ସଂଗୀତରେ ଭାଷା (ସାକ୍ଷାତକାର:ମୃଣାଳ ପାଣ୍ଡେ)

Swayamprava Parhi (Chief Editor) 329 Views
19 Min Read

ପଦ୍ମଶ୍ରୀ ମୃଣାଳ ପାଣ୍ଡେ ଜଣେ ଅନନ୍ୟ ପ୍ରତିଭା। ପିତା, ମାତାଙ୍କର ସାଂସ୍କୃତିକ ଚେତନାର ପ୍ରଭାବ ତାଙ୍କ ଭିତରେ ଖୁବ ସୁନ୍ଦର ଭାବରେ ପ୍ରକାଶିତ । ସଂଗୀତ, କଳା, ଚିତ୍ର, ସାହିତ୍ୟ ଓ ଇତିହାସ ସବୁଥିରେ ଆଗ୍ରହ ତାଙ୍କର, ଯେମିତି ଜଣେ ସମ୍ପୂର୍ଣ୍ଣ ମଣିଷ । ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସେଦିନ ୟୁଟ୍ୟୁବରେ ଶୁଣିବାକୁ ମିଳିଥିଲା ସ୍ଟିକ ମେକେ(Spick Mackay)ର ଏକ କାର୍ଯ୍ୟକ୍ରମରେ। ‘ସଂଗୀତରେ ଭାଷା’ ଶୀର୍ଷକ ଏହି ଆଲୋଚନା ଚାଲିଥିଲା ଦୀର୍ଘ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି । ସମୟ କେତେବେଳେ ଗଡ଼ିଗଲା ଜାଣି ହେଲାନି ତାଙ୍କୁ ଶୁଣୁ ଶୁଣୁ । କଥା କହିବାର ଯାଦୁ ଓ ସଂଗୀତରେ ଲୋକ ସାହିତ୍ୟର ବ୍ୟବହାର…ଏମିତି ଯାଦୁଗରୀ ବର୍ଣ୍ଣନା ବହୁତ କମ ଶୁଣିବାକୁ ମିଳେ । ସେଦିନ ଚିନ୍ତାକାଲି ଏହାର କିଛି ଅଂଶ ଆପଣମାନଙ୍କୁ ଜଣେଇବି, ସେଥିପାଇଁ ଏହି ଉପସ୍ଥାପନା । – ସମ୍ପାଦକ

ତାଙ୍କର ଏକ ଉପନ୍ୟାସରେ ମୃଣାଳ ପାଣ୍ଡେଜୀ ଲେଖିଲେ; “ହମତୋ ମରକର ଭି କିତାବୋଁ ମେଁ ରହେଙ୍ଗେ ଜିନ୍ଦା, ଗମ୍ ଉହ୍ନିକା ହେ ଯୋ ମରଯାଏଁ ତୋ ଗୁଜର ଯାଏଗେଁ…” । ଆମେ ତ ମାରିବା ପରେ ବି ବହି ଭିତରେ ଜିଇଁ ରହିବୁ କିନ୍ତୁ ଦୁଃଖ ସେହିମାନଙ୍କ ପାଇଁ ଯେଉଁମାନଙ୍କ ମୃତ୍ୟୁ ପରେ ସେମାନଙ୍କର ସ୍ମୃତି ଲିଭିଯିବ ସବୁଦିନପାଇଁ।

            ମୃଣାଳ ପାଣ୍ଡେଙ୍କ ସମ୍ପର୍କରେ ପଦେ: ମୃଣାଳ ପାଣ୍ଡେଙ୍କର ଜନ୍ମ ୧୯୪୬ ମସିହାରେ। ସୁପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ଶ୍ରୀମତୀ ଶିବାନୀଜୀ ଏବଂ ପ୍ରସିଦ୍ଧ ଶିକ୍ଷାବିତ୍ ସୁଖଦେବ ପନ୍ଥଙ୍କ ଘରେ ଟିକମଗଡ଼ରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ସ୍କୁଲ ଶିକ୍ଷା ନୈନିତାଲ ଏବଂ ଉଚ୍ଚଶିକ୍ଷା ଏହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହୋଇଥିଲା, ଯେଉଁଠାରେ ସେ ସଂସ୍କୃତ, ପ୍ରାଚୀନ ଭାରତର ଇତିହାସ ତଥା ଇଂରାଜୀ ଆଦି ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ । ତାଛଡ଼ା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତର ବିଶିଷ୍ଟ ଗୁରୁମାନଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ଡ଼୍ରଇଂ, ଡିଜାଇନ୍ ଓ ହିଷ୍ଟ୍ରି ଅଫ୍ ଆର୍ଟ ଏଣ୍ଡ ଆର୍ଟିଟେକ୍ଚରରେ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ ।

୧୯୮୦ ମସିହାର ମଧ୍ୟ ଭାଗରେ ପତ୍ରକାରୀତାରେ ଯୋଗଦେବା ପୂର୍ବରୁ ମୃଣାଳ ପାଣ୍ଡେ ଏହ୍ଲାବାଦ ଓ ଦିଲ୍ଲୀରେ ଅଧ୍ୟକ୍ଷତା କରୁଥିଲେ । ଟାଇମସ୍ ଅଫ୍ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମ୍ସ, ସାପ୍ତାହିକ ପତ୍ରିକା ହିନ୍ଦୁସ୍ଥାନରେ ସମ୍ପାଦକ ମଧ୍ୟ ଥିଲେ । ଭିଜୁଆଲ ମିଡ଼ିଆରେ ଏନ୍‌ଡିଟିଭି ଓ ଦୂରଦର୍ଶନରେ ଉପସ୍ଥାପିକା ଭାବରେ ଯୋଗଦେଇଥିଲେ । ୨୦୦୦ ମସିହାରେ ପ୍ରତିଷ୍ଠିତି ଦୈନିକ ପତ୍ରିକା ହିନ୍ଦୁସ୍ଥାନର ମୁଖ୍ୟ ସମ୍ପାଦକ ଭାବରେ ଭାରତର ପ୍ରଥମ ମହିଳା ମୁଖ୍ୟ ସମ୍ପାଦକ ହୋଇ ସମ୍ପାଦନା କାର୍ଯ୍ୟ କରିଥିଲେ । ମୃଣାଳ ପାଣ୍ଡେଜୀ ଏଡ଼ିଟର୍ ଗିଲଡ଼ ଅଫ୍ ଇଣ୍ଡିଆର ପ୍ରଥମ ସେକ୍ରେଟେରୀ ଜେନେରାଲ ଓ ଇଣ୍ଡିଆନ୍ ୱିମେନ୍ ପ୍ରେସକୋଡ଼ର ପ୍ରତିଷ୍ଠାତା ସଦସ୍ୟ ଓ ସଂସ୍ଥାପକ ଅଧ୍ୟକ୍ଷା ଅଟନ୍ତି । ନେସନାଲ ବୋର୍ଡ଼ ଅଫ୍ ଫିଲ୍ମ ସାରର୍ଟିଫିକେସନର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ଅଂସଗଠିତ କ୍ଷେତ୍ରରେ କାମ କରୁଥିବା ନାରୀ କର୍ମଚାରୀ ମାନଙ୍କ ସମ୍ପର୍କରେ ଗବେଷଣା କରାଯାଉଥିବା ଟିମର ପ୍ରଥମ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ଏହାସହ ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରସାରଭାରତୀ ଦାୟିତ୍ୱରେ ଥିଲେ ।

