ଜଗନ୍ନାଥ ତତ୍ତ୍ୱର ମୂଳକଥା – ୪

8 Min Read

[box type=”shadow” align=”” class=”” width=””]ଐତିହାସିକ ପ୍ରଫେସର କୈଳାସ ଚନ୍ଦ୍ର ଦାଶ ଉକ୍ତ ଲେଖାରେ ଗାଲ ମାଧବଙ୍କ ବିଷୟ ଉଲ୍ଲେଖ କରିଛନ୍ତି । ପୁରୁଷୋତ୍ତମ କ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହ ଉପାସନାର ରାଜନୈତିକ ତଥା ଧାର୍ମିକ ଉଦ୍ଦେଶ୍ୟ ଜଡ଼ିତ ବୋଲି ମଧ୍ୟ ଏଠାରେ ଲେଖକ ପ୍ରକାଶ କରିଛନ୍ତି । ଲେଖକଙ୍କ ମତରେ, “ସାରଳା ମହାଭାରତ, ସ୍କନ୍ଦ ପୁରାଣର ପୁରୁଷୋତ୍ତମ ଖଣ୍ଡ, ନୀଳାଦ୍ରୀ ମହୋଦୟ ଏବଂ ଦେଉଳ ତୋଳା ପରି ଗ୍ରନ୍ଥମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ରରେ ମାଧବ ଉପାସନା କରିଥିବା ରାଜା ଗାଲ/ଗାଲମାଧବ ସମ୍ପର୍କରେ ବର୍ଣ୍ଣନା ରହିଛି । ତେବେ ମାଧବ ଉପାସନା ପୁରୁଷୋତ୍ତମ କ୍ଷେତ୍ରରେ ସଫଳ ନହେବାରୁ ରାଜା ମାଧବଙ୍କୁ ଗାଲମାଧବ  ବୋଲି କୁହାଯାଇଥିଲା ।” ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଏହି ଲେଖାଟି ଐତିହାସିକ ଦୃଷ୍ଟିକୋଣରୁ ଅନେକ ତଥ୍ୟ ପ୍ରଦାନ କରୁଛି ।    -ସମ୍ପାଦକ[/box]

କେତେକ ଐତିହାସିକ ଏହି ବୃହତ୍ ପୁରୁଷୋତ୍ତମ-ଜଗନ୍ନାଥ ମନ୍ଦିର ନିର୍ମାଣ  ଚୋଡଗଙ୍ଗଦେବ ପୂର୍ବରୁ ଆରମ୍ଭ ହୋଇଥିବାର କଥା ସୂଚନା ଦେଇ ଏହାର ପୂର୍ଣ୍ଣାଙ୍ଗ ରୂପ ଚୋଡଗଙ୍ଗ ଦେବଙ୍କ ରାଜତ୍ୱରେ ସମ୍ଭବ ହୋଇଥିବା ପ୍ରସଂଗକୁ ଗ୍ରହଣ କରନ୍ତି । ସେମାନେ ପ୍ରକୃତରେ ଗଙ୍ଗବଂଶୀ ତାମ୍ରଫଳକ ବର୍ଣ୍ଣିତ ଶ୍ଳୋକକୁ ଏପରି ଅର୍ଥରେ ନେଇଛନ୍ତି । ଏଥିରେ ଥିବା ଉପେକ୍ଷିତ ଶବ୍ଦକୁ ଐତିହାସିକ ମନମୋହନ ଚକ୍ରବର୍ତ୍ତୀ ଏବଂ ନଗେନ୍ଦ୍ରନାଥ ବସୁ ଯେପରି ଅର୍ଥରେ ଗ୍ରହଣ କରିଥିଲେ ତାହା ଜଣାଇଦିଏ ଯେ ଗଙ୍ଗ ରାଜା ଚୋଡଗଙ୍ଗ ପୂର୍ବରୁ ମନ୍ଦିରର ପୂର୍ଣ୍ଣାଙ୍ଗ ରୂପ ପ୍ରକାଶ ପାଇନଥିଲା, ତେଣୁ ଆଂଶିକ ନିର୍ମାଣ ହୋଇଥିଲା । କିନ୍ତୁ ଚୋଡଗଙ୍ଗ ତାହାକୁ ପୂର୍ଣାଙ୍ଗ କଲେ।

