ବିଜ୍ଞାନ ଓ ବିନୟ

10 Min Read

ମୂଳଲେଖା : ପଣ୍ଡିତ ଜବାହରଲାଲ ନେହେରୁ

ଅନୁବାଦ: ପ୍ରଫେସରବୀରେନ୍ଦ୍ର ନାୟକ

ଏହି ଅଭିଭାଷଣ ପଣ୍ଡିତ ଜବାହାରଲାଲ ନେହେରୁ ୧୪ ଜାନୁଆରୀ ୧୯୫୭ ମସିହାରେ କଲିକତାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସର ବାର୍ଷିକ ଅଧିବେଶନରେ ଦେଇଥିଲେ । ଏହି ଅଧିବେଶନରେ ସଭାପତିତ୍ୱ କରୁଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ପ୍ରବାଦପୁରୁଷ ଡାକ୍ତର ବିଧାନଚନ୍ଦ୍ର ରାୟ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମହୋଦୟ ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ । ମୁଖାର୍ଜୀ ମହାଶୟଙ୍କ ଭାଷାରେ , “୧୯୫୭ ମସିହାରେ, ମୁଁ କଲିକତା ବିଶ୍ୱବିଦ୍ୟାଳୟର ଛାତ୍ରଥିଲି । ସେହି ବର୍ଷ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ମୁଖ୍ୟଅତିଥି ଥିଲେ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ଦୂରଦ୍ରଷ୍ଟା ବି.ସି.ରାୟ ମହୋଦୟ ବିଜ୍ଞାନ କଂଗ୍ରେସର ସଭାପତି ଥିଲେ । ବି ସି ରାୟ ମହୋଦୟଙ୍କର ଅଭିଭାଷଣର ବିଷୟବସ୍ତୁ ଥିଲା ‘ମାନବର ମଙ୍ଗଳ ଓ ଦେଶର ବିକାଶରେ ବିଜ୍ଞାନ’।  ମୁଁ ବି.ସି.ରାୟଙ୍କ ଅଭିଭାଷଣର ଶେଷରେ ରହିଥିବା ବାର୍ତ୍ତା ଦ୍ୱାରା ଖୁବ ପ୍ରଭାବିତ ହୋଇଥିଲି । ସେ କହିଥିଲେ, “ ସମୟର ବାଦଲ ବହୁ ପ୍ରଶ୍ନ, ପରୀକ୍ଷା ଓ ବିପଦକୁ ଲୁଚାଇ ଥାଇ ପାରେ, ତଥାପି ସମୟ ହିଁ ପ୍ରକଟ କରିଦେବ ଅଜଣା ସମସ୍ୟାର ସମାଧାନ ବା ଆନନ୍ଦଦାୟୀ ବିସ୍ମୟ ଯାହାକୁ ମଣିଷ ବିଜ୍ଞାନ ଦ୍ୱାରା ବିଶ୍ୱାସ, ଆଶା ଓ ସଦିଚ୍ଛା ସହ ନିଜର ସୁବିଧା ଆଡ଼କୁ ବୁଲାଇ ଦେବାପାଇଁ ପ୍ରସ୍ତୁତ ରହିବା ଉଚିତ ।” ମୁଖାର୍ଜୀ ମହାଶୟ ଏହା ସ୍ମରଣ କରୁଥିଲେ କଲିକତାରେ ଅନୁଷ୍ଠିତ ଭାରତୀୟ ବିଜ୍ଞାନ କଂଗ୍ରେସରେ ୧୦୦ତମ ଅଧିବେଶନକୁ ଉଦ୍‌ଘାଟନ କରିବା ଆବସରରେ । ନେହେରୁଙ୍କର ଅଭିଭାଷଣ ଇତ୍ୟବସରରେ ୬୦ବର୍ଷ ପୁରୁଣା ହୋଇଗଲାଣି । ସାମ୍ପ୍ରତିକ ରାଜନୈତିକ ପରିବେଶରେ ନେହେରୁଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରିବାର ପ୍ରବଣତା ବେଶ୍ ଆକ୍ରାମକ ହେଲାଣି । ନେହେରୁଙ୍କର ୫୨ତମ ମୃତ୍ୟୁ ବାର୍ଷିକୀରେ ମନେହେଉଛି ଯେପରି ଏହି ବ୍ୟବସ୍ଥା ‘ଦାନବ’ (demon )ନେହେରୁ ଓ ନେହେରୁବାଦ(Nehruvianism) ଉପରେ ଏକ ଯୁଦ୍ଧ ଘୋଷଣା କରିଛି” ।  ସ୍ୱାଭାବିକ ପ୍ରଶ୍ନ ଉଠିଛି, ନେହେରୁଙ୍କ ପ୍ରତି କାହିଁକି ଏତେ ଅସହିଷ୍ଣୁତା? ଏହା ବାସ୍ତବିକ ଏକ ବିଡମ୍ବନା ଯେ ୬୦ବର୍ଷ ତଳେ ଅସହିଷ୍ଣୁତା ପ୍ରସଙ୍ଗ ହିଁ ନେହେରୁଙ୍କର ମୁଖ୍ୟ ବିଷୟ ଥିଲା ଯଦିଓ ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ । ଆଜି ସେ ନିଜେ ଅସହିଷ୍ଣୁତାର ଶିକାର ! – ପ୍ରଫେସର ବୀରେନ୍ଦ୍ର ନାୟକ

