ପଏର୍ଛାସତୀ

କେଶରଞ୍ଜନ ପ୍ରଧାନ 588 Views
26 Min Read

୧୯୫୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିଲା ଖଗେଶ୍ୱର ଗ୍ରନ୍ଥାବଳୀରେ ପଏର୍ଛା ସତୀ କବିତା। ତଥାପି କବିଙ୍କର ଏହି ଓଜସ୍ୱିନୀ କବିତାର ଚର୍ଚ୍ଚା ଓଡ଼ିଶାର ମୁଖ୍ୟ ଧାରାରେ ଦେଖିବାକୁ ମିଳେନା। ବିରଳ ଶିକ୍ଷକ ଓ ସୁସାହିତ୍ୟକ ହଟକିଶୋର ପାଣିଗ୍ରାହୀ ଖଗେଶ୍ୱର ରଚନାବଳୀକୁ ନିଜର ସୁନ୍ଦର ହସ୍ତାକ୍ଷରରେ ଲେଖି ସାଇତି ରଖି ଓଡିଶା ପାଇଁ ଏକ ଅମୁଲ୍ୟ ଭଣ୍ଡାର ଛାଡ଼ି ଯାଇଛନ୍ତି । 2018 ମସିହାରେ “ପଏର୍ଛା ସତୀ” ଓ ଉପାନ୍ତର କବି ଖଗେଶ୍ଵର ସେଠଙ୍କ ଉପରେ ସମଧ୍ୱନି ପୃଷ୍ଠାରେ ଲେଖାଟିଏ ଲେଖି ତାଙ୍କ ସହିତ ଆମକୁ ପରିଚିତ କରାଇଥିଲେ ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ । 2023 ମସିହାରେ ପଏର୍ଛା ସତୀଙ୍କର ପୁନଃ ଆବିର୍ଭାବ ହେଲା ଲେଖାଟିର ଲେଖକ ତଥା ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ “ପଏର୍ଛା ସତୀ” ସଙ୍ଗୀତ ରୁପକରେ । ସେହି ରୁପକ ଯୁଗ ପରିବର୍ତ୍ତନ କରିବାର ଦକ୍ଷତା ରଖେ ଓ ସେହି ଦୃଷ୍ଟିରୁ ଲେଖାଟି ପାଇଁ ଲେଖକଙ୍କ ନିକଟରେ କୃତଜ୍ଞତା ଜଣାଉଛୁ । – ସମ୍ପାଦକ

ଏହି ଫୋଟୋଚିତ୍ର ଅଙ୍କନ ପାଇଁ ଦୁଃଖୀ ସେବକ ସାହୁ, କଳାଶିକ୍ଷକ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ଙ୍କ ନିକଟରେ ଆମେ କୃତଜ୍ଞ ।

Contents
୧୯୫୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିଲା ଖଗେଶ୍ୱର ଗ୍ରନ୍ଥାବଳୀରେ ପଏର୍ଛା ସତୀ କବିତା। ତଥାପି କବିଙ୍କର ଏହି ଓଜସ୍ୱିନୀ କବିତାର ଚର୍ଚ୍ଚା ଓଡ଼ିଶାର ମୁଖ୍ୟ ଧାରାରେ ଦେଖିବାକୁ ମିଳେନା। ବିରଳ ଶିକ୍ଷକ ଓ ସୁସାହିତ୍ୟକ ହଟକିଶୋର ପାଣିଗ୍ରାହୀ ଖଗେଶ୍ୱର ରଚନାବଳୀକୁ ନିଜର ସୁନ୍ଦର ହସ୍ତାକ୍ଷରରେ ଲେଖି ସାଇତି ରଖି ଓଡିଶା ପାଇଁ ଏକ ଅମୁଲ୍ୟ ଭଣ୍ଡାର ଛାଡ଼ି ଯାଇଛନ୍ତି । 2018 ମସିହାରେ “ପଏର୍ଛା ସତୀ” ଓ ଉପାନ୍ତର କବି ଖଗେଶ୍ଵର ସେଠଙ୍କ ଉପରେ ସମଧ୍ୱନି ପୃଷ୍ଠାରେ ଲେଖାଟିଏ ଲେଖି ତାଙ୍କ ସହିତ ଆମକୁ ପରିଚିତ କରାଇଥିଲେ ପ୍ରଫେସର ପ୍ରିତିଶ ଆଚାର୍ଯ୍ୟ । 2023 ମସିହାରେ ପଏର୍ଛା ସତୀଙ୍କର ପୁନଃ ଆବିର୍ଭାବ ହେଲା ଲେଖାଟିର ଲେଖକ ତଥା ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ “ପଏର୍ଛା ସତୀ” ସଙ୍ଗୀତ ରୁପକରେ । ସେହି ରୁପକ ଯୁଗ ପରିବର୍ତ୍ତନ କରିବାର ଦକ୍ଷତା ରଖେ ଓ ସେହି ଦୃଷ୍ଟିରୁ ଲେଖାଟି ପାଇଁ ଲେଖକଙ୍କ ନିକଟରେ କୃତଜ୍ଞତା ଜଣାଉଛୁ । – ସମ୍ପାଦକଏକଦୁଇତିନିଚାରିପାଂଚପାଦଟୀକା

ଏକ

୧୯୬୪ରେ ପ୍ରକାଶିତ ବହୁଚର୍ଚ୍ଚିତ କୃତି ‘ଅମାବାସ୍ୟାର ଚନ୍ଦ୍ର’ର ଆରମ୍ଭରେ ଔପନ୍ୟାସିକ ଗୋବିନ୍ଦ ଦାସ Mark Twain  ଙ୍କ ସୁପ୍ରସିଦ୍ଧ ଉକ୍ତି  Every man is a moon and has a dark side which he never shows to anybody ର ଅବତାରଣା କରିଛନ୍ତି । ଲେଖକଙ୍କ ଭାଷାରେ ଉପନ୍ୟାସର ନାୟକ ମି. କାଉଲଙ୍କ ଜୀବନ ‘ଅନନ୍ତ ପାପର ଏକ ଅସରନ୍ତି ଗାଥା’ । ଏ ‘କକ୍ଷଚ୍ୟୂତ, ଚରିତ୍ରହୀନ, ଲମ୍ପଟ’ର କଥା ‘ସମାଜକୁ କଳଙ୍କିତ’, ‘ପରଂପରାକୁ ନଷ୍ଟ’୧ କରିବ ବୋଲି ଆଶଙ୍କା ସ୍ୱାଭାବିକ । ତଥାପି ‘ଅତଳସ୍ପର୍ଶୀ କଳଙ୍କ ସତ୍ୱେ ଏ ଚରିତ୍ରର ବଳିଷ୍ଠ ମର୍ଯ୍ୟାଦା’ ଏବଂ ‘ଜୀବନର ଘନ ଅନ୍ଧକାର ଗହ୍ୱର ମଧ୍ୟରେ ପ୍ରଦୀପର କୋମଳ ଆଭା’ ପାଠକ ମନରେ ଗଭୀର ପ୍ରଭାବ ପକାଏ ।

୧୯୪୦ ଦଶକରେ ରଚିତ ଖଗେଶ୍ୱର ଶେଠଙ୍କ ଦୀର୍ଘକବିତା ‘ପଏର୍ଛା ସତୀ’ର ନାମହୀନା ନାୟିକା ସମାଜରେ ନିନ୍ଦିତା ଏକ କଳଙ୍କିତା ଚରିତ୍ର । ତେବେ ଏ ଚରିତ୍ର ତାର ଅନ୍ଧାରୀ ଦିଗକୁ ନ ଲୁଚେଇ ସମସ୍ତ ଅବିଗୁଣକୁ ସ୍ପଷ୍ଟ ଭାବ ଓ ଭାଷାରେ ସାର୍ବଜନୀନ କରିଦେଇଛି । ଏ ନିର୍ଭୀକ ଆତ୍ମସମୀକ୍ଷା ହିଁ ତାକୁ ସାମାଜିକ କୁସଂସ୍କାର ସବୁକୁ ଅଂଗୁଳି ନିର୍ଦ୍ଦେଶ କରିବାକୁ ଅଧିକାର ଦେଇଛି । ଉପର୍ଯ୍ୟୁକ୍ତ କାଉଲ ଚରିତ୍ର ଭଳି ପଏର୍ଛା ସତୀ ପାଠକ ମହଲରେ ବିଶେଷ ମର୍ଯ୍ୟାଦା ପାଇନାହିଁ ବା ସେ ବିକିରିତ କରୁଥିବା ଆଭା କୋମଳ ନୁହେଁ; ବରଂ ପଏର୍ଛା ସତୀ ଏକ ଜ୍ୱଳନ୍ତ ଅଗ୍ନିଶିଖା ଭାବରେ ପ୍ରକଟିତ ହୁଏ ।

ଦୁଇ

ବରଗଡ଼ ଜିଲ୍ଲାରେ ଜନ୍ମିତ ତିନି ମହୀୟାନ କବି ଗଂଗାଧର, ଖଗେଶ୍ୱର ଓ ହଳଧରଙ୍କର ତୁଳନା ସ୍ୱାଭାବିକ । ବରପାଲି, ସରସରା ଓ ଘେଁସ ଯଥାକ୍ରମେ ଏ ତିନି କବିଙ୍କ ଜନ୍ମ ପୀଠ । ମଟରଗାଡ଼ିରେ ମାତ୍ର ଦୁଇ ଘଂଟାରେ ଏ ତିନି ପବିତ୍ର ସାରସ୍ୱତ ସ୍ଥଳୀର ପରିକ୍ରମା କରିହେବ ।୨ ହୁଏତ କେବେ ଭବିଷ୍ୟତରେ ଜନସାଧାରଣ ସାହିତ୍ୟ-ସଂସ୍କୃତି-ମନସ୍କ ହେଲେ ଏହି ସାରସ୍ୱତ ତ୍ରିଭୂଜ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ।

