ଓଡ଼ିଆ ଭାଷା ଆନ୍ଦୋଳନ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ-୨

9 Min Read

ସାଧାରଣ ଲୋକର ପ୍ରଶ୍ନ

ଏହିସବୁ ଦୃଶ୍ୟଦେଖି ଓ ସମ୍ବାଦ ପଢ଼ି ସ୍ୱାଭାବିକ ସାଧାରଣ ଲୋକେ ପଚାରୁଛନ୍ତି ଏହି ୧୯୫୪ ଭାଷାଆଇନ କ’ଣ? ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନର ମାନେ କ’ଣ? ଓଡ଼ିଆ ଭାଷାର ସଂକୋଚନ ହେଉଛି କିପରି? ସଂକୁଚିତ କରୁଛି କିଏ? ୬୨ବର୍ଷ ହେଲା ଏହି ଆଇନ କାହିଁକି କାର୍ଯ୍ୟକାରୀ ହୋଇନଥିଲା? ଏହି ଭଳି ଆନ୍ଦୋଳନ କାହିଁକି ପୂର୍ବେ ହୋଇନଥିଲା? ଏବେ କରିବାର ଆବଶ୍ୟକତା କାହିଁକି ଅନୁଭୂତ ହେଲା? ଏହା କାର୍ଯ୍ୟକାରୀ ହେଲେ ଦରିଦ୍ରତମ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ପ୍ରଚାରିତ ଆମ ରାଜ୍ୟର ପରିଚୟରେ ପରିବର୍ତ୍ତନ ହେବ କି? କାରଣ ସାଧାରଣ ଲୋକଟିଏ ଦେଖୁଛି, କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ, ଶାସନରେ ଥିବା ପ୍ରାୟ ଆଉ ସମସ୍ତ ଓଡିଆ ଓ ଅଣଓଡିଆ ଅଫିସର ସାଧାରଣ ଲୋକଙ୍କ ସହ ଓଡ଼ିଆରେ କଥାବାର୍ତ୍ତା କରିପାରୁଛନ୍ତି।

ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଓଡିଆରେ ସାକ୍ଷାତକାର ଦେଇପାରୁଛନ୍ତି । ବହୁ ସରକାରୀ ବିଜ୍ଞପ୍ତି ଓ ପରିପତ୍ର (circular) ଓଡିଆରେ ପ୍ରକାଶିତ ହେଉଛି । ସରକାରୀ ଦପ୍ତରରେ ତ ଅଧିକାରୀମାନଙ୍କ ସହ ନିଃସଙ୍କୋଚ ଓଡିଆରେ କଥାବାର୍ତ୍ତା କରିହେଉଛି । ବିଧାନସଭାରେ ବିତର୍କ ତ ଓଡିଆରେ ହେଉଛି । ତାହାହେଲେ ଶାସନ ଓଡ଼ିଆରେ ହେଉନାହିଁ କିପରି? ତା ମନରେ ପ୍ରଶ୍ନ । ଅପରପକ୍ଷରେ ସେ ଦେଖୁଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଂଖ୍ୟା ସହରରେ ବଢ଼ି ବଢ଼ି ଚାଲିଛି । ଯେଉଁ ଓଡ଼ିଆଭାଷୀମାନେ ଉପର ସ୍ତରରେ ଅଛନ୍ତି ସେମାନେ ତ ତାଙ୍କ ସନ୍ତାନ ସନ୍ତତିମାନଙ୍କୁ ଅନେକଦିନରୁ ଇଂରାଜୀ ମାଧ୍ୟମରେ ପଢାଇବାର ପରମ୍ପରା ଆରମ୍ଭ କରି ଦେଇଛନ୍ତି ଯାହାକୁ ଏବେ ତା’ବର୍ଗର ସହରୀ ଲୋକ ଗ୍ରହଣ କରିବା ପାଇଁ ମଧ୍ୟ ଭିଡ଼ କଲେଣି ।

