ହିନ୍ଦୁସ୍ଥାନୀ ରାଗରେ ସ୍ୱର ଓ ଭାବର ସାହିତ୍ୟ: ରାଗ- ‘କଳାବତୀ’

ସ୍ୱୟଂପ୍ରଭା ପାଢ଼ୀ 232 Views
10 Min Read

ରାଗ କଳାବତୀ… ମଧ୍ୟରାତ୍ରର ନିଶବ୍ଦ ପ୍ରହରରେ ତୁମର ପ୍ରକାଶ । ମନର ପିଡ଼ା, ହୃଦୟର କୋହ, ରାତ୍ରୀର ଅନ୍ଧକାରରେ  ତୁମେ ଆସ ଅନ୍ତରଙ୍ଗ ସ୍ୱରରାଜୀର ସମାହାରରେ । ତୁମର ପ୍ରତ୍ୟେକଟି ପ୍ରକାଶ ଭିତରେ ଥାଏ ବ୍ୟଥାର ସ୍ୱରୂପ ସେଥିପାଇଁ ତୁମେ ହୃଦୟକୁ ଛୁଇଁ ତା ଭିତରର ଗହନ ଦୁଃଖ, ଯନ୍ତ୍ରଣାକୁ ନିର୍ବାପିତ କର । ତୁମ ସ୍ନିଗ୍ଧତାର ସ୍ପର୍ଶ, ମନ ଓ ପ୍ରାଣରେ ଭରିଦିଏ ଶିତଳ ଚନ୍ଦନର ବାସ୍ନାଭରା ଲେପ, ପୁଣି ତୁମେ ହୋଇଯାଅ ପ୍ରିତିମୟ ସଙ୍ଗୀତ… ।

ତୁମେ କେବଳ ରାଗନୁହେଁ ‘କଳାବତୀ’ ପ୍ରେମର ଅଭେଦ୍ୟ ଯନ୍ତ୍ରଣାର ସ୍ୱର, କଣ୍ଠରୁଦ୍ଧ କୋହର, ବୁକୁଫଟା ବେଦନା ଭରା ସ୍ୱରର ସମ୍ଭାର । ରାତ୍ରିର ଗହନ ଅନ୍ଧକାରରେ ତୁମେ ଆସ କେତେ ମାନ, କେତେ ଅଭିମାନ, କେତେସବୁ ଯନ୍ତ୍ରଣାର ଅବସାନ ପାଇଁ । ପ୍ରିୟାର ପ୍ରିତିଭରା ମନରେ ତୁମ ସ୍ପର୍ଶ ପୁଲକିତ କରେ ଭାବନା ରାଜ୍ୟକୁ, ପୁଣି ସମର୍ପଣର ଭାବରେ ସମାହିତ କରେ ଜୀବନକୁ ।

ଖମାଜ ଥାଟରୁ ଉତ୍ପତ୍ତି ତୁମର ‘କଳାବତୀ’, ଜାତି ତୁମର ଔଡ଼ବ ଯେଉଁଠି ରେମ ସ୍ୱରଦୁଇଟି ବିବର୍ଜିତ । ଆରୋହଣରେ ‘ସାଗପଧ ନିଧପ ଧସା’ ସ୍ୱରରେ ପ୍ରକାଶିତ ହୁଅ ପୁଣି ଅବରୋହଣ ବେଳେ ‘ସାନିଧପ ଗପଧପ ଗସା’ ସ୍ୱରକୁ ଆପଣେଇ ନିଅ । ଆସିବାବେଳେ ତୁମ ସାଥିରେ ନି’ର ବକ୍ର ଚଳଣର କ୍ଷୁଦ୍ର ସ୍ପର୍ଶ ଆନ୍ଦୋଳିତ କରେ ମନ ଆଉ ସ୍ୱରକୁ । ହୃଦୟ ଭିତରୁ ସବୁ ଅକୁହା କଥା, ଅଜଣା ଆନନ୍ଦ ଜୁଆର ପରି ମାଡ଼ିଆସେ ତୁମ ଆସିବା ବେଳାରେ । ରାଗନୁହେଁ ତୁମେ କଳାବତୀ ପ୍ରେମରେ ସମର୍ପଣର ସ୍ୱର, ବିରହ ବେଦନା ଭରା ଯନ୍ତ୍ରଣାର ସୁପ୍ତ ପରିପ୍ରକାଶ, ପୁଣି ଅନ୍ତରର ଗହନତା ଭିତରେ ଥିବା ସ୍ୱରର ସମାହାରରେ ସୃଷ୍ଟ କୋହର ବିଳାପ ।

