ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି

ପ୍ରଫେସର ଭଗବତ ପ୍ରସାଦ 252 Views
4 Min Read

 

ପ୍ରଥମ ରୁଦ୍ଧଦ୍ୱାରରେ ଲେଖା, ‘ମୁଁ ଶିକାରୀ? ମୁଁ ବିଶ୍ୱଜୟୀ ସର୍ବଜୀବ ଭକ୍ଷ ।’ ଦ୍ୱିତୀୟ ରୁଦ୍ଧଦ୍ୱାରରେ ବାଣୀ, ‘ମୁଁ ପୁରୁଷ! ଅହଲ୍ୟାକୁ ପଥର କରିଛି। ମାରିଦେଇଛି ଡେସ୍ଡେମୋନାକୁ ।’

ତୃତୀୟଦ୍ୱାରର ଭାଷା, ‘ମୁଁ ଯୋଦ୍ଧା! ମୁଁ ହତ୍ୟାର ଦକ୍ଷ କାରିଗର!’

ସବୁ ପରାଜିତ ଶତ୍ରୁନାରୀ ମୋର ଉପପତ୍ନୀ ।

ସେମାନଙ୍କ ପିଲାମାନେ ମୋର କ୍ରୀତଦାସ ।’

ଚତୁର୍ଥଦ୍ୱାରର ଘୋଷଣା, ‘ମୁଁ ନିରୋଳା ଆର୍ଯ୍ୟ, ଧଳା ଚମଡ଼ାଧାରୀ!

ମୁଁ ବ୍ରାହ୍ମଣ, ରାମ ଖ୍ରୀଷ୍ଟ ଆଲ୍ଲା ଭକ୍ତ, ରାଷ୍ଟ୍ର ପାର୍ଟିପ୍ରେମୀ ।

ତମେ ନିଗ୍ରୋ, ମ୍ଳେଛ, କାଫେର୍, ଦଳିତ, ଅମଣିଷ, ବଧଯୋଗ୍ୟ ଶତ୍ରୁ ।

ସବୁଦ୍ୱାର ଭାଙ୍ଗିପାରିଲେ ଆପଣ ପାଇବେ ଓ ବୁଝିବେ ମୂଳ ମହାଭାରତକୁ ।

(ଆଠହଜାର ଆଠଶହ ଶ୍ଳୋକରେ ଲିଖିତ ମୂଳ ମହାଭାରତର ନାମ ‘ଜୟ’ ।)

‘ଜୟ’ର ଘୋଷଣା ‘ବର୍ଜନୀୟଂ ସଦାଯୁଦ୍ଧଂ’ । ‘ଯୁଦ୍ଧ ସବୁ ପରିସ୍ଥିତିରେ ବର୍ଜନୀୟ, ଏପରିକି ରାଜାଙ୍କ ପାଇଁ ମଧ୍ୟ କହିଛନ୍ତି ବୃହସ୍ପତି ।’ (ଶାନ୍ତିପର୍ବ: ଅଧ୍ୟାୟ ନଂ ୬୯) । ବୃହସ୍ପତି ଲୋକାୟତ ବିଦ୍ୟାର ପ୍ରବର୍ତ୍ତକ । ଏ ବିଦ୍ୟାର ଆଉ ଏକ ପ୍ରବର୍ତ୍ତକ ‘ଚାର୍ବାକ୍’ ଯୁଦ୍ଧ-ହିଂସାର ତୀବ୍ର ବିରୋଧ କରି ହରାଇଥିଲେ ଜୀବନ ।

(ଦର୍ଶନ କେବଳ ତାତ୍ତ୍ୱିକ ଆଲୋଚନାରେ ସୀମିତ; ବିଦ୍ୟା ହେଉଛି ତତ୍ତ୍ୱ ଓ ଆଚରଣର ସମାହାର । କେତେଟିକେ ଆମେ ବୁଝୁ ମହାଭାରତ ଓ ଗୀତାକୁ? କେବଳ ଭାରତର ଇତିହାସ ନୁହେଁ, ପୃଥିବୀର ମାନବପ୍ରଜାତିର ନିୟୁତ ନିୟୁତ ବର୍ଷର ଇତିହାସକୁ ଉଜାଗର କରୁଥିବା, ପୃଥିବୀର ଏକମାତ୍ର ସହରବାସୀ ଉନ୍ନତ ସଂଗ୍ରାହକ ସମାଜର ମହାକାବ୍ୟକୁ ବୁଝିବାପାଇଁ ଯେଉଁ ସମଗ୍ର ଜୀବସମାଜୀୟ କରୁଣଯୁକ୍ତ ଗଭୀର ଜଗତଦୃଷ୍ଟି ଆବଶ୍ୟକ, ତାହା ଆମର ଏଇ ହତ୍ୟା-ନିର୍ଭରିତ ଓ ଶୋଷଣ ଜର୍ଜରିତ ଶିକାରୀ ସମାଜ ବୁଦ୍ଧିଜୀବୀଙ୍କର ଆସିବ କେଉଁଠୁ? 

