ଐତିହାସିକ ସହର ଢେ଼ଙ୍କାନାଳ

ରମାକାନ୍ତ ସାହୁ 284 Views
13 Min Read

କଥାରେ ଅଛି  “ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ “ ।

ଏହିପରି ସର୍ବଶ୍ରେଷ୍ଠ କୀର୍ତ୍ତିମାନ ଧାରଣ କରିଛି ଆମର ଓଡ଼ିଶା ରାଜ୍ୟ । ଯାହାର ଇତିହାସ ଅତ୍ୟନ୍ତ ମନୋରମ ଏବଂ ବିରତ୍ଵଭରା କାହାଣୀରେ ସଜ୍ଜିତ। ଓଡ଼ିଶା ରାଜ୍ୟର ଇତିହାସକୁ ଚିର ସୁଦୃଢ କରି ଗଢି ତୋଳିବାରେ ଅନେକ ଜିଲ୍ଲାମାନଙ୍କର ଅବଦାନ ଅତୁଳନୀୟ । ତନ୍ମଧ୍ୟରୁ ଓଡ଼ିଶାର ପଶ୍ଚିମ ଦିଗରେ ୪୪୫୨ ବର୍ଗ.କି.ମି ଅଞ୍ଚଳ ମଧ୍ୟରେ ପରିବ୍ୟାପ୍ତ , ପ୍ରାକୃତିକ ବନ୍ୟରାଜିର ଗନ୍ତାଘର, ରାଜାଙ୍କର ଗଡ଼ ତଥା ଇତିହାସର ସହର ଭାବରେ ଖ୍ୟାତି ଅର୍ଜନ କରିଥିବା ପ୍ରକୃତି ଓ କଳାର ଅନନ୍ୟ କ୍ଷେତ୍ର ଏହି ଢେ଼ଙ୍କାନାଳ ଜିଲ୍ଲା ଅନ୍ୟତମ । ଯେଉଁଠାରେ ମୃଦୁ ମଳୟର ଆଲିଙ୍ଗନ ସହିତ ଚିରସ୍ରୋତା ବ୍ରାହ୍ମଣୀ ଏ ଅଞ୍ଚଳ ମାଟିକୁ ସ୍ପର୍ଶ କରି ସଭିଙ୍କ ହୃଦୟରେ ଶାନ୍ତି ଏବଂ ପ୍ରେମର ବାତାବରଣ ସୃଷ୍ଟି କରିଥାଏ । ସେହି ପୂଣ୍ୟର ମାଟି , ଶାନ୍ତିର ମାଟି ତଥା ପ୍ରେମର ମାଟି ହେଉଛି ମୋ ଢେ଼ଙ୍କାନାଳ ମାଟି ।

ଗୌରବାବହ ଐତିହ୍ୟ:

ଏ ବୀରତ୍ୱର ମାଟି ଢେ଼ଙ୍କାନାଳ ଜିଲ୍ଲା ତା ବକ୍ଷରେ ଜନ୍ମଦେଇଛି ଅନେକ ସ୍ଵାଧୀନତା ସଂଗ୍ରାମର ବହ୍ନିଶିଖା , ବୀରାଙ୍ଗନା ଏବଂ ନିଜ ଲେଖନୀକୁ ମାଧ୍ୟମ କରି ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଅନେକ କବି ଓ କବୟିତ୍ରୀ ଗଣଙ୍କୁ। ଯାହାଙ୍କୁ ନେଇ ଆଜି ଏହି ଢେ଼ଙ୍କାନାଳ ଅଞ୍ଚଳ ନିଜକୁ ଗର୍ବାନ୍ଵିତ କରିବାର ଅଧିକାର ପ୍ରାପ୍ତ କରିପାରିଛି । ଏତତ୍ ବ୍ୟତୀତ ଏହି ଢେ଼ଙ୍କାନାଳ ଜିଲ୍ଲା ତାହାର ନୀଳ ସବୁଜିମାରେ ଆଚ୍ଛାଦିତ ପର୍ବତରାଜି, ଆଞ୍ଚଳିକ ସଂସ୍କୃତି ଓ ପରମ୍ପରା,  ଦର୍ଶନୀୟ ତଥା ପ୍ରସିଦ୍ଧ ଧାର୍ମିକ ଓ ଐତିହାସିକ ସ୍ଥଳ ଏବଂ କିମ୍ବଦନ୍ତୀ ପାଇଁ ବିଶ୍ଵ ସ୍ତରରେ ବେଶ୍ ପରିଚିତ ଅଟେ । ଯାହାର ଭୂବନ ଗ୍ରାମ କେବଳ ଦେଶରେ ନୁହେଁ ବରଂ ଏସିଆ ଭଳି ମହାଦେଶର ସର୍ବ ବୃହତ୍ ଗ୍ରାମ ଭାବରେ ପରିଚିତ ଅଟେ ।  କଥିତ ଅଛି ଯେ ଅତୀତରେ ଏହି ଢେ଼ଙ୍କାନାଳ ଜିଲ୍ଲାରେ ଢେଙ୍କା ଶବର ନାମରେ ଜଣେ ରାଜା ଏହି ଅଞ୍ଚଳକୁ ଶାସନ କରୁଥିଲେ । ତାଙ୍କ ନାମ ଅନୁଯାୟୀ ଏହି ଜିଲ୍ଲାର ନାମ “ଢେ଼ଙ୍କାନାଳ” ନାମେ ନାମିତ ହୋଇଅଛି।

