ଲେରଗାଁର ସଂସ୍କୃତି ଓ ଇତିହାସ

Lenish Chandra Sahu
328 Views
18 Min Read

ଗାଁ ଇତିହାସ ଇତିହାସ ଲେଖିବା ସମୟର ଅନୁଭୂତି:

ମୋର ନାମ ହେଉଛି ଲେନିଶ ଚନ୍ଦ୍ର ସାହୁ ।  ଆମ ଗାଁ’ର ନାଁ ଲେରଙ୍ଗା । ଏହା ବରଗଡ଼ ଜିଲ୍ଲାର ଝାରବନ୍ଦ ବ୍ଲକର ଏକ ଗାଁ ।  ମୁଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଫ୍ରେଜର ପୁରର ଛାତ୍ର ଅଟେ । ପ୍ରଥମେ ମୁଁ ମୋର ଗାଁ ଇତିହାସ ଲେଖିବା ସମୟର ଅନୁଭୂତିକୁ ଏଠାରେ ପ୍ରକାଶ କରୁଛି ।

Support Samadhwani

ଲେରଗାଁ ମୋର କେତେ ସୁନ୍ଦର
ପ୍ରକୃତି ଭରା ଗାଁ ,
ଭାରତ ଦେଶେ ଓଡ଼ିଶା ରାଇଜେ
ରହିଛି ତାର ନାଁ ||
ପୂରୁବ ଦିଗେ ବୁଢ଼ା ଡଙ୍ଗର
କେଡେ ସୁନ୍ଦର ଦିଶେ ,
ତା ତଳେ ମୋର ଅଙ୍ଗ ନଦୀ
କଳ କଳ ହୋଇ ଭାସେ ||
ପଶ୍ଚିମ ଦିଗେ ବଡ଼ ଡୁଙ୍ଗୁରି
ଗାଁ କୁ ରହିଛି ଘେରି ,
ଦକ୍ଷିଣ ଦିଗେ ଶିବ ମନ୍ଦିର
ପୋଖରୀ ଅଛି ପୂରି ||
ଉତ୍ତର ଦିଗେ ଗନିହାରୀ ନଈ
କୁଲୁ କୁଲୁ ଯାଏ ବହୀ ,
ଏ ନଈ ପାରି ହୋଇ କି ଗଲେ
ମୋ ପଞ୍ଚାୟତ ଅଛି ରହି ||

ଗତ ୫ ମାସ ତଳେ ଆମ୍ଭ ବିଦ୍ୟାଳୟକୁ ସ୍ୱୟଂପ୍ରଭା ପାଢୀ ନାମକ ଜଣେ ଅଧ୍ୟାପିକା ଆସିଥିଲେ, ଯିଏକି ଆମକୁ ନିଜ ଗାଁ’ର ଇତିହାସ ଲେଖିବାକୁ ପ୍ରୋତ୍ସାହିତ କଲେ । ମୁଁ ଓ ମୋ ସାଙ୍ଗମାନେ ସମସ୍ତେ ପ୍ରୋତ୍ସାହିତ ମଧ୍ୟ ହେଲୁ । କିନ୍ତୁ ଯେତେବେଳେ ଆମ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଭାଗ୍ୟବନ୍ତି ଭୋଇ ମାଡ଼ାମ ଆମକୁ ଆଉ ଟିକିଏ ପ୍ରୋତ୍ସାହନ ଦେଲେ ସେତେବେଳେ ମୁଁ ଏହି ଗାଁ ଇତିହାସ ଲିଖନ କାର୍ଯ୍ୟକ୍ରମରେ ଭାଗ ନେଇଗଲି । ସେହି ଦୁଇ ଅଧ୍ୟାପିକାଙ୍କ ଯୋଗୁଁ 5 ରୁ 10 ଦିନ ମଧ୍ୟରେ ମୋ ଗାଁ’ର ଇତିହାସ ଲେଖି ଶେଷ କରିଦେଲି I ମୁଁ ଯେତେବେଳେ ଏହି କାର୍ଯ୍ୟକ୍ରମ ବିଷୟରେ ଘର ଲୋକଙ୍କୁ ପଚାରିଲି ଘର ଲୋକ ମୋର ସହାୟତା କଲେ । ମୋତେ ସେମାନେ ମଧ୍ୟ ପ୍ରୋତ୍ସାହିତ କଲେ I ମୁଁ ଯେତେବେଳେ ଗାଁ’ର ଇତିହାସ ଲେଖିବାକୁ ଆରମ୍ଭ କଲି ସେତେବେଳେ ମତେ ଗାଁ’ର ଅତୀତ ଓ ବର୍ତ୍ତମାନ ସହିତ ଯୋଡ଼ି ହେବାପାଇଁ ଗୋଟିଏ ସୁଯୋଗ ମିଳିଲା I ଯାହାଫଳରେ ମୁଁ ଗାଁ’ର ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା ଜାଣିନଥିଲି ସେ ସବୁକୁ ଭଲଭାବରେ ଜାଣି ବୁଝିପାରିଲି । ମୁଁ ଜାଣିନଥିଲି କି ଆମ ଗାଁ’ର ନାମ ଲେରଗାଁ କାହିଁକି ଦିଆଗଲା ? ଆମ ଗ୍ରାମରେ ପୂର୍ବେ ବା ଅତୀତରେ କେଉଁ ଯାନିଯାତ୍ରା ଓ ପର୍ବପର୍ବାଣୀ ପାଳନ ହେଉଥିଲା ? ଗାଁ ବିଷୟରେ ଗୀତ, ଗପ ଇତ୍ୟାଦି ମୁଁ ଜାଣିନଥିଲି, କିନ୍ତୁ ଏହି ଇତିହାସ ଲେଖିବା ପରେ ମୁଁ ସବୁ ଜିନିଷକୁ ଭଲଭାବରେ ବୁଝିଲି ଓ ଜାଣିପାରିଲି ।  

ଗାଁର ବୃଦ୍ଧ ଓ ବୟସ୍କଙ୍କ ସହିତ ଆଲୋଚନା :

