ଫତୁରାନନ୍ଦଙ୍କ ଆତ୍ମଜୀବନୀ ‘ମୋ ଫୁଟା ଡଂଗାର କାହାଣୀ’ରୁ ଏହି ସଂପ୍ରୀତିର ବାର୍ତ୍ତାଟି ସଂଗ୍ରହ କରି ସମଧ୍ଵନି ପୃଷ୍ଠାରେ ଉପସ୍ଥାପନ କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ । ସେ ଫତୁରାନନ୍ଦଙ୍କୁ ଜଣେ ଦିଗ୍ଦର୍ଶୀ ରୂପେ ପରିପ୍ରକାଶ କରିଛନ୍ତି । ଏହି ଆତ୍ମଜୀବନୀ ଫତୁରାନନ୍ଦଙ୍କର ସମ୍ପ୍ରୀତିର ବାର୍ତ୍ତାକୁ ତୋଳିଧରେ । ଆଜିର ବିଭେଦମୟ ସମାଜରେ ଶାନ୍ତି ଓ ସହଯୋଗ ରକ୍ଷା କରିବା ଦିଗରେ ଏହା ଶିକ୍ଷାଦିଏ । ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ମତରେ ଫତୁରାନନ୍ଦଙ୍କ ଜୀବନ ଓ ଚିନ୍ତାଧାରା, ଓଡ଼ିଆ ସାହିତ୍ୟରେ କେବଳ ବ୍ୟଂଗ ନୁହେଁ, ସାମାଜିକ ସମ୍ବେଦନତାର ଏକ ମୂଲ୍ୟବାନ ଆଧାର। – ସମ୍ପାଦକ
“ଆମ ନିଜର ନ ହେଲେ ବି ମହରମ ପର୍ବ ବା ତାଜିଆ ଆମକୁ ଭାରି ଆକୃଷ୍ଟ କରୁଥାଏ । ଏହି ପର୍ବଟି ମୁସଲମାନଙ୍କର ହୋଇଥିଲେ ସୁଦ୍ଧା ହିନ୍ଦୁମାନେ ତହିଁରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରୁଥିଲେ । ତାଜିଆ ବାହାରିବାର ପୂର୍ବଦିନ ରାତିରେ ଝୋଲା ସାହି ଆଖଡ଼ା ଆମ ଘର ଆଗକୁ ଆସେ । ଆମ ସାହିର ପ୍ରାୟ ସବୁ ଭେଣ୍ଡିଆ ସେହି ଆଖଡ଼ାରେ ଅଂଶ ଗ୍ରହଣ କରନ୍ତି । ପଟା ବା ଖଣ୍ଡା ବୁଲାଇବା, ବାଡ଼ିଖେଳ, ସିଂହଖେଳ, ଛୁରିଖେଳ ଆଦି ବାଜା ବାଜିବା ସଂଗେ ସଂଗେ ଭେଣ୍ଡିଆମାନେ ଦେଖାନ୍ତି । ଆଖଡ଼ାରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଭେଣ୍ଡିଆ ପ୍ରାୟ ହିନ୍ଦୁ ଥାନ୍ତି । ଆଖଡ଼ା ଦଳର ମୁରବି ହିସାବରେ ଜଣେ ମାତ୍ର ମୁସଲମାନ ଖଲିଫା ଭାବରେ ଥାଏ । ଆଖଡ଼ାରେ ବାହୁସାଧନା ବା ଜିମନାସିୟମର ଖେଳମାନ ଦେଖାଯାଏ । ଏହା ପ୍ରାୟ ଘଂଟାଏ ଖଣ୍ଡେ ରହେ । ଖଲିଫା କକେଇଙ୍କଠାରୁ ଦୁଇ ଟଙ୍କା ନେଇ ଆଖଡ଼ା ସହ ଅନ୍ୟତ୍ର ଯାଏ । ଏହା ପୂର୍ବରୁ ଦିନବେଳା ବାଘନାଚ ମଧ୍ୟ ହୁଏ । ମହରମ୍ ଦିନ ସକାଳୁ ଆମେ ନୂଆଲୁଗା ପିନ୍ଧି ଯାତ ଦେଖିଯିବାଲାଗି ଅଳି କରୁ , ନୂଆଲୁଗା ପାଇଁ ଆମେ ଭାରି ଅମାନିଆ ହେଉ । ଶେଷରେ ଆମକୁ ଧୋବଲୁଗା ଓ କମିଜ ପିନ୍ଧାଇ ଛାଡ଼ିଦିଆଯାଏ । ନୟା ସଡକରେ ଥିବା ଆମ ଔଷଧ ଦେକାନକୁ ଆମେ ବଡ଼ବଡ଼ିଆଙ୍କ ସାଂଗରେ ଯାଉ । ସେହିଠାରେ ଚାନ୍ଦିନୀ ଆଡୁ ଅସୁଥିବା ଗୋଟିଏ ଗୋଟିଏ ତାଜିଆ ଦେଖୁ, ଦଶହରା ମେଢ ପରି କାରୁକାର୍ଯ୍ୟ ଖଚିତ ତାଜିଆ ସବୁ ବଡ ସୁନ୍ଦର ଦେଖାଯାଏ । ସବୁ ତାଜିଆ ଯିବା ପରେ ଆମେମାନେ ଘରକୁ ଫେରୁ । ସେତେବେଳେ ଆମେ ତାଜିଆକୁ ଆମର ଏକ ପର୍ବ ବେଲି ଭାବୁଥିଲୁ । ପର୍ବପର୍ବାଣିମାନଙ୍କରେ ହିନ୍ଦୁ ମୁସଲମାନଙ୍କର ଏକତା ସବୁବେଳେ ଖୁବ ଉଚ୍ଚସ୍ତରରେ ଥିଲା । ଆମ ବୁଢାବାପା ଏକ ନୈଷ୍ଠିକ ହିନ୍ଦୁ ଥିଲେ ହେଁ ମୁସଲମାନମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା କିପରି ଥିଲା ତାହା ନିମ୍ନରେ କେତୋଟି ଘଟଣାରୁ ଜଣାପଡ଼ିବ ।
ସେତେବେଳର ଡାକ୍ତର ସୟଦ ଏକରାମ ରସୁଲ ବୁଢାବାପାଙ୍କର ଧରମଭାଇ ଥିଲେ । ସେ ବୁଢାବାପାଙ୍କୁ ସବୁବେଳେ ‘ଭାଇଭାଇ’ ବୋଲି ଡାକୁଥିଲେ । ସେ ଆମ ଘରକୁ ଗଲେ ବୁଢାବାପାଙ୍କ ଖଟ ଉପରେ ଦୁହେଁ ବି ହସଖୁସି ଗପ କରୁଥିଲେ । ଦିନେ ଦିନେ ଯିବାକୁ ଡେରି ହୋଇଗଲେ ସେ କହନ୍ତି –
“ଭାଇ, ଡେରି ହୋଇଗଲା । ମୋର ନମାଜ ସମୟ ହୋଇଗଲାଣି , ଆଜି ଏଇଠି ନମାଜ କରିନେବି ।” ବୁଢାବାପା ସଂଗେ ସଂଗେ ଗୋଟିଏ ଚାକରକୁ ଡାକି ପାଣି ଦେବାକୁ ଓ ପିଣ୍ଡାରେ ଶତରଂଜି ପକାଇ ଦେବାକୁ କହନ୍ତି । ଏକରାମ ରସୁଲ ଗୋଡ଼ହାତ ଧୋଇ ସେହି ଶତରଂଜି ଉପରେ ନମାଜ ପଢୁଥିଲେ, ଆମେ ତାଙ୍କ ପଛରେ ଠିଆ ହୋଇ ତାଙ୍କର ନମାଜ ପଦ୍ଧତି ସବୁ କୈତୁହଳର ସହିତ ଲକ୍ଷ୍ୟ କରୁଥିଲୁ । ତାଙ୍କର ନମାଜ ସରିଯିବା ପରେ ଆମେ ଜଣେ ଦୁଇଜଣ ଠିକ୍ ସେହିପରି ଶତରଂଜି ଉପରେ ନମାଜ ପଢୁ , ବୁଢାବାପା ଓ ଏକରାମବାବୁ ଏହା ଦେଖି ହସରେ ଫାଟି ପଡ଼ନ୍ତି । ଏକରାମବାବୁ ଆମ ପାଖକୁ ଆସି କୁହନ୍ତି –
