କବି ବାଞ୍ଛାନିଧିଙ୍କ ସଙ୍ଗୀତରେ ଦେଶପ୍ରୀତି

ରାଜେନ୍ଦ୍ର ବର୍ମା 704 Views
11 Min Read

ଭାରତବର୍ଷର ସ୍ୱାଧୀନତା ଆନେଦାଳନରେ ନେତାଜୀ ସୁବାଷ ବୋଷ, ଭଗତ ସିଂ, ସୂର୍ଯ୍ୟସେନ, ଖୁଦିରାମ, ଚନ୍ଦ୍ରଶେଖର ଆଜାଦ, ରାମପ୍ରସାଦ ବିସ୍‌ମିଲ୍‌, ଆସ୍‌ଫାକଉଲ୍ଲା ଆଦି ସଂଗ୍ରାମୀ ଯୋଦ୍ଧାମାନେ ଯେଉଁ ଯୌବନଦୀପ୍ତ ଆପୋଷହୀନ ବିପ୍ଲବୀ ସଂଗ୍ରାମର ଧାରାର ଅଭ୍ୟୁତ୍‌ଥାନ ଘଟାଇ ବ୍ରିଟିଶ ସାମ୍ରାଜ୍ୟବାଦର ମୃତ୍ୟୁ ଘଣ୍ଟି ବଜାଇଥିଲେ ସେହି ସ୍ପର୍ଦ୍ଧିତ ସଂଗ୍ରାମର ଧାରାକୁ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାକୁ ଆଣିଥିଲେ ବିପ୍ଲବୀ କବି ବାଞ୍ଛାନିଧି ମହାନ୍ତି । ସେ ତାଙ୍କର ରଚିତ ମର୍ମସ୍ପର୍ଶୀ ସଙ୍ଗୀତଗୁଡ଼ିକୁ ଖାଲି ରଚନା କରି ନ ଥିଲେ, ସେ ତାଙ୍କର ସୁରନ୍ଦର ଗଳାରେ ହାରମୋନିୟମ୍ ସାଙ୍ଗରେ ଗାଇ ଗାଇ ହାଟ-ବଜାର, ଗାଁ-ଗଣ୍ଡା ଘୁରି ବୁଲୁଥିଲେ ।

କହ କହ କେଉଁ ଜାତି ପାଇଛି ମୁକତି

କରି ହାରିହୁରି ଗୁହାରୀ

କହ ପାଇଛି କେ ସୁଖ ଲିଭାଇଛି ଦୁଃଖ

ମାଗି ମାଗି ପଥ ଭିକାରୀ ।

ଯେବେ ବାଘ ମୁଖେ ପଡ଼େ ଶିକାର,

ବିନତୀରେ ପାଏକି ସେ ଉଦ୍ଧାର ।

ଛାଡ଼ି କି ଦେବ କେବେ ଧିବର ମୀନକୁ,

ନ ଗଲେ ସେ ଜାଲୁ ଆପେ ବାହାରି ।

କହ କହ କେଉଁ ଜାତି….

 

ହାରି-ଗୁହାରୀ, ଅନୁନୟ-ବିନିନୟ, ଗୋଲଟେବୁଲ ବୈଠକ ଦ୍ୱାରା ଦେଶର ସ୍ୱାଧୀନତା ଆସିବ ନାହିଁ । ଆସିବ ଏକ ବିପ୍ଲବୀ ଅଭ୍ୟୁତ୍‌ଥାନ ଦ୍ୱାରା ଏହା ଥିଲା ତାଙ୍କର ସ୍ୱାଧୀନତାର ସେନାନୀମାନଙ୍କ ପ୍ରତି ଆହ୍ୱାନ । ତାଙ୍କର ସଙ୍ଗୀତଗୁଡ଼ିକ କେବଳ ଉଦ୍‌ବୋଧନମୂଳକ ନ ଥିଲା ତହା ମଧ୍ୟରେ ଥିଲା ବିପ୍ଲବର ତଥ୍ୟ ଓ ତତ୍ତ୍ୱ ।