ଗୋଟିଏ ଉଦାହରଣରୁ ବିଷୟଟି କିଛିମାତ୍ରାରେ ସ୍ପଷ୍ଟ ହୋଇଯିବ। ମହାଭାରତ ଓ ଗୀତା ଦୁଇଟି ଉଚ୍ଚାଙ୍ଗ ସାହିତ୍ୟ ମଧ୍ୟରେ ଗଣ୍ୟ। ୟୁରୋପୀୟ ମାନସର ଶ୍ରେଷ୍ଠ ସାହିତ୍ୟିକ ସୃଷ୍ଟି ହେଉଛି ଟ୍ରାଜେଡ଼ି । ଯୁଦ୍ଧପ୍ରଧାନ ସମାଜ ହେଉଚି ମୃତ୍ୟୁଧର୍ମୀ, ଜୀବନଧର୍ମୀ ନୁହେଁ । ଆଜିର ପୃଥିବୀରେ ବୀର ଓ ସହିଦ ହେଉଛନ୍ତି ଶ୍ରେଷ୍ଠ ମଣିଷ । ପରହତ୍ୟାର ଅଙ୍ଗନରେ ଅବାଧ ବିଚରଣ କରି ବୀର ପିନେ୍ଧ ଯଶ ଓ କ୍ଷମତାର ମୁକୁଟ । ନିଜ ଜୀବନକୁ ବଳି ବେଦୀରେ ଥୋଇ ସହିଦ ହୁଏ ଲୋକକଥା ଓ କାବ୍ୟ କବିତାର ମହାନାୟକ । ‘ଧିକ୍ ସେ ସମାଜ, ମୃତ୍ୟୁରେ ଯହିଁ ଶ୍ରେଷ୍ଠତ୍ୱ ମପାହୁଏ ।’ ହିଂସା, ବ୍ୟାଧିପୀଡ଼ିତ ପୃଥିବୀରେ ‘ଉଦ୍ଭଟ୍ଟତା’ ଓ ‘ଟ୍ରାଜେଡ଼ି’ ରେ ହିଁ ରହିଛି ଶ୍ରେଷ୍ଠ ସାହିତ୍ୟର ସ୍ୱାକ୍ଷର । ଗ୍ରୀସ୍, ଇଂଲଣ୍ଡ, ପାଲେଷ୍ଟାଇନ୍; ପ୍ରତ୍ୟେକ ସଭ୍ୟତାରେ ସାହିତ୍ୟରେ ମୁଖ୍ୟସ୍ଥାନ ରହିଛି ଟ୍ରାଜେଡ଼ିର । ପ୍ରଶ୍ନ ଉଠେ, ରାମାୟଣ, ମହାଭାରତ କ’ଣ ଟ୍ରାଜେଡ଼ି ପର୍ଯ୍ୟାୟରେ ଯିବନି । ବର୍ତ୍ତମାନର ରାମାୟଣ, ମହାଭାରତରେ ରହିଛି ମନଛୁଆଁ ଟ୍ରାଜିକ୍ ସୌନ୍ଦର୍ଯ୍ୟ, କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ମହାଭାରତର ମୁଖ୍ୟ ରସ ‘କରୁଣ’, ‘ବୀର’ ବା ‘ରୌଦ୍ର’ନୁହେଁ; ମହାଭାରତ ହେଉଛି ‘ଶାନ୍ତରସ’ର ବାହକ । (ପ୍ରାଚୀନ ଆଳଙ୍କାରିକ ଆନନ୍ଦବର୍ଦ୍ଧନ) ।‘ମୃତ୍ୟୁ’ ନୁହେଁ ‘ଜୀବନ’ ଥିଲା ଅତୀତ ଭାରତ ସଭ୍ୟତାର ମୁଖ୍ୟସ୍ୱର । ମହେଞ୍ଜୋଦାରୋ, ହରପ୍ପା ସଭ୍ୟତାରେ ରାଜନବର କିମ୍ବା ମନ୍ଦିର ନଥିଲା, ନଥିଲା ଯୁଦ୍ଧ ଜୟ କରିବା ପାଇଁ ବ୍ୟବହୃତ ଅସ୍ତ୍ରସମୂହ । ‘ଶାନ୍ତ ରସ’ ବିଷୟରେ କ’ଣ ଜାଣୁ ଆମେମାନେ? ଦୁଃଖ ନୁହେଁ, ‘ପ୍ରଶାନ୍ତ ସୁଖ’ ଥିଲା ଭାରତୀୟ ସଭ୍ୟତାର ଅନ୍ତଃସ୍ୱର, ବୁଦ୍ଧ, ମହାବୀର, ଗୀତା, ସାଂଖ୍ୟ, ଯୋଗ, ଲୋକାୟତ: ସବୁଠି ରହିଛି କେବଳ ‘ସୁଖ’ର ଜୟଜୟ କାର । ମହାଭାରତ ସ୍ୱର୍ଗାରୋହଣ ପର୍ବରେ ଲେଖାଅଛି ‘ହର୍ଷସ୍ଥାନ ସହସ୍ରାଣି, ଭୟଂ ସ୍ଥାନ ଶତାନିଚ’; ଅର୍ଥାତ ହର୍ଷସ୍ଥାନ ହେଉଛି ହଜାରେ, ଅଥଚ ଭୟ ସ୍ଥାନହେଉଛି ଶହେ । ଏଭଳି ସଭ୍ୟତାରେ ଟ୍ରାଜେଡ଼ି କିମ୍ବା ‘ଉଦ୍ଭଟ୍ଟତା’ର ପ୍ରାଧାନ୍ୟ ଆସିବ କେମିତି?

