ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ମ୍ୟାକ୍ସମୁଲାରଙ୍କ ସହ ‘ଇଣ୍ଡୋଲୋଜି’ ଉପରେ ଗବେଷଣା କରିଥିବା ‘ଅଷ୍ଟ୍ରିଆ’ର ବିଶିଷ୍ଟ ବିଦ୍ୱାନ ମୋରିଜ ୱିଣ୍ଟର୍ନିଜ (୧୮୬୩-୧୯୩୭)ଙ୍କୁ ଥରେ ଜଣେ ଭାରତୀୟ ପ୍ରଶ୍ନ କଲେ- ଆପଣଙ୍କ ମତରେ ବିଶ୍ୱସାହିତ୍ୟ ପାଇଁ ଭାରତୀୟମାନଙ୍କର ସବୁଠୁ ବଡ଼ ମୌଳିକ ଅବଦାନ କ’ଣ? ୱିଣ୍ଟର୍ନିଜ ବିନା ଦ୍ୱିଧାରେ କହିଲେ- “ପଶୁପକ୍ଷୀ ଉପରେ ଲିଖିତ କଥାସାହିତ୍ୟ ହିଁ ସବୁଠୁ ବଡ଼ ଅବଦାନ । ମୋ ମତରେ ବିଶ୍ୱସାହିତ୍ୟକୁ ଭାରତୀୟ କାହାଣୀ ସଂଗ୍ରାହକଗଣ ବହୁଳ ଭାବରେ ପ୍ରଭାବିତ କରିଛନ୍ତି ।” ୱିଣ୍ଟରର୍ନିଜଙ୍କ ଏ ମନ୍ତବ୍ୟ ବାସ୍ତବରେ ଅସାଧାରଣ । ତେଣୁ ସିନା ଭାରତୀୟ କଥାସାହିତ୍ୟକୁ ବିଶ୍ୱ କଥାସାହିତ୍ୟର ସର୍ବଶ୍ରେଷ୍ଠ ଉଦ୍ଗମ ସ୍ରୋତ ଭାବରେ ବିବେଚନା କରାଯାଏ । ଏ କ୍ଷେତ୍ରରେ ସଂସ୍କୃତ କଥାଗ୍ରନ୍ଥଗୁଡ଼ିକର ବିଶେଷ ଭୂମିକା ରହିଥିବା କଥା କେହି ଅସ୍ୱୀକାର କରିବେନି । ବୈଦିକ କାଳରୁ କଥାପ୍ରିୟ ଭାରତୀୟ ଜନମାନସ ନୀତିମୂଳକ ପଶୁପକ୍ଷୀ କଥାକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ବା ଆବଶ୍ୟକ ଶିକ୍ଷାଦାନର ମାଧ୍ୟମ ଭାବରେ ବ୍ୟବହାର କରିଆସିଛି । ପରେ ପରେ ଆମ ପୁରାଣମାନଙ୍କରେ ମଧ୍ୟ ପଶୁପକ୍ଷୀ କଥାର ଏକ ସୁସ୍ପଷ୍ଟ ରୂପରେଖ ଦେଖିବାକୁ ମିଳେ ।
ଲୋକପ୍ରିୟ ସଂସ୍କୃତ ନୀତିକଥାମାନଙ୍କ ମଧ୍ୟରେ ‘ପଞ୍ଚତନ୍ତ୍ର’ର ସ୍ଥାନ ସର୍ବାଗ୍ରେ । ପଞ୍ଚତନ୍ତ୍ର କେବଳ ଭାରତୀୟ ସାହିତ୍ୟ ନୁହେଁ; ବରଂ ସମଗ୍ର ବିଶ୍ୱ ସାହିତ୍ୟ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ କଥାସୃଷ୍ଟି । ସମଗ୍ର ପୃଥିବୀରେ ବାଇବେଲ ପରେ ପଞ୍ଚତନ୍ତ୍ର ବେଶୀ ଲୋକପ୍ରିୟ ।(୧) ପଞ୍ଚତନ୍ତ୍ରର ସଂପାଦକ ହାର୍ଟେଲ କହନ୍ତି- “ପଞ୍ଚତନ୍ତ୍ରର ଦୁଇଶହରୁ ଅଧିକ ସଂସ୍କରଣ ପାଖାପାଖି ପଚିଶଟି ଭାଷାରେ ପ୍ରକାଶିତ ହୋଇଥିଲା ଏବଂ ଏହାର ତିନି-ଚତୁର୍ଥାଂଶ ଭାଷା ଭାରତୀୟ ଭାଷା ବହିର୍ଭୁତ ।”(୨)
ପଞ୍ଚତନ୍ତ୍ରର ମୂଳରୂପ ବର୍ତ୍ତମାନ ଦୁଷ୍ପ୍ରାପ୍ୟ । ତଥାପି ଏହାର ବିଭିନ୍ନ ଅନୁବାଦକୁ ଦୃଷ୍ଟିରେ ରଖି ପଞ୍ଚତନ୍ତ୍ରର ରଚନାକାଳ ତୃତୀୟରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ବୋଲି ଅନେକ ମତ ଦିଅନ୍ତି । ଏହି ଗ୍ରନ୍ଥର ଲେଖକ ହେଉଛନ୍ତି ବିଷ୍ଣୁଶର୍ମା ନାମକ ଜଣେ ବୃଦ୍ଧ ବ୍ରାହ୍ମଣ । ପଞ୍ଚତନ୍ତ୍ର ଲେଖିବାବେଳେ ତାଙ୍କ ବୟସ ଥିଲା ଅଶୀ ବର୍ଷ । ଗ୍ରନ୍ଥର କଥାମୁଖରୁ ସ୍ପଷ୍ଟ ବୁଝିହୁଏ ଯେ ବିଷ୍ଣୁଶର୍ମା ଭାରତୀୟ ନୀତିଶାସ୍ତ୍ରଗୁଡ଼ିକର ପାରଙ୍ଗତ ବିଦ୍ୱାନ ଥିଲେ । ତେଣୁ ଏହାକୁ ଲେଖିବା ସମୟରେ ତାଙ୍କ ମନ ସମସ୍ତ ଇନ୍ଦ୍ରିୟଲାଳସାରୁ ନିବୃତ୍ତ ଥିଲା ଏବଂ ମନରେ ଅର୍ଥଲାଭର ଆକର୍ଷଣ ମଧ୍ୟ ନଥିଲା । ଏହି ବିଶୁଦ୍ଧ ବୁଦ୍ଧି, ନିର୍ମଳ ଚିତ୍ତଧାରୀ ବ୍ରାହ୍ମଣ ବିଷ୍ଣୁଶର୍ମା ନିଜ ପୂର୍ବସୁରୀ ମନୁ, ବୃହସ୍ପତି, ଶୁକ୍ର, ପରାଶର, ବ୍ୟାସ, ଚାଣକ୍ୟ ଆଦି ଆଚାର୍ଯ୍ୟଙ୍କ ରାଜଶାସ୍ତ୍ର ଓ ଅର୍ଥଶାସ୍ତ୍ରଗୁଡ଼ିକରୁ ଜ୍ଞାନ ସଂଗ୍ରହ କରି ଲୋକହିତ ପାଇଁ ପଞ୍ଚତନ୍ତ୍ରରୂପୀ ଏକ ଦୁର୍ମୂଲ୍ୟ ଗ୍ରନ୍ଥ ପ୍ରସ୍ତୁତ କରିଥିଲେ ।
