ପଣ୍ଡିତ ଡ଼ଃ ଦାମୋଦର ହୋତାଙ୍କ ପ୍ରଥମ ସ୍ମରଣ ଦିବସରେ

Swayamprava Parhi (Chief Editor)
8 Min Read

[box type=”shadow” align=”” class=”” width=””]ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ପାଦପଦ୍ମରେ ସମଧ୍ୱନି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Support Samadhwani

ଓଡ଼ିଶାର ଲୋକେ , ଓଡିଶା ସରକାର , ଓଡ଼ିଶାର ବିଦ୍ୱାନମାନେ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ତ୍ୟାଗ, ତାଙ୍କର ଅବଦାନ ଓ ତାଙ୍କର ମହତ୍ଵକୁ ଏତେ ଶୀଘ୍ର ଭୁଲିଯିବେ ବିଶ୍ୱାସ କରି ହେଉନି । କାହିଁକି ଆମ ରାଜ୍ୟକୁ ଅନ୍ୟ ରାଜ୍ୟମାନେ ପଛୁଆ କହୁଛନ୍ତି ଓ କାହିଁକି ହୀନ ଦୃଷ୍ଟିରେ ଦେଖୁଛନ୍ତି ଏବେ ଅନୁଭବ କରି ହେଉଛି । ଗୋଟିଏ ପରିବାରକୁ ଓ ତାର ସଂସ୍କୃତିକୁ ଜାଣିବା ପାଇଁ ହେଲେ ପରିବାର ଭିତରେ ବୟସ୍କ ମାନଙ୍କୁ ନଜରକୁ ନିଆଯାଇଥାଏ । ସଂସ୍କୃତିର ମୂଳ ଆଧାର ହେଉଛି ଗୋଟିଏ ପରିବାରର ଚିନ୍ତା, ଚେତନା ଓ ସମ୍ମାନବୋଧ । ରାଜ୍ୟଟି ମଧ୍ୟ ସେଇ ପରିବାର ମାନଙ୍କର ଏକ ସଂଗୋଷ୍ଠୀ । ଆମ ରାଜ୍ୟ କ’ଣ ସତରେ ସେହି ସମ୍ମାନ, ଆମର ସଂସ୍କୃତିର ପୁରୋଧା ମାନଙ୍କୁ ଦେଇଛି ଯେତିକି ସମ୍ମାନର ସେମାନେ ଅଧିକାରୀ? କେଉଁ ମୁହଁରେ ଆମେ ନିଜର ହଜାର ହଜାର ବର୍ଷର ଇତିହାସକୁ ନେଇ ଏତେ ଗର୍ବିତ ? କ’ଣ ସତରେ ଆମେ ସେହି ଐତିହ୍ୟର ପ୍ରକୃତ ଦାୟାଦ? ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କୁ କାହିଁକି ଆମ ରାଜ୍ୟ ସରକାର, ଓ ରାଜ୍ୟବାସୀ ଭୁଲିଗଲେ ? କଣ ତାଙ୍କର ସଙ୍ଗୀତ ପ୍ରତି ଅବଦାନରେ କିଛି ତ୍ରୁଟି ଥିଲା ? ଏମିତି ଅନେକ ପ୍ରଶ୍ନ ଓଡ଼ିଶାର ସଙ୍ଗୀତ ଜଗତକୁ ଆଚ୍ଛାଦିତ କରିରଖିଛି – ସମ୍ପାଦକ[/box]

ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ପ୍ରତିଭାର ଅଧିକାରୀ ପଣ୍ଡିତ ଡ଼ଃ ଦାମୋଦର ହୋତାଙ୍କ ଜନ୍ମ ୨୫ ଡିସେମ୍ବର ୧୯୩୫ ମସିହା ଶ୍ରୀକ୍ଷେତ୍ର ପୁରୀର ଗୌଡ଼ବାଡ଼ ସାହିର ସହିଦ ଭିଙ୍ଗପାଣିଆ ରୋଡ଼ରେ ହୋଇଥିଲା । ପିତାଙ୍କ ନାମ  ଗୋପିନାଥ ହୋତା ଓ ମାତାଙ୍କ ନାମ ମାତା ଦଣ୍ଡମଣି ଦେବୀ ।  ତାଙ୍କ ପିତା ଥିଲେ ଜଣେ ମଲ୍ଲ ଯୋଦ୍ଧା, ପଖୱଜ ବାଦକ ଓ ଗାୟକ । ଗଦାଧର ହାଇସ୍କୁଲରେ ପଢିବାବେଳେ ଚତୁର୍ଥ-ପଞ୍ଚମ କ୍ଲାସରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ତାଙ୍କ ଭିତରେ ସଂଗୀତର ଗୁଣକୁ ଚିହ୍ନି ପାରିଥିଲେ ।  ଗଦାଧର ହାଇସ୍କୁଲରେ ନୃସିଂହନାଥ ଖୁଣ୍ଟିଆ ଙ୍କ ତତ୍ୱାବଧାନରେ ତାଙ୍କର ପ୍ରଥମେ, ସଂଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ନୃସିଂହନାଥ ଖୁଣ୍ଟିଆ ତାଙ୍କୁ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଜଣାଣ, ଭଜନ, ସଂସ୍କୃତ ଗୀତ ଗୋବିନ୍ଦ, ଖେୟାଲ, ଧୃପଦ ଧମାର ଓ ଠୁମରୀ, ଭଜନ ଇତ୍ୟାଦି ସବୁ ଶିଖାଇଲେ ।

ଥରେ ତାଙ୍କ ପିଲାଦିନ ସମ୍ପର୍କରେ ଆଲୋଚନା କଲାବେଳେ ସେ କହିଥିଲେ କେମିତି ସେ ଗଦାଧର ହାଇସ୍କୁଲରେ ପଢ଼ିଲା ବେଳେ ସଙ୍ଗୀତ ଗାଇ ଲିଡ଼୍ କରୁଥିଲେ ଓ ସ୍କୁଲ ଡ଼୍ରାମାରେ ଗୀତ ଗାଉଥିଲେ, କେମିତି ହାଇସ୍କୁଲ ହେଡ଼ମାଷ୍ଟର ତାଙ୍କ ବାପାଙ୍କୁ ସଙ୍ଗୀତ ଅପସନାଲ ପୁଅକୁ ଦେବାପାଇଁ ପ୍ରବର୍ତ୍ତାଇ ଥିଲେ । କେମିତି ସେ ଉତ୍କଳ ସଙ୍ଗୀତ ସମ୍ମିଳନୀରେ ଭାଗନେଇ ପୁରସ୍କାର ପାଇଥିଲେ। ସେ ୫ଟଙ୍କା ପକେଟରେ ଧରି ଟ୍ରେନରେ ପୁନେ ପଳେଇଥିଲେ ଡ଼ିଭି ପଲୁସ୍କରଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବାପାଇଁ । ପରେ କିନ୍ତୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍‌.ଏସ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ଓ ମୁମ୍ବାଇସ୍ଥିତ ଗନ୍ଧର୍ବ ମହାବିଦ୍ୟାଳୟରୁ ପରବର୍ତ୍ତୀ ସମୟରେ ଡ଼କ୍ଟରେଟ ଲାଭ କରିଥିଲେ । ଓଡ଼ିଶା ପାଇଁ କିଛି କରିବେ ବୋଲି ପଣକରି ବାହାରକୁ ନଯାଇ ଓଡ଼ିଶା ଭିତରେ ରହିଗଲେ।

Support Samadhwani

ପଣ୍ଡିତ ଡ଼ଃ ଦାମୋଦର ହୋତା ୨୦୨୨ ମସିହା ଫେବୃଆରୀ ୫ ତାରିଖ ଶ୍ରୀପଞ୍ଚମୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପଣ୍ଡିତ ଦାମୋଦର ହୋତା ଥିଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ଓ ଗାୟକ, ଓଡିଶୀ ଶାସ୍ତ୍ରୀୟ ସଂଗୀତ ତଥା ଉଡ୍ର ପଦ୍ଧତିୟ ସଙ୍ଗୀତର ଗୁରୁ, ଗାୟକ ଓ ପ୍ରଚାରକ, ଆକାଶବାଣୀର ଟପଗ୍ରେଡ଼ କଳାକାର, ଜଣେ ଆଜୀବନ ସଂଗୀତ ଗବେଷକ ତଥା ସ୍ଵରରଂଗର ପ୍ରତିଷ୍ଠାତା। ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ ସଙ୍ଗୀତ ଭିତରେ ବୁଡ଼ି ରହିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଉଡ୍ର ପଦ୍ଧତିୟ ସଂଗୀତ ବା ପାରମ୍ପରିକ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା, ଯାହା ଓଡ଼ିଶାର ପ୍ରତ୍ୟେକଟି ସଂସ୍କୃତି ପ୍ରେମୀ ମଣିଷମାନଙ୍କ ପାଇଁ ଆଜି ସବୁଠାରୁ ବଡ ଆହ୍ୱାନ।

