ଭାରତୀୟ ସନ୍ଥ ଓ ଓଡ଼ିଆ ସାହିତ୍ୟକୁ ଢେଙ୍କାନାଳ ମଠ ମାନଙ୍କର ଅବଦାନ

ପ୍ରାମାଣିକ ଭିତ୍ତିରେ ଢେଙ୍କାନାଳର ମଠ ପରମ୍ପରା ଜଗତ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କଠାରୁ ଆରମ୍ଭ ହୋଇଛି...

ମେନନ ସାହୁ
718 Views
16 Min Read

ଭାରତୀୟ ସନ୍ଥ ଓ ଓଡ଼ିଆ ସାହିତ୍ୟ ଜଗତକୁ ଉତ୍କଳରେ ପ୍ରତିଷ୍ଠା ହୋଇଥିବା ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଂପ୍ରତିକ ଏହି ମଠ ସଂସ୍କୃତିର ପ୍ରାଧାନ୍ୟ କମିଯାଇଥିଲେ ମଧ୍ୟ ପ୍ରାଚୀନ କାଳ ବିଶେଷ ଭାବରେ ମଧ୍ୟଯୁଗ ସମୟରେ ଏହି ମଠଗୁଡ଼ିକ ଉଭୟ ଧର୍ମ ଓ ସାଂସ୍କୃତିକ କ୍ଷେତ୍ରରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା । ବୈଦିକ ଯୁଗରେ ପଣ୍ଡିତ, ଋଷି, ଆଚାର୍ଯ୍ୟ ପ୍ରଭୃତି ଆଶ୍ରମରେ ରହୁଥିଲେ ସେଠାରେ ସେମାନେ ତାଙ୍କ ଶିଷ୍ୟମାନଙ୍କୁ ବିଭିନ୍ନ ଧର୍ମ, ଜ୍ଞାନ, ବିଦ୍ୟା ଶିଖାଇବା ସହିତ ଈଶ୍ୱର ନିକଟ ହେବାର ମାର୍ଗ ମଧ୍ୟ ଦେଖାଉଥିଲେ। ଗୁରୁ ନିଜେ ଈଶ୍ୱରୀୟ କୃପାଲାଭ କରିବା ସହିତ ଶିଷ୍ୟମାନଙ୍କୁ ମଧ୍ୟ ତା’ର ପଥ ବା ମାର୍ଗ ଦେଖାଉଥିଲେ । ଶାସ୍ତ୍ର, ପୁରାଣ ବେଦ-ଉପନିଷଦ ପ୍ରଭୃତି ଆଲୋଚନା ସହ ଆଧ୍ୟାମିôକ ଦିଗରେ ଉଭୟ ଗୁରୁ ଶିଷ୍ୟ ସର୍ବଦା ନିଜକୁ ପରିଚାଳିତ କରୁଥିଲେ ।

Support Samadhwani

ସ୍କନ୍ଦ ପୁରାଣରେ ଲେଖା ରହିଛି ମାର୍କଣ୍ଡେୟ ଋଷି ପୁରୀ କଳ୍ପବଟ ତଳେ ଏକ ଆଶ୍ରମ କରି ରହୁଥିଲେ । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ସେହି ଆଶ୍ରମର ପରବର୍ତ୍ତୀ ରୂପ ହେଉଛି ଏହି ମଠ ସଂସ୍କୃତି । ଆଶ୍ରମଗୁଡ଼ିକ ପ୍ରାୟତଃ ପାହାଡ଼ ଅରଣ୍ୟ, ନଦୀକୂଳ ଭଳି ନିର୍ଜନ ସ୍ଥାନରେ ଗଢ଼ି ଉଠିଥିବାର ଦେଖାଯାଏ କିନ୍ତୁ ମଠଗୁଡ଼ିକ ମନ୍ଦିର ପ୍ରାଙ୍ଗଣ କିମ୍ବା ତା’ର ଆଖପାଖ ଅଞ୍ଚଳରେ ଗଢ଼ି ଉଠିଥିବାର ଦେଖାଯାଏ । ମଠ ଓ ମନ୍ଦିର ମଧ୍ୟରେ ପ୍ରଭେଦ ହେଉଛି କ୍ଷୁଦ୍ରତମ । ମନ୍ଦିରରେ ନାରାୟଣ ପୂଜା ପାଉଥିବାବେଳେ ମଠରେ ନର ପୂଜା ପାଇଥାନ୍ତି ଅର୍ଥାତ୍ ମଠରେ ଗୁରୁମାନଙ୍କର ପୂଜା କରାଯାଏ । ମଠରେ ଗୁରୁମାନେ ଅବସ୍ଥାନ କରି ଶିଷ୍ୟମାନଙ୍କୁ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ ପ୍ରଭୃତି କ୍ଷେତ୍ରରେ ଜ୍ଞାନ ଦେବା ସହ ଜୀବନର ଉଚିତ୍ ମାର୍ଗ ଓ ସଂସାରରେ ତା’ର ପ୍ରୟୋଜନଗୁଡ଼ିକୁ ବୁଝାଇଥାନ୍ତି ।

ମଠ ଶବ୍ଦ ସହିତ ସଂସ୍କୃତି ଶବ୍ଦକୁ ଯୋଡ଼ି ମଠସଂସ୍କୃତି କହିବାର ତାତ୍ପର୍ଯ୍ୟ ହେଉଛି ମଠଗୁଡ଼ିକରେ କେବଳ ବେଦ, ଶାସ୍ତ୍ର, ପୁରାଣ, ଧର୍ମ, ବିଦ୍ୟା ପ୍ରଭୃତିର ଚର୍ଚ୍ଚା ହୁଏ ନାହିଁ ବରଂ ମଠଗୁଡ଼ିକରେ ପ୍ରାଚୀନ ଚିତ୍ର, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଭଳି ଅମୂଲ୍ୟ ଉପାଦାନ ମଧ୍ୟ ରହିଥାଏ ଯେଉଁଥିରୁ ଗୋଟିଏ ଜାତିର ଐତିହ୍ୟ ଓ ସଂସ୍କୃତି ବିଷୟରେ ଜଣାପଡ଼େ । ମଠ ପରଂପରାରେ ଓଡ଼ିଶା ହେଉଛି ସମଗ୍ର ବିଶ୍ୱର ଏକ ପ୍ରମୁଖ ସ୍ଥାନ । ସୂଚନା ଯୋଗ୍ୟ ପୁରୀରେ କେବଳ ୭୫୨ଟି ମଠ ରହିଥିଲା, ଯାହା କ୍ରମଶଃ ଲୁପ୍ତ ପାଇ ଏବେ ପ୍ରାୟ ୩୦୦ ଆଡ଼କୁ କମିଆସିଛି । ସେହି ଦୃଷ୍ଟିରୁ ସମଗ୍ର ଓଡ଼ିଶାରେ କେତେ ମଠ ଥିବ ତାହା ଅନୁମେୟ ।

