[box type=”shadow” align=”” class=”” width=””]ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାମାଜିକ ଜୀବନରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି, ତାହାର ଚିତ୍ର ସ୍ଥାନ ପାଇପାରିଛି ଗାଳ୍ପିକ ହେମନ୍ତ ଦାସଙ୍କ ଲେଖନୀରେ। ଅତୀତର ସ୍ୱାଭିମାନୀ ଜାତୀୟ ଜୀବନ ଓ ମୂଲ୍ୟବୋଧର କିପରି ପତନ ଘଟିଛି ତାହାର ବର୍ଣ୍ଣନା ଦେଖିବାକୁ ମିଳେ ତାଙ୍କ ଗଳ୍ପରେ। ଗାଉଁଲି ଜୀବନର ନିଚ୍ଛକ ଚିତ୍ରକୁ ସେ ଯେମିତି ଜୀବନ୍ତ ଭାବରେ ନିଜ ଗଳ୍ପରେ ତୋଳି ଧରିଥାନ୍ତି । ଶିଳ୍ପସଭ୍ୟତାର ଯେଉଁ ଦ୍ରୁତ ଅଭିବୃଦ୍ଧି ଘଟିଛି, ତାହା ଗାଁର ପରିବେଶକୁ କେମିତି ବିଶୃଙ୍ଖଳିତ କରି ଜନଜୀବନକୁ ଅଥୟ କରୁଛି ତାହାର ଚିତ୍ର ତାଙ୍କ ଗଳ୍ପରେ ପ୍ରକାଶିତ । ଡକ୍ଟର ହେମନ୍ତ କୁମାର ଦାସଙ୍କ ଦ୍ୱାରା ଲିଖିତ ଗଳ୍ପ ସଂକଳନ ଗୁଡିକର ଏକ ସୁନ୍ଦର ସମୀକ୍ଷା ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଗବେଷକ କମଳ ମାହୁନ୍ତ ଯାହା ପାଠକ ମାନଙ୍କୁ ଏହି ଗଳ୍ପ ଗୁଡିକୁ ପଢିବା ପାଇଁ ପ୍ରେରଣା ପ୍ରଦାନ କରିବା ଆଶାରେ ଏଠାରେ ଆମେ ଉପସ୍ଥାପନ କରିଛୁ । – ସମ୍ପାଦକ[/box]
ଡକ୍ଟର ହେମନ୍ତ କୁମାର ଦାସ ଜଣେ ନାଟ୍ୟକାର ଭାବରେ ଓଡ଼ିଆ ପାଠକ ମହଲରେ ଯେତିକି ପରିଚିତ ହୋଇଛନ୍ତି ତା’ଠାରୁ ଅଧିକ ପ୍ରତିଷ୍ଠିତ ହୋଇଛନ୍ତି ନାଟ୍ୟ ସମାଲୋଚକ ଭାବରେ । ଲୋକନାଟକରୁ ଆରମ୍ଭ କରି ଅପେରା ପର୍ଯ୍ୟନ୍ତ ନାଟକର ବିଭିନ୍ନ ଦିଗ ଉପରେ ଗବେଷଣା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ନାଟକ ନୁହେଁ, ‘ମରଣୋତ୍ତର’ ‘ହସର ଠିକଣା’, ‘ମରୁତୀର୍ଥ’, ‘ସ୍ମୃତିର ଆକାଶ’, ‘ହେ ସୂର୍ଯ୍ୟ ହେ ଆକାଶ’, ‘ସବୁରି ପାଇଁ ଆକାଶ’, ‘ନଚିକେତା ସମ୍ବାଦ’, ‘ଏଇ ପୃଥିବୀ ଶରଶଯ୍ୟା’ ଆଦି ତାଙ୍କ ରଚିତ ଗଳ୍ପ ସଂକଳନ ଓଡ଼ିଆ କଥାସାହିତ୍ୟକୁ ସମୃଦ୍ଧ କରିଛି । ମାତ୍ର ନାଟ୍ୟକାର ହେମନ୍ତ କୁମାର ଦାସଙ୍କ ପାଖରେ ଗାଳ୍ପିକ ହେମନ୍ତ କୁମାର ଦାସ ଲୁଚିଯାଇଛନ୍ତି । ନାଟ୍ୟ ସମାଲୋଚନା ତାଙ୍କୁ ଯେଉଁ ପ୍ରସିଦ୍ଧି ଆଣି ଦେଇଛି ତାହା ସେ ଗଳ୍ପ ରଚନା କରି ପାଇପାରି ନାହାନ୍ତି ।
