ସମ୍ପାଦକୀୟ ମତାମତ:
ହିମାନୀ ପ୍ରଧାନ ପାଇକମାଳ ବ୍ଲକର ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ । ତାଙ୍କ ଗାଁ’ର ନାମ ବଇଦପାଲି । ତାଙ୍କ ଗାଁ ପାଇକମାଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ । ହିମାନୀଙ୍କ ମା’ଙ୍କ ନାମ ସରଞ୍ଜିତା ପ୍ରଧାନ ଓ ବାପାଙ୍କ ନାମ ସଞ୍ଜୟ ପ୍ରଧାନ । ହିମାନୀ ପ୍ରଧାନ, ୨୦୨୩ ମସିହାରେ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଥିବାବେଳେ ନିଜ ଗାଁ “ବଇଦପାଲି”ର ଇତିହାସକୁ ଲିପିବଦ୍ଧ କରିବା ଆରମ୍ଭ କରିଥିଲେ । ଆଜି ବି ସେ ଏହି କାମ ଜାରିରଖିଛନ୍ତି । ଏବେ ହିମାନୀ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଘରେ ଅଛନ୍ତି । ଏହି ଖରାଛୁଟି ସମୟରେ ସେ ନିଜ ଗାଁ’କୁ ନେଇ ଆରମ୍ଭ କରିଥିବା ଗବେଷଣାକୁ ଆହୁରି ଭଲ ଭାବରେ କରିବାପାଇଁ ସୁଯୋଗ ପାଇଛନ୍ତି । ସେ ଗାଁର ବୟସ୍କ ଲୋକମାନଙ୍କୁ ପଚାରି ପଚାରି ଗାଁର ଅତୀତର ଅନେକ କାହାଣୀ ସଂଗ୍ରହ କରୁଛନ୍ତି । ହିମାନୀ ଓ ତାଙ୍କର ଆଉ ଚାରିଜଣ ସାଥି (ପ୍ରାଚୀ ସାହୁ, ପୁନମ ଭୋଇ, ଲକ୍ଷ୍ମୀପ୍ରିୟା ଭୋଇ, କମଳିନୀ ବରିହା) ତାଙ୍କ ଗାଁ’ର ଇତିହାସ ଲିପିବଦ୍ଧ କରିସାରିବା ପରେ ତାଙ୍କ ଗାଁ ଲୋକମାନେ ଏହାକୁ ଏକ ଗର୍ବ ଓ ଗୌରବର ବିଷୟ ଭାବରେ ଗ୍ରହଣ କରିଥିଲେ । ପାରମ୍ପରିକ ପର୍ବ “ବଉଳ ଅମାବାସ୍ୟା” ଦିନ ତାଙ୍କ ଗାଁ ଲୋକମାନେ ନିଜ ଗ୍ରାମରେ “ଏକ ଗାଁ ଇତିହାସ ଉତ୍ସବ”ର ଆୟୋଜନ କରି ଧୁମ ଧାମରେ ନାଚି ଗାଇ ଏହାକୁ ପାଳନ କରିଥିଲେ । ହିମାନୀଙ୍କର ଏହି ପ୍ରୟାସ ଫଳରେ ବଇଦପାଲି ଗାଁ’ର ଅତୀତର କଥା ଆଜି ସମସ୍ତେ ଜାଣିବାପାଇଁ ପାଇଲେ । ଦଶମ ଶ୍ରେଣୀ ପରୀକ୍ଷା ସରିବାପରେ ୨୦୨୫ ମସିହାରେ ସେ ପୁଣିଥରେ ସମଧ୍ଵନି ଦ୍ଵାରା ଆରମ୍ଭ ହୋଇଥିବା “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ସହିତ ଯୋଡ଼ିହୋଇଛନ୍ତି ଓ ଭିଲେଜ ବାୟୋଗ୍ରାଫର୍ସ କମ୍ୟୁନିଟିର ସଦସ୍ୟତା ଗ୍ରହଣ କରିଛନ୍ତି । ବଇଦପାଲି ଗାଁ’ର ସାଂସ୍କୃତିକ ବିବିଧତା ବିଷୟରେ ସେ ଛୁଟି ସମୟରେ ଗବେଷଣା ଆରମ୍ଭ କରିଛନ୍ତି ଓ ଏହା ସହିତ ଗାଁ’ର ପରିବେଶ ଓ ଜୈବ ବିବିଧତା ଗୁଡ଼ିକୁ ମଧ୍ୟ ସେ ଲିପିବଦ୍ଧ କରୁଛନ୍ତି । ହିମାନୀଙ୍କର ଏହି ଆଗ୍ରହ ଅନ୍ୟ ଗାଁ ଇତିହାସ ଲେଖୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ – ସମ୍ପାଦକ (ସ୍ଵୟଂପ୍ରଭା ପାଢୀ)
ବଇଦପାଲି ନାମକରଣ ପଛରେ ଥିବା କାହାଣୀ:
ଆମ ଗାଁ’ର ନାମ ବଇଦପାଲି । ମୁଁ ଆମ ଗାଁ’ର ଗୌନ୍ତିଆ ଟେଲଚନ୍ଦ୍ର ଭୋଇଙ୍କୁ ଓ ଆମ ଗାଁ’ର ବୟସ୍କ ଲୋକ ଦିଗ୍ରୀଲାଲ ଭୋଇ, ରୁସଭ ସାହୁ, ଘନଶ୍ୟାମ ସାହୁ, ହାଡ଼ୁ ସାହୁଙ୍କୁ ଗାଁ’ର ନାମକରଣ ବିଷୟରେ ପଚାରିଥିଲି । ସେମାନେ କହିଲେ ଯେ, ଏହାର ନାମକରଣ ପଛରେ ଥିବା କଥାଟି ହେଲା, ବହୁତ ପୂର୍ବ କାଳରେ ପଦ୍ମପୁର ରାଜାଙ୍କୁ ଜ୍ୱର ହୋଇଥିଲା । ତାଙ୍କୁ ଜ୍ୱର ଛାଡ଼ୁନଥିଲା । ସେଥିପାଇଁ ସେ ଆମ ପାଇକମାଳର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ମାନସିକ କରିବା ପାଇଁ ଆସିଥିଲେ ଏବଂ ଦର୍ଶନ କରିଥିଲେ । ସେତେବେଳେ ରାଜାଙ୍କ ପାଇଁ ପାଇକମାଳର ଗୌନ୍ତିଆଙ୍କ ଘରେ ରନ୍ଧାବଢା ହୋଉଥିଲା । ସେହିଠାରେ ଗୌନ୍ତିଆଙ୍କ ପିଣ୍ଡାଟାରେ ଦୁଇଜଣ ଭୋଇ ପରିବାରର ଭାଇ ରହୁଥିଲେ । ସେହି ପଦ୍ମପୁରର ରାଜା ଆସି ଗୌନ୍ତିଆଙ୍କ ଘରେ ଖାଇଲେ ଏବଂ ତାଙ୍କ ଜ୍ୱର କଥା ଗୌନ୍ତିଆଙ୍କୁ କହିଲେ । ଗୌନ୍ତିଆ ଏହି କଥା ଶୁଣି ରାଜାଙ୍କୁ କହିଲେ । ଗୌନ୍ତିଆ କହିଲେ, ଆସ ଆସ ଆମ ପିଣ୍ଡାରେ ଦୁଇଜଣ ଭାଇ ଅଛନ୍ତି । ମୁଁ ଶୁଣିଛି ସେହି ଦୁଇଭାଇ ଔଷଧ ମଧ୍ୟ ଦିଅନ୍ତି । ସେମାନେ ତୁମର ଜ୍ୱରକୁ ଛଡ଼ାଇ ଦେବେ । ଏହିକଥା ଶୁଣି ରାଜା ଗୌନ୍ତିଆଙ୍କ ସଙ୍ଗେ ଗଲେ ଓ ଦୁଇ ଭାଇ ସବୁ କଥା ଜଣାଇଲେ । ବଇଦ ଭାଇ ଏହି କଥା ଜାଣିଲାପରେ ସେ ରାଜାଙ୍କୁ ତିନି ଦିନର ଔଷଧ ଦେଲେ । ତାପରେ ରାଜା ଔଷଧ ନେଇ ନିଜ ଗାଁ’କୁ ଚାଲିଗଲେ । ସେହି ତିନି ଦିନର ଔଷଧ ଖାଇଲା ମାତ୍ରେ ତାଙ୍କ ଜ୍ୱର ଛାଡ଼ିଗଲା । ସେଥିପାଇଁ ରାଜା