“ଓଡ଼ିଆ ଲୋକସାହିତ୍ୟ ଓ ଜୁଆଙ୍ଗ ଲୋକସାହିତ୍ୟରେ: ଏକ ତୁଳନାତ୍ମକ ଅଧ୍ୟୟନ”

ଡକ୍ଟର ଅଜୟ କୁମାର ସାହୁ 260 Views
24 Min Read

ଇତିହାସ କୁହେ ଗୋଟିଏ ସଭ୍ୟତା ତଥା ସମାଜର ଉନ୍ନତି ଅନ୍ୟ ଏକ ସଭ୍ୟତା ତଥା ସମାଜର ଅନୁକରଣ ତଥା ଅନୁସରଣରୁ ସମ୍ଭବ ହୋଇପାରିଛି । ଏଣୁ ତୁଳନାତ୍ମକ ପର୍ଯ୍ୟାୟ ଆଲୋଚନାରୁ ଏ ସବୁର ଅଗ୍ରଗତି ହୋଇପାରିଛି ବୋଲି ନିଃସନ୍ଦେହରେ କୁହାଯାଇପାରେ । ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ଏକ ନିର୍ଦ୍ଧିଷ୍ଟ ନୀତି ନିୟମ ତଥା ଶୃଙ୍ଖଳିତ ପଦ୍ଧତି ଅଟେ । ଗୋଟିଏ ନିଦ୍ଧିଷ୍ଟ ଅଂଚଳକୁ ଭେଦ କରି ସାହିତ୍ୟ କିପରି ଜାତୀୟ, ଆନ୍ତର୍ଜାତୀୟ ତଥା ବିଶ୍ୱମୁଖୀ ହୋଇପାରେ ତାହା ଅନୁସନ୍ଧାନ କରିହୁଏ । ତୁଳନାତ୍ମକ ଅଧ୍ୟୟନ ଯୋଗୁଁ ପାରମ୍ପରିକ ନିୟମ ମଧ୍ୟରେ ଜଣକୁ ଅନ୍ୟ ସହ ବୁଝିବାରେ ତଥା ନିଜକୁ ଅନ୍ୟପାଖରେ ଉପଲବ୍ଧି କରାଇବାରେ ସହଜ ସଫଳ ହୋଇଥାଏ |

ଓଡ଼ିଆ ଲୋକସାହିତ୍ୟ ଓ ଜୁଆଙ୍ଗ ଲୋକସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରିବା ଆଗରୁ ପ୍ରଥମେ ଜାଣିବାକୁ ପଡିବ ଏହି ଲୋକସାହିତ୍ୟ ଓ ଜୁଆଙ୍ଗ ଜନଜାତିର ସୃଷ୍ଟି ସମ୍ପର୍କରେ । ସାହିତ୍ୟର ଗତି ଆଜି ଅନନ୍ତ ପ୍ରସାରି । ତନ୍ମଧ୍ୟରୁ ଲୋକସାହିତ୍ୟ ଵିଭବଟି ସ୍ଵୟଂ ସ୍ୱତନ୍ତ୍ର । ଏହା କୌଣସି ଶୃଙ୍ଖଳିତ ନିୟମ ମଧ୍ୟରେ ଆବଦ୍ଧ ନୁହେଁ, କୌଣସି ନିତିକ୍ରାନ୍ତି ମଧ୍ୟରେ ଏହା ସୀମିତ ନୁହେଁ କିମ୍ବା ନିର୍ଦ୍ଧିଷ୍ଟ ପରିସୀମା ମଧ୍ୟରେ ଏହା ଅନ୍ତର୍ଭୁକ୍ତ ନୁହେଁ । ସୁତରାଂ କୁଞ୍ଜବିହାରୀ ଦାଶଙ୍କ ଉକ୍ତିରୁ ବୁଝିଲେ ଜଣାପଡେ – ” ଲୋକ ଶବ୍ଦ ବିଶେଷ ବ୍ୟାପକ ; ଏହାର ଅର୍ଥ ସାଧାରଣ ଜନତା । କନ୍ଧ, କୋହ୍ଲ, ସାନ୍ତାଳ, ଗଣ୍ଡ, ଭୂୟାଁ, ଗଦˎବାଙ୍କ  ଠାରୁ ଆରମ୍ଭ କରି ପଲ୍ଲୀ ଆଉ ନଗରର ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଜନତା ପର୍ଯ୍ୟନ୍ତ ଏହାର ଅନ୍ତର୍ଗତ ” ( ଦାସ, କୁଞ୍ଜବିହାରୀ, ‘ଓଡ଼ିଆ ଲୋକଗୀତ ଓ କାହାଣୀ’ , ପୃଷ୍ଠା ସଂଖ୍ୟା – ୫ ) । ସୁତରାଂ ମହାମୂର୍ଖ ଠାରୁ ଆରମ୍ଭ କରି ମହାପଣ୍ଡିତ ଯାଏଁ ଯେଉଁ ସାହିତ୍ୟ ପଢ଼ିହୁଏ ଓ ବୁଝିହୁଏ ତାହାକୁ ଆମେ ଲୋକ ସାହିତ୍ୟ ବୋଲି କହୁ । କେଉଁ ଅନାଦିକାଳରୁ ଏହି ସାହିତ୍ୟର ସୃଷ୍ଟି ।ଏହାର ଲେଖା ବା ସ୍ରଷ୍ଟା ନିର୍ଦ୍ଧିଷ୍ଟ ନଥାନ୍ତି । କେତେବେଳେ କଅଁଳିଆ ଶିଶୁକୁ ବୁଝାଇବା ପାଇଁ କାହାଣୀ ଓ ଗୀତ ଆକାରରେ ଶୁଣିବାକୁ ମିଳେ ତ, କେବେ ପୁଣି ମନୋରଞ୍ଜନ ପାଇଁ କର୍ମଜୀବି କୃଷକ ମୁହଁରୁ  ଶୁଣିବାକୁ ମିଳେ । କେବେପୁଣି ନୂଆ ଭୂଆସୁଣୀ ଗାଧୁଆ ତୁଠର ଲାଳିତ୍ୟ ମୂର୍ଚ୍ଛନାରୁ ଲୋକଗୀତ ଶୁଣାଯାଏ । ଏଥିରେ ପରୀ ରାଇଜର ସୁନ୍ଦରୀ ଠାରୁ ଆରମ୍ଭ କରି ବୁଢୀଅସୁରୁଣୀ ଯାଏଁ ସମସ୍ତ ଅଲୌକିକ ଚରିତ୍ରମାନ ଆତଯାତ ହୁଅନ୍ତି | ଏହିପ୍ରକାର ଗୀତ ଓ କାହାଣୀ ଆନୟନରୁ ଲୋକସାହିତ୍ୟର ସୃଷ୍ଟି |

ଲୋକସାହିତ୍ୟ ସାଧାରଣ ମଣିଷର ସମ୍ପତି । ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀର କଥାବସ୍ତୁ ଏଥିରେ ସ୍ଥାନ ପାଏ । ସାହିତ୍ୟର ଏହି ଲିଖିତ ରୂପର ବିକାଶଠାରୁ ମୌଖିକ ସାହିତ୍ୟର ବିକାଶ ହୋଇଛି । ବିଶ୍ୱ ସାହିତ୍ୟକୁ ଦେଖିଲେ ଜଣାପଡେ ଖ୍ରୀ.ଅ ଅଷ୍ଟାଦଶ ଶତାବ୍ଦୀରେ ଚୀନ୍ ସାହିତ୍ୟର ମନୀଷୀ କନଫୁସିଅସˎ ପ୍ରାୟ ତିନିହଜାର ଲୋକକ୍ତି ସଂଗ୍ରହ କରିଥିଲେ । ସେହିପରି ଭାରତୀୟ ସାହିତ୍ୟରେ ଏହାର ନମୁନା ମଧ୍ୟ ଅତ୍ୟନ୍ତ ପ୍ରାଚୀନ । ବୌଦ୍ଧିକ ସୂକ୍ତିଠାରୁ ଆହୁରି ପୁରାତନ ଏହି ଲୋକସାହିତ୍ୟର ପରମ୍ପରା ।  ତେବେ ବିଧିବଦ୍ଧ ଭାବେ ରାଜା ଶାଳିବାହନଙ୍କ ଗାଥା ସପ୍ତସତି ହିଁ ଲୋକସାହିତ୍ୟର ପ୍ରାଚୀନ ପ୍ରାମାଣିକ ରୂପ । ସାହିତ୍ୟ ସାଧାରଣତଃ ଦୁଇପ୍ରକାର ୧- ଲୋକସାହିତ୍ୟ , ୨ – ବିଦଗ୍ଧ ସାହିତ୍ୟ । ଲୋକସାହିତ୍ୟ ଲୋକମୁଖରୁ ଲୋକ ମୁଖଯାଏଁ  ସ୍ଥିର ଥିବାରୁ ଏହାକୁ ମୌଖିକ ଓ  ବିଦଗ୍ଧ ସାହିତ୍ୟ ଶିକ୍ଷିତ ତଥା ପଣ୍ଡିତ ମାନଙ୍କର ହୋଇଥିବାରୁ ( ଏହାର ଲିଖନୀ ପରମ୍ପରା ଥିବା ଯୋଗୁଁ ) ଏହାକୁ ବିଦଗ୍ଧସହିତ୍ୟ ବା ଲିଖିତ ସାହିତ୍ୟ କୁହାଗଲା । ଲୋକ ସାହିତ୍ୟକୁ କେହି କେହି ଅପାଠୁଆ, ମୂର୍ଖ, ଅଜ୍ଞାନୀର ସାହିତ୍ୟ ବୋଲି ମଧ୍ୟ କହିଥାନ୍ତି। ପରନ୍ତୁ, ବିଦଗ୍ଧ ସାହିତ୍ୟ ପାଇଁ ଏହା ଥିଲା ଆଦ୍ୟ ପଦାଙ୍କ । ରବୀନ୍ଦ୍ର ନାଥଙ୍କ ଭାଷାରେ କହିଲେ ଯଥାର୍ଥ  ହେବ – ‘ଶିଶୁ ଯେତେ ପୁରାତନ , ଲୋକସାହିତ୍ୟ ସେତେ ପୁରାତନ’ ।

