ଅପସଂସ୍କୃତି ଯାତ୍ରା ନାଟକ ଆଉ କେତେ ଦିନ?

ଶ୍ରୀ ନିରଞ୍ଜନ ପଣ୍ଡା
ଶ୍ରୀ ନିରଞ୍ଜନ ପଣ୍ଡା 192 Views
12 Min Read

ମାନବ ସମାଜର ବିକାଶ ନିମନ୍ତେ ମନସ୍ତ୍ୱାତିକ ଦୃଷ୍ଟିକୋଣରୁ ବିଚାର କଲେ ସଂସ୍କୃତି ର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ସଂସ୍କୃତି ର ସଜ୍ଞା ନିରୂପଣ କଲେ ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଏବଂ ନାଟକ ଇତ୍ୟାଦି କୁ ବୁଝାଇ ଥାଏ। ଆମ ଜନମାନସ ଓ ବ୍ୟବସ୍ଥା ସହିତ ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିତ। ସମଗ୍ର ବିଶ୍ଵରେ ସଂସ୍କୃତିକୁ ପ୍ରାଧାନ୍ୟ ଦେବାରେ ଅନେକ ସଂସ୍କୃତି ସଂଗଠକ ଆଗଭର ହୋଇ କାର୍ଯ୍ୟ ସମ୍ପାଦନା କରି ଯଶସ୍ଵୀ ହୋଇଛନ୍ତି। ସେହିପରି ଆମ ଓଡ଼ିଶା ପରିପ୍ରେକ୍ଷୀରେ ଯଦି ଆଲୋଚନା କରାଯାଏ ତେବେ ଅନେକ ସଂସ୍କୃତି ସଂଗଠକ ଆମ ଓଡ଼ିଶାର ସଂସ୍କୃତିର ବିକାଶର ଧାରା କୁ ଆଗେଇ ନେବାରେ ପୂର୍ଣ୍ଣ ସହଯୋଗ କରି ଅମରତ୍ୱ ଲାଭ କରିଛନ୍ତି।ଭାରାକ୍ରାନ୍ତ ମାନସିକତା କୁ ମନୋରଞ୍ଜନ ଦେବା ଆମ ସଂସ୍କୃତି ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆମେ ଯଦି ଓଡ଼ିଶା ର ନାଟ୍ୟ ଆନ୍ଦୋଳନ ଉପରେ ଦୃଷ୍ଟି ନିବଦ୍ଧ କରିବା, ତେବେ କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ ଙ୍କ ଅବଦାନ ନାଟ୍ୟ ଆନ୍ଦୋଳନ ପାଇଁ ଅନସ୍ବୀକାର୍ଯ୍ୟ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶାର ନବ ନାଟ୍ୟ ଆନ୍ଦୋଳନ ର କ୍ରାନ୍ତିକାରୀ ଜନକ। ଓଡ଼ିଶାର ପ୍ରଥମ ନାଟ୍ୟକାର ଜଗମୋହନ ଲାଲା ହୋଇଥିଲେ ବି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶାର ନବ ନାଟ୍ୟ ଆନ୍ଦୋଳନ ର ସ୍ରଷ୍ଟା। ଜଗମୋହନ ଲାଲା “ବାବାଜୀ”, “ସତୀ ଓ ପ୍ରୀତି” ନାଟକ ରଚନା କରି ନିଜ ଜନ୍ମ ସ୍ଥାନ ମାହାଙ୍ଗା ଅଞ୍ଚଳରେ ଅଭିନୀତ କରାଇବାର