ଆସିବାବେଳେ କେତେ ଗତି ବଦଳାଅ, ‘ନି’କୁ ବାରମ୍ବାର ଆନ୍ଦୋଳିତ କରି ତୁମ ସାଥିରେ ଆଣିଥାଅ । ‘ପା’ ଓ ‘ସା’କୁ ବାଦି, ସଂବାଦି କରି ପ୍ରାଣକୁ ପୁଲକିତ କର । ଯେତେବେଳେ ମନ, ହୃଦୟର ସୁପ୍ତ ଚେତନାକୁ ‘ନି’ର କୋମଳ ସ୍ପର୍ଶ ଦୁର୍ବଳ କରିପକାଏ ତୁମେ ପୁର୍ଣ୍ଣରୂପରେ ପ୍ରକାଶିତ ହୁଅ । ହୃଦୟକୁ ଅନ୍ତଃର୍ମୁଖି କରୁଥିବା ତୁମର ଏହି ଗମ୍ଭୀର ସ୍ୱରୂପ କୁଆଡ଼େ କର୍ଣ୍ଣଟକୀ ରାଗ ‘ୟୂଗୋପ୍ରିୟ’ରୁ ରୂପାନ୍ତରିତ । ପଣ୍ଡିତ ରାଓ ନଗରକର, ରୋସନ ଆରା ବେଗମ୍, ଗଙ୍ଗୁବାଈ ହଙ୍ଗଲ ଏବଂ ବି ଶୁଭା ରାଓଙ୍କ ସ୍ପର୍ଶରେ ଜୀବନ୍ୟାସ ପାଇଛ ‘କଳାବତୀ’ ତୁମେ ।

ଖୁବ ଗଭୀର ଆଉ ଗମ୍ଭୀର ତୁମର ଭାବ…ବାରମ୍ବାର ତୁମ ଦେହରେ ‘ଗା’ର ସ୍ପର୍ଶ ଗପଧନିଧପଗ ରୁ ସା…ପୁଣି ‘ଗା’ ଆଉ ‘ସା’ର ମିଶ୍ରଣରେ ଏକ ନୂତନତ୍ୱର ଅନୁଭବ ରାଗର ଗମ୍ଭୀରତାର ପ୍ରକାଶ କରେ । ‘ନି’ର କ୍ଷୁଦ୍ର ସ୍ପର୍ଶରେ ଯେଉଁ କୋମଳତା ଭରିଯାଏ ସେଥିରେ ପୁଣି ବାରମ୍ବାର ଆନ୍ଦୋଳନ ତୁମକୁ ସ୍ପଷ୍ଟ ଭାବେ ପରିପ୍ରକାଶ କରେ । ଗଭୀର ସ୍ୱଭାବ ତୁମର ଆଣେ ପ୍ରେମରେ ଆନ୍ଦୋଳନ ପୁଣି ପ୍ରିୟତମାର ହୃଦୟରୁ ଖୋଲିଦିଏ କେତେ କେତେ ଅବ୍ୟକ୍ତ ବେଦନାର କୋହ… ଭାଷାହୀନ ପ୍ରେମର ତୁମେ ଯେ ପ୍ରକାଶ ।

