ସମଗ୍ର ଭାରତୀୟ ସାହିତ୍ୟରେ କଥା ସାହିତ୍ୟକୁ ଉଭୟ ଗୁଣାତ୍ମକ ଓ ପରିମାଣତ୍ମକ ଦିଗରୁ ପୁଷ୍ଟି କରିଥିବା ଔପନ୍ୟାସିକ ମଧ୍ୟରେ ହିନ୍ଦୀ ସାହିତ୍ୟରେ ମୁନ୍ସୀ ପ୍ରେମଚନ୍ଦ ଓ ଓଡ଼ିଆ ସାହିତ୍ୟରେ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ନିଚ୍ଛକ ସମାଜ ଚିତ୍ର ଉପରେ ଆଧାରିତ। ଉଭୟଙ୍କ ବିଚାର ଦୃଷ୍ଟି ମଧ୍ୟରେ ବହୁ ସମାନତା ରହିଛି। ପଦ୍ୟବହୁଳ ସାହିତ୍ୟ ସମ୍ଭାର ଯେତେବେଳେ କଳ୍ପନା ଓ ସଙ୍ଗୀତର ଛନ୍ଦରେ ବନ୍ଧା ଥିଲା ସେଠୁ ମୁକୁଳାଇ ସମାଜ ଦାଣ୍ଡରେ ସାହିତ୍ୟ ଛିଡ଼ା ହେଲା। ସମ୍ଭ୍ରାନ୍ତ ଚରିତ୍ର ବଦଳରେ ଆସିଲେ ସାଧାରଣ ତେଲ ଲୁଣ ସଂସାରର ଚରିତ୍ର। ଦଳିତ କୃଷକ ହେଲେ ଉପନ୍ୟାସର ମୁଖ୍ୟ ନାୟକ-ନାୟିକା। ତେବେ ଭିନ୍ନ ଭିନ୍ନ କାଳଖଣ୍ଡରେ ଭିନ୍ନ ଭିନ୍ନ ଭାଷାରେ ରଚନା କରିଥିଲେ ମଧ୍ୟ ପ୍ରେମଚନ୍ଦ ଓ ଗୋପୀନାଥଙ୍କ ଚରନାର ଉଦ୍ଦେଶ୍ୟ ଭିନ୍ନ ନ ଥିଲା। ତାଙ୍କ ସମାଜ ଚିତ୍ର ଓ ନାରୀଦୃଷ୍ଟି ଭଙ୍ଗୀ ମଧ୍ୟରେ ବହୁ ସମତା ରହିଛି। ତାଙ୍କ ରଚନା ମଧ୍ୟରେ ଆସିଛି ଏକ ବୈପ୍ଲବିକ ପରିବର୍ତ୍ତନ। ଉଭୟଙ୍କ ବିଚାର ଦୃଷ୍ଟି ପ୍ରଗତିଶୀଳ।
ହିନ୍ଦୀ ସାହିତ୍ୟରେ ପ୍ରେମଚନ୍ଦଙ୍କ ଆଗମନ ଏକ ଅବିସ୍ମରଣୀୟ ଅଧ୍ୟାୟ ଅଟେ। ତାଙ୍କ ପୂର୍ବରୁ ହିନ୍ଦୀ ଉପନ୍ୟାସ ଜାସୁସୀ / ଡିଟେକ୍ଟିପ୍, ରୋମାନ୍ସଧର୍ମୀ ତଥା କଳ୍ପନାତ୍ମକ ବର୍ଣ୍ଣନାଧର୍ମୀ ରୂପ ରହିଥିଲା। କେବଳ ଉପନ୍ୟାସ ନୁହେଁ ତାଙ୍କ ରଚିତ ବହୁ ଗଳ୍ପ, ନାଟକ ଏପରିକି ପ୍ରବନ୍ଧଗୁଡ଼ିକରେ ଆମେ ତତ୍କାଳୀନ ସମୟର ସାମଜ ଚିତ୍ରର ବାସ୍ତବ ପ୍ରତିଫଳନ ଦେଖିବାକୁ ପାଉ। ହୁଏତ, ସେହି ସମୟରେ ସମାଜ ଓ ସାହିତ୍ୟରେ ନାରୀବାଦ ମୁଣ୍ଡଟେକି ନ ଥିଲା ମାତ୍ର ତାଙ୍କ ନାରୀବାଦୀ ଆନ୍ଦୋଳନ ସମଗ୍ର ସମାଜକୁ ଆନ୍ଦୋଳିତ କରି ସାରିଥିଲା। ତାଙ୍କ ଉପନ୍ୟାସଚୟରେ ପୁରୁଷ ଚରିତ୍ର ଅପେକ୍ଷା ନାରୀ ଚରିତ୍ରର ବିଶ୍ଲେଷଣ ପ୍ରାଧାନ୍ୟ ରହିଛି। ଠିକ୍ ସେପରି ଗୋପୀନାଥଙ୍କ ରଚନା ଗ୍ରାମୀଣ, ସହରୀ ସଭ୍ୟତାର ସମାଜ ସଂସ୍କୃତି ସହ ଆଦିବାସୀ ଜନଜାତି, ହରିଜନ, ଦଳିତ ନିମ୍ନବର୍ଗର ମଣିଷ ତଥା ସମଗ୍ର ଉପନ୍ୟାସର ମୂଳ ଆଧାର ହୋଇଛି, ନାରୀ। ନାରୀ ଚରିତ୍ର ଚିତ୍ରଣରେ ସତେ ଯେପରି ତାଙ୍କ ଉପନ୍ୟାସରେ ପ୍ରକୃତି ଓ ନାରୀ ଏକାକାର ହୋଇଛନ୍ତି। ଡ. ଆଦିକନ୍ଦ ସାହୁ, ଗୋପୀନାଥଙ୍କ ଉପନ୍ୟାସ ସମ୍ପର୍କରେ କହନ୍ତି “ତାଙ୍କ ଉପନ୍ୟାସଗୁଡ଼ିକ ବସ୍ତୁତଃ ନାରୀ, ପୃଥିବୀ ଓ ମହାକାଳକୁ ଚିତ୍ରଣ କରିଛି; ସତେ ଯେପରି ତାଙ୍କ ଉପନ୍ୟାସଗୁଡ଼ିକ ଏହି ତ୍ରୟୀର ଏକ ଏକ କଳାତ୍ମକ ଆଲେଖ୍ୟ।”(୧)