ଗଂଗାଧରଙ୍କ ଜନ୍ମ ୧୮୬୨ମସିହାରେ । ତାର ୪୪ ବର୍ଷ ପରେ ଅର୍ଥାତ୍ ୧୯୦୬ରେ ଖଗେଶ୍ୱର ଏବଂ ସମାନ ବର୍ଷ ବ୍ୟବଧାନରେ ୧୯୫୦ରେ ହଳଧରଙ୍କ ଜନ୍ମ । ଗଂଗାଧର ଓଡ଼ିଆ ଓ ହଳଧର ସମ୍ବଲପୁରୀ/କୋଶଲୀରେ ରଚନା କରିଥିବା ବେଳେ ଖଗେଶ୍ୱର ଉଭୟ ଭାଷାରେ ଲେଖନୀ ଚାଳନା କରିଛନ୍ତି । ଗଂଗାଧର ପଂଚମ, ହଳଧର ତୃତୀୟ ଶ୍ରେଣୀଯାଏଁ ପଢ଼ିଥିବା ବେଳେ ଖଗେଶ୍ୱର ସ୍କୁଲ ଘର ମାଡ଼ିନାହାନ୍ତି । ତିନି ଜଣ ଯାକଙ୍କ ଜାତି ଯଥାକ୍ରମେ ଭୁଲିଆ, କେଉଁଟ ଓ ଗଉଡ଼; କେହି ତଥାକଥିତ ଉଚ୍ଚ ଜାତିର ନୁହନ୍ତି । କବି ଖଗେଶ୍ୱର ଜନ୍ମରୁ ଅଚ୍ଛବ ମା ଭୁଲକିର କ୍ଷୀରପାନ କରିଥିଲେ ଏବଂ ‘ହରିଜନ ଗୁହାରୀ’ ଭଳି କବିତାରେ ନିଜକୁ ଅଛୁଆଁ ଭାବରେ ବିଦିତ କରାଇଛନ୍ତି।୩

ତିନିଜଣ ଯାକ କବିଙ୍କ ପ୍ରତିଭା ଦୁଃଖ ଓ ଦାରିଦ୍ର‌୍ୟର ପଙ୍କପୂର୍ଣ୍ଣ ଜୀବନ ସରରେ ବିକଶିତ ହୋଇଛି । ତେବେ ଗଂଗାଧରଙ୍କ ଚାକିରୀ ଏବଂ ହଳଧରଙ୍କ ପ୍ରତିଷ୍ଠା ପରେ ସେମାନଙ୍କ ଆର୍ଥିକ ସ୍ଥିତି କିଛିକାଂଶରେ ସୁଧୁରିଛି । ଖଗେଶ୍ୱର ସାରା ଜୀବନ ଏ ଯନ୍ତ୍ରଣା ଭୋଗିଛନ୍ତି । ନିଜେ ଏହାର ସୂଚନା ଦିଅନ୍ତି କବି ସୁରଙ୍ଗୀ କାବ୍ୟରେ; ‘ଭୋଗିବାକୁ ବେଶି ଦୁଃଖ ଶୋକ ହିକ୍କା/ ଦୁର୍ଭାଗ୍ୟ ରାଜ୍ୟଟା ଆଣିଅଛି ଠିକା ।’ ଗୋପିନାଥ ମହାନ୍ତିଙ୍କ ସମେତ ବରଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ୱାକ୍ଷରରେ ୧୯୪୭ରେ ପ୍ରକାଶିତ ‘ନିବେଦନ’ରେ କବିଙ୍କ ପରିଚୟ ଏଭଳି ଦିଆହୋଇଛି । “ଏ କବି ଜାତିରେ କୈବର୍ତ, ସାମାଜିକ ସ୍ତରରେ ଚାଷୀ ମୂଲିଆ ସ୍ତରର xxx କବି ମୂଲ ଲାଗନ୍ତି, ଜଙ୍ଗଲରୁ କାଠ କାଟିଆଣି xxx ଏବଂ ମୁଢ଼ି ଲିଆ ଭାଜନ୍ତି ।” ବିଭିନ୍ନ କାରଣରୁ ଖଗେଶ୍ୱର କୌଣସି ଗ୍ରାମରେ ସ୍ଥିର ହୋଇ ବସବାସ କରି ନାହାନ୍ତି । ଜୀବନକାଳରେ ସ୍ପଷ୍ଟବାଦିତା ଓ ସତ୍ୟାନୁବର୍ତିତା ନିମନ୍ତେ କବି ବାର ଥର ଗ୍ରାମାନ୍ତର ହୋଇଛନ୍ତି । ସର୍ବମୋଟ ଦଶ ଖଣ୍ଡ ଗାଁରେ କବି ବସବାସ କରିଥିବାର ପ୍ରମାଣ ଉପଲବ୍ଧ ।୪

ତିନି

ପଏର୍ଛାସତୀର ରଚନାକାଳ ୧୯୪୨ ରୁ ୧୯୪୫ ମଧ୍ୟରେ ହୋଇଥିବାର ସୂଚନା ମିଳେ୫ । ସ୍ୱତନ୍ତ୍ର ପୁସ୍ତକ ଭାବରେ ପଏର୍ଛାସତୀ ପ୍ରଥମେ ୧୯୪୯ ମସିହାରେ ପ୍ରକାଶିତ ହୋଇ ଜନାଦୃତି ଲାଭ କରେ । ବଜାରରେ ଏ ପୁସ୍ତକର କାଟ୍‌ତି ହେତୁ କଟକର ଜଣେ ବ୍ୟବସାୟୀ ‘ସଚିତ୍ର ଓ ବୃହତ୍ ପଏର୍ଛାସତୀ’ ନିଜ ନାମରେ ପ୍ରକାଶ କରନ୍ତି । କବିଙ୍କ ନଜରକୁ ଏ ବହି ଆସିବା ପରେ ସେ ନ୍ୟାୟାଳୟର ଆଶ୍ରୟ ନେବାକୁ ଚିନ୍ତା କରନ୍ତି । ତେବେ ସଂପୃକ୍ତ ବ୍ୟବସାୟୀ କ୍ଷମାଭିକ୍ଷା କରିବା ପରେ ଘଟଣାର ଅବସାନ ହୁଏ । ଏ ସଂପର୍କିତ ବିବାଦ ସଂପର୍କରେ କବି ଭିନ୍ନ ପ୍ରସଙ୍ଗରେ ତାଙ୍କ ଗଦ୍ୟରଚନା ‘ରଚକ ଓ ସମାଲୋଚକ’ପ୍ରବନ୍ଧରେ ସୂଚନା ଦେଇଛନ୍ତି ।୬ପଏର୍ଛାସତୀର ଏ ପ୍ରଥମ ଛପାବହି ତଥା କଟକରୁ ପ୍ରକାଶିତ ବିବାଦୀୟ ପୁସ୍ତକ ସଂପ୍ରତି ଦୁଷ୍ପ୍ରାପ୍ୟ ।

ପଏର୍ଛା ସତୀ ପ୍ରକାଶନ ସମୟରୁ ହିଁ ମିଶ୍ରିତ ପ୍ରତିକ୍ରିୟା ଲାଭ କରିଛି । ଏହାର ଲଳିତ ସାଙ୍ଗୀତିକ ପଦବିନ୍ୟାସ ତଥା ସାମାଜିକ ଆବେଦନ ସାଧାରଣ ପାଠକ ଓ ଶ୍ରୋତାଙ୍କୁ ଆକୃଷ୍ଟ କରିଥିବା ବେଳେ କେତେକ ସାହିତ୍ୟକ ଏହାର ଉତ୍କଟ ବିରୋଧୀ ହୋଇଯାଇଛନ୍ତି । କବି ଓଡ଼ିଆ ଭାଷାରେ ଏହାର ମୁକ୍ତାନୁବାଦ କରିଛନ୍ତି; କେବଳ ଓଡ଼ିଆ ପାଠକଙ୍କ ବୋଧଗମ୍ୟ ହେବ ବୋଲି ନୁହେଁ, ପଏର୍ଛା ସତୀର ଯଥାର୍ଥତା ପ୍ରତିପାଦନ ପାଇଁ । ଏ ଓଡ଼ିଆ ଅନୁବାଦ ମୂଳ କୃତିର ଛାୟାରେ ପ୍ରଭାବିତ ହେବା ଫଳରେ ପ୍ରାୟତଃ ଅନାଲୋଚିତ ରହିଛି । ଉଲ୍ଲେଖଯୋଗ୍ୟ ଯେ ମୂଳ କୃତିର ଏହା ଆକ୍ଷରିକ ଅନୁବାଦ ନୁହେଁ । ଉଦାହରଣ ସ୍ୱରୂପ ନିମ୍ନ ପଦକୁ ନିଆଯାଉ ।

ପୂରୁବ ସତୀଙ୍କ ଖ୍ୟାତି ମିଳିବକି ପୂରୁବ ସୁକୃତି ବିନା?

ପରେଚ୍ଛା ସତୀ ବି ହୋଇ ନ ପାରିବି ପରିଛା ସତୀ ମୁଁ ସିନା ।

ମୂଳ ପଏର୍ଛାସତୀରେ ପରେଚ୍ଛା ଶବ୍ଦ ପ୍ରସଂଗ ନାହିଁ । ଓଡ଼ିଆ ଅନୁବାଦରେ ଏହାକୁ କବି ପାଦଟୀକାରେ ପର ଇଚ୍ଛାରେ ଯେଉଁମାନେ ସତୀ, ପର୍ଦ୍ଦା ଅବରୁଦ୍ଧା ସ୍ତ୍ରୀ ବୋଲି ଅର୍ଥ ନିର୍ଦ୍ଦେଶ କରିଛନ୍ତି ।

ପୁନଶ୍ଚ

ବାଜୁଥିତା ଡୁବି ତବଲା ଗିନି

ନାଚୁଥିତିଁ ମୁଇଁ ସାଜୋ ପିନ୍ଧି

ଦେଖୁଥିତେ ଲୋକ ଟିକଟ ଘିନି

ନଟୀ ବଏଲେଁ ହଁ ବଲତିଁ..

