“ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର ମନୋରଞ୍ଜନ ଦାସ”

Swayamprava Parhi (Chief Editor) 707 Views
9 Min Read

‘ଚନ୍ଦ୍ରଶେଖର ଦାସବର୍ମା’ଙ୍କ ଦ୍ୱାରା ୨୦୦୫ ମସିହା, ସମାଜରେ ପ୍ରକାଶ ପାଇଥିଲା “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର ମନୋରଞ୍ଜନ ଦାସ” । ଲେଖାଟି ଓଡ଼ିଆ ନାଟକ କ୍ଷେତ୍ରରେ ଏକ ତଥ୍ୟ ସମ୍ବଳିତ ଲେଖା । ପର୍ଯ୍ୟାୟକ୍ରମେ ଓଡ଼ିଶାରେ ନାଟକର ଲେଖକମାନେ କେମିତି ଲୋକଙ୍କର ବାସ୍ତବ ଜୀବନ ଓ ସମସ୍ୟାଠାରୁ ଦୂରେଇଯାଇ ନାଟକ ରଚନା କରିଛନ୍ତି ଏବଂ ଏହାର ପ୍ରଭାବ ନାଟକର ଲୋକପ୍ରିୟତା ଧ୍ୱଂସହେବା କ୍ଷେତ୍ରରେ କେତେ ପଡ଼ିଛି ତାହା ଲେଖାଟିରେ ସ୍ପଷ୍ଟ ହୋଇଛି । ବିଶେଷ କରି ଓଡ଼ିଆ ନାଟକ କ୍ଷେତ୍ରକୁ ମନୋରଞ୍ଜନ ଦାସଙ୍କ ଅବଦାନ ସମ୍ପର୍କରେ ସୂଚନା ଦିଆଯାଇଛି । ଓଡ଼ିଆ ନାଟକ ସମ୍ପର୍କରେ ବିଶେଷ ଜାଣିବାପାଇଁ ଆଗ୍ରହ ରଖୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ଅନୁଭବ କରି ଏଠାରେ ଲେଖାଟିର ସାରାଂଶ ପ୍ରକାଶ କରାଯାଇଛି ।- ସମ୍ପାଦକ