ପ୍ରାଚୀନ କାଳରେ ଢେଙ୍କାନାଳ ଅଞ୍ଚଳରେ ମଧ୍ୟ କେତେଗୁଡ଼ିଏ ମଠ ନିର୍ମାଣ ହୋଇଥିଲା । ଯେଉଁଠାକୁ ଭାରତବର୍ଷର କୋଣ-ଅନୁକୋଣରୁ ସାଧୁ, ସନ୍ଥମାନେ ଆସି ବସବାସ କରୁଥିଲେ, ତେଣୁ ଢେଙ୍କାନାଳକୁ ଯୋଗୀପୀଠ ମଧ୍ୟ କୁହାଯାଏ । ଓଡ଼ିଶାରେ ପୁରୀ ପରେ ଢେଙ୍କାନାଳ ଅଞ୍ଚଳରେ ସର୍ବାଧିକ ମଠ ନିର୍ମାଣ ହୋଇଥିବାର ଜଣାପଡ଼େ । ପ୍ରାଚୀନ କାଳରେ ଏଠାରେ ପ୍ରାୟ ପାଞ୍ଚଶହ ମଠ ନିର୍ମାଣ ହୋଇଥିଲା ବୋଲି ବିଶ୍ୱାସ କରାଯାଏ । ଏଗୁଡ଼ିକ ଏକ ସମୟରେ ନ ହୋଇ ଭିନ୍ନଭିନ୍ନ ସମୟରେ ହୋଇଥିଲା । ଅବଶ୍ୟ ଏବେ ଏଗୁଡ଼ିକ ପ୍ରାୟ ଲୁପ୍ତ ହୋଇସାରିଛି । କେବଳ ହାତଗଣତି କେତେକ ମଠ ରହିଛି । ଅନ୍ୟ ସବୁ ମଠ କାଳର କରାଳରେ ମାଟିତଳେ ପୋତି ହୋଇଯାଇଛି ଓ ଅନ୍ୟ କିଛି ଭଗ୍ନ ଅବସ୍ଥାରେ ଅଛି । ଯଦି ଏମାନଙ୍କର ସଂରକ୍ଷଣ କରା ନଯାଏ ତେବେ ଏଗୁଡ଼ିକ ମଧ୍ୟ ଭବିଷ୍ୟତରେ ଲୁପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଢେଙ୍କାନାଳର ବହୁ ଅଞ୍ଚଳରେ ଏବେ ମଧ୍ୟ ଏହି ମଠଗୁଡ଼ିକର ଭଗ୍ନାଂବଶେଷ ଦେଖିବାକୁ ମିଳେ । ତେଣୁ ଏଥିରୁ ପ୍ରମାଣିତ ହେଉଛି ଢେଙ୍କାନାଳ ଅଞ୍ଚଳରେ ମଠ ସଂସ୍କୃତିର ବ୍ୟାପକତା କେତେ ଥିଲା ।

Support Samadhwani

ଓଡ଼ିଶାରେ ମଠ ସଂସ୍କୃତିର ଆରମ୍ଭ ଚତୁର୍ଥ ଶତାବ୍ଦୀରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଢେଙ୍କାନାଳ ଅଞ୍ଚଳରେ ଏହାର ପ୍ରଭାବ କେବେ ପଡ଼ିଥିଲା ସଠିକ୍ ଭାବରେ କହି ନହେଲେ ମଧ୍ୟ ଅନୁମାନ ହୁଏ ଯେ, ସପ୍ତମ ଶତାବ୍ଦୀଠାରୁ ଦଶମ ଶତାବ୍ଦୀ ମଧ୍ୟରେ ଏଠାରେ କେତେକ ମଠ ନିର୍ମାଣ ହୋଇଥିଲା । କାରଣ ଦ୍ୱିତୀୟ ଶତାବ୍ଦୀବେଳକୁ ଢେଙ୍କାନାଳ ଅଞ୍ଚଳ ସାତକର୍ଣ୍ଣୀଙ୍କ ସାମ୍ରାଜ୍ୟଭୁକ୍ତ ଥିଲା । ଇତିହାସ କୁହେ ଏହି ସାତକର୍ଣ୍ଣୀ ବହୁ ଐଶ୍ୱର୍ଯ୍ୟ ବିଳାସୀ ଥିଲେ, ତେଣୁ ତାଙ୍କ ସମୟରେ ସେ ଢେଙ୍କାନାଳ ଅଞ୍ଚଳକୁ ଏକ ବୈଭବଶାଳୀ ରାଜ୍ୟ ଭାବରେ ପରିଣତ କରିଥିଲେ ଯାହା ଫଳରେ ତା’ପରେ ଅର୍ଥାତ୍ ସପ୍ତମ ଶତାବ୍ଦୀରୁ ଦଶମ ଶତାବ୍ଦୀ ମଧ୍ୟରେ ଆକର୍ଷିତ ହୋଇ ଏଠାକୁ ଭୌମକରମାନେ ଆସିଥିଲେ । ତାମ୍ରଶାସନରୁ ଜଣାଯାଏ ଏହି ସମୟରେ ବହୁ ବୈଦିକ ପଣ୍ଡିତ, ଜ୍ଞାନୀ, ଗୁଣୀମାନେ ଏହି ଢେଙ୍କାନାଳ ଭୂମିରେ ପଦାର୍ପଣ କରିଥିଲେ । ଫଳରେ ଏଠାରେ ଅଷ୍ଟଶମ୍ଭୁ, ଅନନ୍ତ ଶୟନ ଭଳି ପ୍ରସିଦ୍ଧ ପୀଠ ନିର୍ମାଣ ହୋଇଥିଲା । ଏହି ସମୟରେ ପୀଠ ନିର୍ମାଣ ଆରମ୍ଭ ହୋଇଥିଲା ଅର୍ଥାତ୍ ମଠ ପ୍ରତିଷ୍ଠା ମଧ୍ୟ ହୋଇଥିବ । ତା’ ଛଡ଼ା ଏହି ସମୟରେ ଏଠାକୁ ବହୁ ପଣ୍ଡିତ ବିଦ୍ୱାନ ଆସିଥିଲେ, ତେଣୁ ନିଶ୍ଚିତ ଭାବରେ ସେମାନେ ନିଜ ପାଇଁ କିଛି ମଠ ନିର୍ମାଣ କରି ସେଥିରେ ବସବାସ କରି ନିଜର ସାଧନାକୁ ସିଦ୍ଧ କରୁଥିବେ । ଢେଙ୍କାନାଳ ଅଞ୍ଚଳରୁ ବହୁ ମଠ, ମନ୍ଦିର, ପୀଠ ପ୍ରଭୃତିର ଭଗ୍ନାଂବଶେଷ ମିଳୁଅଛି, ଯଦି ସେଗୁଡ଼ିକ ପ୍ରତ୍ନତାତ୍ତ୍ୱିକ ଗବେଷଣା କରାଯାଏ ତେବେ ଓଡ଼ିଶା ତଥା ଢେଙ୍କାନାଳର ଐତିହ୍ୟ ସଂସ୍କୃତି ସଂପର୍କିତ ବହୁ ଅଜଣା ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ।

