ଜନ୍ମ ଶତବାର୍ଷିକୀ ଅବସରରେ (ମନମୋହନ ମିଶ୍ର ୨୩. ୩. ୧୯୨୦ – ୧୯, ୧୧, ୨୦୦୦)

5 Min Read

(ଆଜି ୨୦୨୦ ମାର୍ଚ୍ଚ ୨୩ତାରିଖ ହେଉଛି ବିପ୍ଲବୀ କବି ଶ୍ରୀ ମନମୋହନ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ। ଏହି ଅବସରରେ ତାଙ୍କ ନିଜ କଣ୍ଠରେ ଏକ ଗୀତକୁ ସମଧ୍ୱନି ଇ ପତ୍ରିକା ମାଧ୍ୟମରେ ଓ ୟୂଟ୍ୟୁବ୍ ମାଧ୍ୟମରେ ଲୋକାର୍ପଣ କରାଯାଉଛି। ଏହା ମନମୋହନ ବାବୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଆମର ଶ୍ରଦ୍ଧାଞ୍ଜଳି।  ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ଡଃ ବୀରେନ୍ଦ୍ର ନାୟକ ଓ ବାମପନ୍ଥୀ ନେତା କୁଞ୍ଜବିହାରୀ ଉପାଧ୍ୟାୟଙ୍କ ଦୂରଦର୍ଶୀ ଉଦ୍ୟମ ଫଳରେ ଆମେ ମନମୋହନ ମିଶ୍ରଙ୍କ ସ୍ୱରକୁ ପୁଣିଥରେ ଶୁଣିବାର ସୁଯୋଗଟିଏ ପାଇପାରିଛନ୍ତି । ତାଙ୍କ ସ୍ୱରର ଲାଳିତ୍ୟ ଓ ଭାଷାର ସଂଯୋଜନା ଏତେ ଚମତ୍କାର ଥିଲା ଯାହା କେବଳ ଲୋକମୁଖରେ ଶୁଣୁଥିଲୁ, ତାଙ୍କୁ ସିଧାସଳଖ ଶୁଣିବାର କେବେ ସୁଯୋଗ ପାଇନଥିଲୁ। ଯାହା ହେଉ ଓଡ଼ିଶାର ଗୋଟିଏ ଅମୂଲ୍ୟ ସ୍ୱରକୁ ପୁଣିଥରେ ଜନଗଣ ଶୁଣିବାର ସୁଯୋଗ ପାଇଛନ୍ତି। ସମଧ୍ୱନି ଏହିଭଳି କିଛି ଭିଡ଼ିଓଙ୍କୁ ଇ -ପତ୍ରିକାରେ ସ୍ଥାନିତ କରି ଧାରାବାହିକ କବି ମନମୋହନ ମିଶ୍ରଙ୍କର ଗୀତକୁ ଆପଣମାନଙ୍କୁ ଶୁଣାଇବାପାଇଁ ପ୍ରୟାସ କରିବ – ସମ୍ପାଦକ)

ନିଜ ସମ୍ପର୍କରେ ମନମୋହନ ମିଶ୍ର ଯାହା ଲେଖିଛନ୍ତି:

ଜନ୍ମ ବୃତ୍ତାନ୍ତ:

“୧୯୨୦ ମସିହା । ସବୁ ଶିଶୁଙ୍କର ଯେପରି ମାମୁଲି ଜନ୍ମ ହୁଏ ସେପରି ଜନ୍ମ ହେଲା ଏକ ଶିଶୁ । ଆସନ୍ତା ଏପ୍ରିଲ ମାସକୁ ତାର ୫୦ ବର୍ଷ ପୂରିଯିବ । ଓଡିଶାର ହଜାର ହଜାର ଗାଁ ଭିତରୁ ଗୋଟିଏ ଗାଁରେ ଗୋଟିଏ ଛୋଟିଆ ମାଟି କୁଡିଆରେ ତା’ର ଜନ୍ମ । ସେ ଜନ୍ମ କୁଡିଆଟି ଏ ପର୍ଯ୍ୟନ୍ତ ଭାଙ୍ଗି ପଡିନାହିଁ । ତେବେ ପଡିବା ଅବସ୍ଥାରେ ରହିଛି । ଗାଁଟିର ନାଁ ବୀରନରସିଂହପୁର । ସେ ମୋର ମାମୁଁ ଘର ଗାଁ ।” (ମନମୋହନ ମିଶ୍ର , ‘ଆଗ୍ନେୟ ପଥ’, ବିପ୍ଳବୀ ମନମୋହନ ସ୍ମୃତି ସଂଚୟନ, ପୃ ୨୬୪)

ଗଡଜାତି ମନମୋହନ:

“ଜନ୍ମ ସିନା ହୋଇଥିଲି ପୁରୀ ଜିଲ୍ଲାର ଶାସନରେ – ମୋର ମାମୁଁଘରେ ବୀରନରସିଂହପୁରରେ; କିନ୍ତୁ ଛଅ ମାସର ଶିଶୁ ହେଲା ଦିନୁ ମୁଁ ବଢିଥିଲି ପୂର୍ବତନ ଗଡଜାତ ବଉଦ ଷ୍ଟେଟରେ । ସେଇଠି ମୋର ନନା (ଆମେ ପୁରୀ ଜିଲ୍ଲାର ବ୍ରାହ୍ମଣ ବାପାଙ୍କୁ ନନା ବୋଲି ଡାକୁ) ପୋଲିସ ସାହେବ ଥିଲେ । ମୋର ତେଣୁଁ ନାଁକୁ ମାତ୍ର ଜନ୍ମସ୍ଥାନ ଥିଲା ପୁରୀ ଜିଲ୍ଲାରେ, କିନ୍ତୁ ଲାଳନପାଳନ, ଆଉ ଶୈଶବ. ବାଲ୍ୟ ଓ କୈଶୋରରେ ମୁଁ ଥିଲି ଗଡଜାତି ।”(ମନମୋହନ ମିଶ୍ର , ‘ଆଗ୍ନେୟ ପଥ‘ , ବିପ୍ଳବୀ ମନମୋହନ ସ୍ମୃତି ସଂଚୟନ, ପୃ ୨୭୫)

ଗୋପବନ୍ଧୁଙ୍କ କାଖରେ ମନମୋହନ:

“ଅପରିଚିତ ଲୋକ, ମୁଁହରେ ଘନ ଦାଢି; ଝାଳ ସର ସର ବଦନରୁ ସ୍ନେହ ଓ କରୁଣା, ଝରି ପଡୁଛି । କିନ୍ତୁ ସେ ଆଡକୁ ମୋର ଦୃଷ୍ଟି ନାହିଁ । ମୁଁ ବେଶୀ କୁତୂହଳ ଓ ଅଳ୍ପ ଭୟ ଘେନି ଘର ଭିତରକୁ ଦଉଡି ଗଲି ।”

ଲେନିନଙ୍କୁ ଚିହ୍ନିଲେ ମନମୋହନ:

“ସେହି ୧୯୩୬ ମସିହା । ସେପ୍ଟେମ୍ବର ମାସ । ଶରତର ଶୁଭ ଗଂଗଶିଉଳି ସକାଳ । କଟକର ରେଭେନ୍ସା କଲେଜରେ ବି.ଏ ତୃତୀୟ ବର୍ଷରେ ପଢୁଥାଏ । ହଠାତ୍ ଇଂରାଜୀ ପାଠ୍ୟପୁସ୍ତକରେ ଗୋଟିଏ ପାଠରେ ଭେଟିଲି ଜଣକର ନାମ ‘ଲେନିନ’ ଲେଖାଅଛି – “ତାଙ୍କର ଭାଇ ଆଲେକ୍ଜାଣ୍ଡାରଙ୍କର ଫାଶିଦଣ୍ଡ ଯୋଗୁଁ ତାଙ୍କ ମନ ଯେପରି ଏକ ପ୍ରିଜମ (Prism) ଭିତରକୁ ଚାଲିଗଲା । ଆଉ ସେହି ରଂଗିନ କାଚ ଥିଲା ଲାଲ।” ତା’ ପରେ କିଛି ଦୂରରେ ଲେଖକ ଉପସଂହାର ବେଳେ ଲେଖିଛନ୍ତି “ତାଙ୍କର ଜନ୍ମ ଥିଲା ଏକ ଅଭିଶାପ । ତାଙ୍କର ମୃତ୍ୟୁ ହେଉଛି ଆଉ ଏକ ଅଭିଶାପ ।” କିଏ ଏହି ଲେଖକ? ବିଲାତର ସମ୍ଭ୍ରାନ୍ତ ସାହୁକାର-ଗୋଷ୍ଠୀଙ୍କ ମତରେ ସେ ହେଉଛନ୍ତି ସେକ୍ସପିଅରଙ୍କ ଠାରୁ ଶ୍ରେଷ୍ଠ ଇଂରାଜ ।