ଦୀର୍ଘ ୧୨୭ବର୍ଷ ତଳେ ୧୮୭୭ ମସିହାରେ ନାଟ୍ୟକାର ଜଗନ୍ମୋହନ ଲାଲା ରଚନା କରିଥିଲେ ପ୍ରଥମ ଓଡ଼ିଆ ନାଟକ ‘ବାବାଜି’ । ଊନବିଂଶ ଶତାବ୍ଦୀର ତିରିଶ ଦଶକ ପର୍ଯ୍ୟନ୍ତ ନାଟକର ସେହି ଧାରାକୁ ଯେଉଁ ନାଟ୍ୟକାରମାନେ ପ୍ରବାହିତ କରି ଆଣିଲେ, ସେମାନେ ହେଲେ – ରାମଶଙ୍କର ରାୟ, ଖଡ଼ିଆଳର ରାଜପୁତ୍ର ବୀରବିକ୍ରମ ଦେବ, ପାରଳାର ରାଜା ପଦ୍ମନାଭ ନାରାୟଣ ଦେବ, ଗୋପୀନାଥ ନନ୍ଦ, କାମପାଳ ମିଶ୍ର, ଭିକାରି ଚରଣ ପଟ୍ଟନାୟକ, ରାଧାମୋହନ ରାଜେନ୍ଦ୍ର ଦେବ, ଅଶ୍ୱିନୀ କୁମାର ଘୋଷ ପ୍ରଭୃତି  । ସେମାନଙ୍କର ନାଟକ ମଝିରେ ମଝିରେ ଅଭିନୀତ ହୋଇ ଲୋକାଦୃତି ଲାଭ କଲା । ନାଟକକୁ ବ୍ୟାବସାୟିକ ଭିତିରେ ପ୍ରତିଦିନ ପ୍ରଦର୍ଶନ କରାଯାଇପାରିବାର ମୋହର ଦେଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ  । ୧୯୪୨ ମସିହାରେ କାଳୀଚରଣ ଆରମ୍ଭ କଲେ ବ୍ୟାବସାୟିକ ରଙ୍ଗମ ‘ଓଡ଼ିଶା ଥିଏଟର୍ସ’  । ନାଟକ ଦର୍ଶକମାନଙ୍କୁ ବହୁସଂଖ୍ୟାରେ ଆକୃଷ୍ଟ କଲା  । ଅନ୍ୟ ଯେଉଁ ବ୍ୟବସାୟୀ ରଙ୍ଗମଂଚ ବ୍ୟବସାୟରେ ସଫଳତା ଲାଭ କଲେ ସେମାନେ ହେଲେ ଅନ୍ନପୂର୍ଣ୍ଣା ‘ଏ’ (ପୁରୀ), ଅନ୍ନପୂର୍ଣ୍ଣା ‘ବି’ (କଟକ) ଭାରତୀ ଥିଏଟର୍ସ (କଟକ), ସାରଥି ଥିଏଟର (ବ୍ରହ୍ମପୁର), ରୂପଶ୍ରୀ ଥିଏଟର (କଟକ), ଜନତା ଥିଏଟର (କଟକ), କଳାଶ୍ରୀ ଥିଏଟର (କଟକ), ଉତ୍କଳ ଥିଏଟର (ପୁରୀ), ନାଟ୍ୟମନ୍ଦିର (ବରଗଡ଼), ଦୁର୍ଗାମଣୀ ଥିଏଟର (ଧର୍ମଶାଳା), ଆଦଲ ଥିଏଟର (ଭବାନୀପାଟଣା) ଇତ୍ୟାଦି  । କାଳୀଚରଣଙ୍କ ‘ଭାତ’ ନାଟକ (୧୯୪୪) ଏକାଦିକ୍ରମେ ୧୦୦ରାତି ଅଭିନୀତ ହେଲା  । କେତେକ ନାଟକ ବ୍ୟବସାୟୀକ ରଙ୍ଗ ମଂଚରେ ଦିନକୁ ତିନୋଟି ସୋ ହେବାର ଗୌରବ ବହନ କଲା  । ଏହି ସମୟ ହିଁ ‘ଓଡ଼ିଆ ନାଟକର ସୁବର୍ଣ୍ଣ ଯୁଗ’ ଭାବରେ ଅଭିହିତ ହୁଏ  । କହିବା ବାହୁଲ୍ୟ ଯେ ଏହି ସମୟରେ ଓଡ଼ିଶାର ଗୋଟିଏ ସହର (କଟକ)ରେ ତିନିଟି ରଙ୍ଗମଂଚ ଯେଉଁଭଳି ଭାବରେ ପ୍ରତିଦିନ ଚାଲୁଥିଲା, ଭାରତର ଅନ୍ୟ କୌଣସି ସହରରେ ସେଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିନାହିଁ  ।

ନୂତନର ଅନୁସନ୍ଧାନୀ ନାଟ୍ୟକାର ଷାଠିଏ ଦଶକର ମଧ୍ୟଭାଗରୁ ଉଦ୍ଭଟ, ବୌଦ୍ଧିକ, ଅଣପାରମ୍ପରିକ ନାଟକ ରଚନା କରି ଗ୍ରୁପ ଥିଏଟର ମାଧ୍ୟମରେ ସେଗୁଡ଼ିକୁ ପରିବେଷଣ କରିବା ଆରମ୍ଭ କଲେ  । ନାଟ୍ୟକାର ମନୋରଞ୍ଜନ ଦାସ ଯେଉଁ ପରୀକ୍ଷା ନିରୀକ୍ଷାର ସୂତ୍ରପାତ କଲେ, ତାକୁ ତାଙ୍କ ପରର ବହୁ ନାଟ୍ୟକାର ବିଭିନ୍ନ ଭାବରେ ପରିବର୍ଦ୍ଧିତ କଲେ  ।