ପଣ୍ଡିତ ଦାମୋଦର ହୋତା ପ୍ରତିବର୍ଷ ଉଡ୍ର ପଦ୍ଧତିୟ ସଙ୍ଗୀତର ପ୍ରସାର ପ୍ରଚାର ପାଇଁ ତ୍ରୀଧାରା ସଙ୍ଗୀତ ସମାରୋହ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରୁଥିଲେ । ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ସେ ଉଡ଼୍ର ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଅବସ୍ଥାପିତ କରିବାପାଇଁ ଉତ୍ସର୍ଗ କରିଦେଇଥିଲେ । ଏଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କୌଣସି ପ୍ରକାର ସମାଲୋଚନାକୁ ସେ ଯଥେଷ୍ଟ ଯୁକ୍ତି ଓ ତଥ୍ୟ ଦେଇ ଭୁଲ ପ୍ରମାଣିତ କରୁଥିଲେ । କହିବାକୁ ଗଲେ ତାଙ୍କ ସହିତ ତଥ୍ୟ ତଥା ଗାୟକି ଉପସ୍ଥାପନ କରି ଯୁକ୍ତି କରିବାର ସାହସ ଓଡ଼ିଶାରେ ବହୁତ କମ୍ କଳାକାରଙ୍କ ନିକଟରେ ଦେଖିବାକୁ ମିଳେ ।

ପ୍ରଚଣ୍ଡ ପ୍ରତିଭାଦୀପ୍ତ କଳାକାର ପଣ୍ଡିତ ଦାମୋଦର ହୋତା ଥିଲେ ଜଣେ ନିର୍ଭିକ, ସାଲିସହୀନ ମଣିଷ । ସତ୍ୟକୁ ଯୁଗେ ଯୁଗେ ଯେଉଁମାନେ ତୋଳି ଧରିଛନ୍ତି ଓ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ସବୁବେଳେ ସେମାନେ ଅନେକ ଝଡ଼ଝଞ୍ଜା ଓ କଟୁ ସମାଲୋଚନାର ଶିକାର ହୋଇଆସିଛନ୍ତି । ଇତିହାସରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କ୍ଷମତାର ଚାଟୁ କରିବା ଛାଡ଼ି କ୍ଷମତାକୁ ତୀବ୍ର ସମାଲୋଚନା କରି ରୋଷର ଶିକାର ହୋଇଆସିଛନ୍ତି । ହୁଏତ ସେ ଓଡ଼ିଶାର ସଙ୍ଗୀତ ଜଗତରେ ସେହିଭଳି ଜଣେ ଉଜ୍ୱଳ ତାରକା ଯିଏକି ବ୍ୟବସ୍ଥା ତଥା ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ମଣିଷମାନଙ୍କ ରୋଷର ଶିକାର ବାରମ୍ବାର ହୋଇଥିଲେ, ଯାହାକୁ ସେ କେବେ ଖାତିର ମଧ୍ୟ କରୁନଥିଲେ ।