ତେବେ ପ୍ରାମାଣିକ ଭିତ୍ତିରେ ଢେଙ୍କାନାଳର ମଠ ପରଂପରା ଜଗତ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କଠାରୁ ଆରମ୍ଭ ହୋଇଛି । ସେ କପିଳାସ ପାହାଡ଼ର ଶୀର୍ଷରେ ବ୍ରହ୍ମଚାରୀ ନାମକ ଏକ ମଠ ପ୍ରତିଷ୍ଠା କରିଥିଲେ । ଏକଥା ଢେଙ୍କାନାଳର ଇତିହାସ ମଧ୍ୟ କୁହେ । ସେ ସମୟରେ କପିଳାସ ପାହାଡ଼ ସାଧୁସନ୍ଥମାନଙ୍କର ଆଶ୍ରୟସ୍ଥଳ ଭାବରେ ବେଶ୍ ପ୍ରସିଦ୍ଧ ଲାଭ କରିଥିଲା । ଏହି ମଠରେ ଶ୍ରୀଧର ସ୍ୱାମୀ ନିଜର ସାଧନା କରୁଥିଲେ । ଉଲ୍ଲେଖ ଯୋଗ୍ୟ ସେ ସମୟରେ ଢେଙ୍କାନାଳ ଭାରତବର୍ଷରେ ଏକ ମୁଖ୍ୟ ତୀର୍ଥସ୍ଥଳୀ ଭାବରେ ପରିଚିତ ଥିଲା । ଶ୍ରୀଧର ସ୍ୱାମୀ ନୈଷ୍ଠିକ ବ୍ରାହ୍ମଣ ଥିଲେ ତାଙ୍କ ଘର ଥିଲା ବାଲେଶ୍ୱର ଜିଲ୍ଲାରେ । ସେ କପିଳାସର ମହାତ୍ମ୍ୟ ଜାଣିଲା ପରେ ଏଠାକୁ ଆସି ଏହି ମଠ ନିର୍ମାଣ କରିଥିଲେ । ଏହି ବ୍ରହ୍ମଚାରୀ ମଠରେ ନିବାସ କରି ସେ ବିଶ୍ୱ ପ୍ରସିଦ୍ଧ ଭାଷ୍ୟ ସମୂହ ରଚନା କରିଥିଲେ । ଏହି ମଠରେ ଅବସ୍ଥାନ କରି ସେ ସଂସ୍କୃତ ଶ୍ରୀମଦ୍ ଭାଗବତ ଗୀତାରୁ ସୁବୋଧିନୀ ନାମକ ଟୀକା ରଚନା କରିଥିଲେ । ଏଥିପାଇଁ ସେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲେ । ପରେ ସେ ବିଷ୍ଣୁ ପୁରାଣ ଟୀକାରୁ ଆତ୍ମପ୍ରକାଶ ଟୀକା ରଚନା କରିଥିଲେ । କେବଳ ସେତିକି ନୁହେଁ ସେ ଏହି ମଠରେ ରହୁଥିବା ସମୟରେ ଆଉ କେତୋଟି ଟୀକା ମଧ୍ୟ ରଚନା କରିଛନ୍ତି । ତା’ ମଧ୍ୟରେ ରହିଛି ବ୍ରହ୍ମ ସମ୍ବୋଧନୀ ଟୀକା ଦେବସ୍ମୃତ ଟୀକା, ବାଳବୋଧିନୀ ଟୀକା ପ୍ରଭୃତି । ଏହି ଦୁର୍ଲଭ ଟୀକାଗୁଡ଼ିକରେ ଅଦ୍ୱୈତ ମତ ସହିତ ପ୍ରେମଭକ୍ତି ମୂଳକ ମତର ସମନ୍ୱୟ ପ୍ରତିଷ୍ଠା ହୋଇଛି । ସୂଚନାଯୋଗ୍ୟ ଶ୍ରୀଧର ସ୍ୱାମୀଙ୍କର ସୁବୋଧିନୀ ଟୀକାକୁ ଅନୁସରଣ କରି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ । ଶ୍ରୀଧର ସ୍ୱାମୀଙ୍କ ଏସବୁ କୃତି ଯୋଗୁ ଢେଙ୍କାନାଳ ସହିତ ଭାରତବର୍ଷର ବହୁ ପ୍ରସିଦ୍ଧ ତୀର୍ଥ ଓ ପୀଠଗୁଡ଼ିକର ପ୍ରତ୍ୟକ୍ଷ ସଂପର୍କ ଯୋଡ଼ି ହେବା ଆରମ୍ଭ ହେଲା । ବାଣୀପୀଠ କାଶୀ, ଗୟା, ବନାରସ, ହରିଦ୍ୱାର, ମଥୁରା, ବୃନ୍ଦାବନ, ନଦୀୟା, ପ୍ରୟାଗ ପ୍ରଭୃତିରୁ ବହୁ ସାଧୁସନ୍ଥମାନେ ଧୀରେ ଧୀରେ ଏହି ଢେଙ୍କାନାଳ ମାଟିରେ ପାଦ ଥାପି ଢେଙ୍କାନାଳ ତଥା ଓଡ଼ିଶା ମାଟିରେ ଧର୍ମ, ଆଧ୍ୟାତ୍ମିକ, ସଂସ୍କୃତି, ସାହିତ୍ୟ ପ୍ରଭୃତିର ଏକ ଅପୂର୍ବ ସଂଗମ ସୃଷ୍ଟି ହୋଇଥିଲା ।

ତେଣୁ ଭାରତୀୟ ସନ୍ଥ ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଗତଗୁରୁ ଶ୍ରୀଧର ସ୍ୱାମୀଙ୍କ ଢେଙ୍କାନାଳର ଏହି ବ୍ରହ୍ମଚାରୀ ମଠର ଅବଦାନ ସଦା ସ୍ମରଣୀୟ ।ଶ୍ରୀଧର ସ୍ୱାମୀଙ୍କପରେ ତାଙ୍କ ପ୍ରଥମ ଶିଷ୍ୟ ଦଣ୍ଡଗୋସ୍ୱାମୀ ଏହି ବ୍ରହ୍ମଚାରୀ ମଠର ପରିଚାଳନା ଦାୟିତ୍ୱରେ ରହିଥିଲେ । ଢେଙ୍କାନାଳରେ ପୂର୍ବରୁ ମୌଖିକ ବା ଲୋକ ସାହିତ୍ୟ ତଥା ଅଭିଲେଖ, ତାମ୍ରଶାସନରୁ ପ୍ରଚଳନ ଥିଲା କିନ୍ତୁ ଶ୍ରୀଧର ସ୍ୱାମୀଙ୍କଠାରୁ ଲିଖିତ ଆକାରକୁ ବିକଶିତ ହୋଇଥିଲା । ଶ୍ରୀଧର ସ୍ୱାମୀଙ୍କ ପ୍ରଭାବ ପରବର୍ତ୍ତୀ ସମୟର ବହୁ ବିଦ୍ୱାନ ପଣ୍ଡିତମାନଙ୍କ ଉପରେ ପଡ଼ିଥିଲା ସେହିପରି ମଠ ସଂସ୍କୃତିର ମଧ୍ୟ ବିକଶିତ ହୋଇଥିଲା । ଶ୍ରୀଧର ସ୍ୱାମୀଙ୍କ ପ୍ରଭାବରେ ଢେଙ୍କାନାଳ ଅଞ୍ଚଳର କବି ଗୋବିନ୍ଦବୃନ୍ଦ ସଂସ୍କୃତ ଓ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ଲେଖିଥିଲେ । ଏହି ସମୟର ଅନ୍ୟ ଏକ କବି ହେଉଛନ୍ତି ବତ୍ସା ଦାସ । ସେ କପିଳାସ ମଠରେ ଅବସ୍ଥାନ କରି କଳସା ଚଉତିଶା ରଚନା କରିଥିଲେ । କବି ବତ୍ସା ଦାସ କପିଳାସ ମଠରେ ରହି ସେଠାରେ ମହାଦେବ ଶିବଙ୍କ ଆରାଧ୍ୟ ଦେବତା ଭାବରେ ପୂଜା କରି ତାଙ୍କର ମଙ୍ଗଳମୟ ଜୀବନର ଏକ ଅଂଶକୁ ସ୍ୱହସ୍ତରେ ରଚନା କରିଥିଲେ । ଶିବପାର୍ବତୀଙ୍କର ବିବାହ ଉତ୍ସବକୁ ଅତି ସୁନ୍ଦର ଓ ସରଳ ଭାଷାରେ ସେ ବର୍ଣ୍ଣନା କରିଛନ୍ତି । କଳସା ଚଉତିଶାର ଶେଷ ପଦରେ ଲେଖାଅଛି –

“କ୍ଷିତି ପତି ଠାକୁର ସେ କପିଳାସେ ସ୍ଥିିତି

କ୍ଷୁଦ୍ର ବୁଦ୍ଧି ବତ୍ସା ଦାସ କଳସା ପଢ଼ନ୍ତି ।”

ଉପରୋକ୍ତ ପଦରୁ ସ୍ପଷ୍ଟ ଜଣାପଡ଼େ କବି ବତ୍ସା ଦାସ କପିଳାସ ନିବାସୀ ପ୍ରଭୁ ଶିଖରେଶ୍ୱର ବା ଚନ୍ଦ୍ରଶେଖରଙ୍କୁ କେନ୍ଦ୍ରକରି ଏହି ଚଉତିଶାକୁ ରଚନା କରିଥିଲେ ଏବଂ ସେ ନିଜେ ମଧ୍ୟ ସେହି କପିଳାସଠାରେ ନିବାସୀ ଥିଲେ । ବତ୍ସା ଦାସଙ୍କ ଜନ୍ମ ଓ ଜନ୍ମ ସ୍ଥାନ ସଂପର୍କରେ ଭିନ୍ନଭିନ୍ନ ମତ ଥିଲେ ମଧ୍ୟ ସେ ଯେ ଢେଙ୍କାନାଳର କପିଳାସ ତୀର୍ଥକୁ ଆସି ଏଠାରେ ଓଡ଼ିଆ ଭାଷାର ପ୍ରଥମ ଚଉତିଶା ‘କଳସା ଚଉତିଶା’କୁ ରଚନା କରିଥିଲେ ଏ କଥାକୁ ଭୁଲ୍ ପ୍ରମାଣିତ କରି ହେବ ନାହିଁ । କାରଣ ସାରଳା ଦାସଙ୍କ ମହାଭାରତରେ ଥିବା କଳସା ଶବ୍ଦକୁ ଦେଖିଲେ ବତ୍ସା ଦାସ ତଥା କଳସା ଚଉତିଶା ସାରଳାଙ୍କ ପୂର୍ବବର୍ତ୍ତୀ ବୋଲି ସହଜରେ ଜାଣିହୁଏ ।

