ଶିଶୁମାନଙ୍କ ପାଇଁ ନାଟକର ଭୂମିକା

ଦେବବ୍ରତ ପଟ୍ଟନାୟକ 579 Views
18 Min Read

ଶିଶୁମାନଙ୍କ ସାଂସ୍କୃତିକ ବିକାଶ ଦିଗରେ ନାଟକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଶିଶୁମାନଙ୍କ ସୃଜନଶୀଳତା, ଆତ୍ମ-ଅଭିବ୍ୟକ୍ତି ଏବଂ ସାମାଜିକ ବିକାଶ କରାଇବା କ୍ଷେତ୍ରରେ ନାଟକ ବହୁବିଧ ସହଯୋଗ କରିଥାଏ। ଏକାଠି ହୋଇ କାମକରିବା ଓ ନେତୃତ୍ୱ ନେବାର କଳା ନାଟକ ଭିତରୁ ଶିକ୍ଷା ମିଳିଥାଏ । ଏହା ବ୍ୟତୀତ ପାରମ୍ପରିକ କାହାଣୀ ଓ ଲୋକକଥାକୁ ଶିଶୁମାନଙ୍କ ପାଖରେ ପହଞ୍ଚାଇବା ଓ ସଂରକ୍ଷଣ କରିବାରେ ଶିଶୁ ନାଟକ ଆଲୋକପାତ କରେ। ଡିଜିଟାଲ ଯୁଗରେ ଭାରତରେ ଶିଶୁ ଥିଏଟର ଆହୁରି ବ୍ୟାପକ କ୍ଷେତ୍ରରେ ପରିଣତ ହୋଇଛି। ଅନଲାଇନ ପ୍ଲାଟଫର୍ମ, ଡିଜିଟାଲ ପ୍ରଦର୍ଶନ ଫଳରେ ଥିଏଟରର ବ୍ୟାପକ ପ୍ରଚାର ପ୍ରସାର ହୋଇଛି ଓ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଯାଇ ପାରିଛି।  – ସମ୍ପାଦକ

ଉପକ୍ରମ:

ନାଟକ ମଣିଷ ଜୀବନର ପ୍ରତ୍ୟେକଟି ସ୍ତର ସହ ସର୍ବଦା ସଂଶ୍ଳିଷ୍ଟ ହୋଇ ରହିଥାଏ । ନାଟକ ସମାଜର ମଧ୍ୟ ଏକ ଅବିଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହା ପ୍ରତ୍ୟେକଟି ମଣିଷ ଯଥା- ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇ ରହିଥାଏ ଏବଂ ସମାଜର ଉନ୍ନତିରେ ଏହା ସାଜିଥାଏ ଏକ ମୁଖ୍ୟ ଅସ୍ତ୍ର । ତେଣୁ ନାଟକ ସମାଜର ସଂରକ୍ଷଣ, ସମୃଦ୍ଧି ଏବଂ ପରିବର୍ତ୍ତନରେ ଏକ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଶିଶୁ ମାନଙ୍କ ବିକାଶ କ୍ଷେତ୍ରରେ ନାଟକର କେଉଁଭଳି ଯୋଗଦାନ ରହିଛି ଓ ସେ କ୍ଷେତ୍ରରେ ଆମେ କେତେ ସଚେତନ ଭାବରେ ଶିଶୁ ମାନଙ୍କୁ ନାଟକରେ ସାମିଲ କରିବାପାଇଁ ପ୍ରୟାସ କରୁଛନ୍ତି ଆଜିର ସମୟରେ ଆଲୋଚନା କରାଯିବା ଜରୁରୀ । ଶିଶୁ ହେଉଛି ଦେଶର ଭବିଷ୍ୟତ। ଶୈଶବ ଅବସ୍ଥାରେ ଶିଶୁର ଶାରିରୀକ, ମାନସିକ ଏବଂ ବୌଦ୍ଧିକ ବିକାଶର ଆବଶ୍ୟକତା ରହିଛି । ଯାହା ଶିଶୁଟି ତାର ଶିକ୍ଷା ଦ୍ୱାରା ପାଇ ପାରିଥାଏ । ଆଉ ସେହି ଶିକ୍ଷାକୁ ଆହୁରି ସହଜ ସରଳ କରିବା ପାଇଁ ବା ଶିକ୍ଷାର ସିଢ଼ିକୁ ଚଢ଼ିବା ପାଇଁ ନାଟକ ତାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ ପାଲଟିଯାଏ । କାରଣ ନାଟକ ହେଉଛି ଏକ ଏପରି ‘ଦୃଶ୍ୟ ଶ୍ରାବ୍ୟ’ କଳା ଯାହା ଶିଶୁମାନଙ୍କୁ ଆକୃଷ୍ଟ କରିଥାଏ ଏବଂ ଭଲ ନାମ କରିବା ପାଇଁ ଆଗ୍ରହ ଓ ସ୍ପୃହା ସୃଷ୍ଟି କରିଥାଏ । ଯେମିତିକି ପିଲାଟି କୌଣସି ଏକ ବିଷୟବସ୍ତୁକୁ କଠିନତା ଦୃଷ୍ଟି କୋଣରୁ ପଢ଼ିବା ପାଇଁ ମନ ଦେଉନାହିଁ କି ତାର ମନ ଲାଗୁନାହିଁ କିମ୍ବା ତା ଦ୍ୱାରା ସେହି ବିଷୟଟି ବୁଝିବା କଷ୍ଟସାଧ୍ୟ ହେଉଛି । ତେବେ ସେହି ବିଷୟ ବସ୍ତୁଟିକୁ ନାଟକୀୟ ଢ଼ଙ୍ଗରେ ବା ନାଟକ ମାଧ୍ୟମରେ ପରିବେଷଣ ବା ପରିପ୍ରକାଶ କରିବା ଦ୍ୱାରା, ତାର ସାରା ଜୀବନ ପଇଁ ସେହି ବିଷୟବସ୍ତୁଟି ମୁଣ୍ଡରେ ଛାପ ହୋଇ ରହିଯାଇଥାଏ । ଖାଲି ସେତିକି ନୁହେଁ । ନାଟକ ଶିଶୁମାନଙ୍କୁ ସମାଜରେ ନିଜକୁ ଖାପଖୁଆଇ ଚଳିବା ପାଇଁ ଆବଶ୍ୟକ ହେଉଥିବା ଗୁଣାବଳୀ, ଯଥା – ‘ଦୃଢ଼ ବିଶ୍ୱାସ’, ‘ଏକାଗ୍ରତା’, ‘ସାହସିକତା’, ‘ଶୃଜନଶିଳତା’, ଯୋଗାଯୋଗ କରିବା ଦକ୍ଷତା, ‘ସହଯୋଗର ମନୋଭାବ’, ସମାଲୋଚନା କରିବାର ଦକ୍ଷତା ଇତ୍ୟାଦି ଗୁଣକୁ ବଢ଼ାଇବା ସଙ୍ଗେ ସଙ୍ଗେ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିଥାଏ ।