ବର୍ତ୍ତମାନ ସେ ନେସନାଲ ହେରାଲଡ଼ର ସହଯୋଗୀ ସମ୍ପାଦକ ତଥା ମିଡ଼ିଆଫାଉଣ୍ଡେସନ ସହିତ ଯୋଡ଼ି ହୋଇଛନ୍ତି । ସେ ଉଭୟ ହିନ୍ଦୀ ଓ ଇଂରାଜୀରେ ଲେଖାଲେଖି କରିଛନ୍ତି । ପତ୍ରକାରିତା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ୨୦୦୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲା ।

ମୃଣାଳ ପାଣ୍ଡେ : “ଆମ ଦେଶରେ ଗୋଟିଏ କଥା ମୋତେ ଭାରି ଅଡ଼ୁଆ ଲାଗେ ଯେ ଯେତେବେଳେ ଆମେ ଆମ ସଙ୍ଗୀତ ସମ୍ପର୍କରେ ଆଲୋଚନା କରୁ ଯାହା ଆମ ସଂସ୍କୃତି ସହ ଗଭୀର ଭାବରେ ସଂଶ୍ଲିଷ୍ଟ ସେତେବେଳେ ଆମେ ଇଂରାଜୀ ଭାଷାର ବ୍ୟବହାର କରିଥାଉ ଯେଉଁଥିରେ ଅନେକ ଅଭାବ ଅନୁଭବ ହୋଇଥାଏ । ମୋର ‘ସହେଲାରେ’ ଉପନ୍ୟାସିଟି ପଢ଼ି ସେହି ବିଷୟକୁ ମୁଁ ଟିକେ ଅଧିକ ଚର୍ଚ୍ଚା କରିବା ପାଇଁ ଚାହିଁବି । ଏହା ଗୋଟିଏ ଚିଠି ଯାହା ମୋ ଭଳି ଜଣେ ବୟସ୍କା ମହିଳା ଆଗାମୀ ଭବିଷ୍ୟତ ପିଢ଼ିର ଜଣେ ନାରୀ ପାଇଁ ଲେଖିଛନ୍ତି ।”

ପ୍ରଶ୍ନ : ଇଣ୍ଟର୍ନେଟ ଯୁଗରେ ସଙ୍ଗୀତ ବିଶ୍ୱର ସବୁ କୋଣରେ ପହଞ୍ଚି ପାରିଛି, ତାହା ସହିତ ସଙ୍ଗୀତରେ ଭିନ୍ନ ଭିନ୍ନ କଥା ମିଶିବାର ସୁଯୋଗ ସୃଷ୍ଟି ହୋଇଛି । ଆପଣ ଏ ସମ୍ପର୍କରେ କ’ଣ କହିବେ?

ଉତ୍ତର : ସଙ୍ଗୀତ ସମ୍ପର୍କରେ ଦୁଇ ତିନିଟି ମୌଳିକ କଥା ଏଠାରେ ଉପସ୍ଥାପନ କରିବା ପାଇଁ ଚାହିଁବି । ଏହି ବିଷୟ ଗୁଡ଼ିକୁ ଲୋକ ପୁରଣା କଥା ବୋଲି ଭାବନ୍ତି କିନ୍ତୁ କୌଣସି ଦେଶର ସଙ୍ଗୀତ ପାଇଁ ଏହି ବିଷୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ।

ପ୍ରଥମ କଥା ହେଲା, ସଙ୍ଗୀତରେ ସ୍ମୃତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପରମ୍ପରା ସ୍ମୃତିରୁ ହିଁ ଚାଲେ । ଲିପିରୁ ସଙ୍ଗୀତ ଆଗକୁ ବଞ୍ଚି ରହିପାରିବ ନାହିଁ । ଲିପିରେ ଲେଖି ସଂଗୀତକୁ ବୁଝିବା ଅସମ୍ଭବ । ବିଶେଷକରି ଶାସ୍ତ୍ରୀୟ ସଙ୍ଗୀତକୁ ଲିପିରେ ଲେଖି ବୁଝିବା କଷ୍ଟକର । କାରଣ ସେଥିରେ ଉପଜର ବ୍ୟବହାର ହୋଇଥାଏ । ଉପଜ ମାନେ ହେଲା ଗାୟକ ଗାଇବା ସମୟରେ ରାଗ ଭିତରେ ଯେଉଁ କାମଦାମ କରିବା ପାଇଁ ପ୍ରୟାସ କରିଥାନ୍ତି ।

ସ୍ୱର ତ ୭ ପ୍ରକାର, ବ୍ରହ୍ମା ବି ୮ମ ସ୍ୱର ସୃଷ୍ଟି କରିପାରିବେ ନାହିଁ । ପାଣିନୀ ଥରେ କହିଥିଲେ “ଆମେ କୌଣସି ବ୍ୟାକରଣାଚାରୀଙ୍କୁ ନୂଆ ଶବ୍ଦ ସୃଷ୍ଟି କରିବା ପାଇଁ ବା କୌଣସି ସଙ୍ଗୀତଜ୍ଞଙ୍କୁ ନୂଆ ସ୍ୱର ସୃଷ୍ଟି କରିବା ପାଇଁ କହିପାରିବା ନାହିଁ । ଯେମିତି ଆମେ କୁମ୍ଭାରକୁ କହିପାରିବା ନି ଭାଇ ତୁ ଗୋଟିଏ ନୂଆ ହାଣ୍ଡି ଗଢ଼ି ଦେ । କାରଣ ସଂଗୀତ ଓ କଳା ଏହା ଲୋକଧର୍ମୀ ଅଟେ । ଲୋକଙ୍କ ଦ୍ୱାରା ଏହା ସୃଷ୍ଟି ହୋଇଥିବାରୁ କଥାବାର୍ତ୍ତା ଓ ଲୋକଙ୍କ ସହ ଏହାର ଗଭୀର ସମ୍ପର୍କ ରହିଛି । କଣ୍ଠ ସଙ୍ଗୀତର ଲୋକଙ୍କ ସହ ବହୁତ ଗଭୀର ସମ୍ପର୍କ ଅଛି

 ଦ୍ୱିତୀୟ କଥାଟି ହେଲା ଆମେ ଆଜି ଆଲୋଚନା କରୁଛନ୍ତି ରାଗଦାରୀ ଗାୟକିର ମୁଖ୍ୟ ଖେୟାଲ ଗାୟକି ସମ୍ପର୍କରେ । ରାଗଦାରୀ ଗାୟକି ଆମ ଏଠାରେ ଅନେକ ପ୍ରକାରର । ସବୁଠାରୁ ପୁରୁଣା ଗ୍ରନ୍ଥ ଆମେ ଯେଉଁଟା ପାଉଛୁ ମତଙ୍ଗଙ୍କର । ସେ ବହିଟିର ନାମ ଅତି ସୁନ୍ଦର ‘ବୃହଦ ଦେଶୀ’। ବୃହଦ ଦେଶୀ କାହିଁକି ରଖାଯାଇଛି? ଭ୍ରମଣ ଅର୍ଥାତ ବୁଲିବା ବା ଖେଳି ଯିବା, ଦେଶୀର ଅର୍ଥ ନିଜ ଅଞ୍ଚଳର ବା ସ୍ଥାନର ଭାଷାରେ ଯେଉଁ ସଂଗୀତ ବ୍ୟାପ୍ତ ହୋଇଥାଏ । ବୃହଦ ଦେଶୀ ଗ୍ରନ୍ଥରେ ସେ ଦେଶୀ ସଙ୍ଗୀତଗୁଡ଼ିକ ଅନୁସନ୍ଧାନ କରି ଓ ଏକାଠି କରି ଗୋଟେ ପ୍ରକାର ଶସ୍ତ୍ରୀୟ ରୂପ ପ୍ରଦାନ କରିଛନ୍ତି । ସେହି ସଙ୍ଗୀତକୁ ଆମେ କହୁଛନ୍ତି ମାର୍ଗୀଅର୍ଥାତ୍ ଯେଉଁ ସଙ୍ଗୀତ ଜଙ୍ଗଲରେ ବିଚରଣ କରୁଥିଲା ତାକୁ ସେ ଗୋଟେ ସ୍ଥିର ରୂପ ପ୍ରଦାନ କଲେ ଗୋଟେ ନୀୟମାନୁଶାସନ ଦେଲେ ଗୋଟେ ପ୍ରକାର ପ୍ରବନ୍ଧ, ଛନ୍ଦ ଲୟରେ ବାନ୍ଧିବାକୁ ପ୍ରୟାସ କଲେ । ମୂଳ ରୂପରେ ଏହା କ’ଣ ଥିଲା?

ନାଟ୍ୟଶାସ୍ତ୍ରରେ କୁହାଯାଇଛି ଯେ, ଅବଳା, ବାଳ, ଗୋପାଳ ଯେଉଁମାନେ ନିଜ ସ୍ୱରରେ ଯାହା କିଛି ନିଜ ମନରୁ ଗାୟନ କରନ୍ତି ତାହା ହିଁ ସଙ୍ଗୀତ । ନିଜ ଇଚ୍ଛାରେ ଯାହା ଗାଇଥାନ୍ତି କାହିର କହିବା ଦ୍ୱାରା ନୁହେଁ । ସେହି ସଙ୍ଗୀତଟି ହେଉଛି ସମସ୍ତ ସଂଗୀତର ଆଧାର ବା ବେସ୍ । ଗୋଟିଏ ପଟେ ଆମକୁ ଲୋକ ପ୍ରମାଣ ପାଇଁ ଆସ୍ଥା ରଖିବାକୁ ହେବ ଦ୍ୱିତୀୟରେ ବନ୍ଦିସର ମୂଳ ଲକ୍ଷ୍ୟ ହେଉଛି ବାନ୍ଧିବା । କିଛି କଥାକୁ ବାନ୍ଧିକି ରଖିବା । ଯେମିତି ମାତଙ୍ଗ ଦେଶୀ ସଙ୍ଗୀତକୁ ମାର୍ଗୀ କରିଥିଲେ ସେମିତି ବନ୍ଦିସ୍ ରାଗର ଏକ ବିଶେଷ ରୂପକୁ ନିଜ ଭିତରେ ବାନ୍ଦି ରଖିଥାଏ । କିନ୍ତୁ ରାଗକୁ ଗାୟନ କଲାବେଳେ ପ୍ରତ୍ୟେକ ଘରାନାର କଳାକାର ନିଜ ହିସାବରେ, ନିଜ ଶୈଳୀରେ ପରିବେଷଣ କରିଥାନ୍ତି ।

ପ୍ରତ୍ୟେକ କଳାକାର ନିଜର କିଛି ଶୈଳୀକୁ ଯୋଡ଼ି ରାଗରେ ପରିବେଷଣ କରିଥାନ୍ତି । ଯଦି ଗୋଟିଏ ପ୍ରକାର ଗାୟନ ସମସ୍ତେ କରିବେ ତେବେ ତାହା ସଙ୍ଗୀତ ହୋଇପାରିବ ନାହିଁ । ଶାମ ଗାନ ବିଷୟରେ କିଛି କୁହନ୍ତି ଯେ, ଆମ ସଙ୍ଗୀତ ଶାମ ଗାୟନ । ସେମିତି ନୁହେଁ । ଶାମ ଗାୟନ ପାଇଁ କୁହାଯାଇଛି ଯେ ଶାମଗାନ ଅପରୁଷେୟ ଅଟେ । ଯେମିତି ସଙ୍ଗୀତ ଅଛି ଧରାବନ୍ଧା ସେମିତି ଗାଇବାକୁ ହେବ । ଟିକିଏ ଏପଟ ସେପଟ ହେବ ନାହିଁ । ତେବେ ଯଦି ଏହା ଅପରୁଷେୟ ଯେଉଁଥିରେ କଳାକାରର ନିଜ କଳାର ବା ନିଜ ଗାୟକିର ପ୍ରଦର୍ଶନ, କାମଦାମ ବା ଉପଜର ବ୍ୟବହାର କରିବା ସମ୍ଭବ ନୁହେଁ ତାକୁ ସଙ୍ଗୀତ ବୋଲି କହିପାରିବା ନାହିଁ । ସଂଗୀତ ତାହାକୁ କୁହାଯିବ ଯାହାକୁ ଆମେ ସଂଗୀତର ସୁଦ୍ଧ ଲୋକ ପ୍ରମାଣିତ ସାଗର ଭିତରୁ କିଛି ସ୍ୱର ଉଠାଇବା ଓ ରାଗର ବିଶେଷତ୍ୱକୁ ନେଇ ଯେଉଁଥିରେ ନିଜର ଶୈଳୀ ପ୍ରୟୋଗ କରି ପରିବେଷଣ କରିପାରିବା ।

