ଲୋକପର୍ବ ଟକିମରା : ଏକ ଅନୁଶୀଳନ

ସାରୁ କୁମାର ନାଏକ 383 Views
13 Min Read

ରାୟଗଡ଼ା ଜିଲ୍ଲାର କାଶୀପୁର, କଲ୍ୟାଣସିଂହପୁର, ମୁନିଗୁଡ଼ା, କଲନରା, ରାୟଗଡ଼ା, ଗୁଣୁପୁର ଆଦି ଅଞ୍ଚଳରେ ‘କନ୍ଧ’ ସଂପ୍ରଦାୟର ଲୋକମାନେ ଅନେକ ପରିମାଣରେ ଦୃଷ୍ଟିଗୋଚର ହୋଇଥାନ୍ତି । ଏମାନଙ୍କର ଜୀବନଚର୍ଯ୍ୟା, ଚାଲିଚଳଣି, ପରଂପରା ତଥା ପର୍ବପର୍ବାଣୀକୁ ଅନୁଧ୍ୟାନ କଲେ ସେଥିରୁ ଅନେକ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ଏହି ସଂପ୍ରଦାୟର ଲୋକମାନେ ସେମାନଙ୍କର ଜୀବନରେ ଆସୁଥିବା ଅନେକ ଉତ୍ସବ ଏବଂ ପର୍ବପର୍ବାଣୀକୁ ଅତ୍ୟନ୍ତ ଆନନ୍ଦ ଉଲା୍ଲସ ତଥା ମହାଆଡ଼ମ୍ବରର ସହିତ ପାଳନ କରିଥାନ୍ତି । କିନ୍ତୁ ରାୟଗଡ଼ା ଜିଲ୍ଲାର ପଶ୍ଚିମାଞ୍ଚଳରେ ଅର୍ଥାତ୍ ଲାକ୍ରିସ୍‌, ତଳଝିରୀ, କାଶୀପୁର, ତଳପାଡ଼ିଖାଲ, ଉପରପାଡ଼ିଖାଲ,ଚାନ୍ଦିଗିରୀ, ସିନ୍ଦୁରଘାଟି, ଲେକାପାଇ, ମାଣ୍ଡିବିଶି ଆଦି ଅଞ୍ଚଳରେ ପ୍ରମୁଖ ପର୍ବ ଭାବରେ ‘ଟକିମରା’ ପର୍ବକୁ ପାଳନ କରିଥାନ୍ତି, ଯାହା ଅନ୍ୟ ଅଞ୍ଚଳରେ ଥିବା ‘କନ୍ଧ’ ସଂପ୍ରଦାୟର ଲୋକମାନେ ପ୍ରାୟତଃ ପାଳନ କରନ୍ତି ନାହିଁ ।

ରାୟଗଡ଼ା ଜିଲ୍ଲାର ଉକ୍ତ ଅଞ୍ଚଳରେ ଝିଅମାନଙ୍କୁ ‘ଟକି’ ବୋଲି ସମ୍ବୋଧନ କରାଯାଇଥାଏ । ଓଡ଼ିଆରେ ଝିଅକୁ ‘ଟୋକି’ ବୋଲି କୁହାଯାଏ । ତେଣୁ ଏହି ‘ଟୋକି’ ଶବ୍ଦର ଉଚ୍ଚାରଣଗତ ଅଶୁଦ୍ଧି କନ୍ଧ ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ହୋଇ ତାହା ‘ଟକି’ରେ ପରିଣତ ହୋଇଅଛି । ପୂର୍ବରୁ ପାରଂପରିକ ଭାବରେ ଏହି ପର୍ବରେ କୁଆଁରୀ ଝିଅଟିକୁ ବଳୀ ଦିଆଯାଉଥିବାରୁ ଏହି ପର୍ବକୁ ‘ଟକିମରା’ ବା ‘ଟୋକିମରା’ ପର୍ବ ବୋଲି କୁହାଯାଇଥାଏ ।