ନଟୀ ସମ୍ବଲପୁରୀରେ ଏକ ଅପଶବ୍ଦ ଭାବରେ ମଧ୍ୟ ବ୍ୟବହାର ହୁଏ ଏବଂ ନାୟିକା ଏ ଶବ୍ଦରେ ଅପମାନିତ ବୋଧ କରିଛି । ତେବେ ନାଚଗୀତକୁ ବ୍ୟବସାୟ ଭାବରେ ଗ୍ରହଣ କରିଥିଲେ ସିନା ତାକୁ ନଟୀ କୁହାଯାଇପାରନ୍ତା! ଏ ଭାବକୁ କବି ପ୍ରାଂଜଳ ଭାବରେ ବୁଝାଇବାକୁ ଅଧିକ ପଦ ଓ ଯୁକ୍ତି ଯୋଡ଼ିଛନ୍ତି, ରାଧିକା ଓ ସିନେମାର ନାୟିକାର କଥାର ଅବତାରଣା କରିଛନ୍ତି ।

ନଟୀ ସେହି ସିନା ନାଚେ ଯେ ନବୀନା ନାଟକୁ କରି ଜୀବିକା,

ନଟୀରାଣୀ ସେ ତ ଯାର ନୃତ୍ୟଗୀତ ଟିକଟରେ ହୁଏ ବିକା ।

ନଟବର କୃଷ୍ଣ ସଙ୍ଗେ ଗୋପୀଗଣ ନାଚୁଥିଲେ ଦିନରାତି,

ଜଟିଳା କୁଟିଳା ନଟୀ ବୋଲି ଦେଲେ ରାଧିକାକୁ ଅପଖ୍ୟାତି ।

ଟକି ସିନେମାରେ ଟୋକୀଟିଏ ଥରେ ଦେଖାଇଲା ଯେଉଁ ନାଟ,

କହୁଥିଲେ ଲୋକେ ପ୍ରାଣ ଥିଲେ ପାଇ- ଥାନ୍ତା ସେ ମେଡାଲ ପାଟ ।

ଏଥିରୁ ମୋ ନାଚେ କି ବାହାଦୂରି ବା ତଥାପି ବୋଲନ୍ତି ନଟୀ,

ମାନ ଅପମାନ ଯାହା ଥାଉ ମୋତେ ବାଧେ ଏ ‘ନଟୀ’ ପଦଟି ।

 

ଓଡ଼ିଆ ପଏର୍ଛାସତୀର ପାଦଟୀକାରେ କବି ଆବଶ୍ୟକ ସ୍ଥଳରେ ଶବ୍ଦ ମାନଙ୍କର ଅର୍ଥ ନିର୍ଦ୍ଦେଶ କରିଛନ୍ତି । ଉଭୟ କୃତିର ତୁଳନାତ୍ମକ ଅଧ୍ୟୟନ ଖଗେଶ୍ୱର ସାହିତ୍ୟକୁ ବୁଝିବାର ସହାୟକ ହେବ ।

୧୯୫୮ରେ ଏକାଡେମୀ ଦ୍ୱାରା ପ୍ରକାଶିତ ଖଗେଶ୍ୱର ଗ୍ରନ୍ଥାବଳୀରେ ଉଭୟ ପଏର୍ଛା ସତୀ (ମୂଳ ସମ୍ବଲପୁରୀ ଓ ଓଡ଼ିଆ ମୁକ୍ତାନୁବାଦ) ସନ୍ନିବିଷ୍ଟ । ୧୯୭୩ରେ ଲେଖକଙ୍କ ଦ୍ୱାରା ପ୍ରକାଶିତ ହୁଏ ଖଗେଶ୍ୱର ଗ୍ରନ୍ଥାବଳୀର ପ୍ରଥମ ଭାଗ । ଏଥିରେ ମୂଳ ପଦ ସହିତ ଅନୁଦିତ ପଦ ମଧ୍ୟ ଏକତ୍ର ସ୍ଥାନିତ କରିଛନ୍ତି କବି । ଏହା ପରେ ୧୯୯୯ରେ ପ୍ରକାଶିତ ଖଗେଶ୍ୱର ଗ୍ରନ୍ଥାବଳୀର ତୃତୀୟ ଭାଗରେ ପ୍ରଥମ କାବ୍ୟ ଭାବରେ କେବଳ ସମ୍ବଲପୁରୀ ପଏର୍ଛାସତୀ ପ୍ରକାଶିତ ହୁଏ । ୨୦୧୭ ରେ ଖଗେଶ୍ୱରଙ୍କ ସମସ୍ତ ରଚନାକୁ ନେଇ ବରଗଡ଼ରୁ ପ୍ରକାଶିତ ଗ୍ରନ୍ଥାବଳୀରେ କେବଳ ସମ୍ବଲପୁରୀ ପଏର୍ଛାସତୀ ସଂଯୋଜିତ ହୁଏ, ମୁକ୍ତାନୁବାଦ କୌଣସି କାରଣରୁ ବାଦ୍ ପଡ଼ିଛି ।

୧୯୫୮ ଗ୍ରନ୍ଥାବଳୀର ପଏର୍ଛାସତୀ ୬୪ ପଦ ବିଶିଷ୍ଟ । ପରବର୍ତି ସମସ୍ତ ସଂସ୍କରଣରେ ରହିଛି ୭୦ ପଦ । କେଉଁ କାରଣରୁ ଛଅଟି ପଦ୭ ଏକାଡେମୀ ବାଦ୍ ଦେଇଛନ୍ତି ତାର କୌଣସି କାରଣ ଦିଆଯାଇନାହିଁ । ସୂଚନା ଯୋଗ୍ୟ ଯେ ଏକାଡେମୀ ଚଉତିଶା ଚନ୍ଦ୍ରକଳାର ‘କାଳିଆ ଠାକୁର’ ଛାନ୍ଦକୁ ବାଦ୍ ଦେଇ ସେ ସ୍ଥାନରେ ଚଉତିଶା ହୋଇ ନ ଥିଲେ ହେଁ ‘ନୃସିଂହନାଥ’ କୁ ସନ୍ନିବିଷ୍ଟ କରିଥିଲେ । ଏ ପରିବର୍ତନ ସପକ୍ଷରେ ମୁଖବନ୍ଧରେ ଗୌରୀକୁମାର ବ୍ରହ୍ମାଙ୍କ ମତ ହେଲା, “xxx ଖଗେଶ୍ୱର ଚନ୍ଦ୍ରଙ୍କର ଯେଉଁ ଷୋଳକଳା ଦେଖାଇବା ପାଇଁ ଷୋଳଟି ଛାନ୍ଦ ଏଥିରେ ସମାବେଶ କରିଛନ୍ତି, ସେଗୁଡ଼ିକ ମଧ୍ୟରେ କୌଣସି ବିଷୟଗତ ସମ୍ପର୍କ ନାହିଁ । xxx  ଚଉତିଶା ନିୟମରେ ରଚିତ ହୋଇଥିବା କେତୋଟି ଖଣ୍ଡକବିତା ଓ ଚଉତିରିଶ ପଦଥିବା ଅନ୍ୟ କବିତାକୁ ଏଥିରେ ଅନ୍ତର୍ଭୁକ୍ତ କରି କୌଣସି ଉପାୟରେ ଷୋଳ ସଂଖ୍ୟାର ପୂର୍ଣ୍ଣତା ସଂପାଦନ କରିବାକୁ ଶ୍ରୀ ଖଗେଶ୍ୱର ଚେଷ୍ଟା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପ ଆଦ୍ୟ ନିୟମରେ ରଚିତ ଚଉତିରିଶ ପଦକୁ କବି ଚଉତିଶା ବୋଲି ସ୍ଥିର କରି (ଚ.ଚ. ୧୪ଛା) ତାକୁ ଚଉତିଶା ଚନ୍ଦ୍ରକଳାରେ ଯୋଡ଼ି ଦେଇଛନ୍ତି । ଏକାଦଶ ଛାନ୍ଦରେ କବି ଯେଉଁ ଚଉତିଶାଟି ରଖିଥିଲେ, ତାହା କେତେକ କାରଣରୁ ପ୍ରକାଶେଯାଗ୍ୟ ବିବେଚିତ ନ ହେବାରୁ ଅନ୍ୟ ଏକ କବିତା ଦ୍ୱାରା ତାହାର ସ୍ଥାନ ପୂରଣ କରାଯାଇଛି । ଚଉତିଶା ନ ହୋଇଥିବା କବିତାକୁ କବି ଚଉତିଶାବୋଲି ଗ୍ରହଣ କରି ନିଜେ ତାକୁ ଏଥିରେ ସ୍ଥାନ ଦେଇଥିବାରୁ ଆଉ ଏକ ସେହିଭଳି ଅଚଉତିଶା କବିତାର ସମାବେଶଦ୍ୱାରା ଶୂନ୍ୟସ୍ଥାନ ପୂରଣରେ ଆପତ୍‌ତିର ଅବକାଶ ନାହିଁ ।”୮

ଖଗେଶ୍ୱରଙ୍କୁ ଲୋକଲୋଚନକୁ ଆଣିବାକୁ ଗ୍ରନ୍ଥାବଳୀର ପ୍ରକାଶନ ଏକାଡେମୀର ପ୍ରୟାସ ଏକ ସାଧୁ ଉଦ୍ୟମ । ତେବେ ମୁଖବନ୍ଧରେ ତତ୍କାଳୀନ ସଂପାଦକ ଏବଂ ସାର୍ବକାଳୀନ ପ୍ରବୀଣ ସମାଲୋଚକ ଗୌରୀକୁମାର ବ୍ରହ୍ମାଙ୍କ ଏମିତି କେତୋଟି ମନ୍ତବ୍ୟ କବି ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ନିମନ୍ତେ ସହାୟକ ହୋଇନାହିଁ । କବି ଏଥିରେ ମର୍ମାହତ ଏବଂ କବିଙ୍କ ପ୍ରଶଂସକମାନେ କ୍ଷୁବ୍ଧ ହେବା ସ୍ୱାଭାବିକ । ପରବର୍ତି କାଳରେ କବି ପୂର୍ବୋକ୍ତ ରଚକ ଓ ସମାଲୋଚକ ରେ ଏକଦେଶଦର୍ଶି ଓ ଧାରଣାନ୍ଧମାନଙ୍କ ଉଦାହରଣ ଦେବାବେଳେ ଏହାର ସବିଶେଷ ଆଲୋଚନା କରିଛନ୍ତି । ଚଉତିଶା ଚନ୍ଦ୍ରକଳାର ଚତୁର୍ଦ୍ଦଶ ଛାନ୍ଦକୁ ମୁଖବନ୍ଧର ଲେଖକ ଅଚଉତିଶା ବିବେଚନା କରିଥିବାରୁ କବି ମଙ୍ଗଳାଚରଣରେ ସୂଚିତ “ପ-ପୂର୍ବାନୁପ୍ରାସ ଦେଇଛି ଯେ ପ୍ରାସ କବି ବିନା ତାହା କେ ବୁଝିବ?” ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । କବିଙ୍କ ମତରେ ସଂପୃକ୍ତ ସମାଲୋଚକଙ୍କ ଧାରଣାନ୍ଧତା ଧର୍ତବ୍ୟ ନୁହେଁ “କାରଣ ଲେଖକ ମହାଶୟ ତ କବି ନୁହନ୍ତି ।”