ଆଜି ଏହି ପ୍ରବନ୍ଧ ମାଧ୍ୟମରେ ଆମ୍ଭେ ସମସ୍ତେ ଆମ ଢେ଼ଙ୍କାନାଳ ଜନ୍ମ ମାଟିର ବୀରତ୍ୱ ଏବଂ ଐତିହାସିକ କୀର୍ତ୍ତି ମାନ ସମ୍ପର୍କରେ ଅନେକ କିଛି ଆବଶ୍ୟକୀୟ ତଥ୍ୟ ବିଷୟରେ ଅବଗତ ହୋଇପାରିବା ।

ସଂସ୍କୃତି :

ଭାଇଚାରାର ବାର୍ତ୍ତାବହ ଅଞ୍ଚଳ ଏବଂ ଶାନ୍ତିର ସହର ଭାବେ ପରିଚିତ ଏହି ଢେ଼ଙ୍କାନାଳ ଜିଲ୍ଲା ତାହାର ସଂସ୍କୃତି ଓ ପରମ୍ପରା ପାଇଁ ବେଶ୍ ପ୍ରସିଦ୍ଧ ଅଟେ। ଏହା ହେଉଛି ଏକ କୃଷିବହୁଳ ଅଞ୍ଚଳ । ଯେଉଁଠାରେ କି କୃଷି ଏବଂ ଜଙ୍ଗଲ ହେଉଛି ଏହାର ଅର୍ଥ ବ୍ୟବସ୍ଥାର ମୁଖ୍ୟ ମାଧ୍ୟମ । କୃଷି ଭିତ୍ତିକ ପର୍ବ ଭାବରେ ଏଠାରେ ନୂଆଖାଇ, ମକର ସଂକ୍ରାନ୍ତି ଭଳି ଅନେକ ପର୍ବ ପର୍ବାଣୀ ପାଳନ କରାଯାଏ । ଏତଦ୍ ବ୍ୟତୀତ ରଜ ପର୍ବ, ରଥ ଯାତ୍ରା, ଦଶହରା, ମହାଶିବରାତ୍ରି ଜାଗର, ମାଘ ମେଳା, ଦଣ୍ଡ ନାଚ, ଗଉଡ଼ ବାଡି ଖେଳ, ପାଲା, ଦାସକାଠିଆ ଏବଂ ବଳଦ ଉତ୍ସବ ( ଭୂବନ ଗ୍ରାମ) ଆଦି ଏହି ଢେ଼ଙ୍କାନାଳ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ। ଏହି ଅଞ୍ଚଳ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ବିଶ୍ଵ ପ୍ରସିଦ୍ଧ ଅଟେ । ହସ୍ତକଳା କ୍ଷେତ୍ରରେ ସଦେଇବେରେଣୀର ଢୋକରା କାମ, କରମୂଳରେ କାରୀଗରମାନଙ୍କର ଅଳଙ୍କାର ଗଠନ ଓ ଭୂବନ ଅଞ୍ଚଳର କଂସା ଓ ପିତଳ କାମ ବାସ୍ତବରେ ନିଆରା। ଏହି ସବୁର ଚାହିଦା ଆନ୍ତର୍ଜାତୀୟ ବଜାରରେ ଟିକେ  ଅଧିକ । ଖାଦ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରସିଦ୍ଧ ବରା ଏବଂ ବିଖ୍ୟାତ ବରା ପାଇଁ ଏହି ଢେ଼ଙ୍କାନାଳ ଜିଲ୍ଲା ବେଶ୍ ପ୍ରସିଦ୍ଧ । ବିଗତ ଦିନରେ ଢେ଼ଙ୍କାନାଳର ମଗଜି ଲଡୁକୁ ବିଶ୍ଵ ସ୍ତରରେ ଜି.ଆଇ ଟ୍ୟାଗ୍ ର ମାନ୍ୟତା ମଧ୍ୟ ପ୍ରାପ୍ତ ହୋଇଅଛି ।