‘କଳାବତୀ’ ଜଟିଳ ତୁମର କ୍ରିୟା ପ୍ରକ୍ରିୟା, ପୁଣି କେତେବେଳେ ଅତି ସରଳ ଆଉ ପୁର୍ଣ୍ଣ ପ୍ରକଟିତ, ଠିକ୍ ତୁମର ଚଳନ ଭଳି, କେଉଁଠି କେତେ ପ୍ରକାଶିତ, କେତେ ଗମ୍ଭୀର ପୁଣି କେଉଁଠି କେତେ ସରଳ ଆଉ ଭାବମୟ । ଚଳନ ସାରି ରାଗର ପ୍ରବେଶ ପଥକୁ ଛୁଇଁବା ବେଳେ ମନ ଭାବରେ ଭରିଯାଏ, ଯେମିତି ଅପାର ଆନନ୍ଦ ଅନୁଭବ ହୁଏ । ସତରେ ତୁମର ଏହି ପ୍ରକାଶ ମନରାଇଜକୁ ପୁଲକିତ କରେ । ସେତେବେଳେ ଅଭୂଲା ସ୍ମୃତିଗୁଡ଼ା ଏତେ ଯାତନା ଦେଇଯାଏ ଯେମିତି ଛାତି ଭିତରଟା କୋହ ଆଉ ଲୁହର ସମୁଦ୍ର ପରି ମନେହୁଏ । ସତରେ ତୁମ ଭାବମୟ ସ୍ମୃତିର ପାଖୁଡ଼ା  ଜୀବନକୁ ରାଗମୟ ଆଉ ଛନ୍ଦମୟ କରି ଅଳଙ୍କାରରେ ଭରିଦିଏ । ସ୍ୱରରେ ସ୍ୱର ମିଶାଇ ପୁଣି ନୂଆ ରୂପ ଓ ଭାବର ଜନ୍ମ ଦିଏ । ସତରେ ତୁମେ ସେହି ସ୍ମୃତିର ସାନିଧ୍ୟ ଯାହାର ଗଭୀରତା ମାପିବା ପାଇଁ କେତେ ସାଧନା ଆଉ ସ୍ୱରର ନିମନ୍ତ୍ରଣ କରିବାକୁ ହୁଏ । ତୁମେ କେବଳ ରାଗ ନୁହେଁ ‘କଳାବତୀ’ ଯୋଗୀର ସାଧନାର ଫଳ, ସ୍ୱରର ସମୁଦ୍ରକୁ ଖୋଜୁଥିବା ତପସ୍ୱୀର ଆରାଧ୍ୟ,ଗାୟକର ଭାବ ପୁଣି ଶ୍ରୋତାଗଣଙ୍କର ବହୁ ଆକାଂକ୍ଷିତ ହୃଦୟଭରା ସଙ୍ଗୀତ ।

‘କଳାବତୀ’ ପୂର୍ଣ୍ଣପ୍ରକାଶ ବେଳେ ତୁମେ ଚଳନ ସାରି ଯେତେବେଳେ ଆଗକୁ ବଢ଼ିଚାଲ ଛନ୍ଦଭରା ଗତି ତୁମର ବନ୍ଧାତାନ୍ ଗୁଡ଼ିକରେ ଛନ୍ଦି ଛନ୍ଦି ହୋଇ ଭାବର ଆବେଗ ସୃଷ୍ଟି କରିଚାଲନ୍ତି । ତୁମ ଅନ୍ତରାର ପ୍ରଥମ ସୋପାନରେ କେତେ ଭାବ ବଦଳାଅ ଛୋଟ ଛୋଟ ଆଳାପ ବିସ୍ତାରିତ କରି…ବୋଲ ଆଉ ଛୋଟ ଛୋଟ ବୋଲବାଣ୍ଟର ପସରାଟି ଖୋଲିଚାଲ ନିଜର ପୂର୍ଣ୍ଣତାକୁ ସାଉଁଟିବା ପାଇଁ । ସତରେ ‘କଳାବତୀ’ ତୁମକୁ ପ୍ରକାଶ କରିବା ଏତେ ସହଜ ନୁହେଁ କିନ୍ତୁ ଭାବର ଦୁନିଆରେ ତୁମର ଏ ଗୁରୁ ଗମ୍ଭୀର ସ୍ୱଭାବ ଗାୟକକୁ ବ୍ୟଥିତ କରିପକାଏ ତୁମ ସ୍ୱର ଆଉ ଭାବକୁ ଏକାଠି କରି ଜୀବନକୁ ସଙ୍ଗୀତମୟ କରିବାପାଇଁ । ଭାଷାର ଜାଦୁଗରୀରେ ତୁମକୁ ଆଙ୍କିବାର ପ୍ରୟାସ ନିଶ୍ଚୟ ଏକ ଦୁସାଧ୍ୟ ପ୍ରୟାସ, କିନ୍ତୁ ଭାବମୟ ତୁମେ ସାହିତ୍ୟର ଭାଷା ବା ତୁମକୁ ଭୂଲନ୍ତା କେମିତି? ପ୍ରିତିସହ ତୁମର ସଂଯୋଗ ଭାଷାରେ ଭାବ ଆଉ ଭାବରେ ଭାଷାକୁ ଏକାଠି ପରସି ବସନ୍ତି ।

