ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ । – ସମ୍ପାଦକ
ଜଗନ୍ନାଥ ହେଉଛନ୍ତି ପ୍ରତୀକ । ପ୍ରତୀକଙ୍କୁ ଆପଣ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଖ୍ୟା କରିପାରିବେ । ଯେଉଁଟା ଭଲ ଆପଣ ଗ୍ରହଣ କରିପାରିବେ । କଳ୍ପନାଟା ଆପଣଙ୍କୁ ଯେଉଁଠି ନେଇ ପହଞ୍ଚେଇପାରିଲା । ତେଣୁ ପ୍ରତୀକଙ୍କୁ ନେଇ ଆପଣ ଯାହା କହିପାରିବେ ଯାହା ଲେଖିପାରିବେ । ଜଗନ୍ନାଥଙ୍କୁ ନେଇ ବହୁତ କିଛି କଳ୍ପନା କରାଯାଇଛି । ଜଗନ୍ନାଥଙ୍କୁ ଓ କୃଷ୍ଣଙ୍କୁ ମଧ୍ୟ ଏକାତ୍ମ କରିଦିଆଯାଇଛି ।
ସୁଧୀର ପଟ୍ଟନାୟକ- ଯେଉଁ ରଥଯାତ୍ରା ହେଉଛି । ମନ୍ଦିର ଭିତରକୁ ଅଛୁଆଁ ଲୋକମାନେ ପଶିପାରିବେ ନାହିଁ । କିନ୍ତୁ ବର୍ଷରେ ଥରେ ମନ୍ଦିର ବାହାରକୁ ଜଗନ୍ନାଥ ବାହାରିବେ ସମସ୍ତେ ତାଙ୍କୁ ଦେଖିପାରିବେ ଏଇଟାକୁ ନେଇ ଆପଣ କ’ଣ ଭାବୁଛନ୍ତି ବା ତା ପଛରେ ଥିବା ଚିନ୍ତାଟାକୁ କେମିତି ଦେଖୁଛନ୍ତି?
ଭଗବତ ପ୍ରସାଦ – ଜଗନ୍ନାଥଙ୍କ ପରମ୍ପରାରେ ବହୁତ କିଛି ପରମ୍ପରା ପ୍ରାଚୀନ ଯୁଗରୁ ମିଶିଯାଇଛି । ଭୈରବ-ଭୈରବୀ ପରମ୍ପରା ମିଶିଛି, ଆଉ ବୁଦ୍ଧଙ୍କର ପରମ୍ପରା ମିଶିଛି । ଜଗନ୍ନାଥଙ୍କର ନବମ ଅବତାର ସ୍ଥାନରେ ବୁଦ୍ଧଙ୍କୁ ରଖାଯାଇଛି । ରଥଯାତ୍ରାଟା ଏକ ସମୟରେ ବୌଦ୍ଧ ସମାଜ ଭିତରେ ପ୍ରଚଳିତ ଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ତେଣୁ ହୁଏତ ରଥଯାତ୍ରାର ପରମ୍ପରାଟା ତାଙ୍କ ପାଖରୁ ଆସିଥାଇପାରେ । କହିହେବନି… । ରାଜାଙ୍କୁ ଜଗନ୍ନାଥ ସ୍ୱପ୍ନ ହେଲେ ଯେ ପତିତପାବନ ରୂପରେ ସେ ଉଭା ହେବେ ଏବଂ ସେଠି ରାଜା ତାଙ୍କୁ ଦର୍ଶନ କରିପାରିବେ । ଏଭଳି ଏକ ଯୋଜନା ସେତେବେଳେ କରାଯାଇଥିଲା ବୋଲି ନୀଳଶୈଳ ଉପନ୍ୟାସରେ ଉଲ୍ଲେଖ ରହିଛି । ହୁଏତ ଏକ କଳ୍ପନାରୁ ରଥଯାତ୍ରା ପ୍ରଚଳନ କରିଥାଇପାରନ୍ତି । କାରଣ ସମଗ୍ର ଜଗତର ସିଏ ରାଜା । ସମସ୍ତଙ୍କର ଆନୁଗତ୍ୟ ଲାଭ କରିବା ପାଇଁ ରାଜା ଚାହାଁନ୍ତି । ଯଦି ଗୋଟେ ସମ୍ପ୍ରଦାୟ ଅଲଗା ରହିଗଲେ ସେଇଟା ଭଲହେବନି ବୋଲି ଭାବନ୍ତି । ତେଣୁ ଜଗନ୍ନାଥ ଅଛୁଆଁ ସମ୍ପ୍ରଦାୟ ପାଖରେ ବି ଛୁଆଁ ହୋଇପାରିବେ ସେ ଚିନ୍ତା ବି କିଛି ଚିନ୍ତାବିତ୍ ମାନଙ୍କର ମନକୁ ଆସିଛି । ଏଣୁ ଜଗନ୍ନାଥଙ୍କୁ ସମସ୍ତଙ୍କର ଦେବତା କରିବା ପାଇଁ ହୁଏତ ରଥଯାତ୍ରାର କଳ୍ପନା କରିଥିବେ ।
