ଶ୍ରୀମତୀ ମାଳତୀ ଚୈାଧୁରୀ

6 Min Read

[box type=”shadow” align=”” class=”” width=””]ମାଳତୀ ସେନ ନବକୃଷ୍ଣ ଚୌଧୁରୀଙ୍କୁ ବିବାହକରିବା ପରେ ମାଳତୀ ଚୈାଧୁରୀ ହୋଇଥିଲେ । ୧୯୦୪ ମସିହାରେ ଜନ୍ମ ଗ୍ରହଣ କରି ୧୯୯୮, ମାର୍ଚ୍ଚ ୧୫ରେ ମୃତ୍ୟୁବରଣ କରିଥିଲେ । “ସେ ନିର୍ଭୀକ ଥିଲେ, ସ୍ୱାଧୀନଚେତା ଥିଲେ, ସ୍ପଷ୍ଟବାଦୀ ଥିଲେ କୁସଂସ୍କାର ବିରୋଧୀ ଥିଲେ-ଏହା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସ୍ୱୀକାର କରନ୍ତି । ତାଙ୍କ ବ୍ୟକ୍ତିତ୍ୱର ଏହି ଦିଗ ଗୁଡିକ ହିଁ ତତ୍କାଳୀନ ଯୁବ ସମ୍ପ୍ରଦାୟକୁ ଆକୃଷ୍ଟ କରିଥିଲା । ସବୁଠାରୁ ବଡ ଆକର୍ଷଣୀୟ ଦିଗ ଥିଲା ତାଙ୍କର ଆଗକୁ ମାଡିଯିବାର ସାହସ । ଏହାହିଁ ଆକୃଷ୍ଟ କରିଥିଲା ମହମ୍ମଦ ବାଜୀ , ବିଶ୍ୱନାଥ ପଟ୍ଟନାୟକଙ୍କ ଭଳି ସେ ସମୟର ଯୁବକଙ୍କୁ, ଯେଉଁମାନେ ଆଜୀବନ ମାଳତୀ ଚୈାଧୁରୀ ଓ ନବକୃଷ୍ଣ ଚୈାଧୁରୀଙ୍କର ଅନୁଗାମୀ ହୋଇ ରହିଲେ ।” ଏହିଭଳି ଭାବରେ ମାଳତୀ ଚୌଧୁରୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଉକ୍ତ ଲେଖାଟିରେ ଆଲୋଚନା କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ।– ସମ୍ପାଦକ[/box]

