସମୟରେ ନଳକୂଅ ନ ଥିଲା । ମାଟି ଖୋଳି ପାଣି ବାହାର କରି ବ୍ୟବହାର କରୁଥିଲେ । ଏବେ ପରିବର୍ତ୍ତନ ଆସିଛି, ନଳକୂଅ ପାଣି ବ୍ୟବହାର କରୁଛନ୍ତି । ମା’ମାନେ ଯେତେବେଳେ ବିବାହ କରି ଆସିଥିଲେ ସେତେବେଳେ ଗାଡି ମଟର କମ ଥିଲା । ଗାଁ’ରେ ସେ ସମୟରେ ଗୋଟିଏ କି ଦୁଇଟା ମଟର ସାଇକେଲ ଥିଲା ଓ ସେ ସମୟରେ ବେଶୀ ସାଇକେଲର ବ୍ୟବହାର ହେଉଥିଲା । ଶଗଡ଼ ଗାଡ଼ିରେ ଲୋକେ ସବୁ କାମ କରୁଥିଲେ । ଏବେ ବହୁତ ପରିବର୍ତ୍ତନ ଘଟିଛି । ମଟର ସାଇକେଲ ପ୍ରାୟ ସବୁ ଘରେ ଅଛି । ଧାନ ଆଣିବା ଓ ମଡ଼େଇବାରେ ଟ୍ରାକ୍ଟରର ବ୍ୟବହାର ହେଉଛି ।

ଆମ ଗାଁ’ରେ ଦେବଗୁଡି ପୀଠ ଅଛି ଓ ବନଦୁର୍ଗା ପୂଜା ପାଆନ୍ତି ଓ ଛୁଟି ଗୁଡ଼ି ଗଛ ମୂଳରେ ପୂଜା ପାଆନ୍ତି । ମନ୍ଦିରରେ ଜଗନ୍ନାଥ ଠାକୁରଙ୍କୁ  ପୂଜା କରାଯାଏ । ମହାବୀରଙ୍କ ପୀଠ ମଧ୍ୟ ଅଛି । ଆମ ଗାଁ’ରେ ନୂଆଖାଇ, ଗଣେଶ ପୂଜା, ପୁଷପୁନି, ଦୁର୍ଗାପୂଜା, ନାମଯଜ୍ଞ, କାର୍ତ୍ତିକ ପୁର୍ଣିମା, ଶ୍ରାବଣ ମାସ ଏତେସବୁ ପର୍ବ ପର୍ବାଣି ପାଳନ କରାଯାଏ | ପୂର୍ବରୁ ଗାଁ’ରେ ବହୁତ ପ୍ରଥା ଚଳିଆସୁଥିଲା ସେଗୁଡିକ ହେଲା -ବଳିଦେବା, ହଳଧରା , ଲୋକ ମାନଙ୍କ  ଛୁଆଁ ଅଛୁଆଁ, ବାଲ୍ୟ ବିବାହ, ଗୋଟିଏ ଜାତିର ଲୋକ ଅନ୍ୟ ଜାତି ଲୋକ ସହିତ ମିଶୁନଥିଲେ । ଗାଁ’ରେ ଲୋକମାନେ ଧର୍ମ ପୀଠ, ନିଜ କ୍ଷେତ ଜମିରେ ନିଜର ଗଛ ମୂଳରେ ନିଜେ ସ୍ମରଣ କରି ଦେବତାଙ୍କୁ ପୂଜା କରନ୍ତି ଓ ପଥରରେ ସିନ୍ଦୁର ଦେଇ କ୍ଷେତରେ ପୂଜା ଦର୍ଶନ କରନ୍ତି । ଗାଁ’ରେ ସ୍କୁଲ ପ୍ରୋଗ୍ରାମ ରେ ଗୀତ ଓ ନାଚ ହୁଏ । ନୂଆ ଖାଇରେ ମଧ୍ୟ ନୃତ୍ୟ ହୁଏ । ଲକ୍ଷ୍ମୀ ପୂଜାରେ ଲୋକମାନେ ନାଚଗୀତ କରିଥାନ୍ତି । ଦଶହରାରେ ମଧ୍ୟ ଲୋକ ସାଂସ୍କୃତିକ କାର୍ଯ୍ୟ କ୍ରମ କରିଥାନ୍ତି । ଗାଁ’ରେ ନୃତ୍ୟଦଳ, ଗୀତଦଳ, ବାଦ୍ୟ ଦଳ ଅଛନ୍ତି । ଗାଁ’ରେ ଯାନିଯାତ୍ରା ସମୟରେ ଲୋକମାନେ ଧୋତି ଓ ମହିଳାମାନେ ସମ୍ବଲପୁରୀ ଶାଢ଼ୀ ପରିଧାନ କରନ୍ତି ଓ ଉତ୍ସବରେ ନୂଆ ନୂଆ ଜିନିଷ ପରିଧାନ କରନ୍ତି ।

