ଚଳିତ ବନ୍ୟାରେ ସ୍ଵର୍ଣ୍ଣ ତ୍ରିଭୂଜରେ ଅନ୍ତର୍ଗତ ଦୟା, କୁଶଭଦ୍ରା ଓ ଭାର୍ଗବୀ ନଦୀ ଲୋକଙ୍କ ପାଇଁ ଅବର୍ଣ୍ଣନୀୟ ଦୁଃଖ ଓ ଦୁର୍ଦ୍ଦଶାର କାରଣ ହୋଇଥିବା ବେଳେ ଏହି ତିନି ନଦୀର ପୌରାଣିକ, ଆଧ୍ୟାତ୍ମିକ ଓ ସାମାଜିକ ଆବେଦନ କିନ୍ତୁ ଅନସ୍ବୀକାର୍ଯ୍ୟ। ଭାର୍ଗବୀ ନଦୀର ମହତ୍ତ୍ୱ ତ ଆହୁରି ସ୍ୱତନ୍ତ୍ର। ଏହି ନଦୀର ଭୂଗୋଳ, ପୁରାଣରେ ଏହାର ବର୍ଣ୍ଣନା , ଭାର୍ଗବୀ ନଦୀର ଚତୁଃପାର୍ଶ୍ଵରେ ଥିବା କୀର୍ତ୍ତିରାଜି, ମଠ ମନ୍ଦିର,ଏହି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଏସବୁ ଏକ ଅନବଦ୍ୟ ସାଂସ୍କୃତିକ ପରମ୍ପରାର ଅଂଶ ବିଶେଷ।
ଭୌଗୋଳିକ ଅବସ୍ଥିତି କହୁଛି ଭୁବନେଶ୍ବର ଉପକଣ୍ଠରେ ଥିବା କୁଆଖାଇ ନଦୀ ତିନି ଭାଗରେ ବିଭକ୍ତ ହୋଇ କୁଶଭଦ୍ରା, ଭାର୍ଗବୀ ଓ ଦୟା ହୋଇଛନ୍ତି।ଏହି ତିନି ନଦୀ ଶ୍ରୀ କ୍ଷେତ୍ରକୁ ଘେରି ରହିଛନ୍ତି। ମହାନଦୀ ତାର ଗତିପଥ ବଦଳାଇ ଦୂର ଦୂରାନ୍ତରେ ପ୍ରବାହିତ ହେଉଥିଲେ ମଧ୍ୟ ଉକ୍ତ ତିନି ନଦୀ ବ୍ୟତୀତ ଗଙ୍ଗୁଆ, କାଦୁଆ ଓ ମାଳିନୀ ନଦୀ ମଧ୍ୟ ଶ୍ରୀ କ୍ଷେତ୍ରକୁ ପ୍ରବାହିତ ହୋଇଛନ୍ତି।
ସତ୍ୟରଞ୍ଜନ ମିଶ୍ରଙ୍କ ପୁସ୍ତକ ‘ ଭାର୍ଗବୀ ‘ ସେହି ଇତିହାସ, ଭୂଗୋଳ, ନଦୀ ଚାରିପଟେ ଥିବା ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି, କିମ୍ବଦନ୍ତୀ ଓ ସର୍ବୋପରି ପୌରାଣିକ/ ଆଧ୍ୟାତ୍ମିକ ଦିଗର ଏକ ଜୀବନ୍ତ ଆଲେଖ। ଚନ୍ଦନପୁର ନିକଟ ବଳଭଦ୍ରପୁରରେ ଜନ୍ମିତ ସତ୍ୟରଞ୍ଜନ ମୂଳତଃ ଜଣେ ପ୍ରାବନ୍ଧିକ।ନିଜ ଅଞ୍ଚଳର ଇତିହାସ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଜଣେ ବଡ଼ ଉପାସକ ,ସତ୍ୟରଞ୍ଜନଙ୍କ ଇତିହାସଚେତନା ବି କିଛି କମ୍ ନୁହେଁ।