ଏହିପରି ଭାବରେ ଢେ଼ଙ୍କାନାଳ ଜିଲ୍ଲା ତାହାର ସଂସ୍କୃତି, ପରମ୍ପରା, କାରୁକାର୍ଯ୍ୟ, ଖାଦ୍ୟ ଇତ୍ୟାଦି ପାଇଁ ସର୍ବତ୍ର ପ୍ରସିଦ୍ଧ ଅଟେ ।

* ପର୍ଯ୍ୟଟନ ସ୍ଥଳୀ :

ଢେଙ୍କାନାଳ ଅଞ୍ଚଳକୁ ପ୍ରକୃତିର ଆଳୟ କହିଲେ ଅତ୍ୟୁକ୍ତି ହେବନାହିଁ। ଚତୁର୍ଦ୍ଦିଗରେ ଆଚ୍ଛାଦିତ ସବୁଜ ପାହାଡ଼ , ବିଭିନ୍ନ ପୁଷ୍ପରାଜିରେ ଆଭୂଷିତ ହୋଇଥିବା ତରୁଲତା, ପଶୁ ଓ ପକ୍ଷୀ ମାନଙ୍କ ଅପୂର୍ବ ସଂଗମର ପରିବେଶ ସମସ୍ତ ଦେଖେଣାହାରୀ ମାନଙ୍କ ମନ ମୁଗ୍ଧ କରାଇ ଦିଏ । ଏହି ଅଞ୍ଚଳ ମୁଖ୍ୟତଃ ସବୁଜ ଜଙ୍ଗଲ ଏବଂ ବହୁଳ ହସ୍ତୀ ଓ ବ୍ୟାଘ୍ରର ଗନ୍ତାଘର ଭାବରେ ସର୍ବତ୍ର ପରିଚିତ ଅଟେ।

ଢେଙ୍କାନାଳ ଜିଲ୍ଲାର କେତେକ ପର୍ଯ୍ୟଟନ ସ୍ଥଳୀ ଅନ୍ୟାନ୍ୟ ରାଜ୍ୟ ମାନଙ୍କ ଗହଣରେ ବେଶ୍ ଲୋକାଦୃତ୍ୟ ହୋଇପାରିଅଛି ।  ତନ୍ମଧ୍ୟରୁ ୨୧୯୯ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼ ଉପରେ ଅବସ୍ଥିତ କପିଳାସ ଚନ୍ଦ୍ରଶେଖର ଜୀଉ ମହାପ୍ରଭୁ ( ଯେଉଁଠାକୁ ୧୨ ବାଙ୍କ ଏବଂ ୧୩୫୨ ପାବଚ୍ଛ ଅତିକ୍ରମ କରି ପ୍ରଭୁ ମହାଦେବଙ୍କ ଦର୍ଶନ କରିବାକୁ ପଡ଼ିଥାଏ ) , ମହିମା ଗାଦି ( ଯୋରନ୍ଦା) , ସପ୍ତ ପର୍ବତର ସଙ୍ଗମ ସ୍ଥଳୀ- ସପ୍ତଶଯ୍ୟା ( ଯେଉଁଠାରେ କି ପ୍ରଭୁ ଶ୍ରୀରାମଙ୍କର ଅନନ୍ୟ ଐତିହାସିକ କୀର୍ତ୍ତିରାଜିମାନ ସ୍ଥାନିତ ହୋଇ ରହିଅଛି ), ଜତନ ନଗର ( ଯାହାକୁ ଯନ୍ତ୍ରଣାର ଜଉ ଘର ବୋଲି କୁହାଯାଏ ) , ରାଜବାଟୀ, ସାଇନ୍ସ ପାର୍କ, ସାଇ ମନ୍ଦିର ( ବିରାଡ଼ିଆ) , ଅନନ୍ତ ଶୟନ ( ସରାଙ୍ଗ) , ମା ବିଲେଇଶୁଣି ମନ୍ଦିର , ଅଷ୍ଟଶମ୍ଭୁ ମନ୍ଦିର , ମା ରାମଚଣ୍ଡୀ ମନ୍ଦିର ( ନାଧରା) , ତପୋବନ , ସାପୁଆ ଡ୍ୟାମ ( ରାସୋଳ) ,ଦଦରାଘାଟି ଡ୍ୟାମ ଏବଂ ଦଣ୍ଡାଧର ଡ୍ୟାମ ଆଦି ଅନ୍ୟତମ ଦୃଷ୍ଟି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଅଟେ।

* ବରପୁତ୍ର :