ଦେଖ ଆଇରିସ୍‌, ଚାଇନା, ଜାପାନ

ଆଫଗାନ, ଆମେରିକା ପଠାନ

ପରାଣ ପାତି ହେଲେ ମୁକତି

ଜୀବନ ମରଣ ନ ବିଚାରୀ ।

କହ କହ କେଉଁ ଜାତି…

ଜାତୀୟ କବି ବାଞ୍ଛାନିଧି ମହାନ୍ତି ୧୮୯୭ ମସିହା ୨୦ ଏପ୍ରିଲ ଦିନ ଆଜିକାର ଭଦ୍ରକ ଜିଲ୍ଲାର ବାସୁଦେବ ପୁର ନିକସ୍ଥ ଇରମଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ସେଠାରେ ଚାଲିଥିବା ଜମିଦାରୀ ଶୋଷଣ ବ୍ୟବସ୍ଥା ପ୍ରତି ବିତସ୍ପୃହ ଥିଲେ । ତାଙ୍କର ମନ ବିଦ୍ରୋହୀ ହୋଇ ଉଠୁଥିଲା । ସେତେବେଳେ ଟିକସ ଆଦାୟ କରିବା ପାଇଁ ଜମିଦାମାନଙ୍କର ଯେଉଁ ଅତ୍ୟାଚାର ଚାଲିଥିଲା ତାହା ବିରୁଦ୍ଧରେ ବାଞ୍ଛାନିଧିଙ୍କ ବାପା ଚିନ୍ତାମଣି ମହାନ୍ତି ଜନସାଧାରଣଙ୍କୁ ଏକଜୁଟ କରି ଏକ ଶକ୍ତିଶାଳୀ ଜନ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଏଥିପାଇଁ ଜମିଦାରଙ୍କ ଗୁଣ୍ଡାମାନେ ତାଙ୍କୁ ଧରିନେଇ ନାନା ନିର୍ଯ୍ୟାତନା ଦେଇଥିଲେ । ଅତ୍ୟାଚାର ଏଭଳି ଜାଗାରେ ଯାଇ ପହଞ୍ଚିଲା ତାଙ୍କୁ ନିଜର ଭିଟାମାଟି ଛାଡ଼ି ଚାଲିଆସିବାକୁ ପଡ଼ିଲା । ଭଦ୍ରକ ନିକଟସ୍ଥ ବାଙ୍କସାହି ନିକଟରେ ସେ ଗୋଟିଏ ଛୋଟ ଘର ତିଆରି କରି ସେ ସେଠାକୁ ତାଙ୍କର ପିଲାମାନଙ୍କୁ ନେଇ ଚାଲିଆସିଲେ ଓ ତାଙ୍କର ପାରମ୍ପରିକ ମୋହରୀର କାର୍ଯ୍ୟ କରି ପିଲାମାନଙ୍କୁ ପାଠ ପଢ଼ାଇଲେ । ବାଞ୍ଛାନିଧି ୧୯୧୨ ମସିହାରେ ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପାସ୍ କଲେ ଏବଂ ରେଭେନ୍‌ସା କଲେଜରେ ଏଫ୍‌.ଏ. ଶ୍ରେଣୀରେ ନାମ ଲେଖାଇଲେ । ସେତେବେଳେ ସେ ସେଠାରେ ଦେଶର ମୁକ୍ତିପାଇଁ ଚାଲିଥିବା ବହୁ ଆନ୍ଦୋଳନ ସହିତ ଯୋଗଦେଲେ । ସେହି ସମୟରେ ରେଭେନ୍‌ସାରେ ପାଠପଢ଼ୁଥିଲେ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ । ତାଙ୍କ ସଂସ୍ପର୍ଶରେ ଆସି ତାଙ୍କ ମଧ୍ୟରେ ବିପ୍ଲବୀ ଚେତନା ଆହୁରି ବଳବତ୍ତର ହୋଇଥିଲା । ଏହାପରେ ବି.ଏ. ଶ୍ରେଣୀରେ ପଢୁଥିବା ବେଳେ ସେ କାନ୍ତପବି ଲକ୍ଷ୍ମୀକାନ୍ତଙ୍କ ସଂସ୍ପର୍ଶରେ ଆସିଲେ । ଓଡ଼ିଶାରେ ସାହିତ୍ୟ ମାଧ୍ୟମରେ ବିପ୍ଲବୀ ଚେତନାର ଜାଗ୍ରତ ହୋଇଥିଲା, ସାହିତ୍ୟ ଜଗତର ଏହି ରଥି ମହାରଥିମାନଙ୍କ ଦ୍ୱାରା । ପରେ ବାଞ୍ଛାନିଧି ଆଇନ କଲେଜରେ ପଢ଼ୁଥିବାବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କଲେଜରୁ ବହିଷ୍କୃତ ହେଲେ ।