ଗୌନ୍ତିଆଙ୍କୁ କହିଲେ, ତୁମେ ଏହି ଦୁଇଭାଇଙ୍କୁ ତୁମ ଗାଁ ପାଖରେ ରଖ । ଗୌନ୍ତିଆ ପାଇକମାଳର ନିକଟସ୍ଥ ଗାଁ’ରେ କିଛି ଜମି ସେହି ଦୁଇ ଭାଇଙ୍କୁ ଦେଲେ । ସେହି ଦିନଠାରୁ ସେହି ଜମିର ନାମ ଦିଆଗଲା ବୈଦପାଲି । ଏହା ହେଉଛି ଆମ ଗାଁ’ର ନାମକରଣ ପଛରେ ଥିବା ସତ୍ୟ ଘଟଣା । ଏହି କଥାଟି ଆମକୁ ଆମ ଗାଁ ବଇଦପାଲି ଓ ଏହାର ପାଖପାଖି ଅଞ୍ଚଳର ପ୍ରାକୃତିକ ପରିବେଶ, ପ୍ରାଣୀ ଓ ଜୈବ ବିବିଧତା ବିଷୟରେ ମଧ୍ୟ ଶିକ୍ଷା ଦିଏ । ଏହି ଦୁଇ ବୈଦ୍ୟ ଭାଇ ଯେଉଁ ଔଷଧ ବ୍ୟବହାର କରିଥିଲେ, ସେସବୁ ସେମାନେ ସେତେବେଳେ ଗନ୍ଧମାର୍ଦ୍ଦନ ପର୍ବତରୁ ଆଣୁଥିଲେ । କାରଣ ଗନ୍ଧମାର୍ଦ୍ଦନ ପର୍ବତ ଔଷଧିୟ ଗଛ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିଲା । ଏବେ ବି ସେଠାରେ ଅନେକ ପ୍ରକାରର ଔଷଧୀୟ ଗଛ ରହିଛି, କିନ୍ତୁ ଧୀରେ ଧୀରେ ଏହା କମି କମି ଯାଉଛି । ଆମ ଗାଁ’ର ନାମ ଏହି ଅଞ୍ଚଳର ପ୍ରକୃତିକ ପରିବେଶ ଓ ଜୈବ ବିବିଧତାର ପରିଚୟ ଦେଉଥିବାରୁ ମୁଁ ଆମ ଗାଁ’ର ନାମକୁ ନେଇ ଗର୍ବ ଅନୁଭବ କରେ । ଏହି କଥା କହିଥିଲେ ।
ଅବସ୍ଥିତି:
ଆମ ଗାଁ ବଇଦପାଲି, ପାଇକମାଳ ଠାରୁ ୧କି.ମି. ଦୂରରେ ଝାରବନ୍ଧ ରାସ୍ତାରେ ଅବସ୍ଥିତ । ଆମ ଗାଁ ରେ କୁଲତା, ଗୌଡ଼, ବ୍ରାହ୍ମଣ, ବିଞ୍ଜାଲ, ତେଲି, ମାରୱାଡି, ହରିଜନ, କନ୍ଧ, ସହଁରା ଏହିସବୁ ସମ୍ପ୍ରଦାୟର ଲୋକ ରହନ୍ତି । ଗାଁ’ରେ ଗୋଟିଏ ସଂକୀର୍ତ୍ତନ ଦଳ ଅଛି, ହରିଜନମାନଙ୍କ ଗଣାବଜା ବି ଅଛି । ଏହାଛଡା ଆମ ଗାଁ’ରେ କଲ୍ୟାଣ ମଣ୍ଡପ, ନାମଯଜ୍ଞ ମଣ୍ଡଳୀ, ପାଣି ଟାଙ୍କି, ପେଟ୍ରୋଲପମ୍ପ, ଛୋଟ ବ୍ୟାଙ୍କ, ଆଇସକ୍ରିମ୍ ଫ୍ୟାକଟେରୀ, କପଡା ଦୋକାନ, ଜୋତା ଦୋକାନ, ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଶିବ ମନ୍ଦିର, ୩ଟି ପୋଖରୀ, ଝରଣା, ଖୁଟା ବୁଟା, ଘୁଡ଼ାଡୁଙ୍ଗୁରୀ ଡ୍ୟାମ, ବୈଦ୍ୟ ଇତ୍ୟାଦି ସବୁ ଆମ ଗାଁ’ରେ ଅଛି ।
ଆମ ଗାଁ ୧୯୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଓ ଆମ ଗାଁ’ର ପ୍ରଥମ ବାସିନ୍ଦା ଥିଲେ ଭୋଇ ପରିବାରର ଦୁଇଭାଇ । ସେମାନେ ହେଲେ ଇଶ୍ୱର ଓ ବନମାଳୀ । ଗାଁ’କୁ ପରେ ଜମଲାରୁ ପ୍ରଧାନ ପରିବାର ଟିଏ ଆସି ବସତି ସ୍ଥାପନ କରିଥିଲେ। ଆମ ଗାଁ’ର ନାମ ଏଥିପାଇଁ ଚାରିଆଡେ ବ୍ୟାପିଛି କାରଣ ଆମ ଗାଁ ବୈଦ୍ୟମାନେ ଲୋକଙ୍କୁ ଔଷଧ ଦେଇ ତାଙ୍କୁ ଭଲ କରନ୍ତି ଓ ସେମାନେ ସବୁରୋଗର ନିରାକରଣ ଜାଣିଛନ୍ତି । ଗାଁ’ରେ ଅତୀତରେ କିଛି ସୁବିଧାନଥିଲା । ଲୋକମାନେ ପାଣି ଆଣିବାକୁ ଗାଁ’ରୁ ଝରଣାକୁ ଯାଉଥିଲେ । ରାସ୍ତା ଘାଟ ନଥିଲା, ଚାରିଆଡେ ଚାଳ ଛପର ଘର ଥିଲା । ଗମନାଗମନର କିଛି ସୁବିଧା ନଥିଲା । ଗାଁ’ର ଚାରିଆଡେ ଜଙ୍ଗଲ ଥିଲା ଯାହାକୁ ଏବେ ସବୁ ଧ୍ୱଂସ କରି ଘରଦ୍ୱାର ତିଆରି କରିଦେଲେଣି । ଗାଁ’ରେ ଖାଇବା ପାଇଁ ଅଧିକ ଖାଦ୍ୟ ନଥିଲା । ସେଥିପାଇଁ ଲୋକମାନେ କୁଦୋ, ଗୁଞ୍ଜି ଓ ମହୁଲ ଭଜା ଖାଇ ଜୀବନ ଯାପନ କରୁଥିଲେ । ଏହିସବୁ ଖାଦ୍ୟ ଖାଇଲେ ବୋଲି ସେ ସମୟ ଲୋକମାନେ ଅଧିକ ଦିନ ବଞ୍ଚୁଥିଲେ ଓ ତାଙ୍କ ଶରୀର ସବୁବେଳେ ସୁସ୍ଥ ସବଳ ଥିଲା । ଆମ ଗାଁ ଅତୀତରେ ଚାରିଆଡେ ଶାଗୁଆନ ଗଛ ଥିଲା ।
ମୁଁ ଆମ ଗାଁ’ର ଜେଜେ ମା ମାନଙ୍କୁ ଭେଟିଲି ଓ ଗାଁ ବିଷୟରେ ପଚାରିଲି। ସେମାନଙ୍କ ନାମ ହେଲା, ମାଧବୀ ପ୍ରଧାନ, ବିଲାସିନୀ ଭୋଇ, ଖୀରାବତୀ ନାଏକ, ଅମ୍ବିକା ସାହୁ । ଆମ ମା’ମାନେ କୁହନ୍ତି ସେମାନେ ଗାଁକୁ ବିବାହକରି ଆସିବାବେଳେ ଗାଁ’ରର ସ୍ଥିତି ଅଲଗା ଥିଲା । ସେତେବେଳେ କୌଣସି ସୁବିଧା ନଥିଲା । ଗାଧେଇବା ପାଇଁ, ରାସ୍ତା ଘାଟ, ଗମନାଗମନର କିଛି ସୁବିଧା ନଥିଲା । ଏବେ ବହୁତ ପରିବର୍ତ୍ତନ ହୋଇଛି । ଲୋକଙ୍କର ଘରେ ଘରେ ନଳକୂଅ ହେଲାଣି । ସେତେବେଳେ କାଦୁଅ ରାସ୍ତାରେ ଚାଲୁଥିଲେ, ଏବେ ପିଚୁ ରାସ୍ତାରେ ଚାଲୁଛନ୍ତି । ଏବେ ଆମ ଗାଁ’ରେ ବହୁତ ପରିବର୍ତ୍ତନ ହୋଇସାରିଲାଣି । ସେତେବେଳେ ଗାଁ’ରେ ମା’ମାନେ ବିବାହ କରି ଆସିଲା ପରେ ଝିଅ ବହୁମାନେ କମ ପରିମାଣରେ ଘରୁ ବାହାରୁ ଥିଲେ । ଏବେ ତ ସମସ୍ତେ ଘରୁ ବାହାରି କାମ କରୁଛନ୍ତି । ଆଗରେ ତ ଗାଁ’ରେ ବିଜୁଳି ନ ଥିଲା । ଏବେ ତ ଗାଁ’ରେ ବିଜୁଳି ବି ଅଛି । ସେତେବେଳେ ଗାଁ’ରେ ଶୌଚାଳୟ ନ ଥିଲା । ସେତେବେଳେ ଶିକ୍ଷା ପାଇବା ପାଇଁ ଗାଁ’ରେ ବିଦ୍ୟାଳୟ ନ ଥିଲା । ନୂଆ ବହୁମାନେ ମୁଣ୍ଡରେ ଓଢଣା ଦେଇ ଚାଲୁଥିଲେ । ଏବେ ତ ବହୁମାନେ ଡ୍ରେସ ପିନ୍ଧୁଛନ୍ତି । ସେତେବେଳେ ଶାଢ଼ୀ, ଡ୍ରେସ, ଧୋତିର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହେଉଥିଲା । ଏବେ ତ ଶହ ଶହ ଟଙ୍କା ହେଲାଣି । ସେତେବେଳେ ମା’ମାନେ ଧାନ ଏକ କୁଲାରେ ବଦଳି କରି ମୁଗ ଏକ କୁଲା ଆଣୁଥିଲେ । ସେମିତି ବଦଳା ବଦଳି କରୁଥିଲେ । ସେତେବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ମିଳୁଥିଲା । ଏବେ ସେଗୁଡାକ ଲୋପ ପାଇଗଲାଣି।
ଆମ ଗାଁ’ର ପର୍ବପର୍ବାଣୀ ଓ ଖାଦ୍ୟପେୟ :
ଆମ ଗାଁ’ରେ ନବାର୍ଣ୍ଣ, ବଳିପ୍ରଥା, ଗଣେଶ ପୂଜା, ଭାଇ ଜିଉତିଆ, ଶିବରାତ୍ରୀ, ଖୁଦୁରୁକୁଣୀ, ଅଁଳା ନବମୀ, ଜନ୍ମାଷ୍ଟମୀ, ପୁଷପୁନି, ନାମଯଜ୍ଞ, ଚୈତ୍ର ପୂର୍ଣ୍ଣିମା, ଗୋରପଚରୁ ଇତ୍ୟାଦି ପର୍ବପର୍ବାଣୀ ପାଳନ କରାଯାଏ । ଏହିସବୁ ପର୍ବପର୍ବାଣୀରେ ଆମ ଗାଁ’ରେ ବିଭିନ୍ନ ଖାଦ୍ୟ ତିଆରି ହୋଇଥାଏ । ଯଥା; ଆସିସା ପିଠା, ମଣ୍ଡାପିଠା, ଯାଉ, ବିଭିନ୍ନ ଭଜା ବା ତରକାରୀ ଏହିସବୁ ଖାଦ୍ୟ ତିଆରି ହୋଇଥାଏ ।
ଚୈତ୍ର ପୂର୍ଣ୍ଣିମା – ଚୈତ୍ର ପୂର୍ଣ୍ଣିମା ହେଉଛି ଆମ ଗାଁ’ରେ ଯେଉଁ ଦିନଠାରୁ ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି ସେହି ଦିନଠାରୁ ଆମ ଗାଁ’ର ଗ୍ରାମ ଦେବିଙ୍କ ପାଖରେ ଏହି ପୂଜା କରାଯାଇଥାଏ । ଏହି ପର୍ବ ଆମ ଗାଁ ଯେବେଠୁ ପ୍ରତିଷ୍ଠା ହୋଇଛି ସେବେଠୁ ଏହି ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ବର୍ଷକୁ ଥରେ ହୁଏ ହେଲେ ଏହି ପୂଜାରେ ତିନି ବର୍ଷରେ ଥରେ ଘୁଷୁରି ବଳି ଓ କୁକୁଡ଼ା ବଳି ଦେଇଥାନ୍ତି । ଏହାକୁ ପାଳନ କରିବାପାଇଁ ବିଭିନ୍ନ ଖାଦ୍ୟ ଓ ପୂଜା ସାମଗ୍ରୀ ଧରି ଯାଆନ୍ତି । ଏହା ରାତିରେ ପୂଜା କରାଯାଏ । ଏହି ପୂଜାରେ ମୁଖ୍ୟତଃ ତିନିବର୍ଷରେ ଥରେ ଘୁଷୁରି ବଳି ଦେଇଥାନ୍ତି । ଏହି ପୂଜା ନକଲେ ଆମ ଗ୍ରାମ ଦେବୀ ଅସନ୍ତୁଷ୍ଟ ହୋଇ ଗ୍ରାମର ଅମଙ୍ଗଳ କରିଥାନ୍ତି ବୋଲି ଲୋକଙ୍କର ବିଶ୍ଵାସ ରହିଛି । ସେଥିପାଇଁ ଏହି ପୂଜା କରିଥାନ୍ତି । ଏହି ପୂଜାରେ ହରିଜନମାନେ ତାଙ୍କ ବାଜା – ବଜାଇ ବଜାଇ ଗାଁ ଗୌନ୍ତିଆଙ୍କ ପାଖକୁ ଯାଇଥାନ୍ତି ଓ ସାଙ୍ଗରେ ଝାଙ୍କର, ଗ୍ରାମର କିଛି ଲୋକ ଯାଇଥାନ୍ତି । ତାପରେ ସମସ୍ତେ ମିଶି ଗ୍ରାମ ଦେବୀଙ୍କ ପାଖକୁ ଯାଆନ୍ତି । ସେଠି ପାଇକମାଳର ଗୌନ୍ତିଆ ଓ ଆମ ଗାଁ’ର ଗୌନ୍ତିଆ ଓ ଝାଙ୍କର ମିଶି ପୂଜା କରିଥାନ୍ତି । ଏହି ପୂଜାର ହରିଜନମାନଙ୍କ ବଜା (ଗଣାବଜା) ବାଦ୍ୟ ସହିତ ହୋଇଥାଏ । ଏହି ପୂଜାରେ ମଣ୍ଡାପିଠା ତିଆରି କରିଥାନ୍ତି । ଏହି ପୂଜାରେ ତ ମୁଖ୍ୟତଃ ବଳି ଦିଅନ୍ତି । ବର୍ଷକୁ ଥରେ କୁକୁଡା, ବୁଦା ବଳି ଦିଅନ୍ତି । ଏହି ପୂଜାରେ ବଦିଆ କରିଥିବା ନଡ଼ିଆ ମଧ୍ୟ ଦେଇଥାନ୍ତି । ଏହି ପୂଜାରେ ଗୀତ ଗାଆନ୍ତି ନାହିଁ ।
ମୋତେ ଗାଁ’ର ପର୍ବ ସମୟରେ ବହୁତ ଖୁସି ଲାଗିଥାଏ କାରଣ ଗାଁ’ରେ ପର୍ବ ପାଳନ କଲେ ବିଭିନ୍ନ ଖାଦ୍ୟ ତିଆରି ହୋଇଥାଏ । ଆମେ ସମସ୍ତେ ନୂଆ ନୂଆ ଲୁଗା ପିନ୍ଧୁ ଓ ଗାଁ’ର ସମସ୍ତଙ୍କ ଘରକୁ ତାଙ୍କର ନିଜର ଲୋକ ଆସନ୍ତି । ଗାଁ’ରେ ପ୍ରତିବର୍ଷ ନାମଯଜ୍ଞ ହୁଏ । ଏହି ନାମଯଜ୍ଞରେ ସବୁ ଗ୍ରାମରୁ ଲୋକ ଦେଖିବାକୁ ଆସନ୍ତି । ମତେ ତ ଆମ ଗାଁ’ରେ ବହୁତ ମଜାଲାଗେ । ମୁଁ ଗାଁ’ର ପର୍ବରେ ସକାଳୁ ଗାଧୋଇ ତୟାର ହୋଇ ସାଙ୍ଗମାନଙ୍କ ପାଖକୁ ଯାଏ । ଆମେ ସମସ୍ତେ ମିଶି ଯେଉଁଠି ପର୍ବ ହେଉଥାଏ ସେହି ପର୍ବ ଜାଗାକୁ ଯାଉ । ଆମ ଗାଁ’ରେ ଯେଉଁ ପର୍ବ ହୁଏ ମୋ ମା’ ମୋ ପାଇଁ ନୂଆ ନୂଆ ଲୁଗା କିଣି ଦେଇଥାନ୍ତି । ଆମେ ସାଙ୍ଗମାନେ ମିଶି ବହୁତ ମଜା କରୁ, ନାଚୁ ମଧ୍ୟ । ଗାଁ’ରେ ଆହୁରି ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ମୋତେ ଅଧିକ ଭଲ ଲାଗିବ । ଗାଁ’ରେ ଆଗ କାଳରେ ଦଣ୍ଡ ନୃତ୍ୟ ଓ ନାଟକ ହେଉଥିଲା । ତାହା ଏବେ ହେଉନାହିଁ । ତାହା ହେଲେ ଲୋକଙ୍କ ମଧ୍ୟରେ ଏକତା ସ୍ଥାପନ ହୋଇପାରନ୍ତା । ନାମଯଜ୍ଞ ପରି ନାଟକ, ଦଣ୍ଡନୃତ୍ୟ ଓ ପାଲା ଅଧିକ ହେଲେ ଭଲ ହୁଅନ୍ତା । ଏହି ସବୁ କାର୍ଯ୍ୟକ୍ରମକୁ ଆମେ ଫେରାଇ ଆଣିଲେ ଆଉ ଟିକେ ଭଲ ହୁଅନ୍ତା ।