ଗାଁ’ରେ ଅତୀତରେ ଅନୁଭବ ହେଉଥିବା ଋତୁ ଗୁଡିକ ହେଲା ବର୍ଷା ଋତୁ, ଶରତ ଋତୁ, ଶୀତ ଋତୁ, ହେମନ୍ତ ଋତୁ, ବସନ୍ତ ଋତୁ, ଗ୍ରୀଷ୍ମ ଋତୁ। ଆଗରୁ ଗାଁ’ରେ ଗାଈ,ମେଣ୍ଢା,ଛେଳି ଓ କୁକୁଡ଼ା ,ପାରା,ବତକ ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ,ମେଣ୍ଢା,ଛେଳି,ପାରା,ଶୁଆ,କୁକୁଡ଼ା ସବୁ ପଶୁ ପକ୍ଷୀ ଅଛନ୍ତି ।  ଆମ ଗାଁ ପାଖରେ ଜଙ୍ଗଲ ଅଛି । ଆମ ଗାଁ ଜଙ୍ଗଲର ନାମ ହେଲା; ଚକା ଜଙ୍ଗଲ, ଗଛ ଲତା , ବାରପୁଟା ଜଙ୍ଗଲ । ଜଙ୍ଗଲରୁ ଲୋକମାନେ ଚେରମୂଳି ଔଷଧ, କରଡ଼ି, ଫଳ, ମୂଳ ସଂଗ୍ରହ କରନ୍ତି । ଗାଁ’ରେ ମହୁଲ ଗଛ, ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ଆମ୍ବ ଗଛ, ହରିଡ଼ା ଗଛ, ତେନ୍ତୁଳି ଗଛ ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଗାଁ’ରେ ମହାଲିଙ୍ଗ ଗଛ ପୂର୍ବରେ ଥିଲା ଏବେ ଆଉ ନାହିଁ ଓ ରେଙ୍ଗାଲ ଗଛ ବି ନାହିଁ (ସାଳ ଗଛ ) ।

ହଁ ଆମ ଗାଁ’ରେ ଆଗ ମରୁଡି ଓ ବାତ୍ୟା ହୋଇଥିଲା । ଜେଜେ ମା’, ଜେଜେ ବାପା’ ଓ ତାଙ୍କ ବୟସର ଲୋକମାନେ ପିଲା ଥିଲାବେଳେ ଗାଁ’ର ପରିବେଶ ବହୁତ ସୁନ୍ଦର ଥିଲା । ସେତେବେଳେ ଚାରିଆଡେ ଜଙ୍ଗଲ ଥିଲା, ଗଛ ଲତାରେ ପରିପୂର୍ଣ ଥିଲା । ସବୁ ଆଡେ  ଝାଇଁ ଝାଇଁ ସାଇଁ ସାଇଁ ପବନ ବହୁଥିଲା । ଗାଁ’ରେ ସମସ୍ତେ ଝାଟି ମାଟିର ଘର, ତାଳ ପାତ୍ରରେ ଘର ତିଆରି କରି ରହୁଥିଲେ । ଗାଁ’ର ସକାଳ ସୂର୍ଯ୍ୟ ଉଦୟକୁ ଦେଖିଲେ ଏମିତି ଲାଗେ ଯେମିତି କି ପାହାଡ଼ ଉପରୁ ସୂର୍ଯ୍ୟ ଉଦୟ ହେଉଛି । ଚାରିଆଡେ ଚାଷରେ ପରିପୂର୍ଣ ଥିଲା ।

ଆମ ଗାଁ’ରେ ଏବେ ଧାନ, ମୁଗ, ବିରି, ଝୁନଗା, ମାଣ୍ଡିଆ, କୁଦୋ, କପା ଇତ୍ୟାଦି ଚାଷ କରାଯାଏ । ଆମ ଗାଁ’ରେ ଧାନ ଚାଷ ଅଧିକ ମାତ୍ରାରେ କରାଯାଏ । ପୂର୍ବରୁ ଲୋକମାନଙ୍କର  ଖାଦ୍ୟ ଥିଲା ମାଣ୍ଡିଆ, କୁଦୋ, ଗୁଞ୍ଜି ଆଉ ଭାତ ।  ଆମ ଗାଁ’ର ସବୁ ଲୋକମାନେ ଚାଷକାମ ଉପରେ ନିର୍ଭର କରନ୍ତି । ଚାଷ ବ୍ୟତୀତ ଲୋକମାନେ ମାଟି ବୁହା, ଜଙ୍ଗଲରେ ମାଟି କାମରେ ଜୀଵିକା ନିୟୋଜିତ ଅଛନ୍ତି । ଆମ ଗାଁ ଲୋକମାନେ ବିହନକୁ ବସ୍ତାରେ ସାଇତି ରଖୁଛନ୍ତି । ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ନାହିଁ । ଗାଁ’ର ଲୋକମାନେ ଚାଷକାମ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି । ଗାଁ’ରେ ସମସ୍ତେ ଜଙ୍ଗଲରେ ଚାଷ କରନ୍ତି । ହଳ କରି ଆଗରୁ ସମସ୍ତେ ଜଙ୍ଗଲରେ ମାଟିକୁ ଉର୍ବର କରନ୍ତି ଓ ବର୍ଷା ହେଲେ ହଲରେ ଲଙ୍ଗଳ କରିବା ଆରମ୍ଭ କରନ୍ତି । ଧାନକୁ ପାଣିରେ ଦୁଇ ଦିନ ରଖି, ଧାନ ବୁଣା ଆରମ୍ଭ କରନ୍ତି । ଧାନ ଟିକେ ବଡ ହେଲେ ଧାନ ବିହିଡ଼ିବା ଆରମ୍ଭ କରନ୍ତି । ସେଥିରେ ସାର ପ୍ରୟୋଗ କରନ୍ତି ଓ ଗାଁ’ରେ ଧାନ, କପା, ମୁଗ, ବିରି ମଧ୍ୟ ଚାଷ ହୁଏ । ଲୋକେ ଏବେ ବହୁଯନ୍ତ୍ର ପାତିର ବ୍ୟବହାର କରୁଛନ୍ତି । ଟ୍ରାକ୍ଟରରେ ଲଙ୍ଗଳ କରି ଧାନ ବୁଣି ଚାଷ କରୁଛନ୍ତି । ଧାନ କଟିବାରେ ମଧ୍ୟ ଫ୍ରେସରରେ ଧାନ କାଟୁଛନ୍ତି । ଲୋକେ ଏବେ ପରିଶ୍ରମ କରୁନାହାନ୍ତି ସବୁ ଯନ୍ତ୍ର ମାଧ୍ୟମରେ କାମ କରୁଛନ୍ତି । କପା ଚାଷରେ ମଧ୍ୟ ଲୋକେ ଯନ୍ତ୍ରପାତିର ବ୍ୟବହାର କରଛନ୍ତି । କପା ଟିକେ ବଢ଼ିବାରେ ଲାଗିଲେ ଟ୍ରାକ୍ଟରରେ ଲଙ୍ଗଳ ବ୍ୟବହାର କରି , ସାର ପ୍ରୟୋଗ କରି ମାଟିକୁ ଉର୍ବର କରୁଛନ୍ତି । ଗାଁ’ରେ ଧାନ, ମୁଗ, ବିରି, ମକା ଏସବୁ ଖରିପ ଫସଲରେ ହୁଏ । ଆଷାଢ଼ ଶ୍ରାବଣ ଋତୁରେ ଏହି ଚାଷ ହୁଏ । ଗାଁ’ରେ ରବି ଫସଲ ଚାଷ ହୁଏନାହିଁ । କାରଣ ଜଳସେଚନର ବ୍ୟବସ୍ଥା ନାହିଁ । ସେଥିପାଇଁ ଗାଁ’ରେ ବହୁତ ଗରିବୀ ଦେଖାଯାଏ । ଲୋକ ଯେତେ ଚାଷ କରନ୍ତି ଓ ଯେତେ ଅମଳ ହେଲେବି ସେଇଟା ଖାଇବାରେ ସରିଯାଏ । ଗାଁ’ରେ ଲୋକମାନେ କାମ ପାଇଁ ମଧ୍ୟ ବାହାରକୁ ଯାଉଛନ୍ତି । ସେମାନେ ଗାଁ ଛାଡି ପ୍ଲେ ବୋର୍ଡ ସ୍ପାଇନିଙ୍ଗ ମିଲ ଗାଁ ମେଣ୍ଟରେ କାମ କରୁଛନ୍ତି । ଏହି ସମୟରେ ବହୁତ ପିଲା ଗାଁ ଛାଡି ବାହାରକୁ ଚାଲିଗଲେଣି । ଗାଁ’ର ଚାଷ କ୍ଷେତ୍ର ବାଧା ପ୍ରାପ୍ତ ହେଉଛି । ବହୁତ ଲୋକ ଗାଁ’ରେ ରୋଜ କାମ କରି ଜୀବନ ଜାପାନ କରୁଛନ୍ତି । ବହୁତ ଲୋକ ବଢ଼େଇ କାମ, ମିସ୍ତ୍ରୀ କାମ, ଲେବର କାମ , ଜମି କାମ କରୁଛନ୍ତି । କିନ୍ତୁ ବହୁତ ଲୋକ ବିଦେଶକୁ ଯାଉଛନ୍ତି କାରଣ ସେଠାରେ ସହଜରେ କାମ ମିଳେ । ସେଥିପାଇଁ ଲୋକମାନେ ବାହାରକୁ ଚାଲିଯାଉଛନ୍ତି । ଆମ ଗାଁ’ରେ ପନିପରିବା,ଧାନ,କପା,ଆଦି ପୁଷ୍ଟିଶସ୍ୟ ଚାଷ ହେଉଛି  । ପୂର୍ବରୁ ଆମ ଗାଁ’ରେ କୋଦ, ମାଣ୍ଡିଆ, ଗୁଞ୍ଜିଚାଷ ହେଉଥିଲା କିନ୍ତୁ ଏବେ ହେଉନାହିଁ ।