‘ସବୁରି ପାଇଁ ଆକାଶ’ ଡକ୍ଟର ଦାସଙ୍କର ଏକ ପ୍ରମୁଖ ଗଳ୍ପ ସଂକଳନ । ଏହା ‘ସାହିତ୍ୟ ପ୍ରତିଷ୍ଠାନ’ ମହମ୍ମଦିଆ ବଜାର, କଟକ-୨ଙ୍କ ଦ୍ୱାରା ୨୦୧୬ ମସିହାରେ ପ୍ରକାଶିତ । ‘ନଦୀକୂଳର ଏକ ଗାଁ’ଠାରୁ ଆରମ୍ଭ କରି ‘ସବୁରି ପାଇଁ ଆକାଶ’ ପର୍ଯ୍ୟନ୍ତ ୧୪ ଗୋଟି ଗଳ୍ପର ସମାହାର ଏଇ ସଂକଳନଟିରେ ରହିଛି ‘ରୋଗ ଓ ତା’ର ପ୍ରତିକାର’ ନାମରେ ଗୋଟିଏ ଅନୂଦିତ ଗଳ୍ପ । ପାରିବାରିକ ସମସ୍ୟା, ମାଟିର ମୋହ; ସର୍ବୋପରି ପ୍ରକୃତିପ୍ରୀତିର ଆବେଗ ପ୍ରତିଫଳିତ ହୋଇଛି ଏଇ ଗଳ୍ପ ସଂକଳନଟିରେ ।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାମାଜିକ ଜୀବନରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି, ତାହାର ଚିତ୍ର ସ୍ଥାନ ପାଇପାରିଛି ଗାଳ୍ପିକ ହେମନ୍ତ ଦାସଙ୍କ ଲେଖନୀରେ। ଅତୀତର ସ୍ୱାଭିମାନୀ ଜାତୀୟ ଜୀବନ କିପରି ମୋହଗ୍ରସ୍ତ ହୋଇପଡ଼ିଛି; ଚାକିରି, ଶିଳ୍ପ, ବ୍ୟବସାୟ ଓ ରାଜନୀତିକୁ ଭିତ୍ତିକରି କିପରି ନୂତନ ଅଭିଜାତ ଗୋଷ୍ଠୀର ଅଭ୍ୟୁଦୟ ଘଟିଛି; କୃଷିଭିତ୍ତିକ ସମାଜ କିପରି ସଂକୁଚିତ ହେବାକୁ ଲାଗିଛି; ମୂଲ୍ୟବୋଧର କିପରି ପତନ ଘଟିଛି; ସୁବିଧାବାଦୀ ନୂତନ ଉପଭୋଗୀ ଗୋଷ୍ଠୀର ପ୍ରତାରଣା ଓ ଶଠତା ସମାଜକୁ କିପରି କଳୁଷିତ କରିରଖିଛି – ସେସବୁର ଚିତ୍ର ଫୁଟିଉଠିଛି ‘ସବୁରି ପାଇଁ ଆକାଶ’ ଗଳ୍ପ ସଂକଳନରେ ।
‘ନଦୀକୂଳର ଏକ ଗାଆଁ’ ଗଳ୍ପରେ ଗାଳ୍ପିକ ଗଣତନ୍ତ୍ର ନାଁରେ କିଭଳି ଶୋଷଣତନ୍ତ୍ର ରାଜୁତି କରୁଛି ଓ ବିକାଶ ନାଁରେ ଶାସକଗୋଷ୍ଠୀ କିପରି ଦେଶକୁ ଲୁଣ୍ଠନ କରିଚାଲିଛନ୍ତି ତାହାର ବର୍ଣ୍ଣନା କରିଛନ୍ତି । ମାଧପୁର ଗ୍ରାମର ବର୍ଣ୍ଣନା କରି କହିଛନ୍ତି ଯେ; ସ୍ନେହ ମମତାରେ ବନ୍ଧା ଏଇ ଗ୍ରାମବାସୀ କୃଷକଠାରୁ ଆରମ୍ଭ କରି ଧୋବା, କେଉଟ, ତେଲି ସମସ୍ତେ ନିଜନିଜର କୌଳିକ ବୃତ୍ତିକୁ ଆଦରିନେଇ ଜୀବନ ଅତିବାହିତ କରୁଥିଲେ । ପାଇକା ନଦୀର ସୁନ୍ଦର ଅବବାହିକାରେ ବସତି ସ୍ଥାପନ କରି ଏମାନେ ସୁଖସ୍ୱାଚ୍ଛନ୍ଦ୍ୟରେ କାଳାତିପାତ କରୁଥିଲେ । କେଉଟ ସାହିରୁ ପାହାନ୍ତାରୁ ଶୁଣାଯାଉଥିଲା ଦୁମ୍ଦୁମ୍ ଢିଙ୍କି ପାହାର। ଗଉଡ଼ମାନେ ଗୁହାଳରୁ ଗାଈମାନଙ୍କୁ ବାହାରକୁ ଆଣି ଦୁହିଁବାର ବ୍ୟବସ୍ଥା କରୁଥିଲେ ଏବଂ ଘର ଭିତରେ ଗଉଡୁଣୀମାନେ ମଝିଖୁମ୍ବରେ ଗଛଖୁଆ ଭିଡ଼ି ଦହି ମୁହାଁଇବାରେ ଲାଗିଯାଉଥିଲେ । ଅଣ୍ଟାରେ ଖାଳେଇ ଆଉ କାନ୍ଧରେ ଜାଲବିଡ଼ା ପକାଇ କେଉଟମାନେ ଯାଉଥିଲେ ‘ପାଇକା’ ଗର୍ଭରୁ ଜୀବିକାର ସନ୍ଧାନରେ । ଗୁଡ଼ିଆମାନେ ପସରା ସଜାଇ ଗାଁ ଗାଁ ବୁଲି ବେପାର କରୁଥିଲେ । ଧୋବା-ଧୋବଣୀମାନଙ୍କର ଲୁଗାସିଝା ଆଉ ଇସ୍ଇସ୍ ଲୁଗାକଚା ଶବ୍ଦରେ ନଈତୁଠ ଉଛୁଳୁଥିଲା । ଘଣାରେ ଏକଆଖିଆ ବଳଦପଟେ ଯୋଚି ସୋରିଷ, ରାଶି କି ଚିନାବାଦାମ ପେଡ଼ିବାରେ ଲାଗିପଡ଼ୁଥିଲା ଦାମ ସାହୁ ତେଲି । ମାଧପୁର ଏପରି ଥିଲା କର୍ମମୁଖର । କେହି ବେକାର ନଥିଲେ । ସମସ୍ୟା ଥିଲା; ମାତ୍ର କ୍ଷୋଭ ନଥିଲା । ଅଭାବ, ଅନଟନ, ରୋଗ, ଶୋକ ଭିତରେ ବି ଲୋକେ ପ୍ରାଣଖୋଲି ହସୁଥିଲେ । ।
