କଥା କିଞ୍ଚିତ : ରାଗ ଭୈରବୀ

ଜୟଶ୍ରୀ ସାହୁ 383 Views
7 Min Read
ଯଥେଷ୍ଟ ଖୁସି ଥିଲେ ବି, ଭିତରେ ଭିତରେ ଭୟଟେ କୋରି ଖାଉଥିଲା ” କାଇଁ ଏଇ ଝୁଙ୍କଟା ମତେ ଲୋକହସା କରିବନି ତ…? ନିଦ ଉପରେ ମୋର ଆୟତ୍ତ ରହେନି ଜମ୍ମା । ରାତି ଦଶଟା ପରେ ଢୁଳେଇବାର ସମ୍ଭାବନା ଶତ ପ୍ରତିଶତ।:ପୁଣି,ଗଣିତ ସହ ଶାସ୍ତ୍ରୀୟ ସଂଗୀତର କୁଆଡେ ମାଁ ଝିଅର ସଂପର୍କ ,ଅଥଚ ଗଣିତରେ ମୁଁ ଗଧ । ଶାସ୍ତ୍ରୀୟ ସଙ୍ଗୀତ ବୁଝି ପାରିବି ତ ? ସବୁଠୁ ଗୁରୁତର ସମସ୍ୟା ହେଲା ,ଶାସ୍ତ୍ରୀୟ ସଂଗୀତ ରଜନୀରେ ଛାଁ କୁ ଛାଁ ଆସରକୁ ଓହ୍ଲେଇ ଆସୁଥିବେ ଦେବୀ,ଦେବତାମାନେ । ଅଥଚ ମୁଁ ପ୍ରଚଣ୍ଡ ନାସ୍ତିକ । ଏତେସବୁ ଅବଗୁଣ ଧରି ସୁଦ୍ଧା ସାରାରାତି ଆୟୋଜିତ ହେବାକୁ ଥିବା ଶାସ୍ତ୍ରୀୟ ସଂଗୀତ ସମାରୋହରେ ଯୋଗ ଦେବାପାଇଁ ରାଉରକେଲା ଯିବା ମୋ ପାଇଁ କେତେଦୂର ଠିକ ? କଳାପ୍ରାଣ , କଳାସଂଗଠକ, ବଂଧୁବତ୍ସଳ ସୁବର୍ଣ୍ଣପୁର ମାଟିର ବେଣୁଧର ପ୍ରଧାନ ଯେତେବେଳେ ଏ କାର୍ଯ୍ୟକ୍ରମ ବିଷୟରେ ଜଣେଇଥିଲେ,କେଜାଣି କାହିଁକି ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ହାତଛଡା କରିବାକୁ ଇଚ୍ଛା ହେଲାନି ।
ସେ ଦିନ ରାଉରକେଲାରେ ଅତିଥିଭବନ” ପଦ୍ମିନୀ ପେଲେସ ସତେ ଯେମିତି ପାଲଟିଭିଯାଇଥିଲା ଏକ ବହୁମୁଖୀ,ବାଦ୍ୟଯନ୍ତ୍ରର ସୁରମ୍ୟ ତାଜମହଲ । କୋଉ କୋଠରୀରୁ ଭାସି ଆସୁଛି ଗୀଟାରର ରାଗିଣୀ ତ କେଉଁଠୁ ହାରମୋନିୟମ ସଂଗେ ମନ୍ଦ୍ର ଗମ୍ଭୀର ରିୟାଜ । ଯୋଉ କୋଠରୀ ମତେ ଦିଆଗଲା, ସେଠି ମୋ ହାଲ୍ ସଙ୍ଗେ ସଙ୍ଗେ ବେହାଲ । ବିଶିଷ୍ଟ ନାରୀ କଳାକାରମାନଙ୍କ କଥାରେ,ଚାଲିରେ,ହସରେ,ବାସରେ କୋଠରୀଟି ସଂଗୀତରେ ମହମହ । ସେମାନଙ୍କ ସାନ୍ନିଧ୍ୟରେ ମୋ ଅବସ୍ଥା ମାଲ୍ୟାଣୀ ନଅରରେ ମାଛବାଲି ପରି ।