ଅଭିଭାଷଣ

ମୁଁ ଆଜି ଏଠାକୁ ହୀରାକୁଦରୁ ଆସୁଛି, ଯେଉଁଠାରେ ମୁଁ ଭାରତୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭବ୍ୟ କୃତିି, ହୀରାକୁଦ ଡ୍ୟାମ୍‌ର ଉଦ୍‌ଘାଟନ କରିବାକୁ ଯାଇଥିଲି । ଏହା ପୃଥିବୀର ଦୀର୍ଘତମ ଡ୍ୟାମ ବୋଲି ମୋତେ କୁହାଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ମୁଁ ସମ୍ପୂର୍ଣ୍ଣ ଏକ ଭିନ୍ନ କାର୍ଯ୍ୟକ୍ରମରେ ଯାଇ ନାଳନ୍ଦାରେ ଉପସ୍ଥିତ ଥିଲି । ୧୫୦୦ବର୍ଷ ପୂର୍ବେ ମଗଧରାଜ୍ୟରେ, ଯାହା ଆଜି ବିହାର, ନାଳନ୍ଦା ଥିଲା ଏକ ମହାନ ବିଶ୍ୱବିଦ୍ୟାଳୟ କେନ୍ଦ୍ର । ଏହି ସ୍ଥାନରେ ଯେଉଁଠି ଆଜି ମଧ୍ୟ ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ମିଳେ, ମୋ ଭାବନା ବୁଦ୍ଧଙ୍କ ସମୟକୁ ଚାଲିଗଲା । ମୁଁ ତାଙ୍କର ବାର୍ତ୍ତାକୁ ସ୍ମରଣ କଲି ଯାହା, ତାହାର ଧର୍ମୀୟ ବିଶେଷତ୍ୱ ବ୍ୟତିରେକେ, ଥିଲା ସହିଷ୍ଣୁତାର ବାର୍ତ୍ତା, ଅନ୍ଧବିଶ୍ୱାସ, ପ୍ରଥା ଓ ଉଗ୍ର ମତବାଦ ବିରୋଧରେ ବାର୍ତ୍ତା । ବସ୍ତୁତଃ ଏହି ବାର୍ତ୍ତାର ଆତ୍ମାଥିଲା ବୈଜ୍ଞାନିକ । ବୁଦ୍ଧ କଦାପି ଚାହିଁ ନଥିଲେ କେହି କୌଣସି କଥାକୁ ବିନା ପରୀକ୍ଷାରେ ବିଶ୍ୱାସ କରୁ । ସେ ଚାହିୁଁଥିଲେ ଲୋକେ ସତ୍ୟର ସନ୍ଧାନ କରନ୍ତୁ ଏବଂ କାହାରି କଥାକୁ ଗ୍ରହଣ ନ କରନ୍ତୁ, ସେ କଥା ପଛକେ ତାଙ୍କ ନିଜର (ବୁଦ୍ଧଙ୍କର)ହେଉ ନା କାହିଁକି । ମୋ ଦୃଷ୍ଟିରେ,ସହିଷ୍ଣୁତା ଓ ସହାନୁଭୂତି ବ୍ୟତିରେକେ , ଏହା ହିଁ ତାଙ୍କ ବାର୍ତ୍ତାର ନିର୍ଯ୍ୟାସ । ଏହା ମଧ୍ୟ ମୋର ହୃଦବୋଧ ହେଉଛି ଯେ ଏହି ବାର୍ତ୍ତା ପୁରୁଣା ହେବା ତ ଦୂରର କଥା, ବରଂ ଆଜିର ଏହି ଦୁନିଆରେ ଏହାର ଏକ ବିଶେଷ ମହତ୍ତ୍ୱ ରହିଛି ।