ପରେ ସେ ଭଦ୍ରକ ହାଇସ୍କୁଲର ଏକ ଶିକ୍ଷକ ଭାବେ ଯୋଗ ଦେଇଥିଲେ ଯେଉଁ ସମୟରେ ହରେକୃଷ୍ଣ ମହତାବ ସେହି ସ୍କୁଲର ଜଣେ ଛାତ୍ର ଥିଲେ । କିନ୍ତୁ ଅବିଳମ୍ବେ ସେ ଶିକ୍ଷକତା ଛାଡ଼ି ଦେଶର ମୁକ୍ତି ଆନ୍ଦୋଳନରେ ଲାଗିପଡ଼ିଲେ । ୧୯୨୨ ମସିହା ଜୁଲାଇ ୭ ତାରିଖ ଭଦ୍ରକ ନିକଟସ୍ଥ ଇଦ୍ଗା ପଡ଼ିଆରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଏକ ମିଟିଂ ଆୟୋଜନ କରି ଗିରଫ ହୋଇଥିଲେ । ତାହା ପରେ ସେ ରଚନା କରିଥିଲେ ଶତାଧିକ ଦେଶାତ୍ମକ ବୋଧ ସଙ୍ଗୀତ ଓ କବିତା । ଏଗୁଡ଼ିକ ନିଜର ସୁଲଲିତ କଣ୍ଠରେ ଗାଁ ଗଣ୍ଡା, ହାଟବଜାର ବୁଲି ବୁଲି ହାରମୋନିୟମ୍ ସହ ଗାଇ ଗାଇ ନିଜର ବାର୍ତ୍ତା ପ୍ରଚାର କରି ଚାଲିଥିଲେ ।

ତାଙ୍କ ମୃତ୍ୟୁପରେ ତାଙ୍କର କର୍ମଭୂମୀ ଇରମ୍‌ରେ ସଙ୍ଗଠିତ ହୋଇଥିଲା ଭାରତବର୍ଷର ଦ୍ୱିତୀୟ ଜାଲିଆନାୱାଲାବାଗ । ବାଞ୍ଛାନିଧିଙ୍କ ସଙ୍ଗୀତ ଏହିଭଳି ଏକ ମହାସଂଗ୍ରାମର ଭିତ୍ତିଭୂମି ସୃଷ୍ଟି କରିଥିଲା । ଭାରତଛାଡ଼ ଆନ୍ଦୋଳନର ଧାରାରେ ଯେଉଁ ଅଗଷ୍ଟ କ୍ରାନ୍ତି ସଙ୍ଗଠିତ ହୋଇଥିଲା ସେହି ଆନ୍ଦୋଳନର ଡାକରାରେ ବାଲେଶ୍ୱର ଜିଲ୍ଲାର ଇରମ୍‌ଠାରେ ସଙ୍ଗଠିତ ହୋଇଥିବା ଗଣ-ଅଭ୍ୟୁତଥାନକୁ ବ୍ରିଟିଶ ପୋଲିସ୍ ନିର୍ମମ ଭାବେ ଦମନ କରିଥିଲେ । ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିଥିଲେ ୨୬ ଜଣ ଆନ୍ଦୋଳନକାରୀ ନିରସ୍ତ୍ର ଜନତା ଓ ଗୁରୁତରଭାବେ ଆହତ ହୋଇଥିଲେ ୫୬ ଜଣ । ଏହି ବଳିଦାନ ବିଫଳ ହୋଇ ନ ଥିଲା ।