ଇରାନୀ ସମ୍ରାଟ ଖୁସରୋଙ୍କ ପ୍ରମୁଖ ରାଜବୈଦ୍ୟ ତଥା ମନ୍ତ୍ରୀ ବୁର୍ଜୁଏ ପଞ୍ଚତନ୍ତ୍ରକୁ ଅମୃତ ବୋଲି ମାନ୍ୟତା ଦେଇଛନ୍ତି । ସେ ଏକ ପୁସ୍ତକରେ ପଢ଼ିଥିଲେ ଯେ ଭାରତବର୍ଷର କୌଣସି ଏକ ପର୍ବତରେ ସଂଜୀବନି ଔଷଧ ମିଳେ, ଯାହାର ସେବନରେ ମୃତବ୍ୟକ୍ତି ଜୀଇଁଉଠେ । ପ୍ରବଳ ଜିଜ୍ଞାସାରୁ ସେ ପ୍ରାୟ ୫୫୦ ଖ୍ରୀଷ୍ଟାବ୍ଦରେ ଭାରତ ଆସି ସଂଜୀବନିର ସନ୍ଧାନରେ ଲାଗିପଡ଼ିଲେ । ଶେଷରେ କିଛି ନ ମିଳିବାରୁ ହତାଶ ହୋଇ ଜଣେ ଭାରତୀୟ ବିଦ୍ୱାନଙ୍କୁ ପଚାରିଲେ- “ଏହି ଦେଶରେ ଅମୃତ କେଉଁଠି ମିଳେ?” ବିଦ୍ୱାନ ଉତ୍ତର ଦେଲେ- “ତୁମେ ଯାହା ପଢ଼ିଛ ଠିକ୍ ପଢ଼ିଛ । ବିଦ୍ୱାନ ବ୍ୟକ୍ତି ହିଁ ସେହି ପର୍ବତ ଅଟେ ଯେଉଁଠି ଏହି ଜ୍ଞାନରୂପକ ଔଷଧୀ ମିଳେ ଏବଂ ଏହାର ସେବନରେ ମୁର୍ଖରୂପୀ ମୃତବ୍ୟକ୍ତି ପୁଣିଥରେ ଜୀଇଁଉଠେ । ଏଭଳି ଅମୃତ ଆମ ଏଠି ‘ପଞ୍ଚତନ୍ତ୍ର’ ନାମକ ଏକ ଗ୍ରନ୍ଥରେ ମିଳେ ।” ତାପରେ ବୁର୍ଜୁଏ ପଞ୍ଚତନ୍ତ୍ରର ଏକ ପ୍ରତିଲିପି ଇରାନକୁ ନେଇଗଲେ ଏବଂ ତାଙ୍କ ସମ୍ରାଟଙ୍କ ପାଇଁ ପହ୍ଲବୀ ଭାଷାରେ ଏହାର ଅନୁବାଦ କଲେ । ଏହା ଥିଲେ କୌଣସି ବିଦେଶୀ ଭାଷାରେ ପଞ୍ଚତନ୍ତ୍ରର ପ୍ରଥମ ଅନୁବାଦ । କିନ୍ତୁ ଏବେ ଏହା ମିଳୁନାହିଁ । ଏହାର କିଛି ବର୍ଷ ପରେ ପାଖାପାଖି ୫୭୦ ଖ୍ରୀଷ୍ଟାବ୍ଦରେ ପହ୍ଲବୀ ପଞ୍ଚତନ୍ତ୍ରକୁ ସିରିଆ ଦେଶର ପ୍ରାଚୀନ ଭାଷାରେ ଅନୁବାଦ କରାଗଲା ଏବଂ ଏହା ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ହଠାତ୍ ଲୋକଲୋଚନକୁ ଆସିଲା । ଏହାର ଅନୁବାଦ ଓ ସଂପାଦନା ଜର୍ମାନ ଦେଶର ବିଦ୍ୱାନମାନେ କରିଥିଲେ । ଏହା ମୂଳ ସଂସ୍କୃତ ପଞ୍ଚତନ୍ତ୍ରର ଭାବ ଓ କାହାଣୀ ସହ ଅଧିକ ନିକଟତର । ପହ୍ଲବୀ ଅନୁବାଦ ଆଧାରରେ ଆଉ ଏକ ଅନୁବାଦ ଦୃଷ୍ଟିକୁ ଆସେ । ଅଷ୍ଟମ ଶତାବ୍ଦୀରେ ଅବଦୁଲ୍ଲା-ଇବ୍ନ-ଉଲ୍-ମୁକଫ୍ଫା ଏହାକୁ ଆରବୀ ଭାଷାରେ ଅନୁବାଦ କରିଥିଲେ, ଯାହାର ନାମ ‘କଲିଲଃ-ବ-ଦିମନଃ’ ଅଟେ । ଏହା ‘କରଟକ ଦମନକ’ ନାମରେ ମଧ୍ୟ ଖ୍ୟାତ । ଅବଦୁଲ୍ଲା ଏଥିରେ ଏକ ମୁଖବନ୍ଧ ଲେଖିଛନ୍ତି ଏବଂ କିଛି ନୂଆ କାହାଣୀ ମଧ୍ୟ ଶେଷରେ ଯୋଡ଼ିଛନ୍ତି । ଏହି ରୂପରେ ଆଲୋଚ୍ୟ ଗ୍ରନ୍ଥ ଆରବୀ ଭାଷାର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଗ୍ରନ୍ଥ ମଧ୍ୟରୁ ଗୋଟିଏ ।
ଏହାପରେ ଆରବୀ ଅନୁବାଦ ଆଧାରରେ ପଞ୍ଚତନ୍ତ୍ରର ବିଦେଶୀ ଅନୁବାଦର ଧାରା ଆରମ୍ଭ ହୋଇ ଅଧିକାଂଶ ୟୁରୋପୀୟ ଭାଷାରେ ଏହାର ଅନୁବାଦ ହେଲା । ଏକାଦଶ ଶତାବ୍ଦୀରେ ଗ୍ରୀକ୍ ଭାଷାରେ ଏହା ଅନୁଦିତ ହୋଇଥିଲା । ଏହା ହେଉଛି ୟୁରୋପର ସବୁଠୁ ପୁରୁଣା ଅନୁବାଦ । ସମୟକ୍ରମେ ଏହି ଗ୍ରୀକ୍ ଅନୁବାଦର ପରିଚୟ ପାଇଲେ ପଶ୍ଚିମୀ ୟୁରୋପର ବିଭିନ୍ନ ଦେଶ ଏବଂ ଷୋଡ଼ଶ ଶତାବ୍ଦୀରୁ ଏହା ଲାଟିନ୍, ଇଟାଲୀ ଓ ଜର୍ମାନ ଭାଷାରେ ଅନେକଥର ଅନୁଦିତ ହୋଇଅଛି । ପ୍ରାୟ ୧୨୫୧ ଖ୍ରୀଷ୍ଟାବ୍ଦରେ ଆରବୀ ପଞ୍ଚତନ୍ତ୍ରର ଏକ ଅନୁବାଦ ପ୍ରାଚୀନ ସ୍ପାନିଶ୍ ଭାଷାରେ ହୋଇଥିଲା । ଏହା ପୂର୍ବରୁ ହିବ୍ରୁ ଭାଷାରେ ମଧ୍ୟ ଏହାର ଏକ ଅନୁବାଦ ହୋଇସାରିଥିଲା । ପଞ୍ଚତନ୍ତ୍ରକୁ ଆଧାର କରି ଦକ୍ଷିଣ ଇଟାଲୀର କପୁଆ ନଗରରେ ରହୁଥିବା ଜନ୍ ନାମକ ଜଣେ ଇହୁଦୀ ୧୨୬୦ରୁ ୧୨୭୦ ମସିହା ମଧ୍ୟରେ ଲାଟିନ୍ ଭାଷାରେ ଏହାକୁ ଅନୁବାଦ କରିଥିଲେ । ଏହାର ନାମ ସେ ରଖିଥିଲେ ‘କଲିଲଃ ଦମନଃର ପୁସ୍ତକ-ମାନବ ଜୀବନର ସଂଗ୍ରହାଳୟ’ । ମଧ୍ୟକାଳୀନ ୟୁରୋପୀୟ ସାହିତ୍ୟରେ ଜନ୍ କାପୁଆଙ୍କ ଅନୁବାଦ ବହୁ ଲୋକପ୍ରିୟ ହୋଇଥିଲା ଏବଂ ପଶ୍ଚିମ ୟୁରୋପର ଦଶଟି ଦେଶ ନିଜ ନିଜ ଭାଷାରେ ପଞ୍ଚତନ୍ତ୍ରର ଅନୁବାଦ କରିଥିଲେ । ୧୪୮୦ ଖ୍ରୀଷ୍ଟାବ୍ଦ ପାଖାପାଖି ପଞ୍ଚତନ୍ତ୍ରର କପୁଆ ସଂସ୍କରଣର ଅନୁବାଦ ଜର୍ମାନ ଭାଷାରେ ହୋଇଥିଲା । ଏହା ଏତେ ଲୋକପ୍ରିୟ ହେଲା ଯେ ଗୋଟିଏ ପରେ ଗୋଟିଏ ସଂସ୍କରଣ ପ୍ରକାଶିତ ହୋଇ ପଚାଶ ବର୍ଷ ମଧ୍ୟରେ ଏହାର ପଚାଶରୁ ଅଧିକ ସଂସ୍କରଣ ବିକ୍ରି ହୋଇଗଲା । ଡେନମାର୍କ, ହଲାଣ୍ଡ, ଆଇସଲ୍ୟାଣ୍ଡ ଆଦି ଦେଶର ଭାଷାମାନଙ୍କରେ ମଧ୍ୟ ଏହି ଜର୍ମାନ ସଂସ୍କରଣର ଅନୁବାଦ ହୋଇଥିଲା ।
