ଭାବ (ନାଟ୍ୟଶାସ୍ତ୍ର – ସପ୍ତମ ଅଧ୍ୟାୟ )

53 Min Read

ପୂର୍ବ ଅଧ୍ୟାୟ ଭଳି ଏହି ଅଧ୍ୟାୟ ବା ସପ୍ତମ ଅଧ୍ୟାୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଅଟେ । ଏହି ଅଧ୍ୟାୟରେ ନାଟ୍ୟାଚାର୍ଯ୍ୟ ଭରତ ମୁନି ଭାବ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଏହାର ପ୍ରାରମ୍ଭରେ ସେ ଆଚାର୍ଯ୍ୟ ଭରତଙ୍କୁ ତାଙ୍କ ଶିଷ୍ୟମାନେ ଯେଉଁ ସବୁ ପ୍ରଶ୍ନ ପଚାରୁଛନ୍ତି ସେଗୁଡିକ ହେଲା ଯଥା – ୧. ଭାବ କାହାକୁ କୁହାଯାଏ ? ୨. ଏମାନେ କ’ଣ ଭାବିତ କରନ୍ତି ବୋଲି ଏମାନଙ୍କୁ ଭାବ କୁହାଯାଏ ? ଏହି ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ଯାଇ ଭରତ କହିଛନ୍ତିଯେ “ବାକ୍ ଅର୍ଥାତ୍ ବଚନ, ଅଙ୍ଗ ଏବଂ ମାନସିକ କ୍ରିୟା ପ୍ରତିକ୍ରିୟା ଦ୍ୱାରା ଯିଏ କାବ୍ୟର ଅର୍ଥ ପରିପ୍ରକାଶ କରନ୍ତି ତାକୁ ଭାବ କୁହାଯାଏ ।”

ବିଭାବୈରାହୃତୋ ଯୋଽର୍ଥୋ ହ୍ୟନୁଭାବୈସ୍ତୁ ଗମ୍ୟତେ

ବାଗଙ୍ଗସତ୍ୱାଭିନୟୈଃ ସ ଭାବଃ ଇତି ସଜ୍ଞିତଃ ।ା୧।।

ବାଗାଙ୍ଗମୁଖରାଗେଣ ସତ୍ୱେ ନାଭିନୟେନଚ

କବେରନ୍ତର୍ଗତଂ ଭାବଂ ଭାବୟନ୍ ଭାବ ଉଚ୍ୟତେ ।ା୨।।

ନାନାଭିନୟସଂବଦ୍ଧାନ୍ ଭାବୟାନି ରସାନିମାନ୍‌

ଯସ୍ମାତ୍ତସ୍ମାଦମୀ ଭାବା ବିଜେ୍ଞୟୋ ନାଟ୍ୟପ୍ରୋଯୃକ୍ତଭିଃ ।ା୩।।

ବିଭାବ ଯେଉଁ ଅର୍ଥ ଧାରଣ କରିଥାଏ ତାହା ଯେତେବେଳେ ଅନୁଭାବ ମାନଙ୍କ ସହ ବାଚି଼କ, ଆଙ୍ଗିକ ଏବଂ ସାତ୍ୱିକ ଅଭିନୟ ଦ୍ୱାରା ଅନୂଭୁତ ହୁଏ ତାକୁ ଭାବ କୁହାଯାଏ । କବିଙ୍କ କାବ୍ୟରେ ନିହିତ ଥିବା ଭାବ ବା ଅନୁଭୂତିକୁ ବଚନ ଅଙ୍ଗଚାଳନା, ମୁଖ ଚାଳନା ଏବଂ ସାତ୍ୱିକ ଅଭିନୟ ଦ୍ୱାରା ଭାବିତ କରୁଥିବାରୁ ଏହାକୁ ଭାବ କୁହାଯାଏ । ତତ୍ ସହିତ ବିଭିନ୍ନ ଅଭିନୟ ମାନଙ୍କ ସହ ସମ୍ବନ୍ଧ ଥିବା ରସ ମାନଙ୍କୁ ଏହା ଭାବିତ କରୁଥିବାରୁ ଏହାକୁ ଭାବର ସଜ୍ଞା ପ୍ରଦାନ କରାଯାଇଛି ।

ବିଭାବ

ବିଭାବର ଅର୍ଥ ବିଜ୍ଞାନ ଅଟେ । କାରଣ, ନିମିତ୍ତ, ହେତୁ ଆଦି ଶଦ୍ଦକୁ ମଧ୍ୟ ବିଭାବର ପ୍ରତିଶଦ୍ଦ ଭାବରେ ଗ୍ରହଣ କରାଯାଏ । ଯାହା ଆଙ୍ଗିକ, ବାଚିକ ଏବଂ ସାତ୍ୱିକ ଅଭିନୟ କାବ୍ୟର ଅର୍ଥକୁ ବିଭାବିତ କରେ ତାକୁ ବିଭାବ କୁହଯାଏ ।

ବହବାର୍ଥୋ ବିଭାବ୍ୟନ୍ତେ ବାଗଙ୍ଗାଭିନୟାଶ୍ରୟାଃ

ଅନେନ ଯସ୍ମାତ୍ତେନାୟଂ ବିଭାବ ଇତି ସଜ୍ଞିତଃ ।ା୪।।

ଅନୁଭାବ

ଅନୁଭାବ୍ୟତେଽନେନ ବାଗଙ୍ଗସତ୍ୱକୃତୋଽଭିନୟ ଇତି ।

ଯାହାଦ୍ୱାରା କାବ୍ୟର ଅର୍ଥ ବାଚି଼କ, ଆଙ୍ଗିକ ଏବଂ ସାତ୍ୱିକ ଅଭିନୟ ମାଧ୍ୟମରେ ଅନୁଭାବିତ ହୁଏ ତାକୁ ଅନୁଭାବ କୁହାଯାଏ ।

ବାଗଙ୍ଗାଭିନୟେନେହେ ଯତ୍ ସ୍ତ୍ୱନୁଭାବସ୍ତ୍ୱତଃସ୍ମ୍ମୃତଃ ।ା୫।।

ସରଳ ଭାବରେ କହିବାକୁ ଗଲେ ବାକ୍‌, ଅଙ୍ଗ ଏବଂ ଉପାଙ୍ଗ ମାନଙ୍କ ସହ ସମ୍ବନ୍ଧ ଥିବା କାବ୍ୟାର୍ଥକୁ ଆଙ୍ଗିକ ଆଙ୍ଗିକ ଓ ବାଚି଼କ ଅଭିନୟ ଦ୍ୱାରା ଅନୁଭାବିତ କରାଯାଉଥିବାରୁ ଏହାକୁ ଅନୁଭାବ କୁହାଯାଏ ।

ଏହାପରେ ଭରତ ବିଭାବ, ଅନୁଭାବ ତଥା ସେମାନଙ୍କ ସହ ସଂଯୁକ୍ତ ଥିବା ସମସ୍ତ ଭାବ ମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି ।

ଲୋକସ୍ୱଭାବ ସଂସିଦ୍ଧା ଲୋକଯାତ୍ରାନୁଗାମିନଃ

ଅନୁଭାବା ବିଭାବଶ୍ଚ ଜେଜ୍ଞାସ୍ତ୍ୱଭିନୟେ ବୁଧୈଃ ।ା୬।।

ଅନୁଭାବ ଏବଂ ବିଭାବ ସମାଜର ଅଭିଜ୍ଞ ଲୋକମାନଙ୍କର ପ୍ରାକୃତିକ ସ୍ୱଭାବ ତଥା ସେମାନଙ୍କ ଦୈନନ୍ଦିନ ବ୍ୟବହାରିକ ଜୀବନର ଅନୁଗାମୀ କାର୍ଯ୍ୟକଳାପ ଅଟେ । ଯାହାକୁ ଜ୍ଞାନୀ ବା ଅନୁଭବିମାନେ ଅଭିନୟ ମାଧ୍ୟମରେ ଉପଲବ୍ଧି କରିପାରିବେ । ସେହି ସମସ୍ତ ଭାବମାନଙ୍କୁ ଭରତ ମୁନି ଆଠଗୋଟି ସ୍ଥାୟୀ, ତେତିଶି ଗୋଟି ଭାବକୁ ବ୍ୟଭିଚାରି ଏବଂ ଆଠଗୋଟି ଭାବକୁ ସାତ୍ୱିକ ଭାବରେ ବିଭକ୍ତ କରିଛନ୍ତି । ଏହିପରି ଭାବରେ ରସ ସୃଷ୍ଟିରେ ଉପରବର୍ଣ୍ଣିତ ସମୁଦାୟ ଅଣଚାଷଟି ଭାବ ସହାୟକ ହୋଇଥାନ୍ତି । ଯେତେବେଳେ କାବ୍ୟାର୍ଥ ବା ବିଷୟବସ୍ତୁ, ଅଭିନୟ, ଅଭିନେତା ତଥା ଦର୍ଶକ ମାନଙ୍କର ସାଧାରଣ ଭାବର ସମନ୍ୱୟ ଘଟିଥାଏ ସେତେବେଳେ ରସ ସୃଷ୍ଟି ହୋଇଥାଏ ।

ଯୋର୍ଥୋ ହୃଦୟସଂବାଦୀ ତସ୍ୟ ଭାବୋ ରସୋଦ୍ଭବଃ

ଶରୀରଂ ବ୍ୟାପ୍ୟତେ ତେନ ଶୁଷ୍କଂ କାଷ୍ଠମିବାଗ୍ନିନା ।ା୭।।

ଯେଉଁଠାରେ କାବ୍ୟର ଅର୍ଥ ବା ନାଟକରେ ବ୍ୟବହୃତ ହେଉଥିବା ସଂଳାପ ଭାବପୂର୍ଣ୍ଣ ସେଠାରେ ଆପେଆପେ ଭାବ ସୃଷ୍ଟି ହୁଏ ଏବଂ ସେହି ଭାବରୁ ରସ ସୃଷ୍ଟି ଲାଭକରି ତାହା ମନୁଷ୍ୟର ଦର୍ଶନ ଓ ଶ୍ରବଣେନ୍ଦ୍ରିୟ ମାଧ୍ୟମରେ ସମଗ୍ର ଶରୀରକୁ ସଞ୍ଚରିଯାଇଥାଏ । ଯେମିତି ଶୁଖିଲା କାଠରେ ଅଗ୍ନି ସଂଯୋଗ ଦ୍ୱାରା ତାହା ସମ୍ପୁର୍ଣ୍ଣ କାଷ୍ଠକୁ ଦଗ୍ଧିଭୁତ କରିଥାଏ ।

ନାଟ୍ୟାଚାର୍ଯ୍ୟ ଭରତଙ୍କ ଠାରୁ ଏହା ଶୁଣି ତାଙ୍କ ଶିଷ୍ୟମାନେ ପ୍ରଶ୍ନ କରିଛନ୍ତି ଯେ ଯଦି କାବ୍ୟର ବିଷୟବସ୍ତୁ ବା ଅର୍ଥକୁ ଆଶ୍ରୟ କରିଥିବା ବିଭାବ ଓ ଅନୁଭାବ ଦ୍ୱାରା ବ୍ୟଞ୍ଜିତ ହୋଇଥିବା ଅଣଚାଷଟି ଭାବର ସାଧାରଣ ସମନ୍ୱୟ ଫଳରେ ରସ ସୃଷ୍ଟି ହୋଇଥାଏ । ଉଦାହରଣ ସ୍ୱରୁପ ଆମ ସମାଜରେ ପ୍ରାୟତଃ ଲୋକମାନଙ୍କର ଲକ୍ଷଣ, ହାତ, ପାଦ, ଉଦର, ଶରୀର ତଥା ଅଙ୍ଗ ପ୍ରତ୍ୟଙ୍ଗ ଗୁଡି଼କ ତୁଳନାତ୍ମକ ଭାବରେ ପ୍ରାୟତଃ ସମାନ ଅଟନ୍ତି । କିନ୍ତୁ ତନ୍ମଧ୍ୟରୁ କେତେକ ନିଜର କୁଳ, ଶୀଳ, ବିଦ୍ୟା, କର୍ମ, ଶୀଳ୍ପ, ବିଚକ୍ଷଣତା ଆଦି ଗୁଣ ଦ୍ୱାରା ସମାଜରେ ନିଜର ରାଜତ୍ୱ ବା ପ୍ରଭୁତ୍ୱ ବିସ୍ତାର କରିଥାନ୍ତି । ଏହା ସହିତ ସେହି ସମାଜର ଅଳ୍ପବୁଦ୍ଧିମାନ ଲୋକମାନେ ସେମାନଙ୍କର ଅନୁଚର ବା ଦାସ ଭାବରେ ରହିଥାନ୍ତି । ଠିକ୍ ସେହିପରି ବିଭାବ, ଅନୁଭାବ, ବ୍ୟଭିଚାରି ଭାବ ଗୁଡି଼କ ସ୍ଥାୟୀ ଭାବର ଆଶ୍ରିତ ହୋଇ ରସ ସୃଷ୍ଟିରେ ସହାୟକ ହୋଇଥାନ୍ତି । ଯେହେତୁ ବିଭାବ, ଅନୁଭାବ, ବ୍ୟଭିଚାରୀ ଭାବ ଗୁଡି଼କ ସ୍ଥାୟୀ ଭାବର ଅଧିନସ୍ଥ ଅଟନ୍ତି । ତେଣୁ ସ୍ଥାୟୀ ଭାବ ଗୁଡି଼କୁ ଅନ୍ୟ ସମସ୍ତ ଭାବ ମାନଙ୍କର ପ୍ରଭୁ ବା ସ୍ୱାମି ବୋଲି ଧରାଯାଏ । ଗୁଣବାନ ରାଜାଙ୍କର ଅଳ୍ପ ଗୁଣୀ ଭୃତ୍ୟମାନେ ଅନୁଗମନ କଲାଭଳି ସ୍ଥାୟୀ ଭାବର ମଧ୍ୟ ଅନ୍ୟ ସମସ୍ତ ଭାବ ଅନୁଗମନ କରିଥାନ୍ତି । ଉଦାହରଣ ସ୍ୱରୁପ ଯଦି କୌଣସି ଶୋଭାଯାତ୍ରାରେ ରାଜା ତାଙ୍କର ପରିବାର, ପରିଜନ ତଥା ମହାପରୁଷଙ୍କ ସାଙ୍ଗରେ ଯାଉଥିଲେ ମଧ୍ୟ ସମୁଦାୟ ଗୋଷ୍ଠି କେବଳ ରାଜାଙ୍କ ପରିଚୟ ଦ୍ୱାରା ପରିଚିତ ହୁଅନ୍ତି । ଠିକ୍ ସେହିଭଳି ବିଭାବ, ଅନୁଭାବ ଏବଂ ବ୍ୟଭିଚାରୀ ଭାବ ମାନଙ୍କ ଦ୍ୱାରା ପରିବୃତ୍ତ ହେଲେ ମଧ୍ୟ କେବଳ ସ୍ଥାୟୀ ଭାବ ରସର ସଜ୍ଞା ଲାଭ କରିଥାଏ ।

ଯଥା ନରାଣାଂ ନୃପତିଃ ଶିଷ୍ୟାଣାଂ ଚ ଯଥା ଗୁରୁଃ

ଏବଂ ହି ସର୍ବ ଭାବାନାଂ ଭାବଃ ସ୍ଥାୟୀ ମହାନୀହ ।ା

ସରଳ ଭାବରେ କହିବାକୁ ଗଲେ ଯେମିତି ନର ମାନଙ୍କର ମୁଖ୍ୟ ନୃପତି, ଶିଷ୍ୟ ମାନଙ୍କର ମୁଖ୍ୟ ଗୁରୁ ଠିକ୍ ସେହିପରି ଭାବ ମାନଙ୍କର ସ୍ଥାୟୀ ଭାବ ମୁଖ୍ୟ ଅଟେ ।

ଭାବ ମାନଙ୍କର ଲକ୍ଷଣ

ରତି

ରତି ହେଉଛି ପ୍ରମୋଦ ବା ଆନନ୍ଦ ପ୍ରଦାନକାରୀ ଭାବ ଅଟେ । ଏହାକୁ ଶୃଙ୍ଗାର ରସର ସ୍ଥାୟୀ ଭାବ କୁହାଯାଏ । ୠତୁମାଲ୍ୟ, ଅନୁଲେପନ, ଭରଣ, ଭୋଜନ, ଆଭରଣ, ସ୍ନେହ ଆଦି ବିଭାବରୁ ସୃଷ୍ଟି ହୋଇଥାଏ । ସ୍ମିତ ମୁଖ, ମଧୁର ବାକ୍ୟ, ଭ୍ର୍ରୁ- ଚାଳନା, କଟାକ୍ଷ ଆଦି ଅନୁଭାବ ମାଧ୍ୟମରେ ଏହା ଅଭିନିତ ହୋଇଥାଏ ।

ଇଷ୍ଟାର୍ଥ ବିଷୟ ପ୍ରାପ୍ତ୍ୟା ରତିଃ ସମୁପଜାୟତେ

ସୌମ୍ୟତ୍ୱାଦଭିନେୟା ସା ବାଙ୍‌ମାଧୁର୍ଯ୍ୟାଙ୍ଗରେଷ୍ଟିତୈଃ ।ା

ଇପ୍ସିତ ବା ଅଭିଳସିତ ବସ୍ତୁ ପ୍ରାପ୍ତି ଫଳରେ ରତି ଭାବ ସୃଷ୍ଟି ହୋଇଥାଏ । ଏହା ସୌମ୍ୟ ସ୍ୱଭାବର ହୋଇଥିବାରୁ ମଧୁର ବାକ୍ୟ ତଥା ଅଙ୍ଗଚାଳନା ଦ୍ୱାରା ଏହାର ପରିବେଷଣ ହୋଇଥାଏ ।

ହାସ

ଅନ୍ୟର ଚାଲି ଚଳନର ଅନୁକରଣ, ଅବାନ୍ତର ବା ଅସଙ୍ଗତ ପ୍ରଳାପ, ପୌରୋଭାଗ୍ୟ (ଆଗଚଲା ଗୁଣ), ମୁର୍ଖତା ଆଦି ବିଭାବ ମାନଙ୍କ ଠାରୁ ଏହି ହାସ ସୃଷ୍ଟି ହୋଇଥାଏ । ସାଧାରଣତଃ ସ୍ମିତ, ହସିତ, ବିହସିତ, ଉପହସିତ, ଅପହସିତ ଓ ଅତିହସିତ ଆଦି ବିଭିନ୍ନ ଭାବ ମାନଙ୍କ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ ।

ପରଚେଷ୍ଟାନୁକରଣାଦ୍ଧାସଃ ସମୁପଜାୟତେ

ସ୍ମିତହାସାତିହସିତୈରଭିନେୟଃ ଓ ପଣ୍ଡିତୈଃ ।ା

ଅର୍ଥାତ୍ ପଣ୍ଡିତ ମାନଙ୍କ ମତରେ ଅନ୍ୟର ଚାଲିଚଳନ ତଥା କାର୍ଯ୍ୟକଳାପରୁ ହାସ ନାମକ ସ୍ଥାୟୀ ଭାବ ସୃଷ୍ଟି ହୋଇଥାଏ । ବିଶେଷକରି ସ୍ମିତ, ହାସ, ଅତିହସିତ ଦ୍ୱାରା ଏହା ଅଭିନିତ ହୋଇଥାଏ ।

ଶୋକ

ଇଷ୍ଟ ଜନର ବିୟୋଗ, ଧନହାନି, ହତ୍ୟା, ବନ୍ଧନ, ଦୁଃଖ ଅନୁଭବ ଆଦି ବିଭାବ ମାନଙ୍କଠାରୁ ଶୋକ ସୃଷ୍ଟି ହୋଇଥାଏ । ଅଶ୍ର୍ରୁପାତ, ବିଳାପ, ବୈବର୍ଣ୍ଣ୍ୟ, ସ୍ୱରଭେଦ, ମୁର୍ଚ୍ଛିତ, କ୍ରନ୍ଦନ, ଦୀର୍ଘ ନିଶ୍ୱାସ, ଜଡ଼ତା, ଉନ୍ମାଦ, ମୋହ ଏବଂ ମରଣ ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହା ଅଭୀନିତ ହୋଇଥାଏ । ଏଠାରେ ରୋଦନ ବା କ୍ରନ୍ଦନକୁ ମଧ୍ୟ ତିନିଭାଗରେ ବିଭକ୍ତ କରାଯାଇଛି ଯଥା – ୧. ଆନନ୍ଦ ଜନିତ ୨. କଷ୍ଟ ବା ପୀଡା ଜନିତ ୩. ଇର୍ଷା ଜନିତ । ଆନନ୍ଦଜାତ କ୍ରନ୍ଦନରେ ଗଣ୍ଡଦେଶ ହର୍ଷ ଏବଂ ଉଲ୍ଲ୍‌ାସରେ ପୂର୍ଣ୍ଣ ଦେଖାଯାଏ । ଏହି ସମୟରେ ଅତୀତର ଅନୁସରଣ ବା ସ୍ମ୍ମୃତି ଚାରଣ କରାଯାଇଥାଏ । ମୁଖରେ ରୋମାଞ୍ଚ ସୃଷ୍ଟିହେବା ସହ ଆନନ୍ଦ ଜାତ ହୋଇଥାଏ । ମାତ୍ର ଆର୍ତ୍ତ୍ରିକ କ୍ରନ୍ଦନ ବା ପୀଡା ଜନିତ କ୍ରନ୍ଦନରେ ନୟନରୁ ପର୍ଯ୍ୟାପ୍ତ ବା ବହୁ ମାତ୍ରାରେ ଅଶ୍ର୍ରୁପାତ ହୋଇଥାଏ । ତତ୍ ସହିତ ଦୁଃଖାର୍ତ୍ତ୍ର କଣ୍ଠସ୍ୱର, ଭୂମିରେ ଲୋଟିବା, ଦେହ ହାତ ଛାଟିବା, ବିଳାପ କରିବା ଆଦି ପ୍ରତିକ୍ରିୟା ପରିବେଷିତ ହୋଇଥାଏ । ଅପରପକ୍ଷରେ ସ୍ତ୍ରୀଲୋକ ମାନଙ୍କର ପ୍ରସ୍ଫୁରିତ ଓଷ୍ଠ, କପାଳ, କମ୍ପିତ ମସ୍ତକ ତଥା ଶରୀର, ଘନ ବା ଦୀର୍ଘ ନିଃଶ୍ୱାସ, କୁଟିଳ ଭ୍ର୍ରୁକୁଟି ତଥା କଟାକ୍ଷ ଭଳି କ୍ରିୟା ପ୍ରତିକ୍ରିୟା ଦ୍ୱାରା ଏହି ଇର୍ଷାଜନିତ କ୍ରନ୍ଦନ ସୃଷ୍ଟି ହୋଇଥାଏ । ବିଶେଷ କରି ନୀଚ ପ୍ରକୃତିର ସ୍ତ୍ର୍ରୀ ବା ନାରୀ ମାନଙ୍କର ଶୋକ ଏକ ସାଧାରଣ ବ୍ୟସନ ବା ଲକ୍ଷଣ ଅଟେ । କିନ୍ତୁ ଉତ୍ତମ ଓ ଅଧମ ଚରିତ୍ର ମାନଙ୍କର ଧୌର୍ଯ୍ୟକୁ ଅଳଙ୍କାର ଭାବରେ ପରିଗଣିତ କଲାବେଳେ ରୋଦନ ବା କ୍ରନ୍ଦନକୁ ନୀଚ ପ୍ରକୃତିର ନାରୀ ଚରିତ୍ର ମାନଙ୍କର ଭୂଷଣ ବା ଅଳଙ୍କାର ଭାବରେ ପରିଗଣିତ କରାଯାଏ ।