ରାତ୍ରିର ଘନ ଅନ୍ଧକାରରେ ତୁମେ ନିବିଡ଼ ଭାବରେ ଯେତେବେଳେ ଉନ୍ମୋଚିତ ହୁଅ ଦେହ ମନ ପୁଲକିତ କରି ତୁମେ ରାଗର ଦିତ୍ୱୀୟ ଭାଗ ଅନ୍ତରାରେ ପ୍ରବେଶ କର । ଅନ୍ତରାରେ ଆଳାପ ବୋଲ ଆଉ ବୋଲବାଣ୍ଟର ଗତି ଯେତେ ବ୍ୟାପକ ହୁଏ ‘ପ’ର ବହୁଳତା ରାଗର ରୂପକୁ ଛୁଇଁ ଅନ୍ତରରେ ସେତେ କୋଳାହଳ ସୃଷ୍ଟିକରେ। ଛାତି ଭିତରଟା ସେତେବେଳେ ଧିରେ ଧିରେ ହାଲକା ହୋଇଯାଏ। କିଛି ଭୟ, କିଛି ବ୍ୟଥା, କିଛି ଅକୁହା ବେଦନା ଭିତରୁ ଭିତରୁ ଉଭାନ ହୋଇ ପରମ ଶାନ୍ତି ମନ ଭିତରେ ଢ଼ାଳି ହୋଇଯାଏ। ହୃଦୟରୁ ଦୁଃଖ ଆଉ ଯନ୍ତ୍ରଣାର ମୁକ୍ତି ରାଗମୟ କରିଦିଏ ଜୀବନକୁ, ପ୍ରେମମୟ ସଂସାରରେ ସଙ୍ଗୀତର ପ୍ରବେଶ, ଜୀବନକୁ ଜୀବନ ଦିଏ, ହୃଦୟକୁ ପ୍ରେମ, ମନକୁ ଭାବରାଜ୍ୟରେ ବୁଡ଼ାଇଦିଏ ପୁଣି ଗହନ ଅନ୍ଧକାର ଭିତରେ କଳାବତୀ ତୁମେ, ସାଧକଙ୍କର ହୋଇଯାଅ ସ୍ୱରର ସାଧନ ।

ରାତ୍ରୀର ଶିତଳତାରେ ତୁମର ସ୍ପର୍ଶ କେବଳ ଚଲନ୍ ଆଉ ଖେୟାଲ ଗାୟନରେ ଅଟକେ ନାହିଁ, ମନ ତରାନାର ତୀବ୍ରତାରେ ପ୍ରଖର ହୋଇଉଠେ ଯାହାର ଗତିକୁ ମାପିବାପାଇଁ କେତେଯୁଗ ସାଧକକୁ ତପସ୍ୟା କରିବାକୁ ହୁଏ । କ୍ଷୁଦ୍ରାତି କ୍ଷୁଦ୍ର ସ୍ୱର ଠାରୁ ସୁକ୍ଷ୍ମ ସ୍ୱର ଯାଏ ସବୁ ଯେମିତି ରାଗର ଏକ ଏକ ଅଙ୍ଗ । ଭାବ ଓ ରସର କେଳିରେ ତୁମେ ହୁଅ ପୁର୍ଣ୍ଣ ପ୍ରକାଶିତ । ଦୀପ୍ତିମନ୍ତ ତୁମର ପ୍ରକାଶ । ରାଗରେ ସ୍ୱରରେ ଆଉ ଭାବରେ ତୁମେ ହୁଅ ପୂର୍ଣ୍ଣ ପ୍ରକାଶିତ । ଗହନ ଅନ୍ଧକାରର କାଳିମା ଭିତରୁ ତୁମର ଦୀପ୍ତି ଉଦ୍ଭାସିତ ଯେମିତି ପ୍ରେମଭରା ମନଟି ସବୁବେଳେ ଜୀବନ୍ତ ।