Support Samadhwani

୨୬ ଜୁଲାଇ ୨୦୨୧ ଦିନ ମାଳତୀ ଚୈାଧୁରୀଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅନେକ ଅନୁଷ୍ଠାନ ପାଳନ କରିଥିବେ । ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନର ଓଡିଶା ଶାଖା ମଧ୍ୟ ଏକ ଅନଲାଇନ ଆଲୋଚନା ସଭାର ଆୟୋଜନ କରିଥିଲେ । ଏହି ଲେଖକ ସେହି ଆଲୋଚନା ସଭାରେ ଅଂଶ ଗ୍ରହଣ କରିଥିଲା । ଏ ଲେଖକ ଶ୍ରୀଯୁକ୍ତ ନବକୃଷ୍ଣ ଚୈାଧୁରୀଙ୍କ ଉପରେ କିଛି ଅଧ୍ୟୟନ କରିଛି ଓ କରୁଛି । କିନ୍ତୁ ଏ ଲେଖକକୁ ମନେ ହେଉଥିଲା ଯେ ନବକୃଷ୍ଣଙ୍କ ଉପରେ ଅଧ୍ୟୟନ ସମ୍ପୂର୍ଣ୍ଣ ହୋଇ ପାରେ ନା ଯଦି ମାଳତୀ ଦେବୀଙ୍କ ସମ୍ପର୍କରେ ଅଧ୍ୟୟନ କରା ନ ଯାଏ । ଉପରୋକ୍ତ ଅନଲାଇନ ଆଲୋଚନାରେ ଏ ଲେଖକ ଯୋଗ ଦେବା ପାଇଁ ଯେତେବେଳେ ନିମନ୍ତ୍ରଣ ପାଇଲା ସେ ମାଳତୀ ଦେବୀଙ୍କ ଉପରେ ବିଶେଷ ଆଗ୍ରହର ସହ ପଢା ପଢି ଆରମ୍ଭ କରିଲା । ଏହି ଅଧ୍ୟୟନରୁ ଯେଉଁ ସୂଚନା ସଂଗ୍ରହ ହୋଇଥିଲା ତାହାକୁ ଉପରୋକ୍ତ ଅନଲାଇନ ସଭାରେ ଯୋଗ ହୋଇଥିବା ଶ୍ରୋତାଙ୍କୁ ଜଣାଇବାର ଉଦ୍ୟମ କରାଯାଇଥିଲା । ସେହି ସୂଚନାଗୁଡିକୁ ଏହି ନିବନ୍ଧରେ ଉପସ୍ଥାପିତ କରାଯାଉଛି, ଓ ଏହାର ସନ୍ଦର୍ଭ ଗୁଡିକୁ ବିସ୍ତାରିତ କରି । ଏ ଲେଖକ ଥରେ ମାତ୍ର ମାଳତୀ ଦେବୀଙ୍କୁ ସଶରୀରରେ ଦେଖିଛି, ଯେଉଁ ଦିନ ପ୍ରଥମ ଓ ଶେଷ ଥର ପାଇଁ ନବକୃଷ୍ଣ ଚୈାଧୁରୀଙ୍କୁ ସଶରୀରରେ ଦେଖିଥିଲା, ୫ ମାର୍ଚ୍ଚ ୧୯୭୮ ଦିନ । ତେଣୁ ଏହି ନିବନ୍ଧଟି ମାଳତୀ ଦେବୀଙ୍କର ନିଜସ୍ୱ କେତୋଟି ଲେଖା, ସାକ୍ଷାତକାର ଓ ତାଙ୍କ ସମ୍ପର୍କରେ ସହଯୋଗୀ ମାନଙ୍କର ଲିଖିତ ଅଭିଜ୍ଞତାର ଆଧାର ଉପରେ ହିଁ ପ୍ରସ୍ତୁତ କରାଯାଇଛି ।

ବଂଗ ଭାଷୀ ମାଳତୀ ଦେବୀ ତାଙ୍କର ଜୀବନର ସମୁଦାୟ ୯୪ ବର୍ଷ ସମୟ କାଳରୁ ସାତ ଦଶନ୍ଧି ଓଡିଶାର ମାଟି ପାଣି ପବନରେ ଗୋଳେଇ ଘାଣ୍ଟି ହୋଇ ଏହାର ଅବହେଳିତ, ଶୋଷିତ, ଉତ୍ପିଡୀତ ଅଧିବାସୀ ଓ ଆଦିବାସୀଙ୍କ ମୁକ୍ତି ପାଇଁ କରିଥିବା ବେସାଲିସ ସଂଘର୍ଷ ସମ୍ପର୍କରେ ପ୍ରତ୍ୟେକ ମାନବତାବାଦୀ ସମ୍ବେଦନଶୀଳ ବ୍ୟକ୍ତି ଜାଣିବା ଉଚିତ , ଆଗାମୀ ପିଢିର ଯୁବକ-ଯୁବତୀ ମଧ୍ୟ ଜାଣିବା ଉଚିତ । ସେ ନିର୍ଭୀକ ଥିଲେ, ସ୍ୱାଧୀନଚେତା ଥିଲେ, ସ୍ପଷ୍ଟବାଦୀ ଥିଲେ କୁସଂସ୍କାର ବିରୋଧୀ ଥିଲେ-ଏହା ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତେ ସ୍ୱୀକାର କରନ୍ତି । ତାଙ୍କ ବ୍ୟକ୍ତିତ୍ୱର ଏହି ଦିଗ ଗୁଡିକ ହିଁ ତତ୍କାଳୀନ ଯୁବ ସମ୍ପ୍ରଦାୟକୁ ଆକୃଷ୍ଟ କରିଥିଲା । ସବୁଠାରୁ ବଡ ଆକର୍ଷଣୀୟ ଦିଗ ଥିଲା ତାଙ୍କର ଆଗକୁ ମାଡିଯିବାର ସାହସ । ଏହାହିଁ ଆକୃଷ୍ଟ କରିଥିଲା ମହମ୍ମଦ ବାଜୀ , ବିଶ୍ୱନାଥ ପଟ୍ଟନାୟକଙ୍କ ଭଳି ସେ ସମୟର ଯୁବକଙ୍କୁ, ଯେଉଁମାନେ ଆଜୀବନ ମାଳତୀ ଚୈାଧୁରୀ ଓ ନବକୃଷ୍ଣ ଚୈାଧୁରୀଙ୍କର ଅନୁଗାମୀ ହୋଇ ରହିଲେ ।