ଇଂରାଜୀରେ ଆମେ ଏମିତି କିଛି ଶବ୍ଦ ବ୍ୟବହାର କରୁ ଯାହାକୁ (REINVENTION) ବା ପୁନଃ ସଂରଚନା କୁହାଯାଏ । ଯାହାର ଜୈବିକ ଆଧାର କିଛି ନଥାଏ । ଆମର ଏଠାରେ ଏକ ସୁନ୍ଦର ଶବ୍ଦ ଅଛି ଯେମିତି ବାରମ୍ବାର ପ୍ରୟୋଗତ୍ମକ ଓ ମୂଳ ଧର୍ମକୁ ଧରି କରି ଚାଲୁଥିବା ସଙ୍ଗୀତକୁ ହିଁ ସଙ୍ଗୀତ କୁହାଯାଏ । ଯେଉଁଥିରେ ପ୍ରବାହ ଓ ବଦଳିବାଟା ନିରନ୍ତର ଜାରି ରହେ । ମୋତେ ସେଥିରେ କୌଣସି ସମସ୍ୟା ଅନୁଭବ ହୁଏନି କି କାହାର ଗର୍ବ ପ୍ରକାଶିତ ହେବା ଅନୁଭବ ହୁଏ ନାହିଁ । କାରଣ ସଙ୍ଗୀତ ମଣିଷ ଦ୍ୱାରା ସୃଷ୍ଟି ଏବଂ ପ୍ରବାହମାନ

ନାଟ୍ୟଶାସ୍ତ୍ର କୁହେ “ଦେବାଃ ଆଶକ୍ତାଃ ନାଟ୍ୟ କର୍ମାଣୀ” । ଦେବତା ମାନେ ଏତେ ପ୍ରକଟିତ ନିଜେ ଯେ ସେମାନେ ନାଟକ କରିପାରିବେ ନାହିଁନାଟକ ଆମେ ମଣିଷମାନେ ହିଁ କରିପାରିବା । କିଶୋରୀଜୀ ଥରେ ମୋତେ କହିଥିଲେ ଯେ, ଆମେ କଳାକାରମାନେ ତପୋଭ୍ରଷ୍ଟ ଯତି ଅଟୁ । ଯେମିତି ଯତିମାନେ ଯେତେବେଳେ ଚାହାଁନ୍ତି ସେତେବେଳେ ସଂସାର ତ୍ୟାଗ କରିପାରନ୍ତି ସେମାନେ ଭାଗବାନଙ୍କ ସହ ମିଶି ଯାଇଥାଆନ୍ତି କିନ୍ତୁ ଆମେ ଶାପଗ୍ରସ୍ତ ମଣିଷ ତେଣୁ ଆମକୁ ପୁଣିଥରେ ସଙ୍ଗୀତର ନିର୍ଦ୍ଧିଷ୍ଟ ମାର୍ଗକୁ ଫେରିବାକୁ ହୋଇଥାଏ । ବିଭିନ୍ନ ଆୟୋଜନକୁ ଆସିବାକୁ ପଡ଼େ ଓ ଆମ ଶ୍ରୋତା ମାନଙ୍କର ରୁଚିକୁ ଧ୍ୟାନ ଦେଇ ପରିବେଷଣ କରିବାକୁ ହୋଇଥାଏ । ସେଥିପାଇଁ ସଙ୍ଗୀତରେ ବିଭିନ୍ନ ଜିନିଷ ଅଛି ଯାହା ସମ୍ପର୍କରେ ଆଲୋଚନା କରିବା ଜରୁରୀ। ସଙ୍ଗୀତକୁ ଯେମିତି ପୁରା ଦେବତାଙ୍କ ସୃଷ୍ଟି ବା ମଣିଷର ସୃଷ୍ଟି ବୋଲି ଆମେ ଗ୍ରହଣ କରିଯାଉ ସେମିତି ନୁହେଁ । ସଙ୍ଗୀତ ନିରନ୍ତର ଭାବରେ ପ୍ରବାହ ହେଉଥିବା ଏକ ନିର୍ଝରଣୀ, ଯିଏକି ସବୁବେଳେ ବହିଚାଲେ ଓ ନିଜର ସ୍ୱରୂପକୁ ଯିଏ ନିରନ୍ତର ଭାବରେ ବଦଳାଇ ଚାଲିଥାଏ।

ଗ୍ରାମ ଜାତି ଗାୟନ ସବୁଠୁ ପ୍ରଥମେ ଆସିଲା ବୋଲି ଲୋକ କୁହନ୍ତି । ଆଜିଯାଏ କୌଣସି ଗାୟକ ଠୁ ଗ୍ରାମ ଜାତି ଗାୟନ ଗାଇବା ମୁଁ ଶୁଣିନାହିଁ। ମୁଁ ତ ଅତି ସାଧାରଣ ମଣିଷ, ପଣ୍ଡିତ ଭାତିଖଣ୍ଡେଙ୍କୁ ବି କୌଣସି ଗ୍ରାମଜାତି ଗାୟନ କରୁଥିବା ଗାୟକ ମିଳି ନଥିଲେ । ଯେଉଁ ଗୀତକୁ ଆମେ ଆଜି ଗାଉଛନ୍ତି ତାହା ୧୮୦୦ ଶତାବ୍ଦୀର ଶେଷ ଆଡ଼କୁ ଗାଇବା ଆରମ୍ଭ ହେଲା । ଦର୍ଘାକୁଲୀ ସାହେବଙ୍କର ଏକ ପୁସ୍ତକ ଅଛି ସେଥିରେ ସେ କହିଛନ୍ତି ଖେୟାଲ ଗାୟନ ଧ୍ରୃପଦରୁ ସୃଷ୍ଟି ଓ ଖେୟାଲ ଗାୟକି ମହମ୍ମଦ ସାହା ସଦାରଙ୍ଗିଲେଙ୍କ ଦ୍ୱାରା ହୋଇଥିଲା । ମହମ୍ମଦ ସାହା ମୋଗଲ ସାମ୍ରାଜ୍ୟର ଶେଷ ବାଦସାହା ଥିଲେ ଏବଂ ତାଙ୍କ ପାଖରେ ଥିବା ସଦାରଙ୍ଗ ଯାହାଙ୍କର ପ୍ରକୃତ ନାମ ନିମକ ଖାନ୍ ଥିଲା ସେ ଆରମ୍ଭ କରିଥିଲେ ।