(Chakravarti, M.M.,’Two Copper plate  Inscriptions of the King Narasimha IV of Orissa’, Journal of Asiatic Society of Bengal, Vol.64, 1895, p.135; Vol.67, 1898, p.328: Vasu, N.N., ‘Copper Plate Inscriptions of Narasimha II’, Journal of Asiatic Society of Bengal, Vol.65, 1896, p.261) ଏପରିକି ପରବର୍ତ୍ତୀ କାଳରେ କେତେକ ଐତିହାସିକ ଏହି ଉପେକ୍ଷିତ ଶବ୍ଦକୁ ଅବହେଳା ଅର୍ଥରେ ଗ୍ରହଣ କରି ଭିନ୍ନ ବିବରଣୀ ଦେଇଛନ୍ତି ।

କିନ୍ତୁ ଗଙ୍ଗବଂଶୀ ତାମ୍ରଫଳକମାନଙ୍କରେ ଏହି ଚୋଡଗଙ୍ଗ ପୂର୍ବ ଉକ୍ରଳ ରାଜାମାନଙ୍କର ଉପେକ୍ଷିତ ପ୍ରସଂଗକୁ କେବଳ ଐତିହାସିକ ହେନେରୀ ଷ୍ଟିଟେନ୍କ୍ରୋନ୍ ଉଚିତ ଅର୍ଥରେ ଗ୍ରହଣ କରିଛନ୍ତି । (Stietencron, H.v., ‘The Date of the Jagannath Temple:Literary Sources Reconsidered’, Sidelights on History and Culture of Orissa, ed. M.N.Das, Vidyapuri, Cuttack, p.518-519.)  ତେବେ ଷ୍ଟିଟେନକ୍ରୋନ୍ ଏହି ଶ୍ଳୋକର ଅର୍ଥକୁ  ମଧ୍ୟ ଭିନ୍ନ ଭାବରେ ଗ୍ରହଣ କରିଛନ୍ତି । ତାଙ୍କ ମତରେ ଚୋଡଗଙ୍ଗ ଏହି ମହା ମନ୍ଦିରର ନିର୍ମାଣ ଆରମ୍ଭ କଲେ; କିନ୍ତୁ ଏହାର ପୂର୍ଣ୍ଣାଙ୍ଗ ରୂପ ତାଙ୍କ ବଂଶଧର ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ପ୍ରକାଶିତ ହେଲା । ଏପରି ସିଦ୍ଧାନ୍ତ ପାଇଁ ସେ ଇନ୍ଦ୍ରଦ୍ୟୁମ୍ନ ଜନଶ୍ରୁତି ତଥା ମାଦଳାପାଞ୍ଜି ବିବରଣୀକୁ ମଧ୍ୟ ବିଚାରକୁ ନେଇଛନ୍ତି । କିନ୍ତୁ ଚୋଡଗଙ୍ଗ ଦେବଙ୍କ ପ୍ରସଂଗ ଆଲୋଚନାରେ ଏହି ମନ୍ଦିର ସେ ନିର୍ମାଣ କରିଥିବାର ସୂଚନା ଥିବାରୁ ଏହା ତାଙ୍କ ବଂଶଧରମାନେ ପୂର୍ଣ୍ଣାଙ୍ଗ କରିଥିବାର ସିଦ୍ଧାନ୍ତ ନେବା ଅନୁଚିତ । ସେ ଦୃଷ୍ଟିରୁ ଇନ୍ଦ୍ରଦ୍ୟୁମ୍ନ ଜନଶ୍ରୁତିର ବିଚାର ଆବଶ୍ୟକ ।