‘କବିଙ୍କ ସାରସ୍ୱତ ଜୀବନର ପ୍ରାଣବାୟୁ ସ୍ୱରୂପ ଋଷିପ୍ରତିମ ବିରଳ ଶିକ୍ଷକ’ ସୁସାହିତ୍ୟକ ହଟକିଶୋର ପାଣିଗ୍ରାହୀ । ଖଗେଶ୍ୱର ରଚନାବଳୀକୁ ନିଜର ସୁନ୍ଦର ହସ୍ତାକ୍ଷରରେ ଲେଖି ସାଇତି ରଖି ସେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ରୀ ପାଣିଗ୍ରାହୀ କବିଙ୍କ ଚଉତିଶା ଉପରେ ବିସ୍ତୃତ ଆଲୋଚନା କରି ‘ମଞ୍ଜୁ ଓ ମଞ୍ଜୁଷ।।’ରେ ୧୫ ପ୍ରକାର୯ ଏବଂ ‘ଚଉତିଶା ଚନ୍ଦ୍ରକଳା’ ରେ ୧୭ ପ୍ରକାର ଚଉତିଶାର୧୦ ପ୍ରୟୋଗ ଦେଖାଇଛନ୍ତି । ସେ ଚତୁର୍ଦ୍ଦଶ ଛାନ୍ଦରେ ପ୍ରୟୋଗ ହୋଇଥିବା ଚଉତିଶାର ପ୍ରଥମ ବର୍ଣ୍ଣ ‘ପ’ ଏବଂ ଦ୍ୱିତୀୟ ବର୍ଣ୍ଣସବୁ ଚଉତିଶା କ୍ରମରେ ରଚିତ ହୋଇଥିବାରୁ ଆଦ୍ୟାନୁପ୍ରାସମଧ୍ୟା ଚଉତିଶା ବୋଲି ଅଭିହିତ କରିଛନ୍ତି । ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର (୨୦୧୭) କବି ସମୁଦାୟ ୬୮ଟି ଉଚ୍ଚମାନର ଚଉତିଶା ୩୭ ଟି ବିଭିନ୍ନ ରୀତିରେ ରଚନା କରିଛନ୍ତି ବୋଲି ସୂଚନା ଦିଅନ୍ତି । ତନ୍ମଧ୍ୟରୁ ୩୨ ଟି ଚଉତିଶା ରୀତି କବିଙ୍କ ମୌଳିକ ଏବଂ ଅଭିନବ ସୃଷ୍ଟି ।୧୧

ପଏର୍ଛାସତୀର ପୂର୍ବୋକ୍ତ ଛଅ ପଦ (ପାଦଟୀକାରେ ସନ୍ନିବିଷ୍ଟ) ବାଦ୍ ଦେବାର ପ୍ରତିକ୍ରିୟା କବିଙ୍କ ରଚନାରେ ଦୃଷ୍ଟିଗୋଚର ହୁଏ ନାହିଁ । ଆମେ ଏବେ ଏସବୁ କାରଣ କେବଳ ଅନୁମାନ ହିଁ କରିପାରିବା । ପଂଚମ, ଷଷ୍ଠ ଏବଂ ତ୍ରୟୋବିଂଶ ପଦକୁ ଏକ ନିର୍ଦ୍ଦିଷ୍ଟ ଜାତି ବିରୋଧରେ, ୬୬ତମ ପଦକୁ ସିନେମା ଶିଳ୍ପର ଆରମ୍ଭ କାଳରେ ସିନେପ୍ରେମୀ ନାରୀମାନଙ୍କ ବିରୋଧରେ ଆକ୍ଷେପ ମନେ କରାଯାଇଥିବ । ଶେଷ ଦୁଇପଦ ବାଦ୍ ଦେବାର କୌଣସି କାରଣ ଜଣା ପଡ଼ୁନାହିଁ । ପଏର୍ଛା ସତୀର ପ୍ରଥମ ସଂସ୍କରଣ ମିଳୁ ନଥିବାରୁ ଏହି ପଦମାନ ପରେ ରଚିତ ହୋଇଥିବାର ମଧ୍ୟ ଯୁକ୍ତି ଦିଆଯାଇପାରେ । ତେବେ ଏ ପ୍ରସଙ୍ଗ ଅଧିକ ଗବେଷଣା ସାପେକ୍ଷ ।

ପଏର୍ଛା ସତୀ ସଂପର୍କରେ ରାଜାରାମ ମେହେର, ହଟକିଶୋର ପାଣିଗ୍ରାହୀ, ଉତ୍ପନ୍ନ କୁମାର ଭୋଇ, ମୋହନ ସାହୁ, ପ୍ରୀତିଶ ଆଚାର୍ଯ୍ୟ, ସୁବାସ ମେହେର ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରିଛନ୍ତି । ପଏର୍ଛାସତୀର ଭୂମିକାରେ କେଶବ ମେହେର (୧୯୫୦) ଏହାକୁ ସମ୍ବଲପୁରୀ ଭାଷାରେ ‘ଅଭିନବ ଓ ସର୍ବପ୍ରଥମ କାବ୍ୟ’ ବୋଲି ଅଭିହିତ କରିବା ସହିତ “ଏହାର ନାୟିକା, ବିଷୟବସ୍ତୁର ଚିତ୍ରଣ ଓ ରଚନାଶୈଳୀ ତଥା ଆଳଂକାରିକ ଛଟା ଆମ ଓଡ଼ିଆ ସାହିତ୍ୟରେ ସଂପୂର୍ଣ୍ଣ ନୂତନ”୧୨ ବୋଲି ମତ ବ୍ୟକ୍ତ କରିଛନ୍ତି । ତତ୍କାଳୀନ ପାଠକଙ୍କ ମାନସିକତାକୁ ଲକ୍ଷ୍ୟ କରି ‘ମନ୍ଦିରର ବହିର୍ଭାଗରେ ମୁକ୍ତ ଯୁଗଳ ଚିତ୍ରାବଳୀ ସଂସ୍ଥାପନ’ ମୂଳରେ ଥିବା ଆଦର୍ଶ ମନସ୍ତାତ୍ୱିକ କାରଣର ଅବତାରଣା କରିବା ସହିତ ପଏର୍ଛା ସତୀର ଚରିତ୍ର ଚିତ୍ରାଙ୍କନ ସେହି ଆଦର୍ଶର ଛାୟା ବୋଲି ସୂଚନା ଦେଇଛନ୍ତି । ମୁକ୍ତାନୁବାଦ ପଏର୍ଛାସତୀର ଆରମ୍ଭରୁ ସ୍ଥାନିତ ‘ସୂଚନା’୧୩ରେ (୧୯୫୮) କବି ନିଜେ ଏକ ସୁଦୀର୍ଘ ଆଲୋଚନା କରିଛନ୍ତି । ସମ୍ବଲପୁରୀ ପଏର୍ଛାସତୀ ସ୍ୱତନ୍ତ୍ର ପୁସ୍ତକ ଭାବରେ ପ୍ରକାଶିତ ହେବାପରେ ବିବାଦୀୟ ହୋଇଥିବାରୁ ଏ ସୂଚନାରେ କବି ନିଜ ମତ ରଖିଛନ୍ତି । “ପଏର୍ଛାସତୀ ସଧବା ନୁହେଁ କିମ୍ବା ବିଧବା ନୁହେଁ-ପତିବ୍ରତା ସତୀ ନୁହେଁ, ମିଥ୍ୟାଭାଷିଣୀ ଅସତୀ ନୁହେଁ । ସୂକ୍ଷ୍ମ ଦୃଷ୍ଟିରେ ପୁଣି ପରିଚୟ ଦେବାକୁ ହେଲେ ଏଇ ପଏର୍ଛାସତୀଟି ଯୁଗୋପଯୋଗିନୀ ସମାଜ ସଂସ୍କାରିକା ମେହେନ୍ତରାଣୀ, ତାଚ୍ଛଲ୍ୟ ଦୃଷ୍ଟିରେ- ସ୍ୱାର୍ଥାନ୍ଧ ପକ୍ଷପାତୀ ସମାଜର ଆମୋଦ ପ୍ରଦାୟିନୀ କ୍ରୀଡ଼ା ପୁତ୍‌ତଲିକା ।” ପୁନଶ୍ଚ ଏ ସୂଚନାରେ କବି ପୁରାଣ ବର୍ଣ୍ଣିତ ସାବିତ୍ରୀ, ସୀତା, ଦମୟନ୍ତୀ, ଦ୍ରୌପଦୀ ଆଦି ସତୀମାନଙ୍କର ଆଲୋଚନା କରିଛନ୍ତି । ତାଙ୍କ ମତରେ “ମାହାତ୍ମ୍ୟପୂର୍ଣ୍ଣ ହେଲେ ମଧ୍ୟ ଯେଉଁ ବିଷୟ ବା ଘଟନାଟି ସ୍ୱାଭାବିକ ନୁହେଁ- ବାସ୍ତବ ଜୀବନ ସଙ୍ଗେ ଜଡ଼ିତ ନୁହେଁ- ତାହା ଆଦର୍ଶ ଜୀବନ ଗଢ଼ିବାକୁ କଦାପି ସମର୍ଥ ହୋଇ ପାରେନା । xxx କଳ୍ପନାପ୍ରସୂତ ମହର୍ଷି, ମହାପୁତୁଷ, ସତୀସାଧ୍ୱୀଙ୍କର ମାନମର୍ଯ୍ୟାଦାରେ, ପ୍ରତିଷ୍ଠାରେ ବରଂ ବାଧା ପଡ଼ୁ, ନିର୍ବିଚାର ପୁରାଣ ବିଶ୍ୱାସର ମସ୍ତକରେ ତର୍କଣାର ଚଡ଼କ ପଛେ ପଡ଼ୁ; ସତ୍ୟର ମୃତ୍ୟୁ ନ ଘଟୁ – ଏହା ହିଁ କବିର ଆଦର୍ଶ କବିତ୍ୱ, ପଣ୍ଡିତର ପୂଜ୍ୟ ପାଣ୍ଡିତ୍ୟ ।” କବିଙ୍କ ପୁରାଣ ପ୍ରତି ମନୋଭାବରେ ଦୟାନନ୍ଦ ସରସ୍ୱତୀଙ୍କ ପ୍ରଭାବ ସ୍ପଷ୍ଟ । ତେବେ ସୂଚନାର ଉପସଂହାରରେ ଖଗେଶ୍ୱର ସ୍ପଷ୍ଟ କରିଛନ୍ତି ଯେ “ପଏର୍ଛାସତୀର ଦୋଷଗୁଣ ବର୍ଣ୍ଣନା ଗୋଷ୍ଠୀଗତ ଗେୟ ନୁହେଁ, ବ୍ୟକ୍ତିଗତ ଧ୍ୟେୟ; ରସାସ୍ୱାଦନରେ ଉପଭୋଗ୍ୟ ନୁହେଁ ଅନୁଭବ୍ୟ ।”