କନ୍ଧମାନଙ୍କ ପର୍ବ ଟକିମରାରେ ହରିଜନ ସଂପ୍ରଦାୟର ମଧ୍ୟ ଏକ ବିଶେଷ ଭୂମିକା ରହିଥାଏ । କାରଣ ପୂର୍ବେ ସର୍ବପ୍ରଥମେ ହରିଜନ ସଂପ୍ରଦାୟର ‘ଟାକିରୀ’ ବଂଶର ଲୋକମାନେ ଏହି ପର୍ବକୁ ଅନୁଷ୍ଠିତ କରି ସମସ୍ତ ନୀତିନିୟମ ପାଳନ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ତାହାକୁ ବଜାୟୀ ରଖିପାରିଲେ ନାହିଁ ଏବଂ ଟକିମରା ପର୍ବ ପାଳନ କରିବାର ସମସ୍ତ ଦାୟିତ୍ୱ କନ୍ଧ ସଂପ୍ରଦାୟର ଲୋକମାନଙ୍କ ହାତରେ ସମର୍ପି ଦେଇଥିଲେ । ତେଣୁ ଉକ୍ତ ଦିନରୁ ଆଜି ପର୍ଯ୍ୟନ୍ତ କେବଳ କନ୍ଧ ସଂପ୍ରଦାୟର ଲୋକମାନେ ପର୍ବ ଅନୁଷ୍ଠିତ କରିଆସିଛନ୍ତି, କିନ୍ତୁ ‘ଟକିମରା’ ପର୍ବ ଆରମ୍ଭ ହେବା ପୂର୍ବରୁ ଲାକ୍ରିସ୍ ଗ୍ରାମର ହରିଜନ ସଂପ୍ରଦାୟର ‘ଟାକିରି’ ବଂଶର ଲୋକ ଜାନି, ଦିସାରି ତଥା ଗାଁର ବରିଷ୍ଠ ବ୍ୟକ୍ତିମାନଙ୍କୁ ସିରିସୂତା (ପଇତା), ପିତା ଘୁଷୁରୀ (ପୂଜା ନିମିତ୍ତ ଏକ ଘୁଷୁରୀ) ଏବଂ ଟାଙ୍ଗିଖେଦିଆ (ଧୋତି) ଦେଇଥାନ୍ତି । ‘ଟକିମରା’ ପର୍ବ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସମସ୍ତେ ସିରିସୂତା ପିନ୍ଧନ୍ତି । ଟାଙ୍ଗିଖେଦିଆ ଟାଙ୍ଗିରେ ବାନ୍ଧନ୍ତି । ଏବଂ ଦିଆଯାଇଥିବା ପିତା ଘୁଷୁରିକୁ ପୂଜାକରି ବଳୀଦେଇ ତା’ର ମାଂସକୁ ଖାଇଥାନ୍ତି । ପୂର୍ବର ମାନ୍ୟତା ଅଛି, ଯେଉଁ ବ୍ୟକ୍ତି ଏହି ଘୁଷୁରି ମାଂସକୁ ଖାଇଥାଏ ସେ ଏହି ଲାକ୍ରିସ ଗ୍ରାମ ଛାଡ଼ି ଅନ୍ୟ ଗ୍ରାମକୁ ଯାଇ ଘରକରି ରହିପାରିବ ନାହିଁ । ଯଦି ସେ ଯାଏ ତେବେ ତା’ର ଅନିଷ୍ଟ ହୋଇଥାଏ । ତେଣୁ ଏହି ମାଂସକୁ କମ୍ ଲୋକ ଖାଆନ୍ତି ଏବଂ ଯେଉଁମାନେ ଖାଆନ୍ତି ସେମାନେ ଗାଁ ଛାଡ଼ି ଅନ୍ୟ ଗାଁକୁ ଯାଆନ୍ତି ନାହିଁ ।

‘କନ୍ଧ’ ସଂପ୍ରଦାୟର ବରିଷ୍ଠ ଲୋକମାନେ ତଥା ଜାନି, ଦିଶାରୀମାନେ ମିଶି ପାଞ୍ଜି ଓ ଖଡ଼ି ଦେଖିସାରିବା ପରେ ଏକ ଶୁଭମୁହୂର୍ତ୍ତଟିଏ ଚୟନ କରି କାଶୀପୁରର ଠାଟ୍‌ରାଜା (ରାଜା)ଙ୍କ ପାଖକୁ ଅନୁମତି ମାଗିବା ପାଇଁ ଯାଆନ୍ତି । ରାଜାଙ୍କ ସହ କଥାବାର୍ତ୍ତା ହୋଇ ସେମାନେ ନିର୍ଦ୍ଧାରିତ କରିଥିବା ଶୁଭଦିନ ବିଷୟରେ ରାଜାଙ୍କୁ ଅବଗତ କରାନ୍ତି । ରାଜା ଶୁଣିସାରିବା ପରେ ‘ଟକିମରା’ ପର୍ବ ଉକ୍ତ ତିଥିରେ ପାଳନ କରିବା ପାଇଁ ଅନୁମତି ଦେଇଥାନ୍ତି । ଏହା ସବୁକିଛି ପ୍ରତିବର୍ଷ ଦଶହରା ଦିନ ହୋଇଥାଏ । ଯେଉଁ ଗାଁରେ ‘ଟକିମରା’ ପର୍ବ ଅନୁଷ୍ଠିତ ହେବାର ତିଥି ନିର୍ଦ୍ଧାରଣ କରାଯାଇଥାଏ, ସେହି ଗାଁର ଜାନିବୁଢ଼ା ଗୋଟିଏ ମାଠିଆରେ ମୁଥ୍‌ପାଣି (ପୂଜା ନିମନ୍ତେ ପବିତ୍ର ପାଣି) ଭର୍ତ୍ତି କରି ଗୋଟିଏ ଧୋତିରେ ବାନ୍ଧି କାଶୀପୁରର ମାଣିକେଶ୍ୱରୀ ମନ୍ଦିରରୁ ତା’ର ଗୃହକୁ ଆଣି ସାଇତି ରଖିଥାଏ । ଏହାର ଚାରିମାସ ପରେ ପୌଷ ମାସରେ ପୂର୍ବରୁ ନିର୍ଦ୍ଧାରିତ ତିଥି ଅନୁସାରେ ‘ଟକିମରା’ ପର୍ବ ଉକ୍ତ ଗାଁରେ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ଚାରିଦିନ ଧରି ପାଳିତ ହୋଇଥାଏ । ଏହି ସମୟରେ ସେହି ଗାଁକୁ ଆସିଥାନ୍ତି ଅନେକ ସ୍ଥାନରୁ ଅତିଥି ତଥା ବିବାହ ହୋଇ ଅନ୍ୟ ଗାଁକୁ ଯାଇଥିବା ଝିଅମାନେ । ସମସ୍ତେ ବର୍ଷକ ପରେ ମିଳିମିଶି ପୁଲକିତ ମନରେ ଏହି ପର୍ବରେ ମଜ୍ଜିଯାଆନ୍ତି । କୌଣସି ପ୍ରକାର ରୋକଠୋକ୍ ସ୍ୱାମୀ-ସ୍ତ୍ରୀକୁ, ବାପା-ମାଆ ପୁଅ-ଝିଅଙ୍କୁ କରନ୍ତି ନାହିଁ । ସମସ୍ତେ ଆନନ୍ଦ ସହକାରେ ଏହି ପର୍ବକୁ ଉପଭୋଗ କରିଥାନ୍ତି ।