ବୀର ସନ୍ତାନ ଗଣଙ୍କୁ ନିଜସ୍ଵ ଜନ୍ମ ମାଟିରେ ଜନ୍ମ ଦେଇଥିବା ଏହି ଢେ଼ଙ୍କାନାଳ ଜିଲ୍ଲା ଇତିହାସର ସହର ଭାବରେ ବେଶ୍ ପରିଚିତ। ଯିଏକି ନିଜ ବକ୍ଷରେ ସ୍ଥାନ ଦେଇଥିଲା ଇଂରେଜ ମାନଙ୍କ ପ୍ରତିତ୍ୱରର ଗୋଳା ବାରୁଦ ମାନଙ୍କୁ । ଯେଉଁଥିପାଇଁ କି ଆଜି ସ୍ବାଧୀନତାର ୭୮ ତମ ବର୍ଷ ବିତିଯାଇଥିବା ସତ୍ତ୍ୱେ ମଧ୍ୟ ଏହି ଢେ଼ଙ୍କାନାଳ ମାଟି ତାହାର ଗୌରବର ଗାଥାକୁ ବୀରତ୍ୱର ସହିତ ପ୍ରଦର୍ଶନ କରିପାରୁଛି।

ଏହି ଢେ଼ଙ୍କାନାଳ ଅଞ୍ଚଳର ଗୌରବକୁ ସୁଦୃଢ ତଥା ଆକାଶ ଛୁଆଁ କରିଥିବା କେତେକ ବୀର ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ୧୨ ବର୍ଷର ବାଳକ ବାଜି ରାଉତ । ଯିଏ ନିଜର ସ୍ୱଳ୍ପ କାଳ ସମୟରେ ଇଂରେଜ ମାନଙ୍କ ତୀବ୍ର ଗୋଳାବାରୁଦର ସାମ୍ନା କରି ଦେଶମାତୃକା ପାଇଁ ମରଣକୁ ବରଣ କରିଥିଲେ ।

ସେ ୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖ ଦିନ ଢେ଼ଙ୍କାନାଳର ନିଳକଣ୍ଠପୁର ଗ୍ରାମରେ ଜନ୍ମଲାଭ କରିଥିଲେ ଏବଂ ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ନିଜ ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀ କୂଳରେ ଫିରିଙ୍ଗି ସେନା ମାନଙ୍କୁ ନିଜ ଜନ୍ମ ମାଟିରେ ପ୍ରବେଶ କରିବାପାଇଁ ସୁଯୋଗ ନଦେବାରୁ ସେହି ଜିଅନ୍ତା ରାକ୍ଷସ ମାନଙ୍କ ଗୁଳିର ଶିକାର ହୋଇଯାଇଥିଲେ । ତତ୍ ସମୟରେ ବାଜି ରାଉତଙ୍କ ସମେତ ତାଙ୍କର କିଛି ବନ୍ଧୁ ତଥା – ନଟ ମଲ୍ଲିକ , ଲକ୍ଷ୍ମଣ ମଲ୍ଲିକ, ଫଗୁ ସାହୁ, ହୁରୁସି ପ୍ରଧାନ ଏବଂ ପାଣୁ ଲେଙ୍କା ଆଦି ବାଳୁତ ବୀର ମଧ୍ୟ ସେହି ଫିରିଙ୍ଗି ମାନଙ୍କ ଗୁଳିରେ ଟଳି ପଡ଼ିଥିଲେ। ଆଜି ସେହି ୧୨ ବର୍ଷର ବାଜିଆ ବିଶ୍ଵର ସର୍ବ କନିଷ୍ଠ ବୀର ଭାବେ ପରିଚିତ।

ଏତତ୍ ବ୍ୟତୀତ ଏହି ଢେ଼ଙ୍କାନାଳ ମାଟି ମାଆର ଅନନ୍ୟ ବୀର ସନ୍ତାନ, ସ୍ଵାଧୀନତା ସଂଗ୍ରାମର ଅନିର୍ବାଣ ତଥା ଅଗ୍ନିଶିଖା ବୈଷ୍ଣବ ଚରଣ ପଟ୍ଟନାୟକ ହେଉଛନ୍ତି ଏକାଧାରାରେ ଜଣେ ସଫଳ ଯୁବ ନେତା, ମୁକ୍ତି ଯୋଦ୍ଧା, ଆଜୀବନ ବିପ୍ଳବୀ, ସାମ୍ୟବାଦୀ, ଆଦର୍ଶ ଲୋକପ୍ରତିନିଧି ଏବଂ ସମାଜ ସଂସ୍କାରକ ।

ସେ ୧୯୧୪ ମସିହା ଅପ୍ରେଲ ମାସ ୧୪ ତାରିଖ ଦିନ ଢେ଼ଙ୍କାନାଳ ଜିଲ୍ଲାର ତଳଗଡ଼ ( ବର୍ତ୍ତମାନର ଚନାଦନ ବଜାର ) ଠାରେ ମାତା ରମ୍ଭାଦେବୀ ଏବଂ ପିତା ସାଧୁଚରଣ ପଟ୍ଟନାୟକଙ୍କ ଔରସରୁ ଜନ୍ମଲାଭ କରିଥିଲେ ।  ସେ ବୈଷ୍ଣବ ଜନୈକ ମାନଙ୍କ ଦ୍ଵାରା ଆଶୀର୍ବାଦ ସ୍ୱରୂପ  “ବୈଷ୍ଣବ” ନାମକୁ ପ୍ରାପ୍ତ ହୋଇଥିଲେ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମତରେ ଜଣାଯାଏ ।

କୈଶୋରାବସ୍ଥା ସମୟରୁ ହିଁ ବୈଷ୍ଣବ ଚରଣ ପଟ୍ଟନାୟକ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସେ ପ୍ରଜା ଆନ୍ଦୋଳନର ଅଗ୍ନି ସ୍ଫୁଲିଙ୍ଗ ଥିଲେ, ଯିଏକି ନିଜ ସଂପୂର୍ଣ୍ଣ ଜୀବନକୁ ନିଜ ମା ମାଟିର ସେବାରେ ସମର୍ପଣ କରିଦେଇଥିଲେ ।

ଏହି ମୁକ୍ତି ଯୋଦ୍ଧା ମାନଙ୍କ ବ୍ୟତୀତ ନାରୀ ନେତ୍ରୀ ତଥା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ( ଅଦ୍ୟାବଧି ଶେଷ ମହିଳା ମୁଖ୍ୟମନ୍ତ୍ରୀ) ଶ୍ରୀମତୀ ନନ୍ଦିନୀ ଶତପଥୀ ( ୧୯୩୧- ୨୦୦୬ )  ମଧ୍ୟ ଏ ଢେ଼ଙ୍କାନାଳ ମା ମାଟି ପାଇଁ  ଗର୍ବ ଓ ଗୌରବର ବ୍ୟକ୍ତିତ୍ଵ ଥିଲେ। ଯିଏକି ତାଙ୍କ ରାଜନୈତିକ ଜୀବନକୁ ସଂପୂର୍ଣ୍ଣ ଜନହିତକର କାର୍ଯ୍ୟରେ ସମାହିତ କରିଦେଇଥିଲେ ।

ଏହାପରେ ଅନ୍ୟ ଏକ ନାରୀ ଆଦର୍ଶ ହେଲେ କଳ୍ପନା ଦାସ । ଯିଏ ଏ ଢେ଼ଙ୍କାନାଳ ଜିଲ୍ଲାର ନାମକୁ ଗିରି ଶୃଙ୍ଗ ସଦୃଶ୍ୟ ଉଚ୍ଚ କରିବାରେ ସଫଳ ସାଧିତ ହୋଇପାରିଛନ୍ତି । ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ( ଯାହାର ଉଚ୍ଚତା – ୮୮୪୮ ମିଟର ବା ୨୯,୦୨୯ ଫୁଟ ) ଆରୋହଣ କରିଥିବା ପ୍ରଥମ ମହିଳା ହେଉଛନ୍ତି ଏହି ଢେ଼ଙ୍କାନାଳ ଜିଲ୍ଲାର ଝିଅ କଳ୍ପନା ଦାସ।

ପରିଶେଷରେ ଏ ଅଞ୍ଚଳର ଅନ୍ୟ କେତେକ ଗୌରବବାହ ବ୍ୟକ୍ତିତ୍ଵ ହେଉଛନ୍ତି –

* ଅମିୟ କୁମାର ପାଢ଼ୀ ( ଉଚ୍ଚ ନ୍ୟାୟାଳୟର ବିଚାରପତି )

* କାମାକ୍ଷା ପ୍ରସାଦ ସିଂହ ଦେଓ ( ଢେ଼ଙ୍କାନାଳ ରାଜା, ଅବସର ପ୍ରାପ୍ତ ଆର୍ମି ଅଫିସର୍ ଏବଂ ୨୦୧୯ ମସିହା କଂଗ୍ରେସ ଦଳର ଲୋକସଭା ସଦସ୍ୟ )

* ଦେବେନ୍ଦ୍ର ଶତପଥୀ ( ସେ ଏକାଧାରରେ ଜଣେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ନାୟକ, ପ୍ରଜାମଣ୍ଡଳ ଆନ୍ଦୋଳନର ସଦସ୍ୟ ଓ ଶ୍ରୀ ଅରବିନ୍ଦ ଆଶ୍ରମର ପ୍ରମୁଖ ସଦସ୍ୟ ଏବଂ ୧୯୭୧ ମସିହା କଂଗେସ ଦଳ ପକ୍ଷରୁ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବ୍ୟକ୍ତିତ୍ଵ )