ଜୁଆଙ୍ଗ ଜନଜାତିର ଉତ୍ପତ୍ତି :-

ଓଡ଼ିଶା ଏକ ଆଦିବାସୀ ପ୍ରବଣ ଅଞ୍ଚଳ । ଏଠାରେ ସାଧାରଣତଃ କୋହ୍ଲ, କନ୍ଧ, ସାନ୍ତାଳ, ଗଣ୍ଡ, ଭୁଇଁଆ, ଜୁଆଙ୍ଗ, ସଉରା, ବିଂଝାଲ, ହୋ, ଆଦି ଆଧିବାସୀ ମାନେ ବସ ବାସ କରନ୍ତି । ଏମାନଙ୍କ ମଧ୍ୟରୁ ଜୁଆଙ୍ଗ ମାନେ ଅନ୍ୟତମ । ଭାଷାବିତˎ ମାନଙ୍କ ମତରେ ଏମାନେ ଅଷ୍ଟ୍ରୋ ଏସିଆଟିକˎ ବା ମୁଣ୍ଡାରୀ ଭାଷାର ଅଧିବାସୀ ଅଟନ୍ତି । ସମ୍ଭବତଃ କୁହାଯାଏ କେନ୍ଦୁଝର ଜିଲ୍ଲାରେ ଏହି ଜୁଆଙ୍ଗ ମାନଙ୍କର ସୃଷ୍ଟି । ଏମାନଙ୍କ ସୃଷ୍ଟିକୁ ନେଇ ଏକ ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ –  ପୃଥିବୀ ସୃଷ୍ଟି ପାଇଁ ଧରମˎ ଦେବତା ପ୍ରଥମେ ଋଷି ଓ ଋଷିଣୀଙ୍କୁ ସୃଷ୍ଟି କଲେ । ଏମାନେ ଗୋନାସିକା ନିକଟବର୍ତ୍ତୀ ଋଷିଟାଙ୍ଗ ପାହାଡ଼ ନିକଟରେ ବାସକଲେ । ସେକାଳେ ସମଗ୍ର ପୃଥିବୀ ଜଳମଗ୍ନ ହୋଇଯାଇଥିଲା ।  ପୃଥିବୀକୁ ପୂର୍ବ ଅବସ୍ଥା ଅର୍ଥାତˎ କଠିନ  ରୂପକୁ ଆଣିବାପାଇଁ ଧରମˎ ଦେବତା ଋଷି ଓ ଋଷିଣୀଙ୍କୁ ଏକ ପୁତ୍ର ସନ୍ତାନ ଜାତ କରିବାକୁ କହିଲେ। ଫଳରେ ସେହି ସନ୍ତାନକୁ ହାଣି ତା’ର ରକ୍ତକୁ ଛିଞ୍ଚିଲେ ପୃଥିବୀ ପୁନଃ କଠିନ ଆସିବ ବୋଲି ଆଜ୍ଞା ଦେଲେ । ବିଶ୍ୱାସ କରାଯାଏ ଏମାନଙ୍କଠାରୁ ହିଁ ଜୁଆଙ୍ଗ ମାନେ ଜନ୍ମ ନେଇଥିଲେ । କୁଆଡେ ସନ୍ତାନ ଜନ୍ମ ହେବାପରେ ତା’ର ରକ୍ତ ପୃଥିବୀରେ ଛିଞ୍ଚିବାରୁ ପୃଥିବୀ ପୁନଃ ସ୍ଥଳ ରୂପ ଧାରଣ କଲା । ସମୟ ପ୍ରଭାବରେ ଏମାନେ କେନ୍ଦୁଝରରୁ ବିସ୍ତାରିତ ହୋଇ ଢେଙ୍କାନାଳ, ଅନୁଗୁଳ ଏବଂ ଯାଜପୁର ଜିଲ୍ଲାରେ ଅବସ୍ଥିତ ହେଲେ । ଏମାନେ କେନ୍ଦୁଝରରୁ ଅନ୍ୟତ୍ର ପଳାଇଯାଇଥିବା ଯୋଗୁଁ ଏମାନଙ୍କୁ ଭାଗୁଡିଆ ବୋଲି କୁହାଯାଏ । କେବଳ ବାସଭୂମି ବିଚାରରେ ନୁହେଁ ବରଂ ଇତିହାସ ପୃଷ୍ଠାରେ ଏମାନେ ବେଶˎ ପରିଚିତ । ୧୮୯୧ମସିହାରେ କେନ୍ଦୁଝର ରାଜାଙ୍କ ବିରୋଧରେ ଭୂୟାଁଙ୍କ ସହ ଜୁଆଙ୍ଗମାନଙ୍କୁ ଧରଣୀଧର ସାମିଲ କରାଇଥିଲେ । ରତ୍ନଗର୍ଭା କେନ୍ଦୁଝରରେ ମୂଲ୍ୟବାନ ଖଣିଜପଦାର୍ଥ- ମାଫିଆଙ୍କ  ଦୃଷ୍ଟି ଆକର୍ଷଣ ହେବାଠାରୁ ଏମାନଙ୍କ ଜୀବନଧାରା ପ୍ରଭାବିତ ହେଇଛି । ଏମାନଙ୍କ ଚାଲି ଚଳଣି ଓ ଆଚାର ବ୍ୟବହାର ଅନ୍ୟ ଆଦିବାସୀ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ମନେହୁଏ । ଜୁଆଙ୍ଗ ପରମ୍ପରା ସମ୍ପୂର୍ଣ୍ଣ ନିଆରା ।  କେଉଁ ପୁରାତନ କାଳରୁ କେନ୍ଦୁଝର ଜିଲ୍ଲାର- ବାଂଶପାଳ, ବାଲାକୁମଟିଆ, ବାର୍ହାଗତ, ହରିଚନ୍ଦନପୁର, ତେଲକୋଇ ଓ ଘଟଗାଁ ଠାରେ ଦେଖିବାକୁ ମିଳନ୍ତି ।

ଆଲୋଚନା ଦୃଷ୍ଟିରୁ ଓଡ଼ିଆ ଲୋକସାହିତ୍ୟ ଓ ଜୁଆଙ୍ଗ ଲୋକ ସାହିତ୍ୟକୁ ଚାରୋଟି ଧାରାରେ ତୁଳନା କରାଯାଇ ପାରେ ।