କ୍ରୋଧ

ଆଧର୍ଷଣା, ଗାଳି, କଳହ, ବିବାଦ ଭଳି ପ୍ରତିକୂଳ ଘଟଣା ବା ପାତ୍ର ଭଳି ବିଭାବ ଠାରୁ କ୍ରୋଧ ସୃଷ୍ଟି ହୋଇଥାଏ । ନାସାପୁଟ ବା ନାକପୁଡା ବିକୃତ, ବିସ୍ଫାରିତ ନୟନ, ଓଷ୍ଠ କାମୁଡ଼ା, କମ୍ପମାନ ବା ସ୍ଫୁରିତ ଗଣ୍ଡଦେଶ ଆଦି ଅନୁଭାବ ଦ୍ୱାରା ଏହି କ୍ରୋଧ ଭାବର ଅଭିନୟ ପରିବେଷଣ କରାଯାଇଥାଏ । ପାତ୍ରଭେଦରେ କ୍ରୋଧକୁ ଭରତ ମୁନି ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି ।

୧. ରିପୁ ବା ଶତ୍ର୍ରୁକୃତ କ୍ରୋଧ

୨. ଗୁରୁକୃତ କ୍ରୋଧ

୩. ପ୍ରୀୟଜନକୃତ କ୍ରୋଧ

୪. ଭୃତ୍ୟଜନକୃତ କ୍ରୋଧ

୫. ସ୍ୱକୃତ କ୍ରୋଧ

ଯେଉଁ କ୍ରୋଧ ମୁଖ୍ୟତଃ ଶତ୍ର୍ରୁଦ୍ୱାରା ସୃଷ୍ଟି ହୋଇଥାଏ ସେହି ସମୟରେ ବିସ୍ତାରିତ ଭ୍ର୍ରୂ-ଚାଳନା, ଉତ୍କଟ ମୁଖଭଙ୍ଗି, କାମୁଡ଼ା ହୋଇଥିବା ଓଷ୍ଠ, ବାହୁ, ମସ୍ତକ ତଥା ବକ୍ଷକୁ ବାରମ୍ବାର ହସ୍ତଚାଳନା ଦ୍ୱାରା ଏହା ସୃଷ୍ଟି ହୋଇଥାଏ । ଗୁରୁଙ୍କ ଠାରେ ଯେତେବେଳେ କ୍ରୋଧ ସୃଷ୍ଟି ହୁଏ ସେତେବେଳେ ସେହି କ୍ରୋଧ ତାଙ୍କର ସାମାନ୍ୟ କ୍ରେଧାନ୍ୱିତ ବକ୍ର ଦୃଷ୍ଟି, ଶରୀର ତଥା କପାଳରୁ ନିର୍ଗତ ସ୍ୱେଦ ଦ୍ୱାରା ପ୍ରକାଶ ପାଇଥାଏ । ଏଥିରେ ଶତ୍ର୍ରୁକୃତ କ୍ରୋଧ ଭଳି ଦ୍ର୍ରୁତ ତଥା ଉଦ୍ଧତ ଅଙ୍ଗଚାଳନାର ପ୍ରୟୋଗ ଦେଖାଯାଏନାହିିଁ । ସେହି କ୍ରୋଧ ଯେତେବେଳେ ପ୍ରଣୟୀ ବା ପ୍ରିୟଜନଙ୍କ ଠାରେ ଠାରେ ସୃଷ୍ଟି ହୁଏ ସେତେବେଳେ ତାହା ତାଙ୍କର ମନ୍ଦଗତି, ଅଶ୍ର୍ରୁପାତ, ସ୍ଫୁରିତ ବା କମ୍ପିତ ଅଧର, କୁଟିଳ କଟାକ୍ଷ ଦ୍ୱାରା ସେ ନିଜର ପ୍ରିୟଜନ ପ୍ରତି ଥିବା କ୍ରୋଧକୁ ପ୍ରକାଶ କରିଥାଏ । ସେହିଭଳି ଯେତେବେଳେ ପରିଜନ ବା ଭୃତ୍ୟଜନଙ୍କଠାରେ କ୍ରୋଧ ସୃଷ୍ଟି ହୁଏ ସେତେବେଳେ ରୋଷ, ତର୍ଜନ ବା ଚଦିବା, ଭର୍ତ୍ସିତ, କ୍ରୋଧିତ, ବିସ୍ତାରିତ ଏବଂ ବିକୃତ ଚାହାଣୀ ଦ୍ୱାରା ପରିବେଷିତ ହୋଇଥାଏ । ଏହି କ୍ରୋଧ ବିଶେଷକରି କ୍ର୍ରୁରତା ବା ନିଷ୍ଠୁରତା ଶୂନ୍ୟ ଅଟେ ।

ଉତ୍ସାହ

ଉତ୍ସାହକୁ ଉତ୍ତମ ପ୍ରକୃତି ଭାବରେ ଗ୍ରହଣ କରାଯାଏ । ବିଷାଦଶୂନ୍ୟତା, ଶକ୍ତି, ଧୌର୍ଯ୍ୟ, ଶୌର୍ଯ୍ୟ ଆଦି ବିଭାବଠାରୁ ଏହା ସୃଷ୍ଟି ହୋଇଥାଏ । ସ୍ଥୈର୍ଯ୍ୟ, ଧୌର୍ଯ୍ୟ, ତ୍ୟାଗ ଆଦି ଅନୁଭାବ ମାଧ୍ୟମରେ ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ । ଅସମ୍ମୋହ ବା ନିଦ୍ୱର୍ନ୍ଦ, ଅଧ୍ୟବସାୟ ଆଦି ଗୁଣ ଦ୍ୱାରା ଏହା ପ୍ରକାଶ ଲାଭ କରିଥାଏ । ପ୍ରମାଦଶୂନ୍ୟ କାର୍ଯ୍ୟକଳାପ ଦ୍ୱାରା ଏହି ଉତ୍ସାହ ଭାବ ଅଭିନିତ ହୋଇଥାଏ ।

ଭୟ

ସ୍ତ୍ର୍ରୀ ତଥା ନୀଚ ପାତ୍ର ମାନଙ୍କର ଏହା ସାଧାରଣ ପ୍ରକୃତି ଅଟେ । ଗୁରୁ ତଥା ରାଜାଙ୍କ ପ୍ରତି ଅପରାଧ, ଜନଶୂନ୍ୟ ଗୃହ, ନିଘଞ୍ଚ ଜଙ୍ଗଲ ବା ପର୍ବତ ଭ୍ରମଣ, ଗାଳି, ଦୁଃର୍ଦିନ, ଘନ ଅନ୍ଧକାର, ପେଚା ତଥା ଭୟଙ୍କର ଜୀବଜନ୍ତୁଙ୍କ ରାବ ଶ୍ରବଣ ଆଦି ବିଭାବ ଦ୍ୱାରା ଏହି ଭୟ ଭାବ ସୃଷ୍ଟି ହୁଏ । ପ୍ରକମ୍ପିତ ହସ୍ତ ଓ ପାଦ, କମ୍ପିତ ହୃଦୟ, ସ୍ତମ୍ବନ, ମୁଖ ତଥା ତଣ୍ଟି ଶୁଖିବା, ସ୍ୱେଦ ନିର୍ଗମନ, ବେପଥୁ, ତ୍ରାସ, ବିପଦମୁକ୍ତ ପାଇଁ ପଥ ଖୋଜିବା, ଧାଇଁବା ଆଦି ଅନୁଭାବ ଦ୍ୱାରା ଏହାର ଅଭିନୟ ପ୍ରସ୍ତୁତ କରାଯାଇଥାଏ ।

ଅତି ସରଳ ଭାବରେ କହିବାକୁ ଗଲେ ଗୁରୁଜନ କିମ୍ବା ନରପତି ମାନଙ୍କ ନିକଟରେ ଅପରାଧ କଲେ ଅଥବା ଭୟଙ୍କର ଘଟଣାର ଦର୍ଶନ କିମ୍ବା ଶ୍ରବଣ ଫଳରେ ମୋହଜନିତ ଭୟ ସୃଷ୍ଟି ହୋଇଥାଏ । ଗାତ୍ର କମ୍ପିବା ବା ଶରୀର କମ୍ପିତ ହେବା, ତ୍ରାସ, ଶୋଷ ଲାଗିବା, ସ୍ତମ୍ବନ, ସ୍ଥିର ମୁଖ, ବେପଥୁ, ସନ୍ତ୍ର୍ରାସ ବା ଭୟ ଆଦି ଅଭିନୟ ପରିବେଷଣ କରାଯାଇଥାଏ ।

ଜୁଗୁପ୍ସା

ଏହା ମଧ୍ୟ ବିଶେଷ କରି ସ୍ତ୍ର୍ରୀ ତଥା ନିଚ ପାତ୍ର ମାନଙ୍କଠାରେ ଏହି ପ୍ରକୃତି ଲକ୍ଷ କରାଯାଏ । ଯେଉଁ ବସ୍ତୁ ବା ଘଟଣାର ଦର୍ଶନ କିମ୍ବା ଶ୍ରବଣ ଆମ ହୃଦୟରେ ଏହି ଜୁଗୁପ୍ସା ଭାବ ସୃଷ୍ଟି ହୋଇଥାଏ । ସମ୍ପୁର୍ଣ୍ଣ ଶରୀର ସଙ୍କୁଚି଼ତ ହେବା ସହ ଛେପ ପକାଇବା, ମୁହଁ ବୁଲାଇବା, ବାନ୍ତି ଲାଗିବା ଆଦି ଅନୁଭାବ ମାନଙ୍କ ଏହାର ଅଭିନୟ କରାଯାଇଥାଏ । ମୁଖ୍ୟତଃ ନାକ ଟେକିବା, ସର୍ବାଙ୍ଗ ଶରୀର ସଙ୍କୁଚି଼ତ ହେବା, ଉତ୍ତେଜନା ତଥା ହୃଦୟରେ ପୀଡ଼ା ସୃଷ୍ଟି କରିବା ଭଳି କାର୍ଯ୍ୟକଳାପ ଦ୍ୱାରା ଜୁଗୁପ୍ସା ଭାବ ସୃଷ୍ଟି ହୋଇଥାଏ ।

ବିସ୍ମୟ

ଇନ୍ଦ୍ରଜାଲ ବା ମାୟାଜାଲ, ଅତି ମନୁଷ୍ୟ କାର୍ଯ୍ୟ, ବିଚି଼ତ୍ର ତଥା ଅଦ୍ଭୁତ କାର୍ଯ୍ୟ ଦ୍ୱାରା ଏହା ସୃଷ୍ଟି ହୋଇଥାଏ । ବିସ୍ତାରିତ ନେତ୍ର, ଅପଲକ ନୟନ, ଲୋମ ଟାଙ୍କୁରିବା, ମଥା ଘୁରିଯିବା, ସାଧୁବାଦ ଶ୍ରବଣ ଭଳି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ ହୋଇଥାଏ । ଅତି ଅମାନୁଷିକ କାର୍ଯ୍ୟ ବା ଘଟଣା ଦର୍ଶନ ଫଳରେ ହର୍ଷ ଏବଂ ତହିିଁରୁ ବିସ୍ମୟ ସୃଷ୍ଟି ହୋଇଥାଏ । ହର୍ଷ, ପୁଲକ ଆଦି ଦ୍ୱାରା ଏହା ଅଭିନିତ ହୋଇଥାଏ ।

ଏହିପରି ଭାବରେ ନାଟ୍ୟକୋବିଦ ଭରତ ମୁନି ସ୍ଥାୟୀ ଭାବ ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରି ସାରିବାପରେ ବ୍ୟଭିଚାରୀ ଭାବ ମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି ।

ବ୍ୟଭିଚାରି ଭାବ

ଚର୍ ଧାତୁରେ ବି ଓ ଅଭି ଉପସର୍ଗ ଯୋଗରେ ଯେଉଁ ଶବ୍ଦ ସୃଷ୍ଟି ହୋଇଥାଏ ବ୍ୟଭିଚାରି କୁହାଯାଏ । ଏହି ଚର୍ ଧାତୁ ଗତ୍ୟର୍ଥକ ବା ପ୍ରାପ୍ତ୍ୟାର୍ଥକ ଅଟେ । ସରଳ ଭାବରେ କହିବାକୁ ଗଲେ ଯେଉଁ ଭାବ ଗୁଡିକ ଆଙ୍ଗିକ, ବାଚି଼କ, ସାତ୍ୱିକ ଆଦି ଅଭିନୟ ମାନଙ୍କ ଦ୍ୱାରା ରସ ପ୍ରାପ୍ତିରେ ସହାୟକ ହୋଇଥାଏ ତାହାକୁ ବ୍ୟଭିଚାରି ଭାବ କୁହାଯାଏ ।

ନାଟ୍ୟକୋବିଦ ଭରତ ମୁନି ନାଟ୍ୟଶାସ୍ତ୍ରରେ ତେତିଶି ପ୍ରକାର ବ୍ୟଭିଚାରି ଭାବ କଥା ବର୍ଣ୍ଣନା କରିଛନ୍ତି ସେଗୁଡିକ ହେଲା ଯଥା : – ୧. ନିର୍ବେଦ ୨. ଗ୍ଳାନି ୩. ଶଙ୍କା ୪. ଅସୂୟା ୫. ମଦ ୬. ଶ୍ରମ ୭. ଆଳସ୍ୟ ୮. ଦୈନ୍ୟ ୯. ଚିନ୍ତା ୧୦. ମୋହ ୧୧. ସ୍ମ୍ମୃତି ୧୨. ଧ୍ର୍ରୁତି ୧୩. ବ୍ରୀଡ଼ା ୧୪. ଚପଳତା ୧୫. ହର୍ଷ ୧୬. ଆବେଗ ୧୭. ଜଡତା ୧୮. ଗର୍ବ ୧୯. ବିଷାଦ ୨୦. ଓøତ୍ସୁକ୍ୟ ୨୧. ନିଦ୍ରା ୨୨. ଅପସ୍ମାର ୨୩. ସୁପ୍ତ ୨୪. ବିବୋଧ ୨୫. ଅମର୍ଷ ୨୬. ଅବହିତ ୨୭. ଉଗ୍ରତା ୨୮. ମତି ୨୯. ବ୍ୟାଧି ୩୦. ଉନ୍ମାଦ ୩୧. ମରଣ ୩୨. ତ୍ରାସ ୩୩. ବିତର୍କ ।

ନିର୍ବେଦ

ଦାରିଦ୍ର‌୍ୟେଷ୍ଟବିଯୋଗାଦ୍ୟୈ ନିର୍ବେଦୋ ନାମ ଜାୟତେ

ସମ୍ପ୍ରଧାରଣନିଶ୍ୱାସୈ ସ୍ତସ୍ୟତ୍ୱଭିନୟୋ ଭବେତ୍ ।ା୨୯।।

ଇଷ୍ଟଜନସ୍ୟ ବିୟୋବାଦ୍ଦାରିଦ୍ର‌୍ୟାଦ୍ ବ୍ୟାଧିତସ୍ତଥା ଦୁଃଖାତ୍‌

ୠଦ୍ଧିଂପରସ୍ୟ ଦୃଷ୍ଟନିର୍ବେଦୋ ନାମ ସଂଭବତି ।ା୩୦।।

ବାଷ୍ପପରିପ୍ଲୁତନୟନଃ ପୁନଶ୍ଚ ନିଃଶ୍ୱାସ ଦୀନମୁଖଖେନତ୍ରଃ

ଯୋଗୀବଦ୍ଧ୍ୟାନପରୋ ଭବତି ହି ନିର୍ବେଦବାନ ପୁରୁଷଃ ।ା୩୧।।

ବିଶେଷକରି ଦାରିଦ୍ର‌୍ୟତା ଏବଂ ଇଷ୍ଟଜନ ବା ପ୍ରିୟ ଜନ ମାନଙ୍କର ନିଧନ ଫଳରେ ଏହି ନିର୍ବେଦ ଭାବ ଜାତ ହୁଏ । ସଂପ୍ରଧାରଣ (ଚିନ୍ତା) ଏବଂ ନିଃଶ୍ୱାସ ଦ୍ୱାରା ଏହାର ଅଭିନୟ ପରିବେଷିତ ହୋଇଥାଏ । ସରଳ ଭାଷାରେ କହିବାକୁ ଗଲେ ପ୍ରିୟ ଲୋକ ମାନଙ୍କର ବିୟୋଗ, ଦାରିଦ୍ର‌୍ୟ, ବ୍ୟାଧି, ଦୁଃଖ ତଥା ଶତ୍ର୍ରୁବୃଦ୍ଧି ଦ୍ୱାରା ନିର୍ବେଦ ଭାବ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଆମର ଚକ୍ଷୁ ଲୋତକରେ ଭରି ଉଠିଥାଏ । ଦୀର୍ଘ ନିଃଶ୍ୱାସ ଏବଂ ନୟନ ବିସ୍ଫାରିତ ହୋଇଉଠେ । ଯୋଗୀମାନେ ଧ୍ୟାନମଗ୍ନ ହେଲାପରି ମନୁଷ୍ୟ ମାନେ ମଧ୍ୟ ତଟସ୍ଥ ଓ ଧ୍ୟାନସ୍ଥ ହୋଇଥାନ୍ତି ।

 ଗ୍ଲାନି

ବାନ୍ତବିରିକ୍ତବ୍ୟାଧିଷୁ ତପ୍‌ସା ଜରସା ଚ ଜାୟତେ ଗ୍ଲାନିଃ

କାର୍ଶ୍ୟେନ ସାଭିନେୟା ମନ୍ଦଭ୍ରମଣେନ କମ୍ପନେନ ।ା୩୨।।

ଗଦିତୈଃ କ୍ଷାମକ୍ଷେମୈର୍ନେତ୍ରବିକାରୈଶ୍ଚ ଦୀନ ସଂଚାରୈଃ

ଶ୍ଲଥଭାବେନାଙ୍ଗାନାଂ ମୁହୁର୍ମୁହୁନିର୍ଦିଶେଦ୍ ଗ୍ଲାନିମ୍

ଆଘାତ, ଶୂନ୍ୟତା, ପୀଡା, ଉପବାସ, ନିୟମ, ମାତ୍ରାଧିକ ମଦ୍ୟପାନ, କାମାଭାବ, ବ୍ୟାୟାମ, କ୍ଷୁଧା, ପିପାସା, ନିଦ୍ରା ଆଦି ବିଭାବ ମାନଙ୍କ ଦ୍ୱାରା ଗ୍ଲାନି ଭାବ ଜାତ ହୋଇଥାଏ । ଦୁର୍ବଳ ତଥା ଧିର ଭାବରେ କଥା କହିବା, ନୟନ ମୁଦ୍ରିତ ହୋଇଯିବା, ଗଣ୍ଡଦେଶ ପଶିଯିବା, ଦେହ ବିବର୍ଣ୍ଣ ତଥା ବିକୃତ ହୋଇଯିବା ଆଦି ଅନୁଭାବ ଦ୍ୱାରା ଏହା ଅଭିନିତ ହୋଇଥାଏ ।

ଶଙ୍କା

ସନ୍ଦେହାତ୍ମିକା ସ୍ତ୍ର୍ରୀ ନୀଚ ପ୍ରଭବା । ଚୌର୍ଯ୍ୟାଭିଗ୍ରହଣ ନୃପାପରାଧ ପାପକର୍ମ କରଣାଦିଭିର୍ବିଭାବୈଃ ସମୁତ୍ପଦ୍ୟତେ । ତସ୍ୟା ମୁହୁର୍ମୁହୁରବଲୋକନକୁଣ୍ଠନ ମୁଖ ଶୋଷଣ ଜିହ୍ୱାପରିଲେହନ ମୁଖବୈବର୍ଣ୍ଣ୍ୟ ସ୍ୱରଭେଦ ବେପଥୁ ଶୁଷ୍କୋଷ୍ଠ କଣ୍ଠାୟାସ ସାଧର୍ମ୍ୟାଦିର ଅନୁଭାବୈଃରଭିନୟଃ ପ୍ରଯୋକ୍ତବ୍ୟଃ ।ା