ପ୍ରେମଚାନ୍ଦଙ୍କ ଉପନ୍ୟାସ କେବଳ ପାଠକର ଆନନ୍ଦ ପାଇଁ ନୁହେଁ, ବରଂ ସମାଜର ଦାର୍ପଣିକ ପ୍ରତିଫଳନ ଏଥିରେ ଭରିରହିଛି। ଦଳିତ ନିମ୍ନବର୍ଗ, ମଧ୍ୟବର୍ଗ ହେଉ ବା ଉଚ୍ଚବର୍ଗୀୟ ଜମିଦାରମାନଙ୍କ କଥା ହେଉ ଚରିତ୍ରରାଜି ତତ୍କାଳୀନ ସମୟର ବାସ୍ତବ ଚିତ୍ର ହିଁ ରୂପାୟନ କରିଛନ୍ତି। ପ୍ରେମଚାନ୍ଦଙ୍କ ଉପନ୍ୟାସ ସମାଜର ଦୁଃଖୀ ଦଳିତ ନିଷ୍ପେସିତ ମଣିଷର କଥା କହେ। ପୁଣି ନାରୀର କୋହ କ୍ରନ୍ଦନ ଓ ଅସହାୟତାର ବହୁ ଗାଥା କହେ। ଯେଉଁମାନେ ସମାଜରେ ଦ୍ୱିତୀୟ ଲିଙ୍ଗ (Second Sex) ଭାବରେ ପରଚିଚିତ, ଜୀବନ ତମାମ ସଂଘର୍ଷ କରି ନ୍ୟାୟ ପାଇ ନ ଥାନ୍ତି, ତାଙ୍କ ଉପନ୍ୟାସ କେବଳ କାହାଣୀ ନୁହେଁ, ତତ୍କାଳୀନ ସମୟର ଜୀବନ୍ତ ଇତିହାସ। ସାଧାରଣ ଜନତାର ସୁଖ-ଦୁଃଖ, ବିଭିନ୍ନ ସମସ୍ୟା ଓ ପରିସ୍ଥିତି ସହ ସାଲିସ କରିବାର ଚିତ୍ର ପ୍ରଦାନ କରିଛନ୍ତି। ତତ୍କାଳୀନ ସାମାଜିକ ପୃଷ୍ଠଭୂବିରେ ନାରୀ ଜୀବନର ଚିତ୍ର ଉପରେ ଆଲୋଚନା କରିବାକୁ ଗଲେ ପ୍ରଥମତଃ ସେ ପିତୃ-ସତ୍ତାତ୍ମକ ପରିବାରରେ ନାରୀ ପୁରୁଷର ଅଧିନରେ ତାର ସୁଖ ସୌଭାଗ୍ୟ ଉପରେ ଆଲୋକପାତ କରିଛନ୍ତି। ସେବାଶ୍ରବ, ନିର୍ମଳା, ପ୍ରତିଜ୍ଞା ଆଦି ନାରୀ କୈନ୍ଦ୍ରିକ ଉପନ୍ୟାସ ନାରୀର ଭାଗ୍ୟ ଭବିଷ୍ୟତର ସୁଖ ଦୁଃଖ ପରିବାରର ପୁରୁଷ ଉପରେ ନିର୍ଭର କରେ। “ନିର୍ମଳା” ଉପରେ ତାର ସ୍ୱରୂପ ଚିତ୍ରିତ ହୋଇଛି। କେତେ ସ୍ୱପ୍ନ ସୁଖ ସମୃଦ୍ଧିରେ ବଢ଼ିଥିବା ନିର୍ମଳାର ଜୀବନ ବିବାହ ପରେ ଛାରଖାର ହୋଇ ଚାଲିଯାଇଛି। ହଠାତ୍ ବାପାଙ୍କ ଆକ୍ରମଣ ମୂଳକ ହତ୍ୟାରେ ଚାଲିଯିବା ପରେ, ତା ପୂର୍ବ ପ୍ରସ୍ତାବିତ ବାହାଘର ଭାଙ୍ଗିଯାଇଛି। ବିଧବା ମାଆ ଯୌତୁକ ବା କ’ଣ ଦେବ? ଏହି ଭୟରେ ଶାଶୁଘରେ ବିବାହ ପ୍ରସ୍ତାବକୁ ମନା କରି ଦିଅନ୍ତି। ଏଣୁ ଅସମ ବିବାହ କରିବା ପାଇଁ ସେ ବାଧ୍ୟ ହୁଏ। ବାପ ବୟସର ତୋତାରାମ ସହ ପନ୍ଦର ବର୍ଷର ନିର୍ମଳା ସୁଖ ଦାମ୍ପତ୍ୟ ଜୀବନ ବା କେମିତି ଅତିବାହିତ କରିବ? ନିଜ ବୟସ ଠାରୁ ବଡ଼, ଗୋଟିଏ ବଡ଼ ପୁଅ ଓ ବାର ଓ ଆଠ ବର୍ଷର ଆର ଦୁଇ ପୁଅମାନଙ୍କର ମା’ର ଦାୟିତ୍ୱ ବହନ କରେ। ପରିବାର ମଧ୍ୟରେ ବିଧବା ଦେଢ଼ଶାଶୁ ରୁକ୍ୱିଣୀ, ପତି ଛୁଆପିଲା ଆତ୍ମିୟ ସ୍ୱଜନ ସକଳ ଦାୟିତ୍ୱ ସେ ନେଇଛି, ମାତ୍ର ସ୍ୱାଭିମାନରେ ବଞ୍ଚିବା ଦୂରେ ଥାଉ ଜୀବନ ତମାମ ଦୁଃଖ କଷ୍ଟରେ କାଳାତିପାତ କରିଛି।
“ସେବାସଦନ” ଉପନ୍ୟାସରେ ମଧ୍ୟ ସୁମନ ସେଇ ଅନମଲ (ଅସମ) ବିବାହ ମଧ୍ୟରେ ଛନ୍ଦି ହୋଇଛି। ତା ସ୍ୱାମୀର ସଂଶୟରେ ପଡ଼ି ତଡ଼ା ଖାଇଛି। ପଡ଼ୋଶୀ ଭୋଲୀକୁ ଦେଖିଛି, ପୁରୁଷ ଜାତି ଭୋଲିକୁ ଯେଉଁ ସମ୍ମାନ ଦେଉଛି ବିବାହ କରିଥିବା ପତ୍ନୀକୁ ତାହା ଦେଇପାରୁନାହିଁ। ତିରସ୍କାର, ଘୃଣା ଓ ଚାକରାଣୀ ରୂପେ କାନ୍ଦିବା ଅପେକ୍ଷା ଭୋଲି ଜୀବନ ଶ୍ରେୟସ୍କର ବୋଲି ସୁମନ ଗ୍ରହଣ କରିଛି। ଠିକ୍ ସେପରି “ଗୋଦାନ” ଉପନ୍ୟାସରେ ହୋରୀ ବାଧ୍ୟ ହୋଇଛି ନିଜ ଝିଅ ରୂପାର ବିବାହ ଏକ ବୃଦ୍ଧ ସହିତ କରିଛି। ନିଜ ପିତୃ ହୃଦୟକୁ ଧିକ୍କାର କରିଛି। ତାକୁ ମନେ ହୋଇଛି ସେ ଝିଅର ଜୀବନକୁ ନିଜେ ଖାଇଯାଇଛି।
ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ନାରୀର ସମସ୍ୟା ତଥା ତାଙ୍କୁ ଯେଉଁ ରୂପରେ ଚିତ୍ରଣ କରିଛନ୍ତି ତାହା ବିବିଧ ରୂପ ନେଇଛି। ପ୍ରେମଚନ୍ଦ ଯେପରି ନାରୀ ସମସ୍ୟା ମଧ୍ୟରେ ଯୌତୁକ ପ୍ରଥା, ବାଲ୍ୟ ବିବାହ-ପ୍ରଥା, ବେଶ୍ୟାମାନଙ୍କ ସମସ୍ୟା, ବିଧବାମାନଙ୍କର ସମସ୍ୟା, ଅସମ ବିବାହର ସମସ୍ୟା ଆଦି ବହୁ ସମସ୍ୟାକୁ ପ୍ରାୟ ସମସ୍ତ ଉପନ୍ୟାସରେ ଗୋଟିଏ ଛାଞ୍ଚରେ ଢାଳି ଦେଇଛନ୍ତି ଗୋପୀନାଥଙ୍କ ବିଚାର ଦୃଷ୍ଟି ଭିନ୍ନ ଭିନ୍ନ ଦିଗ ଦେଇ ଗତି କରିଛି। ତାଙ୍କ ଉପନ୍ୟାସରେ ନାରୀର ଅସ୍ତିତ୍ୱକୁ ଖୋଜିଲେ ତାହାର ସ୍ୱରୂପ ଭିନ୍ନ ଭିନ୍ନ ପୃଷ୍ଠଭୂମି ଉପରେ ତାଙ୍କ ନାରୀ ଚରିତ୍ରମାନ ଦଣ୍ଡାୟମାନ।