ମୁଁ ଯେତେବେଳେ ଗାଁ’ର ବୟସ୍କଙ୍କ ଠାରୁ ଗାଁ ଇତିହାସ ବିଷୟରେ ପଚାରି ବୁଝୁଥିଲି ସେତେବେଳେ ତାଙ୍କ ଓ ମୋ ମଧ୍ୟରେ ନିବିଡ଼ ସମ୍ପର୍କଟିଏ ସୃଷ୍ଟି ହେଲା ଯାହାଦ୍ୱାରା ମୁଁ ଗାଁ’ର ସମସ୍ତଙ୍କ ସହିତ ଭଲଭାବରେ ମିଶିପାରିଲି ଓ ଗାଁ’ରେ ଥିବା ପୁରୁଣା ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିପାରିଲି । ସେମାନେ ଯେତେବେଳେ ନିଜ ଗାଁ’ର ଇତିହାସ କହୁଥିଲେ ସେମାନେ ମଧ୍ୟ ଖୁସି ହେଉଥିଲେ । ସେମାନେ ମଧ୍ୟ ଉତ୍ସାହିତ ଥିଲେ। ଗାଁ’ର ବୃଦ୍ଧା ଆଈମାନଙ୍କ ଠାରୁ ଗାଁ’ରେ ଥିବା ପୁରୁଣା ଖାଦ୍ୟ ଓ ସୁସ୍ୱାଦୁ ଖାଦ୍ୟ ବିଷୟରେ ପଚାରି ବୁଝିଲି ।  ସେମାନେ ସ୍ୱୟଂପ୍ରଭା ପାଢୀଙ୍କ ସହିତ ଭେଟ ହେବାପାଇଁ ଚାହିଁଲେ ।

 ସ୍ୱାସ୍ଥ୍ୟ ବିଷୟରେ ଆଶା ଦିଦିଙ୍କ ପରାମର୍ଶ :

ମୁଁ ଯେତେବେଳେ ଆଶା ଦିଦିଙ୍କ ପାଖକୁ ଗଲି ସେତେବେଳେ ମତେ ଗାଁ’ରେ ଥିବା ବାୟୁ ଓ ଜଳବାହିତ ରୋଗ ବିଷୟରେ ଜଣାପଡ଼ିଲା, ଯାହାକୁ ମୁଁ ପୂର୍ବେ ଜାଣିନଥିଲି I

ଗାଁରେ ଥିବା ଚାଷୀଭାଇଙ୍କ ଠାରେ ଆଲୋଚନା :

ମୁଁ ଗାଁ’ରେ ଥିବା ଚାଷୀ ଭାଇ ମାନଙ୍କ ଠାରୁ ଗାଁ’ରେ ଚାଷ ହେଉଥିବା ମାଣ୍ଡିଆ,ରକ୍ସି ଇତ୍ୟାଦି ପୁଷ୍ଟିଶସ୍ୟ ଚାଷର ଉତ୍ପାଦନ ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଲି ଯାହାକୁ ମୁଁ ଆଗରୁ ଜାଣିନଥିଲି I

ଗାଁର ଇତିହାସ ଭିଡିଓ ତିଆରି :

ମୁଁ ଯେତେବେଳେ ଗାଁ’ରେ ଇତିହାସ ଭିଡିଓ ତିଆରି କଲି ସେତେବେଳେ ମୋତେ ଗାଁ’ର ସ୍ଥାନ ସ୍ଥାନକୁ ଦେଖିବାକୁ ଓ ଭ୍ରମଣ କରିବାକୁ ସୁଯୋଗ ମିଳିଲା I ମୁଁ ଏହା ଫଳରେ ଗାଁ’ର ନିର୍ଜନ ଓ ଶାନ୍ତି ସ୍ଥାନ ଗୁଡ଼ିକ ଦେଖିପାରିଲି ଓ ଗାଁ’କୁ ଭଲଭାବରେ ଦେଖି ଜାଣିପାରିଲି I

ଇତିହାସ ଲେଖିବାରୁ କେମିତି ଲାଗିଲା :

ମୁଁ ମୋ ଗାଁ ଇତିହାସ ଲେଖି ଗର୍ବିତ ଓ ଖୁସି ଅନୁଭବ କରୁଛି I ଏହା ମୋ ଜୀବନର ପ୍ରଥମ ଇତିହାସ ଲେଖା I ଏହା ପୂର୍ବରୁ ମୁଁ କେବେହେଲେ ମଧ୍ୟ ଗାଁ ଇତିହାସ ଲେଖିନଥିଲି I ଇତିହାସ ଲେଖିବାରୁ ମତେ ଗାଁ ବିଷୟରେ ଆହୁରି ଜ୍ଞାନ ଅର୍ଜନ କରିବାକୁ ସୁଯୋଗ ମିଳିଲା I ମୋତେ ଏହି ଇତିହାସ ଲେଖିବାକୁ ସୁଯୋଗ ମିଳିଥିବାରୁ ମୁଁ ସ୍ୱୟଂପ୍ରଭା ମାଡ଼ାମଙ୍କ ପାଖରେ ଚିରୋପକୃତ ଅଟେ I

ଗାଁରେ ଥିବା କାଠୁରିଆ ଭାଇଙ୍କ ସହ ଆଲୋଚନା :

ମୁଁ କାଠୁରିଆ ଭାଇଙ୍କ ଠାରୁ ଗାଁ’ରେ ଥିବା ପାହାଡ଼, ଡ଼ଙ୍ଗର ଇତ୍ୟାଦି ବିଷୟରେ ଜାଣିପାରିଲି I ମୁଁ ଗାଁ’ରେ ଥିବା ପୁରୁଣା ଗଛ ପତ୍ର ଓ ଯେଉଁ ଗଛ ଗାଁ’ରେ କମ୍ ଦେଖାଯାଏ ତାହା ବିଷୟରେ ମୁଁ ଜାଣିପାରିଲି I ମୁଁ ଯେତେବେଳେ ଏସବୁ ବିଷୟରେ ତାଙ୍କୁ ପଚାରୁଥିଲି ସେ ମଧ୍ୟ ଉତ୍ସାହିତ ଥିଲେ ଓ କହିବା ପାଇଁ ଖୁସି ଅନୁଭବ କରୁଥିଲେ I

ଗାଁରେ ଥିବା ବିଦ୍ୟାଳୟର ଶିକ୍ଷକ ସହ ଆଲୋଚନା :

ମୁଁ ଗାଁ’ରେ ଥିବା ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ବିଦ୍ୟାଳୟର ବିଷୟରେ ପଚାରିଲି ଯଥା:-ବିଦ୍ୟାଳୟରେ ଶିଶୁ ସଂଖ୍ୟା କେତେ, ବିଦ୍ୟାଳୟରେ ଅଧାରୁ ପାଠ ଛାଡିଥିବା ପିଲା କେତେ, ବିଦ୍ୟାଳୟରେ ଗାଁ’ର କେତେ ପିଲା ପାଠ ପଢୁଛନ୍ତି ଇତ୍ୟାଦି ଇତ୍ୟାଦି I ଶିକ୍ଷକ ବୃନ୍ଦଙ୍କୁ ଏହା ପଚାରିବାରୁ ମୋତେ ଏହା ପଚାରିବାର କାରଣ ପଚାରୁଥିଲେ I