ଏଥିରେ ବି ଅନେକ କଥା ଆମକୁ ଦୃଷ୍ଟିଗୋଚର ହୁଏ, ଯେମିତି ମହିଳାମାନେ କୁଆଡ଼େ ଗଲେ? ମହିଳାମାନେ ତ ଗାଆନ୍ତି । ସେଥିପାଇଁ ନାଟ୍ୟଶାସ୍ତ୍ରରେ ଲେଖାଅଛି ଅବଳା, ବାଲ, ଗୋପାଲଙ୍କ କଥା । ରାଜାମାନଙ୍କର ତ ନାମ ଆସିଯାଉଛି ଯେମିତି ମହମ୍ମଦ ସାହା, ସଦାରଙ୍ଗିଲେ କିନ୍ତୁ ଯେଉଁ ମହିଳାମାନେ ଗାଇଲେ ବଜେଇଲେ ସେମାନଙ୍କ ନାମ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ସଦାରଙ୍ଗଙ୍କର ଦୁଇଜଣ ପ୍ରସିଦ୍ଧ ଶିଷ୍ୟାଙ୍କ ବିଷୟରେ ଦର୍ଘାକୁଲି ଲେଖିଛନ୍ତି । ଜଣେ ଧନ୍ନା ବାଈ ଅନ୍ୟ ଜଣେ ପନ୍ନା ବାଈ ସେମାନଙ୍କର କୌଣସି କୃତି ସୃଷ୍ଟି ଆମେ ପାଇପାରୁ ନାହାଁନ୍ତି ପୁରୁଷମାନେ ନିଜ ନାମ ପୁରେଇ ଦିଅନ୍ତି ନିଜ ରଚନାରେ ମହିଳାମାନେ କେବେ ନିଜ ନାଁ ପୁରେଇ ନାହାଁନ୍ତି ଏମତିବି ହୋଇଥାଇପାରେ ମହିଳାମାନେ ନିଜ ନାଁ ପୁରେଇଥିଲେ ପରେ ପୁରୁଷମାନେ ସେ ନାଁ ବାହାର କରି ନିଜ ନାଁ ଲେଖି ଦେଲେ ଏହା ମଧ୍ୟ ସମ୍ଭବ । ଏମିତି ଅନେକ ଛୋଟ ଛୋଟ ବିଷୟ ରହିଛି ଯାହାକୁ ଆମେ ମନରେ ରଖିବା ଦରକାର ।

ଗୋଟିଏ କଥା ସ୍ଥିର ଯେ ସଙ୍ଗୀତ ଏକ ଧାରାବାହିକ ପ୍ରକ୍ରିୟା ଯାହା ଗୁରୁମାନଙ୍କ ନିକଟରୁ ମିଳିଥିବା ଜ୍ଞାନରୁ ଲୋକମାନେ ଶିକ୍ଷା ଗ୍ରହଣ କରିଥାନ୍ତି । ସେଥିପାଇଁ ଆମ ଏଠି ଗୁରୁଙ୍କ ଆଗରେ ବସି ଯେଉଁ ତାଲିମ ନିଆଯାଏ ସେହି ଶିକ୍ଷାକୁ ଉତ୍କୃଷ୍ଟ ବୋଲି କୁହାଯାଏ। ବହୁତ ଭଲ କଥା ଯେ ଆଜି ଟେକ୍ନୋଲୋଜି ଆସିଯାଇଛି । ଟେକ୍ନୋଲୋଜିର ସହଯୋଗରେ ଆମେ ଡ଼୍ରୋନ ତାନପୁରା ବି ପାଇଯିବା। କିନ୍ତୁ ସ୍ୱର ଓ ଶ୍ରୁତିର ଯେଉଁ ଛୋଟ ଛୋଟ କାମ ରହିଛି, କେଉଁ ରାଗରେ କେଉଁ ସ୍ୱର କେତେବେଳେ ପ୍ରୟୋଗ ହେବ ଓ କେତେବେଳେ ପ୍ରୟୋଗ ହେଲେ ସ୍ୱରର ରୂପକୁ ବଦଳେଇ ଦେବ, ବହୁତ ଗୁଡ଼ିଏ ଆଶଙ୍କା ଯାହା ମନରେ ଥାଏ ତାହା ଗୁରୁଙ୍କ ନିକଟରେ ଓ ଗୁରୁଙ୍କ ସହ ବାରମ୍ବାର ବସିଲେ ଦୂର ହୁଏ । ସ୍ମୃତି କେବଳ ଗୁରୁଙ୍କ ମୁହଁରୁ ମିଳିଥାଏ । ପୁସ୍ତକରେ ଅନେକ ଜିନିଷ ଲିପିବଦ୍ଧ ଅଛି କିନ୍ତୁ ଯେଉଁ ଜୀବନ ସ୍ମୃତି ଗୁରୁଙ୍କ ମୁଖରୁ ନିସୃତ ହୋଇଥାଏ ତାହାର କୌଣସି ବିକଳ୍ପ ନାହିଁ । ଟିଭିରୁ ରାଗଦାରୀ ଗାୟକୀ ଶୁଣି ଅନେକ ତାନସେନ୍ ସୃଷ୍ଟି ହୋଇଛନ୍ତି ବହୁତ ଭଲ କଥା କିନ୍ତୁ ତାନସେନ୍ ସେମିତି ତିଆରି ହୁଅନ୍ତି ନାହିଁ । ସେଥିପାଇଁ ବଡ଼ ବଡ଼ ଗୁରୁମାନେ କେତେ କଷ୍ଟ କରି ଗୁରୁ ଖୋଜୁଥିଲେ । ଗୁରୁମାନେ ବି ଶିଷ୍ୟର କଠିନ ପରୀକ୍ଷା ନେଉଥିଲେ ଯେଉଁମାନେ ବ୍ରାହ୍ମଣ ଥିଲେ ସେମାନେଙ୍କୁ ମାଂସ ରାନ୍ଧିବାକୁ କହୁଥିଲେ ଯେଉଁମାନେ ମୁସଲମାନ ଥିଲେ ମନ୍ଦିରକୁ ନେଇ ସେମାନଙ୍କୁ ପ୍ରଭୂଲୀଳା ଗାନ କରାଉଥିଲେ ଏତେ ପରେବି ସେମାନେ ଛାଡ଼ୁନଥିଲେ କାରଣ ମୂଳ ଜିନିଷଟି ପବିତ୍ର ସଙ୍ଗୀତ ଥିଲା

ପ୍ର : ଶାସ୍ତ୍ରୀୟ ସଙ୍ଗୀତକୁ ନେଇ କିଛି ଭ୍ରମ ରହିଛି ଯେମିତି ଧାର୍ମିକ ବିଶ୍ୱାସ । ଶାମ ବେଦରୁ ଭାରତୀୟ ଶାସ୍ତ୍ରୀୟ ଧାରା ପ୍ରଭାହିତ ହୋଇଛି । ଆପଣଙ୍କର ଏ ସମ୍ପର୍କରେ କ’ଣ ମତ ରହିଛି ।