(କ) ଭାରତୀୟ ନାରୀର ଆଦର୍ଶମୟ ଜୀବନକୁ ଆଧାର କରି, ଗ୍ରାମୀଣ ପୃଷ୍ଠଭୂମିର ନାରୀ।
(ଖ) ସହରୀ ସଭ୍ୟତା ମଧ୍ୟରେ ଅପସଂସ୍କୃତିର ପ୍ରବାହରେ ପରିବର୍ତ୍ତିତ ନାରୀ।
(ଗ) ସ୍ୱଚ୍ଛନ୍ଦ ଜୀବନକୁ ଆଧାର କରି ବଞ୍ଚୁଥିବା ଆଦିବାସୀ ଜନଜାତିର ନାରୀ।
(ଘ) ଶୋଷଣର ଶୀକାର ହେଉଥିବା ସାଧାରଣ ହରିଜନ ଓ ଅସ୍ପୃଶ୍ୟ ଜାତିର ନାରୀ।
ଗୋପୀନାଥଙ୍କ ଉପନ୍ୟାସରେ ଯେଉଁ ସମାଜର ସ୍ୱରୂପ ଚିତ୍ରିତ ହୋଇଛି ତାହା ଅନୁଶୀଳନ କରିବା ବେଳେ ତାଙ୍କ ଲେଖନୀର ଉଦ୍ଦେଶ୍ୟ ସମ୍ପର୍କରେ ତାଙ୍କ ଅଭିମତ ଉପରେ ପାଠକର ଦୃଷ୍ଟି ପଡ଼େ। ସେ କାହିଁକି ଲେଖନ୍ତି? ତାଙ୍କ ଉତ୍ତରରେ ନିଜେ ଲେଖକ କୁହନ୍ତି – କାରଣ ଲେଖା – ମାଡ଼େ। ଏ ମୋ ମନର ସହଜ ସ୍ୱାଭାବିକ ପ୍ରକ୍ରିୟା।
ଏହି ପ୍ରକ୍ରିୟାକୁ ଆଲୋଚି ଦେଖିଲେ ପ୍ରଥମେ ଲାଗେ ମୁଁ ଲେଖେ, କାରଣ ମୁଁ ଭଲପାଏ। ମୁଁ ମୋର ଦେଖା ଅଦେଖା ଜଗତକୁ ଭଲପାଏ, ମଣିଷକୁ ଭଲପାଏ, ଜୀବନକୁ ଭଲପାଏ। ମାଠିଆରେ ପାଣି ପଶିଲା ପରେ ଗଦ୍ ଗଦେଇ ଉଠେ ମୋ ଘଟରେ ମୋର ଭଲ ପାଇବା, ଉଛୁଳି ପଡ଼ି ହୁଏ ମୋର ଲେଖା। ଏହି ତୀବ୍ର ସମ୍ପର୍କ ଯୋଗୁଁ ଯେତେ ପ୍ରକାରର ପ୍ରାଣର ଦାହ ନିଜ କାହାର ଲାଗି ମନର କୋହ ଅଯାଚିତ। ପରର ସମସ୍ୟା ପରର ଦୁଃଖ ନିଜର ହୋଇଥାଏ, ପୁଣି ବାହାରର ଆନନ୍ଦ ଉଲ୍ଲାସ ପଶେ ନିଜଠି, ଯେତେ ଥର ମୁଁ ଲେଖି ବସେ ସେତେ ଥର ମୋ ମନ ନିରୋଳାରେ ନିବିଡ଼ ସମ୍ବନ୍ଧ ବାନ୍ଧେ। ଏହିମାନଙ୍କ ସହିତ ଏହି ଦେଶ, ଯାହାର ପ୍ରତି ଧୂଳିକଣା ମୋ ପାଇଁ ସ୍ନେହର ସମ୍ଭାର। ଏହି ପ୍ରକୃତି ଯାହା ମୋର ବ୍ୟକ୍ତିତ୍ୱର ଆଧାର, ଏହି ମଣିଷ, ସେ ଯେଉଁ ବର୍ଣ୍ଣରେ ଯେତେ ଦୂରରେ ଥାଉ ପଛେ ମୋଠି ତାଠି ଏକା ରକ୍ତର ଧାର।
ଏ ସମ୍ବନ୍ଧ ଅତି ଘନିଷ୍ଠ ମିଳନ କ୍ରିୟା ତାର ଆନନ୍ଦ ଅନ୍ୟତ୍ର ନାହିଁ। ଏଇ ପ୍ରତିକ୍ରିୟା ଗୋପୀନାଥଙ୍କ ଲେଖନୀର ଉଦ୍ଦେଶ୍ୟ ଉପରେ ଅନେକ କଥା କହିଯାଏ। ମନେ ହୁଏ ଦେଖା ଅଦେଖା ଜଗତକୁ ଲେଖକ ଭଲ ପାଉଥିବାରୁ ଲେଖା ମାଧ୍ୟମରେ ବାସ୍ତବ ସମାଜ ଚିତ୍ର ଚିତ୍ରିତ ହୋଇଛି। ଏଣୁ ଉପନ୍ୟାସରେ ବାସ୍ତବ ଚିତ୍ରମାନ ଛିଡ଼ା ହେବା ସ୍ୱଭାବିକ।
ଗୋପୀନାଥ ମହାନ୍ତି ଆଦିବାସୀ ଜୀବନ ଧର୍ମୀ ଉପନ୍ୟାସ ମଧ୍ୟରେ ଦାଦିବୁଡ଼ା, ପରଜା ଓ ଅମୃତର ସନ୍ତାନ ଉପନ୍ୟାସଗୁଡ଼ିକରେ ଆଦିବାସୀମାନଙ୍କର ସ୍ୱଚ୍ଛନ୍ଦ ଜୀବନ ଉପରେ ଚିତ୍ରଣ କରିଛନ୍ତି। ଏଭଳି ସମାଜର ଚିତ୍ର ପ୍ରେମଚନ୍ଦଙ୍କ ଉପନ୍ୟାସରେ ଆମେ ପାଇବା ନାହିଁ। ତାଙ୍କ ସମାଜ ଚିତ୍ର ପରାଧୀନତାରୁ ବାହାରି ଆସିବା, ଜମିଦାରମାନଙ୍କ ଶୋଷଣରୁ ମୁକ୍ତ କରିବା, କୃଷକମାନଙ୍କର ଏକତା ଓ ବିପ୍ଲବର ଧ୍ୱନିକୁ ପ୍ରଜ୍ଜ୍ୱଳିତ କରିବା। ପ୍ରେମଚନ୍ଦ ପ୍ରେମାଶ୍ରମ ଉପନ୍ୟାସରେ ସାମନ୍ତି ଶୋଷଣର କଥା କହିବା ବେଳେ ତତ୍କାଳୀନ ସମାଜର ଐତିହାସିକ ଚିତ୍ର ପାଠକକୁ ଆକୃଷ୍ଟ କରିଥାଏ। ଗାନ୍ଧୀବାଦର ପ୍ରଭାବ ଉଭୟ ଔପନ୍ୟାସିକଙ୍କୁ ପ୍ରଭାବିତ କରିଛି। ପ୍ରେମଚନ୍ଦ ପ୍ରେମାଶ୍ରମ ଓ ଗୋଦାନ ଉପନ୍ୟାସରେ ଏହି ପ୍ରଭାବକୁ ବିଭିନ୍ନ ଚରିତ୍ର ମଧ୍ୟରେ ରୂପାୟିତ କରିବା ବେଳେ ପ୍ରାୟ ସମସ୍ତ ଉପନ୍ୟାସରେ ଗାନ୍ଧିଜୀଙ୍କ ନାରୀମୁକ୍ତି ଆନ୍ଦୋଳନର ପ୍ରଭାବ ଦେଖାଯାଏ। ତାହା ସେବାଶ୍ରମ, ନିର୍ମଳା, କର୍ମଭୂମି, ରଙ୍ଗଭୂମି, କାୟାକଳ୍ପ ଓ ପ୍ରତିଜ୍ଞା ଆଦି ବହୁ ଉପନ୍ୟାସରେ ଏହାର ଦୃଷ୍ଟାନ୍ତ ରହିଛି।
ଆଦିବାସୀମାନଙ୍କର ଜୀବନଚିତ୍ର ଧର୍ମଧାରଣ ସମାଜ ତଥା ସଂସ୍କୃତି ଦାଦିବୁଢ଼ା ଉପନ୍ୟାସରେ ଚିତ୍ରିତ ହୋଇଛି। ତାଙ୍କ ପୂର୍ବ ପୁରୁଷ ହିଁ ଦାଦିବୁଢ଼ା। ସେ ଡୁମା। ସେ ସର୍ଜନା କରିଛି। ସେଇ ସମାଜରେ ରହିବା ପାଇଁ ଆଦେଶ ଦେଇଛି ତାଙ୍କୁ ସେ ସମାଜରେ ରଖିବା ପାଇଁ ଆଦେଶ ଦେଇଛି। ସେ ବଣରେ ନିଆଁ ଲଗେଇଛି, ଗାଁରେ ରୋଗ ସୃଷ୍ଟି କରିଛି। ମଣିଷ ମୁହଁରେ ହସ-କାନ୍ଦ ସୃଷ୍ଠି କରିଛି। ସେ ଦିନ କରିଛି, ରାତି କରିଛି। ଏ ଦୁନିଆଁରେ ଯାହା ଘଟିଯାଇଛି ସବୁ ତାରି ଲୀଳା। ସେଥିପାଇଁ ଆଦିବାସୀଙ୍କ ମଧ୍ୟରେ ଦାଦିବୁଢ଼ା ପ୍ରତିଥାଏ ଅହେତୁକ ଭୟ ଓ ଭକ୍ତି। ଯୁଗଯୁଗର ପ୍ରତିଷ୍ଠିତ ପାରମ୍ପରିକ ଧର୍ମଧାରଣା ଓ ବିଶ୍ୱାସବୋଧ ଏଥିରେ ଚିତ୍ରିତ ହୋଇଛି। ନାରୀ ଚରିତ୍ର ମଧ୍ୟରେ ସନ୍ତୋଷ କୁମାରୀ ଜଣେ ଖ୍ରୀଷ୍ଟିଆନ ନାରୀ। ସେ ଠେଙ୍ଗା ଜାନିକୁ ପ୍ରେମାକୃଷ୍ଟ କରିଛି। ଠେଙ୍ଗା ପାଇଁ ପ୍ରସ୍ତାବିତ ବିବାହ ସାରିଆ ଫୁଲ ସହିତ ହୋଇ ପାରି ନାହିଁ। ଉଭୟ ଦୁଇ ନାରୀ ଚରିତ୍ର ମଧ୍ୟରେ ଅନେକ ପାର୍ଥକ୍ୟ ଦେଖୁ। ସାରିଆଫୁଲ ଆଦିବାସୀମାନଙ୍କ ସରଳ ଜୀବନକୁ ଆପଣେଇଥିବା ବେଳେ ସନ୍ତୋଷ କୁମାରି ସେପରି ନୁହେଁ ତାକୁ ବାହ୍ୟ ଶିକ୍ଷା ସଭ୍ୟତା ଆଧୁନିକ ଜୀବନରେ ନାନାବିଧ ରୁଚି ଗ୍ରାସ କରିଛି।
ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ମଧ୍ୟରେ ନାରୀ ଚରିତ୍ରାୟନ କରିବା ବେଳେ ଅମୃତର ସନ୍ତାନ ଉପନ୍ୟାସରେ ଅନେକ ଚରିତ୍ର ପାଠକ ପ୍ରାଣକୁ ଆଲୋଡ଼ିତ କରେ। ପିଓଟିର ମାତୃତ୍ୱର କାମନା ଓ ପୁୟୁର ମାତୃତ୍ୱରେ ଜୀବନର ପୂର୍ଣ୍ଣତା ଲେଖକଙ୍କ ରଚନାରେ ଉଚ୍ଚ କୋଟିର ହୋଇଛି। ପୁୟୁ ପରିବାର ଭିତରେ ଏକ ବଳିଷ୍ଠ ଭୂମିକା ରଖିଛି ମାତ୍ର। ଦିଉଡୁର (ପିୟୁର ପତି) ପରକୀୟାପ୍ରେମ ପୁୟୁର ଜୀବନରେ କରୁଣ ଭାବ ଭରି ଦେଇଛି। ପତ୍ନୀର ଦାୟିତ୍ୱ ବହନ କରିଛି। ପରିସ୍ଥିତି ବଦଳି ଯିବ ଭାବି ଅପେକ୍ଷା କରିଛି ମାତ୍ର ଦିଉଡୁ ପୁନଃ ବିବାହ କରି ପୂର୍ବ ଦାମ୍ପତ୍ୟ ଜୀବନକୁ ବେଖାତିର କରିଛି। ପୁୟୁ ଦମ୍ଭ ହରେଇ ନାହିଁ ସେ ଦେଖିଛି ପିମ୍ପୁଡ଼ିର ବସା ଅଛି ଚଢ଼େଇର ବସା ଅଛି। ଏଡ଼େ ବିଶାଳ ସଂସାରରେ କ’ଣ ତାର ବଞ୍ଚିବା ପାଇଁ ସ୍ଥାନ ଟିକେ ନାହିଁ? ପୁଅ ହାକିନାକୁ ନେଇ ଘର ଛାଡ଼ିଦେଇ ଚାଲିଯାଇଛି ବିପ୍ଲବିନୀ ସଦୃଶ। ପୁୟୁ ଗୋପୀନାଥଙ୍କ ଉପନ୍ୟାସରେ ଏକ ବ୍ୟତିକ୍ରମ ଚରିତ୍ର। ଠିକ୍ ସେପରି ଗୋଦାନ ଉପନ୍ୟାସରେ ଧନିଆଁ ଓ ଗବନ ଉପନ୍ୟାସରେ ଜାଲପା । ଧନିଆଁ ଚରିତ୍ରଟି ଏକ ବିପ୍ଲବିନୀ ଚରିତ୍ର। ତା ସାହାସ ଆମେ ପ୍ରେମଚନ୍ଦଙ୍କ ଅନ୍ୟ ଉପନ୍ୟାସରେ ପାଉନାହୁଁ। ଅନୁରୂପ ଭାବରେ ଜାଲପା ଚରିତ୍ର ମଧ୍ୟ ନିର୍ଭିକ ଚରିତ୍ର। ତା ପତି ରମାନାଥକୁ ଦେଶସେବା କରିବା ପାଇଁ ପ୍ରେରଣା ଦେଇଛି। କ୍ରାନ୍ତିକାରୀମାନଙ୍କୁ ଦୁହେଁ ମିଶି ସାହାଯ୍ୟ କରିଛନ୍ତି।