ଚାରି

ଖଗେଶ୍ୱର ସ୍ୱଭାବତଃ ସ୍ପଷ୍ଟବାଦୀ, ସଂସ୍କାରବାଦୀ ଏବଂ ମାନବବାଦୀ ଥିଲେ । ଏହାର ପ୍ରତିଫଳନ ତାଙ୍କ କାବ୍ୟ କବିତାରେ ସୁଲଭ । ନିମ୍ନସ୍ଥ ଦୁଇଟି ଉଦାହରଣ ପଏର୍ଛାସତୀର ମୂଲ୍ୟାୟନରେ ସହାୟକ ହେବ ବୋଲି ଆଶା ।

୧.           ଖଗେଶ୍ୱରଙ୍କ ସୀତା ରାମଚନ୍ଦ୍ରଙ୍କ ସୁର୍ପଣଖାର ନାସାକର୍ଣ୍ଣ ଛେଦନ ଆଦେଶ ବିରୋଧରେ ପ୍ରତିବାଦ କରିଛନ୍ତି ।୧୪ ଏହି ‘ଅବିଚାର ଆଦେଶ’ ସୀତାଙ୍କ ନାରୀ ସ୍ୱଭାବରେ କ୍ଳେଶ ଦେଇଛି । ଅହଲ୍ୟା ଭଳି ସୁର୍ପଣଖା ପଥର ନୁହେଁ, ସେ ତ ରକ୍ତମାଂସର ନାରୀ । ଏହି ପ୍ରେମ-ଭିକାରିଣୀକୁ ଏମିତି ମରଣରୁ ବଳିଗଲା ଭଳି ଲଜ୍ଜା ଅପମାନ ଉଚିତ ହେଲା ନାହିଁ ।

କାମ ଉନ୍ମାଦିନୀ ହେଲେଁ ହେଁ କେଡ଼େ ସରଳା ବାଳା,

ଛିଣ୍ଡାଇ ଦେଲ ତା ଆଶାର ମଧୁମାଳତୀମାଳା!

‘ସ୍ୱାମୀ ପ୍ରତି ବ୍ୟଥିତପ୍ରାଣା ସୀତା’ କବିତାରେ ସୁର୍ପଣଖା ପ୍ରତି ସଂବେଦନା ପ୍ରକଟ ଏବଂ ରାମଚନ୍ଦ୍ରଙ୍କ ନିଷ୍ପତତିର ଆଲୋଚନା କରୁଥିବା ଏକ ବ୍ୟଥିତପ୍ରାଣା ସୀତାଙ୍କ ପରିକଳ୍ପନା ଅଭିନବ ଏବଂ ଆଧୁନିକ । ପଏର୍ଛା ସତୀକୁ ବୁଝିବାକୁ ଏ କବିତା ଏକ ସୋପାନ ।

୨.           ନାରୀ ଉପରେ ଯାତନାର ଅନ୍ୟ ଏକ ଉଦାହରଣ ଦ୍ରୌପଦୀ ବସ୍ତ୍ରହରଣ । ମହାଭାରତରେ ପଶା ଖେଳରେ ପରାଜିତ ପାଣ୍ଡବ ପତିମାନଙ୍କ ସମ୍ମୁଖରେ ହସ୍ତିନାର ରାଜସଭାରେ ଏକ ନାରୀକୁ ଲାଂଛିତ କରିବାର ପ୍ରୟାସ ହୋଇଛି । ଭଗବାନ ଶ୍ରୀକୃଷ୍ଣ ଲଜ୍ଜା ନିବାରଣ ନିମନ୍ତେ ଦ୍ରୌପଦୀଙ୍କୁ ବସ୍ତ୍ରଦାନ ଦେଇଛନ୍ତି । ସାରଳା ମହାଭାରତରେ ଏହାର ପ୍ରତିକ୍ରିୟା ସ୍ୱରୂପ ସତୀ ଦ୍ରୌପଦୀଙ୍କ ରୋଷାଗ୍ନୀରେ କୌରବ ଅନ୍ତଃପୁର ଜଳିବାର ଏକ ପ୍ରସଂଗ ବହୁଚର୍ଚ୍ଚିତ । ଅନ୍ତଃପୁରର ରାଣୀ ଭାନୁମତୀ ଜୀବନ ଆକୁଳରେ ରାଜସଭାକୁ ବାହାରି ଆସନ୍ତି । ଦ୍ରୌପଦୀଙ୍କୁ ବିବସନା କରିବାରେ ବ୍ୟସ୍ତ କୌରବଙ୍କ ରାଣୀ ହିଁ ସଭାରେ ବିବସନା ହୁଅନ୍ତି । କାବ୍ୟିକ ନ୍ୟାୟ ଅନୁସାରେ ଏହା ଯଥାର୍ଥ ପ୍ରତୀତ ହୋଇପାରେ, ତେବେ ଏ କଥା ସ୍ପଷ୍ଟ ଯେ ଉଭୟ କ୍ଷେତ୍ରରେ ନାରୀମାନେ ହିଁ ଅପମାନିତା ହୋଇଛନ୍ତି । ଖଗେଶ୍ୱର ଏହି ପ୍ରସଙ୍ଗରେ ଭାନୁମତୀଙ୍କୁ ଏକ ଅଭିନବ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି । ୧୫ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ନେଇ ଖଡ୍‌ଗଧାରିଣୀ, ମୁକ୍ତକେଶା, ସିନ୍ଦୂର ରଞ୍ଜିତା, ରକ୍ତାମ୍ବରା ନିର୍ବେଶା କୌରବରାଣୀମାନେ ଭାନୁମତୀଙ୍କ ନେତୃତ୍ୱରେ ଦ୍ରୌପଦୀଙ୍କ ମାନରକ୍ଷା ନିମନ୍ତେ ରାଜସଭାକୁ ଅଗ୍ରସର ହୋଇଛନ୍ତି । କବିଙ୍କ ଅନ୍ତିମ ରଚନା ‘ଅଗ୍ନିଶିଖା’ର ମୁଖବନ୍ଧରେ ହଟକିଶୋର ପାଣିଗ୍ରାହୀ (୧୯୮୫)ରେ ଭାନିମତୀଙ୍କ ଭୂମିକାକୁ “ପୁରୁଷ ଜାତିର ଅନ୍ୟାୟ ଆଚରଣର ତୀବ୍ର ପ୍ରତିବାଦ କରିବାକୁ ..ନାରୀ ମର୍ଯ୍ୟାଦା ରକ୍ଷା ଉଦ୍ଦେଶ୍ୟରେ ନାରୀଜାଗରଣ ଓ ବୈପ୍ଳବିକ ଅଭିଯାନ”ବୋଲି ଅଭିହିତ କରିଛନ୍ତି ।

ଏଥିରୁ ସ୍ପଷ୍ଟ ଯେ ଖଗେଶ୍ୱର ସମାଜରେ ଏକ ନୂତନ ନାରୀର କଳ୍ପନା କରିଛନ୍ତି । ଏ ନାରୀ ରକ୍ଷଣଶୀଳ ପୁରୁଷକୈନ୍ଦ୍ରିକ ସମାଜର ନୀତି ନିୟମ ମାନୁଥିବା ଆଦର୍ଶ ପୁତତଲିକା ନୁହେଁ । ଖଗେଶ୍ୱରଙ୍କ ନାରୀ ବାସ୍ତବବାଦୀ ରକ୍ତମାଂସର ମଣିଷ । ପ୍ରଣୟ ବଲ୍ଲରୀର ଚତୁର୍ଥ ସର୍ଗରେ ଗଂଗାଧରଙ୍କ “ସ୍ୱାମୀ ଯା କହିବେ ଦୁଷ୍କର ହେଲେହେଁ ପାଳନେ ହେବୁ ତତ୍ପର..”ନବବଧୂ ନିମନ୍ତେ ଏକ ସଦା ମାନନୀୟ ଉପଦେଶ ଭାବରେ ଗୃହୀତ । କିନ୍ତୁ ଖଗେଶ୍ୱରଙ୍କ ‘ନୂଆଁ ଭୁଆଷୁଣି’ରେ ଏହାର ଯୁକ୍ତିଯୁକ୍ତ ପ୍ରତିବାଦ ସୂଚିତ । ଯାହା କହିବେ ନୁହେଁ.. “ସ୍ୱାମୀର ସଦିଚ୍ଛା ପୂରଣ ଦିଗରେ ନ ଗଣିବୁ କଷ୍ଟ ଆପଦ,” କିନ୍ତୁ “ମନା କରିଥିବୁ ଥିବ ତୋ ସ୍ୱାମୀର ଯଦ୍ୟପି ମନ୍ଦ ଆଚରଣ.. ।”୧୬