ସେ ଦେଖୁଛି ଏହି ପ୍ରବଣତା ଫଳରେ ଓଡିଆ ମାଧ୍ୟମ ସରକାରୀ ବିଦ୍ୟାଳୟରେ ଏହି ବର୍ଗରୁ ଛାତ୍ର ଛାତ୍ରୀ ପଢୁଥିବା ଦେଖାଯାଉ ନାହିଁ।୧୦ ସେ ଦେଖୁଛି ଏହି ପ୍ରବଣତା ଗାଁକୁ ବ୍ୟାପିଲାଣି, ଗ୍ରାମାଞ୍ଚଳରେ ମଧ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହେଲାଣି ଓ ଏହାର ପ୍ରତ୍ୟେକବର୍ଷ ସଂଖ୍ୟା ବଢ଼ି ବଢ଼ି ଚାଲିଲାଣି । ଗ୍ରାମବାସୀଙ୍କ ଭିତରେ ଏହି ପ୍ରବଣତାକୁ ଲକ୍ଷ୍ୟ କରି ସରକାର ଏହିବର୍ଷ ୧୦୦ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନା କଲେ, ସେ ଗୁଡିକୁ ଆଦର୍ଶ ବିଦ୍ୟାଳୟ କହିଲେ । ୨୪୦୦୦ସ୍ଥାନ ପାଇଁ ପ୍ରାୟ ୮୦୦୦୦ ଆବେଦନ ପତ୍ର ପଡିବାରୁ ଜଣାପଡିଲା  ଇଂରାଜୀ ମାଧ୍ୟମରେ ପଢ଼ିବାପାଇଁ ଗ୍ରାମବାସୀଙ୍କ ଭିତରେ ଆଗ୍ରହର ଗଭୀରତା ।

ଏହାକୁ ଅବଶ୍ୟ ‘ଭାଷା ସୁରକ୍ଷା ସମ୍ମିଳନୀ’ର ଆବାହକ ବୈଷ୍ଣବ ପରିଡା ମହୋଦୟ ବିରୋଧ କରନ୍ତି ବୋଲି ଗଣମାଧ୍ୟମରେ ସମ୍ବାଦ। ତେବେ ଏହିପରି ଦୃଶ୍ୟ ଦେଖି ସାଧାରଣ ଲୋକଟି ମନରେ ପ୍ରଶ୍ନ ଆସୁଛି ଏହି ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରୁ ବାହାରୁଥିବା ଓଡିଶାର ଛାତ୍ର ଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ଶାସନର କ’ଣ ମାନେ ହେବ? ସେ ମଧ୍ୟ ଦେଖୁଛି ଯେଉଁମାନେ ଓଡ଼ିଆଭାଷାରେ ଓଡ଼ିଶାର ଶାସନ ଦାବି କରୁଛନ୍ତି, ୧୯୫୪ ଭାଷା ଆଇନକୁ ସରକାର କାର୍ଯ୍ୟକାରୀ କରିବା ପାଇଁ ଦାବି କରୁଛନ୍ତି, ମଞ୍ଚସ୍ଥ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଉତ୍ତରପୁରୁଷ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଛନ୍ତି ଅବା ଓଡିଶା ଶାସନର ସମ୍ପୂର୍ଣ୍ଣ ବାହାରେ, ବିଦେଶରେ ରହୁଛନ୍ତି । ତେଣୁ କିଏ ଓଡ଼ିଆଭାଷାର ବ୍ୟବହାରକୁ ସଂକୁଚିତ କରୁଛି ତାହାକୁ ଚିହ୍ନଟ  କରିବା ଆଦୌ କଷ୍ଟକର ନୁହେଁ । ଓଡ଼ିଆଭାଷା ସରକାରୀ ଭାଷାହେଲେ ଓଡ଼ିଆଙ୍କ ଭିତରେ ଇଂରାଜୀ ମାଧ୍ୟମରେ ଶିକ୍ଷାପାଇବାର ପ୍ରବଣତାରେ ଉଜାଣି ଆସିବ କି?-ଏହି ପ୍ରଶ୍ନ ତା ମନକୁ ଆସୁଛି । ପ୍ରଶ୍ନ ମଧ୍ୟ ତା’ମନକୁ ଆସୁଛି ଯେ ଯଦି ୧୯୫୪ରେ ଭାଷା ଆଇନ ସହସା କାର୍ଯ୍ୟକାରୀ ହୋଇଥାନ୍ତା ଓ ଓଡ଼ିଆଭାଷାରେ ଯଦି ଓଡ଼ିଶାର ଶାସନ ଚାଲିଥାନ୍ତା, ତାହାହେଲେ ଇଂରାଜୀ ଭାଷାରେ ପଢ଼ିବାର ପ୍ରବଣତା ଆଜି ଯେପରି ଦେଖାଯାଉଛି ତାହା କ’ଣ ସୃଷ୍ଟି ହୋଇନଥାନ୍ତା?