ପ୍ରେମଚନ୍ଦ ଉପନ୍ୟାସରେ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ଭାରତୀୟ ମୁକ୍ତି ଆନ୍ଦୋଳନ କେବଳ ଉପନିବେଶ ବାଦରୁ ମୁକ୍ତି ପାଇବା ତା ନୁହେଁ। ସେ ସ୍ୱାଧୀନତାକୁ ସମାଜର ପୂର୍ଣ୍ଣାଙ୍ଗ ବିକାଶ ସହ ଦେଖିଥିଲେ। ଏଣୁ ସେ ନାରୀ ବିକାଶକୁ ନେଇ ବହୁ ପ୍ରଗତିଶୀଳ ବିଚାରଧାରା ତାଙ୍କ ପ୍ରବନ୍ଧ ଉପନ୍ୟାସରେ ସ୍ପଷ୍ଟ ରୂପେ ପ୍ରଦାନ କରିଛନ୍ତି। ନାରୀର ଅସହାୟ ସ୍ଥିତି ଉପରେ ତାଙ୍କ ଗଭୀର ଦୃଷ୍ଟି ସମ୍ବେଦନା ପ୍ରକାଶ ସହ ବିପ୍ଲବ ପାଇଁ ଆହ୍ୱାନ କରିଛି। ତାଙ୍କ ମତରେ ନାରୀର ଅସ୍ତିତ୍ୱ ଓ ଅସ୍ମିତା ପାଇଁ ନାରୀ ନିଜେ ସଜାଗ ନ ହେଲେ ତାର ସ୍ଥିତିକୁ ଦୃଢ଼ କରିପାରିବ ନାହିଁ। ସମଗ୍ର ଜନତା ମଧ୍ୟରେ ପଚାଶ ପ୍ରତିଶତ ଅଶିକ୍ଷିତ ଦଳିତ ସମାଜର ପ୍ରଗତି ହୋଇପାରିବ ନାହିଁ। ଏଣୁ ନାରୀ ସ୍ୱାବଲମ୍ବୀ ହେଲେ, ଶିକ୍ଷିତା ହେଲେ ସ୍ୱତଃ ସ୍ଫୁର୍ତ୍ତଭାବେ ଏକ ଶିକ୍ଷିତ ସମାଜ ଗଠନ ହୋଇପାରିବ। ନାରୀ ଆର୍ଥିକ, ସ୍ୱାଧୀନତା ପାଇଲେ ତାର ସ୍ଥିତି ବଦଳିଯିବ। ଏଭଳି ସେ ଉପନ୍ୟାସଗୁଡ଼ିକରେ ନାରୀମାନଙ୍କ ଆଶାରେ ବାଟ ଖୋଜିଛନ୍ତି। ଆର୍ଥିକ, ସାମାଜିକ, ରାଜନୀତିକ ତଥା ପୂର୍ଣ୍ଣାଙ୍ଗ ବିକାଶରେ ନାରୀ ପୁରୁଷର ସମକକ୍ଷ ହେବା ନିହାତି ଜରୁରୀ। ଏଇ ସ୍ଥିତିକୁ ପହଞ୍ଚିବା ପାଇଁ ନାରୀ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ନେଇ ଗତି କରିଥାଏ।
ଯେପରି :-
– ବିବାହ ପୂର୍ବକାଳୀନ ସମସ୍ୟା
– ବିବାହ ସମୟର ସମସ୍ୟା
– ବିବାହୋତ୍ତ ସମସ୍ୟା
ଗୋପୀନାଥ ମହାନ୍ତିଙ୍କ ବହୁ ଉପନ୍ୟାସରେ ନାରୀ ଆଦର୍ଶ ସ୍ଥାନୀୟା ହୋଇଛି। ଗ୍ରାମୀଣ ପୃଷ୍ଠଭୂମି ଉପରେ ଚରିତ “ମାଟି ମଟାଳ” ଉପନ୍ୟାସ ମଧ୍ୟରେ ଚିତ୍ରିତ ଚରିତ୍ର ରାଜି ତାର ସଫଳ ଦୃଷ୍ଟାନ୍ତ। ଏକ କ୍ଲାସିକ୍ ଉପନ୍ୟାସ ଭାବରେ ଭାରତୀୟ ସାହିତ୍ୟରେ ପ୍ରତିଷ୍ଠା ଲାଭ କରି “ଜ୍ଞାନପୀଠ” ବିଜେତାର ମର୍ଯ୍ୟାଦା ଦେଇଛି। ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ରବି ଓ ଛବି ଚରିତ୍ରର ସେବା ପରାୟଣ ଭାବ ଗାନ୍ଧୀବାଦର ଜ୍ୱଳନ୍ତ ଉଦାହରଣ। ଭୂଦାନ ଆନ୍ଦୋଳନ, ବନ୍ୟା ପ୍ରପିଡ଼ିତ ଅସହାୟ ଜନତାକୁ ସାହାଯ୍ୟ କରିବାରେ ଛବି ଓ ରବି ମଧ୍ୟମରେ ସୃଷ୍ଟି ହୋଇଥିବା ପ୍ରେମ ମଂଜିଟି ଶାରୀରିକ ନ ହୋଇ ଊର୍ଦ୍ଧ୍ୱରୂପ ନେଇଛି। ପ୍ରେମ ଭୋଗରେ ନୁହେଁ ତ୍ୟାଗରେ ତାର ଅସଲ ଅସ୍ତିତ୍ୱ ରହିଛି। ଗୋପୀନାଥ ମହାନ୍ତିଙ୍କ ଏଇ ଆଦର୍ଶ ପ୍ରେମଗାଥା ନାରୀ ଚରିତ୍ର ଚିତ୍ରଣ କଲାବେଳେ ଉଚ୍ଚ ଆଦର୍ଶ ରୂପକୁ ସମ୍ମାନ ଦେଇଛି। ଗ୍ରାମୀଣ ନାରୀର ସଂସ୍କୃତି ସମ୍ପନ୍ନତା, ରକ୍ଷଣଶୀଳ ସମାଜର ଗୁଣ ଧର୍ମ ସମୂହକୁ ଗୁରୁତ୍ୱାରୋପ କରିଛି।
ଛବି ଚରିତ୍ର ମଧ୍ୟରେ ଏକ ଆଦର୍ଶ ମଣିଷର ବ୍ୟକ୍ତିତ୍ୱ ଉଦ୍ଭାସିତ ହୁଏ। ସେ ପ୍ରେମରେ ପ୍ରଗଲ୍ଭା ନ ହୋଇ ଭାରତୀୟ ସଂସ୍କୃତି ପରମ୍ପରାର ବିଜୟ ଗାଥାକୁ ଅନୁସରଣ କରି ସଚେତନ ହୋଇଛି। ପୁଣି ରାହୁର ଛାୟା ଉପନ୍ୟାସରେ ସତୀ ଚରିତ୍ର ମଧ୍ୟ ଭିନ୍ନ ରୂପର ଚିତ୍ରଣ କରିଛନ୍ତି। ସତୀ ଜୀବନରେ ପ୍ରେମ କରିନାହିଁ ଗୋଟେଇଛି ବହୁତ, ଫୋପାଡ଼ିଛି ବହୁତ, କିଛି ସାଇତି ରଖି ପାରିନାହିଁ। ମୃଦୁ ହିଲ୍ଲୋଳ ତାର କିଶୋରୀ ପ୍ରାଣକୁ ଅଭିଭୂତ କରିପାରିନାହିଁ। ଜୀବନ କଳିକା ପ୍ରସ୍ଫୁଟିତ ହେବା ପୂର୍ବରୁ କୀଟଦ୍ରଷ୍ଟ ହୋଇଯାଇଛି। ଠିକ୍ ସେପରି ଲୟବିଳୟ ନାରୀମନର ଗହନ କଥାକୁ ବିଶ୍ଲେଷଣ କରିଛନ୍ତି। ପୁଣି ପୁୟୁ ସ୍ୱାଭିମାନୀ ଚରିତ୍ର ଭାବରେ ଏକ ସ୍ୱତନ୍ତ୍ର ଜୀବନର ପରିଚୟ ଦେଇଛି। କାମନା ଜ୍ୱାଳା ଅପେକ୍ଷା ଜୀବନର ସ୍ୱାଭିମାନ ତାକୁ ଭିନ୍ନ ଧରଣର କରିଛି। ତାର ମାନସମ୍ମାନକୁ ଔପନ୍ୟାସିକ ବେଶ ଗୁରୁତ୍ୱ ଦେଇ ଚିତ୍ରଣ କରିଛନ୍ତି। ତାର ନାରୀତ୍ୱ ମାତୃତ୍ୱ ଓ ସତୀତ୍ୱରେ ଚମକି ଯାଇଛି। ତା ଜୀବନ ବୋଧ ଆହୁରି ଉଚ୍ଚ କୋଟିର ହୋଇଛି।
ବୈବାହିକ ଜୀବନରେ ସେ ନିଜ ପତି ପ୍ରତି ଅବହେଲା କରିନାହିଁ। ପରିବାରକୁ ସ୍ନେହ ମମତାରେ ବାନ୍ଧିକି ରଖିଛି। ପାରିବାରିକ ଜୀବନରେ ଦିଉଡୁ ସ୍ୱାର୍ଥପର। ପ୍ରେମର ଚିତ୍ରଣ କରିବାକୁ ଯାଇ ଲେଖକ ତାର ସ୍ୱାର୍ଥଲାଳସାକୁ ଚିତ୍ରଣ କରିଛନ୍ତି। ନାରୀର ଦେହ ତା ପାଇଁ ନୂଆଁ ନୂଆଁ ହାଟ। ସେ ପୁୟୁକୁ ପାଇ ତୃପ୍ତିପାଇ ନାହିଁ ବରଂ ତାକୁ ପରୋକ୍ଷରେ ତିରସ୍କାର କରି ପିଓଟିକୁ ବାହା ଦେଇ ଘରକୁ ଆଣିଛି। ତା ପ୍ରେମ ଅପେକ୍ଷା ପୁୟୁର ପ୍ରେମ ଓ ଦାୟିତ୍ୱ ବୋଧକୁ ଔପନ୍ୟାସିକ ଗୁରୁତ୍ୱ ଦେଇଛନ୍ତି। ସତୀ, ସରୋଜିନୀ, ଜିଲି, ବିଲି, ପୁନି, ଯୋଶୋଦା ପ୍ରଭୃତି ଚରିତ୍ର ଭଳି ସେ କାମନାରେ ଜଳି ନ ଯାଇ ଜୀବନର ପ୍ରକୃତ ସ୍ୱରୂପକୁ ଖୋଜିଛି। ଆଦିବାସୀମାନଙ୍କର ସ୍ୱଚ୍ଛନ୍ଦ ଜୀବନ ଏଠାରେ ଚିତ୍ରିତ ହୋଇଛି ପାଶ୍ଚାତ୍ୟ ସାହିତ୍ୟରେ ଯେଉଁ ଚରିତ୍ର ରାଜି ମଧ୍ୟରେ ଲେଖକଗଣ ସ୍ୱଚ୍ଛନ୍ଦ ପ୍ରେମକୁ ଚିତ୍ରଣ କରିଥିଲେ ଗୋପୀନାଥ ତାକୁ ଓଡ଼ିଶା ମାଟିରେ ଖୋଜି ତାଙ୍କ ଜୀବନରେ ସ୍ୱାଧୀନ ମିଳାମିଶା ରୂପକୁ ଚିତ୍ରଣ କରିଛନ୍ତି।
ଔପନ୍ୟାସିକଙ୍କ ଦୃଷ୍ଟିଭଙ୍ଗୀ କେବଳ ଆଦିବାସୀ ସମାଜରେ ସୀମିତ ରହିନାହିଁ। ସହରୀ ସଭ୍ୟତାକୁ ଚିତ୍ରଣ କରିବା ବେଳେ ସେହିପରି ସହରୀ ଜୀବନର ପ୍ରେମକୁ ଭିନ୍ନ ରୂପ ଦେଇଛନ୍ତି। -ଦାନାପାଣି ଉପନ୍ୟାସରେ ସରୋଜିନୀ, ରାହୁର ଛାୟାରେ ସତୀ, ଅବିନାଶ ବାବୁଙ୍କ ଜେମା ଓ ଯେଶୋଦା, ଅଘୋର ବାବୁଙ୍କ ସହ ପୁନି ଏଭଳି ଅନେକ ଦୃଷ୍ଟାନ୍ତ ରହିଛି। ନାରୀ ଯେଉଁଠାରେ ପୁରୁଷର ଭୋଗ ବିଳାସର ସାମଗ୍ରୀ ହୋଇଛି। ପ୍ରେମଚାନ୍ଦଙ୍କ ଏଇ ନାରୀଦୃଷ୍ଟି ପ୍ରତି ବିଚାର କଲେ ନାରୀକୁ ସମାଜ ତଥା ପୁରୁଷ ଯେଉଁ ଦୃଷ୍ଟିଭଙ୍ଗୀ ଦେଇ ଆସିଛି ତାର ସ୍ୱରୂପକୁ ଚିତ୍ରଣ କରିଛନ୍ତି। ନାରୀର ସାମାଜିକ ସ୍ଥିତି ପ୍ରତି ଔପନ୍ୟାସିକ ଗୁରୁତ୍ୱ ଦେଇଛନ୍ତି। ସମାଜର ଶୋଷିତ ଲୋକଙ୍କ ପ୍ରତି ତାଙ୍କର ସହାନୁଭୂତି ରହିଥିଲା।