ମନୋରଞ୍ଜନ ଏ ଦେଶର ଜଣେ ଶକ୍ତିଧର ନାଟ୍ୟକାର  । ସାଧାରଣ ଜୀବନର ଯେଉଁସବୁ ମୁହୂର୍ତଗୁଡ଼ିକ ଆମର ମନକୁ ଜୀବନ ରହସ୍ୟର ଭାବନାରେ ଉଦ୍ବେଳିତ କରି, ଶିଳ୍ପ ସୁଲଭ ଅନୁଭୂତି ସୃଷ୍ଟି କରିବା ନିମନ୍ତେ କ୍ଷମ ହୁଏ, ଯାହା ପୁଣି ଅନ୍ୟ କୌଣସି ସ୍ଥାନ ନିମନ୍ତେ ଅନ୍ୟ କୌଣସି କାଳପାଇଁ ଅବଶ୍ୟମ୍ଭାବୀ ପରିବର୍ତନ ପାଇଁ ଆମକୁ ଉନ୍ମୁଖ କରି ରଖେ , ସେଇସବୁ ଦୁର୍ଲଭ ମୁହୂର୍ତଗୁଡ଼ିକ ସମ୍ପର୍କରେ ନାଟ୍ୟକାର ଅତ୍ୟନ୍ତ ସଚେତନ  । ନାଟକରେ ପୁଣି ‘କୌତୂହଳ’ ସୃଷ୍ଟି ବ୍ୟାପାରରେ ମନୋରଞ୍ଜନ ଅପ୍ରତିଦ୍ୱନ୍ଦ୍ୱୀ  । ତାଙ୍କ ନାଟକରେ କିଛି ଘଟେ ନାହିଁ, କୌଣସି କୌତୂହଳ ଜାଗ୍ରତ ହୋଇ ରହେ ନାହିଁ-ଏହା ନୁହେଁ  । ଯେତେବେଳେ କିଛି ଘଟୁନାହିଁ, ସେତେବେଳେ ସୁଦ୍ଧା ଦର୍ଶକମାନଙ୍କୁ ଉତ୍କଣ୍ଠିତ କରି ରଖିବା ଏଇ ସାଙ୍ଗେ ସାଙ୍ଗେ କିଛି ଘଟିଯିବ – ଏହି ପ୍ରତ୍ୟାଶାରେ ସେମାନଙ୍କର କୌତୂହଳ ଜାଗ୍ରତ କରି ରଖିବା – ମନୋରଞ୍ଜନ ନିଜ ନାଟକରେ ଏହା କରିବାରେ ସମ୍ପୂର୍ଣ୍ଣ ସଫଳ  । ସାଧାରଣ ଦର୍ଶକଙ୍କର ମାନସ ରାଜ୍ୟରେ ସଙ୍କେତର ଏହି ଭାବବ୍ୟଞ୍ଜନା ସହଜରେ ପ୍ରତିଫଳିତ ହୋଇପାରେ ନାହିଁ ବୋଲି ମନୋରଞ୍ଜନ ନାଟକର ଦର୍ଶକ ମଧ୍ୟ ସ୍ୱତନ୍ତ୍ର  । କାବ୍ୟ କବିତା, ଗଳ୍ପ, ଉପନ୍ୟାସରେ ଷାଠିଏ ଦଶକ ବେଳକୁ ବୌଦ୍ଧିକତାର ଯେଉଁ ଝଙ୍କାର ସୃଷ୍ଟି ହୋଇଥିଲା ନାଟକରେ ମନୋରଞ୍ଜନ ତାହାହିଁ ପରିବେଷଣ କରିଛନ୍ତି  ।