ଏହି ବିଦ୍ରୋହର ଅଗ୍ନି ଓଡ଼ିଶାର ସହର ବଜାର ଗାଁ’ଗଣ୍ଡାକୁ ପ୍ରସାରିତ ହୋଇଥିଲା । ବିଦ୍ରୋହୀ ଜନତା ଦଖଲ କରିଥିଲେ ଥାନା, ଡାକଘର, ତହସିଲ ଆଦି ସରକାରୀ ଅଫିସ୍ ଦପ୍ତର । ଯାଜପୁର ଜିଲ୍ଲାର ବରି, କଳାମଟିଆ ଆଦି ଆହୁରି ବହୁ ସ୍ଥାନରେ ପୋଲିସ ଗୁଳିରେ ପ୍ରାଣ ହରାଇଲେ ସଂଗ୍ରାମୀ ଜନତା । ଏହି ଅଗଷ୍ଟ କ୍ରାନ୍ତିରେ ଏତେ ରକ୍ତପାତ ହୋଇଥିଲା ତାହା ଥିଲା ୧୮୫୭ ସିପାହୀ ବିଦ୍ରୋହ ଠାରୁ ଢେର ଅଧିକ । କିନ୍ତୁ ଚୌରିଚୌରାଠାରେ ଥାନା ପୋଡ଼ିରେ ୫ ଜଣ ପୋଲିସ୍ କନେଷ୍ଟବଳଙ୍କ ମୃତ୍ୟୁରେ ବ୍ୟଥିତ ହୋଇ ସମଗ୍ର ଅସହଯୋଗ ଆନ୍ଦୋଳନକୁ ହିଂସାତ୍ମକ ହେଲା ବୋଲି ଆଖ୍ୟାୟିତ କରି ଏହାକୁ ଗାନ୍ଧି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଥିଲେ ।  “କର ବା ମର” ଡାକରା ଦେଇଥିଲେ । ତେଣୁ ଏହି ଅତ୍ୟାଚାରୀ ଶାସନର ଅବସାନ ହାରିଗୁହାରୀ ଓ ଅହିଂସା ମାଧ୍ୟମରେ ସଫଳ ହେବ ନାହିଁ ଏହା ପ୍ରାୟ ତାଙ୍କର ହୃଦବୋଧ ହୋଇସାରିଥିଲା । ବହୁ ପୂର୍ବରୁ ଏହି ମନ୍ତ୍ରର ଓଡ଼ିଶାରେ ଯଦି କେହି ପ୍ରଚାର କରିଥିଲେ ସେ ହେଉଛନ୍ତି ଚାରଣ କବି ବାଞ୍ଛାନିଧି ମହାନ୍ତି ।

ପ୍ରକୃତ ସ୍ୱାଧୀନତାର ଅର୍ଥ କ’ଣ ସେ ସମ୍ପର୍କରେ ସେ ଆହୁରି ମଧ୍ୟ ଗାଇ ବୁଲିଥିଲେ-

କି ହେବ ଏ ସ୍ୱରାଜ୍ୟ ଘେନି,

ଯଦି ମୋର ନ ପୁରେ ପେଟ ।

ଖଟି ଖଟି ଆମେ ମଲୁଣି ମୁଲିଆ,

ଚାଷ ଚାଷୀ ଦାନାକନା ନିଅଣ୍ଟ ।

କି ହେବ ଏ ସ୍ୱରାଜ୍ୟ…

 