ଏହି ଭାବରେ ଅର୍ଥାତ୍ ଚତୁର୍ଦ୍ଦଶ ଶତାବ୍ଦୀବେଳକୁ ଢେଙ୍କାନାଳ ତଥା କପିଳାସ କ୍ଷେତ୍ର ଭାରତବର୍ଷର ଏକ ପ୍ରମୁଖ ସାଧନା କ୍ଷେତ୍ର ଭାବରେ ପରିଚିତ ଥିଲା ତେଣୁ ଧର୍ମ, ବିଦ୍ୟା, ସାହିତ୍ୟ, ସାଧନା ପ୍ରଭୃତି ପାଇଁ ଏହି ସ୍ଥାନଟି ଅତ୍ୟନ୍ତ ଉପଯୋଗୀ ଥିଲା । ତେଣୁ ବତ୍ସା ଦାସ ଏଠାକୁ ଆସି ଏଠାରେ ସାହିତ୍ୟ ସୃଷ୍ଟି କରିଥିବା କଥା ସ୍ୱାଭାବିକ । ତା’ଛଡ଼ା ଶ୍ରୀଧର ସ୍ୱାମୀଙ୍କକପିଳାସ ସହିତ ପ୍ରତ୍ୟକ୍ଷ ସଂପର୍କ, ମହାଭାରତରେ କପିଳାସର ମାହାତ୍ମ୍ୟ, କଳସା ଚଉତିଶାରେ କପିଳାସରେ ଶିବଙ୍କର ନିବାସ, ଏମିତି କି ନାରାୟଣ ନନ୍ଦ ଅବଧୂତ ସ୍ୱାମୀଙ୍କ ରଚିତ ‘ରୁଦ୍ର ସୁଧାନିଧି’ରେ ରାଜକୁମାରଙ୍କ ପାଇଁ କନ୍ୟା ଅନୁସନ୍ଧାନ ନିମନ୍ତେ ପଶ୍ଚିମ ଦିଗକୁ ଯାତ୍ରା କରିଥିବା ଦୂତ ବ୍ରାହ୍ମଣ ଗୁଣନିଧାନଙ୍କ ମୁଖରେ କେତେକ ସ୍ଥାନର ନାମ ଉଚ୍ଚାରଣ ହୋଇଛି ସେଥିରୁ ଭୀମ ପାଟଣା ଅନ୍ୟତମ । ପ୍ରାଚୀନ ଢେଙ୍କାନାଳର ନାମ ମଧ୍ୟ ଭୀମନଗର ବା ଭୀମ ପାଟଣା ଥିଲା । ଦୂତ ନଦୀ ସାଗର ପାର ହୋଇ ଏସବୁ ସ୍ଥାନକୁ ଯିବା କଥା କହିଛି ସେ ସମୟରେ ଢେଙ୍କାନାଳକୁ ଯିବାକୁ ହେଲେ ନଦୀକୁ ମଧ୍ୟ ପାର କରିବାକୁ ପଡୁଥିଲା । କିନ୍ତୁ ଏହି ଭୀମପାଟଣା ପ୍ରକୃତରେ ପ୍ରାଚୀନ ଢେଙ୍କାନାଳ ନା ଓଡ଼ିଶାର ବାହାରର କୌଣସି ସ୍ଥାନ ତାହା ଗବେଷଣା କଲେ ଜଣାପଡ଼ିବ । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଯେ କପିଳାସ ସେ ସମୟରେ ଏକ ପ୍ରସିଦ୍ଧ ଓ ପ୍ରମୁଖ ସ୍ଥାନ ଥିଲା ।

