2020 ମସିହାରେ ପ୍ରଫେସର ବୀରେନ୍ଦ୍ର ନାୟକ ସାମ୍ପ୍ରଦାୟିକ ସମ୍ପ୍ରୀତିର ଉଦାହରଣ ଗୁଡିକୁ ସଂଗ୍ରହ କରି ସେହି ବାର୍ତ୍ତାର ପ୍ରଚାର ପ୍ରସାର କରିବା ପାଇଁ ସମଧ୍ୱନିକୁ ପ୍ରେରଣା ଦେଇଥିଲେ। ସେତେବେଳେ ସମଧ୍ୱନି ରାଜ୍ୟର ବିଭନ୍ନ ସ୍ଥାନରେ ଏହିଭଳି ଚିନ୍ତା ଓ ଚେତନାରେ ବ୍ରତୀ ହୋଇଥିବା ଅନେକ ଲେଖକ,କବି ଓ ସାମ୍ବାଦିକ ମାନଙ୍କ ସହିତ ଯୋଡି ହେବା ପାଇଁ ଓ କିଛି କିଛି ଘଟଣାକୁ ଲିପିବଦ୍ଧ କରିବାପାଇଁ ପ୍ରୟାସ ଆରମ୍ଭକଲା । ଏହିଭଳି ସମୟରେ ସମ୍ବଲପୁରର ସାମ୍ପ୍ରଦାୟିକ ଶକ୍ତିମାନଙ୍କର ଉତ୍ଥାନ ମନରେ ଅନେକ କ୍ଷୋଭ ସୃଷ୍ଟି କରୁଥାଏ । ଯାହାକିଛି ସମ୍ପ୍ରୀତିର ବାର୍ତ୍ତା ସେହି ଅଞ୍ଚଳରେ ଆଜିବି ବଞ୍ଚିକି ରହିଛି ଆଉଥରେ ସେହି ସମ୍ପ୍ରୀତିର ଉଦାହରଣକୁ ଲୋକ ଲୋଚନକୁ ଆଣିବା ଓ ସମ୍ପ୍ରୀତି ହିଁ ଆମ ସାମାଜିକ ଜୀବନକୁ ଏକାଠି ହୋଇ ବଞ୍ଚିବାରେ ସହଯୋଗ କରିବ ଏହିଭଳି ଏକ ବାର୍ତ୍ତାକୁ ତୋଳି ଧରିବାପାଇଁ ସମଧ୍ୱନି କିଛି କିଛି ପ୍ରୟାସ ଆରମ୍ଭ କରିଥିଲା ।
ସେହି ସମୟରେ ସମଧ୍ୱନିର ପୃଷ୍ଠାକୁ ସମ୍ପ୍ରୀତିର ବାର୍ତ୍ତାରେ ପରିପୃଷ୍ଠ କରିଥିଲେ କବି କୁମାର ହସନ । ସାମ୍ପ୍ରଦାୟିକ ସମ୍ପ୍ରୀତି ଓ “ମହାମିଳନର ମଧୁପର୍ବ” ବିଷୟରେ ଚର୍ଚ୍ଚା କରିବା ଅବସରରେ ସେ କହିଲେ ଯେ,, “ଓଡ଼ିଶା ମାଟି ଏମିତି ଏକ ମାଟି ଯେଉଁଠି ମୁସଲିମ ମାନେ ରଥଯାତ୍ରାରେ ଛେରା ପହଁରା କରନ୍ତି, ରଥ ଟାଣନ୍ତି, ଦୁର୍ଗାପୂଜା, ଜାଗର ଯାତ୍ରାର ଉଦ୍ୟୋକ୍ତା ହୁଅନ୍ତି । ଏଠି ହିନ୍ଦୁମାନେ ମୋହରମ, ଇଦ୍ପାଳନ୍ତି, ବିଭିନ୍ନ ପୀରବାବାଙ୍କ ମଜାରକୁ ଯାଇ ମାନସିକ କରନ୍ତି, ଚଦର ଚଢ଼ାନ୍ତି, ମିଳିମିଶି ଉଭୟ ସଂପ୍ରଦାୟର ପର୍ବପର୍ବାଣୀ ପାଳନ କରନ୍ତି, ଓଡ଼ଆ ଭାଷା କହନ୍ତି, ଧୋତି ପିନ୍ଧନ୍ତି, ଓଡ଼ିଆ ସାହିତ୍ୟ, ସଂଗୀତ ଆଦିରେ ଉତ୍କର୍ଷ ଲାଭ କରନ୍ତି; ଏମିତି ଏକ ମାଟି ଯେଉଠି ଅନେକ ଚାରପାଲି-ବରପାଲିର ରକ୍ଷଣଶୀଳ ବ୍ରାହ୍ମଣ ବୁଢ଼ାମାନେ ଦଙ୍ଗା ବେଳେ ଗାଁର ମୁସଲିମ ଗୌନ୍ତିଆ ପାଖରେ ଆଖପାଖରୁ ଆସି ଆଶ୍ରୟ ନେଇଥାନ୍ତି ଓ ମୁସଲିମ୍ ପରିବାର ସେମାନଙ୍କୁ କୁଣିଆ ଚର୍ଚ୍ଚା କରନ୍ତି; ସେମାନଙ୍କ ସୁରକ୍ଷା ପାଇଁ ହିନ୍ଦୁ ଯୁବକ ମାନଙ୍କୁ ଅସ୍ତ୍ର ଦେଇ ପହରା ବ୍ୟବସ୍ଥା କରି ଅଭୟ ବାଣୀ ଶୁଣାନ୍ତି ଯେ; ‘ହିନ୍ଦୁ ରକ୍ତର ନଈ ପାରି ହେଲା ପରେ ଯାଇ କେହି ଆମ ମୁସଲିମ ଭାଇମାନଙ୍କ ଦେହ ଓ ମନରେ ହାତ ମାରି ପାରିବ।’ ଏହିଭଳି ବଳିଷ୍ଠ ସମ୍ପ୍ରୀତିର ବାର୍ତ୍ତା ଥିଲା କବି କୁମାର ହସନଙ୍କର ।
ସାମ୍ପ୍ରଦାୟିକ ସମ୍ପ୍ରୀତିର ଉଦାହରଣ ଗୁଡିକ ଆଜିବି ସମଧ୍ୱନି ଓଡ଼ିଶାର କୋଣ ଅନୁକୋଣରୁ ସଂଗ୍ରହ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଯଦି କବି କୁମାର ହାସନ ଦାଦାଙ୍କ ପରି ଆପଣମାନେ ପାଠକ ଓ ବନ୍ଧୁ ଭାବରେ ସହଯୋଗ କରିବେ ଆମେ ଓଡ଼ିଶାର କୋଣ ଅନୁକୋଣରୁ ସେହି ସବୁ ସମ୍ପ୍ରୀତିର ଉଦାହାରଙ୍କୁ ଆଣି ଏକାଠି ସମସ୍ତଙ୍କ ନିକଟରେ ଉପସ୍ଥାପନ କରିପାରିବା । ଓଡ଼ିଶାରେ ଆଗାମୀ ଦିନରେ ସମ୍ପ୍ରୀତିର ସଂସ୍କୃତି ବଂଚି ରହିବା କ୍ଷେତ୍ରରେ ଏହା ନିଶ୍ଚୟ ଯୋଗଦାନ ଦେବ ।