୧↠ ଓଡ଼ିଆ ଓ ଜୁଆଙ୍ଗ ଲୋକଗୀତ

୨↠ ଓଡ଼ିଆ ଓ ଜୁଆଙ୍ଗ ଲୋକକାହାଣୀ

୩↠ ଓଡ଼ିଆ ଓ ଜୁଆଙ୍ଗ ଲୋକନାଟକ

୪↠ ଉତ୍କଳୀୟ ସଂସ୍କୃତି ଓ ଜୁଆଙ୍ଗ ସଂସ୍କୃତିର ସମନ୍ୱୟ ବିଚାର

 ଓଡ଼ିଆ ଲୋକଗୀତ :-

ଅଳିକ ସଂସାରରେ କର୍ମରତ ମନୁଷ୍ୟ ଶ୍ରମ ଲାଘବ ନିମନ୍ତେ ଗୁଣୁ ଗୁଣୁ ହୋଇ ପଦରେ ପଦରେ ଯୋଡି ଶବ୍ଦ ଉଚ୍ଚାରିତ କରିଥାଏ । ଏହି ଧ୍ୱନି ସମୂହରୁ ସୃଷ୍ଟି ହୁଏ ଲୋକଗୀତର ପରମ୍ପରା । ଏହାକୁ  ଆବାଳ ବୃଦ୍ଧ ବନିତା  ପର୍ଯ୍ୟନ୍ତ ସମସ୍ତେ ବୋଲି ପାରୁଥିଲେ । କାରଣ ଏଥିରେ କୌଣସି ନିର୍ଦ୍ଧିଷ୍ଟ ନୀତିନିୟମ ନଥାଏ । ଗାୟକ କୌଣସି ଛନ୍ଦ, ଅଳଙ୍କାର କିମ୍ବା ତାଳ ଓ ଲୟକୁ ଅପେକ୍ଷା ନରଖି  ସୁବିଧା ଅନୁସାରେ ବୋଲିଥାଏ । ଲୋକଗୀତ ଗାୟକର ମାନସିକ ଅବସ୍ଥାରେ ପରିବର୍ତିତ ହୋଇଥାଏ, କେତେବେଳେ ହର୍ଷ ବିନୋଦ ଗୀତ ଗାଇଥାଏ ତ, କେବେ ପୁଣି ଯନ୍ତ୍ରଣା ଭରା ଦୁଃଖଦ ସମୟରେ କାରୁଣ୍ୟ ଗୀତଟିଏ ଗାଇଥାଏ । ଲୋକଗୀତ କୌଣସି ଜାତି ଧର୍ମ ,ବର୍ଣ୍ଣ , ଦେଶ ,କାଳ ଆଦିରେ ପ୍ରଭେଦ ରଖେନା । ଲୋକଗୀତ ଆଲୋଚନାର ସଫଳ ମୂଲ୍ୟାୟନ ନିମନ୍ତେ ଭାଗ କରାଯାଇ ପାରେ । ସମାଲୋଚକ ମାନେ ଏହାକୁ ଦୋଳି ଗୀତ, ଯୋଗୀ ଗୀତ, ରଜ ଗୀତ, ଚକୁଳିଆ ପଣ୍ଡା ଗୀତ, ଶଗଡ଼ିଆ ଗୀତ, ଚଷା ଗୀତ, ମଇଁଷି ଆଳ ଗୀତ, ନାଉରିଆ ଗୀତ ବ୍ୟତୀତ ଢଗ ଢମାଳି, ପ୍ରବାଦ ଓ ପ୍ରବଚନ ଆଦି ଏହାର ପରିସର ଭୁକ୍ତ । ଏହି  ଗୀତ ମଧ୍ୟରୁ କେତୋଟିର ଉଦାହରଣ ନିମ୍ନ ରେ ଦିଆ  ଗଲା |

() ଚକୁଳିଆ ପଣ୍ଡା ଗୀତ

କାର୍ତ୍ତିକ  ମାସରେ ପଣ୍ଡା ମାନେ ଗାଁ ଗାଁ ରେ ବୁଲି ରାମ କୃଷ୍ଣ ଏବଂ ବିଭିନ୍ନ ଆଖ୍ୟାନମୂଳକ ଗୀତ ଗାଇଥାଏ ଏଥିରୁ ଉତ୍କଳୀୟ ସାଂସ୍କୃତିକ  ଚେତନାଟି ଫୁଟି ଉଠେ ।  –

‘ଆପଣେ ଯେଣୁ, ରାମନାମ ପଦକୁ ଭଜିଲେକ ଯୁଜେଷ୍ଟି

ସ୍ଵଦେହେ ଘେନିଣ ସେହୁ ସ୍ୱର୍ଗକୁ ଗଲେ ଉଠି ହେ

ଯହୁଁ ରାମ ନାମ ପଦକୁ ଭଜିଲେକ କୋଇଁତା

ପାଞ୍ଚଗୋଟି ପୁତ୍ର ତାର ହେଲେ ବଳବନ୍ତା ହୋ ।’

() ଶିଶୁ ଗୀତ

ଛୋଟ ଛୁଆ ମାନଙ୍କୁ ମା’ମାନେ ସାନ୍ତ୍ୱନା ଦେବା ପାଇଁ କୋମଳ କଣ୍ଠରେ ଗୀତ ଗାଇଥାନ୍ତି ଯାହା  ପରମ୍ପରା ଅନୁଯାଇ ଆଜି ମଧ୍ୟ ପ୍ରଚଳିତ ହୋଇ ଆସୁଛି ।ଯଥା  –

‘ଧୋ’ ରେ ବାଇଆ ଧୋ

ଯୋଉ କିଆରୀରେ ଗହଳ ମାଣ୍ଡିଆ

ସେଇ କିଆରୀରେ ଶୁଅ ।’

() କାନ୍ଦଣା ଗୀତ

ଓଡ଼ିଆ ପରମ୍ପରାରେ ଝିଅ ବାହାଘର ପରେ ସେ ବିଦାକି ସମୟରେ ନିଜର ଆତ୍ମୀୟ ସତˎଜନଙ୍କୁ ଧରି କାନ୍ଦିଥାଏ । ଓଡ଼ିଶାର ଗାଁ ଗହଳିମାନଙ୍କରେ ଆଜି ମଧ୍ୟ କିଶୋରୀ ମାନଙ୍କ ମୁହଁରୁ ଏହା ଶୁଣିବାକୁ ମିଳେ । ଯଥା –

‘ଛାଡ ଛାଡ ମୋର ମୁଣ୍ଡରେ କେଶ ମୋ ମା’ମାନେ

ସଖି ଡାକୁଛନ୍ତି ଖେଳିଯିବାକୁ ମୋ ମା’ମାନେ

ଏବେ ସବୁ ସ୍ନେହ ପାଶୋରି ଦେଲ ମୋ ମା’ମାନେ

କାନି ପଣତରୁ ଫିଟାଇଦେଲ ମୋ ମା’ମାନେ |’

ଜୁଆଙ୍ଗ ଲୋକଗୀତ  :-

ଜୁଆଙ୍ଗ ଲୋକଗୀତରେ ଅନେକ ସ୍ୱତନ୍ତ୍ରତା ରହିଛି । ଚାଙ୍ଗୁ ନାଚ ସମୟରେ ଏମାନେ ଚାଙ୍ଗୁବାଦ୍ୟ ବଜାଇ ଗୀତ ଗାଇଥାନ୍ତି  ଓ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ଗୀତ ନିଜ ଜୀବନକୁ ଆଧାରିତ କରି ନିଜ ଭାଷାର ଶବ୍ଦ ସଂଯୋଜନା କରି ଗାଇଥାନ୍ତି । ମଧୁର ଗୀତର ମୂର୍ଚ୍ଛନା ସହିତ ପାଦର ଘୁଙ୍ଗୁର ଶବ୍ଦ ପରିବେଶକୁ ବେଶ ଆନ୍ଦୋଳିତ କରିଥାଏ । କର୍ମମୟ ଜୀବନରୁ ଅବସାଦ ନିମନ୍ତେ ସଞ୍ଜ ସମୟରେ ହାଣ୍ଡିଆ-ପି ପରସ୍ପର କାନ୍ଧରେ ହାତକୁ ହାତ ଛନ୍ଦି ଗୀତ ବୋଲିଥାନ୍ତି । ଜୁଆଙ୍ଗମାଙ୍କର ପହଳି ସେମାନଙ୍କ ଲୋକଗୀତକୁ ଅଧିକ ଗାମ୍ଭୀର୍ଯ୍ୟମୟ କରିଥାଏ । ଜୁଆଙ୍ଗମାନଙ୍କ ପହଳି ମଧ୍ୟରେ –

୧.  ‘ବଣବ ଅନଜ୍ ଇତିବ୍ ଡ଼ ବୁସୁରେ

ଇଞ୍ଜ୍ୟା ବୋ ତୁଙ୍ ଜ ଲାଟପ୍ କେ ।’

ଏହି ପହଳି ର ଓଡ଼ିଆ ପ୍ରତିରୂପ – ‘ବଣକୁ ଗଲେ ପେଟ ଫୁଲାଏ , ଘରକୁ ଆସିଲେ ପେଟ ସୁଖାଏ |’

ଯାହାର ଅର୍ଥ – ‘ଧନୁଶର’

୨. – ‘ମାମୁଆଁ ଇଞ୍ୟାରା ମୁଇଁଣ୍ଟୋ ଅଳେଜ୍‌

ମେସାରଜ୍ ମୁଇଁ ଜେନା ।’

ଯାହାର ଓଡ଼ିଆ ପ୍ରତିରୂପ – ‘ ମାମୁଁ ଘରେ ଗୋଠେ ଗାଈ , ରାତି ପାହିଲେ ମୋଟେ ନାହିଁ ।’

ଯାହାର ଅର୍ଥ- ‘ତାରା’

୩. – ‘ନୁଆଁସିନା ଚଉଦଗୋଟା ଆଲେଜ୍

ତଅଣ ଗୋକ୍-ସେରିକି ତିରିଶିଜଣ

ତଅଣ ଉର୍ ମିନକ୍ ।’