ଆମ ଗାଁ’ରେ ଗ୍ରାମଦେବୀ ପୀଠ ଓ ଗୋଟିଏ ଶିବ ମନ୍ଦିର ଅଛି । ପୂର୍ବରୁ ଗାଁ’ରେ ଯେଉଁ ପ୍ରଥା ଗୁଡ଼ିକ ଥିଲା,ଏବେ ମଧ୍ୟ ତାହା ପ୍ରଚଳିତ ଅଛି । ଯଥା- ନବାର୍ଣ୍ଣ, ଓଢ଼ଣୀ ପ୍ରଥା ଇତ୍ୟାଦି । ଆମ ଗାଁ’ର ଲୋକମାନେ ଧର୍ମ ପୀଠ ବ୍ୟତୀତ ଗାଁ’ ଭିତରେ ଥିବା ଗ୍ରାମଦେବୀଙ୍କୁ ପୂଜା କରନ୍ତି । ପଥରକୁ ମଧ୍ୟ ପୂଜା କରନ୍ତି । ଆମ ଗାଁ’ରେ ନାମଯଜ୍ଞ, ଫୁସପୁନି, ନୂଆଖାଇ, ଗଣେଶ ପୂଜା ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ । ଗାଁ’ରେ ନାମସଂକୀର୍ତ୍ତନ ଦଳଟିଏ ଅଛନ୍ତି । ଗାଁ’ରେ ଯାନିଯାତ୍ରା ଓ ଉତ୍ସବ ସମୟରେ ମହିଳାମାନେ ସମ୍ବଲପୁରୀ ଶାଢ଼ୀ ଏବଂ ପୁରୁଷମାନେ ନୂତନ ଧୋତି ପିନ୍ଧନ୍ତି । ଗାଁ’ରେ ପର୍ବପର୍ବାଣୀରେ ଆରିସା ପିଠା, କାକରା ପିଠା ତିଆରି କରନ୍ତି । ବିଶେଷ କରି ନାମଯଜ୍ଞ, ଅଁଳା ନବମୀ ଆଦିରେ ତିଆରି ହୁଏ । ଆମ ଗାଁ’ରେ ନାମଯଜ୍ଞରେ ଭାତ, ଡାଲି, ତରକାରୀ, ଖଟା, ଖିରି, ମିଠା ଇତ୍ୟାଦି ଖାଦ୍ୟ ରାନ୍ଧନ୍ତି । ଗାଁ’ରେ ଯେଉଁ ଯେଉଁ ପର୍ବ ପାଳନ କଲେ ସମସ୍ତେ ଏକାଠି ହୋଇ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରନ୍ତି । ପୌଷ ପୂର୍ଣ୍ଣମା ଦିନରେ – ମଣ୍ଡା ପିଠା, ଆରିସା ପିଠା, କାକରା ପିଠା, ରସବରା, ମାଲପୁଆ, ଖିରି, ପୁରୀ, ମାଛ, ମାଂସ, ଡାଲି, ତରକାରୀ, ରାସିଲଡୁ, ଚିନାବାଦାମ ଲଡୁ ଇତ୍ୟାଦି । ଗଣେଶ ପୂଜାରେ ସେଓ ଓ ବୁନ୍ଦି ଦିଅନ୍ତି । ପୂର୍ବରୁ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି ହେଉଥିଲା । ମଣ୍ଡା ପିଠା, ଆରିସା ପିଠା, କାକରା ଓ ଅନ୍ୟାନ୍ୟ ଯାହା ଏବେ ଆଉ ହେଉନାହିଁ । ଆଗକାଳରେ ତ ମାଣ୍ଡିଆର ଖିରି କରୁଥିଲେ ଯାହା ଏବେ ନାହିଁ । ଆଗରୁ ସିଝା ମଣ୍ଡା, ଚାଉଳ ଚେପଟି ବରା, କୁନାଚୁରା, ସରସତିଆ ଇତ୍ୟାଦି ଅନେକ ପ୍ରକାର ଖାଦ୍ୟ ଲୋକମାନେ ବହୁତ ରାନ୍ଧୁଥିଲେ । ଏହିସବୁ କିଛି ଲୋକ ଏବେ ବି ଖୋଜୁଛନ୍ତି ।
ଏବେ ଆମେ ପ୍ରତିଦିନ ଖାଦ୍ୟରେ ଘରେ; ସକାଳେ ଚା, ମ୍ୟାଗି, ସୁଜି, ଉପମା, ରୁଟି, ପୋହା, ବାସୀପଖାଳ, ମଧ୍ୟାହ୍ନରେ ଭାତ, ଡ଼ାଲି, ଭଜା କିମ୍ବା ପଖାଳ, ସନ୍ଧ୍ୟାରେ ବିସ୍କୁଟ, ଚା, ଚାଓମିନ, ବରା ଘୁଗୁନି ଓ ରାତିରେ ଭାତ, ଡାଲି, ଭଜା, ରୁଟି, ପଖାଳ ଖାଉଛୁ । ବାପା, ମା’, ଜେଜେ, ଜେଜେମା, ଅଜା, ଆଈ ତାଙ୍କ ପିଲାବେଳେ କୁଦୋ, ଗୁଞ୍ଜି, ମାଣ୍ଡିଆ, ରକସି ଖାଉଥିଲେ। ଆଗକାଳରେ ଲୋକେ ଜଙ୍ଗଲୀ ଜାତୀୟ ଖାଦ୍ୟ ଖାଉଥିଲେ, ଯାହା ଏବେ ବହୁତ ପରିବର୍ତ୍ତନ ହେଲାଣି । ଏବେ ଲୋକେ ସେ ଖାଦ୍ୟକୁ ଭୁଲିଗଲେଣି । ମହୁଲ ଭଜା, କେନ୍ଦୁ, କୁସମ, କୁରଲୁ, ହରଡା, କୁଦୋ, ମାଣ୍ଡିଆ, ଗୁଞ୍ଜି, ସୁନସୁନିଆ ଶାଗ ଏ ସବୁକୁ ଭୁଲିଗଲେଣି ।
କିଛି ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆମ ମା‘ ଯାହା କୁହନ୍ତି :
ମାଣ୍ଡିଆରୁ ଟିଖିରୀ ତିଆରି ପ୍ରଣାଳୀ :
ମାଣ୍ଡିଆକୁ ପ୍ରଥମେ ଵାଟନ୍ତି । ତା’ପରେ ନିଆଁ ଜାଳନ୍ତି,ନିଆଁ ଜଳିଲା ପରେ ତା ଉପରେ ଗୋଟିଏ କଡେଇରେ 1 ଲିଟର ପାଣି ବସାଇବା । ତା’ପରେ ସେହି ବାଟିଲା ମାଣ୍ଡିଆକୁ ପାଣିରେ ଦେବା । ତା’ପରେ 250ଗ୍ରାମ ଚିନି ଦେବା ସେହି କଡେଇରେ ଢାଙ୍କି ଦେବା । ଏହା 1ଘଣ୍ଟା ଫୁଟିବାକୁ ଦେବା । ଫୁଟି ସରିଲା ପରେ ତାକୁ ଟିକିଏ ଟିକିଏ ଘାଣ୍ଟି ଦେବା ସେମିତି 10 ମିନିଟ ଘାଣ୍ଟିବା । 10 ମିନିଟ ପରେ ଆମ ମାଣ୍ଡିଆରୁ ତିଆରି ଟିଖିରୀକୁ ଅଲଗା ଥାଳିରେ କିଛି ସମୟ ରଖିବା । ତା’ପରେ ତାହାକୁ ଆମେ ଥଣ୍ଡା ହେଲା ପରେ ଖାଇବା । ଆଜି କାଲିର ଝିଅ,ବହୁମାନେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିଛନ୍ତି । ଯଥା-ଅରୁଆ ଚାଉଳକୁ ଦୁଇରୁ ଚାରି ଘଣ୍ଟା ବତୁରେଇ ଦେବା। ତା’ପରେ ତାକୁ ପାଣିରୁ ଛାଣି ଢେଙ୍କିରେ କୁଟୀ ଗୁଣ୍ଡ କରିଥାନ୍ତି । ତା’ପରେ ଗୋଟିଏ କଢ଼େଇରେ ପାଣି ଦେଇ ଗୁଡ଼,ବା ଚିନି ଦେଇ ତାକୁ ପ୍ରସ୍ତୁତ କରିଥାନ୍ତି । ସେହି ଶିରାରେ ଚାଉଳ ଦେଇ ଯନ୍ତୁଣୀରେ ତିଆରି କରନ୍ତି । ତା’ପରେ ତାହାକୁ ହାତରେ ଗୋଲ ଗୋଲ କରି ରାଶି ଦେଇ ତାକୁ ଗରମ ତେଲରେ ଛାଣି ଦିଅନ୍ତି । ତା’ପରେ ଏହା ଆରିସା ପିଠା ପ୍ରସ୍ତୁତ ହୋଇଗଲା ।