କପୁଆଙ୍କ ଲାଟିନ୍ ଅନୁବାଦ ସିଧାସଳଖ ଭାବରେ ଚେକ୍, ସ୍ପେନ୍ ଓ ଇଟାଲୀର ଭାଷାମାନଙ୍କରେ ଅନୁଦିତ ହେଲା । ଦୋନୀ ନାମ୍ନୀ ଜଣେ ଲେଖକ ୧୫୫୨ ଖ୍ରୀଷ୍ଟାବ୍ଦରେ ଏହାର ଯେଉଁ ଇଟାଲୀ ଅନୁବାଦ କରିଥିଲେ ତାକୁ ଅନୁସରଣ କରି ୧୫୭୦ ଖ୍ରୀଷ୍ଟାବ୍ଦରେ ସାର ଥୋମାସ୍ ନୋଥ ପ୍ରସ୍ତୁତ କଲେ ପଞ୍ଚତନ୍ତ୍ରର ପ୍ରଥମ ଇଂରାଜୀ ଅନୁବାଦ । ୧୬୦୯ ଖ୍ରୀଷ୍ଟାବ୍ଦରେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଲା । ଏହିଭଳି ଭାବରେ ସେକ୍ସପିୟରଙ୍କ ଜୀବନକାଳ ମଧ୍ୟରେ ହିଁ ଇଂରାଜୀ ଭାଷାକୁ ସଂସ୍କୃତ ସାହିତ୍ୟର ଏହି ଅମୂଲ୍ୟ ନିଧି ଅନୁବାଦ ରୂପରେ ମିଳିସାରିଥିଲା । ଇଂରାଜୀର ଏହି ଅନୁବାଦ ସଂସ୍କୃତରୁ ପହ୍ଲବୀ, ପହ୍ଲବୀରୁ ଆରବୀ, ଆରବୀରୁ ହିବ୍ରୁ, ହିବ୍ରୁରୁ ଲାଟିନ୍, ଲାଟିନରୁ ଇଟାଲୀ ଏବଂ ଇଟାଲୀରୁ ଇଂରାଜୀ ଏହିପରି ମୂଳଗ୍ରନ୍ଥର ଷଷ୍ଠ ପୀଢ଼ିରେ ଥିଲା ।
ଆରବୀ କଲିଲଃ-ବ-ଦମନଃର ଏକ ଅନୁବାଦ ଫରାସୀ ଭାଷାରେ ମିସରୁଲ୍ଲା ନାମକ ଜଣେ ଲେଖକ ଦ୍ୱାଦଶ ଶତାବ୍ଦୀରେ କରିଥିଲେ । ଏହି ଅନୁବାଦ ଆଧାରରେ ପଞ୍ଚଦଶ ଶତାବ୍ଦୀରେ ପୁଣି ଫରାସୀ ଭାଷାରେ ‘ଅନୱର ସୁଲେହି’ ନାମରେ ଏକ ସଂସ୍କରଣ ପ୍ରସ୍ତୁତ ହେଲା । ଆରବୀ କଲିଲଃ-ବ- ଦମନଃ ପରି ଅନୱର ସୁଲେହିର ମଧ୍ୟ ଅଧିକରୁ ଅଧିକ ସଂସ୍କରଣ ପ୍ରସ୍ତୁତ ହୋଇଥିଲା । ଏପରିକି ତୁର୍କୀ, ପଶ୍ଚିମ ଓ ମଧ୍ୟ ଏସିଆର ଭାଷାମାନଙ୍କରେ ମଧ୍ୟ ଅନୱର ସୁଲେହିର ଅନୁବାଦ କରାଗଲା । ୧୬୪୪ ଖ୍ରୀଷ୍ଟାବ୍ଦରେ ଫ୍ରେଞ୍ଚ ଭାଷାରେ ଏହାର ଅନୁବାଦ ପ୍ରକାଶ ପାଇଲା । ସେଠି ଏହା ‘ୠବଭକ୍ଷରଗ୍ଦ କ୍ଟଲ ଚସକ୍ଷକ୍ଟ୍ରବଚ୍ଚ’ ନାମରେ ପ୍ରସିଦ୍ଧି ପାଇଲା । ପ୍ରସିଦ୍ଧ ଫ୍ରେଞ୍ଚ ଲେଖକ ଲା ଫୋଣ୍ଟେନ ତାଙ୍କର କାହାଣୀ ସଂଗ୍ରହ ମଧ୍ୟରୁ ଅନେକ କଥା ଏହି ‘ଫେବୁଲ୍ସ ଅଫ୍ ପିଲ୍ପେ’ରୁ ନେଇଛନ୍ତି । ଏହାର ଠିକ୍ ଅଶୀ ବର୍ଷ ପରେ ୧୭୨୪ ମସିହାରେ ଆଉ ଏକ ଫ୍ରେଞ୍ଚ ଅନୁବାଦ ‘ବିଦପଇର ଭାରତୀୟ କାହାଣୀମାଳା’ ନାମରେ ପ୍ରକାଶ ପାଇଲା । ଠିକ୍ ଏହା ପୂର୍ବରୁ ଏହାର ତୁର୍କୀ ଅନୁବାଦ ‘ହୁମାୟୁଁନାମା’ ପ୍ରକାଶ ପାଇସାରିଥିଲା । ଏହି ଦୁଇ ଗ୍ରନ୍ଥ ଇଂଲଣ୍ଡ, ହଙ୍ଗେରୀ, ପୋଲାଣ୍ଡ, ସ୍ୱିଡ଼େନ୍, ଜର୍ମାନୀ ଆଦି ଦେଶରେ ଖୁବ୍ ଲୋକପ୍ରିୟ ହୋଇଥିଲା । ଇଂରାଜୀରେ ‘ଫେବୁଲ୍ସ ଅଫ୍ ପିଲ୍ପେ’ର ସଂସ୍କରଣ ପ୍ରଥମେ ୧୬୯୯ରେ ପ୍ରକାଶ ପାଇ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଜୋର୍ସୋର୍ରେ ପ୍ରକାଶ ପାଇଥିଲା ।
ପଞ୍ଚତନ୍ତ୍ରର ଭାରତୀୟ ସଂସ୍କରଣ :
ଭାରତବର୍ଷରେ ମଧ୍ୟ ପଞ୍ଚତନ୍ତ୍ରର ଏକ ସୁଦୀର୍ଘ ପରମ୍ପରା ଦୃଷ୍ଟିଗୋଚର ହୁଏ । ମୂଳଗ୍ରନ୍ଥ ଯଦିଓ ଅନୁପଲବ୍ଧ; ତଥାପି ଏହାର ଆଧାରରେ ରଚିତ ତା’ର ଅନେକ ସଂସ୍କରଣ ବର୍ତ୍ତମାନ ସୁଲଭ୍ୟ । ଭାରତରେ ଆମେ ଏହାର ପ୍ରାୟ ଆଠଟି ଭିନ୍ନ ଭିନ୍ନ ସଂସ୍କରଣ ଦେଖିବାକୁ ପାଉ । ଯଥା- (୧) ତନ୍ତ୍ରାଖ୍ୟାୟିକା, (୨) ଦକ୍ଷିଣ ଭାରତୀୟ ପଞ୍ଚତନ୍ତ୍ର, (୩) ନେପାଳୀ ପଞ୍ଚତନ୍ତ୍ର, (୪) ହିତୋପଦେଶ (୫) ସୋମଦେବକୃତ କଥାସରିତ ସାଗର ଅନ୍ତର୍ଗତ ପଞ୍ଚତନ୍ତ୍ର, (୬) କ୍ଷେମେନ୍ଦ୍ରକୃତ ବୃହତ୍ କଥାମଞ୍ଜରୀ ଅନ୍ତର୍ଗତ ପଞ୍ଚତନ୍ତ୍ର, (୭) ପଶ୍ଚିମୀ ଭାରତୀୟ ପଞ୍ଚତନ୍ତ୍ର ଏବଂ (୮) ପୂର୍ଣ୍ଣଭଦ୍ରକୃତ ପଞ୍ଚାଖ୍ୟାନ । ଏହି ଆଠଗୋଟି ସଂସ୍କରଣ ସମ୍ବନ୍ଧରେ ନିମ୍ନରେ ସାମାନ୍ୟ ସୂଚନା ଦିଆଯାଇପାରେ :-