କାହାକୁ କିଛି ନ କହି ଚାଲି ଆସିଲି ଆଉ ଗୋଟେ କୋଠରୀକି । କିଛି ସମୟ ପରେ ଜଣେ ଭଦ୍ରବ୍ଯକ୍ତି ଆସି ଖୁବ ନମ୍ର ଭାବରେ ମୋ କୋଠରୀରେ ଖୁବ ଅଳ୍ପ ସମୟ ପାଇଁ ଗୀତ ରିହର୍ସାଲ ପାଇଁ ଅନୁମତି ମାଗିଲେ । ଶାସ୍ତ୍ରୀୟ ସଂଗୀତକୁ ପ୍ରତ୍ୟକ୍ଷ ଭାବେ ଏତେ ପାଖରୁ ଅନୁଭବ କରିବା ଏଇ ମୋ ଜୀବନରେ ପ୍ରଥମ । ରାଗ ମଧୁଓ୍ବନୀର ଧ୍ବନି ତରଙ୍ଗରେ ମୋର ତଟସ୍ଥ ଅବସ୍ଥା । ଲାଗୁଥିଲା,ପ୍ରତିଟି ଜୀବକୋଷ ମୋର ଧୋଇ,ମାଜି ହେଇ ଯାଉଛନ୍ତି ଏ ମଧୁମୟ ଧ୍ବନି ତରଙ୍ଗରେ ।
ପ୍ରାରମ୍ଭିକ ସଂଗୀତ ପରେ ଏଇ ରାଗ ମଧୁବନିର ଏଇ କାର୍ଯ୍ୟକ୍ରମଟା ଥିଲା ରାତ୍ରୀ ଆସରର ଆଦ୍ୟ ଝଂକାର । ସଂଗୀତ ବ୍ୟତୀତ ବିନମ୍ରତାର ମଧ୍ୟ ସେ ଗୁରୁ ଥିଲେ ଢେଙ୍କାନାଳ ବାସିନ୍ଦା ସ୍ବନାମଧନ୍ୟ ଗୁରୁ ଯାମିନୀ ରଞ୍ଜନ ଦାସ ଆଉ ରାଗ ମଧୁବନିରେ ନିଜ ପ୍ରଚଣ୍ଡ ପ୍ରତିଭା ପ୍ରଦର୍ଶନ କରିଥିଲେ ତାଙ୍କ ସୁଯୋଗ୍ୟା ଶିଷ୍ୟା ସୁଶ୍ରୀ ଅଙ୍କିତା ପଣ୍ଡା । କେତେ ପ୍ରକାର ବାଦ୍ଯଯନ୍ତ୍ର, କେତେ ପ୍ରକାର ସଂଗୀତ, ଧୂନ୍, ତାଲ, ଭାରତର କେତେ ପ୍ରାନ୍ତରୁ ପ୍ରଚଣ୍ଡ ସାଧନାରତ ଖ୍ୟାତିମୟ ଶିଳ୍ପୀ ; ସମସ୍ତଙ୍କୁ ଖୁବ ଆକର୍ଷଣୀୟ ଢଙ୍ଗରେ ଶ୍ରୋତାଙ୍କ ସମକ୍ଷରେ ପରିଚିତ କରାଉଥାନ୍ତି ଯୁବ ଉଦଘୋଷକ ଡ଼ଃ.ଶ୍ରୀନିବାସ ଘଟୁଆରୀ । ପେଶାରେ ପ୍ରଶାସନିକ ଅଫିସର କିନ୍ତୁ ନିଶାରେ ଶାସ୍ତ୍ରୀୟ ନ୍ରୁତ୍ୟ ଓ ସଂଗୀତଶିଳ୍ପୀ ,ଅତ୍ୟନ୍ତ ସଂକ୍ଷେପରେ ଏତିକି ପରିଚୟ ତାଙ୍କର । ରାତିର ବୟସ ସାଙ୍ଗେ ତାଳ ଦେଇ ବଢି ଚାଲିଥାଏ ବାଦ୍ୟ ସଂଗୀତ ବିଚିତ୍ରା । ଅନ୍ୟାନ୍ୟ ଆସରଠୁ କେତେ ନିଆରା ସତେ ଏଇ ଆସରଟା ! କୁଆଡେ ଗଲା ମୋ ନିଦ, ମୋର ଭୟ ! ଗଭୀର ଆତ୍ମାନୁଭବରେ କିଛି ସମୟ ପାଇଁ ମୋର ଯୋଗିନୀ ରୂପାନ୍ତର ।