ସାମ୍ବିଧାନିକ ବ୍ୟବସ୍ଥା

ଯେଉଁମାନେ ଭାରତୀୟ ସମ୍ବିଧାନରେ ବିଶେଷଜ୍ଞ ସେମାନଙ୍କୁ ସାଧାରଣ ଲୋକଟି ପଚାରି ବୁଝିଲା ଯେ ସମ୍ବିଧାନର ଧାରା ୩୪୫ ଅନୁସାରେ ଯେକୌଣସି ପ୍ରଦେଶ ଏକ ଆଇନ କରି ସେହି ପ୍ରଦେଶର ସରକାରୀ କାର୍ଯ୍ୟରେ ପ୍ରଦେଶ ଭିତରେ ବ୍ୟବହାର ହେଉଥିବା ଭାଷା ଅବା ହିନ୍ଦୀଭାଷାକୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅବା ସମସ୍ତ କାର୍ଯ୍ୟ ପାଇଁ ସରକାରୀ ଭାଷାରୂପେ ପ୍ରଚଳନ କରିପାରେ । କିନ୍ତୁ ଏହା ନହେବା ପର୍ଯ୍ୟନ୍ତ ଇଂରାଜୀଭାଷାର ହିଁ ବ୍ୟବହାର ଯେପରି ସମ୍ବିଧାନର ପ୍ରଚଳନ ଆରମ୍ଭ ହେବା ପୂର୍ବରୁ ଥିଲା ତାହାହିଁ ଅବ୍ୟାହତ ରହିବ । ବିଶେଷଜ୍ଞମାନେ ମଧ୍ୟ କହିଲେ ଯେ ସମ୍ବିଧାନର ଧାରା ୩୪୩ ଅନୁସାରେ ଦେବନାଗରୀ ଲିପିରେ ହିନ୍ଦୀ ହିଁ ଭାରତୀୟ ସଂଘର ସରକାରୀଭାଷା ଭାବେ ଘୋଷିତ ହେଲା ଯଦିଓ ୨୬ଜାନୁଆରୀ ୧୯୬୫ ଯାଏ ଇଂରାଜୀରେ ସରକାରୀ କାର୍ଯ୍ୟ ଚାଲି ପାରିବ ବୋଲି ବ୍ୟବସ୍ଥା ରହିଲା (ଉପଧାରା (୨) ଅର୍ଥାତ୍ ୨୬ଜାନୁଆରୀ ୧୯୬୫ ପରେ କୌଣସି ସରକାରୀ କାର୍ଯ୍ୟ ଇଂରାଜୀରେ ଚାଲିବା ଅସାମ୍ବିଧାନିକ ହେବ ବୋଲି ପ୍ରକାରାନ୍ତରେ ସୂଚାଇ ଦିଆଗଲା ।