ଆମ ଗାଁ’ର ଖାଦ୍ୟପେୟ ଭିତରେ ଆମେ ନୂଆଖାଇରେ ଡାଲି , ଭାତ, ତରକାରୀ, ଖଟା , ଆଳୁ ଭଜା, କଦଳୀ ଭଜା, କରଡ଼ି ଭଜା, ସାରୁ ତରକାରୀ, ଚକୁଳି ପିଠା, କ୍ଷୀରି ଇତ୍ୟାଦି ତିଆରି କରୁ । ରଜ ପର୍ବରେ-ଭାତ, ଡାଲି, ଖଟା, କ୍ଷୀରି, ପୁରି, ସୁଆଁଲି ପିଠା ଇତ୍ୟାଦି ହୁଏ । ଲକ୍ଷ୍ମୀ ପୂଜାରେ -ଅରୁଆ ଭାତ, ଡାଲି, ତରକାରୀ, କ୍ଷୀରି , କଦଳୀ ଭଜା ଘିଅ ସାଙ୍ଗେ ରନ୍ଧା ହୁଏ । ରଥ ଯାତ୍ରା ସମୟରେ ଗାଁ’ରେ ଆରିସା ପିଠା, ପକୁଡି, ରସଗୁଲା, ଭାଖୁରଲିଆ, ଚଣା ଭଜା, ତାଳବରା, ସୁଆଁଲି ପିଠା, ବିରିବରା, ସିଙ୍ଗଡ଼ା, ନଳୀ ପାମ୍ପଡ ଇତ୍ୟାଦି ତିଆରି ହୁଏ । ଫୁସ ପୁନିରେ ଭାତ, ମାଂସ, ଖଟା, ତରକାରୀ, ଆରିସା ପିଠା, ସୁଆଁଲି ପିଠା, ଦଦରା ପିଠା, ନଳୀ ପାମ୍ପଡ ଇତ୍ୟାଦି ତିଆରି ହୁଏ । ବୋଲବମ ସମୟରେ ରୁଟି,ଡାଲି,ଭାତ ହୁଏ । କାର୍ତ୍ତିକ ମାସରେ ଅରୁଆ ଭାତ, ଭାଜିଶାଗ, ଡାଲି,ତରକାରୀ ହୁଏ । ଯାତ୍ରା ସମୟରେ ମାଂସ,ଭାତ,ଡାଲି,ଭଜା ହୁଏ । ଦଶହରାରେ ଲିଆଯୁଗାର, ଭାତ, ଡାଲି ଓ  ତରକାରୀ, ମାଂସ ତରକାରୀ ହୁଏ । ହରାଲି ଅମାବାସ୍ୟାରେ ମାଂସ, ଭାତ, ଡାଲି, ତରକାରୀ ରନ୍ଧା ହୁଏ । ଶ୍ରାବଣ ମାସରେ-ସରାବନ ମାନନ୍ତି ଓ ଏଥିରେ ଖିରି ,ପୁରି,ଭାତ, ଡାଲି ତରକାରୀ ରନ୍ଧା ହୁଏ । ପୂର୍ବରୁ ପର୍ବପର୍ବାଣୀରେ ତିଆରି କରାଯାଉଥିବା ଖାଦ୍ୟ ଶସ୍ୟ ବର୍ତ୍ତମାନ ମିଳୁନାହିଁ । ସେ ସମୟରେ ପଡିଆ ଜମିରେ ବେଶୀ ଚାଷ କରାଯାଉଥିଲା ଯାହାକି -କୁଦୋ, ଗୁଞ୍ଜି, ମାଣ୍ଡିଆ, ରକସି ଆଦି ବେଶୀ ହେଉଥିଲା । କୁଦୋରୁ ଚାଉଳ ଭହାରୁଥିଲା ଯାହାକୁ ଲୋକେ କୁଦୋ ଚାଉଳ ଭାତ ରାନ୍ଧୁଥିଲେ । ଗୁଞ୍ଜିରୁ ପିଠା ବନେଇ ଖାଉଥିଲେ । ରକସିକୁ ଲିଆ ଭାଜି ଖାଉଥିଲେ । ଏସବୁ ଖାଦ୍ୟ ଏବେ ଆଉ କେହି ଚାଷ କରୁନାହାନ୍ତି କି ଏ ଖାଦ୍ୟ ଏବେ ଦେଖିବାକୁ ମିଳୁନାହିଁ । ଲୋକମାନେ ଏବେ କୁଦୋ , ଗୁଞ୍ଜି, ମାଣ୍ଡିଆ, ରକସି ଚାଷ କରିବା ଛାଡିଦେଲେ କାରଣ ସେମାନେ ଏଥିରୁ ଲାଭବାନ ହୋଇପାରୁନାହାନ୍ତି । ସେଥିପାଇଁ ପୂର୍ବରୁ ଯେଉଁ ଖାଦ୍ୟ ଥିଲା ଏବେ ମିଳିପାରୁନାହିଁ । ଆମ ଗାଁର ମୂଳ ଖାଦ୍ଯ ଭିତରେ ସକାଳ ଜଳଖିଆରେ ଆମେ ଚାଉଳର ଚକୁଳି ପିଠା ମଧ୍ୟାହ୍ନ  ଭୋଜନାରେ ଭାତ,ଡାଲି, ତରକାରୀ, ଶାଗ ଭଜା ଓ ସନ୍ଧ୍ୟାରେ ମେଗି, ରାତି  ଭୋଜନାରେ ଭାତ,ଡାଲି,ଭଜା