ଅଳ୍ପ କେଇଟା ଦିନ ଭିତରେ ବିକାଶ ନାଆଁରେ ମାଧପୁର ଚିତ୍ର ବଦଳିଯାଇଛି । ଗ୍ରାମର ବିକାଶ ଘଟିଛି, ଜନସଂଖ୍ୟା ବୃଦ୍ଧି ହୋଇଛି । ହାଇସ୍କୁଲ, ହେଲ୍ଥ ସେଣ୍ଟର୍, ମହିଳା ସମିତି, ସ୍ୱେଚ୍ଛାସେବୀ ସଂସ୍ଥା, କୈବର୍ତ୍ତ ସଭା, ଗୋପାଳ ସମିତି ସବୁ ଅଛି । ନୂଆଣିଆ ଚାଳଛପର ଘର ସ୍ଥାନରେ ଛିଡ଼ାହୋଇଛି ଟାଇଲ୍ କିମ୍ବା ଆଜବେଷ୍ଟସ୍ ଛପର ବା କୋଠାଘର । ଏକଦା ଖାଲଖମା କାଦୁଅ ରାସ୍ତା ପରିଣତ ହୋଇଛି ପିଚୁରାସ୍ତାରେ । ଯାତ୍ରାରେ ସଖୀପିଲା ସାଜୁଥିବା ଦ୍ୱିଜବର ପରିଡ଼ା ହୋଇଯାଇଛି ପାଞ୍ଚଖଣ୍ଡି ଗାଁର ସରପଞ୍ଚ । ଏସବୁ ବିକାଶ ଭିତରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ମାଧପୁରର ପ୍ରାକୃତିକ ଅବସ୍ଥା । ପାଇକା ନଦୀ ଶ୍ରୀହୀନ ହୋଇଯାଇଛି । ନଦୀ ପାଲଟିଯାଇଛି ବାଡ଼ବନ୍ଦୀ ଶସ୍ୟକ୍ଷେତ । ଠାଏଠାଏ ଯେଉଁ ପାଣି ରହିଛି ତାହା ଘଞ୍ଚ କଲିକତି ଦଳରେ ପୂର୍ଣ୍ଣ ହୋଇ ମ୍ୟାଲେରିଆ, ଟାଇଫଏଡ୍, କଲେରା ପ୍ରଭୃତି ପୂର୍ବ ଅଜ୍ଞାତ ରୋଗର ଉତ୍ସ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ନିର୍ବାଚନରେ ଚଞ୍ଚକତା, ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପାଣ୍ଠି ହେର୍ଫେର୍, ବି.ପି.ଏଲ୍. ଚାଉଳ ବଣ୍ଟନରେ ପାତରଅନ୍ତର, ସଡ଼କ ନର୍ମାଣ ଯୋଜନାରେ ମିଥ୍ୟା ଭାଉଚର ପ୍ରଦାନ କରି ଅର୍ଥ ଆତ୍ମସାତ୍, ମହାବାତ୍ୟାରେ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ତାଙ୍କର ପେନ୍ସନ୍ ହଡ଼ପ ଏବଂ ପ୍ରତିବାଦୀଙ୍କୁ ହତ୍ୟା ଇତ୍ୟାଦି ମାଳମାଳ ଅପରାଧ ଖୋଦ୍ ସରପଞ୍ଚ ଦ୍ୱିଜବର ପରିଡ଼ାଙ୍କ ନାମରେ । ଯିଏ ଶାସକ ସିଏ ହୋଇପଡ଼ିଛି ଶୋଷକ । ଗାଳ୍ପିକଙ୍କ ଭାଷାରେ, ହତ୍ୟା, ଧର୍ଷଣ, ଗୃହଦାହ, ଅପହରଣ ଭିତରେ ଶ୍ୱାସରୁଦ୍ଧ ହୋଇ ମାଧପୁରର ନାଭିଶ୍ୱାସ ଉଠୁଛି । କାନରେ ବାଜୁଛି ତା’ର ଆକୁଳ ଚିତ୍କାର । ବଞ୍ଚାଅ, ମୋତେ ବଞ୍ଚାଅ, କିଏ ତାକୁ ବଞ୍ଚାଇବ? ମୁମୂର୍ଷୁ ଶରୀରରେ ନବଜୀବନର ସଞ୍ଚାର କରିବ? ତା ପାଖରେ କ’ଣ ସେଇ ମୃତ୍ୟୁ-ସଞ୍ଜିବନୀ ଅଛି? (ନଈକୂଳର ଏକ ଗାଆଁ – ସବୁରି ପାଇଁ ଆକାଶ, ପୃଷ୍ଠା-୨୩-୨୪) । ଏହା କେବଳ ମାଧପୁରର କଥା ନୁହେଁ, ସ୍ୱାଧୀନ ଭାରତବର୍ଷର ହଜାର ହଜାର ଗାଁ ଆଜି ଏଇଭଳି ଚିତ୍କାର କରୁଛି । ଦ୍ୱିଜବର ପରିଡ଼ାଙ୍କ ପରି ଶିକ୍ଷାଦୀକ୍ଷାହୀନ ଲୋକଙ୍କ ହାତରେ ଯେତେବେଳେ କ୍ଷମତାକୁ ଟେକିଦିଆଯାଉଛି, ସେତେବେଳେ ସେମାନେ ବିକାଶ ନାଆଁରେ ଶୋଷଣ କରିଚାଲିଛନ୍ତି ସାଧାରଣ ଜନତାଙ୍କୁ ।