ପୁରସ୍କାରର ଉର୍ଦ୍ଧ୍ୱରେ ଥିଲେ ପଣ୍ଡିତ ଡ଼ଃ ଦାମୋଦର ହୋତା । ତାଙ୍କର ପ୍ରଚଣ୍ଡ ଜ୍ଞାନକୁ ସମ୍ମାନ କରିବାପାଇଁ ଓଡ଼ିଶାରେ ହୁଏତ ଗୁଣୀଜନଙ୍କର ଅଭାବ ରହିଥିଲା । ଅଭାବଥିଲା ସେହିଭଳି ଦୃଷ୍ଟିଭଙ୍ଗୀ ଥିବା ମଣିଷଙ୍କର ଯିଏକି ତାଙ୍କ କଥାକୁ ବୁଝି କାମକୁ ଆଗକୁ ନେବାପାଇଁ ପ୍ରୟାସ କରିବେ । ଓଡ଼ିଶୀକୁ ଶାସ୍ତ୍ରୀୟ ପ୍ରମାଣିତ କରିବା ଦିଗରେ ତ୍ରୀଧାରା ଯେ ଏକ ମାଇଲ ଖୁଣ୍ଟ ହେଇପାରିବ ଏକଥାକୁ ବିଚାର ମଧ୍ୟ କରାଯାଇନାହିଁ । ପ୍ରକୃତରେ ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବାକଥା । ବିଶେଷକରି ପଣ୍ଡିତ ଡ଼ଃ ଦାମୋଦର ହୋତାଙ୍କର ବିୟୋଗରେ ଏହି କାର୍ଯ୍ୟକ୍ରମଟିକୁ ବଞ୍ଚାଇ ରଖିବାପାଇଁ ପ୍ରୟାସ କରିବାର ଦାୟିତ୍ୱ ସରକାର ନିଜତରଫରୁ ନେବା ଉଚିତ୍। ସେହି ପ୍ରଚଣ୍ଡ ପ୍ରତିଭାଙ୍କୁ ସମଗ୍ର ଜୀବନ ଯେଉଁଭଳି ଉପେକ୍ଷିତ କରାଯାଇଛି ତାହାର ପ୍ରାଶ୍ଚିତ କରାଯିବା ନିହାତି ଜରୁରୀ । ଯଦି ରାଜ୍ୟ ସରକାର ଏଥିପ୍ରତି ଆନ୍ତରିକତା ପ୍ରଦର୍ଶନ କରନ୍ତି ତେବେ ତ୍ରୀଧାରା ସଙ୍ଗୀତ ସମାରୋହ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା ଦିଗରେ ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ । ପଣ୍ଡିତ ଦାମୋଦର ହୋତା ନିଜ ଜୀବୀତାବସ୍ଥାରେ ଯେଉଁ ସ୍ୱପ୍ନନେଇ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମୟ ଉତ୍ସର୍ଗ କରିଥିଲେ ସେହି ସ୍ୱପ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ସମଗ୍ର ରାଜ୍ୟବାସୀ ଯେତେବେଳେ ଦେଖିବା ଆରମ୍ଭ କରିବେ ପଣ୍ଡିତ ଦାମୋଦର ହୋତାଙ୍କର ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପ୍ରତି ପ୍ରକୃତ ସମ୍ମାନ ମିଳିବ ।