ସେ ପୂର୍ବରୁ ତିନିଟି ପୁସ୍ତକ ରଚନା କରିଛନ୍ତି: ଏକ ଐତିହାସିକ ଗ୍ରାମ କଥା, ଶ୍ରୀଜଗନ୍ନାଥ ଦାସ ଓ ଭକ୍ତ ମନେଇ ଏବଂ ଭାର୍ଗବୀ ଐତିହ୍ୟରେ ଭକ୍ତି ଭାଗବତ। ଏଇଟି ତାଙ୍କର ଚତୁର୍ଥ ପୁସ୍ତକ। ଇତିହାସରେ କୌଣସି ଉଚ୍ଚତର ଶିକ୍ଷା ଗ୍ରହଣ କରିନଥିବା ସତ୍ତ୍ବେ ଆଗ୍ରହ,ଅନୁରକ୍ତି ଓ ମାଟିପ୍ରେମର ଅପୂର୍ବ ପରିଚୟ ଏହି ଗ୍ରନ୍ଥ। ଲେଖାଲେଖି ତାଙ୍କ ପେଷା ନହେଲେ ବି ଯେଉଁଭଳି ନିଷ୍ଠା ଓ ଅଧ୍ୟବସାୟର ସହିତ ସେ ଏହି ପୁସ୍ତଟିକୁ ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ।
ପୁରୀ ଯିବା ବାଟରେ ପଡୁଥିବା ଚନ୍ଦନପୁରରୁ ପୁସ୍ତକର ଆରମ୍ଭ। କମଳପୁରରୁ ଚନ୍ଦନପୁର ନାମକରଣ ହୋଇଥିବା ଏହି ସ୍ଥାନର ଅବସ୍ଥିତି ବାସ୍ତବରେ ଆକର୍ଷଣୀୟ। ଚନ୍ଦନପୁର ପାନ, ଅନତି ଦୂରରେ ଥିବା ଶିଳ୍ପ ଗ୍ରାମ ରଘୁରାଜପୁର, ଚାରିପଟ ଥିବା ଗାଁଗୁଡ଼ିକର ଚମତ୍କାର ପରିକଳ୍ପନା ଏବଂ ଏଠାକାର ମାଲପୁଆ ଓ ଡାଲମା ପର୍ଯ୍ୟଟକଙ୍କ ପାଇଁ ଏକ ଏକ ସ୍ମୃତି।
ପୁଣ୍ୟୋତୋୟା ଭାର୍ଗବୀ ନଦୀ କୂଳରେ ଭୃଗୁ ଋଷିଙ୍କର ଆଶ୍ରମ ଥିଲା ବୋଲି ଲେଖକ କହିଛନ୍ତି। ବହୁ ଘାତ ପ୍ରତିଘାତ ମଧ୍ୟ ଦେଇ ଭାର୍ଗବୀ ନଦୀ ଓ ସେହି ଅଞ୍ଚଳର ଲୋକେ ଜୀବନ ଅତିବାହିତ କରି ଆସିଛନ୍ତି ଯାହାକି ସଫଳ ଭାବରେ ପୁସ୍ତକଟିରେ ଲିପିବଦ୍ଧ ହୋଇଛି। କେବଳ ଆଧ୍ୟାତ୍ମିକ ଓ ଐତିହାସିକ ପ୍ରମାଣ ନୁହେଁ ସ୍ଥାନୀୟ ଲୋକକଥା, ଧର୍ମ ବିଶ୍ଵାସ ଓ ସାମ୍ପ୍ରତିକ ସମୟରେ ଏହି ସ୍ଥାନର ପ୍ରାଧାନ୍ୟ ମଧ୍ୟ ପୁସ୍ତକରେ ସ୍ଥାନ ପାଇଛି।