ରୂଢିଟି ର ଓଡ଼ିଆ ଅର୍ଥ – ନଅ ନଙ୍ଗଳ ଚଉଦ ବଳଦ,  ଭାତ ନେଉଥିଲେ ତିରିଶଜଣ,  ଖାଇବସିଲା ଜଣେ ।

ଓଡ଼ିଆ ଲୋକକାହାଣୀ :-

କୃଷିଭିତ୍ତିକ ଓଡ଼ିଆ ସମାଜ ଏକାନ୍ନବର୍ତ୍ତୀ ପାରିବାରିକ ଜୀବନଚର୍ଯ୍ୟାକୁ ପସନ୍ଦ କରିଥାଏ । ଏହା ପ୍ରତି ଓଡ଼ିଆଙ୍କ ଅସ୍ମିତା । ଏହି ଯୌଥ ପରିବାରିକତା ଯୋଗୁଁ  ଗୋଟିଏ ଜାଗାରେ ସମସ୍ତେ ଏକତ୍ରିତ  ହୋଇପାରନ୍ତି । ଫଳରେ ବୁଢୀମା ବୁଢାବାପାଙ୍କର କାହାଣୀପେଡିରୁ ଗୋଟିଏ ପରେ ଗୋଟିଏ କାହାଣୀ ଶୁଣିବାକୁ ମିଳେ । ଏହି କାହାଣୀର କଥା ବସ୍ତୁରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ । ବିଭିନ୍ନ ପ୍ରକାର ମୋଟିଫˎ କୁ ନେଇ ଏହି କାହାଣୀ ପ୍ରସାରିତ ହୋଇଥାଏ । ଏହି ପରିସର ମଧ୍ୟରେ ଆମେ ଦେବାଦେବୀଙ୍କ କାହାଣୀ ଠାରୁ ଆରମ୍ଭ କରି ବୁଢୀଅସୁରୁଣୀ, ରାଜାପୁଅ- ମନ୍ତ୍ରୀପୁଅ, ଭୂତପ୍ରେତ କଥା ନରରାକ୍ଷସ କଥା, ପଶୁପକ୍ଷୀ କାହାଣୀ, କୁହୁକ ମାଠିଆ କଥା, ସାତଭଉଣୀ କଥା, କଲରେଇ ବେଣ୍ଟକଥା, ବାପପୁଅଙ୍କ କଥା ଆଦି କଥା ଶୁଣିବାକୁ ପାଆନ୍ତି । ଏହି କାହାଣୀର ଧାରା ଧୀରେ ଧୀରେ ଅତିକଳ୍ପନାରୁ କୁହୁକ ବାସ୍ତବତା ଆଡକୁ ଗତି କରିଥାଏ । ଏଥିରେ ଉଚ୍ଚକୋଟିର ଶବ୍ଦସମ୍ଭାର ନଥାଏ ସତ ପରନ୍ତୁ, କଥାକାରର ପରିବେଷଣ ପଦ୍ଧତି ଶ୍ରୋତାଙ୍କୁ ବାନ୍ଧିରଖିବା ପାଇଁ ଯଥେଷ୍ଟ ପ୍ରୟାସ କରେ । ଓଡ଼ିଆ ଲୋକକାହାଣୀର ନମୁନା ନିମ୍ନରେ ଦିଆଗଲା-

ଲୋକ କାହାଣୀର ଆଧାର ଏପରି ଗଢ଼ିଉଠେ ଯେ, କୌତୁହଳ ପୂର୍ଣ୍ଣ ଆବେଗଟି ଶ୍ରୋତାଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କରେ । ‘ଟୁଣୁ ଟୁଣୁ କି’ବୁଦ୍ଧି କଲା’ ଗଳ୍ପରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି କାହାଣୀଟି ଗତିଶୀଳ ହୋଇଛି । ‘ଏକ ସାମାନ୍ୟ ପକ୍ଷୀ ଏପରି ବି ଭୟଙ୍କର କାର୍ଯ୍ୟ କରିପାରେ ତାହା କଳ୍ପନା କରିହେବନାହିଁ । ଟୁଣୁ ଟୁଣୁ ପାଦରେ କଣ୍ଟାଟିଏ ପଶିବାରୁ ସେ ସମସ୍ତଙ୍କୁ ଅନେକ ବାଧ୍ୟ କରିଛି କାଢ଼ିଦେବାକୁ ହେଲେ ତା’ କଥା କେହି ନଶୁଣିବାରୁ ସେ ରାଗିଯାଇ ମହୁବସା ଭାଙ୍ଗିଦିଏ । ମହୁମାଛି ଯାଇ ହାତୀକୁ କାମୁଡନ୍ତି । ହାତୀମାନେ ସମୁଦ୍ରରୁ ପାଣି ଶୋଷିନିଅନ୍ତି । ସମୁଦ୍ର ରାଗିଯାଇ ନିଆଁ କୁ ଲିଭେଇବା ପାଇଁ  ଉଦ୍ୟମ କରନ୍ତି । ନିଆଁ ଠେଙ୍ଗାକୁ ପୋଡ଼ିବାକୁ ଚେଷ୍ଟା କଲା । ଠେଙ୍ଗା ସାପକୁ ମାରିବାକୁ ବାହାରେ । ସାପ ରାଜାଙ୍କୁ କାମୁଡ଼ିବାକୁ ଉଦ୍ୟମ କରିବାକୁ ରାଜା ବାରିକକୁ ପଚାରି ଘଟଣା ସବୁ ବୁଝିଲେ ଓ ଟୁଣୁ ଟୁଣୁ ଚଢେଇର ପଦରୁ କଣ୍ଟାଟିକୁ କାଢିଦିଏ’ । ଏପରି ଅନେକ ଲୋକକାହାଣୀ ଓଡ଼ିଆ ଜନଜୀବନରେ ଆଜି ମଧ୍ୟ ଶୁଣିବାକୁ ମିଳୁଛି ।

ଜୁଆଙ୍ଗ ଲୋକକାହାଣୀ :–

ପ୍ରତେ୳କ ସମାଜର ଲୋକଜୀବନ ଅନେକ ଘଟଣା ଦୁର୍ଘଟଣାରୁ ଆଗକୁ ଗତି କରିଥାଏ । ଏହି ଗତାନୁଗତିକ ଧାରାରେ ଅନେକ ଲୋକକାହାଣୀ ପିଢ଼ିରୁ ପିଢ଼ି ଯାଏଁ ଶୁଣିବାକୁ ମିଳେ । ଠିକˎ ସେମିତି ଜୁଆଙ୍ଗମାନଙ୍କ ଲୋକଜୀବନରେ ଅନେକ କାହାଣୀ ମଧ୍ୟ ଶୁଣିବାକୁ ମିଳେ ଯେମିତି – ଗୋନାସିକା ସୃଷ୍ଟିକୁ ନେଇ ସୁନ୍ଦର କାହାଣୀଟିଏ ଶୁଣାଯାଏ ।’ ଏକଦା ଗୋନାସିକା ନିକଟରେ ଥିବା ଋଷିଟାଙ୍ଗ ପର୍ବତରେ ଜଣେ ଋଷି ତପସ୍ୟା କରୁଥିଲେ । ଏହି ସମୟରେ ଗୋଟେ ଅସୁରୁଣୀ କନ୍ୟା ନିଜର ରୂପବଦଳାଇ ଋଷିଙ୍କୁ ବାଧ୍ୟକରି ବିବାହ କରେ । ଫଳରେ ତା’ର ଗର୍ଭରୁ ସାତଟି ପୁତ୍ର ଓ ସାତଟି କନ୍ୟା ଜନ୍ମ ନିଅନ୍ତି । ଏହି ପୁତ୍ର ମନେଥିଲେ ଜୁଆଙ୍ଗ ମାନଙ୍କ ପୂର୍ବ ବଂଶଜ । ସେତେବେଳେ ଏହି ଜାଗାଟିକୁ ଛାଡି ସମଗ୍ର ପୃଥିବୀ ଜଳମଗ୍ନ ଥିଲା । ଧରମ ଦେବତାଙ୍କ ପରାମର୍ଶରେ ଋଷି ଏକ ଗାଈକୁ ହାଣି ତା’ର ରକ୍ତ ଚାରିଆଡେ ଛିଞ୍ଚିବାରୁ ପୃଥିବୀ ପୁନଃ କଠିନ ରୂପକୁ ଫେରି ଆସିଲା । ଏବଂ ଗାଇଟିକୁ ହାଣିବାପରେ ତା’ର ମୁଣ୍ଡକୁ ଋଷି ଏକ ପାହାଡ଼ ଉପରେ ପୋତିଦେଇଥିଲେ । ପରନ୍ତୁ, ଆଶ୍ଚର୍ଯ୍ୟର କଥା ଏହି କଟା ମୁଣ୍ଡର ଦୁଇ ନାକ ପୁଡାରୁ ପାଣି ବାହାରିବାକୁ ଲାଗିଲା । ଯାହାର ନାମ ଗୋନାସିକା ରଖାଗଲା ଏବଂ ଏହି ବହି ଯାଉଥିବା ଜଳରାଶିରୁ ବୈତରଣୀ ନଦୀ ସୃଷ୍ଟି ହେଲା । ଏହିପରି ଅନେକ କାହାଣୀ ଜୁଆଙ୍ଗଙ୍କ  ଜୀବନୀରୁ ଶୁଣିବାକୁ ମିଳେ ।