* ତଥାଗତ ଶତପଥୀ

* ଗତିକୃଷ୍ଣ ମିଶ୍ର

* ସାରଙ୍ଗଧର ଦାସ ଆଦି ଅନେକ ବଳିଷ୍ଠ ବ୍ୟକ୍ତିତ୍ଵ , ଯେଉଁମାନେ କି ନିଜର ବ୍ୟକ୍ତିତ୍ଵ ପାଇଁ ଆଜି ଢେ଼ଙ୍କାନାଳ ଜିଲ୍ଲାର ଗୌରବକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି ।

* ସାହିତ୍ୟ :

ସାହିତ୍ୟ ମନୁଷ୍ୟ ଜୀବନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ । ସାହିତ୍ୟ ବିନା ମନୁଷ୍ୟ ଜୀବନ ଅଧୁରା ଏବଂ ଅସମ୍ପୂର୍ଣ୍ଣ । ସାହିତ୍ୟର ମୁଖ୍ୟ ମାଧ୍ୟମ ହେଲେ ଲେଖକ ଓ ଲେଖନୀ । ଯିଏକି ନିଜ ଲେଖନୀ ଚାଳନା ମାଧ୍ୟମରେ ଏକ ବୀରହିକୁ ନିଜ ପ୍ରିୟତମା ସହ ମିଳନ କରାଇଦିଏ ତ ପୁଣି କେତେବେଳେ ନିଜ ଲେଖନୀ ମୁନକୁ ଅସ୍ତ୍ର ଭାବରେ ପ୍ରୟୋଗ କରି ସମାଜର ତଥା ଦେଶର ଶତ୍ରୁ ମାନଙ୍କୁ ଉପଯୁକ୍ତ ଜବାବ୍ ଦେଇଥାଏ । କେତେବେଳେ ନିଜ ଲେଖା ସାହାଯ୍ୟରେ ନବ-ଜାଗରଣ  ଆଣିଥାଏ ତ ଆଉ କେତେବେଳେ ସମାଜର ଅକୁହା ଦରଦକୁ ସାରା ବିଶ୍ଵ ଦରବାରରେ ପ୍ରଦର୍ଶନ କରାଇଥାଏ । ବାସ୍ତବରେ ଏକ ଲେଖକର ଶ୍ରେଷ୍ଠ ଅସ୍ତ୍ର ହେଉଛି ତାହାର କଲମ । ଯାହାଦ୍ଵାରା ସେ ସମସ୍ତ ପ୍ରତିକୂଳ ପରିସ୍ଥିତିର ଉପଯୁକ୍ତ ଜବାବ୍ ଦେଇପାରିଥାଏ।

ଠିକ୍ ଏହିପରି ଅନେକ ଗୌରବବାହ କବି ଏବଂ କବୟିତ୍ରୀ ଏହି ଢେ଼ଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରି ଏହାକୁ ଗୌରବାନ୍ଵିତ କରିଛନ୍ତି । ତନ୍ମଧ୍ୟରୁ ଶ୍ରେଷ୍ଠ କବିତ୍ୱର ବ୍ୟକ୍ତିତ୍ଵ ହେଉଛନ୍ତି ବଜ୍ରନାଥ ବଡ଼ଜେନା ( ୧୭୨୯ – ଢେ଼ଙ୍କାନାଳ , ୧୭୯୯ – ପୁରୀ ) । ଯିଏକି “ସମର ତରଙ୍ଗ” (Wave of War) ଭଳି ଉତ୍ତେଜନା ମୂଳକ କାବ୍ୟ ରଚନା କରିଥିଲେ। ଯେଉଁଥିରେ ୧୭୮୧ ମସିହାରେ ଢେଙ୍କାନାଳରେ ଚାଲିଥିବା ମରାଠ ଯୁଦ୍ଧର ବର୍ଣ୍ଣନା କରାଯାଇଥିଲା।  ଯାହାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସ୍ୱୟଂ କବି ବଜ୍ରନାଥ ବଡ଼ଜେନା ।

ଏହି ” ସମର ତରଙ୍ଗ ” କାବ୍ୟ ରଚନା ପାଇଁ ତତ୍ କାଳୀନ ଢେ଼ଙ୍କାନାଳର ରାଜା ଦୟାନିଧି ମହେନ୍ଦ୍ର ବାହାଦୁର କବି ବ୍ରଜନାଥଙ୍କୁ “ବଡ଼ଜେନା” ଉପାଧି ପ୍ରଦାନ କରିଥିଲେ ଏବଂ ସେ ଏହି କାବ୍ୟ ପାଇଁ ନୋବେଲ୍ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ ।