‘ହଁ ନମାଜ ପଢୁଛ ନା’ । ଏତକ କହି ଆମ ଗାଲକୁ ଟିକେ ଚିପି ଦିଅନ୍ତି ।
ଆଉ ଗୋଟିଏ ଦୃଷ୍ଟାନ୍ତ ମୁଁ ଦେଉଛି । ଆମ ବୁଢାବାପା ଏତେ ରକ୍ଷଣଶୀଳ ଯେ ଆମ ଠାକୁରଘର ଆଗରେ ଯଦି ଜଣେ ହରିଜନ ଚାଲିଯାଉଥିଲା ତେବେ ସେ ଭାରି ବିରକ୍ତ ହେଉଥିଲେ । ଯଦି କିଏ ଜଣେ ହରିଜନକୁ ଛୁଇଁ ଦେଉଥିଲା ତେବେ ସେ ଲୁଗା ପାଲଟି ପକାଇ ଲୁଗାକୁ ଧୋଉଥିଲେ । ଆମ ଠାକୁର ଘର ଭିତରକୁ ଜଣେ ହରିଜନ ପଶିଯିବା କଳ୍ପନାତୀତ ଥିଲା । ଦିନେ ମହମ୍ମଦ ଯାକେରିଆଙ୍କ ପତ୍ନୀ ଆମ ଘରକୁ ଆସିଥିଲେ । ସେ ମଧ୍ୟ ବୁଢାବାପାଙ୍କ ଧରମଭଉଣୀ ଥିଲେ, ସେ ଆସି ପହଂଚିଲାବେଳେ ବୁଢାବାପା ଠାକୁରଘରେ ଚନ୍ଦନ ଘୋରୁଥିଲେ । ଯାକେରିଆଙ୍କ ସ୍ତ୍ରୀ ଆସି ଠାକୁରଘର ଆଗରେ ଠିଆହୋଇ କହିଲେ- “ଭାଇ, ଏଇ ତୁମର ଠାକୁର ଘର ?” ବୁଢାବାପା ଖୁସି ହୋଇ ଯାଇ କହିଲେ- “ହଁ ହଁ, ଏଇଟା ଆମର ଠାକୁର ଘର । ତୁ ଭିତରକୁ ଆ । ସବୁ ଠାକୁରଙ୍କୁ ଦେଖି ନେବୁ ।” ବୁଢୀ ଠାକୁଘର ଭିତରକୁ ପଶିଲେ । ସବୁ ଦେବଦେବୀଙ୍କ ବିଷୟରେ ବୁଢାବାପା ତାଙ୍କୁ ବୁଝାଇଦେଲେ । ବୁଢୀ ସେ ସବୁ ଦେଖି ଭାରି ଖୁସି ହୋଇଗଲେ, କେବଳ ଏତିକି ନୁହେଁ, ବୁଢାବାପା ଟିକେ ପାଦୁକ ପାଣି ତାଙ୍କ ଉପରେ ଛିଂଚି ଦେଲେ । ବୁଢୀ ଆନନ୍ଦରେ ଗଦ୍ଗଦ୍ ହୋଇ କହିଲେ- “ଭାଇ, ତୁମ ଠାକୁରତକ ଭାରି ଭଲ ।” ତା’ପରେ ବୁଢାବାପା ତାଙ୍କୁ ଖଟ ଉପରେ ବସିବାକୁ କହିଲେ । ସେ ମଧ୍ୟ ପୂଜା ସାରି ତାଙ୍କ ସାଂଗରେ କଥାବାର୍ତ୍ତା ହେଲେ । ବୁଢାବାପାଙ୍କ ପୂଜା ନସରିବାଯାଏ ବୁଢୀ ଆମମାନଙ୍କୁ ଅତି ଆଦରରେ ଗେଲ କରୁଥାନ୍ତି । ମୁଁ ତାଙ୍କୁ ଜଣେ ବଢିଆ ଆଈ ବେଲି ମନେ ମନେ ଭାବିଲି । ଏବେ ସେ ସବୁ କଥା ମନେପଡ଼ିଗଲେ ମନରେ ଭାରି ଦୁଃଖ ଆସେ । ମନେ ମନେ ଭାବେ ବଦମାସ ରାଜନୀତିଜ୍ଞମାନେ ଏଇ ଦୁଇ ଜାତି ଭିତରେ କନ୍ଦଳ ଲଗାଇଦେଲେ ।”