ବିଶେଷ କରି ଏହି ସନ୍ଦେହାତ୍ମକ ଶଙ୍କା ସ୍ତ୍ର୍ରୀ ବା ନାରୀ ଏବଂ ନୀଚ ପ୍ରକୃତିର ବ୍ୟକ୍ତିମାନଙ୍କ ଠାରେ ପ୍ରକାଶ ପାଇଥାଏ । ଚୌର୍ଯ୍ୟ ବା ଚୋରି, ରାଜାଙ୍କ ନିକଟରେ ଅପରାଧ, ପାପକର୍ମ ସହ ସଂପୃକ୍ତ ଆଦି କାର୍ଯ୍ୟ ବା ବିଭାବ ଦ୍ୱାରା ଶଙ୍କା ସୃଷ୍ଟି ହୋଇଥାଏ । ମୁହୁର୍ମୁହୁ ଦୃଷ୍ଟି ନିପାତ ଅର୍ଥାତ୍ ମିଞ୍ଜିମିଞ୍ଜି କରି ଅପରାଧି ଭଳି ଚାହାଣି, ମୁଖ ଲୁଚାଇବା, ତଣ୍ଟି ଶୁଖିଯିବା, ଜିଭ ବୁଲାଇବା, ମୁଖ ମଣ୍ଡଳ ଦେଖାଯିବା, ସ୍ୱରଭେଦ, ବେପଥୁ, ଓଠ ଶୁଖିଯିବା ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ଚୌର୍ଯ୍ୟ ଜନିତ ବା ଚୋରି କାର୍ଯ୍ୟରୁ ସୃଷ୍ଟି ହେଉଥିବା ଶଙ୍କା ବିଶେଷତଃ ଭୟାନକ ଧର୍ମି ଅଟେ କିନ୍ତୁ ଅପରପକ୍ଷରେ ପ୍ରିୟ ବା ଇଷ୍ଟଜନଙ୍କଠାରେ କୃତ ଅପରାଧରୁ ସୃଷ୍ଟି ହେଉଥିବା ଶଙ୍କା ଶୃଙ୍ଗାରଧର୍ମି ହୋଇଥାଏ । ଏହି ଶଙ୍କାକୁ ସାଧାରଣତଃ ଭରତ ମୁନି ଆତ୍ମସମୁତ୍ଥା ଓ ପରସମୁତ୍ଥା ନାମରେ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ଯେଉଁ ଶଙ୍କା ନିଜ ଦ୍ୱାରା ସୃଷ୍ଟି ହୋଇଥାଏ ତାହାକୁ ଆତ୍ମସମୁତ୍ଥା ଏବଂ ଯେଉଁ ଶଙ୍କା ପର ଦ୍ୱାରା ସୃଷ୍ଟି ହୋଇଥାଏ ତାକୁ ପରସମୁତ୍ଥା କୁହାଯାଇଥାଏ ।

ଅସୂୟା

ନାନାପରାଧଦ୍ୱେଷ ପରୈଶ୍ୱର୍ଯ୍ୟସୌଭାଗ୍ୟ ମେଧା ବିଦ୍ୟା

ଲୀଳାଦିଭିର୍ବିଭାବୈଃ ସମୁତ୍‌ପାଦ୍ୟତେ ।ା

ବିଭିନ୍ନ ଅପରାଧ, ଦ୍ୱେଷ, ଅନ୍ୟର ଏା÷ଶ୍ୱର୍ଯ୍ୟ ବା ସୌଭାଗ୍ୟ, ମେଧା, ବିଦ୍ୟା, ଲୀଳା ଆଦି ବିଭାବ ମାନଙ୍କଠାରୁ ଅସୂୟା ଭାବ ସୃଷ୍ଟି ହୋଇଥାଏ । ପରିଷଦ ବା ସଭାରେ ଦୋଷ ପ୍ରଖ୍ୟାପନ, ନିଜର ଦୁର୍ଗୁଣର ଉପଘାତନ ବା ପ୍ରତିଘାତନ, ଇର୍ଷାନ୍ୱିତ ତଥା ଅଧୋମୁଖ ଦୃଷ୍ଟି, ଭ୍ର୍ରୁ-କୁଞ୍ଚନ, ଅବଜ୍ଞା ତଥା କୁତ୍ସା ବା ପରନିନ୍ଦା ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ପରସୌଭାଗ୍ୟେଶୂରତା ମେଧାଲୀଳାସମୁଛ୍ରୟାନ୍ ଦୃଷ୍ଟା

ଉତ୍‌ପସ୍ୟତେ ହ୍ୟସୂୟା କୃତାପରାଧୋ ଭବେଦଶ୍ଚ ।ା

ଭ୍ରୁକୁଟିକୁଟି ଲୋତ୍‌କଟମୁଖୈଃ ସେର୍ଷ୍ୟାକ୍ରୋଧପରିବୃତ୍ତନେତ୍ରୈଶ୍ଚ

ଗୁଣନାଶନବିଦ୍ୱେଷୈସ୍ତତ୍ରାଭିନୟଃ ପ୍ରଯୋକ୍ତବ୍ୟଃ ।ା

ଅର୍ଥାତ୍ ପର ବା ଅନ୍ୟର ସୌଭାଗ୍ୟ, ଏା÷ଶ୍ୱର୍ଯ୍ୟ, ମେଧା, ଲୀଳା ଆଦି ଦେଖିବା ଦ୍ୱାରା ଆମ ମାନଙ୍କ ମନରେ ଅସୂୟା ଭାବ ସୃଷ୍ଟି ହୋଇଥାଏ । ଭ୍ର୍ରୁକୁଟି କୁଟିଳ, ଉତ୍କଟ ମୁଖଭଙ୍ଗି, ଇର୍ଷା ତଥା କ୍ରୋଧାନ୍ୱିତ ଚାହାଣି ଏବଂ ବିଦ୍ୱେଷ ମାଧ୍ୟମରେ ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ମଦ

ମଦ୍ୟୋପଯୋଗାଦୁତ୍ ପଦ୍ୟତୋ ସ ଚ ତ୍ରିବିଧଃ ପଞ୍ଚବିଭାବଶ୍ଚ ।

ମଦ୍ୟର ଉପଯୋଗ ବା ବ୍ୟବହାରରୁ ମଦ ସୃଷ୍ଟି ହୋଇଥାଏ ଏହାକୁ ତିନି ଭାଗରେ ବିବକ୍ତ କରାଯାଇଛି ଏବଂ ଏହାର ପାଞ୍ଚ ଗୋଟି ବିଭାବ ରହିଛି । ନାଟ୍ୟକୋବିଦ ଭରତ ମୁନି ମଦ ବା ମତ୍ତକୁ ତିନି ଭାଗରେ ବିଭକ୍ତ କରିଛନ୍ତି ଯଥା :- ୧. ତରୁଣ ୨. ମଧ୍ୟ ୩. ଅବକୃଷ୍ଟ । ସେହିପରି ଏହାର ଅଭିନୟକୁ ମଧ୍ୟ ସେ ପାଞ୍ଚ ଭାଗରେ ବଣ୍ଣନା କରିଛନ୍ତି ।

୧. କେହି କେହି ମଦ୍ୟପାନରେ ମତ୍ତହେଲେ ଗାୟନ କରନ୍ତି ।

୨. କେହିକେହି ମଦ୍ୟ ପାନରେ ମତ୍ତ ହେଲେ ରୋଦନ କରନ୍ତି ।

୩. କେହି କେହି ମଦ୍ୟପାନରେ ମତ୍ତ ହେଲେ ହସନ୍ତି ।

୪. କେହି କେହି ମଦ୍ୟପାନରେ ମତ୍ତ ହେଲେ ଗାଳିଗୁଲଜ କରନ୍ତି ।

୫. କେହି କେହି ମଦ୍ୟପାନରେ ମତ୍ତ ହେଲେ ଶୟନ କରନ୍ତି ।

 

ଯଜ୍ଞେସ୍ତୁ ମଦସ୍ତ୍ରୀବିଧସ୍ତରୁଣୋ ମଧ୍ୟସ୍ତଥାବକୃଷ୍ଟଶ୍ଚ

କରଣଂ ପଞ୍ଚବିଧଃ ସ୍ୟାତ୍ତସ୍ୟାଭିନୟଃ ପ୍ରଯୋକ୍ତବ୍ୟଃ ।ା

କଶ୍ଚିନ୍ମତ୍ତୋ ଗାୟତି ରୋଦିତି କଶ୍ଚିତ୍ତଥା ହସତି କଶ୍ଚିତ୍

ପୁରୁଷବଚନାଭିଧାୟୀ କଶ୍ଚିତ୍‌କଶ୍ଚିତ୍ତଥା ସ୍ୱପିତି ।ା

ତତ୍ ସହିତ ଭରତ ମୁନି ଏହା ମଧ୍ୟ ବର୍ଣ୍ଣନା କରିଛନ୍ତିଯେ ଯେତେବେଳେ ଉତ୍ତମ ବ୍ୟକ୍ତି ମାନେ ମଦ ମତ୍ତ ହୁଅନ୍ତି ସେତେବେଳେ ସେମାନେ ଶୋଇପଡନ୍ତି । ଏହି ପରିସ୍ଥିତିରେ ମଧ୍ୟମ ମାନେ ହସନ୍ତି କିମ୍ବା ଗାୟନ କରନ୍ତି କିନ୍ତୁ ଅଧମ ମାନେ ଗାଳି ଗୁଲଜ କରିବା ସହ କେତେକ କ୍ଷେତ୍ରରେ କ୍ରନ୍ଦନ କରିଥାନ୍ତି । ଉତ୍ତମ ମାନଙ୍କ କ୍ଷେତ୍ରରେ ସ୍ମିତ ତଥା ପ୍ରଫୁଲ୍ଲ ମୁଖ ମଣ୍ଡଳ, ଶାରୀରିକ ବିଶ୍ରାନ୍ତି ତଥା ଅସ୍ପଷ୍ଟ ବାକ୍ୟାଳାପ ଭଳି ଲକ୍ଷଣ ଦେଖାଯାଏ । ଏହା ସହ ଏହି ଅବସ୍ଥାରେ ବ୍ୟକ୍ତିମାନେ ସାମାନ୍ୟ ଅସମାନ ପାଦଚାଳନା ମଧ୍ୟ କରିଥାନ୍ତି । କିନ୍ତୁ ସ୍ଖଳିତ ତଥା ଘୁର୍ଣ୍ଣିତ ଚାହାଣି, ହସ୍ତ ଛାଟିବା ତଥା ଅସ୍ଥିର ବା ନିୟନ୍ତ୍ରଣ ଶୁନ୍ୟ (ଅଣଆୟତ୍ତ) ପାଦ ଚାଳନା ଭଳି ଲକ୍ଷଣ ମାନ ମଧ୍ୟମ ଧରଣର ମଦମତ୍ତ ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ପରିଶେଷରେ ସ୍ମରଣ ଶକ୍ତି ହ୍ରାସ, ଛିଙ୍କ, ବାନ୍ତି, କଫ, ହେକୁଟି, ପାଟି ଶୁଖିଯିବା ଭଳି ଲକ୍ଷଣ ମାନ ଅଧମ ବର୍ଗର ମଦମତ୍ତ ଚରିତ୍ର ମାନଙ୍କଠାରେ ପ୍ରକାଶ ପାଇଥାଏ । ଏହାର ମଞ୍ଚାଭିନୟକୁ ଆଖି ଆଗରେ ରଖି ଭରତ ମୁନି ବର୍ଣ୍ଣନା କରିଛନ୍ତି ଯେ ନାଟକର ବିଷୟବସ୍ତୁ ଅନୂସାରେ ଯଦି ଚରିତ୍ର ମଞ୍ଚପ୍ରବେଶ ପୂର୍ବରୁ ମଦମତ୍ତ ହୋଇସାରିଥିବ ତେବେ ତାର ନିଶା ଧିରେ ଧିରେ କମିବା ଆବଶ୍ୟକ ଅପରପକ୍ଷରେ ଯଦି ମଞ୍ଚପ୍ରବେଶ ପରେ ଚରିତ୍ର ମଦମତ୍ତ ହେବ ତେବେ ତାର ନିଶା କ୍ରମଶଃ ବଢିବା ଆବଶ୍ୟକ ।

ଶ୍ରମ

ଅଧୁବ୍ୟାୟାମସେବନାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ

ତସ୍ୟ ଗାତ୍ରପରିମର୍ଦ୍ଧନ ସଂବାହନନିଃସ୍ୱସିତ ବିଜୃମ୍ଭିତ ।ା

ମନ୍ଦ ପଦୋତ୍‌କ୍ଷେପଣ ନୟନବଦନବିକୃତାନ୍ ସୀତ୍‌କାରାଦି

ଭିରନୁଭାବୈରଭିନୟଃ ପ୍ରଯୋକ୍ତବ୍ୟଃ ।ା

ପଥଶ୍ରମ, ବ୍ୟାୟାମ ତଥା ସେବା ଆଦି ବିଭାବ ମାନଙ୍କ ଦ୍ୱାରା ଶ୍ରମ ସୃଷ୍ଟି ହୁଏ । ଶରୀର ମର୍ଦ୍ଦନ, ଘନଘନ ନିଃଶ୍ୱାସ, ଧିର ପଦ ଚାଳନା, ମୁହଁ ବୁଲାଇବା, ସୀତ୍କାର କରିବା ଆଦି ଅନୁଭାବ ମାଧ୍ୟମରେ ଏହାର ପ୍ରଯୋଜନା କରାଯାଇଥାଏ ।

ନୃତ୍ତାଧ୍ୱବ୍ୟାୟାମାନ୍ନରସ୍ୟ ସଂଜାୟତେ ଶ୍ରମୋ ନାମ

ନିଃଶ୍ୱାସ ଖେଦଗମନୈଃ ସ୍ତସ୍ୟାଭିନୟଃ ପ୍ରଯୋକ୍ତବ୍ୟଃ ।ା

 

ଅର୍ଥାତ୍ ଲୋକମାନଙ୍କ ନୃତ୍ୟ ତଥା ବ୍ୟାୟାମ କାରଣରୁ ଶ୍ରମ ଜାତ ହୁଏ । ଘନଘନ ନିଃଶ୍ୱାସ, ଖେଦ ବା ଦୁଃଖ, ଧିର ଗମନ ଆଦି କ୍ରିୟା ମାଧ୍ୟମରେ ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ଆଳସ୍ୟ

ଖେଦ ବ୍ୟାଧି ଗର୍ଭସ୍ୱଭାବ ଶ୍ରମ ସୌହିତ୍ୟାଦିଭିର୍ବିଭାବୈଃ ସମୁତ୍ପଦ୍ୟତେ ସ୍ତ୍ରୀ ନୀଚାନାମ୍ । ତଦଭିନୟେତ୍ ସର୍ବକର୍ମାନ୍‌ଭିଳାଷଶୟନାସନ ନିଦ୍ରା ତନ୍ଦ୍ରା ସେବନାଦିଭିରନୁଭାବୈଃ ।

ମୁଖ୍ୟତଃ ସ୍ତ୍ରୀ ତଥା ନୀଚ ପାତ୍ରଙ୍କର ଦୁଃଖ, ବ୍ୟାଧି, ଗର୍ଭ, ଶ୍ରମ ଆଦି ବିଭାବ ମାନଙ୍କ ଠାରୁ ଏହି ଆଳସ୍ୟ ଭାବ ସୃଷ୍ଟି ହୋଇଥାଏ । ସମସ୍ତ କାର୍ଯ୍ୟ ପ୍ରତି ବିମୁଖ ହେବା, ଶଯ୍ୟାଶାୟୀ ହେବା, ବସିବା, ଶୟନ କରିବା, ଅବସନ୍ନତା ପ୍ରକାଶ କରିବା ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହା ଅଭିନିତ ହୋଇଥାଏ ।

ଦୈନ୍ୟ

ଦୌର୍ଗତ୍ୟ ମନସ୍ତାପାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ

ତସ୍ୟାଧୃତି ଶିରୋରୋଗ ଗାତ୍ର ଗୌରବାନ୍ୟମନସ୍କିତା ସୃଜାପରିମର୍ଜନାଦିଭିରନୁଭାବୈଃରଭିନୟଃ ପ୍ରଯୋକ୍ତବ୍ୟଃ ।ା

ଦୁର୍ଭାଗ୍ୟ, ମନସ୍ତାପ ଆଦି ବିଭାବ ମାନଙ୍କଠାରୁ ଦୈନ୍ୟ ଭାବ ସୃଷ୍ଟି ହୋଇଥାଏ । ଆତ୍ମସଂଶୟ, ମୁଣ୍ଡବ୍ୟଥା, ଅବିଶ୍ରାମ, ଅନ୍ୟମନସ୍କତା, ଅପରିଛନ୍ନତା ଭଳି ଅନୁଭାବ ମାନଙ୍କ ସହାୟତାରେ ଏହା ଅଭିନିତ ହୋଇଥାଏ ।

 

ଚି଼ନ୍ତୌତ୍ସୁକ୍ୟସମୁତ୍ଥା ଦୁଃଖାଦ୍ୟା ଭବତି ଦୀନତା ପୁଂସାମ୍‌

ସର୍ବମୃଜା ପରିବର୍ଜନଜୈର୍ବିବିଧୌରଭିନୟସ୍ତସ୍ୟ ।ା

ଚି଼ନ୍ତା ଏବଂ ଉତ୍ସୁକତା ଜନିତ ଦୁଃଖରୁ ଦୈନ୍ୟତା ବା ଦୀନତା ସୃଷ୍ଟି ହୋଇଥାଏ । ଆଳସ୍ୟତା ତଥା ଅପରିଛନ୍ନତା ଦ୍ୱାରା ଏହା ଅଭିନିତ ହେବା ଉଚି଼ତ ।

ଚି଼ନ୍ତା

ଏା÷ଶ୍ୱର୍ଯ୍ୟଭ୍ରଷ୍ଟେଷ୍ଟଦ୍ରବ୍ୟକ୍ଷୟଜା ବହୁପ୍ରକାରତୁ

ହୃଦୟ ବିତର୍କୋପଗତା ଚି଼ନ୍ତା ନୃପାଂ ମମୁଦ୍‌ଦ୍ଭବତି ।ା୫୧।।

ସୋଛ୍ୱାସୈନିଃଶ୍ୱସିତୈଃ ସନ୍ତାପୈଶ୍ଚୈବ ହୃଦୟଶୂନ୍ୟତୟା

ଅଭିନେତବ୍ୟା ଚି଼ନ୍ତା ସୃଜାବିହିନୈରଧୃତ୍ୟା ଚ ।ା୫୨।।

ଐଶ୍ୱର୍ଯ୍ୟ ନଷ୍ଟ, ଇପ୍ସିତ ଦ୍ରବ୍ୟ ଚୋରିହେବା ଏବଂ ଦାରିଦ୍ର‌୍ୟତା ଚି଼ନ୍ତାର ବିଭାବ ଅଟନ୍ତି । ଦୀର୍ଘନିଃଶ୍ୱାସ, ବ୍ୟତିବ୍ୟସ୍ତ, ଦୁର୍ବଳତା, ସନ୍ତାପ ଆଦି ଅନୁଭାବ ମାଧ୍ୟମରେ ଏହା ଅଭିନିତ ହୋଇଥାଏ । ମନୁଷ୍ୟ ଯେତେବେଳେ ତାର ଏା÷ଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ କିମ୍ବା ଇପ୍ସିତ ଦ୍ରବ୍ୟ କିମ୍ବା ବ୍ୟକ୍ତିକୁ ହରେଇଥାଏ ସେତେବେଳେ ତାକୁ ଚି଼ନ୍ତା ଗ୍ରାସ କରିଯାଇଥାଏ । ଏହି ସମୟରେ ସେ ବିଭିନ୍ନ କାରଣରୁ ସେ ସନ୍ଦେହରେ ଦଗ୍ଧିଭୁତ ହେଇଥାଏ । ବିଶେଷକରି ଏଭଳି ଭାବର ଅଭିନୟ ଘନଘନ ଦୀର୍ଘନିଃଶ୍ୱାସ, ମାନସିକ ଯନ୍ତ୍ର୍ରଣା, ଶୂନ୍ୟତା, ଆଳସ୍ୟତା ତଥା ଅପରିଛନ୍ନତା ମାଧ୍ୟମରେ ପରିବେଷିତ ହୋଇଥାଏ ।

ମୋହ

ଦୈବୋପଘାତ ବ୍ୟସନାଭିଘାତବ୍ୟାଧି ଭୟାବେଗପୂର୍ବ

ବୈରାନୁସ୍ମରଣାଦିଭିର୍ବିଭାବୈଃ ସମୁତ୍‌ଦ୍ୟତେ ।ା

ତସ୍ୟନିଶ୍ଚୈତନ୍ୟଭ୍ରମଣ ପତନା ଘୁର୍ଣ୍ଣନାଦଶନାଦିଭିରନୁଭାବୈଭିନୟଃ ପ୍ରଯୋକ୍ତବ୍ୟଃ ।ା

ଦୁର୍ଭାଗ୍ୟ, ଦୈବୀପାକ, ବ୍ୟାଧି, ଭୟାବେଗ, ପୂର୍ବ ଶତ୍ର୍ରୁତାର ସ୍ମରଣ ଦ୍ୱାରା ଏହି ମୋହ ଭାବ ସୃଷ୍ଟି ହୋଇଥାଏ । ନିଶ୍ଚେତନ, ମୁର୍ଛା, ମଥା ଘୁରେଇବା, ଜାଲୁ ଜାଲୁ ବା ଅସ୍ପଷ୍ଟ ଦେଖାଯିବା ଆଦି ଅନୁଭାବ ଦ୍ୱାରା ଏହା ଅଭିନିତ ହୋଇଥାଏ । ଅସ୍ଥାନରେ କିମ୍ବା ଅଜାଗାରେ ହଠାତ୍ ତସ୍କର ମାନଙ୍କୁ ଦେଖିବା କିମ୍ବା ଅନ୍ୟ କୌଣସି କାରଣରୁ ସେଥିରୁ ମୁକୁଳିବାର ବାଟ ନପାଇ ଭୟଭୀତ ହେବା ଦ୍ୱାରା ମୋହ ସୃଷ୍ଟି ହୋଇଥାଏ ।

ସ୍ମୃତି

ସୁଖଦୁଃଖକୃତାନାଂ ଭାବାନାମନୁସ୍ମରଣମ୍ ।ା

ଅର୍ଥାତ୍ ଅତୀତର ସୁଖଦ ତଥା ଦୁଃଖଦ ଘଟଣାକୁ ସ୍ମରଣ କରିବାକୁ ସ୍ମ୍ମୃତି କୁହାଯାଏ । ସ୍ୱାସ୍ଥ୍ୟ ହାନି, ଅନିଦ୍ରା, ଅତୀତର ସ୍ମ୍ମୃତିଚାରଣ ଆଦି ଏହାର ବିଭାବ ଅଟନ୍ତି । ମୁଣ୍ଡବ୍ୟଥା ହେବା ବା ଘୁରେଇବା, ଅଧୋମୁଖ କରିବା, ଭ୍ର୍ରୁଲତା ଉପରକୁ ଟେକି ସ୍ଥିର ଭାବରେ ଚାହିିଁବା ଭଳି କାର୍ଯ୍ୟକଳାପ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଇଥାଏ ।

ସୁଖଦୁଃଖମତିକ୍ରାନ୍ତଂ ତଥା ମତିବିଭାବିତ ଯଥାବୃତ୍ତମ୍‌

ଚିରବିସ୍ମୃତିଂ ସ୍ମରତି ଯଃ ସ୍ମୃତିମାନିତି ବେଦିତବ୍ୟୋଽସୌ ।ା୫୫।।

ସ୍ୱାସ୍ଥ୍ୟାଭ୍ୟାସସମୁତ୍‌ଥା ଶ୍ର୍ରୁତିଦର୍ଶନସମ୍ଭବା ସ୍ମୃତିନିପୁଣୈଃ

ଶିରୋଦ୍‌ବାହନ କମ୍ପୈଃ ଭ୍ରୃକ୍ଷେପୈଶ୍ଚାଭିନେତବ୍ୟା ।ା୫୬।।

ଅତି ସରଳ ଭାବରେ କହିବାକୁ ଗଲେ ଯେତେବେଳେ କୌଣସି ଜଣେ ବ୍ୟକ୍ତି ତାଙ୍କର ଅତୀତ ଜୀବନର ଭୁଲିଯାଇଥିବା ସୁଖଦ ତଥା ଦୁଖଦ ଘଟଣା ଗୁଡିକୁ ସ୍ମରଣ କରନ୍ତି ତାକୁ ସ୍ମୃତି କୁହାଯାଏ ।

ଧୃତି

ଶୌର୍ଯ୍ୟ ବିଜ୍ଞାନ ଶ୍ର୍ରୁତି ବିଭବ ଶୌଚାଚାର ଗୁରୁ ଭକ୍ତ୍ୟଧିକ ମନୋରଥାର୍ଥ ଲାଭକ୍ରୀଡ଼ାଦିର୍ବିଭାବୈଃ ସମୁତ୍‌ପଦ୍ୟତେ ।ା

 

ବିଶେଷ କରି ଶୌର୍ଯ୍ୟ, ବିଜ୍ଞାନ, ଶ୍ର୍ରୁତି, ବିଭବ, ଶୌଚ ବା ଶୁଦ୍ଧି, ଆଚାର, ଗୁରୁଭକ୍ତି, ବାଞ୍ଛିତ ଧନପ୍ରାପ୍ତି, କ୍ରୀଡ଼ା ଆଦି ବିଭାବ ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ମନୋଭାବକୁ ଧୃତି କୁହାଯାଏ । ଉପରବର୍ଣ୍ଣିତ ବିଷୟବସ୍ତୁ ମାନଙ୍କର ପ୍ରାପ୍ତି ତଥା ଉପଭୋଗ ଦ୍ୱାରା ଖୁସି ହେବା ଏବଂ ହରେଇଥିବା କିମ୍ବା ଅତୀତରେ ପ୍ରାପ୍ତି ହୋଇନଥିବା ବିଷୟବସ୍ତୁ ପ୍ରତି ଦୁଃଖ ପ୍ରକାଶ ନକରି ଶାନ୍ତିରେ ରହିବା ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ କରାଯାଇଥାଏ ।

ବିଜ୍ଞାନ ଶୌଚ ବିଭବ ଶ୍ର୍ରୁତି ଶକ୍ତି ସମୁଦ୍‌ଦ୍ଭବା ଧ୍ର୍ରୁତି ସଦ୍‌ଭିଃ

ଭୟ ଶୋକ ବିଷାଦାଦୌ ରହିତା ତୁ ସଦା ପ୍ରଯୋକ୍ତବ୍ୟଃ ।ା୫୭।।

ପ୍ରାପ୍ତାନାମୁପଭୋଗଃ ଶଦ୍ଦସ୍ପର୍ଶରୂପରସଗନ୍ଧାନାମ୍‌

ଅପ୍ରାପ୍ତୈଶ୍ଚନ ଶୋକୋକ୍ଷସ୍ୟାଂ ହି ଭଭେଦ୍‌ଧୃତିଃ ସା ତୁ ।ା୫୮।।

ଅର୍ଥାତ୍ ବିଜ୍ଞାନ, ଶୌଚ, ବିଭବ, ଶ୍ର୍ରୁତି, ଶକ୍ତି ଭଳି ବିଭବ ମାନଙ୍କଠାରୁ ଧ୍ର୍ରୁତି ସୃଷ୍ଟି ହୋଇଥାଏ । ମୁଖ୍ୟତଃ ଭୟ, ଶୋକ, ବିଷାଦଶୁନ୍ୟ କାର୍ଯ୍ୟକଳାପ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ । ଜୀବନରେ ପ୍ରାପ୍ତ ହୋଇଥିବା ଶବ୍ଦ, ସ୍ପର୍ଶ, ରୂପ ରସ, ଗନ୍ଧକୁ ଉପଭୋଗ କରିବା ତଥା ପ୍ରାପ୍ତ ହୋଇନଥିବା ଦ୍ରବ୍ୟ ପ୍ରତି ଶୋକପ୍ରକାଶ ନକରିବାକୁ ଧ୍ର୍ରୁତି କୁହାଯାଏ ।

ବ୍ରୀଡ଼ା

ଅକାର୍ଯ୍ୟକରଣାତ୍ମିକା ।ା ଅର୍ଥାତ୍ ଅକାର୍ଯ୍ୟ ବା ଅପକାର୍ଯ୍ୟ କରିବା ଦ୍ୱାରା ବ୍ରୀଡ଼ା ଭାବ ସୃଷ୍ଟି ହୋଇଥାଏ । ଗୁରୁଜନଙ୍କୁ ଅବଜ୍ଞା ବା ଅବମାନନା କରିବା, ନିଜର ପ୍ରତିଜ୍ଞାକୁ ଅବଜ୍ଞା କରିବା ବା କର୍ତ୍ତବ୍ୟ ପ୍ରତି ଅବଜ୍ଞା ପ୍ରକାଶ କରିବା, ନିଜର ଅପକର୍ମ ପାଇଁ ପଶ୍ଚାତ୍ତାପ କରିବା ଆଦି ବିଭାବ ମାନଙ୍କ ଠାରୁ ଏହି ବ୍ରୀଡ଼ା ଭାବ ସୃଷ୍ଟି ହୋଇଥାଏ । ମୁଖ ଲୁଚାଇବା, ନତ ମସ୍ତକ ହୋଇ ରହିବା, ପାଦର ଅଙ୍ଗୁଳି ସାହାଯ୍ୟରେ ଭୂମିରେ ଗାର ଟାଣିବା, ପିନ୍ଧାବସ୍ତ୍ର୍ରକୁ ଆଙ୍ଗୁଠିରେ ଗୁଡ଼େଇବା, ମୁଦ୍ରିକାକୁ ଆଙ୍ଗୁଠିରେ ଘୁରେଇବା, ହାତର ନଖକୁ ଖୁଣ୍ଟିବା ଆଦି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ କରାଯାଇଥାଏ ।

 

କିଞ୍ଚିତ୍‌କାର୍ଯ୍ୟଂ କୁର୍ବନ୍ନେବଂ ଯୋ ଦୃଶ୍ୟତେ ଶୁଚି଼ଭିରନନ୍ୟୈଃ

ପଶ୍ଚାତ୍ତାପେନ ଯୁଣେ ବ୍ରୀଡି଼ତ ଇତି ବେଦିତବ୍ୟୋଽସୌ ।ା୫୯।।

ଲଜ୍ଜାନିଗୁଢ଼ ବଦନୋ ଭୂମିଂ ବିଲିଖନ୍ନଖ୍ୟାଂଶ୍ଚ ବିନିକୃନ୍ତନ୍

ବସ୍ତ୍ର୍ରାଙ୍ଗୁଳୀୟକାନାଂ ସସ୍ପର୍ଶଂ ବ୍ରୀଡି଼ତଃ କୁର୍ଯ୍ୟାତ୍ ।ା୬୦।।

 

ଅର୍ଥାତ୍ ଜଣେ ଇତର କାର୍ଯ୍ୟ କରିଥିବା ଅଧମ ବ୍ୟକ୍ତି ଯେତେବେଳେ ଜଣେ ଉତ୍ତମ ବ୍ୟକ୍ତିଙ୍କ ଦୃଷ୍ଟିଗୋଚର ହୁଏ ସେତେବେଳେ ସେ ପଶ୍ଚାତ୍ତାପ କରେ , ଲଜ୍ଜିତ ଅନୁଭବ କରେ, ମୁଖ ଲୁଚାଇ ଥାଏ, ଭୂମିରେ ପାଦର ଆଙ୍ଗୁଠିରେ ଗାର ଟାଣେ, ନଖକୁ କାମୁଡି଼ ଥାଏ ଏବଂ ବସ୍ତ୍ର ତଥା ମୁଦ୍ରିକାକୁ ହାତର ଆଙ୍ଗୁଳିରେ ଗୁଡାଇଥାଏ ବା ବାରମ୍ବାର ସ୍ପର୍ଶ କରେ ।

ଚପଳତା

ରାଗ ଦ୍ୱେଷ ମାତ୍ସର୍ଯ୍ୟାମର୍ଦ୍ଧେର୍ଷ୍ୟା ପ୍ରତିକୂଳାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ । ତସ୍ୟାଶ୍ଚ ବାକ୍‌ପାରୁଷ୍ୟନିର୍ଭତ୍ସନବଧବନ୍ଧନ ସମ୍ପ୍ରହାର ତାଡ଼ନାଦିଭି ରନୁଭାବୈରଭିନୟଃ ପ୍ରଯୋକ୍ତବ୍ୟଃ ।ା

ରାଗ, ଦ୍ୱେଷ, ମାତ୍ସର୍ଯ୍ୟ, ଅମର୍ଷ, ଇର୍ଷା, ପ୍ରତିକୂଳ ଆଦି ଘଟଣାରୁ ଚପଳତା ଭାବ ସୃଷ୍ଟି ହୋଇଥାଏ । କଟୁକ୍ତି ପ୍ରକାଶ କରିବା, ଭର୍ତ୍ସନା କରିବା, ବଧ ବା ହତ୍ୟା କରିବା, ବନ୍ଧନ ବା ବାନ୍ଧିବା, ପ୍ରହାର କରିବା, ତାଡ଼ନା ପ୍ରଦାନ କରିବା ଆଦି ଅନୁଭାବ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଇଥାଏ ।

ଅବିମୃଶ୍ୟ ତୁ ଯଃ କାର୍ଯ୍ୟଂ ପୁରୁଷୋ ବଧତାଡନଂ ସମାରଭେତ୍

ଅବିନିଶ୍ଚିତ କାରିତ୍ୱାତ୍ ସ ତୁ ଖଳୁ ଚପଳୋ ବିବୋଦ୍ଧବ୍ୟଃ ।ା୬୧।।

ଅକାରଣରେ ଯେଉଁ ବ୍ୟକ୍ତି ପରକୁ ହତ୍ୟା ବା ବନ୍ଧନ କରନ୍ତି ତାକୁ ଚପଳ କୁହାଯାଏ ।

ହର୍ଷ

ମନୋରଥ ଲାଭେଷ୍ଟଜନ ସମାଗମନମନଃ ପରିତୋଷାଦେବ ଗୁରୁ-ରାଜ ଭତୃପ୍ରସାଦ ଭୋଜନାଚ୍ଛାଦନଲାଭୋପଭୋଗାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ । ତମଭିନୟେନ୍ନୟନବଦନ ପ୍ରସାଦ ପ୍ରିୟଭାଷଣାଲିଙ୍ଗନ କଣ୍ଟକିତ ପୁଲକିତାସ୍ର ସ୍ୱେଦାଦିଭିରନୁଭାବୈଃ ।ା

ମନୋରଥ ଲାଭ ଅର୍ଥାତ୍ ମନସ୍କାମନା ପୂର୍ଣ୍ଣ ହେବା, ଇଷ୍ଟ ଜନ ବା ପ୍ରିୟଜନ ମାନଙ୍କର ସମାଗମ ହେବା, ମାନସିକ ସନ୍ତୁଷ୍ଟି ଲାଭ କରିବା, ଦେବତା, ଗୁରୁ ତଥା ରାଜାଙ୍କର କୃପା ଲାଭ କରିବା ତଥା ଉତ୍ତମ ଅନ୍ନ, ବସ୍ତ୍ର, ଲାଭ ସହ ଏ ସମସ୍ତଙ୍କର ଉପଭୋଗ କରିବା ଆଦି ବିଭାବ ମାନଙ୍କଠାରୁ ହର୍ଷ ଭାବ ସୃଷ୍ଟି ହୁଏ । ପୁଲକିତ ନେତ୍ର, ପ୍ରଫୁଲ୍ଲିତ ମୁଖ ମଣ୍ଡଳ, ମିଷ୍ଟ ସମ୍ଭାଷଣ, ଆଲିଙ୍ଗନ ତଥା ଆନନ୍ଦାଶ୍ର୍ରୁ ନିର୍ଗମନ ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ ।

ଅପ୍ରାପ୍ୟେ ପ୍ରାପ୍ୟେ ବା ଲବ୍‌ଧେଽର୍ଥେ ପ୍ରିୟସମାଗମେ ବାଽପି ।

ହୃଦୟ ମନୋରଥ ଲାଭେ ହର୍ଷଃ ସଂଜାୟତେ ପୁସାମ୍ ।ା୬୨।।

ନୟନ ବଦନ ପ୍ରସାଦ ପ୍ରିୟଭାଷାଲିଙ୍ଗନୈଶ୍ଚ ରୋମାଞ୍ଚୈଃ

ଲଳିତୈଶ୍ଚାଙ୍ଗବିହାରୈଃ ସ୍ୱେଦାଦ୍ୟେରଭିନୟସ୍ତସ୍ୟ ।ା୬୩।।

ଶ୍ଲୋକାନୂସାରେ ଅପ୍ରାପ୍ୟ ବା ଦୁଷ୍ପ୍ରାପ୍ୟ ବସ୍ତୁର ପ୍ରାପ୍ତି ଦ୍ୱାରା, ନିଜର ଅତି ଆପଣାର ତଥା ପ୍ରିୟଜନ ମାନଙ୍କର ସମାଗମ ବା ମିଳନ ଘଟିବା ଦ୍ୱାରା, ମନସ୍କାମନା ପୂର୍ଣ୍ଣ ହେବା ଦ୍ୱାରା ମନୁଷ୍ୟ ମନରେ ହର୍ଷ ଭାବ ସୃଷ୍ଟି ହୋଇଥାଏ । ନୟନ ଏବଂ ମୁଖ ମଣ୍ଡଳରେ ଦୀପ୍ତଭାବ ସୃଷ୍ଟି ହେବା, ମିଷ୍ଟ ଭାଷା ପ୍ରଦାନ କରିବା, ଆଲିଙ୍ଗନ କରିବା, ରୋମାଞ୍ଚିତ ହେବା, ଲଳିତ ଅଙ୍ଗହାର ପ୍ରଦର୍ଶନ କରିବା, ଶରୀରରୁ ସ୍ୱେଦ ନିର୍ଗମନ କରିବା ଆଦି କାର୍ଯ୍ୟଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ ।

ଆବେଗ

ଉତ୍ପାତ ବାତ ବର୍ଷାଗ୍ନି କୁଞ୍ଜରୋଦ୍‌ଦ୍ଭ୍ରମଣ ପ୍ରିୟାପ୍ରିୟ ଶ୍ରବଣ ପ୍ରକୃତି ବ୍ୟସନାଭିଘାତାଦିଭିଃ ର୍ବିଭାବୈ ସମୁତ୍‌ପଦ୍ୟତେ ।ା

ମୁଖ୍ୟତଃ ଉତ୍ôପାତ, ପବନ, ବର୍ଷା, ନିଆଁ, ହାତୀ ମାଡି଼ ଆସିବା, ପ୍ରିୟଜନର କଥା ଶୁଣିବା, ପ୍ରାକୃତିକ ବିପର୍ଯ୍ୟୟ, ଉଲ୍‌କା ପାତ ହେବା, ଚନ୍ଦ୍ର ଗ୍ରହଣ, ସୁର୍ଯ୍ୟ ପରାଗ ଅଥବା ଧୂମକେତୁ ଦର୍ଶନ ଆଦି ବିଭାବ ମାନଙ୍କ ଦ୍ୱାରା ଆବେଗ ଭାବ ସୃଷ୍ଟି ହୋଇଥାଏ । ସମଗ୍ର ଶରୀର ତ୍ରସ୍ତ ହେବା, ମନ ଖରାପ ହେବା, ଭୟଭୀତ ହେବା, ମୁଖ ବିବର୍ଣ୍ଣ ଦିଶିବା, ବିଷାଦ ଭାବ ସୃଷ୍ଟି ହେବା, ବିସ୍ମୟ ଭାବ ପରିପ୍ରକାଶ ହେବା, ଆଖି ମଳିବା, ବସ୍ତ୍ର୍ରକୁ ଜାବୁଡି଼ ଧରିବା, କ୍ଷିପ୍ର ବେଗରେ ପଳାୟନ କରିବା ଆଦି କାର୍ଯ୍ୟ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ ।

ଇର୍ଷା କାରଣରୁ ଶରୀର ରୋମାଞ୍ଚିତ ହେବା ଛତ୍ର ବା ଛତା ତଳେ ଆଶ୍ରୟ ନେବା ଭଳି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ । ଅଗ୍ନିଜନିତ ଆବେଗର ଅଭିନୟରେ ଧୁମାଛନ୍ନ ପରିବେଷରେ ନେତ୍ର ସଙ୍କୁଚିତ ହେବା, ଶରୀର କମ୍ପିତ ହେବା, ଡେଇଁବା, ପୃଷ୍ଠଭଙ୍ଗ ବା ପଛଘୁଞ୍ଚା ଦେବା ଆଦି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଇଥାଏ ।

ଅପରପକ୍ଷରେ ହର୍ଷ ଜନିତ ଆବେଗ କ୍ଷେତ୍ରରେ ତ୍ୱରିତ ବେଗରେ ଗତି କରିବା, ଦ୍ର୍ରୁତଗତିରେ ଭୟଭିତ ହୋଇ ପଳାୟନ କରିବା, ଭୟ, ସ୍ତମ୍ବ, ବେପଥୁ, ବିସ୍ମୟ, ପଛକୁ ବାରମ୍ବାର ପଛକୁ ଚାହିିଁବା ଆଦି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଇଥାଏ । ତତ୍ ସହିତ ପ୍ରିୟବାକ୍ୟ ଶ୍ରବଣ କରିବା ଦ୍ୱାରା ସୃଷ୍ଟି ହେଉଥିବା ଆବେଗ କ୍ଷେତ୍ରରେ ନିଜର ଆସନ ଛାଡି଼ ଛିଡ଼ା ହେବା, ଆଲିଙ୍ଗନ କରିବା, ବସ୍ତ୍ର୍ରାଭରଣ ପ୍ରଦାନ କରିବା, ଆନନ୍ଦାଶ୍ର୍ରୂ ନିର୍ଗମନ କରିବା ଭଳି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ କାର୍ଯ୍ୟ ସମ୍ପାଦନ କରାଯାଏ । ପୁନଶ୍ଚ ଅପ୍ରିୟ ବାକ୍ୟ ଶ୍ରବଣ ଦ୍ୱାରା ଯେଉଁ ଅଭିନୟ ପରିବେଷଣ କରାଯାଏ ସେଥିରେ ଭୂପତିତ ହେବା , ବିଷମ ସ୍ଥଳରେ ଗଡି଼ଯିବା, ଏପଟ ସେପଟ ଦୌଡି଼ବା, ବିଳାପ କରିବା, କ୍ରନ୍ଦନ କରିବା ଭଳି କାର୍ଯ୍ୟ ଦ୍ୱାରା ଏହା ଅଭିନିତ ହୋଇଥାଏ । ଠିକ୍ ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଜନିତ ଆବେଗର ପରିବେଷଣ ବିଶେଷକରି ହଠାତ୍ ସ୍ଥାନ ପରିତ୍ୟାଗ କରିବା, ଅସ୍ତ୍ର୍ର ବା ସାଞ୍ଜୁ ଧାରଣ କରିବା, ହସ୍ତୀ, ଅଶ୍ୱ ତଥା ରଥାରୋହଣ କରି ଅସ୍ତ୍ର୍ର ପ୍ରୟୋଗ ଭଳି କାର୍ଯ୍ୟ ମାନଙ୍କ ଦ୍ୱାରା ଏହାର ଅଭିନୟ କରାଯାଏ । ବିଶେଷକରି ଆବେଗର ଅଭିନୟକୁ ଏହିପରି ଆଠ ଭାଗରେ ବର୍ଣ୍ଣନା କରାଯାଇଛି । ଏହାର ଅଭିନୟ ସମୟରେ ଉତ୍ତମ ଏବଂ ମଧ୍ୟମ ଚରିତ୍ର ମାନେ ଧୌର୍ଯ୍ୟ ଭାବ ପ୍ରକାଶ କଲାବେଳେ ନୀଚ ବା ଅଧମ ପାତ୍ରମାନେ ଭୟରେ ପଳାୟନ କରିବା ଭାବ ପ୍ରକାଶ କରିଥାନ୍ତି ।