ପାଂଚ

ପଏର୍ଛାସତୀ ନିମନ୍ତେ ଉଦ୍ଦିଷ୍ଟ ପାଂଚଟି ଅପଶବ୍ଦ- ବାଂଝେନ, ଛାରରୀ, ଘଏତାଖାଇ, ନଟୀ ଓ ବିଛାତି । ବିବାହ ପୂର୍ବରୁ ମାଆ ହୋଇଛି ଏ ନାୟିକା ଏବଂ ଲୋକଲଜ୍ଜା ଭୟରେ ସନ୍ତାନକୁ ତାର ସଂପର୍କିୟମାନେ ହତ୍ୟା କଲାବେଳେ ତାକୁ ବଂଚେଇବାକୁ କାକୁତି ମିନତି କରିଛି । କେଉଁ ଦୋଷରେ ସେ ଛାଡ଼ପତ୍ରୀ ହେଲା ତାକୁ ଜଣା ନାହିଁ । ତେବେ ତାର ସ୍ୱାଭିମାନ ପଏସାମୁଡ଼ି ଭଳି ବର ଘରକୁ ଯିବାରୁ ବିରତ କରିଛି । ବୁଢ଼ା ବରକୁ ବାହା ହେବା ପରେପରେ ହିଁ ବିଧବା ହୋଇଛି, କିନ୍ତୁ ସାମାଜିକ ଶୃଙ୍ଖଳାକୁ ବେଖାତିର କରି ଚୂଡ଼ି ଭାଙ୍ଗିନାହିଁ ।

କାର୍ତିକ ବୁଡ଼ ପକେଇବାକୁ ସାଙ୍ଗସାଥୀଙ୍କୁ ଡାକିହାକି ନେଉଥିବା ଏ ନାୟିକା କଳହୀ ନାରୀଙ୍କୁ ଦୂରେଇ ରଖିବାକୁ ତଥା ନିଜକୁ ସାଜିମାଜି ହେବାରେ ଅଧିକ ସମୟ ଦେବାକୁ ପୋଖରୀର ପୁରୁଷ ଘାଟରେ ଗାଧାଏ । ନାମ କୀର୍ତନ ହେଲେ ଅଯାଚିତ ଭାବରେ ପାଣି ଆଣିବା କାମରେ ଲାଗିଯାଏ । ବାବାଜୀ ମାତାଜୀ ଆସିଲେ ରାତି ସାରା ସେମାନଙ୍କ ସେବା ଭକ୍ତି କରେ । ସେମାନେ ସାଙ୍ଗରେ ନେବାକୁ ଚାହିଁଲେ ବି ଗାଁ ଛାଡ଼ି ଯାଏ ନାହିଁ । ବିବିଧ ଅପଖ୍ୟାତି ଦେଇଥିଲେ ବି ତା ଗାଆଁମାଟିକୁ ଗଂଗା ଗୟାଦି ତୀର୍ଥଠାରୁ ଅଧିକ ପାବନ ମନେ କରେ ।

ପଏର୍ଛାସତୀ ଏକ ଅଣପାରଂପରିକ ବିଚିତ୍ର ଚରିତ୍ର । ନୈତିକତାର ଶୃଙ୍ଖଳାରେ ସୃଜିତ ଚରିତ୍ରମାନେ ଷୋଳଅଣା ଭଲ ବା ଗୋଟିପଣେ ମନ୍ଦ ହୋଇପାରନ୍ତି । ତେବେ ବାସ୍ତବ ଜୀବନରେ ଚରିତ୍ରସବୁ ବୈଚିତ୍ର‌୍ୟମୟ । ଏ ନାୟିକା ଗାଁ ନାଟରେ ଦୂତର ପ୍ରେମରେ ପଡ଼ିଯାଏ, ଦଣ୍ଡ ନାଟରେ ଦୂତୀ ସାଜିଥିବା ପୁରୁଷ କଳାକାରକୁ ସ୍ୱପ୍ନ ଦେଖେ, ପାଲାଗାୟକଠୁଁ ଶାଢ଼ୀ ଉପହାର ନିଏ । ହରିହାଟରେ ଦୂର ଗାଆଁ ଯାଇ ଦିନଦିନ ମିତ ମହାପ୍ରସାଦଙ୍କ ଘରେ ରହିଯାଏ, ବଡ଼ ବଡ଼ିଆଙ୍କ ଘରେ ମାସମାସ ଅତିଥି ହୁଏ ।

ଧାଜ ଗୋରୀ ନହେଲେ ବି ଦେବୀ ଭଳି ଏ ନାୟିକା, କେହି ଯୁବା ତା ସହିତ ଭେଟଣା ହେଲେ ବର୍ତିବା କଷ୍ଟ । କଜଳଲଗା ବିଜୁଳିବତୀ ପାଇଥିବ ତ ସାରା ରାତି ଚମକୁଥିବ । ସ୍ୱାସ୍ଥ୍ୟବତୀ ଏ ନାୟିକା । କେବେ ବାନ୍ତି ହେଲେ ଔଷଧ ଆସେ ଗଉଁନ୍ତିଆଙ୍କ ଠାରୁ । ଏ ‘ମଲମଲି କଅଲକତି’, ‘ଛାଏଦେଖୀ ରସବତୀ’ ର ଠାଣୀ ଦୃପ୍ତ, ଚାଲି ଚଲଣରେ ଭୟ ଭୀତିର ଲେଶ ନାହିଁ । ଏକା ରହେ ସେ ନିଜ ଘରେ । ନିଜ ଘର, ନିଜ ଅଳଂକାର, ନିଜ ଦେହ ମନ ଉପରେ ନିଜର ଅଧିକାର । ଖଗେଶ୍ୱରଙ୍କ କଳ୍ପନାର ଏ ନାୟିକା ସାହିତ୍ୟରେ ଏକ ବିରଳ ଚରିତ୍ର ।

ଭାରତୀୟ ସାହିତ୍ୟରେ ନଗରବଧୂ ଚରିତ୍ରସବୁ ବେଶ୍ ଜଣାଶୁଣା । ପୁରାଣମାନଙ୍କରେ ଏ ଚରିତ୍ର ଶୁଭସୂଚକ ଭାବରେ ଚିତ୍ରିତ ।ବୌଦ୍ଧ ସାହିତ୍ୟରେ ସମାଜରେ ଏକ ସମ୍ମାନଜନକ ସ୍ଥାନ ପାଇଛି ଆମ୍ରପଲ୍ଲୀ ଭଳି ଚରିତ୍ର । ଦେବସଭାର ଅପ୍‌ସରାଠାରୁ ମଧ୍ୟଯୁଗର ଚଉଷଠି କଳାରେ ପ୍ରବୀଣା ଗଣିକା, ମନ୍ଦିରର ଦେବଦାସୀ, ମୁସଲିମ ଶାସନ କାଳରେ କୋଠେବାଲୀ, ଏବଂ ଆଧୁନିକ କାଳରେ ବିଭିନ୍ନ ନାମରେ ଏ ଭଳି ଚରିତ୍ରର ଅବତାର ହୋଇଛି । ଏ ଚରିତ୍ରମାନଙ୍କୁ କେବଳ ପୁରୁଷର ନାରୀ ନିର୍ଯ୍ୟାତନା ଦୃଷ୍ଟିରେ ନୁହେଁ, ପୁରୁଷର ଆଧିପତ୍ୟକୁ ଆହ୍ୱାନ ଭାବରେ ମଧ୍ୟ ଆଲୋଚନା କରାଯାଇପାରେ । ପଏର୍ଛାସତୀ ଏ ଧାରାର ଚରିତ୍ର ମାନଙ୍କର ଏକ ଆଧୁନିକ ଗ୍ରାମୀଣ ସଂସ୍କରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯତ୍ନର ସହିତ କବି ଖଣ୍ଡକାବ୍ୟର ପ୍ରଥମାର୍ଦ୍ଧରେ ଏ ଚରିତ୍ରକୁ ଚିତ୍ରଣ କଲାପରେ ତା ମୁହଁରେ ସମାଜର କେତେକ ମୁଖ୍ୟ ବ୍ୟଭିଚାର ବିରୋଧରେ ମନ୍ତବ୍ୟ ଖଂଜିଛନ୍ତି ।

ଗାଆଁମାନଙ୍କରେ ଜାତିରୁ ବାସନ୍ଦ କରିବାର ପ୍ରଥାର ଅସାରତାର ତୀବ୍ର ସମାଲୋଚନା କରି ଏ ନାୟିକା କହିଛି, “ଜାଏତ୍ ଗଲା ମୋର୍ କିଏ ଦେଖିଛେ/ ଇ ଯୁଗର୍ ଜାଏତ୍ କିଏ ରଖିଛେ/ ଉପ୍‌ରେଁ ସୁନାର୍ ଫୁଲ୍ ଫୁଟିଛେ, ଭିତର୍ ଯାକର୍ ଗୁବର୍ ଛତି ।”ତାର ପ୍ରେମ ସଂପର୍କକୁ ନେଇ ସାମାଜିକ ଛି ଛି ର ଉତତର ଦେବାକୁ ଏ ନାୟିକା କୁଣ୍ଠିତା ହୋଇନାହିଁ । ପ୍ରେମ ତ ସେବା ଏବଂ ତାହାହିଁ ତାର ବାଡ଼ିବୁରତି । ମନ୍ଦିର ଗାତ୍ରରେ ଥିବା ନଗ୍ନ ମୂର୍ତିର ଭୂମିକା ଯାହା, ସେ ସମାଜରେ ତାହା ନିର୍ବାହ କରୁଛି । ରସିଆ ନାଗର, ଅତରମଖା, କଷିପାନଖିଆ, ବତରଚଖା, ରଖନୀରଖା, ମନପରଖା; ଏ ସମସ୍ତଙ୍କ ମନ ମୋହିପାରୁଥିବା ନାୟିକା ଏ ପଏର୍ଛାସତୀ । ତା କଥାଭାଷାରେ ଜାତିଆମାନଙ୍କର ପ୍ରତିକ୍ରିୟା ଅନୁମେୟ । ତେବେ ସେ ଫୁତ୍କାରକୁ ପଏର୍ଛାସତୀର ପରବାଏ କରେନାହିଁ । “ପଚ୍ କଲା ମୁଇଁ ଥୁକି ନେଲେଁ କି/ ରଚ୍ କର୍‌ସି ତାକର୍ ଛାତି।”