ଆଦି ଖାଉଛୁ । ବାପା, ମା’,ଜେଜେ, ଜେଜେମା, ଅଜା, ଆଈ ତାଙ୍କ ପିଲାବେଳେ ସେମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, ମହୁଲ ଭଜା ଖାଉଥିଲେ । ଏବେ ଖାଦ୍ୟପେୟରେ ବର୍ଗର , ପିଜା, ଇଟିଲି, ଭାତ ଖାଉଛନ୍ତି । ଏବର ଲୋକମାନେ କୁଦୋ, ମାଣ୍ଡିଆ, ଗୁଞ୍ଜି, ବାଜରା, ମହୁଲ ଏ ସବୁକୁ ଭୁଲିଗଲେଣି । ଆମ ପରି ପିଲାମାନଙ୍କୁ ମ୍ୟାଗି, ପିଜା, ବର୍ଗର ଖାଇବାକୁ ଭଲଲାଗେ ।  ମାଣ୍ଡିଆ, ବାଜରା, ଯୁଆର, ସୁଆଁ, ଗୁନ୍ଦଲି , କୋଦ , ଗାଙ୍ଗାଇ, ଖିରା ,ଜହ୍ନା ଏସବୁକୁ ପିଲାମାନେ ଆଉ ଖାଉନାହାନ୍ତି ।

ଆମ ଗାଁ’ର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ମୁଁ ମୋ ମା’ଙ୍କୁ ପଚାରିଲି । ସେ କହିଲେ; ଗୋଟିଏ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେଥିରେ ବହୁତ ଜିନିଷର ବ୍ୟବହାର କରିବାକୁ ପଡିଥାଏ । ମା’ମାନେ ସବୁ ଦିନ ଖାଦ୍ୟ ରାନ୍ଧୁଛନ୍ତି କିନ୍ତୁ ଆଜି କାଲିର ଝିଅ ପୁଅ ମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣିନାହାନ୍ତି । କାରଣ କିଛି ସମୟ ଯଦି କେଉଁ ଜିନିଷକୁ ଧ୍ୟାନ ଦେଇ ଦେଖିଲେ ଆମେ ଜାଣି ପାରିବା ଯେ ସେ ଜିନିଷ କିପରି ଭାବରେ ତିଆରି ହେଉଛି । ସେଥିପାଇଁ ମା’ମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ନିଜ ଝିଅମାନଙ୍କୁ କହିଥାନ୍ତି । ସେମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବିଷୟରେ ଜାଣିପାରିବେ । ଆଜି କାଲିର ଝିଅମାନେ ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଝିଅମାନେ ବହୁତ କମ ଭାବରେ ଜାଣିଛନ୍ତି । ଆଜି କାଲିର ଝିଅମାନେ ଯଦି କେଉଁ ଜିନିଷ ରାନ୍ଧିବାକୁ ହେଲେ ୟୁଟୁବରେ ଦେଖି କେଉଁ ଜିନିଷ କିପରି ଭାବରେ ରନ୍ଧା ହୁଏ ତାହା ଦେଖିକି ତିଆରି କରନ୍ତି । ମାଂସ କିପରି ରନ୍ଧା ହେବ ସେଥିରେ କେଉଁ ଜିନିଷ କେତେବେଳେ ଲଗାଯିବ ତାହା ଦେଖିକି ତିଆରି କରନ୍ତି । ଆଜି କାଲିର ବୋହୂମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କିନ୍ତୁ ସେମାନେ ନିଜ ଇଛାରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି । କେଉଁ ଜିନିଷ କିପରି ଭାବରେ ରାନ୍ଧିବାକୁ ଅଛି ସେମାନେ ସବୁ ଜାଣିସାରିଛନ୍ତି । ଆଜି କାଲିର ଝିଅ ବୋହୂମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କିନ୍ତୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ବିଷୟରେ ସେମାନେ  ଧିରେ ଧିରେ ଭୁଲିଗଲେଣି ।

ଆମ ଗାଁ’ରେ ପାଣିର ସମସ୍ୟା ଆଜି ପର୍ଯ୍ୟନ୍ତ ଲାଗି ରହିଛି । ଗାଁ ଭିତର ରାସ୍ତା ଆଜି ଖସଡ଼ା ଅଛି । ଚାଷ କାମରେ ଅସୁବିଧା ହେଉଛି ଆଉ ସ୍କୁଲ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ମଧ୍ୟ ଆବଶ୍ୟକ ଅଛି । ଅଙ୍ଗନବାଡି କେନ୍ଦ୍ର ମାତ୍ର ଗୋଟିଏ ଅଛି । ଅଙ୍ଗନବାଡି ଘର ଆଉ ଗୋଟିଏ ନଥିବାରୁ ଅଙ୍ଗନବାଡି ଗୋଟିଏ ଦିଦିଙ୍କୁ ପାଠ ପଢେଇବାରେ ଅସୁବିଧା ହେଉଛି । କାହା ଘର ପିଢ଼ାରେ ପାଠ ପଢ଼ାନ୍ତି । ଆମ ଗାଁ’ ପାଇଁ ନିହାତି ଅଙ୍ଗନବାଡି ପାଠ ପଢେଇବା ପାଇଁ ଶ୍ରେଣୀ ଗୃହ , ଅଫିସ ଓ ରୋଷେଇ ଗୃହ ସବୁକିଛିର ଆବଶ୍ୟକତା ରହିଛି । ଆମ ଗାଁ’ରେ ଚାଷୀ ମାନଙ୍କୁ ପାଣିର ଅସୁବିଧା ହେଉଛି । କାରଣ କେନାଲ ପାଣି ନାହିଁ । ଚାଷ ଭଲଭାବରେ ହେଇପାରୁନାହିଁ । ଛାତ୍ର ଛାତ୍ରୀମାନଙ୍କ ପାଇଁ କଲେଜ ମଧ୍ୟ ବହୁତ ଦୂରରେ ଅଛି । 20 କିଲୋମିଟରକୁ ଛାତ୍ର ଛାତ୍ରୀମାନଙ୍କୁ ସାଇକେଲରେ ଯିବା ଆସିବା ଅସୁବିଧା ହେଉଛି । କିଛି ଲୋକଙ୍କୁ ସରକାରୀ ପକ୍କା ଘର ମଧ୍ୟ ମିଳିନାହିଁ । ବର୍ଷା ମାସରେ ଲୋକ ଓଦାରେ ଶୋଇବାକୁ ପଡୁଛି ।

ଆମ ଗାଁ’ର ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, ଅମ୍ଳ ଏସବୁ ରୋଗ ଅଧିକ ଦେଖାଯାଏ ।  ରୋଗ ହେଲେ ଲୋକମାନେ ଡାକ୍ତର ଖାନା ଯାଇଥାନ୍ତି  । ଗାଁ’ରେ ଜଳବାହିତ ରୋଗ ଭିତରେ ଖୁଜୁରୀ, ଯାଦୁ, କାଛୁକୁଣ୍ଡିଆ ଦେଖାଯାଏ । ରକ୍ତ ହୀନତା ରୋଗ ବ୍ଳଡ଼ପ୍ରେସର ଓ ଶିକିଲିଙ୍ଗି ମଧ୍ୟ ଦେଖାଯାଏ । ଭିଟାମିନ ଅଭାବ ଜନିତ ରୋଗ ଶରୀର ଶୁଖିଯାଏ ,ପୋଲିଓ,ଅନ୍ଧାରକଣା,ମଳକଣ୍ଟକ ରୋଗ ହୁଏ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ରହେ । ଘଂସିଆ ଚମାରମାନେ ଗାଁ’କୁ ପରିସ୍କାର ପରିଚ୍ଛନ୍ନ କରିଥାନ୍ତି । ଆମ ଗାଁ’ରେ ଯେଉଁ ସ୍ଥାନକୁ ଭ୍ରମଣ କଲେ ବି ପରିସ୍କାର ଦେଖାଯାଏ । ଗାଁ’ର ସବୁ ପଡିଆ, ସବୁ ଘରର ବାଟ ମୁଁହରେ ପରିସ୍କାର ପରିଚ୍ଛନ୍ନ ରହିଛି । ଏବଂ ରାସ୍ତାର ବାମ ପଟ ଓ ଡାହାଣ ପଟରେ ଗଛ ଲଗା ହୋଇଥିବାରୁ ରାସ୍ତାରେ ମଧ୍ୟ  ସଫା ସୁତୁରା ଓ ପରିସ୍କାର ପରିଚ୍ଛନ୍ନ ଦେଖାଯାଏ । ଲୋକମାନେ ଏବେ ନିଜେ ନିଜେ ମଧ୍ୟ ପରିସ୍କାର ପରିଚ୍ଛନ୍ନ କରିବାରେ ଲାଗିରହିଛନ୍ତି । ଲୋକମାନେ ନିଜ ନିଜ ଘର ଓ ଘରର ବାଟ ମୁଁହକୁ ସଫା ସୁତୁରା କରିଥାନ୍ତି କିନ୍ତୁ ଅଧା ଲୋକ ଅଛନ୍ତି ଯେ ଗାଁ ଚାରିଆଡେ ସଫା ରଖିବାରେ ଚେଷ୍ଟା କରନ୍ତି । ବର୍ଷା ହେଲେ  ଲୋକମାନେ ଚାଳଘରରେ ପାଣି ଝରିଥାଏ ଓ ବର୍ଷରେ ଭିଜି ଭିଜି ଘରକୁ ସଜାନ୍ତି । ମାଛି ମଶାରୁ ରକ୍ଷା ପାଇଁ ଲୋକମାନେ ମଶାରୀ ବ୍ୟବହାର କରିଥାନ୍ତି । ଘରେ ଥିବା ପାତିଳିରେ ନିଆଁ ଲଗାଇ ଘରର ସବୁଆଡେ ଧୂଆଁ କରନ୍ତି କାରଣ ଏହି ଧୂଆଁ ଦ୍ୱାରା ମଶା ଘରେ ରହିବେନାହିଁ । ଗାଁ’ରେ ଯଦି କିଛି ରୋଗ ଅଧିକ ଭାବରେ  ବ୍ୟାପି ଥାଏ ତାହେଲେ ପ୍ରତିଷେଧକ ଟୀକା ଦିଆଯାଏ । ଯେମିତି କରୋନା ଭାଇରସ କୋଭିଡ ଟୀକା ଦେଉଥିଲେ । ଫାଇଲେରିଆରେ ମଧ୍ୟ ପ୍ରତିଷେଧକ ଟୀକା ଦିଆଯାଏ ।

ଗାଁ’ରେ ଏବେ ଲୋକେ ବହୁତ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି | ଫାଇଲେରିଆ ରୋଗରେ ବହୁତ ଲୋକ ଆକ୍ରାନ୍ତ ହୋଇଛନ୍ତି । ଜ୍ୱରରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ଅମ୍ଳ ରୋଗ ଭୁତ ଲୋକଙ୍କୁ ଆକ୍ରାନ୍ତ କରିଛି । କରୋନା ରୋଗରେ ମଧ୍ୟ ବହୁତ ଲୋକ ଆକ୍ରାନ୍ତ ହୋଇଛନ୍ତି । ବ୍ଲଡ଼ ପ୍ରେସର ରେ କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି । କାରଣ ଲୋକମାନେ ସଫା ସୁତୁରା ରହିଲେ ଲୋକମାନଙ୍କୁ ରୋଗ କମ ପରିମାଣରେ ହୋଇଥାଏ । କରୋନାରେ ଲୋକମାନେ ମାସ୍କ ଭଲକି ପିନ୍ଧିଲେ ନାହିଁ , ସେଥିପାଇଁ ରୋଗ ବଢ଼ିବାରେ ଲାଗିଲା । ଲୋକମାନେ ପରିସ୍କାର ପରିଚ୍ଛନ୍ନ ରହିଲେ ରୋଗ କମ ହୋଇଥାଏ |