ସାମ୍ପ୍ରତିକ ଜୀବନର ଜଟିଳ ସମସ୍ୟାକୁ ନେଇ ମନୋରଞ୍ଜନଙ୍କର ନାଟକ  । ସେଇସବୁ ସମସ୍ୟା, ଯାହା ଜୀବନ ଧାରାରୁ ଉଦ୍ଭୁଦ୍ଧ, ତାକୁ ନେଇ ନାଟ୍ୟକାର ଏଭଳି ଏକ ଭାବର ଜଗତ ସୃଷ୍ଟି କରନ୍ତି, ଯାହା ଦର୍ଶକମାନଙ୍କ ନିକଟରେ ଅର୍ଥପୂର୍ଣ୍ଣ  । ଏ କ୍ଷେତ୍ରରେ ନାଟ୍ୟକାରଙ୍କର ସମସ୍ୟା, ଦର୍ଶକମାନଙ୍କର ବୋଧ ଶକ୍ତି ଏଡ଼ାଇ ଯିବା ନୁହେଁ, ବରଂ ଦର୍ଶକମାନଙ୍କର ଭୁଲ ବୁଝାମଣାକୁ ଯଥାସମ୍ଭବ ଦୂରକରି ସେମାନଙ୍କୁ ସମସାମୟିକ ସମାଜର ବାସ୍ତବ ରୂପ ସହିତ ପରିଚିତ କରାଇ ଦେବା  । ପ୍ରାଥମିକ ପର୍ଯ୍ୟାୟରେ ମନୋରଞ୍ଜନ ନାଟକ ସହିତ ଦର୍ଶକ ସମାଜର ଆନ୍ତରିକ ଯୋଗାଯୋଗ ପ୍ରତିଷ୍ଠାରେ ଯେଉଁ ଦୂରତ୍ୱ ଦେଖା ଦେଇଥିଲା, ତାହାର ମୂଳ କାରଣ ‘ପୂର୍ବ ସଂସ୍କାର’ ଅଥବା ‘ପ୍ରିଜୁଡ଼ିସ’  । ଯେଉଁ ନିର୍ଦ୍ଦିଷ୍ଟ ଧାରଣା ନେଇ ଦର୍ଶକମାନେ ନାଟକ ଦେଖିବାକୁ ଯାଆନ୍ତି, ସେସବୁର ଘୋର ଅଭାବ ଆଧୁନିକ ନାଟକରେ ଦେଖିବାକୁ ପାଇ ସେମାନେ ପ୍ରଥମେ ପ୍ରଥମେ ଏହାଠାରୁ ମୁହଁ ଫେରାଇ ନେବା ସ୍ୱାଭାବିକ  । ପ୍ରଚଳିତ ଅର୍ଥରେ ଯାହାକୁ ‘well made play’ କୁହାଯାଏ, ଆଧୁନିକ ନାଟକ ତାହା ନୁହେଁ  । ତେଣୁ ଦର୍ଶକ ତାହା ପ୍ରତି ନିସ୍ପୃହ ହୋଇପଡ଼ିବା ସ୍ୱାଭାବିକ  । ଅଭିନୟ ଦେଖିବାକୁ ଯାଆନ୍ତି ଯେଉଁମାନେ, ସେମାନଙ୍କର ମୂଳ ଲକ୍ଷ୍ୟ ଥାଏ କିଛି ‘ଆମୋଦ’ ସଂଗ୍ରହ  । କହିବା ବାହୁଲ୍ୟ ଯେ ଆଧୁନିକ ନାଟକରେ ଏ ସୁଯୋଗ ବଡ଼ କମ୍  ।

ମନୋରଞ୍ଜନ ଦୂରଦର୍ଶୀ ନାଟ୍ୟକାର  । କ୍ରମଶଃ ସେ ନିଜ ନାଟକ ପ୍ରତି ଦର୍ଶକମାନଙ୍କର ଅନୁରକ୍ତ ବଢ଼ାଇ ପାରିଛନ୍ତି  । ଗତାନୁଗତିକ ଚରିତ୍ର ବଦଳରେ ରକ୍ତମାଂସର ବାସ୍ତବ ନରନାରୀମାନଙ୍କୁ ପାଦପ୍ରଦୀପ ସମ୍ମୁଖରେ ଛାଡ଼ି ଦେଇଛନ୍ତି  । କ୍ରମଶଃ ଦର୍ଶକ ଏମାନଙ୍କୁ ଚିହ୍ନିଛନ୍ତି, ଜାଣିଛନ୍ତି ଏବଂ ଏମାନଙ୍କ ସହିତ ଏକାତ୍ମ ମଧ୍ୟ ହୋଇଯାଇଛନ୍ତି  । କହିବା ବାହୁଲ୍ୟ, ଏହି ରୀତିଟିକୁ ମନୋରଞ୍ଜନ ସଂଗ୍ରହ କରିଛନ୍ତି, ପାଶ୍ଚାତ୍ୟ ନାଟ୍ୟ ଚେତନା କ୍ଷେତ୍ରର. ଅନ୍ତତଃ ବର୍ଣ୍ଣାଜସ୍ ଉବସେନ୍ ପ୍ରମୁଖ ହିଁ, ଏ ଦିଗରେ ତାଙ୍କୁ ପ୍ରାଥମିକ ପ୍ରେରଣା ଯୋଗାଇଥିବାର ଦେଖାଯାଉଛି  ।