ଯେହେତୁ ଜଗନ୍ନାଥ ଏକ ପ୍ରତୀକ ଗୋଟିଏ ପ୍ରତୀକକୁ ଯିଏ ଲୋକ ଚେଷ୍ଟା କରିବ କିଏ ତାକୁ ସୁନ୍ଦର ଭାବରେ ଶବ୍ଦର ପ୍ରୟୋଗ କରି କିମ୍ବା କୌଣସି ନୂତନ ତତ୍ତ୍ୱ ବ୍ୟାଖ୍ୟାନ କରି ଆଉ ଏକ ନୂତନ ରୂପ ବି ଦେଇପାରିବ । ଯେମିତିକି ରାମଙ୍କୁ ନେଇ ଆଜି ଆର୍.ଏସ୍.ଏସ୍. ବା ବିଜେପି ଯେଉଁ ପ୍ରଚାରଟା କରୁଛି ବା ରାମଚନ୍ଦ୍ରଙ୍କର ଜନ୍ମଭୂମି କଥା ପ୍ରଚାର କରି ସେମାନେ ଏକ ସମୟରେ କ୍ଷମତାକୁ ଆସିଥିଲେ । ରାମଙ୍କର ପ୍ରଭାବ କଥା ତ ଗାନ୍ଧିଜୀ ବି କହିଥିଲେ । ଗାନ୍ଧୀ ବି ରାମଙ୍କୁ ବ୍ୟବହାର କରିଛନ୍ତି ଗୋଟିଏ ମୂଲ୍ୟବୋଧ ପ୍ରତିଷ୍ଠିତ କରିବା ପାଇଁ । ରାମଙ୍କୁ ନେଇ ସେ ଜନସମାଜ ପାଇଁ ଏକ ଅଲଗା ଧରଣର ସ୍ୱପ୍ନ ଦେଖିଛନ୍ତି । ମୂଲ୍ୟବୋଧକୁ ଗ୍ରହଣ କରନ୍ତୁ ରାମଙ୍କ ଜରିଆରେ ବୋଲି ଗାନ୍ଧୀ ପ୍ରଚାର କରିଛନ୍ତି । ରାମଙ୍କ ପାଖରେ ଯେଉଁସବୁ ମୂଲ୍ୟବୋଧ ଅଛି ସେ ତାକୁ ଅଲଗା ଢଙ୍ଗରେ ବ୍ୟବହାର କରିଛନ୍ତି, ଯାହାଫଳରେ ସେ ହିନ୍ଦୁ ସମାଜର ପାଖ ହୋଇପାରିଛନ୍ତି ଏବଂ ଏକରକମର ସାଲିସ କରିଛନ୍ତି କହିଲେ ଚଳେ । ଲୋକଙ୍କର ଭାବନା ରେ ଯେଉଁଟା ଅଛି ତା’କୁ ଆଘାତ କଲେ ଚଳିବନି । ଭାବନାକୁ ନେଇ ଗାନ୍ଧିଜୀ ଅଲଗାପ୍ରକାର ଦେଖିଲେ ।
ଠିକ୍ ସେହିଭଳି ଓଡ଼ିଶାରେ ଏକଦା ଜଗନ୍ନାଥଙ୍କୁ ନେଇ ଯେଉଁ ଆନ୍ଦୋଳନ ଚାଲିଥିଲା ଯାହାକୁ ଆମେ ପଞ୍ଚସଖା ଯୁଗ କହୁ ସେଥିରେ ଅଚ୍ୟୁତାନନ୍ଦଙ୍କର ଲେଖା ବି ଜଗନ୍ନାଥଙ୍କୁ ଭିତ୍ତିକରି ଆଉ ଏକ ଢଙ୍ଗରେ ରହିଥିଲା । ଧରନ୍ତୁ – ଏଇ ମନ ସିନା ଚତୁର୍ଦ୍ଧା ମୁରତୀରେ ମୁଢ଼ମତି। ମନଟା ଉପରେ ସେ ଗୁରୁତ୍ୱ ଦେଇଥିଲେ ଜଗନ୍ନାଥଙ୍କୁ କେନ୍ଦ୍ରକରି । ଏଇ ମନ ହିଁ ହେଉଛି ଚତୁର୍ଦ୍ଧା ମୁରତୀ ଏବଂ ମନକୁ ଠିକ୍ ରଖିଲେ ସବୁ ଠିକ୍ ରହିବ । ଏଇଟା ହେଉଛି ଭାରତର ସନାତନ ସଂସ୍କୃତି । କିନ୍ତୁ ‘ଧର୍ମପଦ’ ଯେଉଁଟାକୁ ଗୌତମବୁଦ୍ଧଙ୍କର ପ୍ରଧାନ ପୃଷ୍ଠ ବୋଲି କୁହନ୍ତି – ‘ଧର୍ମପଦ’ରେ ଆପଣ ପ୍ରଥମେ ପାଇବେ ମନୋ ପୂର୍ବଂ ଗତଃ ଧର୍ମା – ମନୋଶ୍ରେଷ୍ଠା ମନୋ ମୟା… । ମନ ହେଉଛି ଶ୍ରେଷ୍ଠ, ମନକୁ ନେଇ ସବୁକଥା, ଠିକ୍ ସେହିକଥା କହିଛନ୍ତି ଅଚ୍ୟୁତାନନ୍ଦ । ତେଣୁ ଅଚ୍ୟୁତାନନ୍ଦ ଜଗନ୍ନାଥଙ୍କୁ ବ୍ୟବହାର କରିଛନ୍ତି ଅଲଗା ଢଙ୍ଗରେ । ତେଣୁ ଯେହେତୁ ଜଗନ୍ନାଥ ଏକ ପ୍ରତୀକ ତାଙ୍କୁ ନିଜର କରିବାର କିଛି ନାହିଁ । କିମ୍ବା ଜଗନ୍ନାଥଙ୍କୁ ଜଣେ ବୁଦ୍ଧିମାନ ଲୋକ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରେ ।
ସୁଧୀର ପଟ୍ଟନାୟକ – ଜଗନ୍ନାଥ ସଂସ୍କୃତିରେ ସେମିତି ଉଗ୍ର ଭାବ କିଛି ରହୁଛି କି?
ଭଗବତ ପ୍ରସାଦ – ହଁ? ଇତିହାସରେ କଳାପାହାଡ଼ ଆକ୍ରମଣ କରିଥିଲା ବୋଲି ଯଦି କୁହାଯାଏ…କିମ୍ବା ବିଭିନ୍ନ ଦୃଷ୍ଟିକୋଣରୁ ପ୍ରତୀକ ଭାବରେ ତାଙ୍କୁ ଯଦି ଉଗ୍ରବାଦୀମାନେ ବ୍ୟବହାର କରିବାପାଇଁ ଚାହିଁବେ ବିଭିନ୍ନ ଆକାରରେ ବ୍ୟବହାର କରାଯାଇପାରିବ ।
ସୁଧୀର ପଟ୍ଟନାୟକ – କିନ୍ତୁ ସେଠି ସାଲବେଗଙ୍କ କଥା କହି ତାକୁ ନ୍ୟୁନ କରିବାପାଇଁ ଚେଷ୍ଟା କରାଯାଇଛି ।
ଭଗବତ ପ୍ରସାଦ – ତାକୁ ନ୍ୟୁନ କରାଯାଇପାରେ । ଯେମିତି ଧରନ୍ତୁ ଖଣ୍ଡେ ଦୁଇଖଣ୍ଡ ପୁସ୍ତକ ଗୁରୁଚରଣ ପଟ୍ଟନାୟକ ଲେଖିଛନ୍ତି । ଗୁରୁଚରଣ ପଟ୍ଟନାୟକ ଜଗତର ଦର୍ଶନରେ ଜଗନ୍ନାଥ ଏବଂ ଜଗନ୍ନାଥ ଦର୍ଶନରେ ଜଗତ ଦୁଇଟି ବହି ଲେଖିଛନ୍ତି । ସେଠି ସେ ଜଗନ୍ନାଥଙ୍କୁ ନେଇ ସାମ୍ୟବାଦୀ ଚେତନାର ବିକାଶ କରାଇଛନ୍ତି ଏବଂ ସାମ୍ୟବାଦୀ ଚେତନା ସହିତ ଜଗନ୍ନାଥଙ୍କୁ ଏକାଠି କରିଦେଇଛନ୍ତି ।
ସୁଧୀର ପଟ୍ଟନାୟକ – କିନ୍ତୁ ସେଠି ଆପଣ ଯଦି ଦେଖିବେ ଭୀମ ଭୋଇ ଏବଂ ତାଙ୍କର ଅନୁଗାମୀମାନଙ୍କ ପ୍ରତି ଯେଉଁ ପ୍ରତିକ୍ରିୟା ଯେଉଁ ଆକ୍ରମଣ ଥିଲା ଯଦି ଜଗନ୍ନାଥ ସଂସ୍କୃତିଟିକୁ ଗୋଟିଏ ସାମ୍ୟବାଦୀ ଦୃଷ୍ଟିକୋଣରୁ ଦେଖିବା ତାହାହେଲେ ଏଇଟାକୁ କ’ଣ କୁହାଯିବ?