ହଠଧର୍ମିତାର ଭାବନା (the spirit of dogma), ମୁଁ ସମ୍ମାନର ସହ କହିବାକୁ ଚାହୁଁଛି, ଆମର ଧର୍ମୀୟ ସନ୍ଧାନକୁ ଗମ୍ଭୀର ରୂପରେ ପ୍ରଭାବିତ କରିଛି ଓ ଆମର ଚିନ୍ତା ତଥା ଅଭ୍ୟାସକୁ ଅନୁରୂପ ଭାବରେ କଠୋର କରିଛି । ଅନମନୀୟ (rigid) ଓ ଅସହିଷ୍ଣୁ ଧାରଣା ଯାହା ପ୍ରକୃତ ଅର୍ଥରେ ଏହାହିଁ ସାବ୍ୟସ୍ତ କରେ ଯେ “ମୋ ପାଖରେ ହିଁ ଅଛି ସତ୍ୟ, ସମ୍ପୂର୍ଣ୍ଣ ସତ୍ୟ ଓ ସତ୍ୟର ପ୍ରତ୍ୟେକ ଅଂଶ । ମୋ ବାହାରେ ଆଉ କାହାରି ପାଖରେ ଏହା ନାହିଁ”, ମଣିଷର ମନକୁ ସଂକୀର୍ଣ୍ଣ କରେ, ସହନଶୀଳ ଓ ବସ୍ତୁନିଷ୍ଠ ଦୃଷ୍ଟିକୋଣ ପାଇଁ ଦ୍ୱାର ବନ୍ଦ କରିଦିଏ । ସହନଶୀଳ ଓ ବସ୍ତୁନିଷ୍ଠ ଦୃଷ୍ଟିକୋଣ ଦ୍ୱାରା ସୃଷ୍ଟି ହୋଇଥାଏ ଏପରି ପରିବେଶ ଯେଉଁଠି ମଣିଷ କେବଳ ସ୍ୱର୍ଗ ଆଡକୁ ନିର୍ଭୟରେ ଅନାଏ ନାହିଁ, ବରଂ ପ୍ରସ୍ତୁତ ମଧ୍ୟ ଥାଏ ନିର୍ଭୟରେ ଅନାଇବାକୁ ନର୍କର ଗହ୍ୱର ଭିତରକୁ । ମୋର ମନେହୁଏ ବୁଦ୍ଧଙ୍କ ସମୟରେ ଲୋକେ ସହିଷ୍ନୁତା ଓ ସମ୍ବେଦନଶୀଳତାରେ ଆମଠାରୁ ବହୁତ ଆଗୁଆ ଥିଲେ ଯଦିଓ ସେମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ସେପରି ଆଗୁଆ ନ ଥିଲେ । ମୁଁ ଯେତେବେଳେ ନାଳନ୍ଦାରେ ଥିଲି ମୋ ମନକୁ ଗୋଟିଏ ଧାରଣା ଆସିଲା ଯେ ଧର୍ମୀୟ ପ୍ରସଙ୍ଗ ଛଡ଼ା ସର୍ବେଶ୍ୱରବାଦୀ (p gan) ଜୀବନଦୃଷ୍ଟି (view of life)ରେ କିଛି କରଣୀୟ ରହିଛି, କାରଣ ଏହା ଏକ ସହନଶୀଳ ଜୀବନଦୃଷ୍ଟି । ଏହି ଜୀବନଦୃଷ୍ଟିରେ ଜଣେ ଏକ ମତବାଦର ବିଶ୍ୱାସୀ ହୋଇପାରେ, କିନ୍ତୁ ସେ ଅନ୍ୟମାନଙ୍କର ମତକୁ ମଧ୍ୟ ସମ୍ମାନ ଦିଏ ଓ ଗ୍ରହଣ କରେ ଯେ ଅନ୍ୟମାନଙ୍କ ମତରେ ମଧ୍ୟ ସତ୍ୟ ଥାଇପାରେ । ଏହି ଜୀବନଦୃଷ୍ଟିରେ ବିଶ୍ୱାସୀ ମଣିଷ ଅତ୍ୟନ୍ତ ବିନୟର ସହ ବିଶ୍ୱ ବ୍ରହ୍ମାଣ୍ଡ ଓ ଏହାର ରହସ୍ୟର ଗଭୀରତାକୁ ମାପିବା ପାଇଁ ଉଦ୍ୟମ କରେ । ସେ ଉପଲବ୍ଧି କରିପାରେ ଯେ ସତ୍ୟ ଏତେ ବ୍ୟାପକ ଯେ ତାହାକୁ ଏକାଥରକେ ବୁଝିପାରିବା ସମ୍ଭବ ନୁହେଁ, ଜଣେ ଯେତେ ଜାଣିଲେ ମଧ୍ୟ ସେ ଜାଣିପାରେ ଯେ ଆହୁରି ବହୁତ କିଛି ଜାଣିବାକୁ ରହିଲା ଏବଂ ସମ୍ଭବତଃ ସେହି ସତ୍ୟର ଆଉ କିଛି ଅଂଶ ଅନ୍ୟ କାହା ପାଖରେ ଥାଇପାରେ । ତେଣୁ ସର୍ବେଶ୍ୱରବାଦୀ ଜୀବନଦୃଷ୍ଟିରେ ଜଣେ ତା ନିଜ ଦେବଦେବୀଙ୍କୁ ଉପାସନା କରିବା ସହିତ ବହୁ ଅଜଣା ଦେବଦେବୀମାନଙ୍କୁ ମଧ୍ୟ ସମ୍ମାନ ଦେଇଥାଏ ।