ଅର୍ଥାତ୍ ଏଭଳି ସ୍ୱାଧୀନତା ଦରକାର ଯେଉଁଠି ସମସ୍ତ ଚାଷୀ ମୁଲିଆମାନଙ୍କୁ ଉପଯୁକ୍ତ ଓ ପର୍ଯ୍ୟାପ୍ତ ଖାଦ୍ୟ ମିଳିବ, ବସ୍ତ୍ର ମିଳିବ, ତାଙ୍କ ଚାଷ ପାଇଁ ସମସ୍ତ ଆନୁସଙ୍ଗିକ ଜିନିଷପତ୍ର ମିଳିବ । ଜଳସେଚନର ସୁବିଧା ରହିବ ଓ ମିଳିବ ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ । ଲେଖିଛନ୍ତି –

ମୋ ଭାଇର ବାଟିକି ବାଟି

ଅମ୍‌ହାର ତ ଯାଉଛି ଫାଟି ।

ମୋର ଚାଳେ ନାହିଁ ଛପର କୁଟାଟି

ମୋ ଭାଇର ଅଛି ଫେସନ ଖଟ ।

 

ଏହାର ଅର୍ଥ ସମାଜର ଥିବା ଅର୍ଥନୈତିକ ବୈଷମ୍ୟ ଦୂର ହେବ ।

ବ୍ରିଟିଶମାନେ ସେମାନଙ୍କର ଉପନିବେଶମାନଙ୍କରେ ୧୯୨୬ ମସିହାଠାରୁ ଡୋମିନିଅନ୍ ଷ୍ଟାଟସ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ । ତାହା ହେଲା ଏକ ସ୍ୱାୟତ୍ତ୍ୱ ଶାସନ ବ୍ୟବସ୍ଥା ଗଠନ କରିବା ଯେଉଁଥିରେ ସେହି ଦେଶର ନେତୃମଣ୍ଡଳୀ ପଦାଧିକାରୀ ରହିବେ । ଭାରତବର୍ଷରେ ମଧ୍ୟ ଏହିଭଳି ଏକ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳିତ ହେଲା କିନ୍ତୁ ରାଷ୍ଟ୍ରଯନ୍ତ୍ରର ଯାହା ମୁଖ୍ୟଶକ୍ତି ଅର୍ଥ, ରାଜସ୍ୱ ପୋଲିସ୍‌, ମିଳିଟାରୀ ଇତ୍ୟାଦି, ବ୍ରିଟିଶ ହାତରେ ରହିଲା । ତେଣୁ ଏହି ଯେଉଁ ସ୍ୱରଜ୍ୟ ଆସିଥିଲା ତାହାକୁ ବାଞ୍ଛାନିଧି ଥଟ୍ଟାକରି ଲେଖିଥିଲେ – କି ହେବ ଏ ସ୍ୱରାଜ୍ୟ ଘେନି / ଯଦି ମୋର ନ ପୁରେ ପେଟ ।

ଏହି ସ୍ୱରାଜ୍ୟ ବ୍ୟବସ୍ଥାରେ ମନ୍ତ୍ରୀ ହେବା ପାଇଁ ସେତେବେଳେ ନେତାମାନଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗୀତା ଚାଲିଥିଲା ସେଥିରେ ବ୍ୟଥିତ ହୋଇଥିଲେ ଚାରଣ କବି ବାଞ୍ଛନିଧି । ସେ ଥଟ୍ଟା କରି ଲେଖିଥିଲେ –

ମୁଁ ଯଦି ମନ୍ତ୍ରୀ ହୁଏଁ

ଜୀବନ ମୋର ଧନ୍ୟ ହେବ ।

ତୁଚ୍ଛା ଗୋଟିଏ ଛୋଟ ଉପାଧିରେ

ଶ୍ରମ କି ମୋହର ସଫଳ ହେବ ।

 

ମନ୍ତ୍ରୀ ହେଲେ ଟଙ୍କା ହଜାର

ହେବ ସିନା ମୋର ରୋଜଗାର

ନ ଥାଇ କ୍ଷମତା ପଛେ

ଲାଟ୍‌ ଙ୍କ ସଙ୍ଗେ ମିଳନ ହେବ ।

ମୁଁ ଯଦି ମନ୍ତ୍ରୀ ହେବି…

 

