ସୃଜନଶୀଳତାର ଯୁଗୋପଯୋଗୀ ପ୍ରୟୋଗ ଆବଶ୍ୟକ

4 Min Read

ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ ଗତି କରିଆସିଛି । ସବୁଯୁଗର ସମସ୍ୟାଗୁଡ଼ିକ ସମାନ ଅଛି ବୋଲି କୁହାଯାଇପାରିବ ନାହିଁ । ବର୍ତ୍ତମାନ ଯୁଗର ମୂଳ ସମସ୍ୟାଗୁଡ଼ିକ ହେଲା ଯୁଦ୍ଧ, ଜେହାଦୀ, ପରିବେଶର ସମସ୍ୟା, ବଜାରୀକରଣ, ଶ୍ରମ ସଂସ୍କୃତିର ବିଲୋପ, ଜାତିଧର୍ମ ବିଭେଦ, ମଣିଷ ପଣିଆର ଅଭାବ ଏସବୁ ସମ୍ପର୍କରେ ଲେଖନୀଚାଳନା କରିବାପାଇଁ ପଡ଼ିବ ।

ଅତୀତରେ ଆମେ ଜାତିପାଇଁ, ଦେଶପାଇଁ ଜୀବନ ଦେବାକଥା କହୁଥିଲେ । ‘ଦିଲ୍ ଦିଆହେ ଜାନ୍ ଭି ଦେଙ୍ଗେ’ ଗୀତ ବିଦ୍ୟାଳୟରେ ପିଲାଙ୍କୁ ଶିଖାଯାଉଥିଲା । କିନ୍ତୁ ଏବେ ଯଦି ସେସବୁ ଅଭ୍ୟାସ କରାଯିବ ତେବେ ଦେଶରେ ଜେହାଦୀ ସୃଷ୍ଟିହେବେ ।

ବ୍ୟବସାୟୀମାନେ ଚାହାନ୍ତି ପୃଥିବୀରେ ଯୁଦ୍ଧ ଲାଗିରହୁ । ହୁଏତ କୌଣସି ଏକ ସମୟରେ ଯୁଦ୍ଧର ଆବଶ୍ୟକତା ଥିଲା କିନ୍ତୁ ବର୍ତ୍ତମାନ ତାହା ପୃଥିବୀକୁ ଧ୍ୱଂସ କରିଦେବ । ଏ ବିଷୟରେ ସାଧାରଣ ଲୋକଟି କିଛି ବୁଝିନାହିଁ । ସ୍ୱଦେଶ ପ୍ରେମ ରହିବା ଭଲ କିନ୍ତୁ Super national ଚିନ୍ତକମାନଙ୍କ ମନକୁ ଏକଥା ଛୁଇଁବା ଦରକାର ଯେ ନିଜ ଦେଶକୁ ଭଲପାଇବା ନାଁରେ ଆମେ ଅନ୍ୟ ଦେଶକୁ ଘୃଣା କରିବା ଉଚିତ ନୁହେଁ । ସ୍ୱଦେଶପ୍ରେମ ସହିତ ମାନବପ୍ରେମ ମଧ୍ୟ ରହିବା ଆବଶ୍ୟକ । ଯାହା ରବୀନ୍ଦ୍ରନାଥ ଟେଗୁରଙ୍କ ଲେଖା ଭିତରେ ଫୁଟିପାରିଥିଲା ।

Photo credit- https://bit.ly/2RPjdGn

ପୃଥିବୀ ଜୈବବିବିଧତାରେ ଭରପୁର । ପ୍ରକୃତି ଯେଉଁ ଜୈବବିବିଧତା ସୃଷ୍ଟି କରିଥିଲା ମଣିଷ ତାକୁ ଧ୍ୱଂସ କରିଦେଉଛି । ଗୋଟିଏ ପ୍ରଜାତି ଅନ୍ୟସବୁ ପ୍ରଜାତିକୁ ଶେଷ କରିଦେଉଛନ୍ତି । ଯାହାଫଳରେ ଆମେ ଅନେକ ପ୍ରାକୃତିକ ସମସ୍ୟାର ସମ୍ମୁଖିନ ହେଉଛୁ । ମଣିଷଙ୍କୁ ଭଲପାଇବା ସହିତ ଜୀବଜନ୍ତୁଙ୍କୁ ଭଲପାଇବା ଏବଂ ପରିବେଶର ସୁରକ୍ଷା କରିବା ଆବଶ୍ୟକ ।

ପରିବେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ମଣିଷ ତୃଣଭୋଜୀ ନହେଲେ ଭବିଷ୍ୟତରେ ଖାଦ୍ୟାଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆମେ ଯେଉଁମାନେ ମାଂସାହାରୀ ସେମାନେ ହୁଏତ ଏକଥାକୁ ବିରୋଧ କରିବା କିନ୍ତୁ ବାସ୍ତବରେ ୧୦କେଜି ଶସ୍ୟ ବ୍ୟବହାର କଲେ ଗୋଟେ କେଜି ମାଂସ ଆମେ ପାଉ ।

ଆମେରିକାର ଲୋକସଂଖ୍ୟା ଯଦି ୨୫କୋଟି ହୁଏ ସେ ହିସାବରେ ସେମାନେ ୨୫୦କୋଟି ଲୋକଙ୍କ ଖାଦ୍ୟ ଖାଇଦେଉଛନ୍ତି । ଏକଥା ସାଧାରଣ ଲୋକଙ୍କ ବୁଝାମଣା ପାଇଁ ଲେଖାରେ, ଗୀତରେ ଏବଂ ନାଟକରେ ପ୍ରକାଶ ହେବା ଆବଶ୍ୟକ ।

ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ସେଥିପାଇଁ ସେ ଅନ୍ୟ ଜୀବମାନଙ୍କଠାରୁ ଭିନ୍ନ। ପ୍ରତ୍ୟେକ ମଣିଷର ସମାଜ ପାଇଁ କିଛି କର୍ତ୍ତବ୍ୟ ରହିଛି। ଏଭଳି କଥା ନାଚ-ଗୀତ ମାଧ୍ୟମରେ ପ୍ରଚାର ହେବା ଆବଶ୍ୟକ।

ଆଇନଷ୍ଟାଇନ୍ କହିଥିଲେ ଯେ ବର୍ତ୍ତମାନର ସଭ୍ୟତା ହେଉଛି ପରଶୋଷୀ ସଭ୍ୟତା ବା Predatory Civilization। ପରଶୋଷୀ ସଭ୍ୟତାରେ ଭୁଲ୍ ମୂଲ୍ୟବୋଧ, ଓଲଟା ମୂଲ୍ୟବୋଧଗୁଡ଼ିକୁ ପ୍ରଶଂସା କରାଯାଉଛି । ଯେମିତିକି ଚିତ୍ରତାରକା, ଖେଳାଳୀମାନଙ୍କୁ ଏବେ ସମାଜରେ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଉଛି । ଯେଉଁମାନେ ସମାଜକୁ ବଦଳାଇବା ପାଇଁ ତ୍ୟାଗ କରୁଛନ୍ତି ସେମାନଙ୍କୁ ସମ୍ମାନ ନାହିିଁ, ପ୍ରଶଂସା ନାହିଁ ।

ଧର୍ମ ସାହାଯ୍ୟରେ, ଗଣମାଧ୍ୟମ ସାହାଯ୍ୟରେ, ସାହିତ୍ୟ ଜରିଆରେ ଏହି ଭୁଲ୍ ମୂଲ୍ୟବୋଧ ସମାଜକୁ ଆସୁଛି । ସେସବୁ ବନ୍ଦ କରାଯିବା ଦରକାର । ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଯେଉଁଟା ବୁଦ୍ଧଙ୍କର ଥିଲା ତା’ର ବିକାଶ କରାଯିବା ଆବଶ୍ୟକ । ପରମ ସତ୍ୟ ବୋଲି କେବେ କାହାରି କଥାକୁ ଗ୍ରହଣ କରାଯିବା କଥା ନୁହେଁ ।

ଲୋକାୟତ ଧାରା ଯାହା ଭାରତରେ ଥିଲା ଯେଉଁଥିରେ ସ୍ତ୍ରୀ-ପୁରୁଷର ସମାନତା, ବିଭିନ୍ନ ପ୍ରଜାତି ଉପରେ ଅତ୍ୟାଚାର ବିରୁଦ୍ଧରେ ସେମାନେ ସ୍ୱର ଉଠାଇଥିଲେ, ସେସବୁ କଳାସାହିତ୍ୟ ମାଧ୍ୟମରେ ସମାଜରେ ପ୍ରଚାର-ପ୍ରସାର ହେବା ଆବଶ୍ୟକ ।