ଶିଶୁ ନାଟକର ଉପାଦେୟତା:

ପ୍ରଦର୍ଶନ କଳା କ୍ଷେତ୍ରରେ ଶିଶୁ ନାଟକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶିଶୁ ନାଟକ ଯୁବ ମସ୍ତିଷ୍କକୁ ସୃଜନଶୀଳତା, କଳ୍ପନା ଏବଂ ସମାଲୋଚନାତ୍ମକ ଚିନ୍ତାଧାରାର ଅନ୍ୱେଷଣ କରିବାରେ ସହଯୋଗ କରିଥାଏ । ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଶିଶୁମାନଙ୍କୁ ନେଇ ଆରମ୍ଭ ହୋଇଥିଲା ଶିଶୁ ନାଟକ ବା (Children’s Theatre) । ଶିଶୁ ନାଟ୍ୟ ଗବେଷକ ଓ ଶିକ୍ଷାବିତ ମାନେ ଶିଶୁ ବିକାଶର ବିଭିନ୍ନ ଦିଗ ଉପରେ ଶିଶୁ ନାଟକର ଉପାଦେୟତା ଓ ପ୍ରଭାବ ବିଷୟରେ ଆଲୋକପାତ କରି ନିଜର ମତ ରଖିଛନ୍ତି ।  ଏହି କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କେତେକ ଦୃଷ୍ଟିକୋଣ ନିମ୍ନରେ ଦିଆଯାଇଛି ।

ୟୁନିଭର୍ସିଟି ଅଫ୍ କାଲଗେରି ର ଥିଏଟର୍ ଏଜୁକେସନ୍ ପ୍ରଫେସର୍ ଏମେରିଟସ୍ ଡ. ଜୋ ନୋରିସ ଶିଶୁମାନଙ୍କ ନାଟକ ଶିକ୍ଷାର ଉପକାରିତା ଉପରେ ଗୁରୁତ୍ୱାରୋପ କରନ୍ତି। ସେ କହିଥିଲେ ଯେ, ଶିଶୁମାନଙ୍କ ଥିଏଟର ଅନୁଭୂତି କିଶୋରମାନଙ୍କ ମଧ୍ୟରେ ସୃଜନଶୀଳତା, ସମାଲୋଚନାତ୍ମକ ଚିନ୍ତାଧାରା, ସମସ୍ୟାର ସମାଧାନ ଏବଂ ସହଯୋଗ ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ। ତାଙ୍କ କହିବାନୁସାରେ, ଶିଶୁ ଥିଏଟର ସାମଗ୍ରିକ ଶିକ୍ଷା ପାଇଁ ଏକ ଅନନ୍ୟ ଉପାୟ ପ୍ରଦାନ କରିଥାଏ ଏବଂ ପିଲାମାନଙ୍କୁ କଳାତ୍ମକ ଅନୁଭୂତି ଏବଂ ସେମାନଙ୍କର ଶୈକ୍ଷିକ ପାଠ୍ୟକ୍ରମ ମଧ୍ୟରେ ସଂୟୋଗ କରିବାରେ ସାହାଯ୍ୟ କରିଥାଏ।

“Children’s Theatre: Aesthetic Education Across the Lifespan,”  ପୁସ୍ତକ ରେ ଡ. କେଲି ଫ୍ରିବଡି, ନାଟ୍ୟ ଓ ନାଟକ ଶିକ୍ଷାର ଗବେଷକ ଓ ଶିକ୍ଷାବିତ୍, ଭାବପ୍ରବଣ ବୁଦ୍ଧି ଓ ସାମାଜିକ ଦକ୍ଷତା ବୃଦ୍ଧି କରିବାରେ ଶିଶୁ ନାଟକର ଭୂମିକା ଉପରେ ଗୁରୁତ୍ୱାରୋପ କରନ୍ତି। ସେ ଯୁକ୍ତି କରନ୍ତି ଯେ, ଚରିତ୍ର ଏବଂ ବର୍ଣ୍ଣନା ସହିତ ଜଡିତ ହେବା ଦ୍ୱାରା ପିଲାମାନେ ସହାନୁଭୂତି ବିଷୟରେ ଜାଣନ୍ତି, ଅନ୍ୟମାନଙ୍କ ଦୃଷ୍ଟିକୋଣକୁ ବୁଝନ୍ତି ଏବଂ ଆତ୍ମବୋଧର ବିକାଶ କରନ୍ତି। ଶିଶୁ ନାଟକ ଭାବପ୍ରବଣ ଅନ୍ୱେଷଣ ପାଇଁ ଏକ ମଞ୍ଚ ଯୋଗାଇଥାଏ ଏବଂ ପିଲାମାନଙ୍କୁ ସେମାନଙ୍କ ନିଜ ଭାବନାକୁ ନେଭିଗେଟ କରିବାରେ ସାହାଯ୍ୟ କରିଥାଏ।

ଭାରତର ଜାତୀୟ ନାଟ୍ୟ ବିଦ୍ୟାଳୟର ଗବେଷକ ତଥା ଶିକ୍ଷାବିତ୍ ଡକ୍ଟର ଆଶିଷ ଶ୍ରୀବାସ୍ତବ ଶିଶୁ ନାଟକର ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ ଯୁକ୍ତି କରନ୍ତି ଯେ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାରରେ ଶିଶୁ ନାଟକ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହିତ ସମକାଳୀନ ସାମାଜିକ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଶିଶୁ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁ ନାଟକ କିଶୋର ବୟସର ଦର୍ଶକମାନଙ୍କୁ ବିବିଧ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧକୁ ବୁଝିବା ଏବଂ ପ୍ରଶଂସା କରିବା, ସମାବେଶିତା ଏବଂ ସହନଶୀଳତାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥାଏ।