ଆମ ଗାଁ’ର ସ୍ୱାସ୍ଥ୍ୟ ବ୍ୟବସ୍ଥା :
ଆମ ଗାଁ’ର ଲୋକମାନଙ୍କଠାରେ ଥଣ୍ଡା, କାଶ, ଜ୍ୱର, ଯକ୍ଷ୍ମା, ହୃଦଘାତ ଆଦି ରୋଗ ଅଧିକ ମାତ୍ରାରେ ଦେଖାଯାଉଛି । ଗାଁ’ର ଲୋକମାନେ ଅସୁସ୍ଥ ହେଲେ ଡାକ୍ତର ଖାନା ଯାଆନ୍ତି ଓ ବଇଦକୁ ଦେଖାନ୍ତି । ଗାଁ’ରେ କଲେରା, ଟାଇଫଏଡ, ହେପାଟାଇଟିସ, ଯାଦୁ, କାଛୁକୁଣ୍ଡିଆ ଭଳି ଜଳବାହିତ ରୋଗ ଦେଖାଯାଏ । କ୍ୟାନସର, ଶିକିଲିଙ୍ଗି ଏହିସବୁ ରକ୍ତହୀନତା ରୋଗ ଦେଖାଯାଏ । ଅନ୍ଧାରକଣା, ମିଳମିଳା, ରିକେଡ଼ସ, ରକ୍ତହୀନତା, ବେରୀବେରି, ଜିଭ ଘା ଏହିସବୁ ରୋଗ ଭିଟାମିନ ଅଭାବ ଜନିତ ଦେଖାଯାଏ । ପୁଷ୍ଟିହୀନତା ରୋଗ ଦେଖାଯାଏ । ଆମ ଗାଁ’ରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ନାହିଁ । ଗାଁ’ଠାରୁ ସ୍ୱାସ୍ଥ୍ୟସେବା କେନ୍ଦ୍ରଟି 1 କି.ମି ଦୂରରେ ଅଛି । ଗାଁ’ରେ ୯୦ଭାଗ ଲୋକ ଦେହ ଖରାପ ହେଲେ ଡାକ୍ତର ଖାନାକୁ ଯାଆନ୍ତି । ପ୍ରସୂତି ପାଇଁ ସବୁ ସ୍ତ୍ରୀଲୋକ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁ ପନ୍ଦର ବର୍ଷ ଆଗରୁ ବାହ୍ୟ ପରିମଳ ମୁକ୍ତ ଗାଁ ହୋଇଛି । ଆମ ଗାଁ’ରେ କଲେରା, ହଇଜା, ବସନ୍ତ, ମେଲେରିଆ, ଟାଇଫଏଡ, ଡାଇରିଆ, ମହାମାରୀ ରୋଗ ପୂର୍ବରୁ ଅଧିକ ମାତ୍ରାରେ ଦେଖାଯାଉଥିଲା । ଏବେ ଆଉ ଦେଖାଯାଉନାହିଁ । ଆମ ଗାଁ ପରିସ୍କାର ପରିଚ୍ଛନ୍ନ ରହେ । ଯାହା ମହିଳାମାନେ ବାହାରି ସଫା କରିଥାନ୍ତି । ସବୁ SHG ଗ୍ରୁପର ମହିଳାମାନେ ମାସକୁ ଥରେ ଆସି ସଫା କରନ୍ତି ଓ ଆମ ଗାଁ’ରେ କିଏ ଯଦି ଅପରିଷ୍କାର ରଖିଲେ ଜୋରିମାନା ଦିଅନ୍ତି । ଗାଁ ଛଡ଼ା ଆମ ନିଜ ନିଜ ଘରକୁ ନିଜେ ନିଜେ ବହୁତ ଭଲ ଭାବରେ ସଫା କରନ୍ତି । ବର୍ଷା ହେଲେ ମଶା ମାଛିରୁ ରକ୍ଷା ପାଇବା ପାଇଁ ଗାଁ’ରେ ଲୋକମାନେ ମଶାରୀ ବ୍ୟବହାର କରନ୍ତି । ଏଥିପାଇଁ ଲୋକେ ଘରର କୋଣ କୋଣରେ ସଫା କରନ୍ତି । ପାଣି କୌଣସି ଜାଗାରେ ଜମା ହେବାକୁ ଦିଅନ୍ତି ନାହିଁ । ମଶାମରା ଔଷଧ ଦିଅନ୍ତି । ଘରକୁ ବା ଗାଁ’କୁ ଡି.ଡି.ଟି ସ୍ପ୍ରେ କରନ୍ତି । ଗାଁ’ରେ ଶିଶୁମାନଙ୍କୁ ପୋଲିଓ ଦିଅନ୍ତି । ୫, ୧୦, ୧୫, ୨୦ ବୟସର ଲୋକମାନଙ୍କୁ ଧନୁଷ୍ଠଙ୍କାର ରୋଗ ପାଇଁ ଟି.ଟି ଟୀକା ଦିଆଯାଏ । କୋଭିଡ଼ ସମୟରେ ମଧ୍ୟ ଟୀକା ଦିଆଯାଇଥିଲା । ଫାଇଲେରିଆ ପାଇଁ ଔଷଧ ଦିଅନ୍ତି । ଗାଁ’ରେ ଏବେ କୋରନା, ଫାଇଲେରିଆ, ଆଖିଧରା ଏହିସବୁ ନୂଆ ରୋଗରେ ଏବେ ଗାଁ ଲୋକ ଆକ୍ରାନ୍ତ ହେଉଛନ୍ତି ।
ଆମ ଗାଁ’ର ବୈଦ୍ୟ :
ମୁଁ ଆମ ଗାଁ’ର ବୈଦ୍ୟ ପରାଣେଶ୍ୱର ପ୍ରଧାନଙ୍କୁ ଭେଟିଥିଲି । ତାଙ୍କ କହିବା ଅନୁସାରେ ପୂର୍ବରୁ ଆମ ଗାଁ’ର ବୈଦମାନେ ସୌଥ, ପଥୁରୀ, ପାଣ୍ଡୁ, କାମଳ, ପକ୍ଷାଘାତ ଓ ସମସ୍ତ ପ୍ରକାର ଜ୍ୱର ମୁଖ୍ୟତଃ ପୂର୍ବେ ଚିକିତ୍ସା କରୁଥିଲେ । ସେମାନେ ତାଙ୍କ ଔଷଧୀୟ ଜିନିଷ ଆମ ଗାଁ ପାଖ ଜଙ୍ଗଲରୁ ଆଣୁଥିଲେ ଓ ଏବେ ବି ଆଣୁଛନ୍ତି । ଆମ ଗାଁ ପାଖରେ ଥିବା ନୃସିଂହନାଥ ମନ୍ଦିରଟି ଗନ୍ଧମାର୍ଦ୍ଧନ ପର୍ବତରେ ଅବସ୍ଥିତ । ଆମ ଗାଁ ବୈଦ୍ୟମାନେ ସେଠାରେ ଥିବା ଜଙ୍ଗଲରେ ଔଷଧୀୟ ଗଛ ଓ ଚେରମୂଳ ଆଣନ୍ତି । ଆମ ସାରା ପୃଥିବୀର ୧୦୧୬ ମସିହାର ଗଣତି ହିସାବରେ ୪୨୦୦ ପ୍ରକାରର ଔଷଧୀୟ ଗଛ ଅଛି । ସେଥି ମଧ୍ୟରୁ ଗନ୍ଧମାର୍ଦ୍ଧନ ପ୍ରବତରେ ୨୭୦୦ ପ୍ରକାର ଔଷଧୀୟ ବୃକ୍ଷ ମହଜୁଦ ଅଛି । ଏବେ ବି ଲୋକମାନେ ସ୍ମରଣ ଶକ୍ତି, ମଳ କଣ୍ଟକ, ସନ୍ନିପାତ ଜ୍ୱର (ଟାଇଫଏଡ୍), ବସ୍ତିପାତ (କିଡିନି ଫେଲ୍), ୟୁରିକ ଏସିଡ୍/ବାତ ରୋଗ, ଶକ୍ତି ବର୍ଦ୍ଧ ଓ ମାନସିକ ରୋଗ ପାଇଁ ମଧ୍ୟ ଅର୍କ ଚିକିତ୍ସା ହେଉଛନ୍ତି । ପୂର୍ବର ରୋଗ ଏବେ କିଛି ବଦଳି ନାହିଁ । ବଦଳିଛି ହେଲେ ରୋଗର ନାମ ପୂର୍ବରୁ ଯେଉଁ ନାମ ଥିଲା ତାହା ଏବେ ବଦଳିଛି । ଯେପରିକି ବସ୍ତିପାତ କହିଲେ କିଡନି ଫେଲ୍ ଓ ସନ୍ନିପାତ ଜ୍ୱର କହିଲେ ଟାଇଫଏଡ୍ । ଗାଁ’ରେ ଟି.ବି., ଶ୍ୱାସ, କାମଳ (ସିକ୍ଲିନ୍ ଜନ୍ଣ୍ଡିସ୍), ବାତ ରୋଗ (୮୪ ପ୍ରକାରର), ସୌଥ, କାମଳ ଜ୍ୱର, ପଥୁରୀ ପାଣ୍ଡୁ ଇତ୍ୟାଦି ରୋଗ ଆଗରୁ ଅଧିକ ଦେଖାଯାଉଥିଲା । ଏବେ ବି ଲୋକମାନେ ଆମ ଗାଁ ବୈଦ୍ୟଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଛନ୍ତି । ଯେପରିକି ଓଡ଼ିଶାର ୨୦ ରୁ ୨୫ ଟି ଜିଲ୍ଲା ଓ ଛତିଶଗଡର ୫ରୁ ୭ଟି ଜିଲ୍ଲାରୁ ଲୋକମାନେ ସେମାନଙ୍କ ନିକଟକୁ ଚିକିତ୍ସା ପାଇଁ ବହୁତ ଆସୁଛନ୍ତି ।