ଭାର୍ଗବୀ ନଦୀର ଭୂଗୋଳ ଓ ପରିଚୟ, ପୁରାଣରେ ଏହାର ବର୍ଣ୍ଣନା, ଐତିହାସିକ ପ୍ରମାଣ, ଭାର୍ଗବୀ ନଦୀ କୂଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଉତ୍ପତ୍ତି, ସାହିଯାତ ପରମ୍ପରା, ଯାଗା ସଂସ୍କୃତି, ଭାର୍ଗବୀ ତଟରେ ଜନ୍ମଲାଭ କରିଥିବା ଭକ୍ତମାନଙ୍କ ବୈଶିଷ୍ଟ୍ୟ, ଭାର୍ଗବୀ ନଦୀ କୂଳରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଜଳଯାତ୍ରା ଓ ସୁରକ୍ଷା ଘାଟି ରୂପେ ଏହାର ସ୍ଵୀକୃତି, ଚତୁର୍ଦ୍ଦିଗରେଗଢ଼ି ଉଠିଥିବା ମଠ , ଧାମ ଓ ଆଶ୍ରମ, ବିଭିନ୍ନ ଦେବାଦେବୀଙ୍କ ମନ୍ଦିର,ବ୍ରହ୍ମଗିରି ଓ ସୂର୍ଯ୍ୟ ଉପାସନାର ପୀଠ ଅରଖକୁଦା, ଭାର୍ଗବୀ ତଟରେ ଥିବା ଗଡ଼, ଏଠାକାର ବ୍ରାହ୍ମଣ ଶାସନ, ଭାର୍ଗବୀ ନଦୀର କୂଳରେ ପ୍ରତିଷ୍ଠିତ ବିଭିନ୍ନ ରାଜବଂଶ, ମରାଳ ମାଳିନୀ ଚିଲିକାକୁ ଭାର୍ଗବୀର ସଂଯୋଗ, ଭାର୍ଗବୀର ନୌବାଣିଜ୍ୟ ପରମ୍ପରା, ବ୍ୟବସାୟ, ଶିଳ୍ପ ଓ ଶିଳ୍ପୀ, ଭାର୍ଗବୀ ନଦୀ କୂଳରେ ଦେଶକୁ ସ୍ବାଧୀନ କରିବା ପାଇଁ ସତ୍ୟବାଦୀର ପଞ୍ଚସଖା ନେଇଥିବା ସଂକଳ୍ପ, ନଦୀର ଜୈବ ବିବିଧତା, ଭାର୍ଗବୀ ତଟରେ ଜନ୍ମ ଗ୍ରହଣ କରିଥିବା କୃତି ସନ୍ତାନମାନଙ୍କ ପରିଚୟ ଆଦି ଅନେକଗୁଡ଼ିଏ ପରିଚ୍ଛେଦରେ ଲେଖକ ଭାର୍ଗବୀ ନଦୀ ଓ ତାହାର ମହାନତାକୁ ସମ୍ମୁଖକୁ ଆଣିପାରିଛନ୍ତି।
ଏହି ଗ୍ରନ୍ଥର ପ୍ରସ୍ତୁତି ପାଇଁ ଲେଖକ ଯେଉଁ ସବୁ ଗ୍ରନ୍ଥ, ଜନଶୃତିର ସାହାଯ୍ୟ ନେଇଛନ୍ତି ତାହା ପ୍ରଶଂସନୀୟ । ବେଦ, ଉପନିଷଦ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍କୃତ ଗ୍ରନ୍ଥ ତଥା ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ତଥ୍ୟ ସଂଗ୍ରହ କରି ଭାର୍ଗବୀ ନଦୀ କୂଳରେ ଗଢ଼ି ଉଠିଥିବା ସଭ୍ୟତା ଓ ସଂସ୍କୃତିକୁ ସେ ଯେଉଁ ଭଳି ସୁସଙ୍ଗତ ଢ଼ଙ୍ଗରେ ପରିବେଷଣ କରିଛନ୍ତି ତାହା ଲକ୍ଷ୍ୟ କରିବାର କଥା। ପାଖାପାଖି 400 ପୃଷ୍ଠାର ଏହି ପୁସ୍ତକରେ ଅନେକ ରଙ୍ଗୀନ ଫୋଟୋ ଚିତ୍ର ସନ୍ନିବେଶିତ ହୋଇଛି ଯାହା ଗ୍ରନ୍ଥର ପରିକଳ୍ପନା ଓ ତାର ମର୍ଯ୍ୟାଦାକୁ ବୃଦ୍ଧି କରିଛି।