ଏସିଆ ସୋସାଇଟିର ଶିକ୍ଷା ଉପାଧ୍ୟକ୍ଷ ଡ. ଟୋନି ଜ୍ୟାକସନ୍ ପିଲାମାନଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶରେ ନାଟକ ସମେତ କଳାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ମତରେ, ଶିଶୁ ନାଟକ ବିଭିନ୍ନ ସାଂସ୍କୃତିକ ବୁଝାମଣା, ଯୋଗାଯୋଗ ଦକ୍ଷତା ଏବଂ ବିବିଧ ଦଳରେ କାର୍ଯ୍ୟ କରିବାର ଦକ୍ଷତାକୁ ପ୍ରୋତ୍ସାହିତ କରିଥାଏ। ବିଭିନ୍ନ ପ୍ରକାରର କାହାଣୀ ଏବଂ ପ୍ରଦର୍ଶନର ପ୍ରଦର୍ଶନ ମାଧ୍ୟମରେ, ପିଲାମାନେ ଏକ ବ୍ୟାପକ ବିଶ୍ୱଦୃଷ୍ଟି ବିକଶିତ କରନ୍ତି ଏବଂ ସାଂସ୍କୃତିକ ଭାବେ ସକ୍ଷମ ବ୍ୟକ୍ତି ବିଶେଷ ହୁଅନ୍ତି।

କିଶୋର ବୟସର ଦର୍ଶକଙ୍କ ପାଇଁ ନାଟକରେ ବିଶେଷଜ୍ଞତା ରଖିଥିବା ଗବେଷକ ତଥା ଶିକ୍ଷାବିତ୍ ଡକ୍ଟର ନିଶା ଡି’ସୁଜା ଶିଶୁ ଥିଏଟରର ଜ୍ଞାନାତ୍ମକ ବିକାଶ ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଶିଶୁମାନଙ୍କ ନାଟକର ପ୍ରଦର୍ଶନ ଦ୍ୱାରା ପ୍ରଦାନ କରାଯାଉଥିବା ଦୃଶ୍ୟ ଏବଂ ଶ୍ରାବଣ ଉଦ୍ଦୀପନା ପିଲାମାନଙ୍କର ଧ୍ୟାନ, ଏକାଗ୍ରତା ଏବଂ ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ। ଶିଶୁ ନାଟକ ଶିଶୁମାନଙ୍କୁ ସକ୍ରିୟ ଶୁଣୁନଥିବା ଏବଂ ସମାଲୋଚନାତ୍ମକ ଚିନ୍ତାଧାରାରେ ନିୟୋଜିତ କରିଥାଏ, ଯାହା ସେମାନଙ୍କୁ ଚରିତ୍ର, ପ୍ଲଟଲାଇନ ଏବଂ ବିଷୟଗତ ଉପାଦାନକୁ ବିଶ୍ଳେଷଣ କରିବାକୁ ଅନୁମତି ଦେଇଥାଏ।

ସାମଗ୍ରିକ ଭାବେ ଶିଶୁ ନାଟକ କ୍ଷେତ୍ରରେ ଗବେଷକ ଓ ଶିକ୍ଷାବିତ୍ମାନେ ଏହାର ବହୁମୁଖୀ ଉପକାରିତାକୁ ସ୍ୱୀକୃତି ଦେଇଛନ୍ତି। ସେମାନେ ଶିଶୁ ନାଟକର ଶିକ୍ଷାଗତ, ଭାବଗତ, ସାମାଜିକ, ସାଂସ୍କୃତିକ ଏବଂ ଜ୍ଞାନାତ୍ମକ ସୁବିଧା ଉପରେ ଗୁରୁତ୍ୱାରୋପ କରନ୍ତି, ଯାହା ଶିଶୁମାନଙ୍କ ମନ ଗଠନରେ ଏକ ମୂଲ୍ୟବାନ ଉପକରଣ ଅଟେ। ଏହି ବିଶେଷଜ୍ଞମାନେ ସେମାନଙ୍କର କାର୍ଯ୍ୟ ମାଧ୍ୟମରେ ଶିଶୁ ନାଟକକୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ କଳା ରୂପରେ ବୁଝିବା ଏବଂ ପ୍ରଶଂସା କରିବାରେ ଯୋଗଦାନ କରନ୍ତି।

ଶିଶୁ ନାଟକର ବିକାଶ:

ସାରା ବିଶ୍ୱରେ ବିଜ୍ଞାନର ବିକାଶ ହେବା ସହିତ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିଥିଲା । ଠିକ ସେହି ସମୟରେ ଋଢୀବାଦୀ ଚିନ୍ତାଧାରା ବିରୁଦ୍ଧରେ ବିଜ୍ଞାନ ସମ୍ମତ ଚିନ୍ତା ଓ ଚେତନାର ବିକାଶ ହେବା ଆରମ୍ଭ ହେଲା ।  ଏହାର ପ୍ରଭାବ ନାଟକ, ସଙ୍ଗୀତ, ଚିତ୍ରକଳା ଓ ଜୀବନର ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଲା । ଶିଶୁ ନାଟ୍ୟ ଆନ୍ଦୋଳନ କ୍ଷେତ୍ରରେ ପ୍ରଗତିଶୀଳ ଚିନ୍ତାଧାରାର ପ୍ରବେଶ ସେହି ସମୟରୁ ଆରମ୍ଭ ହୋଇଥିଲା । ଶିଶୁମାନଙ୍କର ପ୍ରତିଭାର ବିକାଶ କ୍ଷେତ୍ରରେ ଥିଏଟରର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଚିନ୍ତାଶୀଳ ବ୍ୟକ୍ତିମାନେ ଅନୁଭବ କରି ଏହି କ୍ଷେତ୍ରରେ ଅଧିକ କାର୍ଯ୍ୟ ଆରମ୍ଭ କଲେ ।  ଶିକ୍ଷାର ପ୍ରଭାବରେ ପ୍ରଗତିଶୀଳ ଚିନ୍ତାର ବିକାଶ ହେବା ସହିତ ରକ୍ଷଣଶୀଳ ମନୋଭାବ ଦୂର ହେଲା ଓ ଶିଶୁମାନଙ୍କୁ ନିଜର ବୌଦ୍ଧିକ ଓ ସାଂସ୍କୃତିକ ବିକାଶ କରିବା ପାଇଁ ଯଥେଷ୍ଟ ସୁଯୋଗ ମିଳିଲା । ନାଟକର ବା ଥିଏଟରର ସ୍ୱରୂପ ଅଧିକ ଜୀବନ୍ତ ହୋଇ କେବଳ ମନୋରଞ୍ଜନର ମାଧ୍ୟମ ଭାବରେ ପରିଗଣିତ ନହୋଇ, ଶିକ୍ଷା ବିକାଶର ଏକ ପାହାଚ ରୂପରେ ପ୍ରତିଭାତ ହେଲା । ଧିରେ ଧିରେ ସାରା ବିଶ୍ୱରେ ଶିଶୁନାଟକ ପ୍ରଭାବ ବିସ୍ତାର କରିବା ଆରମ୍ଭ କଲା।