ଶିଳ୍ପସଭ୍ୟତାର ଯେଉଁ ଦ୍ରୁତ ଅଭିବୃଦ୍ଧି ଘଟିଛି, ତାହା ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରି ଜନଜୀବନର ମେରୁଦଣ୍ଡକୁ ଦୋହଲାଇଦେଇଛି । ଏହାର ଚିତ୍ର ଦେଖାଇଛନ୍ତି ଗାଳ୍ପିକ ‘ସହର : ସ୍ମୃତି ଆଉ ବିସ୍ମୃତିର’ ଗଳ୍ପରେ।
ସୀମାନ୍ତ ଅଞ୍ଚଳର ଏକ ଛୋଟ ସହର କରନ୍ଗୁଡ଼ା । ଯାହାର ପ୍ରାକୃତିକ ସମ୍ପଦକୁ ଆଖିଆଗରେ ରଖି ଗଢ଼ିଉଠିଥିଲା କଳକାରଖାନା । ଉଦ୍ଦେଶ୍ୟ ଥିଲା ଦେଶର ଆର୍ଥିକ ଅବସ୍ଥା ବିକଶିତ ହେବା ସହିତ ସାଧାରଣ ଜନତା ପାଇବେ କର୍ମନିଯୁକ୍ତି । କିନ୍ତୁ ଅଳ୍ପ କେଇଟା ଦିନ ଭିତରେ ତାକୁ କେନ୍ଦ୍ର କରି ଚୋର, ଦଲାଲ୍, ଅପହର୍ତ୍ତା ଓ ଲୁଣ୍ଠନକାରୀଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ରାସ୍ତାରେ ଲ୍ୟାଣ୍ଡମାଇନ୍ ବିଛାଇ ସନ୍ତ୍ରାସବାଦୀମାନେ ଛକିଲେ । ସ୍କୁଲ, କଲେଜ ପିଲା ଦିନ ଦି’ପହରେ ହାତରେ ଭୁଜାଲି ଓ ବୋମା ଧରି ବୁଲିଲେ । ରାଜନୀତି ନାଆଁରେ ଆମନୀତି ସାଜିଥିବା ଆମର ରାଜନେତା ହେଲେ ଏହାର କର୍ଣ୍ଣଧାର । ପ୍ରଶାସନ ସାଜିଲା ନୀରବଦ୍ରଷ୍ଟା । ଫଳରେ ମିଲ୍ରେ ହେଲା ଷ୍ଟ୍ରାଇକ୍ । କାରଖାନାରେ ତାଲା ଝୁଲାଇ ମାଲିକ ତା’ର ବମ୍ବେରେ ଏ.ସି. ରୁମ୍ରେ ବସି ଷ୍ଟ୍ରାଟେଜି ପ୍ଲାନ୍ କରୁଥିବା ବେଳେ କାରଖାନା ଉପରେ ନିର୍ଭର କରୁଥିବା ସାଧାରଣ ଦିନମଜୁରିଆ କାମ ନପାଇ ଭୋକ ଓପାସରେ ପଡ଼ିଛି । ମାଳମାଳ କୋଠାବାଡ଼ି ଆଉ କଳକାରଖାନାର ଚିମ୍ନୀ ଧୂଆଁରେ ଶ୍ୱାସରୁଦ୍ଧ ହୋଇ କରନ୍ଗୁଡ଼ା ମରୁଭୂମି ପାଲଟିଯାଇଛି। ଜଗତୀକରଣର ଏଇ ବିଷବାଷ୍ପରେ ସାଧାରଣ ଜନତା ଅଣନିଃଶ୍ୱାସୀ ହୋଇପଡ଼ିଛି।
ଇଂରାଜୀ ଶିକ୍ଷାର ମୋହ ଏତେ ଘାରିଛି ଯେ, ଓଡ଼ିଆ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଆଉ କୌଣସି ଅଭିଭାବକ ରାଜି ନୁହନ୍ତି । ଗାଳ୍ପିକ ନନ୍ଦ ସାର୍ଙ୍କ ମୁଖରେ କହିଛନ୍ତି, ଓଡ଼ିଆ ସ୍କୁଲର ଏବେ କଉ ମର୍ଯ୍ୟାଦା ଅଛି? ରିକ୍ସାବାଲାଟିଏର ବି ପ୍ରଥମ ଚିନ୍ତା, …କେମିତି ତା’ର ପିଲାକୁ ଇଂରାଜୀ ପଢ଼ାଇବ । ଓଡ଼ିଆ ସ୍କୁଲର ଦରମା ଛ’ଟଙ୍କା ହେଲାବେଳେ, ଇଂରାଜୀ ସ୍କୁଲର ଦରମା ଛ’ଶହ ଟଙ୍କା । ତାକୁ ଗଣିବାକୁ ପ୍ରସ୍ତୁତ ବାପ-ମା’ମାନେ । ଓଡ଼ିଆ ସ୍କୁଲର ଦରମା ଯଦି ଛ’ପଇସା ବଢ଼ୁଛି… ତେବେ ଆରମ୍ଭ ହୋଇଯାଉଛି ଆମର ଦାବି, ଚଳିବ ନାହିଁ… ଚଳିବ ନାହିଁ… ଆଉ ଇଂରାଜୀ ସ୍କୁଲ? ବର୍ଷକରେ ଦଶଥର ବଢ଼ିଲେ ବି କାହାରି ପାଟି ଫିଟାଇବାର ଜୁ ନାହିଁ… (ସହର: ସ୍ମୃତି ଆଉ ବିସ୍ମୃତିର – ସବୁରି ପାଇଁ ଆକାଶ – ପୃଷ୍ଠା-39)