ଏହାକୁ ଗୁରୁତ୍ୱ ଦେବା ପୂର୍ବରୁ ଏପରି ଜନଶ୍ରୁତିର ସଂରଚନା ପ୍ରତି ଦୃଷ୍ଟିଦେବା ଆବଶ୍ୟକ । ପ୍ରସଂଗ ଅନୁରୋଧରେ ଏଠାରେ ସୂଚନା ଦେବା ଉଚିତ ଯେ ଏହି ମହାମନ୍ଦିର ଏକ ପଞ୍ଚାଙ୍ଗ ବାଡ଼ ତଥା ପଞ୍ଚରଥୀ ନମୁନାର ସମ୍ପ୍ରସାରିତ ରୂପ; କିନ୍ତୁ ଚୋଡଗଙ୍ଗ ରାଜତ୍ୱ ପରେ ସପ୍ତରଥୀ ମନ୍ଦିର ନମୁନାକୁ ଗ୍ରହଣ କରାଯାଇଛି ଯାହାର ଉଦାହରଣ ଭୁବନେଶ୍ୱରର ମେଘେଶ୍ୱର ମନ୍ଦିର । ସେପରି ସ୍ଥଳେ ଜଗନ୍ନାଥ ମନ୍ଦିର ପଞ୍ଚରଥୀ ହୋଇଥିବାରୁ ଏହାର ନିର୍ମାଣ ଚୋଡ଼ଗଙ୍ଗ ରାଜତ୍ୱ କାଳରେ ଅନ୍ତତଃ ମନ୍ଦିରର ବାଡ଼ ଏବଂ ଗଣ୍ଡୀ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାର ପ୍ରସଂଗକୁ ବର୍ତ୍ତମାନ ଜ୍ଞାନ ଦୃଷ୍ଟିରୁ ଗ୍ରହଣ କରାଯାଇପାରେ ।

                ଚୋଡ଼ଗଙ୍ଗ ନିର୍ମିତ ଏହି ବୃହତ୍ ମନ୍ଦିରରେ ପୁରୁଷୋତ୍ତମ ପୂଜାର ବ୍ୟବସ୍ଥା କରାଯାଇଥିଲା । ଗଙ୍ଗବଂଶୀ ତାମ୍ରଫଳକ ସୂଚିତ ଶ୍ଳୋକରୁ ଏକଥା ଅବଶ୍ୟ ସ୍ପଷ୍ଟ । ଏପରି କି ଜଗନା୍ନଥ ମନ୍ଦିର ବେଢ଼ାରେ ଥିବା ନୃସିଂହ ମନ୍ଦିର ଦ୍ୱାର ଦେଶରେ ଉକ୍ରୀର୍ଣ୍ଣ ଦାନ ବ୍ୟବସ୍ଥା ତଥା ମାର୍କଣ୍ଡେଶ୍ୱର ମନ୍ଦିରର ଶିଳାଲିପିରୁ ଏହା ପ୍ରମାଣିତ ହୁଏ ଯେ ମନ୍ଦିର ମୁଖ୍ୟ ଦେବତା ଥିଲେ ଶ୍ରୀପୁରୁଷୋତ୍ତମ । ଐତିହାସିକ ଗୟାଚରଣ ତ୍ରିପାଠୀ ଏହି ପୁରୁଷୋତ୍ତମ ଶବ୍ଦକୁ ଆଲୋଚନା କରି ସିଦ୍ଧାନ୍ତ ନେଇଥିଲେ ଯେ ପୁରୁଷୋତ୍ତମ ବିଷ୍ଣୁଙ୍କର କାମରୂପ ଅର୍ଥାତ୍ ଏଥିରେ କମଳା ଅନ୍ତର୍ଗତ ।