ସ୍ମୃତି ହୋଇଯାଅ ତୁମେ ସକାଳର ସ୍ପର୍ଶରେ, ରାତ୍ରର ତୃତୀୟ ପ୍ରହରର ଆଗମନରେ ହୋଇଯାଅ ତୁମେ ସ୍ମୃତିର ମନ୍ଦାକିନି ସାଉଁଟୁଥାଅ ସ୍ୱରକୁ ଆଉ ପାଖୁଡ଼ା ପାଖୁଡ଼ା ପ୍ରେମର ସ୍ମୃତିକୁ ପାହାଁନ୍ତି ରାତିର ଜହ୍ନ ଆଲୁଅରେ, ପ୍ରିୟାର ଭିଜା ଭିଜା ପଣତରେ ପୁଣି ପୋଛୁଥିବା ଆଖିର ଲୁହରେ, କୋହଭରା ଛାତି ଭିତରେ ପୁଣି ଅସରନ୍ତି ସ୍ୱରର ଆଉ ଛୋଟ ଛୋଟ ଗମକର ପସରା ଭିତରେ ।

ପୁଣି ଅନୁଭବ ହୁଏ ‘କଳାବତୀ’ ତୁମେ ଭାଷାର ଉଦ୍ଧ୍ୱର୍ରେ । ବୁଝିହୁଏ ଯେ ତୁମେ ଗଭୀର ପୁଣି ଏତେ ସରଳ, ସାଦାସିଧା ସ୍ନିଗ୍ଧତାର ଏକ ପ୍ରକାଶ କାହିଁକି?? ଗୁରୁ ଗମ୍ଭୀର ଆଳାପରେ ସମାଜର ଦୁଃଖ ଓ ଯନ୍ତ୍ରଣାକୁ ଦୂର କରିବାପାଇଁ ଯେମିତି ଅନ୍ଧକାର ଭିତରେ ତୁମର ଏହା ନୁଆ ଏକ ଭାବର ପ୍ରକାଶ । ପ୍ରେମିକାର ମନର ଭାବନାରେ ତୁମେ ବନ୍ଧା ନୁହଁ, କାରଣ ମଣିଷର ଦୁଃଖ ଆଉ ଯନ୍ତ୍ରଣାର ନିର୍ବାପନ ପାଇଁ, ଅନ୍ଧକାର ରାତ୍ରୀରେ ତୁମର ପ୍ରକାଶ ।