ଭାରତରେ ଶିଶୁ ନାଟକର ବିକାଶ:

ଭାରତରେ ଶିଶୁ ନାଟକ ବହୁଭାବରେ ବିକାଶଲାଭ କରିଛି। ଭାରତର କାହାଣୀ କହିବା ଏବଂ ପ୍ରଦର୍ଶନ କଳାର ସମୃଦ୍ଧ ଐତିହ୍ୟ ଦେଶରେ ଶିଶୁ ନାଟକର ମୂଳଦୁଆ । ନାଟକର ପାରମ୍ପରିକ ରୂପ, ଯେପରିକି କାଠପୁତଳିକା, ଲୋକନାଟ୍ୟ, ଛାୟା ନାଟକ ଆଦିକୁ ଯୁବ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯାହା ସମସାମୟିକ ବର୍ଣ୍ଣନା ସହିତ ପାରମ୍ପରିକ କଳାର ରୂପକୁ ପ୍ରସ୍ଫୁଟିତ କରୁଛି। ଭାରତର ଶିଶୁ ନାଟ୍ୟ ଗୋଷ୍ଠୀ ଓ ସଙ୍ଗଠନମାନେ ଏହି କଳାକୁ ଲୋକପ୍ରିୟ ଓ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ଗୋଷ୍ଠୀମାନେ ଭାରତର ସାଂସ୍କୃତିକ ବିବିଧତାକୁ ଦୃଷ୍ଟିରେ ରଖି ନାଟକ ଆୟୋଜନ କରିଥାନ୍ତି । ଯୁବ ପ୍ରତିଭାର ବିକାଶ, ଅଭିଳାଷୀ ଶିଶୁ କଳାକାର, ନିର୍ଦ୍ଦେଶକ, ନାଟ୍ୟକାରଙ୍କ ପାଇଁ ମଞ୍ଚ ଯୋଗାଇବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସରକାରୀ ପଦକ୍ଷେପ ଏବଂ ଅନୁଷ୍ଠାନଗୁଡିକ ମଧ୍ୟ ଭାରତରେ ଶିଶୁ ନାଟକର ଅଭିବୃଦ୍ଧିରେ ଯୋଗଦାନ କରିଛନ୍ତି। ସଙ୍ଗୀତ ନାଟକ ଏକାଡେମୀ, ଜାତୀୟ ନାଟ୍ୟ ବିଦ୍ୟାଳୟ, ଏବଂ ବିଭିନ୍ନ ରାଜ୍ୟସ୍ତରୀୟ ଏକାଡେମୀ କର୍ମଶାଳା, ଉତ୍ସବ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ନାଟ୍ୟକଳାକୁ ସମର୍ଥନ ଏବଂ ସହଯୋଗ କରୁଛନ୍ତି । କେବଳ ସେତିକି ନୁହେଁ, ଡିଜିଟାଲ ଯୁଗରେ ଭାରତରେ ଶିଶୁ ଥିଏଟର ପାଇଁ ନୂଆ ରାସ୍ତା ଖୋଲିଛି। ଅନଲାଇନ ପ୍ଲାଟଫର୍ମ, ଲାଇଭ ଷ୍ଟ୍ରିମିଂ ଏବଂ ଡିଜିଟାଲ ପ୍ରଦର୍ଶନ ଭୌଗଳିକ ସୀମାକୁ ଅତିକ୍ରମ କରି ଥିଏଟରକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇଛି। ଶିଶୁ ନାଟ୍ୟ ଦଳ ଦୂରଦୂରାନ୍ତ ଅଞ୍ଚଳ ଏବଂ ଅବହେଳିତ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟୁକ୍ତି ବିଦ୍ୟାର ଉପୟୋଗ କରୁଛନ୍ତି।

ଶିଶୁ ନାଟକ କ୍ଷେତ୍ରରେ ଓଡ଼ିଶା:

ଓଡ଼ିଶାରେ ମଧ୍ୟ ଶିଶୁନାଟକର ଛିଟା ଟିକେ ଡେରିରେ ହେଲେବି ଦେଖିବାକୁ ମିଳିଛି । ଓଡ଼ିଶାରେ ଶିଶୁନାଟକର ଅଭିନୟ କେତେକ ସୌଖୀନ ନାଟ୍ୟ ସଂସ୍ଥା ମାଧ୍ୟମରେ କାଁ ଭାଁ ହୋଇଥିବା ସ୍ଥଳେ ଅଶୀଦଶକରେ ଏହାର ବିକଶିତ ରୂପ ଦେଖିବାକୁ ମିଳିଥିଲା । ଶିଶୁ ନାଟକର ବିକାଶ ପାଇଁ କଟକ ଦୁରଦର୍ଶନ କେନ୍ଦ୍ର ତରଫରୁ କେତେଗୁଡ଼ିଏ ସଫଳ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ସମ୍ବଲପୁର ଏବଂ ଜୟପୁର କେନ୍ଦ୍ରରୁ ବିଦ୍ୟାଳୟ ଏବଂ ଶିଶୁ ଓ କିଶୋର ଚକ୍ର କାର୍ଯ୍ୟକ୍ରମରେ ବହୁ ଶିଶୁ ଉପଯୋଗୀ ନାଟକ ମଧ୍ୟ ପ୍ରଚାରିତ ହୋଇଥିଲା । ପରବର୍ତ୍ତୀ ସମୟରେ ଶିଶୁ ନାଟକର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏବଂ ଶିଶୁ ନାଟକ ଉତ୍ସବ କେତେକ ସୌଖୀନ ନାଟ୍ୟ ସଂସ୍ଥା ଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ମଂଚରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ବିଜ୍ଞାନର ଅଭୂତପୂର୍ବ ବିକାଶର ପର୍ଯ୍ୟାୟରେ ଶିଶୁ ନାଟକର ଏକ ବିକଶିତ ରୂପ ସମଗ୍ର ଦେଶ ତଥା ଆମ ରାଜ୍ୟରେ ଦେଖିବା ପାଇଁ ମିଳୁଛି ।