ତାହାହେଲେ ଆଜି ମଧ୍ୟ କିପରି ଭାରତ ସରକାରଙ୍କ କାର୍ଯ୍ୟ ଇଂରାଜୀରେ ମଧ୍ୟ ଚାଲିଛି? ସାଧାରଣ ଲୋକଟିର ଏହି ପ୍ରଶ୍ନର ଜବାବରେ ବିଶେଷଜ୍ଞମାନେ ମନେ ପକାଇଦେଲେ ୧୯୬୩ ମସିହା ମଇ ୧୦ ତାରିଖ ଦିନ ପାରିତ ହୋଇଥିବା ଆଫିସିକ (Official) ଭାଷା ଆଇନ, Official Languages Act, 1963 । ଏହି ଆଇନରେ ବ୍ୟବସ୍ଥା ରହିଲା ଯେ ୨୬ଜାନୁଆରୀ ୧୯୬୫ପରେ ମଧ୍ୟ ଆଫିସିକ ଓ ସଂସଦର କାର୍ଯ୍ୟ ହିନ୍ଦୀସହିତ ଇଂରାଜୀରେ ହେବ (ଧାରା-୩) । ଏହି ବିଶେଷଜ୍ଞମାନଙ୍କ ସୂତ୍ରରୁ ମଧ୍ୟ ଜଣାପଡିଲା ଯେ ଓଡ଼ିଶା ଆଫିସିକ ଭାଷାଆଇନ ୧୯୫୪ ପ୍ରାଦେଶିକସ୍ତରରେ ଭାରତର ପ୍ରଥମ ଆଇନ । ଏହି ଆଇନରେ କେବଳ ଓଡ଼ିଆ ହିଁ ଓଡ଼ିଶାର ଆଫିସିକ ଭାଷା ବୋଲି ଉଲ୍ଲେଖ କରାଗଲା ଠିକ ଯେପରି ସମ୍ବିଧାନର ଧାରା ୩୪୩ର ଉପଧାରା ୧ରେ କେବଳ ଥିଲା ହିନ୍ଦୀର ବ୍ୟବହାର ସମ୍ପର୍କରେ ନିର୍ଦ୍ଦେଶ । ଏହି ଆଇନ ନୀରବ ଥିଲା ଇଂରାଜୀ ଭାଷାର ବ୍ୟବହାର ସମ୍ପର୍କରେ । ଧାରା ୩୪୩ର ଉପଧାରା ୨ ଅନୁରୂପ କୌଣସି ଧାରା ଏହି ଆଇନରେ ନ ଥିଲା । କିନ୍ତୁ ୧୯୬୩ ମସିହା ଅକ୍ଟୋବର ୧୯ତାରିଖ ଦିନ ସଂଶୋଧିତ ହେଲା ୧୯୫୪ଆଫିସିକ ଭାଷା ଆଇନ ଓ ଇଂରାଜୀ ଭାଷାରେ ବ୍ୟବସ୍ଥାପିକା ସଭାରେ ଓଡିଆ ସହିତ ଇଂରାଜୀରେ କାର୍ଯ୍ୟ ହୋଇପାରିବ ବୋଲି କୁହାଗଲା ।