ତେଣୁ ସେଠାରେ ଏହି ମହାନ ସାଧୁସନ୍ଥ ତଥା ବିଦ୍ୱାନ ପଣ୍ଡିତ, କବିଗଣ ରହିବା ସହିତ ବିଭିନ୍ନ ପ୍ରକାରର ଧର୍ମଚେତନା, ଦର୍ଶନତତ୍ତ୍ୱ, ସାହିତ୍ୟ ରଚନା ପ୍ରଭୃତି ସୃଷ୍ଟି କରିବା କଥା ଆଶ୍ଚାର୍ଯ୍ୟ ନୁହେଁ । ସେହିପରି ଭକ୍ତକବି ଦୀନକୃଷ୍ଣ ଦାସ ଢେଙ୍କାନାଳକୁ ଆସି ଏକଘରିଆ ନାମକ ସ୍ଥାନରେ ଗୋଟିଏ ମଠ ନିର୍ମାଣ କରି ରହିଥିଲେ । ଏଠାରେ ରହି ସେ ରସବିନୋଦ, ଗୁଣସାଗର, ଜ୍ଞାନସାଗର, ଅମୃତ ସାଗର, ମୁକ୍ତି ସାଗର, ପ୍ରସ୍ତାବ ଚିନ୍ତାମଣି, ଭୂତକେଳି, ପ୍ରସ୍ଥାବସିନ୍ଧୁ ନାମରତ୍ନ ଗୀତା, କଳିଯୁଗ ଶାସ୍ତ୍ର ଭଳି ଅମୂଲ୍ୟ ସାହିତ୍ୟ ସଂପଦ ସୃଷ୍ଟି କରିଥିଲେ । ଏଠାରେ ରହିବା ସମୟରେ ସେ ଗୁପ୍ତ ଭାବରେ କିଛି ଲୋକଙ୍କୁ ବିଭିନ୍ନ ପ୍ରକାରର ପୁରାଣ, ଶାସ୍ତ୍ର, ଜ୍ଞାନ, ଭକ୍ତି, ପ୍ରେମ ପ୍ରଭୃତିର ମହତ୍ତ୍ୱ ବୁଝାଉଥିଲେ । ତାଙ୍କ ଶିକ୍ଷାକୁ ଅନୁସରଣ କରି କିଛି ଲୋକ ନିଜ ଜୀବନକୁ ସାଧୁସନ୍ଥ ମାର୍ଗର ପରିଚାଳିତ କରିଥିଲେ । ଏକଥା ସେ କୌଣସି ଗ୍ରନ୍ଥ ବା ଅନ୍ୟ କେଉଁ ସ୍ଥାନରେ ଲିପିବଦ୍ଧ କରି ନଥିଲେ କାରଣ ସେ ସମୟର ସାମାଜିକ ପରିସ୍ଥିତି ଆଜି ପରି ଥିଲା । ପୂର୍ବରୁ ସେ ନିଜେ ମଧ୍ୟ ପୁରୀ ଗଜପତିଙ୍କ କ୍ରୋଧର ଶିକାର ହୋଇ ପୁରୀ ଛାଡ଼ି ଢେଙ୍କାନାଳ ଅଞ୍ଚଳକୁ ଆସିଥିଲେ । ଅନ୍ୟମାନେ ରାଜାମାନଙ୍କ ଆକ୍ରୁଶର ଶିକାର ନ ହୁଅନ୍ତୁ ଏହା ବିଚାର କରି ବୋଧହୁଏ ସେ ଏହି ପ୍ରସଙ୍ଗରେ କେବେ କେଉଁଠାରେ ସାମାନ୍ୟ ସୂଚନା ମଧ୍ୟ ଦେଇଥିବାର ଦେଖାଯାଏ ନାହିଁ । ଏମିତିରେ ମଧ୍ୟ ପ୍ରଥମରୁ ପୁରୀ ରାଜାଙ୍କ ସହ ଢେଙ୍କାନାଳ ପ୍ରଜାଙ୍କର ଘନିଷ୍ଠତା ବହୁ ନିବିଡ଼ି ।

ତେବେ ସେ ଯାହା ହେଉ ଦୀନକୃଷ୍ଣ ଦାସ ପୁରୀ ପରି କ୍ଷେତ୍ରକୁ ତ୍ୟାଗକରି ଢେଙ୍କାନାଳ ପରି ସ୍ଥାନକୁ ଗ୍ରହଣ କରିବା ପ୍ରସଙ୍ଗ ଢେଙ୍କାନାଳର ମହାତ୍ମ୍ୟ ଓ ବିଶେଷତ୍ୱକୁ ଦର୍ଶାଇଅଛି । ଢେଙ୍କାନାଳର ରାଣୀ କୃଷ୍ଣଚନ୍ଦ୍ର ପ୍ରିୟା ରାଣୀ ହୋଇ ମଧ୍ୟ ତାଙ୍କ ପ୍ରାସାଦ ନିକଟରେ ଗୋଟିଏ ମଠ ସଦୃଶ ଘର ନିର୍ମାଣ କରି ସେଠାରେ ନଅଟି କାବ୍ୟ, ‘ହାର୍‌ମୋନିୟମ୍ ଶିକ୍ଷା’ ଏଥିରେ ୩୦ଟି ରାଗେଣୀ ସ୍ୱରଲିପି ବର୍ଣ୍ଣିତ ରହିଛି ଏବଂ ଗୋଟିଏ ‘କୃଷ୍ଣକାନ୍ତ କୃଷ୍ଣ ଜଣାଣ’ ଚଉତିଶା ମଧ୍ୟ ରଚନା କରିଥିଲେ । ସେହିପରି ଅନ୍ୟ ଏକ ମଠ ହେଉଛି ଯୋରନ୍ଦା ମଠ ଓ କବି ଭୀମଭୋଇ । ଆଜିର ଯୋରନ୍ଦା ଗାଦି ମନ୍ଦିର ପ୍ରାଥମିକ ଅବସ୍ଥାରେ ଏକ ମଠ ଥିଲା । ସେଠାରେ ମହିମାଧର୍ମର ଆଦି ସନ୍ନ୍ୟାସୀମାନେ ରହୁଥିଲେ । ଏହିଠାରୁ ଗୁରୁଙ୍କ ଚରଣସ୍ପର୍ଶ କରି ତାଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ଦାସ, ଭୀମଭୋଇ ପରି ମହାନ୍ ସାଧୁଗଣ ଓଡ଼ିଶାର ଗାଁ ଗାଁ ବୋଲି ମହିମାଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ । କିଛି ଦିନ ଧର୍ମ ପ୍ରଚାର ପ୍ରସାର କରିବା ପରେ ପୁର୍ନବାର ପୁଣି ଏହି ମଠକୁ ପ୍ରତ୍ୟାଗମନ କରୁଥିଲେ । ଭୀମଭୋଇ ଗାଁ ଗାଁ ବା ବିଭିନ୍ନ ଅଞ୍ଚଳରେ ଧର୍ମ ପ୍ରଚାର କରିବା ମଧ୍ୟରେ ଯେଉଁ ଅନୁଭବ ଓ ଅଭିଜ୍ଞତା ପାଉଥିଲେ ସେସବୁକୁ ଆସି ମହିମା ଗୋସାଇଁଙ୍କ ନିକଟରେ ପ୍ରକାଶ କରୁଥିଲେ ଏବଂ ମହିମା ଗୋସାଇଁଙ୍କ ଉପଦେଶରେ ତା’ର ସମାଧାନ ମଧ୍ୟ ପାଉଥିଲେ । ଏହି ମହିମା ଗୋସାଇଁଙ୍କ ନିର୍ଦ୍ଦେଶରେ ସେ ଏହି ମଠରେ ଅବସ୍ଥାନ ସମୟରେ ଅନେକ ଅସଂପୂର୍ଣ୍ଣ ଲେଖା ଲେଖିଥିଲେ ଏବଂ ମହିମା ଗୋସାଇଁଙ୍କ ମୃତ୍ୟୁ ପରେ ସେସବୁକୁ ସେ ସାଥିରେ ଧରି ସୁବର୍ଣ୍ଣପୁରର ଖଲିଆପାଲି ଅଞ୍ଚଳକୁ ଚାଲିଯାଇଥିଲେ । ଏଠାରେ ସେ ତାଙ୍କର ସେ ଅସଂପୂର୍ଣ୍ଣ ଲେଖା ସମୂହକୁ ସଂପୂର୍ଣ୍ଣ କରିବା ସହ ଆହୁରି ଅନେକ ସାହିତ୍ୟ ସୃଷ୍ଟି କରିଥିଲେ । କିନ୍ତୁ ଏହା ସତ୍ୟ ସେ ତାଙ୍କର ପ୍ରଥମ ଲେଖା ଗୁରୁଙ୍କ ନିକଟରୁ ଆରମ୍ଭ ହୋଇଥିଲା ।ପ୍ରାଚୀନ ସେହି ଯୋରନ୍ଦା ମଠ ଏବେ ବିଶ୍ୱ ପ୍ରସିଦ୍ଧ ଗାଦି ମନ୍ଦିର ଭାବରେ ପରିଚିତ । ମାଘ ମେଳା ସମୟରେ ଏହି ଗାଦି ମନ୍ଦିରକୁ ସାରା ବିଶ୍ୱରୁ ବିଭିନ୍ନ ସାଧୁସନ୍ଥମାନେ ଆସିଥାନ୍ତି ।