ବୈଜ୍ଞାନିକ ସତ୍ୟର ଏକ ନିଷ୍ପକ୍ଷ ସନ୍ଧାନୀ ହେବା ଉଚିତ । ବିଜ୍ଞାନର ବିକଶିତ ହୋଇଛି କାରଣ ଅଧିକାଂଶତଃ ବଡ଼ ବୈଜ୍ଞାନିକମାନେ ସତ୍ୟର ସନ୍ଧାନ ଏହି ଭଳି ହିଁ କରିଛନ୍ତି । ମୋ ମତରେ ଆଜି କୌଣସି ବ୍ୟକ୍ତି, ଏପରିକି ବୈଜ୍ଞାନିକ ମଧ୍ୟ, ନିଜ ଖିଆଲି ଦୁନିଆରେ, ନିଜ ଚାରିପଟେ ହେଊଥିବା ଘଟଣାଠାରୁ ବିଚ୍ଛିନ୍ନ ଏକାନ୍ତ ଦୁର୍ଗରେ ରହିପାରିବ ନାହିଁ । ସେଇଥିପାଇଁ ବୋଧହୁଏ ବିଜ୍ଞାନ ଆଜି ନୈତିକତା ଓ ଆଚାର ବିଚାରର ସୀମା ଲଂଘନ କରିବା ଆରମ୍ଭ କରିଛି । ଯଦି ଏହା ସମ୍ପୂର୍ଣ୍ଣ ଭାବେ ନୈତିକତା ଓ ଆଚାର ବିଚାରରୁ ବିଚ୍ଛିନ୍ନ ହୋଇଯାଏ ତାହାହେଲେ ଏହା ଅଧିକାରରେ ଥିବା ଶକ୍ତିର ବ୍ୟବହାର ମନ୍ଦ ଉଦ୍ଦେଶ୍ୟରେ ହେବ । ଉପରନ୍ତୁ ଏହା ଯଦି ନିଜକୁ ଘୃଣା ଓ ହିଂସାର ସିଦ୍ଧାନ୍ତ ସହ ଯୋଡ଼ିଦିଏ ତାହାହେଲେ, ଏହା ଏକ ଭୁଲ ଦିଗକୁ ହିଁ ମୁହାଇଁଲା ବୋଲି ବୁଝିବାକୁ ହେବ, ଯାହା ଏ ବିଶ୍ୱପାଇଁ ଧ୍ୱଂସକାରୀ ହେବ । ମୁଁ ନିବେଦନ କରିବି ବୈଜ୍ଞାନିକମାନଙ୍କୁ ସେମାନେ ଏଠାକାର ହୁଅନ୍ତୁ ବା ଅନ୍ୟ କୌଣସି ସ୍ଥାନର ହୁଅନ୍ତୁ, ସେମାନେ ସବୁବେଳେ ମନେ ରଖିବେ ଯେ ବୈଜ୍ଞାନିକ ଭାବନା ବାସ୍ତବରେ ହେଉଛି ସହିଷ୍ଣୁତାର, ବିନମ୍ରତାର ଭାବନା, ଓ ଅନ୍ୟ ଜଣକ ପାଖରେ ମଧ୍ୟ ସତ୍ୟର କିଛି ଅଂଶ ଅଛି ତାହାର ଉପଲବ୍ଧି । ବୈଜ୍ଞାନିକମାନେ ବୁଝିବା ଉଚିତ ଯେ ସତ୍ୟଉପରେ ସେମାନଙ୍କର ଏକଚାଟିଆ ଅଧିକାର ନାହିଁ, ଏପରିକି କାହାର ମଧ୍ୟ ନାହିଁ, ନା କୌଣସି ଦେଶର, ନା କୌଣସି ଜନସମୁଦାୟର, ନା କୌଣସି ପୁସ୍ତକର । ସତ୍ୟ ଏତେ ବିଶାଳ ଯେ ତାହା ନା ମଣିଷର ମସ୍ତିଷ୍କରେ ଧରିବ, ନା କୌଣସି ପୁସ୍ତକରେ ଧରିବ, ସେ ପୁସ୍ତକ ଯେତେ ପବିତ୍ର ହେଉ ପଛେ ।