‘ଟକିମରା’ ପର୍ବ ଆରମ୍ଭର ପ୍ରଥମ ଦିନରେ ଚିଲିଗୁଡ଼ା ଗାଁରୁ ଆସିଥିବା ମୁନ୍ଦରାଧାରିଆମାନେ (ଯିଏ ପୂଜାବିଧି ପରିଚାଳନା କରନ୍ତି) ଉପବାସ ରହି ଗୋଟିଏ ମେଣ୍ଢାକୁ ଗଳାରେ ରୂପାର ଖଗଲା ଏବଂ ଗୋଡ଼ରେ ବଳା ପିନ୍ଧାଇ ସମ୍ମାନର ସହ ସେହି ମେଣ୍ଢାକୁ କାଖେଇ ରାତିସାରା ଗାଁର ପ୍ରତ୍ୟେକ ଘର ବୁଲାଇଥାନ୍ତି । ଏହି ସମୟରେ ଗାଁର ସମସ୍ତ ଘରେ ମେଣ୍ଢାକୁ କାଖେଇ ବୁଲୁଥିବା ବ୍ୟକ୍ତିଙ୍କ ମୁଣ୍ଡରେ ଓ ମେଣ୍ଢାର ମୁଣ୍ଡରେ ଜଡ଼ାତେଲ ଲଗାଇ ଝୁଣା ଦେଇ ପୂଜା କରିଥାନ୍ତି । କାରଣ ସେହି ମେଣ୍ଢାଟିକୁ ଟକିରାନୀ ବା ଟକିଦେବୀର ପ୍ରତୀକ ଭାବରେ ସମସ୍ତେ ଗ୍ରହଣ କରିଥାନ୍ତି । ତେଣୁ ତା’ର କୌଣସି ପ୍ରକାର ଅପମାନ ନହୁଏ ତା’ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଥାଏ । ଏହି ସମୟରେ ତା’ର ମନ ବୁଝିଲାପରି କାର୍ଯ୍ୟସବୁ କରାଯାଇଥାଏ । ମେଣ୍ଢାକୁ ଧରି ଗାଁର ଘରଘର ବୁଲିବା ସମୟରେ ମୁନ୍ଦରାଧାରିଆମାନେ ଏକସ୍ୱରରେ ଗୀତ ବୋଲିଥାନ୍ତି –

“ଆଲୁରେଡ଼େ ଆଲୁରେ… ଦାସୁରେ

ଦାସୁରେଡ଼େ ଦାସୁରେ… ଦାସୁରେ

ଆୟାଇଙ୍ଗ୍‌ଯାଗ ସାଞ୍ଜୁଦେ…

ଆବାହିଞ୍ଜାଦେ ସାଞ୍ଜୁଦେ…

ଖାନ୍ଦା ଆୟାମ୍‌ତା ଆନା ହୋ…

ଡିହା ଗୁଡ଼େମାନା ବାନା ହୋ…

 

ସାଞ୍ଜୁଦେ ସାଞ୍ଜୁଦେ ଆୟାରୟେ…

ସାଞ୍ଜୁଦେ ସାଞ୍ଜୁଦେ ମାୟାରୟେ… ।”