ମନୋରଞ୍ଜନ ଭଲ ଭାବରେ ଜାଣିଥିଲେ, ସମାଜର ପାରମ୍ପରିକ ସଂହତି ଯେତେବେଳେ ଦ୍ରୁତଗତିରେ ବିପର୍ଯ୍ୟସ୍ତ ହୋଇପଡ଼ୁଛି, ସେତେବେଳେ ପୁର୍ବ ରୀତିର ‘well made play’ ଆଉ ଦର୍ଶକମାନଙ୍କର ପ୍ରତ୍ୟାଶା ପୂରଣ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ  । ଆଜିର ବିଭିନ୍ନ ଏବଂ ଜଟିଳ ଜୀବନକୁ ଯଥାର୍ଥ ଭାବରେ ବିଶ୍ଲେଷଣ କରି ତାହାରି ଭିତରୁ ଜୀବନ ଚେତନାର ଯଥାର୍ଥ ସ୍ୱରୂପଟିକୁ ଉଦ୍ଘାଟନ କରିବାକୁ ତେଣୁ ସେ ନିଜର ଦାୟିତ୍ୱ ରୂପେ ଗ୍ରହଣ କରି ନେଇଛନ୍ତି  । ଅନୁଭୂତି ପ୍ରସୂତ ଦର୍ଶନ ଏବଂ ଜୀବନ ପ୍ରତି ଏକ ଘନିଷ୍ଠ କବିସୁଲଭ ଅର୍ନ୍ତଦୃଷ୍ଟିକୁ ସମ୍ବଳ କରି ନାଟ୍ୟକାର ନାଟକ ପରେ ନାଟକ ରଚନା କରି ଯାଇଛନ୍ତି  । ଏ ଅନୁଭୂତି ପୁଣି କୌଣସି ବାହ୍ୟ ଅନୁଭୂତି ନୁହେଁ, ବରଂ ଜୀବନର ଅଭ୍ୟନ୍ତରରୁ ହିଁ ସଂଗୃହୀତ  ।

ପ୍ରଚଳିତ ରୀତି ଠାରୁ ଦୂରେଇ ଯାଇ ମନୋରଞ୍ଜନ ଏ ଯେଉଁ ନୂତନ ପଦ୍ଧତି ନାଟକ କ୍ଷେତ୍ରରେ ପ୍ରୟୋଗ କଲେ, କ୍ରମଶଃ ବହୁ ନାଟ୍ୟକାର ଏହି ପରମ୍ପରାର ବାହକ ହୋଇଛନ୍ତି  । ଓଡ଼ିଆ ଭାଷାରେ ‘ଆବ୍ସର୍ଡ଼’ ନାଟକ ସୃଷ୍ଟି ହୋଇଛି କିମ୍ବା ନାହିଁ, ଏ ସମ୍ପର୍କରେ ବହୁ ପ୍ରଶ୍ନ ଉଠୁଛି  । ସାଧାରଣ ଦର୍ଶକ ଏବଂ ପାଠକଙ୍କୁ ବାଦ୍ ଦେଲେ ସୁଦ୍ଧା କେତେକ ବୁଦ୍ଧିଜୀବୀ ମଧ୍ୟ ସତୁରି ଦଶକରେ ସୃଷ୍ଟ ପରକ୍ଷାଧର୍ମୀ ନାଟକ ଗୁଡ଼ିକୁ ‘ଆବ୍ସର୍ଡ଼’ ନାଟକ ବୋଲି ପରିଚିତ କରାଉଛନ୍ତି  । ଏହି ଆବ୍ସର୍ଡ଼ ନାଟକ ଗୋଟିଏ ସମୟରେ ସମଗ୍ର ପୃଥିବୀରେ ଖ୍ୟାତିଲାଭ କରିଥିବାରୁ, ଏଠାକାର କେତେକ ନାଟ୍ୟକାର ମଧ୍ୟ ନିଜନିଜର ନାଟକଗୁଡ଼ିକୁ ଏହି ସଂଜ୍ଞାରେ ଚିହ୍ନିତ କରାଇବା ନିମନ୍ତେ ବ୍ୟଗ୍ର ହୋଇ ପଡ଼ିଥିଲେ  । ସୁଖର ବିଷୟ ଯେ ବିଶ୍ୱ ନାଟକ କ୍ଷେତ୍ରରୁ ‘ଆବ୍ସର୍ଡ଼ି’ଟିର ହାୱା ଚାଲିଯିବା ପରେ ଏବଂ ସେଠାରେ ପରମ୍ପରା ପ୍ରତି ଆଗ୍ରହ ପ୍ରକାଶ ପାଇବା ପରେ ଏଠାରୁ ମଧ୍ୟ ସେ ସମ୍ପର୍କୀୟ ଦୁର୍ବଳତା ଦୂର ହୋଇଯାଇଛି  । ସେ ଦେଶରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ପରିଣତିର ଫଳସ୍ୱରୂପ ‘ଆବ୍ସର୍ଡ଼’ ନାଟ୍ୟ ପରମ୍ପରାର ସୃଷ୍ଟି ହୋଇଥିଲା ଏବଂ ଅଚିରେ ଏହା ତତ୍ରତ୍ୟ ବୃଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ମଧ୍ୟ କରିପାରିଥିଲା  । ସାମୁଏଲ ବେକେଟ, ବ୍ରେଖଟ, ଆଏନେସ୍କୋ, ଜୀନେତ୍ ପ୍ରମୁଖ ନାଟ୍ୟକାରମାନେ ନାଟକରେ ଆବ୍ସର୍ଡ଼ିଟୀର ପ୍ରବକ୍ତା ଥିଲେ  ।