ଜଡ଼ତା

ସର୍ବକାର୍ଯ୍ୟା ପ୍ରତିପ୍ରତ୍ତିଃ । ଇଷ୍ଟାନିଷ୍ଟ ଶ୍ରବଣ ଦର୍ଶନ ବ୍ୟାଧ୍ୟାଦିଭିର୍ବିଭାବୈଃ ସମୁତ୍ ପଦ୍ୟତେ । ତାମଭିନୟେଦକଥନାଭିଭାଷଣତ୍ୱଷ୍ଣୀମ୍ଭାବାନିମେଘ ନୀରିକ୍ଷଣ ପରବଶତ୍ୱା ଦିଭିରନୁଭାବୈଃ ।ା

ସମସ୍ତ କାର୍ଯ୍ୟ ପ୍ରତି ବିମୁଖତା ବା ନିରୁତ୍ସାହ ଭାବ ପୋଷଣ କରିବାକୁ ଜଡ଼ତା କୁହାଯାଏ । ପ୍ରିୟ ଏବଂ ଅପ୍ରିୟ କଥା ଶ୍ରବଣ କରିବା, ସେହିଭଳି କାର୍ଯ୍ୟ ବା ଘଟଣା ଶ୍ରବଣ ବା ଦର୍ଶନ କରିବା ତଥା ବ୍ୟାଧି ବା ରୋଗ ଭଳି ବିଭାବ ମାନଙ୍କ ଠାରୁ ଏହି ଜଡ଼ତା ଭାବ ସୃଷ୍ଟି ହୋଇଥାଏ । କଥା ନକହିବା, ନିରବ ରହିବା, ଅନ୍ୟପ୍ରତି ନିର୍ଭରଶୀଳ ହେବା ତଥା ଅପଲକ ନୟନରେ ଚାହିିଁବା ଆଦି କାର୍ଯ୍ୟ ବା ଭାବଭଙ୍ଗୀ ମାଧ୍ୟମରେ ଏହାର ଅଭିନୟ ପରିବେଷଣ କରାଯାଏ ।

ଇଷ୍ଟଂ ବାଽନିଷ୍ଟଂ ବା ସୁଖଦୁଃଖେ ବା ନବେତ୍ତି ଯୋ ମୋହାତ୍ ତ୍ୱଷ୍ଣୀକଃ ପରବଶଗୋ ଭବତି ସ ଜଡ଼ସଜ୍ଞିତଃ ପୁରୁଷଃ ।

ଶ୍ଲୋକାନୂସାରେ ଯିଏ ମୋହଗ୍ରସ୍ତ ହୋଇ ଇଷ୍ଟ, ଅନିଷ୍ଟ, ସୁଖ, ଦୁଃଖ ଜାଣିପାରେ ନାହିିଁ ଏବଂ ପରର ବଶତା ଲାଭ କରି ନିରବ ହୋଇ ରହିଥାଏ ତାକୁ ଜଡ଼ ପୁରୁଷ ନାମରେ ନାମିତ କରାଯାଏ ।

ଗର୍ବ

ଐଶ୍ୱର୍ଯ୍ୟକୁଳ ରୂପଯୌବନ ବିଦ୍ୟାବଳ ଧନଲାଭାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ ।

ବିଶେଷତଃ ଐଶ୍ୱର୍ଯ୍ୟ, ଉଚ୍ଚକୁଳ ବା ବଂଶ, ରୂପ ଯୌବନ, ବିଦ୍ୟା, ବଳ, ଧନଲାଭ ଆଦି ବିଭାବ ମାନଙ୍କଠାରୁ ଗର୍ବ ଭାବ ସୃଷ୍ଟି ହୋଇଥାଏ।

ତସ୍ୟାସୂୟାବଜ୍ଞା ଧର୍ଷଣାନୁତ୍ତରଦାନା ସମ୍ଭାଷଣାଙ୍ଗାବଲୋକନ

ବିଭ୍ରମାପହସନ୍‌ବାକ୍ ପାରୁଷ୍ୟଗୁରୁ ବ୍ୟତିକ୍ରମଣାଧିକ୍ଷେପବଚନ

ବିଛେଦାଦିଭିରନୁଭାବୈଃ ଅଭିନୟଃ ପ୍ରଯୋକ୍ତବ୍ୟ ।ା

ଅର୍ଥାତ୍ ଅସୂୟା, ଅବଜ୍ଞା, ଧର୍ଷଣ, ନିରୁତ୍ତର ରହିବା, ସମ୍ଭାଷଣ ନକରିବା, ଅଙ୍ଗକୁ ବାରମ୍ବାର ଦୃଷ୍ଟି ନିକ୍ଷେପ କରିବା, ବିଭ୍ରମ, ଉପହାସ, କର୍କଷ ବାକ୍ୟ ପ୍ରୟୋଗ, ନିନ୍ଦା କରିବା, ବିଛେଦ କରିବା ଆଦି ଅନୁଭାବ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଏ ।

ବିଦ୍ୟାବାପ୍ତେ ରୂପାଦୈଶ୍ଚର୍ଯ୍ୟାଦଥ ବା ଧନାଗମାଦ୍ଦାପି

ଗର୍ବଃ ଖଳୁ ନୀଚାନାଂ ଦୃଷ୍ଟାଙ୍ଗବିଚାଳନୈଃ କାର୍ଯ୍ୟଃ ।ା

ଶୋ୍ଲକାନୂସାରେ ବିଦ୍ୟା, ରୂପ, ଏ÷ଶ୍ୱର୍ଯ୍ୟ ଏବଂ ଧନପ୍ରାପ୍ତି ହେବା ଦ୍ୱାରା ନୀଚବା ଦୃଷ୍ଟ ଚରିତ୍ର ମାନଙ୍କ ମନରେ ଗର୍ବ ସୃଷ୍ଟି ହୁଏ । ଫଳରେ ଖଳ, ନୀଚ ବା ଦୃଷ୍ଟ ଚରିତ୍ର ମାନଙ୍କ ଅଙ୍ଗ ଚାଳନା ଦ୍ୱାରା ଏହାର ଅଭିନୟ ପ୍ରସ୍ତୁତ କରାଯାଏ ।

ବିଷାଦ

କାର୍ଯ୍ୟାନିସ୍ତରଣ ଦୈବବ୍ୟାପତ୍ତି ସମୁତ୍ଥଃ ।

ତମଭିନୟେତ୍ ସହାୟାନ୍ୱେଷଣୋପାୟଚି଼ନ୍ତନୋତ୍ସାହ ବିଘାତ

ବୈମନସ୍ୟ ନିଶ୍ୱେସିତାଦିଭିରନୁଭାବୈଃରୁତ୍ତମମଧ୍ୟନାମ୍ ।ା

ଅଧମାନାଂ ତୁ ପରିଧାବନା ଲୋକନ ମୁଖଶୋଷଣସୃକ୍ୱ

ପରିଲେହନ ନିଦ୍ରା ନିଃସ୍ୱେସିତଧ୍ୟାନାଦିଭିରନୁଭାବୈଃ ।ା

ହାତକୁ ନିଆଯାଇଥିବା କାର୍ଯ୍ୟ ଯେତେବେଳେ ସମାପ୍ତ ହୋଇପାରେନାହିିଁ କିମ୍ବା ଯେତେବେଳେ ଦୈବୀକୃତ କିମ୍ବା ପ୍ରାକୃତିକ ଦୁର୍ବିପାକ ଘଟେ ସେତେବେଳେ ଏହି ବିଷାଦ ଭାବ ସୃଷ୍ଟି ହୁଏ । ସହାୟ ବା ସାହାଯ୍ୟକାରି ଅନ୍ୱେଷଣ କରିବା ସମସ୍ୟାର ସମାଧାନ ପାଇଁ ଉପାୟ ଚି଼ନ୍ତା କରିବା, ଉତ୍ସାହ ମରିଯିବା, ମନ ଖରାପ ହେବା, ଦୀର୍ଘ ନିଃଶ୍ୱାସ ନେବା ଆଦି ଅନୁଭାବକୁ ଉତ୍ତମ ଏବଂ ଅଧମ ଚରିତ୍ର ମାନଙ୍କଦ୍ୱାରା ପ୍ରୟୋଗ କରି ଏହାର ଅଭିନୟ ପ୍ରଯୋଜନା କରାଯାଏ । କିନ୍ତୁ ଅପରପକ୍ଷରେ ଅଧମ ଚରିତ୍ର ମାନଙ୍କ ଦୌଡି଼ବା, ଓଠ ତଣ୍ଟି ଶୁଖିଯିବା, ଜିଭ ବୁଲାଇବା, ଦୀର୍ଘ ନିଃଶ୍ୱାସ ନେବା, ନିଦ ମାଡି଼ବା, ଚି଼ନ୍ତାମଗ୍ନ ହେବା ଆଦି ଅନୁଭାବ ମାଧ୍ୟମରେ ଏହାର ଅଭିନୟ ପରିବେଷଣ କରାଯାଏ ।

କାର୍ଯ୍ୟାନିସ୍ତରଣାଦ୍‌ବା ଚୌର୍ଯ୍ୟାଭିଗ୍ରହଣ ରାଜଦୋଷାଦ୍‌ବା

ଦୈବାଦର୍ଥବିବତେର୍ଭବତି ବିଷାଦଃ ସଦା ପୁଷାମ୍ ।ା୬୯।।

ବୈଚି଼ତ୍ର‌୍ୟେପାୟଚି଼ନ୍ତାଭ୍ୟାଂ କାର୍ଯ୍ୟମୁତ୍ତମଧ୍ୟୟୋଃ

ନିଦ୍ରନିଶ୍ୱସିତ ଧ୍ୟାନୈରଧମାନାଂ ତୁ ଯୋଜୟେତ୍ ।ା୭୦।।

ଶ୍ଲୋକାନୂସାରେ ସରଳ ଭାବରେ କହିବାକୁ ଗଲେ ଯେତେବେଳେ ହାତକୁ ନିଆଯାଇଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରେନି, ଚୌର୍ଯ୍ୟ ବୃତ୍ତି କରୁଥିବା ସମୟରେ ଧରାପଡି଼ଯାନ୍ତି ରାଜାଙ୍କଠାରେ ଅପରାଧ କରିବା ଦୋଷରେ ଦୋଷୀ ସାବ୍ୟସ୍ତ ହୁଅନ୍ତି କିମ୍ବା ଦେବତାଙ୍କ ନିକଟରେ ଅଭିଳାଷ କରିଥିବା କାର୍ଯ୍ୟ ବିଫଳ ହୁଏ ସେତେବେଳେ ମନରେ ବିଷାଦ ଭାବ ସୃଷ୍ଟି ହୁଏ । ବିଚିତ୍ର ଉପାୟମାନ ଚିନ୍ତା କରିବା ଭଳି କାର୍ଯ୍ୟ ମାଧ୍ୟମରେ ଉତ୍ତମ ଓ ଅଧମ ମାନଙ୍କର ଅଭିନୟ ପରିବେଷଣ କରାଯାଏ କିନ୍ତୁ ଅପରପକ୍ଷରେ ନିଦ୍ରା, ଦୀର୍ଘନିଃଶ୍ୱାସ, ବ୍ୟସ୍ତତା, ଧ୍ୟାନ ଆଦି କାର୍ଯ୍ୟ ମାଧ୍ୟମରେ ଅଧମ ମାନଙ୍କ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଏ ।

ଔତ୍ସୁକ୍ୟ

ଇଷ୍ଟଜନବିଯୋଗାନୁସ୍ମରଣାଦ୍ୟାନଦର୍ଶନାଦିଭିର୍ବିଭାବୈ ସମୁତ୍ ପଦ୍ୟତେ । ତସ୍ୟ ଦୀର୍ଘ ନିଶ୍ୱାସିତାଧୋମୁଖ ବିିଚି଼ନ୍ତନ ନିଦ୍ରାତନ୍ଦ୍ରୀଶୟନାଭିଳାଷାଦିଭିଃ ଅନୁଭାବୈରଭିନୟ ପ୍ରଯୋକ୍ତବ୍ୟଃ ।

ପ୍ରିୟଜନର ବିୟୋଗ କିମ୍ବା ସ୍ମରଣ, ଉଦ୍ୟାନ ଭ୍ରମଣ ଆଦି ବିଭାବ ଦ୍ୱାରା ଔତ୍ସୁକ୍ୟ ଭାବ ସୃ୍‌ଷ୍ଟି ହୁଏ । ବାରମ୍ବାର ଦୀର୍ଘ ନିଃଶ୍ୱାସ ନେବା, ଅଧୋମୁଖ ହୋଇ ରହିବା, ଚି଼ନ୍ତାମଗ୍ନ ହୋଇରହିବା, ନିଦ୍ରା, ତନ୍ଦ୍ରା, ଶୟନ, ଅଭିଳାଷ ଆଦି ଅନୁଭାବ ମାଧ୍ୟମରେ ଏହାର ପ୍ରଯେଜନା କରାଯାଇଥାଏ ।

ଇଷ୍ଟଜନସ୍ୟ ବିଯୋଗାଦୌତ୍ସୁକ୍ୟଂ ଜାୟତେ ହ୍ୟନୁସ୍ମ୍ମୃତ୍ୟା

ଚି଼ନ୍ତା ନିଦ୍ରା ତନ୍ଦ୍ରା ଗାତ୍ର ଗୁରୁତ୍ୱୈରଭିନୟୋଽସ୍ୟ । ୭୧।।

ଶ୍ଲୋକାନୂସାରେ ପ୍ରିୟଜନର ବିୟୋଗ କିମ୍ବା ତାଙ୍କର ସ୍ମ୍ମୃତି ଚାରଣ କରିବା ଦ୍ୱାରା େଓøତ୍ସୁକ୍ୟ ଭାବ ସୃଷ୍ଟି ହୁଏ । ଚିନ୍ତା, ନିଦ୍ରା, ତନ୍ଦ୍ରା ଆଦି ଅନୁଭାବ ଦ୍ୱାରା ଏହା ଅଭିନିତ ହୋଇଥାଏ ।

ନିଦ୍ରା

ଦୌର୍ବଲ୍ୟ ଶ୍ରମକ୍ଳମମଦାଳସ୍ୟ ଚି଼ନ୍ତାତ୍ୟାହାର ସ୍ୱଭାବାଦିଭି ର୍ବିଭାବୈଃ ସମୁତ୍‌ପଦ୍ୟତେ ।

ତାମଭିନୟେତ୍ ବଦନ ଗୌରବ ଶରୀରାବଲୋକନ ନେତ୍ର ଘୁର୍ଣ୍ଣନ ଗାତ୍ରବିଜୃମ୍ଭଣ ମାନ୍ଦେସନ୍ନ ଗାତ୍ରଣକ୍ଷିନିମିଳନାଦିଭିଃ ଅନୁଭାବୈଃ ।

 

ଦୁର୍ବଳତା, ପରିଶ୍ରମ, ମଦ, ଆଳସ୍ୟ, ଚି଼ନ୍ତା, ଅତ୍ୟାହାର ଆଦି ବିଭାବ ମାନଙ୍କ ଦ୍ୱାରା ନିଦ୍ରା ସୃଷ୍ଟି ହୁଏ । ଗୌରବାନ୍ୱିତ ମୁଖ, ଶରୀରକୁ ବାରମ୍ବାର ଅବଲୋକନ କରିବା, ନୟନକୁ ଚତୁପାଶ୍ୱର୍କୁ ଘୁର୍ଣ୍ଣନ କରିବା, ହାଇ ମାରିବା, ମାନ୍ଦାମାନ୍ଦା ଲାଗିବା, ଦେହ ଭାରି ଲାଗିବା, ଆଖି ବୁଜି ହେଇଯିବା ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ ।

ଆଳସ୍ୟଦ୍ଦୌର୍ବଳ୍ୟାତ୍‌କ୍ଳମାଚ୍ଛୁ ମାଚ୍ଚିନ୍ତନାତ୍‌ତ୍ସ୍ୱଭାବାଚ୍ଚ

ରାତ୍ରୌ ଜାଗରଣାଦାପି ନିଦ୍ରା ପୁରୁଷସ୍ୟ ସମ୍ଭବତି ।ା

ତାଂ ମୁଖ ଗୌରବଗାତ୍ରପ୍ରତିଲୋକନ ନୟନ ମିଳନ ଜଡ଼ତୈଃ

ଜୃମ୍ଭଣଗାତ୍ରବିମଦ୍ଦୈର ନୁଭାବୈରଭିନୟେତ୍ ।ା

ଆଳସ୍ୟ, ଦୁର୍ବଳତା, ଶ୍ରମ,କଠିନ ପରିଶ୍ରମ, ଚି଼ନ୍ତା ତଥା ଅନିଦ୍ରା ମନୁଷ୍ୟକୁ ନିଦ୍ରା ଭାବ ପ୍ରଦାନ କରିଥାଏ । ମୁଖ ମଣ୍ଡଳ ତଥା ଶରୀରରେ ଗୁରୁତା ଜାତ ହେବା, ଆଖି ବୁଜି ହେଇଯିବା, ହାଇମାରିବା ଏବଂ ଦେହ ହାତ ଭିଡି଼ମୋଡି଼ ହେବା ଭଳି କାର୍ଯ୍ୟ ମାନଙ୍କ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ଅପସ୍ମାର

ଦେବ ଯକ୍ଷ ନାଗ ବ୍ରହ୍ମରାକ୍ଷସ ଭୂତ ପ୍ରେତ ପିଶାଚ ଗ୍ରହଣାନୁସ୍ମରଣ ଉଚ୍ଛିଷ୍ଟ ଶୂନ୍ୟାଗାର ସେବନାଶୁଚି଼ କାଳାନ୍ତରା ପରିପତନବ୍ୟାଧ୍ୟାଦିଭିର୍ବିଭାବୈଃ ସମୁତ୍ ପଦ୍ୟତେ । ତସ୍ୟ ସ୍ଫୁରିତ ନିଃଶ୍ୱସିତୋତ୍କମ୍ପିତ ଧାବନ ପତନ ସ୍ୱେଦ ସ୍ତମ୍ବନ ବଦନ ଫେନ ଜିହ୍ୱା ପରିଲେହନାଦିଭିରନୁଭାବୈଃ ଅଭିନୟଃ ପ୍ରଯୋକ୍ତବ୍ୟଃ ।ା

ଦେବତା, ଯକ୍ଷ, ନାଗ, ବ୍ରହ୍ମ, ରାକ୍ଷସ, ଭୁତ, ପ୍ରେତ, ପିଶାଚ ମାନଙ୍କର ଖରାପ ଦୃଷ୍ଟି ପଡି଼ବା ଦ୍ୱାରା ଅତୀତର ଅତ୍ୟନ୍ତ ସୁଖଦ କିମ୍ବା ଦୁଃଖଦ ସ୍ମୃତିର ଅନୁସ୍ମରଣ କରିବା ଦ୍ୱାରା, ଉଚ୍ଛିଷ୍ଟ ବା ଅଇଁଠା ଖାଦ୍ୟ ଭକ୍ଷଣ ଦ୍ୱାରା, ବହୁଦିନ ଧରି ଖାଲି ପଡି଼ଥିବା ତଥା ଅବ୍ୟବହିତ ଗୃହକୁ ପ୍ରବେଶ କରିବା ଦ୍ୱାରା, ଅସମୟରେ ଆହାର, ଉପଯୁକ୍ତ ସ୍ୱଛତା ବା ପରିଷ୍କାର ପରିଛନ୍ନତା ନମାନିବା, ବ୍ୟାଧିଗ୍ରସ୍ତ ହେବା ଆଦି ବିଭାବ ମାନଙ୍କଠାରୁ ଅପସ୍ମାର ଭାବ ସୃଷ୍ଟି ହୁଏ । ଘନଘନ ନିଃଶ୍ୱାସ, ଶାରୀରିକ ଅବସନ୍ନତା, ସ୍ୱେଦ ନିର୍ଗମନ, ସ୍ତମ୍ବନ, ଜିହ୍ୱା ପରିଲେହନ ଆଦି ଅଭିନୟ ମାଧ୍ୟମରେ ଏହାର ପ୍ରଯୋଜନା କରାଯାଇଥାଏ । ତତ୍‌କ୍ଷଣାତ୍ ଭୂମିରେ ପଡି଼ଯିବା, ମୁହଁରୁ ଫେଣ ବାହାରିବା, ସଜ୍ଞାହୀନ ହୋଇଯିବା ଆଦି କାର୍ଯ୍ୟ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଇଥାଏ ।

ସୁପ୍ତ

ନିଦ୍ରାଭିଭବଃ ଇନ୍ଦ୍ରିୟ ବିଷୟୋପଗମନ ମୋହନ କ୍ଷିତିତଳ ଶୟନ ପ୍ରସାରନାନୁକର୍ଷଣାଦିଭିଃ ଭାବୈଃ ସମୁତ୍‌ପଦ୍ୟତେ । ନିଦ୍ରାସମୁତ୍ଥଂ ତଦୁଚ୍ଛିସିତସନ୍ନଗାତ୍ରାକ୍ଷିନୀମିଳିନ ସର୍ବେନ୍ଦ୍ରିୟ ସମ୍ମୋହନାତ୍‌ସ୍ୱପ୍ନାୟିତାଦିଭିଃ ଅନୁଭାବୈଃ ଅଭିନୟେତ୍ ।ା

ସୁପ୍ତ କହିଲେ ସାଧାରଣତଃ ନିଦ୍ରାବ୍ୟାଘାତକୁ ବୁଝାଯାଏ । ଇନ୍ଦ୍ରିୟାଗ୍ରାହି ବସ୍ତୁ ମାନଙ୍କର ଉପଭୋଗ, ମୋହନ, ଭୂମିରେ ଶୟନ, ଶଯ୍ୟାର ପ୍ରସାରଣ ତଥା ଅନୁକର୍ଷଣ ଦ୍ୱାରା ସୁପ୍ତ ଭାବ ସୃଷ୍ଟି ହୋଇଥାଏ । ନିଦ୍ରା ବ୍ୟାଘାତ ଦ୍ୱାରା ସୁପ୍ତ ଭାବ ସୃଷ୍ଟି ହୋଇଥାଏ । ନିଦ୍ରା ବ୍ୟାଘାତ ହେବା, ଶରୀର ଝାଉଁଳି ପଡି଼ବା, ଆଖି ବୁଜି ହୋଇଯିବା, ଶରୀରର ସମସ୍ତ ଇନ୍ଦ୍ରୀୟ ଅବିଚଳିତ ହେଇ ରହିବା, ସ୍ୱପ୍ନ ଦେଖିଲା ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ ।