ଅର୍ଥାତ୍‌, ମୁନ୍ଦରାଧାରିଆମାନେ ଟକିରାନୀକୁ ଆଶ୍ୱାସନା ଦେଇ କହୁଥାନ୍ତି ଯେ, “ତୁ ଭୟ କରନାହିଁ ଆମେ ତୋର ସହିତ ଅଛୁ । ପେଟଭରି ଖାଆ ତୁ । ତୁ ଖାଇସାରିବା ପରେ ଆମେ ଏଠାରୁ ଯିବା । ଆମ ସମସ୍ତଙ୍କୁ ତୁ ତୋର ଛତ୍ରଛାୟା ତଳେ ଘଣ୍ଟ ଘୋଡ଼ାଇ ରଖିଥା । ଆମେମାନେ ତୋର ପୁଅ ଝିଅ । ତୋତେ ତୋର ଉଚିତ୍ ସମ୍ମାନ ଆମେ ଦେବୁ ।”

ଏହି ପ୍ରକାର ଗୀତଗାଇ ବୁଲିବା ସମୟରେ, ଆଖପାଖ ଅନ୍ୟ ଗାଁ’ଗୁଡ଼ିକରୁ ଅନେକ ଲୋକମାନେ ନିଜ ଗାଁରୁ ଟକିରାନୀ, ଛତର, ଟକିଟାଙ୍ଗି ଧରି ଆସିଥାନ୍ତି । ସଲପ୍ ନିଶାନ (ସଲପ ଗଛରେ ନିର୍ମିତ ହୋଇଥିବା ନିଶାନ୍‌)କୁ ଦୁଇଜଣ କାଉଡ଼ିକରି କାନ୍ଧରେ ବହି ବାଜା ବଜାଇ ବଜାଇ ଆସିବା ସମୟରେ ‘ଟକିମରା’ ଅନୁଷ୍ଠିତ କରିଥିବା ଗାଁର ଲୋକମାନେ ଅଧାବାଟକୁ ଯାଇ ସେମାନଙ୍କୁ ପାଛୋଟି ଆଣିଥାନ୍ତି ।

ଗୋଟିଏ ଗାଁରେ ‘ଟକିମରା’ ପର୍ବ ଅନୁଷ୍ଠିତ ହେଲେ ଆଖପାଖ ଅନ୍ୟାନ୍ୟ ଗାଁର ନାରୀପୁରୁଷ ମିଶି ଉକ୍ତ ଗାଁକୁ ନିଜ ଗାଁର ଟକିଟାଙ୍ଗି (ତିନୋଟି ଟାଙ୍ଗିକୁ ଏକାଠି ବାନ୍ଧିଥାନ୍ତି, ଏହାକୁ ସେମାନେ ଟକିରାନୀ ବା ଟକିଦେବୀର ପ୍ରତୀକ ଭାବରେ ସେହି ସମୟରେ ଗ୍ରହଣ କରିଥାନ୍ତି) ଧରି ଉଲ୍ଲସିତ ମନରେ ସଲପ ନିଶାନ, ମହୁରୀ ବଜାଇ ନାଚିଗାଇ ଯାଇଥାନ୍ତି । ସେତେବେଳେ ‘ଟକିମରା’ ହେଉଥିବା ଗାଁର ଲୋକମାନେ ଅଧାବାଟକୁ ଆସି ଟକିଟାଙ୍ଗିକୁ କୁକୁଡ଼ା, ପାରା, ନଡ଼ିଆ, ଘୁଷୁରୀ, ଛେଳି, ମେଣ୍ଢା ଆଦି ବଳୀ ଦେଇ ସମ୍ମାନ ପ୍ରଦର୍ଶନ କରି ସ୍ୱାଗତ କରି ନେଇଥାନ୍ତି । ସେମାନଙ୍କର ଟକିଟାଙ୍ଗିକୁ ଏହି ଗାଁର ଲୋକ ଯେଭଳି ଭାବରେ କୁକୁଡ଼ା, ପାରା ଆଦି ବଳୀ ଦେଇ ପୂଜାପାଠ କରି ସମ୍ମାନିତ କରିଥାନ୍ତି, ପରବର୍ତ୍ତୀ ସମୟରେ ସେହି ଗାଁରେ ‘ଟକିମରା’ ପର୍ବ ହେଲେ ଏହି ଗାଁର ଲୋକମାନଙ୍କୁ ଟକିଟାଙ୍ଗି ଧରି ଯିବାକୁ ପଡ଼େ ଏବଂ ସେହି ଗାଁର ଲୋକମାନେ ମଧ୍ୟ ଅନୁରୂପ ଭାବେ ସମ୍ମାନ ପ୍ରଦର୍ଶନ କରିବାକୁ ପଡ଼େ । ଏହାଦ୍ୱାରା ଉକ୍ତ ଗାଁର ଆଖପାଖ ଗାଁ ସହିତ ଭଲ ସଂପର୍କ ସ୍ଥାପନ ହୋଇଥାଏ ଏବଂ ସେହି ଗାଁମାନଙ୍କର ଦେବାଦେବୀମାନଙ୍କୁ ପୂଜା ଅର୍ଚ୍ଚନା କରିବାର ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଦ୍ୱିତୀୟ ଦିନରେ ଖାଣ୍ଡୁଆଲ ଦେବତା ପାଖକୁ ସେହି ମେଣ୍ଢାକୁ ଆଣି ନିଜର ଛୁରୀ ଓ ଟାଙ୍ଗିକୁ ଜାନି, ଦିଶାରୀ ତଥା ମୁନ୍ଦରାଧାରିଆମାନେ ମେଣ୍ଢାର ଦେହରେ ସ୍ପର୍ଶକରି ତୁପ୍‌କା ଦେଇଥାନ୍ତି । ଏହି ତୁପ୍‌ବା ଶବ୍ଦର ଅର୍ଥ ହେଉଛି ‘ବଳୀ ଦେବା’ । ଏହା ଗୁପ୍ତ ଭାବରେ ହୋଇଥାଏ । ଏହା ପ୍ରକୃତରେ ତୁପ୍‌କା ନୁହଁ, କେବଳ ଏକ ପ୍ରକାର ଅଭିନୟ । ଏହାପରେ ଉକ୍ତ ଗାଁର ସ୍ତ୍ରୀ-ପୁରୁଷ ତଥା ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରୁଣ୍ଡ ହୋଇଥାନ୍ତି ଏବଂ ସେହି ମେଣ୍ଢା ଓ ଚାରିମାସ ପୂର୍ବରୁ ଜାନିଦ୍ୱାରା ଅଣାଯାଇଥିବା ମୁଥ୍ ପାଣିକୁ ଜାନି ଏବଂ ମୁନ୍ଦରାଧାରିଆ ଧରି ସମସ୍ତଙ୍କ ମଝିରେ ଠିଆ ହୁଅନ୍ତି । ସେମାନଙ୍କର ମୁଣ୍ଡ ଉପରେ ଏକ ଧୋତି ବା ଶାଢୀକୁ ଘୋଡାଇ ଜୀ-ଧରନୀ(ଏକ ପ୍ରକାର ପୂଜାସ୍ଥଳୀ)କୁ ସଲପ ନିଶାନ ଓ ମହୁରୀ ବଜାଇ ଗୀତ ଗାଇ ନାଚିନାଚି ଯାଆନ୍ତି ।