ବିଶେଷଜ୍ଞମାନେ ବୁଝାଇଲେ ଯେ ଏହା ନ ହୋଇଥିଲେ ସମ୍ବିଧାନର ଧାରା ୨୧୦ର ଉପଧାରା-୨ଅନୁସାରେ ବ୍ୟବସ୍ଥାପିକାର ଭାଷା ଓଡ଼ିଆ ହିଁ ହୋଇଥାନ୍ତା । କିନ୍ତୁ ଯାହା ଆନ୍ଦୋଳନକାରୀଙ୍କର କ୍ଷୋଭ ତାହା ହେଉଛି ଏହି ଆଇନ ସତ୍ତେ୍ୱ ଓ ଏହି ଆଇନ ଅନୁସାରେ ବହୁ ବିଜ୍ଞପ୍ତି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସତ୍ତେ୍ୱ (ମାନ୍ୟବର ମୁଖ୍ୟମନ୍ତ୍ରୀ ଏହିଭଳି କେତେକ ବିଜ୍ଞପ୍ତିର ନଜିର ଦେଇଛନ୍ତି ବିଧାନସଭାରେ ସମ୍ପର୍କିତ ଏକ ପ୍ରଶ୍ନ (UDAQ No.2325)ର ଉତ୍ତର ୧୪.୧୨.୨୦୧୫ ଦିନ ଦେଇ ) ଆଫିସିକ କାର୍ଯ୍ୟରେ ଇଂରାଜୀର ବ୍ୟବହାର ଅବ୍ୟାହତ ରହିଛି । ଆନ୍ଦୋଳନକାରୀଙ୍କର ପରାମର୍ଶ ହେଉଛି ଯେ ଯଦି ଯେଉଁମାନେ ଆଫିସିକ କାର୍ଯ୍ୟରେ ଇଂରାଜୀ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦଣ୍ଡର ବ୍ୟବସ୍ଥା ରୁହନ୍ତା ତାହାହେଲେ ସେମାନେ ଏପରି କରନ୍ତେ ନାହିଁ ।୧୧

କିନ୍ତୁ ପ୍ରାଦେଶିକ ସ୍ତରରେ ଆଫିସିକ ଭାଷା ଯାହା ହେଉ ନା କାହିଁକି କେନ୍ଦ୍ର ସହ ଯୋଗାଯୋଗ ଓ ଚିଠି ପତ୍ରର ଆଦାନ ପ୍ରଦାନର ଭାଷା ଭାରତୀୟ ସଂଘର ଆଫିସିକ ଭାଷା ହିଁ ହେବ ବୋଲି ସମ୍ବିଧାନର ଧାରା ୩୪୬ରେ ସ୍ପଷ୍ଟ ଉଲ୍ଲେଖ ରହିଲା । ଅର୍ଥାତ୍ ଓଡିଶାର ସରକାରୀ ଭାଷା ଓଡିଆ ହେଲେ ହେଁ ଓଡିଶା ସରକାର କେନ୍ଦ୍ର ସହ ଯୋଗାଯୋଗ ହିନ୍ଦୀ ବା ଇଂରାଜୀ ଭାଷାରେ ହିଁ କରିବେ ।

ଅନ୍ୟ ପ୍ରଦେଶରେ ଭାଷା ଆଇନ

ଅନ୍ୟ ରାଜ୍ୟରେ ସ୍ଥିତି କଣ, ଏହା ଜାଣିବାକୁ ଚାହାନ୍ତେ, ବିଶେଷଜ୍ଞ ମହୋଦୟ ସବୁ ରାଜ୍ୟରେ ସ୍ଥିତି ନ ବଖାଣି କେବଳ ସେହି ରାଜ୍ୟଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କଲେ ଯେଉଁ ରାଜ୍ୟର ଭାଷା ଓଡ଼ିଆ ଭଳି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ଯେପରି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ କେରଳ । ଏହି ରାଜ୍ୟଗୁଡିକର ଆଫିସିକ ଭାଷା ଆଇନରେ ଯଦିଓ ସେହି ରାଜ୍ୟର ପ୍ରାଦେଶିକ ଭାଷାକୁ ଆଫିସିକ ଭାଷାବୋଲି ସ୍ୱୀକୃତି ଦିଆଯାଇଛି, କିନ୍ତୁ ଏହା ସହିତ ଇଂରାଜୀ ଭାଷାରେ ଯେପରି ଆଫିସିକ କାର୍ଯ୍ୟ ଚାଲୁଥିଲା ତାହା ଅବ୍ୟାହତ ରହିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି; ଯେତେବେଳ ଯାଏ ସରକାରୀ ବିଜ୍ଞପ୍ତିଦ୍ୱାରା ଏହାର ଅନ୍ୟଥା ନହୋଇଛି । ଯେପରି ତାମିଲନାଡୁ ଆଫିସିକ ଭାଷା ଆଇନ ୧୯୫୬, କର୍ଣ୍ଣାଟକ ଆଫିସିକ ଭାଷା ଆଇନ ୧୯୬୩, ଆନ୍ଧ୍ରପ୍ରଦେଶ ଆଫିସିକ ଭାଷା ଆଇନ ୧୯୬୬ର ଧାରା ୩ ଓ ୪ରେ ରହିଛି ଏହି ବ୍ୟବସ୍ଥା ।