ବିବୋଧ

ଆହାର ବିପରିଣାମ ନିଦ୍ରାଚ୍ଛେଦ ସ୍ୱପ୍ନାନ୍ତତୀବ୍ର ଶବ୍ଦ ସ୍ପର୍ଶ ଶ୍ରବଣାଦିର୍ବିଭାବୈଃ ସମୁତ୍ ପଦ୍ୟତେ । ତମଭିନୟେ ଜୃମ୍ଭଣାକ୍ଷି ପରିମର୍ଦନ ଶୟନ ମୋକ୍ଷଣାଦିଭିରନୁଭାବବୈଃ ।

ବିଶେଷକରି ଖାଦ୍ୟ ବଦ ହଜମି କିମ୍ବା ଖାଦ୍ୟ ହଜମ ପରେ ପୁନଶ୍ଚ କ୍ଷୁଧା ଳାଗିବା, ନିଦ୍ରା ଭଙ୍ଗ ହେବା, ସ୍ୱପ୍ନ ଦେଖି ଉଠି ପଡି଼ବା, ତୀବ୍ର ବା କଠିନ ବସ୍ତୁ ସ୍ପର୍ଶ କରିବା, ଉଚ୍ଚ ଶବ୍ଦ ଶ୍ରବଣ କରିବା ଭଳି ବିଭାବ ମାନଙ୍କ ଦ୍ୱାରା ଏହି ଭାବର ଉତ୍ପତ୍ତି ଘଟିଥାଏ । ଦେହହାତ ଭିଡି଼ମୋଡି଼ ହେବା, ହାଇ ମାରିବା, ମୁଖ ତଥା ଆଖି ହାତରେ କୁଣ୍ଡାଇବା, ଶଯ୍ୟାଶାୟୀ ହୋଇ ରହିବା ଆଦି ଅନୁଭାବ ମାଧ୍ୟମରେ ଏହି ବିବୋଧ ଭାବର ପରିବେଷଣ କରାଯାଇଥାଏ ।

ଅମର୍ଷ

ଇିଦୈଶ୍ୱର୍ଯ୍ୟବଳାଧିକୈରଧିକ୍ଷିପ୍ତସ୍ୟାବମାନିତସ୍ୟ ବା ସମୁତ୍‌ପଦ୍ୟତେ । ତମଭିନୟେଚ୍ଛିିରଃ କମ୍ପନ ପ୍ରସ୍ୱେଦନାଧୋମୁଖ ଚି଼ନ୍ତନ ଧ୍ୟାନାଧ୍ୟବସାୟୋ ପାୟସହାନ୍ୱେଷଣାଦିଭିଃରନୁଭାବୈଃ ।

ସାଧାରଣତଃ ଅସହିଷ୍ଣୁତା ବା ଅଧୌର୍ଯ୍ୟକୁ ଅମର୍ଷ କୁହାଯାଏ । ଯେତେବେଳେ କୌଣସି ବିଦ୍ୱାନ୍‌, ଏ୍ୟୌଶ୍ୱର୍ଯ୍ୟବାନ୍‌, ବଳବାନ୍ ଏବଂ ଧନବାନ୍ ବ୍ୟକ୍ତିର ଗର୍ବ ଏବଂ ଅହଂଙ୍କାର ଜନିତ କଦର୍ଯ୍ୟ ବ୍ୟବହାର ଦ୍ୱାରା ଯଦି କେହି ନିନ୍ଦିତ ହୁଅନ୍ତି ତାକୁ ଅମର୍ଷ କୁହାଯାଏ । ଶିର କମ୍ପନ ବା ମଥା କମ୍ପି ଉଠିବା, ସ୍ୱେଦ ନିର୍ଗମନ ହେବା, ଅଧୋମୁଖ ହେବା, ଚିନ୍ତିତ ଦେଖାଯିବା, ଧ୍ୟାନ, ଅଧ୍ୟବସାୟ, ଅନ୍ୟର ମତାମତ ବା ବା ସହାୟତା ଲୋଡି଼ବା ଆଦି ଅନୁଭାବ ମାଧ୍ୟମରେ ଏହାର ଅଭିନୟ ପରିବେଷଣ କରାଯାଏ ।

 ଅବହିତ୍‌ଥ

ଆକାର ପ୍ରଚ୍ଛାଦନାତ୍ମକମ୍ । ତଚ୍ଚ ଲଜ୍ଜାଭୟାପଜୟ ଗୌରବ ଜୈହ୍ମ୍ୟାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ । ତସ୍ୟାନ୍ୟଥା କଥନାବଲୋକିତ କଥାଭଙ୍ଗକୃତକଧୈର୍ଯ୍ୟାଦିଭିରଭାବୈରଭିନୟଃ ।

ଅବହିତ୍‌ଥର ଓଡି଼ଆ ଅବ୍ଦାର୍ଥ ହେଲା ଲୁଚି଼ବା । ଯେକୌଣସି ଜିନିଷର ଆକାରକୁ ଲୁଚାଇବାକୁ ଅବହିତ୍‌ଥ କୁହାଯାଏ । ଲଜ୍ଜା, ଭୟ, ପରାଜୟ, ଗୌରବ ହାନି ଭଳି ବିଭାବ ଦ୍ୱାରା ଅବହିତ୍‌ଥ ଭାବ ସୃଷ୍ଟି ହୋଇଥାଏ । ଘଟଣା ବାହାରର ଭିନ୍ନ କଥା କହିବା, ଅସ୍ୱାଭାବିକ ଭାବରେ କହିବା ଏବଂ ଚାହିିଁବା, ବିଭ୍ରାନ୍ତ କରିବା, ଅଯଥା ସାହାସ ପ୍ରଦର୍ଶନ କରିବା ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହି ଭାବର ଅଭିନୟ କରାଯାଏ । ସମସ୍ତ କଥାକୁ ବେଖାତିର କରିବା ସହ ଭିନ୍ନ ଭିନ୍ନ ଉତ୍ତର ପ୍ରଦାନ କରିବା ଦ୍ୱାରା ମଧ୍ୟ ଏହାର ପରିବେଷଣ କରାଯାଇଥାଏ ।

ଉଗ୍ରତା

ଚୌର୍ଯ୍ୟାଭିଗ୍ରହଣ ନୃପାପରାଧାସତ୍‌ପ୍ରଳାପାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ । ତାଂ ବଧବନ୍ଧନ ତାଡନ ଚ ଭତ୍ସନାଦିଭିରନୁଭାବୈରଭିନୟେତ୍ ।ା

ଉଗ୍ରତା କହିଲେ ସାଧାରଣତଃ ହିଂସ୍ରତା, ପ୍ରଚଣ୍ଡତା ବା ନିଷ୍ଠୁରତାକୁ ବୁଝାଇଥାଏ । ବିଶେଷକରି ଚୌର୍ଯ୍ୟ କର୍ମ ବା ଚୋରି କାମରେ ଧରାପଡି଼ବା, ନୃପପରାଧ ବା ରାଜାଙ୍କ ନିକଟରେ ଅପରାଧ କରିବା, ଅସତ୍ ପ୍ରଳାପ ବା ମିଥ୍ୟାଳାପ ଭଳି ବିଭାବ ମାନଙ୍କ ପାଖରୁ ଏହି ଉଗ୍ରତା ଭାବ ସୃଷ୍ଟି ହୋଇଥାଏ । ବଧ, ବନ୍ଧନ, ତାଡ଼ନ, ଭତ୍ସନା ଆଦି କ୍ରିୟା ବା ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପ୍ରଯୋଜନା କରାଯାଇଥାଏ ।

ମତି

ନାନାଶାସ୍ତ୍ର୍ର ବିଚି଼ନ୍ତ ନୋହୋପୋହାଦିଭିର୍ବିଭାବୈଃ ସମୁତ୍‌ପଦ୍ୟତେ । ତାମଭିନୟେଚ୍ଛିଷ୍ୟୋପପେଦଶାର୍ଥ ବିକଳ୍ପନ ସଂଶୟ ଚ୍ଛେଦାଦିଭିରନୁଭାବୈଃ ।ା

ନାନା ଶାସ୍ତ୍ର୍ର ଅଧ୍ୟୟନ ତଥା କୌଣସି ଘଟଣାର ହୃଦ୍‌୍‌ବୋଧ କିମ୍ବା ବିଚାରବିମର୍ଷକୁ ମତି କୁହାଯାଏ । ଶିଷ୍ୟମାନଙ୍କୁ ଉପଦେଶ ପ୍ରଦାନ କରିବା, ସେମାନଙ୍କର ସଂଶୟ ମୋଚନ କରିବା, ସମସ୍ୟାର ସମାଧାନ ନିମନ୍ତେ ଏପଯୁକ୍ତ ମାର୍ଗ ପ୍ରଦର୍ଶନ କରିବା ଆଦି ଅନୁଭାବ ଦ୍ୱାରା ଏହି ମତି ଭାବର ପରିବେଷଣ କରାଯାଏ ।

ବ୍ୟାଧି

ବାତପିତ୍ତକଫ ସଂନିପାତ ପ୍ରଭବଃ । ତସ୍ୟ ଜ୍ୱରାଦୟୋ ବିଶେଷାଃ । ଜ୍ୱରସ୍ତୁ ଦ୍ୱିବିଧଃ ସଂଶୀତଃ ସଦାହଶ୍ଚ । ତତ୍ର ସଂଶୀତୋ ନାମ ପ୍ରବେପିତ ସର୍ବାଙ୍ଗ କମ୍ପନ ନିକୁଞ୍ଚନାଗ୍ନ୍ୟଭିଳାଷ ରୋମାଞ୍ଚ ହନୁ ବଳନସାବି କୂତାନମୁଖ ଶୋଷଣ ପରିଦେବିତାଦିଭିରନୁଭାବୈରଭିନୟେତ୍ । ସଦାହୋ ନାମ ବିକ୍ଷିପ୍ତାଙ୍ଗ କରଚରଣ ଭୂମ୍ୟଭିଳାଷାନୂଲେପନ ଶୀତଳାଭିଳାଷ ପରିଦେବନ ମୁଖଶୋଷୋତ୍କୃଷ୍ଟାଦିଭିରନୁଭାବୈଃ । ଯେ ଚାନ୍ୟୋ ବ୍ୟଧୟସ୍ତେଽସି ଖଳୁ ମୁଖ ବିକ୍ୱଣ ଗାତ୍ର ସ୍ତମ୍ବସ୍ରସ୍ତାକ୍ଷିନିଃଶ୍ୱସନସ୍ତନିତୋତ୍କୃଷ୍ଟ ବେପନାଦିଭିରନୁଭାବୈରଭିନୟଃ ।ା

 

ବ୍ୟାଧିକୁ ସାଧାରଣ ଅର୍ଥରେ ରୋଗ କୁହାଯାଏ । ମୁଖ୍ୟତଃ ବାତ, ପିତ୍ତ ଓ କଫ ପ୍ରଭାବରେ ଶରୀରରେ ବ୍ୟାଧି ସୃଷ୍ଟି ହୁଏ । ଜ୍ୱରକୁ ବ୍ୟାଧିର ଲକ୍ଷଣ କୁହାଯାଏ । ଏହି ଜ୍ୱର ସାଧାରଣତଃ ଦୁଇ ପ୍ରକାରର ଅଟେ ଏବଂ ସେଗୁଡି଼କ ହେଲା ଯଥା :- ୧. ଶୀତଯୁକ୍ତ ଜ୍ୱର ୨. ଶୀତ ରହିତ ଜ୍ୱର । ଶରୀର ପ୍ରକମ୍ପିତ ହେବା ସହ କଣ୍ଟା ମାରିଲା ଭଳି ଲାଗିବା, ଜାକି ହେବା, ଶରୀର ପାଇଁ ଅଧିକ ଉତ୍ତାପ ଆବଶ୍ୟକ କରିବା, ନାସା ଏବଂ ଓଷ୍ଠ ଶୁଖିଯିବା, ଯନ୍ତ୍ର୍ରଣା ଜନିତ ମୃଦୁ ଗର୍ଜନ କରିବା ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ । ଅପରପକ୍ଷରେ ହସ୍ତ ଓ ପାଦକୁ ବିକ୍ଷିପ୍ତ କରିବା, ଶୀତଳ ଭୂମିରେ ଗଡି଼ବା ଉଚ୍ଚସ୍ୱରରେ ଯନ୍ତ୍ର୍ରଣା ଜର୍ଜରିତ ଗର୍ଜନ କରିବା, ତଥା ଶୀତଳ ବସ୍ତୁ ପ୍ରତି ଆଗ୍ରହ ପ୍ରକାଶ କରିବା ଆଦି ଅନୁଭାବ ଦ୍ୱାରା ଏହି ଶୀତ ରହିତ ଜ୍ୱରର ଅଭିନୟ ପରିବେଷଣ କରାଯାଏ । ଏତତ୍‌ବ୍ୟତିତ ଅନ୍ୟ ଧରଣର ବ୍ୟାଧି ବା ଅସୁସ୍ଥତାକୁ ଅନମନିୟ ଶରୀର ତଥା ଅଙ୍ଗ ପ୍ରତ୍ୟଙ୍ଗ, ଓଠ ଫାଟି ଶୁଖିଯିବା, ମୁଦ୍ରିତ ନୟନ, ଓଜନିଆ ଲାଗିବା, ଯନ୍ତ୍ର୍ରଣା ଜନିତ ଶବ୍ଦ କରିବା ତଥା କମ୍ପିତ ହେବା ଆଦି ଅନୁଭାବ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ । ସାମଗ୍ରିକ ଭାବରେ କହିବାକୁ ଗଲେ ସମସ୍ତ ପ୍ରକାର ଅସୁସ୍ଥତା, ଭୂମିରେ ଲୋଟିଯିବା, ଢ଼ଳିଯିବା ତଥା ଓଠପାଟି ଶୁଖିବା ଭଳି କ୍ରିୟା ଦ୍ୱାରା ପରିବେଷଣ କରାଯାଏ ।

ଉନ୍ମାଦ

ଇଷ୍ଟଜନ ବିଭବନାଶାଦିଭିଘାତାଦ୍ଦାତ ପିତକଫ କୋପାତ୍‌

ବିବିଧାଚ୍ଚିଭବିକାରାଦୁନ୍ମାଦୋ ନାମ ସମ୍ଭବତି ।ା୮୫।।

ଅନିମିତ୍ତରୁଦିତହସିତୋପବିଷ୍ଟ ଗୀତପ୍ରଧାନବିତୋତ୍‌କ୍ରଷ୍ଟୈଃ

ଅନ୍ୟୈଶ୍ଚ ବିକାରକୃତୈରୁନ୍ମାଦଂ ସମ୍ପ୍ରଯୁଞ୍ଜୀତ ।ା୮୬।।

ଉନ୍ମାଦ କହିଲେ ସାଧାରଣତଃ ବାତୁଳତା, ପାଗଳାମି, ଉନ୍ମତ୍ତା ତଥା ମସ୍ତିସ୍କ ବିକୃତିକୁ ଆମେ ବୁଝିଥାଉ । ଇଷ୍ଟଜନ ବା ପ୍ରିୟଜନର ବିରହ, ବିଭବ ନାଶ, ଅଭିଘାତ, ବାତ, ପିତ୍ତ, କଫ ଆଦି ବିଭାବରୁ ଉନ୍ମାଦ ସୃଷ୍ଟି ହୁଏ । ଫଳରେ ବିନା କାରଣରେ ବ୍ୟକ୍ତି ହସିଥାଏ କିମ୍ବା କାନ୍ଦିଥାଏ ଅଥବା ଚି଼ତ୍କାର କରିଥାଏ । ତତ୍ ସହିତ ଅଯଥା ପ୍ରଳାପ କରିଥାଏ । ଯୁଆଡ଼େ ଇଛା ସେଆଡ଼େ ଚାଲିଯିବା, ନାଚି଼ବା, ଗାଇବା, ଦେହ ମୁହଁରେ ଭସ୍ମ, ପାଉଁଶ ଏବଂ ଧୂଳି ବୋଳିହେବା, କଟାଯୁକ୍ତ ବସ୍ତ୍ର୍ର ପରିଧାନ କରିବା, କଳସି ମାଠିଆ ଧାରଣ କରି ବୁଲିବା ଆଦି ଅନୁଭାବ ମାଧ୍ୟମରେ ଏହାର ଅଭିନୟ ପରିବେଷଣ କରାଯାଏ ।

ମରଣ

ବ୍ୟାଧିଜଭିଘାତଜଂ ଚ । ତତ୍ରାନ୍ତ୍ରଯକୃଚ୍ଛ୍ୱଳ ଦୋଷବୈଷମ୍ୟ ଗଣ୍ଡପିଟକ ଜ୍ୱର ବିସ୍ୱଚି଼କାଦିଭିର୍ଯଦୁତ୍‌ପଦ୍ୟତେ ତତ୍ ବ୍ୟାଧିପ୍ରଭବମ୍ । ଅଭିଘାତଜଂ ତୁ ଶସ୍ତ୍ର୍ରାହିଦଂଶ ବିଷପାନ ଶ୍ୱାପଦ ଗଜ ତୁରଗ ରଥ ପଶୁପାନପାତ ବିନାଶ ପ୍ରଭବମ୍ । ଏତୟୋରଭିନୟ ବିଶେଷାନ୍ ବକ୍ଷ୍ୟାମଃ – ତତ୍ର ବ୍ୟାଧିକଂ ନାମ ବିଷର୍ଣ୍ଣ ଗାତ୍ର ବ୍ୟାୟତାଙ୍ଗ ବିଚେଷ୍ଟିତ ନିମୀଳିତ ନୟନଂ ହିକ୍‌କା ଶ୍ୱାସୋପେତମନବେକ୍ଷିତ ପରିଜନମବ୍ୟକ୍ତାକ୍ଷର କଥନାଦିଭିରନୁଭାବୈରଭିନୟେତ୍ । (କ)

ଅଭିଘାତଜେତୁ ନାନାପ୍ରକାରା ଅଭିନୟ ବିଶେଷାଃ

ଶସ୍ତ୍ର୍ରକ୍ଷତାହିଦଷ୍ଟ ବିଷପିତ ଗଜାଦି ପତିତ ଶ୍ୱାପଦ ହତାଃ ।ା

ଯଥା – ତତ୍ର ଶସ୍ତ୍ରକ୍ଷତେ ତାବତ୍ ସହସା ଭୂମି ପତନ

ବେସନ ସ୍ଫୁରଣାଦିଭିରଭିନୟଃ ପ୍ରଯେକ୍ତବ୍ୟଃ ।ା

ଅହିଦଷ୍ଟ ବିଷପୀତୟୋର୍ବିଷଷେବବେଗା ଯଥା- କାର୍ଶ୍ୟ ବେପଥୁ ବିଦାହହିକ୍‌କା ଫେନସ୍କନ୍ଧରଭଙ୍ଗ ଜଡ଼ତା ମରଣାନିତ୍ୟଷ୍ଟୌ ବିଷବେଗାଃ ।ା

ମରଣର ଶବ୍ଦାର୍ଥ ହେଲା ମୃତ୍ୟୁ । ବିଶେଷ କରି ବ୍ୟାଧି ବା ରୋଗ କିମ୍ବା ଅଭିଘାତ ବା ଆଘାତ ଭଳି ଦୁଇ କାରଣ ମାଧ୍ୟମରେ ମରଣ ଆସିଥାଏ । ଅନ୍ତ, ଯକୃତ, ଶୂଳ ଦୋଷ, ଜ୍ୱର ଆଦି ବ୍ୟାଧି ପ୍ରଭାବରେ ମୃତ୍ୟୁ ବା ମରଣ ଆସିଥାଏ । ଏହାକୁ ବ୍ୟାଧିଜ ମରଣ କୁହାଯାଏ । ଅପରପକ୍ଷରେ ଶସ୍ତ୍ର୍ରାଘାତ, ବିଷପାନ, ସର୍ପ ଦଂଶନ, ବନ୍ୟଜନ୍ତୁ ଆକ୍ରମଣ, ହସ୍ତୀ, ଘୋଡ଼ା କିମ୍ବା ରଥରୁ ପଡି଼ଯିବା କାରଣରୁ ମଧ୍ୟ ମୃତ୍ୟୁ ଘଟିଥାଏ । ଏହାକୁ ଅଭିଘାତକ ମରଣ କୁହାଯାଏ । ଶରୀର ବିବର୍ଣ୍ଣ ଦେଖାଯିବା, ଆଖି ମଳିବା, ହିକ୍କା ମାରିବା, ଶ୍ୱାସ ଉଠେଇବା, ଆତ୍ମିୟଜନଙ୍କଠାରୁ ମୋହ ଭଙ୍ଗ ହେବା, ଅସ୍ପଷ୍ଟ ଭାବରେ କଥା କହିବା ଆଦି ଅନୁଭାବ ଦ୍ୱାରା ଏହି ବ୍ୟାଧିଜ ମରଣର ଅଭିନୟ ପରିବେଷଣ କରାଯାଏ । ଶରୀର ବିବର୍ଣ୍ଣ ଦେଖାଯିବା ଏବଂ ଇନ୍ଦ୍ରିୟ ସବୁ ନିଶ୍ଚେଷ୍ଟ ହେବା ବ୍ୟାଧିଜ ମରଣର ପ୍ରମୂଖ ଲକ୍ଷଣ ଅଟେ ।