ସମସ୍ତେ ମେଣ୍ଢାକୁ ମଝିରେ ରଖି ଲୁଚାଇ ଧରନୀକୁ ନେବାର କାରଣ ହେଉଛି, ପୂର୍ବକାଳରେ ମେଣ୍ଢା ସ୍ଥାନରେ ଏକ କୁଆଁରୀ ଝିଅକୁ ବଳୀ ଭାବେ ବ୍ୟବହାର କରୁଥିଲେ । କେଉଁ ଅଜଣା ଗାଁରୁ ଝିଅ ନିଜେ ଆସିଯାଉଥିଲା ଜାନି ଘରକୁ । ଏହା ପରେ ଜାନି ତାକୁ ଦେଖି ଘରେ ନେଇ ଲୁଚାଇ ଦେଉଥିଲା ଏବଂ ଜାନି ନିଜ ଗ୍ରାମରେ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଝିଅଟିଏ ଆସିଥିବା ବିଷୟରେ କଥାବାର୍ତ୍ତା ହେଉଥିଲା । ସେମାନେ ଭାବି ନେଉଥିଲେ ଯେ ଏହି ଝିଅଟିକୁ ଟକିରାନୀ ଆଣିଛି । ତେଣୁ ସେମାନେ ତାକୁ ଲୁଚାଇ ରଖୁଥିଲେ ଏବଂ ଯେତେବେଳେ ‘ଟକିମରା’ର ନିର୍ଦ୍ଧାରିତ ସମୟ ଆସି ପହଞ୍ଚୁଥିଲା ସେହି ସମୟରେ ସେମାନେ ତାକୁ ମଝିରେ ରଖି ଲୁଚାଇ ଜୀ-ଧରନୀକୁ ନେଇଯାଉଥିଲେ, ଯେମିତି ଅନ୍ୟ ଗାଁରୁ ଆସିଥିବା କୌଣସି ବ୍ୟକ୍ତି ତାକୁ ଦେଖି ଚିହ୍ନିପାରିବେ ନାହିଁ । ଏହା ପରେ ଧରନୀରେ ସେ ଝିଅକୁ ବଳୀ ଦିଆଯାଉଥିଲା । ଏହି ପରଂପରା ସମୟ କ୍ରମେ ଚାଲିଆସିଛି । ବର୍ତ୍ତମାନ ଝିଅର ପ୍ରତୀକ ଭାବେ ମେଣ୍ଢାଟିକୁ ଗ୍ରହଣ କରୁଥିଲେ ହେଁ ସେମାନେ ବଳୀକୁ ଗୋପନରେ ଲୁଚାଇନେବା ପ୍ରଥାକୁ ବଜାୟ ରଖିଆସୁଛନ୍ତି ।