ତନ୍ତ୍ରାଖ୍ୟାୟିକା ହେଉଛି ପଞ୍ଚତନ୍ତ୍ରର ଏକ କାଶ୍ମୀରୀ ସଂସ୍କରଣ । ଏହାର ପ୍ରତିଲିପି କେବଳ କାଶ୍ମୀରର ଶାରଦା ଲିପିରେ ମିଳିଛି । ଏହାକୁ ସଂପାଦନା କରିଛନ୍ତି ଡକ୍ଟର ହର୍ଟଲ । ତାଙ୍କ ମତରେ ଏଥିରେ ପଞ୍ଚତନ୍ତ୍ରର ଅସଂକ୍ଷିପ୍ତ ଏବଂ ଅବିକୃତ ପାଠ ରହିଛି । କିନ୍ତୁ ଡ. ଏଜର୍ଟନ ତନ୍ତ୍ରାଖ୍ୟାୟିକାକୁ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ । ଏହାର ରଚନାକାଳ ଅନିଶ୍ଚିତ ।
ଦକ୍ଷିଣ ଭାରତୀୟ ପାଠ୍ୟ ପରମ୍ପରାରେ ଏଜର୍ଟନଙ୍କ ମତ ହେଲା – ମୂଳ ପଞ୍ଚତନ୍ତ୍ରର ଗଦ୍ୟଭାଗର ତିନି-ଚତୁର୍ଥାଂଶ ଏବଂ ପଦ୍ୟଭାଗର ଦୁଇ-ତୃତୀୟାଂଶ ସୁରକ୍ଷିତ ଅଛି । କେତେଜଣ ବିଦ୍ୱାନ କହନ୍ତି – ଦକ୍ଷିଣ ସ୍ଥିତ ମହିଳା ରୋପ୍ୟ ନାମକ ନଗରର ଉଲ୍ଲେଖ ପଞ୍ଚତନ୍ତ୍ରରେ ବହୁଥର ହୋଇଛି । ତେଣୁ ମୂଳ ପଞ୍ଚତନ୍ତ୍ରର ରଚନା ସେଇଠି ହୋଇଥାଇପାରେ ।
ନେପାଳୀ ପଞ୍ଚତନ୍ତ୍ର ଗୋଟେ ସମୟରେ ଗଦ୍ୟ-ପଦ୍ୟ ମିଶ୍ରିତ ଥିଲା । ପରେ କେହି ପଦ୍ୟ ଭାଗକୁ ଅଲଗା କରିଦେଇଥିଲେ, ଯାହା ଏବେ ଉପଲବ୍ଧ । ଏହାର ଗଦ୍ୟ ଭାଗ ଏବେ ବିଲୁପ୍ତ । ସଂଯୋଗକୁ ମୂଳ ରଚନାର ଏକ ଗଦ୍ୟ ବାକ୍ୟ ପଦ୍ୟ ଭାଗରେ ରହିଯାଇଛି । ଏହି ପାଠରେ ଥିବା ସମସ୍ତ ଶ୍ଳୋକ ଦକ୍ଷିଣ ଭାରତୀୟ ପାଠରେ ଉପଲବ୍ଧ । କିନ୍ତୁ ଯେଉଁ ପାଠରୁ ଏହାର ଜନ୍ମ, ତାହା ଦକ୍ଷିଣ ଭାରତୀୟ ପଞ୍ଚତନ୍ତ୍ରଠାରୁ ପୃଥକ୍ ଥିଲା ।
ହିତୋପଦେଶ ସଂସ୍କୃତ ସାହିତ୍ୟରେ ପଞ୍ଚତନ୍ତ୍ରଠାରୁ ମଧ୍ୟ ଅଧିକ ଲୋକପ୍ରିୟ ଅଟେ । ପ୍ରାୟ ୯୦୦ ଖ୍ରୀଷ୍ଟାବ୍ଦରେ ଏହାର ରଚୟିତା ନାରାୟଣ ଭଟ୍ଟ ପଞ୍ଚତନ୍ତ୍ରର ଗଦ୍ୟଭାଗକୁ ନେଇ ଖୁବ୍ ସ୍ୱାଧୀନତାର ସହ ନିଜ ବାଗରେ ହିତୋପଦେଶକୁ ଗଢ଼ିଥିଲେ । ପଞ୍ଚତନ୍ତ୍ରରେ ପାଞ୍ଚଟି ତନ୍ତ୍ର ଥିବାବେଳେ, ହିତୋପଦେଶରେ ଚାରିଗୋଟି ବିଭାଗ ରହିଅଛି । ଯଥା- ମିତ୍ରଲାଭ, ସୁହୃଦୟ-ଭେଦ, ବିଗ୍ରହ ଓ ସନ୍ଧି । ପଞ୍ଚତନ୍ତ୍ରର ପ୍ରଥମ ତନ୍ତ୍ର ମିତ୍ରଭେଦ ହିତୋପଦେଶରେ ଦ୍ୱିତୀୟ ସ୍ଥାନରେ ଅବସ୍ଥିତ । ବିଗ୍ରହ ଓ ସନ୍ଧି ନାମକ ବିଭାଗର କଳ୍ପନା ଏଥିରେ ଲେଖକ ନୂଆ ଢଙ୍ଗରେ କରିଛନ୍ତି ଏବଂ ଅନେକ ନୂତନ କଥା ମଧ୍ୟ ଯୋଡ଼ିଛନ୍ତି । ପଞ୍ଚତନ୍ତ୍ରର ତୃତୀୟ ତନ୍ତ୍ର କାକୋଲୁକୀୟ ହିତୋପଦେଶରେ ଭିନ୍ନରୂପେ ସୁଗଠିତ । କାକୋଲୁକୀୟ ସ୍ଥାନରେ କପୁର ଦ୍ୱୀପର ରାଜା ହିରଣ୍ୟଗର୍ଭ ହଂସ ଏବଂ ବିନ୍ଧ୍ୟଗିରିର ରାଜା ଚିତ୍ରବର୍ଣ୍ଣ ମୟୁର ମଧ୍ୟରେ ବିଗ୍ରହ ଓ ସନ୍ଧି ବିଷୟ ବର୍ଣ୍ଣିତ । ପଞ୍ଚତନ୍ତ୍ରର ଚତୁର୍ଥ ତନ୍ତ୍ର ଲବ୍ଧପ୍ରଣାସ ହିତୋପଦେଶରେ ଅନୁପଲବ୍ଧ ଏବଂ ଏହାର ପଞ୍ଚମ ତନ୍ତ୍ର ଅପରୀକ୍ଷିତ କାରକର ସମସ୍ତ କାହାଣୀ ହିତୋପଦେଶର ତୃତୀୟ ଓ ଚତୁର୍ଥ ଭାଗରେ ଦେଖିବାକୁ ମିଳେ । ନାରାୟଣ ଭଟ୍ଟ ହିତୋପଦେଶ ରଚନା କରିବାପାଇଁ ଦକ୍ଷିଣ ଭାରତୀୟ ପଞ୍ଚତନ୍ତ୍ରର ସହାୟତା ନେଇଛନ୍ତି । ମୂଳ ପଞ୍ଚତନ୍ତ୍ରର ଗଦ୍ୟଭାଗର ପ୍ରାୟ ତିନି-ପଞ୍ଚମାଂଶ ଏବଂ ପଦ୍ୟଭାଗର ପ୍ରାୟ ଏକ-ତୃତୀୟାଂଶ ହିତୋପଦେଶରେ ଦେଖିବାକୁ ମିଳେ ।