ଓଡ଼ିଆ ଲୋକନୃତ୍ୟ :- 

ଓଡ଼ିଆ ଲୋକକଳାରେ ଲୋକନାଟକ ଓ ଲୋକନୃତ୍ୟ ଏକ ସ୍ୱତନ୍ତ୍ର କଳା ଅଟେ । କାରଣ ଲୋକକାହାଣୀ ଓ ଲୋକଗୀତ କେବଳ ଶ୍ରବଣଗ୍ରାହ୍ୟ ପରନ୍ତୁ, ଲୋକନୃତ୍ୟରେ ଉଭୟ ଶ୍ରବଣ ସହିତ ଦର୍ଶନର ଏକ ଅପୂର୍ବ ସମନ୍ୱୟ ଦେଖାଯାଏ । ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର ଦେଶ । ଓଡ଼ିଶାର ପ୍ରାୟ ସମସ୍ତ ଅଂଚଳରେ ନିଜସ୍ୱ ସ୍ୱତନ୍ତ୍ରତା ବଜାଇ ରଖିବା ନିମନ୍ତେ ପାରମ୍ପରିକ ଢଙ୍ଗରେ ଲୋକନୃତ୍ୟ ପରିବେଷଣ କରିଥାନ୍ତି । ବାରମାସରେ ତେର ପରବ ପାଳୁଥିବା ଏହି ଓଡ଼ିଆ ଜାତି କେତେବେଳେ ମନୋରଞ୍ଜନ ପାଇଁ ତ କେବେ ପୁଣି ଭକ୍ତି ଆରାଧନା ନିମନ୍ତେ କଳାତ୍ମକ ଢଙ୍ଗରେ ଅଭିନୟ କରିଥାନ୍ତି । ଏହି ଲୋକ ନୃତ୍ୟରେ ଭକ୍ତି ରସ ଠାରୁ ଆରମ୍ଭ କରି କରୁଣ, ବୀର, ଭୟାନକ, ବାତ୍ସଲ୍ୟ, ଓ ଶୃଙ୍ଗାର ରସର ସମାବେଶ ଦେଖିବାକୁ ମିଳେ । ଏଥିରେ ଉଭୟ ଗଦ୍ୟ ଓ ପଦ୍ୟର ସଂଳାପ ଶୁଣିବାକୁ ମିଳିଥାଏ । ଏହି କଳାଟି ପରିବେଷଣ ନିମନ୍ତେ କୌଣସି ରଙ୍ଗମଞ୍ଚକୁ ଅପେକ୍ଷା କରେନାହିଁ ଜନସମୂହ ମଧ୍ୟରେ ଏହା ଏକ ମନରଞ୍ଜନର ବଳିଷ୍ଠ ମଧ୍ୟମ ସାଜି ଥାଏ । ଓଡ଼ିଆ ଲୋକନୃତ୍ୟ ରେ ସାଧାରଣତଃ- ରାମଲୀଳା, ଭରତଲୀଳା, ଚଢେଇନାଚ, କେଳାକେଳୁଣୀ ନୃତ୍ୟ, କଣ୍ଢେଇନୃତ୍ୟ, ଗୋଟିପୁଅ ନାଚ, ସୁଆଙ୍ଗ, ମୋଗଲତମସା, ଡାଲଖାଇ ନୃତ୍ୟ, ବାଉଁଶରାଣୀ ନାଚ, ଘୁମୁରା ନାଚ, ପାଟୁଆ ନାଚ, ଦଣ୍ଡନାଚ, ଚଇତିଘୋଡା ନାଚ, ଛଉ ଆଦି ନୃତ୍ୟ ଦେଖିବାକୁ ମିଳେ।  ସେଥିମଧ୍ୟରୁ  କେତୋଟି ଲୋକ ନୃତ୍ୟର ନମୁନା ନିମ୍ନରେ ଦିଆଗଲା ।

ଚଇତିଘୋଡ଼ା ନାଚ –  ଓଡିଶାରେ ପ୍ରଚଳିତ ଏହା ଏକ ପାରମ୍ପରିକ ଲୋକ ନୃତ୍ୟ । କେଉଁ ଆଦିମ କାଳରୁ ଏହି ଲୋକ ନୃତ୍ୟଟି କୈବର୍ତ୍ତ କୂଳର ଲୋକମାନଙ୍କ ଦ୍ୱାରା ପରିବେଷଣ ହୋଇଆସୁଛି । ଚୈତ୍ର ପୂର୍ଣ୍ଣିମାର ଜହ୍ନ ଆଲୁଅରେ ଆଲୋକିତ ଗାଁ ଦାଣ୍ଡଟିରେ ସୁସଜ୍ଜିତ ଘୋଡ଼ା ଭିତରେ ଜଣେ କୈବର୍ତ୍ତ ପଶି ନୃତ୍ୟ ପରିବେଷଣ କରିଥାନ୍ତି । ଏହି ଚଇତି ଘୋଡ଼ା ମା ବାସୁକୀଙ୍କର ପ୍ରତୀକ ହୋଇ କୈବର୍ତ୍ତଙ୍କ ଜନଜୀବନରେ ପ୍ରତିଷ୍ଠିତ ହୋଇଥାନ୍ତି ।

ଛଉ ନୃତ୍ୟ  ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏହା ଏକ ପ୍ରାଚୀନ ଲୋକନୃତ୍ୟ । ଏଥିରେ ଗୋଷ୍ଠୀ ସମୂହ ଆଦିବାସୀ ମାନେ ଆକର୍ଷଣୀୟ ପୋଷାକ ଓ ମୁଖା ପିନ୍ଧି ନୃତ୍ୟ ପରିବେଷଣ କରିଥାନ୍ତି । ବେଶˎ ଉଚ୍ଚ ସ୍ୱରରେ ସଂଗୀତ ଗାନକରି ତାଣ୍ଡବ ନୃତ୍ୟ କରିଥାନ୍ତି । ମହାବିଷୁବ ସଂକ୍ରାନ୍ତିର ତିନିଦିନ ପୂର୍ବରୁ ଶିବ ଓ ଶକ୍ତିଙ୍କୁ ଆରାଧନା କରି ଛଉ ନୃତ୍ୟ ଆରମ୍ଭ କରନ୍ତି ।

ଜୁଆଙ୍ଗ ଲୋକନୃତ୍ୟ :–

ଓଡ଼ିଆଙ୍କ ପରି ଜୁଆଙ୍ଗଜନଜାତି ମାନେ ମଧ୍ୟ ବାରମାସରେ ତେର ପରବ ପୁନେଇଁ ପାଳିଥାନ୍ତି ।  ଏହି ପର୍ବପର୍ବାଣୀରେ ସେମାନେ ଆନନ୍ଦ ବିଭରିତ ହୋଇ ନିଜର ପାରମ୍ପରିକ ଲୋକନୃତ୍ୟକୁ ପରିବେଷଣ କରିଥାନ୍ତି । ଜୁଆଙ୍ଗ ମାନଙ୍କର ନୃତ୍ୟକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ–             ୧- ସାଂସ୍କୃତିକ ନୃତ୍ୟ, ୨- ସାମାଜିକ ନୃତ୍ୟ ।

(୧) ସାଂସ୍କୃତିକ ନୃତ୍ୟ – ପାହାଡ ଝରଣା କୂଳରେ ବାସକରୁଥିବା ଏହି ଆଦିବାସୀ ମାନେ ନିଜର ସଂସ୍କୃତିକୁ ପ୍ରାଣପିଣ୍ଡ ତୁଲ୍ୟ ମନେକରନ୍ତି । ଜୁଆଙ୍ଗ ମାନଙ୍କର ନୃତ୍ୟ ଗୁଡିକ ମଧ୍ୟରେ ଯେଉଁ ସବୁ ପାରମ୍ପରିକ ପୂଜାବିଧି କ୍ରିୟାରେ ଅନୁଷ୍ଠିତ ହୋଇଥାଏ ସେଗୁଡିକୁ ସାଂସ୍କୃତିକ ନୃତ୍ୟ ପରିସର ଭୁକ୍ତ କରାଯାଇପାରେ ଯେମିତି (କ)- ପରବ ଭିତ୍ତିକ ନୃତ୍ୟ (ଖ ) ବିବାହ ନୃତ୍ୟ (ଗ )- ଋତୁ ଭିତ୍ତିକ ନୃତ୍ୟ । ଜୁଆଙ୍ଗ ମାନେ ନିଜର ପାରଂପରିକ ପର୍ବକୁ ବେଶ ଜାକˎଜମକରେ ପାଳିଥାନ୍ତି ସେଥିମଧ୍ୟରୁ ଅଖାଣି ପର୍ବ, ଆମ୍ବ ନୁଆଖିଆ ପର୍ବ, ପୁଷ ପୁନେଇ ଓ ବିବାହ  ଉତ୍ସବ ରେ ଚାଙ୍ଗୁବାଦ୍ୟ ବଜାଇ ଆନନ୍ଦ ବିଭୋରିତ ହୋଇ  ପାଦରେ ପାଦ ଛନ୍ଦି ନୃତ୍ୟ ପରିବେଷଣ କରିଥାନ୍ତି । ନୂଆ ନୂଆ ଋତୁକୁ ଏହି ପାହାଡ଼ି ମଣିଷ ଆନନ୍ଦ ଭରା ସ୍ୱାଗତ ଜଣେଇବା ପାଇଁ ଚାଙ୍ଗୁ ବଜାଇ ପାରଂପରିକ ଗୀତ ଗାଇ ନୃତ୍ୟ ପରିବେଷଣ  କରନ୍ତି । ଏହା ତାଙ୍କ ଜୀବନ ଚର୍ଯ୍ୟାର ଏକ ବୈଭବ ମାତ୍ର ।

(୨) ସାମାଜିକ ନୃତ୍ୟ -ଜୁଆଙ୍ଗ ଜାତି ପାହାଡ଼ ଅରଣ୍ୟରେ ଜନ୍ମ ହୋଇଥିବାରୁ ପ୍ରକୃତିକୁ  ତାଙ୍କ ପାଇଁ ମା’ ଠାରୁ ବଳି  ମନେକରନ୍ତି । ଜଙ୍ଗଲୀ ପଶୁ ପକ୍ଷୀମାନଙ୍କର ଚଳ-ପ୍ରଚଳନକୁ ଲକ୍ଷ କରି ଏମାନେ ନୃତ୍ୟ ପରିବେଷଣ କରିଥାନ୍ତି । ସେଥିମଧ୍ୟରୁ ଭାଲୁ ନୃତ୍ୟ, କପୋତ ନୃତ୍ୟ, ଘୁଷୁରୀ ନୃତ୍ୟ, ମୃତ୍ୟୁକାଳୀନ ନୃତ୍ୟ, ଘରଚଟିଆ ନୃତ୍ୟ, ମୟୂର ନୃତ୍ୟ, ସର୍ପ ନୃତ୍ୟ, କଚ୍ଛପ ନୃତ୍ୟ, ମୃଗ ନୃତ୍ୟ, ପାରା ନୃତ୍ୟ, ଶକୁନ ନାଚ ଗୁଡିକୁ ଅତ୍ୟନ୍ତ ନାଟକୀୟ ଓ ରୋମଞ୍ଚକର ଭାବରେ ପରିବେଷଣ କରନ୍ତି । ସେଥି ମଧ୍ୟରୁ – ପାରା ନାଚରେ ଯୁବକ ମାନେ  ଯୁବତୀ ମାନଙ୍କ ପ୍ରତି ଆକର୍ଷିତ ହୋଇ ଧୀରେ ଧୀରେ  ନୃତ୍ୟ ପରିବେଷଣ କରିଥାନ୍ତି । ଏହା ଏକ ଶୃଙ୍ଗାର ଭିତ୍ତିକ ନୃତ୍ୟ  ଉଭୟ ଉଭୟଙ୍କୁ ନୃତ୍ୟ ମାଧ୍ୟମରେ ପ୍ରେମ ପ୍ରଦାନ କରନ୍ତି ଏବଂ ସେମାନଙ୍କର ମୁଖ୍ୟ ବାଦ୍ୟ ଚାଙ୍ଗୁ ବଜାଇ ନାଚିଥାନ୍ତି । ସେହି ପରି ସର୍ପ ନୃତ୍ୟ ରେ ଜୁଆଙ୍ଗ କନ୍ୟା ମାନେ ସାପ ଭଳି ଭୂମିରେ ନିଜ ଶରୀରକୁ ରଖି ଅତି କ୍ଷିପ୍ରଗତିରେ  ଆଗକୁ ଆଗକୁ ଯାଇଥାନ୍ତି । ମୁଣ୍ଡ ଉପରେ ଦୁଇ ହାତକୁ ସାପ ଫେଣାପରି ରଖି ନୃତ୍ୟ ପରିବେଷଣ କରିଥାନ୍ତି । ଚାଙ୍ଗୁ ନୃତ୍ୟଟି ସେମାନଙ୍କର ଶ୍ରେଷ୍ଠ ଲୋକ ନୃତ୍ୟ ।  ଏଥିରେ ଉଭୟ  ପୁରୁଷ ଓ ନାରୀ ସମ୍ମିଳିତ  ହୋଇ ଚାଙ୍ଗୁବାଦ୍ୟ  ବଜାଇ ଗୋଲାକାର ହୋଇ ଚତୁର୍ଦିଗ ଦିଗକୁ ଗତି କରନ୍ତି  । ଏହି ଗତି ସହିତ ନାରୀ ମାନଙ୍କ ପାଦ ଓ ହାତ ର  ପିନ୍ଧିଥିବା ଅଳଙ୍କାରର  ଧ୍ୱନିରେ ନାଚି ଉଠନ୍ତି ।

ଉତ୍କଳୀୟ ସଂସ୍କୃତି ଜୁଆଙ୍ଗ ସଂସ୍କୃତିର ସମନ୍ଵୟ ବିଚାର :–

ମନୁଷ୍ୟ ଏକ ସାମାଜିକ ପ୍ରାଣୀ  । ସଭ୍ୟତା ତା’ ଜୀବନର ମୂଳ ଆଧାର । ପାରଂପରିକ  ବିଶ୍ୱାସ ହିଁ ତା’ ଜୀବନର ବ୍ରତ । ଯେଉଁ ଜାତି ଯେତେ ସଂସ୍କୃତି ସମ୍ପର୍ଣ୍ଣ ସେ ଜାତି ଆଜି ସେତେ ଉଚ୍ଚରେ ଏଣୁ ଭାରତୀୟ ସଂସ୍କୃତି ପରି ଉତ୍କଳୀୟ ସଂସ୍କୃତି ମଧ୍ୟ ଆଜି ଏକ ନିର୍ଦ୍ଧିଷ୍ଟ ସ୍ୱତନ୍ତ୍ରତା ତିଆରି କରିପାରିଛି । ଭାରତ ହେଉଛି ଆଦିବାସୀ, ଭୂମିଜମାନଙ୍କର ଦେଶ । ପାହାଡ ଝରଣାର କୂଳରେ ଏମାନଙ୍କର ସଭ୍ୟତା ଗଢି ଉଠି ଥିଲା।   ଫଳରେ ଏହି ଜନଜାତିମାନଙ୍କର ସଂସ୍କୃତି ମଧ୍ୟ ଅନ୍ୟମାନଙ୍କ ପରି ସର୍ବଶ୍ରେଷ୍ଠ ବୋଲି ପ୍ରତିପାଦିତ ହୋଇଛି ।

ସଂସ୍କୃତି ହେଉଛି ଚାହାଣି, ଚଳଣି ଓ ଚମକର ଏକ ସମନ୍ଵୟର କ୍ଷେତ୍ରଫଳ । ଯଦି ସମାଜକୁ ବ୍ୟକ୍ତିର ‘ଅସ୍ଥି’ ବୋଲି କୁହାଯାଏ ତେବେ, ସଂସ୍କୃତିକୁ ସେହି ବ୍ୟକ୍ତିର ‘ଆତ୍ମା’ ବୋଲି କୁହାଯାଇପାରେ ।  ଉତ୍କଳୀୟ ସଂସ୍କୃତି ସହ ଜୁଆଙ୍ଗ ଜନଜାତି ମାନଙ୍କର ସଂସ୍କୃତି ମଧ୍ୟରେ ଏକ ଅପୂର୍ବ ସମନ୍ଵୟ ଦେଖିବାକୁ ମିଳେ । ଉଭୟଙ୍କ ମଧ୍ୟରେ କେତେକ ପାରମ୍ପରିକ ବିଧିବିଧାନ ଦେଖିବାକୁ ମିଳେ ସତ ପରନ୍ତୁ, ଜଣେ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ମନେହୁଅନ୍ତି  । ଏହି ଭିନ୍ନତା ହିଁ ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି ।

ଉତ୍କଳୀୟ ସଂସ୍କୃତି ପରି ଜୁଆଙ୍ଗ ସଂସ୍କୃତିର ‘ଧର୍ମ’ ହେଉଛି ମୁଖ୍ୟ ଆଧାର । ସାମାଜିକ ଦାୟିତ୍ୱ ପରି ନିଜ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଭୟ ଚେଷ୍ଟିତ ହୋଇଥାନ୍ତି । ଜୁଆଙ୍ଗମାନେ ମଧ୍ୟ ଓଡ଼ିଆଙ୍କ ପରି ବାରମାସରେ ତେର ପରବ ପାଳିଥାନ୍ତି । ଏମାନେ ସାଧାରଣତଃ ନିଜ ଗାଁକୁ ବିପଦ ମୁଖରୁ ରକ୍ଷାକରିବା ପାଇଁ, ମହାମାରୀରୁ ରକ୍ଷାପାଇବା ପାଇଁ, ଭଲ ଫସଲ ହେବପାଇଁ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରିଥାନ୍ତି ।  ବନ, ପାହାଡ଼, ଝରଣା, ପଶୁପକ୍ଷୀ ଓ ବୃକ୍ଷଲତାମାନଙ୍କୁ ନିଜର ମୁଖ୍ୟ ଦେବତା ରୂପେ ପୂଜା କରିଥାନ୍ତି ।  ଓଡ଼ିଆଙ୍କ ପରି ଏମାନେ ପାଳନକରୁଥିବା ପର୍ବଗୁଡିକ ମଧ୍ୟରୁ ; ମାଘପୋଡ଼ି ପର୍ବ, ଆମ୍ବନୂଆ, ରଜପର୍ବ, ପିଢ଼ି ପୂଜା, ଧାନ ନୂଆଖାଇ, ଗୁରୁବାର ଓଷା, ରୁମା ପର୍ବ, ଆଦି ପର୍ବ ସାଂସ୍କୃତିକ ବତାବରଣକୁ ଅଧିକ ଆକୃଷ୍ଟ କରିଥାଏ ।