ତା’ପରେ ସେହି ମୁଥ୍ ପାଣି ଓ ମେଣ୍ଢାଟିକୁ ନେଇ ଜୀ-ଧରନୀରେ ପହଞ୍ôଚବା ପରେ ଯାଇଥିବା ସମସ୍ତ ଲୋକ ମେଣ୍ଢା ଓ ମୁଥ୍ ପାଣିକୁ ଧରନୀ ଚାରିପଟେ ତିନିଥର ବୁଲାନ୍ତି । ଏହା ପରେ ପୂର୍ବରୁ ଶରଗି ଗଛ (ଶାଳଗଛ)ର କାଠକୁ ଗୋଜିଆ କରି ପୋତାଯାଇଥିବା ଖୁଣ୍ଟରେ ମେଣ୍ଢାଟିକୁ ଭୁସିଦେଇ ତୁପ୍‌କା(ବଳୀ)ଦେଇଥାନ୍ତି । ତା’ପରେ ଜାନି, ଦିଶାରୀ ତଥା ମୁନ୍ଦରାଧାରିଆ ନେଇଯାଇଥିବା ଛୁରୀ ତଥା ଟାଙ୍ଗିରେ ସେହି ମେଣ୍ଢାର ପେଟକୁ ଚିରି ଅନ୍ତଃନଳୀକୁ ବାହାରକରି ଏକ ଧୋତିରେ ପୁଟୁଳି ବାନ୍ଧି ନେଇଯାଆନ୍ତି । ଏହା ପରେ ମେଣ୍ଢାର ଅବଶିଷ୍ଟ ଶରୀରକୁ ନେଇ ମୁଖ୍ୟ ଧରନୀକୁ ଯାଆନ୍ତି । ସେଠାରେ ସେହି ମେଣ୍ଢାଟିକୁ ରଖି ପୂଜା ଅର୍ଚ୍ଚନା କରିସାରିଲା ପରେ ଅନ୍ୟ ଗାଁର ଲୋକ, ଯିଏ ପ୍ରଥମେ ‘ଟକିମରା’ ଅନୁଷ୍ଠିତ ହୋଇଥିବା ଗାଁକୁ ଆସିଥାନ୍ତି ସେ ସର୍ବପ୍ରଥମେ ଆସି ସେହି ମେଣ୍ଢା ଉପରେ ନିଜ ଟକିଟାଙ୍ଗି ଦ୍ୱାରା ପ୍ରହାର କରିଥାଏ । ଏହାପରେ ସେହି ମେଣ୍ଢା ଦେହରୁ ମୁଠାଏ ମାଂସ ନେଇ ନିଜ ଗାଁକୁ ଫେରିଯାଇଥାଏ । ଏହିପରି ଭାବରେ ଅନ୍ୟ ଗାଁର ଲୋକମାନେ ଉକ୍ତ ଗାଁକୁ ପହଞ୍ଚିବା କ୍ରମ ଅନୁସାରେ ଜଣଜଣ କରି ଧରନୀକୁ ଆସି ମେଣ୍ଢା ଉପରେ ପ୍ରହାର କରି ମୁଠାଏ ମୁଠାଏ ମାଂସ ନେଇ ଚାଲିଯାଆନ୍ତି । ମୁଠାଏ ମାଂସ ନେଇଯିବାର କାରଣ ହେଉଛି, ସମସ୍ତେ ତାହାକୁ ମାଁ ଟକିରାନୀର ପ୍ରସାଦ ବୋଲି ଭାବିଥାନ୍ତି । ତାକୁ ନେଇ ଘରେ ପୋତିଲେ ଘରର ଶାନ୍ତିଶୃଙ୍ଖଳା ବଜାୟ ରହିବ ଏବଂ କ୍ଷେତରେ ନେଇ ପୋତିଲେ ଭଲ ଫସଲ ହେବାର ବିଶ୍ୱାସ ରହିଅଛି । ତେଣୁ ସେହି ମାଂସକୁ ଆଣି ଗାଁକୁ ଫେରିବା ପରେ ଗାଁର ସମସ୍ତ ଘରକୁ ଅଳ୍ପ ଅଳ୍ପ ବାଣ୍ଟି ଦିଆଯାଇଥାଏ ।