ମହିମା ଧର୍ମର ନୀତି, ଆଦର୍ଶ, ଦର୍ଶନକୁ ନିଜ ଚିନ୍ତାଧାରାରେ ମିଶ୍ରଣ କରି ଧର୍ମ ଓ ଆଧ୍ୟାତ୍ମିକ ଦିଗରେ ଆଗକୁ ଅଗ୍ରସର ହୋଇଥାନ୍ତି । କେବଳ ଏତିକି ନୁହେଁ ଢେଙ୍କାନାଳ ଅଞ୍ଚଳରେ ଥିବା ମଠଗୁଡ଼ିକରେ ବହୁ ସାଧୁସନ୍ଥମାନେ ଅବସ୍ଥାନ କରି ସେମାନଙ୍କର ଜୀବନ ଦର୍ଶନ ସହିତ ବହୁ ସାହିତ୍ୟ ସୃଷ୍ଟି କରିଛନ୍ତି । ସେଗୁଡ଼ିକ ପ୍ରକାଶିତ ନ ହେବାରୁ ତାହା ଲୋକଲୋଚନକୁ ଆସିପାରୁନାହିଁ । ଏମିତିକି ପ୍ରାଚୀନ ସେହି ମଠଗୁଡ଼ିକରୁ ବହୁ ତାଳପତ୍ର ଲେଖା ଉଦ୍ଧାର ହେଉଅଛି । ସେଥିରୁ କିଛି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲେ ମଧ୍ୟ ଆଉ କିଛି ନଷ୍ଟ ହେବାକୁ ବସିଛି । କିଛି ତାଳପତ୍ର ଲେଖାକୁ ଅଦରକାରୀ ଭାବି ତାକୁ ରାସ୍ତାକଡ଼କୁ କିମ୍ବା କେଉଁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉଛି । ପୂର୍ବରୁ ଯେଉଁ କେତେକ ତାଳପତ୍ର ପୋଥି ସଂଗ୍ରହ କରି ରଖାଯାଇଛି କେବଳ ସେତିକି ହିଁ ରଖାଯାଇଛି କିନ୍ତୁ ଏବେ ଏହି ଦିଗ ପ୍ରତି ଆମେ ବିଶେଷ ଭାବରେ ସେତେ ସଚେତନ ନାହୁଁ । ଆଜି ମଧ୍ୟ କେଉଁ ଗ୍ରାମାଞ୍ଚଳରୁ ପୁରୁଣା ତାଳପତ୍ର ପୋଥିଟିଏ ପାଇଲେ ଲୋକେ ତାକୁ ଜାଳେଣୀ ସାମଗ୍ରୀ ଭାବରେ ବ୍ୟବହାର କରି ଦେଉଛନ୍ତି । ତା’ର ସାହିତ୍ୟିକ ମୂଲ୍ୟବୋଧ କେତେ ଯେ ଅମୂଲ୍ୟ ତାହା କେହି ଜାଣିବାକୁ ଇଚ୍ଛୁକ ନୁହେଁ । ଏସବୁର ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲୋକମାନଙ୍କ ପାଖକୁ ସଚେତନ ବାର୍ତ୍ତା ପଠାଇବା ଦରକାର । ତେବେ ସେ ଯାହା ହେଉ ଭାରତୀୟ ସନ୍ଥ ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଢେଙ୍କାନାଳ ଅଞ୍ଚଳର ମଠଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏକଥାକୁ ଅସ୍ୱୀକାର କରିହେବ ନାହିଁ ।

ଏହି ମଠଗୁଡ଼ିକ ଢେଙ୍କାନାଳର ଜନଜୀବନ ତଥା ତା’ର ସାଂସ୍କୃତିକ ବୈଚିତ୍ରତା ଉପରେ ମଧ୍ୟ ଢେର ସାରା ପ୍ରଭାବ ପକାଇଥିଲା । ମଠଗୁଡ଼ିକ ସୃଷ୍ଟି ହେବା ଫଳରେ ଅନେକ ସାଧାରଣ ଲୋକ ସେଥିପ୍ରତି ଆକୃଷ୍ଟ ହେଲେ । ଲୋକମାନେ ପ୍ରତ୍ୟକ୍ଷ ଭାବରେ ମଠଗୁଡ଼ିକୁ ଆଗମନ କରି ସେଠାରେ ସମୟ ବିତାଇବା ଆରମ୍ଭ କଲେ । ସାଧୁମାନଙ୍କର ମହତ୍ ବାଣୀ ସମୂହକୁ ଶ୍ରବଣ କଲେ । ମଠରୁ ଶୁଣୁଥିବା ଅମୂଲ୍ୟ ବାଣୀଗୁଡ଼ିକୁ ନିିଜ ଜୀବନଚର୍ଯ୍ୟା ତଥା ସଂସ୍କୃତିର ସମିଶ୍ରଣରେ ଜୀବନକୁ ଏକ ସୁଲଭ ମାର୍ଗରେ ପରିଚାଳିତ କରିଥିଲେ ।