ସବୁଠାରୁ ବଡ଼ କଥା ହେଲା ଏବେ ଆମ ରାଜ୍ୟସରକାର ମଧ୍ୟ ଶିଶୁମାନଙ୍କର କଳାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରିବା ସଙ୍ଗେ ସଙ୍ଗେ ସରକାରୀ ବିଦ୍ୟାଳୟମାନଙ୍କରେ କଳା ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । କେବଳ ଯେ ସରକାରୀ ବିଦ୍ୟାଳୟ ତାହା ନୁହେଁ ବେସରକାରୀ ବିଦ୍ୟାଳୟରେ ଶିଶୁ ନାଟକକୁ ବହୁ ଭାବରେ ପ୍ରୋତ୍ସାହନ ଦେବାର ଉଦାହରଣ ମିଳୁଛି। ସେମାନେ ସରକାରୀ ବିଦ୍ୟାଳୟ ମାନଙ୍କ ଠାରୁ ଯଥେଷ୍ଟ ଆଗରେ । ବେସରକାରୀ ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରକାରର ଉତ୍ସବ କ୍ରମାଗତ କରି ପିଲାମାନଙ୍କର ପ୍ରତିଭାକୁ ବଢ଼ାଇବାରେ ସଫଳ ହୋଇଛନ୍ତି , ଯାହା ପିଲାମାନଙ୍କର କଳାତ୍ମକ ଗୁଣର ବିକାଶ କରିବା ସଙ୍ଗେ ସଙ୍ଗେ ଆଗ୍ରହ ମୁତାବକ ଶିକ୍ଷା ଅର୍ଜନରେ ସହାୟ ହୋଇପାରିଛି । ତନ୍ମଧ୍ୟରୁ ନାଟକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ କାରଣ ନାଟକୀୟ ଢ଼ଙ୍ଗରେ ବିଷୟବସ୍ତୁକୁ ଅତି ସରଳ ଭାବରେ ବୁଝିବା ସହିତ ନିଜେ ରଙ୍ଗ ମାଖି, ଆବଶ୍ୟକୀୟ ପୋଷାକ ଏବଂ ପରିପାଟୀ ନେଇ ନାଟକଟିକୁ ପରିବେଷଣ କଲା ବେଳର ଅନୁଭୁତି ତାଙ୍କୁ ନିଆରା ଆନନ୍ଦ ଦେଇଥାଏ । ବର୍ତ୍ତମାନ ସମାଜରେ ପିଲାମାନଙ୍କର ଏବଂ ଅଭିଭାବକ ମାନଙ୍କର ଏହିଭଳି ନାଟକ ପ୍ରତି ଆଗ୍ରହରୁ ଲକ୍ଷ କରାଯାଏ ଶିଶୁ ନାଟକର ଭବିଷ୍ୟତ ଉଜ୍ଜ୍ୱଳମୟ ।

ଶିଶୁ ନାଟକର ବିକାଶରେ ପ୍ରତିବନ୍ଧକ:

ନାଟକରେ ଶିଶୁମାନଙ୍କ ପାଇଁ ଏତେ ସବୁ ସୁବିଧା ସୁଯୋଗ ଥାଇ ମଧ୍ୟ ଶିଶୁ ନାଟକ ଏତେ ଡେରୀରେ ଆରମ୍ଭ ହେବା ପଛରେ କାରଣ କ’ଣ ଥାଇପାରେ ? ଆମ ମନରେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ । କାରଣ ହେଉଛି ‘ରକ୍ଷଣଶୀଳ’ ମନୋଭାବ । ପିଲାମାନଙ୍କର ଅଭିଭାବକ ମାନଙ୍କର ରକ୍ଷଣଶୀଳ ମନୋଭାବ ପାଇଁ ଶିଶୁ ନାଟକ ଏତେ ଡେରିରେ ଆରମ୍ଭ ହୋଇଥିଲା । ସେମାନଙ୍କର ଧାରଣା ଥିଲା ପିଲାମାନେ ନାଟକରେ ମିଶିଲେ ସେମାନଙ୍କର ଭବିଷ୍ୟତ ନଷ୍ଟ ହୋଇଯିବ । ଯେଉଁ ସମୟରେ ସେମାନଙ୍କର ପାଠ ପଢ଼ିବା କଥା, ସେ ସମୟରେ ନାଟକ ବା Theatreରେ ମିଶିଲେ ସେମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ । ଓଡ଼ିଶାର କିଛି ପଛୁଆ ଚିନ୍ତାଧାରାର ଲୋକଙ୍କ ଦୃଷ୍ଟିରେ ନାଟକ ଏକ ଅବସର ବିନୋଦନ କାର୍ଯ୍ୟ, ଯେଉଁଥିରେ ଅଧିକ ସମୟ ଅପଚୟ ହୋଇଥାଏ। ନାଟକରେ ସେମିତି କୌଣସି ଉଜ୍ଜ୍ୱଳ ଆଦର୍ଶ ନାହିଁ କି ଏହା କରିବା ଦ୍ୱାରା କିଛି ଲାଭମଧ୍ୟ ନାହିଁ । ଅଭିଭାବକ ମାନଙ୍କର ଏହିପ୍ରକାର ରକ୍ଷଣଶୀଳ ମନୋଭାବ ହିଁ ଶିଶୁମାନଙ୍କର ବିକାଶର ବିରୋଧି ଅଟେ ।