ଏହି ପ୍ରକାର ସବୁ ଲୋକ ଧରନୀରୁ ମୁଠାଏ ମୁଠାଏ ମାଂସ ନେଇଆସିବା ପରେ ଅବଶିଷ୍ଟ ହାଡ଼ ତଥା ମାଂସକୁ ରାପିଆ (ଯିଏ ମେଣ୍ଢାର ଅବଶିଷ୍ଟ ଅଂଶକୁ ଗୋଟାଇଥାଏ ତାହାକୁ ରାପିଆ କୁହାଯାଇଥାଏ । ଏହି ଗୋଟାଇବାକୁ ଗାଁରେ ରାପିବା କୁହାଯାଏ) ହାତରେ ଗୋଟାଇବା ପରେ ତା’ ପେଟରୁ ବାହାର କରିଥିବା ଅନ୍ତଃନଳୀ ସମେତ ଅନ୍ୟ ସମସ୍ତ ଅଂଶକୁ ବାନ୍ଧିଥିବା ପୁଟୁଳି ସହ ମିଶାଇ ଧରି ସଲପ ନିଶାନ୍‌, ମହୁରୀ ବଜାଇ ନାଚିଗାଇ ମେରେନ୍ ବସା(ଏକ ପୂଜାସ୍ଥଳୀ)କୁ ସମସ୍ତେ ଯାଆନ୍ତି । ସେଠାରେ ସେମାନେ ନେଇଯାଇଥିବା ସମସ୍ତ ଜିନିଷ ଥୋଇଦେଇ ସେଠାରୁ ସମସ୍ତେ ଚାଲିଆସନ୍ତି । ଏହା ପରେ ସେଠାକୁ ଯିବାପାଇଁ ସମସ୍ତଙ୍କୁ ବାରଣ କରାଯାଇଥାଏ । କାରଣ ସେହି ସମୟରେ ଡାହାଣୀ, ଚିରୁଗୁଣୀଗୁଡ଼ିକ ଏକାଠି ହୋଇଥାନ୍ତି । ଏହି ସମୟରେ ସେଠାରେ କୌଣସି ବ୍ୟକ୍ତିକୁ ଦେଖିଲେ ତା’ର ପ୍ରାଣ ପ୍ରତି ବିପଦ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ସେଠାକୁ କେହି ମଧ୍ୟ ଯାଆନ୍ତି ନାହିଁ ।

ତୃତୀୟ ଦିନରେ ଟକିଦେବୀଙ୍କୁ ସ୍ମରଣ କରି ଏକ ପୋଢ଼ ମରାଯାଏ । ଏହି ସମୟରେ ବେଜେନମାନେ (କାଳସୀ ଲାଗିଥିବା ନରନାରୀ) ନାଚିଥାଆନ୍ତି । ପରେ ସେହି ପୋଢ଼ର ମାଂସକୁ ଗୋଟିଏ ସ୍ଥାନରେ ରାନ୍ଧି ଭୋଜି କରାଯାଏ, ଯାହାକୁ ସମସ୍ତେ ମିଳିମିଶି ଖାଇଥାନ୍ତି ଅତ୍ୟନ୍ତ ଆନନ୍ଦ ସହକାରେ । ଯଦି କୌଣସି ବ୍ୟକ୍ତି ସେହି ପୋଢ଼ ମାଂସ ଖାଇବା ପସନ୍ଦ କରେ ନାହିଁ ତେବେ ସେ ତାକୁ ଖାଇ ନଥାଏ । ଏହା ପରେ ସମସ୍ତେ ପୁଅ ଝିଅ ମିଳିମିଶି ସଲପ ନିଶାନ୍‌, ମହୁରୀ ବଜାଇ ନାଚଗୀତ କରିଥାନ୍ତି । ଏହି ପ୍ରକାର ମଜାମଜଲିସ୍‌ରେ ଦିନ କଟିଯାଏ ।

ଏହା ପରେ ଚତୁର୍ଥ ଦିନରେ କୌଣସି ଗ୍ରାମରେ ‘ଟକିମରା ପର୍ବ’ ହେଉଥିଲେ ମଧ୍ୟ ଲାକ୍ରିସ ଗ୍ରାମରେ ଏକ ‘ବାଲୁପାଟା ଯାତ୍ରା’ (ଯାତ୍ରା)ର ଆୟୋଜନ କରାଯାଏ । ସେଠାରେ ଅନେକ ପ୍ରକାରର ଖାଇବା ଜିନିଷ ତଥା ଅନ୍ୟ ପ୍ରସାଧନ ସାମଗ୍ରୀଗୁଡ଼ିକ ବିକ୍ରି କରାଯାଇଥାଏ । ଏହିସବୁ ଜିନିଷ ଓ ପ୍ରସାଧନ ସାମଗ୍ରୀ ଧରି ବହୁ ଦୂରରୁ ଏବଂ ଆଖ ପାଖରୁ ଅନେକ ଦୋକାନୀ ନିଜ ଦୋକାନ ଆଣି ବସାଇଥାନ୍ତି, ଯାହାକୁ କିଣିବା ପାଇଁ ତଥା ବୁଲିବା ପାଇଁ ଆଖପାଖ ଗାଁର ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଆସିଥାନ୍ତି । ଏହି ଯାତ୍ରାରେ ମଧ୍ୟ ସଲପ୍ ନିଶାନ ତଥା ମହୁରୀ ବଜାଇ ନାଚଗୀତ ହୋଇଥାଏ । ଆଦିବାସୀ ରମଣୀମାନଙ୍କ ପାଦରେ ପାଦ ମିଶିଥାଏ ଏବଂ ପୁଅମାନଙ୍କର ବୀରତ୍ୱର ଗର୍ଜନରେ ସମଗ୍ର ପରିବେଶ ସୌନ୍ଦର୍ଯ୍ୟମୟ ଦେଖାଯାଇଥାଏ । ଏହିପରି ଭାବରେ ଦିନ ବିତେ ସଂଧ୍ୟା ଆସେ । ସନ୍ଧ୍ୟାରେ ସମସ୍ତେ ନିଜନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଆନନ୍ଦର ସହିତ । ଏହା ପରେ ‘ଟକିମରା’ ପର୍ବର ସମାପ୍ତି ଘଟିଥାଏ ।