ଭିଲାଇରୁ ଆସିଥିବା ଭାଇ, ଭଉଣୀ ରାମଚନ୍ଦ୍ର ସର୍ପେ ଓ ପୁନମ ସର୍ପେଙ୍କ ତବଲା ବାଦନର ପ୍ରତ୍ୟକ୍ଷ ଶ୍ରୋତା ହେବା ଇ ଏକ ଆଚମ୍ବିତ ଅନୁଭବ । ଶୈଶବର ଧୂଳିଖେଳ ପରି ବୋଲ ହାକିବା ଆଉ ଅବଲୀଳାକ୍ରମେ ଅଙ୍ଗୁଳି ଚାଳନା ସମୟରେ ଭାଇ ଭଉଣୀ ଦୁହିଙ୍କ ଏକତ୍ର ଶିଶୁସୁଲଭ ସ୍ମିତହାସ୍ୟ ମୋ ପରି ଶ୍ରୋତା ପାଇଁ ସବୁଦିନ ପାଇଁ ହୃଦୟରେ ଅଙ୍କା ଏକ ଦୁର୍ଲଭ ଅନୁଭୂତି ।
ଅବୀର ମୁଖର୍ଜୀଙ୍କ ତବଲା ବାଦନ ପରେ ମୋ ପରି ମୁର୍ଖ ଭାବିଥିଲା ଶିଳ୍ପୀଙ୍କ ଆଙ୍ଗୁଠି ଫାଟି ଯାଇଥିବ । ପଚାରିଥିଲି ” ଆପଣଙ୍କ ଆଙ୍ଗୁଠି ଟିକେ ଛୁଇଁ ପାରିବି ? ” ଏକାଧିକ ଘଣ୍ଟାର ତବଲା ମାଡ ପରେ ବି ଏ ଶିଳ୍ପୀଙ୍କ ଆଙ୍ଗୁଠି ସବୁ ଲାଗୁଥିଲା ଶିଶୁର ଆଙ୍ଗୁଠି ପରି ମାତ୍ରାଧିକ ମୁଲାୟମ । ଜୀବନକୁ ଏତେ କମନୀୟ କରିପାରେ ସଂଗୀତ. !
ସବୁଠୁ ବେଶି ବିସ୍ମିତ କରୁଥିଲା ଶିଳ୍ପୀମାନଙ୍କ ବିନମ୍ରତା । ନା ଥିଲା ସାଧନାଗତ ଅହଂକାର, ନା ଲୋକପ୍ରିୟତାର ଔଦ୍ଧତ୍ୟ । ମଞ୍ଚରୁ ଓହ୍ଲେଇବା ପରେ କିଏ ଦରିରେ ବସି ପଡୁଥିଲେ ତ କିଏ ଚଉକିରେ । ତେବେ,ମଞ୍ଚରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଞ୍ଚ ସମ୍ମୁଖରେ ଶ୍ରୋତାଙ୍କ ବାରମ୍ବାର ଯିବାଆସିବା ବିରକ୍ତିକର ଲାଗୁଥିଲା । ହୁଏତ ମୋ ପରି ବାକି ଶ୍ରୋତାଙ୍କର ବି ସମାନ ଅବସ୍ଥା,ତ୍ରିଶଙ୍କୁ ଭଳି । ଏପଟେ ସମସ୍ତ କଳାକାରଙ୍କ ପରିବେଷଣକୁ ଆକଣ୍ଠ ଅନୁଭବ କରିବାର ଦୁର୍ବାର ଆକର୍ଷଣ ,ଅନ୍ୟ ପକ୍ଷରେ ମଞ୍ଚ ବାହାରେ କଳାକାରଙ୍କ ମୁହଁରୁ ଦୁଇପଦ ଶୁଣିବାର ଲୋଭ ଯଦିଓ ଉଭୟ ଏକକାଳୀନ ଅସମ୍ଭବ ।
ପୁରୀର ଶ୍ରୀମନ୍ଦିର ସେବକ ସତ୍ୟନାରାୟଣ ଗୁରୁଙ୍କ ସୀତାର ବାଦନ ଏବେବି ଝଙ୍କୃତ ହଉଛି ଆତ୍ମାରେ । ରାତି ଦୁଇଟା ବେଳେ ସେଇ ପୁରୀ ମାଟିର ତରୁଣ , ପ୍ରବୀଣ ବଟଗୋପାଳ ତ୍ରିପାଠୀଙ୍କ କଣ୍ଠରେ ଜୟଦେବଙ୍କ ” ଅୟି ଚାରୁଶୀଳେ ” ଶୁଣି ମୋର କାଇଁ ଅନୁଭବ ହେଲା, ଆଚାର୍ଯ୍ୟ ରଜନୀଶଙ୍କ ‘ ସମ୍ଭୋଗରୁ ସମାଧି ‘ ତତ୍ତ୍ୱର ଅପୂର୍ବ କମନୀୟ ସାଙ୍ଗୀତିକ ସଂସ୍କରଣ ଥିଲା ବଟଗୋପାଳଙ୍କ କଣ୍ଠରେ ” ଦେହି ପଦ ପଲ୍ଲବ ମୁଦାରମ.। “