‘ଗୋଟିଏ ଘଟଣାର ମୃତ୍ୟୁ’ ଗଳ୍ପରେ ଗାଳ୍ପିକ ପୋଲିସ୍ର ବର୍ବରତା ଓ ପ୍ରଶାସନର ଅମାନବୀୟ କାର୍ଯ୍ୟକଳାପ କିପରି ଦିନକୁ ଦିନ ବଢ଼ିବାକୁ ଲାଗୁଛି ତାହା ଦର୍ଶାଇଛନ୍ତି । ଏକ ଛୋଟ ଘଟଣାକୁ ନେଇ ନିଶାଖୋର କନ୍ଷ୍ଟେବଳର ଗୁଳିରେ ପ୍ରାଣ ହରାଇଥିବା ସରଳ ଆସ୍ଲାମ୍ ଅହମ୍ମଦକୁ ଗୋଟିଏ ରାଜନୈତିକ ରୂପ ଦେଇ ପୋଲିସ୍ ମୁଣ୍ଡରୁ ଦୋଷ ଖସାଇବାକୁ କିଭଳି ଚେଷ୍ଟା କରାଯାଇଛି ତାହା ବର୍ଣ୍ଣନା କରିଛନ୍ତି । ପୋଲିସ୍ର ଗୁଳିରେ ନୁହଁ, ଜନତାଙ୍କ ପଥରମାଡ଼ରେ ଆସ୍ଲାମ୍ର ମୃତ୍ୟୁ ଘଟିଛି ବୋଲି ଦର୍ଶାଇବା ପାଇଁ ଏସ.ଡି.ଏମ୍.ଓ.ଙ୍କ ଠାରୁ ଆରମ୍ଭ କରି ଏସ୍.ପି., କଲେକ୍ଟର୍ ଓ ମିନିଷ୍ଟର୍ ପର୍ଯ୍ୟନ୍ତ ସମସ୍ତଙ୍କର ଚାପ ଡାକ୍ତର ପୁରୁଷୋତ୍ତମ ପଟ୍ଟନାୟକଙ୍କ ପାଖରେ ଫେଲ୍ ମାରିଛି । ପ୍ରଶାସନର ଚାପରେ ଅଣନିଃଶ୍ୱାସୀ ହୋଇ ଭାଙ୍ଗିପଡ଼ିଥିଲେ ମଧ୍ୟ ଶେଷରେ ମାନବିକତାର ପରିଚୟ ଦେଖାଇଛନ୍ତି ଡାକ୍ତର ପଟ୍ଟନାୟକ । ପୋଷ୍ଟମର୍ଟମ୍ ରିପୋର୍ଟରେ ଡାକ୍ତର ପଟ୍ଟନାୟକ ଲେଖିଛନ୍ତି ମୃତ୍ୟୁର କାରଣ ହେଉଛି – ସେରିବ୍ରାଲ୍ ହେଡ୍ ଇନ୍ଜୁରୀ… Proved fatal. Caused by gunshot Time of death 4.35 p.m. (ଗୋଟିଏ ଘଟଣାର ମୃତ୍ୟୁ – ସବୁରି ପାଇଁ ଆକାଶ – ପୃଷ୍ଠା-୬୨)। ଅନ୍ୟାୟ ବିରୋଧରେ ନିଜ ବିବେକ ଅନୁଯାୟୀ ପରାଜୟର ପୃଷ୍ଠଭୂମିରେ କିଭଳି ବିଜୟର ନୂତନ ଇତିହାସ ଲେଖାଯାଇପାରେ ତାହା ଦେଖାଇଛନ୍ତି । ସମାଜକୁ ଯେତେ ଅନ୍ୟାୟ ଅନୀତି ଗ୍ରାସ କଲେ ମଧ୍ୟ ମାନବିକତା ଚିରକାଳ ବଞ୍ଚିରହିଛି ଓ ରହିଥିବ ମଧ୍ୟ । ।
‘ନିଷ୍ପତ୍ତି’ ଓ ‘ନିଜକୁ ଗୋଟିଏ ପ୍ରଶ୍ନ’ ଗଳ୍ପରେ ଗାଳ୍ପିକ ଆତ୍ମସ୍ୱାଭିମାନର କଥା କହିଛନ୍ତି । ନାରୀ ହେଲେ ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ସମାଜରେ ଜୀବନ ଜିଇଁବାର ଆତ୍ମବିଶ୍ୱାସ ସାବିତ୍ରୀ ଓ ତନ୍ଦ୍ରା ଚରିତ୍ରଠାରେ ଦର୍ଶାଇଛନ୍ତି । ।
ସନିଆ ସାହୁର ଏକମାତ୍ର ଅଲିଅଳି ଝିଅ ସାବିତ୍ରୀ ୧୬ ବର୍ଷ ବୟସରେ ବିଧବା ହୋଇ ଶାଶୁଘରୁ ଆସି ବାପଘରେ ରହିଛି । ବାପଘରେ କୌଣସି ଅସୁବିଧା ନଥିଲେ ମଧ୍ୟ ସାବିତ୍ରୀ ଦ୍ୱିତୀୟବାର ବିବାହ ନକରି ନିଜ ସ୍ୱାଭିମାନକୁ ନେଇ ବଞ୍ଚିଛି । ।
ଟଙ୍କା-ପଇସାରେ କୌଣସି ଅସୁବିଧା ନଥିଲେ ମଧ୍ୟ ସେ ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିଛି । ବେତର ଟୋକେଇରେ ମସଲା, ଫୁଟଣ, ପାନ, ଗୁଆ, ଗୁଣ୍ଡି ପୁଡ଼ିଆମାନ ଧରି ଗାଁ ଗାଁ ବୁଲି ବେପାର କରିଛି । ଦୁନିଆଦାରିରେ କଞ୍ଚା ଆଉ ଦେହକଷ୍ଟ ବରଦାସ୍ତ କରିବାରେ ଏକେବାର ଅନଭ୍ୟସ୍ତ ସାବିତ୍ରୀକୁ ପ୍ରଥମେ ପ୍ରଥମେ କଷ୍ଟ ହୋଇଥିଲେ ମଧ୍ୟ ସେ ଭାଙ୍ଗି ନପଡ଼ି ଜୀବନଯାତ୍ରାରେ ଆଗେଇଚାଲିଛି । କିଛି କରିପାରିବାର ଆତ୍ମସନ୍ତୋଷ ଓ କାହାରି ଉପରେ ନିର୍ଭରଶୀଳ ନହେବାର ଅହଙ୍କାର ମଣିଷ ପାଇଁ କିଭଳି ସଞ୍ଜିବନୀ ଭାବେ କାମ କରେ, ତାହା ସାବିତ୍ରୀକୁ ଭଲଭାବେ ଜଣା ଥିଲା ।
ମଣିଷ ମାତ୍ରକେ ହିଁ ମୁହୂର୍ତ୍ତଜୀବୀ । କିନ୍ତୁ ବର୍ତ୍ତମାନକୁ ଉପଭୋଗ କରିବାର ପ୍ରବଣତା ପୁରୁଷ ଅପେକ୍ଷା ନାରୀଠାରେ ଅଧିକ । ଯାହା ‘ନିଜକୁ ଗୋଟିଏ ପ୍ରଶ୍ନ’ ଗଳ୍ପରେ ତନ୍ଦ୍ରା ଚରିତ୍ରଠାରେ ଦେଖାଦେଇଛି । ଫଳରେ ତନ୍ଦ୍ରା ଓ ସଞ୍ଜୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ଦୂରତା ବଢ଼ିଛି । ସଞ୍ଜୟ ଅର୍ଥ ଉପାର୍ଜନ ପାଇଁ ଦିଲ୍ଲୀ ଚାଲିଯାଇଛି । । ଅପର ପକ୍ଷରେ ପୁରୁଷ ଯଦି ନିଜ ବାଟ ନିଜେ ଖୋଜିନେଇପାରେ, ତେବେ ନାରୀ ତାହା ପାରିବ ନାହିଁ କାହିଁକି? ଆର୍ଥିକ ସ୍ୱାଧୀନତା ଯଦି ପୁରୁଷର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରେ, ତେବେ ନାରୀ ମଧ୍ୟ ତାହା ହାସଲ କରିପାରିବ । ଏଇ କଥାକୁ ଜୀବନର ବ୍ରତ ଭାବି ତନ୍ଦ୍ରା ନିଜ ଗୋଡ଼ରେ ନିଜେ ଛିଡ଼ାହୋଇ ଏକାଏକା ଜୀବନ ଜିଇଁଛି । ମନ ଭିତରେ ସଞ୍ଜୟ ପ୍ରତି ଦୁର୍ବଳତା ଥିଲେ ମଧ୍ୟ ନାରୀ ଯେ ପୁରୁଷର ସମକକ୍ଷ, ଏହାକୁ ତନ୍ଦ୍ରା ପ୍ରମାଣିତ କରିପାରିଛି । ।
ଜୀବନସାରା ଖଟିଖଟି ପିଲାମାନଙ୍କୁ ଶିକ୍ଷିତ କରାନ୍ତି ବାପମାଆମାନେ । ଆଶା ଥାଏ ଭବିଷ୍ୟତରେ ଭଲ ମଣିଷ ହୋଇ ଅନ୍ତିମ ସମୟରେ ଟିକେ ସେବା ଶୁଶ୍ରୁଷା କରିବ । ମାତ୍ର ପରିବେଶ ବଦଳିଯାଇଛି । ଦେଶର ଶ୍ରେଷ୍ଠ ପ୍ରତିଷ୍ଠାନରୁ ଡିଗ୍ରୀ ପାଇଥିବା ଅଭିନବ ଭଳି ପୁତ୍ରମାନଙ୍କଠାରୁ ରାଘବବାବୁଙ୍କ ପରି ପିତାମାନଙ୍କୁ ଶୁଣିବାକୁ ମିଳୁଛି – Don’t shout, I know I am your investment.କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ, ଏକଥା ଭୁଲିଯାଅ ନାହିଁ । You are to bear with me.’’(ସଂସାର ଏହାର ନାମ – ସବୁରି ପାଇଁ ଆକାଶ – ପୃ.