ମୂର୍ତ୍ତି ବା ପ୍ରତିମା ପୂଜା ବିରୋଧରେ ଯୋରନ୍ଦା ମଠର ଭୂମକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯୋରନ୍ଦା ମଠ ନିର୍ମାଣ ହେବା ପରେ ଲୋକମାନେ ପଥର ଓ କାଠରେ ତିଆରି ମୂର୍ତ୍ତିକୁ ଅବିଶ୍ୱାସ କଲେ । ଭାଗବାନ ହେଉଛନ୍ତି ଅଲେଖ ନିରାକାର ସେ ଶୂନ୍ୟ ରୂପରେ ବିରାଜମାନ । ଈଶ୍ୱରଙ୍କ ପ୍ରତି ଏପରି ଭାବନା ପୂର୍ବରୁ ଥିଲେ ମଧ୍ୟ ଏହି ସମୟରେ ମଠଗୁଡ଼ିକ ଦ୍ୱାରା ଏହି ଦର୍ଶନର ପ୍ରଭାବ ଜନସାଧାରଣଙ୍କ ଉପରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥିଲା । ସାଧାରଣ ଲୋକମାନେ ମଠଗୁଡ଼ିକରୁ ଶିକ୍ଷାଲାଭ କରି ନିଜର ଚରିତ୍ର ଗଠନ କରିବାରେ ଅପୂର୍ବ ସଫଳତା ପାଇଥିଲେ । ମନୁଷ୍ୟର ଆଚାର, ବ୍ୟବହାର, ଚଳଣି ପ୍ରଭୃତିରେ ଏହି ମଠଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ମଠଗୁଡ଼ିକର ସାଧୁସଙ୍ଗ ଲାଭକରି ମାନବ ଜୀବନଚର୍ଯ୍ୟା ସୁଲଭ ମାର୍ଗରେ ପରିଚାଳିତ ହେଲା । ଗାଁ ଗାଁରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବା ସହ ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ଏହି ମଠଗୁଡ଼ିକର ଅବଦାନ ଯଥେଷ୍ଟ ରହିଥିଲା।

କେବଳ ସେତିକି ନୁହେଁ ମଠଗୁଡ଼ିକରେ ନାରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିଲା । ସମାଜରେ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦିଆଯାଉଥିଲା, ଯାହାର ପ୍ରଭାବ ମାନବ ସଂସ୍କୃତି ଉପରେ ପଡ଼ିଥିଲା । ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା, ଯଥାର୍ଥ ସ୍ଥାନରେ ବସାଇବା, ସମାଜରେ ସେମାନଙ୍କର ଉପସ୍ଥିତିକୁ ଏକ ସ୍ୱତନ୍ତ୍ର ଭାବରେ ଗ୍ରହଣ କରିବା ପ୍ରସଙ୍ଗ ସବୁ ଏହି ମଠଗୁଡ଼ିକରୁ ଶିକ୍ଷାଲାଭ ମିଳିଥିଲା । ମଠ ଗୁଡ଼ିକରେ ପୂଜାର୍ଚ୍ଚନାର ବିଧିବିଧାନ ସଂପର୍କରେ ମଧ୍ୟ ବୁଝାଇ ଦିଆଯାଉଥିଲା ଯାହା ସେତେବେଳେ ସାଧାରଣ ଜନଜୀବନ ଉପରେ ବିଶେଷ ପ୍ରଭାବ ପକାଉଥିଲା । ଉଲ୍ଲେଖ ଯୋଗ୍ୟ ମଠ ପରମ୍ପରାରେ ପୁରୀ ପଛକୁ ଢେଙ୍କାନାଳ ହିଁ ଓଡ଼ିଶାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଢେଙ୍କାନାଳରେ ନିର୍ମିତ ହୋଇଥିବା ମଠଗୁଡ଼ିକ ଏବେ ବିଲୁପ୍ତପ୍ରାୟ ।

ସହାୟକ ପୁସ୍ତକ ସୂଚୀ :

୧.         ମିଶ୍ର, ପ୍ରମୋଦ କୁମାର : ଆଧୁନିକ ଢେଙ୍କାନାଳ ଇତିହାସ, ଦକ୍ଷିଣକାଳୀ ପ୍ରେସ୍‌, କଟକ, ପ୍ରଥମ ସଂସ୍କରଣ, ୨୦୦୯

୨.         ସାହୁ, କୃଷ୍ଣଚରଣ : ରୁଦ୍ର ସୁଧାନିଧି, ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦବିହାରୀ, କଟକ, ସପ୍ତମ ସଂସ୍କରଣ, ୨୦୧୭

୩.         ମିଶ୍ର, ଅନ୍ତର୍ଯ୍ୟାମୀ : ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦବିହାରୀ, କଟକ, ଦ୍ୱିତୀୟ ସଂସ୍କରଣ, ୨୦୧୭

୪.         ପାଣିଗ୍ରାହୀ, ସୁରେନ୍ଦ୍ର ନାଥ : ଚଉତିଶା ସମଗ୍ର, ସତ୍ୟନାରାୟଣ ବୁକ୍ ଷ୍ଟୋର, ବିନୋଦବିହାରୀ, କଟକ, ପ୍ରଥମ ସଂସ୍କରଣ, ୨୦୧୭

 

Share This Article
ଗବେଷକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର
Exit mobile version