ପ୍ରତିଟି କାର୍ଯ୍ୟକ୍ରମର ଅନୁଭବ ଅନନ୍ୟ । ଗୁରୁକୃପା,ଏକନିଷ୍ଠ ସାଧନାର ଫଳପ୍ରାପ୍ତ କରିଛନ୍ତି ଶିଳ୍ପୀମାନେ , ଉଦାହରଣୀୟ ପାରଦର୍ଶିତା ଲଭିଛନ୍ତି ନିଜ ନିଜ କଳାରେ । ହିନ୍ଦୁସ୍ଥାନୀ କଣ୍ଠ ସଂଗୀତରେ ମୌପାଲି ଚୌଧୁରୀ, ଆକାଶ ରଞ୍ଜିବ ବିଶ୍ବାଳ, ଓଡିଶୀ କଣ୍ଠ ସଂଗୀତରେ ଲକ୍ଷ୍ମୀପ୍ରିୟା ନାଏକ,ସାରଙ୍ଗୀରେ ସୁଧାଂଶୁ ହାଲଦାର, ବେହେଳାରେ ସାକେତ ସାହୁ,ମର୍ଦଳରେ ମାଧବ ଶ୍ରୀଚନ୍ଦନଙ୍କ ସମେତ ଆହୁରି ଅନେକ କଳାକାର ଓ ପୃଷ୍ଠପଟରେ ତବଲା ବିଶାରଦ ଇଂ.ରାଜକିଶୋର ପାଢୀଙ୍କ ପାଖରେ ଆମେ ଶ୍ରୋତାମାନେ ବିନୀତ ଭାବେ କୃତଜ୍ଞ ଏହି ଅନନ୍ୟ ଶାସ୍ତ୍ରୀୟ ସମାରୋହର ଶିଳ୍ପୀମାନଙ୍କ ନିକଟରେ । ବିଶେଷ କୃତଜ୍ଞ ଆୟୋଜକମାନଙ୍କଠାରେ ।
କୌତୂହଳର କଥା ହେଲା, ଏଭଳି ଏକ ନିଆରା କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ୟୋକ୍ତା ମଣ୍ଡଳୀର ଅନ୍ୟତମ ସଦସ୍ୟ ଥିଲେ ଡଃ ସୁଶାନ୍ତ ପାଣି, ଜଣେ ଏଲୋପାଥିକ ଡାକ୍ତର । ଉପସ୍ଥାପକ ଶ୍ରୀନିବାସ ଘଟୁଆରୀ ମଞ୍ଜ କଥାଟା କହିଥିଲେ ” ଡଃ ପାଣି ଦିନବେଳା ଲୋକଙ୍କ ଦୈହିକ ଅସୁସ୍ଥତାର ଚିକିତ୍ସା କରନ୍ତି ଆଉ ରାତି ହେଲେ ଆତ୍ମାର ଉପଚାରରେ ଲାଗି ପଡନ୍ତି “। ଡଃ ସୁଶାନ୍ତ ପାଣି ରାଉରକେଲାରେ, ସଙ୍ଗୀତ ଜଗତରେ ଜଣାଶୁଣା ସିନା, ମୋ ପରି ଶ୍ରୋତାମାନଙ୍କ ନିକଟରେ ଏକ ବିସ୍ମୟ, ଏକ ପ୍ରଚଣ୍ଡ ବ୍ୟତିକ୍ରମ । ସେଦିନ ମଞ୍ଚରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଅନେକ କଳାକାରଙ୍କ ସହ ହାରମୋନିୟମରେ ସଂଗତ କରିଥିଲେ ଶ୍ରୀଯୁକ୍ତ ପାଣି । ନିଜ ବରିଷ୍ଠତାର ପ୍ରୋଢୀ ଜାହିର ନ କରି ଲଘିଷ୍ଠକୁ ପ୍ରୋତ୍ସାହିତ କରି ଗରୀଷ୍ଠତାର ରାସ୍ତା ଦେଖାଏ ଯିଏ,ସିଏ ହିଁ ଯଥାର୍ଥ କଳାକାର – ଏକଥା ବୁଝି ହେଉଥିଲା ଡଃ ପାଣିଙ୍କ ସଙ୍ଗତ ଦେଖି । ସ୍ଥାନୀୟ ବିଶିଷ୍ଟ କଳାକାର ପ୍ରଦୀପ କୁମାର ପଣ୍ଡା ,ଶ୍ରୀମତୀ ବୀଣା ରଥ ଓ ସୁଶାନ୍ତ ପାଣିଙ୍କ ମିଳିତ କଣ୍ଠରେ ରାଗ ଭୈରବୀର ଗାୟନ ସହ ଏକ ଉଚ୍ଚାଙ୍ଗ , ଅନନ୍ୟ ସଙ୍ଗୀତ ଆସରର ମଧୁର ପରିସମାପ୍ତି ଘଟିଥିଲା । ଇସ୍ପାତ ସହରର ଛାତିରେ ଏମିତି ଏକ ନିଆରା ସମାରୋହର ମୁଖ୍ୟ ବିନ୍ଧାଣୀ ପ୍ରଦୀପ ପଣ୍ଡା ନିଜ ଇସ୍ପାତି ଗାଡିରେ ଆମମାନଙ୍କୁ ଛାଡି ଆସିବା ବେଳକୁ ବି ତାଙ୍କ କଣ୍ଠରେ ଓଡିଶୀ ସଂଗୀତର ରିଓ୍ବାଜ।
ସାକ୍ଷୀଭାବ ନେଇ ନିରୀକ୍ଷଣ କଲେ ସୁଦ୍ଧା ନିଜସ୍ବ ଦୃଷ୍ଟିକୋଣ ପରଷି ହେଇଯାଏ ଲେଖାରେ । ଏ ଦ୍ରୁଷ୍ଟିରୁ କାହାକୁ ଅତିଶୟୋକ୍ତି ଲାଗିପାରେ ମୋ ନିଜସ୍ବ ଅନୁଭବ ।ସତ କହୁଛି,ଚନ୍ଦ୍ରଯାନର ସଫଳତାରେ ଉଲ୍ଲସିତ ଭାରତୀୟଙ୍କ ଗହଣରୁ ଦୂରରେ ଛିଡା ହୋଇ ଏ କଳାକାରମାନଙ୍କ ସାଧନା ମତେ ଅଧିକ ଉଲ୍ଲସିତ କରିଥିଲା । ନିଜ ସ୍ବର, ଲୟରେ ଅଗଣିତ ମଣିଷଙ୍କ ଜୀବନରୁ ଅବଷାଦ ହଟେଇ ତାକୁ ପୁନର୍ବାର ପ୍ରାଣ ପ୍ରାଚୁର୍ୟ୍ଯରେ ଭରିଦେବାର କ୍ଷମତା ହାସଲ କରିଥିବା କଳାକାରଙ୍କୁ ଆମେ କେତେ ବା କୃତଜ୍ଞତା ଜଣେଇଛୁ ? ଅହୋରାତ୍ର ଜୀବଜନ୍ତୁଙ୍କ ସାଙ୍ଗୀତିକ ସ୍ବରକୁ କେତେ ବା କାନେଇଛୁ ? ରଙ୍ଗ, ପ୍ରାଣ ପ୍ରାଚୁର୍ୟ୍ଯଭରା ଅତି ଆପଣାର ଏ ପୃଥିବୀକୁ ପ୍ରଦୂଷିତ କରି ଅଧାପନ୍ତରିଆ ଅବସ୍ଥାରେ ଛାଡି ପୁଣି କେଉଁ ଗ୍ରହ, ଉପଗ୍ରହରେ ଜୀବନସଂଧାନରେ ବ୍ୟସ୍ତ ଆମେମାନେ ?
ଜୟଦେବ କଳାବିକାଶ କେନ୍ଦ୍ର,ରାଉରକେଲାର ଶାସ୍ତ୍ରୀୟ ସଂଗୀତ ସଂଧ୍ୟାର ଆୟୋଜକ ଓ କଳାକାରମାନଙ୍କୁ ବିନମ୍ର କୃତଜ୍ଞତା, ଯେଉଁମାନେ ପରୋକ୍ଷରେ ମୋର ଭୟ,ସଙ୍କୋଚ ଦୂର କରି ପୃଥିବୀକୁ ନେଇ, ସଭ୍ୟତାର ଭବିଷ୍ୟକୁ ନେଇ ମୋ ମନରେ ଅନେକ ପ୍ରଶ୍ନବାଚୀ ତିଆରିଲେ ।
Share This Article
ଇଂରାଜୀ ଭାଷାରେ ଅଧ୍ୟାପିକା, ବରଗଡ଼
Exit mobile version