୧୦୪) ଖାଲି ଏତିକି ନୁହେଁ, ବାପାଙ୍କ ଅଜାଣତରେ ବିବାହ ହୋଇ ଆସି ପହଞ୍ଚନ୍ତି ଘରେ । ଚାକିରିବାକିରି ନକରି ବାପାଙ୍କ ପେନ୍ସନ୍ ଟଙ୍କା ଉପରେ ନର୍ଭର କରି ଅଏସ୍ କରନ୍ତି ଏମାନେ । ଅଏସ୍ରେ ଟିକିଏ ବାଧା ଦେଲେ ସୃଷ୍ଟି ହୁଏ ବିଶୃଙ୍ଖଳା । ଶେଷରେ ପାରିବାରିକ ଏଇ ଯନ୍ତ୍ରଣାର କାରାଗାର ମଧ୍ୟରୁ ସବୁଦିନ ପାଇଁ ମୁକ୍ତି ପାଇବା ନିମନ୍ତେ ରୋଗିଣା ସ୍ତ୍ରୀକୁ ନେଇ ରାଘବବାବୁଙ୍କ ପରି ପିତାମାନେ ମାଲାବାର ଉପକୂଳର କୌଣସି ଏକ ଜରା ନିବାସକୁ ଯାଆନ୍ତି । ସାମ୍ପ୍ରତିକ ସମୟର ଏଇଭଳି ପାରିବାରିକ ସମସ୍ୟାର ଚିତ୍ର ଗାଳ୍ପିକ ‘ସଂସାର ଏହାର ନାମ’ ଗଳ୍ପରେ ଦେଖାଇଥିବାବେଳେ ‘ଛୋଟ କଥାଟିଏ’ ଗଳ୍ପରେ ବାତ୍ସଲ୍ୟ ମାତୃତ୍ୱର ସ୍ନେହରେ କିଭଳି ଜୀବନଟା ବାନ୍ଧିହୋଇଯାଏ ତା’ର କଥା କହିଛନ୍ତି ।
ଆଧୁନିକ ଶିକ୍ଷିତ ମଣିଷ ପାଇଁ ଜୀବନ ହୋଇପଡ଼ିଛି ଅର୍ଥସର୍ବସ୍ୱ । ପ୍ରତିଷ୍ଠା ଏବଂ ପ୍ରତିପତ୍ତି ପାଇଁ ଅର୍ଥ ଆଉ କ୍ଷମତା ପଛରେ ଗୋଡ଼ାଇ ଗୋଡ଼ାଇ ପାରିବାରିକ ସ୍ନେହ, ପ୍ରେମ ସବୁ ତୁଚ୍ଛ ହୋଇପଡ଼ିଛି । କିନ୍ତୁ ଶେଷ ସମୟରେ ମଣିଷ ଅତୀତକୁ ଝୁରେ । ବର୍ତ୍ତମାନର ବିବର୍ଣ୍ଣ ଭୂମିରେ ଅତୀତ ମନେହୁଏ ମୋହମାୟା ଆଉ ଆକର୍ଷକ । ଏହା ଘଟିଛି `ସ୍ମୃତି ସେ ତ କେବେ ନୁହେଁ ଫିଙ୍ଗିବାର’ ଗଳ୍ପରେ ନାୟକ ଅମର ମିଶ୍ରଙ୍କ ଜୀବନରେ । ନିଜର ବାକ୍-ପଟୁତା ହେତୁ ସେ ଚାକିରିର ଶୀର୍ଷସ୍ଥାନକୁ ଯାଇପାରିଛନ୍ତି; କିନ୍ତୁ ଜୀବନର ଧାଁଦଉଡ଼ ଭିତରେ ଜନ୍ମଦେଇଥିବା ପିତା, ମାତା, ଭଉଣୀ ସମସ୍ତଙ୍କ ସହିତ ସମ୍ପର୍କ କେତେବେଳେ ତୁଟେଇଦେଇଛନ୍ତି ଜାଣିପାରିନାହାନ୍ତି।
ଦେଶ ସ୍ୱାଧୀନ ହେବାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗଣତନ୍ତ୍ର ରାଷ୍ଟ୍ରରେ ଏବେ ବି ସମ୍ଭ୍ରାନ୍ତ ଓ ସେବକ ଗୋଷ୍ଠୀ ଅଛନ୍ତି । ଏଇ ସେବକମାନେ ସମାଜର ସବାତଳ ଶ୍ରେଣୀର ହୋଇଥିବାରୁ ପ୍ରତିବାଦ ନକରି ସାହୁକାରର ଆଦେଶକୁ ମଥାପାତି ସହିଯା’ନ୍ତି । ଏମାନଙ୍କ ଉପରେ କାହାରି ନଜର ପଡ଼ିନଥାଏ । ସମାଜର ଆଢୁଆଳରେ ରହି ଅକାଳରେ ଝଡ଼ିପଡ଼ନ୍ତି ଏମାନେ । ଆଉ ପୁରୁଷାନୁକ୍ରମରେ ନିଜର ବୁନିୟାଦିକୁ ଜାବୁଡ଼ିଧରି ସମ୍ଭ୍ରାନ୍ତଗୋଷ୍ଠୀ ସାହୁକାର ହୋଇ ଏମାନଙ୍କୁ ପାଦତଳେ ରଖିଥାନ୍ତି । ସେଥିପାଇଁ ଚନ୍ଦ୍ରମୋହନଙ୍କ ଆଗରେ ନାତି ଚନ୍ଦ୍ରାପୀଡ଼ କହିଉଠିଛି, ଫୁଲଟିଏ ଝରିଗଲେ ଆମ ତୁଣ୍ଡରୁ ବାହାରିଆସେ – `ଆହା !’ ଅନାବନା ଘାସ ମାଡ଼ିଗଲେ ଶୁଣାଯାଏ – `ଛିଃ ଛିଃ !’ ଫୁଲ ଯେ ଲାଗିବ ଦେବସେବାରେ । ବାସ ଚହଟାଇବ । ଆଖିରେ ପଡ଼ିବା ମାତ୍ରେକେ ମନରେ ଭରିଯିବ ଅଜଣା ପୁଲକ । ଆଉ ଘାସ ଅବା କାହାର କି କାମରେ ଲାଗିବ ! ଓଲଟି ଯାବତୀୟ ପୋକ, ଜୋକ, ସାପ, ବେଙ୍ଗକୁ ଆଶ୍ରୟ ଦେଇ ଜଞ୍ଜାଳ ସୃଷ୍ଟି କରିବ । ଯେମିତି ତମର ଏଇ ଶତୁରା, କୁଶିଆ, ବନା, ସନା ଗୋଷ୍ଠୀ ସେମାନଙ୍କର ସୃଷ୍ଟି ହେଉଛି ସମାଜର ପାଦତଳେ । ପାଇବାର ଆଶା ନଥାଏ କି ହରାଇବାର ଆଶଙ୍କା ନଥାଏ । ସମସ୍ତଙ୍କର ଅଗୋଚରରେ ଶୁଖିଯିବା ହିଁ ତ ହେଉଛି ସେମାନଙ୍କ ନିୟତି । (ସବୁରି ପାଇଁ ଆକାଶ – ପୃ.