ଅନୁଭୂତିର ଯେଉଁ ସ୍ତରରୁ ଆବସର୍ଡ଼ିଟୀର ସମ୍ଭବ ହୋଇପାରେ, କେବଳ ଓଡ଼ିଶାରେ କାହିଁକି ସମଗ୍ର ଭାରତବର୍ଷରେ ମଧ୍ୟ ସେଭଳି ପରିବେଶ ସୃଷ୍ଟି ହୋଇନାହିଁ  । ସେ ଦେଶର ନାଟ୍ୟକାର ଆଡ଼ାମୋଭ ‘ଆବସର୍ଡ଼’ ନାଟକ ରଚନାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସ୍ୱୀକାର କରିଥିଲେ, ‘ମୋ ନିଜ ବିଷୟରେ ମୁଁ ଏତିକି ଜାଣେ ଯେ ମୁଁ ଯନ୍ତ୍ରଣାଗ୍ରସ୍ତ ଏବଂ ମୁଁ ଯଦି ଆଜି ଯନ୍ତ୍ରଣା ଭୋଗୁଥାଏ, ତା’ର କାରଣ ମୋର ସତାର ମୂଳରେ ବିଭକ୍ତି ଓ ବିଚ୍ଛିନ୍ନତା ରହିଛି’ ମାନସିକ ଚେତନାର ଏହି ଜଟିଳତା, ଜୀବନ ଯନ୍ତ୍ରଣାର ଏହି ଅନୁଭୂତି ଏଠାରେ ପାରିବେଶିକ କାରଣରୁ ହିଁ ସମ୍ଭବ ହୋଇନାହିଁ ଏବଂ ଏ ସମ୍ପର୍କରେ ଯାହା ଯେଉଁଠି କୁହାଯାଇଛି, ତାହା କେବଳ ରୋମାଂଟିକ କଳ୍ପନା ମଧ୍ୟରୁ ହିଁ ଉଦ୍ଭୁତ ହୋଇଛି  । ଭାରତରେ ‘ଆବସର୍ଡ଼’ ନାଟକ ନିମନ୍ତେ ଯେ ଉଦ୍ୟମ ହୋଇନାହିଁ, ଏକଥା ନୁହେଁ  । ତେବେ ବଙ୍ଗୀୟ ନାଟକରେ ‘ଆବସର୍ଡ଼ ନାଟକ’ର ଆଙ୍ଗିକ ଏବଂ ଆତ୍ମିକ ରୂପକୁ କେତେକ ପରିମାଣରେ ପରିସ୍ଫୁଟ କରାଇବାରେ ସଫଳ ହୋଇପାରିଥିଲେ  । ମାନସିକ ସ୍ଥିତିର ଜଟିଳତାର ଘନ ଅରଣ୍ୟ ମଧ୍ୟରେ ଅସହାୟ ମାନବାତ୍ମାର ଯନ୍ତ୍ରଣାମୟ ଆର୍ତାନନ୍ଦ, ‘ଏକ ଅସହ୍ୟ-ଅବିଚ୍ଛିନ୍ନ ଅମୁକ୍ତ ଅବସ୍ଥା’ର ଗଭୀର ଅନ୍ଧକୂପ ମଧ୍ୟରେ ତାହାର ମର୍ମସ୍ପର୍ଶୀ ଚିତ୍କାର କେବଳ ଏହି ନାଟକରେ ଅନେକଟା ପ୍ରତିଫଳିତ ହୋଇଛି  । ଅବଶ୍ୟ ସ୍ୱୀକାର କରିବାରେ ଅସୁବିଧା ନାହିଁ ଯେ ସତୁରୀ ଦଶକରେ ଏ ଦେଶରେ ଯେଉଁସବୁ ପରୀକ୍ଷାଧର୍ମୀ ନାଟକ ସୃଷ୍ଟି ହେଲା, ତାହା ପଛରେ ବିଗତ କୋଡ଼ିଏ ବର୍ଷର ‘ଆବସର୍ଡ଼’ ନାଟକ’ର ପରମ୍ପରା ସକ୍ରିୟ ଭାବରେ ଉପସ୍ଥିତ ରହିଲା  । ତେବେ କେବଳ ମାତ୍ର ସେତିକି ।