ମୋର ମନେ ପଡୁଛି ଗୋଟିଏ ପ୍ରତିନିଧି ଦଳ ଇଂରେଜ ଏକଛତ୍ରବାଦୀ ଶାସକ କ୍ରମୱେଲଙ୍କୁ ଭେଟି ଗୋଟିଏ ନିର୍ଦ୍ଦିଷ୍ଟ ଧାରା ସେ ଅନୁସରଣ କରିବା ଉଚିତ ବୋଲି ମତଦେଲେ । କ୍ରମୱେଲଙ୍କର ଉତ୍ତର ଥିଲା, “ମୁଁ ଆପଣମାନଙ୍କୁ ନିବେଦନ କରୁଛି ବିଚାର କରିବାପାଇଁ ଯେ ସମ୍ଭବତଃ ଆପଣମାନେ ଭୁଲ କହୁଥାଇ ପାରନ୍ତି ।”

ଆସନ୍ତୁ ଆମେ ଟିକିଏ ବିନମ୍ର ହେବା; ଭାବିବା ଯେ ସତ୍ୟ ହୁଏତ ସମ୍ପୂର୍ଣ୍ଣ ଭାବେ ଆମ ସହିତ ନାହିଁ । ଅନ୍ୟମାନଙ୍କ ସହ ସହଯୋଗ କରିବା; ଏପରିକି ଅନ୍ୟର ମତକୁ ଆମେ ଗ୍ରହଣ କରୁ ନଥିଲେ ମଧ୍ୟ ସେମାନଙ୍କର ମତ, ସେମାନଙ୍କର ଜୀବନଧାରଣର ଶୈଳୀକୁ ସମ୍ମାନ ଦେବା ।

ଆସନ୍ତୁ ଆମେ ଫେରିଯିବା ଭାରତର ସେହି ପୁରାତନ ସମୟକୁ, ଅଶୋକଙ୍କର ସମୟକୁ, ୨୩୦୦ବର୍ଷ ପଛକୁ । ଏହି ବ୍ୟକ୍ତି ଯିଏ କି କେବଳ ଏକ ସମ୍ରାଟ ନଥିଲେ, ତାହାଠାରୁ ବହୁତ କିଛି ଅଧିକ ଥିଲେ, ଏହି ମହାନ ଦେଶର ବିଭିନ୍ନ ଅଂଚଳରେ ସ୍ମାରକମାନ ଛାଡ଼ି ଯାଇଛନ୍ତି, ଯାହା ଆପଣମାନେ ଆଜି ଦେଖୁଛନ୍ତି । ସେ ଦେଇଥିବା ବାର୍ତ୍ତାଗୁଡିକ ଭିତରୁ, ଗୋଟିଏ ଏପରି ବାର୍ତ୍ତା ଅଛି ଯାହା ମୋ ମତରେ କେବଳ ଏହି ଦେଶରେ ନୁହେଁ ବରଂ ବାହାରେ ମଧ୍ୟ ଆମେ ସମସ୍ତେ ମନେ ରଖିବା ଉଚିତ । ନିଜ ପ୍ରଜାମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, “ତୁମେ ତୁମର ଧର୍ମ ପ୍ରତି ଶ୍ରଦ୍ଧାଶୀଳ, ଯଦି ତୁମେ ତୁମର ଧର୍ମକୁ ସମ୍ମାନ ଦେବା ସହିତ ଅନ୍ୟର ଧର୍ମ ପ୍ରତି ମଧ୍ୟ ସମ୍ମାନଶୀଳ ହୁଅ । ଅନ୍ୟର ଧର୍ମକୁ ସମ୍ମାନ ଦେବାଦ୍ୱାରା ତୁମେ ତୁମର ନିଜ ଧର୍ମକୁ ଗୌରବାନ୍ୱିତ କର ଓ ଅନ୍ୟମାନଙ୍କଠାରୁ ପାଅ ତୁମ ଧର୍ମ ପ୍ରତି ସମ୍ମାନ ।” ଆପଣମାନେ ଯଦି ସହନଶୀଳତାର ଏହି ବାର୍ତ୍ତାକୁ କେବଳ ଧର୍ମ ପାଇଁ ନୁହେଁ ବରଂ ମଣିଷ ଜୀବନର ଅନ୍ୟାନ୍ୟ କାର୍ଯ୍ୟକଳାପ ଯେପରି ରାଜନୀତି, ଅର୍ଥନୀତି ଏବଂ ବିଜ୍ଞାନକ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଏ ସେତେବେଳେ ଆପଣମାନେ ଦେଖିବେ ଯେ ଏତଦ୍‌ଦ୍ୱାରା ଏହିଗୁଡିକ ଏକ ଭିନ୍ନ ସନ୍ଦର୍ଭରେ ପ୍ରକଟିତ ହେଉଛନ୍ତି । ଏହି ସନ୍ଦର୍ଭଟି ଏପରି ଯାହା ବିଶେଷ ଦେଖା ଯାଉ ନାହିଁ ଆଜିକାର ଦୁନିଆରେ ଯେଉଁଠି ମତପାର୍ଥକ୍ୟକୁ ପସନ୍ଦ କରାଯାଏ ନାହିଁ, ଯେଉଁଠି ପ୍ରବୃତ୍ତି ହେଉଛି ଦବାଇଦେବା ପସନ୍ଦ ହେଉନଥିବା ମତକୁ, ରାୟକୁ ଓ ଜୀବନଚର୍ଯ୍ୟାକୁ, ଯେଉଁଠି ଶେଷକୁ ବିଜ୍ଞାନ ମଧ୍ୟ ସଂକୀର୍ଣ୍ଣ ଦୃଷ୍ଟିକୋଣ ଦ୍ୱାରା ଭ୍ରଷ୍ଟ ହୋଇଥାଏ । ଏହା ବେଶ୍ ଅଶୁଭ ଯେକୌଣସି ସମୟରେ । କିନ୍ତୁ ଯେତେବେଳେ ବୈଜ୍ଞାନିକମାନଙ୍କ ଦ୍ୱାରା ଆବିଷ୍କୃତ ନୂତନ ପ୍ରକାରର ଅସ୍ତ୍ର ଶସ୍ତ୍ର ଆମ ମୁଣ୍ଡ ଉପରେ ଘୁରି ବୁଲୁଛି, ସେତେବେଳେ ଏହା ଯଥେଷ୍ଟ ଅଧିକ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମନେହୁଏ ଯେ ଲୋକେ କିପରି ଭାବୁଛନ୍ତି, ଅନ୍ୟମାନଙ୍କର ଭାବନା ପ୍ରତି ତାଙ୍କର ପ୍ରତିକ୍ରିୟା କିପରି, ତାଙ୍କର ମନ ଘୃଣା, ହିଂସା ଓ ଅସହିଷ୍ଣୁତା ଦ୍ୱାରା ପୂର୍ଣ୍ଣ ନା ସେମାନେ ବଢୁଛନ୍ତି ସହିଷ୍ଣୁତାରେ ଓ ଅନ୍ୟକୁ ପ୍ରଶଂସା କରିବାରେ ।