ବହୁତ ଘଟଣା ବହୁଳ ଥିଲା ମାଳତୀ ଦେବୀଙ୍କର ଜୀବନ । ଏହି ଘଟଣା ଗୁଡିକ ଭିତରେ ହିଁ ତାଙ୍କର ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ପ୍ରକଟିତ ହେଉଥିଲା । ଏହାକୁ ବୁଝିବାର ଆବଶ୍ୟକତା ଅନୁଭବ କରି ଯେଉଁ ଅଧ୍ୟୟନ କରିଛି ଓ ମୁଁ ଯେପରି ତାଙ୍କ ବ୍ୟକ୍ତିତ୍ୱକୁ ବୁଝି ପାରିଛି ତାହା ହିଁ ଏହି ନିବନ୍ଧରେ ଲିପିବଦ୍ଧ କରାଯାଇଛି ।

Support Samadhwani

ପ୍ରାଦେଶିକତା ଉର୍ଦ୍ଧ୍ୱରେ ମାଳତୀ ଦେବୀ

ମାଳତୀ ଚୈାଧୁରୀ ବିବାହ ପୂର୍ବରୁ ମାଳତୀ ସେନ ନାଁରେ ପରିଚିତ ଥିଲେ । ବିବାହ ପୂର୍ବରୁ ତାଙ୍କୁ ମିନୁ ବୋଲି ସ୍ନେହରେ ସମ୍ବୋଧନ କରାଯାଉଥିଲା, ବିବାହ ପରେ ତାଙ୍କ ଶ୍ରଦ୍ଧା ନାଁ ହେଲା ନୁମା । ସେ ବଂଗୀୟ ଥିଲେ । ଓଡିଆ ଯୁବକ ନବକୃଷ୍ଣ ଚୈାଧୁରୀଙ୍କୁ ୧୯୨୭ ମସିହାରେ ବିବାହ କରିବା ପରେ ତାଙ୍କର ସାଂଗିଆ ହେଲା ଚୈାଧୁରୀ । ଏହି ଓଡିଶା ମାଟିରେ ସେ ରହିଲେ ସାତ ଦଶନ୍ଧି, ୧୯୯୮, ମାର୍ଚ୍ଚ ୧୫ରେ ମୃତ୍ୟୁ ପର୍ଯ୍ୟନ୍ତ । ତଥାପି ସେ ଯେ ବଂଗାଳୀ ଏହା ଓଡିଶାର ଅନେକ ଲୋକ କହୁଥିଲେ । ମାଳତୀ ଦେବୀ କ୍ଷୋଭର ସହିତ କହୁଥିଲେ, “ଓଡିଶାରେ ଅନେକ ଲୋକ ଅଛନ୍ତି ଯେ ନୁମା ବଂଗାଳୀ ବୋଲି ଭାବନ୍ତି ।”ଏହା ଥିଲା ମାଳତୀ ଦେବୀଙ୍କର ପ୍ରତିକ୍ରିୟା ଯେତେବେଳେ ଜଣେ କହିଲେ, “ନୁମା ତ ଓଡିଶାରେ ଏତେ କାମ କଲେ, ମାତ୍ର କାହିଁ ତାଙ୍କୁ ତ ସ୍ୱୀକୃତି ସୂଚକ ପତ୍ରଟିଏ ମଧ୍ୟ ମିଳିଲା ନାହିଁ ।”(ଏକ ବିରାଟ ବ୍ୟତିକ୍ରମ, ଜୟକୃଷ୍ଣ ମହାନ୍ତି, ନୁମା-ଏକ ସଙ୍କଳନ, ପୃ ୧୨୬) କିନ୍ତୁ ମାଳତୀ ଦେବୀ ତାଙ୍କ ଦାମ୍ପତ୍ୟ ଜୀବନରେ ଏହାକୁ କିପରି ଦେଖୁଥିଲେ ?