ଏହାସହିତ କବି ବଜ୍ରନାଥ ବଡ଼ଜେନାଙ୍କ ଅନନ୍ୟ କାବ୍ୟ କବିତା ଗୁଡ଼ିକ ହେଉଛି –

ଚତୁର ବିନୋଦ , ଅମ୍ବିକା ବିଳାସ, ବିଦେଶ ଅନୁଚିନ୍ତା , ବିଚକ୍ଷଣ, ଦାଶପୋଇ, ଗୋପୀ ବିଳାପ, ଗୁଣ୍ଡିଚା ବିଜେ ( ହିନ୍ଦୀରେ ଲିଖିତ) ଇତ୍ୟାଦି ଅନେକ ।

ଏତଦ୍ ବ୍ୟତୀତ ଅନ୍ୟ ଜଣେ ଶ୍ରେଷ୍ଠ କବିତ୍ଵ ହେଉଛନ୍ତି ଗୋଲକ ବିହାରୀ ଧଳ। ଯିଏକି ୧୯୨୧ ମସିହା ଡିସେମ୍ବର ମାସ ୧୫ ତାରିଖରେ ଢେ଼ଙ୍କାନାଳ ଜିଲ୍ଲାର ଗଞ୍ଜେଡିଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଗୋଲକ ବିହାରୀ ଧଳ ହେଉଛନ୍ତି ପ୍ରଥମ ଏମ୍. ଏ ପାସ୍ କରିଥିବା ଏବଂ ଆମେରିକା ଭ୍ରମଣ କରିଥିବା ଭାରତୀୟ ନାଗରିକ ।

ଯିଏକି ସେ ସମୟରେ ଅନେକ ଭ୍ରମଣ କାହାଣୀ ଯଥା – ଆମେରିକାର ଅନୁଭୂତି, ଲଣ୍ଡନର ଚିଠି, ଗଙ୍ଗାରୁ ଗୋଦାବରୀ ଇତ୍ୟାଦି ସହିତ  ୧୦ ଖଣ୍ଡ ଭାଷା ମୂଳକ ପୁସ୍ତକ ଏବଂ ଅନେକ ଅନୁବାଦ ରଚନା କରିଥିଲେ। ତାଙ୍କର ଭାଷା ଭିତ୍ତିକ ରଚନା ହେଉଛି ଧ୍ଵନି ବିଜ୍ଞାନ, ଭାଷା ଶାସ୍ତ୍ର ପରିଚୟ, ଇଂରାଜୀ ଉଚ୍ଚାରଣ ଶିକ୍ଷା , ପ୍ରେମ୍ ଚାନ୍ଦଙ୍କ ଗୋଦାନ ଇତ୍ୟାଦି।   ଏତଦ୍ ବ୍ୟତୀତ ସେ ଅନେକ ଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ ।

ଯଥା – ବିଚାର ଆଲୋଚନା ( ଏଥିରେ ୨୪ ଟି ପ୍ରବନ୍ଧ ରହିଛି ), ଗାନ୍ଧିଜୀ ଓ ଭାଷା ସମସ୍ୟା, ମଣିଷର ଭାଷା , ଓଡ଼ିଆ କେବେ ଇତ୍ୟାଦି ସହିତ ଅନେକ ପ୍ରବନ୍ଧ ପୁସ୍ତକ ଶୀର୍ଷକ ମଧ୍ୟ ରଚନା କରିଥିଲେ। ସେଗୁଡିକ ଯଥାକ୍ରମେ – ରାମରାଜ୍ୟ ଓ ରାମାୟଣ , ସ୍ଵାଧୀନ ଜାତିର ନୂତନ ମୂଲ୍ୟବୋଧ, ସ୍ଵାଧୀନତା , ଶିକ୍ଷା ଶିକ୍ଷକ, ରକେଟ୍‌ ଓ ରିସର୍ଚ୍ଚ , ସ୍ଵାଧୀନ ଏ ଦେଶରେ ଶିକ୍ଷା ଚିନ୍ତା , ପଡ଼ିଶା ଦୁରଦସା , ଏବେ ଓଡ଼ିଶାକୁ ନା ହେଉ , ଆମ ପୁସ୍ତକ ସଂସାର, ଗାଁ ଗହଳିରେ ସ୍ଵାଧୀନତାର ବାଲି ବସ୍ତା ଓ ଖାଲି ବସ୍ତା ଇତ୍ୟାଦି।  ଉପନ୍ୟାସର ଅନୁବାଦ ପାଇଁ ସେ “ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର” ପ୍ରାପ୍ତ କରିଥିଲେ ଏବଂ ସେ  ଭାରତର ପ୍ରଥମ ଧ୍ଵନି ତାନ୍ତ୍ରିକ ପୁସ୍ତକ ରଚନା ମଧ୍ୟ କରିଥିଲେ।