ବୃହତ୍ କଥାମଞ୍ଜରୀ ଓ କଥାସରିତସାଗର ଉଭୟରେ ଥିବା ଶକ୍ତୀୟ-ଶାଲମ୍ବର ଭିତରେ ପଞ୍ଚତନ୍ତ୍ରର କାହାଣୀମାନ ଅନ୍ତର୍ଭୁକ୍ତ । କିନ୍ତୁ ପଞ୍ଚତନ୍ତ୍ରର ଏହି ରୂପ ମଧ୍ୟରେ ମୂଳ ଗ୍ରନ୍ଥର କଳାତ୍ମକତା ସଂପୂର୍ଣ୍ଣ ହଜିଯାଇଛି । ଏହାକୁ କେବଳ ଏକ ଜୀବନ୍ତ ସାରାଂଶ କହିହେବ । ବୃହତ୍ କଥାର ଗବେଷକ ଶ୍ରୀ ଲାକୋତେଙ୍କ ମତରେ – ମୂଳ ବୃହତ୍ କଥାରେ ପଞ୍ଚତନ୍ତ୍ରର କୌଣସି ସ୍ଥାନ ନଥିଲା । ହୋଇପାରେ ପଞ୍ଚତନ୍ତ୍ରର ଲୋକପ୍ରିୟତା ହେତୁ ପୈଶାଚୀ ବୃହତ୍ କଥାରେ କେବେ ଗୋଟେ ସଂସ୍କୃତ ପଞ୍ଚତନ୍ତ୍ରର ସାରକଥାକୁ ଗ୍ରହଣ କରାଯାଇଅଛି ଏବଂ ତା’ ଆଧାରରେ କ୍ଷେମେନ୍ଦ୍ର ଓ ସୋମଦେବ ତାକୁ ପୁଣି ସଂସ୍କୃତରେ ଅନୁବାଦ କରିଛନ୍ତି । କ୍ଷେମେନ୍ଦ୍ର କିନ୍ତୁ କାଶ୍ମୀରରେ ପ୍ରଚଳିତ ତନ୍ତ୍ରାଖ୍ୟାୟିକାର କେତେକ ବିଷୟ ଗ୍ରହଣ କରିଥିବାର ଦେଖାଯାଏ । ମୂଳ ପଞ୍ଚତନ୍ତ୍ରରେ ଅପ୍ରାପ୍ତ; ଅଥଚ କ୍ଷେମେନ୍ଦ୍ରଙ୍କ ରଚନାରେ ପ୍ରାପ୍ତ ପାଞ୍ଚଟି କାହାଣୀ ଏମିତି ଅଛି ଯାହା ତନ୍ତ୍ରାଖ୍ୟାୟିକାରେ ଆମ୍ଭେ ଦେଖିବାକୁ ପାଉ ।
ପଶ୍ଚିମ ଭାରତୀୟ ପଞ୍ଚତନ୍ତ୍ରର ଗୋଟିଏ ରୂପ ନିର୍ଣ୍ଣୟ ସାଗର ପ୍ରେସ୍ଦ୍ୱାରା ପ୍ରକାଶିତ ସଂସ୍କରଣ ଏବଂ ଅନ୍ୟ ଏକ ରୂପ ମୁମ୍ବାଇ ସଂସ୍କୃତ ସିରିଜ୍ଦ୍ୱାରା ପ୍ରକାଶିତ ସଂସ୍କରଣ ଅଟେ । ଏହି ପାଠ ଏକହଜାର ଖ୍ରୀଷ୍ଟାବ୍ଦରେ ନିଜର ଏକ ରୂପ ନେଇସାରିଥିଲା ।
ଏହି ସବୁ ଗ୍ରନ୍ଥାଦିକୁ ମୂଳ ଆଧାର ଭାବେ ଗ୍ରହଣ କରି ପୂର୍ଣ୍ଣଭଦ୍ର ୧୧୯୬ ମସିହାରେ ‘ପଞ୍ଚାଖ୍ୟାନ’ ଗ୍ରନ୍ଥ ରଚନା କଲେ । ପୂର୍ଣ୍ଣଭଦ୍ରଙ୍କ ଏହି ଗୋଟିଏ ସଂସ୍କରଣର ହିଁ ନିଶ୍ଚିତ ସମୟ ଆମକୁ ଜଣା । ସେ ଲେଖିଛନ୍ତି – ତାଙ୍କ ସମୟରେ ପଞ୍ଚତନ୍ତ୍ରର ପାଠ୍ୟ ପରମ୍ପରା ସଂପୂର୍ଣ୍ଣ ଛିନ୍ଛତ୍ର ହୋଇସାରିଥିଲା । ତାପରେ ସେ ପଞ୍ଚତନ୍ତ୍ରର ସମସ୍ତ ଉପଲବ୍ଧ ସାମଗ୍ରୀ ସଂଗ୍ରହ କରି ଉକ୍ତ ପୁସ୍ତକକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ । ସେ ପ୍ରତ୍ୟେକ ଅକ୍ଷର, ପ୍ରତ୍ୟେକ ପଦ ଓ ପ୍ରତ୍ୟେକ କାହାଣୀରେ ସଂଶୋଧନ କରିଥିଲେ । ଏହିପରି ଭାବରେ ଅନେକ ପ୍ରାଚୀନ ସଂସ୍କରଣକୁ ଏକତ୍ର କରି ପୂର୍ଣ୍ଣଭଦ୍ର ଏକ ନୂତନ ଗ୍ରନ୍ଥ ‘ପଞ୍ଚାଖ୍ୟାନ’ ରୂପରେ ପ୍ରସ୍ତୁତ କଲେ ।
ଏହି ବିବିଧ ସଂସ୍କରଣର ମୂଳରେ ଯେଉଁ ପଞ୍ଚତନ୍ତ୍ର ଥିଲା, ତାହାର ସ୍ୱରୂପ ଜାଣିବା ପାଇଁ ମନରେ ଜିଜ୍ଞାସା ଭାବ ସୃଷ୍ଟି ହେବା ସ୍ୱାଭାବିକ । ଡାକ୍ତର ଏଜର୍ଟନ ଉପରୋଲ୍ଲିଖିତ ସମସ୍ତ ସଂସ୍କରଣର ତୁଳନା କରି ପୂର୍ଣ୍ଣଭଦ୍ରଙ୍କ ପରି ଗୋଟିଏ ଗୋଟିଏ ଅକ୍ଷରର ତୁଳନାତ୍ମକ ବିଚାରକରି ମୂଳ ପଞ୍ଚତନ୍ତ୍ରର ଏକ ନୂତନ ସଂସ୍କରଣ ପ୍ରସ୍ତତ କରିଛନ୍ତି । ଏହାକୁ ସେ ‘ପୁନର୍ଗଠିତ ପଞ୍ଚତନ୍ତ୍ର’ (ଚବଦ୍ଭମଷବଗ୍ଧବଦ୍ଭଗ୍ଧକ୍ସବ ଜରମକ୍ଟଦ୍ଭଗ୍ଦଗ୍ଧକ୍ସଙ୍କମଗ୍ଧରୟ) ବୋଲି ନାମ ଦେଇଛନ୍ତି । ଏହିଭଳି ଭାବରେ ଅନେକ ବିଦ୍ୱାନଙ୍କଦ୍ୱାରା ଭାରତର ବିଭିନ୍ନ ଭାଷାରେ ପଞ୍ଚତନ୍ତ୍ରର ଅନୁବାଦ ହୋଇଥିବାର ଦେଖାଯାଏ । ଏହି ସବୁ ସଂସ୍କରଣରୁ ଏତିକି ବୁଝାପଡ଼େ ଯେ, ସାହିତ୍ୟିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେବଳ ପଞ୍ଚତନ୍ତ୍ର ସର୍ବଶ୍ରେଷ୍ଠ ଗ୍ରନ୍ଥ ନୁହେଁ; ବରଂ ଏହା ଏକ ପରିଶୀଳିତ, କାରୁକାର୍ଯ୍ୟ ବିମଣ୍ଡିତ ନିପୁଣତମ ସୁନ୍ଦର ରଚନା ।
ପଞ୍ଚତନ୍ତ୍ରର ସ୍ୱରୂପ :
ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଭାରତର ଦକ୍ଷିଣ ପ୍ରାନ୍ତରେ ମହିଳାରୋପ୍ୟ ନାମକ ରାଜ୍ୟରେ ରାଜା ଅମରଶକ୍ତି ଶାସନ କରୁଥିଲେ । ତାଙ୍କ ତିନି ପୁତ୍ରଙ୍କ ନାମ ଥିଲା- ବହୁଶକ୍ତି, ଉଗ୍ରଶକ୍ତି ଏବଂ ଅନନ୍ତଶକ୍ତି । ରାଜା ଅମରଶକ୍ତି ଯେତେ ଉଦାର ଏବଂ ସୁଶାସକ ଥିଲେ ତାଙ୍କ ପୁତ୍ରଗଣ ଥିଲେ ସେତେ ମୂର୍ଖ ଓ ଅହଙ୍କାରୀ । ରାଜା ତାଙ୍କୁ ବ୍ୟାବହାରିକ ଶିକ୍ଷା ଦେବାକୁ ବହୁ ଚେଷ୍ଟାକଲେ, ମାତ୍ର କିଛି କାମ ଦେଲାନାହିଁ । ତାପରେ ହତାଶ ରାଜା ନିଜ ମନ୍ତ୍ରୀମଣ୍ଡଳକୁ ନେଇ ଏକ ବୈଠକ ବସାଇଲେ । ମନ୍ତ୍ରୀମାନଙ୍କ ଭିତରେ କିଛି ଯୋଗ୍ୟ ଓ ଦୂରଦର୍ଶୀ ମନ୍ତ୍ରୀ ମଧ୍ୟ ଥିଲେ । ତନ୍ମଧ୍ୟରୁ ସୁମତି ନାମକ ଜଣେ ମନ୍ତ୍ରୀ ରାଜାଙ୍କୁ ପରାମର୍ଶ ଦେଲେ ଯେ ପଣ୍ଡିତ ବିଷ୍ଣୁଶର୍ମା ନାମରେ ଜଣେ ଶାସ୍ତ୍ରଜ୍ଞ କୁଶଳ ବ୍ରାହ୍ମଣ ଅଛନ୍ତି । ଯଦି ରାଜକୁମାରମାନଙ୍କୁ ଶିକ୍ଷାଦେବା ଓ ବ୍ୟାବହାରିକ ରୂପେ ପ୍ରଶିକ୍ଷିତ କରିବାର ଉତ୍ତର ଦାୟିତ୍ୱ ତାଙ୍କୁ ଦିଆଯାଏ ତାହେଲେ ସେ ବହୁତ କମ୍ ସମୟ ମଧ୍ୟରେ ରାଜକୁମାରମାନଙ୍କୁ ଶିକ୍ଷିତ କରିପାରିବେ ।