ଗାଁରେ ଥିବା ବଣିକ,କୁମ୍ଭାର,କମାର,ମିସ୍ତ୍ରୀ,ବଢ଼େଇଙ୍କ ସହ ଆଲୋଚନା :

ମୁଁ ଏ ସମସ୍ତଙ୍କୁ ଯେତେବେଳେ ପଚାରୁଥିଲି, ସେତେବେଳେ ମତେ ତାଙ୍କ ବିଷୟରେ ତାଙ୍କ ରୋଜଗାର ବିଷୟରେ ଜଣାପଡ଼ିଲା I

ଗାଁରେ ଥିବା ପୂଜାରୀଙ୍କ ସହ ଆଲୋଚନା:

ଆମ ଗ୍ରାମରେ 3ଟି ମନ୍ଦିର ଅଛି ସେଠାରେ ଶ୍ରୀ ଗୁପ୍ତେଶ୍ୱର ପଣ୍ଡା ପଣ୍ଡିତ ଭାବରେ ପୂଜା କରନ୍ତି I ସେ ତିନି ମନ୍ଦିରରେ ପୂଜା କରନ୍ତି I ଯେତେବେଳେ ମୁଁ ତାଙ୍କ ଠାରେ ଇତିହାସ ପଚାରିଲି ସେମାନେ ମତେ ମନ୍ଦିର ବିଷୟରେ କେତେକ ତଥ୍ୟ ବତାଇଲେ I ଯେପରି ମନ୍ଦିରମାନେ କେବେ ଓ କାହା ଦ୍ୱାରା ତୋଳା ଯାଇଥିଲା I ପଣ୍ଡିତଙ୍କ ଠାରୁ ମୁଁ ମନ୍ଦିରରେ ଥିବା ମୂର୍ତ୍ତି ମାନଙ୍କ ବିଷୟରେ ମଧ୍ୟ ପଚାରିଲି I ସେ ଏ ସବୁ ଜିନିଷକୁ କହି ଗର୍ବ ଅନୁଭବ କରୁଥିଲେ ଏବଂ ମତେ ଧନ୍ୟବାଦ ବୋଲି କହିଲେ I

ଆମ ଗାଁ’ର ସଂସ୍କୃତି ଓ ଇତିହାସ

ମୁଁ ଆମ ଗାଁ ଲେରଙ୍ଗା ର ଇତିହାସ ଓ ବର୍ତ୍ତମାନ ସମ୍ପର୍କରେ ଗବେଷଣା କରିବାପରେ ଯାହା ଜାଣିବାପାଇଁ ପାଇଲି ଏଠାରେ ଉପସ୍ଥାପନ କରୁଛି । ଆମ ଗାଁକୁ ଲୋକେ ଦେଉଁତି ନାମରେ ମଧ୍ୟ ଜାଣନ୍ତି । ପୂର୍ବ ପୁରୁଷମାନଙ୍କ କହିବା ଅନୁସାରେ ଆମ ଗାଁ ଅନେକ ଦେବାଦେବୀ ମାନଙ୍କର ବାସସ୍ଥଳୀ ହୋଇଥିବାରୁ ଆମ ଗାଁ’ର ନାମ ଦେଉଁତି ଅଟେ। ସେହି ଦେବାଦେବୀମାନଙ୍କ ମଧ୍ୟରେ ‘ଲରଗିହିନ’ ଦେବୀ ମୁଖ୍ୟ ହୋଇଥିବାରୁ ଆମ ଗାଁ’ର ନାମ ଲେରଙ୍ଗା ଅଟେ। ଆମ ଗାଁ ଅଠର ଶହ ପ୍ରଥମାର୍ଦ୍ଧରେ ପ୍ରତିଷ୍ଠିତ ହୋଇଥିଲା । ଏଠାରେ ପ୍ରଥମ ବାସିନ୍ଦା ‘ତେଳି’(ସାହୁ) ମାନେ ଥିଲେ। ଗାଁ’କୁ ପରେ ବିଂଝାଲ,ଗଣ୍ଡ, ଗଉଡ଼, ହରିଜନ, କେଉଁଟ ଇତ୍ୟାଦି ଜାତି ଆସି ବସତି ସ୍ଥାପନ କଲେ। ଆମ ଗାଁ’ର ଲୋକସଂଖ୍ୟା ହାରାହାରି ୧୫୦୦ ଅଟେ। ଆମ ଗାଁ’ରେ ଏବେ ହାରାହାରି ୨୭୦ଟି ଘର ଅଛି। ଆମ ଗାଁ’ରେ ପ୍ରାୟ ଘର ପକ୍କାଘର ଅଟେ। ଆମ ଗାଁ’ରେ ସବୁଲୋକ ହିନ୍ଦୁ ସମ୍ପ୍ରଦାୟର ଲୋକ ଅଟନ୍ତି। ଆମ ଗାଁ’ରେ ବଢେଇ କାମ, ମିସ୍ତ୍ରୀ କାମ, ସିଲେଇ କାମ, ବାହାନ ମରାମତି କାମ ଏବଂ କୃଷି କାମ ହୋଇଥାଏ।

ଆମ ଗାଁ’ରେ ଟୁନା ନାମକ କଳାକାର ଅଛନ୍ତି ଓ ସେ ବେସରକାରୀ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଆମ ଗାଁ’ରେ ସେହିପରି କେହି ମଧ୍ୟ ସ୍ଵାଧିନତା ସଂଗ୍ରାମରେ ଭାଗ ନେଇ ନାହାନ୍ତି। କିନ୍ତୁ ଆମ ଗାଁ’ର ଦୁଇ ଜଣ ବ୍ୟକ୍ତି ଦେଶ ରକ୍ଷାପାଇଁ ସେନାବାହିନୀରେ  ନିଯୁକ୍ତି ଅଛନ୍ତି। ତାଙ୍କର ନାମ ହେଲା-ଈଶ୍ଵର ସାହୁ ଓ ଜନ୍ମଜୟ ସାହୁ। ଆମ ଗାଁ’ରେ ସେପରି କୌଣସି ମଧ୍ୟ ଦର୍ଶନୀୟ ସ୍ଥାନ ବା ପର୍ଯଟନ ସ୍ଥଳ ନାହିଁ। କିନ୍ତୁ ଗାଁ’ରେ ତିନୋଟି ମନ୍ଦିର ଅଛି ତାହା ହେଲା ଶିବ ମନ୍ଦିର,ରାମ ମନ୍ଦିର, ହନୁମାନ ମନ୍ଦିର । ଗାଁ’ରେ ଗୋଟିଏ ନଦୀ ଅଛି, ତା’ପରେ ସୁନ୍ଦର ଜଙ୍ଗଲ ଅଛି ଯାହା ପର୍ଯ୍ୟଟନସ୍ଥଳ ପାଇଁ ଉଚିତ ସ୍ଥାନ ଅଟେ। ଲୋକ ଚାହିଁଲେ ଏହାକୁ ପର୍ଯ୍ୟଟନ ସ୍ଥଳ କରି ଏଠାରେ ଭୋଜି ମଧ୍ୟ କରିଆସନ୍ତି। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଅଟେ।

ଆମ ଗାଁ’ରେ ତିନୋଟି ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଅଛି। ଆମ ଗାଁ’ର ସ୍କୁଲରେ ହାରାହାରି ୧୫୦ଜଣ ପିଲା ପାଠ ପଢୁଛନ୍ତି। ଆମ ଗାଁ’ରେ ହାରାହାରି ୨୦ଜଣ ପିଲା ପାଠପଢା ଛାଡ଼ିଦେଇଛନ୍ତି। ଆମ ଗାଁ’ର ପାଠପଢା ଛାଡି ଦେଇଥିବା ପିଲାମାନେ ଘରର ପେଟ ପୋଷିବା ପାଇଁ ବାହାର ରାଜ୍ୟରେ ଯାଇ ବଡ଼ ବଡ଼ କମ୍ପାନୀରେ ମଜୁରୀଆ ଭାବରେ କାମ କରନ୍ତି। କେତେ ପିଲା ଘରର ଚାଷବାସ କରୁଛନ୍ତି। ପାଠପଢା ଛାଡ଼ିଥିବା ଝିଅମାନେ ପରଘରର ଚାଷଜମିରେ ମଜୁରୀ ଭାବରେ କାମ କରନ୍ତି ଓ କେତେ ଝିଅ ସିଲେଇ କାମ, ଘରୋଇ କାମ କରନ୍ତି।

ଆମ ଗାଁ’ରେ ଅତୀତରେ ପାଣିର ଉତ୍ସ ନଦୀ ଓ କୂଅ ଥିଲା। ଏବେ ଗାଁ’ର ପାଣିର ଉତ୍ସ ବିଦ୍ୟୁତ ଚାଳିତ ମୋଟର ପମ୍ପ, ଓ ବସୁନ୍ଧରା ଯୋଜନା ଯୋଗୁଁ ଘର ଘରକୁ ପାଣି ପହଞ୍ଚି ପାରୁଛି । ଗାଁ’ରେ ବର୍ତ୍ତମାନ ପାଣିର ଅସୁବିଧା ହେଉନାହିଁ । ସମସ୍ତଙ୍କ ଘରେ ଏବେ ବିଦ୍ୟୁତ ଚାଳିତ ମୋଟର ପମ୍ପ ଉପଲବ୍ଧ ଅଛି ଓ ସମସ୍ତଙ୍କୁ ବସୁନ୍ଧରା ଯୋଜନା ଦ୍ଵାରା ପାଣି ମିଳୁଛି। ଗାଁ’ର ସବୁଠାରୁ ପୁରୁଣା ବା ବୟସ୍କ ଲୋକ କେଶବ ସାହୁ ଅଟନ୍ତି। ସେ ତାଙ୍କ ପିଲାବେଳେ ଶୁଣିଥିଲେ ଆମ ଗାଁ’ରେ ପ୍ରଚୁର ପରିମାଣରେ ଚୂନ ପଥର ମିଳୁଥିଲା। ଆଖପାଖ ଗାଁ ଲୋକେ ଚୂନ ପଥର ନେବା ପାଇଁ ଆମ ଗାଁ’କୁ ଆସୁଥିଲେ।

ମା’ମାନେ ଗାଁ’କୁ ବିବାହ କରି ଆସିବାବେଳେ ଗାଁ’ରେ ଶୌଚାଳୟର ସୁବିଧା ନ ଥିଲା। ପାଣିର ସ୍ଵଚ୍ଛ ଉତ୍ସ ନଥିଲା। ଏବେ ସମସ୍ତଙ୍କ ଘରେ ଶୌଚାଳୟ ଅଛି ଓ ବସୁନ୍ଧରା ଯୋଜନା ଦ୍ୱାରା ସମସ୍ତେ ସ୍ୱଛ ପାଣି ପାଇ ପାରୁଛନ୍ତି। ଅତୀତରେ ଆମ ଗାଁ’ରେ ପ୍ରଚୁର ମାତ୍ରାରେ ଅସୁବିଧା ଥିଲା ଓ ତା’ର ନିରାକରଣ ମଧ୍ୟ ହେଉ ନ ଥିଲା କିନ୍ତୁ ଏବେ ଗ୍ରାମବାସୀଙ୍କ ଏକତା ଯୋଗୁଁ ସରକାରୀ ସୁବିଧା ଗୁଡିକ ଆମ ଗ୍ରାମରେ ଉପଲବ୍ଧ ଅଛି।