ତାଙ୍କର ଦୃଢ଼ବିଶ୍ୱାସ ଥିଲା କେବଳ ଦେଶରୁ ବ୍ରିଟିଶମାନଙ୍କୁ ବିଦା କରିଦେଲେ ହେବ ନାହିଁ । ଦେଶରେ ଥିବା କୁସଂସ୍କାର, ଧର୍ମାନ୍ଧତା ଦୂର ହେବ, ଅର୍ଥନୈତିକ ବୈଷମ୍ୟ ଦୂର ହେବ ତଥା ଦେଶର ଅତ୍ୟାଚାର ଅନାଚାରର ଭିତ୍ତି ଉପରେ ପ୍ରତିଷ୍ଠିତ ସମାଜ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ । ଏହି ଚିନ୍ତାଧାରା ତାଙ୍କ ଲେଖାର ଛତ୍ରେ ଛତ୍ରେ ପ୍ରତିଫଳିତ ହେଉଥିଲା ।

ଧର୍ମୀୟ ଅନ୍ଧତା ବିରୁଦ୍ଧରେ ସେ ତାଙ୍କର ଶାଣିତ କଲମ ପରିଚାଳନା କରିଥିଲେ-

ଆପଣା ଗରେଜ କନ୍ଳ ଫାନ୍ଦି

ଧରମ ନାମରେ ନିୟମକୁ ବାନ୍ଧି

ପାପ ପୁଣ୍ୟ କହି ଭୁଲାଇ ଦିଅନ୍ତି

(ସେତ) ଭୁଲାଇବା ଏକ ବାଗ ହେ ।

ଜାଗରେ ଜାଗରେ…

ବିଧାତା ଲିଖନ ଶୁଣିଥାଅ କାନେ

ଲେଖିବା କେହି ଦେଖିଛି ନୟନେ,

ଭାଗ୍ୟ ବୋଲି ଆନ ଶବଦ କୁହୁକ,

ଅବନତି କଳାନାଗ ହେ ।

ଜାଗରେ ଜାଗରେ… ।

 

ଅର୍ଥାତ୍ ସମାଜରେ ଶାସକ ଶ୍ରେଣୀ ଓ ବଡ଼ପଣ୍ଡାମାନେ ନିଜର ସ୍ୱାର୍ଥରେ ପାପପୂଣ୍ୟ, ବିଧାତା ଲିଖନ ଓ ଭାଗ୍ୟ ଆଦି ଲକ୍ଷ୍ମଣରେଖା ସୃଷ୍ଟି କରିଛନ୍ତି । ସେହି ଅନ୍ଧଧାରଣା ଗୁଡ଼ିକରୁ ଜନସାଧାରଣ ନିଜକୁ ମୁକ୍ତ କରନ୍ତୁ ବୋଲି ସେ ଆହ୍ୱାନ କରିଥିଲେ । ଜାତିପ୍ରଥା ବିରୁଦ୍ଧରେ ମଧ୍ୟ ସେ ନିଜର ଶାଣିତ ଲେଖନୀ ପରିଚାଳନା କରିଥିଲେ ।