ପୁସ୍ତକରେ ଉଲ୍ଲେଖ ରହିଛି ଯେ ତର୍କ ବାଚସ୍ପତି ମଧୁସୁଦନ ମିଶ୍ର, ନାରୀକବି ଅପର୍ଣ୍ଣା ଦେବୀ, ବିଶିଷ୍ଟ ଭାଷାତତ୍ତ୍ଵବିତ୍ ଗୋପୀନାଥ ନନ୍ଦ ଶର୍ମା (ଯିଏ ସମୟକ୍ରମେ ପାରଳାଖେମୁଣ୍ଡି ଚାଲିଯାଇଥିଲେ), ଲକ୍ଷ୍ମଣ ମିଶ୍ର, ଲୋକନାଥ ମିଶ୍ର ପ୍ରଭୃତି ବ୍ୟକ୍ତି ଭାର୍ଗବୀ ଅବବାହିକାରେ ଜନ୍ମ ଗ୍ରହଣ କରିଥିଲେ।ଓଡ଼ିଶାର ଭାଷା, ସାହିତ୍ୟ ଓ କଳା କ୍ଷେତ୍ରରେ ଏମାନେ ଯେଉଁ ଅବଦାନ ରଖି ଯାଇଛନ୍ତି ତାହାକୁ ବି ଲେଖକ ଆଲୋଚନାର ପରିସରକୁ ଆଣିଛନ୍ତି।
ଭାର୍ଗବୀ ନଦୀର ନାଁ ଶୁଣିବା ମାତ୍ରେ ଯେଉଁ ଶିହରଣ ଖେଳିଯାଏ ତାହାର ଉପଯୁକ୍ତ ପ୍ରତିନିଧିତ୍ୱ କରୁଛି ଏହି ପୁସ୍ତକ। ଚନ୍ଦନପୁରରୁ ଆରମ୍ଭ କରି ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପର୍ଯ୍ୟନ୍ତ ଯେତେ ଯାହା ଆଖିରେ ପଡ଼ିବ ସେସବୁକୁ ଗୋଟି ଗୋଟି କରି ସତ୍ୟରଞ୍ଜନ ମିଶ୍ର ଏହି ପୁସ୍ତକରେ ଗୁନ୍ଥିଛନ୍ତି।
ପୁସ୍ତକଟି ଗୋଟିଏ ନଦୀର ଇତିବୃତ୍ତ କେବଳ ନୁହେଁ ଏକ ଅସ୍ମିତାର ପରିଚାୟକ ମଧ୍ୟ। ଭାର୍ଗବୀ ନଦୀ ସମ୍ପର୍କରେ ପାଠକଙ୍କୁ ଅବଗତ କରାଇବା ସହ ନଦୀର ଜୀବନୀଟିଏ ଲେଖିବା ପାଇଁ ସେ ଯେଉଁ ଉଦ୍ୟମ କରିଛନ୍ତି ତାହା ସ୍ବାଗତଯୋଗ୍ୟ।ନିଜ ନିଜ ଅଞ୍ଚଳର ନଦୀ ଓ ତାର ଗୌରବ ଗାଥାକୁ ନେଇ ଯେଉଁମାନେ ପୁସ୍ତକ ଲେଖିବା ପାଇଁ ଆଗ୍ରହୀ ଏହି ପୁସ୍ତକଟି ଯଥାସାଧ୍ୟ ପ୍ରେରଣାଦାୟକ ହୋଇପାରେ।
ଭାର୍ଗବୀ
ସତ୍ୟରଞ୍ଜନ ମିଶ୍ର
ଧାରା ଶ୍ରୀରାଧା ଟ୍ରଷ୍ଟ
ଭୁବନେଶ୍ବର
Photo credit- Wikimedia commons