କେରଳ ଆଫିସିକ ଭାଷା ଆଇନ ୧୯୬୯ରେ ତ ଉଭୟ ମଲାୟାଲମ ଓ ଇଂରାଜୀ ଭାଷାକୁ ଆଫିସିକ ଭାଷାଭାବେ ସ୍ୱୀକୃତି ଦିଆଯାଇଛି । କହିବା ବାହୁଲ୍ୟ ଯେ ଏହି ସବୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା କୁହାଯାଉଥିବା ପ୍ରଦେଶମାନଙ୍କରେ ଆଫିସିକ କାର୍ଯ୍ୟରେ ଇଂରାଜୀ ଭାଷାର ବ୍ୟବହାରକୁ ଆଇନ ଭିତରେ ହିଁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ଓଡିଶା ଆଫିସିକ ଭାଷା ଆଇନ ୧୯୫୪ରେ ହୋଇନାହିଁ । କିନ୍ତୁ ଏହି ଆଇନର ଧାରା ୨ ଓ ୩କୁ ଯଦି ସମ୍ବିଧାନର ଧାରା ୩୪୫ପୃଷ୍ଠଭୂମିରେ ବିଚାର କରାଯାଏ, ତାହାହେଲେ ଓଡିଆଭାଷା କେଉଁ ଆଫିସିକ କାର୍ଯ୍ୟରେ ବ୍ୟବହାର ହେବ, ତାହାର ବିଜ୍ଞପ୍ତି ନ ବାହାରିବା ପର୍ଯ୍ୟନ୍ତ ଇଂରାଜୀ ହିଁ ବ୍ୟବହାର ହେବ ଏହା ଏକ ତାର୍କିକ ନିଷ୍କର୍ଷ । ତେଣୁ ଯେଉଁ ଯେଉଁ ଆଫିସିକ କାର୍ଯ୍ୟ ଓଡିଆରେ ହେବ ବୋଲି ବିଜ୍ଞପ୍ତି ବାହାରି ନାହିଁ ତାହା ଯଦି ଇଂରାଜୀରେ ହେଉଥାଏ ତାହାହେଲେ ଅସାମ୍ବିଧାନିକ କିଛି ହେଉ ନାହିଁ ବୋଲି ବିଶେଷଜ୍ଞ ବୁଝାଇଦେଲେ । ସାଧାରଣ ଲୋକଟି ବୁଝିଲା ଯେ ଆଫିସିକ ଭାଷା ଆଇନ ଅନୁସାରେ ଇଂରାଜୀରେ ହିଁ ସମସ୍ତ ଆଫିସିକ କାର୍ଯ୍ୟହେବ ଯେତେବେଳ ଯାଏ କେଉଁ ଆଫିସିକ କାର୍ଯ୍ୟଗୁଡିକ ପ୍ରାଦେଶିକ ଆଫିସିକ ଭାଷାରେ ହେବ ବୋଲି ସରକାରୀ ବିଜ୍ଞପ୍ତି ଦ୍ୱାରା ଚିହ୍ନଟ ନ ହୋଇଛି ।