ରାୟଗଡ଼ା ଜିଲ୍ଲାର ପଶ୍ଚିମାଞ୍ଚଳରେ ଅବସ୍ଥିତ କନ୍ଧ ସଂପ୍ରଦାୟର ଲୋକମାନେ ‘ଟକିମରା’ ପର୍ବ ପାଳନ କରିବାର କର୍ମକର୍ମାଣୀକୁ ଅନୁଧ୍ୟାନ କଲେ ଅନେକ ସ୍ୱତନ୍ତ୍ର ତଥା ପରଂପରାର ଏକ ପରିବର୍ତ୍ତିତ ରୂପ ପରିଲକ୍ଷିତ ହୋଇଥାଏ । ଯେପରି କି କୁଆଁରୀ କନ୍ୟାର ବଳୀପ୍ରଥା ବଦଳରେ ବର୍ତ୍ତମାନ ମେଣ୍ଢାର ବଳୀକୁ ଗ୍ରହଣ କରାଯାଇଛି । ଏହି ମେଣ୍ଢାକୁ ସେମାନେ ଟକିରାନୀ ବା ଟକିଦେବୀର ମାନ୍ୟତା ଦେବା ଏହି ପର୍ବର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଭାବେ ଗ୍ରହଣ କରାଯାଇପାରେ । ଏହା ବ୍ୟତୀତ ଆଖପାଖ ଅନ୍ୟାନ୍ୟ ଗାଁର ଲୋକମାନଙ୍କ ସହ ଭାଇଚାରା ସୃଷ୍ଟି ହୁଏ, ଏବଂ ଏହି ପର୍ବର ସଂପୂର୍ଣ୍ଣ କର୍ମକର୍ମାଣୀ ମଧ୍ୟରେ ପ୍ରକୃତି ପୂଜା, ଲୋକ ବିଶ୍ୱାସ, ଦେବୀଙ୍କ ଦ୍ୱାରା ସେମାନଙ୍କର ସୁରକ୍ଷା ଆଦି ବିଶ୍ୱାସ ପ୍ରତିଫଳିତ ହୋଇଥାଏ । ଫଳରେ ନାଚଗୀତ କରି ନାରୀ ପୁରୁଷ ନିଜର ସମସ୍ତ ଦୁଃଖ ଭୁଲି ଖୁସି ମନାଇଥାଆନ୍ତି । ଏହିପରି କନ୍ଧ ସଂପ୍ରଦାୟ ଲୋକମାନଙ୍କର ରୀତିନୀତି, ପରଂପରାକୁ ଭିନ୍ନଭିନ୍ନ ଦିଗରୁ ଅନୁଧ୍ୟାନ କଲେ ନୂତନ ତଥ୍ୟ ତଥା ଅନେକ ସ୍ୱତନ୍ତ୍ରତା ଲୋକଲୋଚନକୁ ଆସିପାରିବ । ଏହା ସେଥିମଧ୍ୟରୁ ଏକ କ୍ଷୁଦ୍ର ପ୍ରୟାସର କ୍ଷୁଦ୍ରତମ ଅଂଶ ।

ସୌଜନ୍ୟ :

୧.         ମଙ୍ଗୁଳି ନାଏକ,

୨.         ଆହାଡୁ ମାଝୀ, ଜାନି

୩.         ଆଲାଦିନି ନାଏକ

୪.         ଶ୍ୟାମ କୁମାର ନାଏକ

୫.         ଏକାଦଶୀ ନାଏକ

(ଲାକ୍ରିସ, କାଶୀପୁର, ରାୟଗଡ଼ା)

 

Share This Article
ସ୍ନାତକୋତ୍ତର ପ୍ରଥମ ବର୍ଷ, ଓଡିଆ ବିଭାଗ, ସରକାରୀ ମହାବିଦ୍ୟାଳୟ,କୋରାପୁଟ
Exit mobile version