ଅଛୁଆଁ ଦୋଷ ମହାପାପକୁ ଉଠାଅ ଭାଇ,

ଅଛୁଆଁ ଛୁଆଁ ଜାତି ପ୍ରମାଣ କାହିଁରେ ନାହିଁ ।

ସ୍ମୃତି ପୂରାଣ ବୋଲି ଜଗତେ ଯାହାକୁ କହି,

ସେ ତ ବଦଳେ ଦେଶ ଅବସ୍ଥା ସମୟ ନେଇ ।

ଉଚ୍ଚଜାତି ବୋଲି ଯାହାଙ୍କ ଗରବ ଥାଇ,

ନୀଚ କର୍ମ କରୁଥାନ୍ତି ଉଚ୍ଚ ହୋନ୍ତି ବୋଲାଇ ।

ପାଞ୍ଚ କୋଟି ଭାଇଙ୍କୁ ରଖିଛ ତଳେ ପକାଇ,

ଶ୍ୱାନ ଶୃଗାଳ ମାର୍ଜାରଠାରୁ ହୀନ କରାଇ ।

ନୀଚ ଅଧବ ଯେତେ ହେଲେ ସେ ଆମରି ଭାଇ,

ଘୃଣା ନ କରି ଉତ୍ତମ କଥା ଶିଖାଅ ନେଇ ।

ନିଜ ଭାଇଙ୍କୁ ସମାନ ଭବେ ଦେଖିଲ ନାହିଁ,

କେମନ୍ତେ ବିଦେଶୁଁ ଦାବି କର ସମତା ପାଇଁ ।

 

ବ୍ରିଟିଶ ଶାତକମାନେ ସ୍ୱାଧୀନତା ଆନ୍ଦୋଳନକୁ ଦମନ କରିବା ପାଇଁ ଯେଉଁ ଲାଠି ଗୁଳି, ଜେଲ ଆଦିକୁ ସେ ବେଖାତିର କରି ଲେଖିଥିଲେ –

ଯେତେ ଅଛି ଆଇନ୍ କାନୁନ୍‌

କରିବ ସେ କରୁ ଜାରି,

ଯେତେ ଅଛି ଗୁଳିଗୋଳା ତୋପ

ବନ୍ଧୁକ କମାଣ ଦେଉ ସେ ମାରି । (ଘୋଷା)

ଅସଂଖ୍ୟ ଏ ଭାରତ ଜାତି

ପତାଇ ଦେବାକୁ ଛାତି

ମାରି ମାରି ମେଣ୍ଟାଇ ଆସି ତେବେ କି

ଆମକୁ ପାରିବ ସାରି ।

ମାରୁ କେତେ ଲାଠି ମାଡ଼,

ଭାଙ୍ଗି ଚୁନା କରୁ ହାଡ଼

ଦଧିଚିର ହାଡ଼ ପରି ବଜ୍ର ହୋଇବ ତିଆରି ।

କରୁ କେତେ ଜୋରିମାନା

ନେଇ ଯାଉ ଜମିଜମା

ଯହିଁ ଯାହା ଥିବ ତାହା

କେ ନେବ ଦରିଆ ପାରି ।

 

ନବ ଜାଗରଣର ଯେଉଁ ଚିନ୍ତାକୁ ରାଜା ରାମ ମୋହନ ରାଏ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରମୁଖ ଭାରତବର୍ଷକୁ ନେଇ ଆସିଥିଲେ, ସେହି ଚିନ୍ତାଧାରାକୁ ନିଜର ସଙ୍ଗୀତ ମାଧ୍ୟମରେ ପ୍ରତିଫଳିତ କରିଥିଲେ ବାଞ୍ଛାନିଧି । ଛୁଆଁ ଅଛୁଆଁ ବିରୁଦ୍ଧରେ ନିଜର ଲେଖନୀ ଚାଳନା କରିବା ସଙ୍ଗେ ସଙ୍ଗେ ପୁରାତନ ଧର୍ମୀୟ ବିଧିବ୍ୟବସ୍ଥା ବିରୁଦ୍ଧରେ ସେ ତାଙ୍କର ସଙ୍ଗୀତ ମାଧ୍ୟମରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ସ୍ଥାନ କାଳପାତ୍ର ଅନୁଯାୟୀ ସତ୍ୟର ରୂପରେଖ ବଦଳିଯାଏ । ତେଣୁ ଧର୍ମପୁରାଣରେ ଲେଖାଥିବା ଦିଗ୍‌ଦର୍ଶନ ସବୁ ଦିନପାଇଁ ଗ୍ରହଣୀୟ ନୁହେଁ । ଏହା ସେ ପ୍ରଚାର କରୁଥିଲେ ।