ଓଡ଼ିଆ ସମାଜରେ ବିବାହ ବ୍ରତ ଯେମିତି ଏକ ମୁଖ୍ୟ ସାଂସ୍କୃତିକ ଧାରା ଠିକ୍ ସେମିତି ଜୁଆଙ୍ଗମାନଙ୍କ ମଧ୍ୟରେ ବିବାହ କ୍ଷେତ୍ରରେ ଅନେକ ସ୍ୱତନ୍ତ୍ରତା ଦେଖିବାକୁ ମିଳେ । ଯେମିତି ରଜ ଓ ମକର ପର୍ବରେ ଜୁଆଙ୍ଗ ଯୁବକ ଯୁବତୀ ମାନେ ପରସ୍ପର ମଧ୍ୟରେ ପ୍ରେମ ନିବେଦନ କରିଥାନ୍ତି । ଧିରେ ଧୀରେ ସେମାନଙ୍କ ଘରେ ବିବାହ ପାଇଁ ଅଗ୍ରସର ହୋଇଥାନ୍ତି । ଜୁଆଙ୍ଗ ମାନଙ୍କର ବିବାହ ପଦ୍ଧତି ବହୁଧା ଯେମିତ – ମନାମାନୀ ବିଭା ( love marriage ), ଡାକିକନ୍ୟା ବିଭା( re-marriage of the divorced women ), ହାଟୁଆ କନ୍ୟା ବିଭା( Hindu type of marriage ), ଡିଗରିକନ୍ୟା ବିଭା( Marriage by capture ), କମାଣ୍ଡରିକନ୍ୟା ବିଭା( Arranged marriage ), ଟାଙ୍କେଇ କନ୍ୟା ବିଭା( Arranged marriage ), ସୁରୁମକନ୍ୟା ବିଭା( Marriage by elopement )  ଆଦି ସାମାଜିକ ପରମ୍ପରାରେ ଦେଖିବାକୁ ମିଳେ ।

ଓଡ଼ିଆ ଜନଜୀବନରେ ଜନ୍ମ ମୃତ୍ୟୁରେ ଯେମିତି କର୍ମକାଣ୍ଡ ଦେଖିବାକୁ ମିଳେ, ସେମିତି ଜୁଆଙ୍ଗ ମାନଙ୍କର ଜନ୍ମ ଓ ମୃତ୍ୟୁରେ ସ୍ୱତନ୍ତ୍ରତା ଦେଖିବାକୁ ମିଳେ । ଜୁଆଙ୍ଗ ଶିଶୁଟିଏ ଜନ୍ମ ହେବାପରେ, ଯଦି ପୁତ୍ର ସନ୍ତାନ ହୁଏ ତେବେ ତାର ନାଭି ତୀର ସାହାଯ୍ୟରେ କଟାଯାଇଥାଏ ।  ସେମିତି କନ୍ୟା ସନ୍ତାନ ଜନ୍ମ ହେଲେ ତେବେ ତାର ନାଭି ଛୁରୀ କିମ୍ବା କଟୁରୀ ସାହାଯ୍ୟରେ କଟା ଯାଇଥାଏ । କଟା ଯାଇଥିବା ନାଡିଟିକୁ ଏକ ଶାଳପତ୍ର ସାହାଯ୍ୟରେ ଗୋଡ଼ାଇ ଘରର ପଛପଟେ ଏକ ଗାତ ଖୋଳି ପୋତି ଦିଆଯାଏ । କିଛିଦିନ ଅନ୍ତେ ସେହି ପତ୍ର ପୋଡ଼ିଆକୁ ଆଣି ଘରର ଚାଳରେ ଖୋସି ଦିଆଯାଏ । ବିଶ୍ୱାସ ଅଛି ଏପରି କଲେ ସମ୍ପୃକ୍ତ ଜୁଆଙ୍ଗ ମହିଳାଟି ବହୁସଂଖ୍ୟକ ସନ୍ତାନ ଜନ୍ମ କରିପାରିବ । ଓଡ଼ିଆ ନବଜାତ ଶିଶୁଟିଏ ଜନ୍ମ ହେବାପରେ ଯେମିତି ତା’ର ଦଶରାତ୍ର ଉଠାଣ, ଏକୋଇଶିଆ, ନାମକରଣ, ଅନ୍ନପସନ୍ନ, ଖିରିଚଟା ଆଦି କର୍ମକାଣ୍ଡ ହୋଇଥାଏ, ଠିକˎ ସେମିତି ଜୁଆଙ୍ଗମାନଙ୍କର ସନ୍ତାନ ଜନ୍ମ ହେବାର ପାଞ୍ଚ ଦିନପରେ ତାର ନାମକରଣ ହୋଇଥାଏ । ପ୍ରାଚୀନ ପ୍ରଥାକୁ ଲକ୍ଷ୍ୟ କଲେ ଜଣାପଡେ ସେମାନଙ୍କର ନାମକରଣ  ଓଡ଼ିଆ ସଂସ୍କୃତିରେ ଯେମିତି ଶିଶୁଟିଏ ଜନ୍ମ ହେବାପରେ ତା’ର ନାମକରଣ ଦେବାଦେବୀ, ବାର, ମାସ, ମହାପୁରୁଷ, ଆଦିଙ୍କ ପରି ଦିଆଯାଏ । ଠିକˎ ସେମିତି, ଜୁଆଙ୍ଗ ମାନଙ୍କର ସନ୍ତାନଙ୍କର ନାମକରଣ ମଧ୍ୟ ଉକ୍ତ ଗ୍ରାମ, ବାର, ମାସ, ପାହାଡ଼, ଝରଣା, ବୃକ୍ଷଲତା, ପଶୁପକ୍ଷୀ ମାନଙ୍କୁ ଲକ୍ଷ୍ୟକରି ରଖାଯାଏ ।

ଉଭୟ ଉତ୍କଳୀୟ ଓ ଜୁଆଙ୍ଗ ଜନଜାତି ମାନେ ବିଭିନ୍ନ ଦେବା ଦେବୀ ମାନଙ୍କୁ ପିଢ଼ି ପରେ ପିଢ଼ି ପୂଜା କରିଆସୁଛନ୍ତି । କେବେ ଦୃଶ୍ୟଶକ୍ତି ଓ କେବେ ଅଦୃଶ୍ୟଶକ୍ତି ଉପରେ ବିଶ୍ୱାସ ରଖି ପଥର, କାଠ, ଗଛ, ମାଟି ଆଦିରେ ମୂର୍ତ୍ତି ରୂପ ପ୍ରଦାନ କରି ପୂଜା କରିଥାନ୍ତି । ଓଡ଼ିଆଙ୍କ ବିଭିନ୍ନ ଦେବାଳୟ ଭଳି ଜୁଆଙ୍ଗ ମାନଙ୍କର ମଣ୍ଡଘର ପୂଜା ଅର୍ଚ୍ଚନାର କେନ୍ଦ୍ରସ୍ଥଳୀ ସାଜିଥାଏ । ଉଭୟଙ୍କ ଖାଦ୍ୟପେୟରେ ଅନେକ ତାରତମ୍ୟ ଦେଖିବାକୁ ମିଳେ । ଯେପରି ଓଡ଼ିଆଙ୍କ ବିବାହ ଜନ୍ମ ବାର୍ଷିକ ଏବଂ ଶୁଭ କାର୍ଯ୍ୟାଦିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ଜୁଆଙ୍ଗମାନଙ୍କ ଖାଦ୍ୟ ପେୟରେ ପ୍ରାଚୀନ ପ୍ରଚଳନତା ଦେଖିବାକୁ ମିଳେ । ଏହି ଜଙ୍ଗଲୀ ଅଦିବାସୀମାନଙ୍କର ବଣ ଜଙ୍ଗଲରୁ ମିଳୁଥିବା ପୋକ -ଜୋକ, କାଇ, ଉଇ, ପଶୁପକ୍ଷୀଙ୍କ ମାଂସ ଛଡା କନ୍ଦମୂଳ, ବୈଂଗାଆଳୁ, ପାଣିଆଳୁ , କଣ୍ଟାଆଳୁ, ମାଟି ଆଳୁ, ଟିମଙ୍ଗଆଳୁ, କାଠିଆ, ଜାଲି  ଆଦି ସହିତ ଆମ୍ବ, ଚାରକୋଳି, ପଣସ, କେନ୍ଦୁ ଆଦି ଜଙ୍ଗଲୀ ଖାଦ୍ୟ ଗୁଡିକ ନିଜ ଦୈନଦିନ  ଜୀବନ ପାଇଁ ସଂଗ୍ରହ କରିଥାନ୍ତି ।  ସୁତରାଂ ସଂସ୍କୃତିହିଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମାଜିକ ଦାୟବଦ୍ଧତା କରାଏ । ଏହି ସାଂସ୍କୃତିକ ଜୀବନ ଚର୍ଯ୍ୟା ମଧ୍ୟରେ ଉତ୍କଳୀୟ ଓ ଜୁଆଙ୍ଗ ମାନଙ୍କର ସ୍ୱତନ୍ତ୍ରତା ଦେଖିବାକୁ ପାଉ ।