ଏବେ ଗାଁ’ରେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ ବହୁତ ଚାରଣ ଭୂମି ଥିଲା କାରଣ ଲୋକମାନେ ସେତେବେଳେ ଚାଷ କମ ପରିମାଣରେ କରୁଥିଲେ । ସେଥିପାଇଁ ଚାରଣ ଭୂମି ବେଶୀ ରହୁଥିଲା ଏବେ ଗୃହପାଳିତ ପଶୁ ମାନଙ୍କ ପାଇଁ ଚାରଣ ଭୂମି ଅଛି କାରଣ ଆମ ଗାଁ’ରେ ଜଙ୍ଗଲ ଜମି ବେଶୀ ପରିମାଣରେ ଅଛି ସେଥିପାଇଁ ଚାରଣ ବେଶୀ ଅଛି । ଚାରଣ ଜମି ଥିବାରୁ ଗାଁ’ରେ ଲୋକମାନଙ୍କୁ ଅସୁବିଧା ହେଉନାହିଁ କାରଣ ଗାଈ ,ଗୋରୁ ମାନଙ୍କୁ ଜଙ୍ଗଲରେ ନେଇ ଚାରଣ କରାନ୍ତି । ବହୁତ ଲୋକ ଗାଈ,ଗୋରୁ ମାନଙ୍କୁ ନେଇ ଚାରଣ ପାଇଁ ଜଙ୍ଗଲକୁ ଚାଲିଯାଆନ୍ତି ।

ଆମ ଗାଁ’ର ପଞ୍ଚାୟତ ଭୁବନେଶ୍ୱର ପୁରଠାରେ ହାଟ ବଜାର ଅଛି ।  ସେଠି ସପ୍ତାହକୁ ଗୋଟିଏ ଥର ଓ ଗୋଟିଏ ଦିନ ହାଟ ବସେ । ଆମ ଗାଁ’ରୁ ବହୁତ ପନିପରିବା ବଜାରକୁ ବିକ୍ରୟ ପାଇଁ ଯାଏ । ଗାଁ ଲୋକେ ହାଟ/ବଜାରରୁ ପନିପରିବା, ପେଣ୍ଟ -ସାଟ , ବହି ପତ୍ର କିଣନ୍ତି । ଗାଁ’ରେ ଛୋଟ ବେପାରୀମାନେ ଗାଁ ଗାଁ ବୁଲି ପନିପରିବା ବିକ୍ରି କରନ୍ତି ।  ଆମ ଗାଁ’ର ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା 35 । ଗ୍ରାମବାସୀଙ୍କ ଦ୍ୱାରା ହାଟରେ ବିକ୍ରି କରାଯାଉଥିବା ଲାଭବାନ ଦ୍ରବ୍ୟ ଗୁଡିକ ହେଲା; ପନିପରିବା । ଲୁଗାପଟା କିଣିବାକୁ ହେଲେ ଗାଁ ଲୋକଙ୍କୁ ଦୁରକୁ ଯିବାକୁ ପଡେ । ଗାଁ ହାଟ/ବଜାରରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ ନାହିଁ । ହାଟରେ ମୁଗ, ବିରି, ପନିପରିବା ମିଳେ । ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ଖାଦ୍ୟ ବଜାରରେ ମିଳେ ନାହିଁ । ହାଟ/ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଜଙ୍ଗଲ ଦ୍ରବ୍ୟର ନାମ ହେଲା -ବାଉଁଶର କରଡ଼ି, ଝାରକୁନ୍ଦୁରୁ , କାଙ୍କଡ । ଆମ ଗାଁ ହାଟରେ ବହୁତ ଭିଡ଼ ହୁଏ କାରଣ ଚାରି ପାଞ୍ଚ ଗାଁ’ର ଲୋକ ଆସନ୍ତି । ବହୁତ ଆକାରରୁ ବଜାର ବସେ । ବହୁତ ଦୂର ଦୂରରୁ ବେପାରୀମାନେ ଆସନ୍ତି ପନିପରିବା ବେପାରୀ , ପାନ ବେପାରୀ , ମୁଗ/ବିରି ବେପାରୀ, ଝୁଣା ବେପାରୀ , ପିତ୍ତଳ ବେପାରୀ , ଲୁଗାପଟା ବେପାରୀ, ହୋଟେଲ ଵାଲା, ଚପଲ ବେପାରୀ , ଅନ୍ୟ ଅନ୍ୟ ଗାଁ’ର ବେପାରୀ ଆସି ବିକ୍ରି କରନ୍ତି ଏବଂ ଏହି ସବୁ ଜିନିଷ ଗୁଡାକୁ ଲୋକମାନେ କିଣି ନିଅନ୍ତି”।

Share This Article
Exit mobile version