ଜଗନ୍ନାଥ ହେଉଛନ୍ତି ପ୍ରତୀକ

Swayamprava Parhi (Chief Editor)
6 Min Read

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

Support Samadhwani

ଜଗନ୍ନାଥ ହେଉଛନ୍ତି ପ୍ରତୀକ । ପ୍ରତୀକଙ୍କୁ ଆପଣ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଖ୍ୟା କରିପାରିବେ । ଯେଉଁଟା ଭଲ ଆପଣ ଗ୍ରହଣ କରିପାରିବେ । କଳ୍ପନାଟା ଆପଣଙ୍କୁ ଯେଉଁଠି ନେଇ ପହଞ୍ଚେଇପାରିଲା । ତେଣୁ ପ୍ରତୀକଙ୍କୁ ନେଇ ଆପଣ ଯାହା କହିପାରିବେ ଯାହା ଲେଖିପାରିବେ । ଜଗନ୍ନାଥଙ୍କୁ ନେଇ ବହୁତ କିଛି କଳ୍ପନା କରାଯାଇଛି । ଜଗନ୍ନାଥଙ୍କୁ ଓ କୃଷ୍ଣଙ୍କୁ ମଧ୍ୟ ଏକାତ୍ମ କରିଦିଆଯାଇଛି ।

ସୁଧୀର ପଟ୍ଟନାୟକ- ଯେଉଁ ରଥଯାତ୍ରା ହେଉଛି । ମନ୍ଦିର ଭିତରକୁ ଅଛୁଆଁ ଲୋକମାନେ ପଶିପାରିବେ ନାହିଁ । କିନ୍ତୁ ବର୍ଷରେ ଥରେ ମନ୍ଦିର ବାହାରକୁ ଜଗନ୍ନାଥ ବାହାରିବେ ସମସ୍ତେ ତାଙ୍କୁ ଦେଖିପାରିବେ ଏଇଟାକୁ ନେଇ ଆପଣ କ’ଣ ଭାବୁଛନ୍ତି ବା ତା ପଛରେ ଥିବା ଚିନ୍ତାଟାକୁ କେମିତି ଦେଖୁଛନ୍ତି?

ଭଗବତ ପ୍ରସାଦ – ଜଗନ୍ନାଥଙ୍କ ପରମ୍ପରାରେ ବହୁତ କିଛି ପରମ୍ପରା ପ୍ରାଚୀନ ଯୁଗରୁ ମିଶିଯାଇଛି । ଭୈରବ-ଭୈରବୀ ପରମ୍ପରା ମିଶିଛି, ଆଉ ବୁଦ୍ଧଙ୍କର ପରମ୍ପରା ମିଶିଛି । ଜଗନ୍ନାଥଙ୍କର ନବମ ଅବତାର ସ୍ଥାନରେ ବୁଦ୍ଧଙ୍କୁ ରଖାଯାଇଛି । ରଥଯାତ୍ରାଟା ଏକ ସମୟରେ ବୌଦ୍ଧ ସମାଜ ଭିତରେ ପ୍ରଚଳିତ ଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ତେଣୁ ହୁଏତ ରଥଯାତ୍ରାର ପରମ୍ପରାଟା ତାଙ୍କ ପାଖରୁ ଆସିଥାଇପାରେ । କହିହେବନି… । ରାଜାଙ୍କୁ ଜଗନ୍ନାଥ ସ୍ୱପ୍ନ ହେଲେ ଯେ ପତିତପାବନ ରୂପରେ ସେ ଉଭା ହେବେ ଏବଂ ସେଠି ରାଜା ତାଙ୍କୁ ଦର୍ଶନ କରିପାରିବେ । ଏଭଳି ଏକ ଯୋଜନା ସେତେବେଳେ କରାଯାଇଥିଲା ବୋଲି ନୀଳଶୈଳ ଉପନ୍ୟାସରେ ଉଲ୍ଲେଖ ରହିଛି । ହୁଏତ ଏକ କଳ୍ପନାରୁ ରଥଯାତ୍ରା ପ୍ରଚଳନ କରିଥାଇପାରନ୍ତି । କାରଣ ସମଗ୍ର ଜଗତର ସିଏ ରାଜା । ସମସ୍ତଙ୍କର ଆନୁଗତ୍ୟ ଲାଭ କରିବା ପାଇଁ ରାଜା ଚାହାଁନ୍ତି । ଯଦି ଗୋଟେ ସମ୍ପ୍ରଦାୟ ଅଲଗା ରହିଗଲେ ସେଇଟା ଭଲହେବନି ବୋଲି ଭାବନ୍ତି । ତେଣୁ ଜଗନ୍ନାଥ ଅଛୁଆଁ ସମ୍ପ୍ରଦାୟ ପାଖରେ ବି ଛୁଆଁ ହୋଇପାରିବେ ସେ ଚିନ୍ତା ବି କିଛି ଚିନ୍ତାବିତ୍ ମାନଙ୍କର ମନକୁ ଆସିଛି । ଏଣୁ ଜଗନ୍ନାଥଙ୍କୁ ସମସ୍ତଙ୍କର ଦେବତା କରିବା ପାଇଁ ହୁଏତ ରଥଯାତ୍ରାର କଳ୍ପନା କରିଥିବେ ।