୧୯୨) ଏଇମାନେ ହଁ ବିପଦ ସମୟରେ ଚନ୍ଦ୍ରମୋହନଙ୍କ ପାଖରେ ଛିଡ଼ାହୋଇଛନ୍ତି । ବାରମାଣିଆ ଚକକୁ ନେଇ ହରମୋହନ କରିଥିବା କେସ୍ ବିପକ୍ଷରେ ସାକ୍ଷୀ ଦେଇ ନୀର୍ଭିକ ଭାବରେ ମହନା ଚମାର କହିଚାଲିଥିଲା, ଗଲା ତିରିଶ ବର୍ଷ ଧରି ତୋଟାରୁ ନଡ଼ିଆ ପାରି ଚମ୍ପତ୍ତିରାୟ ଉଆସରେ ପଇଠ କରିଆସୁଛି । ତା ବାପ ପବନା ବି ଏଇ କାମ କରୁଥିଲା । (ସବୁରି ପାଇଁ ଆକାଶ – ପୃ.୧୧୮) । ଗାଁ ଗହଳିର ଏଇ ଭୋକିଲା, ଅଧାଫୁଙ୍ଗୁଳା, ଶିକ୍ଷାଦୀକ୍ଷାହୀନ ମଣିଷମାନେ ହିଁ ମଣିଷକୁ ବିଶ୍ୱାସ କରିବାକୁ ଓ ଭଲପାଇବାକୁ ସାହୁକାର ଚନ୍ଦ୍ରମୋହନଙ୍କୁ ଶିଖାଇଛନ୍ତି । ମାତ୍ର ଶତୁରା, କୁଶିଆ ପରି ଏଇ ସରଳ ପ୍ରାଣୀମାନଙ୍କର ଭାଗ୍ୟରେଖା କାଟିଥା’ନ୍ତି ଚନ୍ଦ୍ରମୋହନଙ୍କ ପରି ସାହୁକାରଗୋଷ୍ଠୀ । ଗୋଟିଏ ପଟେ ଚନ୍ଦ୍ରାପୀଡ଼ ଓ ଚନ୍ଦ୍ରାୟନ ପରି ସାହୁକାରଙ୍କ ବଂଶଧରମାନଙ୍କ ଆଖିରେ ଡେଇଁବୁଲିବାର ସ୍ୱପ୍ନ ଥିବାବେଳେ । ଆକାଶ ଥାଏ ଅସୀମ । ଏଇ ସିଆଣିଆଗୋଷ୍ଠୀ ଯେତେ ପାରନ୍ତି ସ୍ଥାନ ଦଖଲ କରିନିଅନ୍ତି । ମାତ୍ର ଶତୁରା, କୁଶିଆ ପାଇଁ ଚମ୍ପତ୍ତିରାୟଙ୍କ ପରିବାରର ବଗିଚା ହିଁ ତାଙ୍କର ଆକାଶ । ପୁରୁଷାନୁକ୍ରମରେ ସାହୁକାରଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ ମଣି ସେବା କରିଚାଲିବା ହିଁ ଏମାନଙ୍କର ପରମ ଧର୍ମ । ସ୍ୱାର୍ଥପର ମଣିଷର ଅକ୍ଟୋପସୀ ବନ୍ଧନରୁ ମୁକ୍ତ ହୋଇ ଅନନ୍ତ ଆକାଶର ନୀଳିମା ମଧ୍ୟରେ ହଜିଯିବାର ପୁଲକ ଏମାନଙ୍କ ପାଇଁ ସାତସପନ । ଯେପର୍ଯ୍ୟନ୍ତ ଏମାନଙ୍କ ଭିତରେ ଏଇ ସୁବିଧାବାଦୀଗୋଷ୍ଠୀର ଏକଛତ୍ର ଅଧିକାରରୁ ମୁକ୍ତି ହେବାର ଆକାଂକ୍ଷା ଟିକକ ଜାଗ୍ରତ ନହୋଇଛି, ସେପର୍ଯ୍ୟନ୍ତ ଏମାନଙ୍କର ମୁକ୍ତି ନାହିଁ ।
ଜଣେ ଦରଦୀ କଥାକାର ଭାବରେ ମାଟି ଓ ମଣିଷ ଜୀବନର ଜୀବନ-ସଂଗୀତ ଶୁଣାଇଛନ୍ତି ଗାଳ୍ପିକ ହେମନ୍ତ କୁମାର ଦାସ । ପ୍ରକୃତିପ୍ରୀତି, ମାଟିର ମୋହ, ମାନବିକ ମୂଲ୍ୟବୋଧ, ଆତ୍ମସ୍ୱାଭିମାନ, ବିପର୍ଯ୍ୟସ୍ତ ଗଣତନ୍ତ୍ର, ଦେଶପ୍ରୀତି, ପାରିବାରିକ ସମସ୍ୟା, ପ୍ରେମ-ପ୍ରଣୟ ଓ ସର୍ବୋପରି ସମାଜର ଅବହେଳିତ ଲୋକଙ୍କ ପ୍ରତି ସହୃଦୟଭାବ `ସବୁରି ପାଇଁ ଆକାଶ’ ଗଳ୍ପ ସଂକଳନଟିରେ ଫୁଟିଉଠିଛି । ।
କମଳ ମାହୁନ୍ତ
ଗବେଷକ, ସ୍ନାତକୋତ୍ତର ଓଡ଼ିଆ ବିଭାଗ
ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
ଯୋଗାଯୋଗ- ୯୭୭୬୧୧୬୧୧୧
ଇ-ମେଲ୍- kamalmahumta@gmail.com