ଏହାପରେ ରାଜା ବିଷ୍ଣୁଶର୍ମାଙ୍କୁ ଡକାଇ ରାଜକୁମାରମାନଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କୁ ଅନୁରୋଧ କଲେ ଏବଂ ଉପହାରସ୍ୱରୂପ ଶହେଗୋଟି ଗ୍ରାମ ଦେବା ପାଇଁ ପ୍ରସ୍ତାବ ଦେଲେ । ବିଜ୍ଞ ବିଷ୍ଣୁଶର୍ମା କିନ୍ତୁ ଏହି ଉପହାରକୁ ଅସ୍ୱୀକାର କରିଥିଲେ ଏବଂ ଏହାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ରାଜଦରବାରରେ ଘୋଷଣା କଲେ ଯେ ଏହି ଅସମ୍ଭବ କାର୍ଯ୍ୟକୁ ସେ ମାତ୍ର ଛଅ ମାସ ମଧ୍ୟରେ ପୂର୍ଣ୍ଣ କରିବେ । ଯଦି ଏଥିରେ ସେ ଅସଫଳ ହୁଅନ୍ତି, ତେବେ ମୃତ୍ୟୁଦଣ୍ଡ ପାଇବାକୁ ମଧ୍ୟ ସେ ରାଜି ହେବେ । ଘୋଷଣାଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଷ୍ଣୁଶର୍ମା ରାଜକୁମାରମାନଙ୍କୁ ଶିକ୍ଷିତ କରାଇବା ପାଇଁ ନୀତିଶାସ୍ତ୍ର ସମ୍ବନ୍ଧିତ ବିଭିନ୍ନ କାହାଣୀ ଶୁଣାଇଲେ । ସେ ଏହି କାହାଣୀର ଚରିତ୍ର ଭାବରେ ପଶୁ-ପକ୍ଷୀମାନଙ୍କୁ ଗ୍ରହଣ କରି ରାଜକୁମାରମାନଙ୍କୁ ଉଚିତ-ଅନୁଚିତର ଜ୍ଞାନ ଦେବାକୁ ଚେଷ୍ଟା କଲେ । ସେମାନଙ୍କ ଶିକ୍ଷା ସମାପ୍ତ ହେବାପରେ ବିଷ୍ଣୁଶର୍ମା ଏ କାହାଣୀଗୁଡ଼ିକୁ ସଂଗୃହୀତ କଲେ, ଯାହାକୁ ଆମେ ଆଜି ‘ପଞ୍ଚତନ୍ତ୍ର’ କାହାଣୀ ଭାବରେ ଜାଣୁଛୁ । ବିଷ୍ଣଶର୍ମା ଯେଉଁ କାହାଣୀ ମାଧ୍ୟମରେ ନୀତିକଥା ଶିଖାଇଲେ ସେହି କାହାଣୀଗୁଡ଼ିକର ସଂଗ୍ରହ ପାଞ୍ଚ ଭାଗରେ କରାଯାଇଅଛି । ତେଣୁ ଏହାକୁ ‘ପଞ୍ଚତନ୍ତ୍ର’ କୁହାଯାଏ । ଏଠି ‘ତନ୍ତ୍ର’ ସିଦ୍ଧାନ୍ତ, ଭାଗ ବା ଖଣ୍ଡ ଆଦି ଅର୍ଥରେ ବ୍ୟବହୃତ । ପାଞ୍ଚଟି ତନ୍ତ୍ରରେ ପାଞ୍ଚଟି ସିଦ୍ଧାନ୍ତ ସନ୍ନିବସିତ । ଯଥା- ‘ମିତ୍ରଭେଦ’, ‘ମିତ୍ର ସଂପ୍ରାପ୍ତି’ ବା ‘ମିତ୍ରଲାଭ’, ‘କାକୋଲୂକୀୟରେ ବିଗ୍ରହ ଓ ସନ୍ଧି’, ଲବ୍ଧପ୍ରଣାସରେ ପ୍ରାପ୍ତ ଅର୍ଥର ବିନାଶ ଏବଂ ଅପରୀକ୍ଷିତ କାରକରେ ଅପରିଣାମଦର୍ଶିତା ବା ଅବିଚାରିତ କର୍ମର ପରିଣତି । ଏହି ଭାଗଗୁଡ଼ିକରେ ଯଥାକ୍ରମେ ୨୨, ୬, ୧୭, ୧୫, ୧୫ ଏପରି ସର୍ବମୋଟ ୭୫ଟି କଥା ଓ ପ୍ରାୟ ୧୨୦୦ ଉପାଦାୟ ଶ୍ଳୋକ ସନ୍ନିବସିତ । ବିଭିନ୍ନ ସଂସ୍କରଣରେ ପରିବର୍ତ୍ତନ ଥିଲେ ହେଁ ମୋଟାମୋଟି କଳେବର ଏହିପରି ।(୩) ନିମ୍ନରେ ଏହି ତନ୍ତ୍ରମାନଙ୍କ ବିଷୟରେ ସଂକ୍ଷେପରେ ସୂଚନା ଦିଆଗଲା-
(କ) ମିତ୍ରଭେଦ :
ନୀତିକଥାମାନଙ୍କର କିଛି ମୁଖ୍ୟ କଥା ଥାଏ ଏବଂ ତାକୁ ସ୍ପଷ୍ଟ ବା ପ୍ରାମାଣିକ କରିବା ପାଇଁ ରହିଥାଏ କିଛି ଗୌଣ କଥା । ମିତ୍ରଭେଦରେ ଅଙ୍ଗୀକଥା ପୂର୍ବରୁ ମହିଳାରୋପ୍ୟର ରାଜା ଅମରଶକ୍ତିଙ୍କ ବିଷୟ ବର୍ଣ୍ଣିତ । ଅମରଶକ୍ତି ନିଜ ମୂର୍ଖ ଓ ଅହଙ୍କାରୀ ପୁତ୍ରମାନଙ୍କ ଭବିଷ୍ୟତ ଉପରେ ଚିନ୍ତିତ ଥିଲେ ଏବଂ ଏଥିପାଇଁ ସେ ନିଜ ପୁତ୍ରମାନଙ୍କୁ ଶିକ୍ଷିତ କରାଇବାର ଦାୟିତ୍ୱ ନେଇଥିଲେ । ବିଷ୍ଣୁଶର୍ମା ମାତ୍ର ଛଅମାସ ମଧ୍ୟରେ ବିଭିନ୍ନ କାହାଣୀ ମାଧ୍ୟମରେ ରାଜକୁମାରମାନଙ୍କୁ ଶିକ୍ଷିତ କରାଇବାରେ ସଫଳ ହୁଅନ୍ତି । ଏହାପରେ ମିତ୍ରଭେଦର ଅଙ୍ଗୀକଥାର ଆରମ୍ଭ ହୋଇଛି । ଏଥିରେ ଏକ ଦୁଷ୍ଟ ବିଲୁଆ କିପରି ପିଙ୍ଗଳକ ନାମକ ସିଂହ ଏବଂ ସଂଜୀବକ ନାମକ ଏକ ଷଣ୍ଢ ମଧ୍ୟରେ ଶତ୍ରୁତା ଉତ୍ପନ୍ନ କରାଇଛି ତାହା ବର୍ଣ୍ଣିତ । ଏହି ସଂଜୀବକ ଷଣ୍ଢକୁ ସିଂହ ନିଜ ପ୍ରିୟ ବନ୍ଧୁ ଭଳି ଦେଖୁଥିଲା । ସିଂହର ବିଶ୍ୱାସଭାଜନ ଅମାତ୍ୟ କରଟକ ଓ ଦମନକ ନାମକ ଶୃଗାଳଦ୍ୱୟ ଏହି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିଛନ୍ତି । ଏମାନଙ୍କ ବାରଣ ସତ୍ତ୍ୱେ ସିଂହ ତାକୁ ବନ୍ଧୁ ବନାଇଛି । ଶୃଗାଳଙ୍କଦ୍ୱାରା ଏପରି କିଛି କୌଶଳ ପ୍ରୟୋଗ ହୋଇଛି ଯାହା ଫଳରେ ସିଂହ ବଳିବର୍ଦ୍ଦ ଷଣ୍ଢକୁ ଅବିଶ୍ୱାସ କରିଛି ଏବଂ ଶେଷରେ ମାରିଦେଇଛି । ତା’ର ରକ୍ତାକ୍ତ ପାଦ ଦେଖି ସେ ଅନୁତାପ କରିଛି; କିନ୍ତୁ ଦମନକ ତାକୁ ଆଶ୍ୱାସନା ଦେଇ ତା’ର ପ୍ରଧାନମନ୍ତ୍ରୀ ଭାବରେ ରହିଛି । ବାସ୍ତବରେ ଅନେକ ରାଜନୈତିକ ଓ ସାମାଜିକ ଶିକ୍ଷା ଏଥିରୁ ମିଳେ । ପୁଣି ଧୈର୍ଯ୍ୟ ଥିଲେ କଠିନରୁ କଠିନତର ପରିସ୍ଥିତିକୁ ବି ସାମ୍ନା କରିହୁଏ ବୋଲି ଏଥିରେ ଉଲ୍ଲିଖିତ-
“ତ୍ୟାଜଂ ନ ଧୈର୍ଯ୍ୟ ବିଧୁରେ ଅପି କାଲେ ଧୈର୍ଯାତ୍କବାଚିତ୍
ଗତିମାୟୁୟାତ୍ସଃ ।” (ମିତ୍ରଭେଦ, ଶ୍ଳୋକ-୩୪୫)
ପଞ୍ଚତନ୍ତ୍ରର ପାଞ୍ଚଟି ତନ୍ତ୍ର ମଧ୍ୟରୁ ଏହି ତନ୍ତ୍ର ସବୁଠୁ ବଡ଼ ।
(ଖ) ମିତ୍ର ସଂପ୍ରାପ୍ତି :
ଚତୁର କପୋତରାଜ ଚିତ୍ରଗ୍ରୀବ ଉପାଖ୍ୟାନ ଏହାର ପ୍ରଧାନ କଥା । ଏହି ତନ୍ତ୍ରରେ ମିତ୍ରପ୍ରାପ୍ତି କେତେ ସୁଖ ଓ ଆନନ୍ଦଦାୟକ ତାହା କପୋତରାଜ ଚିତ୍ରଗ୍ରୀବର କାହାଣୀ ମାଧ୍ୟମରେ କୁହାଯାଇଛି । ବିପତ୍ତିରେ ମିତ୍ର ହିଁ ସହାୟକ ହୁଏ-
“ସର୍ବେଣାମେବ ମର୍ତ୍ୟାନଂ ବ୍ୟସନେ ସମୁପସ୍ଥିତେ ।
ଇାଡ଼ମାତ୍ରେଣାପି ସାହାଯ୍ୟଂ ମିତ୍ରାଦନ୍ୟୋ ନ ସଂଦଧେ ।”
(ମିତ୍ର ସଂପ୍ରାପ୍ତି, ଶ୍ଳୋକ- ୧୨)
ଏଥିରେ କୁହାଯାଇଛି ମିତ୍ରଙ୍କ ଗୃହାଗମନ ସ୍ୱର୍ଗ ସୁଖଠୁ ବି ବଳି । ଏହି ତନ୍ତ୍ର ଉପଦେଶ ଦିଏ ଯେ ଉପଯୋଗୀ ମିତ୍ରଙ୍କ ସହ ସଂପର୍କ ସ୍ଥାପନ କରିବା ଉଚିତ । ଯେପରି କାଉ, କଇଁଛ, ହରିଣ ଓ ମୂଷା ମିତ୍ରତା କରିବା ଫଳରେ ସେମାନେ ସୁଖରେ ଥିଲେ । ସମ୍ପୂର୍ଣ୍ଣ ପଞ୍ଚତନ୍ତ୍ରର ୨୨ ଭାଗ ହେଉଛି ମିତ୍ର ସଂପ୍ରାପ୍ତି ।
(ଗ) କାକୋଲୂକୀୟ :
ଏହି ତୃତୀୟ ତନ୍ତ୍ରରେ ଯୁଦ୍ଧ ଓ ସନ୍ଧିର ବର୍ଣ୍ଣନାପୂର୍ବକ ପେଚାମାନଙ୍କର ଦୁର୍ଗକୁ କୁଆମାନେ କିପରି ନଷ୍ଟ କରିଦେଇଛନ୍ତି, ତାହା ମନୋଜ୍ଞ ଶୈଳୀରେ ଚିତ୍ରିତ । ଏଥିରେ କୁହାଯାଇଛି- ସ୍ୱାର୍ଥସିଦ୍ଧି ପାଇଁ ଶତ୍ରୁ ସହ ବି ମିତ୍ରତା କରାଯାଇପାରେ ଏବଂ ପରେ ତାକୁ ବି ଧୋକାଦେଇ ତା’ର ସବୁକିଛି ନଷ୍ଟ କରିଦିଆଯାଇପାରେ । କାହାଣୀରେ କୁଆ ପ୍ରଥମେ ପେଚା ସହ ମିତ୍ରତା ସ୍ଥାପନ କରି ପରେ ପେଚାର ଦୁର୍ଗରେ ନିଆଁ ଲଗାଇଦିଏ । ଏହି କାହାଣୀର ଉଦ୍ଦେଶ୍ୟ ହେଲା- ଯେଉଁ ମଣିଷ ଆଳସ୍ୟବଶତଃ ସ୍ୱଚ୍ଛନ୍ଦତା ପାଇଁ ଶତ୍ରୁ ଏବଂ ରୋଗକୁ ଅଣଦେଖା କରେ, ତାକୁ ଅଟକାଇବାକୁ ଚେଷ୍ଟା ବି କରେନି ସେ ଧୀରେ ଧୀରେ ସେହି କାରଣବଶତଃ ମୃତ୍ୟୁମୁଖରେ ପଡ଼େ । ଦୃଷ୍ଟାନ୍ତ ସ୍ୱରୂପ-
“ୟ ଉପେକ୍ଷେତ ଶତ୍ରୁ ସ୍ୱଂ ପ୍ରସରସ୍ତଂ ଯଦୃଚ୍ଛୟା ।
ରୋଗ ଚାଅଲସ୍ୟ ସଂଯୁକ୍ତଃ ସ ଶନୈସ୍ତେନ ହନ୍ୟତେ ।”
(କାକୋଲୂକୀୟ, ଶ୍ଳୋକ-୨)
(ଘ) ଲବ୍ଧପ୍ରଣାସ :
ଏହି ତନ୍ତ୍ରରେ ବାନର ମକର କଥା ମୁଖ୍ୟ ଭାବରେ ଦିଆଯାଇଥିବାବେଳେ ଅନ୍ୟ କେତେକ କାହାଣୀ ଅବାନ୍ତର ଭଳି ମନେହୁଏ । ଏଥିରେ କୁହାଯାଇଛି କି ଯାହା ଲବ୍ଧ ଅର୍ଥାତ୍ ଅଭୀଷ୍ଟ ତାହା ପ୍ରାପ୍ତ ହେଉ ହେଉ କେମିତି ନଷ୍ଟ ହୋଇଯାଇପାରେ । କାହାଣୀ କହେ କି ବୁଦ୍ଧିମାନ ନିଜ ବୁଦ୍ଧି ବଳରେ ଜିତିଯାଏ ଏବଂ ମୂର୍ଖ ହାତକୁ ଆସିଥିବା ବସ୍ତୁକୁ ବି ଶେଷରେ ହାତଛଡ଼ା କରେ ।