ଉତ୍ତର : ମୁଁ ଯେମିତି ଏବେ କହିଲି ଶାମଗାନକୁ ଅପରୁଷେୟ ବୋଲି କୁହାଯାଏ । ସେଥିରେ ଯେତିକି ଶବ୍ଦ ଅଛି ତାକୁ ମନ୍ତ୍ର କୁହାଯାଏ । ମନ୍ତ୍ରରେ ଓଁ ନମଃ ଶିବାୟ ଅଛି ତେଣୁ କେହି ଶିବାୟ ନମଃ ଓଁ କହିବେ ନାହିଁ । ସେମିତି ଓଁ ନମଃ ଭାଗବତେ ବାସୁଦେବାୟ ଅଛି, ବାସୁଦେବାୟ ଭାଗବତେ ନମଃ ଆପଣ କହିପାରିବେ ନାହିଁ । ଏଥିରେ ମଣିଷ ପାଇଁ କୌଣସି ରାସ୍ତା ବା ବାଟ ନାହିଁ । ଯେଉଁମାନେ କଳାକାର ସେମାନଙ୍କୁ ନିଜ ପାଇଁ ସବୁ ସ୍ଥାନରେ ଜାଗା ତିଆରି କରିବାକୁ ପଡ଼ିଥାଏ । ଯେମିତି ପିଲାମାନେ ଅନ୍ୟ ଭାଇଭଉଣୀକୁ ପେଲି ମା କୋଳରେ ଜାଗା ନେଇ ନିଅନ୍ତି ସେମିତି କଳାକାର ନିଜ ପାଇଁ ସ୍ଥାନ ବନାଇଥାଏ । ଏଥିପାଇଁ ଭଗବତ କଥାରେ ଏକ ସୁନ୍ଦର କଥା ବର୍ଣ୍ଣନା କରାଯାଇଛି । ରାଗ ସେଇଟା, ସ୍ୱର ସେଇଟା କିନ୍ତୁ ଅଲଗା ଶୁଣାଇଦିଏ । ସେହି ନୂଆ ପ୍ରକାଶ କେଉଁଠୁ ଆସେ।

ଭାଗବତକାର କୁହନ୍ତି ଯେମିତି ତୋତା ଫଳ ଖୋଳିଥାଏ ଏବଂ ପ୍ରତ୍ୟେକ ଫଳ ଭିତରେ ସେ ନିଜ ପାଟିରୁ କିଛି ଦ୍ରବ୍ୟ ଢ଼ାଳି ଦେଇଥାଏ । ସଙ୍ଗୀତରେ ସେମିତି କଳାକାର ଫଳକୁ ଖୋଳିବା ପରି ଖୋଳିଥାଏ ଓ ସେଥିରେ ନିଜର କିଛି ଦ୍ରବ୍ୟ ପକାଇଥାଏ । ସଙ୍ଗୀତରେ ଗାୟକ ରସ ଭରିଥାଏ । ଅନ୍ତିମ ନିର୍ଣ୍ଣୟ ହେଲା ସଙ୍ଗୀତ ରସମୟ ନା ନୁହେଁ । ବେଳେ ବେଳେ ସଙ୍ଗୀତ ଶୁଣିବା ପରେ ଆମେ କୁହନ୍ତି ଗାଇବା ପୁରା ଠିକ୍ ଥିଲା, ଆଖି ଯାଗାରେ ଆଖି ନାକ ଯାଗରେ ନାକ ଥିଲା ହେଲେ ରସ ନଥିଲା । ସେମିତି ଲେଖିବା ବେଳେ କୁହାଯାଏ ଭାଇ ଭାଷା ଠିକ୍ ଅଛି, ପ୍ରକାଶକ ମଧ୍ୟ ଠିକ୍‌, ନାଁ ବି କରିଛି କିନ୍ତୁ ମଜା ନାହିଁ ।

ଏହି ଯେଉଁ ରସ ଯାହାର ପରିକଳ୍ପନା ଆନନ୍ଦବର୍ଦ୍ଧନ କାଶ୍ମୀରରେ କହିଥିଲେ କିନ୍ତୁ ସେହି ରସ ସେବେଠାରୁ ଆମର ଆଲୋଚନାର ଏକ ତତ୍ତ୍ୱ ହୋଇଯାଇଛି । ପ୍ରଥମ ଦୃଷ୍ଟି ହେଲା ଲୋକଧର୍ମୀ ହେବା, ପ୍ରାଣବାୟୁ ଲୋକଙ୍କ ସହ ମିଶୁଛି ଏବଂ ଅନ୍ତିମ ଦୃଷ୍ଟି ହେଲା ସେଥିରେ ରସ ଅଛି ନା ନାହିଁ । ଶାମଗାନ ଗାଇଲେ ଆପଣ ଅଭିଭୂତି ହୋଇ ଧାର୍ମିକ ଭାବରେ ଗାଇ ପାରିବେ, ଶୁଣିବାକୁ ଭଲ ବି ଲାଗିବ କାରଣ ଋଗ୍‌ବେଦର ସଙ୍ଗୀତମୟ ରାଗକୁ ଶାମ ବେଦ କୁହାଯାଏ । ସେଥିରେ ଯେଉଁ ଅପରୁଷେୟ ତତ୍ତ୍ୱ ଅଛି ଆମେ କେଉଁ କାମ କରିପାରୁବୁ ସେଠି । ସେଥିପାଇଁ ଆମେ ଯେଉଁ ସଙ୍ଗୀତ ଗାନ କରୁଛନ୍ତି ତାହାର ସୃଷ୍ଟି ବୈଦିକ କାଳରେ ବୋଲି ମୋର ମନେ ହେଉନାହିଁ । ତା ପରେ ଆସୁଛି ଜୈନ ଓ ବୌଦ୍ଧ ମାର୍ଗ ଯେଉଁମାନେ ନିବୃତ୍ତି ମାର୍ଗୀ ଥିଲେ ସେମାନେ ସଙ୍ଗୀତରେ ବିଶେଷ ଆଗ୍ରହ ନେଇ ନଥିଲେ ସେମାନଙ୍କ ଲୟ ଉପରବାଲା ସହ କେବଳ ଥିଲା । ଯେମିତି କିଶୋରୀଜୀ କହିଥିଲେ ଟିକେ ତପୋଭ୍ରଷ୍ଟ ଯତି ହେବା ଜରୁରୀ ।