Support Samadhwani

ଯେହେତୁ ଜଗନ୍ନାଥ ଏକ ପ୍ରତୀକ ଗୋଟିଏ ପ୍ରତୀକକୁ ଯିଏ ଲୋକ ଚେଷ୍ଟା କରିବ କିଏ ତାକୁ ସୁନ୍ଦର ଭାବରେ ଶବ୍ଦର ପ୍ରୟୋଗ କରି କିମ୍ବା କୌଣସି ନୂତନ ତତ୍ତ୍ୱ ବ୍ୟାଖ୍ୟାନ କରି ଆଉ ଏକ ନୂତନ ରୂପ ବି ଦେଇପାରିବ । ଯେମିତିକି ରାମଙ୍କୁ ନେଇ ଆଜି ଆର୍.ଏସ୍.ଏସ୍. ବା ବିଜେପି ଯେଉଁ ପ୍ରଚାରଟା କରୁଛି ବା ରାମଚନ୍ଦ୍ରଙ୍କର ଜନ୍ମଭୂମି କଥା ପ୍ରଚାର କରି ସେମାନେ ଏକ ସମୟରେ କ୍ଷମତାକୁ ଆସିଥିଲେ । ରାମଙ୍କର ପ୍ରଭାବ କଥା ତ ଗାନ୍ଧିଜୀ ବି କହିଥିଲେ । ଗାନ୍ଧୀ ବି ରାମଙ୍କୁ ବ୍ୟବହାର କରିଛନ୍ତି ଗୋଟିଏ ମୂଲ୍ୟବୋଧ  ପ୍ରତିଷ୍ଠିତ କରିବା ପାଇଁ । ରାମଙ୍କୁ ନେଇ ସେ ଜନସମାଜ ପାଇଁ ଏକ ଅଲଗା ଧରଣର ସ୍ୱପ୍ନ ଦେଖିଛନ୍ତି । ମୂଲ୍ୟବୋଧକୁ ଗ୍ରହଣ କରନ୍ତୁ ରାମଙ୍କ ଜରିଆରେ ବୋଲି ଗାନ୍ଧୀ ପ୍ରଚାର କରିଛନ୍ତି । ରାମଙ୍କ ପାଖରେ ଯେଉଁସବୁ ମୂଲ୍ୟବୋଧ ଅଛି ସେ ତାକୁ ଅଲଗା ଢଙ୍ଗରେ ବ୍ୟବହାର କରିଛନ୍ତି, ଯାହାଫଳରେ ସେ ହିନ୍ଦୁ ସମାଜର ପାଖ ହୋଇପାରିଛନ୍ତି ଏବଂ ଏକରକମର ସାଲିସ କରିଛନ୍ତି କହିଲେ ଚଳେ । ଲୋକଙ୍କର ଭାବନା ରେ ଯେଉଁଟା ଅଛି ତା’କୁ ଆଘାତ କଲେ ଚଳିବନି । ଭାବନାକୁ ନେଇ ଗାନ୍ଧିଜୀ ଅଲଗାପ୍ରକାର ଦେଖିଲେ ।