ପ୍ରଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ରାମଶଙ୍କର ରାୟ “କାଞ୍ଚିକାବେରୀ” ନାଟକ ରଚନା କରି ମଞ୍ଚସ୍ଥ କରାଇଥିଲେ। ଏହି ସମୟରେ ମଧ୍ୟ ଗୋପାଳ ଦାସ ଓ ବାଳକୃଷ୍ଣ ମହାନ୍ତି ଆଦି ସ୍ୱଳ୍ପ ବ୍ୟକ୍ତି ବିଶେଷ ସୁଆଙ୍ଗ ଦଳ ଗଠନ କରି ସୁଆଙ୍ଗ ଆଦି ରଚନା କରି ସ୍ବରଚିତ ସୁଆଙ୍ଗ ଗୁଡିକୁ ମଞ୍ଚସ୍ଥ କରୁଥିଲେ। ପରବର୍ତ୍ତୀ ସମୟରେ ଗଣକବି ବୈଷ୍ଣବ ପାଣି ଏହି ସୁଆଙ୍ଗ ଅଥବା ଗୀତିନାଟ୍ୟ କୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟ ରେ କିଛିଟା ପରିବର୍ତ୍ତନ କରି ସଂଳାପ ଓ ସଙ୍ଗୀତ କୁ ଅତ୍ୟନ୍ତ ରୁଚିବୋଧ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରୟାସ କରିଥିଲେ। ଗୋପାଳ ଦାସ, ବାଳକୃଷ୍ଣ ମହାନ୍ତି ଓ ପରବର୍ତ୍ତୀ ପର୍ଯ୍ୟାୟ ରେ ଗଣକବି ବୈଷ୍ଣବ ପାଣି ଓଡ଼ିଶା ର ବିଭିନ୍ନ ପ୍ରାନ୍ତର ରେ ଭ୍ରାମ୍ୟମାଣ ମଞ୍ଚ ଜରିଆ ରେ ଏହି ସୁଆଙ୍ଗ ଓ ଗୀତିନାଟ୍ୟ ଆଦି ଅଭିନେତା ମାନଙ୍କ ମାଧ୍ୟମ ରେ ଅଭିନୀତ କରାଉଥିଲେ ।ସେତେବେଳେ ପୁରୁଷ ଅଭିନେତା ମାନେ ନାରୀ ଭୂମିକାରେ ଅଭିନୟ କରୁଥିଲେ। ମାତ୍ର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କଟକ ସହର ରେ “ଓଡ଼ିଶା ଥିଏଟର୍ସ” ନାମକ ଏକ ନାଟ୍ୟ ସଂସ୍ଥା ଗଠନ କରି ସ୍ଥାୟୀ ରଙ୍ଗ ମଞ୍ଚ ରେ ସ୍ବରଚିତ ନାଟକ ଗୁଡିକୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜରିଆ ରେ ମଞ୍ଚସ୍ଥ କରାଉଥିଲେ। ” ଓଡ଼ିଶା ଥିଏଟରସ” ରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସର୍ବ ପ୍ରଥମେ ନାରୀ ଅଭିନେତ୍ରୀ ମାନଙ୍କୁ ଅଭିନୟ କରିବାକୁ ସୁଯୋଗ ଦେଇ ଥିଲେ। ” ଓଡ଼ିଶା ଥିଏଟର” ରୁ ନିଜର କଳାକାର ଜୀବନ ଆରମ୍ଭ କରିଥିବା ଅନେକ କଳାକାର ପରବର୍ତ୍ତୀ ଜୀବନ ରେ ଜଣେ ଜଣେ ପ୍ରସିଦ୍ଧ କଳାକାର ଭାବେ ସ୍ଵୀକୃତି ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ସାମୁଏଲ୍ ସାହୁ( ବାବି), ପ୍ରିୟନାଥ ମିଶ୍ର, ଦୁର୍ଲଭ ସିଂହ, ମାଷ୍ଟର ମାଣିଆ, ନଟବର ସେନ, କୃଷ୍ଣ ପାଣ୍ଡେ , ଦୀନବନ୍ଧୁ ଦାସ ( ଟିମା), ନେତ୍ରାନନ୍ଦ ମିଶ୍ର,ଲୀଳା ଦୁଲାଳି ଓ ମଣିମାଳା ଇତ୍ୟାଦି । କାଳର କରାଳ ଗତିରେ ବିଭିନ୍ନ କାରଣ ହେତୁ ” ଓଡ଼ିଶା ଥିଏଟର” ର ପୂର୍ଣ୍ଣ ଛେଦ ପଡ଼ିଲା। ଏହି କଳାକାର ମାନେ ପରବର୍ତ୍ତୀ ସମୟରେ କଟକ ସହର ର ବକ୍ସି ବଜାର ଠାରେ ସ୍ଥାୟୀ ରଙ୍ଗ ମଞ୍ଚ ସ୍ଥାପନ କରି ” ଅନ୍ନପୂର୍ଣ୍ଣା ବି” ଗ୍ରୋପ ନାମ ରେ ଏକ ନାଟ୍ୟ ଅନୁଷ୍ଠାନ ସ୍ଥାପନ କରି ନାଟକ ମାନ ମଞ୍ଚସ୍ଥ କଲେ। ଏହି ସମୟ ବେଳକୁ ପୁରୀ ସହର ରେ ” ଅନ୍ନପୂର୍ଣ୍ଣା ଏ” ଗ୍ରୁପ ନାମକ ଏକ ନାଟ୍ୟ ସଂସ୍ଥା ଗଠନ ହୋଇ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଥିଏଟର ପରିବେଷଣ କରୁଥାନ୍ତି। ସେତେବେଳେ ଏହି ନାଟ୍ୟ ଅନୁଷ୍ଠାନ ରେ ଅଭିନୟ କରୁଥିବା କଳାକାର ମାନେ ପରବର୍ତ୍ତୀ ସମୟରେ ଓଡ଼ିଶା ଜନଜୀବନ ରେ ଜଣେ ଜଣେ ଯଶଶ୍ଵୀ କଳାକାର ଭାବେ ସ୍ଵୀକୃତି ଲାଭ କରିଛନ୍ତି। ସେମାନେ ହେଲେ ସର୍ବଶ୍ରୀ ବ୍ୟୋମକେଶ ତ୍ରିପାଠୀ, ଦୁଃଖୀରାମ ସ୍ୱାଇଁ, ରାମ ଚନ୍ଦ୍ର ପ୍ରତିହାରୀ, ଶରତ ମହାନ୍ତି, ବୃନ୍ଦାବନ ନାୟକ,ଭାନୁମତୀ ଏବଂ କୁଞ୍ଜଲତା ଦାସ ଇତ୍ୟାଦି।” ଓଡ଼ିଶା ଥିଏଟର” ର ବିଲୟ ପରେ ପରେ କଟକ ସହର ରେ ଆଉ ଏକ ନୂତନ ନାଟ୍ୟ ଅନୁଷ୍ଠାନ ” ଜନତା ରଙ୍ଗ ମଞ୍ଚ” ର ଅଦ୍ଭୁଦୟ ହୋଇଥିଲା। ଏହାର ମୁଖ୍ୟ ପୃଷ୍ଠପୋଷକ ଥିଲେ ଶ୍ରୀଯୁକ୍ତ ନିରଞ୍ଜନ ରଥ। ଶ୍ରୀଯୁକ୍ତ ରଥ ମଧ୍ୟ ଓଡ଼ିଶାର ନବ ନାଟ୍ୟ ଆନ୍ଦୋଳନ ର ଅନ୍ୟତମ ବିନ୍ଧାଣି।

ସମୟ କ୍ରମେ କଟକ ସହର ରେ ଏହି ଥିଏଟର ସଂସ୍କୃତି ସୀମାବଦ୍ଧ ନହୋଇ ଓଡ଼ିଶାର ବିଭିନ୍ନ ଅଞ୍ଚଳ କୁ ପ୍ରସାରିତ ହେବାରେ ଲାଗିଲା। ଉକ୍ତ ପ୍ରସାରଣ କାର୍ଯ୍ୟ ପାଇଁ ” ଅନ୍ନପୂର୍ଣ୍ଣା ଏ” ଗ୍ରୁପ ର ପ୍ରଚେଷ୍ଟା ଅନସ୍ବୀକାର୍ଯ୍ୟ। କାରଣ ” ଅନ୍ନପୂର୍ଣ୍ଣା ଏ” ଗ୍ରୁପ ଓଡ଼ିଶା ର କୋଣ ଅନୁକୋଣରେ ଅସ୍ଥାୟୀ ରଙ୍ଗ ମଞ୍ଚ ସ୍ଥାପନ କରି ନାଟକ ମଞ୍ଚସ୍ଥ କରୁଥିଲା। ଏହା ଦ୍ଵାରା ଅନେକ ନାଟ୍ୟ ପ୍ରେମୀ ଓ କଳାନୁରାଗୀ ଅନୁପ୍ରାଣିତ ହୋଇ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ନାଟ୍ୟ ଅନୁଷ୍ଠାନ ଗୁଡ଼ିକ ସ୍ଥାପନ କଲେ। ବିଶେଷ କରି ଓଡ଼ିଶାର ଅଭିଭକ୍ତ ବାଲେଶ୍ଵର ଜିଲ୍ଲା, କଟକ ଜିଲ୍ଲା ଓ ପୁରୀ ଜିଲ୍ଲାରେ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଗୁଡ଼ିକ ସମୟ କ୍ରମେ ମୁଣ୍ଡ ଟେକିଲେ। ମୋ ପିଲାଦିନେ ( ସେତେବେଳ କୁ ବିଦ୍ୟା ଅଧ୍ୟୟନ କରି ନଥାଏ) ସୋର ରେ ମୋ ବାପା, ମାଆ ଓ ନନା ଙ୍କ ସହିତ ପ୍ରାୟ ୧୯୭୩ ମସିହାରେ ଅନ୍ନପୂର୍ଣ୍ଣା ଏ ଗ୍ରୁପ ଦ୍ଵାରା ଅଭିନୀତ ” କଂସା କବାଟ” ନାଟକ ଦେଖିବାକୁ ଯାଇଥାଏ। ଏହି ନାଟକ ର ନାଟ୍ୟକାର ଓ ନିର୍ଦ୍ଦେଶକ ଥାଆନ୍ତି ଶ୍ରୀ ବ୍ୟୋମକେଶ ତ୍ରିପାଠୀ। ଉକ୍ତ ନାଟକ ରେ ଶ୍ରୀ ଦୁଃଖୀରାମ ସ୍ୱାଇଁ ଖଳନାୟକ ଭୂମିକାରେ ଅଭିନୟ କରୁଥାନ୍ତି। ମୁଁ ଏତେ ଛୋଟ ହୋଇଥିବା ହେତୁ ନାଟକ ର ବିଷୟ ବସ୍ତୁ ବୁଝିପାରୁ ନଥାଏ। ଦୁଃଖୀରାମ ସ୍ୱାଇଁ ଙ୍କ ର ଅଭିନୟ ଦେଖି ମୁଁ ଖୁବ୍ ଡରିଯାଇ ମାଆ କୁ ଜାବୁଡି ଧରିଥିଲି। ପରେ ବଡ଼ ହେଲା ପରେ ” ଶେଷ ଶ୍ରାବଣ” ଚଳଚ୍ଚିତ୍ର ରେ ତାଙ୍କୁ ନିଧି ମିଶ୍ର ଚରିତ୍ର ରେ ଅଭିନୟ କରିଥିବା ର ଦେଖିଲି। ମଞ୍ଚ ଓ ଚଳଚ୍ଚିତ୍ର ପରଦାର ଦୁଃଖୀରାମ ସ୍ୱାଇଁ ଏବଂ ସାଧାରଣ ଜନଜୀବନ ର ଦୁଃଖୀରାମ ସ୍ୱାଇଁ ଙ୍କ ମଧ୍ୟରେ ଅନେକ ତଫାତ ଦେଖିବାର ସୁଯୋଗ ପାଇଥିଲି, ଯେତେବେଳେ ସେ ” ପାର୍ବତୀ” ଓ ” ତ୍ରିନାଥ” ଗଣନାଟ୍ୟ ରେ ନାଟକ ଗୁଡ଼ିକ ମଞ୍ଚସ୍ଥ ପାଇଁ ଜଗତସିଂହପୁର ସ୍ଥିତ ହାଟ ବଜାର ର ଆଖଡ଼ା ସାଳା ରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ନିର୍ଦ୍ଦେଶନା ଦେଉଥିଲେ। ” ରାମ ରହିମ” ନାଟକ ର ସେ ଥିଲେ ନିର୍ଦ୍ଦେଶକ। ସେ ଯାହା ହେଉ ନାଟ୍ୟ ଆନ୍ଦୋଳନ ଧୀରେ ଧୀରେ ଓଡ଼ିଶା ର ଜନମାନସ କୁ ଅତ୍ୟନ୍ତ ଆକୃଷ୍ଟ କରି ପକାଇଲା। ଭଦ୍ରକ ରେ ନାଟ୍ୟାଚାର୍ଯ୍ୟ ଶ୍ରୀ ରଘୁନାଥ ପଣ୍ଡା ” ନୀଳଚକ୍ର ଅପେରା” ପ୍ରତିଷ୍ଠା କରି ଓଡ଼ିଶା ର ନାଟ୍ୟ ଆନ୍ଦୋଳନ କୁ ଉଜ୍ଜୀବିତ କଲେ। ସେହିପରି କେଶବ କବି କୃଷ୍ଣ ପ୍ରସାଦ ବେହେରା ଭଦ୍ରକ ଏବଂ ସୋର ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ନାଟ୍ୟ ଅନୁଷ୍ଠାନ ଗୁଡ଼ିକ ସ୍ଥାପନ କରି ନାଟକ ଗୁଡ଼ିକ ଅଭିନୟ ନିମନ୍ତେ ନାଟ୍ୟ ନିର୍ଦ୍ଦେଶନା ଦେଉ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ କି କେଶବ କବି କୃଷ୍ଣ ପ୍ରସାଦ ବେହେରା ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଉଭୟେ ନାଟକ ରଚନା କରି ନିଜ ଅନୁଷ୍ଠାନ ରେ ନାଟକ ଗୁଡିକୁ ପରିବେଷଣ କରୁଥିଲେ। କେଶବ କବି କୃଷ୍ଣ ପ୍ରସାଦ ବେହେରା ପ୍ରାଥମିକ ପର୍ଯ୍ୟାୟରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଙ୍କ ” ଓଡ଼ିଶା ଥିଏଟର” ରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟ ରେ ଓଡ଼ିଶା ଯାତ୍ରା( ଅପେରା) ଜଗତ ର ଜଣେ ପରମ କାରୁଣିକ ର ଭୂମିକା ନିର୍ବାହ କରିଥିଲେ। କେଶବ କବି ଙ୍କ ର ପରମ ପଟ୍ଟ ଶିଷ୍ୟ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମହାପାତ୍ର ଭଦ୍ରକ ର ସାରୁଅ ଠାରେ ଅପେରା ପାର୍ଟି ପ୍ରତିଷ୍ଠା କରି ଘରେ ଘରେ ପରିଚିତ ସୃଷ୍ଟି କରି ଯାତ୍ରା ନାଟକ କୁ ଜନାଭିମୁଖି କରିବାରେ ସହାୟକ ହୋଇଥିଲେ। ତତ୍କାଳୀନ ସମୟ ରେ ନଗେଶପୁର ର ଯଦୁମଣି କାନୁନଗୋ ( ଝାନସି ରାଣୀ ଲକ୍ଷ୍ମିବାଇ ନାଟକ ର ରଚୟିତା)ଙ୍କ ର ଭୂମିକା ଓଡ଼ିଶା ଯାତ୍ରା ନାଟକ ପ୍ରତି ମଧ୍ୟ ଅନସ୍ବୀକାର୍ଯ୍ୟ। ” ଜନତା ଗଣନାଟ୍ୟ” ର ପ୍ରତିଷ୍ଠାତା ଇଞ୍ଜିନିୟର ବୈଷ୍ଣବ ମହାନ୍ତି ( ବେଣୀ ବନ୍ଧନ ନାଟକ ର ରଚୟିତା) ଙ୍କ ର ଅବଦାନ ଯାତ୍ରା ନାଟକ ଓ ଅପେରା ପାଇଁ ମଧ୍ୟ ଚିର ସ୍ମରଣୀୟ। ଭଦ୍ରକ ର ବନ୍ତ ର ଶ୍ରୀଯୁକ୍ତ କାହ୍ନୁ ଚରଣ ନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ” ଓଡ଼ିଶା ଅପେରା” ର ଓଡ଼ିଶା ର ନବ ନାଟ୍ୟ ଆନ୍ଦୋଳନ କୁ ଅବଦାନ ଯାତ୍ରା ନାଟକ ଇତିହାସ ପାଇଁ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ପ୍ରାୟ ନବେ ଦଶକ ପର୍ଯ୍ୟନ୍ତ ଅପେରା ପାର୍ଟି ଗୁଡ଼ିକ ରୁଚି ସମ୍ପନ୍ନ ଯାତ୍ରା ନାଟକ ଗୁଡ଼ିକ ମଞ୍ଚସ୍ଥ କରୁଥିଲେ। ଅବଶ୍ୟ ସେତେବେଳ ର ଅପେରା ପାର୍ଟି ଗୁଡ଼ିକ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସ୍ଥାପିତ ହୋଇଥିଲା। ମାତ୍ର ତଥାପି ଅନୁଷ୍ଠାନ ର ମାଲିକମାନେ ସେତେବେଳେ ସୌଖିନ ମାନସିକତା ରଖି ଅପେରା ଅନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା କରିଥିଲେ। ବ୍ୟବସାୟ ପାଇଁ ସେମାନେ କେତେକ ନୀତି ଆଦର୍ଶ କୁ ଜଳାଞ୍ଜଳି ଦେଉ ନଥିଲେ। ମୂଳ ରୁ ମୁଁ ଆଲୋଚନା କରିଛି ମାନବ ଜାତିର ବିକାଶ ନିମନ୍ତେ ମନସ୍ତ୍ୱାତିକ ଦୃଷ୍ଟିକୋଣରୁ ସଂସ୍କୃତି ର ଆବଶ୍ୟକତା ରହିଛି। ଭରାକ୍ରାନ୍ତ ମନ କୁ ସରସ ସୁନ୍ଦର କରିବା ପାଇଁ ମନୋରଂଜନର ଏକାନ୍ତ ଆବଶ୍ୟକତା ରହିଛି। ଏହି ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ଅନେକ ଉପାଦାନ ମଧ୍ୟରୁ ଯାତ୍ରା ନାଟକ ଅନ୍ୟତମ।ତେଣୁ ସେସମୟର ଅପେରା ପାର୍ଟି ର ସତ୍ଵାଧିକାରୀ ଗଣ ସାମାଜିକ ଆଦର୍ଶ ଓ ଦାୟିତ୍ୱବୋଧ କୁ ନଜର ଦେଇ ନିଜ ଅପେରା ପାର୍ଟି ମାଧ୍ୟମରେ ଯାତ୍ରା ନାଟକ ମଞ୍ଚସ୍ଥ କରୁଥଲେ । ସମୟ ସମୟ ରେ ଅପେରା ପାର୍ଟି ଗୁଡ଼ିକ ସେଥି ନିମନ୍ତେ ବ୍ୟବସାୟିକ ସଫଳତା ହାସଲ କରି ନପାରି ବିଲୀନ ହୋଇ ଯାଇଛନ୍ତି। କିନ୍ତୁ ଆଶ୍ଚର୍ୟ୍ଯ ର ବିଷୟ ସତ୍ଵାଧିକାରୀ ମାନେ ଅର୍ଥ ରୋଜଗାର ଉଦ୍ଦେଶ୍ୟ ରେ ନିଜର ନୀତି ଓ ଆଦର୍ଶ କୁ ଜଳାଞ୍ଜଳି ଦେଇ ନାହାଁନ୍ତି। ସେ ସମୟ ରେ ମଞ୍ଚସ୍ଥ ହେଉଥିବା