ସେହେମତ ଆସିବାପରେ ସେ ଭାରତର ଭିନ୍ନ ଭିନ୍ନ ଲୋକଙ୍କୁ ଯୋଡ଼ିଲେ । ଆମ ଏଠି ବିଭିନ୍ନ ପ୍ରକାରର ଆଦିବାସୀ ଥିଲେ, ବିଭିନ୍ନ ଗାୟନ ପ୍ରକାର ଓ ଶୈଳୀ ଥିଲା ସେସବୁକୁ ସେ ଏକାଠି କଲେ। ପ୍ରତ୍ୟେକ ବ୍ୟକ୍ତି ମନରେ ଗୋଟେ ଯକ୍ଷ ଲୁଚିଥାଏ। ଯକ୍ଷ ଜଣେ ବିଚିତ୍ର ଲୋକ ଥିଲେ । ସେ ସବୁବେଳେ ପଛରୁ ଲୁଚିକରି ଆଘାତ କରୁଥିଲେ । ଯାହାକୁ ଫ୍ରୟେଡ଼୍ ୧୯୦୦, ୨୦୦୦ ଶତାବ୍ଦୀରେ ଆବିଷ୍କାର କଲେ ଯେ, ପ୍ରତ୍ୟେକ ଲୋକ ଭିତରେ ଅନେକ ବ୍ୟକ୍ତିତ୍ୱ ଥାଏ । ପ୍ରତ୍ୟେକ ମଣିଷ ମନରେ ଶୁଦ୍ଧ ଭାବନା ବି ଥାଏ । ସେ କହୁଛନ୍ତି ଯେ, ସେହି ଗୁଢ଼ ଭାବନା ସୁସଂସ୍କତି ହେଉ ସୁନ୍ଦର ହେଉ ଏ କାମ ସଂଗୀତ ଓ କଳା କରିଥାଏ ।

ପ୍ର : ସାମାଜିକ ଦୂରତା ସମୟରେ ସଂଗୀତର ବିଚାର କେମିତି ରହିବ?

ଉ: ସାମାଜିକ ଦୂରତା ସମୟରେ ବୈଠକ ଓ ସଙ୍ଗୀତ ଅସାରର ସମ୍ଭାବନା ଖୁବ ସଂକୁଚିତ ହୋଇପଡିଛି ବୋଲି ମୋତେ ଅନୁଭବ ହେଉଛି । ଯଦି ଆମେ ଗଜେ ଗଜେ ଦୂରତାରେ ବସିବା ଓ ସଙ୍ଗୀତକାରଙ୍କୁ ହଲ ଖାଲି ଦେଖାଯାଉଥିବ କେମିତି ଇଛା ଆସିବ କିଛି ଶୁଣେଇବା ପାଇଁ । ଆମେ ସେଥିପାଇଁ ତାହାର ବିକଳ୍ପ ରାସ୍ତା ବାହାର କରିଛନ୍ତି । ଆମେ ପରଦାରେ କଥା ହେଉଛନ୍ତି । ଏଇଟା ଗୋଟିଏ ନୂଆ ଅନୁଭୂତି ଓ  ପରିପ୍ରକାଶ କରିବାର ନୂଆ ଉପାୟ। କିଛି ସମୟ ଲାଗିବ ଏଥିରେ ନିଜକୁ ଖାପ ଖୁଆଇବା ପାଇଁ ପୁଣି ଏଥିରେ ବି ଆମର ଅଭ୍ୟାସ ହୋଇଯିବ। ସଙ୍ଗୀତ ପରି ମେହେଫିଲ ବା ସାଂସ୍କୃତିକ ପରିବେଷଣ ବି ସବୁବେଳେ ବଦଳି ଥାଏ ।

ଆଗରୁ ସ୍ତ୍ରୀ ଲୋକମାନେ ଚକିପେସିବା ବେଳେ ଗାଉଥିଲେ । ଛୁଆ ଖେଳିଲା ବେଳେ ଗାଉଥିଲେ, ରାଜା ନିଜ ଅଫିମ ଖାଇବା ବେଳେ ବା ରାଜଦରବାରରେ କିଛି କରିବା ବେଳେ ଗାଉଥିଲେ । କ୍ଷେତରେ ହଳିଆ ହଳ ବୁଲାଇବା ବେଳେ ଗାଉଥିଲେ । ସେଗୁଡ଼ିକ ସବୁ ଖୋଲାଖୋଲି ଗାୟନ ଥିଲା । କିନ୍ତୁ ଯେତେବେଳେ ସଂଗୀତ ରାଜଦରବାରରେ ପହଞ୍ଚିଲା ସେତେବେଳେ ରାଜାଙ୍କ ଇଚ୍ଛାରେ ସଂଗୀତ ଚାଲିଲା ସଂରକ୍ଷଣ ଓ ସଂରକ୍ଷକର ବହୁତ ବଡ଼ ସମ୍ପର୍କ ଥାଏ । ରାଜ ଦରବାରରେ ସବୁ ପ୍ରିୟଜନ ବସନ୍ତି, ବିରୋଧୀ ଓ ବିରୋଧୀଙ୍କ ସମର୍ଥକଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ । ରାଜାଙ୍କର ମନ୍ତ୍ରୀ, ପାରିଷଦ ଓ ଅନ୍ତଃପୁରର ନାରୀମାନେ ପରଦା ପଛରେ ରହି ସଙ୍ଗୀତ ଶୁଣନ୍ତି । ସବୁ ମିଶାଇ ସଂଗୀତର ଏହି ଯେଉଁ ରୂପ ଆସିଲା ସେଥିରେ ରାଜା ଓ ଇଶ୍ୱରଙ୍କୁ ପ୍ରାର୍ଥନା କରାଯାଉଥିଲା ।