ଅଫିସରମାନେ ଏହି ବିଜ୍ଞପ୍ତି ଗୁଡିକ ସମ୍ପର୍କରେ ଅବଗତ ରହିଲେ ହିଁ ସେମାନଙ୍କର ଆଫିସିକ କାର୍ଯ୍ୟ ଓଡିଆ ଭାଷାରେ ନିର୍ବାହ କରିପାରିବେ । କିନ୍ତୁ କେଉଁଠି ହେବ, କେଉଁଠି ହେବନାହିଁ -ଏହା ଆମର ବ୍ୟସ୍ତ ଅଧିକାରୀମାନେ ମନେ ରଖିବା ସହଜ ନୁହେଁ । ତେଣୁ ଏହାର ବୋଧହୁଏ ଏକମାତ୍ର ସମାଧାନ ହେଉଛି ଯେ ସରକାର ଏକ ବିଜ୍ଞପ୍ତି ଜାରି କରିବେ ଯେ ରାଜ୍ୟ ସରକାରଙ୍କର ସମସ୍ତ ଆଫିସିକ କାର୍ଯ୍ୟ (କେବଳ କେନ୍ଦ୍ର ସହ ଯୋଗାଯୋଗ ଓ ଚିଠିପତ୍ରର ଆଦାନ ପ୍ରଦାନ ବ୍ୟତୀତ)ଓଡିଆରେ ହେବ । ତାହାହେଲେ କେଉଁଟା କେଉଁ ଭାଷାରେ ହେବ ତାହା ଆଉ ମନେରଖିବାକୁ ପଡିବ ନାହିଁ । ଅର୍ଥାତ୍ ଅଫିସର ମାନେ ଅଫିସ ଫାଇଲରେ ମତାମତ ଓଡିଆରେ ଦରଜ କରିପାରିବେ ।

ଅନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଦୃଷ୍ଟାନ୍ତ ଦେଇଛନ୍ତି ଯେ ସେ କିପରି ଓଡିଆରେ ଲେଖାଯାଇ ନଥିବା ଫାଇଲକୁ ଫେରାଇଦେବା ପାଇଁ   ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଏହା ନବୀନବାବୁ କରିପାରିବେ କି?-ସାଧାରଣ ଲୋକଟିର ପ୍ରଶ୍ନ । ଜାନକୀବାବୁ ନିଜେ ଓଡିଆରେ ଲେଖି ପାରୁଥିଲେ, ନବୀନବାବୁଙ୍କ ଦ୍ୱାରା ଏହା ସମ୍ଭବ କି? କିନ୍ତୁ ଜାନକୀବାବୁଙ୍କର ଉଦାହରଣ ଦେଇ ଯେ ଆନ୍ଦୋଳନକାରୀମାନେ ନବୀନବାବୁଙ୍କର ଓଡ଼ିଆଭାଷାରେ ଅଜ୍ଞତାକୁ କଟାକ୍ଷ କରୁଛନ୍ତି; ଏପରି ଧାରଣା  ହେବା ଅସ୍ୱାଭାବିକ ନୁହେଁ ।

PHOTO CREDIT – https://www.google.com/search?biw=1366&bih=625&tbm=isch&sxsrf=ACYBGNQY9-VQQBzo271EQ9IXMGiWHHwfCQ%3A1567876982191&sa=1&ei=dudzXcqlC4-9rQHE3JHwCQ&q=odia+language&oq=odia+language&gs_l=img.3..0l10.85955.93607..95366…0.0..0.128.1820.0j15……0….1..gws-wiz-img…….0i67j0i30j0i8i30j0i24j0i10i24j35i39j0i10.DjqfGBhg1Zc&ved=0ahUKEwjKuMz0nL_kAhWPXisKHURuBJ4Q4dUDCAY&uact=5#imgrc=Ugf-qhjjshoHVM:

 

 

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version