ଏଣୁ ଭାରତୀୟ ସମାଜରେ କୃଷକ, ଦଳିତ ଶ୍ରମିକ, ଅସବର୍ଣ୍ଣ ଲୋକ, ଅସହାୟ ଶିଶୁ ତଥା ନାରୀମାନଙ୍କ ଚିତ୍ରକୁ ବାସ୍ତବ ତଥା ସମ୍ବେଦନଶୀଳ ଭାବରେ ଚିତ୍ରଣ କରିଛନ୍ତି। ଯେଉଁ ଲେଖକମାନେ ସମାଜର ବାସ୍ତବରୂପକୁ ଯେତେ ନିଖୁଣ ରୂପରେ ଚିତ୍ରଣ କରନ୍ତି ତାହା ପାଠକ ପାଇଁ ତତ୍କାଳୀନ ଜୀବନର ଐତିହାସିକ ତଥ୍ୟ ସ୍ୱରୂପ ହୋଇଥାଏ। ବାସ୍ତବ ରୂପକୁ ଚିତ୍ରଣ କରିଥିବାରୁ ଉଭୟ ଲେଖକଙ୍କ ଉପନ୍ୟାସରେ ସମାଜଚିତ୍ର ସତ୍ୟଧର୍ମୀ ହୋଇଛି।
ଗୋପୀନାଥ ନାରୀର ଅସ୍ତିତ୍ୱ ଓ ଅସ୍ମିତା ପ୍ରତି ବେଶ ସଚେତନ। ପୁରୁଷ ଚରିତ୍ର ଅପେକ୍ଷା ନାରୀ ଚରିତ୍ରକୁ ଚିତ୍ରଣ କରିବାରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ ଆଦିବାସୀ ନାରୀ ହେଉ ବା ସହରୀ ଅବା ଗ୍ରାମୀଣ ହେଉ ନାରୀର ଗୌରବ, ମାତୃତ୍ୱ ଓ ପ୍ରେମର ରୂପ ଚିତ୍ରଣକୁ ଉଚ୍ଚକୋଟୀର କରିଛନ୍ତି। ମନ ଗହୀରର ଚାଷଠୁ ଆରମ୍ଭ କରି ମାଟି ମଟାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଉପନ୍ୟାସରେ ନାରୀ ପ୍ରତି ସେ ସମ୍ବେଦନଶୀଳ। ଭଗିନୀ କାୟା ରୂପ ଅପେକ୍ଷା ନାରୀର ମାତୃତ୍ୱ ରୂପରେ ସେ ନାରୀର ମାତୃତ୍ୱ ରୂପରେ ସେ ନାରୀର ପୂର୍ଣ୍ଣତାକୁ ଅବଲୋକନ କରିଛନ୍ତି। ପରିବାରକୁ ନିୟନ୍ତ୍ରିତ କରୁଥିବା ମାର ଗୌରବମୟ ରୂପ ତାଙ୍କ ରଚନା ସମୂହରେ ବେଶ ଉଚ୍ଚକୋଟିର ହୋଇଛି। ଆଦିବାସୀ ମୂଳକ ଉପନ୍ୟାସରେ ନାରୀର ସ୍ୱଚ୍ଛନ୍ଦ ଜୀବନର ଚରିତ୍ରରେ ତାର ଭୂମିକା ଓ ଗୌରବର କଥାକୁ ରୂପ ଦେଇଛନ୍ତି। ଅମୃତର ସନ୍ତାନ ଉପନ୍ୟାସରେ ଯାର ବ୍ୟାକୁଳତା ଦାମ୍ପତ୍ୟ ଜୀବନରେ ଭାଙ୍ଗି ନ ଯାଇ ବରଂ ଜୀବନ ପ୍ରିୟତାକୁ ଉପଲ୍ବଧି କରି ଆହୁରି ସାହସୀ ହୋଇଛି। ଆଦିବାସୀମାନଙ୍କ ସରଳ ନିରାଡମ୍ବର ଜୀବନ ମଧ୍ୟରେ ନାରୀ ଓ ପୁରୁଷର ସ୍ଥାନକୁ ଚିତ୍ରଣ କଲାବେଳେ ଉଭୟଙ୍କ ମଧ୍ୟରେ ସମତାର ଚିତ୍ରକୁ ଔପନ୍ୟାସିକ ବେଶ ବାସ୍ତବରୂପ ଦେଇ ଚିତ୍ରଣ କରିଛନ୍ତି।
ଉପନ୍ୟାସରେ ସମାଜର ଏକ ପୂର୍ଣ୍ଣାଙ୍ଗ ରୂପ ପ୍ରକାଶ ପାଇଥାଏ। ଏଣୁ ବାସ୍ତବ ସମାଜ ଚିତ୍ର ର ପ୍ରତିଫଳ ଉପନ୍ୟାସରେ ପ୍ରତିଭାତ ହୋଇଥାଏ। ତତ୍କାଳୀନ ସମୟର ସାମାଜିକ, ରାଜନୈତିକ, ସାଂସ୍କୃତିକ ଜୀବନଧାରା ଓ ସ୍ୱରୂପକୁ ଚିତ୍ରଣ କରିବା ବେଳେ ପ୍ରେମଚନ୍ଦ ଓ ଗୋପୀନାଥଙ୍କ ବିଚାର ଦୃଷ୍ଟି ବହୁବର୍ଣ୍ଣା। ପ୍ରେମଚନ୍ଦ ବଡ଼ ଦମ୍ଭର ସହିତ ନାରୀର ପ୍ରଗତିର କଥା କହି ଉପନ୍ୟାସଗୁଡ଼ିକରେ ଚିରାଚରିତ ସମାଜ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ନାରୀ ଜୀବନକୁ ଆଧାର କରି ତା’ର ଜୀବନର ନାନାବିଧ ସମସ୍ୟାକୁ ଚିତ୍ରଣ କରିବାରେ ପ୍ରେମଚନ୍ଦଙ୍କ ସେବାସଦନ ପ୍ରେମାଶ୍ରମ, ରଙ୍ଗଭୂମି, ଗବନ, ପ୍ରତିଜ୍ଞା, ନିର୍ମଳା ତଥା ଗୋଦାନ ଆଦି ଉପନ୍ୟାସରେ ଏହା ନିଚ୍ଛକ ପ୍ରତିବିମ୍ବ ଫୁଟାଇବାରେ ତାଙ୍କ ରଚନାର ପ୍ରୟାସ ସ୍ୱାଗତ ଯୋଗ୍ୟ। ତତ୍କାଳୀନ ସମୟରେ ନାରୀ ଜାଗରଣ ଓ ବିପ୍ଲବ ଆଣିବା ପାଇଁ ତାଙ୍କ ଉପନ୍ୟାସର ଚରିତ୍ରରାଜିରେ ବହୁ ଦୃଷ୍ଟାନ୍ତ ଭରି ରହିଛି। ସତେ ଯେପରି ଶହେ ବର୍ଷର ଭବିଷ୍ୟତ ଦୃଷ୍ଟି ନେଇକି ଉପନ୍ୟାସଚୟ ରଚନା କରିଥିଲେ। ଠିକ୍ ସେପରି ଗୋପୀନାଥଙ୍କ ସମାଜ-ଦୃଷ୍ଟି ଓ ନାରୀଦୃଷ୍ଟି ବାସ୍ତବଧର୍ମୀ ହୋଇଉଠିଛି ମନଗହୀରର ଚାଷଠୁ ଆରମ୍ଭ କରି ଜାନକାମ୍ମା ପର୍ଯ୍ୟନ୍ତ ସମସ୍ତ ଉପନ୍ୟାସରେ ନାରୀ ମନଗହନର ସୁଖ-ଦୁଃଖ, ଆତ୍ମବିଶ୍ୱାସ ତଥା ବିପ୍ଲବିନୀ ରୂପକୁ ଚିତ୍ରଣ କରିବାରେ ସେ ସିଦ୍ଧହସ୍ତା। ଉଭୟ ଔପନ୍ୟାସିକଙ୍କ ବିଚାର ଦୃଷ୍ଟି ପ୍ରଗତିଶୀଳ। ଉଭୟ ଲେଖକ ଏକ ନୂତନ ଆଶା ଆଲୁଅର ସନ୍ଧାନ କରିଛନ୍ତି।
ପାଦଟୀକା :
୧- ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ଭାବପ୍ରସ୍ଥ ଓତାର କଳାପକ୍ଷ (କୋଣାର୍କ) ୮୮ତମ ସଂଖ୍ୟା ଗୋପୀନାଥ ମହାନ୍ତି ବିଶେଷାଙ୍କ ସମ୍ପାଦକ- ଡ. ବିନୋଦ ଚନ୍ଦ୍ର ନାୟକ (ଓ.ସା.ଏଲ. ଡେମୀ)
୨- କୋଣାର୍କ (ଗୋପୀନାଥ ବିଶେଷାଙ୍କ)
ସହୟକ ଗ୍ରନ୍ଥସୂଚୀ :
ଓଡ଼ିଆ ବିଭାଗ : – ମହାନ୍ତି, ଗୋପୀନାଥ : ଅମୃତର ସନ୍ତାନ, ଜଗନ୍ନାଥ ରଥ, କଟକ-୧୯୬୫
– ମହାନ୍ତି, ଗୋପୀନାଥ : ଦାଦିବୁଢ଼ା, ବିଦ୍ୟାପୁରୀ, କଟକ-୧୯୮୪
– ମହାନ୍ତି, ଗୋପୀନାଥ : ଦାନାପାଣି, କିତାବ ମହଲ, କଟକ-୧୯୮୩
– ମହାନ୍ତି, ଗୋପୀନାଥ : ପରଜା, ବିଦ୍ୟାପୁରୀ, କଟକ-୧୯୮୩
– ମହାନ୍ତି, ଗୋପୀନାଥ : ରାହୁର ଛାୟା, ବୁକ୍ ଆଣ୍ଡବୁକ୍, କଟକ-୧୯୭୯
– ମହାନ୍ତି, ଗୋପୀନାଥ : ଶିବ ଭାଇ, ଗ୍ରନ୍ଥ ମନ୍ଦିର, କଟକ-୧୯୯୧
– ମହାନ୍ତି, ଗୋପୀନାଥ : ହରିଜନ, ବିଦ୍ୟାପୁରୀ, କଟକ-୧୯୮୪
– ମହାନ୍ତି, ଗୋପୀନାଥ : ମାଟିମଟାଳ, ବିଦ୍ୟାପୁରୀ, କଟକ-୧୯୬୪
– ମହାପାତ୍ର ଡ. ଖଗେଶ୍ୱର : ସମାଲୋଚନା ଦିଗ ଦିଗନ୍ତ, ସହଦେବ ପ୍ରଧାନ, ଫ୍ରେଣ୍ଡସ୍ ପବ୍ଲିଶର୍ସ,
ହିନ୍ଦୀ ବିଭାଗ : – ଶର୍ମା, ରାମବିଳାସ : ପ୍ରେମଚନ୍ଦ ଔର ଉନକା ୟୁଗ, ରାଜକମଳ ପ୍ରକାଶନ, ୧୯୫୨
– ପ୍ରେମଚନ୍ଦ : ର୍କଭୂମି, ଦିଲ୍ଲୀ, ଦୟାନନ୍ଦ ମାର୍ଗ ଦରିୟାଗଂଜ, ୨୦୦୫
– ଅଗ୍ରୱାଲ ବିନ୍ଦୁ : ହିନ୍ଦୀ ଉପନ୍ୟାସ ମେ ନାରୀ ଚିତ୍ର, ଦିଲ୍ଲୀ ରାଧାକୃଷ୍ଣ ପ୍ରକାଶନ-୧୯୬୮
– ପ୍ରେମଚନ୍ଦ : କୁଛ ବିଚାର, ଦିଲ୍ଲୀ, ଲୋକଭାରତୀ ପ୍ରକାଶନ, ୨୦୧୩
-ଗୋପାଳ ମଦନ : ପ୍ରେମଚାନ୍ଦ କି ଆତ୍ମ କଥା, ନୟୀଦିଲ୍ଲୀ, ପ୍ରଭାତ ପ୍ରକାଶନ
– ବାଜପେୟୀ, ନରେନ୍ଦ୍ର ଜୁଲାରେ, ପ୍ରେମଚନ୍ଦ ଏକ ସାହିତ୍ୟିକ ବିବେଚନ, ଦିଲ୍ଲୀ, ୧୯୫୨
– ପ୍ରେମଚନ୍ଦ, ନିର୍ମଳା, ସାଧନା, ପବ୍ଲିକେଶନ, ଦିଲ୍ଲୀ, ୨୦୦୫
– ପ୍ରେମଚନ୍ଦ ପ୍ରତିଜ୍ଞା, ସାଧନା ପବ୍ଳିକେଶନ, ଦିଲ୍ଲୀ, ୨୦୦୬
– ପ୍ରେମଚନ୍ଦ, ଗୋଦାନ, ପ୍ରକାଶନ ସଂସ୍ଥାନ, ଦିଲ୍ଲୀ ୨୦୧୪
– ପ୍ରେମଚନ୍ଦ, ସେବାସଦନ, ନ୍ୟୁ ସାଧାନା ପବ୍ଲିକେଶନ, ଦିଲ୍ଲୀ-୨୦୦୫
– ମଧୁରେଶ, ହିନ୍ଦୀ ଉପନ୍ୟାସ କା ବିକାଶ ସୁମିତ ପ୍ରକାଶନ, ନଇ ଦିଲ୍ଲୀ, ୨୦୦୯
– ଚୌଧୁରୀ, ଇନ୍ଦ୍ରନାଥ, ତୁଳାନାତ୍ମକ ସାହିତ୍ୟ ଭାରତୀୟ ପରିପ୍ରେକ୍ଷୀ, ବାଣୀ ପ୍ରକାଶନ, ଦିଲ୍ଲୀ, ୨୦୧୪