ଶିଶୁ ମାନଙ୍କର ବିକାଶରେ ନାଟକର ଭୂମିକା :

ନାଟକରେ ଶିଶୁମାନଙ୍କ ସଂଶ୍ଲିଷ୍ଟ କରିବା ବା ଶିଶୁ ନାଟକ ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ନୁହେଁ । ଯେଉଁ ବିଷୟବସ୍ତୁକୁ ଛାତ୍ରଛାତ୍ରୀମାନେ ପୁସ୍ତକ କିମ୍ବା ସାଧାରଣ ଶ୍ରେଣୀ କକ୍ଷରେ ବୁଝିବା ସମ୍ଭବପର ହୋଇନଥାଏ, ତାହା ନାଟକ ମାଧ୍ୟମରେ ଅତି ସହଜରେ ଶିକ୍ଷାର୍ଥୀମାନଙ୍କ ନିକଟରେ ପହଂଚି ପାରିଥାଏ । ତେଣୁ ନାଟକଟି ମନୋରଞ୍ଜନାତ୍ମକ ହେବା ପାଇଁ ବିଧେୟ ହେବା ଉଚିତ । ଅର୍ଥାତ୍ ଏହା ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ଶିକ୍ଷଣୀୟ ହେବା ସହିତ ଉପଦେଶାତ୍ମକ ମଧ୍ୟ ହୋଇଥାଏ ।

୧.         ନାଟକ ପିଲାମାନଙ୍କର ଦୃଢ଼ବିଶ୍ୱାସ ବୃଦ୍ଧି କରିଥାଏ

ଛାତ୍ରଛାତ୍ରୀମାନଙ୍କ ଭିତରେ କେତେକ ପିଲା ଲାଜୁଆ ଓ ଡରୁଆ ପ୍ରକୃତିର ହୋଇଥାନ୍ତି । ଯାହାଦ୍ୱାରା ସେମାନେ କାହା ସମ୍ନାରେ ଠିଆ ହୋଇ କଥା ପଦେ କହିପାରନ୍ତି ନାହିଁ । କିନ୍ତୁ ନାଟକ କରିବା ଦ୍ୱାରା ଅଳ୍ପଦିନରେ ସହଜରେ ଲାଜ ଏବଂ ଡର ଗୁଣକୁ ଛାଡ଼ି ମନରେ ଦୃଢ଼ବିଶ୍ୱାସ ଆଣି ସାହାସର ସହିତ ଯେ କୌଣସି ପରିସ୍ଥିତିରେ ଯେ କୌଣସି ଲୋକଙ୍କୁ ସାମ୍ନା କରିବାର କ୍ଷମତା ସେମାନଙ୍କ ପାଖରେ ଦେଖିବାକୁ ମିଳେ ।

୨.         ନାଟକ ଶିଶୁର ଏକାଗ୍ରତା ଶକ୍ତି ବଢ଼ାଇଥାଏ

ସାଧାରଣତଃ କେତେକ ପିଲା ବିଚଳିତ ଏବଂ ଅନ୍ୟମନସ୍କ ପ୍ରକୃତିର ହୋଇଥିବାର ଦେଖାଯାଏ । ପାଠ୍ୟ ପୁସ୍ତକରେ ବିଷୟବସ୍ତୁରେ ସେମାନଙ୍କ ମନ ଲାଗେ ନାହିଁ । କିନ୍ତୁ ଏହି କ୍ଷେତ୍ରରେ କିଛି ନାଟକୀୟ ଖେଳ ବା ନାଟକ ବେଶ୍ ଉପଯୋଗୀ ହୋଇଥାଏ କାରଣ ଏହା ପିଲାମାନଙ୍କର ଋଚିସମ୍ପର୍ଣ୍ଣ ହୋଇଥିବାରୁ ସେ ନିଜକୁ ତା ଭିତରେ ହଜାଇ ଦେଇଥାଏ ଏବଂ ଅଜାଣତରେ ନିଜକୁ ତା ଭିତରେ ହଜାଇ ଦେଇଥାଏ । ଅଜାଣତରେ ଏକାଗ୍ରତା ଭଳି ସୁଗୁଣକୁ ବଢ଼ାଇଥାଏ ।

୩.         ନାଟକ ଭାଷା ଯୋଗାଯୋଗ (Communication)ଶୈଳୀର ବିକାଶ କରେ

ନୂଆ ନୂଆ ନାଟକ, ଗପ, କାହାଣୀ ଏବଂ ନୂଆ ନୂଆ ନାଟକ ସମ୍ପର୍କିତ ଖେଳରେ ଜଡ଼ିତ ହୋଇ ପିଲାମାନେ ନିଜର ଶବ୍ଦ ଭଣ୍ଡାରକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ମୁହଁର ଭଙ୍ଗୀ (ୠବମସବକ୍ଷ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦସକ୍ଟଦ୍ଭ) ଏବଂ ଶରୀର ଭାଷା (ଈକ୍ଟୟଚ୍ଚ ଖବଦ୍ଭଶଙ୍କବଶର) ପ୍ରଭୃତିକୁ ପରିପ୍ରକାଶ କରିଥାନ୍ତି । ଯାହା ପିଲାମାନଙ୍କର ଯୋଗାଯୋଗର ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରିଥାଏ ।

୪.         ସହଯୋଗିତା ମନଭାବର ବିକାଶ କରେ

ନାଟକ ସମ୍ପର୍କୀୟ ଖେଳ ଗୁଡ଼ିକରେ ତତକ୍ଷଣିକ ଗଠନ କାର୍ଯ୍ୟ ବା ତତକ୍ଷଣାତ୍ ରଚନା କ୍ଷେତ୍ରରେ କିମ୍ବା କୌଣସି ସମୁହୀତ ଅଭିନୟ ସମୟରେ ସହଯୋଗର ଆବଶ୍ୟକତା ସେମାନଙ୍କ ଦ୍ୱାରା ହୃଦୟଙ୍ଗମ ହୋଇଥାଏ । ଯାହା ଧୀରେଧୀରେ ସେମାନଙ୍କ ମଧ୍ୟରେ ସହଯୋଗିତାର ମନଭାବକୁ ବଢ଼ାଇଥାଏ ।