ଓଡ଼ିଶାରେ ସମାଜ ପ୍ରଗତି ଓ ଭାରତୀୟ ଜାତୀୟ ମୁକ୍ତି ଆନ୍ଦୋଳନର ଜଣେ ଅଗ୍ରଣୀ ଯୁଗ ପ୍ରବର୍ତ୍ତକ ହିସାବରେ ବାଞ୍ଛାନିଧି ଥିଲେ ସେ ସମୟର ଜଣେ ଆଗଧାଡ଼ିର ସୈନିକ । କିନ୍ତୁ ଇତିହାସରେ ତାଙ୍କୁ ଉଚିତ୍ ସ୍ଥାନ ଦିଆଯାଇ ନାହିଁ । ତାଙ୍କ ସୃଷ୍ଟ କାବ୍ୟଧାରାର ଚର୍ଚ୍ଚା ସାହିତ୍ୟ ଜଗତରେ ଅଧ୍ୟ ଆବଶ୍ୟକୀୟ ଭାବେ ହୋଇନାହିଁ । ଆଜି ସମାଜରେ ଯେଭଳି ଜନମାନସରେ ନୀତିନୈତିକତା ଓ ସଂସ୍କୃତି କ୍ଷେତ୍ରରେ ଚରମ ଅଧୋଗତ ଦେଖାଯାଇଛି ତାହାର ମୁକାବିଲା ପାଇଁ ଏକ ପାଲଟା ସାଂସ୍କୃତିକ ଆନ୍ଦୋଳନର ଆବଶ୍ୟକତା ରହିଛି । ପ୍ରଗତିଶୀଳ ସଙ୍ଗୀତ ଓ ସାହିତ୍ୟର ସୃଷ୍ଟି ହେଉ ନାହିଁ । ଅଶ୍ଳୀଳତା ଓ ନଗ୍ନତା ଆଜି ସମଗ୍ର ସଙ୍ଗୀତ, ସାହିତ୍ୟ, ଚଳଚ୍ଚିତ୍ର, ନାଟକ ଜଗତକୁ କବଳିତ କରିଛି । ତେଣୁ ଆଜି ସେଗୁଡ଼ିକର କବଳରୁ ଛାତ୍ର ଯୁବକ ତଥା ସମଗ୍ର ବୌଦ୍ଧିକ ବାତାବରଣକୁ ମୁକ୍ତ କରିବାକୁ ହେଲେ ବିସ୍ମୃତିର ଗୌହରରେ ଲୁଚିଯାଇଥିବା ବାଞ୍ଛାନିଧିଙ୍କ ଭଳି ସାହିତ୍ୟ ସ୍ରଷ୍ଟାମାନଙ୍କର ଚର୍ଚ୍ଚା ଆରମ୍ଭ କରିବା । ଖାଲି ଚର୍ଚ୍ଚା ନୁହେଁ ତାଙ୍କର ଦିଗ୍‌ଦର୍ଶନଙ୍କୁ ପାଥେୟ କରି ଏକ ବିରାଟ ସାଂସ୍କୃତିକ ଆନ୍ଦୋଳନ ଗଢ଼ିତୋଳିବା, ଯେପରି ସାହିତ୍ୟ କ୍ଷେତ୍ରରେ ଆହୁରି ବାଞ୍ଛାନିଧି ସୃଷ୍ଟି ହେବେ । ଜାତୀୟ କବି ବୀରକିଶୋର ସୃଷ୍ଟି ହେବେ, କାନ୍ତକବି ଲକ୍ଷ୍ମୀକାନ୍ତ ସୃଷ୍ଟି ହେବେ, କବି ମଞ୍ଜୁଳ କୃଷ୍ଣପ୍ରସାଦ ସୃଷ୍ଟି ହେବେ ଇତ୍ୟାଦି ଇତ୍ୟାଦି । ଆସନ୍ତୁ ଏହି ମହାନ୍ ସାଂସ୍କୃତିକ ଆନ୍ଦୋଳନର ସୃଷ୍ଟି କରିବା କ୍ଷେତ୍ରରେ ଆଗଭର ହେବା ।

Share This Article
Exit mobile version