ପୁରୁଣା ଧ୍ରୁପଦକୁ ଦେଖନ୍ତୁ ସେଥିରେ ରାଜା କିମ୍ବା ଭଗବାନ କାହାର ଗୋଟେ ସ୍ତୁତି ଥିବ । ଏମିତି ଭାବରେ ୧୯୦୦ ଶତାବ୍ଦୀର ଶେଷ ଆଡ଼କୁ ୧୮୫୭ରେ ମୋଗଲ ଶାସନର ପତ୍ତନ ହେଲା ଓ ଅଭଧର ରାଜ ଦରବାର ଭାଙ୍ଗିଯିବା ପରେ ସେତେବେଳେ କଳାକାରମାନେ ଚାରିଆଡ଼େ ଖେଳିଗଲେ ଓ ଛୋଟ ଛୋଟ ରାଜାମାନଙ୍କର ପୃଷ୍ଠପୋଷକତାରେ ଏମାନେ ସଂଗୀତ କଲେ । ସଂଗୀତକାରମାନେ ଜଣେ ଜଣେ ଫକିର, ସେମାନେ ପଇସା ବଞ୍ଚେଇ ରଖିପାରନ୍ତି ନାହିଁ । ତା ସହିତ ସେମାନେ ଏକୁଟିଆ ନୁହଁନ୍ତି, ସାଙ୍ଗରେ ଶିଷ୍ୟ, ଶଳା, ଶାଳିଆଦି ସମସ୍ତେ ଥାଆନ୍ତି। ଏମାନେ ଯେତେବେଳେ ବିଭିନ୍ନ ରାଜଦରବାରକୁ ସଂରକ୍ଷଣ ପାଇଁ ଗଲେ କିଛି ରାଜ ଦରବାରରେ ଏମାନଙ୍କୁ ସଂରକ୍ଷଣ ଦିଆଗଲା । ରାମପୁର ରାଜ୍ୟରେ ଏବଂ ବରୋଦାରେ ଏହିଭଳି କଳାକାରମାନଙ୍କୁ ବହୁତ ସହଯୋଗ ମିଳିଥିଲା । ଏମିତି କିଛି ରାଜ୍ୟଥିଲା ଯେଉଁଠି ଏମାନଙ୍କୁ ସଂରକ୍ଷଣ ମିଳିଥିଲା । ଏହି ନୂଆ ସଂରକ୍ଷକମାନଙ୍କ ଭିତରୁ କିଛି ରାଜାଥିଲେ ଯେଉଁମାନେ ପୂର୍ବରୁ ସଙ୍ଗୀତ ଶୁଣୁଥିଲେ ସେମାନେ ଜାଣିଥିଲେ ସଙ୍ଗୀତ ସମ୍ପର୍କରେ । କିଛି ରାଜା ଥିଲେ ଯେଉଁମାନଙ୍କୁ ଇଂରେଜମାନେ ବହୁତ ଜମିବାଡ଼ି ଦେଇ ବଡ଼ଲୋକ କରିଦେଇଥିଲେ ସେମାନେ ଅନ୍ୟ ରାଜାମାନଙ୍କ ପରି ନାମୀଦାମୀ ଗାୟକ ଓ ବାଈଜୀଙ୍କୁ ଡ଼ାକି ସଙ୍ଗୀତ ଓ ମୁଜୁରାତ କରୁଥିଲେ କିନ୍ତୁ ସେମାନଙ୍କର ଋଚି ସମ୍ପୁର୍ଣ୍ଣ ପ୍ରକଟିତ ହୋଇପାରୁ ନଥିଲା । ଯେହେତୁ ସେମାନେ ନୂଆ ବଡ଼ଲୋକ ହୋଇଥିଲେ ତେଣୁ ବହୁତ ପଇସା ଦେଉଥିଲେ । ଏହି ନୂଆ ରାଜାମାନଙ୍କର ପୃଷ୍ଠପୋଷକତା ନୂଆ ଶ୍ରୋତା ସୃଷ୍ଟି କରିଥିଲା । ଏହି ଶ୍ରୋତାମାନଙ୍କର ଶୁଣିବାର ଧର୍ଯ୍ୟ ବହୁତ ଲମ୍ବା ନଥିଲା ।

ସେହି ଦିନଗୁଡ଼ିକ ଚାଲିଯାଇଥିଲା ଯେତେବେଳେ ରାତିରାତି ଧରି ସଙ୍ଗୀତ ଚାଲୁଥିଲା । ଆଜି ମହାରାଜ ଚାହିଁଲେ ଅଧଘଣ୍ଟା ମାଲକୋଶ ଶୁଣିବାପାଇଁ ଗାୟକ ବାଧ୍ୟ ହୋଇ ହଁ ଭରୁଥିଲେ । ହଁ ହଜୁର ଶୁଣାଇ ଦେବୁ । କେଉଁ ଦିନ ରାଜା କହିବେ ଆଜି ମୋତେ ଏହି ରାଗ ଶୁଣାଅ କିଛି ସମୟ ଗୋଟିଏ ରାଗକୁ ଶୁଣିବା ପରେ କହିବେ ଏହି ରାଗରେ ଏହି  ସ୍ୱର କାହିଁକି ଲଗାଇଲ? ଉସ୍ତାଦ୍ କହିଲେ ହଜୁର ଏଥିରେ ଏହି ସ୍ୱର ଲାଗିଥାଏ । ଆମ ଘରେ ତ ଏ ସ୍ୱର ଲାଗେନି, ମୁଁ ତ ଶୁଣିନି ଏ ସ୍ୱର? ଉସ୍ତଦଜୀ କହିବେ ହଜୁର ମୁଁ ଏ ରାଗରୁ ଏହି ସ୍ୱରଟିକୁ ବାହାରକରି ପୁରା ରାଗଟିକୁ ଶୁଣାଇ ଦେଉଛି । ନୂଆ ସଂଗ୍ରକ୍ଷକଙ୍କ ଇଚ୍ଛା ଅନିଚ୍ଛାକୁ ଆଖି ଆଗରେ ରଖି ରାଗ ଗୁଡ଼ିକୁ ସିଲେଇ କରାଗଲା

୧୯୦୦ ଶତାବ୍ଦୀ ବେଳକୁ ଲୋକେ ଅଧିକ ଆକୃଷ୍ଟ ହେଲେ ଲୋକ ସଙ୍ଗୀତ ଆଡ଼କୁ । ଲୋକଙ୍କର ଏହି ଆଗ୍ରହକୁ ବୁଝି କିଛି ବାଈଜୀ ସେତେବେଳେ ପୂର୍ବ ଭାରତରେ ଗାଉଥିବା କଜରୀ, ଚଇତି, ବ୍ରୀଜରେ ଗାଉଥିବା ହୋରୀ, ଧମାର ଆଦିକୁ ଦେଶୀରୁ ମାର୍ଗୀ କରି ସେମାନେ ଗାଇବା ଆରମ୍ଭ କଲେ । ସେହି ଗୀତ ଗୁଡ଼ିକ ଅଧିକ ଗ୍ରହଣୀୟ ହୋଇପଡ଼ିଲା । ପ୍ରଥମେ ଧ୍ରୃପଦ ଗାୟକୀ ସମ୍ଭ୍ରାନ୍ତୀୟ ଥିଲା ତାପରେ ଖେୟାଲ ସମ୍ଭ୍ରାନ୍ତୀୟ ହେଲା କିନ୍ତୁ ଯେତେବେଳେ ଠୁମୁରୀ ସହିତ ଠୁମକା ଲାଗିଲା ସେତେବେଳେ ରାଜାମାନେ ସବୁ ଲାଜ ସରମ ଛାଡ଼ି ଠୁମୁରୀ ଗାଇବା ଓ ଶୁଣିବା ଆରମ୍ଭ କଲେ । ଆମ ସମୟରେ ପହଞ୍ଚୁ ପହଞ୍ଚୁ ସଙ୍ଗୀତ ବିଭିନ୍ନ ପର୍ଯ୍ୟାୟ ଦେଇ ଏହି ରୂପରେ ପହଞ୍ଚିଲା ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.
Exit mobile version