ଅପରପକ୍ଷରେ ଅଭିଘାତଜ ମରଣର ଅଭିନୟ ବିଭିନ୍ନ ଭାବରେ ପରିବେଷଣ କରାଯାଏ । ଶସ୍ତ୍ର୍ରାଘାତ, ବିଷପାନ, ଗଜ ଅଶ୍ୱରୁ ପଡି଼ଯିବା, ଶ୍ୱାପଦ ମାନଙ୍କ ଦ୍ୱାରା ଆହତ ଜନିତ ମରଣକୁ ଅଭିଘାତଜ ମରଣ କୁହାଯାଏ । ଶସ୍ତ୍ର୍ରାଘାତ ଜନିତ ମରଣକୁ ସହସା ବା ତତ୍‌କ୍ଷଣାତ୍ ଭୂମି ପତନ ହେବା ମାଧ୍ୟମରେ ପରିବେଷଣ କରାଯାଏ । ଠିକ୍ ସେହିପରି ସର୍ପଦଂଶନ କିମ୍ବା ବିଷପାନର ଅଭିନୟକୁ ଆଠ ପ୍ରକାରର ଅଭିନୟ ମାଧ୍ୟମରେ ପରିବେଷଣ କରାଯାଏ ଯଥା – ୧. କାର୍ଶ୍ୟ ୨. ବେପଥୁ ୩. ଦାହ ବା ଜଳାପୋଡ଼ା ୪. ହିକ୍କା ୫. ମୁହଁରୁ ଫେଣ ବାହାରିବା ୬. ସ୍କନ୍ଧ ବା ବେକ ମୋଡି଼ ହୋଇଯିବା ୭. ଜଡ଼ତା ୮. ମରଣ ।

 ତ୍ରାସ

ବିଦ୍ୟୁଦୁଲ୍‌ଲ୍କାଗ୍ନିପାତ ନିର୍ଘାତାମ୍ବୁଧର ମହାସତ୍ୱ ପଶୁରବାଦିଭିର୍ବିଭାବୈରୁତ୍‌ପଦ୍ୟତେ । ତମଭିନୟେତ୍ ସଂକ୍ଷିପ୍ତାଙ୍ଗୋତ୍କମ୍ପନ ବେପଥୁ ସ୍ତମ୍ଭ ରୋମାଞ୍ଚଗଦ୍‌ଗଦ ପ୍ରଳାପାଦିଭିରନୁଭାବୈଃ ।

ମହାଭୈରବନାଦାଦ୍ୟୈସ୍ତ୍ର୍ରାସଃ ସମୁପଜାୟତେ ।

ଶସ୍ତ୍ର୍ରାଙ୍ଗାକ୍ଷିନିମେକ୍ଷୈଶ୍ଚ ତସ୍ୟ ତ୍ୱଭିନୟେ ଭବେତ୍ ।ା

ବିଜୁଳି, ବଜ୍ରପାତ, ଉଲ୍କାପାତ, ଭୂ-କମ୍ପ, ମେଘ ଗର୍ଜନ, ପଶୁରବ ବା ବନ୍ୟଜନ୍ତୁ୍‌ଙ୍କ ଭୟଙ୍କର ଗର୍ଜନରୁ ତ୍ରାସ ଭାବ ସୃଷ୍ଟି ହୋଇଥାଏ । ଦେହ ସାଙ୍କୁଡି଼ ଯିବା, ଶରୀର କମ୍ପି ଉଠିବା, ବେପଥୁ, ସ୍ତମ୍ଭ, ରୋମାଞ୍ଚ,ଗଦ୍‌ଗଦ ଓ ପ୍ରଳାପ ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ ପରିବେଷଣ କରାଯାଏ । ସରଳ ଭାଷାରେ କହିବାକୁ ଗଲେ ଭୀମ ଭୈରବ ନାଦରୁ ତ୍ରାସ ଭାବ ସୃଷ୍ଟି ହୋଇଥାଏ । ଭୟଭୀତ ବା ତ୍ରସ୍ତ ଶରୀର ଓ ଦରବୁଜା ନୟନ ଦ୍ୱାରା ଏହାର ଅଭିନୟ କରାଯାଏ ।

ବିତର୍କ

ସନ୍ଦେହ ବିମର୍ଷ ବିପ୍ରତ୍ତିପତ୍ତ୍ୟାଦିଭିର୍ବିଭାବୈରୁତ୍‌ପଦ୍ୟତେ ।

ତମଭିନୟେତ୍ ବିବିଧବିଚାରିତ ପ୍ରଶ୍ନ ସମ୍ପ୍ରଧାରଣ ମନ୍ତ୍ର୍ର ଗୁହନାଦିଭିରନୁଭାବୈଃ ।ା

ବିଚାରଣାଦିସମ୍ଭୁତଃ ସନ୍ଦେହାତିଶୟାତ୍ମକଃ ।

ବିତର୍କଃ ସୋଽଭିନୟେସ୍ତୁ ଶିରୋଭୂକ୍ଷେପକମ୍ପନୈଃ ।ା୯୩।।

ବିତର୍କର ଶବ୍ଦାର୍ଥ ହେଲା ଯୁକ୍ତି ବା ତର୍କ । ବିଶେଷତଃ ସନ୍ଦେହ, ବିଚାର ବିମର୍ଷ ଓ ପ୍ରତ୍ୟୟରୁ ବିତର୍କ ସୃଷ୍ଟି ହୁଏ । ଭିନ୍ନ ଭିନ୍ନ ବିଚାର, ମନ୍ତ୍ର୍ରଣା, ସମାଧାନ ତଥା ଆଲୋଚନା ଆଦି ଅନୁଭାବ ଦ୍ୱାରା ଏହା ପରିବେଷିତ ହୋଇଥାଏ । ଶିର ଓ ଭ୍ର୍ରୁଲତାର କମ୍ପନ ଦ୍ୱାରା ଏହା ଅଭୀନିତ ହୋଇଥାଏ ।

ଏହି ଉପରବର୍ଣ୍ଣିତ ତେତିଶି ଗୋଟି ବ୍ୟଭିଚାରି ବାବକୁ ବିଷଦ ଭାବରେ ଆଲୋଚନା କରାଗଲା । ସ୍ଥାନ, କାଳ ଓ ପାତ୍ର ଭେଦରେ ନାଟକୀୟ ବିଷୟବସ୍ତୁର ଆବଶ୍ୟକତା ତଥା ଚରିତ୍ର ମାନଙ୍କର ଭିନ୍ନତା ଅନୂସାରେ ଏହା ପରିବେଷିତ ହେବା ବିଧେୟ । ତେତିଶି ପ୍ରକାର ବ୍ୟଭିଚାରି ଭାବ ସମ୍ବନ୍ଧରେ ସବିଶେଷ ଶ୍ରବଣ ଓ ଅଧ୍ୟୟନ କରିସାରିବା ପରେ ଶିଷ୍ୟ ମାନେ ସାତ୍ୱିକ ଭାବ ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିବା ନିମନ୍ତେ ନାଟ୍ୟାଚାର୍ଯ୍ୟ ଭରତ ମୁନିଙ୍କୁ ପ୍ରଶ୍ନ କରୁଛନ୍ତି । ଶିଷ୍ୟମାନଙ୍କ ଜିଜ୍ଞାସା ଦେଖି ନାଟ୍ୟକେବିଦ ଭରତ ସାତ୍ୱିକ ଭାବ ସମ୍ବନ୍ଧରେ ନିମ୍ନବର୍ଣ୍ଣିତ ତଥ୍ୟ ସବୁ ପ୍ରଦାନ କରୁଛନ୍ତି ।

ସାତ୍ୱିକ ଭାବ ସମ୍ବନ୍ଧରେ ଆଲୋଚନା ଆରମ୍ଭ କଲାବେଳକୁ ଆମ ମନରେ ସ୍ୱତଃ ଏକ ପ୍ରଶ୍ନ ସୃଷ୍ଟି ହୁଏଯେ “ଏହି ସବୁ ଭାବ ଗୁଡି଼କୁ ସାତ୍ୱିକ ଭାବ କାହିିଁକି କୁହାଯାଏ ? ଅନ୍ୟ ସମସ୍ତେ କଣ ସତ୍ୱ ଭାବ ବିନା ପରିବେଷିତ ହୋଇପାରନ୍ତି ?” ଏହାର ଉତ୍ତରରେ ଭରତ ମୁନି କହିଛନ୍ତି ଯେ :-

ଇହ ହି ସତ୍ୱଂ ନାମ ମନଃ ପ୍ରଭବମ୍ । ତଚ୍ଚ ସମାହିତମନସ୍ତାଦୁଚ୍ୟତେ । ମନସଃ ସମାଧୌ ସତ୍ୱ ନିଷ୍ପତ୍ତିର୍ଭବତୀତି ।

ଏହି ସତ୍ୱ ଭାବ ମନରୁ ଜାତ ହୋଇଅଛି । ଯେତେବେଳେ ଆମର ମନ ସମାହିତ ହୋଇଥାଏ ସେତେବେଳେ ଆମ ମନରୁ ଏହି ସବୁ ଭାବ ସୃ୍‌ଷ୍ଟି ହୋଇଥାଏ । କେବଳ ଏକାଗ୍ର ଚି଼ତ୍ତ ଥିବା ବ୍ୟକ୍ତି ମାନଙ୍କ ମନରୁ ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ଅଶ୍ର୍ରୁ, ବୈବର୍ଣ୍ଣ ଭଳି ସ୍ୱଭାବ ସୃଷ୍ଟି ହେବା ସମ୍ଭବ । ନାଟକରେ ଭାବ ଗୁଡିକ ଜନ ଜୀବନରେ ବାସ୍ତବ ଘଟଣା ଭଳି ପରିବେଷିତ ହେବା ବିଧେୟ । ନାଟକରେ ପରିବେଷିତ ହେବାକୁ ଯାଉଥିବା ସୁଖଦ ଏବଂ ଦୁଃଖଦ ଘଟଣା ଗୁଡି଼କର ଭାବ ସମ୍ପୁର୍ଣ୍ଣ ବସ୍ତବ ଭଳି ଅନୂଭୁତି ହେବା ଆବଶ୍ୟକ । ଦୁଃଖ ରୋଦନାତ୍ମକ ଅଟେ । ଏହି କ୍ଷେତ୍ରରେ ଯିଏ ଦୁଃଖକୁ ଅନୁଭବ କରିନାହିିଁ ସିଏ କିଭଳି ଏହା ଅଭିନୟ ମାଧ୍ୟମରେ ପରିବେଷଣ କରିବ ? ଠିକ୍ ସେହିପରି ଯିଏ ସୁଖକୁ ଅନୁଭବ କରିନାହିିଁ ସେ କିପରି ସୁଖାତ୍ମକ ଅଭିନୟ ପରିବେଷଣ କରିବାରେ ସକ୍ଷମ ହେବ ? ଯେତେବେଳେ ଜଣେ ସୁଖ କିମ୍ବା ଦୁଃଖକୁ ଅନୁଭବ କରିବ ସେତେବେଳେ ସେ ରୋମାଞ୍ଚିତ ହେବ କିମ୍ବା ଆଖିରୁ ଅଶ୍ର୍ରୁ ବୁହାଇବ । ଏହି ଭଳି କ୍ରିୟାର ପ୍ରଦର୍ଶନକୁ ସତ୍ୱ କୁହାଯାଏ ଏବଂ ଏହି ସତ୍ୱ ଭାବ ଜନିତ ଆବେଗକୁ ସାତ୍ୱିକ ଭାବ କୁହାଯାଏ ।

ଏହି ସାତ୍ୱିକ ଭାବକୁ ଭରତ ମୁନି ଆଠ ଗୋଟି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡି଼କ ହେଲା ଯଥା :-

୧.         ସ୍ତମ୍ଭ

୨.         ସ୍ୱେଦ

୩.         ରୋମାଞ୍ଚ

୪.         ସ୍ୱରଭଙ୍ଗ

୫.         ବେପଥୁ

୬.         ବୈବର୍ଣ୍ଣ୍ୟ

୭.         ଅଶ୍ର୍ରୁ

୮.         ପ୍ରଳୟ

ସ୍ତମ୍ଭଃ ସ୍ୱେଦୋଥ ରୋମାଞ୍ଚଃ ସ୍ୱରଭେଦୋଽଥ ବେପଥୁଃ

ବୈବର୍ଣ୍ଣ୍ୟମଶ୍ର୍ରୁ ପ୍ରଳୟ ଇତ୍ୟଷ୍ଟୌ ସାତ୍ୱିକାଃ ମତାଃ ।ା୯୫।।

 

ଏହାପରେ ସେ ଏହି ଉପରବର୍ଣ୍ଣିତ ସମସ୍ତ ଆଠଗୋଟି ସାତ୍ୱିକ ଭାବର ଉତ୍ପତ୍ତି କଥା ବର୍ଣ୍ଣନା କରିଛନ୍ତି ।

ସ୍ତମ୍ଭ

ହର୍ଷ ଭୟ ରୋଗ ବିସ୍ମୟ ବିଷାଦ ରୋଷାଦି ସମ୍ଭବଃ ସ୍ତମ୍ଭଃ ।ା

ହଷ,ର୍ ଭୟ, ରୋଗ, ବିସ୍ମୟ, ବିଷାଦ ରୋଷ ଆଦି ଭାବ ଦ୍ୱାରା ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୁଏ ତାକୁ ସ୍ତମ୍ଭ କୁହାଯାଏ ।

ସ୍ୱେଦ

କ୍ରୋଧ ଭୟ ହର୍ଷ ଲଜ୍ଜା ଦୁଃଖ ଶ୍ରମ ରୋଗ ତାପ ଘାତେଭ୍ୟଃ

ବ୍ୟାୟାମ କ୍ଲମ ଘର୍ମେ÷ଃ ସ୍ୱେଦଃ ସମ୍ପୀଡ଼ନାଚ୍ଚୈବ ।ା୯୬।।

କ୍ରୋଧ, ଭୟ, ହର୍ଷ, ଲଜ୍ଜା, ଦୁଃଖ, ଶ୍ରମ, ରୋଗ, ତାପ, ଆଘାତ, ବ୍ୟାୟାମ, ଗରମ ଫଳରେ ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୁଏ ତାକୁ ସ୍ୱେଦ କୁହାଯାଏ ।

ରୋମାଞ୍ଚ

ସ୍ପର୍ଶ ଭୟ ଶୀତ ହର୍ଷେଃ କ୍ରେଧାଦ୍ରୋଗାଚ୍ଚ ରୋମାଞ୍ଚ ।ା

ସ୍ପର୍ଶ, ଭୟ. ଶୀତ, ହର୍ଷ, କ୍ରେଧ, ରୋଗ ଫଳରେ ଆମ ମନରେ ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୋଇଥାଏ ତାକୁ ରୋମାଞ୍ଚ କୁହାଯାଏ ।

ସ୍ୱରଭେଦ

ସ୍ୱରଭେଦୋ ଭୟ ହର୍ଷ କ୍ରୋଧ ଜରା ରୌକ୍ଷ୍ୟ ରୋଗମଦ ଜନିତଃ ।ା

ଈୟ, ହର୍ଷ, କ୍ରୋଧ, ଜରା, ରୁକ୍ଷ, ରୋଗ ଏବଂ ମଦ ଦ୍ୱାରା ଯେଉଁ ସାତ୍ୱିକ ଭାବ ଆମ ମନରେ ସୃଷ୍ଟି ହୋଇଥାଏ ତାକୁ ସ୍ୱରଭେଦ କୁହାଯାଏ ।

ବେପଥୁ

ଶୀତ ଭୟ ହର୍ଷ ରୋଷ ସ୍ପର୍ଶ ଜରା ସମ୍ଭବଃ କମ୍ପଃ ।ା

ଶୀତ, ଭୟ, ହର୍ଷ, ରୋଷ ଏବଂ ସ୍ଟର୍ଶ ଫଳରେ ଆମ ଭିତରେ ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୋଇଥାଏ ତାକୁ ବେପଥୁ ବା କମ୍ପ କୁହାଯାଏ ।

 

ବୈବର୍ଣ୍ଣ୍ୟ

ଶୀତ କ୍ରୋଧ ଭୟ ଶ୍ରମ ରୋଗକ୍ଳମ ତାପଜଂ ଚ ବୈବର୍ଣ୍ଣ୍ୟମ୍ ।ା

ଶୀତ, କ୍ରୋଧ, ଭୟ, ଶ୍ରମ, ରୋଗ, କ୍ଲାନ୍ତି ଏବଂ ତାପ ଜନିତ ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୋଇଥାଏ ତାକୁ ବୈବର୍ଣ୍ଣ୍ୟ କୁହାଯାଏ ।

ଅଶ୍ର୍ରୁ

ଆନନ୍ଦାମର୍ଷାଭ୍ୟାଂ ଧୂମାଞ୍ଜନଜୃମ୍ଭଣାଦ୍ ଭୟାଚ୍ଛୋକାତ୍

ଅନିମେଷ ପ୍ରେକ୍ଷଣତଃ ଶୀତାଦ୍ରୋଗାଦ୍‌ଭଭେବଦ୍ରାସମ୍ ।ା

ଆନନ୍ଦ, ଅମର୍ଷର୍, ଧୁମ, ଅଞ୍ଜନ, ଜୃମ୍ଭଣ (ହାଇ), ଭୟ, ଶୋକ, ଅପଲକ ଚାହାଣୀ, ଶୀତ, ରୋଗ ଆଦି କାରଣରୁ ଯେଉଁ ସାତ୍ୱିକ ଭାବ ସୃଷ୍ଟି ହୋଇଥାଏ ତାକୁ ଅଶ୍ର୍ରୁ କୁହାଯାଏ ।

ପ୍ରଳୟ

ଶ୍ରମ ମୂର୍ଚ୍ଛା ମଦ ନିଦ୍ରାଭିଘାତ ମୋହାଦିଭିଃ ପ୍ରଳୟଃ ।ା

ଶ୍ରମ, ମୂର୍ଚ୍ଛା, ମଦ, ନିଦ୍ରା, ଆଘାତ ତଥା ମୋହ ଜନିତ ଯେଉଁ ସାତ୍ୱିକ ଭାବ ଆମ ମନରେ ସୃଷ୍ଟି ହୁଏ ତାକୁ ପ୍ରଳୟ କୁହାଯାଏ ।

ଏହି ଭଳି ଭାବରେ ନାଟ୍ୟକୋବିଦ ଭରତ ମୁନି ଆଠ ଗୋଟି ସାତ୍ୱିକ ଭାବର ଉତ୍ପତ୍ତି ସମ୍ବନ୍ଧରେ ସୂଚନା ପ୍ରଦାନ କରିସାରିବାପରେ ପୁଣି ସେମାନଙ୍କର ଅଭିନୟ ପ୍ରକ୍ରିୟା ସମ୍ବନ୍ଧରେ ବର୍ଣ୍ଣନା ପ୍ରଦାନ କରୁଛନ୍ତି ।

ଏହିଭଳି ଭାବରେ ନାଟ୍ୟକୋବିଦ ଭରତ ମୁନି ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥୁ, ବୈବର୍ଣ୍ଣ୍ୟ, ଅଶ୍ର୍ରୁ ଓ ପ୍ରଳୟ ଭଳି ଆଠଗୋଟି ସାତ୍ୱିକ ଭାବର ଉତ୍ପତ୍ତି ସମ୍ବନ୍ଧରେ ସୂଚନା ପ୍ରଦାନ କରିସାରିବା ପରେ ସେ ପୁଣି ସେମାନଙ୍କର ଅଭିନୟ ପ୍ରକ୍ରିୟା ସମ୍ବନ୍ଧରେ ବର୍ଣ୍ଣନା ପ୍ରଦାନ କରିଛନ୍ତି ।

ସ୍ତମ୍ଭ

ନିଃସଜେ୍ଞା ନିଷ୍ପ୍ରକମ୍ପଶ୍ଚ ସ୍ଥିତଃ ଶୂନ୍ୟଜଡାକୃତିଃ

ସ୍କନ୍ନଗାତ୍ରତୟା ଚୈ଼ବ ସ୍ତମ୍ଭଂ ତ୍ୱଭିନୟେଦ ବୁଧଃ ।ା୧୦୨।।

ସଜ୍ଞାହୀନ ତଥା ନିଷ୍କମ୍ପ ହୋଇ ରହିବା, ଶୂନ୍ୟ ହୋଇ ରହିବା, ଶୂନ୍ୟ ବା ଚେତାଶୂନ୍ୟ ହେବା, ଜଡ଼ ପାଲଟି ଯିବା, ଶରୀରକୁ ସ୍ଥିର କରି ରହିବା ଆଦି କ୍ରିୟାର ଅଭିନୟ ମାଧ୍ୟମରେ ଏହି ସ୍ତମ୍ଭ ନାମକ ସାତ୍ୱିକ ଭାବର ଅଭିନୟ ପ୍ରଯୋଜନା କରାଯାଏ ।

ସ୍ୱେଦ

ବ୍ୟଜନଗ୍ରହଣାଚ୍ଚାପି ସ୍ୱେଦାପନୟନେନଚ

ସ୍ୱେଦ ଏବାଭିନେତବ୍ୟ ସ୍ତଥା ବାତାଭିଳାଷତଃ ।ା୧୦୩।।

ବିଞ୍ଚଣା ଦ୍ୱାରା ବିଞ୍ଚି ହେବା, ଶରୀରରୁ ସ୍ୱେଦ ନିର୍ଗମନ ହେବା, ଶୀତଳ ପବନ ଖୋଜିବା ଭଳି କ୍ର୍ରିୟାର ଅଭିନୟ ମାଧ୍ୟମରେ ଯେଉଁ ଭାବ ସୃଷ୍ଟି ହୁଏ ତାକୁ ସ୍ୱେଦ କୁହାଯାଏ ।

ରୋମାଞ୍ଚ

ଉୁହୁଃ କଣ୍ଟକିତତ୍ୱେନ ତଥୋଲ୍ଲ ୁ ସନକେନଚ

ପୁଲକେନ ଚ ରୋମାଞ୍ଚଂ ଗାତ୍ର ସ୍ପର୍ଶେନ ଦର୍ଶୟେତ୍ ।ା

ଶରୀରକୁ ସ୍ପର୍ଶ କରିବା, ଆନନ୍ଦିତ ବା ଉଲ୍ଲସିତ ହେବା ଦ୍ୱାରା ଶିହରଣ ଜନିତ ଯେଉଁ ଆନନ୍ଦ ସୃ୍‌ଷ୍ଟି ହୋଇଥାଏ ତାକୁ ରୋମାଞ୍ଚ କୁହାଯାଏ ।