ସେ କହୁଥିଲେ, “ଦୀର୍ଘକାଳର ଏକତ୍ର ବସବାସରେ ଏହି ଅବିସମ୍ବାଦିତ ସତ୍ୟ (ସେ ଉତ୍କଳୀୟ ଓ ମୁଁ ବଂଗୀୟ) ଆମ ଦୁହିଁଙ୍କ ମନରେ ତିଳେମାତ୍ର ରେଖାପାତ କରି ନାହିଁ କେବେହେଲେ । ପରସ୍ପରକୁ ଏକ ଏବଂ ସମାନ ପଥର ପଥିକ ବୋଲି ଭାବି ବାଟ ଚାଲିଛୁ । ପ୍ରାଦେଶିକତାର କ୍ଷୁଦ୍ର ଗଣ୍ଡି ଭିତରେ ଆମେ କେବେ କାତର ହୋଇ ପଡିନାହୁଁ ।”(ସେବା ମାର୍ଗର ପଥିକ, ନୁମା -ଏକ ସଙ୍କଳନ, ପୃ୧୪୨) ପ୍ରାଦେଶିକତାର କୈାଣସି ପ୍ରକାର ଗନ୍ଧକୁ ସେ ବରଦାସ୍ତ କରିପାରୁ ନ ଥିଲେ ।

୧୯୮୪ ଏପ୍ରିଲ ମାସରେ ଓଡିଶାରେ ବାସ କରୁଥିବା ଏକ ପଡୋଶୀ ରାଜ୍ୟର ପ୍ରବାସୀ ସଂସ୍ଥା ତାଙ୍କର ଏକ ଉତ୍ସବକୁ ମାଳତୀ ଦେବୀଙ୍କୁ ନିମନ୍ତ୍ରଣ ପଠାଇଥିଲେ-ତାଙ୍କୁ ସେଠି ସମ୍ମାନିତ କରିବା ଉଦ୍ଦେଶ୍ୟରେ । ନିମନ୍ତ୍ରଣ ପତ୍ରରେ ସେ ପ୍ରାଦେଶିକତାର ଗନ୍ଧ ବାରି ଥିଲେ ଓ ଉତ୍ତରରେ ଲେଖିଥିଲେ- “ଆପଣମାନେ ମୋତେ ଦୟାକରି ଏହି ଅନୁଷ୍ଠାନରେ ଉପସ୍ଥିତ ରହିବା ପାଇଁ ଆଶା କରିବେ ନାହିଁ । ମୁଁ ସମ୍ମାନ ଗ୍ରହଣ କରିବାକୁ ଉଚିତ ବୋଧ କରେ ନାହିଁ ।

ବିଶେଷ କରି ଯଦି ଓଡିଶାର ଜନତା ପାଇଁ କିଛି କରିଥାଏ ଓଡିଶା ଜନତା ତାର ବିଚାର କରିବେ । ଶିକ୍ଷିତ ସହରବାସୀଙ୍କ ପାଇଁ ମୁଁ କେଭେ କିଛି କରି ନାହିଁ । ବରଂ ତୀବ୍ର ସମାଲୋଚନା ହିଁ ମୋର କଥାବାର୍ତ୍ତା ଏବଂ ଆଚରଣରେ ଦେଖାଇ ଆସିଛି । ଅଧିକନ୍ତୁ ଓଡିଶାରେ ଛାତିରେ ବସି ପରିଷଦ ଗଢିବା ମୁଁ କାହିଁକି ପସନ୍ଦ କରିପାରେ ନାହିଁ । ଏ ଯୁଗରେ ପ୍ରାଦେଶିକତାର ଗନ୍ଧ ଯେଉଁଠାରେ ତିଳେ ମାତ୍ର ଥିବ ତାକୁ ମୁଁ ଏଡେଇ ଚଳିବାଟା ଉଚିତ ମନେକରେ….. ””(ଜନ ଜାଗରଣରେ ମାଳତୀ ଦେବୀଙ୍କ ଭୂମିକା, ନୁମା-ଏକ ସଙ୍କଳନ, ପୃ ୩୨ )

…କ୍ରମଶଃ

Photo credit -https://bit.ly/3pTnef0

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