ଓଡ଼ିଆ ଭାଷାରେ ପୂର୍ବୋକ୍ତ କାରଣରୁ ହିଁ କୌଣସି ଅବସର୍ଡ଼’ ନାଟକ ରଚିତ ହୋଇନାହିଁ, ଏହା ଦୃଢ଼ ଭାବରେ କୁହାଯାଇପାରିବ  । ଏଠାରେ ନାଟକ କ୍ଷେତ୍ରରେ କେବଳ କେତେକ ପରୀକ୍ଷା ନିରୀକ୍ଷାର ଉଦ୍ୟମ ହୋଇଛି ମାତ୍ର  । ତେବେ ଚିନ୍ତା ଓ ଚେତନା ଦୃଷ୍ଟିରୁ ଏହିସବୁ ନାଟକ ହିଁ ଓଡ଼ିଆ ନାଟକକୁ ବିଶ୍ୱ ନାଟ୍ୟ କ୍ଷେତ୍ରରେ ସମତା ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା ବୋଲି କୁହାଯାଇପାରିବ  ।

କାଳର କୁଟୀଳ ଭିତରେ ସତୁରି ଦଶକ ବେଳକୁ ବ୍ୟବସାୟୀ ରଙ୍ଗମଂଚର ପାଦପ୍ରଦୀପ କ୍ରମେ କ୍ରମେ ନିଷ୍ପ୍ରଭ ହୋଇଗଲା  । ଫଳରେ ଲୋକେ ନାଟକ ପାଖରେ ପହଂଚିବାର ସୁଯୋଗ ପାଇଲେ ନାହିଁ  । ଗ୍ରୁପ୍ ଥିଏଟରମାନେ ମଝିରେ ମଝିରେ ଯେଉଁ ନାଟକ ପରିବଷଣ କଲେ, ତାହା ସାଧାରଣ ଲୋକଙ୍କୁ ଆକୃଷ୍ଟ କଲା ନାହିଁ  । ତେଣୁ ନାଟକ ଓ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହେଲା ଓ ସେ ବ୍ୟବଧାନ କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା  ।

ଅଶୀଦଶକ ବେଳକୁ ନାଟ୍ୟକାର, ନିର୍ଦ୍ଦେଶକ, ନାଟ୍ୟ କର୍ମୀମାନେ ହୃଦୟଙ୍ଗମ କଲେ ଯଦି ନାଟକ ହେଉଛି ଲୋକଙ୍କର, ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ତେବେ ଲୋକମାନଙ୍କ ରୁଚିକୁ ଉପଯୁକ୍ତ ମର୍ଯ୍ୟାଦା ନଦେଲେ ନାଟକ ଚାଲିବ କିପରି ?

Courtesy : ୨୦୦୫ ମସିହା, ସମାଜ

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.
Exit mobile version