ପଣ୍ଡିତ ଡ଼କ୍ଟର ଦାମୋଦର ହୋତା ଓଡିଶୀ ସଂଗୀତ କ୍ଷେତ୍ରରେ ଆରମ୍ଭ କରିଥିବା ନିଜର ପ୍ରୟାସକୁ ଆକାଶବାଣୀକୁ ଏକ ସାକ୍ଷାତକର ଦେବା ସମୟରେ ପ୍ରକାଶ କରି କହିଥିଲେ ଯେ, “ଦେଖନ୍ତୁ ଓଡ଼ିଶୀ ସଂଗୀତକୁ ମୁଁ ସବୁଠୁ କଷ୍ଟ ସଂଗୀତ ବୋଲି ଭାବୁଛି । ଯଦି ଗୋଟେ ବନ୍ଦିସ ହିସାବରେ ଦେଖାଯିବ, ଯଦି ଫେଜ ଫେଜ କରି ଦେଖାଯିବ ରାଗ ସଂଗୀତରେ ଆମର ଗୋଟେ ବନ୍ଦିସ୍, ଆଳାପ୍, ତାନ, ବୋଲତାନ୍ ଏସବୁ ହେଉଛି । କିନ୍ତୁ ମେନ୍ ହେଲା ବନ୍ଦିସ୍ ବା ଘର । ଘରଟା କଣ, ଘରଟା କେମିତି ତିଆରି କରିଛ । ସେଇ ଘରଟାକୁ ଯଦି ଦେଖାଯିବ କର୍ଣ୍ଣାଟକିରେ କ୍ରିତି, ହିନ୍ଦୁସ୍ଥାନୀରେ ବନ୍ଦିସ୍ । ବନ୍ଦିସ୍ କୁ ଯଦି ପ୍ରମାଣ କରାଯିବ ଓଡ଼ିଶୀ ବନ୍ଦିସ୍ ସବା ଉପରେ ରହିବ । ଉଦାହରଣ ଦେଇ କହିଲେ “ପିୟାକି ନଜରିଆ, ଯାଦୁ ଭରି” ଏପରି ସିଧା ସିଧାରେ ଯାଉଛି । କିନ୍ତୁ ଆମର କଣ, କାରେ ଦେଖାଉ ତେଜ ରେ କୁଞ୍ଜ ନୟନା” । ଶବ୍ଦ ବେଶୀ ଥିଲେ ମଧ୍ୟ ସାଂଗୀତିକ ତତ୍ତ୍ୱ ମଧ୍ୟ ରହିଛି, ଅର୍ନାମେଣ୍ଟ ମଧ୍ୟ ରହିଛି । “ଦେଖିବ ପରା ଆସରେ … ପ୍ରାଣ ସଜନୀ, ଶ୍ରୀ ବଂଶୀଧର ବେଶକୁ, ନଟ ନାଗର ମୋର…” ଏସବୁ ଗୀତକୁ ଯିଏ କମ୍ପୋଜ କରିଛନ୍ତି ଆମେ ସିନା ସାଧାସିଧା ଗାଇ ନେଉଛନ୍ତି । କୌଣସି ଗୁଣରେ ହିନ୍ଦୁସ୍ଥାନୀ ବନ୍ଦିସ୍ ଠାରୁ କମ୍ ନୁହଁ ଇଏ । କିନ୍ତୁ ଠିକ୍ ବାଟରେ ୟାକୁ ପକାଇବା ଦରକାର । ମୋ ଗୀତକୁ ଶୁଣିକି ମୋର ଗୁରୁଜୀ ପଣ୍ଡିତ ବଲବନ୍ତ ରାୟ ଭଟ୍ଟ କହିଥିଲେ “ଯୋ ଓଡ଼ିଶୀ ଶିଖେଗା ଉସକେଲିଏ ହିନ୍ଦୁସ୍ଥାନୀ ଶିଖନା, କର୍ଣ୍ଣାଟକି ମ୍ୟୁଜିକ୍ ଶିଖନା ଆସାନ ହୋ ଜାଏଗା । ଏଥିରେ ଯେଉଁ ଗମକ ଅଛି ଗମକଟା ହିନ୍ଦୁସ୍ଥାନୀ ପାଖ, କର୍ଣ୍ଣାଟକୀ ପାଖ, ପୁରା ହିନ୍ଦୁସ୍ଥାନୀ ନୁହଁ କି କର୍ଣ୍ଣାଟକି ନୁହଁ। ଏଥିପାଇଁ ସୁକ୍ଷ୍ମାବଲୋକନ ଦରକାର । ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ହେବ । ଏଇଟା ଅତି କଠିନ କଥା । ଏଠି ଆମ ହୃଦୟ ଭିତରେ ବୁଝିବା ଦରକାର, ନାଇଁ ଆମେ ଭୁଲ ଜିନିଷଟାକୁ ମାନିବା । ଭୁଲକୁ ଭୁଲ୍ କହିବା, ଠିକକୁ ଠିକ୍ କହିବା । ଏହି ଭାବନା ଯେତେବେଳେ ଆସିବ ଆମ ସମସ୍ତଙ୍କ ଭିତରେ ସେତେବେଳେ ଯାଇ ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ହେବ । ଉଡ଼୍ର ପଦ୍ଧତିୟ ସଂଗୀତ ଛଡ଼ା ଆଉ ବାଟ ନାହିଁ ।“

ପଣ୍ଡିତ ଦାମୋଦର ହୋତା ଥିଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଓଡିଶୀ ସଙ୍ଗୀତ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ତାଙ୍କ ସଙ୍ଗୀତର ଅନେକ ଦାୟାଦ ସେ ଛାଡ଼ିଯାଇଛନ୍ତି କିନ୍ତୁ ତାଙ୍କର ଓଡିଶାକୁ ଓ ଓଡ଼ିଶାର ସାଙ୍ଗୀତିକ ପରିବେଶକୁ ନେଇ ରହିଆସିଥିବା ବୁଝାମଣା ଆଉ କାହା ଭିତରେ ରହିଛି ଏହାର ପ୍ରମାଣ ଏଯାଏ ମିଳିନି । ତାଙ୍କପରି ସାଧକ ଓ ଗୁରୁଙ୍କର ଅଭାବ ପୁରଣ କରିବାପାଇଁ ଓଡ଼ିଶାର ଯୁବ କଳାକାରମାନେ ତାଙ୍କ ଜୀବନରୁ ପ୍ରେରଣା ନିଅନ୍ତୁ ଓ ନିଜକୁ ଶକ୍ତ କରି, ଦୁର୍ବାର କରି ସାଧନାର ପଥରେ ତିଆରି କରନ୍ତୁ ଆଜିର ଏହି ଘଡ଼ିସନ୍ଧି ସମୟରେ ଏତିକି କାମନା ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.