 

[box type=”shadow” align=”” class=”” width=””]“ମହାଭାରତରୁ ଜଣାପଡ଼ୁଛି ଯେ ମହେଞ୍ଜୋଦାରୋ – ହରପ୍ପାର ପ୍ରଚଳିତ ଜ୍ଞାନଥିଲା ଅନ୍ୱୀକ୍ଷିକୀ ବିଦ୍ୟା । ମହାଭାରତ କହେ ଯୋଗ ଓ ସାଂଖ୍ୟ ଭାରତରେ ସନାତନକାଳରୁ ପ୍ରଚଳିତ ଥିଲା(ଶାନ୍ତିପର୍ବ: ୩୪୯ ଅଧ୍ୟାୟ) । ସଂଗ୍ରାହକ ସମାଜର ଆବିଷ୍କାର ‘ଯୋଗ’ପୂର୍ଣ୍ଣମାତ୍ରାରେ ହେତୁବାଦୀ ଏବଂ ଯୋଗର ଏକମାତ୍ର ଲକ୍ଷ୍ୟ ହେଉଛି ‘ଶମ’ ମୂଲ୍ୟବୋଧ (ଯୋଗରୁତସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ-ଗୀତା) ଅର୍ଥାତ ଚାପହୀନ ଶାନ୍ତ ମସ୍ତିଷ୍କ ସୃଷ୍ଟି କରିବା କାରଣ ମଣିଷକୁ ‘ସୁଖ’ଦେଇପାରେ କେବଳ ଏଭଳି ଏକ ମସ୍ତିଷ୍କ । ସାଂଖ୍ୟ ଯୋଗ ଓ ଲୋକାୟତବାଦୀମାନେ ଏଭଳି ମସ୍ତିଷ୍କ ସୃଷ୍ଟି କରି ସୁଖୀ ହେବା ଚାହାଁନ୍ତି ।” ପ୍ରଫେସର ଭଗବତ ପ୍ରସାଦ ଉକ୍ତ ଲେଖାରେ ଭାରତୀୟ ଦର୍ଶନର ଏକ ତାତ୍ତ୍ୱିକ ଅନୁଶୀଳନ ଏଠାରେ ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି।      – ସମ୍ପାଦକ[/box]

ସୌଜନ୍ୟ- ସମଦୃଷ୍ଟି

Photo credit- internet

 

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ
Exit mobile version