ଉପସଂହାର :-

ସାମ୍ପ୍ରତିକ ସାହିତ୍ୟ ସମ୍ଭାର ମଧ୍ୟରୁ ଲୋକସାହିତ୍ୟ ଦିଗଟି ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ମନେହୁଏ ।   ଆବେଗ ପୂର୍ଣ୍ଣ ଗାଉଁଲି ମଣିଷର ହୃଦୟର କଥା ଏଥିରେ ସ୍ଥାନିତ । ଜୀବନ ଯନ୍ତ୍ରଣାର  ବାସ୍ତବ  ଠାରୁ ଆରମ୍ଭ କରି ଦୈନଦିନ ଜୀବନ ଚର୍ଯ୍ୟା ର ସମସ୍ତ ଘଟଣା ଏଥିରେ ରୁଣ୍ଡିଭୂତ । ବିଶ୍ୱ ସାହିତ୍ୟକୁ ଅବଲୋକନ କଲେ ଜଣାପଡେ ସମସ୍ତ ସାହିତ୍ୟର ଆଦ୍ୟ ରୂପ ହେଉଛି, ଏହି ଲୋକସାହିତ୍ୟ । ସାଧାରଣତଃ  ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ  ଯାଏଁ  ସମସ୍ତ ବର୍ଗର ମଣିଷଙ୍କ ଅକୁହା କଥାକୁ ଲୋକ ସାହିତ୍ୟତା’ କଳେବର ମଧ୍ୟରେ ସ୍ଥାନ ଦେଇଛି । ଲୋକ ଗଳ୍ପର ଚମତ୍କାରିତା, ଲୋକଗୀତର ଆନନ୍ଦଦାୟିକତା ଓ ଲୋକନାଟକର ମନୋରଞ୍ଜନ ଧର୍ମିତା ଲୋକସାହିତ୍ୟର ସର୍ବ ପ୍ରଶଂସନୀୟ ମୂଲ୍ୟାୟନ ମାତ୍ର । ଯୁଗ ପରେ ଯୁଗ ଅତିକ୍ରାନ୍ତ କରିଯାଏ ସତ କିନ୍ତୁ, ମଣିଷର ସାମାଜିକ ସଚେତନପ୍ରବଣତା ହିଁ ସଂସ୍କୃତିକୁ ବଞ୍ଚାଇବା ପାଇଁ ପ୍ରେରଣା ଦେଇଥାଏ । ଓଡ଼ିଶାରେ ବସବାସ କରୁଥିବା ଅନ୍ୟ ଆଦିବାସୀମାନଙ୍କ ମଧ୍ୟରୁ ଜୁଆଙ୍ଗ ଜନଜାତି ନିଜର ସାଂସ୍କୃତିକ ବୈଚିତ୍ରତା ପାଇଁ ସର୍ବ ପ୍ରଶଂସନୀୟ ହୋଇପାରିଛି । ଲୋକ ସାହିତ୍ୟ ହେଉଛି ଓଡ଼ିଆ ଓ ଜୁଆଙ୍ଗ ମାନଙ୍କର ଜୀବନ ଚର୍ଯ୍ୟାର ଏକ ଅଧ୍ୟାୟ । ପ୍ରାଚୀନରୁ ପ୍ରଚଳିତ ଏହି ପ୍ରଥା ଗୋଟିଏ ଜାତିକୁ ନିଜସ୍ୱ ପରିଚୟ ଦେଇଛି । ବିକଶିତ ପୃଥିବୀରେ ଆଧୁନିକତା ଯୋଗୁଁ ଧିରେ ଧିରେ ଲୋକସାହିତ୍ୟର ଦୁର୍ମୁଲ୍ୟ ଉପାଦାନ ଗୁଡିକ ହଜିବାକୁ ବସିଲାଣି । ଏହି ଲୋକସାହିତ୍ୟ ଓ ସାଂସ୍କୃତିକ ଧାରା ଆଜି ଉଭୟଙ୍କ ପାଇଁ ବଡ ଆହ୍ୱାନ ହୋଇଛି, କାରଣ ଆଧୁନିକ ସଭ୍ୟତାର ମଣିଷ ଆଧୁନୀକରଣ ନାମରେ ନିଜର ପରମ୍ପରାକୁ ଭୁଲି, ପାଶ୍ଚାତ୍ୟ ଶୈଳୀକୁ ଆପଣାଇ ନେଉଛି । ଫଳରେ ଭବିଷ୍ୟତ ପାଇଁ ଏହା ଏକ ବଡ ସମସ୍ୟା ହୋଇପାରେ । ଏଣୁ ସଂସ୍କୃତି ପ୍ରତି ପ୍ରତ୍ୟେକ ବ୍ୟକ୍ତିକୁ ସଚେତନ ହେବା ଆବଶ୍ୟକ । ଫଳରେ ଉଭୟ ବ୍ୟକ୍ତି ଓ ସମାଜ ସୁସ୍ଥ ରହିବେ ।

ସହାୟକ ଗ୍ରନ୍ଥସୂଚୀ :-

୧. ଦାସ, ଚିତ୍ତରଞ୍ଜନ   ‘ସଂସ୍କୃତି ଓ ଓଡିଶା’, ମୟୂର ପବ୍ଲିକେସନˎସ, ଭୁବନେଶ୍ୱର, ୧୯୮୧  ।      ୨. ଦାସ କୁଞ୍ଜବିହାରୀ  ‘ଲୋକଗୀତ ଓ ଲୋକକାହାଣୀ’, ବିଶ୍ୱଭାରତୀ, ଶାନ୍ତିନିକେତନ,ଓଡ଼ିଆ ଗବେଷଣା ବିଭାଗ, ୧୯୫୮ ।

୩. ଦାସ, ସୂର୍ଯ୍ୟନାରୟଣ, ‘ଓଡ଼ିଆ ସାହିତ୍ୟର ଇତିହାସ’ (୧ମ ଖଣ୍ଡ), ଗ୍ରନ୍ଥମନ୍ଦିର, କଟକ,  ୧୯୬୩ ।

୪. ପ୍ରଧାନ, ଚୌଧୁରୀ ଅଜୟ ଓ ସ୍ୱାଇଁ, ଦିଲ୍ଲୀପ   ‘ଲୋକ ଜୀବନ ଓ ଲୋକ ସାହିତ୍ୟ’, ଚିତ୍ରୋତ୍ପଳା ପବ୍ଲିକେସନˎସ ’, ସାଲେପୁର , କଟକ   ୧୯୯୬ ।

୫. ପ୍ରଧାନ, ରଞ୍ଜନ  ‘ଜୁଆଙ୍ଗ ପର୍ବପର୍ବାଣି’  କ୍ରିଏଟିଭˎ ଓଡ଼ିଶା, ନିଗିପୁର, କେନ୍ଦ୍ରାପଡା, ୨୦୧୪  ।

୬.ପାଢ଼ୀ, ବେଣୁଧର   ‘ଓଡ଼ିଆ ସାହିତ୍ୟ,ସଂସ୍କୃତି ଓ ଧର୍ମ ଧାରା’, ଓଡ଼ିଆ ସାହିତ୍ୟ ଏକାଡେମୀ, ଭୁବନେଶ୍ୱର,  ୧୯୯୫ ।

୭.ମହାପାତ୍ର, ଶ୍ୟାମସୁନ୍ଦର  ‘ଲୋକ ସାହିତ୍ୟ ତତ୍ତ୍ୱ’, ଓଡ଼ିଶା ବୁକ ଷ୍ଟୋର, ବିନୋଦ ବିହାର, କଟକ,   ୧୯୯୫ ।

୮.ମିଶ୍ର, ଉପେନ୍ଦ୍ର  ‘ଓଡ଼ିଆ ଆଦିବାସୀ ଓ ହରିଜନ ସଂସ୍କୃତି’ ବନଫୁଲ, ରାଜାବଗିଚା, କଟକ,               ୧୯୭୦ ।

 

Share This Article
Exit mobile version