ଚାଷବାସ ଓ ହାଟ ବଜାର:
ଆମ ଗାଁ’ର ଚାଷବାସ ସମ୍ପର୍କରେ ଜାଣିବା ପାଇଁ ମୁଁ ଗାଁ’ର ଚାଷୀ ରୁସଭ ସାହୁ, ଘନଶ୍ୟାମ ସାହୁ, କୃଷ୍ଣ ସାହୁ, ନେତ୍ରାନନ୍ଦ ଭୋଇ, ଲଳିତ ପ୍ରଧାନ, ଧନୁର୍ଜ୍ୟ ଭୋଇଙ୍କୁ ଭେଟିଥିଲି । ସେମାନଙ୍କ କହିବା ଅନୁସାରେ ଆମ ଗାଁ’ରେ ଚିନାବାଦାମ, ଧାନ, ମାଣ୍ଡିଆ, ମୁଗ, ବିରି, କୋଳଥ, କୁଦୋ, କପା ଇତ୍ୟାଦି ଚାଷ କରାଯାଏ । ସେ ମଧ୍ୟରୁ ମୁଖ୍ୟତଃ ଧାନ, ମୁଗ, ବିରି, ଚିନାବାଦାମ ଚାଷ ଅଧିକ ମାତ୍ରାରେ କରାଯାଏ । ଆମ ଗାଁ’ରେ ଏବେ ୨୦୫ ଏକର ଜମି ଅଛି, ସେଥିରୁ ନବେଭାଗ ଜମି ଚାଷ ପାଇଁ ଉପଯୋଗୀ ଓ ଦଶଭାଗ ଜମି ଚାଷ ପାଇଁ ଅନୁପଯୋଗୀ । ଗାଁ’ରେ ଅଶି ଭାଗ ଲୋକ ଚାଷକାମ ଉପରେ ନିର୍ଭର କରନ୍ତି । ଚାଷ ବ୍ୟତୀତ ଲୋକମାନେ ଆଉ ଅନ୍ୟାନ୍ୟ ବ୍ୟବସାୟ, ବଢ଼େଇ କାର୍ଯ୍ୟ, ରାଜମିସ୍ତ୍ରୀ ଏହି ସବୁ ଜୀଵିକାରେ ନିୟୋଜିତ ଅଛନ୍ତି ।
ଆମ ଗାଁ’ଲୋକେ ଚାଷ ପରେ ବିହନକୁ ବସ୍ତାରେ ବାନ୍ଧି ଭଣ୍ଡାର ଘରେ ସୁରକ୍ଷିତ ସ୍ଥାନରେ ରଖିଥାନ୍ତି, ଯେଉଁ ସ୍ଥାନରେ ବର୍ଷାରୁ ରକ୍ଷା ପାଉଥିବ । ଆମ ଗାଁ’ରେ ଚାଷକାମ ପାଇଁ ଜଳସେଚନର ବ୍ୟବସ୍ଥା ଅଛି । ଗାଁ’ର ଲୋକମାନେ ଉଭୟ ବର୍ଷାଜଳ ଓ କେନାଲଜଳ ଉପରେ ନିର୍ଭର କରନ୍ତି । ଗାଁ’ରେ ନବେ ଭାଗ ଚାଷୀ ଜଳସେଚନର ବ୍ୟବସ୍ଥାରେ ଉପକୃତ ହେଉଛନ୍ତି । ଗାଁ’ରେ ଆଧୁନିକ ଓ ପୁରୁଣା ପଦ୍ଧତିରେ ଚାଷ କରାଯାଏ । ଧାନ, ମୁଗ, ବିରି, ସୋରିଷ, ଚିନାବାଦାମ ଏହିସବୁ ଫସଲ ଚାଷ ହୁଏ । ଗାଁ’ରେ ବର୍ଷକରେ ଦୁଇ ଥର ଚାଷ କରାଯାଏ । ରବି ଫସଲରେ ମୁଗ, ବିରି, ଚିନାବାଦାମ ଓ ଧାନ ଚାଷ ହୁଏ ଓ ଖରିପ ଫସଲରେ ମୁଖ୍ୟତଃ ଧାନ ଚାଷ କରିଥାନ୍ତି । ଆମ ଗାଁ’ରେ ଏବେ ବି ପୁଷ୍ଟିଶସ୍ୟ ଚାଷ ହେଉଛି । ଗାଁ’ରେ ମାଣ୍ଡିଆ,କୋଦ ଭଳି ପୁଷ୍ଟିଶସ୍ୟ ଚାଷ ହେଉଛି । ପୂର୍ବରୁ ଆମ ଗାଁ’ରେ ବାଜରା ଚାଷ ହେଉଥିଲା ଯାହା ଏବେ ହେଉନାହିଁ । ଗାଁ’ରେ ନବେ ଭାଗ ଲୋକ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ଏବେ ବି ଖାଉଛନ୍ତି । ଆମ ଗାଁ ଲୋକେ ନିଜେ ଚାଷ କରି ପୁଷ୍ଟିଶସ୍ୟ ଖାଉଛନ୍ତି । ଆମ ଗାଁ’ରେ ଖୁବ କମ ଲୋକ, ଦୁଇତିନି ଜଣ ଲୋକ କାମ ନପାଇ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଇଛନ୍ତି । ସେହିଠାରେ କିଏ କିଏ ଇଟାଭାଟିରେ କାମ କରୁଛନ୍ତି । ଏହାଦ୍ୱାରା ଚାଷ କ୍ଷେତ୍ରରେ ଲୋକଙ୍କର କ୍ଷତି ହେଉଛି । ଲେବର ମିଳୁ ନାହାଁନ୍ତି ।
ଆମ ଗାଁ’ରେ ଗୃହପାଳିତ ପଶୁମାନଙ୍କ ପାଇଁ ଚାରଣ ଭୂମି ଅଛି । ଆଗରୁ ଗାଁ’ରେ ବହୁତ ମାତ୍ରାରେ ଚାରଣ ଭୂମି ଥିଲା, ହେଲେ ଏବେ ସେହି ସ୍ଥାନରେ ଚାଷ ଜମି ଘରଦ୍ୱାର ଇତ୍ୟାଦି ହୋଇଯିବା ଦ୍ୱାରା ଏବେ ଗ୍ରାମରେ ବହୁତ କମ ଚାରଣ ଭୂମି ରହିଛି । ଯାହାଦ୍ୱାରା କି ଗୃହପାଳିତ ପଶୁମାନେ ଚରିବାକୁ ଗଲେ ମଧ୍ୟ ପ୍ରଚୁର ପରିମାଣରେ ଖାଇବାକୁ ମିଳୁନାହିଁ । ଏବେ ଗାଈ, ଗୋରୁଙ୍କ ସଂଖ୍ୟା ମଧ୍ୟ କମ ହେଲାଣି । ଆମ ଗାଁ’ର ପଞ୍ଚାୟତରେ ହାଟ ହୁଏ । ସପ୍ତାହକୁ ଗୋଟିଏ ଦିନ – ମଙ୍ଗଳ ବାର ଦିନ ହାଟ ବସେ । ଆମ ଗାଁ’ରୁ ମୁଗ, ବିରି, ମାଣ୍ଡିଆ, ଚିନାବାଦାମ, କୁକୁଡ଼ା, ମାଛ, ଅଣ୍ଡା ଓ ବିଭିନ୍ନ ପନିପରିବା ହାଟକୁ ବିକ୍ରି ପାଇଁ ଯାଏ । ଆମ ଗାଁ ଲୋକେ ହାଟରୁ ପନିପରିବା, ଲୁଗା, ତେଲ, ବାସନକୁସନ, ମୁଗ, ବିରି, ରାଶି, ଚିନାବାଦାମ, ମାଛ, କୁକୁଡ଼ା, ଅଣ୍ଡା, ମସଲା, ଡାଲି, ଶାଗ, ଆଖୁ ଓ ବିଭିନ୍ନ ସାମାନ କିଣନ୍ତି । ଆମ ଗାଁ’ରେ ଛୋଟ ବେପାରୀ/ବ୍ୟବସାୟୀ ଅଛନ୍ତି । ହାଟ ବଜାରରେ ବ୍ୟବସାୟ କରି ଜୀବିକା ନିର୍ବାହ କରିଥିବା ଲୋକ ସଂଖ୍ୟା ହାରାହାରି ଦାଶ ଭାଗ ଅଟେ । ଆମ ଗ୍ରାମବାସୀଙ୍କ ଦ୍ୱାରା ହାଟରେ ଆଖୁ, ଚିନାବାଦାମ, କପଡା, ମସଲା ଓ ବିଭିନ୍ନ ପନିପରିବା ବିକ୍ରି କରାଯାଇଥାଏ । ବିଭିନ୍ନ ପ୍ରକାରର ଅଳଙ୍କାର, ଯନ୍ତ୍ରପାତି ସାମଗ୍ରୀ, ଯାନବାହନ ଇତ୍ୟାଦି କିଣିବାପାଇଁ ଗାଁ ଲୋକଙ୍କୁ ଦୂରକୁ ଯିବାକୁ ପଡ଼େ । ଆମ ଗାଁ ହାଟରେ ଗାଁ’ର ପାରମ୍ପରିକ ହସ୍ତଶିଳ୍ପ ବିକ୍ରି ହୁଏ । ସେଗୁଡ଼ିକର ନାମ ହେଲା କୁଲା, ଝାଡୁ, ଟୋକେଇ ଓ କାଠରେ ତିଆରି ଚୌକି, ଖଟ, ଖେଳଣା ଇତ୍ୟାଦି । ପୁଷ୍ଟିଶସ୍ୟରୁ ପ୍ରସ୍ତୁତି ଖାଦ୍ୟ ଆମ ଗାଁ ବଜାରରେ ମିଳେ । ଗାଁ’ରେ ମହିଳା ଗୋଷ୍ଠି ଦ୍ୱାରା ମାଣ୍ଡିଆରୁ ପିଠା, ବରା ଓ ଅନ୍ୟାନ୍ୟ ଖାଦ୍ୟ ମିଳେ । ଯାହା ହାଟ ପାଖରେ ଥିବା ମହିଳା ଗୋଷ୍ଠିଦ୍ୱାରା ପରିଚାଳିତ ମିଶନ ଶକ୍ତି କ୍ୟାଫରେ ମିଳେ । ଆମ ହାଟରେ ବିକ୍ରି ହେଉଥିବା ଜଙ୍ଗଲ ଜାତୀୟ ଦ୍ରବ୍ୟର ନାମ ହେଲା ; ଦାନ୍ତ କାଠି, ପତ୍ରରେ ତିଆରି ଖଲି, ଦନା, ଟୋକେଇ, କୋଲା ଇତ୍ୟାଦି । ଆମ ଗାଁ ବଜାରକୁ ବାହାରୁ ବେପାରୀମାନେ ଆସି କିଣାକିଣି କରନ୍ତି । ସେମାନେ ମୁଖ୍ୟତଃ ବିଭିନ୍ନ ଶସ୍ୟ ଜାତୀୟ ଦ୍ରବ୍ୟ, କପଡା, ସମ୍ବଲପୁର ଶାଢ଼ୀ ଇତ୍ୟାଦି ବିକ୍ରି କରିଥାନ୍ତି । ସେମାନେ ଗାଁ ଭିତରୁ ପନିପରିବା ନେଇଥାନ୍ତି, ଯେପରି-କାଙ୍କଡ଼, ମାଖନ, ଶାଗ, ପୋଟଳ, ଜହ୍ନି ଏସବୁ ପନିପରିବା ନେଇଥାନ୍ତି । ଆଖୁ ମଧ୍ୟ ନେଇଥାନ୍ତି । କିଛି ଶାଗ ଯାହା ଏବେ ମିଳୁନାହିଁ ସେହି ଶାଗ ମଧ୍ୟ ଆମ ଗାଁ’ରେ ଅଛି, ସେଗୁଡ଼ିକ ହେଲା-ସୁନସୁନିଆ ଓ କଂଜେର । ଏହି ଶାଗ ମଧ୍ୟ ବାହାରର ବେପାରୀମାନେ ନେଇଥାନ୍ତି । ଆମ ଗାଁ’ର କ୍ଷୁଦ୍ର ବ୍ୟବସାୟୀମାନେ ମତାମତ ଦିଅନ୍ତି କି ବାହାରୁ ଆସୁଥିବା ବେପାରୀମାନେ ବହୁତ ଭଲ ବ୍ୟବହାର କରନ୍ତି ଏବଂ ସେମାନେ କିଣୁଥିବା ଦ୍ରବ୍ୟର ଉଚିତ ମୂଲ୍ୟ ଦେଇଥାନ୍ତି । ଯାହା ଫଳରେ ଗାଁ’ରେ ଥିବା କ୍ଷୁଦ୍ର ବ୍ୟବସାୟୀମାନେ ଭଲ ଦୁଇପଇସା ରୋଜଗାର କରନ୍ତି ଏବଂ ଭଲ ଭାବରେ ନିଜ ପରିବାରର ପ୍ରତି ପୋଷଣ କରନ୍ତି ।
ପରିବେଶ:
ଆମ ଗାଁ’ରେ ପୂର୍ବେ ସବୁଜିମା ଭରା ବିଲବାଡ଼ି, ଗଛଲତା, ନାଦୀ ଝରଣା, ପାହାଡ଼, ଜଙ୍ଗଲ ଇତ୍ୟାଦି ଥିଲା । ଗାଁ’ରେ ଅତୀତରେ ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ହେମନ୍ତ ଋତୁ, ଶୀତ ଋତୁ, ବସନ୍ତ ଋତୁ ଅନୁଭବ ହେଉଥିଲା । ଗାଁ’ରେ ଏବେ ବର୍ଷା, ଶୀତ, ଗ୍ରୀଷ୍ମ ଋତୁ ଅନୁଭବ ହେଉଛି । ଆମ ଗାଁ’ରେ ଆଗରୁ ବଳଦ, ଗାଈ, ମେଣ୍ଢା, ଛେଳି ଓ କୁକୁଡ଼ା, ପାରା, ବତକ ଇତ୍ୟାଦି ଗୃହପାଳିତ ପଶୁ ଓ ପକ୍ଷୀ ଥିଲେ । ଏବେ ଗାଁ’ରେ ଗାଈ, ମେଣ୍ଢା, ଛେଳି, ପାରା, ଶୁଆ, କୁକୁଡ଼ା ଆଦି ପଶୁ, ପକ୍ଷୀ ଅଛନ୍ତି । ଗାଁ ପାଖରେ ଜଙ୍ଗଲ ଅଛି । ତ’ର ନାଁ ଚକା ଜଙ୍ଗଲ, ବାରପୁଟା ଜଙ୍ଗଲ । ଆମ ଗାଁ ଜଙ୍ଗଲରୁ ଲୋକମାନେ ଚେରମୂଳି ଔଷଧ, କରଡ଼ି, ଫଳମୂଳ ସଂଗ୍ରହ କରନ୍ତି । ଗାଁ’ରେ ମହୁଲ ଗଛ,ବେଲ ଗଛ, ଜାମୁ ଗଛ, ବାଉଁଶ ଗଛ, ଆମ୍ବ ଗଛ, ହରିଡ଼ା ଗଛ, ତେନ୍ତୁଳି ଗଛ ଓ ଅନ୍ୟାନ୍ୟ ଗଛ ଦେଖାଯାଏ । ଗାଁ’ରେ ମହାଲିଙ୍ଗ ଗଛ ପୂର୍ବରେ ଥିଲା ଏବେ ଆଉ ନାହିଁ ଓ ରେଙ୍ଗାଲ/ରେଙ୍ଗଳା ଗଛ ବି ନାହିଁ (ଶାଳ ଗଛ )। ଆମ ଗାଁ’ରେ ପୂର୍ବରୁ ମରୁଡି ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ହୋଇଥିଲା । ଆମ ଜେଜେ ମା’ ଓ ଜେଜେ ବାପା’, ତାଙ୍କ ବୟସର ଲୋକମାନେ ପିଲା ଥିଲାବେଳେ ଗାଁ’ର ପରିବେଶ ପୁରା ଅଲଗା ଥିଲା । ସେତେବେଳେ ଛୋଟ ଛୋଟ ନୁଆଁଣିଆ ଚାଳଛପର ଘର, ଜନବସତି ପାଖରେ ବହୁତ ବଡ଼ ବଡ଼ ଗଛ, ଗାଁ’ର ଅତି ପାଖରେ ଜଙ୍ଗଲ ଥିଲା । ଗାଁ’ରେ ପ୍ରାଥମିକ ବିଦ୍ୟାଳୟ ଥିଲା । ଉଚ୍ଚ ଶ୍ରେଣୀରେ ପଢ଼ିବାକୁ ହେଲେ ଛାତ୍ର ଛାତ୍ରୀମାନଙ୍କୁ ପାଞ୍ଚରୁ ଦଶ କିଲୋମିଟର ସହରକୁ ଯିବାକୁ ପଡୁଥିଲା । ସେ ସମୟରେ ତ ବର୍ଷା ଦିନେ କାଦୁଅ ରାସ୍ତାରେ ପିଲାମାନେ ପାଠ ପଢିବାକୁ ଯାଉଥିଲେ । ଗ୍ରାମରେ ବିଜୁଳି ନ ଥିଲା । ଚିକିତ୍ସା ପାଇଁ ଡାକ୍ତରଖାନା ବି ନଥିଲା । ଏବେ ଗାଁ’ରେ ଛୋଟ ଛୋଟ ନୁଆଁଣିଆ ଛପର ଘର ବଦଳରେ ପକ୍କାଘର ଅଛି । ଘର ପାଖରେ ବଡ଼ ବଡ଼ ଗଛ ନାହିଁ । ଲୋକେ ଘଞ୍ଚ ଜଙ୍ଗଲକୁ ମଧ୍ୟ କାଟି ଅଧା ଖାଲି କରିସାରିଲେଣି । ଗାଁ’ରେ ବିଜୁଳି, ଉଚ୍ଚ ଶିକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦି ପରିବର୍ତ୍ତନ ହୋଇସାରିଛି । ସତ କହିବାକୁ ଗଲେ ଯାହା ଆମ ଜେଜେ ମା’, ଜେଜେ ବାପାଙ୍କ ସମୟରେ ଥିଲା ତାହା ସମ୍ପୂର୍ଣ ପରିବର୍ତ୍ତନ ହୋଇସାରିଛି । ଏବେ ତ ସୌର ବ୍ୟବସ୍ଥା ବି ହେଲାଣି ।