ସହରର ବଡ଼ ବଡ଼ କୋଠାତଳର ଲାଇଟ ଆଲୁଅ ଯେତେସବୁ ମୁକସାଖୀ, କେତେକେତେ ନିର୍ଯ୍ୟାତନାର, ଯନ୍ତ୍ରଣାର ପୁଣି ଅତ୍ୟାଚାରର କାହାଣୀ, ଯାହାସବୁ ତୁମ ସ୍ୱରରେ ରାତ୍ରୀର ଅନ୍ଧକାରରେ ପ୍ରକାଶିତ । ଶୀତତାପ ନୀୟନ୍ତୀତ କୋଠରୀର ରୁଦ୍ଧଦ୍ୱାରରେ ‘କଳାବତୀ’, ସ୍ୱର ଓ ଭାବକୁ ଖୋଜିପାଇବାର ଅବକାଶ ଏଠି ନାହିଁ, ବରଂ ଯନ୍ତ୍ରଣାଶିକ୍ତ ରୁଦ୍ଧଦ୍ୱାରରେ କୋହ ଆଉ ଲୁହର ବିଳାପ, ଅଭିଶପ୍ତ କରିତୋଳେ ଏଇ ସମାଜକୁ । ବଡ଼ରାସ୍ତା ଆରପଟ ବସ୍ତି ଭିତରୁ, ଭୋକିଲା ପିଲାର ମା ମା ଡ଼ାକ, ରୋଗୀଣା ବୁଢ଼ିର ଯନ୍ତ୍ରଣା ଭରା କୁହାଟ!! ‘କଳାବତୀ’ ରାତ୍ରୀର ଗହନ ଅନ୍ଧକାରରେ ତୁମ ଆଗମନରେ ସବୁ ଯେମିତି ସ୍ପଷ୍ଟ ଆଉ ପ୍ରକାଶିତ । ତୁମେ ସେଥିପାଇଁ ବୋଧହୁଏ ଅତି ଗମ୍ଭୀର ପୁଣି ବାରମ୍ବାର ଆନ୍ଦୋଳିତ ଆଉ ବିବ୍ରତ । ତୁମ ଭିତରେ ସେଥିପାଇଁ କୋହମିଶା, ବୁକୁଫଟା  ଭିଜାଭିଜା ସ୍ୱରର ସମ୍ଭାର । ସମାଜର ଏ ଉତ୍ପିଡ଼ନରେ ତୁମେ ମର୍ମାହତ, ବିବ୍ରତ ସେଥିପାଇଁ ସ୍ୱରରେ ତୁମର ବାରମ୍ବାର ଦେଖାଦିଏ ଆନ୍ଦୋଳନ- ଚର୍ଚ୍ଚା ଆଉ ପ୍ରତିକ୍ରିୟା ଓ ପରିବର୍ତ୍ତନର କାମନା । ନି’ର କୋମଳ ସ୍ପର୍ଶ ତୁମମନରେ ସିନା ଆନ୍ଦୋଳନ ଆଣେ କିନ୍ତୁ ସମାଜରେ ସମାନତାର ସ୍ୱପ୍ନ ଭରିଦେଇଯାଏ । ଗହନ ମନର ଏହି ଅବ୍ୟକ୍ତ ଭାବନା ତୁମକୁ ସେଥିପାଇଁ ପୁଣି ଆନ୍ଦୋଳିତ କରେ । ‘ସମତା’ ଭଳି ଏକ ସ୍ନିଗ୍ଧ ଚେତନାର ସ୍ୱର ତୁମରି ଭିତରୁ ପ୍ରକାଶିତ କାରଣ ତୁମେ ହିଁ ଶକ୍ତି ତୁମେ ମୂଳ ପ୍ରକୃତିର ଆଧାର, ଗୁରୁ ଗମ୍ଭୀର ସ୍ୱରର ତୁମେ ସମାହାର । ଅନେକଭାବ ଓ ଭାବନାରେ ବାନ୍ଧିବାର ଏ ପ୍ରୟାସ, ଭାଷାରେ ତୁମକୁ ବାନ୍ଧି ରଖବାର ସକ୍ଷମତା ସତରେ ନାହିଁ, ତଥାପି ଏ ଛୋଟ ପ୍ରୟାସ ସମାଜର ସବୁ ଦୁର୍ବୋଧତା ଭେଦକରି ଅସଜଡ଼ା ସମାଜକୁ ପୁଣି ଏକାଠି କରିବାରେ ତୁମର ସ୍ୱରରାଜିର ପରିପ୍ରକାଶ ପାଇଁ । ହୃଦୟରୁ ସବୁ ଦୁଃଖ ଆଉ ଯନ୍ତ୍ରଣାର ଅନ୍ତଃକରି ଗଢ଼ିବାକୁ ହେବ ଏକ ନୂତନ ସମାଜ । ଅନେକ ବାଧା ପୁଣି ବନ୍ଧନ ଭିତରେ ପୂର୍ଣ୍ଣତା ଆସେ, ଯେତେବେଳେ ତୁମ ଲକ୍ଷ୍ୟପଥେ ତୁମେ ବାଧା ଭୂଲି ଆଗେଇଯାଅ । ତୁମ ପ୍ରତିଜ୍ଞାର ସେଇ ଗମ୍ଭୀର ରୂପ ଅର୍ଦ୍ଧରାତ୍ରରେ ଅବୋଧ ମଣିଷର ମନରେ ମଣିଷପଣିଆର ବିଜଟିଏ ବୁଣିଦିଏ । ପୁଣିଥରେ ନୂଆ ସମାଜଟିକୁ ଗଢ଼ିବାକୁ, ନୂଆ ଜୀବନଟିଏ ଜୀଇଁବାକୁ ମନ ଭିତରେ ଆଶାଟି ଉଙ୍କିମାରେ । ଶାନ୍ତି, ମୈତ୍ରୀ, ସମତାର ଚେତନା… ନୂଆ ସମାଜର ବୀଜମନ୍ତ୍ର କରିବା ପାଇଁ ତୁମର ପ୍ରେରଣା । ‘କଳାବତୀ’ ତୁମେ ସେଥିପାଇଁ ପ୍ରତ୍ୟେକ ରାତ୍ରର ମଧ୍ୟ ପ୍ରହରରେ ପ୍ରକଟିତ ହୁଅ ମଣିଷକୁ ଆଲୋକ ଖୋଜିବାର ରାସ୍ତାଟିରେ ଆଗେଇ ନିଅ, ଅନ୍ଧକାରର କାଳିମାକୁ ଭେଦିବାର ଶକ୍ତି ପ୍ରଦାନ କର ଓ ସେହି ସମତାର ସମାଜରେ ତୁମେ ପୁଣିଥରେ ପୁର୍ଣ୍ଣତାରେ ପ୍ରକଟିତ ହୁଅ କେବଳ ଏତିକି କାମନା । ତୁମ ସ୍ୱରୂପର ବର୍ଣ୍ଣନାରେ ଯେଉଁ ଅଧମତା କ୍ଷମା କରିବେ ଗୁଣିଜନେ ଦେଖାଇ କରୁଣା ।