ଠିକ୍ ସେହିଭଳି ଓଡ଼ିଶାରେ ଏକଦା ଜଗନ୍ନାଥଙ୍କୁ ନେଇ ଯେଉଁ ଆନ୍ଦୋଳନ ଚାଲିଥିଲା ଯାହାକୁ ଆମେ ପଞ୍ଚସଖା ଯୁଗ କହୁ ସେଥିରେ ଅଚ୍ୟୁତାନନ୍ଦଙ୍କର ଲେଖା ବି ଜଗନ୍ନାଥଙ୍କୁ ଭିତ୍ତିକରି ଆଉ ଏକ ଢଙ୍ଗରେ ରହିଥିଲା । ଧରନ୍ତୁ – ଏଇ ମନ ସିନା ଚତୁର୍ଦ୍ଧା ମୁରତୀରେ ମୁଢ଼ମତି। ମନଟା ଉପରେ ସେ ଗୁରୁତ୍ୱ ଦେଇଥିଲେ ଜଗନ୍ନାଥଙ୍କୁ କେନ୍ଦ୍ରକରି । ଏଇ ମନ ହିଁ ହେଉଛି ଚତୁର୍ଦ୍ଧା ମୁରତୀ ଏବଂ ମନକୁ ଠିକ୍ ରଖିଲେ ସବୁ ଠିକ୍ ରହିବ । ଏଇଟା ହେଉଛି ଭାରତର ସନାତନ ସଂସ୍କୃତି । କିନ୍ତୁ ‘ଧର୍ମପଦ’ ଯେଉଁଟାକୁ ଗୌତମବୁଦ୍ଧଙ୍କର ପ୍ରଧାନ ପୃଷ୍ଠ ବୋଲି କୁହନ୍ତି – ‘ଧର୍ମପଦ’ରେ ଆପଣ ପ୍ରଥମେ ପାଇବେ ମନୋ ପୂର୍ବଂ ଗତଃ ଧର୍ମା – ମନୋଶ୍ରେଷ୍ଠା ମନୋ ମୟା… । ମନ ହେଉଛି ଶ୍ରେଷ୍ଠ, ମନକୁ ନେଇ ସବୁକଥା, ଠିକ୍ ସେହିକଥା କହିଛନ୍ତି ଅଚ୍ୟୁତାନନ୍ଦ ।  ତେଣୁ ଅଚ୍ୟୁତାନନ୍ଦ ଜଗନ୍ନାଥଙ୍କୁ ବ୍ୟବହାର କରିଛନ୍ତି ଅଲଗା ଢଙ୍ଗରେ । ତେଣୁ ଯେହେତୁ ଜଗନ୍ନାଥ ଏକ ପ୍ରତୀକ ତାଙ୍କୁ ନିଜର କରିବାର କିଛି ନାହିଁ । କିମ୍ବା ଜଗନ୍ନାଥଙ୍କୁ ଜଣେ ବୁଦ୍ଧିମାନ ଲୋକ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରେ ।

ସୁଧୀର ପଟ୍ଟନାୟକ – ଜଗନ୍ନାଥ ସଂସ୍କୃତିରେ ସେମିତି ଉଗ୍ର ଭାବ କିଛି ରହୁଛି କି?

ଭଗବତ ପ୍ରସାଦ – ହଁ? ଇତିହାସରେ କଳାପାହାଡ଼ ଆକ୍ରମଣ କରିଥିଲା ବୋଲି ଯଦି କୁହାଯାଏ…କିମ୍ବା ବିଭିନ୍ନ ଦୃଷ୍ଟିକୋଣରୁ ପ୍ରତୀକ ଭାବରେ ତାଙ୍କୁ ଯଦି ଉଗ୍ରବାଦୀମାନେ ବ୍ୟବହାର କରିବାପାଇଁ ଚାହିଁବେ ବିଭିନ୍ନ ଆକାରରେ ବ୍ୟବହାର କରାଯାଇପାରିବ ।

ସୁଧୀର ପଟ୍ଟନାୟକ – କିନ୍ତୁ ସେଠି ସାଲବେଗଙ୍କ କଥା କହି ତାକୁ ନ୍ୟୁନ କରିବାପାଇଁ ଚେଷ୍ଟା କରାଯାଇଛି ।

ଭଗବତ ପ୍ରସାଦ – ତାକୁ ନ୍ୟୁନ  କରାଯାଇପାରେ । ଯେମିତି ଧରନ୍ତୁ ଖଣ୍ଡେ ଦୁଇଖଣ୍ଡ ପୁସ୍ତକ ଗୁରୁଚରଣ ପଟ୍ଟନାୟକ ଲେଖିଛନ୍ତି  । ଗୁରୁଚରଣ ପଟ୍ଟନାୟକ ଜଗତର ଦର୍ଶନରେ ଜଗନ୍ନାଥ ଏବଂ ଜଗନ୍ନାଥ ଦର୍ଶନରେ ଜଗତ ଦୁଇଟି ବହି ଲେଖିଛନ୍ତି । ସେଠି ସେ ଜଗନ୍ନାଥଙ୍କୁ ନେଇ ସାମ୍ୟବାଦୀ ଚେତନାର ବିକାଶ କରାଇଛନ୍ତି ଏବଂ ସାମ୍ୟବାଦୀ ଚେତନା ସହିତ ଜଗନ୍ନାଥଙ୍କୁ ଏକାଠି କରିଦେଇଛନ୍ତି ।

ସୁଧୀର ପଟ୍ଟନାୟକ – କିନ୍ତୁ ସେଠି ଆପଣ ଯଦି ଦେଖିବେ ଭୀମ ଭୋଇ ଏବଂ ତାଙ୍କର ଅନୁଗାମୀମାନଙ୍କ ପ୍ରତି ଯେଉଁ ପ୍ରତିକ୍ରିୟା ଯେଉଁ ଆକ୍ରମଣ ଥିଲା ଯଦି ଜଗନ୍ନାଥ ସଂସ୍କୃତିଟିକୁ ଗୋଟିଏ ସାମ୍ୟବାଦୀ ଦୃଷ୍ଟିକୋଣରୁ ଦେଖିବା ତାହାହେଲେ ଏଇଟାକୁ କ’ଣ କୁହାଯିବ?