ପୁରୁଷୋତ୍ତମ ଶ୍ରୀକର ବା ଶ୍ରୀଧର ରୂପ ଏଥିରେ ପ୍ରକାଶିତ । (Tripathy, G.C., ‘On the Concept of Purusottama in the Agamas’, The Cult of Jagannath and the Regional Tradition of Orissa, 1978, Manohar, Delhi, 1978/2014, p.81-112.) ଏହି ପୁରୁଷୋତ୍ତମ ଉପାସନା ଅନ୍ତତଃ ଗଙ୍ଗ ରାଜା ଅନଙ୍ଗଭୀମ ତୃତୀୟ(୧୨୧୧-୧୨୩୮)ଙ୍କ ରାଜତ୍ୱ ଆରମ୍ଭ ପର୍ଯ୍ୟନ୍ତ ରହିଥିଲା ।

କିନ୍ତୁ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟମାନଙ୍କରେ ଥିବା ନୀଳମାଧବ ଏବଂ ଗାଲମାଧବ ପ୍ରସଂଗରୁ ମନେହୁଏ ଯେ ଚୋଡ଼ଗଙ୍ଗ ରାଜତ୍ୱ ପରେ ଅର୍ଥାତ୍ ତାଙ୍କ ପୁତ୍ରମାନଙ୍କର ରାଜତ୍ୱ କାଳ ମଧ୍ୟରେ ଏହି ମନ୍ଦିରରେ ମୁଖ୍ୟ ଦେବତା ଉପାସନା ନେଇ ବିତର୍କ ବା ବିବାଦ ଚାଲିଥିଲା । ଗୋଟିଏ ଦଳ ଏହି ମନ୍ଦିରରେ ପୂର୍ବରୁ ପୂଜିତ ପାଷାଣ ବିଗ୍ରହ ପୁରୁଷୋତ୍ତମ ସ୍ଥାନରେ ମାଧବ ନାମକ ବିଷ୍ଣୁ ଶିଳାବିଗ୍ରହ ପୂଜା ପ୍ରବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ । ପ୍ରାଚୀ ଅଞ୍ଚଳ ତଥା ଓଡିଶାର ଅନ୍ୟ ଧର୍ମକ୍ଷେତ୍ରମାନଙ୍କରେ ମାଧବ ତତ୍ତ୍ୱର ସମ୍ପ୍ରସାରଣ ପାଇଁ ଉଦ୍ୟମ କରାଯାଇଥିବାର ସମ୍ଭାବନା ରହିଛି । ପୁରୁଷୋତ୍ତମ କ୍ଷେତ୍ରରେ ପୂଜିତ ବିଗ୍ରହ ପରିବର୍ତ୍ତେ ମାଧବଙ୍କୁ ମୁଖ୍ୟ ଉପାସ୍ୟ ଦେବତା ରୂପେ ପ୍ରତିଷ୍ଠା କରିବା ପାଇଁ ସେତେବେଳେ ଏକ ଉଦ୍ୟମ ହୋଇଥିଲା । ଏପରି ଉଦ୍ୟମ ପୁରୁଷୋତ୍ତମ କ୍ଷେତ୍ର ପାଖାପାଖି ପ୍ରାଚୀ ଅଞ୍ଚଳରୁ  ଆରମ୍ଭ ହୋଇଥିଲା ।

ଦ୍ୱାଦଶ ଶତାବ୍ଦୀରେ ପ୍ରାଚୀ ଅଞ୍ଚଳ ରାଜା ମାଧବଙ୍କ ରାଜତ୍ୱ କାଳରେ ମାଧବଙ୍କୁ ଏହି ପୁରୁଷୋତ୍ତମ କ୍ଷେତ୍ରରେ ମୁଖ୍ୟ ଦେବତା ରୂପେ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲେ । ସାରଳା ମହାଭାରତ, ସ୍କନ୍ଦ ପୁରାଣର ପୁରୁଷୋତ୍ତମ ଖଣ୍ଡ, ନୀଳାଦ୍ରୀ ମହୋଦୟ ଏବଂ ଦେଉଳ ତୋଳା ପରି ଗ୍ରନ୍ଥମାନଙ୍କରେ ପୁରୁଷୋତ୍ତମ କ୍ଷେତ୍ରରେ ମାଧମ ଉପାସନା କରିଥିବା ରାଜା ଗାଲ/ଗାଲମାଧବ ସମ୍ପର୍କରେ ବର୍ଣ୍ଣନା ରହିଛି ।