ସ୍ୱୟଂପ୍ରଭା ପାଢ଼ୀ

photo and video credit- internet

[box type=”shadow” align=”” class=”” width=””]ମଣିଷ ସ୍ୱରକୁ ଜାଣିବା ପାଇଁ ଓ ବୁଝିବା ପାଇଁ ସ୍ୱର ସାଧନ କରେ । ସାଧରଣ ମଣିଷ ସ୍ୱରର ଭାବକୁ ଅନୁଭବ କରେ ହେଲେ ଏହାକୁ ଅଧିକ ଜାଣିବା ବା ସଠିକ୍ ଭାବରେ ପ୍ରକାଶ କରିବା ସମ୍ଭବ ହୋଇନଥାଏ । ରାଗକୁ ଭାଷାରେ ଜାଣିବାର ଓ ବୁଝିବାର ଏକ ସରଳ ସିଧା ଉପାୟଟିଏ ଯଦି ସାଧାରଣ ମଣିଷକୁ ବା ସଙ୍ଗୀତରେ ଆଗ୍ରହ ରଖୁଥିବା ମଣିଷଙ୍କୁ ମିଳିପାରନ୍ତା ତେବେ ଅଧିକ ମଣିଷ ଏହି ସଙ୍ଗୀତ ବା ଧ୍ୱନି ସାଧନ ପ୍ରତି ଆକର୍ଷିତ ହୋଇପାରନ୍ତେ ଓ ମନୋନିବେଶ କରିପାରନ୍ତେ ଯାହା ଫଳରେ ଆମ ସମାଜ ଅଧିକ ଶୃଙ୍ଖଳିତ, ସୃଜନଶୀଳ  ଓ ମାନବିକତା ସମ୍ପନ୍ନ ହୋଇପାରନ୍ତା  । ଏମିତି ଏକ ବୁଝାମଣା ମନକୁ ବାରମ୍ବାର ଆନ୍ଦୋଳିତ କରିଛି ଯାହାର ପ୍ରତିଫଳନ ଘଟିଛି ଲେଖାଟିରେ । ରାଗର କେବଳ ସ୍ୱର ଓ ଭାବ ରହିଛି ଭାଷା ତ ନାହିଁ ତଥାପି ରାଗର ଗାୟନ ସମୟ ଓ ମଣିଷର ବିଭିନ୍ନ ଭାବକୁ ଆଧାର କରି ସାହିତ୍ୟର ରୂପ ଦିଆଯାଇଛି ଉକ୍ତ ଲେଖାରେ                     -ସମ୍ପାଦକ[/box]

photo- internet

Share This Article
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଅଟନ୍ତି । ସେ ସମଧ୍ୱନି ସାଂସ୍କୃତିକ ପତ୍ରିକାର ଓ ମୁଖ୍ୟ ସମ୍ପାଦକ, ଅଧ୍ୟକ୍ଷ ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ନିର୍ଦ୍ଦେଶକ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ର ଓ ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ ଗୀତ ରଚନା କରିଚାଲିଛନ୍ତି। Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.
Exit mobile version