ଧର୍ମ କେବଳ ପୂଜକମାନଙ୍କ ନିକଟରେ ଏବଂ ଭକ୍ତମାନଙ୍କ ନିକଟରେ ରହିଯାଉଛି । କର୍ମ କରୁଥିବା ଲୋକଙ୍କର ଗୁରୁତ୍ୱ ନାହିଁ । କର୍ମ ହିଁ ଭଗବାନ – ଏକଥାଟିର ଆଉ ମହତ୍ତ୍ୱ ରହୁନି । ମନ୍ଦିର ଭିତରେ ଭଗବାନ ନାହାନ୍ତି ପ୍ରକୃତରେ ଭଗବାନ ଅଛନ୍ତି କର୍ମରତ ମଣିଷ ନିକଟରେ ଏ ଦିଗଟି ଲୋକଙ୍କ ନିକଟକୁ ଯିବା ଦରକାର ।

ଜଗନ୍ନାଥ ସଂସ୍କୃତି ବୋଲି ଯାହାକୁ ଆମେ କହୁଛନ୍ତି ସେଠି ସମସ୍ତେ ଏକ । ଜାତିଭେଦର ଊର୍ଦ୍ଧ୍ୱରେ ଜଗନ୍ନାଥ ସଂସ୍କୃତି, କିନ୍ତୁ ଏହି ମୂଲ୍ୟବୋଧ ସାଧାରଣ ସମାଜରେ କାହିଁକି ବ୍ୟାପୁନାହିଁ । ଜଗନ୍ନାଥ ତ, ସବୁଠି ଅଛନ୍ତି । ଜଗନ୍ନାଥ ଯଦି ଜାତିଭେଦକୁ ବିରୋଧ କରୁଛନ୍ତି ତେବେ ଆମ ସମାଜରେ ଏସବୁ ଜାତିଭେଦ କାହିଁକି ରହିଛି? ଜଗନ୍ନାଥଙ୍କୁ ସୁବିଧାଭୋଗୀ ଗୋଷ୍ଠୀ ନିଜ ହାତକୁ ନେଇଯାଇଛନ୍ତି ସେଥିପାଇଁ ଭୀମଭୋଇ ସ୍ୱପ୍ନ ଦେଖିଥିଲେ ଯେ ଜଗନ୍ନାଥ ମନ୍ଦିର ଭିତରେ ଗୋଟିଏ ସୁବିଧାଭୋଗୀ ଗୋଷ୍ଠୀର ସମ୍ପତ୍ତି ହୋଇଯାଇଛନ୍ତି । ତାଙ୍କୁ ନେଇ ବ୍ୟବସାୟ ଚାଲିଛି । ତାଙ୍କୁ ମୁକ୍ତି ଦେବାକୁ ପଡ଼ିବ ।

ମନ୍ଦିର ଭିତରେ ଜଗନ୍ନାଥ ସଂସ୍କୃତିଟା କଏଦ୍ ନହୋଇ ସମାଜର ଜାତିପ୍ରଥା ବିରୁଦ୍ଧରେ ପ୍ରଚାର ହେବା ଦରକାର । ଗାନ୍ଧିଜୀ ଯେମିତି ରାମଙ୍କୁ ସତ୍ୟ ଓ ଅହିଂସାର ପ୍ରତୀକ ଭାବରେ ବିଚାର କରିଥିଲେ ଠିକ୍ ସେମିତି ଓଡ଼ିଶାରେ ଜାତିବିଭେଦ ଦୂର କରିବା ଏବଂ ଅନ୍ୟାୟ ଅତ୍ୟାଚାରର ବିଲୋପ ପାଇଁ ଜଗନ୍ନାଥଙ୍କୁ ପ୍ରତୀକ ଭାବରେ ନିଆଯିବା ଦରକାର ।  ଜଗନ୍ନାଥ ସଂସ୍କୃତିର ଅନ୍ତର୍ନିହିତ ତତ୍ତ୍ୱ-ସମାନତା ଏବଂ ଜାତିଭେଦ ଦୂର ହେବାକୁ ନେଇ ନୂଆକରି ନାଟକ, ଗୀତ, ଗଳ୍ପ ତିଆରି ହେବା ଜରୁରୀ।

ନୂଆ ସମାଜ ଗଢ଼ିବାକୁ ହେଲେ ନୂଆ ନାଟକ, ନୂଆ ଗୀତ, ନୂଆ ମିଥ୍‌, ନୂଆ ସଂସ୍କୃତି ଆରମ୍ଭ କରିବାକୁ ହେବ।

Photo credit- https://bit.ly/3eACUM6

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ
Exit mobile version