(ଦାଶ କୈଳାସ ଚନ୍ଦ୍ର, ଆଞ୍ଚଳିକ ଜନଶ୍ରୁତି ଓ ଇତିହାସ, ୨୦୦୦, ଭୁବନେଶ୍ୱର, ପୃ-୧୯-୩୪) ସାରଳା ମହାଭାରତର ମୂଷଳୀ ପର୍ବକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସାହିତ୍ୟିକ ଉପାଦାନରେ ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମ କ୍ଷେତ୍ରରେ ବୃହତ୍ ମନ୍ଦିର ନିର୍ମାଣ କରାଇବା କାଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୁରୋଧା ହିସାବରେ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକକୁ ଯାତ୍ରା କରିଥିଲେ ବୋଲି ବର୍ଣ୍ଣନା ରହିଛି । ଏହି ଅବସରରେ ଅର୍ଥାତ୍ ପୁରୁଷୋତ୍ତମ କ୍ଷେତ୍ରରେ ଇନ୍ଦ୍ରଦ୍ୟୁମ୍ନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ରାଜା ଗାଲ/ଗାଲମାଧବ ମାଧବ ଉପାସନା ଏଠାରେ ପ୍ରବର୍ତ୍ତନ କଲେ ।

ବ୍ରହ୍ମ ଲୋକରୁ ବ୍ରହ୍ମାଙ୍କ ସହିତ ଇନ୍ଦ୍ରଦ୍ୟୁମ୍ନଙ୍କର ପ୍ରତ୍ୟାବର୍ତ୍ତନ ପରେ ଗାଲ/ଗାଲମାଧବ କ୍ରୋଧାନ୍ୱିତ ହେଲେ; କାରଣ ମନ୍ଦିରଟି ଏହି କାଳରେ ତାଙ୍କର ପ୍ରତ୍ୟକ୍ଷ ଅଧୀନକୁ ଆସିଯାଇଥିଲା । କିନ୍ତୁ ସେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନଙ୍କର ପୁରୁଷୋତ୍ତମ କ୍ଷେତ୍ରରେ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଲକ୍ଷ୍ୟ କଲେ ସେ ସେହି ପରିସ୍ଥିତିକୁ ଗ୍ରହଣ କରିନେଲେ । ସ୍କନ୍ଦ ପୁରାଣର ପୁରୁଷୋତ୍ତମ ଖଣ୍ଡ ଏବଂ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଗାଲମାଧବ-ଇନ୍ଦ୍ରଦ୍ୟୁମ୍ନ ବିବାଦ ଏବଂ ସୁସମ୍ପର୍କର ବିବରଣୀ ସ୍ଥାନ ପାଇଛି । ସାରଳା ଦାସ ଇନ୍ଦ୍ରଦ୍ୟୁମ୍ନ ଗାଲମାଧବଙ୍କ ମଧ୍ୟରେ ବିବାଦର ପ୍ରସଂଗ ସମ୍ପର୍କରେ ନୀରବ; ଯଦିବା ଏହି କ୍ଷେତ୍ରରେ  ମାଧବ ଉପାସନା  ପ୍ରବର୍ତ୍ତନ ଉଦ୍ୟମ ସମ୍ପର୍କରେ ସଚେତନ ।