ଭଗବତ ପ୍ରସାଦ- ସେଇଟା ଅସହିଷ୍ଣୁତା । ସଂସ୍କୃତିକୁ ନେଇ ଅସହିଷ୍ଣୁତା ।

ସୁଧୀର ପଟ୍ଟନାୟକ- ଭୀମ ଭୋଇ ଦଳିତବର୍ଗରୁ ଆସିଥିଲେ । ତାଙ୍କର ସାମାଜିକ ପୃଷ୍ଠଭୂମି ଅତି ଦୁର୍ବଳ ଥିଲା । ସେଥିପାଇଁ ଏହାକୁ ବ୍ରାହ୍ମଣବାଦୀ ଚିନ୍ତାଧାରା ବିରୁଦ୍ଧରେ ଗୋଟିଏ ପ୍ରତିବାଦ ଆନ୍ଦୋଳନ ବୋଲି ସେ ସମୟରେ କୁହାଯାଉଥିଲା । କିନ୍ତୁ ସେମାନେ ବି ଜଗନ୍ନାଥ ସଂସ୍କୃତିରୁ ପ୍ରତିକ୍ରିୟାର ସାମ୍ନା କଲେ ।

ଭଗବତ ପ୍ରସାଦ – ସେମାନେ ଯେଉଁ ଦୃଷ୍ଟିକୋଣରୁ ବିଚାର କରିଥିଲେ ସେଇଟା ଭୀମଭୋଇଙ୍କଠାରୁ ସମ୍ପୁନ୍ନ ଅଲଗାଥିଲା । ଭୀମ ଭୋଇଙ୍କର  ସାମାଜିକ ଚେତନା ବହୁତ ଉଚ୍ଚକୋଟିର ଥିଲା । ସମାଜର ବା ପୃଥିବୀର ପ୍ରାୟ ଶ୍ରେଷ୍ଠ ସାଧକଙ୍କ ସହିତ ତାଙ୍କର ଚେତନା ମିଶିବ । ସେ କହିଛନ୍ତି, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । ବୋଧହୁଏ ବହୁତ କମ୍ ଲୋକ ଏକଥା କହିଛନ୍ତି ।  ଭାରତୀୟ ସଂସ୍କୃତିର ଭଲ ଦିଗଟା ଖାଲି ଭାଷଣରେ ରହିଗଲା … । ବିବେକାନନ୍ଦ ଥରେ କହିଥିଲେ, ଆମେ ତ ବହୁତ ବଡ଼ ବଡ଼ ଆଦର୍ଶ କଥା କହୁ, ବହୁତ ଉନ୍ନତ ଆଦର୍ଶ । ବେଦ ବେଦାନ୍ତରେ ତ ଆମେ ଆତ୍ମା, ଭଗବାନ ଇତ୍ୟାଦି ବହୁତ ଚମକ୍ରାର ଭାବରେ ଆମେ କହୁଛୁ… ବ୍ରହ୍ମ କଥା ଆମେ କହୁଛୁ । କିନ୍ତୁ ଏଇ ଯେଉଁ ଅସ୍ପୃଶ୍ୟତା, ଜାତିବାଦ ଏଇଗୁଡ଼ା ଆସିଲା କେଉଁଠୁ? ଏହାକୁ କେମିତି ଆମେ ବରଦାସ୍ତ କଲୁ । ସେଥିପାଇଁ ଲର୍ଡ଼ କର୍ଜନ ତାଙ୍କ ଭାଷଣରେ କହିଥିଲେ ଯେ, ‘ହିନ୍ଦୁମାନେ ହିପୋକ୍ରେଟ୍’ । ଏ ଦୁଇଟା କଥା ଏକା ସହିତ ସହାବସ୍ଥାନ ହେବ କିପରି? ଗୋଟିଏ ପଟେ ଉଚ୍ଚ ଆଦର୍ଶ, ତା ସହିତ ବାସ୍ତବ ଜୀବନରେ ଏତେ ଖରାପ ଜିନିଷ ।

 

photo credit – https://bit.ly/3dsBrYa

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.