୫.         ନାଟକ ଶିଶୁମାନଙ୍କର ଆବେଗାତ୍ମକ ଭାବର ବିକାଶ କରିଥାଏ

ନାଟକ କରିବା ଦ୍ୱାରା ପିଲାଟି ବିଭିନ୍ନ ଚରିତ୍ରରେ ନିଜକୁ ସଂଶ୍ଳିଷ୍ଟ କରିଥାଏ । ଯାହା ସେମାନଙ୍କ ମନରେ ସେହି ଚରିତ୍ରର ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏକ ନୂତନ ଧାରଣା ସୃଷ୍ଟି କରିଥାଏ ଏବଂ ଯେତେବେଳେ ବାସ୍ତବ ଜୀବନରେ ସେହିଭଳି ଚରିତ୍ରକୁ ଭେଟନ୍ତି ବା ସାମ୍ନା କରନ୍ତି ସେତେବେଳେ ସେ ନିଜକୁ ସେହି ଚରିତ୍ର ଜାଗାରେ ରଖି ସମ୍ବେଦନଶୀଳ ହୋଇଥାନ୍ତି । ଯାହା ସେମାନଙ୍କର ଆବେଗାତ୍ମକ ଭାବର ପରିପ୍ରକାଶ କରିଥାଏ ।

୬.         ନାଟକ ଶିଶୁର ଶାରିରୀକ ବିକାଶରେ ସହାୟକ ହୋଇଥାଏ

ନାଟକଟିଏ ପରିବେଷଣ କରିବା ପୂର୍ବରୁ ବିଭିନ୍ନ ଚରିତ୍ରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାରର ବ୍ୟାୟମ, ଯୋଗ, ସ୍ୱରାଭ୍ୟାସଏବଂ ଅନେକ ନାଟକୀୟ ଖେଳ ଗୁଡ଼ିକୁ ଅଭ୍ୟାସ କରିବାକୁ ପଡ଼ିଥାଏ । ଯାହା ସେମାନଙ୍କର ଶାରିରୀକ ବିକାଶରେ ସହାୟକ ହୋଇଥାଏ ।

୭.         ନାଟକ ଶିଶୁର ସୃଜନଶୀଳ ଶକ୍ତିର ବିକାଶ କରିଥାଏ

ନାଟକ କରିବା ଦ୍ୱାରା ଶିଶୁଟି ବିଭିନ୍ନ ଚରିତ୍ର, ବିଭିନ୍ନ କାହାଣୀ ଏବଂ ବିଭିନ୍ନ ଘଟଣା ଦୁର୍ଘଟଣା ସଂଷ୍ପର୍ଶରେ ଆସିଥାଏ । ଯାହା ଶିଶୁଟି ମନରେ ନୂତନ ଭାବନା ଏବଂ ଚିନ୍ତାଧାରା ସୃଷ୍ଟି କରି ଦୁନିଆକୁ ଏକ ଭିନ୍ନ ଢ଼ଙ୍ଗରେ ଦେଖିବାକୁ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଶିଶୁଟି ସୃଜନାତ୍ମକ ଭଙ୍ଗୀରେ ତାର ଭାବକୁ କଳା ମାଧ୍ୟମରେ ପରିପ୍ରକାଶ କରିଥାଏ ।

ଶିଶୁନାଟକ ପାଇଁ କିଛି ସାବଧାନତା :

୧.         ପ୍ରଥମତଃ ଶିଶୁନାଟକରେ ଭାଗ ନଉଥିବା ସମସ୍ତ ଶିଶୁମାନଙ୍କର ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର । ଶିଶୁମାନଙ୍କର ଶିକ୍ଷାଗତ ମାନଦଣ୍ଡ ଉନ୍ନତ ଥିଲେ, ଶିଶୁନାଟକ ରୁଚିସମ୍ପର୍ଣ୍ଣ ଏବଂ ମାର୍ଜିତ ହୋଇଥାଏ । ଶିଶୁ କଳାକାରଙ୍କ ପାଇଁ ଶିକ୍ଷା ଏକ ଅତ୍ୟନ୍ତ ଜରୁରୀ ଉପାଦାନ । କେବଳ ଶିଶୁ ନୁହଁନ୍ତି ଥିଏଟର ଜଗତରେ ପ୍ରତ୍ୟେକ କଳାକାରଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । କାରଣ ଶିକ୍ଷା ନାଟକର ଭାଷା, ଚରିତ୍ରରେ ଭାବକୁ ବୁଝିବାରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଦେଶ ବିଦେଶରେ ନାଟ୍ୟ ଉତ୍ସବ ନାଟକ ପ୍ରତିଯୋଗିତାରେ ଅନ୍ୟମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବାରେ ସାହାଯ୍ୟ କରେ ।

୨.         ଏିଶୁନାଟକର ସଫଳତା ନିର୍ଭର କରେ ନାଟକର ଭାଷା ଉପରେ । କାରଣ ଭାଷା ସରଳ ହୋଇଥିଲେ ଶିଶୁଟି ନାଟକର ଭାବ, ଭାଷା ଓ ଶୈଳୀକୁ ବୁଝିବାରେ ସକ୍ଷମ ହୋଇଥାଏ, ଯାହା ଶିଶୁ କଳାକାରଟିକୁ ନାଟକ ପ୍ରତି ଆକୃଷ୍ଟ କରିଥାଏ । ତେଣୁ ଭାଷାଟି ଯଥାସମ୍ଭବ ସରଳ, ସାବଲୀଳ, ଅନଳଙ୍କାରିକ ଓ ଭାବପ୍ୟୋଯୋଗୀ ହୋଇଥିଲେ ଭଲ । ବାକ୍ୟଗୁଡ଼ିକ ଜଟିଳ ନ ହେବା ସହିତ ସମାସ ବହୁଳ ଶବ୍ଦଗୁଡ଼ିକ ଏଥିରେ ସ୍ଥାନ ନ ପାଇଲେ ଭଲ ।