ପୁରୁଷୋତ୍ତମ କ୍ଷେତ୍ରରେ ଗାଲ/ଗାଲମାଧବଙ୍କ ଦ୍ୱାରା ମାଧବ ଉପାସନା ପାଇଁ ହୋଇଥିବା ଉଦ୍ୟମର ଐତିହାସିକ ସତ୍ୟତା ରହିଛି । ପୁରାଣ/ଜନଶ୍ରୁତି ପ୍ରସିଦ୍ଧ ଏହି ଗାଲମାଧବଙ୍କୁ ଶୋଭନେଶ୍ୱର ମନ୍ଦିରର ଶିଳାଲିପିରେ ଲିଖିତ ରାଜା ବୈଦ୍ୟନାଥଙ୍କର ପିତା ମାଧବଙ୍କ ସହିତ ଚିହ୍ନିତ କରାଯାଇପାରେ । ଏହି ଶିଳାଲିପିରେ ବର୍ଣ୍ଣିତ ହୋଇଛି ଯେ ବୈଦ୍ୟନାଥ (ମାଧବଙ୍କର ପୁତ୍ର) ଭୁଜଙ୍ଗମପୁରୀ ନାମକ ରାଜଧାନୀରେ ଶାସନ କରୁଥିଲେ । ଏହି ଭୁଜଙ୍ଗମପୁରୀକୁ କୁଶଭଦ୍ରା ନଦୀକୂଳର କକୋଦରପୁର ସହିତ ଚିହ୍ନିତ କରାଯାଇଛି । ରାଜା ମାଧବଙ୍କୁ ପ୍ରାଚୀ ସମିତି ସଂକଳିତ ମାଦଳା ପାଞ୍ଜିର ମାଧବକେଶରୀ ସହିତ ଚିହ୍ନିତ କରାଯାଇପାରେ । ଷ୍ଟାର୍ଲିଂ, ହଣ୍ଟର୍, ଜଗବନ୍ଧୁ ସିଂହ ପ୍ରଭୃତି ଐତିହାସିକମାନେ, କଟକ ରାଜବଂଶାବଳୀ ଏବଂ ଓଡ୍ରଦେଶ ରାଜବଂଶାବଳୀର ଲେଖକମାନେ ମଧ୍ୟ ମାଧବକେଶରୀ ନାମ ଉଲ୍ଲେଖ କରିଛନ୍ତି । ଏହି ସମସ୍ତ ଉପାଦାନର ତଥ୍ୟକୁ ଗ୍ରହଣ କଲେ ମନେହୁଏ ଯେ ରାଜା ମାଧବଙ୍କର ପ୍ରାଚୀ-କୁଶଭଦ୍ରା ଅଞ୍ଚଳ, ସାରଙ୍ଗଗଡଠାରୁ ପୁରୁଷୋତ୍ତମ କ୍ଷେତ୍ର ମଧ୍ୟସ୍ଥ ଅଞ୍ଚଳ ଉପରେ ପ୍ରତ୍ୟକ୍ଷ କତ୍ତୃତ୍ୱ ଥିଲା । ପୁରୁଷୋତ୍ତମ କ୍ଷେତ୍ରରେ ରାଜା ମାଧବ ମାଧବ ଉପାସନା କରାଇଥିବାର କ୍ଷୀଣ ସୂଚନା ମଧ୍ୟ କେତେକ ଉପାଦାନରେ ସ୍ଥାନ ପାଇଛି । ତେବେ ମାଧବ ଉପାସନା ପୁରୁଷୋତ୍ତମ କ୍ଷେତ୍ରରେ ସଫଳ ନହେବାରୁ ରାଜା ମାଧବଙ୍କୁ ଗାଲମାଧବ ବୋଲି କୁହାଯାଇଥିଲା ।