(ଙ) ଅପରୀକ୍ଷିତ କାରକ :
ପଞ୍ଚତନ୍ତ୍ରର ପଞ୍ଚମ ଭାଗରେ ବିଚାରପୂର୍ବକ ସୁପରୀକ୍ଷିତ କାର୍ଯ୍ୟ କରିବା ପାଇଁ ସାବଧାନ କରିଦିଆଯାଇଛି । କାହିଁକିନା ଭଲ ଭାବରେ ବିଚାର ନକରି କୌଣସି କାର୍ଯ୍ୟରେ ହାତଦେଲେ ଅନେକ ପ୍ରତିକୁଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ । ତେଣୁ ଅନ୍ଧାନୁକରଣ ସବୁବେଳେ ବର୍ଜନୀୟ । ଏହି ତନ୍ତ୍ରର ମୁଖ୍ୟ କଥାରେ ଅବିଚାରିତ ଭାବରେ ଅନ୍ଧାନୁକରଣ କରୁଥିବା ଜଣେ ଭଣ୍ଡାରୀର କାହାଣୀ ଅଛି, ଯିଏ ବିନା ଭାବିଚିନ୍ତି ମଣିଭଦ୍ର ନାମକ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିର ଅନ୍ଧାନୁକରଣ କରି ଦୁଃଖଭୋଗ କରିଛି । ତେଣୁ ବିନା ପରୀକ୍ଷାରେ ଭଣ୍ଡାରୀ ପରି ଅନୁଚିତ କର୍ମ କରିବା ଠିକ୍ ନୁହେଁ ବୋଲି ଏଠି ସୂଚନା ଦିଆଯାଇଛି । ପୁନଶ୍ଚ କୁହାଯାଇଛି ସଂପୂର୍ଣ୍ଣ ଖବର ନ ଜାଣି କୌଣସି କାର୍ଯ୍ୟ ନ କରିବା କଥା, ନ ହେଲେ ଅନୁତାପ କରିବା ହିଁ ଶ୍ରେୟ ହୁଏ । ଯଥା- ବ୍ରାହ୍ମଣ ପତ୍ନୀ କିଛି ନ ଜାଣି ନ ଶୁଣି ରକ୍ତରଂଜିତ ନେଉଳକୁ ଏହା ଭାବିକି ମାରିଦେଲା ଯେ ସେ ତା’ ପୁଅକୁ ଖାଇଦେଇଛି । ବସ୍ତୁତଃ ନେଉଳ ତା’ ପୁଅକୁ ରକ୍ଷା କରିବା ପାଇଁ ଗୋଟିଏ ସାପକୁ ମାରିଥିଲା ଏବଂ ତା ମୁହଁକୁ ରକ୍ତରଂଜିତ କରିଥିଲା । ଏଥିପାଇଁ କୁହାଯାଇଛି-
“ଅପରୀକ୍ଷ ନ କର୍ତ୍ତବ୍ୟଂ ସୁପରୀକ୍ଷିତମ୍
ପଶ୍ଚାଦ୍ ଭବତି ସନ୍ନାପୋ ବ୍ରାହ୍ମଣ୍ୟା ନକୁଲେ ଯଥା ।”
(ଅପରୀକ୍ଷିତ କାରକ, ଶ୍ଳୋକ-୧୭)
ପଞ୍ଚତନ୍ତ୍ରରେ ଏହି କାହାଣୀମାନଙ୍କ ବ୍ୟତୀତ ଅତିରିକ୍ତ କିଛି କାହାଣୀ ମଧ୍ୟ ରହିଅଛି । ସମସ୍ତ କାହାଣୀ ନୀତି କଥା ସମ୍ବଳିତ ଉପଦେଶାତ୍ମକ ରଚନା । ନୀତି କଥାମାନଙ୍କର ମାନବେତର ଚରିତ୍ର ପ୍ରାୟ ଦୁଇ ପ୍ରକାର ଥାଆନ୍ତି । ଯଥା- ସଜୀବ ପ୍ରାଣୀ ଏବଂ ଅଚେତନ ପଦାର୍ଥ । ପଞ୍ଚତନ୍ତ୍ରରେ ମଧ୍ୟ ଏହି ଦୁଇ ପ୍ରକାର ଚରିତ୍ର ଦେଖିବାକୁ ମିଳନ୍ତି । ପଶୁମାନଙ୍କ ମଧ୍ୟରେ- ସିଂହ, ବ୍ୟାଘ୍ର, ଶୃଗାଳ, ଶଶକ, ବୃଷଭ, ଗଧ ଆଦି, ପକ୍ଷୀମାନଙ୍କ ମଧ୍ୟରେ କୁଆ, ପେଚା, କପୋତ, ମୟୁର, ଶୁଆ, ଚଟକ ଆଦି ତଥା ଇତର ପ୍ରାଣୀ ମଧ୍ୟରେ ସାପ, ନକୁଳ, ପିପିଲିକା ଆଦି । ଏହା ବ୍ୟତୀତ ନଦୀ, ସମୁଦ୍ର, ବୃକ୍ଷ, ପର୍ବତ, ଗୁମ୍ଫା ଆଦି ଅଚେତନ ଚରିତ୍ର ମଧ୍ୟ ଏଥିରେ ଅଛନ୍ତି ଯାହାଙ୍କ ଉପରେ ମାନବୀୟ ବ୍ୟବହାରର ଆରୋପ କରାଯାଇଅଛି । ସୁତରାଂ ପଞ୍ଚତନ୍ତ୍ର କେବଳ ଏକ ଗ୍ରନ୍ଥ ନୁହେଁ; ଏହା ସମଗ୍ର ଭାରତୀୟ ଜନମାନସର ଗୋଟିଏ କଳାତ୍ମକ ପ୍ରତିରୂପ । ଭାରତୀୟ ଚିନ୍ତା-ଚେତନା, ସଂସ୍କୃତି, ପରମ୍ପରାର ଏକ ଲିଖିତ ଦଲିଲ୍ । ବିଶ୍ୱ ସାହିତ୍ୟରେ ପ୍ରତିନିଧିତ୍ୱ କରୁଥିବା କଥାଶ୍ରେଷ୍ଠ ପଞ୍ଚତନ୍ତ୍ର ପାଇଁ ଆଜି ସମଗ୍ର ଭାରତୀୟ ସାହିତ୍ୟ ଗର୍ବିତ ।
ପ୍ରାନ୍ତଟୀକା :
(୧) ଦାସ, ଶ୍ରୀଧର – ପଞ୍ଚତନ୍ତ୍ର (ଅନୁ), ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ, କଟକ-୨, ତୃତୀୟ ମୁଦ୍ରଣ: ୨୦୧୩, ମୁଖବନ୍ଧ ।
(୨) ଶତପଥୀ, ଡ ହରେକୃଷ୍ଣ – ସଂସ୍କୃତ ସାହିତ୍ୟର ଇତିହାସ, କିତାବ ମହଲ, କଟକ-୩, ତୃତୀୟ ସଂସ୍କରଣ, ୧୯୯୮, ପୃ-୨୬୬-୨୬୭ ।
(୩) ଦାସ, ଶ୍ରୀଧର – ପଞ୍ଚତନ୍ତ୍ର (ଅନୁ), ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ, କଟକ-୨, ତୃତୀୟ ମୁଦ୍ରଣ: ୨୦୧୩, ମୁଖବନ୍ଧ ।
(୪) ଶତପଥୀ, ଡ. ହରେକୃଷ୍ଣ – ସଂସ୍କୃତ ସାହିତ୍ୟର ଇତିହାସ, ପୃ-୫୩୭ ।
(୫) ତତ୍ରୈବ, ପୃ- ୫୩୮ ।