୩.         ନାଟକଟି ଶିଶୁମାନଙ୍କର ସ୍ତର ନେଇ ହେବା ଆବଶ୍ୟକ ।

୪.         ଅନ୍ୟର ନିର୍ଦ୍ଦେଶନାକୁ ଶିଶୁମାନଙ୍କ ଉପରେ ଜବରଦସ୍ତି ଲଦ ଦେବା ଉଚିତ୍ ନୁହେଁ । କାରଣ ଏହା ସେମାନଙ୍କ ଆଗ୍ରହରେ ବାଧା ସୃଷ୍ଟି କରିଥାଏ ।

୫.         କୌଣସି ଚରିତ୍ରକୁ ଯଥାସମ୍ଭବ ସେମାନଙ୍କୁ ସ୍ୱାଧୀନ ଭାବରେ ପ୍ରଥମେ ପରିବେଷଣ କରିବାର ସୁଯୋଗ ହେଲେ ଭଲ ।

୬.         କିଛି ଶିଶୁ ନାଟକକୁ ଗଦ୍ୟ ଅପେକ୍ଷା ପଦ୍ୟଢ଼ଙ୍ଗରେ ଗୁରୁତ୍ୱ ଦେବା ଉଚିତ୍ । କାରଣ ଗୀତିଛନ୍ଦ ଓ ଗାୟନ ଶୈଳୀ ଖୁବ୍ଶୁଘ୍ର ଶିଶୁମାନଙ୍କୁ ସ୍ପର୍ଶ କରିଥାଏ ।

୭.         ଶିଶୁ ନାଟକ ମାନଙ୍କର ସମୟସୀମା ବେଶୀ ସମୟ ନ ହୋଇ ଅଳ୍ପ ସମୟ ହୋଇଥିଲେ ଭଲ । କାରଣ ଅଧିକ ସମୟର ଅବଧି ବିଶିଷ୍ଟ ନାଟକ ଶିଶୁମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟାଇ ପାରେ ।

୮.         ଶିଶୁ ନାଟକରେ ସେମାନଙ୍କର ବେଶ ପୋଷାକ ବିଷୟବସ୍ତୁ ଉପରେ ଆଧାରିତ ହେବା ସଙ୍ଗେ ସଙ୍ଗେ ଏହା ବିଭିନ୍ନ ରଙ୍ଗବେରଙ୍ଗର ବା ଆଖିଝଲସିଆ ହେଲେ ଭଲ । କାରଣ ଶିଶୁମାନଙ୍କୁ ବିଭିନ୍ନ ରଙ୍ଗରେ ବେଶ ପୋଷାକ ବେଶ୍ ଆକର୍ଷିତ କରିଥାଏ ।

୯.         ଶିଶୁମାନଙ୍କ ଉଦ୍ଦେଶ୍ୟରେ ହେଉଥିବା ନାଟକ ସାଧାରଣତଃ ସାମାଜିକ ନାଟକ ନ ହୋଇ ଐତିହାସିକ, ପୌରାଣିକ ଏବଂ ଅଦ୍ଭୁତ ନାଟକ ହୋଇଥିଲେ ଭଲ । କାରଣ ଏହିଭଳି ନାଟକ ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ଉପସଂହାର:

ଶିଶୁ ଓ କିଶୋର ବୟସର ଦର୍ଶକଙ୍କ ମନ ଗଠନ କ୍ଷେତ୍ରରେ ଶିଶୁ ନାଟକର ଗୁରୁତ୍ୱ ଅପରିସୀମ । ଏହା ଶିଶୁ ମାନଙ୍କର କଳ୍ପନା, ଭାବଗତ ବୁଦ୍ଧି, ଜ୍ଞାନାତ୍ମକ ଦକ୍ଷତା ଏବଂ ସାଂସ୍କୃତିକ ସଚେତନତାକୁ ବୃଦ୍ଧି କରୁଥିବା ବେଳେ ଏକ ମୂଲ୍ୟବାନ ଶିକ୍ଷା ଉପକରଣ ଭାବେ ମଧ୍ୟ ସହଯୋଗ କରି ଆସିଛି । ଭାରତରେ ଶିଶୁ ନାଟକ ଅନେକ ଭାବରେ ବୃଦ୍ଧି ପାଉଛି, ଯେଉଁଥିରେ କଳାକାର, ସଙ୍ଗଠନ ଏବଂ ଅନୁଷ୍ଠାନର ଶିଶୁ ନାଟକର ବୃଦ୍ଧି ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାରେ ମଧ୍ୟ ଧିରେ ଧିରେ ଅବିଭାବକ ମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ବିଶେଷକରି  ଡିଜିଟାଲ ପ୍ଲାଟଫର୍ମର ଅଭୂତପୂର୍ବ ଅଭ୍ୟୁଦୟ ପରେ ଶିଶୁ ନାଟକ କ୍ଷେତ୍ରରେ ଏହାକୁ ଉପୟୋଗ କରିବାପାଇଁ ପ୍ରୟାସ ଆରମ୍ଭ ହୋଇଛି । ଶିଶୁ ନାଟକକୁ ସମର୍ଥନ ଏବଂ ପ୍ରୋତ୍ସାହନ ଦେଇ ଆମେ ପରବର୍ତ୍ତୀ ପିଢ଼ିକୁ ସୃଜନଶୀଳତା, ସହାନୁଭୂତି ଏବଂ କଳା କ୍ଷେତ୍ରରେ ଅଗ୍ରଗତିରେ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାର ସମୟ ଆସିଛି ।

References:

https://indianculture.gov.in/childrens-theatre-i

https://www.indianetzone.com/59/childrens_theatre_india.htm

https://www.proquest.com/openview/6ff1a056e1d467788f721018561f215c/1?pq-origsite=gscholar&cbl=2026366&diss=y

https://books.google.co.in/books?hl=en&lr=&id=SyxOHOCVcVkC&oi=fnd&pg=PP11&dq=articles+on+childrens+theatre+in+india+&ots=jav6eEcRms&sig=Vlx9nrAvZ32fI5Qj6scDNCFx4mE&redir_esc=y#v=onepage&q&f=false

https://www.proquest.com/openview/f1374c78bca050437f2ee7dafa7d9ebd/1?pq-origsite=gscholar&cbl=1821248

 

Share This Article
ଯୁବ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର , ଅତିଥି ଅଧ୍ୟାପକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ (Young Theater Director, Script writer, and Guest Lecturer at Utkal University of Culture)
Exit mobile version