ଅନ୍ୟପକ୍ଷରେ ରାଜା ମାଧବ ମାଧବ ଉପାସନା ପ୍ରବର୍ତ୍ତନ କରାଇଥିବା ଯୋଗୁଁ ତାଙ୍କୁ ମିଥ୍ୟା ମାଧବ(ଗାଲମାଧବ) ଏବଂ ଦେବତାଙ୍କୁ ନୀଳମାଧବ ବୋଲି ମଧ୍ୟ ଜନଶ୍ରୁତି ପ୍ରସାରିତ ହୋଇପାରିଥିଲା । ଗଂଗବଂଶୀ ତାମ୍ରଲେଖମାନଙ୍କର ବିବରଣୀକୁ ଗ୍ରହଣ କଲେ ଏହା ସ୍ପଷ୍ଟ ହେବ ଯେ ଚୋଡ଼ଗଙ୍ଗ ନିର୍ମିତ ମହାମନ୍ଦିରରେ ପ୍ରଥମେ ଶ୍ରୀପୁରୁଷୋତ୍ତମ ପୂଜିତ ହେଲେ । କିନ୍ତୁ ଏହି ପୂଜା ପଦ୍ଧତି ମଧ୍ୟ କ୍ଷଣସ୍ଥାୟୀ ହେଲାନାହିଁ । କାରଣ ଗଙ୍ଗରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ରାଜତ୍ୱ କାଳରେ ଅର୍ଥାତ୍ ୧୨୧୧ରୁ ୧୨୩୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ପରି ଚତୁର୍ଦ୍ଧା ବିଗ୍ରହ ଉପାସିତ ହୋଇଥିବାର ପ୍ରମାଣ ରହିଛି । ଚୋଡଗଙ୍ଗ ଯେଉଁ ମହାମନ୍ଦିର ନିର୍ମାଣ କରାଇଥିଲେ ସେଥିରେ ଏପରି ଚତୁର୍ଦ୍ଧା ବିଗ୍ରହ ଉପାସନାର ପ୍ରବର୍ତ୍ତନ କରିବା ତାଙ୍କର ଅଭିପ୍ରାୟ ନଥିଲା ।

ସେ କେବଳ ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଏହି ମହାମନ୍ଦିର ନିର୍ମାଣ କରାଇଥିଲେ ଏବଂ ତାଙ୍କର ଲକ୍ଷ୍ୟ ଥିଲା ବିଷ୍ଣୁ-ପୁରୁଷୋତ୍ତମ ଉପାସନାକୁ ତାଙ୍କ ସାମ୍ରାଜ୍ୟରେ ସମ୍ପ୍ରସାରିତ କରାଇବା । ତେଣୁ ତାଙ୍କ ମୃତ୍ୟୁପରେ ପରବର୍ତ୍ତୀ ଗଙ୍ଗରାଜାମାନେ ମଧ୍ୟ ତୃତୀୟ ରାଜାରାଜ ପର୍ଯ୍ୟନ୍ତ(୧୨୧୧ ପର୍ଯ୍ୟନ୍ତ) ତାଙ୍କର ପୁରୁଷୋତ୍ତମ ଉପାସନାକୁ ଅଗ୍ରାଧିକାର ଦେଇଥିଲେ । ତୃତୀୟ ଅନଙ୍ଗଭୀମ(ରାଜାରାଜ ତୃତୀୟଙ୍କ ପୁତ୍ର) ୧୨୩୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁ ଚତୁର୍ଦ୍ଧା ବିଗ୍ରହ ଉପାସନା ଆରମ୍ଭ କଲେ ତାହା ସମ୍ଭବତଃ ଏକ ରାଜନୈତିକ ତଥା ଧାର୍ମିକ ପୃଷ୍ଟପଟ୍ଟ ସହିତ ଜଡିତ । ଗଂଗ ରାଜାମାନଙ୍କର ଆଞ୍ଚଳିକ ରାଜ୍ୟ ସମନ୍ୱୟ ତଥା ସାମ୍ରାଜ୍ୟ ଗଠନ ସହିତ ପୁରୁଷୋତ୍ତମ କ୍ଷେତ୍ରରେ  ଏହି ଚତୁର୍ଦ୍ଧା(ମିଶ୍ରିତ ଏବଂ ସମନ୍ୱିତ) ବିଗ୍ରହ ଉପାସନା ଜଡିତ ।

          …କ୍ରମଶଃ

Photo credit- Kailash Chandra Dash Facebook timeline

Share This Article
ଇତିହାସ ବିଭାଗର ପ୍ରଫେସର, ଗବେଷକ