ନାଟକ ରେ ସମୟୋପଯୋଗୀ କାହାଣୀ ଆଦି ସନ୍ନିବେଶିତ ହେଉଥିଲା। କଳାକାର ମାନେ ଉପଯୁକ୍ତ ତାଲିମ ନେଇ ନିଜର କଳାନୈପୁଣ୍ୟକୁ ଦର୍ଶକ ମାନଙ୍କ ସମ୍ମୁଖ ରେ ଉପସ୍ଥାପନ କରୁଥିଲେ। ନାଟକ ସହିତ ସେତେବେଳେ ସୁନ୍ଦର ନୃତ୍ୟନାଟିକା, duet ( ଦୁଇଜଣ ନଟ ଓ ନଟି କୌଣସି ଏକ କଥା ବସ୍ତୁ କୁ ନେଇ ହାସ୍ୟ ରସାତ୍ମକ ଅଭିନୟ କରିବା) ଏବଂ ସୁନ୍ଦର ସଙ୍ଗୀତ ମାନ ପରିବେଷଣ କରା ଯାଉଥିଲା। ମାତ୍ର ବିଡ଼ମ୍ବନାର ବିଷୟ ନବେ ଦଶକ ପରେ ଅପେରା ପାର୍ଟି ର ବିପର୍ଯୟ ଆସିଲା। ଯେତେବେଳେ ମୁନଫାଖୋର ବ୍ୟବସାୟୀ ମାନେ ଅପେରା ପାର୍ଟି ପ୍ରତିଷ୍ଠା କରି ବିପୁଳ ଅର୍ଥ ରୋଜଗାର କରିବା ଆଶାରେ ଯାତ୍ରା ନାଟକ ମଞ୍ଚସ୍ଥ କରିବା ଆରମ୍ଭ କଲେ ସେତେବେଳେ ଯାତ୍ରା ନାଟକ ତାର ମୌଳିକତାକୁ ନଷ୍ଟ କରିବା ଆରମ୍ଭ କଲା। ଦୁର୍ଭାଗ୍ୟ ର ବିଷୟ ଯେଉଁ ମାନେ କଳାର ଧାର ଧାରନ୍ତି ନାହିଁ, ସେମାନେ ଅପେରା ପାର୍ଟି ର ସତ୍ଵାଧିକାରୀ ସାଜିଲେ। ଅଧୁନା ଅପେରା ପାର୍ଟି ର ସତ୍ଵାଧିକାରୀ ସାଜିଥିବା ବ୍ୟକ୍ତି ବିଶେଷ ହେଲେ ଖଣି ମାଲିକ, ଚିଟ ଫଣ୍ଡ ଦୁର୍ନୀତି ଅଭିଯୋଗରେ ଜଡ଼ିତ ଦଲାଲ, ବିଲ୍ଡର୍ସ, ସ୍କ୍ରାପ ବ୍ୟବସାୟୀ ଏବଂ ଜମି ମାଫିଆ ଇତ୍ୟାଦି। ଆପଣ ମାନେ ବିଚାର କରନ୍ତୁ ଏହି ଭଳି ଚରିତ୍ର ର ବ୍ୟକ୍ତିବିଶେଷ କେବେ ସମ୍ବେଦନଶୀଳ ଅପେରା ପାର୍ଟି ଭଳି ବ୍ୟବସାୟ କୁ ନିଷ୍ଠାର ସହିତ ସମାଜ କଲ୍ୟାଣ ନିମନ୍ତେ ନିୟୋଜିତ କରିପାରିବେ? ମେଲୋଡି ନାମ ରେ ଅଶ୍ଳୀଳ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଯୁବ ଗୋଷ୍ଠୀ ଙ୍କୁ ବିଭ୍ରାନ୍ତ କରିବା ଆଜିର ଅପେରା ପାର୍ଟି ଗୁଡ଼ିକ ର ମୁଖ୍ୟ ଭୂମିକା ହୋଇଛି। ସଭ୍ୟ ମଣିଷ ଆଜିର ଯାତ୍ରା ନାଟକ କୁ ଦୃଶ୍ୟ ପଟ ରେ ଅବଲୋକନ କରିବା ପାଇଁ ଘୃଣାବୋଧ କରୁଛି। ମଞ୍ଚ ଉପରେ ଖଳ ନାୟକ ନାରୀ ଅଭିନେତ୍ରୀ କୁ ନିର୍ଲଜ ଭାବରେ ଧର୍ଷଣ କରୁଛି। ଯିଏ ଏପରି କରିପାରୁଛି କିଛି ଶସ୍ତା ଦର୍ଶକ ମାନଙ୍କ ଦୃଷ୍ଟି ଭଙ୍ଗୀରେ ସେ ରାତାରାତି ହୋଇ ଯାଉଛି ଦୁର୍ଦ୍ଧଶ ଖଳନାୟକ ଅଥବା ଯାତ୍ରା ଟାଇଗର ଇତ୍ୟାଦି। ଗରୀବ ଘର ର ଝିଅ ମାନଙ୍କୁ ଅଳ୍ପ ଅର୍ଥ ରେ ଅପେରା ପାର୍ଟି ର ମାଲିକ ମାନେ ଯାତ୍ରା ନାଟକ ରେ ଖଟାଉଛନ୍ତି। ସେମାନଙ୍କ ନଗ୍ନ ଶରୀର କୁ ଦର୍ଶକ ମାନଙ୍କ ସମ୍ମୁଖ ଭାଗରେ ପ୍ରଦର୍ଶନ କରି ଅର୍ଥ ରୋଜଗାର କରିବା ଆଜିର ଅପେରା ପାର୍ଟି ସତ୍ଵାଧିକାରୀ ମାନଙ୍କର ମାନସିକତା ହୋଇଯାଇଛି। ବାଧ୍ୟ ହୋଇ ମୁଜବୁରି ରେ ଏହି ଝିଅ ମାନେ ସତ୍ଵାଧିକାରୀ ମାନଙ୍କୁ ଖୁସି କରାଇବା ଉଦ୍ଦେଶ୍ୟ ରେ ନଗ୍ନ ଦୃଶ୍ୟ ପ୍ରଦର୍ଶନ କରିବା ପାଇଁ ମଧ୍ୟ ପଶ୍ଚାଦପଦ ହେଉ ନାହାଁନ୍ତି। ମୋ ପିଲାଦିନ ରେ ଅଭିନୟ କରୁଥିବା ଖଳନାୟକ ମାନଙ୍କ ମଧ୍ୟରେ ନେତ୍ରାନନ୍ଦ ମିଶ୍ର, ଦୁଃଖୀରାମ ସ୍ୱାଇଁ, ଆର୍ତ୍ତବନ୍ଧୁ ରାଉତରାୟ, ଭରତ ଧଳ ଏବଂ ଦୀନବନ୍ଧୁ ମାଟିଆ ଚିର ଦିନ ପାଇଁ ଅମରତ୍ଵ ଲାଭ କରିବେ। ମାତ୍ର ଆଜିର ଖଳ ନାୟକ ମାନେ କେତେ ଦିନ……..? ଉପଯୁକ୍ତ ତାଲିମ ନପାଇ କଳାକାର ମାନେ ଆଜିର ମଞ୍ଚ ରେ ଅଭିନୟ କରୁଛନ୍ତି। ନାଟକ ରେ ନାଟକୀୟତା ନାହିଁ। କାହାଣୀ କୁ ନେଇ ଆଜିର ନାଟକ ମଞ୍ଚସ୍ଥ ହେଉନାହିଁ। କେବଳ ନାରୀ, ନଗ୍ନତା ଓ ସୁରା କୁ ନେଇ ଆଜିର ନାଟ୍ୟ କଳା ବିଭୂଷିତ।

ନାଟ୍ୟ ଶାସ୍ତ୍ର ର ସ୍ରଷ୍ଟା ଭରତ ମୁନି ଆମ ସଂସ୍କୃତି ର ଭିତ୍ତି ଭୂମି ପାଇଁ ଯେଉଁ ଉଦ୍ଦେଶ୍ୟ ନିମନ୍ତେ ନାଟକ ସୃଷ୍ଟି କରିଥିଲେ, ତାହା ଆଜିର ଉସୃଙ୍ଖଳ ସମାଜ ପାଇଁ ନାଟକୀୟ ଭଙ୍ଗୀରେ ବିଲୀନ ହେବାକୁ ଯାଉଛି। ନାଟକ କଳା ଧ୍ଵଂସ ଅଭିମୁଖେ ଯାତ୍ରୀ। ଏ ଅପସଂସ୍କୃତି ଆଉ କେତେ ଦିନ? ଉକ୍ତ ଧାରା ବିଲକ୍ଷଣ ସଂସ୍କୃତିର ଲକ୍ଷଣ ନୁହେଁତ…. ?

ଆଲେଖ୍ୟ:- ଶ୍ରୀ ନିରଞ୍ଜନ ପଣ୍ଡା।
ତା:- ୨୯.୪.୨୦୨୨ ରିଖ। ଶୁକ୍ରବାର।
ମୋ:-୯୪୩୭୧୯୯୧୯୩ , ୭୮୪୬୮୫୮୪୮୫।

Photo credit- https://bit.ly/3OZjUcn

Share This Article
ଆଇନଜୀବୀ,ଓଡ଼ିଶା ହାଇକୋର୍ଟ,କଟକ