ଆମ ଗାଁରେ ବର୍ତ୍ତମାନ ହନୁମାନ ମନ୍ଦିର, ରାମ ମନ୍ଦିର ଓ ଗୋଟିଏ ଶିବ ମନ୍ଦିର ଅଛି। ଗ୍ରାମ ଦେବୀପୀଠ(ଦେଘର) ଇତ୍ୟାଦି ଦେବାଦେବୀ ପୀଠ ଆମ ଗ୍ରାମରେ ଅଛି। ଆମ ଗାଁ’ରେ ପ୍ରତି ପଡ଼ାରେ ଦୁର୍ଗା ପୂଜା, ଗଣେଶ ପୂଜା, ଜନ୍ମାଷ୍ଟମୀ, ଭାଗବତ ପାଠ, ବିଶ୍ଵକର୍ମା ପୂଜା ଇତ୍ୟାଦି ହୋଇଥାଏ। ପ୍ରଥମେ ଗାଁ’ରେ ବୈଶାଖ ମାସରେ ଚନ୍ଦନ ଯାତ୍ରା, ଚୈତ ମାସରେ ରାମନବମୀ ଏବଂ କର୍ମା ପୂଜା, ଡାଳଖାଇ ନୃତ୍ୟ ଇତ୍ୟାଦି ପ୍ରଥମେ ଗ୍ରାମରେ ହେଉଥିଲା। ଏବଂ ଗୌରା-ଗୌରୀ ପୂଜା ପ୍ରଥମେ ପ୍ରସିଦ୍ଧ ଥିଲା। ଗାଁ ଲୋକମାନେ ମନ୍ଦିର ବ୍ୟତୀତ ପଥର ମୂର୍ତ୍ତି ଓ ଅସ୍ତ୍ର ଶସ୍ତ୍ର ଯଥା ଫରଶା, ଟାଙ୍ଗିଆ ଓ ଫଟୋ ଚିତ୍ର, ଗଛ ଯଥା:-ବର ଗଛ,ପିପଲ ଗଛ ଇତ୍ୟାଦି ଜିନିଷକୁ ପୂଜା କରନ୍ତି।

ଆମ ଗାଁ’ରେ ନୂଆଖାଇ ସମୟରେ ନୃତ୍ୟ ଓ ଗୀତ ପ୍ରତିଯୋଗିତା ହୋଇଥାଏ। ଗାଁ’ରେ ତିନୋଟି ସଂକୀର୍ତ୍ତନ ଦଳ ଅଛନ୍ତି ଯଥା; ଉଦଣ୍ଡ, ରଙ୍ଗୀନ ଓ ମହିଳା ଦଣ୍ଡନୃତ୍ୟ। ଗାଁ’ରେ ଗୋଟିଏ ରାମଳୀଳା ଦଳ ମଧ୍ୟ ଅଛନ୍ତି। ଭାଗବତ ପାଠ କରୁଥିବା ମଧ୍ୟ ଗୋଟିଏ ଦଳ ଗାଁ’ରେ ଅଛନ୍ତି।

ଆମ ଗାଁ’ରେ ପର୍ବ ସମୟରେ ମହିଳାମାନେ ପାଟଶାଢୀ ପରିଧାନ କରନ୍ତି। ପୁରୁଷମାନେ ଜିନ୍ସ ପ୍ୟାଣ୍ଟ,ସାର୍ଟ ଓ ଧୋତି ଇତ୍ୟାଦି ପରିଧାନ କରନ୍ତି। ନୂଆଖାଇରେ ଆମ ଗ୍ରାମରେ ବିଶେଷ କରି ନୂଆଚାରା ନାମକ ଖାଦ୍ୟ ରନ୍ଧା ହୁଏ। ପୌଷ ପୂର୍ଣ୍ଣିମାରେ ଗ୍ରାମରେ ପକୋଡ଼ି, ବରା, ନଳୀ, ସିଙ୍ଗଡା ଇତ୍ୟାଦି ରନ୍ଧା ହୁଏ। ମାଣବସା ଲକ୍ଷ୍ମୀ ଗୁରୁବାରରେ ଖିରି ରନ୍ଧା ହୁଏ ଏବଂ ବିଭିନ୍ନ ପର୍ବରେ ବିଭିନ୍ନ ଖାଦ୍ୟ ରନ୍ଧା ହୁଏ। ଏବଂ ଆରିସା ପିଠା ଓ ମଣା ପିଠା ମଧ୍ୟ ହୁଏ। ପୂର୍ବେ ଗାଁ’ରେ ଆରିସା ପିଠା, ମଣା ପିଠା, ଇତ୍ୟାଦି ହେଉଥିଲା ଏହା ଏବେ ମଧ୍ୟ ହେଉଛି। ପ୍ରଥମେ ଗ୍ରାମରେ ମହୁଲକୁ ସିଝାଇ ଖାଉଥିଲେ ଯାହା ଏବେ ଖାଉନାହାନ୍ତି। ଗୁଞ୍ଜି, ଖୋଖସ, ବୋଗରା, ମାଣ୍ଡିଆ ପିଠା ଇତ୍ୟାଦି ପ୍ରଥମେ ଗ୍ରାମରେ ତିଆରି ହେଉଥିଲା। ଆମ ସକାଳ ଖାଦ୍ୟରେ ଆମେ ଲଦା ପିଠା ଖାଉ ଯାହା ଚାଉଳ ଗୁଣ୍ଡରେ ନିର୍ମାଣ ହୋଇଥାଏ। ତା’ସହିତ ରସୁଣ ଚଟଣି ଖାଦ୍ୟକୁ ସୁସ୍ଵାଦ କରେ। ଆମେ ମଧ୍ୟାହ୍ନ ଭୋଜନରେ ଭାତ,ଡାଲି,ତରକାରୀ ଖାଇଥାଉ। ଆମେ ଡାଲିରେ କୋଳଥ, ମୁଗ, ବିରି,ରାହିଡି ଖାଉ ଓ ତରକାରୀରେ କଲରା, ବାଇଗଣ, କୋବି, ମଟରଚନା ଇତ୍ୟାଦି ଖାଉ। ଆମେ ସନ୍ଧ୍ୟାରେ ବିସ୍କୁଟ ସହିତ ଚାହା ପିଉ। ମୁଢି ଓ ମିକ୍ସଚର ମଧ୍ୟ ଖାଉ। ଆମେ ରାତିରେ ଭାତ,ଡାଲି ଓ ତରକାରୀ ଖାଉ। ଆମ ଜେଜେ ବାପା ଓ ଜେଜେ ମା’ମାନେ ତାଙ୍କ ପିଲାବେଳେ ଆରିସା ପିଠା, ଗୁଞ୍ଜି, ଖୋଖସ, ବୋଗରା, ମଣ୍ଡିଆ ପିଠା ଖାଉଥିଲେ। ସେମାନେ ଅନେକ ପ୍ରକାରର ଖାଦ୍ୟ ନିଜ ପିଲାବେଳେ ଖାଉଥିଲେ। ଆମର ଖାଦ୍ୟ ପେୟରେ ଅଧିକକିଛି ପରିବର୍ତ୍ତନ ଦେଖାଯାଉ ନାହିଁ। ପୂର୍ବରେ ଯେପରି ଖାଦ୍ୟ ଗ୍ରାମରେ ସେବନ କରାଯାଉଥିଲା ସେହିପରି ଏବେ ମଧ୍ୟ ଅଛି। ଲୋକେ ଏବେ ମଧ୍ୟ ଆରିସା ପିଠା, ଗୁଞ୍ଜି, ମଣ୍ଡିଆ, ବୋଗରା ପିଠା ଗୁଡ଼ିକୁ ମଜାର ସହିତ ଖାଉଛନ୍ତି। ଗୁଞ୍ଜି ପିଠା, ମହୁଲ ଭଜା ଓ ଟୋଲ ତେଲକୁ ଏବେ ଲୋକେ ଆଉ ଖାଦ୍ୟ ପେୟ ଭାବରେ ଗ୍ରହଣ କରୁନାହାନ୍ତି। ପିଲାମାନଙ୍କୁ ଗୁଞ୍ଜି ପିଠା, ଖୋଖସ, ବୋଗରା, ମଣ୍ଡିଆ ପିଠା ଖାଇବାକୁ ଭଲଲାଗେ। ପିଲାମାନେ ଖିରି, ନଳୀ, ସିଙ୍ଗଡା, ବରା, ପକୋଡି ମଧ୍ୟ ଖାଇବାକୁ ଭଲପାଆନ୍ତି। ଆମ ଗାଁ ଲୋକେ କାଙ୍ଗୁ ଓ ରକ୍ସି ଆଗରୁ ଖାଉଥିଲେ କିନ୍ତୁ ଏବେ ଆଉ ଖାଉନାହାଁନ୍ତି । ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆମ ମା’ମାନେ ଏବେ ବି କହିପାରୁଛନ୍ତି । ପାରମ୍ପରିକ ଖାଦ୍ୟ ହେଉଛି ମଣା ପିଠା। ତା’ର ପ୍ରସ୍ତୁତି ପ୍ରଣାଳୀ ହେଉଛି:-ପ୍ରଥମେ ଆମେ ଚାଉଳ ଗୁଣ୍ଡରେ ପାଣି ମିଶାଇ ତାକୁ ଚକଟା କରିବା ତା’ପରେ ତାକୁ ଗୋଲ ଆକୃତି ଦେଇ ତା ଭିତରେ ରାଶି,ନଡିଆ,ଚିନାବାଦାମ ବା କଦଳୀକୁ ଭରିଦେଇ ତାକୁ ତେଲରେ ଛାଣି ଦେଇ ଖାଇବା।

ଆଜି କାଲିର ଝିଅ ବୋହୂମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିଛନ୍ତି। ସେମାନେ ଆରିସା, ଗୁଞ୍ଜି, ଖୋଖସ, ବୋଗରା, ମଣ୍ଡିଆ ପିଠା ଇତ୍ୟାଦି ସବୁ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ସେମାନେ ଜାଣିଛନ୍ତି।

ସ୍ୱାସ୍ଥ୍ୟ ବ୍ୟବସ୍ଥା :

ଆମ ଗାଁ ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଅଛି। ଗାଁ’ଠାରୁ ସ୍ଵାସ୍ଥ୍ୟ ସେବା କେନ୍ଦ୍ରଟି ୨ କିମି ଦୂରରେ ଅଛି। ଆମ ଗାଁ’ରେ ଲୋକମାନେ ଅସୁସ୍ଥ ହେଲେ ଡାକ୍ତରଖାନା ଯାଆନ୍ତି। ଗାଁ’ରେ କରୋନା, ଥଣ୍ଡା, ଜ୍ଵର, ମ୍ୟାଲେରିଆ ଇତ୍ୟାଦି ରୋଗ ବର୍ତ୍ତମାନ ଅଧିକ ମାତ୍ରାରେ ଦେଖାଯାଏ। ଆମ ଗାଁ’ରେ ଜଳବାହିତ ରୋଗ ଦେଖାଯାଏ ନାହି। ଗାଁ’ରେ ବହୁତ କମ ପାଖାପାଖି ୫% ଲୋକ ରକ୍ତହୀନତାରେ ପୀଡ଼ିତ। ଭିଟାମିନ ଅଭାବ ଜନିତ ରୋଗ ଗାଁ’ରେ ଦେଖାଯାଏ। ପୁଷ୍ଟିହୀନତା ଗାଁ’ରେ ବହୁତ କମ ଲୋକ ଅଛନ୍ତି। ଗାଁ’ରେ ସମସ୍ତ ମହିଳା ଡାକ୍ତର ଖାନାକୁ ପ୍ରସୂତି ପାଇଁ ଯାଆନ୍ତି। ଆମ ଗାଁ ବାହ୍ୟ ପରିମଳ ମୁକ୍ତ ଗାଁ ବହୁ ପୂର୍ବରୁ ହେଲାଣି । ୨୦୦୦ ମସିହାରୁ ବାହ୍ୟପରିମାଳ ମୁକ୍ତ । ସମସ୍ତଙ୍କ ଘରେ ଶୌଚାଳୟର ସୁବିଧା ଅଛି। ଗାଁ’ରେ କରୋନା ଓ ଆଖିଧରା ଆଗରୁ ଅଧିକ ମାତ୍ରାରେ ଦେଖାଯାଉଥିଲା ଯାହା ଏବେ ଆଉ ଦେଖାଯାଉ ନାହି। ଆମ ଗାଁ ପରିଷ୍କାର ପରିଚ୍ଛନ୍ନ ରହେ। ଗାଁ’ର ସମସ୍ତ ଶିକ୍ଷିତ ବ୍ୟକ୍ତି ଓ ଭଦ୍ରବ୍ୟକ୍ତି ମାନେ ଗାଁ’କୁ ପରିଷ୍କାର ପରିଚ୍ଛନ୍ନ ରଖିବାରେ ସାହାଯ୍ୟ କରୁଛନ୍ତି। ଗାଁ’ର ଏକତା ଦ୍ଵାରା ଏହା ସମ୍ଭବ ହୋଇପାରୁଛି। ଲୋକମାନେ ମଶାରୀ ଟାଙ୍ଗି ଶୋଇଥାନ୍ତି। ମାଛିରୁ ରକ୍ଷା ପାଇବାପାଇଁ ସମସ୍ତେ ତତଲା ଖାଦ୍ୟ ଖାଆନ୍ତି। ମଶାମରା ଧୂପକାଠି ବ୍ୟବହାର କରନ୍ତି ଓ ନିଜ ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖନ୍ତି। ପ୍ରତି ମାସର ଦ୍ୱିତୀୟ ବୁଧବାରରେ ପ୍ରତିଷେଧକ ଦିଆଯାଏ। ଆମ ଗାଁ’ରେ ଏବେ ସାମାନ୍ୟ ଥଣ୍ଡା ଓ ଜ୍ଵରରେ ଲୋକେ ପୀଡ଼ିତ ଅଛନ୍ତି ଏବଂ ସେପରି କୌଣସି ନୂଆ ରୋଗରେ ଗ୍ରାମବାସୀ ଆକ୍ରାନ୍ତ ନୁହନ୍ତି।

ଆମ ଗାଁ’ରେ ପୁଷ୍ଟିଶସ୍ୟ ଚାଷ ହେଉଛି । ବହୁତ ଲୋକ ଏହି ପୁଷ୍ଟିଶସ୍ୟ ଚାଷ କରୁଛନ୍ତି। ଆମ ଗାଁ’ରେ ମଣ୍ଡିଆ, ଗୁନ୍ଦଳି, କୋଦ, ଖିରା, ଜହ୍ନା ଇତ୍ୟାଦି ଚାଷ ହୁଏ। ପୂର୍ବରେ କାଙ୍ଗୁ ହେଉଥିଲା ଯାହା ଏବେ ଆଉ ହେଉ ନାହି। ଆମ ଗାଁ ଲୋକେ ପୁଷ୍ଟିଶସ୍ୟ ଯୁକ୍ତ ଖାଦ୍ୟ ଖାଆନ୍ତି। ଏହା ଆମର ଶରୀର ଗଠନରେ ସହାୟକ ହୁଏ ଓ ସ୍ମରଣ ଶକ୍ତି ମଧ୍ୟ ବଢାଇଥାଏ। ସେଥିପାଇଁ ଗାଁ’ରେ ୮୦% ଲୋକ ଏହାର ସେବନ କରୁଛନ୍ତି। ସେମାନେ ନିଜେ ଚାଷ କରୁଛନ୍ତି ଓ ବିକ୍ରୟ ମଧ୍ୟ କରନ୍ତି। ପୁଷ୍ଟିଶସ୍ୟ ଚାଷ ପାଇଁ ଅଳ୍ପ ଜଳ ଓ ଜୈବିକ ସାର ବ୍ୟବହାର କରି ଅମଳ କରାଯାଏ। ଏହାକୁ ଲୋକେ ଯଦି ପ୍ରଚୁର ମାତ୍ରାରେ ଚାଷ କରିଛନ୍ତି, ତାହାହେଲେ ଶସ୍ୟକୁ ଶୀତଳ ଭଣ୍ଡାରରେ ସାଇତି ରଖାଯାଏ। ଯଦି କମ ମାତ୍ରାରେ କରାଯାଇଛି, ତାହାହେଲ  ନିଜ ଘର ଗୋଦାମରେ ମଧ୍ୟ ସାଇତି କରି ରଖାଯାଇପାରିବ।

 ଗାଁ ପରିବେଶ :

ଆମ ଗାଁ’ର ଅତୀତରେ ବାୟୁମଣ୍ଡଳ ସଫା ଓ ସ୍ଵଚ୍ଛ ଥିଲା। ସେଥିପାଇଁ ପୂର୍ବରେ ସବୁ ଋତୁ ଅନୁଭବ ହେଉଥିଲା ଯଥା; ଗ୍ରୀଷ୍ମ, ବର୍ଷା,ଶରତ, ହେମନ୍ତ, ଶୀତ ଓ ବସନ୍ତ ଇତ୍ୟାଦି। ଗାଁ’ରେ ଏବେ ମଧ୍ୟ ଗଛଲତା ଥିବାରୁ ଋତୁମାନଙ୍କରେ କିଛି ପରିବର୍ତ୍ତନ ଦେଖାଯାଉନାହିଁ ।  ଆମେ ସବୁ ଋତୁ ଅନୁଭବ କରିପାରୁଛୁ । ଆଗରୁ ଗାଁ’ରେ ଗାଈ, ମଈଷି, ଛେଳି ଇତ୍ୟାଦି ଓ ପକ୍ଷୀ ଯଥା; ଶୁଆ, ଶାରୀ, କପୋତ, ପାରା, କାଠହଣା ଚଢେଇ ଇତ୍ୟାଦିକୁ ଲୋକ ଆଗରୁ ଗୃହପାଳିତ ଭାବେ ରଖିଥିଲେ। ଏବେ ଗାଁ’ରେ ଲୋକେ ଗୃହପାଳିତ ଭାବରେ କୁକୁର, ଗାଈ, ମହିଷି, ବଳଦ ଓ ଛେଳିକୁ ରଖୁଛନ୍ତି ଓ ଶୁଆ, ଶାରୀ, ପାରା, କପୋତ ଇତ୍ୟାଦିକୁ ଲୋକେ ଗୃହପାଳିତ ଭାବରେ ରଖିଛନ୍ତି।