ତାଙ୍କର ନାମ ଉଇନଷ୍ଟନ ଚର୍ଚ୍ଚିଲ, ଜାଠ ସାମ୍ରାଜ୍ୟବାଦୀଙ୍କର ସେ ଥିଲେ ଅପଖ୍ୟାତ ସର୍ଦ୍ଦାର । ତେଣୁ ସେହି ଚର୍ଚ୍ଚିଲଙ୍କ ବୟାନରେ ଯାର ଜନ୍ମ ଥିଲା ଏକ ଅଭିଶାପ ଓ ଯାର ମୃତ୍ୟୁ ହେଉଛି ଆଉ ଏକ ଅଭିଶାପ, ସେହି ଲେନିନ ମୋର ଆଖି ସାମନାରେ ଏକ ମହା ଶକ୍ତିଧର ମୁକ୍ତି-ପତାକାଧାରୀ ଭାବରେ ପ୍ରତିଭାତ ହେଲେ । ଜାଣିଲି, ଲେନିନଙ୍କର ପାର୍ଟିର ନାମ କମ୍ୟୁନିଷ୍ଟ ପାର୍ଟି । ଭାରତରେ ତାହା ବେଆଇନ, ଅଜ୍ଞାତବାସୀ । ସେହି ଘଟଣାର ଚାରିବର୍ଷ ପରେ ୧୯୪୦ ମସିହାରେ ବହୁ କଷଣ ଓ ସଂଗ୍ରାମର ଜୁଆର କାଟି ମୁଁ ସେହି ପାର୍ଟିର କର୍ମଗୋଷ୍ଠୀରେ ସାମିଲ ହେଲି ।” (ମନମୋହନ ମିଶ୍ର , ‘ଆଗ୍ନେୟ ପଥ‘ , ବିପ୍ଳବୀ ମନମୋହନ ସ୍ମୃତି ସଂଚୟନ, ପୃ ୨୬୫)

ନିଆଁରେ ଚାଲିବା ଲୋକ:

ନିଆଁରେ ଚାଲିବା ଲୋକ ଯେପରି ଛାଟିପିଟି ହୋଇ ଆଗକୁ ଆଗକୁ ମାଡି ଚାଲେ ଏହି ଆଶାରେ ଯେ ଦିନେ ସେ ଆଗ୍ନେୟ ପଥ ଶେଷ ହେବ, ସେପରି ପ୍ରାୟ ମୁଁ ଯାତ୍ରା ପଥରେ ଚାଲିଛି । ଦଣ୍ଡେ ଥକ୍କାମାରି ଅତୀତକୁ ଚାହିଁବାର ଅବସର ନ ଥିଲା ।” (ପୃ ୨୮୧-୨)

ମନମୋହନଙ୍କୁ ଚିହ୍ନିଲେ ମନୋଜ ଦାସ:

“ମନମୋହନ ମିଶ୍ର ଥିଲେ ମୋ ପାଇଁ ଏକ କିମ୍ବଦନ୍ତୀ ପୁରୁଷ । ବିଂଶ ଶତାବ୍ଦୀର ଚତୁର୍ଥ ଦଶକର ସେ ବିଖ୍ୟାତ ଛାତ୍ର ନେତାଙ୍କୁ ଔପନିବେଶିକ ପୁଲିସ ଗରିଫ କରିବା ନିମନ୍ତେ ଖୋଜୁଥିବା ବେଳେ ସେ କୈାଣସି ଗୋପନ ସ୍ଥାନରୁ ଜନସାଧାରଣଙ୍କ ସକାଶେ ପ୍ରକାଶ କରିଥିଲେ ଏକ ବୈପ୍ଳବିକ ଆହ୍ୱାନ । ବହୁଳ ବିତରିତ ସେ ମୁଦ୍ରିତ କାଗଜ ଖଣ୍ଡିଏ ପାଇଥିଲି ମାଇନର ସ୍କୁଲରେ ପଢିବା ବେଳେ। ତାହାହିଁ ତାଙ୍କ ରଚନା ସହ ପ୍ରଥମ ପରିଚୟ ।”-ମନୋଜ ଦାସ, କିମ୍ବଦନ୍ତୀ ପୁରୁଷ ମନମୋହନ ମିଶ୍ର, ବିପ୍ଳବୀ ମନମୋହନ ସ୍ମୃତି ସଂଚୟନ, ପୃ ୯୩

ରେଭେନ୍ସା କଲେଜ ଇଉନିୟନର ପ୍ରଥମ ଛାତ୍ର ସଭାପତି:

“ପ୍ରଥମଥର ପାଇଁ ଛାତ୍ରନେତା ଶ୍ରୀ ମନମୋହନ ମିଶ୍ର ରେଭେନ୍ସା କଲେଜ ଇଉନିୟନର ସଭାପତି ରୂପେ ଛାତ୍ର ମାନଙ୍କ ଦ୍ୱାରା ନିର୍ବାଚିତ ହେଲେ ।” (ସ୍ମୃତି ଓ ଅନୁଭୂତି, ନୀଳମଣି ରାଉତରାୟ, ୨୦୦୧, ପୃ ୯୪)

 

 

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version