ଏହି ମହାନ କବି ମାନଙ୍କ ବ୍ୟତୀତ ଅନ୍ୟ କେତେକ ବିଶିଷ୍ଠ କବି ଏବଂ କବୟିତ୍ରୀ ବ୍ୟକ୍ତିତ୍ଵ ହେଉଛନ୍ତି –

ସୁଲକ୍ଷଣା ଦେବୀ :- ଯିଏ କି ଓଡ଼ିଆ ନାରୀ କବି ଭାବେ ପରିଚିତ ଏବଂ ଆଧୁନିକ ଓଡ଼ିଆ କବିତାର ପ୍ରତିଷ୍ଠାତା ରାଧାନାଥ ରାୟଙ୍କ ସମସାମୟୀକ ଥିଲେ । ସୁଲକ୍ଷଣା ଦେବୀଙ୍କ “ପାରିଜାତମେଳା” ରେ ଭକ୍ତି ଗୀତର ଏକ ଶୃଙ୍ଖଳା ସାମିଲ୍ ଥିଲା ଯାହାକି ୧୮୯୬ ମହିସରେ ଦାମୋଦର ପଟ୍ଟନାୟକଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ଏବଂ ଏହି କବୟିତ୍ରଙ୍କ ସ୍ମୃତିକୁ ଚିର  ଉଦ୍ ଜୀବିତ କରିବା ପାଇଁ ଢେ଼ଙ୍କାନାଳ ଜିଲ୍ଲାରେ “ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ” ନାମରେ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଛି ।

ସୁଲୋଚନା ଦେବୀ, ଭୋଳେଶ୍ୱର ଧଳ , ଆନନ୍ଦ ଶଙ୍କର ରାୟ ସୌଦାମିନୀ ଦାସ ଆଦି ଅନେକ କବି ଏବଂ କବୟିତ୍ରୀ ଏ ଢେ଼ଙ୍କାନାଳ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଅଟନ୍ତି।

 ଉପସଂହାର :

ପ୍ରକୃତି ଓ କଳାର ଅନନ୍ୟ କ୍ଷେତ୍ର ଏହି ଢେ଼ଙ୍କାନାଳ ଜିଲ୍ଲା ତାହାର ଇତିହାସ ପାଇଁ ଯେତିକି ପ୍ରସିଦ୍ଧ ତାହାର ବର୍ତମାନ ପାଇଁ ମଧ୍ୟ ସେତିକି ଲୋକାଦୃତ । ଏହି ଜିଲ୍ଲା ୩ ଟି ଡିଭିଜନ ଏବଂ ୮ ଟି ମଣ୍ଡଳ ମଧ୍ୟରେ ବିଭକ୍ତ । ଏହା ଅନେକ ଗୁଡ଼ିଏ ପ୍ରତିଷ୍ଠିତ ଅନୁଷ୍ଠାନ ଯେପରିକି :-   ସିନିୟର୍ଜି  ଇନ୍ଷ୍ଟି ଚିଉଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍  ଟେକ୍ନୋଲୋଜି , ଆଇନ୍ ମହାବିଦ୍ୟାଳୟ , ସ୍ୱୟଂ ଶାସିତ ମହାବିଦ୍ୟାଳୟ ,ସରାଙ୍ଗ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଇ – ଟେକ୍ ରେସିଡେଣ୍ଟିଆଲ୍ ଡିଗ୍ରୀ ମହାବିଦ୍ୟାଳୟ  ଏବଂ ପରିଶେଷରେ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଭାରତୀୟ ଯୋଗାଯୋଗ ପ୍ରତିଷ୍ଠାନ (IIMC) ଭଳି ଅନେକ ଅନୁଷ୍ଠାନ ଏବଂ ଉଦ୍ୟୋଗ କ୍ଷେତ୍ରରେ ଟାଟା ଷ୍ଟିଲ୍ , ରୁଙ୍ଗ୍ଟା , ଶକ୍ତି ସୁଗାର, ନାଭା ଲିମିଟେଡ, ଲିଲି ରାଇସ୍ ଆଣ୍ଡ୍  ଫ୍ଲୋର୍ ମିଲ ଆଦି ଅନେକ ଉଦ୍ୟୋଗ ଗୁଡ଼ିକ ପାଇଁ ଦେଶ ବିଦେଶରେ ଆଜି ଏହି ଢେ଼ଙ୍କାନାଳ ବହୁ ଆଦୃତ ହୋଇପାରିଅଛି ।

 

ନାମ – ରମାକାନ୍ତ ସାହୁ

ବୟସ – ୨୨ ବର୍ଷ

ଗ୍ରାମ – କୋଟବେରଣା, ଢେ଼ଙ୍କାନାଳ (୭୫୯୦୧୫)

ଶିକ୍ଷା – ରାଜନୀତି ବିଜ୍ଞାନରେ ସ୍ନାତକ

Share This Article
Exit mobile version