ଗାଁ’ର ମୁଖ୍ୟ ସମସ୍ୟା:
ଏବେ ଆମ ଗାଁ’ର ଲୋକମାନଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି ଆମ ଗାଁ ମୁଣ୍ଡରେ ଥିବା ମଦଭାଟି, ଯାହା ଫଳରେ ଆମ ଗାଁ’ର ଅମଙ୍ଗଳ ହେଉଛି । ଲୋକମାନଙ୍କର ଜୀବନ ମଧ୍ୟ ଚାଲିଯାଉଛି । ଏହି ମଦଭାଟି ଟି ଆମେ ଯାଉଥିବା ବିଦ୍ୟାଳୟର ନିକଟରେ ଅଛି, ଯାହାଫଳରେ ଲୋକେ ମଦ ପିଇ ବହୁତ ଖରାପ ହେଇଯାଉଛନ୍ତି । ସେହି ରାସ୍ତାରେ ଝିଅମାନଙ୍କୁ ବିଦ୍ୟାଳୟକୁ ଯିବାଆସିବା ପାଇଁ ବହୁତ କଷ୍ଟ ହେଉଛି । ଆମ ଗାଁ’ର ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ପିଲାମାନେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ପାଠ ପଢୁଛନ୍ତି । ଆମ ଗାଁ ଦେଇ ଯେଉଁ ପିଚୁ ରାସ୍ତା ଯାଇଛି ତାହା ସବୁ ଖରାପ ହୋଇଗଲାଣି । ଯାହାଫଳରେ ଲୋକଙ୍କର ଦୁର୍ଘଟଣା ଘଟୁଛି । ଆମ ଗାଁ’ରେ ପାଣିର ମଧ୍ୟ ଅସୁବିଧା ରହିଛି । ଆମ ଗାଁ’ରେ ପ୍ରାଥମିକ ଚିକିତ୍ସାଳୟର ବ୍ୟବସ୍ଥା ନାହିଁ । ଗାଁ’ର ସ୍ୱଚ୍ଛତା ପାଇଁ ଅଧିକ କିଛି ପଦକ୍ଷେପ ନେବା ଜରୁରୀ ।
ଶେଷକଥା:
ଶେଷରେ ଏତିକି କହିବି ଯେ, ମୋତେ ମୋ ଗାଁ’ର ସବୁ କଥା ଓ କାହାଣୀ ଜାଣିଲା ପରେ ବହୁତ ଖୁସୀ ଲାଗିଲା ଓ ନିଜକୁ ବହୁତ ଗର୍ବ ଅନୂଭୁବ ହେଲା । କେବଳ ମୁଁ ନୁହେଁ ଗାଁ’ର ପ୍ରାୟ ଲୋକ ଗାଁ ବିଷୟରେ ଜାଣିନ ଥିଲେ । ଆମ ଗାଁ’ର କଳା ସଂସ୍କୃତି କ’ଣ କ’ଣ ଥିଲା, ଗାଁ’ରେ କେଉଁ କେଉଁ ପର୍ବ ପାଳନ କରୁଥିଲେ, କେଉଁଭଳି ସମୟ କାଟୁଥିଲେ, ଏହି ବିଷୟରେ ସବୁ ଜାଣିଲା ପରେ ବହୁତ ବହୁତ ଖୁସୀ ଲାଗୁଛି । ମୁଁ ମୋ ଗାଁ ଇତିହାସ ଲେଖି ନିଜକୁ ବହୁତ ଗର୍ବ ଅନୁଭବ କରୁଛି । କାହିଁକି ନା ଗାଁ ଇତିହାସ ଲେଖିବା ପାଇଁ ଗାଁ’ର ସମସ୍ତ ବୟସ୍କ ଲୋକଙ୍କ ସହିତ ବସି ସବୁକଥା ପଚାରି ପଚାରି ଲେଖିବାରେ … ଆହାଃ ସେ କି ଖୁସୀ । ଏବେ ତ ସବୁ ପିଲା ଗୁଡ଼ିକ ମୋବାଇଲରେ ବ୍ୟସ୍ତ । ସେମାନେ କ’ଣ ଏହି ଗାଁ ଇତିହାସର ମଜା ବା ଆନନ୍ଦ ନେଇପାରିବେ ? ମୁଁ ଏହି ଗାଁ ଇତିହାସ ଲେଖି ଆମ ଗାଁ’ର ସବୁ ଲୋକଙ୍କ ମଧ୍ୟରେ ଭାବ ବନ୍ଧନ ଫେରାଇ ଆଣିଛି । ମୁଁ ବହୁତ ଖୁସୀ ଯେ ମୁଁ ମୋ ଗାଁ’ର ସବୁ ସମ୍ପର୍କ ଫେରାଇ ଆଣିପାରିଛି । ମୁଁ ମୋ ଗାଁ’ର ପରିବେଶକୁ ସବୁବେଳେ ବଞ୍ଚାଇ ରଖିବି । ଆମ ଗାଁ’ରେ ୨୦୨୪ ମସିହାରେ “ବଉଳ ଅମାବାସ୍ୟା” ପାଳନ କଲାବେଳେ ଆମ ଗାଁକୁ Village History ଟିମକୁ ଡାକି ସମ୍ବର୍ଦ୍ଧନା ଦିଆଯାଇଥିଲା । ଗାଁ’ରେ ସଭା ଆୟୋଜନ କରି ସମସ୍ତେ ବସି ଗାଁ ବିଷୟରେ ଅନେକ କଥା ଆଲୋଚନା ମଧ୍ୟ କଲେ । ସେଦିନ ଆମ ଗାଁ’ରେ ଗାଁ ଇତିହାସ ଉତ୍ସବ(Village History Festival) ବହୁତ ଧୁମ୍ ଧାମ୍ରେ ପାଳନ କରାଗଲା । ଗାଁ’ରେ ଏହିସବୁ କାର୍ଯ୍ୟକ୍ରମ ଦେଖି ମୋତେ ଏତେ ଖୁସୀ ଲାଗିଲା ଯେ, ମୁଁ ନିଜକୁ ଅଟକାଇ ପାରିଲିନି । ମୋ ଆଖିରୁ ଲୁହ ଗଡ଼ି ଆସିଲା । ମୁଁ ମୋ ଗାଁ ପାଇଁ କିଛି ବି କରିପାରିବି । ମୁଁ ଏହି ମୋ ଗାଁ’ର ଇତିହାସ ଖୋଜିବା କାମ କେବେ ଛାଡ଼ିବିନି, କାହିଁକି ନା ମୋ ଗାଁ ମୋର ଜୀବନ । ମୁଁ ମୋ ଗାଁ’ର ଉନ୍ନତି ପାଇଁ ଭବିଷ୍ୟତରେ କାମ କରିବି । ଲୋକମାନଙ୍କର ଯେକୌଣସି ଅସୁବିଧା ହେଲେ ମୁଁ ସେସବୁ ଦୂର କରିବାପାଇଁ ଚେଷ୍ଟା କରିବି । ଗାଁ ଲୋକଙ୍କର ସବୁ ସୁଖ ଦୁଃଖରେ ଛିଡ଼ା ହେବି ।
ମୁଁ ସବୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ପ୍ରଥମେ ନିଜ ଗାଁକୁ ଚିହ୍ନନ୍ତୁ ଓ ଜାଣନ୍ତୁ । ନିଜ ଗାଁ’ର ଅତୀତର ଇତିହାସ, ସଂସ୍କୃତି, ଖାଦ୍ୟପେୟ ଓ ପର୍ବପର୍ବାଣି ଗୁଡ଼ିକୁ ଲିପିବଦ୍ଧ କରନ୍ତୁ, ତେବେଯାଇ ସିନା ସେମାନେ ନିଜର, ନିଜ ଗାଁ’ର ଓ ନିଜ ଦେଶର ଭବିଷ୍ୟତ ଗଢି ପାରିବେ!