ମନୁସ୍ମୃତିର ଅବତାରଣା କରିଛି ଏ ନାୟିକା । ଉଚ୍ଚ ଜାତିର ନିୟମ ଅନୁସାରେ ନାରୀ ପୁରୁଷର ବୈଷମ୍ୟ ଭୟଙ୍କର । ନାରୀ ପରିବାରରେ ତତଲା ରାନ୍ଧିବ କିନ୍ତୁ ବାସି ଖାଇବ । ପୁରୁଷକୁ ସବୁ ମାଫ । ମା ଦଶମାସ ଗର୍ଭରେ ଧାରଣ କରିବ, କିନ୍ତୁ ସନ୍ତାନ ପିତା ନାଆରେ ପରିଚିତ ହେବ । ସୂଚନାଯୋଗ୍ୟ ଯେ ନାରୀର ଅଧିକାର ନିମନ୍ତେ ସ୍ୱର ଉତ୍ତୋଳନ କରୁଥିବା ଏ କାବ୍ୟ ଭାରତୀୟ ସଂବିଧାନ ସଂରଚନାର ପୂର୍ବରୁ ପ୍ରକାଶିତ ।

୧୯୪୯ରେ ପ୍ରକାଶିତ Simon De Beauvoir ଙ୍କ Second Sex ପୁସ୍ତକରେ Myth of Eternal Feminineର ଶାଶ୍ୱତ ନାରୀତ୍ୱ ମିଥ୍ ର ଆଲୋଚନା କରନ୍ତି ।ଏ ମିଥ ସମାଜ ବ୍ୟବସ୍ଥାରେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ନାରୀର ଚିନ୍ତା ଚେତନାକୁ ଆୟତ୍‌ତ କରି ରଖେ । ଏତଦ୍ଦ୍ୱାରା ନିଜର ବ୍ୟକ୍ତିସତ୍‌ତାକୁ ଉପେକ୍ଷା କରି ଏକ ଅପହଂଚ ଆଦର୍ଶର ସନ୍ଧାନରେ ନାରୀ ସଦାବେଳେ ଛନ୍ଦିହୋଇଯାଏ । ଆମର ପୁରାଣରେ ଅନେକ ସତୀଙ୍କ ଆଖ୍ୟାନ ନାରୀ ନିମନ୍ତେ ଶାଶ୍ୱତ ଆଦର୍ଶ ଭାବରେ ସ୍ୱୀକୃତ । ତେବେ Simon De Beauvoir ଙ୍କ ମତରେ ନାରୀର ସାମର୍ଥ୍ୟ ସତ୍ୱେ ଏ ମିଥ ଯୋଗୁଁ ସେ ମୁକ୍ତ ଜୀବନର ବୈଶ୍ୱିକ କାର୍ଯ୍ୟଧାରାରୁ ବିରତ ରହି ସୀମିତ, ଘରୋଇ, ଦୈନନ୍ଦିନ କାମରେ ବନ୍ଦୀ ହୋଇଯାଏ । ପୁରୁଷ ହିଁ ମଣିଷ, ନାରୀ ନୁହେଁ । Man is human, woman is not.  ପୁରୁଷ କର୍‌ତା ଏବଂ ନାରୀ ଏକ ଉପଲକ୍ଷ୍ୟ ମାତ୍ର ।

ପାରଂପରିକ ସାହିତ୍ୟ ତଥା ଲୋକମାନସରେ ପୁରୁଷ ଓ ନାରୀର ପ୍ରେମ ସଂପର୍କକୁ ଭ୍ରମର ଓ ଫୁଲ ସହିତ ତୁଳନା କରାହୁଏ । ଭ୍ରମର କର୍ତା ଏବଂ ଫୁଲ ଉପଲକ୍ଷ୍ୟ । ଖଗେଶ୍ୱର ଏହାର ଏକ ଓଲଟ ଚିତ୍ରର କଳ୍ପନା କରିଛନ୍ତି । କେବଳ ଭ୍ରମର ନୁହେଁ, ଭ୍ରମରୀ ମଧ୍ୟ ଫୁଲ ପ୍ରତି ଆକର୍ଷିତା ହୁଏ । ଏଣୁ ପୁରୁଷ ଉପଲକ୍ଷ୍ୟ ଫୁଲ ହେଉ ଏବଂ ନାରୀ କର୍ତା ହେଉ ।

ଭମର୍ ପୁକର୍ ଭମ୍‌ରି ଅଛନ୍‌

ଅଁରରେ କାଏଁ ନାଇଁ ଚିନ୍‌ହିଛନ୍

ଭମ୍‌ରି ନେଇଁ ହଇଁ ମାଏଝିମାନେ

କାଂଜେ ହେତେ ମଲି ମାଲ୍‌ତି?

 

ସେମାନେ ହେଉନ୍ ମହକୀ ଫୁଲ

ଗହକି ହେବେ ମାହେଝି କୁଲ

ଶୁଖି ସଢ଼ି ଗଲେଁ ଫିକି ମାଡ଼ିନେବେ

ଫୁଲର୍ ଛାତି ବିଡ୍‌ବା ତାତି ।

ପୁରୁଷକୁ ଏହା ପୂର୍ବରୁ ସୁନା ଓ ନାରୀକୁ ଚୁନା ବୋଲି କହିଥିବା ପଏର୍ଛାସତୀ ଏବେ ସୁନାରି ହାତରେ ସୁନାର ଅବସ୍ଥାର ଅବତାରଣା କରିଛି ।

ଅଁରରେ ଜଦି ହେଲେ ସୁନା

ସୁନାରି ହେବେ ସୁନାରୀ ସିନା

ପୁଡ଼ାବେ ବୁଡ଼ାବେ ବିକ୍ରି ଗଲେଁ

ତଉଲି ନେବେ ମସା ରତି ।

ପ୍ରଥମ ନାରୀବାଦୀ ସାହିତ୍ୟ ଭାବରେ ପଏର୍ଛାସତୀ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ । ଖଗେଶ୍ୱର ପଏର୍ଛାସତୀକୁ ପୁରୁଷକୈନ୍ଦ୍ରିକ ସମାଜରେ ବିବିଧ ପ୍ରକାରର ପ୍ରତାରଣା ଓ ଲାଂଛନା ସହିଥିବା ଏକ ଚରିତ୍ର ଭାବରେ କେବଳ ଉପସ୍ଥାପିତ କରିନାହାନ୍ତି, ତାକୁ ନାରୀସମାଜର ଏକ ପ୍ରଗଲ୍‌ଭା ସଂଗ୍ରାମୀ ପ୍ରତିନିଧି ଭାବରେ ଚିତ୍ରଣ କରିଛନ୍ତି । ଖଗେଶ୍ୱର ନିଜ ଜୀବନ ଯନ୍ତ୍ରଣାକୁ ପଏର୍ଛା ସତୀର ସ୍ୱରରେ ରୂପାୟିତ କରିଛନ୍ତି । ଏଣୁ କେବଳ ନାରୀବାଦ ନୁହେଁ ଦଳିତ ଚେତନା ମଧ୍ୟ ଏ କାବ୍ୟରେ ପ୍ରକଟିତ ।

କାବ୍ୟର ଶୀର୍ଷକ ପଏର୍ଛାସତୀ । ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ ଚରିତ୍ରହୀନା ନାରୀ ପ୍ରତି ଆକ୍ଷେପ କରି ତାତ୍ସଲ୍ୟରେ ବ୍ୟବହାର କରାଯାଇଥାଏ। ତେବେ କାବ୍ୟର ଶେଷ ପଦମାନଙ୍କରେ ସତ୍ୟର ଜୟ ଜୟକାର ଥିବାରୁ ସତ କହୁଥିବାରୁ ଏ ନାୟିକା ପଏର୍ଛାସତୀ ବୋଲି ଗ୍ରହଣ କରାଯାଇପାରେ ।

ଯେନ ଠାନେ ମୁଇଁ ଯାହା କରସିଁ

ଯାହା ହଉ ପଛେ ସତ କହେସିଁ

ମୋର ମନେ ତ ପରତେ ଲାଗସି

ଧରମ ଅଛେ ସତ କଥାଥିଁ । ୬୮ ।

ଶେଷରେ-

ସତ କଥା ଯିଏ କହି ନାଇଁ ପାରେ

ସତ କଥାକେ ସହି ନାଇଁ ପାରେ,

ହେନ୍ତା ନିଲଜ ପାପୀମାନକର

କପିଲ ଧାରେଁ ପାପ ଛଡ଼ାତିଁ । ୭୦ ।

ପଏର୍ଛାସତୀ ର ବକ୍ତବ୍ୟରେ କବିଙ୍କ ଜୀବନଦର୍ଶନ ସୁସ୍ପଷ୍ଟ । ଏ ସଂକ୍ରାନ୍ତରେ ଖଗେଶ୍ୱର ଗ୍ରନ୍ଥାବଳୀ (୧୯୭୩) ରେ ସନ୍ନିବିଷ୍ଟ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତାଙ୍କ ମତ ପ୍ରଣିଧେୟ । “କାଳିଆ ଠାକୁର, ମାତା ମହନ୍ତ, ସମାଜ, ପଏର୍ଛାସତୀ ପ୍ରଭୃତିରେ ପ୍ରଚଳିତ ସମାଜର ବିବିଧ ରୀତି ପ୍ରତି ତାଙ୍କର ପ୍ରତିକ୍ରିୟାତ୍ମକ ସଚେତନତା, ସଂସ୍କାରକାମନା ମଧ୍ୟରେ ନୀତିବାଦିତା ଏବଂ ଆଦର୍ଶର ଯେଉଁ ନିରବଚ୍ଛିନ୍ନ ପ୍ରକାଶ ଦେଖୁଁ ତାହା କବି ଖଗେଶ୍ୱରଙ୍କ ସ୍ୱୀୟ ଜୀବନର ହିଁ ରୂପାୟନ….ା”