ସ୍ୱରଭେଦ

ସ୍ୱରଭେଦୋଽଭିନେତବ୍ୟୋ ଭିନ୍ନଗଦ୍‌ଗଦ ନିସ୍ୱନୈଃ

ଗଦ୍‌ଗଦ ସ୍ୱରରେ ତଥା କମ୍ପିତ ସ୍ୱରରେ କହିବା ଆଦି କ୍ରିୟା ଦ୍ୱାରା ଏହି ସ୍ୱରଭେଦର ଅଭିନୟ ପରିବେଷଣ କରାଯାଏ ।

ବେପଥୁ

ବେପନାତ୍ ସ୍ଫୁରଣାତ୍ କମ୍ପାବ୍ଦେପଥୁଂ ସଂପ୍ରଦର୍ଶୟେତ୍ ।ା

ଦେହରେ ସ୍ଫୁରଣ ପ୍ରକାଶ ପାଇବା, କମ୍ପି ଉଠିବା, ଥରିବା ଆଦି କ୍ରିୟା ମାଧ୍ୟମରେ ବେପଥୁ ଭାବର ଅଭିନୟ ପ୍ରଦର୍ଶନ କରାଯାଏ ।

ବୈବର୍ଣ୍ଣ୍ୟ

ମୁଖବର୍ଣ୍ଣ ପରାବୃତ୍ତ୍ୟା ନାଡି଼ପୀଡ଼ନ ଯୋଗତଃ

ବୈବର୍ଣ୍ଣ୍ୟମଭିନେତବ୍ୟଂ ପ୍ରଯତ୍ନାତ୍ତଦ୍ଧି ଦୁଷ୍କରମ୍ ।ା୧୦୬।।

ନାଡି଼କୁ ପିଡ଼ା ଦେଇ ମୁଖ ବିବର୍ଣ୍ଣ ଦିଶିବା ଭଳି କାର୍ଯ୍ୟକଳାପ ମାଧ୍ୟମରେ ବୈବର୍ଣ୍ଣ୍ୟ ଭାବ ପରିବେଷିତ ହୋଇଥାଏ ।

ଅଶ୍ର୍ରୁ

ବାଷ୍ପାମ୍ବୁପ୍ଲୁତ ନେତ୍ରତ୍ୱାନ୍ନେତ୍ର ସମ୍ମାର୍ଜନେନଚ

ମୁହୁରଶ୍ରୁ କଣାପାତୈ ରାସ୍ରଂ ତ୍ୱଭିନନେୟତ୍ ।ା

ବାଷ୍ପ ତଥା ଲୋତକାପ୍ଲୁତ ନେତ୍ରରୁ ଲୁହ ପୋଛିବା ତଥା ବାରମ୍ବାର ଚକ୍ଷୁରୁ ଅଶ୍ର୍ରୁପାତ ହେବା ଭଳି କାର୍ଯ୍ୟଦ୍ୱାରା ଏହି ଭାବର ଅଭିନୟ ପରିବେଷଣ କରାଯାଏ ।

ପ୍ରଳୟ

ନିଶ୍ଚେଷ୍ଟୋ ନିକ୍ଷପ୍ରକମ୍ପତ୍ୱାଦବ୍ୟକ୍ତଶ୍ୱସିତାଦପି

ଉହିନିପାତନାଚ୍ଚାପି ସ୍ୱେଦାପନୟେନଚ ।ା

ନିଶ୍ଚେଷ୍ଟ ଅର୍ଥାତ୍ ଚେଷ୍ଟା ନକରିବା, ନିଷ୍ପ୍ରକମ୍ପ ଅର୍ଥାତ୍ ସ୍ଥିର ହୋଇ ରହିବା, ଅବ୍ୟକ୍ତ ନିଃଶ୍ୱାସ ଅର୍ଥାତ୍ ଧିରେ ଧିରେ ବା ଚାପି ଚାପି ନିଃଶ୍ୱାସ ନେବା ଭୂମିରେ ଲୋଟିଯିବା, ସ୍ୱେଦ ନିର୍ଗତ ହେବା ଆଦି କାର୍ଯ୍ୟ ଦ୍ୱାରା ପ୍ରଳୟର ଅଭିନୟ ପରିବେଷଣ କରାଯାଏ ।

ଏହିଭଳି ଅବସ୍ଥା ଭେଦରେ ତିନି ପ୍ରକାର ଭାବକୁ ସର୍ବମୋଟରେ ଅଣଚାଷ ପ୍ରକାରେ ନାଟ୍ୟକୋବିଦ ଭରତ ମୁନି ସବିସ୍ତାରେ ବର୍ଣ୍ଣନା କରିସାରିବା ପରେ ସେ ପୁଣି ଉପର ବର୍ଣ୍ଣିତ ଭାବ ମାନଙ୍କର ଉପଯୁକ୍ତ ରସରେ ପ୍ରୟୋଗ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ଶଙ୍କାବ୍ୟାଧିସ୍ତଥାଗ୍ଲାନିଶ୍ଚିନ୍ତାସୂୟା ଭୟଂ ତଥା

ବିସ୍ମୟଶ୍ଚ ବିତର୍କଶ୍ଚ ସ୍ତମ୍ଭଶ୍ଚପଳତା ତଥା ।ା୧୧୦।।

ରୋମାଞ୍ଚ ହର୍ଷୌ ନିଦ୍ରା ଚ ତଥୋନ୍ମାଦ ମଦାବପି

ସ୍ୱେଦଶ୍ଚୈବାବହିତ୍‌ଥଂ ଚ ପ୍ରଳୟୋ ବେପଥୁ ସ୍ତଥା ।ା୧୧୧।।

ବିଷାଦଶ୍ରମ ନିର୍ବେଦୋ ଗର୍ବାବେଗୌ ଧୃତିଃ ସ୍ମ୍ମୃତିଃ

ମତିର୍ମୋହୋ ବିବୋଧଶ୍ଚ ସୁପ୍ତମୌତ୍ସୁକ୍ୟ ଲଜ୍ଜିତେ ।ା୧୧୨।।

କ୍ରୋଧାମର୍ଷୌ ଚ ହାସଶ୍ଚ ଶୋକୋଽପସ୍ମାର ଏବଚ

ଦୈନ୍ୟଂ ଚ ମରଣଂ ଚୈ଼ବ ରତିରୁତ୍ସାହ ସଂଯୁତା ।ା୧୧୩।।

ତ୍ରାସ ବୈବର୍ଣ୍ଣ୍ୟ ରୁଦିତୈଃ ସ୍ୱରଭେଦଃ ଶମୋଽପିଚ

ଜଡ଼ତା ଚ ତଥା ଷଟ୍‌ଚ ଚତ୍ୱାରିଂଶ ପ୍ରକୀର୍ତ୍ତିତାଃ ।ା୧୧୪।।

ଆଳସ୍ୟଗ୍ରୌଜୁଗୁପ୍ସାଖ୍ୟୈରେବଂ ଭାବୈସ୍ତୁବର୍ଜିତାଃ

ଉଦ୍‌ଭାବୟନ୍ତି ଶୃଙ୍ଗାରଂ ସର୍ବେ ଭାବାଃ ସୂସଂଜ୍ଞୟା ।ା୧୧୫।।

ଯଥାବସରେ ମେତେ ହି ସ୍ଥାୟି ସଞ୍ଚାରି ସତ୍ୱଜାଃ

ଉଦ୍ଦୀପୟନ୍ତି ଶୃ୍‌ଙ୍ଗାରଂ ରସମାସାଦ୍ୟ ସଂଜ୍ଞିତମ୍ ।ା୧୧୬।।

ଶଙ୍କା, ବ୍ୟାଧି, ଗ୍ଲାନି, ଚି଼ନ୍ତା, ଅସୂୟା, ଭୟ, ବିସ୍ମୟ, ବିତର୍କ, ସ୍ତମ୍ଭ, ଚପଳତା, ରୋମାଞ୍ଚ, ହର୍ଷ, ନିଦ୍ରା, ଉନ୍ମାଦ, ମଦ, ସ୍ୱେଦ, ଅବହିତ୍‌ଥ, ପ୍ରଳୟ, ବେପଥୁ, ବିଷାଦ, ଶ୍ରମ, ନିର୍ବେଦ, ଗର୍ବ, ଆବେଗ, ଧୃତି, ସ୍ମ୍ମୃତି, ମତି, ମୋହ, ବିବୋଧ, ସୁପ୍ତ, େଓøତ୍ସୁକ୍ୟ, ଲଜ୍ଜା, କ୍ରୋଧ, ଅମର୍ଷ, ହାସ, ଶୋକ, ଅପସ୍ମାର, ଦୈନ୍ୟ, ମରଣ, ରତି, ଉତ୍ସାହ, ତ୍ରାସ, ବୈବର୍ଣ୍ଣ୍ୟ, ରୋଦନ, ସ୍ୱରଭେଦ, ଜଡ଼ତା ଆଦି ଭାବ ମାନଙ୍କ ସହାୟତାରେ ଶୃଙ୍ଗାର ରସର ଅଭିନୟ ପରିବେଷଣ କରାଯାଇଥାଏ । ଆଳସ୍ୟ, ଉଗ୍ର, ଜୁଗୁପ୍ସା, ଆଦି ଭାବ ଗୁଡି଼କ ଶୃଙ୍ଗାର ରସରେ ବ୍ୟବହାର ବା ପ୍ରୟୋଗ ବର୍ଜନ କରାଯାଇଛି । ଏହି ପୂର୍ବବର୍ଣ୍ଣିତ ସ୍ଥାୟୀ, ସଞ୍ଚାରି ତଥା ସାତ୍ୱିକ ଭାବ ମାନଙ୍କର ପ୍ରୟୋଗ ଶୃ୍‌ଙ୍ଗାର ରସରେ କରାଯାଇଥାଏ ।

ଗ୍ଲାନିଃ ଶଙ୍କାହ୍ୟସୂୟା ଚ ଶ୍ରମଶ୍ଚପଳତା ତଥା

ସୁପ୍ତଂ ନିଦ୍ରାବହିତ୍ଥଂ ଚ ହାସ୍ୟେ ଭାବାଃ ପ୍ରକୀର୍ତ୍ତିତାଃ ।ା

ଗ୍ଲାନି, ଶଙ୍କା, ଅସୂୟା,ଶ୍ରମ, ଚପଳତା, ସୁପ୍ତ, ନିଦ୍ରା, ଅବହିତ୍ଥ ଆଦି ଭାବ ଗୁଡି଼କ ବିଶେଷ କରି ହାସ୍ୟ ରସରେ ପ୍ରୟୋଗ କରାଯାଏ ।

 

ନିର୍ବେଦଶ୍ଚୈବ ଚିନ୍ତା ଚ ଦୈନ୍ୟଂ ଗ୍ଲାନ୍ୟାଶ୍ରମେବଚ

ଜଡ଼ତା ମରଣଂ ଚୈ଼ବ ବ୍ୟାଧିଶ୍ଚ କରୁଣେ ସ୍ମ୍ମୃତାଃ ।ା୧୧୮।।

ନିର୍ବେଦ, ଚିନ୍ତା, ଦୈନ୍ୟ, ଗ୍ଲାନି, ଶ୍ରମ, ଜଡ଼ତା, ମରଣ, ବ୍ୟାଧି ଆଦି ଭାବ ଗୁଡି଼କ କରୁଣ ରସ ପରିବେଷଣରେ ପ୍ରୟୋଗ କରାଯାଏ ।

 

ଗର୍ବୋଽସୂୟା ମଦୋତ୍ସାହାବେଗୋଽମର୍ଷ ଏବଚ

କ୍ରୋଧାଶ୍ଚପଳତୌଗ୍ର‌୍ୟଂ ଚ ବିଜେ୍ଞୟା ରୌଦ୍ର ସମ୍ଭବାଃ ।ା୧୧୯।।

ଗର୍ବ, ଅସୂୟା, ମଦ, ଉତ୍ସାହ, ଆବେଗ, ଅମର୍ଷ, କ୍ରୋଧ, ଚପଳତା, ଉଗ୍ରତା ଆଦି ଭାବ ଗୁଡିକ ରୌଦ୍ର ରସରେ ପ୍ରୟୋଗ କରାଯିବା ବିଧେୟ ବୋଲି ବିଜ୍ଞ ମାନେ ମତ ପ୍ରଦାନ କରିଛନ୍ତି ।

 

ଅସମ୍ମୋହ ସ୍ତଥୋତ୍ସାହ ଆବେଗୋ ହର୍ଷ ଏବଚ

ମତିଶ୍ଚୈବ ତଥୋଗ୍ରତ୍ୱମମର୍ଷୋ ମଦ ଏବ ଚ ।ା୧୨୦।।

ରୋମାଞ୍ଚଃ ସ୍ୱରଭେଦଶ୍ଚ କ୍ରୋଧୋଽସୂୟା ଧୃତିସ୍ତଥା

ଗର୍ବଶ୍ଚୈବ ବିତର୍କଶ୍ଚ ବୀରୋ ଭାବା ଭବନ୍ତି ହି ।ା୧୨୧।।

 

ଅସମ୍ମୋହ, ଉତ୍ସାହ, ଆବେଗ, ହର୍ଷ, ମତି, ଉଗ୍ରତା, ଅମର୍ଷ, ମଦ, ରୋମାଞ୍ଚ, ସ୍ୱରଭେଦ, କ୍ରୋଧ, ଅସୂୟା, ଧୃତି, ଗର୍ବ, ବିତର୍କ ଆଦି ଭାବ ଗୁଡିକ ବୀର ରସରେ ପ୍ରୟୋଗ କରାଯାଏ ।

 

ବେପଥୁ ସ୍ୱରଭେଦଶ୍ଚ ରୋମାଞ୍ଚ ଗଦ୍‌ଗଦସ୍ତଥା

ସ୍ତମ୍ଭାଚ ମରଣଂ ସ୍ୱେଦୋ ବୈବର୍ଣ୍ଣ୍ୟଂ ଚ ଭୟାନକେ ।ା୧୨୨।।

ବେପଥୁ, ସ୍ୱରଭେଦ, ରୋମାଞ୍ଚ, ଗଦ୍‌ଗଦ, ସ୍ତମ୍ଭ, ମରଣ,ସ୍ୱେଦ, ବୈବର୍ଣ୍ଣ୍ୟ ଆଦି ଭାବ ଗୁଡିକ ମାଧ୍ୟମରେ ଭୟାନକ ରସ ପରିବେଷଣ କରାଯାଏ ।

 

ଅପସ୍ମାରୋ ତଥୋନ୍ମାଦୋ ବିଷାଦୋ ମଦ ଏବଚ

ମୃତ୍ୟୁ ବ୍ୟାଧିର୍ଭୟଂ ଚୈ଼ବ ଭାବାଃ ବୀଭତ୍ସଂଶ୍ରୟା ।ା

 

ଅପସ୍ମାର, ଉନ୍ମାଦ, ବିଷାଦ, ମଦ, ମୃତ୍ୟୁ, ବ୍ୟାଧି, ଭୟ ଆଦି ଭାବ ଗୁଡିକ ଦ୍ୱାରା ବୀଭତ୍ସ ରସର ପରିବେଷଣ ରହାଇଥାଏ ।

ସ୍ତମ୍ଭଃ ସ୍ୱେଦଶ୍ଚ ମୋହଶ୍ଚ ରୋମାଞ୍ଚୋ ବିସ୍ମୟସ୍ତଥା

ଆବେଗୋ ଜଡତା ହର୍ଷୋ ମୂର୍ଚ୍ଛା ଚୈବାଦ୍‌୍‌ଭ୍‌ୁତେରସେ ।ା

ସ୍ତମ୍ଭ, ସ୍ୱେଦ, ମୋହ, ରୋମାଞ୍ଚ, ବିସ୍ମୟ, ଆବେଗ, ଜଡତା, ହର୍ଷ, ମୂର୍ଚ୍ଛା ଆଦି ଭାବ ମାନଙ୍କଠାରୁ ଅଭ୍‌ୁତ ରସ ସୃଷ୍ଟି ହୋଇଥାଏ ।

ନାଟ୍ୟ ପ୍ରଯୋଜନା ସମୟରେ ନାନା ପ୍ରକାର ଅଭିନୟ ସମ୍ପର୍କିତ ରସ, ଭାବ ଏବଂ ସାତ୍ୱିକ ଭାବ ମାନଙ୍କର ଉପଯୁକ୍ତ ପ୍ରୟୋଗ କରାଯାଏ । ଯେକୌଣସି କାବ୍ୟ ବା କୌଣସି ଏକ ନିର୍ଦ୍ଧିଷ୍ଟ ରସ ଆଶ୍ରୟ କରି ସୃଷ୍ଟି କରାଯିବା ଉଚିତ୍ ନୁହେଁ । କାବ୍ୟରେ ଯେଉଁ ରସ, ଭାବ, ପ୍ରବୃତ୍ତି, ବୃତ୍ତିର ବହୁଳ ପ୍ରୟୋଗ ଘଟିଥାଏ । ତାକୁ ସ୍ଥାୟୀ ରସ ଭାବରେ ଗ୍ରହଣ କରାଯାଏ ଏବଂ ଅନ୍ୟ ସମସ୍ତଙ୍କୁ ସଞ୍ଚାରି ରସ ଭାବରେ ଗ୍ରହଣ କରାଯାଏ । ତତ୍ ସହିତ ଯେଉଁ ଭାବ ଗୁଡିକ ସ୍ଥାୟୀ ଭାବକୁ ପ୍ରଜ୍ଜ୍ୱଳିତ କରିବା ଉଦ୍ଦେଶ୍ୟରେ ପ୍ରବର୍ତ୍ତେଇବା କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ସଞ୍ଚାରି ଭାବ କୁହାଯାଏ ।

 

ବିଭାବାନୁଭାବଯୁକ୍ତୋ ହ୍ୟଙ୍ଗବସ୍ତୁ ସମାଶ୍ରୟଃ

ସଞ୍ଚାରିଭିସ୍ତୁ ସଂଯୁକ୍ତଃ ସ୍ଥାଯ୍ୟେବ ତୁରସୋ ଭବେତ୍ ।ା

ନାଟକର କଥାବସ୍ତୁ ଆଧାରିତ ବିଭାବ, ଅନୁଭାବ, ସ୍ଥାୟୀ ତଥା ସଞ୍ଚାରି ଭାବର ସମ୍ମିଶ୍ରଣରେ ରସ ସୃଷ୍ଟି ହୋଇଥାଏ । ସ୍ଥାୟୀ ଭାବ ଗୁଡିକ ସାଧାରଣତଃ ସାତ୍ୱିକ ଭାବ ମାନଙ୍କୁ ଆଶ୍ରୟ କରି ପରିବେଷିତ ହୋଇଥାଏ । ସଞ୍ଚାରି ଭାବ ଗୁଡିକ ଆକାର ମାତ୍ର ଦ୍ୱାରା ବା ଶାରୀରିକ ଅଙ୍ଗଭଙ୍ଗି ଦ୍ୱାରା ପରିବେଷିତ ହୋଇଥାଏ । କାରଣ ସେମାନେ ସ୍ଥାୟି ଭାବର ଲକ୍ଷ୍ୟକୁ ପୂରଣ କରିବା ପାଇଁ ପରିବେଷିତ ହୋଇଥାନ୍ତି । ସାତ୍ୱିକ ଭାବ ଗୁଡିକର ପରିବେଷଣ ବିଭିନ୍ନ ପ୍ରକାର ଅଭିନୟ ଦ୍ୱାରା କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଟ ରସ, ଭାବ କିମ୍ବା ବୃତ୍ତି ଦ୍ୱାରା କୌଣସି କାବ୍ୟର ରଚନା ବା ପରିବେଷଣ କରାଯାଏନି । ଭାବ ଓ ରସ ମାନଙ୍କ ମଧ୍ୟରେ ଥିବା ସଙ୍ଘର୍ଷ ଯତ୍ନ ସହକାରେ ପ୍ରଯୋଜିତ ହେବା ଉଚିତ । ଏ କ୍ଷେତ୍ରରେ ସେ ବିଭତ୍ସ, ଅଭ୍‌ୁତ ଏବଂ ଶାନ୍ତ ରସ ମାନଙ୍କର କଥା କହିନାହାନ୍ତି ।

ସାତ୍ୱିକତାକୁ ଆଧାର କରି କାବ୍ୟର ଉପଯୁକ୍ତ ଅର୍ଥ ପ୍ରକାଶିତ ହେଲେ ଯେଉଁ କାବ୍ୟଚିତ୍ରର ବିରାଜମାନ ହୁଏ ତାହା ସମଗ୍ର ଜଗତରେ ଦୁର୍ଲଭ ଭାବରେ ପରିଗଣିତ ହୋଇଥାଏ । ନାନା ଭାବାର୍ଥ ସମ୍ପନ୍ନ ସ୍ଥାୟି, ସାତ୍ୱିକ ତଥା ବ୍ୟଭିଚାରି ଭାବ କାବ୍ୟକୁ ପୁଷ୍ପାବକିର୍ଣ୍ଣ ଅର୍ଥାତ୍ ସଫଳତାକୁ କୁସୁମିତ କରିବା ସହ ରସଗ୍ରାହି ମାନଙ୍କର ଆସ୍ୱାଦ୍ୟ ହୋଇଥାଏ । ସର୍ବଶେଷରେ ଯେଉଁ ରସିକମାନେ ରସ, ଭାବ, ସେମାନଙ୍କର ଅବସ୍ଥା ଓ ପ୍ରୟୋଗ ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ ଅର୍ଜନ କରିପାରିଛି ସେ ଉତ୍ତମ ସିଦ୍ଧିର ଅଧିକାରି ହୋଇଥାଏ ।

 

ସମାପ୍ତ

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ
Exit mobile version