ଆମ ଗାଁ ପାଖରେ ଜଙ୍ଗଲ ଅଛି। ଅଡୁଆଳ, ଚନ୍ଦଳୀ ଡ଼ୁଙ୍ଗୁରୀ, ବଡ଼ଖା ଡ଼ୁଙ୍ଗୁରୀ ଏବଂ ପତ୍ରା ଡ଼ୁଙ୍ଗୁରୀ ଇତ୍ୟାଦି ଜଙ୍ଗଲ ଗ୍ରାମରେ ବା ଗ୍ରାମ ପାଖରେ ଅବସ୍ଥିତ। ଗାଁ ଲୋକେ ଜଙ୍ଗଲରୁ ଫଳ,ଫୁଲ,କାଠ,ଔଷଧ ଇତ୍ୟାଦି ସବୁ ସଂଗ୍ରହ କରନ୍ତି। ଗାଁ’ରେ ଶିଶୁ ଗଛ, ଆମ୍ବ ଗଛ, ଚାର ଗଛ, ପିପଲ ଗଛ, ବର ଗଛ, ପଲସା ଗଛ, ଅରଖ ଗଛ, କେନ୍ଦୁ ଗଛ, ସାବୁନ ଗଛ, ଅଁଳା ଗଛ, ଜାମୁକୋଳି ଗଛ, ବନସୁନି ଗଛ, ପିଜୁଳି ଗଛ, ତେନ୍ତୁଳୀ ଗଛ, କାଠକୋଇଲି ଗଛ ଇତ୍ୟାଦି ଆମ ଗ୍ରାମରେ ଦେଖାଯାଏ। ଆମ ଗାଁ’ରେ ପ୍ରଥମେ ଯେଉଁ ଗଛ ଗୁଡିକ ଥିଲା ସେ ସବୁ ଗଛ ଏବେ ମଧ୍ୟ ଅବସ୍ଥିତ ଅଛି। ଆମ ଗାଁ’ରେ ୨୦୦୨ ମସିହାରେ ଗାଁ’ରେ ଭୟଙ୍କର ବନ୍ୟା ଓ ବାତ୍ୟା ହୋଇଥିଲା। ସେତେବେଳେ ଗ୍ରାମରେ ସ୍ଵଚ୍ଛ ଓ ନିର୍ମଳ ବାତାବରଣ ଥିଲା। ସବୁଆଡେ ଘଞ୍ଚ ଓ ଗହଳ ଅରଣ୍ୟ ଥିଲା। ସବୁ ଲୋକଙ୍କ ମଧ୍ୟରେ ଏକତାର ଭାବ ଥିଲା ଗାଁ’ରେ ଚାଷ ଭଲ ହେଉଥିଲା। ପୂର୍ବେ ଯେପରି ଗାଁ’ରେ ଶାନ୍ତିଶୃଙ୍ଖଳା ଥିଲା ଏବେ ମଧ୍ୟ ସେପରି ଗ୍ରାମରେ ଅଛି ସେଥିରେ କୌଣସି ମଧ୍ୟ ପରିବର୍ତ୍ତନ ଆସି ନାହିଁ। ଆମ ଗାଁ’ରେ ଗୃହପାଳିତ ପଶୁମାନଙ୍କ ପାଇଁ ଚାରଣ ଭୂମି ଅଛି। ଆଗରୁ ଗାଁ’ରେ ଗୋଟିଏ ଜଙ୍ଗଲ ପୁରାପୁରୀ ଚାରଣ ଭୂମି ଥିଲା। ଏବଂ ଏବେ ମଧ୍ୟ ଲୋକେ ସେହି ଜଙ୍ଗଲ ପଶୁଙ୍କ ଚାରଣ ଭୂମି ଭାବେ ବ୍ୟବହାର କରୁଛନ୍ତି।

ଆମ ଗାଁ’ରେ ବା ପଞ୍ଚାୟତରେ କୌଣସି ସ୍ଥାନରେ ମଧ୍ୟ ହାଟ/ବଜାର ନାହିଁ, କିନ୍ତୁ ଗାଁ ଠାରୁ ଟିକିଏ ଦୂରରେ ଥିବା ପଡୋଶୀ ଗାଁ’ରେ ହାଟ ଅଛି। ଯାହା ସପ୍ତାହରେ ପ୍ରତି ରବିବାର ଦିନ ବସିଥାଏ । ସପ୍ତାହକୁ ଥରେ ଓ ରବିବାର ଦିନ ହାଟ ବସେ। ଆମ ଗାଁ’ରୁ ପନିପରିବା ଓ ମସଲା ଗୁଣ୍ଡ ଇତ୍ୟାଦି ହାଟ/ବଜାରକୁ ବିକ୍ରି ପାଇଁ ଯାଏ । ଗାଁ ଲୋକେ ହାଟ/ବଜାରରୁ ପନିପରିବା, ମସଲା ଗୁଣ୍ଡ, ମାଂସ, ଫେନ୍ସି ସାମାନ, ବରା ଓ ସିଙ୍ଗଡା ଇତ୍ୟାଦି କିଣନ୍ତି। ଆମ ଗାଁ’ରେ ୧୦ ରୁ ୧୫ ଟି ଦୋକାନ ଅଛି ସେଥିରୁ ଅଧାରୁ ଅଧିକ କୀରାନା ଦୋକାନ ଅଟେ ଓ ସମସ୍ତେ ଜଣେ ଜଣେ ବ୍ୟବସାୟୀ ଅଟନ୍ତି ଯେଉଁ ମାନେ ଦୋକାନ ମାଲିକ ଅଟନ୍ତି। ଗାଁ’ରେ ପ୍ରାୟ ୨୦ ଲୋକ ହାଟ/ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି। ଆମ ଗାଁ’ର ଲାଭଜନକ ଦ୍ରବ୍ୟ ଗୁଡିକ ହେଲା-ମସଲା ଗୁଣ୍ଡ, ପନିପରିବା, ମାଛ, ମାଂସ ଓ ଚଣା ଇତ୍ୟାଦି। ଲୋକଙ୍କୁ ଲୁହା ସାମଗ୍ରୀ ଓ ଅଳଙ୍କାର, ବାହାନ ଗୁଡିକ କିଣିବା ପାଇଁ ଦୂରକୁ ଯିବାକୁ ପଡେ । ଗାଁ ହାଟରେ ସେପରି କୌଣସି ମଧ୍ୟ ହସ୍ତଶିଳ୍ପ କଳାକୃତି ବିକ୍ରି ହୁଏ ନାହି। ହାଟରେ ଗୁନ୍ଦଳି, ଖିରା, ଜହ୍ନା ଇତ୍ୟାଦି ପୁଷ୍ଟିଶସ୍ୟ ବି ମିଳେ। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ବଜାରରେ ମିଳେ ନାହି, କିନ୍ତୁ ପୁଷ୍ଟିଶସ୍ୟ ମିଳେ। ଆମ ହାଟରେ କାଠ,ଔଷଧିୟ ପତ୍ର,ଫଳ,ଫୁଲ ଇତ୍ୟାଦି ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି ହୁଏ । ପଡୋଶୀ ଗାଁ ବାହାରୁ ଛୋଟ ବେପାରୀ ଆସି ଘର ପାଇଁ ସଉଦା କିଣାକିଣି କରନ୍ତି। ସେ ବଜାରରୁ ପନିପରିବା, କୀରାନା ସାମଗ୍ରୀ, ମସଲା ଗୁଡିକ କିଣନ୍ତି। ସେମାନେ କୁହନ୍ତି ସମସ୍ତେ ଯେତେ ବ୍ୟବସାୟୀ ଅଛନ୍ତି ସମସ୍ତଙ୍କର ଗୋଟିଏ ୟୁନିୟନ ଅଛି। ସେମାନେ ସମସ୍ତେ ଏକତାର ସହିତ କାମ କରନ୍ତି। ବାହାରୁ ଆସୁଥିବା ବ୍ୟବସାୟୀ ମାନେ ମଧ୍ୟ କଳହ କାଳେଶ କରନ୍ତି ନାହିଁ। ସମସ୍ତେ ସମସ୍ତଙ୍କ ଅସୁବିଧାରେ ସହାୟକ ହୁଅନ୍ତି।

Share This Article
Exit mobile version