ଭଗବତ ପ୍ରସାଦ- ସେଇଟା ଅସହିଷ୍ଣୁତା । ସଂସ୍କୃତିକୁ ନେଇ ଅସହିଷ୍ଣୁତା ।
ସୁଧୀର ପଟ୍ଟନାୟକ- ଭୀମ ଭୋଇ ଦଳିତବର୍ଗରୁ ଆସିଥିଲେ । ତାଙ୍କର ସାମାଜିକ ପୃଷ୍ଠଭୂମି ଅତି ଦୁର୍ବଳ ଥିଲା । ସେଥିପାଇଁ ଏହାକୁ ବ୍ରାହ୍ମଣବାଦୀ ଚିନ୍ତାଧାରା ବିରୁଦ୍ଧରେ ଗୋଟିଏ ପ୍ରତିବାଦ ଆନ୍ଦୋଳନ ବୋଲି ସେ ସମୟରେ କୁହାଯାଉଥିଲା । କିନ୍ତୁ ସେମାନେ ବି ଜଗନ୍ନାଥ ସଂସ୍କୃତିରୁ ପ୍ରତିକ୍ରିୟାର ସାମ୍ନା କଲେ ।
ଭଗବତ ପ୍ରସାଦ – ସେମାନେ ଯେଉଁ ଦୃଷ୍ଟିକୋଣରୁ ବିଚାର କରିଥିଲେ ସେଇଟା ଭୀମଭୋଇଙ୍କଠାରୁ ସମ୍ପୁନ୍ନ ଅଲଗାଥିଲା । ଭୀମ ଭୋଇଙ୍କର ସାମାଜିକ ଚେତନା ବହୁତ ଉଚ୍ଚକୋଟିର ଥିଲା । ସମାଜର ବା ପୃଥିବୀର ପ୍ରାୟ ଶ୍ରେଷ୍ଠ ସାଧକଙ୍କ ସହିତ ତାଙ୍କର ଚେତନା ମିଶିବ । ସେ କହିଛନ୍ତି, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । ବୋଧହୁଏ ବହୁତ କମ୍ ଲୋକ ଏକଥା କହିଛନ୍ତି । ଭାରତୀୟ ସଂସ୍କୃତିର ଭଲ ଦିଗଟା ଖାଲି ଭାଷଣରେ ରହିଗଲା … । ବିବେକାନନ୍ଦ ଥରେ କହିଥିଲେ, ଆମେ ତ ବହୁତ ବଡ଼ ବଡ଼ ଆଦର୍ଶ କଥା କହୁ, ବହୁତ ଉନ୍ନତ ଆଦର୍ଶ । ବେଦ ବେଦାନ୍ତରେ ତ ଆମେ ଆତ୍ମା, ଭଗବାନ ଇତ୍ୟାଦି ବହୁତ ଚମକ୍ରାର ଭାବରେ ଆମେ କହୁଛୁ… ବ୍ରହ୍ମ କଥା ଆମେ କହୁଛୁ । କିନ୍ତୁ ଏଇ ଯେଉଁ ଅସ୍ପୃଶ୍ୟତା, ଜାତିବାଦ ଏଇଗୁଡ଼ା ଆସିଲା କେଉଁଠୁ? ଏହାକୁ କେମିତି ଆମେ ବରଦାସ୍ତ କଲୁ । ସେଥିପାଇଁ ଲର୍ଡ଼ କର୍ଜନ ତାଙ୍କ ଭାଷଣରେ କହିଥିଲେ ଯେ, ‘ହିନ୍ଦୁମାନେ ହିପୋକ୍ରେଟ୍’ । ଏ ଦୁଇଟା କଥା ଏକା ସହିତ ସହାବସ୍ଥାନ ହେବ କିପରି? ଗୋଟିଏ ପଟେ ଉଚ୍ଚ ଆଦର୍ଶ, ତା ସହିତ ବାସ୍ତବ ଜୀବନରେ ଏତେ ଖରାପ ଜିନିଷ ।
photo credit – https://bit.ly/3dsBrYa