 

ବ୍ୟବହୃତ ଉପାଦାନ ସୂଚୀ

1- Science, Non-Science and the Paranormal, Chief Editor Dr. H. Narasimhaiah, The Bangalore Science Forum, 1987, p.332-34

2- (Address of Hon’ble President of India at the Inauguration of 100th session of Indian Science Con… http://www.icar.org.in/en/node/5578)

  1. (Modi is our most Nehruvian PM since Nehru ,Shekhar Gupta, Business Standard, New Delhi May 27, 2016 , http://www.business-standard.com/article/printer-friendly-version?article_id=116052701152_1)
  2. (Jawaharlal Nehru erased from Rajasthan school textbook,Congress angry , Mahim Pratap Singh, Indian Express, Jaipur ,: May 26, 2016 ,http://indianexpress.com/article/india/india-news-india/jawaharlal-nehru-erased-from-rajasthan.); Jawaharlal Nehru Who? Rajasthan Schoolbook Deletes First Prime Minister,Harsha Kumari Singh| Updated: May 08, 2016 ,http://www.ndtv.com/india-news/jawaharlal-nehru-who-rajasthan-schoolbook-deletes-first-pr
  3. (After Praising Nehru On Facebook, IAS Officer Is Transferred ,Written by Rahul Shrivastava, Siddharth Ranjan Das| Updated: May 27, 2016, http://www.ndtv.com/india-news/officer-who-praised-nehru-in-facebook-post-transferred-in-ma…); Nehru is not enemy of BJP: MP govt’ s decision to transfer IAS officer is just petty,.May 27, 2016 ,.http://www.firstpost.com/printpage.php?idno=2801390&sr_no=0
  4. (Not recognising Nehru’s contribution reflects intolerance: Congress ,Press Trust of India | New Delhi November 27, 2015 ,http://www.business-standard.com/article/printer-friendly-version? article_id=115112700544_1) ……

 

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version