ପାଦଟୀକା

୧-           ଉଦ୍ଧୃତ ବାକ୍ୟାଂଶମାନ ଉପନ୍ୟାସରୁ ନିଆଯାଇଛି ।

୨-           ଗଂଗାଧରଙ୍କ ଜନ୍ମସ୍ଥାନ ବରପାଲି ଠାରୁ ମାତ୍ର ୧୬ କିମି ଦୂରରେ ଖଗେଶ୍ୱରଙ୍କ ଜନ୍ମସ୍ଥାନ ସରସରା । ଉଭୟ ପୁଣ୍ୟପୀଠକୁ ସଂଯୋଗ କରୁଥିବା ପଥଦ୍ୱୟ ପ୍ରାୟ ୫୦କିମି ଲେଖାଏଁ ହେବ ।

୩-           କବି ଖଗେଶ୍ୱର ନାଟକ ମଧ୍ୟ ଲେଖିଛନ୍ତି । ଅନେକ କବିତା ତାଙ୍କର ସଂଳାପଧର୍ମୀ । ନାଟ୍ୟକାର ଚରିତ୍ର ମୁହଁରେ ସଂଳାପ ଦେବାବେଳେ ବସ୍ତୁନିଷ୍ଠ ହେବା ଯୁୁକ୍ତିଯୁକ୍ତ । ତେଣୁ ହରିଜନ ଗୁହାରୀର ବକ୍ତା ସ୍ୱୟଂ କବି ନ ହୋଇ ପାରନ୍ତି । ତେବେ ଦଳିତ ଚରିତ୍ର ସହିତ କବିଙ୍କ ଏକାତ୍ମବୋଧର ଏହାକୁ ପ୍ରମାଣ ମନେ କରିବା ସମୀଚିନ ।

୪-           ଗ୍ରାମାନ୍ତର ପ୍ରସଂଗର ଅବଧାରଣା ନିମନ୍ତେ ନିମ୍ନ ସାରଣୀ ଦ୍ରଷ୍ଟବ୍ୟ ।

୧୯୦୬- ସରସରା- ଜନ୍ମ

୧୯୧୯- ସୁରଙ୍ଗୀପାଲି (ଫୁଲଝର)

୧୯୨୨- ପିତୃମାତୃ ବିୟୋଗ

୧୯୨୬- ପାଣିମୋରା (ମାମୁଁଘର)

୧୯୨୯-୧୯୪୬- ତାଳପଦର (ଶଶୁର ଘର)

୧୯୪୬-୧୯୫୭- ବୁରୋମାଳ

୧୯୫୭-୧୯୬୧- ତାଳପଦର (କୁମ୍ଭାରପଡ଼ା)

୧୯୬୧- ୧୯୭୧- ସର୍ଗିବାହାଲ

୧୯୭୧- ୧୯୭୨- ପଲସଦା

୧୯୭୨- ମିଠାପାଲି

୧୯୭୨-୧୯୭୩- ପଣଳିପାଲି

୧୯୭୩-୧୯୭୮-ବୁରୋମାଲ

୧୯୭୮-୧୯୮୭- ଝେଙ୍ଗନାଡିହି

୧୯୮୭ – ମହାପ୍ରୟାଣ

ଏ ତଥ୍ୟ ହଟକିଶୋର ପାଣିଗ୍ରାହୀଙ୍କ ରଚିତ ପୁସ୍ତକ ‘ସାହିତ୍ୟପ୍ରାଣ କବି ଖଗେଶ୍ୱର’ (୧୯୯୮) ଏବଂ ଖଗେଶ୍ୱର ଗ୍ରନ୍ଥାବଳୀ(୨୦୧୭)ରେ ସ୍ଥାନିତ ଡ. ମାନଭଞ୍ଜନ ପ୍ରଧାନଙ୍କ ‘କବି ଖଗେଶ୍ୱର ଶେଠ: ଏକ ବିସ୍ମୟ ପ୍ରତିଭା’ରୁ ଗୃହିତ ।

 

୫-           ୧୯୯୯ ମସିହାରେ ପ୍ରକାଶିତ ଖଗେଶ୍ୱର ଗ୍ରନ୍ଥାବଳୀ (ତୃତୀୟ ଭାଗ) ମୁଖବନ୍ଧରେ ରାଜାରାମ ମେହେର ଏହି ମତ ପୋଷଣ କରନ୍ତି ।

୬-           ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭ ରେ ସନ୍ନିବିଷ୍ଟ ଗଦ୍ୟ ରଚନା (୭୭୪-୮୦୪) ସାହିତ୍ୟାଲୋଚନାରେ ୧୦୫ ପ୍ରକାରର ‘ରଚକ ଓ ସମାଲୋଚକ’ଙ୍କ ସଜ୍ଞା ନିରୂପଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଅସଂଖ୍ୟ ଚଉତିଶାର କବି ଖଗେଶ୍ୱର ବର୍ଣ୍ଣାନୁକ୍ରମରେ ଏହା ସଜେଇଛନ୍ତି । ‘କୁତର୍କି’ ଆଲୋଚକର ଉଦାହରଣ ଦେବାବେଳେ ‘ସଚିତ୍ର ଓ ବୃହତ ପଏର୍ଛାସତୀ’ ପ୍ରସଙ୍ଗ ଉଠିଛି ।

୭-           ବାଦ୍ ପଡ଼ିଥିବା ପଦମାନ ନିମ୍ନରେ ଦିଆଗଲା । ପଦ କ୍ରମାଙ୍କ ୨୦୧୭ ଗ୍ରନ୍ଥାବଳୀରୁ ଅଣା ହୋଇଛି ।

(୫)

ଘଏତାଖାଇ ବଏଲେଁ ହେଲେଁ

କାଏଁ କରବେ ସହି ନେଲେଁ?

ପଏତାପିନ୍ଧା ଝି ନୁହେଁ ତ

ରହିଗଲେ ଭାଏଲ୍ କୁହି ଯାଏତିଁ ।

(୬)

ବାଲୁତ୍ ରାଆଁଡ଼ି ପାପର ଡରେଁ

ସଢ଼ି ଯାଏଥିବା ବାପର ଘରେଁ;

ଟଁଟି ଭିଜାଲେ ଝିଇକେ ପାପ୍‌

ବାପ୍ ଚାଖୁଥିବା ନାର୍‌ଙ୍ଗୀ ଲେତି ।

(୨୩)

ପୁରାନ୍ ବସାଲେଁ ଗାଆଁଯାକ

ମୋର ଚିହ୍ନାର୍ ଯେତେ ଗାହାକ,

ଯିଏ ଆସୁ ବି କାଏଁ ପଁଡ଼ା ଦାସ

କାଏଁ ମିଶ୍ର, ଦେବତା, ପତି ।

(୬୬)

ସିନେମା ରସେଇ ଯେତେ ଧାଙ୍ଗ୍ରୀ

ଶହେଥିଁ ନବେ ପାପର ଚାଙ୍ଘ୍ରୀ,

ତାହାକୁଁ ଚାହେଁଲେଁ ଖଲିଚାଟି ମୁଇଁ

ସେ ତ ସହରୀ ବିଲାତି କୁତୀ ।

(୬୯)

ଯେନ୍ ମାନ୍‌କର୍ ଝି ବହେନ୍‌

ଚାଲ୍ ଚଲନ୍ ଭାରି ଅଏନ୍‌,

କାଏଁ ଲାଜ୍ ଡର୍ ସେମାନକୁଁ

ଝି ବହ ଯାର୍ ସତର୍ ସତୀ ।

(୭୦)

ସତ୍ କଥା ଯିଏ କହି ନାଇଁ ପାରେ

ସତ୍ କଥା ଯିଏ ସହି ନାଇଁ ପାରେ,

ହେନ୍ତା ନିଲଜ୍ ପାପୀମାନକର

କପିଲ୍‌ଧାରେଁ ପାପ ଛଡ଼ାତିଁ ।

୮-           ଖଗେଶ୍ୱର ଗ୍ରନ୍ଥାବଳୀ (୧୯୫୮) ମୁଖବନ୍ଧ

୯-           ମଞ୍ଜୁ ଓ ମଞ୍ଜୁଷାର ଚଉତିଶା (ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭)ପୃ ୨

୧୦-        ଚଉତିଶା ଚନ୍ଦ୍ରକଳାରେ ପ୍ରଯୁକ୍ତ ଚଉତିଶା ରୀତି’(ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭)ପୃ୨୯

୧୧-        ଖଗେଶ୍ୱର ସାହିତ୍ୟ ସମୀକ୍ଷା, ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର (୨୦୧୭), ପୃ୩୮

୧୨-        ଖଗେଶ୍ୱର ଗ୍ରନ୍ଥାବଳୀ, ପଏର୍ଛାସତୀ, ଭୂମିକା (୧୯୫୮)

୧୩-        ଖଗେଶ୍ୱର ଗ୍ରନ୍ଥାବଳୀ, ପଏର୍ଛାସତୀ, ସୂଚନା (୧୯୫୮)

୧୪-        ସ୍ୱାମୀ ପ୍ରତି ବ୍ୟଥିତପ୍ରାଣା ସୀତା (ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭)ପୃ ୪୧୭

୧୫-        ଅଗ୍ନିଶିଖା (ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭)ପୃ ୩୧୮-୩୩୪

୧୬-        ନୂଆଁ ଭୁଆଷୁଣି, ଚଉତିଶା ଚନ୍ଦ୍ରକଳା ପଂଚମ ଛାନ୍ଦ (ଖଗେଶ୍ୱର ଗ୍ରନ୍ଥାବଳୀ ୨୦୧୭)ପୃ ୫୩

Share This Article
ନାଟ୍ୟକାର, ନାଟ୍ୟ ନିଦ୍ଦେଶକ
Exit mobile version